Unknown

 

 

 

 

 

 

 

 

 

 

ସାରଳା ମହାଭାରତ

ମଧ୍ୟପର୍ବ - ଦ୍ୱିତୀୟ ଖଣ୍ଡ

ଆଦିକବି ସାରଳା ଦାସ

 

ସୂଚୀପତ୍ର

 

ବିଷୟ

୧|

ବଳରାମଙ୍କ ହସ୍ତିନା ତାଡ଼ନ ଓ ସିଂହଦ୍ଵାର ବକ୍ରକରଣ

୨|

କଟମ୍ଵାସୁର ଉପାଖ୍ୟାନ

୩|

ଚନ୍ଦ୍ରାବତୀ ବିବାହ

୪|

ଉଷାହରଣ

୫|

ଶ୍ରୀକୃଷ୍ଣ ଓ ବଳରାମଙ୍କ ବିଦ୍ୟା ପଠନ

୬|

ସୁରେଖା ହରଣ

୭|

ପ୍ରଦ୍ୟୁମ୍ନ ବନ୍ଦୀ ମୋଚନ

୮|

ସୁରେଖା ବିଭା

୯|

କୁଠାରାସୁର ବଧ

୧୦|

କଳ୍ପାସୁର ବଧ

୧୧|

କୁମ୍ଭକ ଦୈତ୍ୟ ବଧ

୧୨|

ଧର୍ମଯଜ୍ଞର ପ୍ରସ୍ତାବ

୧୩|

ଧର୍ମଯଜ୍ଞର ଆୟୋଜନ

୧୪|

ରାଜାମାନଙ୍କୁ ନିମନ୍ତ୍ରଣ

୧୫|

ନକୁଳର କୁନ୍ତମୁନେ ପୃଥ୍ଵୀ ଧାରଣ

୧୬|

ଧର୍ମଯଜ୍ଞ

୧୭|

ଶୋଭାବତୀ ହରଣ

୧୮|

ଶୋଭାବତୀର ବିବାହ

୧୯|

ପ୍ରୋଢ଼ାସୁର ଓ ରୂଢ଼ାସୁରର ବରଲାଭ

୨୦|

ପ୍ରୋଢ଼ାସୁରର ଦିଗ୍‌ବିଜୟ

୨୧|

କୃତକେଶୀ ସହ ପ୍ରୋଢ଼ାସୁରର ଯୁଦ୍ଧ

୨୨|

ପ୍ରୋଢ଼ାସୁର ବଧ

୨୩|

ମୂଢ଼ାସୁରର ବରଲାଭ ଓ ଗଣେଶଙ୍କ ଜନ୍ମ

୨୪|

ମୂଢ଼ାସୁରର ସ୍ୱର୍ଗ ଆକ୍ରମଣ

୨୫|

ମୂଢ଼ାସୁରର ଏକୋଇଶବାର ସ୍ୱର୍ଗ ଆକ୍ରମଣ

୨୬|

ନକୁଳ ଶିରେ ପାଟବନ୍ଧନ

୨୭|

ନାରକାସୁର ବଧ ଓ ପାରିଜାତ ହରଣ

୨୮|

ଶିବ ବିବାହ

୨୯|

କୁନ୍ତୀ ଗାନ୍ଧାରୀଙ୍କ କଳି (ମଧ୍ୟପର୍ବର ପରିଶିଷ୍ଟ )

 

ବଳରାମଙ୍କ ହସ୍ତିନା ତାଡ଼ନ ଓ ସିଂହଦ୍ୱାର ବକ୍ରକରଣ

ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି ଯେ ମୁନି

ସାତବଶଂ ଯାଦବନ୍ତ ରାମକୃଷ୍ଣ ଘେନି ।୧।

ତାଳଧ୍ୱଜ ରଥେ ବିଜୟେ ଦେବ ହଳୀ

ମହା ମତ୍ତଭରେ ଯେ କମ୍ପଇ ମହୀଆଳୀ ।୨।

ସମର୍ଥନ ଲଙ୍ଗଳ ଯେ ବୁଲାଇ ବଳେବର

ନିଚୟେ ରାସାଂଗତ ମୁଂ କରିମି ହସ୍ତିନା ନବର ।୩।

ବଳରାମଂକର କୋପ ଦେଖିଣ ବଦୟନ୍ତି ନାରାୟଣ

ଆମ୍ଭ ବଚନ ଶୁଣିମା ହୋଉ ଆଗହୁଂ କୋପ କିମ୍ପେ ସଂକ୍ରିଷେଣ ।୪।

ନ ଜାଣି ଦ୍ରିଯୋଧନ କୋପ କଲାକ ଅବା

ଶ୍ରୀହସ୍ତେ ଲେଖ ଲେଖି ଆମ୍ଭେ ଦୂତ ବରଗିବା ।୫।

ତାଳପତ୍ର ଗୋଟିୟେ ଆଣି ହରି କରନ୍ତି ଲେଖନ

ଯେଉଂମତେ ପଦ ଆଗ୍ୟାଂ ଦିଲେକ ବଳରାମ ।୬।

ଶ୍ରୀମୁଖ ଲେଖନ

ଜୟ ଜୟ ଶ୍ରୀଅନନ୍ତ ବିଶ୍ୱଭୂତ

ସପତ ବିଶ୍ୱ ଭାରାଭର ବିହିତ ।୭।

ସୁର ସନକାଦି ବନ୍ଦିତ ଯ ଅର୍କ ବିଧୁ ଉଦିତ ।୮।

ତ୍ରିଇଲୋକ୍ୟ ନାଥ । ବଳେ ବଳବନ୍ତା ।

ବିକ୍ରମ ସିଂଘ ମତ୍ତ ।୯।

ରୋହିଣୀ ଗର୍ଭସମ୍ଭୁତ

ଅଶେଷ କୋଟି ବ୍ରହ୍ମାଣ୍ଡ ଆଧିପତ୍ୟ ।୧୦।

ଶ୍ରୀବିଶ୍ୱ ଯୋଗେଶ୍ୱର

ଶ୍ରୀଅନାଦି ଦେବ ପରଂବ୍ରହ୍ମ ଈଶ୍ୱର ।୧୧।

ଅଂକୁଶ ଧାରଣ ନୀଳାମ୍ୱର

ଚତୁର୍ଦ୍ଦଶ ଭୁବନ ପ୍ରତଗ୍ୟାଂ ପ୍ରଖର ।୧୨।

ବିଶ୍ୱାସୀ ହିତ ସାଧକ

ସମସ୍ତ ଶ୍ରୀଅଙ୍ଗ ଅଳଂକୃତି କାରକ ।୧୩।

ସୁର ମନୁଷ୍ୟ ମର୍ୟ୍ୟାଦା ରକ୍ଷିତ ଅଭିଷେକ ।

ସତ୍ୟ ସାଧକ ।୧୪।

ଉତପତ୍ତି ସ୍ଥିତି ନାଶ କାରକ । ଦୁଷ୍ଟ ଜନ ନାଶକ ।୧୫।

ବିସ୍ତାର ବିଶ୍ରାମ ଗର୍ଭ

ସୁଧା ଗଳିତ ଅଭୟ ଦେବ ।

କୋଟି କନ୍ଦର୍ପ ଲାବଣ୍ୟ ସରୂପ ।୧୬।

ଦୁଷ୍ଟ ଜନ ନାଶନ । ଦେବକୁଳ ରକ୍ଷଣ ।୧୭।

ଅବିବେକୀ ବିହୃଦ ବିବେକ ଦାନ

ସତ୍ତ୍ୱ ରଜ ତମ ତ୍ରିଗୁଣ ନିର୍ବାଣ

ସୂକ୍ଷ୍ମ ବିମଳ ମଣିମୟ ମଣ୍ଡନ ।୧୮।

ସମର୍ଥନ ସଂଧାରଣ । ଉତ୍ତମ ସଉନନ୍ଦ ଭୂଷଣ ।୧୯।

କଦମ୍ୱା ମୋଡ଼ଣ । ଜରାସନ୍ଧମର୍ଦ୍ଦନ ।

ଦୁର୍ବିନ୍ଦ ବାନର ନାଶନ ।୨୦।

ସୂତ ପଉରାଣିକ ବିଧ୍ୱଂସନ ।

ପ୍ରଳମ୍ୱା ଚାରୁଣ ଦର୍ପ ଦଳନ ।୨୧।

କୁବଳୟା ପ୍ରାଣ ହରଣ । ଉଡ଼ଙ୍ଗ ଦେଶ ଭଙ୍ଗାଣ ।୨୨।

କଂସାସୁର ନିସୂଦନ । ଅବନୀ ଭାରା ନିବାରଣ ।୨୩।

ଶାମ୍ଭ ଗଦ ପଦ୍ମନ ମହାଛତ୍ରୀ ପରିବାର ଭୂଷଣ ।୨୪।

ଗୋମନ୍ତ ପର୍ବତ ଗିରି ମଣ୍ଡନ ।

ବୃନ୍ଦାବନ ମୋହନ ।୨୫।

ଅସତ୍ୟ ଧ୍ୱଂସ କାରକ । ତମ ନାଶକ ।୨୬।

ଶ୍ରୀ ନିରଞ୍ଜନ ପାଦେ ନତ ମସ୍ତକ

କୁଞ୍ଜଗଳ ଦେଶ ହସ୍ତିନା କଟକ ।୨୭।

ଦ୍ରିଯୋଧନ ଛାମୁକୁ ଆଗ୍ୟାଂ ଶ୍ରୀମୁଖ

ଶ୍ରୀହସ୍ତ ପ୍ରସାଦ ସନ୍ତକ ।୨୮।

ୟେହା ପଢ଼ି ଦୂତ ବଚନ ଶୁଣି

ଶାମ୍ୱ କୁମର ତୁଲେ ତୋହୋର ଦୁହିତା ଚନ୍ଦ୍ରାବତୀକି ଘେନି ।୨୯।

ବହନ ହୋଇ ତୁ କରିଯିବୁ ଦ୍ରଶନ

ନଇଲେ ନଉଚେତ ଧୁଶାସନ

ଦୁର୍ଜୟ ଦୁର୍ବିନ୍ଦ ଜଦ୍ୟରଥ କର୍ଣ୍ଣ ।୩୦।

ଭୂରିସର୍ବା ବାହ୍ଲିକ ଭୀଷ୍ମ ଦ୍ରୋଣ ଶକୁନି ।

ସେ ୟେଗାର ଅକ୍ଷଉଣୀ ବଳ ଘେନି ।୩୧।

ପଟୋୟାରେ ସାବଧାନେ ଥିବୁ ।

ନୋହିଲେ ତୁ ଆସି ମୋର ତୁଲେ ସମର କରିବୁ ।୩୨।

କେତେ ଗାଢ଼ କେତେ ଯୁଝିବ ।୩୩।

ଦେଖିବାକ ପୁଣ ।

ନ ଜାଣୁ କି ଶାମ୍ୱ କୁମର କାହାର ନନ୍ଦନ ।୩୪।

ମୋହୋର ନାମ ଗୋଟି ଜାଣିଥିବୁ ବଳରେ ବଳରାମ ।୩୫।

ଆହୋ ମାନଗୋବିନ୍ଦ । ତୋହୋର ବାପ ସିନା ଅନ୍ଧ ।୩୬।

ତୋହୋର ଯେବେ ଅଛି ବେନି ଚଚ୍ଛୁ

ମୋହୋର ପୁତ୍ରକୁ କିମ୍ପେ ୟେଡ଼େ କଷ୍ଟ ଦେଉଅଛୁ ।୩୭।

ପୁତ୍ର ଅଭାବେ ତୁ ନାଶ ଯେ ହୋଇଣ

ସମସ୍ତ ଜନ ମରାଇଣ ।୩୮।

ୟେମନ୍ତ କରିବି ।

ହସ୍ତିନା ନବର ଲଙ୍ଗଳ ମୁନରେ ତାଡ଼ିବି ।୩୯।

ସମୁଦ୍ର ଭିତରେ ମେଇଣ ମାଡ଼ିବି ।୪୦।

ତଦ୍ୟପି ମନେ ପ୍ରତେ ନ ଯିବ

ମୁହିଂ ଅଟଇ ବଳେ ବଳଦେବ ।୪୧।

ୟେମନ୍ତ କରି ଯେ ଶ୍ରୀମୁଖ ଲିହି

ମୁଦ ଦିଲେ ଚନ୍ଦନ କର୍ପୂର ମିଶ୍ରିତ କରି ଦେଇ ।୪୨।

ଶ୍ରୀହଳ ସନ୍ତକ କରି ଲେଖ ଦେଇ

ପଠିଆଇବାକୁ ମନୁଷ୍ୟ ଅନୁସରଇ

ଦ୍ରିଯୋଧନକୁ ଦୂତ ବରଗଇ ।୪୩।

ଆହୋ ଚଇତନ ନାରଦ ଆଗେ କହନ୍ତି ଦେବ ହଳୀ

ୟେହିକ୍ଷଣି ଯାଅ ତୁମ୍ଭେ ହସ୍ତିନା ପୁର ଚଳି ।୪୪।

ଶାମ୍ୱଚନ୍ଦ୍ରାବତୀକି ସମର୍ପି ମୋତେ ଯାଉ

ନିଚିନ୍ତ ହୋଇଣ ସେ ହସ୍ତିନା ପୁରେ ଥାଉ ।୪୫।

ନ ଦିଲେ ପୁର ତାର କରିବି ଯମପୁର ।୪୬।

ୟେମନ୍ତ କହିଣ ସେ ଯେ ଲେଖଗୋଟି ଦେଇ

ମାନଗୋବିନ୍ଦକୁ କହ ତୁମ୍ଭେ ସମସ୍ତ ବୁଝାଇ ।୪୭।

ଶୁଣ ହୋ ବଇବସୁତ ମନୁ ବଦନ୍ତି ଅଗସ୍ତି

ନାରଦଂକୁ ଆଗରେ ପଠିଆଇ ଦ୍ୱାରିକାରୁ ବାହାର

ହୋଇଲେ ଶ୍ରୀକୃଷ୍ଣ ହଳପତି ।୪୮।

ଥାଠ ଚଳିବାରୁ ଦେଖି ତ୍ରିଦଶେ ବିଷାଦ

ନାରଦେ ବୋଇଲେ ୟେଥେ ଆସି ପଡ଼ିଲା ପରମାଦ ।୪୯।

ହାଥେ ବ୍ରହ୍ମବୀଣା ଘେନିଣ ତପୋଧନୀ

ହସ୍ତିନା ପୁରେ ଯାଇଂ ମିଳିଲେ ବ୍ରହ୍ମମୁନି ।୫୦।

ସଭାରେ ବସିଣ ଯେ ଥିଲେ ଦ୍ରିଯୋଧନ ଭୀଷ୍ମ ଦ୍ରୋଣେ

ନାରଦଂକୁ ଦେଖି ସର୍ବେ ଉଠିଲେ ତତକ୍ଷଣେ ।୫୧।

ମୁନିଂକର ପାଦେ ସର୍ବେ କଲେ ଦିବ୍ୟ ପୂଜା

ନାରଦ ବୋଇଲେ ତୁ ହୋ ଶୁଣ କୁରୁରାଜା ।୫୨।

ନିଚିନ୍ତ ହୋଇଣ ତୁମ୍ଭେ ଅଛତ ସମସ୍ତ

ବଳରାମଂକର କୋପ ତୋତେ ହୋଇଲା ଅପ୍ରମିତ ।୫୩।

ଛପନ କୋଟି ଯାଦବେ ସାତବଂଶ ଘେନି

ତୋହୋର ଉପରକୁ ବାହିଲେ ରାମକୃଷ୍ଣ ବେନି ।୫୪।

ବାବୁ ରତିଚୋର ବୋଲିଣ ଧଇଲୁ ଯାହାକୁ

ଧର୍ମ ଉଦିତ ହୋଇଲା ତୁ ଯେ ମାଇଲୁ ତାହାକୁ ।୫୫।

ସାଧୁ ସାଧୁ ପାଣ୍ଡବେ ସେ ତୁମ୍ଭର ଜୀବତି

ସେହି ସେ ପଞ୍ଚୁକଟକେ ହୋଇବେ ଆଧିପତି ।୫୬।

କୃଷ୍ଣର ଦୁଲାଳ ସେ ଯେ ଜମ୍ୱୁବତୀର ବଳା

ଶାମ୍ୱ କୁମାର ନାମ ତା କୃଷ୍ଣବର୍ଣ୍ଣ କଳା ।୫୭।

କଉତୁକ ଖେଡ଼ରେ ସେ ହରିଲା ତୋହୋର ଦୁଲଣୀ

ୟେଡ଼େବଡ଼ ଦ୍ୱନ୍ଦ କଲ ତୁମ୍ଭେ ତ ନ ଜାଣି ।୫୮।

ୟେବେ ବଳରାମଂକର କୋପ ଯେ ଦୁଲଭ

କେମନ୍ତ ବୁଦ୍ଧିରେ ୟେବେ ତୋର ବଂଶ ରକ୍ଷା ଯିବ ।୫୯।

ଶ୍ରୀମୁଖ ଗୋଟିୟେ ତୋତେ ଦେଇଅଛଇ ବଳରାମ

ପୁତ୍ର ଦୋହିତାକୁ ଘେନି ଯାଇ ପାଦେ କରିବୁ ପ୍ରମାଣ ।୬୦।

ୟେହା ଶୁଣି କୋପକଲା ମାନଗୋବିନ୍ଦ ଚକ୍ରବ୍ରତୀ

ଆସ୍ତାନ ଉପରୁ ଡେଇଂ ପଡ଼ିଲାକ ଝାଡ଼ି ।୬୧।

ସାଜ ସାଜ ସମଦଣ୍ତ ବୋଲି ଶୁଭିଲା ଉଚ୍ଚେ ବାଣୀ

ଦ୍ୱାରିକା ପୁର ଥାଠ ଆଜ ସବୁ ପକାଇବା ହାଣି ।୬୨।

ୟେବେ ରତିଚୋରର ପକାଅ ରେ ମୁଣ୍ଡ କାଟି

ୟେମନ୍ତେ କୋପେଣ ଆଗ୍ୟାଂ ଦିଲା ରାଜା ଧୃତିରାଷ୍ଟି ।୬୩।

ନାରଦେ ବୋଇଲେ ତୁ ହୋ ଶୁଣ କୁରୁନାଥ

ବଳରାମଂକର କୋପକୁ ତୁ କି ସାମରଥ ।୬୪।

ମାନଗୋବିନ୍ଦ ବୋଇଲା ମୁନି ହେ ଦେଖ ୟେହିକ୍ଷଣି

କେମନ୍ତେ ସାଂଗ୍ରାମଟି କରିବେ ଚକ୍ରପାଣି ।୬୫।

ନିଚୟେ ପ୍ରାଣତ୍ୟାଜ ହୋ କରିବି କାହ୍ନୁ ସଂକ୍ରିଷେଣ

କେ ରକ୍ଷା କରିବ ରତିଚୋରର ମୁଣ୍ଡ ପୁଣ ।୬୬।

ଧୁଶାସନକୁ ବୋଇଲା ଆଣ ଶାମ୍ୱ କୁମରକୁ ଧରି

ଆନ ପ୍ରାୟେ ବୁଝି ମୁହିଂ ଥିଲି ହେଳାକରି ।୬୭।

ୟେ ମୋହୋର ଭୁବନେ ପଶି ଲଗାଇଲା କାଳି

ୟେଡ଼େ ଗରବ ହୋଇଲା ହରିଲା ମୋହୋର ଦୁଲାଳୀ ।୬୮।

ଅଶି ସହସ୍ର ଯୋଦ୍ଧା ସେ ଘେନିଣ କୁମାର ଧୁଶାସନ

ଶାମ୍ୱ କୁମରକୁ ବେଢ଼ିଲେ ବହନ ।୬୯।

ଶାମ୍ୱ କୁମରକୁ ବେଢ଼ନ୍ତେଣ ପାଣ୍ଡବେ ପାଞ୍ଚ ଭାଇ

ଯେ ଯାହାର ଶହସ୍ର ଧରି ଡାକନ୍ତି ତୁହାଇ ।୭୦।

ପଞ୍ଚୁ ପାଣ୍ଡବେ ବେଢ଼ିକରି କରନ୍ତେ ରଣଗୋଳ

ମୁଖରାବ ଶବଦ ଯେ ଶୁଭଇ ଚହଳ ।୭୧।

ପଚ୍ଛିମ ମୁରତି ଯେ ଦ୍ୱାରିକାର ଥାଠ

ପ୍ରବେଶ ହୋଇଲେ ଯାଇ ହସ୍ତିନା ପୁର ନିକଟ ।୭୨।

ଆହୋ ଚଇତନ ନାରଦେ ମିଳିଲେ ଯାଇଂ ରାମକୃଷ୍ଣଂକ ପାଶେ

ବୋଇଲେ ପାଣ୍ଡବ ଦ୍ରିଯୋଧନ ବହୁତ ଅମରିଷେ ।୭୩।

ବଳରାମ ବୋଇଲେ ତୁମ୍ଭେ ଶୁଣ ମଧୁହାରୀ

ବେଗେ ଆସ ବୋଲି କୋପେ ଧାଇଂଲେ ହଳଧାରୀ ।୭୪।

ଶ୍ରୀଭୁଜେ ଶୋଭାବନ ହଳ ମୁଷଳ ଆୟୁଧ

ଦେବାଧିଦେବ ସ୍ୱାମୀ କରିବେ ମହାଯୁଦ୍ଧ ।୭୫।

ବଳରାମଂକ କୋପ ମହାଅନଳ ତେଜ ଜାଣି

ବ୍ରହ୍ମାଣ୍ଡ କମ୍ପୁଅଛି ରୋଷେଣ ଧରଣୀ ।୭୬।

ପାଣ୍ଡବେ ଯଦ୍ୟପି ହୋ ହୋଇଲେ ଶସ୍ରଧାରୀ

ଭୀଷ୍ମ ଦ୍ରୋଣ ସହିତେ ଆସନ୍ତି ଆଗସରି ।୭୭।

ପଞ୍ଚମର୍ଭୁତ ସଇନି ଘେନି ମାନଗୋବିନ୍ଦ ଚକ୍ରବ୍ରତୀ

ଭୀମ ଅର୍ଜୁନ ତୁଲେ ସେ ସମର ଅପ୍ରମିତି ।୭୮।

ନାରଦ କହିଲେ ଯାଇଂ ଶୁଣ ହୋ ବଳରାମ

ପାଣ୍ଡବଂକର ତୁଲେ କଉରୋବେ ହାଦେ ଅନେକ ସାଂଗ୍ରାମ ।୭୯।

ବଳରାମ ବୋଇଲେ ବାବୁ ଶୁଣ ଚକ୍ରଧାରି

ହଳମୁନେ ତାଡ଼ିବି ମୁଂ ହସ୍ତିନା ନାମେ ପୁରୀ ।୮୦।

ସମୋଦ୍ର ଭିତରେ ଆଣି ପକାଇବି ତାଡ଼ି

ପୁଣ ପୁଣ ପ୍ରତଗ୍ୟାଂ ସେ କରନ୍ତି ହଳଧାରୀ ।୮୧।

ବ୍ରହ୍ମାଣ୍ଡ କମ୍ପିଲା ବଳରାମଂକର କୋପେ

ଗଳଇ ତ୍ରିପଣ୍ତ ଝାଳ ଅତି ଗରୁତାପେ ।୮୨।

ପବନ ଦେବତା ତେଜ ନୁଆରିଲା ସହି

ତେତିଶ କୋଟି ଦେବେ କମ୍ପିଲେ ସର୍ଗପୁରେ ଥାଇ ।୮୩।

ତ୍ରଇଲୋକ୍ୟ କମ୍ପିଲା ଯେ ବଳରାମଂକର ଶୁଣି ସିଂଘରଡ଼ି

ଗିରି କନ୍ଦରମାନ କି ପଡୁଅଛି ଝଡ଼ି ।୮୪।

ତ୍ରଇଲୋକ୍ୟ ଶଂକିଲା ଦେଖି ବଳରାମଂକର କାୟା

ନିଦାଘ ତେଜ ଜାଣି ବଳରାମଂକର ଛାୟା ।୮୫।

ଧବଳ ବଦନ କ୍ରୋଧେ ଦିଶଇ ଶୋଣିତମୟେ

ବଦନ ଦେଖି ତ୍ରଇଲୋକ୍ୟେ କଲେ ମହାଭୟେ ।୮୬।

ସମର୍ଥନ ଲଙ୍ଗଳ ଯେ ହଳ ମୂଷଳ ପାଣି

କୋପେ ପ୍ରଜ୍ୱଳିତ ରାମ ଯେ ଜୀମୂତ ମେଘ ଜାଣି ।୮୭।

କଉରୋବ ସଇନି ଭୟେ ପଳାଇଲେ ଉଠି

ସରସ୍ୱତୀ ନଦୀ ତୀରେ ହୋଇଲେ ଭେଟାଭେଟି ।୮୮।

ଦେଖିଲେ ଅସମ୍ଭବ କଉରୋବ ସଇନି

ପୂର୍ବ ଦିଗରେ ରହିଲେ ପାଣ୍ଡବେ ଶାମ୍ୱ କୁମରକୁ ଘେନି ।୮୯।

ନାରଦେ କହିଲେ ଶୁଣ ଧୃତିରାଷ୍ଟଂକ ସୁତ

ବଳରାମଂକର କୋପ ହାଦେ ଦେବତାନ୍ତ ଅପ୍ରମିତ ।୯୦।

ହୁତାସନ ତେଜ ପ୍ରାୟେ ହୋଇଛନ୍ତି ହଳପାଣି

ଅଗ୍ନିରେ ପଡ଼ିଲେ ଯେହ୍ନେ ପତଙ୍ଗେ ନ ବ୍ରତନ୍ତି ପୁଣି ।୯୧।

ଶାମ୍ୱ କୁମରକୁ ଘେନି ଯୁଝେଷ୍ଠି ସହିତେ

ରାମକୃଷ୍ଣଂକୁ ଯାଇଂ ଶାନ୍ତି କର ହୋ ସମସ୍ତେ ।୯୨।

ଯୁଝେଷ୍ଠି ମିଳିଲେ ମାନଗୋବିନ୍ଦର ପାଶ

ବାବୁ ରେ ତ୍ରଇଲୋକ୍ୟ କମ୍ପୁଅଛି ବଳରାମଂକ ରଡ଼ିଘୋଷ ।୯୩।

ସପତ ଭୁବନ ଯାକ କାଳନ୍ତେକ କାୟେ

ବଳରାମ ସନ୍ନିଧକୁ କେହି ରହମାନ ନୋହେ ।୯୪।

ବାବୁ ତାହାର ପୁତ୍ର ଦୋହିତାକୁ ଘେନି

ରାମକୃଷ୍ଣଂକର ଚରଣେ କରିବା ଦଇନି ।୯୫।

ଆମ୍ଭନ୍ତ ଦେଖିଣ ସେ କୋପ କରିବେ ଶାନ୍ତି

ଅପାଦ କ୍ଳେଶ ଖଣ୍ଡଣ ହୋଇବ ନୃପତି ।୯୬।

ମଧୁର ବଚନ ଶୁଣି ସେ ହୋଇଲା କୋପ ଅତି

ଯେ ସେ ମଧୁପିଙ୍ଗଳ କର୍କଶ ମାନଚକ୍ରବ୍ରତୀ ।୯୭।

ଧାଆଂରେ ଧୁଶାସନ ଦୁର୍ଜୟେ ଦୁରାକର୍ଣ୍ଣ

ଥାଠରେ ଆଗିଆଣି ହୋଇଲା ରାଜା ଦ୍ରିଯୋଧନ ।୯୮।

ରାଜାର ବଚନେ ଧାଇଂଲେ ଅଠାଣୋଇଂ ଭାଇ

ଭୋଜବଂଶ ଥାଠ ବେଢ଼ିଲେ ବେଗେ ଯାଇଂ ।୯୯।

ଗଦା କୋନ୍ତ ନାରାଜ ଘେନିଣ ଖଡ଼ଗ ଫଳା

ଗୁରୁଜ ଶକତି ଯେ ତେଜ ଅନର୍ଗଳା ।୧୦୦।

ୟେକ ପ୍ରହାର କରନ୍ତେ ଆରେକ ହ୍ୱନ୍ତି ଆଗ

ଅଜାଯୂଥ ଦେଖି ଯେହ୍ନେ ଧାମନ୍ତି ମତ୍ତବ୍ରାଘ ।୧୦୧।

ଦୁର୍ଜୟେ ଧୁଶାସନ ପ୍ରତଗ୍ୟାଂ ଯାର ବୀରଧୂ

ରଣଗୋଳ ଧନ୍ଦୋଳ କେ ତାହାର ନିନ୍ଦୁ ।୧୦୨।

ଗଜେକ ଆରୋହି ଧୁଶାସନ ବୀର ଉଠି

ଉଗ୍ରସେନର ଉପରେ ଗଦା ନେଇ ପିଟି ।୧୦୩।

ଗଦାବର ପଡ଼ନ୍ତେ ଭାଜିଲେ ସଇନି

ମୁଖରାବ ଶବଦ ଶୁଭିଲା ଅନ୍ୟୋଅନ୍ୟି ।୧୦୪।

ମହାଗୋଳ ଉପୁଜିଲା ଓହୋବଳ ଥାଠ

ତିନି ଭୁବନ କମ୍ପିଲା କମ୍ପିଲେ ସମରାଷ୍ଟ୍ର ।୧୦୫।

ଦ୍ରିଯୋଧନ ଦୁଷ୍ଟପଣ ଦେଖିଣ ହଳଧାରୀ

ମହା କୋପେଣ ଦେବ ଆସନ୍ତି ଆଗସରି ।୧୦୬।

ଆଜ ଯେ ହସ୍ତିନା କଟକ ପକାଇବି ତାଡ଼ି

ମରନ୍ତୁ ୟେ କଉରୋବେ ବଡ଼ବାନଳେ ପଡ଼ି ।୧୦୭।

ୟେତେ ବୋଲି ଦେବ ହଳ ମୂଷଳ କରେ ଧରି

ଅନ୍ତରୀକ୍ଷେ ବୁଲାଇଲେ ପବନ ଗତି କରି ।୧୦୮।

ସମର୍ଥନ ଲଙ୍ଗଳ ଦେବ ବୁଲାଇଲେ ଧରି

ମହାବଳବନ୍ତ ଯେହ୍ନେ ବିକ୍ରମ କେଶରୀ ।୧୦୯।

ହଳମୁନେ ପ୍ରହାର କଲେକ ବସୁନ୍ଧରୀ

ମେରୁକୀଳା ଜାଣିଣ ସେ ରହିଲା ଆବୋରି ।୧୧୦।

ଫୁଟିଲା ବସୁନ୍ଧରୀ ମେଦିନୀ କୋଟି କୋଟି

ନୃସିଂଘ ଅବତାର ବଳରାମ ହେଟି ।୧୧୧।

ନରକେଶରୀ ରୂପ ଧରିଲେ ହଳଧାରୀ

ଲଙ୍ଗଳମୁନେ ଉଭାରିଲେ ହସ୍ତିନା ନାମେ ପୁରୀ ।୧୧୨।

ପଞ୍ଚବିଂଶ ଯୋଜନ ହସ୍ତିନା ମହୀସ୍ଥଳୀ

ହଳମୁନେ ବଳରାମେ ଧଇଲେ ତାହା ତୋଳି ।୧୧୩।

କିଞ୍ଚିତ ମାତ୍ରକେ ତାହା ଧଇଲେ ହଳ ଅଗ୍ରେ

ପୃଥିବୀକି ବୁଲାବନ୍ତି ଅନ୍ତରୀକ୍ଷ ମାର୍ଗେ ।୧୧୪।

ଦେଖିଣ ବିଷାଦ ଯେ ହୋଇଲେ ବୃନ୍ଦାଅର୍କେ

ରଖ ରଖ ସ୍ୱାମୀ ବୋଲି ଡାକନ୍ତି ଦେବଲୋକେ ।୧୧୫।

ତିନି ଭୁବନକୁ ଯେ ଲାଗିଲାକ ମହାତ୍ରାସ

କେ ଆଗ ହୋଇବଟି ସ୍ୱାମୀ ସଂକ୍ରଷେଣ ପାଶ ।୧୧୬।

ଯାହାର କୋପିଲେ କମ୍ପଇ ପଦ୍ମଯୋନି

ତ୍ରାସେ ପଳାଇଲେ ଯେ ସୁର ସିଦ୍ଧ ମୁନି ।୧୧୭।

ତ୍ରଇଲୋକ୍ୟ ପୂରିଲା ୟେକା ତେଜ ସଂକ୍ରଷେଣ

ଅନ୍ତରୀଯେ ବୁଲାବନ୍ତି ସେ ହସ୍ତିନା ଭୁବନ ।୧୧୮।

ବ୍ରହ୍ମାଂକର ଛାମୁରେ କହିଲେ ବିହନ୍ତା ପୁରୁଷେ

ସ୍ୱାମୀ ହସ୍ତିନାପୁର ନାଶ ଗଲା

ବଳରାଂକର ରୋଷେ ।୧୧୯।

ଶୁଣି ଦେବବର ବିଜେ ମରୁଳ ବାହାନେ

ବ୍ରହ୍ମଲୋକନ୍ତ ଘେନିଣ ଯେ ବିଜୟେ ଅନ୍ତର୍ଧାନେ ।୧୨୦।

ଦେଖିଲେକ ହଳମୁନେ ଲାଗଇ ଯେହ୍ନେ ମାଟି

ସେହିମତି ଦିଶଇ ଯେ ହସ୍ତିନା ରାଜ୍ୟ ଗୋଟି ।୧୨୧।

ପୃଥିବୀର ମଧ୍ୟେ ଯେ ସାରସ୍ୱତ ଭୁବନ

ଅଦଭୁତେ ଅନମିତେ ହେଉଛି ନାଶପାନ ।୧୨୨।

ତିନି ଭୁବନ ମଧ୍ୟେ ଯେ ହେଉଛି ଉଲୁକାପାତ

ଅଗାଦ ସମୋଦ୍ରେ ଯେହ୍ନେ ଲହଡ଼ି ଉତପାତ ।୧୨୩।

ୟେକା କାୟେ ଘୋଟିଲା ସପତଦୀପା ପୃଥୀ

ଦେଖିଣ ଭୟେ କଲେ ଭୀଷ୍ମ ଦ୍ରୋଣ ସେନାପତି ।୧୨୪।

ହଳ ଅଗ୍ରେ ଥାଇଣ ସମସ୍ତେ ଦ୍ୟନ୍ତି ଡାକ

ଭୋ ଦେବ କାମପାଳ ସ୍ୱାମୀ ହସ୍ତିନା ବାରେ ମାତ୍ର ରଖ ।୧୨୫।

ନ ଶୁଣନ୍ତି କଉରୋବଂକ ବିନୟ ତୁସ୍ତି ବାଣୀ

ଦକ୍ଷିଣାବ୍ରତେକ କରି ବୁଲାନ୍ତି ପବନ ଘାତ ଜାଣି ।୧୨୬।

ଦିଗାମ୍ୱର ପୁରୁଷେ ଯେ ରହିଲେ ଅନ୍ତରୀକ୍ଷେ

ଦେଖନ୍ତି କାମପାଳଂକ ମୂରତି ପ୍ରତ୍ୟକ୍ଷେ ।୧୨୭।

ଅମ୍ୱିକାର ନନ୍ଦନ ଗଳାରେ କୋଠାର ଯେ ଦନ୍ତରେ ତିରଣ ଲଗାଇ

ସଞ୍ଜୟେ ବିଦୁରେ ପ୍ରଣପତ୍ୟ ହୋଇ ଶୋଇ ।୧୨୮।

ଧୁଶାସନ ଦୁର୍ଜୟେ ମୂଳେ ଅନେଶ୍ୱତ ଭାଇ ଘେନି

ମାନଗୋବିନ୍ଦ ରାଜା କରଇ ଅନେକ ଦଇନି ।୧୨୯।

ତୁ ଦେବ ଅନାଦି ଯେ ସଂସାର ପ୍ରସିଦ୍ଧି

ତୁ ଦେବ ପରଂବ୍ରହ୍ମ ସଂସାର ଗୁଣନିଧି ।୧୩୦।

ତୁ ପ୍ରତ୍ୟକ୍ଷେ ନିରଞ୍ଜନ ତୁ ପ୍ରତ୍ୟକ୍ଷେ ନିରାକାର

ମାନବ ମାତ୍ରକେ ତୋତେ କେ କରିବ ଗୋଚର ।୧୩୧।

ଧବଳାଙ୍ଗ ଶରୀର ଶୁଦ୍ଧ ସ୍ଫଟିକମୟେ

ଅନନ୍ତ କୋଟି ବ୍ରହ୍ମାଣ୍ଡ ଯାହାକୁ ତିଳମନ୍ଦା ପ୍ରାୟେ ।୧୩୨।

କିଞ୍ଚିତ ମାତ୍ରକେ ହସ୍ତିନା ଧଇଲୁ ଦେବ ତୋଳି

ତୁମ୍ଭେ ସେ ବଳଭଦ୍ର ଅତି ବଳେ ବଳୀ ।୧୩୩।

ତୁହି ଦେବ ଜଳ ସ୍ଥଳ ଅନାଦି ଦେବତା

ପାଦ ନଖ କୋଣେ ଯାର ବ୍ରହ୍ମାଣ୍ଡ କୋଟି ଥିତା ।୧୩୪।

ପୃଥି ନାଭିଖଣ୍ଡ ପାତାଳ ପାଦ ଆକାଶ ଯାର ଶିର

ତୁମ୍ଭର ମହିମା ଦେବ ଦେବନ୍ତ ଅଗୋଚର ।୧୩୫।

ୟେ ସଂସାରସାଗରକୁ ମୁକତି ଗତି ଅର୍ଥେ

ନିଜ କାୟା ଦେଖାଇଲ ସ୍ୱାମୀ କାରଣ ନିମନ୍ତେ ।୧୩୬।

ନମସ୍ତେ ନିରଞ୍ଜନ କାମପାଳ ନିରାକାର

ମହାପ୍ରଳୟ ଦିଶଇ ଯାକୁ ବୁଦୁବୁଦୁ ଆକାର ।୧୩୭।

ସଚଳ ନିଚଳ ଦେବ ନିରାକାର ତୁହି

ଶୂନ୍ୟକୁ ଆକାର ଦେବ ତୋ ତହୁଂ ଆନ ନାହିଂ ।୧୩୮।

ଅନେକ ତୁସ୍ତି ସେ ଯେ କରନ୍ତି ବେଦବ୍ରହ୍ମା

କେ ଆନ କରିବ ଦେବ ତୋହର ମହିଂମା ।୧୩୯।

ବୃଷଭ ବାହାନେ ଦେବ ବିଜୟେ ପଶୁପତି

ନିରାକାର ପୁରୁଷଂକୁ କରନ୍ତି ଶୂନ୍ୟେ ତୁସ୍ତି ।୧୪୦।

ୟେ ସଚରାଚରକୁ ଦେବ ତୁହି ସେ ୟେକ ସ୍ତମ୍ଭ

ସ୍ୱାମୀ ଆଉମାନେ ଚଞ୍ଚଳ ତୁହି ୟେକା ଦମ୍ଭ ।୧୪୧।

ତୁହି ସେ ପୃଥିବୀକି ଯେ କରୁ ୟେକା ଭୋଗ

ତୋହୋର କୋପ କଲେ କି ରହିବ ମଧ୍ୟସର୍ଗ ।୧୪୨।

କେହୁ ବ୍ରହ୍ମା କେହୁ ବିଷ୍ଣୁ କେହୁ ମହେଶ୍ୱର

ଜ୍ୟେଷ୍ଠ ନାମ ଗୋଟି ତୋର ସବୁରି ଉପର ।୧୪୩।

ଅମ୍ୱା କଦମ୍ୱା ଯେ ପ୍ରଳମ୍ୱାସୁର ମାରି

ପୃଥୀର ଭାରାଭର ତୁହି ସେ ଉଦ୍ଧାରି ।୧୪୪।

କାହୁ ଉତପତି ହୋଇଲୁ ନାଥ ତୋତେ ନ ଜାଣନ୍ତି କେହି

ନିରାକାର ପୁରୁଷ ତୁ ତୋର କୁଳ ଗୋତ୍ର ନାହିଂ ।୧୪୫।

ତୁହି ସେ ଆନର କୋପ କରୁ ଦେବ ଶାନ୍ତି

ତୋହୋର କୋପ କଲେ କି ରହିବ ବସୁମତୀ ।୧୪୬।

ତୁ ଦେବ ଦାନବ ଯେ ନର ନାଗ ଲୋକକଇଂ

ସପତ ବ୍ରହ୍ମାଣ୍ଡ ଯାର ରୋମମୂଳେ ରହଇ ।୧୪୭।

ନ ଜାଣି ସଂସାରେ ଦେବ ହେଉଛନ୍ତି ବଣା

ତୋ ତହୁଂ ପୃଥୀକି ଆନେ ନାହିଂଟି ଧାରଣା ।୧୪୮।

ଅନେକ ବିନୋଇ ଯେ ବୋଲନ୍ତି ଦେବଲୋକେ

ଶାନ୍ତି ନୁହଇ ଯେ ରାମ ଶାମ୍ୱ କୁମରର ଶୋକେ ।୧୪୯।

ଆହୋ ଚଇତନ ଦେବଲୋକେ କରନ୍ତେ ଯହୁଂ ତୁସ୍ତି

ଆମ୍ଭେ ରାସାଙ୍ଗତେ ହୋଇଲୁ ତୋହୋର ଅଛି ଯେ ଅପ୍ରୀତି ।୧୫୦।

ପାଣ୍ଡବ ପାଞ୍ଚଭାଇ ତ ତୋହୋରେ ଭଗତି

ତାହାନ୍ତ କେମନ୍ତେ ନାଶ କରିବୁଂ ହଳପତି ।୧୫୧।

ଭୋ କାମପାଳ ଯେ କର ଦେବ ରକ୍ଷା

ଯାବତ କାଳକୁ ଦେବ ରହିଲା ତୋର କକ୍ଷା ।୧୫୨।

ବ୍ରହ୍ମାୟେ ବୋଇଲେ ନାରଦଂକ ମୁଖ ଚାହିଂ

ଯୁଝେଷ୍ଠଇଂକ ଛାମୁରେ କହ ତୁ ବେଗେ ଯାଇଂ ।୧୫୩।

ସେ କିମ୍ପେ ମଉନବ୍ରତ ବଳରାମଂକ କୋପକୁ

ୟେ ପଞ୍ଚୁରାଜ୍ୟ ପ୍ରାପତ ଯେ ହୋଇବ ତାହାଂକୁ ।୧୫୪।

କାଲି ସେ ପଞ୍ଚୁକଟକେ ହୋଇବେ ଆଧିପତି

ତାହାଂକର ଅଟଇନା ସପତଦୀପା ପୃଥୀ ।୧୫୫।

ପିତାମହର ବଚନେ ଚଳନ୍ତି ନାରଦେ

ଯୁଝେଷ୍ଠିଂକ ଅଗ୍ରତେ ପ୍ରବେଶ ହେଲେ ହାଦେ ।୧୫୬।

ଆସନ ତେଜିଣ ଯେ ଉଠିଲେ ପଞ୍ଚୁଭ୍ରାଥେ

ନାରଦଂକ ପୟରେ ଯେ ଦଣ୍ଡ ପ୍ରଳମ୍ୱିତେ ।୧୫୭।

ପାଦ ପଖାଳିଲେ ଦେଇ ପାଦାଅର୍ଘ୍ୟ ଗୋଟିୟେ

ଅନେକ ଦଇନି ସେ କଲେ ଧର୍ମରାୟେ ।୧୫୮।

ନାରଦ ବୋଇଲେ ତୁମ୍ଭେ ଶୁଣ ପଞ୍ଚୁଭାଇ

ହସ୍ତିନା ରାଜ୍ୟ ଯେ ହେଉଅଛି ଜଳଶାହୀ ।୧୫୯।

ବଳରାମ ଦେବ ଯେ ଅଟନ୍ତି କାଳସର୍ପ

ଗରୁଡ଼ ସିନା ହରିପାରିବ ତାହାଂକର ଦର୍ପ ।୧୬୦।

ସେ ରାମ କାଳସର୍ପ ତୁମ୍ଭେ ସେ ଖଗେଶ୍ୱର

ଦେଖି କୋପ ଶାନ୍ତି ଯେ ହୋଇବ ତାହାର ।୧୬୧।

ବାବୁ ତୁମ୍ଭନ୍ତ ଦେଖି ସେ ବଳରାମ କରିବେ କୋପ ଶାନ୍ତି

ନାରଦଂକ ବଚନେ ପାଣ୍ଡବେ ଉଠିଲେ ତଡ଼ତି ।୧୬୨।

ଶାମ୍ୱ ଚନ୍ଦ୍ରାବତୀକି ସଙ୍ଗତରେ ଘେନି

ଦ୍ରିଯୋଧନକୁ ବୋଇଲେ ଚାଲ କରିବା ଦଇନି ।୧୬୩।

କରେ କୁଠାର ଯେ ଦନ୍ତେ ତିରଣ ଘେନି

ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଅଶସ୍ତମା ଶକୁନି ।୧୬୪।

କରପତ୍ର ଯୋଡ଼ି ତୁସ୍ତି କରନ୍ତି ଉପରେ

ଶରଣ ରଖ ସ୍ୱାମୀ ଦେବ ବଳେବରେ ।୧୬୫।

ଶରଣ ଶବଦ ଗୋଟି ଯେ ଶୁଭିଲା ଘୋର ବାଣୀ

ରଖ ରଖକୋପ ଛାଡ଼ ହେ ହଳପାଣି ।୧୬୬।

ପୃଥୀ ନ ସହଇ ଯେ ତୋହୋର କୋପ ଭରା

ୟେହିକ୍ଷଣି ରାସାଙ୍ଗତ ହୋଇବ ବସୁନ୍ଧରା ।୧୬୭।

ୟେ ସଂସାର ସାଗରକୁ ତୁହି ସେ ନଉକା

ସମସ୍ତ ନିଶୋଧନ ତୁହି ସେ କରୁ ୟେକା ।୧୬୮।

ଶ୍ରୀବଳରାମ ବଳରାମ ଘୋଷନ୍ତି ହୃଦପଦ୍ମେ

ଅତିହିଂ ଆକୁଳ ଯେ ହୋଇଲେ ସୁରସିଦ୍ଧେ ।୧୬୯।

ତୁମ୍ଭର କୋପ କଲେ କି ରହିବ ହସ୍ତିନା

ୟେ ସଂସାରକୁ ଧାରଣା ପୁରୁଷ ତୁହି ସିନା ।୧୭୦।

ଶିଖେ ରହିକରି ବହୁତ ତୁସ୍ତି କରି

ଉଦ୍ଧରି ଧର ବଳରାମ ବୋଲି ଛାଡ଼ିଲେ ଦୀର୍ଘ ରଡ଼ି ।୧୭୧।

ଶ୍ରୀକୃଷ୍ଣ ବିଜେକଲେ ବଳରାମଂକ ଅଗ୍ରତେ

ସ୍ୱାମୀ କ୍ଷଣକ ବିଶ୍ରାମ କରିବା ହେଉ ୟେଥେ ।୧୭୨।

ଆକାଶେ ରହି ସ୍ତୁତି କରନ୍ତି ବୃନ୍ଦାଅର୍କେ

ଅନେକ ନିବେଶି କହନ୍ତି ଦେବଲୋକେ ।୧୭୩।

ଅନେକ ବଇକୁଲ୍ୟ ଯେ ହୋଇଲେ ଧୃତିରାଷ୍ଟି

ଶରଣ ରକ୍ଷଣ ନାଥ ତୁମ୍ଭ ନାମ ଗୋଟି ।୧୭୪।

ତୋହୋରେଣ ନାଥ ସେ ବ୍ରତିବେ ସକଳ

ଭଗତବତ୍ସଳ ତୁମ୍ଭେ ଅଟ କାମପାଳ ।୧୭୫।

ମୁହିଂ ନ ଜାଣଇଂ ଦେବ ଶାମ୍ୱ କୁମର ବୋଲି

ସ୍ତିରୀଚୋର ବୋଲି ମୁଂ ଅନେକ ଦୁଃଖ ଦେଲି ।୧୭୬।

ତୁ ଦେବ ମୋହୋର ଯେ ଦୋଷ ଯମା କରିବା

ତୁମର ଚରଣେ ଦେବ ସବୁଂକରି ସେବା ।୧୭୭।

ବଳରାମେ ବୋଇଲେ ବାବୁ ଶୁଣ ବନମାଳୀ

ମୁଂ ଯେ ସତ୍ୟ କରିଅଛି ହସ୍ତିନା ସମୋଦ୍ର ପକାଇବି ବୋଲି ।୧୭୮।

ଗୋବିନ୍ଦେ ବୋଇଲେ ସ୍ୱାମୀ ହସ୍ତିନା ସମୋଦ୍ର ପକାଇଲେ

ପାଣ୍ଡବେ ପାଞ୍ଚେ ଅଛନ୍ତି ଯେ ସୋହୋଦ୍ରାର ତୁଲେ ।୧୭୯।

ଶାମ୍ୱ କୁମର ତୁଲେ ସମସ୍ତେ ଯିବେ ନାଶ

ଗାନ୍ଧାରୀ ପୁଅ ଦୋଷେ କିମ୍ପେ ଆମ୍ଭେ ପୁତ୍ର ହେବ ନାଶ ।୧୮୦।

ନିଜ ଥାନେ ଥୋଅ ହସ୍ତିନାର କିସ ଦୋଷ

ଜଗନ୍ନାଥେ କହିଲେ ବଳରାମଂକର ପାଶ ।୧୮୧।

ରକ୍ଷା କରିବା ଦେବ ହସ୍ତିନା ଭୁବନ

ପାଣ୍ଡବଂକ ନିମନ୍ତେ ରକ୍ଷା ହୋଇବ ଦ୍ରିଯୋଧନ ।୧୮୨।

ଯୁଝେଷ୍ଠି ଭଗତ ବଳରାମଂକ ପାଦ ତଳେ

ଅପାଦ ଖଣ୍ଡନ ଦେବ ଦୁସହର ବେଳେ ।୧୮୩।

ଆମ୍ଭର ସଞ୍ଚିଲା ଦେବ ସିନା ୟେହୁ ବସୁନ୍ଧରୀ

ଆମ୍ଭେ ନାଶ ଯିବା କି ଶତ୍ରୁର ଦୋଷୁଂ କରି ।୧୮୪।

ତାହାର ଦୋଷେ ନାଶଯିବ ସେ ଯୁଗତେ

କୋପ ଶାନ୍ତି କରିବା ଦେବ ସବୁରି ଦେଖନ୍ତେ ।୧୮୫।

ଅନେକ ପ୍ରାର୍ଥନା ଯେ ବିନୟ ଭାବେ ବୋଲି

ବଳରାମଂକ ପାଦତଳେ ଯୁଝେଷ୍ଠି ଶୁତିଲେ ଗଡ଼ଘାଲି ।୧୮୬।

ଭୀମ ଅର୍ଜୁନ ଯେ ନକୁଳ ସହଦେବ

ୟେମାନେ ସମସ୍ତେ ଅନେକ ବିନୟ ଭଗତି ଭାବ ।୧୮୭।

କୃଷ୍ଣ ବୋଇଲେ ସ୍ୱାମୀ ସଂହରିବା କୋପ

ତୁମ୍ଭର କୋପକୁ ୟେ ନୋହନ୍ତି ଅନରୂପ ।୧୮୮।

ଶ୍ରୀକୃଷ୍ଣଂକର ବଚନେ ଯୁଝେଷ୍ଠିଂକର କହନ୍ତେ

ଲେଉଟିଲେ କାମପାଳ ନଗ୍ର ବାରୁଣାବନ୍ତେ ।୧୮୯।

ଦେଖିଲେ ସମସ୍ତେହେଂ ହସ୍ତିନା ନଗ୍ର ସ୍ଥାନ

ଅଗାଦ ଗଭୀର ଜାଣି ଦିଶଇ ହସ୍ତିନା ଭୁବନ ।୧୯୦।

ଦେବତାଂକ ବଚନେ କୋପ ଶାନ୍ତି ବଳଦେବ

ପ୍ରବେଶ ହୋଇଲେ ହସ୍ତନା ଭୂମି ଠାବ ।୧୯୧।

ନିଜସ୍ଥାନେ ନେଇ ହସ୍ତିନା ବସାଇଲେ

ସିଂଘଦ୍ୱାରେ ଦେବ ସେ ବକ୍ରଭାବ କଲେ ।୧୯୨-୭୬୦୬।

 

Unknown

କଟମ୍ୱାସୁର ଉପାଖ୍ୟାନ

ଶୁଣ ହୋ ବଇବସୁତ ମନୁ ବଦନ୍ତି ଅଗସ୍ତି

କୋପଶାନ୍ତି ହୋଇଲେ ଦେବ ହଳପତି ।୧।

ଯୁଗେ ଯୁଗେଣ ସେ ରୁହାଇଲେ କଥା

ତହୁଂ ସିଂଘଦ୍ୱାର ବକ୍ର କଲେ ଦେବ ହଳହସ୍ତା ।୨।

ଶୁଣିଲୁଟି କି ମନୁରାଜା ଶାହାସ୍ର ସଙ୍ଗତି

ସିଂଘଦ୍ୱାର ବଂକା କଥା ପୁଛିଲୁ ମୋର କତି ।୩।

ଶାମ୍ୱ କୁମର ସକାଶୁଂ ୟେସନ ପ୍ରସ୍ତାବ

ତୋର ଆଗେ କହିଲୁ ହସ୍ତିନା ସିଂଘଦ୍ୱାର ବକ୍ରଭାବ ।୪।

ଅଗସ୍ତିଂକ ପାଦତଳେ ମନୁ କଲେ ସେବା

କହିବ ମହାମୁନି ମୋତେ ଶାମ୍ୱ ଚନ୍ଦ୍ରାବତୀ ବିଭା ।୫।

ଶୁଣ ହୋ ମନୁରାଜା ବଦନ୍ତି ଅଗସ୍ତି

ୟୁଯେ ପୁଚ୍ଛାକଲୁ ବିଭାର ଯିସ ରୀତି ।୬।

ହସ୍ତିନା ରାଜ୍ୟରେ ଦ୍ରିଯୋଧନ ମହାରାଜା

ସମସ୍ତ ନୃପତି ତାକୁ କରନ୍ତି ପାଦପୂଜା ।୭।

ହସ୍ତିନା ରାଜ୍ୟେ ମାଡ଼ି ବସିଲେ ଯାଦବେ

ଯଦୁବଂଶ ଭୋଜବଂଶ ସକଳ ୟେକଠାବେ ।୮।

ଅନେକ ଭଣ୍ଡାର ଫେଡ଼ି ମାନଚକ୍ରବ୍ରତୀ

ବଳରାମଂକ ପାଦତଳେ ପୂଜା କଲାକ ତଡ଼ତି ।୯।

ତୁ ଦେବ ହୋ ଯୋଗେଶ୍ୱର ପୁରୁଷ ଉତ୍ତମା

ଦଶ ଦୋଷ ଅପ୍ରାଧ କରିବା ମୋର କ୍ଷମା ।୧୦।

ତୁ ଦେବ ବଳଭଦ୍ର ରେବତୀର ପତି

ଅପ୍ରାଧ କ୍ଷମା ମୋର ରେ ହୋ ହଳପତି ।୧୧।

କନ୍ୟାଗୋଟି ଦେଇଣ ମୁଂ ହୋଇଲି ସମର୍ପି

ଅପ୍ରାଧଭଞ୍ଜନ ସ୍ୱାମୀ ମୋତେ ଦୟା କରିବା ଅଦ୍ୟାପି ।୧୨।

ଗୋବିନ୍ଦେ ବୋଇଲେ ହୋ ଛାଡ଼ିଲୁ ସର୍ବ ଦୋଷ

ଅର୍ଜୁନକୁ କୋଳ କଲେ ପ୍ରଭୁ ହୃଷୀକେଶ ।୧୩।

ଯୁଝେଷ୍ଠିଂକି କୋଳକରି ଧଇଲେ ବଳରାମ

ରାଜାଧିରାଜେଶ୍ୱର ହୋଇବୁ ଦେବ ଧର୍ମ ।୧୪।

ୟେ ପଞ୍ଚୁ ରାଜ୍ୟର ତୁ ହୋ ହୋଇବୁ ଚକ୍ରବ୍ରତୀ

ଉଭୟ କୁଳ ମଧ୍ୟେ ରହିବ ତୋହର କୀରତି ।୧୫।

ୟେଥୁ ଅନନ୍ତରେ ଶୁଣ ହୋ ରାଜନ

ବିଷ୍ଣୁର ଚରିତ ଶୁଣି ପାପ କରସି ଦହନ ।୧୬।

ଆହୋ ଚଇତନ ବଳରାମଂକ ଅଗ୍ରତେ କହିଲେ ଅଚ୍ୟୁତେ

ଦ୍ୱାରିକା ଭୁବନକୁ ପେଷିବା ୟେକ ଦୂତେ ।୧୭।

ମହାକ୍ରୋଧ ହୋଇଛନ୍ତି ଦ୍ୱାରିକା ବନିତା

ସନ୍ତାପି ଚିନ୍ତାରେ ହୋଉଥିବେ କ୍ରୋଧ ଅପ୍ରମିତା ।୧୮।

ଶୁଣିଣ ବଳଦେବ ହରଷିତ ମନେ

ସାତୁକୀକି ବୋଇଲେ ଦ୍ୱାରିକାକୁ ଯାଅ ତୁ ବହନେ ।୧୯।

ଶୁଭ ଯୋଗେ ଆସି ଭେଟିଲୁ ପୁତ୍ର ଶ୍ୟାମ

ଆରୋଗ୍ୟ ହୋଇଣ ସେ ହୋଇ ଅଛନ୍ତି କ୍ଷମ ।୨୦।

ଶ୍ରୀମୁଖୁଂ ସଂକେତ ପାଇ ସାତୁକୀ ଚଳିଲା

ଦ୍ୱାରାବତୀ ଭୁବନେ ଯାଇଂ ପ୍ରବେଶ ହୋଇଲା ।୨୧।

ଦ୍ୱାରିକାର ଜନ ସାତୁକୀ ପ୍ରବେଶ ଜାଣି

ପ୍ରବୋଧ ହୋଇଲେ ସମସ୍ତେ ସାତୁକୀ ବଚନ ଶୁଣି ।୨୨।

କୁଶଳ ବାରତା ସମସ୍ତ ଶୁଣିଲେ ଉତ୍ତମ

ଶୁଭ ଯୋଗେ ଭେଟ ପାଇଲେ ପୁତ୍ର ଶାମ ।୨୩।

ଶୁଣ ହୋ ଚଇତନ ହସ୍ତିନାୟେ କଲେ ମଙ୍ଗଳ ବିଧି

ୟେସନେକ ମତେ ପୂର୍ବର ବିଧାନ ପ୍ରସିଦ୍ଧି ।୨୪।

ରତ୍ନବେଦୀ ଉପରେ କଲେକ ଯୁଗଳ ଖମ୍ୱ

ମୁନି ବିପ୍ରଗଣେ ବସି କଲେକ ଆରମ୍ଭ ।୨୫।

ଦେବାଧିଦେବ ରାଜା କୃଷ୍ଣର ନନ୍ଦନ

ବିଭା କରାବନ୍ତି ଯେ ଦେବ ଭଗବାନ ।୨୬।

ଅପକ୍ଷରୀ କିନ୍ନରୀ ଦେବଗଣ ଗନ୍ଦର୍ବେ

ବିଜେ କରିଅଛନ୍ତି ସ୍ୱାମୀ ବଳରାମ ଦେବେ ।୨୭।

ଦିଗପାଳମାନେ ଯେ କରନ୍ତି ଗବନ

ବିଭା ହୋଇବେ ଚାଲ ଦେଖିବା କୃଷ୍ଣର ନନ୍ଦନ ।୨୮।

ଆହୋ ଚଇତନ୍ୟ ଦଇବଗ୍ୟଂ କହିଲେ ଶୁଭଲଗ୍ନ

ବ୍ରାହ୍ମଣେ କହିଲେ ବରଣ ବିଧି ଆଣ ହୋ ବହନ ।୨୯।

ବିଧି ପୂର୍ବମତେ ବିଭାରେ ଯେତେ ଦ୍ରବ୍ୟ ଲାଗଇ

ହାଥ ଯୋଡ଼ଣ ବେଳେ ଲୋଡ଼ିଲେ କାହିଂକି ନପାଇ ।୩୦।

ବିଷ୍ଣୁର ପାଦ ଅର୍ଘ୍ୟ ମଧୁପର୍କ ବିଧି

କଟମ୍ୱା ଆଣ ବୋଲି ବୋଇଲେ ବ୍ୟାସ ତପୋନିଧି ।୩୧।

କନ୍ୟାକୁ ସଂକଳ୍ପ କରାଇଲେ ମହାମୁନି

ସାଂସାରିକ ବେଭାରେ ଯେତେକ ଦ୍ରବ୍ୟ ବିଧି ଘେନି ।୩୨।

ଯୁଝେଷ୍ଠି କହିଲେ ଶୁଣିମା ବେଦବ୍ୟାସେ

ବିଭାର ଯୋଗାଡ଼ମାନ ସମସ୍ତ ଅଭ୍ୟାସେ ।୩୩।

ୟେ ସଂଯୋଗ ପୁଣ ଅଟଇ କେମନ୍ତ

କଟମ୍ୱା ବୋଲି କରି କାହିଂର ସମ୍ଭୂତ ।୩୪।

ତାହାର ନ ଥିଲେ ପୁଣ ନୋହଇ ଯେ ବିଭା

କଟମ୍ୱା କଥା ମୋତେ ବିଶେଷି କହିବା ।୩୫।

ବ୍ୟାସେ କହିଲେ ତୁମ୍ଭେ ଶୁଣ ହୋ ମହାରାୟେ

ଯୁଝେଷ୍ଠି ବୋଇଲେ ୟେ ବଡ଼ାଇ ସନ୍ଦେହ କଥାୟେ ।୩୬।

ମାନଗୋବିନ୍ଦ ବୋଇଲା ୟେ ଜାଣି ତ ନୁଆରି

କଟମ୍ୱା ଆସନ ବୋଲି ସୋମପାଳ ଲତା ଯେ କରି ।୩୭।

ବ୍ୟାସେ ବୋଇଲେ ହୋ ମାନଗୋବିନ୍ଦ ରାଜନେ

କଟମ୍ୱାସୁର କଥା ଶୁଣ ହୋ ଲକ୍ଷେ ରାଜାମାନେ ।୩୮।

ମଧୁ ସଂବତ୍ସର ବୋଲି ୟେକଇ ସତ୍ୟ ଯୁଗେ

କଞ୍ଚନ ବୋଲି ବ୍ରହ୍ମା ବସନ୍ତି ଯଶୋବନ୍ତୀ ନାମେ ସର୍ଗେ ।୩୯।

ୟେ ବ୍ରହ୍ମାର ଭାରିଜା ନାମ ଅଟଇ ସାବିତ୍ରୀ

ତାହାର ଦୁହିତାୟେ ଉପୁଜିଲା ନାମ ସରସ୍ୱତୀ ।୪୦।

ସେ ସରସ୍ୱତୀକି ପଚାରିଲେ କଞ୍ଚନ ନାମେ ବ୍ରହ୍ମା

ତୁ ଆୟି ଧବଳାଙ୍ଗୀ ଗୋ କାହାର ହୋଇବୁ ବାମା ।୪୧।

କାହାକୁ ପ୍ରଦାନ ତୋତେ କରିବା ରେ ବାଳୀ

ଦେବତାଗଣ ମଧ୍ୟେ କେ ତୋ ମନର ହିଆଳି ।୪୨।

ସରସ୍ୱତୀ ବୋଇଲେ ପିତା ହୋ କୃଷ୍ଣ ଅବତାରେ

ସେହି କୃଷ୍ଣ ନିଚୟେ ଅଟଇ ମୋହୋର ବରେ ।୪୩।

ଦୋହିତାର ବଚନ ଶୁଣି ସନ୍ତୋଷ ହେଲେ ବ୍ରହ୍ମା

ମେରୁ ସଭା କରାଇ ବସିଲେ ତହିଂ ମହାତମା ।୪୪।

ନାରଦଂକୁ ଚାହିଂ ବୋଇଲେ କଞ୍ଚନ ନାମେ ବ୍ରହ୍ମା

ସକଳ ଦେବତାନ୍ତ ବରି ଆଣ ହୋ ମହାତମା ।୪୫।

ୟେଥକଇଂ ବରି ଆଣ ସକଳ ଦେବତା

ବାଜଇ ବୀରତୂର ଯେ ଦୁନ୍ଦୁଭି ସଙ୍ଗୀତା ।୪୬।

ପିତାମହ ବଚନେ ନାରଦ ବେଗେ ଗଲେ

ସକଳ ଦେବତାନ୍ତ ଘେନି ସଭାରେ ମିଳିଲେ ।୪୭।

ଇନ୍ଦ୍ର ବିଜେ କଲେ ମେରୁ ସଭାର ମଧ୍ୟେ

ଗିରିରାଜ ବିଜେ କଲେ ପର୍ବତଗଣ ସାଧ୍ୟେ ।୪୮।

ମୃଗ ବାହାନେ ପ୍ରବେଶ ହେଇଲେ ପବନ

ସେହି ଯେ ପ୍ରବେଶ ହେଲେ ମେରୁ ପୃଷ୍ଠ ସ୍ଥାନ ।୪୯।

ମଗର ବାହାନେ ବିଜୟେ ରତ୍ନାକର

ଜଳଚର ସଇନ ତାର ଅଛନ୍ତି ସଙ୍ଗତର ।୫୦।

ଦେବସଭା ମଧ୍ୟରେ ପ୍ରବେଶ ହୋଇଲେ ଆସି

ବଶିଷ୍ଠ ବିଶ୍ୱାମିତ୍ର ବାମଦେବ ଋଷି ।୫୧।

ଶଙ୍ଖପଦ୍ମ ମହାପଦ୍ମ ତକ୍ଷକ ଅନନ୍ତ

ବାସୁକୀ ବିଜେ କଲେ ସଙ୍ଗେ ଘେନି ଅଷ୍ଟକୁଳା ନାଗନ୍ତ ।୫୨।

ମହିଷ ବାହାନେ ବିଜେ କୃତାନ୍ତେକ ଦେବତା

ଗ୍ରହଣମାନେ ତହିଂ ମିଳିଲେ ଅପ୍ରମିତା ।୫୩।

ଯେ ଯାହାର ବାହାନ ଚଢ଼ିଣ ବୃନ୍ଦାଅର୍କେ

ମେରୁ ସଭାରେ ବିଜୟେ ସମସ୍ତ ଦେବଲୋକେ ।୫୪।

ବଇନେତ୍ର ବାହାନେ ବିଜୟେ ଚକ୍ରଧାରୀ

ବିଜୟେ ନାରାୟଣେ ଆସିଣ ମେରୁ ଗିରି ।୫୫।

ସମ୍ଭର୍ବ ଆସ୍ତାନେ ସର୍ବ ଦେବ

ବୃଷଭ ବାହାନେ ବିଜୟେ ସଦାଶିବ ।୫୬।

ଆକାଶରୁ ବିଜେକଲେ ସମସ୍ତ ଦେବଲୋକେ

ବସିଲେ ଦେବତାମାନେ ଯେ ଯାହାର ସୁଖେ ।୫୭।

ଦୋହିତା ଘେନି ବିଜେ କଞ୍ଚନ ନାମେ ବ୍ରହ୍ମା

ମେରୁ ସଭା ମଧ୍ୟରେ ବିଜୟେ ମହାତମା ।୫୮।

କରେ ଅର୍ଘ୍ୟ ଘେନି ଯେ ପାରିଜାତେକ ମାଳି

ବିଷ୍ଣୁର ଛାମୁରେ ବେଦବର ଯାଇଂ ମିଳି ।୫୯।

ମଳୟ ଅଗର ଚନ୍ଦନ ଲେପିଲେ ଲଲାଟେ

କର୍ପୂର କୁଂକୁମ କସ୍ତୁରୀ ଦିଲେ ହରି ହୃଦତଟେ ।୬୦।

କଣ୍ଠେ ଲମ୍ୱାଇଲେ ଅମଳାଣ ମାଳି

ଦେବାଙ୍ଗ ବସନ ମଣ୍ତିଲେ କୃଷ୍ଣର କଟିସ୍ଥଳୀ ।୬୧।

ଦେବ ସଭାକୁ ଚାହିଂଣ ବ୍ରହ୍ମା କହନ୍ତି ଉତ୍ତର

ବିନୋୟୀ ଭାବହୋଇ ଯୋଡ଼ିଣ ବେନି କର ।୬୨।

ସମସ୍ତ ଦେବତାୟେ ମୋତେ ଆଗ୍ୟାଂ ଦେବା

ୟେ ମୋର କଥାକୁ ଅବଧାନ କରିବା ।୬୩।

ମୋହୋର ଦୋହିତା ନାମଗୋଟି ଅଟଇ ସରସ୍ୱତୀ

କୃଷ୍ଣଂକୁ ପ୍ରଦାନ କରିବଇଂ ମୋହୋର ଦୋହିତୀ ।୬୪।

ତହିଂର ନିମନ୍ତେ ମୁଂ କଲଇ ବରଣ

ପ୍ରସନ୍ନେ ଆଗ୍ୟାଂ ମୋତେ ଦେବା ଦେବଗଣ ।୬୫।

ଦେବେ ବୋଇଲେ ଯେମନ୍ତ ଆଗ୍ୟାଂ ତୋର ପିତା

ପୁରୁଷଂକ ଉତ୍ତମ ତୁ ବିହନ୍ତା ବିଧାତା ।୬୬।

ତୁ ଯେବେ ପ୍ରଦାନ ହୋ କରିବୁ କୁମାରୀ

ଯେହ୍ନେ ତୋହୋର ଆଗ୍ୟାଂ ବଞ୍ଚିତ କେ ପାରି ।୬୭।

କନ୍ୟାକୁ ବେଶ ବେଶନ କରାଇ ବିଧାତା

କୃଷ୍ଣର ଛାମୁରେ ନେଇ ବସାଇଲେ ଦୋହିତା ।୬୮।

ବିଭାର ବିଧାନ ଯେ କରନ୍ତି ବେଦବର

ବରବେଶ ହୋଇ କୃଷ୍ଣ ବସିଲେ ବେଦିର ଉପର ।୬୯।

ବିଭା ଚହଳେ ଯେ ଶୁଭିଲା ବେଦ ବାଣୀ

ମେରୁ ଥାନେ ଥାଇ ତାହା କଟମ୍ୱାସୁର ଶୁଣି ।୭୦।

କୋକ ଦେଶ ବୋଲି ଶାମଦୀର୍ଘ ନାମେ ପୁର

ତହିଂର ରାଜ୍ୟ କରଇ କଟମ୍ୱା ଅସୁର ।୭୧।

ଦେବ ସ୍ତିରୀୟେ କଲେ ହୁଳହୁଳି ବାଣୀ

ବନ ଗହନ ପୂରିଲା ଶବଦର ଧୁନି ।୭୨।

ମନ୍ତ୍ରୀକି ଚାହିଂଣ ଯେ ପଚାରିଲା କଟମ୍ୱା

କିସ ଶବଦ ଗୋଟିୟୟେ ଶୁଭିଲା ରେ ବାବା ।୭୩।

ମନ୍ତ୍ରୀ ବୋଇଲା ଶୁଣ ହୋ ଦାନବ ଶିରୋମଣି

ମେରୁ ପୃଷ୍ଠରେ ଶୁଭିଲା ହୁଳହୁଳି ଧୁନି ।୭୪।

କଞ୍ଚନ ନାମେଣ ବ୍ରହ୍ମାର ଦୁହିତା ସରସ୍ୱତୀ

ନାରାୟଣଂକୁ ପ୍ରଦାନ କରଇ ବେଦପତି ।୭୫।

ତହୁଂ ସେ ଶୁଭିଲାକ ହୁଳହୁଳି ବାଣୀ

ୟେସନେକ କଥାକୁ ବିଚାର କରତୁ ଦତ୍ୟମଣି ।୭୬।

ବୋଇଲୁ କେମନ୍ତ ସେ ଯେ ତାହାଂକର କଥା

ଆଜି ସେ ମାରିବି ମୁଂହି ସମସ୍ତ ଦେବତା ।୭୭।

କହୁଂ କହୁଂ କୋପିତ ହୋଇଲା ଦନୁଜ

ଶହସ୍ର ଘେନି ଆପଣେ ହୋଇଲାକ ସଜ ।୭୮।

ଆରେ ଆେ ବୋଲି ଦିଲା ଗରୁ ଡାକ

ବ୍ରହ୍ମାଣ୍ଡ ପୂରିଲା ସେ କଉଣୋପର ହାକ ।୭୯।

ତୁଲେ ନାହିଂ ତାର ରଥ ଗଜ ସଇନି

ଲୁହାର ଲହଡ଼ି ୟେକ କରେ ଅଛି ଘେନି ।୮୦।

ଶରୀର ବିରାଜଇ ମନ୍ଦର ଗିରି ପ୍ରାୟେ

ତିମ୍ୱୁରୁ ଗୋଟାୟେ ସେ ଦନୁଜ ବଜାୟେ ।୮୧।

ମେରୁ ଆସ୍ତାନକୁ ଆସଇ ଖର କରି

ଗରୁ ଡାକ ଶୁଣି ଦେବତାୟେ ଡରି ।୮୨।

ଆକାଶେ ଲାଗିଅଛି ଅସୁର ବର୍ଣ୍ଣ ଚିହ୍ନ

ଦେଖିଣ ତ୍ରାସିଲେ ସକଳ ଦେବଗଣ ।୮୩।

ଶୂନ୍ୟେଣ ଶୁଭିଲା ଯେ ଅସୁର ଶବଦ ଗରୁ ଡାକ

ଆସ୍ତାନୁଂ ଉଠିଲେ ଯେ ସକଳ ବୃନ୍ଦାଅର୍କ ।୮୪।

ସଭାରୁ ଉଠି ବୋଇଲେ ନାରଦ ବ୍ରହ୍ମଚାରୀ

ଅନମିତେ ପଡ଼ିଲା ହୋ କଟମ୍ୱାସୁର ଧାଡ଼ି ।୮୫।

ସମସ୍ତ ଦେବତାନ୍ତ ଲାଗିଲା ମହାଭୟେ

ବିଷ୍ଣୁଂ ଆଗ୍ୟାଂ ଦିଲେ ରହ ରହ ଦେବତାୟେ ।୮୬।

ମୋହର ଥାଆନ୍ତେ ତୁମ୍ଭର କାହାକଇ ଭୀତି

ଆଜ ୟେହାକୁ ମୁଂ ମାରିବି ନିପାତି ।୮୭।

ମୁହିଂ ନ ଜାଣଇଂ ୟେଥି ୟେଡେ ବଡ ଦତ୍ୟ ଅଛି

ପାତାଳଗାମୀ ମୁହିଂ ତୁମ୍ଭେ ମୋତେ କିମ୍ପାଇ ନ ପୁଚ୍ଛି ।୮୮।

କରପତ୍ର ଯୋଡ଼ି ତହୁଂ କହଇ ବସୁନ୍ଦରା

ସହି ନୁଆରଇ ଦେବ କଟମ୍ୱାସୁର ଭାରା ।୮୯।

ଆଣ୍ଟ କରି ପକାନ୍ତେ ଚରଣ ରୁଧିର ବହଇ ମୋର ମୁଖେ

କାହାର ଆଗରେ କହିବି ମୋହୋର ଯେତେ ମନ ଦୁଖେ ।୯୦।

ୟେମନ୍ତ ବିଚାରିନ୍ତେ କଟମ୍ୱାସୁର ବେଗେ

ଯାଇଂଣ ପ୍ରବେଶ ହୋଇଲା ମେରୁ ସର୍ଗ ଲାଗେ ।୯୧।

ରେ ରେ କାର କରିଣ ଅସୁର ଡାକ ଦେଇ

ବ୍ୟାଘ୍ର ପିଠିରେ ବସି ସେ ଗଦାବର ବୁଲାଇ ।୯୨।

ଦାନବର କୋପ ଦେଖିଣ ବିଶ୍ୱେଶ୍ୱର

ବୋଇଲେ ସଭାକୁ ନ ଉଠି ରେ ଅସୁର ରହିଥାଅ ସେହିଠାର ।୯୩।

ୟେହା ଶୁଣି କୋପେ ଅସୁର କରଇ ପହିଜ

ଅଧରେ ଜନ୍ତ ଚାପଇ ବଳିଷ୍ଠ ଦନୁଜ ।୯୪।

ଲୁହାର ଲଉଡ଼ିୟେ କୋପଭରେ ବୁଲାଇ

ଈଶ୍ୱରଂକ ଉପରେ ପ୍ରହାର କଲା ନେଇ ।୯୫।

ଶହସ୍ର ପଡ଼ନ୍ତେ ଦେଖିଲେ ଶଂକର

ରହ ରହ ବୋଲି ଅସୁରକୁ ପାଡ଼ିଲେ ବାମକର ।୯୬।

ଈଶ୍ୱରେ ଲେଉଟି କରେ ଶୂଳ ଧରି

ପୁଣି ଧାଇଂଲା ଦଇତ ବାହାନାଦ କରି ।୯୭।

ଶ୍ରୀକରେ ଶୂଳ ଘେନିଣ ଦେବ ଯେ କାପାଳୀ

ଅସୁର ଉପରେ ନେଇ କୋପେଣ ପଡ଼ିତାଳି ।୯୮।

ଶୂଳ ପଡ଼ନ୍ତେ ଦାନବ ପାତିଲା ବାମ ହାଥ

ଈଶ୍ୱରଂକ ହାଥରୁ ଉଛୁଡ଼ି ଘେନିଲା ଦୁରାପାତ ।୯୯।

ସେହି ଶୂଳ ଘେନି ବୁଲାଇଣ ପିଟି

ବକ୍ଷସ୍ଥଳେ ବାଜନ୍ତେଣ ଢଳି ପଡ଼ିଲେ ଧୂର୍ଜଟି ।୧୦୦।

ପୁଣି ଦଇତ ୟେକ ଶକତି ବୁଲାଇ କୋପ କଲା

ଲଲାଟରେ ଈଶ୍ୱରଂକର ଘେନିଣ ପିଟିଲା ।୧୦୧।

ଘାୟେଣ ଈଶ୍ୱର ହୋଇଲେ ଯହୁଂ ମୂର୍ଚ୍ଛା

ପ୍ରତଗ୍ୟାଂ କରି ଦାନବ ବୋଲଇ ତୋତେ କେ କରିବ ରକ୍ଷା ।୧୦୨।

ଦୀର୍ଘ ରଡ଼ି ଛାଡ଼ଇ ସଭାକୁ ଉଠନ୍ତେ ଦନୁଜ

ବଜ୍ରେକ ପ୍ରହାର କଲେ କୋପେ ଦେବରାଜ ।୧୦୩।

ସହସ୍ରଧାରା ଶକତି ପଡ଼ନ୍ତେଣ ଦନୁଜର ଗାତ୍ରେ

ପବନହୁଂ ଖର କରି ଦତ୍ୟ ଧଇଲା ବାମ ହାଥେ ।୧୦୪।

ବାମ ପାଦ ନେଇ ଇନ୍ଦ୍ର ଉପରେ ପ୍ରହାରି

ତାହାର ଶକତି ଘେନି ତାହାକଇଂ ମାରି ।୧୦୫।

ଅସୁର ପ୍ରହାରେ ଅଚେତ ହେଲେ ସୁରପତି

ଭୁଜ ଧରି ଇନ୍ଦ୍ରକୁ ଫିଙ୍ଗିଦିଲା ଅସୁର ତତକ୍ଷଣାନ୍ତି ।୧୦୬।

ଅସାଷ୍ଟମ ହୋଇ ପଡ଼ିଲେ ମେରୁ ତଳେ

ମୋହଗତ ହୋଇଣ ତହିଂ ପଡ଼ିଲେ ଆଖଣ୍ଡଳେ ।୧୦୭।

ଇନ୍ଦ୍ରର ଅସାଷ୍ଟମ ଦେଖଇଣ କୁବେର

ରତ୍ନାବଳୀ ଗଦା ଘେନି ହୋଇଲେ ବାହାର ।୧୦୮।

କୁବେରକୁ ଦେଖି ମାଇଲା ବଜ୍ର ମୁଥେ

ୟେକା ପ୍ରହାରକେ କୁବେର ପଡ଼ିଲା ଅଚେତେ ।୧୦୯।

କୁବେରକଇଂ ଅଚେତ ଦେଖିଣ ଅସୁର ମହାରାଗୀ

କେଶ ଧରି ତାହାକୁ ଅନ୍ତରୀକ୍ଷେ ଦିଲାକ ସେହୁ ଫିଙ୍ଗି ।୧୧୦।

କୁବେର ପଡ଼ିଲା ଯାଇଂ ମେରୁର ମେଖଳେ

ତ୍ରାସେଣ ପଳାଇଲେ ତହୁଂ ସକଳ ଦିଗପାଳେ ।୧୧୧।

ଅମରସଭାରେ ବିଜେ ଅସୁର ମହାବୀରା

ପୃଥୀ ଦେବୀ ନ ସହଇ ପାଦର ଗରୁ ଭାରା ।୧୧୨।

କଞ୍ଚନ ବ୍ରହ୍ମାର କୋଳେ ବିଜୟେ କରିଅଛନ୍ତି ସରସ୍ୱତୀ

ନାରାୟଣେ ଅହିଗ୍ୟେଂ ବିଜୟେ କରି ଯାଇଅଛନ୍ତି ।୧୧୩।

ପୂର୍ବଦିଗେ ଅଛି ନାରାୟଣଂକ ପଦ୍ମପାଦୁକା

ଧ୍ୟାନ କଲେ ବ୍ରହ୍ମା ଯେ ନାରାୟଣ ଦିଲେ ଦେଖା ।୧୧୪।

ଆହାନିକ ସାରି ଆସନ୍ତି ପୁଷ୍ୟେକେ ବିଜେ କରି

ବ୍ରହ୍ମାର ଛାମୁକୁ ବିଜେ କରୁଛନ୍ତି ଦେବ ଦଇତାରି ।୧୧୫।

ଶୁଣ ହୋ ବଇବସୁତ ମନୁ ବଦନ୍ତି ଅଗସ୍ତି

ଯେବଣ କୃତ୍ୟ କଲା ଦାନବ ଦୃଷ୍ଟିମତି ।୧୧୬।

ବ୍ରହ୍ମାଂକର ଛାମୁରେ ମିଳିଲା ଅନେକ ଭ୍ରଚ୍ଛନା ବୋଲି

ରାଗେଣ ପିତାମହଂକୁ ପକାଇ ଦିଲା ପେଲି ।୧୧୭।

ଅସୁର ବିଘାତେ ପିତା ଉତ୍ତାନଶାୟୀ ହୋଇ

ମୋହେ ପଡ଼ି ପିତା ଡାକନ୍ତି ହେ କୃଷ୍ଣ କର ତ୍ରାହି ତ୍ରାହି ।୧୧୮।

କଟମ୍ୱା ଅସୁର ବୋଲଇ ତୋର ୟେଡ଼େକ ଭରସା

ବାଳକାଳହୁଂ ୟେ କନ୍ୟାକୁ ମୁଂ କରିଅଛି ଆଶା ।୧୧୯।

ମୋତେ ଛାଡ଼ିକରି କୃଷ୍ଣଂକୁ କଲୁ ବିଭା

କାହିଂଅଛି ରଖୁ ୟେବେ ଆସି ଦେଖଇବା ବାସୁଦେବା ।୧୨୦।

ୟେହିକ୍ଷଣି ମୁଣ୍ଡ ତୋର ପକାଇବି ମୋଡ଼ି

ଅନେକ କାଳର ବୃଦ୍ଧ ତୁ ଅନେକ ସର୍ଜନା କରି ।୧୨୧।

ୟେତେ ବୋଲି କୋଳୁଂ କନ୍ୟା ଘେନିଲା ସରସ୍ୱତୀ

କାଖେ ବସାଇ କନ୍ୟା ଦତ୍ୟ ହୋଇଲା ଶୂନ୍ୟଗତି ।୧୨୨।

ପ୍ରତଗ୍ୟାଂ କରିଣ ଯେ ଆସଇ କଉଣୋପ

ଲେଉଟି ଆସନ୍ତେ କୃଷ୍ଣ ଭେଟିଲେ ଶାକଲ୍ୟ ଦ୍ୱୀପ ।୧୨୩।

ସରସ୍ୱତୀ ଡାକଦିଲେ ହୋ କୃଷ୍ଣ ମୁଂ ତୋହୋର ଭାରିଯା

ମୋତେ କଟମ୍ୱା ଅସୁର ବଳେ ନେଉଛି ହୋ ଦେବରାଜା ।୧୨୪।

ନାରଦେ ବୋଇଲେ ହୋ ଶୁଣିମା ଶିରୀବଚ୍ଛି

ସେ ତୋହୋର ପତ୍ନୀ ତାହାକୁ ଦାନବ ନେଉଅଛି ।୧୨୫।

ଶୁଣି କୋପାନଳ ଦେବ ଚକ୍ରପାଣି

ଅସୁରକୁ ଆଗକରି ଓଗାଳିଲେ ତତକ୍ଷଣି ।୧୨୬।

କଉମୋଦୀ ଗଦା ଧରିଣ ଚକ୍ରଧର

ଅସୁର ଉପରକୁ ମୁଠିକରି ମାଇଲେକ ଖର ।୧୨୭।

କଟମ୍ୱା ଅସୁର ବୋଲଇ ତୁ ଦେବ ଦଇତାରି

ଅସୁର ବଳ ନିସୂଦନ ତୁ ଦେବ ଦାନବ ଅନ୍ତକାରୀ ।୧୨୮।

ଆଜ ପଡ଼ିଲୁ ତୁ ମୋହୋର ଛାମୁରେ ତୋର ଯିବାକୁ ବାଟ ନାହିଂ

ଯତନେ ଯାହାକୁ ଲୋଡୁଥିଲି ଦେଖିଲି ତାହାକୁ ମୁହିଂ ।୧୨୯।

ୟେତେକ ବୋଲି ଦାନବ ପବନୁଂ ଖର ବେଗେ

ବଜ୍ର ମୁଦୁଗର ପ୍ରହାର କଲା ଅଙ୍ଗେ ।୧୩୦।

କଉମୋଦକୀ ଗଦା କରେ ବୁଲାଇ ଦେବ ହରି

କଟମ୍ୱାସୁର ଉପରେ ପ୍ରହାର ସେ କରି ।୧୩୧।

ଦେଖିଣ ଦାନବ ତହିଂ ପାତିଲା ବାମ ହାଥ

କୃଷ୍ଣର କରୁ ଗଦା ଘେନିଗଲା ସେ ତୁରିତ ।୧୩୨।

ସେହି ଗଦା ଘଏନି ତହୁଂ ଲେଉଟାଇ ପିଟି

ବାମ ଅଙ୍ଗ ପାଡିଣ ଶ୍ରୀକୃଷ୍ଣ ତାହା ମେଣ୍ଟି ।୧୩୩।

ଦାନବ ହାଥରୁ ଗଦା ଛଡ଼ାଇ ଅଚ୍ୟୁତ

ପୁଣ ଅସୁର ଉପରେ କଲେ ଗଦାଘାତ ।୧୩୪।

ତଦ୍ୟାପି ନ ତୁଟିଲା ଦାନବର କାୟେ

ଦେଖିଣ ବିସ୍ମୟେ ସ୍ୱାମୀ ହୋଇଲେ ଦେବରାୟେ ।୧୩୩।

ଅସୁର ତୁଲେ ଦେବ ଅନେକ ସାଂଗ୍ରାମ

ବିମୁଖ ହୋଇଲେ ପୁରୁଷଂକର ଉତ୍ତମ ।୧୩୬।

ମହାତେଜେ ଉପୁଜିଲା ଦେବ ବିଶ୍ୱରୂପ

ଦୁଇଭୁଜେ ଧଇଲେ ସେ ଦୁର୍ଭାର କଉଣୋପ ।୧୩୭।

ବିଂଝଗିରି ପର୍ବତେ ଦେବ କଚାଡ଼ିଲେତୋଳି

ଦଇତ ଅଙ୍ଗ ପଡ଼ି ପର୍ବତ ହୋଇଲାକ ଧୂଳି ।୧୩୮।

ଦେଖିଣ ଭଗବାନ ହୋଇଲେ ଆଶ୍ରିଯ

ପ୍ରଶଂସା କରନ୍ତି ଧନ୍ୟ ଧନ୍ୟ ରେ ଦନୁଜ ।୧୩୯।

ନାହିଂ ଦେଖିଲା ଦାନବ ୟେଡ଼େକ ପରଚଣ୍ଡା

ୟେହାର ଦେହ ଲାଗି ବିଂଝଗିରି ହୋଇଲା ମସିଗୁଣ୍ଡା ।୧୪୦।

ପୁଣି ଦୁଇ ପାଦ ଧରି ବୁଲାଇ ଅନ୍ତରୀକ୍ଷେ

ଲୋହଗିରି ପର୍ବତେ କଚାଡ଼ିଲେ ପ୍ରତକ୍ଷେ ।୧୪୧।

କି ଜାଣି ଅସୁର ଦେହ ଅଭେଦ ବଜ୍ରସେହ୍ନା

ଲୋହଗିରି ଉପରେ ପଡ଼ନ୍ତେ ହୋଇଲାକ ଚୂନା ।୧୪୨।

କୃଷ୍ଣ ପ୍ରଶସାଂ କରନ୍ତି ଦାନବ ସାଧୁ ସାଧୁ

ଦତ୍ୟ କୁଳେ ଜନମ ହୋଇ କେ ଅବା ତୋତେ ନିନ୍ଦୁ ।୧୪୩।

ୟେହେନେକ ପ୍ରଶଂସା କରନ୍ତି ଚକ୍ରଧର

ଅସୁର କୁଳେ ଜାତ ତୋର ମହିମା ଅଗୋଚର ।୧୪୪।

ଛାଡ଼ିବି ଦାନବକୁ ହୋଉ ୟେ ତ୍ରିଜୀବୀ

ଦେବତାମାନେ ପଛେ ନଥାନ୍ତୁ ସର୍ଗ ଭୁବି ।୧୪୫।

କୃଷ୍ଣ ଯହୁଂ ବିଚାରିଲେ ଅସୁର ଛାଡ଼ିବାକୁ

ମହାଭୟେ ଲାଗିଲା ସେ ଦେବତାମାନଙ୍କୁ ।୧୪୬।

ସ୍ୱାମୀ ଦେବତା ବ୍ରହ୍ମଣ ଋଷି ନାଶି ୟେ ହୋଇଲା ପୃଥୀକି ମହାଭାରା

ତୋର ଛାଡ଼ନ୍ତେ ୟେ ହୋଇବ ଅମରା ।୧୪୭।

କୃଷ୍ଣ ବୋଇଲେ ୟେ ନ ମରଇ ମୋହୋର ହାଥେ

ବ୍ରହ୍ମାଂକୁ ବୋଇଲେ ୟେ ମରିବ କେମନ୍ତେ ।୧୪୮।

ପିତାମହ ବୋଇଲେ ଶୁଣ ଦେବାଧିଦେବ ରାଜା

ମୋତେ ଭଗତି ହୋଇ ୟେ ବହୁତ କଲା ପୂଜା ।୧୪୯।

ନିରାଶ ହୋଇ ଯେହୁଂ ସେବା କଲା ମୋତେ

ମହାକଷ୍ଟେ ବସିଲା ମନୁୟେ ପରିଯନ୍ତେ ।୧୫୦।

ମୁହିଂ ବୋଇଲି ବର ମାଗ ରେ ଦାନବା

ସେ ବୋଇଲା ତୁମ୍ଭର ସମାନେ ମୋର ଆୟୁଷ ହୋଇବା ।୧୫୧।

ଯେତେକାଳ ପର୍ଯ୍ୟନ୍ତେ ତୁମ୍ଭେ ହୋଇବ ତ୍ରିଜୀବୀ

ମୁହିଂ ତେତେକାଳ ପରିଯନ୍ତେ ଥିବି ।୧୫୨।

ୟେସନେକ ବର ମୋତେ ମାଗିଅଛି ପୂର୍ବ

ଭଲେ ବୋଇଲି ମୋହୋର ଆୟୁଷ ହେଉ ରେ ଦାନବ ।୧୫୩।

ପିତାମହ ମୁଖୁଂ ୟେସନେକ ବାଣୀ ଶୁଣି

ଅସୁରକୁ ଭଜିଲେ ଦେବ ଚକ୍ରପାଣି ।୧୫୪।

ନାରାୟଣ ବୋଇଲେ ୟେ ବ୍ରହ୍ମାର ଅଟେ ବଳା

ସରସ୍ୱତୀଂକର ଭାଇ ଆମ୍ଭର ହୋଇଲାକ ଶଳା।୧୫୫।

ବ୍ରହ୍ମାଂକୁ ବୋଇଲେ ୟେ କଟମ୍ବାସୁର ଥାଉ

ତୁମ୍ଭର ବର ପାଇଛି ନାଶ ୟେ ନ ଯାଉ ।୧୫୬।

ତୁମ୍ଭେ ମାଡ଼ି ବସିବ ୟେହାର ବକ୍ଷସ୍ଥଳେ

ବ୍ରହ୍ମାଂକୁ ଆଗ୍ୟାଂ ଦେଇ କନ୍ୟା ଘେନି କୃଷ୍ଣ ବିଜେ କଲେ।୧୫୭।

ବ୍ରହ୍ମା ମାଡ଼ିବସିଲେ କଟମ୍ବାସୁର ଉପରେ

ତେଣୁକରି କଟମ୍ବା ବୋଲି ବିଦିତ ତିନି ପୁରେ।୧୫୮।

ବେଦବ୍ୟାସେ ବୋଇଲେ ଶୁଣ ହୋ ରାଜାମାନେ

ସେ ଦିନୁ କଟମ୍ବା ଆସନଟି ବିଭାର ବିଧାନେ ।୧୫୯।

ବ୍ରହ୍ମାର ବଚନ ରକ୍ଷା କଲେକ ମୁରାରି

କନ୍ୟାକୁ ପ୍ରଦାନ କଲେ ଚତୁର୍ମୁଖଧାରୀ ।୧୬୦।

ସରସ୍ୱତୀଂକି ବିଭା ହୋଇଲେ ନାରାୟଣ

ସନ୍ନିଧେ ମିଳିଲେ ଆସି ସକଳ ଦେବଗଣ ।୧୬୧।

ଅସୁର ଶରଘାତେ ସେ ହୋଇଥିଲେ ମୂର୍ଚ୍ଛା

ମୋହତେଜି ଉଠିଲେ ସର୍ବେ ଯେ ଯାହାର ଇଚ୍ଛା।୧୬୨।

ସରସ୍ୱତୀଂକି ବିଭା କଲେ ଅମୃତ ଯୋଗ ବେଳେ

ଦୋହିତା ଘେନି ବସିଲେ ବ୍ରହ୍ମା କଟମ୍ବା ବକ୍ଷସ୍ଥଳେ।୧୬୩।

ନିରାକୁଳ ଗୋତ୍ରୀ ଦେବ ଯେ ଅନନ୍ତ

ଜଳଧର ଗୋତ୍ର ଯେ ବ୍ରହ୍ମା ଦଇବତ।୧୬୪।

ଓହୋକୁଳ ଗୋତ୍ର ଯେ ଉଚ୍ଚାରି ଦେବ ଦେବା

ଶୁଭ ଯୋଗେ ନାରାୟଣ ସରସ୍ୱତୀଂକି ହୋଇଲେକ ବିଭା।୧୬୫।

ସରସ୍ୱତୀଂକି ଘେନିଣ ଦେବ ବନମାଳୀ

ବଇକୁଣ୍ଠ ଭୁବନକୁ ନାରାୟଣେ ଗଲେ ଚଳି।୧୬୬।

ବ୍ୟାସେ ବୋଇଲେ ତୁ ହୋ ଶୁଣ ଧର୍ମରାୟେ

କଟମ୍ବାସୁର କଥା ବିଭାବେଳେ ୟେମନ୍ତ ଯେ ହୋୟେ ।୧୬୭।

ବ୍ରହ୍ମା ବିଷ୍ଣୁ ଯାହା ସଞ୍ଚିଲେ ସତ୍ୟଯୁଗେ

ଯାବତ କାଳକୁ କଥା ରହିଲା ପୃଥିବୀ ମଧ୍ୟସ୍ୱର୍ଗେ ।୧୬୮।

ପ୍ରସ୍ତାପ ବାକ୍ୟେ କହିଲୁ ସରସ୍ୱତୀ ବିଭା

ଆହୋ ବୁଧ ଜନମାନେ ୟେହା ସଞ୍ଚପି ଶୁଣିବା ।୧୬୯।

ବ୍ରହ୍ମାଂକର ଦୁଲଣୀକୁ ବର ଯେ ଶ୍ରୀହରି

ତ୍ରିଦଶ ଲୋକେ ବିଭାକୁ ଶୁଭ ଅବଧାରୀ ।୧୭୦।

ଶ୍ରୀମହାଭାରଥ ୟେ ଅମୃତ ରସ ବାଣୀ

ଜୀବ ଥିବାଯାୟେ ୟେଥକୁ ମନ ଦିଅ ପ୍ରାଣୀ।୧୭୧।

ମୁହିଂ ଯେ କଳିକାଳ ଦର୍ପ ଧଂସିବା ନିମନ୍ତେ

ଶ୍ରୀରାମଂକର ଦୟା ଯେ ହୋଇଲା ସୁଚିତ୍ତେ।୧୭୨।

ଜନ୍ମେ ଜନ୍ମେ ସେବା ମୋର ସରସ୍ୱତୀଂକ ପଦ୍ମପାୟେ

ବଦନ୍ତି ସାରୋଳା ଦାସ ସର୍ବମଙ୍ଗଳା ପାଦେ ବିନୟେ।୧୭୩।

ଆହୋ ଚଇତନ ଶ୍ରୀକୃଷ୍ଣ ସରସ୍ୱତୀଂକ ବିଭା ଅନ୍ତରେଣ କଥା

ପ୍ରସ୍ତାପ ବାକ୍ୟେ କହିଲି ୟେସନେକ ବ୍ୟବସ୍ଥା ।୧୭୪ – ୭୫୮୭।

 

ଚନ୍ଦ୍ରାବତୀ ବିବାହ

ଶୁଣ ହୋ ବଇବସୁତ ମନୁ ବଦନ୍ତି ଅଗସ୍ତି

ବିଭାଯୋଗ ବେଳେ କଟମ୍ବା ମାଡ଼ିବସିଲେ କୁରୁପତ।୧।

ଦ୍ରିଯୋଧନ କୋଳେ ଅଛି ଚନ୍ଦ୍ରାବତୀ ବାଳୀ

ଶାମ୍ବ କୁମରକୁ କୋଳେ ବସାଇଲେ ବନମାଳୀ।୨।

ଯେସନେକ କୁମାର କୁମାରୀଂକ ବିଭାର ବିଧାନ

ଆରୋଗ୍ୟ ଆଶିଷ୍ୟ ଦିଅନ୍ତି ଋଷି ବିପ୍ରମାନ ।୩।

ଅନେକ ଦାନ ଦିଲେ ଯେ ଅନେକ ଆହୂତି

ଯଦୁବଂଶେ ଉଦିତ ହୋଇଲା ଚନ୍ଦ୍ରାବତୀ ।୪।

ଗାଗ୍ରବ ମୁନି କଲେ ଦେଶ କାଳ ପାତ୍ର ବାକ୍ୟେ

ଓହୋକୁଳ ବାଞ୍ଛା କରନ୍ତି ଦେବଲୋକେ  ।୫।

ଯଦୁକୁଳେ ଜାତ ଶାମ୍ବ ଯେ କୁମର

ଚନ୍ଦ୍ରଧ୍ୱଜ ଗୋତ୍ର ଯେ ଦ୍ରିଯୋଧନ ରାଜାର।୬।

ଶଙ୍ଖପଦ୍ମ ମହାପଦ୍ମ ତକ୍ଷକ କୁଳିକ ଅନନ୍ତ

ଆସନ ପାଦାସନ ଦିଲେ ଅଷ୍ଟକୁଳା ନାଗାନ୍ତ।୭।

ଦଇବତ ପୁରୁଷ ଯେ ବରୁଣ ଦେବତା

ବେଦମନ୍ତ୍ର ଆଧ୍ୟାନ ଯେ ପୂର୍ବର ବାରତା ।୮।

ଓହୋକୁଳ ଗୋତ୍ର ଯେ ଉଚ୍ଚାରିଲେ ପୁରୋହିତ

କୁଶ ବନ୍ଧନ କଲେ ବର କନ୍ୟାଂକ ହାଥେ ।୯।

ମଙ୍ଗଳ ଧୁନି କରନ୍ତି ଶୁଭ ଅବଧାରି

କୁସୁମ ବୃଷ୍ଟି ବର କନ୍ୟାଂକ ଉପରେ ଯେ କରି।୧୦।

ଡାହାଣବ୍ରତେକ ଶଙ୍ଖେ ଜଳ ତିଳ ଭରି

ଦ୍ରିଯୋଧନ କରେ ପୁରୋହିତ ଦିଲେ ନେଇକରି।୧୧।

ଯଉତୁକ ଦିଅ ହୋ କୁରୁବୀର ରାୟେ

ୟେ ତୋହୋର ଦୋହିତା ବିଭାର ସମୟେ।୧୨।

ପ୍ରଥମେ ପାଣି ଛାଡ଼ି ଦୋହିତା ଦିଲୁ ଦାନ

ୟେବେ ଦକ୍ଷିଣା ଦିଅ ହୋ ରାଜା ଦ୍ରିଯୋଧନ ।୧୩।

ଶୁଣିଣ କୁରୁବଇ ହାଥେ ଶଙ୍ଖ ଘେନି

ଅନେକ ଧନ ଦିଲା ବିବିଧ ରତ୍ନମଣି।୧୪।

ପୁଣ ଦାନ ଦିଲା ନବରତ୍ନ ଶୁଦ୍ଧ ସୁବର୍ଣ୍ଣଇ

ବତ୍ସା ସହିତେ ଦିଲା ସହସ୍ରେ ଧେନୁ ଗାଈ।୧୫।

ସଂକଳ୍ପ ଉଚ୍ଚାରି ଦିଲା ଦୁଇ ସହସ୍ର ଗଜ ଚାରି ସହସ୍ର

ତିନି ସହସ୍ର ପାରିଦଣ୍ଡ ଦିଲା କୁରୁରାୟେ ।୧୬।

ବେନି ଲକ୍ଷ ଦିଲେ ସେ ପରିବାରୀମାନ

ଆଉ କେତେ ଦିଲେ ସେ କେ କରିବ ଲେଖନ।୧୭।

ଯଉତୁକ ଦେଇ ରାଜା ହୋଇଲା ବିନୟ ମତି

ଦଶ ଦୋଷ ଅପ୍ରାଧ କ୍ଷମା କରିବା ହଳପତି।୧୮।

ଅଗ୍ୟାନ ମତେଣ ମୁଂ କଲଇଂ ଯେବଣ ଦ୍ରୋହ

ଶରଣ ପଞ୍ଜର ନାଥ ଦୋଷ ମୋର ଦହ ।୧୯।

ମହାଲକ୍ଷ୍ମୀ ଯାହାର ଭାରିଯା ସରସ୍ୱତୀ ଯାହାଂକୁ ଆରାଧି

ତାହାଂକୁ ଯଉତୁକ ଦେବାକୁ କି ମୋହୋର ସମ୍ପ୍ରଦ୍ଧି।୨୦।

ଭୋ ଦେବ ନାରାୟଣ ମୋତେ କରିବା କାରଣ

କନ୍ୟା ଗୋଟି ଦେଇଣ ମୁଂ ପଶିଲି ଶରଣ।୨୧।

ଯଦୁବଂଶେ ଭୂଷିତ ମୋ ଦୋହିତା ଚନ୍ଦ୍ରମୁଖୀ

କହୁଂ ଅଶ୍ରୂଜଳ ବହଇ ଆନନ୍ଦେ ବେନି ଆଖି।୨୨।

କନ୍ୟାକୁ ସମର୍ପି ରାୟେ ଚଳିଲେ ନିଜ ପୁରେ

ବରକନ୍ୟା ବସାଇଲେ ନେଇ ୟେକଇ ଆସନରେ ।୨୩।

ଅଗ୍ନି ଆରୋପଣ କଲେ ଗାଗ୍ରବ ପୁରୋହିତେ

ବଶ୍ୟାନର ଆଗ୍ନି ନାମହିଂ ଯେବଣ ଯୁଗତେ।୨୪।

ମହା ବ୍ରହ୍ମଲୟେ ପଞ୍ଚଭୂତ ଆତ୍ମା

ଅଗ୍ନିଦେବତାର ବାରକଇ ବଦନ ସପତ ଜିଭ୍ୟା ।୨୫।

ଅଗ୍ନି ଦକ୍ଷିଣାବର୍ତ୍ତୀ ହୋଇଣ ଦିଲେକ ଆହୂତି

ଆୟୁଷ ବର୍ତ୍ତମାନ ହୋଅଇ ଯେ ବଢ଼ଇ ସନ୍ତତି।୨୬।

ହୋମ କଲେ ପୁଣ ଯେ ଯଥା ଶାହାସ୍ର ମତେ

ଘୃତ ପାରଣା କଲେ ବରକନ୍ୟା ଯୁଗତେ ।୨୭।

ବିଭା ବିଧି ପ୍ରତିଷ୍ଠା ଯେସନେକ ଧାରଣା

ୟେ ବିଧିମତେ ହେଲା ପର ଯେ ଆପଣା ।୨୮।

ଘୃତ ପାରଣା କରି ବରକନ୍ୟା ଅନ୍ତପୁରେ ପଶି

ଆଶୀର୍ବାଦ ତହିଂ କରନ୍ତି ସର୍ବ ଋଷି।୨୯।

ଅହିୟୋ ସୁଲକ୍ଷଣୀ ହୁଅ ଗୋ ଚନ୍ଦ୍ରାବତୀ

ଶୁଭେଣ ପ୍ରାପତ ତୋତେ ହୋଉ ସନ୍ତତି ।୩୦।

ଭାନୁବତୀ ମୂଳେ ଯେ ଅନେକ ଯୁବତୀ

ଅହିୟୋ ସୁଲକ୍ଷଣୀମାନେ ବରକନ୍ୟା ବନ୍ଦାବନ୍ତି।୩୧।

ମଙ୍ଗଳ ଗୀତ ଗାଇ ହୁଳ ହୁଳି ଦିଲେ ବାଳୀ

ଶିରେ ଅର୍ଘ୍ୟ ଦିଲେ ଜୟେ ମଙ୍ଗଳ ତୋଳି।୩୨।

ଅର୍ଘ୍ୟ ଦେଇ ସର୍ବ ଶୁଭେ ଗଲେ ଯେ କାମେନୀ

ଜୟେ ଜୟେ ଶବଦ ଶୁଭିଲା ମଙ୍ଗଳ ଧୁନି।୩୩।

ମୁନିମାନେ ଆସି ମିଳିଲେ ନିଜସ୍ଥାନେ

ଆଶିଷ ଦିଲେ ଅନ୍ତପୁର ନାରୀମାନେ ।୩୪।

ଅମୃତ ରସ ପାକ ସୁପଂକୁ ଦ୍ରବ୍ୟ ଅନ୍ନମାନ

ୟେକା ପତ୍ରେ ବର କନ୍ୟା କରନ୍ତି ଭୋଜନ।୩୫।

ମଙ୍ଗଳ ଗୀତ ଗାବନ୍ତି ଶୁଭ୍ରକେଶୀ କାମେନୀ

ହୁଳହୁଳି ସଙ୍ଗେ ଶୁଭଇ ଜୟ ଜୟ ଧୁନି ।୩୬।

ଅନେକ ନିଶାଣ ଢୋଲ ଘନ ଘନ ବାଜେ

ଦ୍ୱରିକା ପୁରକୁ ସଜ ହୁଅନ୍ତି ଦେବରାଜେ ।୩୭।

ଅଶ୍ୱ ଗଜ ରାଜା ଯେ ଯେତେକ ଦିଲେଟି ବଧାଇ

କୃଷ୍ଣଙ୍କୁ ସମାଧନା କରନ୍ତି ପାଣ୍ଡବ ପାଞ୍ଚ ଭାଇ।୩୮।

ତୁମ୍ଭେ ମୋର ପଞ୍ଚଭୂତ ଆତ୍ମା ଅଟେ ପାଣ୍ଡବେ

ତୁମ୍ଭରେ ହୋଇଲା ମୋର ଅନେକ ଉଚ୍ଛବେ ।୩୯।

ଅନେକ ଧନ ରତ୍ନ ଦିଲେକ ବଧାଇ

ବରକନ୍ୟା ସନ୍ନିଧ୍ୟେ ମଙ୍ଗଳ ଗୀତ ଗାଇ ।୪୦।

ବୃଷ୍ଣିବଂଶ ଯଦୁବଂଶ ଭୋଜବଂଶ ହୟିହୟ ବଂଶ

ସାଜନ୍ତି ଯୋଦ୍ଧାମାନେ ମନେ ଅନେକ ହରଷ।୪୧।

ରଥ ଗଜ ଅଶ୍ୱ ସାଜନ୍ତି ଅନେକ ପାଦାନ୍ତି

ଲାଗିଲା ଜଗହୁଳା ଦିବସ ପ୍ରାୟେ ଦିଶିଲାକ ରାତି ।୪୨।

ବର କନ୍ୟାକୁ ନେଇ ବସାଇଲେ ହାନ୍ଦୋଳାୟେ

ସମଦଣ୍ଡ ଘେନି ବିଜୟ କଲେ ଦେବରାୟେ।୪୩।

ସାତ ଭଣ୍ଡାର ଦିଲେ ରାଜା ଚନ୍ଦ୍ରାବତୀର ତୁଲେ

ଦେବତାମାନେ ସମସ୍ତେ ସାଧୁ ସାଧୁ କଲେ।୪୪।

ବର କନ୍ୟାଂକୁ ଘେନି ଦେବ ଦ୍ୱାରିକାକୁ ବିଜେ

ବିଜିଘୋଷ ଦାଉଣ୍ଡି ଯେ ବୀରତୂର ବାଜେ।୪୫।

ଦ୍ୱାରିକା ପୁରେ ଯାଇଂ ହୋଇଲେ ପରବେଶ

ଜୟେ ମଙ୍ଗଳ ଧୁନି ପୂରିଲା ଚଉପାଶ।୪୬।

ମଙ୍ଗଳ ଧୁନି ବାଣୀ ଶୁଭିଲା ଦ୍ୱାରିକା

ଅର୍ଘ ଘେନି ବାହାର ସକଳ ନାୟିକା ।୪୭।

ବରକନ୍ୟା ଯାନ୍ତେ ଦେଖନ୍ତି ସର୍ବ ବାଳୀ

ଆନନ୍ଦେ ବାମାମାନେ ଦିଅନ୍ତି ହୁଳହୁଳି।୪୮।

ବୋଲନ୍ତି ଧନ୍ୟ ଧନ୍ୟ ଗୋ ଦେବୀ ଚନ୍ଦ୍ରାବତୀ

ଧନ୍ୟ ଭାନୁବତୀ ଗର୍ଭୁଂ ହୋଇଲୁ ଉତପତ୍ତି।୪୯।

ଦଇବକୀ ଯଶୋବନ୍ତୀ ଦେଖନ୍ତି ଜମ୍ବୋବତୀ

ସତ୍ୟଭାମା ରୁକ୍ମିଣୀ କାଳନ୍ଦୀ ପ୍ରିୟବତୀ ।୫୦।

ୟେହାଂକର ମୂଳେ ଯେ ବତିଶସହସ୍ର ବାମା

ଅଷ୍ଟ ପାଟବଂଶୀ ସେ ଯେ ଦ୍ୱାରିକା ଉପମା।୫୧।

ବିହଡ଼ନ୍ତି କନ୍ୟାମାନେ ମନର ସାନନ୍ଦେ

କଉତୁକେ ନାଟ ମୁନି ଯେ କରନ୍ତି ନାରଦେ।୫୨।

ଚାରିଲକ୍ଷ ବତିଶ ସହସ୍ର ଦ୍ୱାରିକା ଯଦୁବଂଶ ସାହି

ଘରେ ଘରେ ବରକନ୍ୟାନ୍ତ ଅର୍ଘ୍ୟ ଯେ ବନ୍ଦାଇ।୫୩।

ଚନ୍ଦ୍ରଶାଳା ପୁରେ ଯେ ମହୁଶେଯ୍ୟା ପାଡ଼ି

ତହିଂରେ ଯାଇ କୁମର କୁମାରୀ ପହୁଡ଼ି  ।୫୪।

ଭୁଞ୍ଜଇ କୁମର ସାନନ୍ଦ ହୋଇଣ ପଞ୍ଚୁଭୂତେ

ତ୍ରଇଲୋକ୍ୟ ମୋହିନୀକି ସେ ଘେନି କୋଳାଗ୍ରତେ ।୫୫।

ଅଭେଦ ଆତ୍ମା ତହିଂ ଯେ ବଢିଲା ପୀରତି

କୁମର କୁମାରୀ ଯେ ମନର ଶାନ୍ତି ହ୍ୱନ୍ତି ।୫୬।

ଶୃଙ୍ଗାର ଭରେ ପ୍ରତୋଷ ଯେ କୁମାରୀ କୁମର

ଯହିଂ ପଡୁଅଛି ଧାଡ଼ି କାମ ଯେ ଦେବର ।୫୭।

ପୀରତି ମନୋହର ସେ କହିତ କି ପାରି

କଉତୁକେ ରାତ୍ର ତହିଂ ଗଲାକ ଅପସରି ।୫୮।

କନକ ଛାୟେଣୀ ମଣ୍ଡୋପ ଚନ୍ଦ୍ରାତପ ଟାଣି

ଲମ୍ବିତ ମୁକୁତା ଝରା ଝଟକନ୍ତି ରତ୍ନମଣି ।୫୯।

ନିଧିମାନ ଘେନି ଯେ ବାରାନିଧି ଖଟଇ

ଦେବଂକୁ ଦୁଲଭ ଦ୍ୱାରିକା ଭୁବନ ସମ୍ଭର୍ବଇ।୬୦।

ତାହା ବର୍ଣ୍ଣିବାକୁ ଶକ୍ୟ ମୋର କିସ

ଯାହାର ମହିମା କହି ନୁଆରନ୍ତି ବେଦବ୍ୟାସ।୬୧।

ଚଉଷଠି ବିଧାନେ ମଙ୍ଗଳ ବିଧି ଯେହ୍ନେ

ଅଇଲେ ଧୁଶାସନ ଦୃମନ ଦୃଜୟେ ଦୁରାକର୍ଣ୍ଣେ।୬୨।

ୟେହାଂକର ମୂଳେ ଯେ ଦଶସହସ୍ର ରଥୀ

ଦ୍ୱାରିକା ପୁରେ ଆସି ଉଚ୍ଛବ କରାନ୍ତି ।୬୩।

ସୁବର୍ଣ୍ଣେ ନିର୍ମିତ ଯେ ଅଷ୍ଟରତ୍ନରେ କଳସୀ

ହିରା ମାଣିକ୍ୟ ତହିଂ ଉପରେଣ ବସି।୬୪।

ବରକନ୍ୟା ୟେକ ଆସନେଣ କଲେ ଉଭା

ଚନ୍ଦ୍ର ରେହିଣୀ ପ୍ରାୟେ ଦିଶନ୍ତି ବେନି ଶୋଭା ।୬୫।

ବିଧି ପୂର୍ବମତେ ପଢନ୍ତି କଳଶା

ବଶିଷ୍ଠ ମାରକଣ୍ଡ ଆବର ଦୁର୍ଭାସା।୬୬।

ଆବର ଜ୍ୟୋତିର ସେ ଭରହ ଶିଶୁମୁନା

ଚାରିଦେବ ସମ୍ପୂର୍ଣ୍ଣ ବ୍ରହ୍ମା ମୁନି ସିନା।୬୭।

ୟେ କଳଶା ଚାରିବେଦୁଂ ଉତପତ୍ତି କରି

ଉଚ୍ଛବ ବଢିଲା ଭିତରକୁ ଗଲେ କୁମର କୁମାରୀ।୬୮।

ଅନେକ ହରଷ ମନ ହୁଅନ୍ତି କଉରୋବେ

ଆନନ୍ଦେ ହରଷ ଯେ କୃଷ୍ଣ ବଳଦେବେ ।୬୯।

ପଞ୍ଚମ ଦିନ ଉପୁଜିଲା ଉଚ୍ଛବ ଗୋଟାୟେ

ୟେକ ଆରେକ ମତ୍ତ ହୋଇ ନ ମଣିନ୍ତି କିଛି ଭୟେ।୭୦।

ୟେକକୁ ଆରେକ କରେ ହାସ ପରିହାସ

ପ୍ରଥମେ ଚନ୍ଦନ ଫିଙ୍ଗି ହୋଇଲେ ହରଷ ।୭୧।

ତଦନ୍ତରେ କର୍ଦ୍ଦନ କଲେ ଲେପନ କାୟେ

ତହୁଂ ମରାମରି ଯେ ପିଚିକା ଜଳମୟେ ।୭୨।

ବେଳକୁ ବେଳ ହୋଇଲା ଅପାର ରସକେଳି

ୟେକର ଉପରେ ଆରେକ ନିଉଡ଼ି ଯେ ଧୂଳି।୭୩।

ପୁଣ ପୁଣି ନିଉଡ଼ିଲେ ଉଠିଲା କର୍ଦ୍ଦନ

ଦିଶିଲା ଭବିଷ୍ୟ ଯେ ଦ୍ୱାରିକା ଭୁବନ।୭୪।

ବସୁଦେବ ପୁଚ୍ଛା କଲେ ଯେ ବ୍ୟାସ ମୁନିଂକି

ୟେ କେଉଣ ଚରିତ ମୁନି ତୁମ୍ଭେ ଜାଣଟି କି।୭୫।

ବ୍ୟାସେ ବୋଇଲେ ହୋ ଶୁଣ ତୁ ବସୁଦେବ

ପାପ ପୁଣ୍ୟ ଆସି ମିଳନ୍ତି ୟେକ ଠାବ।୭୬।

ଦିବସେ ହୋଇଲେ ଯେ ରାତ୍ରେକ ହୁଅଇ

ସଂସାରକଥା ୟେହା କେହି ନ ଜାଣଇ ।୭୭।

ପୁଣ୍ୟ ହୋଇଲା ଯେ ପୁଣ ବିଭାର ଯୁଗତେ

ନାନାଦି ବେଶ ବେଶନ ହୋଇଲେ ଯେ ପଞ୍ଚୁଦିବସ ପରିପନ୍ତେ ।୭୮।

ଅନେକ ଭୋଗ ବିଳସନ୍ତି ଅନେକଶରଧା

କାଳେ ପାପ ପୂଣ୍ୟ କରିବ ନାହିଂକି ବାଧା।୭୯।

ଶ୍ରୀକୃଷ୍ଣ ଅଙ୍ଗ ଯେ ବିଳସୁଥିଲା ପୁଣ୍ୟମୟେ

ସେ ଦେହେ ପଡ଼ିଲା ଧୂଳି କର୍ଦ୍ଦନ ଗୋଟାୟେ ।୮୦।

ପାପ ପୁଣ୍ୟ ଦୁହେଂ ଯେ ହୋଇଲେ ଅଇରି ସରି

ଦେବତାମାନେ ଯେ ୟେହା ନୁଆରିଲେ ଅନ୍ତ କରି ।୮୧।

ଶ୍ରୀବାସୁଦେବଂକର ଯେ କଉତକ ରଞ୍ଚନା

ୟେକା ପୁତ୍ରେ ବିଭା କରି ଉଚ୍ଛବ କଲେ ଜଗବନ୍ଦନା ।୮୨।

ମୟା ମୋହ ସଂସାର ୟେ ହୋଇଲ ମୋତେ ବଣା

ୟେକକୁ ଆରେକ ଯେ ବିପରିତ କହଣା ।୮୩।

ଶ୍ରୀକୃଷ୍ଣ ଆରାଧନା ହୃଦରେ ମୋର ଥାଉ

ବିଷ୍ଣୁ ବିତ୍ରେକ ମୋହୋର ମନ ଅନ୍ୟ ଗତିକି ନ ଯାଉ।୮୪।

ଶ୍ରୀକୃଷ୍ଣ ପଦ୍ମପାଦେ ମୋହୋର ମନବଞ୍ଛା

ଜଗବନ୍ଦନ ନାରାୟଣ କରନ୍ତୁ ମୋତେ ରକ୍ଷା।୮୫।

ନିରନ୍ତରେ ଭାବନାରେ ଗୋବିନ୍ଦ ନାମ ଗୋଟି

ସଦା ସମ୍ପଦ ୟେହା ନିତ୍ୟେହେଂ ପରକଟି ।୮୬।

ଭୋଜନ ଶୟନ ଶଉଚଭାବ ମନେ

ଭାବେ ଭଜିଲା ମନ ପ୍ରସନ୍ନ ବଦନେ।୮୭।

ଯାହା ସେ କହିଲେ ମହାମୁନି ବ୍ୟାସେ

ଇହ ପରୋଲୋକ ଯେ କାଳର ଅଭ୍ୟାସେ।୮୮।

ଶ୍ରୀବାସୁଦେବଂକ ଚରଣେ ଭାବଇ ମୁଂ ନିତ୍ୟେ

ବଦନ୍ତି ସୋରୋଳା ଦାସେ ସଂସାର ଜନ ହିତେ ।୮୯।

ୟେହା ଶୁଣିଣ ବଇବସୁତ ମନୁ ଯେ ବୋଇଲା

ଚନ୍ଦ୍ରାବତୀ ବିଭା ୟେକା ପାଣ୍ଡବଂକରେ ହୋଇଲା ।୯୦।

ଶ୍ରୀକୃଷ୍ଣ ଯେ ଅନ୍ତର କରିଥିଲେ କଉରୋବନ୍ତ

ପୁତ୍ରବଧୁ ଦେଖି ଯେ କଡ଼କା ଛାଡ଼ିଲେ ତାହାନ୍ତ।୯୧।

ଶ୍ରୀକୃଷ୍ଣ ଦ୍ରିଯୋଧନର ହୋଇଲା ପ୍ରିୟଯୋଗ

ୟେଥୁ ଅନନ୍ତରେ କିସ ହୋଇଲା ମୁନିଦେବ।୯୨।

ବଦନ୍ତି ଅଗସ୍ତି ତୁ ପୁଚ୍ଛା କଲୁ ଯାହା

ସାବଧାନେ ଶୁଣ ହୋ ଭାରଥ କୁଳ ନାହା।୯୩।

ତୁମ୍ଭେ ପୁଚ୍ଛିଲେ ଯେ ହସ୍ତିନା ସିଂଘଦ୍ୱାରର ପ୍ରସ୍ତାବ

ଚନ୍ଦ୍ରାବତୀର ନିମନ୍ତେ ୟେହା କଲେ ବଳଦେବ।୯୪।

ଶ୍ରୀବାସୁଦେବଂକର ଚରଣେ ଭଗତି

ଶୂଦ୍ରମୁନି ସାରୋଳା ଦାସ ଶ୍ରୀକୃଷ୍ଣ ଚରଣେ ସେବନ୍ତି।୯୫।

ନମସ୍ତେ ସାରୋଳା ମା ଗୋ ଜଙ୍ଖେର ପୁର ବାସୀ

ପ୍ରସନ୍ନେ ବର ଦାୟିନୀ ଦ୍ରଶନେ ଦୁଖ ଧ୍ୱସିଂ।୯୬।

କଳିକାଳ ବିଧ୍ୱଂସିନୀ ଯେ କରୁଣା ବାରାନିଧି

କରିବା କାରଣ ମା ଗୋ ଦେବା ସଦବୁଦ୍ଧି।୯୭।

ଶ୍ରୀ ସରସ୍ୱତୀ ଦେବୀ ଗୋ ବିଷ୍ଣୁର ପାଚରାଣୀ

କରିବା ସଦୟେ ଗୋ ବିଷ୍ଣୁର ଘରଣୀ।୯୮।

ସପତ ସ୍ୱର ବୀଣାୟେ ସୁସ୍ୱରେ ଗାୟନ କଲୁ

ଭରହରଷେ ମା ଗୋ ନାରାୟଣନ୍ତ ମୋହିଲୁ ।୯୯।

ଅପାପୀ ଅପର୍ଣ୍ଣା ଗୋ ପରମ ଯୋଗେଶ୍ୱରୀ

କୋଟି କୋଟି ପ୍ରଳୟ ଯେ ନିମିଷେକ କରି।୧୦୦।

ଶୁଦ୍ଧ ସଷ୍ଟିକ ବର୍ଣ୍ଣ ଅଭୟେ ହେଙ୍ଗୁଳା

ଦୁର୍ଗତି ନାଶିନୀ ମା ଗୋ ଶ୍ରୀସର୍ବମଙ୍ଗଳା ।୧୦୧।

ସର୍ବ ଜନଂକର ହୃଦରେ ଯାର ବାସ

ଶ୍ରୀବାକ୍ୟଦେବୀ ଚରଣେ ଶ୍ରୀସାରୋଳା ଚଣ୍ଡୀ ଦାସ। ୧୦୨।

ଯହୁଂ ସେ ପ୍ରସନ୍ନ ହୋଇଲେ ଶ୍ରୀଚଣ୍ଡୀ ସାରୋଳା

ତେଣୁ ସପତ ସାହେରକୁ କରି ଲୋଡ଼ଇ ଭେଳା।୧୦୩।

ସପତ ସାହେରର କେ ପାଇବାକ ତଦନ୍ତ

ବ୍ରହ୍ମାଂକୁ ଅଗୋଚର ୟେ ଶ୍ରୀମହାଭାରଥ ।୧୦୪।

ବ୍ୟାସ ମହାମୁନି ଯେ ୟେଥକୁ କାରଣ

ସେ କହିତେ ସାମରଥ ଶ୍ରୀବିଷ୍ଣୁ ପୁରାଣ ।୧୦୫।

କୋଟିୟେ ଯୁଗ ବସି ସେ ଅନ୍ତ ନ ପାଇଲେ

ମହାଭାରା ଲାଗିଲାକୁ ଭାରଥ ନାମ ଦିଲେ।୧୦୬-୭୬୯୩।

 

Unknown

ଉଷା ହରଣ

ବଦୟନ୍ତି ଅଗସ୍ତି ଶୁଣ ହୋ ମନୁ ରାୟେ

ସଞ୍ଚପି କହିବାକୁ କାହାର ସଖ୍ୟ ହୋୟେ ।୧।

ତୁମ୍ଭେ ଯେ ପୁଚ୍ଛାକଲ ବିନୟ ଭଗତେ

କହିବା ବିଷ୍ଣୁ ପୁରାଣ ସଂସାରୁ ତରିବା ନିମନ୍ତେ।୨।

ୟେ ମଧ୍ୟ ପର୍ବ ଯେ ମହାରସ କଥା

ହରଇ ଦୁଷ୍କୃତ ଯେ ଖଣ୍ଡଇ ମନୋବ୍ୟଥା ।୩।

ଶ୍ରୀବିଷ୍ଣୁ ପୁରାଣ ୟେ ଶାହାସ୍ରଙ୍ଗତେ

ଯେ ଅବା ଶୁଣନ୍ତି ହୋଇଣ ୟେକ ଚିତ୍ତ ।୪।

ଅନ୍ତେଣ ବଇକୁଣ୍ଠ ଦିଅନ୍ତି ଚକ୍ରପାଣି

ନାନାଦି ପାତେକରୁ ତରିଯାନ୍ତି ପ୍ରାଣୀ।୫।

ତୁମ୍ଭେ ଯେ ଧାର୍ମିକ ବିବେକ ପୁଣ୍ୟବନ୍ତା

ୟେକମନେ ଶୁଣ ହୋ ଶ୍ରୀମହାଭାରଥ କଥା।୬।

ଶୋଣିତ ପୁର ବୋଲି ବଇତରଣୀ ନଦୀ ତୀରେ

ବାଣାସୁର ବୋଲି ତହିଂର ନୃପବରେ ।୭।

ବଳୀର କୁମର ସେ ମହାଦେବଂକୁ ସେବି ପାଇଲା ବର

ଯୁଗେ ଯୁଗେ ଅମର ସେ ସହସ୍ରେ ତାର କର।୮।

ମହାବୀର ପଣେ ସେ ବଡ଼ାଇ କଉଣୋପ

ଯୁଗେ ଯୁଗେ ଅଜାମ୍ବର ତାର ଭୟଂକର ରୂପ।୯।

ତାହାର କୋଳେ ଜନମ ୟେକଇ ଦୁଲଣୀ

କୋଟିୟେ ପାର୍ବତୀ ରୂପକ ପାରଇ ସେ ଜିଣି।୧୦।

ସୁକୁମାରୀ ସୁନ୍ଦରୀ ସେ ମୋହଇ ଜଗତ

ଚନ୍ଦ୍ର ମହାଲଗ୍ନ ଘେନିଣ ହୋଇଲାକ ଜାତ।୧୧।

ଫାଲଗୁନ ମାସ ଶୁକ୍ଳପକ୍ଷ ପଞ୍ଚମୀ ଚନ୍ଦ୍ରବାର

ରେବତୀ ମୀନରେ ଚନ୍ଦ୍ର କରଇ ବିହାର ।୧୨।

ବବ ନାମେ କରଣ ଯେ ଶୁଭ ନାମେ ଯୋଗ

କୁମ୍ଭ ସଂକ୍ରାନ୍ତିକି ଯେ ବାଇଶି ଦିନ ଭୋଗ।୧୩।

ସପ୍ତମେ ବୃହସ୍ପତି ପଞ୍ଚମେଣ ବୁଧ

ଦିବସ ଭୋଗ ଯାଇଂ ରୟଣୀ ହୋଇଲାକ ଅର୍ଦ୍ଧ ।୧୪।

ୟେମନ୍ତ ସମୟେଣ ସେ ଜାତ ହୋଇଲା କୁମାରୀ

ସର୍ବ ମଙ୍ଗଳ ଯୋଗ ପଣ୍ଡିତେ ବିଚାରି।୧୫।

ଦୋହିତାକୁ ଦେଖି ତାର ଉଲସିତ କାୟେ

ତେଣୁ କରି ରାଜା ତାର ଉଷା ନାମ ଦିୟେ।୧୬।

ଦିନୁଂଦିନ କୁମାରୀ ଯେ ବଢଇ ଆନୁ ଆନ

ଶୁକଳ ପକ୍ଷେ ଯେହ୍ନେ ଉଦିତ ହୋୟେ ଜହ୍ନ।୧୭।

କେତେହେଂକ ଦିନେ କନ୍ୟା ହୋଇଲା ନବଯୁବା

ମଦନ ପସରା ଜାଣି ଦିଶଇ ବେନି କୁଚ ଆଭା।୧୮।

ନୟନ ନୀଳ ଉତ୍ପଳ ନାସା ତିଳ ଫୁଲ

ଦନ୍ତ ଗଜମୋତି ବଧୁଲୀ ଅଧର ଅମୂଲ୍ୟ ।୧୯।

ବୃଷାଳ ବକ୍ଷସ୍ଥଳ ପଦ୍ମଲାଡ଼ ବେନି ଭୂଜ

ପଦ୍ମ ପତ୍ର ପେଟ ନିତମ୍ବ ଉରଜ ।୨୦।

ରକତ କୁମୁଦ ଜାଣି ପାଦତଳ ରଙ୍ଗ

ରାଜହଂସ ଚାଲି ଶୋଭା ଦିଶଇ ସୁରଙ୍ଗ ।୨୧।

କୋକିଳ ବଚନ ଭାଷଇ ମୃଦୁରସ

ଅପାଙ୍ଗ ଚାହାଣୀରେ କନ୍ଦର୍ପ ହୋଇବଟି ଧଂସ।୨୨।

କପାଳେ ସିନ୍ଦୂର ଅରୁଣ ଜ୍ୟୋତି ଜାଣି

ନାସାରେ ଗଜ ମୁକୁତା ସୁବର୍ଣ୍ଣ ରସାଣି।୨୩।

ନୟନେ କଜ୍ଜ୍ୱଳ ଭ୍ରୂଲତା ବେନି ସାଜେ

କର୍ଣ୍ଣେଣ ରତ୍ନ କାପ ଗୁରୁ ଶୁକ୍ର ଗଞ୍ଜେ।୨୪।

କଣ୍ଠେ ଶୋଭାବନ ମୁକୁତା ସରି ଚାପ

ବାହେ ରତ୍ନ ଚୁଡ଼ି ନାନା ମଣି ଧାପ।୨୫।

ପୟରେ ନେପୂର ବାଜଇ ରୁଣଝୁଣ

ଅଙ୍ଗୁଷ୍ଠି ମୁଦ୍ରିକା ଦିଶେ ସୂର୍ଯ୍ୟ ଜ୍ୟୋତି ସମ।୨୬।

ଦେବାଙ୍ଗ ବସନ ପରିହରଣ ଯେ ବାଳୀ

ନାନା କୁସୁମେ କବରୀ ଅଛଇ ଶାମଳୀ ।୨୭।

ସଙ୍ଗେ ଚିତ୍ରରେଖା ନାମେ ସହଚରୀ ଘେନି

କୁସୁମ ବନିକାୟେ ଭ୍ରମଇ କାମେନୀ।୨୮।

ନାନା ଜାତି କୁସୁମ ସେ ତୋଳେ ମନଇଚ୍ଛା

ପୂଜଇ ସଦାଶିବ ବର ମାଗଇ ମନ ବାଞ୍ଛା।୨୯।

ଭୃଙ୍ଗ ଧୁନି ଶୁଣି ଚମକଇ ତାର ତନୁ

ରତି ଶାହାସ୍ର ସୁମରି ବିକଳିତ ମନୁ।୩୦।

ପୁଣ ପୁଣ ବସନ ସେ ଫେଡ଼ଇ ସରାଗେ

ଦେଖଇ ମର୍ମସ୍ଥାନ ସେ ମନର ଉଦବେଗେ।୩୧।

ଯହୁଂ ନିର୍ଜନ ସେ ଅଟଇ ବିପୁନ୍ୟ

ତେଣୁ କରି ଫେଡ଼ିପିନ୍ଧଇ ବସନ।୩୨।

ଚନ୍ଦ୍ରକଳା ସୁମରି ଯେ ରତି ଇଚ୍ଛା କରି

ନାନା ପରିବନ୍ଧ ସେ ମନରେ ଅନୁସରି।୩୩।

ପୁଷ୍ୟକୁ ଆବୋରି ଚୁମ୍ବଇ ଭ୍ରମର

ମତ୍ତଭରେ ଧୁନି କରଇ ସୁସ୍ୱର ।୩୪।

ଦେଖିଣ ବିଷାଦ କରଇ ମନୁକୁ

ସାତ୍ତ୍ୱିକ ବିକାର ଭେଦିଲା ତନୁକୁ।୩୫।

ଖରତର ନିଶ୍ୱାସ ଛାଡ଼ଇ ଘନଘନ

ତରଳିତ ତନୁ ତାର ବିରସ ବଦନ।୩୬।

ଚରଣ ବଢାଇ ବାଳୀ ନୁଆରଇ ଯାଇ

ଦେଖି ଚିତ୍ରରେଖା ଧଇଲା ବେଗ ହୋଇ ।୩୭।

ଆଶ୍ୱାସନା କରି ନିଜ ପୁରକୁ ଘେନିଗଲା

ସୁବାସିତ ଜଳ ବଦନେ ଛିଞ୍ଚିଲା।୩୮।

ସୁଗନ୍ଧ ଲେପନ୍ତ ମଣଇ ବିମୁଖ

ଭୋଜନ ଶୟନେ ଅତିହିଂ ଗୁରୁ ଦୁଖ।୩୯।

ନ କହେ ସଖୀକି ସରସ ବଚନ

ନୁହଂଇ ସୁବେଶ ନ ସମ୍ଭାଳର ବସନ।୪୦।

ଚିତ୍ରରେଖା ଚିତ୍ତ ଚଞ୍ଚଳ ତାର ଜାଣି

ବହୁତ ମତେ ତାକୁ ପ୍ରବୋଧଇ ତରୁଣୀ।୪୧।

ନ ଘେନେ ସଖୀଂକ ହାସ ପରିହାସ

ଦିବସ ଅନ୍ତେଣ ରୟଣୀ ପ୍ରବେଶ ।୪୨।

ଶେଯ୍ୟାରେ ପହୁଡ଼ି ଅଳସିତ ତନୁ

ପ୍ରଦୀପ ତେଜକୁ ମଣିଲା ସେ ଭାନୁ।୪୩।

ଚନ୍ଦ୍ରଶାଳା ପୁର ନ ମଣଇ ବାଳୀ

ନୟନେଣ ନିଦ୍ରା ନୋହୋଇ ବିଭଳି।୪୪।

ଅନେକ ଚେରଷ୍ଟା ମଦନ ବିକାର ଘେନି

ଅତି କଷ୍ଟେ ବଞ୍ଚିଲା ସେ ଦିବସ ରୟଣୀ ।୪୫।

ରୟଣୀ ପ୍ରଭାତେ ଦେଖିଲା ସପନ

ଦିବ୍ୟ ପୁରୁଷେକ ମିଳି ସନ୍ନିଧାନେ।୪୬।

ପଲଂକେ ବସିଣ ଅଳପେ ମୃଦୁ ହସି

ଉପରେ ଦେଇ ହାଥ ଚାଟୁ ବଚନ ଭାଷି ।୪୭।

କୋଳେ ବସାଇଣ ଚୁମ୍ବଇ ଅଧର

ୟେସନେକ ସମୟେ ନିଦ୍ରା ଭାଜିଲା ତାହାର।୪୮।

ଚକ୍ଷୁ ମଳି ଚାହିଂଲା ବାଳୀ ପଲଂକ ଉପରକୁ

ନ ଦେଖି ଦରାଣ୍ଡିଣ ନ ପାଇଲା ତାହାକୁ ।୪୯।

ହା ପ୍ରାଣନାଥ ବୋଲି ଉଚ୍ଚେ ରାବ ଦିଲା

ଶୁଣି ଚିତ୍ରରେଖା ତବଦ ହୋଇଲା।୫୦।

ବୋଲଇ ସୁନ୍ଦରୀ ଶୁଣ ମୋର ବାଣୀ

ବିପରୀତ କଥା କହୁ ଗୋ ମିତଣୀ।୫୧।

ବିଘଂସିତ ପୁଷ୍ୟ ପ୍ରାୟେ ହୋଇଅଛୁ

ଭୃଙ୍ଗ ଲଭିନାହୁଂ ପୁଂସ କିଂକେ ଇଚ୍ଛୁ।୫୨।

ସଖୀ ବଚନ ଶୁଣି କହେ ମୃଦୁ ବାଣୀ

ଅଭିନବ ପୁରୁଷେ ମୋ ପାଶେ ଥିଲା ୟେହିକ୍ଷଣି।୫୩।

ତାହାଂକ ରୂପଗୁଣ କହିବଇଂ କିସ

କୋଟିୟେ କନ୍ଦର୍ପ ଯାର ହୋଇବାକ ଦାସ।୫୪।

ସେ ଆସି ମୋହୋର ଶେଯ୍ୟାରେ ବସିଥିଲା

ଅଧର ଚୁମ୍ବିଣ ମୋରେ ବହୁ ଚାଟୁ କଲା ।୫୫।

ୟେହିକ୍ଷଣି ଥିଲା ଗଲା କେଉଂ କତି

ୟେତେ କହି ମୋହେ ପଡ଼ିଲା ଯୁବତୀ।୫୬।

ଚିତ୍ରରେଖା ତୋଳି କରଇ ଆଶ୍ୱାସ

କାହୁଂ ଅଦଭୁତେ ଅଇଲା ପୁରୁଷ।୫୭।

ଆଗୋ ସଖୀ ସଚେତ ହୋଇ କହ ମୋତେ

ତିନି ପୁରେ ଥିଲେ ନିଚେଂ ଆଣି ଦେବି ତୋତେ।୫୮।

ନୋହସି ଅଗ୍ୟାନ ଗୋ ଚେତା ହୋଇ କହ

ସଖୀର ବଚନ ଶୁଣି ତେଜିଲାକ ମୋହ।୫୯।

ଚରଣ ଧରି କହଇ ବହୁତ ବିନୟେ

ତୁ ସଖୀ ମୋହୋରେ ଗୋ କରସି ସଦୟେ।୬୦।

ତୁ ଯେବେ ଅଟୁ ଗୋ ମୋ ପ୍ରାଣର ମିତଣୀ

ଅନରୂପେ ପତି ଦେବୁଂ ମୋତେ ଆଣି।୬୧।

ସ୍ୱପନେ ଦେଖିଲି ସଖୀ ଗୋ ଯେଉଂଣ ମୂରତି

ସେ ମୋହୋର ଜାଣ ନିଚେଂ ଅଟେ ପତି।୬୨।

ତାହାର ବିହୁନେ ମୋ ନ ସରଇ ଦିନ

ସେହି ସେ ଅଟଇ ସଖୀ ମୋହୋର ଜୀବନ ।୬୩।

ତାହାକୁ ସଖୀ ଆଗୋ ଆଣିଦେବୁ ମୋତେ

ଅନେକ ବିନୋୟୀ ହୋଇ କହୁଅଛି ତୋତେ।୬୪।

ୟେତେ ବୋଲି ବାଳୀ ଧଇଲା ଚରଣ

ମୁହିଂ ସେ ଅନାସ୍ତ ସଖୀ କର ଗୋ କାରଣ।୬୫।

ଚିତ୍ରରେଖା ବୋଲଇ ଶୁଣ ରେ ପ୍ରାଣସଖୀ

ଆତ୍ମା ବଇକୁଲ୍ୟ ମୋର ତୋର କଷ୍ଟ ଦେଖି।୬୬।

ଯେବଣ ପୁରୁଷକୁ ଦେଖିଲୁ ସପନ

ଚିତ୍ରପଟ ଲେଖି ତୋତେ ଦେଖାଇବା ବହନ।୬୭।

ଯେ ତୋହୋର ଇଚ୍ଛା ଆଣିଦେବଇଂ ମୁଂ ତାହା

ୟେ ସେ ଚିତ୍ରପଟ ସଖୀ ନିରେଖିଣ ଚାହାଂ।୬୮।

ୟେତେ କହି ଚିତ୍ରପଟକୁ ଦେଖାଇ

ଜଣେ ଜଣେ କରି କହଇ ଚିହ୍ନାଇ।୬୯।

ୟେ ସେ ସଖୀ ଇନ୍ଦ୍ର ଦେବତାଂକ ରାଜା

ଦେଖ ଚିତ୍ରସେନ ବାସବ ତନୁଜା।୭୦।

ଅଙ୍ଗାରପନ୍ନଙ୍ଗ ବରୁଣ କୁବେର

ତେତିଶ କୋଟି ଦେବତା ଲେଖିଲା ଚିତ୍ର ପଟର।୭୧।

ଗନ୍ଧର୍ବ ଦକ୍ଷଗଣ ବିଦ୍ୟାଧର ମାନ

ୟେକ ୟେକ କରି କହିଲା ସବୁଂକରି ନା  ମ। ୭୨।

ନାଗଲୋକ ଦେବଲୋକ ବ୍ରହ୍ମଲୋକ ଯାୟେ

ଚିତ୍ରପଟ ଲେଖି ଦେଖାଇଲା ତାୟେ।୭୩।

ମଧ୍ୟ ଭୁବନରେ ଲକ୍ଷେ ନୃପତି ଦେଖି

ବିଷାଦ ହୋଇଣ ଯେ ବସିଲା ଶଶୀମୁଖୀ।୭୪।

ଦ୍ୱାରିକା ପୁର ରଞ୍ଚିଲା ଲେଖିଲା ଉଗ୍ରସେନ

ସାତବଂଶ ଯାଦବ ଦିଶନ୍ତି ଆନୁମାନ ।୭୫।

ରାମକୃଷ୍ଣେ ଦେଖି ହରଷ ଚତୁରୀ

ପ୍ରଦ୍ୟୁମ୍ନକ ଦେଖି ଶିର ଲମ୍ବାଇଲା ବାଳୀ ।୭୬।

ଶ୍ରୀକୃଷ୍ଣର ଲକ୍ଷେ ଷାଠିସହସ୍ର ଅଶିୟେ ନନ୍ଦନ

ସମସ୍ତେ ଦିଶନ୍ତି କୃଷ୍ଣର ତେଜବର୍ଣ୍ଣ ।୭୭।

ପୁଣି ଲେଖିଲା ଚିତ୍ରରେଖା ଅନିରୁଦ୍ଧ ବୀର

ଦେଖିଣ ହରଷ ମନ ହୋଇଲା ବାଳୀର ।୭୮।

ସଖୀର କରରୁ ଚିତ୍ରପଟ ଘେନି

ଆନନ୍ଦେ ଅଶ୍ରୁ ଜଳ ବହଇ ନୟନ ବେନି।୭୯।

ଚିତ୍ରରେଖା ବୋଲଇ ଧନ୍ୟ ଗୋ ଚତୁରୀ

ତୋହୋର ଅନରୂପେ ଅଟଇ ୟେ ଶରୀ ।୮୦।

ଶ୍ରୀକୃଷ୍ଣଙ୍କର ନାତି ୟେ କନ୍ଦର୍ପର ସୁତ

ରତି ମହାତ୍ମାଣୀ ଅଟଇ ୟେହାର ନିଜ ମାତ।୮୧।

ଶତେବାର ଯେ ଗଙ୍ଗାରେ ଝାସିଥାଇ

କୋଟିୟେ ଈଶ୍ୱର ପୂଜିଲେ ୟେହାକୁ ନ ପାଇ।୮୨।

ୟେହି ସେ ସଖୀ ରେ ପୁରୁଷଂକର ସାର

ଧନ୍ୟ ଜୀବନ ସଖୀ ରେ ଅଟଇ ତୋହୋର।୮୩।

ବୋଲଇ କୁମାରୀ ଶୁଣ ଗୋ ମିତଣୀ

ମୋହୋରେ ଦୟା ଯେବେ ଅଛି ତୋର ପୁଣି।୮୪।

ବେଗେ ଆଣି ସଖୀ ଦିଅ ୟେହୁ ପତି

ୟେହାର ବିତ୍ରେକ ଆନେ ନ ବଳେ ମୋର ମତି।୮୫।

ନୋହିଲେ ସଖୀ ଆରେ ନ ରଖଇ ଶରୀର

କେ ଆଣି ଦେବ ମୋତେ ପୁରୁଷ ରତ୍ନ ସାର।୮୬।

ପୁଣ ପୁଣ ବିନତି କରୁଅଛି ତୋତେ

ୟେ କଷ୍ଟରୁ ସଖୀ ଗୋ ରକ୍ଷାକର ମୋତେ ।୮୭।

ଉଠି ଉଭା ହୋଇ ଧରଇ ଚରଣ

ବହୁତ ବିକଳ ହୋଇ କରଇ କାରୁଣ।୮୮।

ଟିତ୍ରରେଖା ବୋଲଇ ଗୋ ନୁହସି ବିକଳ

ଆଜର ମଧ୍ୟରେ ଆଣିମି ପଦ୍ମନର ବାଳ ।୮୯।

ମୋହୋର ଆସିବା ଯାୟେ ଧଉର୍ଯ୍ୟ ହୋଇ ଥାଅ

ଆଜ ରୟଣୀରେ ଆଣିମି ଗୋ କନ୍ଦର୍ପର ପୁଅ।୯୦।

ନାରଦଂକ ମନ୍ତ୍ର ସୁମରି ହୋଇଲା ବାହାର

ରୟଣୀ ଅର୍ଦ୍ଧ ସମୟେ ପ୍ରବେଶ ଦ୍ୱାରାବତୀ ପୁର।୯୧।

ଦେଖିଲା ଅନିରୁଦ୍ଧ ପଲଂକେ ଅଛି ବସି

ଦିବ୍ୟ ବିଳାସୁଣୀୟେ ନୃତ୍ୟ ରଙ୍ଗେ ତୋଷି।୯୨।

ଦିବ୍ୟ ବେଶ ହୋଇ ବିରସ ବଦନ

ଚିତ୍ତ ଉଦବେଗ ଯେ ମନ ଛନ୍ନ ଛନ୍ନ।୯୩।

ଦିବ୍ୟ କଉତୁକ ଯେ ନ ରୁଚଇ ମନକୁ

ପଞ୍ଚଶର ପୀଡ଼ା କରଇ ତନୁକୁ ।୯୪।

ଆପଣା ସାଦୃଶେ ବଲ୍ଲଭୀ ଯହୁଂ ନାହିଂ

ଚଞ୍ଚଳ ଚିତ୍ତ ତାର ଚଉଦିଗେ ଭ୍ରମଇ ।୯୫।

ଉଠଇ ବସଇ ଯେ ତାପଇ ଚନ୍ଦନ

କ୍ଷଣକେ ସଚେତ କ୍ଷଣକେ ନିଦ୍ରା ମାଡ଼ଇ ନୟନ ।୯୬।

ଚିତ୍ରରେଖା ଜାଣିଲା ମଦନ ଚେରଷ୍ଟା ଅତି

ମନ୍ତ୍ର ସୁମରି ପଲଂକ ଶିରେ ଘେନିଲା ତଡ଼ତି ।୯୭।

ପବନହୁଂ ବେଗ ସେ କରଇ ଗବନ

ପ୍ରବେଶ ହୋଇଲା ଯାଇଂ ସଖୀର ସନ୍ନିଧାନ ।୯୮।

ଦେଖଇ ବିଭଳିତ ହୋଇଣ କୁମାରୀ

ଚିତ୍ରପଟକୁ ଚାହିଂ ବସିଛି ଲୟେ କରି ।୯୯।

ୟେମନ୍ତର ସମୟେ ପ୍ରବେଶ ଚିତ୍ରରେଖା

ପଲଂକ ରଖିଣ ସଖୀକି ଦିଲା ଦେଖା ।୧୦୦।

ଦେଖିଣ କୁମାରୀ ଯେ ଉଠିଲା ଆସନୁ

ଧାଇଂଣ କୋଳକଲା ଅସୁରର ତନୁ ।୧୦୧।

ବହୁତ ବିନୋୟୀ କହଇ ପୁରସରି

ଆଜହୁଂ ଜାଣ ସଖୀ ମୁଂ ତୋହୋର ପରିଚାରୀ ।୧୦୨।

ଦେଖଇ କୁମର ପଲଂକେ ଅଛି ଶୋଇ

ଚନ୍ଦ୍ରମା ପାଶରେ କି ଆରେକ ଚନ୍ଦ୍ର ଉଇଂ ।୧୦୩।

ଚତୁସମ ଗୋଳି ଲେପଇ ଚିତ୍ରରେଖୀ

ନିଦ୍ରା ତେଜି କୁମର ଚକ୍ଷୁ ମଳି ଦେଖି ।୧୦୪।

ଅର୍ପୂବ କାମିନୀ ପାଶେ ଅଛି ଉଭା ହୋଇ

ଚକିତେ କୁମରମଣି ଚଉଦିଗେ ଚାହିଂ ।୧୦୫।

ଚିତ୍ରରେଖା କହଇ ଯୋଡ଼ିଣ ବେନି କର

ୟେ ସେ ଦେବ ଅଟଇ ଶୋଣିତ ନାମେ ପୁର।୧୦୬।

ୟେଥିର ନୃପତି ଯେ ବାଣାସୁର ରାୟେ

ୟେହାର ନନ୍ଦିନୀ ଉଷା ୟେ ଛାମୁରେ ତୋର ରହେ ।୧୦୭।

ଅବିଭାଇତ କୁମାରୀ ଅଟଇ ନବଯୁବା

ସାଦୃଶେ ବର ନାହିଂ ହୋଇ ନାହିଂ ବିଭା ।୧୦୮।

ରାଜାର ଡଗରେ ଯେ ଅଛନ୍ତି ଚଉକତି

କାହୁଂ ଆସି ପ୍ରବେଶ ହୋଇଲା ଅର୍ଦ୍ଧରାତି।୧୦୯।

କେ ତୁମ୍ଭର ମାତା କେ ତୁମ୍ଭର ପିତା

ତୁମ୍ଭନ୍ତ ଦେଖି ବଶ ହୋଇଲା ୟେ ରାଜାର ଦୋହିତା।୧୧୦।

କେବଣ ନାମ ତୁମ୍ଭର କାହାର କୋଳେ ଜାତ

କି କାର୍ଯ୍ୟେ ଆସି ୟେଥେ ହୋଇଲ ଉପଗତ।୧୧୧।

କୁମର ବୋଇଲା ଦ୍ୱାରିକା ଅଟଇ ଆମ୍ଭର ପୁର

ଶ୍ରୀକୃଷ୍ଣଂକ ପୁତ୍ର ପଦ୍ମନ ଅଟଇ ମୋହୋର ପିଅର ।୧୧୨।

ଭ୍ରମନ୍ତେ ବଣା ହୋଇଂ ଅଇଲଇଂ ୟେଥକୁ

ତୁମ୍ଭେ କିମ୍ପା ଭୟ ୟେଥେ ପାଉଛ ମନକୁ ।୧୧୩।

ୟେହା ଶୁଣି ଚିତ୍ରରେଖା ବୋଲଇ ତୁମ୍ଭର ରୂପ ଦେଖି

ଶରୀରଯାକ କିମ୍ପା ନୋହିଲା ଆମ୍ଭର ଆଖି ।୧୧୪।

ଆମ୍ଭର ସଖୀକି କର ହେ ସୁଦୟା

ବିଧାତା ଘଟସୂତ୍ର କରି ଅଛି ୟେହା ।୧୧୫।

କୁମର ବୋଇଲା ଧନ୍ୟ ଧନ୍ୟ ଆଜର ଦିନ

କେବଣ ତୀର୍ଥେ ଅବା କଲଇଂ କେବଣ ପୁଣ୍ୟ।୧୧୬।

ରୟଣୀ ଦିବସେ ଯହିଂକି କରିଥାଇଂ ଇଚ୍ଛା

ଦଇବ ଆଣି ମୋର ପୂରୋଇଲା ମନବାଞ୍ଛା।୧୧୭।

ୟେତେ ବୋଲି ଯେ ପଲଂକରୁ ଉଠିଲା ଧାତିକାରେ

କନ୍ୟା ଭୁଜ ଧରି ନେଇ ବସାଇଲା ଜାନୁରେ।୧୧୮।

ବଦନ ଚାହିଂଣ ଯେ ଦିଅଇ ଚୁମ୍ବନ

କୋଳେ କୋଳାଗ୍ରତ କରଇ ଆଲିଙ୍ଗନ ।୧୧୯।

ସେ ବେନି ଜନଂକର ଉତ୍ସୁକ ଦେଖି ମତି

ଟେରା ପାଡ଼ି ଚିତ୍ରରେଖା ଅନ୍ତର ହେଲା ଧାତି।୧୨୦।

ବିବିଧ କ୍ରୀଡ଼ା ଯେ କରନ୍ତି ମନ ଇଚ୍ଛା

ବିରହେ ବେନିଜନେ ତୃପ୍ତ କଲେ ମନ ବାଞ୍ଛା।୧୨୧।

ଚଉଷଠି ପରିବନ୍ଧେ ବାଆସ୍ତରୀ କ୍ରୀଡ଼ାରସ

ବିବିଧ ବିନୋଦ ଯେ ବେନିଜନେ ତୋଷ।୧୨୨।

ଅରୁଣ ଉଦୟେ ପ୍ରସର ହୋଇଲା ନିଶି

ନିତ୍ୟକର୍ମ ସାରି ସୁବେଶ ଶୁଭ୍ରକେଶୀ।୧୨୩।

ଅମୃତ ମୁଣୋହି କରନ୍ତି ବେନି ଜନ

ନାନା କଉତୁକେ ବଞ୍ଚିଲେ ସେ ଦିନ।୧୨୪।

ଗୁପତ ପୀରତି ଯେ ନ ଜାଣନ୍ତି କେହି

କେବଳ ଜାଣଇ ୟେକା ଚିତ୍ରରେଖା ସହୀ।୧୨୫।

ୟେମନ୍ତେ କେତେହେଂକେ ଦିନର ଅନ୍ତରେ

ଡଗରେ ଜଣାଇଲା ନୃପତି ଛାମୁରେ।୧୨୬।

ଶୁଣିମା ସାବଧାନେ ଅସୁର କୁଳ ସାଈଂ

କନ୍ୟାପୁରେ ଉତପାତ ମଣିଲୁଂ ଗୋସାଇଂ ।୧୨୭।

ତୋଟାପୁରେ ଦେଖିଲୁ ପୁରୁଷ ପାଦ ଚିହ୍ନ

ଚିତ୍ରରେଖାର ଗତି ମଣିଲୁଂ ଅନୁମାନ ।୧୨୮।

ଶୁଣି କରି ନୃପତି ମୁଦୁସୁଲୀକି ରାଇ

କନ୍ୟାର ପୁର ଦେଖି ଖୋଜି ଆସ ଯାଇଂ।୧୨୯।

ଡଗରେ କହିଲେ ଯେ ବିପରୀତ କଥା

ତୁମ୍ଭେ ବୁଝି ଆସନି ଦେଖି ତହିଂର ବାରତା।୧୩୦।

ଆଗ୍ୟାଂ ପ୍ରମାଣେ ମୁଦୁସୁଲୀ ହୋଇଲା ବାହାର

ପ୍ରବେଶ ହୋଇଲା ଯାଇଂ ତୋଟାପୁର ଘର।୧୩୧।

ପ୍ରଥମ ଦ୍ୱାରରେ ଯେ ଦେଖିଲା ଚିତ୍ରରେଖା

ତାହାର ସଙ୍ଗ ହୋଇଲାକ ନାହିଂ ଦେଖା ।୧୩୨।

କୁଶଳ ବାରତା ଯେ ପୁଚ୍ଛିଲେ ତାହାର

ସେ ଠାବକୁ ଶୁଭିଲା ବେନି ଜନଂକର ଉତ୍ତର।୧୩୩।

ପଶା ଖେଳୁଛନ୍ତି ଭିତରେ ବେନି ଜନେ ପଶି

ଦାନ ପାଡ଼ିବାର ଯେ ବଚନ ସମ୍ଭାଷି।୧୩୪।

ଶୁଣିଣ ମୁଦୁସୁଲୀ ଅଇଲାକ ଖରେ

ବେଗେଣ କହିଲା ଯାଇଂ ନୃପତି ଛାମୁରେ।୧୩୫।

ଡଗର କହିବା କଥା ଅଟଇ ଦେବ ସତ

ତାହା ଶୁଣିଣ ନୃପତି ପ୍ରଜ୍ୱଳିତ ଚିତ୍ତ।୧୩୬।

ଧନୁ ଶହସ୍ର ଧରି ଉଠିଲା ବହନ

କ୍ରୋଧେଣ ଅସୁର ଯେ ଗର୍ଜଇ ଘନ ଘନ ।୧୩୭।

ଧସାଇ ପଶିଲା ଯାଇଂ କୁମାରୀର ପୁରେ

ଚିତ୍ରରେଖା ଅପସରି ଗଲାକ ଭୟରେ ।୧୩୮।

ଭିତର ପୁରକୁ ସେ କରନ୍ତେ ଗବନ

ଦେଖିଲା ପଶା ଖେଳୁଅଛନ୍ତି ବେନି ଜନ ।୧୩୯।

ବୋଇଲା ନୃପତି ତୁ ରେ କାହାର କୁମର

ମରଣକୁ ଭୟେ କି ନାହିଂ ରେ ତୋହୋର।୧୪୦।

ଜଳନ୍ତା ଅଗ୍ନିରେ ପଶିଲୁ କିସ ପାଇଂ

ଯମର ଘରକୁ ଧାରଣା ପଡ଼ିଲୁ ରେ ତୁହି ।୧୪୧।

କହୁଂ କହୁଂ ପ୍ରଜ୍ୱଳିତ ଅସୁର କୁଳ ରାୟେ

ଦେଖିଣ କୁମର ଯେ ତବଦ ହୋଇ ଚାହେଂ ।୧୪୨।

କୋପେଣ ଦାନବ ଯେ ମାଇଲା ବଜ୍ର ମୁଥେ

ଅଙ୍ଗ ଢାଳି ଦେଇ ସେ ବଞ୍ଚାଇଲା ତୁରିତେ ।୧୪୩।

ଦେଖିଣ ଅସୁର ଯେ ଧନୁ ଆଧାନ କରି

ଅନିରୁଦ୍ଧହିଂ କରେ ଧନୁ ଶହସ୍ର ଧରି ।୧୪୪।

ଗର୍ଜଇ ବାଣାସୁର କାଳସର୍ପ ଜାଣି

ହୋବୋଡା ଶରେକ ଯେ ବିନ୍ଧିଲା ବେଗେ ଟାଣି ।୧୪୫।

ଦେଖିଣ କୁମର ଯେ ପେଷିଲା ତୀଖ ଶର

ବେନି ଜନଂକର ଯେ ବାଜିଲା ସମର ।୧୪୬।

ମହାଘୋର ଯୁଦ୍ଧ ବେଳକୁ ବାଳ ଆନ

ଅନିର୍ଯାପ ଶର ବିନ୍ଧିଲା ଅସୁର ରାଜନ ।୧୪୭।

କୁମରହିଂ ପ୍ରତିଅସ୍ର କରଇ ଅସୁରକୁ

ଦେଖିଣ ବିଚାରଇ ଅସୁର ମନକୁ।୧୪୮।

ହେଳ ଯୁଦ୍ଧ କଲେ ନୋହିବାକ ଜିଣି

ଅହି ଶର ଧନୁରେ ବସାଇଲା ନୃପମଣି ।୧୪୯।

ମନ୍ତ୍ର ସୁମରିଣ ଯେ ପେଷିଲା ନୃପତି

ଚଳିଲା ଅସ୍ର ଯେ ପବନହୁଂ ଖର ଗତି ।୧୫୦।

ଚରଣରୁ ବେଢାଇଲା କଣ୍ଠ ପରିଯନ୍ତେ

ଅହି ଶରେ କୁମର ପଡ଼ିଲା ମୋହଗତେ ।୧୫୧।

ଦେଖିଣ ନୃପତି ଯେ ବାହୁଡ଼ିଲା ଧାତି

ଆପଣା ନବରେ ମିଳିଲା ତଡ଼ତି ।୧୫୨।

ୟେଥୁଂ ଅନନ୍ତରେ ମିଳିଲା ଯାଇଂ ବାଳୀ

ଦେଖିଲା ନାଗଫାଶ ବନ୍ଧନେ କୁମରକୁ ବାନ୍ଧିଛି ମହାବଳୀ ।୧୫୩।

ଆହା ସ୍ୱାମୀ ବୋଲି କରଇ ରୋଦନ

ନୟନୁଂ ଅଶ୍ରୁଜଳ ବହଇ ଅବିଚ୍ଛନ୍ନ ।୧୫୪।

ମୁଖକୁ ଅନାଇଣ ବାଉନଇଂ ବସି

କୋମଳ ଶରୀର ଗୋଟି ହୋଇଲାକ ଧଂସି ।୧୫୫।

ଆହା ପ୍ରାଣନାଥ ମୋତେ ୟେକା କରି ଗଲ ଛାଡ଼ି

ମୁହିଂ ଯେ ଶୋକଜଳେ ମରୁଅଛି ବୁଡ଼ି ।୧୫୬।

ମୋହୋର ବିକଳ ଦେଖି କେହ୍ନେ ଧରିଅଛ ଦେହ

ଅନେକମତେ ମୋତେ କଲେଯେ ସେନେହ ।୧୫୭।

ୟେବେ ମୁର୍ଚ୍ଛାଗଲ ନାଥ କେବଣହିଂ ମତେ

ଅନେକ ବିନୋଇ କରି କହୁଥାଅ ମୋତେ।୧୫୮।

ପଲଂକେ ପହୁଡ଼ିବାର ନ ସହଇ ଦେହ

କେମନ୍ତେ ଛାଡ଼ିଲ ନାଥ ୟେଡ଼େକ ସେନେହ।୧୫୯।

ଚଣ୍ଡାଳ ପିଅର ମୋର କଲାକ ୟେଡ଼େ କର୍ମ

କେବଣ ପ୍ରକାରେ ତାକୁ ସହିବଟି ଧର୍ମ।୧୬୦।

ସୁକୁମାର ସୁନ୍ଦର ମୋହନ ମୁଖ ଦେଖି କରି

କେମନ୍ତେ ସତ ବଳିଲା ପ୍ରାଣେ ଗଲା ମାରି।୧୬୧।

ବାବୁ ଦଇବରେ ତୁ କଲୁସି ମୋତେ ୟେହା

ଜାଣିଲି ତୋର ପାଷାଣୁଂ ନିଷ୍ଠୁର ଯେ ହିୟା।୧୬୨।

ଚିତ୍ରରେଖାକୁ ଚାହିଂ କରଇ ରୋଦନ

ଅଗ୍ନି ଆରୋପଣ କର ତୁ ମୁଂ ପଶିବି ବହନ।୧୬୩।

ଚିତ୍ରରେଖା ବୋଇଲା ଶୁଣରେ ଯୁବତୀ

କେବେହେଂ ନ ମରଇ ଗୋ ୟେ ତୋହୋର ପତି ।୧୬୪।

ଦ୍ୱାରିକାରେ ଅଛନ୍ତି ୟେହାଂକର ତାତ

ବେଗେ ସେ ଆସିବେ ଯେ ପାଇଲେ ବାରତ।୧୬୫।

ରାମକୃଷ୍ଣେ ନିଚୟେ ଗୋ କରିବେ ବିଜୟେ

ତାହାଂକର କ୍ରୋଧେ ସଖୀ ନୃପତି ନାଶ ଯାୟେ ।୧୬୬।

ଉଷା ବୋଇଲା କେ କହିବ ତାଂକୁ ଯାଇ

ମାରନ୍ତୁ ପିଅର ପଛେ ରଖନ୍ତୁ ମୋର ସାଈଂ।୧୬୭।

ୟେମନ୍ତର ସମୟେ ନାରଦ ମୁନି ଆସି

ଅନ୍ତରୀକ୍ଷେ ଥାଇଂ ବଚନ ସମ୍ଭାଷି।୧୬୮।

ନ ରୋବରେ ସୁନ୍ଦରୀ ମୋହୋର ବୋଲ କର

ଶ୍ରୀକୃଷ୍ଣ ଅଟନ୍ତି ୟେହାର ପିଅରର ପିଅର।୧୬୯।

ତାହାଂକ ଆସିବା ଯାୟେ ରଖିଥାଅ ଯତ୍ନ କରି

ଆମ୍ଭେ ଯାଉଅଛୁ ଯେ ଦ୍ୱାରାବତୀ ପୁରୀ ।୧୭୦।

ୟେ ତୋହୋର ଚରିତ ରାମକୃଷ୍ଣଂକୁ କହିବି

ଛପନ କୋଟି ଯାଦବ ସଇନି ଅଣାଇବି ।୧୭୧।

ମହାଘୋର ସଂଗ୍ରାମ ସେ ୟେଠାରେ କରିବେ

ଅସୁରକୁ ବିନାଶି ତୋତେ ଘେନି ଯିବେ ।୧୭୨।

ଶୁଣିଣ କୁମାରୀ ଯେ ପାଦରେ ପଡ଼ିଲା

ପତିଂ ଦେହି ପତିଂ ଦେହି ବୋଲିଣ ବୋଇଲା।୧୭୩।

କୁମର ପାଦତଳେ ବସି ଚାପଇ ଚରଣ

ଦ୍ରୋଣମେଘ ବୃଷ୍ଟି ପ୍ରାୟେ ନୟନରୁଂ ନୀର ପଡ଼ଇ ଗଳିଣ।୧୭୪।

ୟେତେ କହି ନାରଦ ମୁନି କଲେକ ଗବନ

ମନ ପବନ ଦଣ୍ଡେ ଚଢିଯାଇଂ ମିଳିଲେ ଦ୍ୱାରିକା ଭୁବନ।୧୭୫।

ଉଗ୍ରସେନ ନୃପତି ସାତବଂଶ ଯାଦବ

ନନ୍ଦ ବସୁଦେବ ଯେ ଶ୍ରୀରାମ ମାଧବ ।୧୭୬।

ମୁନିଂକ ଚରଣେ ସେ ଯେ କରନ୍ତି ଦିବ୍ୟ ପୁଜା

ଆସ୍ତାନେ ବସାଇ ପୁଛନ୍ତି ଦେବକୀ ତନୁଜା।୧୭୭।

ଭୋ ମହାମୁନି ମୋତେ ନକର ଗୁପତ

କେଉଣ କାର୍ଯ୍ୟେ ୟେଥେ ହୋଇଲ ଉପଗତ।୧୭୮।

କେଉଣ ସନ୍ଦେଶ ମାନ ଅଛ ତୁମ୍ଭେ ଜାଣି

ସନ୍ଦେହ ତୁଟିବ ଯେ ତୁମ୍ଭର ମୁଖୁଂ ଶୁଣି ।୧୭୯।

ନାରଦେ ବୋଇଲେ ହୋ ଶୁଣ ରାମକୃଷ୍ଣେ ବେନିଭାଇ

ବାଣାସୁର ନୃପତିର ଉଷା ନାମେ ତନୟୀ।୧୮୦।

ଅବିଭାଇତ କନ୍ୟା ସେ ପିତାର ଘରେ ଥିଲା

ପଦ୍ମନ ପୁତ୍ର ତାର ତୁଲେ ପୀରତି ବଢାଇଲା ।୧୮୧।

ତାହା ଜାଣି ନୃପତି କଲା ସମର ଘୋର

ଅହି ଶରେକ ପେଷି ପୁତ୍ରକୁ ବନ୍ଦୀ କଲା ବୀର।୧୮୨।

ଆମ୍ଭେ ଭ୍ରମନ୍ତେଣ ଦେଖିଲୁ ତାକୁ ଯାଇଂ

କରଇ ରୋଦନ ଉଷା ସ୍ୱାମୀର ମୁଖ ଚାହିଂ।୧୮୩।

ଅଗ୍ନିରେ ପଶିବେ ସେହୁ ନିଜ ପତିର ନିମନ୍ତେ

ୟେ କଥା ସରୂପେ କହିଲୁ ତୁମ୍ଭର ଅଗ୍ରତେ।୧୮୪।

ଶୁଣିଣ ରାମକୃଷ୍ଣେ ପଡ଼ିଲେ ମୂର୍ଚ୍ଛା ଯାଇଂ

ପଦ୍ମନର ଦେହରେ ଯେ ଗ୍ୟାନ ଆଉ ନାହିଂ।୧୮୫।

ବସୁଦେବ ନନ୍ଦ ଯେ କରନ୍ତେ ରୋଦନ

ଦଇବକୀ ଯଶୋବନ୍ତୀ ବିକଳିତ ମନ ।୧୮୬।

ରୁକ୍ମିଣୀ ସତ୍ୟଭାମା ଯେ ଆବର ଜାମ୍ବୋବତୀ

କାଳିନ୍ଦୀ ଆଦି କରି ଯେ ତକ ଯୁବତୀ ।୧୮୭।

ଦ୍ୱାରିକା ପୁରରେ ଯେ ପଡ଼ିଲା ବୋବାଳି

ସବୁଂକରି ନୟନରୁ ଅଶ୍ରୁଜଳ ଗଳି।୧୮୮।

ବେନିଦଣ୍ଡ ପରିଯନ୍ତେ ଉଠିଲାକ କୋହ

ରାମକୃଷ୍ଣ ସଚେତ ତେଜି କରି ମୋହ ।୧୮୯।

ନାରଦ ବୋଇଲେ ହୋ ପଦ୍ମନକୁ ଦେଖ

ଦେହରେ ଗ୍ୟାନ ନାହିଂ ବିପରୀତ ମୁଖ ।୧୯୦।

ଅନିରୁଦ୍ଧ ନିମନ୍ତେ କରୁଛି ରୋଦନ

ପୁତ୍ର ଶୋକେ ମୋହ ହୋଇଛି ପଦ୍ମନ ।୧୯୧।

ଦେଖିଣ ନାରାୟଣ ପୁତ୍ରକୁ କୋଳ କରି

ମୁଖରେ ସିଞ୍ଚିଲେ ଆଣି ସୁବାସିତ ବାରି ।୧୯୨।

ସଚେତ ନିମନ୍ତେ ବିଞ୍ଚନ୍ତି କୃଷ୍ଣର ସୁତମାନେ

ଶାମ୍ବ ଯେ ଫୁଙ୍କୁଅଛି ପଦ୍ମନର କାନେ।୧୯୩।

ବଳରାମ କର ଧରି ଫୁଟାନ୍ତି ଆଙ୍ଗୁଷ୍ଠି

କେତେହେଂକେ ବେଳେ ସେ ଯେ ସଚେତ ହୋଇ ଉଠି।୧୯୪।

ରୋବଇ ପଦ୍ମନ ଯେ ପୁତ୍ରର ନାମ ଧରି

କେଣେ ଗଲୁ ବାବୁରେ ମୋତେ ୟେକା କରି।୧୯୫।

ଦରିଦ୍ରର ଧନ ମୋର ଅନ୍ଧର ଲଉଡ଼ି

ମୁହିଂ ଯେ ମରୁଅଛି ଶୋକଜଳେ ବୁଡ଼ି ।୧୯୬।

ଆହୋ ରେ ପୁତ୍ର ମୋର ସଂସାର ସୁନ୍ଦର ଅନିରୁଦ୍ଧ

ଦାନବର ହାଥେ ତୁ ହୋଇଲୁ ପ୍ରାଣେ ବଧ।୧୯୭।

ବଳରାମେ ବୋଇଲେ ଉଗ୍ରସେନକଇଂ ରାଇ

ସାତବଂଶ ଯାଦବେ ବେଗେ ସଜ କର ତୁହି।୧୯୮।

ପୁତ୍ରର ନିମନ୍ତେ ଆଜି ବାଣାସୁରକୁ ମାରି

ତାଳଧ୍ୱଜ ରଥ ମୋର ଆଣ ସଜ କରି ।୧୯୯।

ଜଗନ୍ନାଥ ବୋଇଲେ ଦାରୁକକୁ ରାଇ

ନନ୍ଦିଘୋଷ ରଥ ଆଣ ବେଗେ ତୁ ସଜାଇ।୨୦୦।

ସାଜ ସାଜ ବୋଲି ଯେ ପଡ଼ିଲାକ ଡାକ

ସାଜିଲେ ରଥ ଗଜ ଚତୁରଙ୍ଗ ଲୋକ।୨୦୧।

କରେ ଶହସ୍ର ଧରି ଗର୍ଜନ୍ତି ବୀରମାନେ

ନାରାୟଣେ ସୁମରିଲେ ବିନତା ନନ୍ଦନେ ।୨୦୨।

ତକ୍ଷଣେ ଖଗବର ମିଳିଲାକ କତି

ଗରୁଡ଼ ପିଠିରେ ବିଜେ କଲେ ଶିରୀପତି ।୨୦୩।

ତାଳଧ୍ୱଜ ରଥେ ଯେ ବିଜୟେ କାମପାଳ

ଶ୍ରୀକରେ ଧରିଲେ ରାମ ସଉନନ୍ଦ ମୂଷଳ।୨୦୪।

ନନ୍ଦିଘୋଷ ରଥରେ ଯେ ବିଜୟେ ପଦ୍ମନ

ଢୋଲ ମର୍ଦ୍ଦଳ ଶଙ୍ଖ ମହୁରୀ ଟମକ ବାଦ୍ୟମାନ।୨୦୫।

ନିଶାଣ ପାଟଛତ୍ର ଆଲମ୍ବ ପନ୍ତି ପନ୍ତି

ରଥିଂକ ଭିତରେ ଯେ ପାଦାନ୍ତି ଝଟକନ୍ତି ।୨୦୬।

ସମୁଦ୍ରଘୋଷ ଜାଣି ସନ୍ୟର ଚହଳ

ଦ୍ୱାଦଶ କ୍ଷଉଣୀ ଯେ ଯଦୁବଂଶ ବଳ।୨୦୭।

ଧାମନ୍ତି ବୀରମାନେ ୟେକୁ ୟେକ ଆଗ ହୋଇ

ଗର୍ଜନ୍ତି ଯୋଦ୍ଧାୟେ ରଥ ଅଛନ୍ତି ଧୂଆଂଇ ।୨୦୮।

ତାଳଧ୍ୱଜ ରଥ ଯେ ଚଳଇ ଘନ ଘନ

ନନ୍ଦିଘୋଷ ରଥ ତହିଂ ଚଳଇ ବିତପନ ।୨୦୯।

ଗରୁଡ଼ ଗବନ ତହିଂ କରଇ ଅତି ରୋଷେ

ବେଗେଣ ମିଳିଲେ ଯାଇ ବାଣାସୁର ଦେଶେ।୨୧୦।

ଗ୍ରାମ ପୁର ପାଟଣା ଅଟ୍ଟାଳି ଜଗତୀ ପୁରମାନେ

ଯେ ମୁଖେ ପଡ଼ଇ ସେ ହୋଅଇ ନିଧନ ।୨୧୧।

ବାଳବୃଦ୍ଧ ଯୁବାଜନ ରାଜ୍ୟର ପରଜାମାନ

ପଦ୍ମନ ଶର ଘାତେ ହୋଉଛନ୍ତି ନିଧନ ।୨୧୨।

ବାଣାସୁର ନୃପତିର ଆଗରେ କହିଲେ ଚାର ଯାଇଂ

ୟେ ତୋହୋର ରାଜ୍ୟ ୟେବେ ସମ୍ଭାଳ ଗୋସାଈଂ ।୨୧୩।

ରାମକୃଷ୍ଣ ବିଜେକଲେ ସାତବଂଶ ଘେନି

ଶୁଣିଣ ନୃପତି ଆଗ୍ୟାଂଦିଲା ସାଜ ଆମ୍ଭର ସଇନି ।୨୧୪।

ରହୁବର ଆରୋହି ଅସୁର କୁଳ ସାଈଂ

ଦ୍ୱାଦଶ କ୍ଷଉଣୀ ବଳ ନେଇ ଓଗୋଳିଲା ଯାଇଂ ।୨୧୫।

ଦେଖିଣ ପଦ୍ମନ ଯେ ମିଳିଲା ତାର ଆଗ

ଛାଗଳ ପଲ ଦେଖି ଯେହ୍ନେ ପଲାଶଇ ବ୍ୟାଘ୍ର ।୨୧୬।

କ୍ରୋଧେ ଅରୁଣ ବର୍ଣ୍ଣ ଯେ ଶ୍ରୀକୃଷ୍ଣର ସୁତ

ଗୁଣରେ ବସାଇଲା ହାବୋଡ଼ା ଶର ଶତ ।୨୧୭।

ଆଗଭର ହୋଇ ପଦ୍ମନ ଦିଲାକ ଶର ଛାଡ଼ି

ତିନିଶତ ରଥୀ ପଡିଲେ ହାବୋଡ଼ି ।୨୧୮।

ସାରଙ୍ଗ ଧନୁ ଧରିଣ ଦେବ ଦାମୋଦର

ଅସୁର ଉପରକୁ ବିନ୍ଧନ୍ତି ତୀଖ ଶର ।୨୧୯।

ରେ ରେ କାର କରିଣ ଯେ ଦେବ କାମପାଳ

କରେ ବୁଲାଇ ସେ ଯେ ପିଟିଲେ ସଉନନ୍ଦ ମୂଷଳ ।୨୨୦।

ୟେକା ପ୍ରହାରକେ ଯେ କୋଟି କୋଟି ମାରି

ଶ୍ରୀକୃଷ୍ଣ ପୁତ୍ରମାନେ ସମରେ ଗୋଳ କରି।୨୨୧।

ବାଣାସୁର ନୃପତି ଯେ କରଇ ସମର

ସହସ୍ରେକ କରେ ଧରିଅଛି ଧନୁଶର ।୨୨୨।

ପାଞ୍ଚଶତ ନାରାଜ ୟେକାବେଳକେ ମାରି

ନିମିଷେକ ଶତେବେଳ ପେଷଇ ମନ ସରି।୨୨୩।

ଗରୁଡ଼ ଉପରେ ପଡ଼ି ଉପୁଡ଼ନ୍ତି କାଣ୍ଡ

ଗର୍ଜଇ ଅସୁର ଯେ କମ୍ପଇ ବ୍ରହ୍ମାଣ୍ଡ ।୨୨୪।

ନନ୍ଦିଘୋଷ ରଥ ଶରରେ ଅଦୃଶ୍ୟ କଲା

କୋଟି କୋଟି କରି ନାରାଜ ଛାଡ଼ି ଦିଲା ।୨୨୫।

ଈଶ୍ୱର ସେବାକରି ପାଇଅଛି ବର

କାହାକୁହିଂ ଭୟ ନାହିଂ ଯହୁଂ ହୋଇଛି ଅମର।୨୨୬।

ମହାଘୋର ଯୁଦ୍ଧ ହୋଇଲା ଅନ୍ୟାଅନ୍ୟି

ବାରି ତ ନୋହିଲା ତହିଂ ଦିବସ ରୟଣୀ ।୨୨୭।

ଅନେକ ସମର ଯେ କରନ୍ତି ଯହୁଂବୀରେ

କେହି କାହାକୁ ଓଛ ଯେ ନୋହୋନ୍ତି ସମରେ।୨୨୮।

ତାହା ଦେଖିଣ ନାରାୟଣ ମନରେ ବିଚାରି

ସୁଦ୍ରିଶେନ ଚକ୍ରକୁ ଯେ ଧଇଲେ ମୁରାରି ।୨୨୯।

ଯେତେଶର ଅସୁରେ ବିନ୍ଧୁଥିଲେ ତହିଂ

ସୁଦ୍ରିଶେନ ତେଜରେ ସମସ୍ତେ ହୋଇଲେକ ଦହି ।୨୩୦।

ସୁଦ୍ରିଶେନ ଚକ୍ର ଦେଖି ପଳାଇଲା ଦନୁଜ

ବୋଲଇ ସଦାଶିବଂକୁ କହିବଇଂ ଆଜ ।୨୩୧।

ୟେତେ ବିଚାରି ଅସୁର କରଇ ଗବନ

ନିମିଷେକ ମିଳିଲା ଯାଇଂ କପିଳାସ ଭୁବନ।୨୩୨।

ସଦାଶିବଂକ ପାୟେ ପଡ଼ି କହଇ ବିନୋୟୀ

ଶୁଣ ଦେବ ଶଂକର ଗଉରା ଦେବୀ ସାଇଂ।୨୩୩।

ପଦ୍ମନର କୁମରଯେ ଅନିରୁଦ୍ଧ ବୀର

ବଳେ ଆସିଣ କନ୍ୟା ହରିଲା ମୋର ପୁର।୨୩୪।

କୋପେଣ ଅହି ଶରେ ତାକୁ କଲଇଂ ବନ୍ଧନ

ରାମକୃଷ୍ଣ ଆସିଲେ ଘେନିଣ ଯଦୁ ସଇନ।୨୩୫।

ଅଜାଗେ ପଶି ମୋର କଟକ କରଇ ନାଶ

ତେଣୁ କରି ଦେବ ଅଇଲି ତୁମ୍ଭ ପାଶ ।୨୩୬।

ଶଂକର ବୋଇଲେ ଶୁଣ ହୋ ଅସୁରେଶ୍ୱର

ଆମ୍ଭର ବରେ ତୁ ଯେ ହୋଇଲୁ ଅମର ।୨୩୭।

ଅମର ହୋଇ କରି ମରିବାକୁ ଡର

କୃଷ୍ଣର ତୁଲେ ୟେବେ କରଯା ସମର ।୨୩୮।

ମୁହିଂ ବିଜେ କରିବି ବୃଷଭ ଆରୋହି

ଆଗ ହୋଇ ସମର କରୁଥାଅ ତୁହି।୨୩୯।

ଶୁଣି ବିକ୍ରମି ଅସୁର ଅଇଲା ଖର ବେଗେ

ସମର କରଇ ସେ ହୋଇଣ ବଇରାଗେ ।୨୪୦।

ଯେତେବେଳେ ଅସୁର ଗଲା ଆଡ଼େ ହୋଇ

ସଇନେ ପଳାଇଲେ ମହାଭୟେ ପାଇ ।୨୪୧।

ଦେଖିଣ ମନ୍ତ୍ରୀ ତାର ବଇଡୁର୍ଯ୍ୟ କେତୁ

ସଇନିଂକୁ ବୋଇଲା ରେ ପଳାଇଛ ଦେଖି ଶତ୍ରୁ।୨୪୨।

କ୍ଷତ୍ରୀ ହୋଇ କରି ରେ ମରିବାକୁ ଡର

ମୋହୋର ତୁଲେ ଆସ କରିବା ସମର ।୨୪୩।

ୟେତେ ବୋଲି ଅସୁର ଉଠିଲାକ ଗର୍ଜି

ମେରୁଗିରି ଶିଖର ଅବା ପଡ଼ିଲା କି ଭାଜି।୨୪୪।

କରେଶୂଳ ଘେନିଣ ସେ ହୋଇଲା ଆଗୁସାର

ଆପଣାର ସଇନି ଯେ ଅଛି ସଙ୍ଗତର ।୨୪୫।

ସମର କରଇ ସେ ଭୟ ଭୀତି ଛାଡ଼ି

ଶୂଳ ଘେନି ପିଟଇ ବଜ୍ରସମ ବାଡ଼ି।୨୪୬।

ଦେଖିଣ କାମପାଳ ଓଗାଳିଲେ ଯାଇଂ

ବିନ୍ଧନ୍ତି ନାରାଜ ଯେ କୋପମୁଖ ହୋଇ ।୨୪୭।

ମୁଣ୍ଡ ପାତି ଅସୁର ରାମଶର ମେଣ୍ଟି

ଦେଖିଣ କାମପାଳ ମୂଷଳ ଘୋନି ପିଟି ।୨୪୮।

ଘାୟେ ଘୁମାଇଲା ସେ ଅସୁରକୁଳ ବୀର

ବାଣାସୁର ତୁଲେ ଯେ ଯୁଝନ୍ତି ଚକ୍ରଧର ।୨୪୯।

ବେଳୁଂବେଳ ସମରି ବଢିଲା ରଣରଙ୍ଗ

ରକତେ କର୍ଦ୍ଦନ ଯେ ବେନି ଜନଂକର ଅଙ୍ଗ।୨୫୦।

ଗଦା ଛେଲ ଚକ୍ର ଯେ ଶକତି ମୁଦୁଗର

ବରଷଣ ପ୍ରାୟେ କରି ମାରଇ ଅସୁର ।୨୫୧।

ଗରୁଡ଼ର ଉପରେ ଯେ ପଡ଼ନ୍ତି ଶସ୍ରମାନ

ଅନେକ ଜୁଳୁଜୁଳା ପୋକ କି ଉଡ଼ଇ ଗଗନ।୨୫୨।

ୟେମନ୍ତର ସମୟେ ଯେ ବିଜେକଲେ ହର

ଡିବି ଡିବି ଡମ୍ବୁରୁ ଯେ ବାଜଇ ସୁସ୍ୱର ।୨୫୩।

ଶ୍ରୀକୃଷ୍ଣ ଜାଣିଲେ ଯେ ବିଜୟ କଲେକ ଆସି ହର

ବାଣାସୁର ପାଇଂ ସେ ଯେ କରିବ ସମର।୨୫୪।

କ୍ରୋଧେ କୋପାନଳ ଯେ ଦଇବକୀ ନନ୍ଦନ

ସୁଦ୍ରିସେନ ଚକ୍ରକୁ ସୁମରିଲେ ବହନ।୨୫୫।

ତକ୍ଷଣ ଚକ୍ରଆସି ଶ୍ରୀକୃଷ୍ଣଂକ କର

ଧାତିକାରେ ପେଷିଲେ ଯେ ଦେବ ଦାମୋଦର।୨୫୬।

ଡାହାଣ ଭୁଜ ଉପରେ ପଡ଼ିଲାକ ଯାଇ

ଛିଡ଼ିଲେ କରମାନ ନ ରହିଲେ କେହି ।୨୫୭।

ପୁଣ ଯାଇ ବାମ ଭୁଜ ଉପରେଣ ପଡ଼ି

ତକ୍ଷଣେ ଭୁଜ ମାନ ପଡ଼ିଲାକ ଛିଡ଼ି।୨୫୮।

ମୁଣ୍ଡା ବୃକ୍ଷ ପ୍ରାୟ ଦିଶିଲା ଅସୁର

ପୁଣ ସୁଦ୍ରିଶେନ ଚକ୍ର ଧଇଲେ ଦେବ କର।୨୫୯।

ଈଶ୍ୱର ବିଚାରିଲେ ବାଣାସୁର ନ ବର୍ତ୍ତିବ

ଆମ୍ଭର ବର ଦେବତା ତ ବିଅର୍ଥ ହୋଇବ।୨୬୦।

ୟେତେ ବୋଲି ଶଂକର ଶ୍ରୀକୃଷ୍ଣ ଆଗେ ମିଳି

କହନ୍ତି ପୁରସରି ଶୁଣ ହୋ ବନମାଳି।୨୬୧।

ମୋହୋର ବରେ ୟେ ତ ଅଟଇ ଅମର

ତୁମ୍ଭେ ଯେବେ ସୁଦ୍ରିଶେନ ଅସୁର ଧଇଲ ନିଜ କର ।୨୬୨।

ତୋହୋର ମାରନ୍ତେ ଯେବେ ଅସୁର ମରିବ

ଆମ୍ଭନ୍ତ କେମନ୍ତ ଈଶ୍ୱର କଲୁ ହୋ ବାସୁଦେବ।୨୬୩।

କ୍ରୋଧ ଶାନ୍ତି କର ଆହେ ଦେବ ଚକ୍ରଧର

ପ୍ରସନ୍ନ ହୋଇ କରି ଦିଅ ତୁମ୍ଭେ ବର।୨୬୪।

ସହସ୍ରେକ ଭୁଜ ଗଲା ଚାରିଭୁଜ ଥାଉ

ଆମ୍ଭର ଦିଲାର ବର ଅନ୍ୟଥାହିଂ ନୋହୁ ।୨୬୫।

ବିନୟ ହୋଇଣ ଯହୁଂ କହିଲେ ଈଶ୍ୱର

ସୁଦ୍ରିଶେନ ସଂହରି ଶାନ୍ତି ହୋଇଲେ ଦାମୋଦର।୨୬୬।

ବିନୟ ହୋଇଣ ପୁଚ୍ଛଇ ମନୁରାୟେ

ଭୋ ମୁନି ଅଗସ୍ତି ମୋତେ ଲାଗିଲା ସନ୍ଦେହେ ।୨୬୭।

ଅସୁର ହୋଇ କରି ପୃଥିବୀରେ ଯେତେ ଥିଲେ

ଅମର ହୋଇ କରି ଜଣେହେଂ ନ ରହିଲେ।୨୬୮।

ଈଶ୍ୱରଂକ ବରେ ଯେ ଅମର ବାଣାସୁର

ଚକ୍ରେ ଛେଦନ କିଂପା ହୋଇଲା ତାର କର।୨୬୯।

ବଦୟନ୍ତି ଅଗସ୍ତି ଶୁଣ ହୋ ମନୁ ରାଜା

ବହୁତ ସେବା କଲା ଯେ ବଳିର ତନୁଜା ।୨୭୦।

କଠୋର ତପ ଦେଖି ମିଳିଲେ ତ୍ରିଲୋଚନ

ବୋଇଲେ ବର ମାଗ ରେ ଅସୁର ରାଜନ।୨୭୧।

ଆମ୍ଭେ ଯେ ଈଶ୍ୱର ଜଗତର ସାଈଂ

ମାଗ ୟେବେ ବର ପ୍ରସନ୍ନ ହୋଇଲଈଂ ।୨୭୨।

ଅସୁର ବୋଇଲା ମୁଂ ହୋଇବି ଅମର

ଆବର ହୋଇବ ମୋର ସହସ୍ରେକ କର ।୨୭୩।

ଭୋଳେଣ ସଦାଶିବ ବୋଇଲେ ଅସ୍ତୁ ହେଉ

ଅମର ହୋଇଲୁ ତୁ ହୁଅ ସହସ୍ର ବାହୁ ।୨୭୪।

ବର ପାଇ ଅସୁର ଅଇଲା ନିଜ ପୁର

ଅନେକ ନୃପତି ସେ ଜିଣିଲା କରିଣ ସମର ।୨୭୫।

ଭୟେ ରାଜାମାନେ ନ ରହିଲେ କେହି

ଜଗତ ବୁଲି ଅସୁର ସାଧ୍ୟ କଲା ମୁହୀ ।୨୭୬।

କେତେହେଂକ ଦିନେ ସେ କପିଳାସକୁ ଗଲା

ଇଶ୍ୱର ଦେବତାକଇଂ ଦ୍ରଶନ ଯାଇଂ କଲା।୨୭୭।

ଶିରେ କର ଦେଇ ସେ କହଇ ଉତ୍ତର

ତୋହୋର ପ୍ରସନ୍ନେ ଦେବ ସହସ୍ରେ କର ମୋର ।୨୭୮।

ପୃଥୀର ରାଜାମାନେ ନ ରହିଲେ କେହି

ତୋହୋର ତୁଲେ ସାଂଗ୍ରାମ କରିବଇଂ ମୁହିଂ।୨୭୯।

ନୋହିଲେ ମୁଂ କପିଳାସ କରିବଇଂ ଧୂଳି

ସମର କର ତୁ ହୋ ପଞ୍ଚଇ ମଉଳି।୨୮୦।

ୟେହା ଶୁଣି କୋପେଣ ସଦାଶିବ ବୋଲନ୍ତି ବଚନ

ଆମ୍ଭେ ତୋହୋର ତୁଲେ ନୋହୁନା ଭାର୍ଜନ।୨୮୧।

ଭୁଜବଳ ପ୍ରତଗ୍ୟାଂ ଅଟଇ ତୋହୋର

କୃଷ୍ଣ ଯେ ଛେଦନ କରିବେ ନା ତୋର କର।୨୮୨।

ୟେତେକ କହି ଈଶ୍ୱର ହୋଇଲେ ଅନ୍ତର୍ଦ୍ଧାନ

ବିଷାଦେ ଅସୁର ଆସି ମିଳିଲା ଆପଣା ଭୁବନ।୨୮୩।

ସେ କାଳର କଥା ଆସି ହୋଇଲାକ ୟେବେ

ଚକ୍ରେ ଭୁଜ ତାର ନାଶ କଲେକ ବାସୁଦେବେ।୨୮୪।

ଈଶ୍ୱର କହନ୍ତେଣ ଶ୍ରୀହରି ହୋଇଲାକ ତୋଷ

ବଳରାମ ମନରୁ ଛାଡ଼ିଲେ ଗୁରୁରୋଷ ।୨୮୫।

ସଦାଶିବ ପ୍ରସନ୍ନେ ବାଣାସୁର ପାଇଲା ଚାରି କର

ରାମକୃଷ୍ଣ ଈଶ୍ୱରେ ବିଜେ କଲେ ବାଣାର ନବର ।୨୮୬।

ଗରୁଡ଼ ପକ୍ଷଘାତ ଶୁଣିଣ ଅହି ଶର

ଭୟେ ପଳାଇଲେ ସେ ହୋଇଣ ବହୁତ ଦୂର।୨୮୭।

ଅନିରୁଦ୍ଧ ଦେହ ହୋଇଲାକ ଶୂନ୍ୟ

ମୋହ ତେଜି ଉଠିଲା ସେ ପଦ୍ମନ ନନ୍ଦନ ।୨୮୮।

ଆସନ ପଦାସନ ଯେ ଅନେକ ସମ୍ଭାର

ପୂଜଇ ଅସୁର ରାମକୃଷ୍ଣଂକ ପୟର ।୨୮୯।

ଦିବ୍ୟ ଭୁବନେକ ଯେ ମଣ୍ଡାଇ ରାଜନ

ନେତର ଚିରାଳ ଯେ ଉଡ଼ଇ ବିତପନ ।୨୯୦।

ରାମକୃଷ୍ଣେ ବିଜେ କଲେ ସାତବଂଶ ଯାଦବନ୍ତ ଘେନି

ବ୍ୟାସ ମାରକଣ୍ଡ ଯେ ଉଦ୍ଦାଳେକ ମହାମୁନି।୨୯୧।

ଭାରଦ୍ୱାଦଶ ଯେ ଗଉତମ ଆୟେ

ଦୁର୍ବାସା ମହାମୁନି ଯେ ପ୍ରବେଶ ସଭାୟେ।୨୯୨।

ନଗ୍ର ପୁର ମଣ୍ଡାଇ ମଙ୍ଗଳ ଧୂନି କରି

ଦ୍ୱାରେ ପୁର୍ଣ୍ଣକୁମ୍ଭ ଯେ ଅଛନ୍ତି ଉଭାରି ।୨୯୩।

ନଗ୍ର ନର ନାରୀ ଯେ କାମଦେବର ସଂଜାତ

ଆପଣେ ସଦାଶିବ ରଚନ୍ତି ସମସ୍ତ।୨୯୪।

ପଣ୍ଡିତେ କହିଲେ ଯେ ଶୁଭ ଅନକୂଳ

ଆଷାଢ଼ ଶୁକଳ ଯେ ଦଶମୀ ଗୁରୁବାର ।୨୯୫।

ବିଭାଲଗ୍ନ ବେଳ ଯେ ହୋଇଲାକ ଆସି

ସଂକଳ୍ପ କରାବନ୍ତି ଗାଗ୍ରବ ମହାଋଷି।୨୯୬।

ବରୁଣ ପୂଜାସାରି ବରକନ୍ୟା ଆଣି

ମନ୍ତ୍ର ପଢି ବନ୍ଧନ କଲେ କୁଶପାଣି।୨୯୭।

ଡାହାଣ ବ୍ରତେକ ଶଙ୍ଖେ ଜଳ ତିଳ ପୂରୋଇ

ଆନନ୍ଦେ ବାଣାସୁର ଯଉତକ ଦେଇ।୨୯୮।

କୋଟିକୟେ ରଥ ଯେ ବେନି କୋଟି ହାଥୀ

ଚାରିକୋଟି ଅଶ୍ୱ ଯେ ଦଶକୋଟି ପାଦାନ୍ତି ।୨୯୯।

ଲକ୍ଷେକ ସୁବର୍ଣ୍ଣ ଗାଈ ସବଚ୍ଛା ସହିତେ

ଶତେକ ପରିବାରୀ ଯେ ଅଳଂକାର ସମେତେ।୩୦୦।

ପାଟଛତ୍ର ଆଲମ୍ବ ଯେ ନେତର ସୁପାତି

ଅନେକ ସମ୍ଭରେ ଯଉତୁକ ଦିଲାକ ନୃପତି।୩୦୧।

କୋଟିୟେକ ରତ୍ନ ବଳରାମଂକ ପାଦେ ଦେଇ

ଶରଣ ପଞ୍ଜର ନାଥ କରିବାକ ମୋତେ ତ୍ରାହି।୩୦୨।

ନ ଜାଣି ଅପରାଧ କଲଇଂ ଯେତେକ

କ୍ଷମାକର ଦୋଷ ବୋଲି କରଇ ରାଜା ଶୋକ।୩୦୩।

ବହୁତ ପୂରସରି କହନ୍ତି ଦେବକୀର ତନୁ

ଆମ୍ଭର ପୁତ୍ରକୁ ଦୋହିତା ଦିଲୁ ତେଣୁ ଦୋଷ ଯେ ନ ଘେନୁ ।୩୦୪।

ଆମ୍ଭର ବନ୍ଧୁ ତୁ ହୋଇଲୁ ଯୁଗତେ

ସଦାଶିବଂକ ବର ପାପ୍ରତ ହୋଉ ତୋତେ।୩୦୫।

ଯୁଗେ ଯୁଗେ ଥିବୁ ତୁ ଅମର ତନୁ ଧରି

ତେବେ ସେ କୀରତି ସିନା ରହିବ ଆମ୍ଭରି।୩୦୬।

ବର କନ୍ୟାକୁ ଆଶିଷ ଦିଅନ୍ତି ଋଷିମାନେ

ନଗ୍ର ନର ନାରୀ ଯେ ଦେଖନ୍ତି ଆନନ୍ଦ ମନେ।୩୦୭।

ବିଚାରନ୍ତି ସୁନ୍ଦର କୁମର ରୂପରାଶି

ବରକୁ କନ୍ୟା କନ୍ୟାକୁ ବର ଯେ ସାଦ୍ରିଶି ।୩୦୮।

ବିଧାତା ନିର୍ବାଣ ନୁହଇ ଯେ ଆନ

ଯାହାକୁ ଯେମନ୍ତ ସେ କରଇ ଭିଆଣ।୩୦୯।

ୟେଥୁ ଅନନ୍ତରେ ରାଜାର ଯେତେ ରାଣୀ

ବର କନ୍ୟାକୁ ଅର୍ଘ୍ୟ ସେ ଦିଅନ୍ତି କାମିନୀ।୩୧୦।

ଅନ୍ତେଶ୍ୱର ପୁରକୁ ବର କନ୍ୟାଗଲେ ଘେନି

ମଙ୍ଗଳ ହୁଳହୁଳି ଦିଅନ୍ତି ସକଳ କାମିନୀ ।୩୧୧।

ୟେକ ପତ୍ରେ ବେନି ଜନେ କରନ୍ତି ଭୋଜନ

ବେଢିଣ ଅଛନ୍ତି ଯେ ସକଳ ପରିଜନ ।୩୧୨।

ଆଞ୍ଚୋବନ ସାରିଣ କର୍ପୂର ତାମ୍ବୋଳ ଖାଇ

ଯିବାକୁ ଉଦବେଗ ସେ ସୁବେଶ ହୋନ୍ତି ତହିଂ ।୩୧୩।

ତାଳଧ୍ୱଜ ରଥ ଆରୋହି କାମପାଳ

ନନ୍ଦିଘୋଷ ରଥେ ବିଜେ କଲେ ମଦନ ଗୋପାଳ ।୩୧୪।

ସାତବଂଶ ଯାଦବନ୍ତ ଘେନି ଦ୍ୱାରିକାକୁ ବିଜେ

ଟମକ ନିଶାଣ ଦମାଲୁ ଭେରୀ ବାଜେ ।୩୧୫।

ରତ୍ନମୟ ରଥେ ଯେ ବର କନ୍ୟା ବସି

ଗଗନୁଂ ଚନ୍ଦ୍ର କି ପଡିଲା ପୃଥୀରେ ଖସି ।୩୧୬।

ହୁଳ ହୁଳି ଦିଅନ୍ତା ଯେ ଅନେକ ସଧବା ବନିତା

ଅମର ଅପକ୍ଷରୀ କିନ୍ନରୀ ନୃତ୍ୟରେ ଉନମତା।୩୧୭।

ଆଲମ୍ବ ପାଟଛତ୍ର ଉଡ଼ଇ ବିତପନ

ଉଗ୍ରସେନ ଆଗେ ଘେନାଇ ଯଉତୁକ ଦ୍ରବ୍ୟମାନ ।୩୧୮।

ବାଟରେ ପୁଆଇଂ ଅଇଲେ ସଦାଶିବ

ଦ୍ୱାରିକା ପୁରେ କଲେ ଅନେକ ଉଚ୍ଛବ ।୩୧୯।

ମଙ୍ଗଳ ହୁଳ ହୁଳି ଜୟେ ଘୋଷି

ଅର୍ଘ୍ୟ ବଦାବନ୍ତି ଯେ ଦ୍ୱାରିକା ପୁର ବାସୀ।୩୨୦।

ବର କନ୍ୟା ଦେଖି ଯେ ଅନେକ ହରଷ

ଶୁଭ ମଙ୍ଗଳର ବେଳେ ଆସି ନବରେ ପ୍ରବେଶ ।୩୨୧।

ଅଷ୍ଟ ପାଟବଂଶୀ ମୂଳେ ଶ୍ରୀକୃଷ୍ଣର ଯେତେ ବାମା

ବର କନ୍ୟା ଦେଖିଣ ଉତ୍ସାହ ସର୍ବ ରାମା ।୩୨୨।

କନ୍ୟାକୁ ପରଶଂସା ସେ ଯେ କରନ୍ତି ବହୁତ

ଧନ୍ୟ ତୋହୋର ପିତା ଧନ୍ୟ ତୋହୋର ମାତ ।୩୨୩।

ଧନ୍ୟ ୟେ ଦ୍ୱାରିକା ପୁର ଶୋଭା ଦିଶି

ଧନ୍ୟ ବିଧାତା କେତେକାଳ ଗଢିଲା ତୋତେ ବସି ।୩୨୪।

ଧନ୍ୟ ହୋଇଲାଇଂ ଯେ ଆମ୍ଭେ ଦେଖିଲୁଂ ବେନିଡୋଳେ

ଧନ୍ୟ ଅନିରୁଦ୍ଧ କନ୍ୟାକୁ ଧଇଲୁ ତୁହି କୋଳେ ।୩୨୫।

ଧନ୍ୟ ଯେଉଂଣ ରାଜ୍ୟେ ହୋଇଲୁ ଉତପତି

ଧନ୍ୟ ତୋର ପୁଣ୍ୟ ସାଦ୍ରିଶେ ପାଇଲୁ ୟେ ପତି ।୩୨୬।

ଧନ୍ୟ ରେ ସୁନ୍ଦରୀ ଧନ୍ୟ ଶୋଭା ତୁହି ଦିଶୁ

ଧନ୍ୟ ଧନ୍ୟ ତୁହି କୁରଙ୍ଗୀ ବଳି ନୟନ ପ୍ରକାଶୁ ।୩୨୭।

ଧନ୍ୟ ତୋହୋର କବରୀ କୃଷ୍ଣ ଚାମରେ ନୋହେ ସରି

ଧନ୍ୟ ସେ କୁସୁମ ଅଛଇ ଆବୋରି ।୩୨୮।

ଧନ୍ୟ ନାସା ତୋହୋର ତିଳକୁସୁମ ଜାଣି

ଧନ୍ୟ ତୋ ଦନ୍ତପନ୍ତି ଡାଳିମ୍ବ ବୀଜେ କି ମାଣିକ୍ୟ ରସାଣି।୩୨୯।

ଧନ୍ୟ ବଧୁଲୀ ଅଧର ଧନ୍ୟ ତୋ ଭ୍ରୂଲତା

ଧନ୍ୟ ବେନି ଶ୍ରବଣରେ ହୀରା କାପ ଶୋଭିତା ।୩୩୦।

ଧନ୍ୟ ବକ୍ଷସ୍ଥଳ କମ୍ବୁକଣ୍ଠ ପ୍ରାୟେ

ଧନ୍ୟ ତୋ କୁଚ ବେନି କରୀ କୁମ୍ଭ ପ୍ରାୟେ ଶୋହେ ।୩୩୧।

ଧନ୍ୟ କଟିଭାଗ ଡମ୍ବରୁ ସାଦ୍ରିଶ

ଧନ୍ୟ ବେନି ଜାନୁ ଉଲଟ ରମ୍ଭା ରସ।୩୩୨।

ଧନ୍ୟ ତୋ ପାଦ ଅଙ୍ଗୁଳି ଚମ୍ପା କଢି ଜାଣି

ଧନ୍ୟ ସେ ପୟର ଅଳତା ଅରୁଣ ତେଜ ଜିଣି।୩୩୩।

ଧନ୍ୟ ସୁକୁମାରୀ ଧନ୍ୟ ତୋ ରୂପ ଶୋଭା

ଧରଣୀଧର ପ୍ରିୟା ଉପମା ହେବ ଅବା ।୩୩୪।

କେ ବୋଲଇ ସାବିତ୍ରୀ ୟେ ବ୍ରହ୍ମାର ବନିତା

କେ ବୋଲଇ ପାର୍ବତୀ ୟେ ହେମବନ୍ତର ଦୋହିତା ।୩୩୫।

କେ ବୋଲଇ ଶଚୀ ୟେ ଇନ୍ଦ୍ରର ପାଟରାଣୀ

କେ ବୋଲଇ ଛାୟା ୟେ ସୂର୍ଯ୍ୟର ଘରଣୀ।୩୩୬।

କେ ବୋଲଇ ବୃହସ୍ପତି ଭାରିଯା ତାରା ୟେ ଅଟଇ

ରମ୍ଭା ଉର୍ବଶୀ ମେନକା ୟେହାକୁ ସରି ନୋହି।୩୩୭।

କୋ ବୋଲଇ ତୁମ୍ଭେ ନ ଜାଣ ଗୋ କିଛି

ୟେହାର ରୂପକ କେହି ସମ ଯେ ନ ଗଚ୍ଛି।୩୩୮।

ଦେବକୀ ଯଶୋବନ୍ତୀ ଯେ ବହୁତ ହରଷ

ନାତି ନୀତୁଣୀବଧୂ ଘେନି ଆପଣା ପୁରରେ ପ୍ରବେଶ।୩୩୯।

ଅର୍ଘ୍ୟ ବଦାବନ୍ତି ଯେ ସକଳ କାମେନୀ

ଆଶିଷ କଲ୍ୟାଣ କରନ୍ତି ସମସ୍ତ ଜନନୀ ।୩୪୦।

ପୁରେ ପୁରେ ଚହଳ କହିତ କି ପାରି

ବର କନ୍ୟା ଦେଖି ଆସନ୍ତି ନଗ୍ର ନର ନାରୀ।୩୪୧।

ରାମକୃଷ୍ଣ ବିଜୟେ ଯେ ସମ୍ଭର୍ବ ଆସ୍ତାନେ

ଆବର ଅଛନ୍ତି ଦେବଋଷି ବ୍ରହ୍ମର୍ଷି ରାଜଋଷିମାନେ ।୩୪୨।

ଅପକ୍ଷରୀ କିନ୍ନରୀ ଯେ ଦିବ୍ୟବେଶ ହୋଇ

କେ ତାଳ ମୃଦଙ୍ଗ ବେଣୁ ବୀଣା ବାଦ୍ୟ ବାଇ।୩୪୩।

ଚତୁର୍ଥ ଦିନେଣ ଯେ ଚଉଠି ବିଧି ସାରି

ବେଦୀ ଛାମୁଣ୍ଡିଆରେ ବସିଲେ ବ୍ରହ୍ମଚାରୀ।୩୪୪।

ଯଥାବିଧି କର୍ମ ସାରି ବର କନ୍ୟା ଗଲେ

ଅନେକ ଯୁବତୀ ତହିଂ ହୁଳହୁଳି ଦିଲେ ।୩୪୫।

ବିଭାବିଧି ବଢାଇଣ ମୁନିମାନେ ଗଲେ

ଯେ ଯାହାର ଆଶ୍ରମେ ଯାଇଂ ପ୍ରବେଶ ହୋଇଲେ ।୩୪୬।

ଶୁଣ ହୋ ମନୁରାୟେ ପୁଚ୍ଛା କଲୁ ଯାହା

ଥୋକାୟେ ଅନୁସରି ବଖାଣିଲୁ ତାହା ।୩୪୭।

ୟେ ଯେ ମଧ୍ୟପର୍ବ ଅମୃତ ରସ ସାର

ଆହୋ ପ୍ରାଣୀମାନେ ୟେକମନେ ଶ୍ରବଣ ଯେ କର ।୩୪୮।

କଳିକାଳ ଘୋର ୟେ ହୋଇଲାକ ଆସି

ରାମ ନାମ ଧର ନ ବାଧିବ କାଳ ଫାଶି ।୩୪୯।

ରାମ ନାମ ବ୍ରହ୍ମବେନି ଯେ ଅକ୍ଷର

ରାମ ନାମ ମୋର ନୋହିବ ବିସର ।୩୫୦।

ତୁଳୁସାର ବଲ୍ଲଭ ହୃଦରେ ମୋର ଥାଉ

ରାମ ନାମ ସୁମରି ସାରୋଳା ଦାସ ଗତି ମୁକୁତି ପାଉ।୩୫୧।୭୯୩୮।

 

ଶ୍ରୀକୃଷ୍ଣ ବଳରାମଙ୍କ ବିଦ୍ୟା ପଠନ

ବଇବସୁତ ମନୁ ପୁଚ୍ଛା କଲେ ଅଗସ୍ତିଂକି

ଭୋ ମହାମୁନି ମୋତେ କହିବା ୟେଣିକି।୧।

ଶ୍ରୀ ନାରାୟଣ ରଙ୍ଗାବତାର ଯେ ଦ୍ୱାପରେ

ଜନମିଲେ ମାଧବ ଦେବକୀ ଉଦରେ ।୨।

ରୋହିଣୀ ଉଦରେ ଯେ ନୀଳାମ୍ବର ଉତପତ୍ତି

ବାଳୁତ ଖେଳରେ ରାମକୃଷ୍ଣେ ଗୋଗୋଷ୍ଠେ ରହନ୍ତି ।୩।

ପାଠ ପଢିବାର ନିମନ୍ତେ ଯୋଗେଶ୍ୱର

ଖେଳନ୍ତେ ପ୍ରବେଶ ଦେବ ଅବନ୍ତୀ ନୀମେ ପୁର।୪।

ବିଦ୍ୟାବର ବ୍ରାହ୍ମଣ ନାମେ ଶାନ୍ତିପନି

ପାଠ ପଢାନ୍ତି ସେ ବାଳଖିଳାମାନନ୍ତ ଘେନି।୫।

ତାହାଂକର ମନ୍ଦିରେ ପ୍ରବେଶ ବେନିଭାଇ

ନିରୋପନ୍ତି ଶାନ୍ତିପନି ବ୍ରାହ୍ମଣ ମୁଖ ଚାହିଂ ।୬।

ପଚାରନ୍ତି ବ୍ରାହ୍ମଣ ବାଭିୟେ ଅଟ ତୁମ୍ଭେ କେବଣ ଦେଶୀ

ଦେବ କୁମାର ପ୍ରାୟ ତ ଅବୟବ ଦିଶି ।୭।

ଶୁଣି ବିପ୍ରଂକୁ ସମସ୍ୟା ଦିଅନ୍ତି ନୀଳାମ୍ବର

ଆମ୍ଭର ଶାସନ ମଧୁବନ ନଗ୍ରପୁର।୮।

ଆଦି ଯଦୁବଂଶେ ଯଦୁନାମେ ଋଷି

ଯଦୁବର ନନ୍ଦନ ସୁରଥ ବୋଲି ଶିଷି।୯।

ସୁରଥର ନନ୍ଦନ ଯେ ବଇଷ୍ଣବ ଚକ୍ରବତୀ

ତରୁଣ ତେଜ ବୋଲି ତାହାଂକର ସନ୍ତତି ।୧୦।

ତରୁଣ ତେଜଂକର ନନ୍ଦନ ଅଟଇ ସୁଦେବ

ତାହାଂକର ନନ୍ଦନ ଅଟଇ ବସୁଦେବ।୧୧।

ଭୋ ଦେବ ପଣ୍ଡିତ ତୁମ୍ଭେ ପଚାରିଲ ଯାହା

ବସୁଦେବ ନନ୍ଦନ ହରି ବଳରାମ ବୋଲି ତାହା।୧୨।

ନିରାକାର ବଂଶେ ଜାତ ଦେବକୀ ରୋହିଣୀ

ସତୀ ସାବିତ୍ରୀ ଅଟନ୍ତି ସେ ବେନି ଭୟେଣୀ।୧୩।

ୟେହାଂକର ମାତା ୟେକବାଳା ପାର୍ବତୀ

ତାହାଂକ ଉଦରୁ ଆମ୍ଭେ ବେନି ଉତପତ୍ତି ।୧୪।

ଅଂଶା ଅବତାର ଆମ୍ଭେ ଭାରାଭର ଅର୍ଥେ

ପୁଣି ପୁଣି ଉପୁଜୁଂ ୟେ ଦୁହିଂକର ଗର୍ଭଗତେ ।୧୫।

ଗୋପାଳ ଦେଶ ହାଦେ ମଥୁରା ନଗ୍ରପୁର

ଶାହାସ୍ର ସଂଗତି ନାହିଂ ଅପାଠେକ ସେହୁ ପୁର।୧୬।

କୁସ୍ଥାନ ବାସେ ଆମ୍ଭେ ପଡ଼ିଲୁ ବେନି ଜନେ

ବେଦ ବିଦ୍ୟା ନ ଜାଣୁ ନ ଶୁଣୁଂ ବେନି କର୍ଣ୍ଣେ।୧୭।

ଧର ଧର ମାର ମାର ଛନ୍ଦ ବନ୍ଧ କଥା

କଢା ଘୁମୁରା ଅନରୂପେ ସେହୁ ମତା ।୧୮।

କୁଜନ ହାଥେଣ ପଡ଼ିଲା ପାଣି ଦ୍ରବ୍ୟ

ମୂର୍ଖ ସଭାରେ କି ପଣ୍ଡିତ କରଇ ଭାବ ।୧୯।

ଗ୍ୟାନ ଥାଉଂ ଥାଉଂ ଆମ୍ଭେ ମୂର୍ଖ ହୋଇବୁଂ କେମନ୍ତେ

ବୁଲୁ ଦେଶାନ୍ତରେ ପାଠ ସିଦ୍ଧି ଅର୍ଥେ ।୨୦।

ମାତା ପିତା ତେଜିଲୁ କୁଳ ଗୋତ୍ର ଗ୍ରାମ

ତୋହୋର ଦୟା କଲେ ଆମ୍ଭେ ହୋଇବୁଂ ଚାଟ ଧର୍ମ।୨୧।

ବିନୟ ଭାବେ ଦେବ ବାକ୍ୟ ଯେ ଉଚ୍ଚାରୁ

ଦେଖି ଦୟା କଲେ ପଣ୍ଡିତ ଭାଗ୍ୟ ଗୁରୁ ।୨୨।

ବାବୁ ପାଠକୁ ଯେବେ ଇଚ୍ଛା ହୋଇଲା ତୁମ୍ଭର

ତୁମ୍ଭେ ପାଠ ପଢ ୟେବେ ମୋହୋର ଗୃହର।୨୩।

ଶାନ୍ତିପନି ବିଚ୍ଛନ୍ନ ହୋଇଥିଲା ଚାରିପୁତ୍ର ହରାଇ

ପୁତ୍ର କଷ୍ଟ ପାସୋରିଲା କେଶବ ମୁଖ ଚାହିଂ।୨୪।

ରହିଲେ ବେନି ଭ୍ରାଥେ ଶାନ୍ତିପନିର ଘରେ

ବିଦ୍ୟା ଆରୋପଣ କରାଇଲେ ଦ୍ୱିଜବରେ।୨୫।

ଶ୍ରୀଫଳା ଲିହି ଗୁରୁ ଦିଲେକ ଆଗରେ

ଦେଖିଣ ଶିଖିଲେ ଯେ କୃଷ୍ଣ ବଳେବରେ ।୨୬।

ବାକ୍ୟଦେବୀ ଅଟନ୍ତି ବଲ୍ଲଭୀ ଯାହାର

ବିଦ୍ୟା ଶିଖିବା ଅବା କେତେକ ମାତର ।୨୭।

ଦୁତୀୟେଣ ଗୁରୁଦେବ ଲିହିଲେକ ଫଳା

ତାହା ଦେଖି ଶିଖିଲେ ଦେବକୀ ବେନିବଳା ।୨୮।

ଚଉତ୍ରିଂଶ ଅକ୍ଷର ପୁଣ ବାରହିଂ ଯେ ମାତ୍ରା

ଦେଖି ଶିଖିଲେ ସ୍ୱାମୀ ଧାର୍ମିକ ବୁଦ୍ଧିବନ୍ତା ।୨୯।

ସିଦ୍ଧି କଂ କ୍ୟ କ୍ର କ୍ଲ କ୍ନ କ୍ମ ର୍କ ର୍କ୍ୟ ର୍କ୍ର

ଶିଖିଲୁନି ଗୁରୁ ହେ ଆବର କି ପାଠ କହ ।୩୦।

ର୍କ୍ଳ ର୍କ୍ୱ ର୍କ୍ନ କୃ ଙ୍କ ସ୍କ ସ୍ତ ସ୍ତ୍ର ଅଂଶ ଯୋଗ

ୟେତେକ ଗୁରୁ ହେ ହୋଇଲାକ ଭୋଗ ।୩୧।

ଚଉତ୍ରିଂଶ ଅକ୍ଷର ଯେ ଚଉତ୍ରିଂଶ ଫଳା

ୟେକା ଦିନକେ ଲିହି ପଢିବା ହୋଇଲା ।୩୨।

ଚାହିଂଲା ମାତ୍ରକେ ଶିଖିଲେ ଦେବ ବନା

ସାଧିଲେ ଶିଳୋକ ନ ଦେଖି ନ ଚିହ୍ନା।୩୩।

ୟେମାନ ସାଧ୍ୟ ହୋଇଲା ଦିବସ ଯେ ତିନି

ଦେଖିଣ ଆଶ୍ରିଯ ହୋଇଲେ ବ୍ରାହ୍ମଣ ଶାନ୍ତିପନି।୩୪।

ଓଚିଆ ତେଲଙ୍ଗା ନାଗେରୀ ଦକ୍ଷିଣୀ

କନାଉଜିଆ ମରହଠିଆ ଗୁରୁଲେଖା ଖାଂଜଣୀ।୩୫।

ବୀର ଚୀର ମହାଚୀର ଦ୍ରାବିଡ଼ ମହାଭାଖା

ଡାହାଳ ବେଲାଉଳ ଯେ ପଞ୍ଚମ ରେଖା ।୩୬।

ଦକ୍ଷିଣ ଉଜ୍ଜିନୀ ପଚ୍ଛିମା ମନ୍ଦାର କାଂଉରୀ ଭାରତୀ

ଭାଷା ଉପଦେଶ କଲେକ ଶ୍ରୀପତି।୩୭।

ୟେକାଦଶ ଅକ୍ଷର ଭାଷା ଚଉଷଠି

ନବ ଦିବସେ ଲେଖି ବିଦ୍ୟା ତାଳି ପଟି।୩୮।

ବତିଶ ଦିବସେ ୟେମାନ ସର୍ବ ପଢି

ଦରିଦ୍ର ବ୍ରାହ୍ମଣ ତୁଲେ ପୀରତି ଦେବ ହରି।୩୯।

ଶାନ୍ତିପନି ବ୍ରାହ୍ମଣର ଅଟଇ ସେ ଶିଷି

ତାହାଂକରେ ଅନେକ ଭାବ ଦେବ ହୃଷିକେଶୀ।୪୦।

ଅକ୍ଷର ବିଦ୍ୟାଗୁରୁ ଯେତେ କହିଥିଲେ

ବତିଶ ଦିବସେ ସେ ଯେ ସବୁ ସାଧ୍ୟ କଲେ।୪୧।

ତହୁଂ ବେଦବାକ୍ୟ ଯେ ଦେଖାନ୍ତି ଶାନ୍ତିପନି

ବେଳେ ଗୁରୁ ପଢାଇଲେ ହୃଦେ ତାହା ଘେନି ।୪୨।

ରକ ଯଜୁ ସାମ ଅର୍ଥବ ଚାରିବେଦ

ଲକ୍ଷେ ମହାମନ୍ତ୍ର ପଢିଲେ କୃଷ୍ଣ ବଳଦେବ।୪୩।

ନବ ଅନ୍ତ ମନ୍ତ୍ର ଫଳ ଗ୍ରନ୍ଥ ପାଞ୍ଜି

ୟେମାନ ଶିଖିଲେ ଅଷ୍ଟ ଦିବସର ମଝି ।୪୪।

ତିଥି ବାର ନକ୍ଷତ୍ର ଗ୍ରହ କରଣ ଚକ୍ରକଳା

ରବି ଅଂଶ ରତିଶାସ୍ର ଚନ୍ଦ୍ର ପବନ ମେଳା ।୪୫।

କାମ ଲୋଭ ଆରତା ରତିଶାସ୍ର ବିଦ୍ୟା

ସ୍ତମ୍ଭନ ମୋହନ ବଶ୍ୟ ଉଚାଟନ ଗୁଟିକ ଅଞ୍ଜନ ମନ୍ତ୍ର ସିଦ୍ଧା ।୪୬।

ଯୋଗ ବ୍ରହ୍ମ ତ୍ରିକାଳ ଗାରୁଡ଼ ମହାମନ୍ତ୍ରେ

ୟେମାନ ସାଧ୍ୟ କଲେ ୟେଗାର ଦିନ ଅନ୍ତେ।୪୭।

ଭୂତ ଭବିଷ୍ୟ ବର୍ତ୍ତମାନ ଯେ ଅଦୃଷ୍ଟି ଅଶ୍ରୁତି

ବାକ୍ୟଦେବୀ ବିଦ୍ୟା ଆଦି କରି ଶିଖିଲେ ନବରାତ୍ରି ।୪୮।

ଚଉଦ ବିଦ୍ୟା ଆଦି କରି ଚଉଷଠି ବିନ୍ଧାଣ

ଧନୁଶର ଉତପତ୍ତି ଫଳା ଯେ ଆଢଣ ।୪୯।

ଛେଦ ଭେଦ ମନ୍ତ୍ର ସୁମରନ୍ତେ ଦେବଶର

ଉଦେକ ବିଦ୍ୟା ସାଧ୍ୟ କରାଇଲେ ପଣ୍ଡିତ ଭାଗ୍ୟବର ।୫୦।

ୟେମନ୍ତେ ପାଞ୍ଚ ସହସ୍ର ବିଦ୍ୟା ଚଉଷଠି

ଦେଖି ଶିଖିଲେ ସାଧିଲେ ବିଦ୍ୟା ନବ କୋଟି ।୫୧।

ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତି ମହାମୁନି

ୟେ ବିଦ୍ୟାମାନ କାହୁଂ ପାଇଲେ ବ୍ରାହ୍ମଣ ଶାନ୍ତିପନି ।୫୨।

ମୁକୁଳା ଦିଜବର ହୋଇ ସକଳ ବିଦ୍ୟା ସାଧି

ମଞ୍ଚ ଭୁବନେ ଜନ୍ମ ହୋଇ କେଉଣ ଗୁରୁ ବୋଧି।୫୩।

ସେ ଶାନ୍ତିପନିର ମହିଂମା ମୋତେ କହିବା ମୁନି ହେ

ନାରାୟଣଂକ ଗୁରୁ ସେ ହୋଇଲା ଦୁସହ ସନ୍ଦେହେ।୫୪।

ଶୁଣ ହେ ଯୋଗେଶ୍ୱର ବଦୟନ୍ତି ତପୋବନ୍ତ

ପୂର୍ବେ ଶାନ୍ତିପନି ହୋଇଅଛି ଜାତ।୫୫।

ବୃନ୍ଦାଅର୍କେ ସତ୍ୟଯୁଗେ କଉଶିକ ନାମେ ବ୍ରହ୍ମା

ରୁଦ୍ରେ ବିବାଦୀ ସେ ହୋଇଲେ ମହାତମା।୫୬।

ଯୋଗେଣ ବ୍ରହ୍ମା ଯେ ପୁରୁଷେକ ଭିଆଇଲା

ଦେବ ଗୋଲେଖ ବୋଲି ନାମ ତାହାର ଦିଲା।୫୭।

ପ୍ରଚଣ୍ଡ ବ୍ରହ୍ମବେତ୍ତା ସେ ପାଇଲା ମନ୍ତ୍ର କଳା

ବେଦ ଶାହାସ୍ର ଭଜି ସେ ଆକାଶକୁ ଗଲା।୫୮।

ଭୟେ ଚନ୍ଦ୍ର ଦେବତା ନ ରହିଲେ ଆକାଶେ

ସ୍ୱର୍ଗ ମଞ୍ଚ ତେଜି ପଶିଲେ ହଟକେଶ୍ୱର କପିଳାସେ ।୫୯।

ଦିନେ ସେ ଈଶ୍ୱରେ ଅଇଲେ କପିଳାସୁଂ ସ୍ୱର୍ଗବାସେ

ଦେବ ଇନ୍ଦ୍ର ଗୋଲେକ ହୋଇଛି ଆକାଶେ ।୬୦।

ଈଶ୍ୱର ଦେବତାନ୍ତ ବସ ବୋଲି ନ ବୋଇଲା

ପରପ ଯୋଗୀ ବୋଲି ବହୁତ ଝିଂଘାସିଲା।୬୧।

ବ୍ରହ୍ମା ସେ ଅଟଇ ନବ ସୃଷ୍ଟି କରତା

ଧାତା ସେ ଅର୍ଜିତପୁରୁଷ ବିହନ୍ତା ବିଧାତା ।୬୨।

ୟେକା ବିଧାତା ସେ ବ୍ରହ୍ମହିଂ ଜାଣଇ

ଆଉମାନନ୍ତ ମୁଂ ଋଷି ପ୍ରାୟେ ମଣଇ ।୬୩।

ଅନେକ ମତେ ଭତ୍ସନା ହରଂକୁ ସେ ବୋଲି

ଆସ୍ତାନକୁ ଉଠନ୍ତେ ସେ ହରଂକୁ ଦିଲା ପେଲି।୬୪।

ଗଳଥା ଦିଲା ସେ ଯେ ଭୁଜେ ଭୁଜ ପଡ଼ିତାଳେ

ଉଡ଼ି ଈଶ୍ୱରେ ଯାଇ ପଡ଼ିଲେ ଅଗାଦ ଜଳେ ।୬୫।

ଅସାଷ୍ଟମ ହୋଇ ସେ କୋପେ ରୁଦ୍ରଦେବ

ବ୍ରହ୍ମା ଦେବତାନ୍ତ ତହିଂ କୋପ କଲେ ସଦାଶିବ ।୬୬।

ବ୍ରହ୍ମା ସିନା କଲା ତାହାର କିସ ଦୋଷ

ଧାତାର ପ୍ରସାଦେ ଯେ ଆମ୍ଭେ ତେଜିଲୁଂ ଆକାଶ ।୬୭।

ପିତାନ୍ତ ଶାପ ସେ ଦିଲେ ବଇରାଗେ

ଯାଅ ରେ ବ୍ରହ୍ମା ଅପୂଜା ହୋଇଣ ଥାଅ ତିନି ସ୍ୱର୍ଗେ।୬୮।

ଗୋଲକ ପୁରୁଷ ଯେ ଆକାଶେ କଲୁ ରାଜା

ତୋହୋରେ ଦେବତାୟେ କେହି ନ ପାଇଲେ ପୂଜା।୬୯।

ସୋଦର ମାନନ୍ତ ଅପୂଜ୍ୟକ କଲୁଟି ଅଭାବେ

ମାନବ ମାତ୍ରକ ତୋତେ ନ ପୂଜନ୍ତୁ ୟେବେ।୭୦।

ବଇରାଗେ ଶାପ ଯହୁଂ ଦିଲେକ କାପାଳୀ

ତେଣୁ ସେ ବ୍ରହ୍ମା ଅପୂଜ୍ୟ ହୋଇଲା ତିନି ସ୍ଥଳୀ।୭୧।

ରୁଦ୍ରଂକର ଶାପେ ଯେ ଜଗତର ପିତା

ଦେବ ମାନବେ କେହି ନୋହିଲେ ପୂଜନ୍ତା।୭୨।

ମନୁ କଳ୍ପ ପରିଯନ୍ତେ ଅପାର କହିଗଲା

ସଦାଶିବର ଶାପେ ଧାତା ଅପୂଜ୍ୟକ ହୋଇଲା ।୭୩।

ପୂଜା ପାଇବା ନିମନ୍ତେ ଦେବ ବେଦପତି

ସୁଦେବ ବ୍ରାହ୍ମଣ ଘରେ ହେଲେ ଉତପତ୍ତି ।୭୪।

ଶାନ୍ତି ନାମେଣ ତାହାର ଅଟଇ ଜନନୀ

ତେଣୁ କରି ପିତା ନାମଦିଲେ ଶାନ୍ତିପନି ।୭୫।

ବିଚାରଇ ଧାତା ମୋତେ ରୁଦ୍ରଶାପ ଗରୁ

ଜଗନ୍ନାଥ ଦେବଂକର ମୁଂ ହୋଇବି ବିଦ୍ୟାଗୁରୁ ।୭୬।

ବିଦ୍ୟାରେ ତୋଷ କରି ମନାଇବି ଦେବରାଜା

ଅନୁଗ୍ରହ କରି ମୋତେ ନାରାୟଣେ କରିବେ ପୂଜା ।୭୭।

ତୁ ଯାହା ପୁଚ୍ଛା କଲୁ ଯୁଗପତି ମହାତମା

ସେ ଶାନ୍ତିପନି ବ୍ରାହ୍ମଣ ଯେ ପ୍ରତକ୍ଷେ ଅଟଇ ବେଦବ୍ରହ୍ମା ।୭୮।

ଯାବତ କାଳ ପିତାମହ ଅଟଇ ଜ୍ୟେଷ୍ଠ ଭ୍ରାତ

ତେଣୁ କରି ଗୁରୁ ପଦ ଚିନ୍ତିଲା ସ୍ୱୟଂ ତାତ ।୭୯।

ପୂଜାର ନିମନ୍ତେ କରି ସେ ସ୍ୱୟଂ ପଦ୍ମଯୋନି

ଜଗନ୍ନାଥଂକର ଗୁରୁ ହୋଇଲା ବ୍ରାହ୍ମଣ ଶାନ୍ତିପନି ।୮୦।

ବିଚାରନ୍ତି ରୁଦ୍ର ବିଷ୍ଣୁ ଅଟନ୍ତି ୟେ ଭାଇ ବେନି

ଅଂଶା ଅବତାର ୟେ ଅଟଇ ଦେହ ଘେନି ।୮୧।

ରୁଦ୍ର ଦେବତାର ଯେ ଅଟନ୍ତି ପ୍ରତକ୍ଷେ ବଳରାମ

ଶାନ୍ତିପନିର ଶିଷ୍ୟ ୟେ ହୋଇଲେ ଶାହାସ୍ର ଧର୍ମ ।୮୨।

ପରମ ଆନନ୍ଦ ନାଥ ଭଗତ ବାରାନିଧି

ଚଉଷଠି ଦିବସ ମଧ୍ୟେ ସମସ୍ତ କଲେ ସିଦ୍ଧି ।୮୩।

ଦେଖିଣ ଆଶ୍ରିଯ ହୋଇଲେ ବ୍ରାହ୍ମଣ ଶାନ୍ତିପନି

ବିଚାରନ୍ତି ରୁଦ୍ର ବିଷ୍ଣୁ ଅଟନ୍ତି ୟେ ଭାଇ ବେନି ।୮୪।

ଗୁରୁ ବୋଲି ଅହର୍ନିଶ କଲେ ନମସ୍କାର

ପିତାମହ ନୋହିଲେ କି ସେ ଆନକୁ ହୋଇବ ପାର ।୮୫।

ମନୁ ପଚାରଇ ଶୁଣ ଅଗସ୍ତି ମୁନି ହେ

କଥାୟେକ ପଚାରିବା ହୋଇବା ସଦୟେ ।୮୬।

କଥା ଗୋଟିୟେ ଆସି ମୋର ପଡ଼ିଲା ମନର

ତେଣୁ କରି ପୁଚ୍ଛଇ ମୁଂ ତୁମ୍ଭର ଛାମୁର ।୮୭।

ଗୋପ ପୁରୁଂ ଯାଇଂ ମଥୁରା ନଗରେ ରହିଲେ

କଂସ ନାଶି ଉଗ୍ରସେନେ ସେହୁ ରାଜା କଲେ ।୮୮।

ବରଜ କୁଳରେ ବଢି ନ ପଢିଲେ ପାଠ

ଯଦୁ କୁଳେ ବଢନ୍ତେ ବିଦ୍ୟାକୁ ମନେ କଲେ ଉଚ୍ଚାଟ ।୮୯।

କଂସ ସୁନାମ ଯେ ଉଗ୍ରସେନଂକର ପୁତ୍ର ଦୁଇ

ଦଇବର ବଶେ ସେହି ଦୁହେଂ ନାଶ ଯାଇ ।୯୦।

କଂସର ପୁତ୍ର ହଂସ ଡିମ୍ବକ ବେନି ଯେ ନନ୍ଦନ

ସୁନାମାର ପୁତ୍ର ଯେ ସାତୁକୀ ବୋଲି ଜାଣ ।୯୧।

ହଂସ ଡିମ୍ବକକୁ ତ ଗଙ୍ଗା ଜଳରେ ବୁଡାଇ

ତାହାକୁ ସେ ମରାଇଲେ ଦେବ ଭାବଗ୍ରାହୀ ।୯୨।

ସୁନାମାର ପୁତ୍ର ଯେ ତାହାଂକର ଭଗତ

ତାହାଠାରେ ଦୟା କରି ଥାଆନ୍ତି ଅଚ୍ୟୁତ ।୯୩।

ପ୍ରାଣ ପଞ୍ଚଭୂତ ସେହୁ ତାହାଠାରେ ଦେଇ

ଅତିଅନ୍ତ ବିଶ୍ୱାସ ଯେ କରିଥାନ୍ତି ତାହାଠାଇଂ ।୯୪।

ଯେଣେ ଯିବେ ତାହାକୁ ସେ ସଙ୍ଗରେ ଘେନିଥାନ୍ତି

ରଥରେ ବସାଇ ତାକୁ ନେଇ ନଗରେ ବୁଲାନ୍ତି ।୯୫।

ୟେବେ ସେ ଯେ ବିଦ୍ୟା ପଢିବାରେ ଗଲେ

ସାତୁକୀ ଜେନାଂକୁ କିମ୍ପେ ସଙ୍ଗତେ ନ ନେଲେ ।୯୬।

ଭୋଜନ ଶୟନେ ନ ଛାଡନ୍ତି ସେହୁ କ୍ଷଣେ

ଭିନ୍ନ ନ କରନ୍ତି ତାକୁ ପ୍ରଭୁ ନାରାୟଣେ ।୯୭।

ତାହାକୁ ସଙ୍ଗତେ ପ୍ରଭୁ କିମ୍ପାଇ ନ ନେଲେ

ଆପଣେ ପ୍ରଭୁ ଯେ ବିଦ୍ୟା ପଢିବାକୁ ଗଲେ ।୯୮।

ୟେବେ ସେ ରସ ବିଦ୍ୟା ପଢିବାରେ ଗଲେ

ତାହାକୁ କିମ୍ପାଇ ସେ ବିଦ୍ୟା ନ ଶିଖାଇଲେ ।୯୯।

ୟେଥିର ଚରିତ ମୋତେ କହ ହୋ ବୁଝାଇ

ତେଣୁକରି ମୁହିଂ ତୁମ୍ଭନ୍ତ ପୁଚ୍ଛଇ ଗୋସାଇଂ ।୧୦୦।

ଶୁଣିଣ ହସିଲେ ଯେ ଅଗସ୍ତି ମୁନିବର

ମୋହୋର ବଚନ ତୁ ହୋ ଶୁଣ ନୃପବର ।୧୦୧।

ୟେଡେ ଗୁପତ ଚରିତ ପୁଚ୍ଛା କଲୁ ମୋତେ

ସାବଧାନେ ଶୁଣ ତୁ ହୋ କହଇ ମୁଂ ତୋତେ ।୧୦୨।

ଯେତେବେଳେ ରାମକୃଷ୍ଣ ବିଦ୍ୟା ପଢିବାକୁ ଗଲେ

ସୁନାମା ସୁତନ୍ତ ସେ ସଙ୍ଗତରେ ନେଲେ ।୧୦୩।

ରାମକୃଷ୍ଣ ସଙ୍ଗତରେ ସେ ବିଦ୍ୟା ପଢୁଥାଇ

ଶସ୍ର ଶାସ୍ର ବିଦ୍ୟାମାନ ଶିଖିଲାକ ସେହି ।୧୦୪।

ଖଡି ବିଦ୍ୟାଠାରୁ ଧନୁବିଦ୍ୟା ପରିଯନ୍ତେ ଯେତେ ବିଦ୍ୟାଥିଲା

ତାହାଂକର ସଙ୍ଗତେ ଥାଇ ସେ ସମସ୍ତ ବିଦ୍ୟା ସାଧିଲା ।୧୦୫।

ରାମକୃଷ୍ଣ ସଙ୍ଗେ ଥାଇ ସେହୁ ହୋଇଲା ମହାଯୋଧୀ

ୟେଥିର କଥା ମୁଂ ଯେ କହିଲି ସମ୍ପାଦି ।୧୦୬।

ତୁ ଯେ ପଚାରିଲୁ ମୋତେ ନୃପତି ଶେଖର

ଯାହା ପଚାରିଲୁ ଶୁଣିଲୁ କି ୟେଥିର ବିଚାର ।୧୦୭।

ଅଗସ୍ତି ବୋଇଲେ ଶୁଣ ବିଲଂକ ରାଜନ

ୟେଥିର ଉତ୍ତାରେ ହେଲା ଯେବଣ ବିଧାନ ।୧୦୮।

ମକର ଶୁକଳ ପକ୍ଷ ଯେ ଦ୍ୱାଦଶୀ ରାତ୍ର କାଳେ

ସ୍ରାହାନ କରିତେ ବିପ୍ର ଅଇଲା ସିନ୍ଧୁଜଳେ।୧୦୯।

ବାଳୁତ ନନ୍ଦନ ଗୋଟି ନାମ ସଉଦାସୀ

ସେ କୁମାର ପିତାଂକ ତୁଲେ ଗୋଡ଼ାଇଣ ଆସି ।୧୧୦।

ବାଳୁତ ନନ୍ଦନକୁ ବିପ୍ର ଜଳ କୂଳରେ ବସାଇ

ସମୋଦ୍ର ସ୍ରାହାନକୁ ପଶିଲେ ଅବଗାହୀ ।୧୧୧।

ଘୋର ନାଦେ ବାରାନିଧି ଲହଡ଼ିଡିୟେ ମାରି

ବାଳୁତ ପୁତ୍ର ଗୋଟିକ ବ୍ରାହ୍ମଣର ନେଲା ହରି ।୧୧୨।

ବ୍ରାହ୍ମଣର ଦେଖନ୍ତେ ହେଠବୁଡ଼ ସୁତ

ଅଗାଦେ ପଡିଲା ଯାଇଂ ଲହଡ଼ିର ଘାତ ।୧୧୩।

ହା ହା ପୁତ୍ର ବୋଲି ବିପ୍ର ପଡ଼ିଲା ଯାଇଂ ଜଳେ

ବ୍ରାହ୍ମଣନ୍ତ ଲହଡ଼ି ଆଣି ପକାଇଲା କୂଳେ ।୧୧୪।

ଅଗାଦ ଗଭୀରେ ସେ ପଡ଼ିଲା ପୁତ୍ର ଗୋଟି

ଆରେ ଆରେ ପୁତ୍ର ବୋଲିଣ ବ୍ରାହ୍ମଣ ପଡ଼ିଲେ ମହୀ ଲୋଟି ।୧୧୫।

ରୋବଇ ଦ୍ୱିଜବର ପୁତ୍ରର ନାମ ଧରି

ପୁତ୍ରର ଗୁଣମାନ ସୁମରି ଶିରେ କର ତାଡ଼ି ।୧୧୬।

ଦାମୋଦର ଥିଲେ ଯେ ଧୋତି ପିଢା ଘେନି

କୋଳକରି ଧଇଲେ ସେ ଗୁରୁ ଶାନ୍ତିପନି ।୧୧୭।

ଗୁରୁକଂର ସଙ୍ଗତେ ଯେ ବାଳଖିଳା ଥିଲେ

ଧାଇଂ ଯାଇଂଣ ପାଠ ମନ୍ଦିରେ କହିଲେ ।୧୧୮।

ଶୁଣିଣ ବ୍ରାହ୍ଣଣୀ ଯେ ପଡ଼ିଲା ମୋହଗତେ

ଧଇଲେ ତୋଳି ତାଂକୁ ରାମକୃଷ୍ଣ ବେନି ଭ୍ରାଥେ ।୧୧୯।

ବ୍ରାହ୍ମଣୀ ପାଖରେ ବ୍ରାହ୍ମଣ ପଡ଼ିଲା ଯାଇ ମୁର୍ଚ୍ଛା

କାହିଂ ଛାଡ଼ିଲ ପଣ୍ଡା ହେ ଖେଳନ୍ତା ବାଳ ବଚ୍ଛା ।୧୨୦।

ବ୍ରାହ୍ମଣ ବ୍ରାହ୍ମଣୀ ତହିଂ କାନ୍ଦନ୍ତୀ ମହୀଲୋଟି

ଆରେ କେଣେ ଗଲୁ ମୋର ଖେଳନ୍ତା ପୁତ୍ର ଗୋଟି ।୧୨୧।

ଗୁରୁଂକ ବଇକୁଲ୍ୟ ଦେଖି କାହ୍ନୁ ସଂକ୍ରିଷେଣ

କୋଳ କରି ଧଇଲେ ବ୍ରାହ୍ମଣୀ ବ୍ରାହ୍ମଣ ।୧୨୨।

କେଶବ ସମାର୍ଜନ୍ତି ହେ ଶୋକ ଛାଡ଼ ଗୁରୁ

ନାଶ ଗଲା ନନ୍ଦନ ଆବର କିମ୍ପା ଶୋକ କରୁ ।୧୨୩।

ଦେଖୁ ଦେଖୁ ପୁତ୍ର ତ ପଡ଼ିଲା ଅଗାଦ ଜଳେ

ଅଭୋଗ୍ୟ ଲିଙ୍ଗ ସେ ହୋଇଲା ତୁମ୍ଭ ବାଳେ ।୧୨୪।

ଦ୍ୱିଜବର ବୋଇଲା ବାଭିୟେ ମୁହିଂ ବଡ଼ ପାପୀ

ପାଞ୍ଚପୁତ୍ର ମୋର ନାଶ ଗଲେନି ଅଦ୍ୟାପି ।୧୨୫।

ଅପୁତ୍ରିକ ଲକ୍ଷଣେ ଆବର ବ୍ରତିବ କେମନ୍ତେ

ଛାଡ଼ିବଇଂ ନିଜ ପ୍ରାଣ ମୋର ପୁତ୍ରର ନିମନ୍ତେ ।୧୨୬।

ଗୋବିନ୍ଦେ ବୋଇଲେ ତାଂକ ପାପେ ସେହୁ ମଲେ

ତୁମ୍ଭେ ପୁଣ୍ୟ ପ୍ରାଣୀ କିଂକେ ମରଣ ଇଚ୍ଛ ଭଲେ ।୧୨୭।

ଗୁରୁ ହେ ଭୋଗ୍ୟ ପୁରନ୍ଦର ଭୁବନେ ଉପୁଜିଲା

ପାପ କର୍ମେ ତାହାକଇଂ ପ୍ରାପତ ନୋହିଲା ।୧୨୮।

ପୁଣ୍ୟ ଥିଲେ ପ୍ରାଣୀ ବ୍ରତନ୍ତି ନା ଭଲେ

ତୁମ୍ଭର ପାତକ ନ ଜାଣିମା ଅଳପେ ନାଶ ଗଲେ ।୧୨୯।

ତାହାର ଯେତେକ ପୁଣ୍ୟ କରିଥିଲି ପୂର୍ବେ

ତେତେକଇଂ ସିନା ଭୋଗ୍ୟ କରିବ ନା ୟେବେ ।୧୩୦।

ସଂସାର ସାଗର ୟେ ଦଇବ ରଞ୍ଚନା

ହିଂସା ଅପବାଦ ମୋହ ବନ୍ଧ ସିନା ।୧୩୧।

ଯାବତ ଜୀବଂକର ମୂଳ ଜଗନ୍ନାଥହିଂ ଅଧିକାରୀ

ଅନେକ ପ୍ରବୋଧନା କରି ଗୁରୁଂକୁ ଶାନ୍ତି କରି ।୧୩୨।

ଗୁରୁ ଗୁରୁପତ୍ନୀ ଘେନିଣ ଜଗନ୍ନାଥେ

ଚଳିଲେ ଜଗମୋହନ ଆଶ୍ରମ ଗୃହଗତେ ।୧୩୩।

ଗୁରୁଂକୁ ସମାର୍ଜନା କରି ଜଗନ୍ନାଥ ଦେବରାଜ

ୟେକାଦଶ ଦିବସେ କରନ୍ତି ପ୍ରେତ କାର୍ଯ୍ୟ ।୧୩୪।

ଘୃତ ପାରଣା ସେ ଯେ କରାଇଲେ ଗୁରୁଂକୁ

ମାୟା ମୋହମାନ ହରି ଛଡ଼ାଇଲେ ତାଂକୁ ।୧୩୫।

ଶାନ୍ତିପନି ବୋଇଲେ ବାଭିୟେ ମୋହୋର ଯେତେକ ବିଦ୍ୟାଥିଲା

ତୁମ୍ଭନ୍ତ ଦିଲି ମୋହୋର ପ୍ରାନ୍ତକାଳ ହୋଇଲା ।୧୩୬।

ଅପୁତ୍ରିକ ଦୋଷେ ମୁହିଂ ଯିବଇ ବାରାଣସୀ

ପାପ ଆତ୍ମା ପକାଇବି ପ୍ରୟାଗେଣ ଝାସି ।୧୩୭।

ରାମକୃଷ୍ଣ ବୋଇଲେ ଶାନ୍ତିପନିଂକର ଆଗେ

କଥାୟେ କହିବୁଂ ଗୁରୁ ହେ ଶୁଣିମା ସୁବାଗେ ।୧୩୮।

କାହିଂକି ଚିନ୍ତା ତୁମ୍ଭେ କରୁଅଛ ମନେ

ପ୍ରୟାଗେ ଝାସିବାକୁ କିମ୍ପା କରୁଅଛ ଧ୍ୟାନେ ।୧୩୯।

ଥୋକେ ଦିନ ତୁମ୍ଭେ ହୋ ଥାଅ ୟେବେ ରହି

ଆହୁରି ବିଦ୍ୟା ପଢିବାକୁ ଆମ୍ଭର ମନ ହୋଇ ।୧୪୦।

ତୁମ୍ଭର ଦିଦ୍ୟାରେ ଆମ୍ଭେ ହୋଇଲୁ ମହା ଭାରି

ତୁମ୍ଭର ଧର୍ମପୁତ୍ର ଆମ୍ଭେ ଆମ୍ଭନ୍ତ ନ ଯା ଛାଡ଼ି ।୧୪୧।

ଗୋବିନ୍ଦ କହନ୍ତେ ଶାନ୍ତିପନି ଶୁଣିଲେ

ପଞ୍ଚଭୂତ ଆତ୍ମାରେ ସେ କଥାନ୍ତ ଭାଳିଲେ ।୧୪୨।

ୟେହାଂକରେ ପୁତ୍ର କଷ୍ଟ ଯିବା ଅବା ମୋହୋର

ୟେହାଂକର ବଚନ ମୋତେ ଚନ୍ଦନୁଂ ଶୀତଳ ।୧୪୩।

ଶ୍ରୀକୃଷ୍ଣ କହନ୍ତେ ଗୁରୁ ପତ୍ନୀ ଯେ ଶୁଣିଲେ

ଶାନ୍ତିପନି ବ୍ରାହ୍ମଣନ୍ତ ବଚନ ଭାଷିଲେ ।୧୪୪।

ପୁତ୍ରମାନେ ଯାହା ହୋ କହିଲେ ତୁମ୍ଭଂକୁ

ବିଚାରିଣ କାର୍ଯ୍ୟ କର ହୋ ମନୁକୁ ।୧୪୫।

ନ ଯିବା ତୀର୍ଥ ଫେରି ଥିବା ଥୋକେ ଦିନ

ଯେବେ ନିବର୍ତ୍ତ କଲେ ବାଳୁତ ନନ୍ଦନ ।୧୪୬।

ପୁତ୍ରମାନନ୍ତ ଘେନି ଯେ ପାଠଶାଳାକୁ ବିଜେ କଲେ

ସବୁ ଶିଷ୍ୟମାନ ଆସି ଗୁରୁ ପାଶେ ମିଳିଲେ ।୧୪୭।

ସହସ୍ରେ ଚାଟ ଯେ ସେହୁ ପଢାବନ୍ତି ନିତି

ଚାଟ ମଧ୍ୟେ ସାରସ୍ୱତ ଯେ ହରି ହଳପତି ।୧୪୮।

ୟେମନ୍ତ ଯେ ଥୋକାୟେକ ଦିନ ବିହିଗଲା

ଗୁରୁକଂର ମନ କେବେହେଂ ଭ୍ରମ ଯେ ନୋହିଲା ।୧୪୯।

ଜଗତର ନାଥ ଯାର ଘରେ ରହିଛନ୍ତି

ତାହାର ମନରେ କିମ୍ପେ ହେବ ଅବା ଭ୍ରାନ୍ତି ।୧୫୦।

ଆପଣେ ଶ୍ରୀକୃଷ୍ଣ ଦିନେ ମନେ ବିଚାରିଲେ

ଆମ୍ଭନ୍ତ ଦେଖି ଗୁରୁ ମନୁ ଚିନ୍ତା ଉପେକ୍ଷିଲେ ।୧୫୧।

ୟେହାଂକର ଭଗତିରେ ମୁଂ ନୁଆରିଲି ଯାଇଂ

ଗୁରୁ ଦକ୍ଷିଣା ନ ଦିଲେ ଯିବା କେମନ୍ତ ହୋଇ ।୧୫୨।

ୟେମନ୍ତେ ବିଚାରିଣ ସେ ଦେବ ବ୍ରହ୍ମରାଶି

ଗୁରୁପତ୍ନୀ ମନ ଭ୍ରମ କରାଇଲେ ହୃଷିକେଶୀ ।୧୫୩।

ୟେକଦିନେ ଶାନ୍ତିପନି ପଣ୍ଡାଂକୁ ଚାହିଂଣ

ଭାରିଯାୟେ କହନ୍ତି ଯେ କର ହେ ଅବଧାନ ।୧୫୪।

ଆଜ ଅନ୍ନ ରାନ୍ଧିବାକୁ ଜାଳ ନାହିଂ

ପୁତ୍ରନ୍ତ ପଠାଇ ଜାଳ ଗୁଡ଼ା ଆଣକିନା ଭିଆଇ ।୧୫୫।

କାଠ ଗୁଡ଼ାୟେକ ଆଣ ହୋ ବହନ

ତେବେ ସେ ଅନ୍ନ ଆଜ ମୁଂ କରିବି ରନ୍ଧନ ।୧୫୬।

ପତ୍ନୀଂକର କହନ୍ତେଣ ପଣ୍ଡାୟେ ଶୁଣିଲେ

ଚାଟଶାଳୀ ମଧ୍ୟେ ସେ ଯାଇଣ ମିଳିଲେ ।୧୫୭।

ଅନ୍ତର୍ଯ୍ୟାମୀ ନାଥ ତାହା ଆଗହୁଂ ଜାଣିଣ

ଭ୍ରମ କରାଇଲେ ଗୁରୁପତ୍ନୀଂକର ମନ ।୧୫୮।

ଚାଟଶାଳୀ ମଧ୍ୟେ ଗୁରୁ ଯେ ଉଭା ହୋଇ

ସବୁ ପୁଅମାନନ୍ତ ସେ ଯେ ଅନାଇଣ କହି ।୧୫୯।

ତୁମ୍ଭେ ସବୁ ପୋୟେ ୟେହିକ୍ଷଣି ବହନ ହୋଇ ଯିବ

କାଠ ଗୁଡ଼ାୟେ ଲେଖାୟେଂ ବନସ୍ତୁ ଭାଙ୍ଗିଣ ଆଣିବ ।୧୬୦।

ଗୃହରେ ଆମ୍ଭର ହୋ ତିରଣ କିଛି ନାହିଂ

ଗୁରୁ କହନ୍ତେ ତାହା ଜାଣିଲେ ଭାବଗ୍ରାହୀ ।୧୬୧।

ଶୁଣି ଆଗ ହୋଇଣ ଯେ କହନ୍ତି ଦାମୋଦର

ଯିବୁ ଗୁରୁ ହେ କାଠ ଆଣିମୁଂ ତତପର ।୧୬୨।

ସବୁ ଚାଟ ଘେନି ଶ୍ରୀକୃଷ୍ଣ ବାହାର ହୋଇଲେ

ଆବର ହଳଧର ସାତୁକୀ ଚଳିଗଲେ ।୧୬୩।

ଘୋର ବନସ୍ତରେ ସେ ଯାଇଂଣ ପଶିଲେ

ଯେ ଯାହାର ମତେ ଯେ କାଠ ଭାଙ୍ଗିବାରେ ଗଲେ  ।୧୬୪।

ତତପର ହୋଇଣ ଯେ କାଠମାନ ଭାଞ୍ଜି

ଯେ ଯାହାର ମତେ ଯେ କାଠମାନ ସାଜି ।୧୬୫।

ଗୁରୁଂକର ଆଗ୍ୟାଂ କେ ମେଣ୍ଟିଣ ପାରିବ

ଆପଣେ ଯହିଂ ସଜ ହୋଇଛନ୍ତି ବାସୁଦେବ ।୧୬୬।

ୟେମନ୍ତେ ବେଳ ହୋଇଲା ତିସିରା ପ୍ରହର

ଗୁରୁ ଯେ ବାଟ ଚାହୁଂଣ ଅଛନ୍ତି ଖଣ୍ଡେ ଦୂର ।୧୬୭।

ୟେମନ୍ତେଣ ମାୟା ଯେ କଲାକ ଦେବ ନାରାୟଣ

ମାୟାରେ ମୋହିଲେ ସଙ୍ଗ ବାଳକଂକ ମନ ।୧୬୮।

ଶ୍ରୀକୃଷ୍ଣର ମାୟାରେ ଯେ ସମସ୍ତେ ମୋହ ଗଲେ

ଯେଉଂ ମାୟା ବ୍ରହ୍ମା ଯେ ଜାଣି ନୁଆରିଲେ ।୧୬୯।

ଚାରି ମେଘନ୍ତ ରାଇ ସନ୍ନିଧାନ

ଗୁପତ କରିଣ ସେ ଯେ କହନ୍ତି ବଚନ ।୧୭୦।

ଚାରିମେଘ ଘୋଟି ତୁମ୍ଭେ ବରଷିବ ପାଣି

ପବନ ଦେବତା ରାଇ ଗୁପତେ କହନ୍ତି ପୁଣି ।୧୭୧।

ଅଳପ ଅଳପ ତୁମ୍ଭେ ବହୁଥିବ ଧୀରେ

ଟୋପି ଟୋପି ହୋଇ ଜଳ ପଡ଼ୁଥିବ କ୍ଷିତିରେ ।୧୭୨।

ଦିଗମାନ ନ ଦିଶିବ ଅନ୍ଧକାର ହୋଇ

ଯେସନ ମକର ମାସେ କୁହୁଡ଼ି ଆଚ୍ଛାଦଇ ।୧୭୩।

ଭୂଇଂ ଧରି ମେଘ ଗର୍ଜନ କରୁଥିବ

ଚାଲିବାକୁ ପହଣ୍ଡେ ଯେ ଗୋଟାୟେ ନ ଦିଶିବ ।୧୭୪।

ୟେମନ୍ତେଣ ଆଗ୍ୟାଂ ସେ ଯେ ଦିଲେକ ଜଗନ୍ନାଥେ

ସାତୁକୀ ହଳଧରନ୍ତ ଘେନି ରହିଲେ ଯେ ଥୋକେ ଦୂର ପଥେ ।୧୭୫।

ଯେ ଯାହାର ମତେ ପୋୟେ କାଠ ସଜାଡ଼ୁଣ ଥିଲେ

ୟେମନ୍ତର ସମୟେ ଯେ ମେଘ ଆଚ୍ଛାଦିଲେ ।୧୭୬।

ଘୁଉ ଘୁଉ ଗରଜନ କରି ବରଷିଲେ ପାଣି

ଘନ ଘନ ବିଜୁଳି ଯେ ମାରେ ପୁଣ ପୁଣି ।୧୭୭।

ଘନ ଘନ ଝାଂକ ଝାଂକ ହୋଇ ଯେ ବହଇ ପବନ

ଚଡ଼କ ମାରଇ ଯେ ସୂଚିବଜ୍ର ବାଣ ।୧୭୮।

ୟେମନ୍ତ ଅନ୍ଧାରମୟେ ପୃଥିବୀ ଦିଶିଲା

ରୁମକୁ ରୁମ ବାହାକୁ ବାହା ନ ଦିଶିଲା ।୧୭୯।

ୟେମନ୍ତ ନିଘଞ୍ଚରେ ଯେ ବରଷଇ ପାଣି

କେ କେଣେ ଗଲେ ତାହା ନୁଆରିଲେ ଜାଣି ।୧୮୦।

ରାମକୃଷ୍ଣ ଯେ ସାତୁକୀ ସଙ୍ଗେ ଘେନି

ଆବର ସଙ୍ଗେ ଗୋଡ଼ାଇ ଅଛଇ ବାଳକେ ପୁଣି ।୧୮୧।

ପୂର୍ବେ ଗୋବିନ୍ଦର ସେହୁ ଅଟଇ ସେବକ

ଶାପରେ ମୃତୁ ପୁରେ ଜନମି ଅଛି ୟେହାଂକ ।୧୮୨।

ବିପ୍ର କୁଳରେ ସେ ଯେ ହୋଇଅଛି ଜାତ

ପୂର୍ବ ଜନ୍ମ କଥା ତାର ଜାଣିଲେ ଅଚ୍ୟୁତ ।୧୮୩।

ମାୟାରେ ସେ ଯେ ସଙ୍ଗତରେ ଘେନିଗଲେ

ୟେକଗୋଟି ବୃକ୍ଷ କ୍ରୋଟ ମଧ୍ୟରେ ପଶିଲେ ।୧୮୪।

ବିପ୍ର ବାଳକକୁ ଚାହିଂ ଶ୍ରୀକୃଷ୍ଣ ପଚାରନ୍ତି

ତୁମ୍ଭର ନାମ କିସ ହୋ ବୋଲିଣ ବୋଲନ୍ତି ।୧୮୫।

ଭଗତ ମକ୍ଷଳ ସେହୁ କରୁଣାସାଗର

ଭଗତର ମନ ସେ ଯେ ଜାଣନ୍ତି ଚକ୍ରଧର ।୧୮୬।

ଛଦ୍ରମରେ ମହାପ୍ରଭୁ ତାକୁ ପଚାରନ୍ତି ହସି

ସେହି ବିପ୍ର ବାଳକକୁ ଚାହିଂ ଅନେକ ପ୍ରଶଂସି ।୧୮୭।

ତାର ପୂର୍ବ ଭାଗ୍ୟଫଳେ ବୁଦ୍ଧି ପ୍ରସାରିଲା

ଦୟାନିଧି ତାହାକୁ ଦୟା ଯହୁଂ କଲା ।୧୮୮।

ସେ ବିପ୍ର ବାଳକ ବୋଲଇ ଶୁଣିମା ଗୋସାଇଂ

ମୋହୋର ନାମ ଯେ ପଚାରିବା ହେଉଅଛ ଭାବଗ୍ରାହୀ ।୧୮୯।

ମୋହୋର ନାମ ଗୋଟି ଅଟଇ ଦାମ୍ବୋଦର

ତାହା ଶୁଣି ମନେ ବିଚାରନ୍ତି ଦେବ ଚକ୍ରଧର ।୧୯୦।

ପୂର୍ବ ଜନ୍ମରେ ୟେହୁ ତ ଅଟଇ ମୋର ସଖା

ୟେହେର ସଙ୍ଗେ ମଇତ୍ର ହେବାକୁ ମୋହୋର ମନୀଖା ।୧୯୧।

ହସିଣ ଶ୍ରୀକୃଷ୍ଣ ଯେ ବୋଲନ୍ତି ବଚନ

ତୁମ୍ଭ ନାମ ଆମ୍ଭ ନାମ ୟେକା ହେଲା ଜାଣ ।୧୯୨।

ଆମ୍ଭର ନାମ ଗୋଟିତ ଅଟଇ ଦାମ୍ବୋଦର

ମନରେ ବିଚାର ଯେ କରନ୍ତି ଚକ୍ରଧର ।୧୯୩।

ୟେକା ନାମ ଯହୁଂ ହେଇଲା ବେନି ଜନ

ତୁମ୍ଭର ସଙ୍ଗେ ମଇତ୍ର ହୋଇତେ ମୋର ମନ ।୧୯୪।

ତୁମ୍ଭନ୍ତ ଦେଖିଣ ଯେ ମୋର ଶରଧା ବଳିଲା

ତେଣୁ ମଇତ୍ର ନାମ ମନରେ ଫୁରିଲା ।୧୯୫।

ଗୋବିନ୍ଦଂକ ମୁଖରୁ ୟେସନେକ ବାକ୍ୟ ଶୁଣି

କୃତ କୃତ ହୋଇ କରି କହେ ବିପ୍ରମଣି ।୧୯୬।

ମିତ୍ରପଣେ ମୁହିଂ ଛାର ନୁହଇଂ ଯେ କ୍ଷମ

ଶ୍ରୀମୁଖରେ ମିତ୍ର କିମ୍ପେ ବୋଲୁଛ ଆପଣ ।୧୯୭।

ଜାତିରେ ବ୍ରାହ୍ମଣ ମୁଂ ଦରିଦ୍ର ଅଟଇ

ତୁମ୍ଭର ସଙ୍ଗତେ ମିତ୍ରପଣ କ୍ଷମ କାହିଂ ।୧୯୮।

ବିପ୍ରର ବିନୟ ଯେ ଭଗତି ଭାବ ଦେଖି

ଆପଣେ ବିଚାର ଯେ କରନ୍ତି ଶ୍ରୀବଚ୍ଛି ।୧୯୯।

ଭଗତର ମନ ପ୍ରଭୁ ବିଡ଼ିବାର ପାଇଂ

ମାୟାର କଥାମାନ ରଞ୍ଚିଲେ ଭାବଗ୍ରାହୀ ।୨୦୦।

ବଳାତ୍କାରେ ବିପ୍ର ହାଥ ଗୋଟି ସେ ଧଇଲେ

ମଇତ୍ର ବୋଲିଣ ସେ ଯେ ସୁକୃତ ଆଚରିଲେ ।୨୦୧।

ସତ୍ୟ ସତ୍ୟ ବାକ୍ୟ ଆମ୍ଭେ ମଇତ୍ର ବନ୍ଧାଇ

ଆପଣେ ନାରାୟଣ ଭଗତ ଭାବେ ବାଇ ।୨୦୨।

ଯହିଂ ସେ ବେନିଜନେ ମଇତ୍ର ହୋଇଲେ

ଭଗତମତ୍ସଳ ନାମ ତହୁଂ ବୋଲାଇଲେ ।୨୦୩।

ଶୁଣ ହୋ ମନୁ ପୁରୁଷ ବଦନ୍ତି ଅଗସ୍ତି

ଭଗତ ଜନ ନିମନ୍ତେ ସବୁ ଚେତାଉ ଥାଆନ୍ତି ଶ୍ରୀପତି ।୨୦୪।

ତୁ ଯେ ପଚାରିଲୁ ହୋ ୟେକମନେ ଶୁଣ

ୟେମନ୍ତେଣ ତହିଂ ରହିଲେ ରାମ ନାରାୟଣ ।୨୦୫।

ବୃକ୍ଷର କୋଟରେ ସେହୁ ରାତ୍ରକ ରହିଲେ

ରଜନୀ ପ୍ରଭାତେ ମେଘମାନନ୍ତ ଆଗ୍ୟା ଦିଲେ ।୨୦୬।

ଯେ ଯାହାର ସ୍ଥାନକୁ ୟେବେ ଯାଅ ହେ ମେଘମାନେ

ଶ୍ରୀକୃଷ୍ଣଂକ ଆଗ୍ୟାଂରେ ମେଘ ଚଳିଲେ ଗଗନେ ।୨୦୭।

ସୂର୍ଯ୍ୟଂକର କିରଣ ଯେ ପ୍ରକାଶ ହୋଇଲା

ଅନ୍ଧାର ଯାଇଣ ଯେ ଦିବସ ପ୍ରକାଶିଲା ।୨୦୮।

ମେଘ ଫରଳ ହୋଇଲା ଦିଶିଲାକ ଦେଶ

ବାଳକ ମାନଂକ ମନ ହୋଇଲା ହରଷ ।୨୦୯।

ଯେ ଯାହାର ମତେ ବୃକ୍ଷ ବୁଦା ମୂଳରେ ଯେ ଥିଲେ

କାଠ ଗୋଛାମାନ ଘେନି ବାହାର ହୋଇଲେ ।୨୧୦।

କାଠ ଗୋଚ୍ଛା ମାନ ସେ ଯେ ମୁଣ୍ଡରେ ଘେନିଣ

ବନସ୍ତ ଭିତରୁ ବାହାର ହୋଇଲେ ତତକ୍ଷଣ ।୨୧୧।

ବୃକ୍ଷ କୋଟରେ ଯେ ଶ୍ରୀକୃଷ୍ଣ ଥିଲେ ରହି

ବଳରାମ ସାତୁକୀ ଯେ ସଙ୍ଗେ ଘେନି ଦୁଇ ।୨୧୨।

ଦାମୋଦର ପଣ୍ଡା ତହୁଂ ବାହାର ଯେ ହୋଇ

କାଠ ଗୋଛାମାନ ମୁଣ୍ଡେ ଛନ୍ତି ସର୍ବେ ବହି ।୨୧୩।

ୟେମନ୍ତ ସର୍ବ ପୋୟେ ହୋଇଲେ ୟେକ ମେଳ

ହସି କରି ପଚାରନ୍ତି ମଦନ ଗୋପାଳ ।୨୧୪।

ୟେଡ଼େ ବୃଷ୍ଟିରେ ତୁମ୍ଭେ କାହିଂ ରହି ଥିଲ

ଚାଟମାନ ବୋଇଲେ ଥିଲୁଂ ବୃକ୍ଷର ଯେ ତଳ ।୨୧୫।

କାଠ ଗୋଛା ଜଗନ୍ନାଥ ମୁଣ୍ଡରେ ବୋହିଲେ

ବଳରାମ ୟେକଗୋଛା ମୁଣ୍ଡାଇଣ ନେଲେ ।୨୧୬।

ସାତୁକୀ ସହିତେ ଆଉ ବିପ୍ର ଦାମ୍ବୋଦର

ସବୁ ଚାଟ ପୋୟେ କାଠ ବହିଲେ ମୁଣ୍ଡର ।୨୧୭।

ଆଗପଛ ହୋଇ କରି ସମସ୍ତେ ଚଳନ୍ତି

ତେଣେ ଗୁରୁଦେବନ୍ତ ଲାଗିଲା ବଡ଼ ଭ୍ରାନ୍ତି ।୨୧୮।

ଦଇବର ଯୋଗେ ପୋୟେ କାଷ୍ଠ ଆଣି ଗଲେ

ଜଳ ବୃଷ୍ଟି ହେଲା ଗୃହେ ଫେରି ସେ ନ ଅଇଲେ ।୨୧୯।

ମନେ ବଡ଼ ଭୀତି କଲେ ଦେବ ଶାନ୍ତିପନି

ପଥ ଅନୁସରି ଆସନ୍ତି ଡାକନ୍ତି ଯେ ପୁଣି ।୨୨୦।

ଗୁରୁଂକର ମନ କଥା ବିଡ଼ିବାର ପାଇଂ

ୟେମନ୍ତ ଭିଆଣ କଲେ ପ୍ରଭୁ ଭାବଗ୍ରାହୀ ।୨୨୧।

ଶିଷ୍ୟଂକୁ ପଥରେ ଶାନ୍ତିପନି ଯେ ଭେଟିଲେ

ହରି ବଳରାମଂକୁ ସେ ନୟନେ ଦେଖିଲେ।୨୨୨।

ଗୁରୁଂକୁ ଦେଖିଣ ପୋୟେ କାଷ୍ଠ ତଳେ ଥୋଇଣ

ନମସ୍କାର କଲେ ଯାଇଂ ଗୁରୁଂକ ଚରଣ ।୨୨୩।

ହରି ବଳରାମେ ଯାଇଂ ଚରଣେ ନମନ୍ତି

ଉଠ ଉଠ ବୋଲିଣ ଗୁରୁ ତାଂକୁ ତକ୍ଷଣେ ତୋଳନ୍ତି ।୨୨୪।

ଦେଖିଲେ ରାମକୃଷ୍ଣଂକର ଅଙ୍ଗ ଧୂଳିରେ ଧୂଷର

ଗାମୁଚ୍ଛା ଘେନି ଅଙ୍ଗ ପୋଛନ୍ତି ବିପ୍ରବର ।୨୨୫।

କାଠ ଗୋଛାମାନ ଗୃହେ ସର୍ବେ ଘେନି ଗଲେ

ସ୍ରାହାନ ଭୋଜନ ବେଗେ ସମସ୍ତେ ସାରିଲେ।୨୨୬।

ୟେମନ୍ତେଣ ଥୋକାୟେକ ଦିନ ବହିଗଲା

ପୁଣି ଗୁରୁଂକର ମନେ ପୁତ୍ରକଷ୍ଟ ପଡ଼ିଲା ।୨୨୭।

ଶ୍ରୀକୃଷ୍ଣଂକୁ ଚାହିଂ ଗୁରୁ କହନ୍ତି ବଚନ

ବାଭିୟେ ଆମ୍ଭେ ଯିବୁ ତୀର୍ଥ ଯେ ଫେରିଣ ।୨୨୮।

ମଣି କର୍ଣ୍ଣକାରେ ସ୍ରାହାନ ସାରିବୁ

ମାଧବ ସୁମରି ଆମ୍ଭେ ପ୍ରାଗରେ ଝାସିବୁ ।୨୨୯।

ତେବେ ସିନା ପୁତ୍ର କଷ୍ଟ ଦୁଖ ପାସୋରିବୁ ।୨୩୦।

ୟେହିପରି ଗୁରୁ ଗୁରୁପତ୍ନୀ ଯେ କହିଲେ

ଶ୍ରୀକୃଷ୍ଣ ଦେବ ଯେ ତହୁଂ ମନେ ବିଚାରିଲେ।୨୩୧।

ମୋକ୍ଷ ନ ମାଗି ଗୁରୁ ପୁତ୍ରରେ ମନ ଦେଇ

ମୁଂ ଯେ ପରମ ବ୍ରହ୍ମ ମୋତେ ସେ ନ ଚିହ୍ନଇ।୨୩୨।

ଦଇବୀ ମାୟାରେ ୟେବେ ଗୁରୁ ମୋହ ଗଲେ

କୋଟି ତୀର୍ଥ ମୋହୋ ପାଦରେ ଅଛଇ ଯେ ଭଲେ ।୨୩୩।

ଆଜ ୟେହାନ୍ତ ନିଚୟେ ମୁଂକରିବି ବାରଣ

ଗୁରୁ ଦକ୍ଷିଣା ଦାନ ସ୍ୱରୂପ ମୁଂ ଦେବି ପୁତ୍ର ଦାନ ।୨୩୪।

ମାୟାରେ ବଚନ ଯେ କହନ୍ତି ଅନ୍ୟର୍ଯ୍ୟାମୀ

ଆମ୍ଭନ୍ତ ମେଲାଣି କର ଆହେ ଗୁରୁ ସ୍ୱାମୀ।୨୩୫।

ଶ୍ରୀକୃଷ୍ଣ କହନ୍ତି ଶାନ୍ତିପନିଂକର ଆଗ

ଗୁରୁ ଦକ୍ଷିଣା ଦେବୁଂ ଆମ୍ଭନ୍ତ ତୁମ୍ଭେ ମାଗ।୨୩୬।

ଦକ୍ଷିଣା ନ ଦିଲେ ବିଦ୍ୟା ନୋହଇ ଯେ ସିଦ୍ଧି

ବିନା ସଂକଳ୍ପେ କି ପ୍ରାପତ ହୋୟେ ରୁଦ୍ଧି ।୨୩୭।

ଗୁରୁ ବୋଇଲେ ତୁମ୍ଭର ଦକ୍ଷିଣା ଦାନ ଧ୍ୟାନ

ତେଣେ ମୋହୋର କିସ ହୋଇବ ପିରୋଜନ।୨୩୮।

କାହାକୁ ଧନ ସଞ୍ଚିବା ପୁତ୍ର ଯେବେ ନାହିଂ

ଗୁରୁଂକ ବଚନ ଶୁଣି ବୋଲନ୍ତି ବେନି ଭାଇ।୨୩୯।

ଦକ୍ଷିଣା ନ ଦିଲେ ବିଦ୍ୟା ପ୍ରାପତ ନୋହୋଇ

କିଛି ଦକ୍ଷିଣା ଗୁରୁ ହେ ଆମ୍ଭକୁ ମାଗ ତୁହି।୨୪୦।

କିସ ଦକ୍ଷିଣା ବାଭିୟେ ମାଗିବି ତୁମ୍ଭଂକୁ

ମାଗିଲେ ନ ପୁଣ ନ ଦିଅ ଆମ୍ଭଂକୁ।୨୪୧।

ଧନ ଦରବେଣ କିଛି କାର୍ଯ୍ୟ ନାହିଂ ହାଦେ ମୁକୁ

ତୋଷମନେ ଯେବେ ଦକ୍ଷିଣା ଦେବ ହୋ ମୁକୁ।୨୪୨।

ଗୁରୁଂକ ନ କହୁଂ ଗୁରୁ ପତ୍ନୀ ଯେ କହନ୍ତି

ଯାହା ମୁଂ ମାଗିବି ତାହା ଦେବ କି ଶ୍ରୀପତି।୨୪୩।

ପଞ୍ଚୁ ପୁତ୍ର ମୋର ଜଳରେ ବୁଡ଼ି ମଲେ

ଗୁରୁ ଦକ୍ଷିଣା କରିଣ ତାହାନ୍ତ ଦେବୁ ଭଲେ।୨୪୪।

କହୁଅଛୁ ବାବୁ ନିରାଧାର ଯେ ତୁମ୍ଭଂକୁ

କହୁଂ କହୁଂ ଶୋକ କଲେ ବେଳୁଂ ଯେ ବେଳକୁ।୨୪୫।

ଗୁରୁପତ୍ନି ୟେହିପରି ବାକ୍ୟ ଯେ କହିଲେ

ଶୁଣି ନାରାୟଣ ତାହା ମନରେ ଜାଣିଲେ ।୨୪୬।

ପୁଣି ସେ ଶାନ୍ତିପନି ବଚନ ଭାଷନ୍ତି

ସାବଧାନ ହୋଇ ଶୁଣ ଆହେ ଶିରୀପତି ।୨୪୭।

କହୁଅଛୁଂ ତୁମ୍ଭନ୍ତ ନିରାଧାର ବାବୁ

ଆଣିଣ ତୁ ମୋହୋର ପଞ୍ଚୁପୁତ୍ର ଦେବୁ ।୨୪୮।

ଆନ ଦକ୍ଷିଣାରେ ମୋର ପିରୋଜନ ନାହିଂ

ନଉଚେତ ତୁମ୍ଭର ପୁରକୁ ଚଳ ଯା ବେନି ଭାଇ।୨୪୯।

ଗୋବିନ୍ଦେ ବୋଇଲେ ତୁମ୍ଭେ ପରମ ପବିତ୍ର ଗୁରୁ

ଅମାନୁଷ ବୃତ୍ତ ସେ ୟେହା କିଂକେ ନ ବିଚାରୁ।୨୫୦।

ଅଶି ବରଷ ହୋଇଲାଣି ଆଦି ପୁତ୍ର ଗଲେ ନାଶଂଇ

ୟେତେବେଳେ ଲୋଡ଼ନ୍ତେ କାହିଂ ଜୀବନ୍ତେ ଆସଇ।୨୫୧।

ଶାନ୍ତିପନି ବୋଇଲେ ବାଭିୟେ ଯେବେ ନୁଆସଇ ତୋହୋର

ନଉଚେତ ତୁମ୍ଭେ ଚଳି ଯାଅ ନିଜ ପୁରେ ।୨୫୨।

ଗୋବିନ୍ଦେ ବୋଇଲେ ଯେବେ ୟେହା ମାଗିଲ ହେ ଗୁରୁ

ଯତନେ ଲୋଡ଼ିବୁ ଆମ୍ଭେ ଯେତେ ଦୂର ପାରୁ।୨୫୩।

ଗୁରୁଂକ ଆଗ୍ୟାଂରେ ତହୁଂ ଚଳିଲେ ଭ୍ରାଥ ବେନି

ମଉଦଧି ତୀରେ ଯାଇ ମିଳିଲେ ରୟଣୀ ।୨୫୪।

ଗୋବିନ୍ଦେ ବୋଇଲେ ସ୍ୱାମୀ ଶୁଣିମା ବଳରାମେ

ତୁମ୍ଭେ ଚଳିଯାଅ ଯା ମଧୁବନ ଆଶ୍ରମେ ।୨୫୫।

ସମୋଦ୍ର ଭିତରେ ଯାଇ ମୁଂ ଦେଖଇ ଗୁରୁକଂର ପଞ୍ଚୁପୁତ୍ରେ

ଆମ୍ଭେ ଥାଆନ୍ତେ ରତ୍ନାକର କିମ୍ପେ କଲାକ ଅନିତ୍ୟେ।୨୫୬।

ବଳରାମ ବିଜେକଲେ ନିଜ ଯେ ଭୁବନେ

ସମୋଦ୍ର ଭିତରେ ଯାଇଂ ପଶିଲେ ମଧୁସୂଦନେ ।୨୫୭।

ରାତ୍ର କାଳେ ପଶନ୍ତି ପୁରେ ପୁରେ ଉନ୍ନେଷି

ଗୁରୁ ପୁତ୍ର ଦେବ ଖୋଜନ୍ତି ଉପନେଷି ।୨୫୮।

ଭ୍ରମନ୍ତେ ଭେଟିଲେ ଦେବ ରତ୍ନାକର ଜଳଧି

ଅନେକ ପୂଜା କଲା ତହିଂ କୃଷ୍ଣଂକୁ ବାରାନିଧି।୨୫୯।

ଅତି କଷ୍ଠୋର କରି ବୋଲନ୍ତି ମଧୁହାରୀ

ଗୁରୁଂକର ପଞ୍ଚୁପୁତ୍ର ଆଣିଅଛୁ ହରି।୨୬୦।

ବରୁଣ ବୋଇଲା ସେ ବୁଡ଼ିଲେ ମହାଜଳେ

ଆନକୁ ଅପଛାତି ଦେଖାଇ ଯମର ବୁଦ୍ଧିବଳେ।୨୬୧।

ଯେଉଣସି ମତେ ନାଶ ଯାନ୍ତି ସର୍ବ ପ୍ରାଣୀ

ଯମର ଭୁବନ ଛଡ଼ା ଥାନ କାହିଂ ପୁଣି ।୨୬୨।

ସଞ୍ଜୀବନୀ ପୁରେ ତୁମ୍ଭେ ଲୋଡ଼ସି ଅନନ୍ତ

ଜନ୍ତୁଙ୍କର ଉପରେ ସେହି ସେ କୃତାନ୍ତ ।୨୬୩।

ରତ୍ନାକର ବଚନେ ସ୍ୱାମୀ ବଇନେତ୍ର ସୁମରି

ଗରୁଡ଼ ପିଠିରେ ସ୍ୱାମୀ ଯାନ୍ତି ବିଜେ କରି ।୨୬୪।

ପଞ୍ଚୁଜନ୍ୟ ଶଙ୍ଖ ପ୍ରଭୁ କରିଣ ଯେ ଧୁନି

ମିଳିଲେକ ନାରାୟଣ ଭୁବନ ସଞ୍ଜୀବନୀ ।୨୬୫।

ଅନେକ ପାପୀ ଜନନ୍ତ ନାଶକର ଦିଅଇ ଶାସ୍ତି

ଜଗନ୍ନାଥଙ୍କ ଦ୍ରଶନେ ସର୍ବ ହୋଇଲେ ମୋକ୍ଷ ଗତି ।୨୬୬।

ଗରୁଡ଼ଧ୍ୱଜ ଦେଖି କରି ସେ ନାଶକର ଦଇବତ

ପାଦାଅର୍ଘ୍ୟ ଦେଇଣ କେଶବ ଚରଣେ କଲା ପ୍ରଲମ୍ବିତ।୨୬୭।

ଚରଣ ପଖାଳି ସେ ଉଦେକ ଜଳ ବନ୍ଦେ

ଆସ୍ତାନେ ବିଜେ କରାଇଲା ପରମ ସାନନ୍ଦେ।୨୬୮।

ବହୁତ ବିନୟ ଭାବେ ନାଶକରି ପରିଣାମି

ଅନେକ ଯୁଗେ ହେଲା ବିଜୟେ ନାହିଂ ସ୍ୱାମୀ।୨୬୯।

ତୋତେହେଂ କାରଣ କରି ତରିଲେ ବହୁତ ପାପୀ

ସଂସାର ତାରଣ ନାଥ କହିଲୁ ଅଦ୍ୟାପି ।୨୭୦।

ତୁ ଦେବ ସୟଳ ସଂସାର ଜନ ଚିନ୍ତା

ବୁଡ଼ିଲା ମେଦିନୀ ଦେବ ତୁହି ସେ ଉଦ୍ଧାରନ୍ତା ।୨୭୧।

କାହିଂକି ସେ ୟେଥିକି ବିଜୟେ କି ମୋତେ ଅନଗୃହ

କହିବା ହେଉ ଜଗତ ତାରଣ ମୋତେ କେବଣ ସନ୍ଦେହ।୨୭୨।

ଶୁଣ ହୋ କୃତାନ୍ତକ ବୋଲନ୍ତି ଦାମୋଦର

ଅତି ଅନୀତି କଥା ଆମ୍ଭେ ଶୁଣିଲୁଂ ତୋହୋର ।୨୭୩।

ଆୟୁଷ ସରିଲା ପ୍ରାଣୀନ୍ତ ହରିବୁନା ଯୁଗତେ

ବାଳୁତ କୁମର ହରିଅଛୁ କେଉଣହିଂ ମତେ।୨୭୪।

ତୁହି ସେ ଅଟୁ ଯମ ତୁହି ସେ ଅଟୁ ଧର୍ମ

ତୁ ଦଣ୍ଡଧାରୀ କିମ୍ପା କଲୁ ଅନୀତି କରମ ।୨୭୫।

ନାଶକର ବୋଇଲା ତୁମ୍ଭେ ଶୁଣିମା ଶିରୀପତି

ମୁହିଂ କିମ୍ପେ ରାଜ୍ୟେ ଦେବ କରିବି ଅନୀତି।୨୭୬।

ସ୍ୱାମୀ ମାତା ରେତ ପିତା ବୀର୍ଯ୍ୟରୁ ଉପୁଜାଇ ସନ୍ତତି

ପୁରୁଷ ଭ୍ରମରେ ସିନା କରଇ ଅନୀତି ।୨୭୭।

ଅବିଚାରେ ସେ ଯେତେବେଳେ ଛାଡ଼ଇ ବୀର୍ଯ୍ୟ

ଆପଣେ ଆପଣେ ନାଶ କରଇ ତନୁଜ ।୨୭୮।

ଯୋଗେଣ ବୀର୍ଯ୍ୟ ଯେତେବେଳେ ଦିଅଇ ମଣିଷ

ସେ ପୁତ୍ର କିମ୍ପେ ହୋଇବ ଅଳପ ଆୟୁଷ।୨୭୯।

ଯେତେବେଳେ ସ୍ତ୍ରୀ ହୁଅଇ ରଜବତୀ

ଶୃଙ୍ଗାର ଉପେକ୍ଷିବ ସପତ ଦିନ ରାତି।୨୮୦।

ସ୍ୱାମୀ କୁକର୍ମ ବୋଲି କରି ଯେବଣ ପୁରୁଷ

ନାଶ ପାନ ଯୁଗତେ କରଇ ନିରାଶ।୨୮୧।

ନାଶକର ପୁରୁଷ ସେ ଯେ ଜାଣଇଂ କାଳ ବେଳା

ଅଯୋଗେ ସ୍ତିରୀ ପୁରୁଷ କରଇ ୟେକ ମେଳା।୨୮୨।

ଦିବସେ ଶୃଙ୍ଗାର କରଇ ଯେହୁ ଇଚ୍ଛା

ପୁରୁଷ ମେଣ୍ଟି ନୁଆରିଲେ ତାହାର ଯେ କକ୍ଷା।୨୮୩।

ଦିବସ ଶୃଙ୍ଗାର ଉପୁଜଇ ଯେବଣ ବୀର୍ଯ୍ୟ

ଅଳପ ଆଷ୍ୟ ତାର ଲେଖା କରଇ ଦେବରାଜ।୨୮୪।

ସ୍ୱାମୀ ରାତ୍ର ଅଟଇ ଯେ ବତିଶ ଦଣ୍ଡ ଷୋଳ ଘଡ଼ି

ସାତ ସାତ ଦଣ୍ଡେ କାଳ ପୁରୁଷଂକ ପଡ଼ଇ ଧାଡ଼ି।୨୮୫।

ସ୍ୱାମୀ ପ୍ରଥମ ଘଡିରେ ଯେବେ କରଇ ଶୃଙ୍ଗାର

ଜନ୍ମ ହୋଇଲେ ସେ ପୁତ୍ର ହୋଇବ ଅପହାର।୨୮୬।

ଚାରି ଦଣ୍ଡରେ ଯେବେ ହୋଅଇ ସନ୍ତତି

ବରଷକେ ସେ ପୁତ୍ର ହୋଅଇ ପ୍ରାଣେ କ୍ଷତି।୨୮୭।

ପାଞ୍ଚ ଦଣ୍ଡରେ ଯେବେ ରହଇ ନିଜ ଧାତୁ

ବିଶାଶୟେ ବରଷର ଚାରି ଭାଗେ ପ୍ରାୟେ ମୃତୁ ।୨୮୮।

ଛଡ଼ ଦଣ୍ଡର ମଧ୍ୟେ ରହଇ ଯେବେ ବାଳ

ତରୁଣ ବୟସେ ତାର ଅବଶ୍ୟ ହୁଅଇ କାଳ ।୨୮୯।

ଯେବେ ବୀର୍ଯ୍ୟ ରହଇ ସାତ ଦଣ୍ଡର ମଧ୍ୟେ

ସେ ପୁତ୍ର ନାଶ ଯାଇ ପଞ୍ଚାଶ ଅବଦେ ।୨୯୦।

ଆଠ ଦଣ୍ଡରେ ଯେବେ ଉପୁଜଇ ବାଳ

ସେ ପୁତ୍ର ପ୍ରାଣ ଯାଇ ସତୁରି ବରଷର ।୨୯୧।

ଦଣ୍ଡ ଦଣ୍ଡରେ ଯେବେ ଉପୁଜଇ ସନ୍ତତି

ତହିଂ ସନ୍ତତି ଉପୁଜିଲେ ଅଶି ବରଷ ବ୍ରତନ୍ତି ।୨୯୨।

କୃଷ୍ଣ ଶୁକଳ ଯୁଗ ଅବଦ ଲେଖି

ସପତ ଦଣ୍ଡ ଭେଦି ତିଥି କାଳ ହୋୟେ ଲକ୍ଷି ।୨୯୩।

ସ୍ୱାମୀ ପ୍ରଥମ ସାତ ଦଣ୍ଡେ ଯେବେ ଉପୁଜଇ ସନ୍ତତି

ଅଳପ ଆୟୁଷ ହୋଇ ସେ ବହୁତ କାଳ ନ ବ୍ରତି ।୨୯୪।

ମଧ୍ୟ ସପତ ଦଣ୍ଡେ କାମ ଚନ୍ଦ୍ର କଳା

ଜାଣିଣ ପଣ୍ଡିତେ ଯେବେ ଉପୁଜାନ୍ତି ବଳା ।୨୯୫।

ଆୟୁଷ ବର୍ଧୁତଧନ ସନ୍ତାନ ବର୍ଧମାନଇ

ତାହାନ୍ତ ଆଇଷ ଦିଅଇ ଚାରି ଅହିବ୍ରତଇ ।୨୯୬।

ପାଞ୍ଚ ସହସ୍ର ଛଅଶ ସତାଣୋଇ

ୟେତେକ ଦିନ ସେହୁ ବ୍ରତିଥାଇ ।୨୯୭।

ସ୍ୱାମୀ ପ୍ରଥମ ସାତ ଦଣ୍ଡରେ ହୋଅଇ ଯେ ଦୋଷୀ

ତହୁଂ ସାତ ଦଣ୍ଡରେ ଯେ ହୋଅନ୍ତି ନିର୍ଦ୍ଦୋଷୀ ।୨୯୮।

ସ୍ୱାମୀ ପାହାନ୍ତିକି ସାତ ଦଣ୍ଡ ରାତ୍ର ଥାଉଂ

ତହିଂର ଦୋଷ ଅଶେଷ ବୋଲି ଦେବ କହୁଂ ।୨୯୯।

ଭୋ ପ୍ରଭୁ ଅନେକ ପୁରୁଷ ଦୋଷେ ନାଶ ଯାନ୍ତି ପ୍ରାଣୀ

ମୋତେ ଦୋଷ ସେ ଯେ ଦିଅନ୍ତି ନ ଜାଣି ।୩୦୦।

ସଂସାରକୁ ଦୋଷ ଯେ ଦେବା କି ନିମନ୍ତେ

ସତ୍ୟେଣ ବେନି ଯୁଗ ଗଲାନି ଧର୍ମ ଅର୍ଥେ ।୩୦୧।

ଦ୍ୱାପରେ ହୋଇଲେ ଦେବ ରଙ୍ଗା ଅବତାର

ଧର୍ମ ଲଙ୍ଘି କଲ ଅବିକ୍ଷଣେ ପରଦାର ।୩୦୨।

ତୋହୋର କଲା କୃତ୍ୟ ଆବର କାହାକୁ ଦୋଷ ଦେବି

ରାତ୍ର ଦିବସ ନ ମାନିଲୁ ତୁ ମାନିତୀ ଗଉରୋବୀ ।୩୦୩।

ଅନୁକ୍ଷଣେ ଶୃଙ୍ଗାର ତ କଲୁ ହୋ ଶ୍ରୀବଚ୍ଛି

ଆପଣେ ଲଙ୍ଘିଲୁ ଦେବ ଦୋଷ ଯେ ନ ବାଛି ।୩୦୪।

ନିତ୍ୟକର୍ମ ପୁରୁଷ ହୋଇ ଦେବ କଲୁ ତୁ ଅନୀତି

ପରମ ବିଷ୍ଣୁ ଦେବ ସବୁରି ଦେହେ ବ୍ରତି ।୩୦୫।

ସ୍ୱାମୀ ଆପଣେ ନ ବିଚାରି କୋପ କରୁ ମୁକୁ

ସମସ୍ତେ ତ ଘୋଡ଼ାଇଲେ ତୋହୋର କଥାକୁ ।୩୦୬।

ନାୟେକ ଯେଉଂଣ ଦେଶେ ହୋଇବ ଅନାଚାରୀ

କଳିଯୁଗ ଜନନ୍ତ କେ ପାରିବ ତିଆରି ।୩୦୭।

କୃତାନ୍ତକ ବଚନେ ଯେ ବୋଲନ୍ତି ଅନନ୍ତ

ଅଳପ ଦୂରକୁ ମୁହିଂଟି କଲଇଂ ଅକୃତ୍ୟ ।୩୦୮।

କାଶୀ ନଦୀଠାରୁ ରୁଦ୍ର ନଦୀ ପରିଯନ୍ତେ ଯେତେ

ପରଦାରା ଦୋଷ ନ ଲାଗିବ ତେତେ ଦୂରହିଂ ପରିଯନ୍ତେ ।୩୦୯।

ୟେଥେ ପରଦାରା ଅର୍ଜିଲୁ ଆମ୍ଭେ ପାପ

ୟେ ଖଣ୍ଡିକ ଛାଡ଼ିବୁ ତୁ ନ କରିବୁ କୋପ  ।୩୧୦।

ପରଦାରା ହରଣ ହୋଇଲେ ଅନ୍ୟ ଠାବେ

ତହିଂକି ଶାସ୍ତି ଦେବୁ ତୁ ନାଶକର ଯମଦେବେ ।୩୧୧।

ଚଉବିଂଶ କୋଷ ୟେ ଯେ ଦକ୍ଷିଣ ଦ୍ୱାରିକା

ପରଦାରା ହରଣ ଦୋଷ ନାହିଂ ୟେଥେ ୟେକା ।୩୧୨।

ଯମ ବୋଇଲେ ସ୍ୱାମୀ ହେ ତରିଲେ ବହୁତ ପାପୀ

ସଂସାରକୁ କାରଣ ନାଥ ତୁ କଲୁ ତ ଅଦ୍ୟାପି ।୩୧୩।

ତୁ ଦେବ ସୟଳ ସଂସାର ଜନ ରଖନ୍ତା

ବୁଡ଼ିଲା ମେଦିନୀ ଦେବ ତୁହି ସେ ଉଦ୍ଧାରନ୍ତା ।୩୧୪।

ହେ ବୁଧ ଜନେ ମୋତେ ନ କରିବା କୋପ

ସର୍ବ ମଙ୍ଗଳା ଆଗ୍ୟାଂୟେ ମୋତେ ୟେସନେକ ସରୂପ ।୩୧୫।

ଯାହା ମୋତେ କହିଲେ ପ୍ରସନ୍ନେ ହେଙ୍ଗୁଳା

ଜଙ୍ଖେର ପୁର ବାସୀ ଶ୍ରୀଚଣ୍ଡୀ ସାରୋଳା ।୩୧୬।

ସେ ରାତ୍ରେ ବୋଇଲେ ମୁହିଂ ଲିହଇ ଦିବସେ

ଯମ ପୁରାଣ କହିଲି ବିସ୍ତାରିଣ ଶାସ୍ର ବିଶେଷେ ।୩୧୭।

ମାନବେ ମେଣ୍ଟିବେ କି ଯାହା ଜଗନ୍ନାଥେ ଭିଆଇଲେ

ଶୂଦ୍ରମୁନି ସାରୋଳା ଦାସ ଆଗ୍ୟାଂୟେ ବଞ୍ଚାଇଲେ  ।୩୧୮।

ବଦନ୍ତି ଅଗସ୍ତି ସେ କୁମ୍ଭ ଋଷି ବଚ୍ଛି

ଜଗନ୍ନାଥେ ବୋଇଲେ ମୋ ଭ୍ରାଥମାନେ କାହିଂ ଅଛି ।୩୧୯।

ବଦୟନ୍ତି ପୁରୁଷୋତ୍ତମ ଶାନ୍ତିପନି ପଣ୍ଡାୟେ ଆମ୍ଭର ଗୁରୁ

ତାହାଂକର ପୁତ୍ର ଆମ୍ଭର ଭ୍ରାଥ ଆମ୍ଭେ ସେ ନିମନ୍ତେ ଲୋଡ଼ୁ ।୩୨୦।

ତାହାନ୍ତ ଆମ୍ଭକଇଂ ଦେବୁ ହୋ ନାଶକର

ତେଣୁ କରି ଆମ୍ଭେ ତ ଅଇଲୁ ତୋର ପୁର ।୩୨୧।

ଯମ ବୋଇଲା ମୁଂ ଯେ ଜାଣଇ ସମସ୍ତ

ଯହିଂର ନିମନ୍ତେ ମୁଂ ଆଣିଲି ଗୁରୁଂକ ପଞ୍ଚୁପୁତ ।୩୨୨।

ସ୍ୱାମୀ ସତ୍ୟ ଯୁଗେ ସମ୍ପଦ ନାମେଣ ନୃପତି

ନାରାଜେ ନାଶ କଲା ୟେକ ବ୍ରହ୍ମଯତି ।୩୨୩।

ୟେବେ ଦଣ୍ଡ ପାଉଅଛି ବାଇଶି ଲକ୍ଷ ବରଷ

ଶିମୂଳୀ ବୃକ୍ଷେ ବାନ୍ଧି କାଟଇ ତାହାର ମାୟେଂସ ।୩୨୪।

ସେ ମୋହୋର ଦଣ୍ଡ ପାଉଅଛି ବଡ଼ ଦୁଖ

ମୁଂ ଶାସ୍ତି ଦେଇ ତାକୁ ହୋଇଲି ବିମୁଖ ।୩୨୫।

ସ୍ୱାମୀ ତ୍ରେତୟା ଯୁଗରେ ରାଜା ଜଳତରଙ୍ଗ

ତମ୍ବାର ଭାଣ୍ଡେ ପୂରୋଇ ୟେହାଂକର ଅଙ୍ଗ ।୩୨୬।

ନବଲକ୍ଷ ବରଷ ହେଲାନି ମୁଂ ୟେହାକୁ ଦେଲିନି ୟେଡ଼େ ଶାସ୍ତି

ସ୍ତିରୀ ହତ୍ୟା କଲା ୟେ କଉଶିକ ନୃପତି ।୩୨୭।

ୟେଡ଼େ ବଡ଼ ରାଜାକୁ ମୁଂ ଦେଲଇଂ ବହୁତ ଶାସ୍ତି

ୟେସନେକ ସମ୍ପାଦ କହିଲେ ଯମ ଯେ ନୃପତି ।୩୨୮।

ସ୍ୱାମୀ ତୋହୋର ଦରଶନେ ମୁକତି ହୁଅନ୍ତୁ ତିନି ରାୟେ

ୟେହାଂକ ନିମନ୍ତେ ଆଣିଲି ତୁମ୍ଭର ଗୁରୁଂକର ତନୟେ ।୩୨୯।

ୟେହେ ଶୁଣି ଜଗନ୍ନାଥେ ଗଲେକ ବହନ

ଯାଇଂ ହୋଇଲେ ଜଳତରଙ୍ଗ ସନ୍ନିଧାନ  ।୩୩୦।

ସମ୍ପାଦନ୍ତେ ଜଳତରଙ୍ଗ ଦେଖିଲେ ଜଗନ୍ନାଥ

ନାରାୟଣ ଦ୍ରଶନେ ସେ ପାଇଲେ ବିଷ୍ଣୁପଥ ।୩୩୧।

ପୁଷ୍ୟେକ ରଥେ ବସାଇ ନେଲେ ବିଷ୍ଣୁଗଣେ

ବଇକୁଣ୍ଠ ଭୁବନେ ନେଇ ବସାଇଲେ ତତକ୍ଷଣେ  ।୩୩୨।

କୃତାନ୍ତେକ ଅଗ୍ରତେ କେଶବ କହିଲେ

ବହନ ଯିବୁ ଆମ୍ଭେ ଗୁରୁ ପୁତ୍ରନ୍ତ ପାଇଲେ ।୩୩୩।

କରପତ୍ର ଯୋଡ଼ିଣ ସେ କହଇ ନାଶକର

ଭାଇମାନେ ଅଛନ୍ତି ତୁମ୍ଭର କଞ୍ଚନ ଦେଶର ।୩୩୪।

କାଶୀଶ୍ୱର ଦେଶେ କାଶୀ ନାମେ ନଦୀ

ପ୍ରୟାଗ ନଦୀରୁ ଅଇଶାନ୍ୟ ମୂର୍ତ୍ତି ଭେଦି ।୩୩୫।

ବଇଡୁର୍ଯ୍ୟ ପର୍ବତେ ମଳୟନିଳ ଶଇଳ

କାଶୀଶ୍ୱର ନାମେ ତହିଂ ଲିଙ୍ଗ ଯେ ସୁଢଳ ।୩୩୬।

ଗୁପତ ତୀର୍ଥ ସେ ୟେକାନ୍ତ ବାଣରାସୀ

ଅଭୋଗ ଲିଙ୍ଗ ସେ ବିଜେ ଦକ୍ଷିଣ କାଶୀ ।୩୩୭।

ସେ ତୀର୍ଥ ଭିତରେ ଥାନ୍ତି ପଞ୍ଚୁଭ୍ରାଥେ

ଚଉର୍ଯ୍ୟ କର୍ମେ ସେ ବ୍ରତନ୍ତି ଦେବ ନିତ୍ୟେ ।୩୩୮।

ଯେବଣ ଦ୍ରବ୍ୟ ସେ ନିଅନ୍ତି ଚୋରି କରି

ବାଣ୍ଟନ୍ତି ଧନ୍ୟ ଦ୍ରବ୍ୟ କରନ୍ତି ଭାଗ ଚାରି ।୩୩୯।

କାଶୀ ଦେବତାନ୍ତ ଦିଅନ୍ତି ଭାଗ ବେନି

ପାଞ୍ଚେହେଂ ବ୍ରତନ୍ତି ଦେବ ବେନି ଭାଗ ଘେନି ।୩୪୦।

ଜଗଦ ଜମନିକ ବେନି ସେନାପତି

ରାଇ ଆଗ୍ୟାଂ ଦିଲା ତାଂକୁ କୃତାନ୍ତ ନୃପତି ।୩୪୧।

ବ୍ରାଘ ବାହାନେ ତୁମ୍ଭେ ଚଳ ୟେହିକ୍ଷଣ

ଗୁରୁ ପଞ୍ଚୁପୁତ୍ରେ ତୁମ୍ଭେ ବେଗ କରି ଆଣ  ।୩୪୨।

ଆଗ୍ୟାଂ ପରମାଣେ ସେ ଚଳିଲେ ନାଶକର ଚାର

କୁମାରନ୍ତ ଭେଟିଲେ ସେ କାଶୀ ନଦୀ ତୀର ।୩୪୩।

ମାୟାରେ ସାଧବେ ସେ ହୋଇଲେ ଯମଦୂତେ

ଅନେକ ରତ୍ନ ଆଭରଣେ ଯାଉଛନ୍ତି ପଥେ ।୩୪୪।

ଟସକର ବୃତ୍ତ ଦେଖିଲେ ଧନ ଦ୍ରବ୍ୟ

ଆବର ନିର୍ଭୟ ଭୁଜ ଦିଶଇ ସଭାବ ।୩୪୫।

ରହ ରହ ବୋଲି ଓଗାଳିଲେ ପାଞ୍ଚ ଭାଇ

କରେଣ ମୂଷଳ କୋଠାର ବୁଲାଇ ।୩୪୬।

ବୋଲନ୍ତି ଯମଦୂତେ ଅଟୁ ଆମ୍ଭେ ବିଦୁ

ବିଶେଷେ ବେଦାଧ୍ୟାୟୀ ଆବର ବିପ୍ର ସାଧୁ।୩୪୭।

ଚଉର୍ଯ୍ୟେ ବୋଇଲେ ତୁମ୍ଭେ ଅଟ ସଜ୍ଜନ

ଆମ୍ଭେ ଟସକର ଅଟୁଂ ହରୁଂ ପର ଧନ ।୩୪୮।

କୋପେଣ ଯମଦୂତେ ପ୍ରହାର କଲେ କରଘାତେ

ବେନି ପ୍ରହାରେ ସେ ଛିଡ଼ିଲେ ପଞ୍ଚୁ ଭ୍ରାଥେ ।୩୪୯।

ଆକ୍ରଷଣମତେ ଆଣିଲେ କୋପ କରି

ବ୍ରାଘ ପିଠିରେ ବସାଇଲେ କର ଧରି ।୩୫୦।

ମୋହେ ବନ୍ଧନ କରି ଗୁରୁଂକ ପଞ୍ଚୁପୁତ୍ର ଘେନି

ତକ୍ଷଣେ ପ୍ରବେଶ ହୋଇଲେ ଭୁବନ ସଞ୍ଜୀବନୀ ।୩୫୧।

ନିର୍ଧୁମ ଅଗ୍ନି ଜାଣି ସେ ପୁତ୍ରକଂର କାୟେ

ଯମ ଛାମୁରେ ଦେଇଣ ସେ ପ୍ରଣପତ୍ୟ ହ୍ୱନ୍ତି ପଦ୍ମପାୟେ ।୩୫୨।

ଅନେକ ଭୂଷଣ ଅଳଂକାର ଆଭରଣ କଲେ କୁମରଂକୁ

କର ଧରି ନାରାୟଣେ ଓହ୍ଲାନ୍ତି ତଳକୁ ।୩୫୩।

ଯମର ଆସ୍ତାନ ତେଜି ତିନି ପାବଚ୍ଛର ତଳେ

ଦେଖି ପଣ୍ଡୁ ନିଜ କର ଦିଲାକ କପାଳେ ।୩୫୪।

ପଣ୍ଡୁଂକୁ ଦେଖିଣ ପୁଚ୍ଛିଲେ ଦେବ ହରି

ଆସ ଆସ ପିତା ବୋଲି କେଶବ କୋଳ କରି ।୩୫୫।

ନାରାୟଣ ବୋଇଲେ ସୋମବଂଶ ଚକ୍ରବ୍ରତୀ

ମଧ୍ୟଭୁବନେ ସୋମବଂଶୀ ପଞ୍ଚୁ କଟକେ ଆଧିପତି  ।୩୫୬।

ପ୍ରାଣତ୍ୟାଜ ହୋଇଲା ସତୁରି ବରଷଇ

କେଉଣ ପାତକେ ୟେହାନ୍ତ ଆସ୍ତାନେ ନ ବସାଇ ।୩୫୭।

କରପତ୍ର ଯୋଡ଼ି ଛାମୁରେ କହଇ ଯମ

ବ୍ରହ୍ମହତ୍ୟା କଲା ସ୍ୱାମୀ ନାଶିଲା ତପୋଧନ ।୩୫୮।

ଅଗ୍ନିକା ମହାଋଷି ମୃଗୁଣୀ ସଙ୍ଗେ ମେଳେ

ନାରାଜେ ମାଇଲା ଋଷି ଶୃଙ୍ଗାରର କାଳେ ।୩୫୯।

ସ୍ୱାମୀ ଇଶ୍ୱର ଦେବତା ଯେ ବ୍ରହ୍ମହତ୍ୟା କଲା

ତାହାଂକର ହତ୍ୟା ପୁଣି ମେଣ୍ଟଣ ନ ଗଲା ।୩୬୦।

ଗୋବିନ୍ଦେ ବୋଇଲେ ହୋ ୟେ ମୋହୋର ଧର୍ମତାତ

ଆମ୍ଭର ଦେଖନ୍ତେ ଖଣ୍ଡଣ ହେଲା ପାପମାନନ୍ତ ।୩୬୧।

ଯମ ବୋଲଇ ହୋ ୟେ ହୋଇଲାନି ମୋକ୍ଷ

କାରଣକୁ କଥାୟେ ୟେହାଂକର କରିବା ଶ୍ରୀବଚ୍ଛ ।୩୬୨।

ଯୁଝେଷ୍ଠିଙ୍କ ଅଗ୍ରତେ କହିବା ଦେବ ଯାଇ

ବ୍ରହ୍ମହତ୍ୟା ଦୋଷ ପିତାର ଖଣ୍ଡନ୍ତୁ ପାଞ୍ଚ ଭାଇ ।୩୬୩।

ଶ୍ରୀକୃଷ୍ଣ ବୋଇଲେ ହୋ କେଉଣ ପୁଣ୍ୟ କଲେ

ପିତା ମୋକ୍ଷ ହୋଇବ କେଉଣ ତୀର୍ଥ କଲେ ।୩୬୪।

ଯମ ବୋଇଲେ ପୁତ୍ର ଯେବେ ଧାରାତୀର୍ଥ କରଇ

ବଂଶେ କଳଂକ ଥିଲେ ସର୍ବ ଦୋଷ ହରଇ ।୩୬୫।

ନୋହିଲେ ବ୍ରହ୍ମଗ୍ୟାନ ପାରଇ ଯେବେ ସାଧି

ରାଜୁସି ଯାଗ କଲେ ପ୍ରାପତ ହୋୟେ ଋଦ୍ଧି ସିଦ୍ଧି ।୩୬୬।

ପଣ୍ଡୁ ବୋଇଲେ ସ୍ୱାମୀ ମୋତେ ଅନଗୃହ କର

ମୋହୋର ଅବସ୍ଥା କହ ଯୁଝେଷ୍ଠି ଆଗର ।୩୬୭।

ରାଜୁସି ଯାଗ କରି ଅନ୍ନ ଦାନ ସେ ଦିଅନ୍ତୁ

ଋଷିଗଣମାନେ ଆସି ଅଗ୍ନି ପ୍ରବୋଧନ୍ତୁ  ।୩୬୮।

ଗୋବିନ୍ଦେ ବୋଇଲେ କହିବା ରାୟେ ଆଗେ

ତବ ପାତକ ଧଂସାଇବି କରି ମହାଯାଗେ ।୩୬୯।

ଆହୋ ନାଶକର ୟେ ଯୁଝେଷ୍ଠି ଦେବଂକର ପିତା

ଆମ୍ଭର ଅଟନ୍ତି ୟେ ଗୁରୁ ପରମ ଦେବତା ।୩୭୦।

ଆଜହୁଂ ଆମ୍ଭେ ବାବୁ ବସାଇବୁଂ ଆସ୍ତାନେ

ଭୃତ୍ୟ ପ୍ରାୟେ ହୋଇ ଖଟିଥିବୁ ସନ୍ନିଧାନେ ।୩୭୧।

ଯମ ବୋଇଲା ମୋତେ ଛାୟା ଶାପ ଦିଲା

ବାମ ପାଦେ ମୋର ଗଳୁତ କୁଷ୍ଠବ୍ୟାଧି ଯେ ହୋଇଲା ।୩୭୨।

ରାଜୁସି ଯାଗ ଯେବେ କରିବେ ପଣ୍ଡୁନାନେ

ମୋହୋର ବ୍ୟାଧି ନାଶ ଯିବ ପଣ୍ଡୁର ପରସନ୍ନେ ।୩୭୩।

ସ୍ୱାମୀ ତୁମ୍ଭର ପ୍ରସନ୍ନେ ମୁଂ ପଣ୍ଡୁଂକୁ ହୋଉଛି ଭଗତା

ରାଜୁସି ଯାଗ ନ କଲେ ଦେବି ମୁଂ ଅବସ୍ଥା ।୩୭୪।

ୟେହା କହି ଅନେକ ରତ୍ନ ଆଭରଣ କଲେ ଯେ ପଣ୍ଡୁଂକୁ

ଯମ ଦେବତା ଦଣ୍ଡ ଧରି ଘେନିଗଲେ ଆସ୍ତାନ ଉପରକୁ ।୩୭୫।

ଆସ୍ତାନେ ବିଜେ କଲେ ବିଚିତ୍ରବୀର୍ଯ୍ୟର ତନୟେ

ପ୍ରତକ୍ଷେ ଦିଶନ୍ତି ସେ ଦୁତୀଇନ୍ଦ୍ର ପ୍ରାୟେ ।୩୭୬।

ଗୁରୁ ପଞ୍ଚପୁତ୍ର ଘେନି ବିଜୟେ ଜଗୁସାଇଂ

ଆସନ୍ତି ଜଗମୋହନ ଯମ ଆସ୍ତାନୁଂ ଓହ୍ଲାଇ ।୩୭୭।

ଅନେକ ପାପୀଜନେ ପାଉଥିଲେ ଶାସ୍ତି

ଶ୍ରୀକୃଷ୍ଣ ଦ୍ରଶନେ ସେ ପାଇଲେ ମୋକ୍ଷ ଗତି ।୩୭୮।

ସମସ୍ତ ଜନମାନଂକର ଶାସ୍ତି କେଶବ କଲେ ରକ୍ଷା

ପାଇଲେ ଧର୍ମଗତି ଯେ ଯାହାର ଇଚ୍ଛା  ।୩୭୯।

ଗୁରୁ ପଞ୍ଚୁପୁତ୍ର ଘେନିଣ ମନେ ତୁଷ୍ଟି

ବିଜୟେ ଜଗମୋହନ ଖଗେଶ୍ୱର ପିଠି ।୩୮୦।

ଯମ ଦେବତା ଯେ ଶତସହସ୍ର ପ୍ରଣପତ୍ୟ

ସଦା ଅନଗୃହ କରିବା ମୋତେ ଜଗତଭୂତ ।୩୮୧।

ଜଗନ୍ନାଥେ ବୋଇଲେ ତୁମ୍ଭେ ଶୁଣିମା ନାଶକର

ଆମ୍ଭର କଥାୟେ ରହୁ ତୋହୋର ଭୁବନର ।୩୮୨।

କଳିଯୁଗେ ନାଶ କରିବୁ ଯେ ସଂସାର ଜନଂକୁ

ଅନେକ ପାତକ କରାଇବୁ ମାନୁଷଂକୁ ।୩୮୩।

ଶ୍ରୀମହାଭାରଥ ଯେ ଶୁଣନ୍ତି ୟେକମନେ

ତୋହୋର ଦଣ୍ଡେ ଝିଘାଂସ ନୋହିବେ ରାଜନେ ।୩୮୪।

ସ୍ୱାମୀ ନିତି ପ୍ରତି ପଢନ୍ତି ଶୁଣନ୍ତି ଯେ ତୁମ୍ଭର ଚରିତ

ସେ ଲୋକ ଅଟନ୍ତି ନା ପରମ ପବିତ୍ର  ।୩୮୫।

ସ୍ୱାମୀ ଅନେକ ହତ୍ୟା କଲେ ଶାନ୍ତିପନି ପଞ୍ଚୁ ପୁତ୍ରେ

ସ୍ୱାମୀ ତୁମ୍ଭରେ ମୁକତି ସେ ହୋଇଲେ ପଞ୍ଚୁ ଭ୍ରାଥେ  ।୩୮୬।

ୟେ ମହାଭାରଥ ଯେ ପଢ଼ନ୍ତି ଶୁଣନ୍ତି ୟେକଚିତ୍ତେ

ତୋହୋର ତୁଲ୍ୟେ ତାକୁ କରିବାକ ନିତ୍ୟେ।୩୮୭।

ୟେତେକ ଚେତେଇ ଦିଲେ ଯମ ଦେବତାଂକୁ

ଚଳିଲେ ପୁରୁଷୋତ୍ତମ ଅବନ୍ତୀ ଭୁବନକୁ ।୩୮୮।

ଅପୁତ୍ରିକ ହୋଇଣ ଯେ ବ୍ରାହ୍ମଣ ଶାନ୍ତିପନି

ପ୍ରାଗେ ଝାସିବେ ବୋଲି ସଜ ହୋଇଥିଲେ ପତିପତ୍ନୀ ।୩୮୯।

ମକର ମାସ ଶୁକ୍ଳପକ୍ଷ ଚନ୍ଦ୍ରବାର ଚଉଠି

ରେବତୀ ନକ୍ଷତ୍ର ଅନ୍ତେ ଅଶ୍ୱିନୀ ନକ୍ଷତ୍ର ଭେଟି ।୩୯୦।

ତଇତିଳ ନାମେ କରଣ ସାଧ୍ୟ ନାମରେ ଯେ ଯୋଗ

ମକର ସଂକରାନ୍ତିକି ଚଉବିଂଶ ଦିନ ଭୋଗ ।୩୯୧।

ବେଳ ମଧ୍ୟାହ୍ନ ଅଢାଇ ପ୍ରହର ହୋଇଅଛି

ଗୁରୁ ପଞ୍ଚୁପୁତ୍ର ଘେନି ଯାଇ ବିଜୟେ ଶ୍ରୀବଚ୍ଛି ।୩୯୨।

ତାଳୁରେ ଚୂଳ ହୃଦେ ପଦକ ବାହେ ବଧୁଲୀ ବାହୁଟି

ଖେଳନ୍ତା ସିଂଘ ଜାଣି କୁମର ପାଞ୍ଚଗୋଟି ।୩୯୩।

ଧନୁ ଅର୍କ ଜାଣି ବଦନ ବିକାଶି

ଧାତିକାରେ ଗୁରୁ ପୁତ୍ର ଘେନି ପ୍ରବେଶ ହୋଇଲେ ହୃଷିକେଶୀ ।୩୯୪।

ଶ୍ରୀଭୁଜେ ଧରିଣ ଅଛନ୍ତି ଦେବ ଅଚ୍ୟୁତେ

ପୁତ୍ର ସମର୍ପିଲେ ଦେବ ଗୁରୁଂକ ଅଗ୍ରତେ ।୩୯୫।

ଦେଖିଣ ଆଶ୍ରିଯ ଯେ ହୋଇଲେ ଶାନ୍ତିପନି

ଉଠିଣ ବ୍ରାହ୍ମଣ ପୁତ୍ରନ୍ତ କୋଳ କଲେ ଘେନି ।୩୯୬।

ଦେଖିଣ ଶାନ୍ତିପନି ହୋଇଲେ ପରମ ତୁଷ୍ଟି

ପାସୋରିଲେ ମନୁ ସେ ପୁତ୍ର ହରଣ କଷ୍ଟି।୩୯୭।

ପୁତ୍ର ସମର୍ପିଣ ଯେ ଦେବ ଦଇତାରି

ଅନ୍ତରୀକ୍ଷେ ଗଲେ ଦେବ ବଇନେତ୍ରେ ବିଜେ କରି ।୩୯୮।

ବ୍ରାହ୍ମଣ ବୋଇଲା ଯେ ବ୍ରାହ୍ମଣୀ ମୁଖ ଚାହିଂ

ୟେ କଥା ଅଗୋଚର ଲାଗିଲା ଆମ୍ଭକଇଂ।୩୯୯।

ମାୟା ମୋହେ ପଡ଼ି ମୁଂ ଅନ୍ଧକାର ହୋଇଲି

ଧାତୁବାଦ ପୁରୁଷନ୍ତ ମୁଂ ଚିହ୍ନି ନୁଆରିଲି  ।୪୦୦।

ପରମଗତି ଯେବେ ମାଗନ୍ତି ପୁରୁଷୋତ୍ତମେ

ୟେହି ଦେହ ଘେନି ଥାଆନ୍ତି ନା ଜନ୍ମେ ଜନ୍ମେ ।୪୦୧।

କର୍ମକୁ ସନ୍ତାପି ବିପ୍ର ହୋଇଲାକ ତୂନୀ

ସଞ୍ଚିଲା ଗୃହବାସ ପୁତ୍ର ଭାରିଯାନ୍ତା ଘେନି ।୪୦୨।

ନିଚିନ୍ତେ ଗୃହବାସ ସେ କରଇ ଦ୍ୱିଜବର

ଜଗନ୍ନାଥ ଦ୍ରଶନେ ତାର ଦୁର୍ଗତି ଗଲା ପାର ।୪୦୩।

ହେ ବୁଧଜନେ ଜଗନ୍ନାଥଂକୁ କର ସେବା

ଯମ ଅର୍ଗଳ ଭାଞ୍ଜିବାକୁ ସେହି ସେ ବରଦାତା ।୪୦୫।

ନାନା ତୀର୍ଥ କରିବାକୁ ଦୂରାନ୍ତର ନ ଯା

ଜଗନ୍ନାଥ ନାମ ଗୋଟି ହୃଦରେ କର ପୂଜା ।୪୦୬।

ସ୍ରାହାନେ ହରଷ ଦ୍ରଶନେ ହରଷ

ରଣେ ହରି ବଣେ ହରି ଜଗନ୍ନାଥ ନାମ ଘୋଷ ।୪୦୭।

ଯଶୋବନ୍ତୀର ନନ୍ଦନ ହରି ଯଦୁକୁଳ ନାହା

ନୀଳେନ୍ଦିଦଳ ପୁଷ୍ୟବର୍ଣ୍ଣ ଶଙ୍ଖଚକ୍ର ବାହା  ।୪୦୮।

ଦ୍ରଶନେ ମୋକ୍ଷଦାତା ପ୍ରସନ୍ନେ ପାପ ଧ୍ୱଂସା

ବାଞ୍ଛିତ ଗୁଣନିଧି ପୂରାଅ ମନୀଷା ।୪୦୯।

ଯାହାରେ ସେ ନାଶଗଲା ନାଶକର ଦର୍ପ

ମୃତୁ ପୁତ୍ର ଆଣିବାକୁ ଯାହାର ପରତାପ ।୪୧୦।

ସଂସାରକୁ ବାଟ ଦେଖାଇଲେ ସତ୍ୟପଣେ

ସେବାକଲେ ୟେମନ୍ତେଟି କରଇ ନାରାୟଣେ ।୪୧୧।

ଜଗତ କାରଣ ନାଥ କଇଚ୍ଛା ଜଗଜ୍ଜେଠୀ

ହୃଦଗତେ ସମ୍ପାଦନ କର ଶ୍ରୀକୃଷ୍ଣ ନାମ ଗୋଟି ।୪୧୨।

ସର୍ବଦା ଆନନ୍ଦ ନାଥ ଦେବ ଜଗନ୍ନାଥ

ମୋକ୍ଷଗତି ପୁରୁଷ ୟେ ସକଳ ପୁରୁଷାର୍ଥ ।୪୧୩।

କମଳାର ବଲ୍ଲଭ ନାଥ କରୁଣାମତ୍ସଳ

କରୁଣା କରିବାକୁ ୟେହି ସେ ଆଦିମୂଳ ।୪୧୪।

ଶ୍ରୀମହାଭାରଥ ହୃଦପଦ୍ମେ ଘୋଷି ଲାଭ

ବଇକୁଣ୍ଠ ପୁରେ ସ୍ଥାନଟି ଦିଅନ୍ତି ପଦ୍ମଲାଭ ।୪୧୫।

ଶ୍ରୀ ମଧ୍ୟପର୍ବ ଶାହୋସ୍ର ସଙ୍ଗତେ

ମୁହିଂ ୟେହା ରଞ୍ଚାଇଲି ସଂସାର ଜନ ହିତେ ।୪୧୬।

ତୁଳୁସାର ବଲ୍ଲଭ ପଦ୍ମପାଦେ ନିତ୍ୟେ ସେବି

ଶରଣ ମାଗଇ ଯେ ସାରଳା ଦାସ କବି ।୪୧୭।

ଶ୍ରୀଚଣ୍ଡୀ ସାରୋଳା ଜଙ୍ଖେର ପୁର ବାସୀ

ତାହାର ଚରଣେ ମୁଂ ନିରନ୍ତରେ ଘୋଷି ।୪୧୮।

ଶ୍ରୀ ଜଗନ୍ନାଥଙ୍କର ପଦ୍ମପାଦେ କର ଲୟେ

ଶ୍ରୀ ଜଗନ୍ନାଥଙ୍କର ନାମ ଗୋଟି ମୂଳମନ୍ତ୍ର ହୋୟେ  ।୪୧୯।

ଶ୍ରୀ ଜଗନ୍ନାଥ ସୁମର ନରେ ନଥାଉ ଦୁର୍ଗତି

ଶ୍ରୀ ଜଗନ୍ନାଥ ସ୍ମରେ ନରେ ଖଣ୍ଡିବ ବିପତ୍ତି ।୪୨୦।

ଶ୍ରୀ ଜଗନ୍ନାଥ ନାମ ଗୋଟି ପ୍ରାଣର ମୋକ୍ଷଦାତା

ଶ୍ରୀ ଜଗନ୍ନାଥ ସ୍ୱାମୀ ଅଭୟେ ବରଦାତା  ।୪୨୧।

ଶ୍ରୀ ଜଗନ୍ନାଥ ନାମ ନରେ ନିରନ୍ତରେ ଅଭ୍ୟାସ

ଶ୍ରୀ ଜଗନ୍ନାଥଂକ ପଦ୍ମପାଦେ ଶରଣ ଶୂଦ୍ରମୁନି ସାରୋଳା ଦାସ ।୪୨୨।୮୩୬୦।

 

Unknown

ସୁରେଖା ହରଣ

ବିଲଂକ ଦେଶର ରାଜା ଯେ ବଇବସୁତ ମନୁ

ପାଦାର୍ଘ୍ୟ ଦେଇ ପୂଜିଲେ ଘଟଋଷି ତନୁ ।୧।

ଧୂପ ଦୀପେ ନଇବେଦ୍ୟ ଯେ ମୁନିଂକି ବନ୍ଦାଇଲେ

କୋଟିୟେ ସୁବର୍ଣ୍ଣ ନେଇ ଚରଣ ତଳରେ କୁଢାଇଲେ ।୨।

ନବତନ ବସ୍ର ପୁଣ ସହସ୍ରେକ ଦେଇ

ମୁନିଂକ ଚରଣ ତଳେ ନମଇଂ ନରସାଇଂ ।୩।

ଶ୍ରୀମହାଭାରଥ ୟେ ପୁରାଣ ଅମୃତମୟ ସାର

ଶ୍ରବଣେ ଶୁଣନ୍ତେ ଶାନ୍ତି ହୋଇବ ମୋହୋର ଶରୀର ।୪।

କଳ୍ପାସୁର ବଧ ଅନ୍ତରେଣ ଯେଉଂ କଥା

ୟେଥି ଉତ୍ତାରେଣ କିସ ହୋଇଲା କହ ମୋତେ ବ୍ରହ୍ମବେତ୍ତା  ।୫।

ରାଜାର ବିନୟ ଭଗତିଭାବ ଦେଖି

ପୁରାଣ ପୋଥି ଫେଡିଣ କହନ୍ତି ବ୍ରହ୍ମବତ୍ସି  ।୬।

ୟେକମନ ହୋଇ ତୁ ହୋ ଶୁଣିମା ନରପତି

ପୁରାଣ ପୋଥିଘେନି କହନ୍ତି ବ୍ରହ୍ମଯତି ।୭।

ତୁ ଯେ ପଚାରିଲୁ ରାୟେ ମଧ୍ୟପର୍ବର ବାରତା

ସନ୍ତୋଷ ଚିତ୍ତରେ ତୁଯେ ଶୁଣ ମହାରଥା  ।୮।

କୁରୁମ ପର୍ବତ ବୋଲିଣ ୟେକଇ ଗିରିବରେ

ସୁରନଦୀ ବୋଲି ଯେ ବହଇ ୟେକଧାରେ ।୯।

ତହିଂର ପଛିମେ ୟେକ ନଗ୍ରେକ ଅଛଇ

କରମଣ୍ଡଳ ବୋଲିଣ ନଗ୍ର ନାମ ଅଟଇ ।୧୦।

ତହିଂର ନରେନ୍ଦ୍ର ଯେ କୃତଶେଖର ରାୟେ

ମନ୍ତ୍ରୀ ନାମ ତାର ବିରୁପାକ୍ଷ ହୋୟେ ।୧୧।

ପୁତ୍ର ନାମ ତାର ଅଟଇ ନୀଳଶେଖର

ହାଥୀ ରଥୀ ସଇନି ତାର ଅଛଇ ଅପାର  ।୧୨।

ଅନେକ ସମ୍ଭରେ ରାଜା ରାଜ୍ୟ କରୁଥାଇ

କାହାରି ସଙ୍ଗତେ ଦ୍ୱନ୍ଦ ବାଦ ନ କରଇ ।୧୩।

ଦୋହିତା ଗୋଟିୟେ ତାର ସୁରେଖା ନାମେ ବାଳୀ

ଅନେକ ଯତ୍ନେ ନୃପତି ତାକୁ ପ୍ରତିପାଳି ।୧୪।

ଥୋକାୟେକ ଦିନେ ଦୋହିତା ହୋଇଲା ନବଯୁବା

ସୁନ୍ଦର ପଣକୁ ପଟାନ୍ତର ଦେବା ।୧୫।

ରତିକି ସମାନ ସେ ଅଟଇ ସୁନ୍ଦରୀ

ମୁଖ ଦିଶଇ ତାର ନିର୍ମଳ ଚନ୍ଦ୍ର ପରି ।୧୬।

ହାଥ ପାଦରେଣ ତାର ଶଙ୍ଖ ପଦ୍ମ ଚିହ୍ନ ଅଛଇ

ରୂପଗୋଟି ତାର ତ୍ରିଭୁବନ ମୋହଇ ।୧୭।

ଅଧର ଅରୁଣ ଉଇଂଲା ପ୍ରାୟେକ ଦିଶଇ

ସିଂଘମଝା ପ୍ରାୟେକ ଅଣ୍ଟାଗୋଟି ହୋଇ ।୧୮।

ଆୟ ଅଳଂକାର ତାର ଅଙ୍ଗରେ ନାଇ ଥାଇ

ଅପୂର୍ବ ସୁନ୍ଦରୀ ତାକୁ ତୁଲାଇତ ନାହିଂ   ।୧୯।

ଦେଖି କୃତଶେଖର ଯେ ବିଚାରଇ ମନେ

ଦୋହିତା ଯୁବା ହୋଇଲା କରିବି କେସନେ ।୨୦।

ୟେକାନ୍ତେ ମନ୍ତ୍ରୀକି ଯେ ରାଇଣ କହିଲେ

ମେଢ ଗୋଟାୟେ ତୋଳାଅ ବୋଲିଣ ବୋଇଲେ  ।୨୧।

ରାଜାର ବଚନେ ଯେ ବିରୂପାକ୍ଷ ମନ୍ତ୍ରୀ ଗଲା

ବିଚିତ୍ର ଲେଖନ କରି ମେଢେକ ଭିଆଇଲା ।୨୨।

ରାଜାରେ ଛାମୁରେ ମନ୍ତ୍ରୀ ଜଣାଇଲା ଯାଇଂ

ମେଢଗୋଟି ଭିଆଣ ହୋଇଲା ଗାସାଇଂ ।୨୩।

ଶୁଣି ବେଗେ କୃତଶେଖର ରାଜା ଚଳିଗଲା

ମେଢର ଭିତରେ ଯେ ସବୁ ବୁଲିଣ ଦେଖିଲା ।୨୪।

ସୁନ୍ଦର ଦେଖି ରାଜା ମନ୍ତ୍ରୀକି ପୁଚ୍ଛଇ

ନୋହିଲେ କି ବିରୂପାକ୍ଷ ତୋର ନାମ ହୋଇ ।୨୫।

ପୁତ୍ର ନୀଳଶେଖରକୁ ବୋଲେ ନୃପବର

ସୁରେଖା ବାଳୀକୁ ନେଇ ରଖ ୟେ ମେଢର ଭିତର ।୨୬।

ପୋଇଲି ପରିବାରୀୟେ ଝିଅ ସଙ୍ଗେ ଥାନ୍ତୁ

ନାନା କଉତୁକେ ତାର ମନକୁ ରଞ୍ଜନ୍ତୁ ।୨୭।

ୟେମନ୍ତ ଆଗ୍ୟାଂ ଦେଇ ନୃପତି ଚଳିଗଲେ

କନ୍ୟାକୁ ନେଇଣ ମେଢ ଭିତରେ ରଖିଲେ ।୨୮।

ୟେମନ୍ତେ ଥୋକାୟେକ ଦିନ ବହିଗଲା

ଅନେକ ଦେଶରେ ରାଜା ବର ଖୋଜାଇଲା ।୨୯।

ଦୁହିତା ସମାନେ ବର କାହିଂ ନ ପାଇଲେ

ଫେରି ଦୂତମାନେ ଆସି ରାଜାନ୍ତ କହିଲେ ।୩୦।

ବିସ୍ମୟ ହୋଇ ରାଜା ଭାଳଇ ନିରନ୍ତରେ

ଦୁହିତାକୁ ବିଭା ମୁହିଂ କରିବି କାହାରେ ।୩୧।

ମନେ ମନେ ମହାରାଜା କରଇ ବିଚାର

ଦୁହିତା ବିଭା ନ କଲେ ମୋତେ ନାହିଂ ପ୍ରତିକାର  ।୩୨।

ଭାଳୁଥାଇ ରାଜା ମନେ କାହାକୁ ନ କହି

ନିତି ପ୍ରତିଦିନ ରାଜା ମୃଗୟାକୁ ଯାଇ ।୩୩।

ବରାହ ବ୍ରାଘ ହରିଣ ଶୟମ୍ବର ମାରଇ

ଅନେକ ସମ୍ବରେ ରାଜା ରାଜ୍ୟ କରୁଥାଇ ।୩୪।

ରାଜାର ପରସାଦେ ପ୍ରଜାୟେ ବଡ଼ ସୁଖୀ

ବାଟିକା ଭୂମିରୁ ପାଞ୍ଚ ଚିନା ସୁବର୍ଣ୍ଣ ନିଅଇ ଲେଖି ।୩୫।

ପରଜା ଗୁହାରି ଯେ ବୁଝଇ ଆପଣେ

କାହାରି ଠାରେ ବିମୁଖ ନ ଧରଇ ମନେ ।୩୬।

ନିଚିନ୍ତେଣ ରାଜ୍ୟ କରଇ କୃତଶେଖର

ଦୁହିତାର କଥା ଭାଳୁଥାଇ ସେ ମନର  ।୩୭।

ୟେମନ୍ତେଣ ଦେଖ ଆହୋ ବିଧାତାର କୃତ

ଦୁହିତା କର୍ମେ ଯାହା ଲେଖିଛି ଦଇବତ  ।୩୮।

ବଇଶାଖ ମାସ ଶୁକ୍ଳପକ୍ଷ ତୃତୀୟା ଶନିବାର

ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ୟେକ ମେଳର ।୩୯।

ଶୋଭନ ନାମେ ଯୋଗ ଯେ ଗର ନାମେ କରଣ

ସାଧକ ତାର ରାଜାକୁ ଅଟଇ ସେହୁ ଦିନ ।୪୦।

ସେ ଦିନ ନାରଦ ଋଷି ବୀଣା କନ୍ଧରେ ପକାଇ

କଳି ଧୋକଡ଼ି ମୁଣିକି ମୁନି କାଖେ ଛନ୍ତି ଲାଇ ।୪୧।

ବେଦ ଧୁନି କରି ମୁନି ହୋଇଲେ ବାହାର

କଳହପ୍ରିୟ ମୁନି ନ ରହନ୍ତି ୟେକ ଠାବରେ ।୪୨।

ସ୍ୱର୍ଗରୁ ଓହ୍ଲାଇ ମୁନି ମଞ୍ଚକୁ ଅଇଲେ

ଅନେକ ରାଜ୍ୟ ଭ୍ରମି କୃତିଶେଖର ରାଜ୍ୟରେ ମିଳିଲେ ।୪୩।

ମୁନିଂକି ଦେଖି କୃତଶେଖର ରାଜନ

ନମସ୍କାର କଲା ଯାଇଂ ମୁନିଂକ ଚରଣ ।୪୪।

କଲ୍ୟାଣ କରିଣ ଯେ ବସିଲେ ମୁନିବର

ରାଜ୍ୟ ଦେଖି ପ୍ରଶଂସଇ ବ୍ରହ୍ମାଙ୍କ କୁମର ।୪୫।

ରାଜବିଧି ଚରଚାମାନ ସମସ୍ତ ପଚାରିଲେ

ସମସ୍ତ ଭଲ ବୋଲି ଯେ କୃତଶେଖର କହିଲେ ।୪୬।

ପୁତ୍ର ନୀଳଶେଖର ବେଗ ହୋଇ ଅଇଲା

ମୁନିଂକ ଚରଣେ ସେ ଯେ ଓଲଗି ଶୋଇଲା ।୪୭।

ଅନେକ କଲ୍ୟାଣ ଯେ କଲେ ତପୋବନ୍ତ

ଧନ୍ୟ ଧନ୍ୟ ରାଜା ତୋର ଅଟଇ ଜୀବତ ।୪୮।

ମନ୍ତ୍ରୀ ବିରୂପାକ୍ଷକୁ ବହୁତ ପ୍ରଶଂସିଲେ

ୟେମନ୍ତେଣ ମୁନି ଥୋକାୟେ ବେଳ ତହିଂ ଥିଲେ  ।୪୯।

ରାଜାକୁ ମେଲାଣି ମାଗି ବାହାର ହୋଇଲେ

ବୀଣା ବାଇ ମନଦଣ୍ଡେ ବେଗେ ଚଳିଗଲେ ।୫୦।

ମେଢର ପାଖ ଲାଗି ଯାଉଛନ୍ତି ମୁନି

ମେଢେ ଥାଇ ଦେଖିଲା ତା କୃତଶେଖର ନନ୍ଦିନୀ ।୫୧।

ମୁନିଂକି ଦେଖିଣ ବାଳୀ ବୋଲଇ ୟେଣିକି ଅବଧାନ କର

ମୋହୋର ମନର ବେଦନା କହିବି ତୁମ୍ଭର ଛାମୁର  ।୫୨।

ୟେମନ୍ତ ଶୁଣିଣ ମୁନି ଅବଧାନ କଲେ

ତତକ୍ଷଣେ ଯାଇଣ ଯେ ଭିତରେ ରହିଲେ ।୫୩।

ସୁରେଖା ଆସି ମୁନିଂକି ନମସ୍କାର କଲେ

ମନବାଞ୍ଛା ସିଦ୍ଧ ହେଉ ବୋଲିଣ ବୋଇଲେ ।୫୪।

କଲ୍ୟାଣ କରିଣ ଯେ ବୋଲନ୍ତି ମୁନିବର

ରୂପ ଦେଖି ପ୍ରଶଂସା କରନ୍ତି ଅପାର ।୫୫।

ଅହିଅ ସୁଲକ୍ଷଣୀ ଗୋ ହୁଅସି ନନ୍ଦିନୀ

ବହୁତ ପୁତ୍ରବନ୍ତୀ ତୁହି ହୁଅ ଗୋ ତରୁଣୀ  ।୫୬।

ବିଷ୍ଣୁର ନନ୍ଦନ ଯେ ହୋଉ ତୋର ବର

ୟେହା ଶୁଣି ସୁରେଖା ଯେ କହଇ ଉତ୍ତର ।୫୭।

ଆଜଯାୟେ ମୁନି ମୁହିଂ ବିଭା ହୋଇନାହିଂ

ମୋହୋର ସମାନେ ବର ନ ଗଛିଲା କାହିଂ ।୫୮।

ତୁମ୍ଭେ ମହାମୁନି ହୋ ସୁଦୟା ମୋତେ କର

ଭଲ କରି ବରେକ ମୋତେ ଦିଅସି ବ୍ରହ୍ମାଂକ କୁମର ।୫୯।

ମୁନି ବୋଇଲେ ଆମ୍ଭେ ଯେ କହିବା କଥାୟେ

ତୋହୋର ସମାନେ ବର ଅଛଂଇ ୟେକ ଠାୟେ ।୬୦।

କୁଶସ୍ଥଳୀ ବୋଲିଣ ଯେ ଦ୍ୱାରିକାୟେ ଅଛି

ଉଗ୍ରସେନ ବୋଲି ରାଜା ତହିଂରେ ରାଜ୍ୟ କରୁଅଛି  ।୬୧।

ତାହାର ଦୁହିତା ଯେ ଦେବକୀ ନାମେ ବାଳୀ

ବିଷ୍ଣୁବଂଶ ବୋଲି ବସୁଦେବେ ବିଭାକରି  ।୬୨।

ତାହାଂକର ପୁତ୍ର ଯେ ଅଟନ୍ତି ରାମକୃଷ୍ଣ ବେନି

କଂସର ଡରେ ଗୋପରେ ରହିଥିଲେ ପୁଣି ।୬୩।

ଦଇବର ବଳେ ତାଂକୁ ଅଣାଇଲା କଂସରାଣ

ଶ୍ରୀରାମ କୃଷ୍ଣଂକୁ ଦେଖି କଂସ ହାରିଲାକ ପ୍ରାଣ ।୬୪।

କଂସର ଭାରିଯା ନାମ ହେତି ଯେ ପ୍ରହେତି

ଜରାସନ୍ଧ ରାଜାର ସେ ଅଟନ୍ତି ଦୋହିତୀ  ।୬୫।

ସେ ଯାଇଂ ଗୁହାରି କଲେ ପିତାଂକ ଛାମୁରେ

ତୁମ୍ଭର ଜୁଆଇଂକି ଯେ ଶ୍ରୀକୃଷ୍ଣ ମାଇଲେ  ।୬୬।

ମଥୁରାୟେ ଉଗ୍ରସେନ ରାଜା ହୋଇଥିଲା

ଶୁଣି କରି ଜରାସନ୍ଧ ମଥୁରା ବାହିଲା ।୬୭।

ତାହାର ଡରେ ମଥୁରା ଗଲେ ଛାଡ଼ି କରି

ସମସ୍ତେ ରହିଲେ ଯାଇଂ ଦ୍ୱାରାବତୀ ପୁରୀ ।୬୮।

ଶ୍ରୀକୃଷ୍ଣେ ବିଭା ହୋଇଲେ ଭୀଷ୍ମେକ ଦୁଲଣୀ

ତାହାଂକର ନାମ ଗୋଟି ଅଟଇ ରୁକ୍ମିଣୀ ।୬୯।

ତାହାଂକର ଗର୍ଭେ ଯେ ତନୟ ଉପୁଜିଲେ

ପ୍ରଦ୍ୟୁମ୍ନ ବୋଲିଣ ଯେ ତାହାର ନାମ ଦିଲେ ।୭୦।

ତାହାର ରୂପକୁ ଶୋଭା ନାହିଂ ଯେ ତିନିପୁର ଜଗତ

ଶାପରେ କାମଦେବ ଯେ ହୋଇଅଛି ଜାତ ।୭୧।

ଅଭିନବ କାମ ତାକୁ ପଟାନ୍ତର ନାହିଂ

ବିଷ୍ଣୁର କୁମର ସେ ଯେ ତୁଳାଇବା କାହିଂ ।୭୨।

ରତି କାମ ପ୍ରାୟେକ ଦିଶିବ ତୁମ୍ଭେ ଦୁହେଂ

ଆମ୍ଭର ମନକୁ ୟେମନ୍ତ ପ୍ରାୟେ ଦିଶଇ ଗୋ ମାୟେ ।୭୩।

ନାରଦେ କହନ୍ତେ ସୁରେଖା ମନକୁ ବଳିଲା

ହୋଉ ବୋଲି ମୁନିଂକି ସେ ସନମତ କଲା ।୭୪।

ବୋଇଲା କେଉଂଣ ଦିନ ଆସିବ ମୁନିବର

ତଥ୍ୟ କରି ମୋତେ କହି ଥାଅନି ନିକର  ।୭୫।

ୟେତେ କହିଣ ମୁନିଂକି ଦଣ୍ଡବତ କଲା

ବହୁତ ବିନୋୟୀ ହୋଇଣ କହିଲା ।୭୬।

ମୁନି ବୋଇଲେ ତୁହି ରହିଥାଅ ଦିନା ପାଞ୍ଚ

ଘେନିଣ ଆସିବି ମୁହିଂ ଶ୍ରୀକୃଷ୍ଣର ବତ୍ସ ।୭୭।

କଲ୍ୟାଣ କରି ମୁନି ହୋଇଲେ ବାହାର

ମନଦଣ୍ଡ ଚଢିଗଲେ ଦ୍ୱାରାବତୀ ପୁର ।୭୮।

ଦ୍ୱାରାବତୀ ପୁରେ ଯାଇଂ ପ୍ରବେଶ ହୋଇଲେ

ବୀଣାନାଦ ବାଇ ସଭା ଉପରେ ବିଜେ କଲେ ।୭୯।

ଦେଖିଲେ ଆସ୍ତାନ କରି ବସିଛି ଉଗ୍ରସେନ ରାଜା

ସେଠାରେ ଯାଇଂ ମିଳିଲେ ବ୍ରହ୍ମାଂକ ଆତ୍ମଜା ।୮୦।

ଅକ୍ରୂର ଉଦ୍ଧବ ଯେ ଅନାଧୃଷ୍ଟ ମୂଳେ

ଆସ୍ତାନ କରିଣ ବସିଅଛନ୍ତି ସଭାରେ ।୮୧।

ବସୁଦେବ ସାତୁକୀହିଂ ବସିଣ ଅଛନ୍ତି

ରାମ କୃଷ୍ଣ ବେନି ଭାଇ ତହିଂ ଶୋଭା ପାନ୍ତି ।୮୨।

ୟେମନ୍ତର ସମୟେ ନାରଦ ମୁନି ଯେ ମିଳିଲେ

ବୀଣାଧୁନି କରିଣ ଯେ ସଭାରେ ଉଠିଲେ ।୮୩।

ନାରଦଂକୁ ଦେଖିଣ ଯେ ଉଗ୍ରସେନ ରାୟେ

ନମସ୍କାର କଲେ ଯାଇଂ ମୁନିଂକର ପାୟେ ।୮୪।

ସାତବଂଶ ଯାଦବ ଯେ ନମସ୍କାର କଲେ

ପଛେ ଯାଇଂ ରାମ କୃଷ୍ଣେ ଓଳଗି ହୋଇଲେ ।୮୫।

କଲ୍ୟାଣ ବାଞ୍ଛା ଯେ କରନ୍ତି ମୁନିବର

ସମସ୍ତ କୁଶଳ କି ଅଟଇ ତୁମ୍ଭ ପୁର ।୮୬।

ଉଗ୍ରସେନ ବୋଇଲେ ମୁନି ତୁମ୍ଭର ପରସାଦେ

ସୁଖେଣ ରାଜ୍ୟ ମୁଂ କରଇ ଅପ୍ରମାଦେ ।୮୭।

ରାମକୃଷ୍ଣଂକୁ ଯେ ଚାହିଂ ବୋଲନ୍ତି ତପୋଧନୀ

ପୁତ୍ର ପଉତ୍ରୀ ତୁମ୍ଭର କୁଶଳ ଟିକି ହଳପାଣି ।୮୮।

ଗୋବିନ୍ଦେ ବୋଇଲେ ହୋ ତୁମ୍ଭର କଲ୍ୟାଣେ

ସମସ୍ତେ ସୁଖେଣ ଯେ ଅଛନ୍ତି ସୁବିଧାନେ ।୮୯।

ଗଉରୋବ ପାଇଣ ମୁନି ବସିଲେ ଆସ୍ତାନେ

ଉଗ୍ରସେନ କହିଲେକ ସର୍ବ ସୁବିଧାନେ  ।୯୦।

ୟେମନ୍ତେଣ ମୁନି ଥୋକାୟେ ବେଳ ଥିଲେ

ଯାଉଅଛୁଂ ବୋଲିଣ ସେ ମେଲାଣି ମାଗିଲେ ।୯୧।

ରାଜା ବୋଇଲେ ଆଜକ ରହ କିନା ଆମ୍ଭ ପୁରେ

ନାରଦେ ବୋଇଲେ କ୍ଷଣେ ଆମ୍ଭେ ନ ରହୁ ଯେ ସ୍ଥିରେ ।୯୨।

ନାମ ଆମ୍ଭର ଯେ କଳହପ୍ରିୟ ଋଷି

ୟେକଠାରେ ଆମ୍ଭେ ଯେ କ୍ଷଣେ ନୁଆରୁ ବସି ।୯୩।

ୟେତେ କହିଂ ମୁନି ତହୁଂ ହୋଇଲେ ବାହାର

କାମଦେବର ମନ୍ଦିରେ ଯେ ମିଳିଲେ ତତ୍ପର ।୯୪।

ଦେଖିଲେ ପ୍ରଦ୍ୟୁମ୍ନ ଯେ ବସିଅଛି ୟେକା

ସେଠାରେ ଯାଇଣ ଯେ ମିଳିଲେ ବ୍ରହ୍ମଶିଖା ।୯୫।

ନାରଦଂକୁ ଦେଖିଣ ଯେ ପ୍ରଦ୍ୟୁମ୍ନ ଉଠିଲା

ମୁନିଂକ ଚରଣରେ ପ୍ରଣମିତ କଲା ।୯୬।

କଲ୍ୟାଣ କରିଣ ଯେ ବସିଲେ ମୁନିବର

ଗଉରୋବେ ପୂଜାକଲା ପ୍ରଦ୍ୟୁମ୍ନ କୁମର ।୯୭।

ବୋଇଲା କାହିଂ ଥିଲ କଳହ ପ୍ରିୟଋଷି

ମୋହୋର ଆଗରେ ତାହା କହିବା ବିଶେଷି ।୯୮।

ମୁନି ବୋଇଲେ ଆମ୍ଭେ ଥିଲୁ କୃତଶେଖର ରାଜ୍ୟର

ବାହାରେ ବାହାରେ ଅଇଲୁ ଦ୍ୱାରାବତୀ ପୁର ।୯୯।

ତୁହି ଯେଣୁ ବାବୁ ଅଟୁ ଆମ୍ଭର ପ୍ରାଣସଖା

ତେଣୁ କରି ଆମ୍ଭେ ଯେ କହୁ ଗୁପତର ଭାଖା ।୧୦୦।

ସର୍ବଦା କାଳେ ତୁ ଆମ୍ଭନ୍ତ ସେବା କରିଥାଉ

ଉପାଧି ବାରତ ୟେକ ଆଣିଅଛୁ ତହୁଂ ।୧୦୧।

କୃତଶେଖର ରାଜାର ଦୋହିତା ସୁରେଖା

ରୂପ ଗୁଣରେ ସେ ଯେ ରତି ସଙ୍ଗତରେ ଲେଖା ।୧୦୨।

ଅତିଅନ୍ତ ସୁନ୍ଦର ତାକୁ ପଟାନ୍ତର ନାହିଂ

ତମ୍ବରୁ ମଝା ପ୍ରାୟେ ଅଣ୍ଟା ଗୋଟି ଦିଶଇ।୧୦୩।

ଉଲଟାରମ୍ବା ପ୍ରାୟେ ତାର ବେନି ଜଘନ

ମୃଣାଳ ଲତା ପ୍ରାୟେ ତାହାର ଯେ ଭୁଜ ପୁଣ।୧୦୪।

ତିଳ ଫୁଲ ନାସିକା ତାର ପଟାନ୍ତର ନାହିଂ

ଶ୍ରୀଖଣ୍ଡ କପାଳ ତାର ତୁଲାଇବା କାହିଂ ।୧୦୫।

ବିମ୍ବଫଳ ପ୍ରାୟେ ତାର ଅଧର ଦିଶଇ

କୁଂକୁମ ବର୍ଣ୍ଣ ପ୍ରାୟେ କାୟା ପ୍ରକାଶଇ ।୧୦୬।

ତୁ ତାକୁ ପଟାନ୍ତର ସେ ତୋତେ ଘଟଇ

ତେଣୁ କରି ପଦ୍ମନ ଅଇଲୁ ତୋତେ କହି ।୧୦୭।

ସୋ ତୋହୋର ରୂପ ଗୁଣ ଶୁଣିଲା ଯହୁଂ ବାଳୀ

ବୋଇଲା ସେ ବର ଆଣି ମୋତେ ଦିଅ ତପଶାଳୀ ।୧୦୮।

ୟେବେ ରଥ ସଜ କର ବେଗ ହୋଇ ଯିବା

ରାମ କୃଷ୍ଣ ନ ଜାଣନ୍ତୁ କନ୍ୟାକୁ ବେଗେ ଯେ ଆଣିବା।୧୦୯।

ମୁନି କହନ୍ତେଣ ଯେ ପଦ୍ମନ ହସିଲା

କନ୍ୟାର ରୂପ ଶୁଣି ତାର ଶରଧା ବଳିଲା।୧୧୦।

ବାହୁକ ସାରଥିକୁ ୟେକାନ୍ତରେ ରାଇ

ପଦ୍ମନ କହେ ରଥ ସାଜିଆଣ ଯାଇଂ ।୧୧୧।

ପଦ୍ମନ ଆଗ୍ୟାଂରେ ଯେ ବାହୁକ ରଥ ସଜକଲା

ଦିବ୍ୟବେଶ ହୋଇ ପଦ୍ମନ ରଥରେ ବସିଲା।୧୧୨।

କାମଦେବ ପ୍ରାୟେ ଦିଶିଲାକ ଶୋଭା

କୃଷ୍ଣର କୁମରକୁ କିସ ପଟାନ୍ତର ଦେବା ।୧୧୩।

ରଥ ଚଳାଇ ଯେ ତିନିହେଂ ବାହାର ହୋଇଗଲେ

ପଦ୍ମନ ରଥ ଯିବା ସେ କେହି ନ ଦେଖିଲେ ।୧୧୪।

ତିନି ଦିନେ ଯାଇ କୃତଶେଖର ରାଜ୍ୟରେ ମିଳିଲେ

ଅଭ୍ୟନ୍ତର ଥାନରେ ନାରଦ କୁମରକୁ ରୁହାଇଲେ ।୧୧୫।

ରାତ୍ର ପ୍ରହର ହୋଇଲାକ ଯହୁଂ

ମେଢ ଭିତରକୁ ମୁନି ପଶିଗଲେ ତହୁଂ ।୧୧୬।

ମୁନିଂକୁ ଦେଖି ଯେ କୁମାରୀ ଓଳଗିଲା

ବୋଇଲା କିସ କୃତ କଲ ପଦ୍ମଯୋନି ବଳା।୧୧୭।

ନାରଦେ ବୋଇଲେ ଗଲୁ ଦ୍ୱାରାବତୀ ପୁର

ଘେନିଣ ଅଇଲୁ ଆମ୍ଭେ ବିଷ୍ଣୁର କୁମର ।୧୧୮।

ତୁ ଯହୁଂ ଆମ୍ଭନ୍ତ କହିଲୁ ବିକଳେ

ତେଣୁ କରି ଘେନି ଅଇଲୁ କୃଷ୍ଣର କୁମରେ।୧୧୯।

କୁମାରୀ ବୋଇଲା ଘେନି ଆସ ହେ ମୁନିମଣି

ଦେଖିଲେ ପରତେ ସିନା କରିବଇ ପୁଣି ।୧୨୦।

ୟେହା ଶୁଣି ନାରଦେ ମୁନି ଚଳିଗଲେ

କୁମରକୁ ଯାଇ ବେଗେ ଘେନିଣ ଅଇଲେ ।୧୨୧।

ଦାରୁକକୁ ବୋଇଲେ ତୁ ଅଭ୍ୟନ୍ତର ଯାଅ

ଆମ୍ଭର ଆସିବାଯାୟେ ୟେହି ଠାବରେ ଯେ ଥାଅ  ।୧୨୨।

ୟେତେ ବୋଲି ମୁନି କୁମରକୁ ଘେନି ଗଲେ

କନ୍ୟାର ପୁରେ ନେଇ ପରବେଶ କରାଇଲେ ।୧୨୩।

ୟେହି ସେ କୁମର ଦେଖସି ଗୋ ମାୟେ

ସୁରେଖା ଚାହିଂଲା ଯେ କୃଷ୍ଣର ତନୟେ ।୧୨୪।

ଦେଖିଣ ମୋହମାନ ଯେ ହୋଇଲା ସୁନ୍ଦରୀ

ବହୁତ ପ୍ରଶଂସା କନ୍ୟା ମୁନିଂକି ଯେ କରି  ।୧୨୫।

କୁମର କୁମାରୀ ଦୁହେଂ ଯହୁଂ ହୋଇଲେକ ଭେଟ

ଆନନ୍ଦେ ହସି ବୋଲନ୍ତି ବ୍ରହ୍ମାଂକର ଚାଟ  ।୧୨୬।

ବୋଇଲେ ସୁରେଖା ଗୋ ବର ରୁଚିଲାକ ତୋତେ

ଲାଜେଣ କୁମାରୀ ଯେ ପୋତିଲାକ ମାଥେ ।୧୨୭।

କହୁଂ କହୁଂ ରାତ୍ର ଦୁଇ ପ୍ରହର ବହିଗଲା

କୁମର କୁମାରୀଂକ କଥା ନ ସରିଲା ।୧୨୮।

ବଇବସୁତ ଅଗସ୍ତିଂକି ପଚାରି

ୟେଥି ଉତ୍ତାରେ କିସ ଚରିତ ହୋଇଲା ତପଚାରି ।୧୨୯।

ପୁରାଣ ପୋଥି ଫେଇ ଯେ କହନ୍ତି ବ୍ରହ୍ମମୁନି

ୟେକମନେ ଶୁଣ ତୁହି ବିଲଂକ ଚୂଡାମଣି ।୧୩୦।

କୁମାରିକି ଚାହିଂ ଯେ କୁମର ବୋଇଲା

ଆମ୍ଭର ରାଜ୍ୟକୁ ସଖୀ ଯିବା କି ପଚାରିଲା ।୧୩୧।

ଭେଟ କରାଇ ଯେ ମୁନି ଅନ୍ତର୍ଧାନ ଗଲେ

ପଦ୍ମନ କୁମର ଯେ ମେଢ ଭିତରେ ରହିଲେ ।୧୩୨।

ହାସ ପରିହାସ ଯେ ବହୁତ ହୋଇଲେ

କୁମର କୁମାରୀ ଯହୁଂ ୟେକଯୋଗ ହେଲେ ।୧୩୩।

ପଦ୍ମନ ବୋଇଲା ତୁ ଶୁଣରେ ପ୍ରାଣସହୀ

ଆମ୍ଭର ରାଜ୍ୟକୁ ଚାଲ ଯିବା ବହନ ହୋଇ ।୧୩୪।

ତୁମ୍ଭର ବାପ ଭାଇ ଦେଖିଲେ ଚଳିବେ

ଆମ୍ଭର ସଙ୍ଗତରେ ଯେ ବାଦ ସେହୁ ଆରମ୍ଭିବେ ।୧୩୫।

କଳି ଦ୍ୱନ୍ଦ୍ୱ ୟେଥେ ନିଚେଂ ହୋଇବ ଅପାର

କେହି ନ ଜାଣନ୍ତୁ ବସ ରହୁବର ।୧୩୬।

ୟେତେ କହି ମେଢରୁ ଦୁହେଂ ହୋଇଲେ ବାହାର

ଦାସୀ ପରିବାରୀମାନେ ଅଛନ୍ତି ସଙ୍ଗତର  ।୧୩୭।

ୟେହା ଦେଖି ଦାରୁକ ରଥ ଆଣି କଲା

କୁମାରୀକି ଘେନି କୁମର ରଥେ ବିଜେ କଲା ।୧୩୮।

ଦାସୀ ପରିବାରୀମାନେ ଅନାଉଣ ଥିଲେ

କନ୍ୟାକୁ ଘେନିଣ କୁମର ବେଗେ ଚଳିଗଲେ ।୧୩୯।

ଦାସୀ ପରିବାରୀମାନେ କରନ୍ତି ବିଚାର

ଜାଣିଲେ ଆମ୍ଭନ୍ତ କୋପ କରିବେ ନୃପବର।୧୪୦।

ଶ୍ରୀଘ୍ର ହୋଇ ଦାସୀ ତହୁଂ ବହନ ଚଳିଗଲେ

ରାତ୍ର ନ ପାହୁଂଣ ରାଜାନ୍ତ ଦରଶନ କଲେ ।୧୪୧।

ନମସ୍କାର କରିଣ ଯେ ବୋଲନ୍ତି ଗୋସାଇଂ

ସାବଧାନ ହୋଇ ଆହେ ଶୁଣିମା ନରସାଇଂ ।୧୪୨।

ୟେକ ପୁରୁଷେକ ମେଢରେ କାଲି ପଶିଥିଲା

କନ୍ୟାର ସଙ୍ଗତେ ରାତ୍ରେ ଭେଟ ସେହୁ ହେଲା ।୧୪୩।

ଦୁହେଂ ୟେକମନ ହୋଇ ସଂଯୋଗ ହୋଇଲେ

ଦୁହେଂ ଦୁହିଂକି ରୂପେ ଯେ ପଟାନ୍ତର ଦିଶିଲେ ।୧୪୪।

ରତି କାମଦେବ ପ୍ରାୟେ ଦୁହେଂ ଦିଶିଲେକ ଶୋଭା

ନାହିଂ ପଟାନ୍ତର ତାଂକୁ ତ୍ରିଭୁବନେ ଦେବା ।୧୪୫।

କୁମାରୀକୁ ନେଇ ବଳେ ସେ ରଥରେ ବସାଇଲା

ଆକାଶ ମାର୍ଗରେ ସେ ରଥ ବାହିଗଲା  ।୧୪୬।

ଆମ୍ଭନ୍ତ ଜଣେ ସେ ସଙ୍ଗତେ ନ ନେଲେ

ୟେକା ହୋଇ ସୁରେଖା ତାଂକ ସଙ୍ଗତେ ଯେ ଗଲେ ।୧୪୭।

କୃତଶେଖର ରାଜାର ଉଡ଼ିଲା ସାହାସ

ବୋଇଲେ ଆଉର ବେଳେ କହ ମୋର ପାଶ ।୧୪୮।

ଦାସୀ ବୋଇଲେ କୁମାରୀକୁ କୁମର ଘେନିଗଲା

ରଥ ବାହିଣ ସେ ଶୂନ୍ୟ ମାର୍ଗରେ ଚଳିଲା ।୧୪୯।

ୟେହା ଶୁଣି ରାଜା ବିରୁପାକ୍ଷ ମନ୍ତ୍ରୀକୁ ରାଇଲା

ନୀଳଧର କୁମରକୁ ଚାହିଂଣ ବୋଇଲା ।୧୫୦।

ଆରେ ସୁରେଖାକୁ କେ ମେଢରୁ ନେଉଛି ଚୋରାଇ

ବାନ୍ଧି ଘେନିଆସ ବୋଲି ରାଜା ଆଗ୍ୟାଂ ଦେଇ ।୧୫୧।

ଥାଟ ପଲାଣି ଘେନି ଧାଂଇଲା ନୀଳଧର

ପଞ୍ଚୁ କୋଶେ ଯାଇଣ ସେ ଭେଟିଲା କୁମର ।୧୫୨।

ଡାକିଲେ କାହିଂକି ରେ ଯାଉଛୁ କନ୍ୟାଚୋର

ରହ ରହ ବୋଲି ଯାଇଂ ଓଗାଳିଲେ ଆଗର।୧୫୩।

ମାର ମାର ବୋଲିଣ ଯେ ଶୁଭଇ ଶବଦ

କୁମର ଚାହିଂ କୁମାରୀ ମନରେ ବିଷାଦ  ।୧୫୪।

କୁମାରୀ ବୋଇଲା ଶୁଣ ହୋ ମୟାଣ

ତୁମ୍ଭର ସଙ୍ଗତେ ୟେମାନେ ଅବଶ୍ୟ କରିବେଟି ରଣ ।୧୫୫।

ଶତେପୁର କରି ପଦ୍ମନକୁ ସେ ବେଢିଲେ

ତୀଖ ଶରମାନ ଯେ ନିଠାଇ ବିନ୍ଧିଲେ ।୧୫୬।

କରେଣ ଧନୁଶର ଧଇଲା ମହାବଳୀ

କୃତଶେଖର ସଇନଂକୁ ପକାଇଲା ଦଳି ।୧୫୭।

ଦେଖିଣ ମହାକୋପ କଲାକ ନୀଳଧର

ପଦ୍ମନ ଉପରକୁ ବିନ୍ଧିଲାକ ଶର ।୧୫୮।

ଅଙ୍ଗେଣ ବାଜି ଶହସ୍ରମାନ ଗଳିଗଲା

ଖଳ ଖଳ ହୋଇଣ ରୁଧିର ବହିଲା ।୧୫୯।

କନ୍ୟାକୁ ନିର୍ଭର କରି ଧରିଅଛି କୋଳେ

ଆପଣେ ସମର ସେ ଯେ କରଇ ନିର୍ଭରେ ।୧୬୦।

ଘଡ଼ିୟେକ ପରିଯନ୍ତେ ଅନେକ ଯୁଦ୍ଧ କଲେ

ସାଂଗ୍ରାମେ ପ୍ରଦ୍ୟୁମ୍ନକୁ ଜିଣି ନୁଆରିଲେ ।୧୬୧।

କୃଷ୍ଣର କୁମର ସେହୁ ୟେକେ କାମଦେବ

ତାହାକୁ କିୟେ ଛାର ଦେବ ପରାଭାବ ।୧୬୨।

ଅନେକ ଶହସ୍ରମାନ କୁମରକୁ ମାଇଲେ

କେବେହେଂ ତାହାକୁ ସେ ଜିଣି ନୁଆରିଲେ ।୧୬୩।

ଦୁଇପ୍ରହର ପରିଯନ୍ତେ ହୋଇଲା ରଣଗୋଳ

ବହୁତ ଯୁଦ୍ଧ କଲା କୃତ ଶେଖର ଦୁଲାକ ।୧୬୪।

ୟେକା ଜଣକୁ ସହସ୍ର ଜଣ ବେଢିଲେ

ବହୁତ ରଣଗୋଳ ପ୍ରଦ୍ୟୁମ୍ନ ସଙ୍ଗେ କଲେ ।୧୬୫।

ବହୁତ ସଇନ ସେ ବେଢିଲେକ ଯାଇଂ

ବିସ୍ମୟେ ହୋଇ କୁମର ମନରେ ଭାଳଇ ।୧୬୬।

ବଳେଣ କୁମରକୁ ସେ ଧାଇଂଣ ଧଇଲେ

ରଥ ଉପରକୁ ତଳକୁ ଓଟାରି ଆଣିଲେ ।୧୬୭।

ପାଟଡୋର ଘେନିଣ ଯେ ବାନ୍ଧିଲେ କୁମର

କନ୍ୟା ବସିଅଛଇ ଯେ ରଥର ଉପର ।୧୬୮।

ସାରଥିକି ବୋଇଲେ ହୋ ରଥ ବେଗେ ଚଲା

ଆଗ୍ୟାଂୟେ ସାରଥି ଯେ ରଥ ବାହିନେଲା ।୧୬୯।

କରମଣ୍ଡଳ ରାଜ୍ୟେଣ ପ୍ରବେଶ ହୋଇଲେ

ମେଢର ଭିତରେ ନେଇ କନ୍ୟାକୁ ଥୋଇଲେ ।୧୭୦।

କୁମରକୁ ବାନ୍ଧି ରାଜା ଛାମୁରେ ନେଇ କଲେ

କାହିଂର ତୁ କନ୍ୟାଚୋର ବୋଲିଣ ପଚାରିଲେ ।୧୭୧।

ଲାଜେଣ କୁମର ଯେ ପୋତିଅଛି ମଥା

କାହାକୁ ସେ ଫେଡିକରି ନ କହଇ କଥା  ।୧୭୨।

କୃତଶେଖର ରାଜା ଯେ ମନ୍ତ୍ରୀକି କହଇ

ୟେ କୁମରକୁ ବେଗେ ହଣାଇ ପକା ନେଇ ।୧୭୩।

ୟେଡ଼େ ବଡ଼ ଭରସା ୟେହାର ମେଢରେ ପଶିଲା

ମୋହୋର କୁମାରୀକି ଚୋରାଇ ନେଉଥିଲା ।୧୭୪।

ରାଜାର ବଚନେ ବିରୂପାକ୍ଷ ମନ୍ତ୍ରୀ କହଇ

ଅବଧାନ ହୋଇ ତୁମ୍ଭେ ଶୁଣିମା ଗୋସାଇଂ ।୧୭୫।

ପୁରୁଷ ଅନୁକ୍ରମେ ମୁଂ ସେବକ ତୁମ୍ଭର

ମୋହୋର କଥା ଗୋଟିୟେ ଘେନିମା ନୃପବର ।୧୭୬।

ରାଜା ବୋଇଲେ କିମ୍ପେ ନ କହି ରହିଛୁ ତୁନୀ ହୋଇ

ମନ୍ତ୍ରୀ ବୋଇଲା ଦୋଷ କ୍ଷମା କଲେ କହିବି ଗୋସାଇଂ ।୧୭୭।

ୟେ କନ୍ୟାଚୋରକୁ ଆମ୍ଭେ ବାନ୍ଧି ଥୋଇଣ ଯେ ଥିବା

କାହାର କୁମର ୟେ ବିଚାରି ବୁଝିବା ।୧୭୮।

ସୁନ୍ଦର ପୁରୁଷ ୟେ ବୟସ ଅଳପ

କାମଦେବ ପ୍ରାୟେ ଯେ ଦିଶଇ ସରୂପ ।୧୭୯।

ମହତ ବଂଶରେ ୟେହୁ ହୋଇଅଛି ଜାତ

ବିଚାରିଣ ବୁଝିବା ଯେ ୟେଥିର ତଦନ୍ତ ।୧୮୦।

ୟେହିପରି ମନ୍ତ୍ରୀ ଯହୁଂ ବୁଝାଇ କହିଲା

ରାଜାର ମନକୁ ଅମୃତ ପ୍ରାୟେକ ରୁଚିଲା  ।୧୮୧।

ମନ୍ତ୍ରୀକି ପ୍ରଶଂସା ଯେ କରିଣ ମହାରାୟେ

ବନ୍ଧନରୁ ଫିଟାଇଲେ କୃଷ୍ଣର ତନୟେ ।୧୮୨।

ବନ୍ଦୀ ପ୍ରକାରେ ଜଗିଆ ଦେଇଣ ରଖିଲା

ଯେତେବେଳେ କୁମର ବନ୍ଧନେ ପଡ଼ିଥିଲା ।୧୮୩।

ସୁରେଖା କୁମାରୀ ବହୁତ ଶୋକ କଲା

କୁମର ନାମ ଧରି ବିକଳେ ରୋବିଲା ।୧୮୪।

ଦାସୀ ପରିବାରୀ ଯେ ଅନେକ ତିଆରିଲେ

ଅନେକ ପ୍ରକାର ସେ ପ୍ରୋବଧି କହିଲେ ।୧୮୫।

ବୋଇଲେ କୁମରକୁ ବନ୍ଦୀ କରି ରଖିଛନ୍ତି

ୟେଥକଇଂ ଗରୁଚିନ୍ତା ନ କର ଗୋ ସତୀ ।୧୮୬।୮୫୪୬।

 

ପ୍ରଦ୍ୟୁମ୍ନ ବନ୍ଦୀ ମୋଚନ

ମନୁ ରାଜା ପଚାରନ୍ତି ଅଗସ୍ତିଂକି ଚାହିଂ

ୟେଥି ଉତ୍ତାରେ କିସ ହୋଇଲା ମୋତେ କହିବା ଗୋସାଇଂ ।୧।

ଅଗସ୍ତି ବୋଲନ୍ତି ଶୁଣ ମନୁ ନୃପନାଥ

ୟେଥୁ ଅନନ୍ତରେ କଥା ହୋଇଲା ୟେମନ୍ତ ।୨।

କୁମର ବନ୍ଦୀ ପଡ଼ିବାର ଜାଣିଲେ ନାରଦ ମହାମୁନି

ପଞ୍ଚଭୂତ ଆତ୍ମାରେ ସେ ବିଚାରନ୍ତି ପୁଣ ପୁଣି ।୩।

କୃଷ୍ଣର ନବରେ ପଡ଼ିଅଛି ବହୁତ ଚହଳ

ସମସ୍ତେ ଯେ କାନ୍ଦୁଛନ୍ତି ହୋଇଣ ବିକଳ  ।୪।

ଗୋବିନ୍ଦେ ବୋଇଲେ ତୁମ୍ଭେ ସମସ୍ତେହେଂ ଅଛ

ପ୍ରଦ୍ୟୁମ୍ନ କେଣେ ଅଛଇ ନ ଦେଖଇଂ ମୁଖ ।୫।

ସାତଦିନ ହୋଇଗଲା ମୋର ପୁତ୍ରମଣି କାହିଂ ଗଲା

ପଞ୍ଚୁଭୂତ ଆତ୍ମା ମୋର କାଢିଣ କେ ନେଲା ।୬।

ବଳରାମେ କ୍ରୋଧ ଯେ କରନ୍ତି ବହୁତ

ଉଗ୍ରସେନ ବିଚାରଇ ହୋଇଲା ବିପରୀତ ।୭।

ସାତବଂଶ ଯାଦବ ଯେ ଯାହାରେ ଖୋଜନ୍ତି

ପ୍ରଦ୍ୟୁମ୍ନର ଚିହ୍ନ ବର୍ଣ୍ଣ କାହିଂ ନ ଦେଖନ୍ତି ।୮।

ବହୁତ ବଇକୁଲ୍ୟ ହୋଇଲେ ଭାବଗ୍ରାହୀ

ମୁର୍ଚ୍ଛାଗତ ଗଲେ ଶରୀରେ ଗ୍ୟାନ ନାହିଂ ।୯।

ଭିତରେ ଅଷ୍ଟ ପାଟବଂଶୀ ଆକୁଳେ ରୋବନ୍ତି

କପାଳରେ କର ମାରି ରତି ଦେବୀ କାନ୍ଦନ୍ତି ।୧୦।

ଅନେକ ହାଲହୋଳି ହୋଇଲା ଦ୍ୱାରିକାରେ

କାହାକୁ ପଚାରିବା କେ କହିବ ଛାମୁରେ ।୧୧।

ନାମ ଧରି କୃଷ୍ଣ ଯେ କରନ୍ତି ରୋଦନ

ଲୋକିତ କଥାକୁ ଫେଡ଼ି ନ କହନ୍ତି ଜନାର୍ଦ୍ଦନ ।୧୨।

ଅନ୍ତର୍ଯ୍ୟାମୀ ନାଥ ସେ କାହା ନ ଜାଣନ୍ତି

କେଉଂ କଥା ଉବାରି କି ନ ଜାଣନ୍ତି ଶ୍ରୀପତି ।୧୩।

ମାୟାରେ ରୋଦନ ଯେ କରନ୍ତି ଚକ୍ରଧର

କାହିଂଗଲା ମୋହୋର ଯେ ପ୍ରଦ୍ୟୁମ୍ନ କୁମର ।୧୪।

ବହୁତ ରୋଦନ ଯେ ବଳରାମ କରନ୍ତି

ବହୁତ ରୋଦନ କଲେ ଦଇବକୀ ମହାସ୍ୱତୀ ।୧୫।

ୟେମନ୍ତର ସମୟେ ଯାଇଂ ନାରଦ ମିଳିଲେ

ଦେଖି ବଳରାମ ହରି ଓଳଗି ଶୋଇଲେ ।୧୬।

କଲ୍ୟାଣ କରିଣ ଯେ ବୋଲନ୍ତି ମୁନିବର

ସମସ୍ତ ବିରସ ହରଷ ନାହିଂ ତ କାହାର ।୧୭।

ଗୋବିନ୍ଦେ ବୋଇଲେ ତୁମ୍ଭେ ଶୁଣ ହେ ମୁନିମଣି

ସାତଦିନ ହୋଇଲା ପ୍ରଦ୍ୟୁମ୍ନ କାହିଂଗଲା ନୁଆରିଲା ଜାଣି ।୧୮।

ବହୁତ ବିକଳ ଯେ ହୋଉଛି ଶରୀର

କୁଳର ଧାରଣା ସେ ମୋର ଅଲ୍ୟକ କୁମର ।୧୯।

ଦେଶ ବିଦେଶରେ ତୁମ୍ଭେ ବୁଲୁଥାଅ ମୁନିବର

କାହିଂ ଦେଖିଲକି ମୋର ପ୍ରଦ୍ୟୁମ୍ନ କୁମର ।୨୦।

ମୁନି ବୋଇଲେ ହୋ ତୁମ୍ଭେ ଶାନ୍ତି ହୁଅ

ତହିଂର ବିଧାନ ଆମ୍ଭେ କହିବାକ ରହ ।୨୧।

ନାରଦଂକ ବଚନେ ସମସ୍ତେ ତୁନୀ ଯେ ହୋଇଲେ

କହ ମୁନିବର ବୋଲି ଗୋବିନ୍ଦ ବୋଇଲେ ।୨୨।

ହସିଣ ନାରଦ ଯେ କହନ୍ତି ବଚନ

କୃତଶେଖର ରାଜାପୁରେ ଅଛି ତୋହୋର ନନ୍ଦନ ।୨୩।

ସୁରେଖା ନାମେଣ ତାର ଦୁହିତାୟେ ଥିଲା

ତୋହୋର କୁମର ଯାଇଂ ତାର ମେଢରେ ପଶିଲା ।୨୪।

କନ୍ୟାକୁ ବଳେଣ ସେହୁ ଆଣୁଥିଲା ହରି

ବେଢିଣ କୁମରକୁ ଘେନିଗଲେ ଧରି ।୨୫।

ମାରି ପକାଉଥିଲେ ମନ୍ତ୍ରୀବର ରଖିଲା

ବଡ ସୁନ୍ଦର ୟେ ଯେ ଅଟଇ ବାଳୁତ ବଳା ।୨୬।

ବଡ କୁଳରେ ଜାତ ହେଲା ପ୍ରାୟେକ ଦିଶଇ

ସନ୍ତ୍ରୀର କହନ୍ତେ ରାଜା ବୋଧ ଯେ ହୁଅଇ ।୨୭।

ଯତନେଣ କୁମରକୁ ଅଛନ୍ତି ରଖାଇ

ୟେଥକୁ କିସ ବିଚାର କରିବା ଭାବଗ୍ରାହୀ ।୨୮।

ନାରଦଂକ ମୁଖରୁ ୟେସନେକ ଶୁଣିଲେ

କୋପଭର ହୋଇ ମୁନିଂକି କୃଷ୍ଣ ଯେ ବୋଇଲେ ।୨୯।

ବାଟ କଢାଅ ମୁନି ହେ ଯିବା ତହିଂ ଯାୟେ

ମାରିବି ବଂଶ ତାର କରିବି ନିସଂଶୟେ ।୩୦।

ବଳରାମେ ଶୁଣି ଯେ ବହୁତ କୋପ କଲେ

ହଳ ମୂଷଳରେ ରାଜ୍ୟ ତାର ତାଡ଼ିବି ବୋଇଲେ ।୩୧।

କରମଣ୍ଡଳ ରାଜ୍ୟେ ଲାଙ୍ଗଳେ ତାଡ଼ିବଇ

କୃତଶେଖର ରାଜାନ୍ତ ଯମପୁରେ ପେଶିବଇଂ ।୩୨।

ବହୁତ ପ୍ରତଗ୍ୟାଂ ଯହୁଂ ବଳରାମେ କଲେ

ହଳମୂଷଳ ଧରି କୋପେ ବୁଲାଇଲେ ।୩୩।

ଗୋବିନ୍ଦେ ବୋଇଲେ ହୋ ଶୁଣିମା ହଳଧାରୀ

ଆଗହୁଂ ପ୍ରତଗ୍ୟାଂମାନ କେବେହେଂ ନ କରି ।୩୪।

ତାହାର ଆମ୍ଭର ଯେତେବେଳେ ହୋଇବାକ ଭେଟ

ତେତେବେଳେ ଜାଣିବା ସେ ଅଟଇ କେଡେ ଆଣ୍ଟ  ।୩୫।

ନାରଦେ ବୋଇଲେ ହୋ ଶୁଣିମା ଭାବଗ୍ରାହୀ

ଆପଣାର କଥା କି ଆପଣ ନ ବୁଝ କିମ୍ପାଇଂ ।୩୬।

ମେଢର ଭିତରେ ତୋର କୁମର ପଶିଲା

ତାହାର ଦୋହିତାକୁ ଚୋରାଇ ଆଣୁଥିଲା ।୩୭।

ୟେଥିରେ ତାହାର କେଉଣ ଦୋଷ ନ ଯୋଗାଇ

ସାବଧାନ ହୋଇ ତୁମ୍ଭେ ଶୁଣିମା ଭାବଗ୍ରାହୀ ।୩୮।

ବଳରାମେ ବୋଲୁଛନ୍ତି ଶୁଣ ହୋ ମୁନିବର

କରମଣ୍ଡଳ ରାଜ୍ୟକୁ ଆମ୍ଭ ସଙ୍ଗତେ ବାହାର ।୩୯।

ହସିଣ ନାରଦେ ଯେ ବୋଲନ୍ତି ବଚନ

ବାଟ କଢାଇଣ ଘେନି ଯିବି ମୁଂ ଆହୋ ବଳରାମ  ।୪୦।

ନାରଦ ଗୋବିନ୍ଦ ବଳରାମଂକ ସହିତେ

ଉଗ୍ରସେନଂକ ଆସ୍ତାନେ ଚଳିଲେ ତୁରିତେ ।୪୧।

ଉଗ୍ରସେନକଇଂ ହରି ବଳରାମେ କଲେ ନମସ୍କାର

ନାରଦଂକୁ ଦେଖି ଉଗ୍ରସେନ ନମଇଂ ପୟର ।୪୨।

କଲ୍ୟାଣ କରନ୍ତି ତାଂକୁ ବ୍ରହ୍ମାଂକ ନନ୍ଦନ

ତୋହୋର ବଂଶ ହୋ ରାଜା ହେଉ ବର୍ଦ୍ଧମାନ ।୪୩।

ଉଗ୍ରସେନ ବୋଇଲା ଶୁଣ ହୋ ମୁନିମଣି

ପ୍ରଦ୍ୟୁମ୍ନ ବାରତା ତୁମ୍ଭେ ଅଛକି ହୋ ଜାଣି ।୪୪।

ନାରଦେ ବୋଇଲେ ଆମ୍ଭେ ପାଇଛୁ ବାରତା

କରମଣ୍ଡଳ ରାଜ୍ୟେ ଧରା ହୋଇଛନ୍ତି କୁମର ମହାରଥା ।୪୫।

ତହିଂର ରାଜା ଯେ ଅଟନ୍ତିଯେ କୃତଶେଖର ରାୟେ

ସୁରେଖା ବୋଲିଣ ତାହାର ଅଛଇ ଦୁହିତାୟେ ।୪୬।

ସୁନ୍ଦର ପଣେ ସେହୁ ରମ୍ଭାର ସମାନ

ବାରତା ପାଇ ହରି ଆଣୁଥିଲା ପଦ୍ମନ ।୪୭।

କନ୍ୟା ଘେନି ଆସନ୍ତେ ଜାଣିଲେ କୃତଶେଖର ନୃପରାଣ

ଥାଠ ପେଷି ଧରି ନେଲା କୁମାର ମୟାଣ ।୪୮।

ହାଣି ପକାଅ ବୋଲି ଯେ ମନ୍ତ୍ରୀକି ଆଗ୍ୟାଂ ଦିଲା

ମନ୍ତ୍ରୀ ବୋଇଲା ୟେ ଅପୂର୍ବ ସୁନ୍ଦର ବଳା ।୪୯।

ବଡ଼ କୁଳେ ଜାତ ହୋଇଲା ପରାୟେ ଦିଶଇ

ଧରି ରଖିଥିବା ୟେହାକୁ ନାଶ ନ କରିବା ଗୋସାଇଂ।୫୦।

ମନ୍ତ୍ରୀର ବଚନେ ରାଜା ଯେ ପ୍ରବୋଧ ହୋଇଲା

ଆକଟ କରିଣ କୁମରକୁ ଧରାଇ ରଖିଲା ।୫୧।

ୟେହାଶୁଣି ଉଗ୍ରସେନ କୋପେ ପ୍ରଜ୍ଜଳିତ

କୋପେଣ ଥରହର ଯେ କମ୍ପଇ ନରନାଥ ।୫୨।

ରାଜାର କୋପ ଦେଖି ଯେ ବୋଲନ୍ତି ମୁନିବର

ଆଗହୁଂ ପ୍ରତଗ୍ୟାଂ କିମ୍ପେ କରୁ ନୃପବର ।୫୩।

ଥାଠ ସଜ କର ହୋ ଯିବା ତହିଂ ଯାୟେ

ହାନି ଅପଚୟ ସିନା ବୁଝିବା ସେଠାୟେ ।୫୪।

ଗୋବିନ୍ଦେ ବୋଇଲେ ହୋ ଶୁଣିମା ମହାରାଣ

ଥାଠ ସଜକର ଆମ୍ଭେ ଯିବା ୟେହିକ୍ଷଣ ।୫୫।

ବଳରାମେ ବୋଲନ୍ତି ଉଗ୍ରସେନକଇଂ ଚାହିଂ

ସାତବଂଶ ଯାଦବ ବଳ ସାଜି ଆଣ ତୁହି ।୫୬।

ବଳରାମଂକ ବଚନେ ଉଗ୍ରସେନ ଅକ୍ରୂରକୁ ଚାହିଂ

ବୋଇଲେ ଥାଠ ସଇନି ସାଜି କରି ଆଜ ଆଣ ତୁହି ।୫୭।

ରାଜାର ଆଗ୍ୟାଂ ପାଇ ଅକ୍ରୂର ବେଗେ ଗଲା

ସିଂଘଦ୍ୱାରେ ଯାଇଣ ଟମକ ଦିଆଇଲା ।୫୮।

ବୋଇଲା ସାତବଂଶ ଯାଦବେ ଆସ ସଜ ହୋଇ

ଯାହାର ଯେତେକ ଅଙ୍ଗବଳ ଯେ ଅଛଇ ।୫୯।

ହାଥୀ ରଥୀ ପାଦାନ୍ତି ଯାହାର ଯେତେବଳ

ସଜ ହୋଇ ଆସି ଶିଘ୍ରେ ସିଂଘଦ୍ୱାରେ ମିଳ ।୬୦।

ଉଦ୍ଧବ ଅନାଧୃଷ୍ଟ ଯେ ସାତୁକୀ ସହିତେ

ଶକ୍ରାଜିତ ବାସୁଦେବ ଆଦି ଅଇଲେ ସମସ୍ତେ ।୬୧।

ସାତବଂଶ ଯାଦବେ ଯେ ତୁରିତେ ମିଳିଲେ

ରଥୀ ହାଥୀ ପାଦାନ୍ତି ଯେ ସମସ୍ତେ ଅଇଲେ ।୬୨।

ଅଶ୍ୱ ଚଢ଼ି ଅଶୁଆରେ କମାୟେଣ ଭିଡ଼ି

ଢୋଲ ଚମକ ଯେ ବାଜଇ ତଡବଡ଼ି ।୬୩।

ସହସ୍ରେକ ଶଙ୍ଖ ଯେ ଫୁରଇ ଘନ ଘନ

ମହୁରୀ ତାଳବୀଣା ଯେ ବାଜଇ ଅବିଚ୍ଛନ୍ନ ।୬୪।

ବାଦ୍ୟନାଦ ଶବଦେ ଯେ ମହୀ ଉଚ୍ଛୁଳଇ

ବିକଟାଳ ମୁଖରାବ ଶବଦ ଶୁଭଇ ।୬୫।

ଅକ୍ରୂର ବୋଇଲା ଉଗ୍ରସେନଂକ ଛାମୁରେ

ସବୁ ସଇନି ସଜ ହୋଇଅଛନ୍ତି ସିଂଘଦ୍ୱାରେ ।୬୬।

ରାମକୃଷ୍ଣଂକ ଚାହିଂ ଉଗ୍ରସେନ ବୋଲନ୍ତି

ସାତବଂଶ ସଜ ହୋଇଲେ ଯଦୁପତି ।୬୭।

ଉଗ୍ରସେନଂକ ମୁଖରୁ ୟେସନ ବାକ୍ୟଶୁଣି

ଆପଣେ ସଜ ହୋଇ ଅଇଲେ ଚକ୍ରପାଣି ।୬୮।

ସାତୁକୀକି ଚାହିଂଣ ବୋଲନ୍ତି ଦାମ୍ବୋଦର

ରଥ ସଜକର ଯିବା କରମଣ୍ଡଳ ରାଜ୍ୟର ।୬୯।

ଦିବ୍ୟ ରଥେକ ଯେ ଉଦ୍ଧବ ସଜକଲା

ଗୋବିନ୍ଦଂକ ଛାମୁରେ ନେଇଣ ଉଭାରିଲା ।୭୦।

ବଳରାମଂକୁ ଦିବ୍ୟ ରଥେକ ସଜ କରି ଦିଲେ ଆଣି

ହଳ ମୂଷଳ ଧରି ରଥରେ ବିଜୟେ ହଳପାଣି ।୭୧।

ଶଙ୍ଖ ଚକ୍ର ଗଦା ପଦ୍ମ ଧରି ଦେବ ନରହରି

ଦେବଦତ୍ତ ଶଙ୍ଖକୁ ବଜାନ୍ତି ମୁରାରି ।୭୨।

ବଳରାମଂକ ପୁତ୍ର ଆନନ୍ଦ ସାନନ୍ଦ ସହିତେ

ଶାମ୍ବ ଗଦ ମୂଳେ କୃଷ୍ଣଂକର ପୁତ୍ର ଯେତେ ।୭୩।

ରଥେ ରଥେ ଚଢି କରି ସମସ୍ତେ ଅଇଲେ

ନବର ଦୁଆରେ ଆସି ସମସ୍ତେ ଉଭାରିଲେ ।୭୪।

ୟେକାନ୍ତରେ ଭଗବାନ ସାତୁକୀକି ରାଇଲେ

ଗୁପତ କରିଣ ଯେ ବିଶ୍ୱାସରେ କହିଲେ ।୭୫।

ତୁ ବାବୁ ସାତୁକୀ ଯେ କଥାୟେକ କର

ରଥ ଚଢି ଯାଅ ୟେବେ ବାରୁଣାବନ୍ତ ପୁର ।୭୬।

ଯୁଝେଷ୍ଠିଂକ ଛାମୁରେ କହ ୟେସନକ ଚରିତ

ସାତକ୍ଷଉଣୀ ବଳ ଘେନି ପାଞ୍ଚଭାଇ ଆସିବେ ତୁରିତ ।୭୭।

ଶ୍ରୀକୃଷ୍ଣ ଆଗ୍ୟାଂୟେ ସାତୁକୀ ରଥ ସଜ କଲା

ଦିବ୍ୟ ବେଶ ହୋଇଣ ଯେ ରଥରେ ବସିଲା ।୭୮।

ଗୋବିନ୍ଦଂକୁ ନମସ୍କାର କରିଣ ଚଳଇ

ତତକ୍ଷେଣ ଯାଇଂ ବାରୁଣାବନ୍ତରେ ମିଳଇ।୭୯।

ଯୁଝେଷ୍ଠିଂକ ସିଂଘଦ୍ୱାରେ ମିଳିଲା ମହାବୀର

ରଥରୁ ଓହ୍ଲାଇ ଯେ ପଶଇ ଭିତର।୮୦।

ଦେଖିଲା ଆସ୍ତାନେ ବସିଅଛନ୍ତି ପାଞ୍ଚଭାଇ

ଆସ୍ତାନ ତଳେ ସାତୁକୀ ଉଭାହେଲା ଯାଇଂ।୮୧।

ଯୁଝେଷ୍ଠିଂକି ଦେଖି କରି ଓଳଗି ଶୁତିଲା

ଶିରେ କରଦେଇ ଉଭା ହୋଇଣ ରହିଲା ।୮୨।

ଯୁଝେଷ୍ଠି ବୋଇଲେ ତୁ ଯାଆରେ ନକୁଳ

ବହନ ତୋଳିଆଣ ସାତୁକୀ କୁମର ।୮୩।

ଆଗ୍ୟାଂ ପ୍ରମାଣେ ଯେ ନକୁଳ ଉଠିଲା

ଶିରେ କର ଦେଇଣ ଯେ ଓଳଗି ଶୁତିଲା  ।୮୪।

କୋଳାଗ୍ରତ ହୋଇ ଉଠିଲେ ଦୁଇ ବୀରେ

ଆସ୍ତାନ ଉପରକୁ ଉଠିଗଲେ ଖରେ ।୮୫।

ଭୀମ ଅର୍ଜୁନକୁ ଦେଖି ସାତୁକୀ ଶିରେ କର ଦିଲା

ଗଉରୋବ ପାଇ ଯାଇଂ ଆସ୍ତାନେ ବସିଲା ।୮୬।

ଯୁଝେଷ୍ଠି ବୋଇଲେ ତୁ ଶୁଣ ହୋ ମହାବୀର

କିମର୍ଥେ ଅଇଲୁ କହ ଚରିତ ୟେଥିର ।୮୭।

ମୋତେ ଶଙ୍ଖୋଳିବାକୁ କି ଅଇଲୁ ଆପଣେ

ଆବର କି ତୋତେ ପଠାଇଲେ ଭଗବାନେ ।୮୮।

ୟେଥିର ସନ୍ଦେଶ କହ ମୋହୋର ଅଗ୍ରତେ

ସର୍ବ ଶୁଭେ ଛନ୍ତିଟି କି ପ୍ରଭୁ ଜଗନ୍ନାଥେ ।୮୯।

ବଳରାମଂକର ସର୍ବ ଶୁଭ କହ ମୋତେ

ସର୍ବ ଶୁଭେ ରାଜ୍ୟ କରନ୍ତିଟି କି ଉଗ୍ରସେନ ନରନାଥେ ।୯୦।

ସାତବଂଶ ଯାଦବେ ଭଲେ ଅଛନ୍ତି ଟିକି

ସମସ୍ତ କୁଶଳ ବୋଲି କହଇ ସାତୁକୀ ।୯୧।

କରପତ୍ର ଯୋଡି କହେ ଶୁଣ ହୋ ଠାକୁର

ମୋତେ ପଠିଆଇଛନ୍ତି ଦେବ ଦାମ୍ବୋଦର ।୯୨।

ସପତ ଦିବସର ଅନ୍ତରେଣ କଥା

ଦ୍ୱାରାବତୀ ପୁରେ ହୋଇଲା ଯେଉଂଣ ବ୍ୟବସ୍ତା ।୯୩।

ପଦ୍ମନ କୁମର କେଣେ ଗଲେ କେହି ନ ଜାଣିଲେ

ହରି ବଳରାମେ ଯେ ବହୁତ କ୍ରୋଧ କଲେ ।୯୪।

ଉଗ୍ରସେନ ରାଜା ଯେ ବ୍ୟାକୁଳେ ଭାଳିଲେ

ଦେବକୀ ବସୁଦେବ ଯେ ବହୁତ କାନ୍ଦିଲେ ।୯୫।

ୟେମନ୍ତେଣ ହାଲହୋଳି ହୋଅନ୍ତେ ଦ୍ୱାରିକାରେ

ଯାଇଂଣ ମିଳିଲେ ଯେ ନାରଦ ମୁନିବରେ ।୯୬।

ଦେଖି ମୁନି ପଚାରିଲେ ଦ୍ୱାରିକାୟେତ ସମସ୍ତ ବିରସ

ଶ୍ରୀକୃଷ୍ଣ ବୋଇଲେ ସାତଦିନ ହେଲା କେଣେ ଗଲା ଋକ୍ଣିଣୀରଶିଷ ।୯୭।

ନାରଦେ ବୋଇଲେ ଆମ୍ଭେ କହିବା ତଥ୍ୟ କରି

ଯହିଂରେ ଅଛଇ ଯେ ପଦ୍ମନ ମହାବଳୀ ।୯୮।

ଗୋବିନ୍ଦେ ବୋଇଲେ କାହିଂ ଅଛଇ କହ ତଥ୍ୟ

ୟେମନ୍ତଟି ମୋହୋର ପଶଇ ପଞ୍ଚଭୂତ ।୯୯।

ନାରଦେ ବୋଇଲେ କୁରୁମ ପର୍ବତ ବୋଲି ୟେକ ଗିରିବର

ସୁର ନଦୀ ବୋଲି ତହିଂ ୟେକଇ ସରୋବର ।୧୦୦।

ତହିଂର ପଚ୍ଛିମେ ଯେ କରମଣ୍ଡଳ ଦେଶ

କୃତଶେଖର ବୋଲିଣ ତହିଂର ନରେଶ ।୧୦୧।

ମନ୍ତ୍ରୀୟେ ଅଛି ତାହାର ନାମ ବିରୂପାକ୍ଷ

ନୀଳଶେଖର ବୋଲି ତାର ଅଛଇ ୟେକ ବତ୍ସ ।୧୦୨।

ଦୁହିତା ଗୋଟିୟେ ତାର ସୁରେଖା ବୋଲି ନାମ

ଅତୁଳାଇତ ସୁନ୍ଦରୀ ତାକୁ କେହି ନାହିଂ ସମ ।୧୦୩।

ରୂପ ଗୁଣ ଶୁଣି ପଦ୍ମନ ତହିଂକି ଗଲା

ରଥରେ ବସାଇ କନ୍ୟାକୁ ରାତ୍ରରେ ଆଣୁଥିଲା ।୧୦୪।

ବାରତା ପାଇଣ ସେ ଯେ କୃତଶେଖର ରାୟେ

ଧରାଇ ଘେନିଗଲା କୃଷ୍ଣର ତନୟେ ।୧୦୫।

ବାନ୍ଧି କରି ତାକୁ ରଖିଅଛି ବଳେ

ୟେସନେକ ସନ୍ଦେଶ କହିଲେ ନାରଦ ମୁନିବରେ ।୧୦୬।

ବାରତା ପାଇଣ ରାମକୃଷ୍ଣ ଯେ କୋପକଲେ

ହଳ ମୂଷଳ ଧରି ବଳରାମେ ଯେ ଧାଇଂଲେ ।୧୦୭।

ଉଗ୍ରସେନ ରାଜା ଯେ ବହୁତ କୋପ କରି

ଥାଠ ସଜକରି ସିଂଘଦୁଆରେ ଉଭାରି  ।୧୦୮।

ୟେକାନ୍ତେ ରାଇ ମୋତେ ଶ୍ରୀହରି ଆଗ୍ୟାଂ ଦିଲେ

ପଣ୍ଡୁର କୁମରନ୍ତ ଘେନିଆସ ବେଗେ ଭଲେ ।୧୦୯।

ସାତ କ୍ଷଉଣୀ ବଳ ଘେନିଣ ପାଞ୍ଚଭାଇ

ୟେହିକ୍ଷଣି ଦ୍ୱାରିକାକୁ ଯିବ ବେଗେ ସଜହୋଇ ।୧୧୦।

ୟେହା ଶୁଣି ଯୁଝେଷ୍ଠି ଯେ ହରଷ ହୋଇଲେ

ସ୍ରାହାନ ଭୋଜନ ସାତୁକୀକି କରାଇଲେଳ ।୧୧୧।

ସାତ କ୍ଷଉଣୀ ବଳ ଘେନିଣ ପାଞ୍ଚଭାଇ

ଧନୁ କମାୟେଣ ଘେନି ଆସନ୍ତି ବେଗ ହୋଇ ।୧୧୨।

ନେତର ଚିରାଳ ଯେ ଉଡ଼ଇ ଫରହର

ଯାଇଂଣ ମିଳିଲେ ଯେ ଦ୍ୱାରାବତୀ ପୁର ।୧୧୩।

ବଳରାମନ୍ତ ଦେଖି ଯୁଝେଷ୍ଠି ପାଞ୍ଚଭାଇ ଓଳଗିଲେ

କାମପାଳେ ବହୁତ ଯେ କଲ୍ୟାଣ ବାଞ୍ଛାକଲେ ।୧୧୪।

ଗୋବିନ୍ଦେ ଯୁଧେଷ୍ଠିଂକି କଲେ ନମସ୍କାର

ଚାରିଭାଇ ଓଳଗନ୍ତି ଶ୍ରୀକୃଷ୍ଣ ପୟର ।୧୧୫।

ଗୋବିନ୍ଦେ ବୋଲନ୍ତି ଯୁଝେଷ୍ଠିଂକ ମୁଖ ଚାହିଂ

ସାତୁକୀ କହିବାର ତ ଶୁଣିଛ ଗୋସାଇଂ  ।୧୧୬।

ଯୁଝେଷ୍ଠି ବୋଇଲେ ମୁହିଂ ଶୁଣିଛି ସମସ୍ତ

ଥାଠ ସଜକର ୟେବେ ଯିବା ଜଗନ୍ନାଥ ।୧୧୭।

ସେହିକ୍ଷଣି ବୀରତୂର ଟମକ ବାଜିଲା

ଶଙ୍ଖ ମହୁରୀ ଯେ ଦମା ଘନ ଘନ ଫୁରିଲା ।୧୧୮।

ନେତର ଚିରାଳ ଯେ ଫରହର ଉଡଇ

ଦେବ ମାନବରେ ତାହା କହିତ ନୁହଇ ।୧୧୯।

ଜୟଶଙ୍ଖ ବଜାଇ ଯେ ହୋଇଲେ ବାହାର

ପନ୍ଦର କ୍ଷଉଣୀ ବଳ ଘେନି ଚଳେ ଉଗ୍ରସେନ ନୃପବର ।୧୨୦।

ସମଦଣ୍ଡ ଚଳାଇଣ ଗଲେ ଆଗ ହୋଇ

ତାହାଂକ ପଛେ ସାତ କ୍ଷଉଣୀ ବଳ ଘେନିଣ ପାଣ୍ଡବ ପାଞ୍ଚଭାଇ ।୧୨୧।

ପୁତ୍ର ମାନନ୍ତ ଘେନି ରାମକୃଷ୍ଣ ବେନିଭାଇ

ପଛ ଦଣ୍ଡରେ ସେ ଯେ ଆସନ୍ତି ଚଳାଇ ।୧୨୨।

ଧୀର ଧୀର ହୋଇ ଥାଠ ଚଳାଇଣ ଗଲେ

କରମଣ୍ଡଳ ଦେଶେ ଯାଇଂ ପରବେଶ ହୋଇଲେ ।୧୨୩।

ଢୋଲ ଟମକ ଦମା ବାଜଇ ନିଶାଣ

ବାଦ୍ୟର ଘାୟେ କମ୍ପଇ ତିନି ଯେ ଭୁବନ  ।୧୨୪।

ଉଛୁଳି ପଡୁଅଛି ଯେ ସପ୍ତ ବ୍ରହ୍ମାଣ୍ଡରେ

ଅଶ୍ୱ ଖିୁରା ଧୂଳିଉଡ଼ି ଉଠେ ଆକାଶରେ ।୧୨୫।

ଦିବସେ ଅନ୍ଧାର ଯେ ହୋଇଲାକ ସୃଷ୍ଟି

ଘୋର ଧୁନି ଶୁଣି ପଚାରଇ କରମଣ୍ଡଳ ନୃପତି ।୧୨୬।

ବିରୂପାକ୍ଷ ମନ୍ତ୍ରୀକି ବୋଇଲା ୟେ କେବଣ ଚରିତ

ଅନ୍ଧାରମୟ କିମ୍ପାଇଂ ଦିଶିଲା ଜଗତ ।୧୨୭।

ମନ୍ତ୍ରୀ ବୋଲେ ଥାଠ ଗୋଟା କାହୁଂ ଆସୁଅଛି

ବୀରତୂର ବାଦ୍ୟମାନ ଅନେକ ବାଜୁଛି ।୧୨୮।

ରାଜା ଆଗ୍ୟାଂ ଦିଲେ ମନ୍ତ୍ରୀବର ମୁଖ ଚାହିଂ

କାହିଂର ସେ ସଇନ ବୁଝିଆସ କିନା ଯାଇଂ।୧୨୯।

ୟେହା ଶୁଣି ମନ୍ତ୍ରୀବର ଡଗର ରାଇଲା

ବିଶ୍ୱାସ କରିଣ ଯେ କଥାନ୍ତ ବୋଇଲା ।୧୩୦।

କାହାର ଥାଠ ସେ ବେଗେ ପଚାରି ଆସ ଯାଇଂ

ଯୁଦ୍ଧକୁ ଆସୁଥିଲେ ଯୁଝିବା ଆମ୍ଭେ ଯାଇଂ ।୧୩୧।

ପ୍ରୀତିକି ଆସୁଥିଲେ କରିବା ପ୍ରୀତିପଣ

ବନ୍ଧୁପଣକୁ ଆସୁଥିଲେ କରିବା ବିଚାରିଣ ।୧୩୨।

ଗୁଣସାଗର ମନ୍ତ୍ରୀ ଯେ ସର୍ବ ସିଦ୍ଧି ଜାଣଇଂ

ତାହାକୁ ଅବା କିସ ପଟାନ୍ତର ଦେବଇଂ ।୧୩୩।

ଶୁଣ ହୋ ମନୁ ରାଜା ପଚାରନ୍ତି ଅଗସ୍ତି

ୟେକମନ ହୋଇ ଶୁଣ ମଧ୍ୟପର୍ବ ରୀତି ।୧୩୪।

ମନ୍ତ୍ରୀର ମୁଖରୁ ଡଗରେ ୟେସନେକ ଶୁଣିଲେ

ଉଗ୍ରସେନଂକ ଥାଠରେ ଯାଇଣ ମିଳିଲେ ।୧୩୫।

ଡଗରେ ପଚାରନ୍ତି ତୁମ୍ଭେ କାହିଂର ହୋ ରାଜା

ଆମ୍ଭର ରାଜ୍ୟରେ ପଶୁଛ ତୁମ୍ଭର କେଉଣ ତରିଜା ।୧୩୬।

ବୀରତୂର ବଜାଇ ଆମ୍ଭର ରାଜ୍ୟେ ଆସି ପଶ

ୟେଡ଼େକ ଭରସା ତୁମ୍ଭର ବଡ଼ାଇ ସାହସ ।୧୩୭।

ଶତ୍ରୁପଣେ ଆସୁଛ କି ମିତ୍ରପଣେ ଆସ

ମୋହୋର ଆଗରେ କୁହ ୟେଥିର ସନ୍ଦେଶ ।୧୩୮।

ରାଜାର ଆଗ୍ୟାଂ ପାଇଣ ଆସିଅଛି ମୁହିଂ

ସନ୍ଦେଶ ବାରତା ବୁଝି ଜଣାଇବି ଯାଇଂ  ।୧୩୯।

ଡଗର ମୁଖୁଂ ଅକ୍ରୂର ୟେସନେକ ଶୁଣି

ଉଗ୍ରସେନ ଛାମୁରେ ଜଣାଇ ମନ୍ତ୍ରୀମଣି  ।୧୪୦।

ବୋଇଲା ଅବଧାନ ଯେ କର ମହାରାୟେ

କୃତଶେଖର ରାଜାଠାରୁ ଡଗରେକ ଆୟେ ।୧୪୧।

ବୋଲେ କାହିଂର ନୃପତି ତୁମ୍ଭେ ଥାଠ ସଇନି ଘେନି

ଆମ୍ଭର ରାଜ୍ୟେଣ ଆସି ପଶୁଛ ନ ଜାଣି ।୧୪୨।

ଯୁଝିବାକୁ ଆସୁଥିଲେ ତାହା ଆମ୍ଭ ଆଗେ କହ

ପ୍ରୀତିକି ଆସୁଥିଲେ କହ ତହିଂର ସନ୍ଦେହ ।୧୪୩।

ବନ୍ଧୁପଣକୁ ଆସୁଥିଲେ କହ ପରିମାଣି

ୟେଥକୁ କିସ ଆଗ୍ୟାଂ ହୋଇବ ନୃପମଣି।୧୪୪।

ଉଗ୍ରସେନ ବୋଇଲେ ରାମକୃଷ୍ଣଂକୁ ପଚାର

ୟେଥିର ସନ୍ଦେଶ ସେ କହିବେ ବିଚାର  ।୧୪୫।

ୟେହା ଶୁଣି ଅକ୍ରୂର ଯେ ବେଗେ ଚଳିଗଲା

ରାମକୃଷ୍ଣଂକ ଛାମୁରେ ସେ ଯାଇଂଣ ମିଳିଲା ।୧୪୬।

ପାୟେ ପଡ଼ି ଶୁତିଲା ସେ ଶିରେ କର ଦେଇ

ଅବଧାନ ହୋଇ ଯେ ଶୁଣିମା ଗୋସାଇଂ ।୧୪୭।

କୃତଶେଖର ରାଜାର ଡଗର ଆସିଛଇଂ

କାହିଂର ରାଜା ବୋଲି ସେ ପଚାରୁ ଅଛଇଂ ।୧୪୮।

ୟେଥକୁ କିସ ଅବଧାନ ହୋଇବା ଗୋସାଇଂ

ଗୋବିନ୍ଦେ ବୋଇଲେ ଡଗର ଅଛି କାହିଂ ।୧୪୯।

ଅକ୍ରୂର ବୋଇଲେ ଡଗର ଆଗ ଥାଠେ ଅଛି ରହି

ବଳରାମେ ବୋଇଲେ ତୁ ଘେନିଆସ ଯାଇଂ।୧୫୦।

ଆଗ୍ୟାଂ ପରମାଣେ ଅକ୍ରୂର ଧାଇଂଗଲା

କୃତଶେଖର ଡଗରକୁ ଘେନିଣ ଅଇଲା ।୧୫୧।

ରାମକୃଷ୍ଣଂକ ଛାମୁରେ କଲା ତାକୁ ନେଇ

ଡଗରକୁ ଚାହିଂଣ ଯେ ବୋଲନ୍ତି ଭାବଗ୍ରାହୀ ।୧୫୨।

କିସ ଚରିତ ତୁ ହୋ କହ ଆମ୍ଭର ଆଗର

ଡଗର କହଇ ଯେ ଯୋଡ଼ିଣ ବେନି କର  ।୧୫୩।

କାହିଂର ରାଜା ତୁମ୍ଭେ ପଶୁଛ ଆମ୍ଭର ରାଜ୍ୟର

ୟେମନ୍ତ ବୋଲିଣ ଯେ ପଚାରଇ ମୁଂ ଛାମୁର ।୧୫୪।

ଯୁଦ୍ଧ ନିମନ୍ତେ ଆସୁଥିଲେ ଯୁଝ ଆମ ସଙ୍ଗତରେ

ପ୍ରୀତିପଣେ ଆସୁଥିଲେ ପ୍ରୀତି କରିବା ତୁମ୍ଭରେ।୧୫୫।

ବନ୍ଧୁପଣକୁ ଆସୁଥିଲେ ତାହା ବିଚାରିବା

ରାଜାଂକ ଛାମୁରେ କହି ଘେନାଇଂଣ ଯିବା ।୧୫୬।

ଶ୍ରୀକୃଷ୍ଣ ବୋଇଲେ ତୁ ଶୁଣ ହୋ ଡଗର

ଆମ୍ଭର ଅଜା ଅଟଇ ଉଗ୍ରସେନ ନୃପମଣି ।୧୫୮।

ସୁରେଖା କନ୍ୟା ନେଉଥିଲା ଯେଉଂ ବୀର

ସେ ବୀର ଗୋଟି ଅଟଇ ଆମ୍ଭର କୁମର ।୧୫୯।

ଗୋବିନ୍ଦ ବୋଲନ୍ତେ ଡଗରକୁ ୟେହୁ ବାଣୀ

କୋପେ ଥର ହର ହୋଇ କମ୍ପନ୍ତି ହଳପାଣି ।୧୬୦।

ବୋଇଲେ ତୋର ରାଜାକୁ କହରେ ଡଗର

ସୁରେଖା କନ୍ୟାକୁ ନେଉଥିଲା ଯେଉଂ ବୀର ।୧୬୧।

ସେହି ବୀର ଗୋଟି ଆମ୍ଭର କୁମର ଅଟଇ

ତାହାକୁ ବନ୍ଦୀ କରି କିମ୍ପେ ରଖିଛ ନରସାଇଂ ।୧୬୨।

ୟେତେ କହି କୋପ ଯେ କରନ୍ତି ସଂକ୍ରିଷେଣ

କରମଣ୍ଡଳ ରାଜ୍ୟକୁ ତାଡ଼ିବି ଲାଙ୍ଗଲେଣ ।୧୬୩।

ମାରିବି ତାର ବଂଶ ପୁତ୍ର ନାତି ତୁଲେ

ରକ୍ଷା କରି ନୁଆରିବେ ତାକୁ ଦଶ ଦିଗପାଳେ ।୧୬୪।

କହୁଂ କହୁଂ କୋପେ କୋପାନଳ ରାମ ହରି

ରାମ କୋପେ କମ୍ପଇ ଦଲ ଦଲ ବସୁନ୍ଧରୀ ।୧୬୫।

ଡଗରକୁ ବୋଇଲେ ତୁମ୍ଭେ ଯାଅ ବେଗ ହୋଇ

ତୁମ୍ଭର ରାଜାକୁ କହ ଆମ୍ଭର ଆଗ୍ୟାଂ ଯାଇ ।୧୬୬।

ୟେ ବାରତା ପାଇଣ ଡଗରେ ଚଳିଗଲେ

ମନ୍ତ୍ରୀର ଛାମୁରେ ଯାଇଂଣ ମିଳିଲେ ।୧୬୭।

ମନ୍ତ୍ରୀ ପଚାରଇ କିସ ଚରିତ୍ର ବୁଝିଲ

ଡଗରେ ବୋଲନ୍ତି ଅବଧାନ କର ହୋ ମନ୍ତ୍ରୀବର  ।୧୬୮।

ସୁରେଖା କନ୍ୟାକୁ ନେଉଥିଲା ଯେହୁ ହରି

ତାହାଂକର ପିତା ଯେ ଆସୁଛନ୍ତି ଯୁଦ୍ଧ କରି ।୧୬୯।

ବଡ ପ୍ରତାପୀ ସେ ଯେ ଅଟଇ ନୃପବର

ଥାଟ ସଇନ ତାର ସଙ୍ଗତେ ଅଛଇ ଅପାର ।୧୭୦।

ପାଦଭରେ ଦଲ ଦଲିତ କମ୍ପୁଅଛି ମହୀ

ବଡ଼ କୋପ କଲା ସେହୁ ଲଙ୍ଗଳ ବୁଲାଇ  ।୧୭୧।

ବୋଇଲା ତୁମ୍ଭର ରାଜ୍ୟକୁ ମୁଂ ପକାଇବି ତାଡ଼ି

ବଜ୍ର ମୂଷଳେକ ଯେ ହାଥରେ ଅଛି ଧରି ।୧୭୨।

ବୋଇଲି କାହିଂର ତୁମ୍ଭେ ଅଟ ନୃପବର

ସେ ବୋଇଲେ ଆମ୍ଭ ରାଜ୍ୟ ଅଟଇ ଦ୍ୱାରାବତୀ ପୁର ।୧୭୩।

ଯଦୁ ଭୋଜବଂଶର ହେ ଆମ୍ଭେ ଅଟୁ ରାୟେ

ଆମ୍ଭର ତନୟ ସେ ବନ୍ଦୀରେ ଯେହୁ ରହେ ।୧୭୪।

ଡଗର ମୁଖରୁ ୟେସନେକ ବାକ୍ୟ ଶୁଣି

ତକ୍ଷଣେ ଚଳିଗଲା ମନ୍ତ୍ରୀ ଚୂଡାମଣି ।୧୭୫।

ରାଜାର ଛାମୁରେ ମନ୍ତ୍ରୀ ପ୍ରବେଶ ହୋଇଲା

ଶିରେ କର ଦେଇ ପାୟେ ପଡ଼ିଣ ଶୁତିଲା ।୧୭୬।

ବୋଇଲା ସାବଧାନ ହୋଇ ଶୁଣ ନୃପରାହୁ

ଡଗର ଯାହା କହୁଛି ଅବଧାନ ହୋଉ ।୧୭୭।

ରାଜା ଆଗ୍ୟାଂ ଦିଲେ ଯେ ଡଗରକୁ ଚାହିଂ

କାହିଂର ରାଜା ସେ ଯେ କାହିଂକି ଆସଇ ।୧୭୮।

ଡଗର ବୋଇଲା ଯେ ଶୁଣିମା ନରନାଥ

ସାବଧାନ ହୋଇ ଶୁଣ ତହିଂର ଚରିତ ।୧୭୯।

ଦ୍ୱାରାବତୀ ପୁରେ ଅଟଇ ତାହାଂକର ଘର

ଯଦୁ ଭୋଜବଂଶେ ସେ ଅଟନ୍ତି ନୃପବର ।୧୮୦।

ବୋଇଲେ ଆମ୍ଭର ପୁତ୍ରକୁ ଧରିଅଛି ତୁମ୍ଭ ରାୟେ

ୟେମନ୍ତ ବୋଲିଣ ସେ ବହୁତ କୋପକୟେ ।୧୮୧।

ଡଗର କହନ୍ତେ ରାଜା ମନ୍ତ୍ରୀକି ଚାହିଂଲା

ଆମ୍ଭର ଥାଠ ସଜକର ବୋଲିଣ ଆଗ୍ୟାଂ ଦିଲା ।୧୮୨।

ରାଜାର ମୁଖରୁ ଯେ ପରମାଣ ପାଇ

କର ଯୋଡ଼ିଣ ଯେ ମନ୍ତ୍ରୀବର କହଇ ।୧୮୩।

ସାବଧାନ ହୋଇ ତୁମେ ଶୁଣ ନୃପବର

ପୁରୁଷ ଅନୁକ୍ରମେ ମୁଂ ସେବକ ତୁମ୍ଭର ।୧୮୪।

ନ କହିଲେ କଥା ତ ନୋହଇ ଗୋସାଇଂ

କହିଲେ ଦୋଷ କ୍ଷମା କରିବା ନରସାଇଂ ।୧୮୫।

ମନ୍ତ୍ରୀକି ବୋଇଲା ହୋ ତୋହୋର କିସ ଦୋଷ

ନିର୍ଭୟ ହୋଇଣ ଯେ କହ ମୋହୋର ପାଶ ।୧୮୬।

ମନ୍ତ୍ରୀ ବୋଇଲା ମୁହିଂ ଜାଣଇଂ ତହିଂର ବିଧାନ

ୟେକମନ ହୋଇଣ ଯେ ଶୁଣ ନୃପରାଣ ।୧୮୭।

ମଥୁରା କଟକେ ଯେ ରାଜା ଉଗ୍ରସେନ

ଉଗ୍ରସେନର ଅଟଇ କଂସ ଯେ ନନ୍ଦନ ।୧୮୮।

ବଡ଼ାଇ ପ୍ରତାପି ସେ ହୋଇଲା ମହାରାୟେ

ଗଣ ଗନ୍ଧର୍ବ ଦେବତାୟେ ସେ ନ କରଇ ଭୟେ ।୧୮୯।

ଦେବତାନ୍ତ ଆଣି ଖଟାଇଲା ନିଜ ପାଦତଳେ

ଦାନବ ବଳ ପାତାଳୁ ଆସି ସାହା ହେଲେ ।୧୯୦।

ୟେମନ୍ତ ରାଜ୍ୟ ସେ କରଇ କଂସ ନୃପବର

ତରେ ପୃଥିବୀର ରାଜା ଦିଲେ ଆଣି କର ।୧୯୧।

ୟେମନ୍ତ ମହିଂମା ବେଳୁଂବେଳ ହୋଇଲା ତାହାର

ନାରଦେ ବୋଇଲେ ମରିବୁ ଭଣଜା ହାଥର ।୧୯୨।

ଦଇବକୀ ନାମେଣ ତାର ଜ୍ୟେଷ୍ଠ ଯେ ବହେଣୀ

ବସୁଦେବକୁ ଯେ ବିଭାକଲେ ସେ ତରୁଣୀ ।୧୯୩।

ତାହାଂକ ଛଡ଼ପୁତ୍ର ମାଇଲା କଂସରାଣ

ୟେହି ଗର୍ଭରୁ ଶତ୍ରୁ ଉପୁଜିବ ବୋଲି ଜାଣଇଂ ଆପଣ ।୧୯୪।

ୟେତେ ବୋଲି ଭୟେଣୀକି ଜଗିଆ ଦେଇ ରଖାଇଲା

ବନ୍ଦୀଘରେ କୁମରେକ ଜନମ ହୋଇଲା ।୧୯୫।

ବସୁଦେବ ତାହାକଇଂ ଚୋରାଇ ଘେନିଗଲା

ଗୋପ ନବରେ ନନ୍ଦଘରେ ଛାଡ଼ିଣ ଅଇଲା ।୧୯୬।

କନ୍ୟାୟେ ପାଲଟାଇ ଆଣିଲେକ ଯହୁଂ ଘରେ

କଂସର ହାଥରେ ସେ ଦିଲାକ ନେଇ ଭଲେ ।୧୯୭।

ବଳେଣ କଂସ ଯେ ମର୍କତ ଶିଳାରେ କଚାଡ଼ିଲା ପୁଣି

ହାଥରୁ ପିଚିକାଇ ଗଲା ସେ ତରୁଣୀ ।୧୯୮।

ବିଜୁଳି କନ୍ୟା ଯେ ଗୋପେ ଜନମିଣ ଥିଲା

ହାଥରୁ ଫିଟିକାଇ ସେ ଶୂନ୍ୟରେ ରହିଲା ।୧୯୯।

ଯେ ତୋତେ ମାରିବ ସେ ଗୋପପୁରେ ରହିଲାଣି

ୟେତେ କହି ଅନ୍ତର୍ଧାନେ ଗଲାକ ତରୁଣୀ ।୨୦୦।

ରୋହିଣୀ ବୋଲିଣ ବସୁଦେବ ସାନ ପତ୍ନୀ

ତାର ଗର୍ଭୁଂ ଜନ୍ମ ହୋଇଥିଲେ ହଳପାଣି  ।୨୦୧।

ତାହା ଶୁଣି କଂସରାଜା ବଡ଼ାଇ ଚିନ୍ତା କଲା

ଅଷ୍ଟମଲ୍ଲଂକୁ ଯେ ଗୋପପୁରକୁ ପେଷିଲା ।୨୦୨।

ରାମକୃଷ୍ଣଂକ ହାଥରେ ସେ ହୋଇଲେକ ନାଶ

ତେଣୁକରି ରାଜାର ଯେ ଉଡ଼ିଲା ସାହାସ ।୨୦୩।

ଅକ୍ରୁରକୁ ପେଷି ରାମକୃଷ୍ଣଂକୁ ଅଣାଇ

ଧନୁ ଉଚ୍ଛବ ବୋଲି ଯାତ୍ରା ଗୋଟିୟେ ଭିଆଇ ।୨୦୪।

କପଟେ ତାହାନ୍ତ ଯେ ମାରିବାର ପାଇଂ

ଉପାୟେ କରିଣ ସେ ଅଛଇ ଭୋଜସାଇଂ ।୨୦୫।

ଦଇବର ମାୟା ସେ ଯେ କହଣା ନ ଗଲା

ରାମକୃଷ୍ଣନ୍ତ ଦେଖିବା ମାତ୍ରକେ କଂସ ନାଶଗଲା ।୨୦୬।

ରାମକୃଷ୍ଣଂକର ପିତା ବସୁଦେବ ଦଇବକୀ ଅଟଇ ମାତା

ତାହାନ୍ତ ବନ୍ଦୀ କରି ରଖିଥିଲା କଂସ ମହାରଥା ।୨୦୭।

ବନ୍ଦୀରୁ ମାତା ପିତାଂକୁ ମୁକୁଳାଇ ଦିଲେ

ଉଗ୍ରସେନକୁ ନେଇ ସେ ନୃପତି କରାଇଲେ ।୨୦୮।

ୟେମନ୍ତେଣ ତହିଂ ଯେ ଥୋକାୟେକ ଦିନ ଗଲା

ସୁଖେଣ ଉଗ୍ରସେନ ରାଜ୍ୟ କରୁଥିଲା ।୨୦୯।

କଂସର ଭାରିଯା ଯେ ହେତି ପରହେତି

ତାହାଂକର ପିତା ଯେ ଜରାସନ୍ଧ ନରପତି ।୨୧୦।

ପିତା ଆଗରେ ଗୁହାରି କଲେ ସେହୁ ଯାଇଂ

ଶୁଣିଣ ଜରାସନ୍ଧ ରାଜା କୋପଭରେ ବାହି ।୨୧୧।

ଅଠର ବେଳ ପରିଯନ୍ତେ ମଥୁରାକୁ ଧାଡ଼ି ଦିଲା

ରାମକୃଷ୍ଣନ୍ତ ସେ ଯେ ମାରି ନୁଆରିଲା ।୨୧୨।

ରାମକୃଷ୍ଣ ବୋଲି ଯେଉଂଣ ବସୁଦେବ କୁମର

ସାକ୍ଷାତେ ପରମ ବ୍ରହ୍ମ ସେ ମନୁଷ୍ୟେ ଅବତାର ।୨୧୩।

ଦେବତାଂକ ଛଳେ ସେ ମାନବ ତନୁ ବହି

ମଥୁରାରେ ପ୍ରବେଶ ହୋଇଲେ ଭାବଗ୍ରାହୀ ।୨୧୪।

ଜରାସନ୍ଧ ବଳେ ତାକୁ କିସ କରି ପାରି

ଦେବତାଂକ କାର୍ଯ୍ୟ ଅଛି ବୋଲି ତାକୁ ନ ମାଇଲେ ଶ୍ରୀହରି ।୨୧୫।

ତହୁଂ ଯାଇଂ କୁଶସ୍ଥଳୀ ଦ୍ୱାରିକାରେ ରହିଲେ

ଉଗ୍ରସେନକୁ ତହିଂ ନୃପତିପଣ ଦିଲେ ।୨୧୬।

ଅଷ୍ଟକନ୍ୟା ତହୁଂ କୃଷ୍ଣ ହୋଇଲେକ ବିଭା

ରକ୍ମିଣୀ ନାମେ ତାହାଂକ ପ୍ରଥମ ଭାରିଜା ।୨୧୭।

ତାହାଂକର ପୁତ୍ର ଯେ ପ୍ରଦ୍ୟୁମ୍ନ ମହାବୀର

କୃଷ୍ଣର ପ୍ରଥମ ପୁତ୍ର ସେ କାମଦେବ ଅବତାର ।୨୧୮।

ସୁରେଖା କନ୍ୟାକୁ ସେ ଯେ ନେଉଥିଲା ହରି

ତାହାକୁ ତୁମ୍ଭେହୋ ଧରାଇ ରଖିଛ ବନ୍ଦୀ କରି ।୨୧୯।

ମୋତେ ଯେ ଆଗ୍ୟାଂ ତୁମ୍ଭେ ଦିଲ ହୋ ନୃପରାୟେ

ଯୁଦ୍ଧ କଲେ ରାଜା ହୋ ନ ପାଇବୁଟି ଜୟେ ।୨୨୦।

ଯହିଂ ତହିଂ ଦୁହିତା ତ ବିଭା କରାଇବା

ମୋହୋର ବିଚାରେ କୃଷ୍ଣ କୁମରକୁ ଦେବା ।୨୨୧।

ସଭାରେ ଦୁଷିଲା କନ୍ୟା ହୋଇଲା ତାହାରି

ଆନକୁ ଦେବାର ବିଧି ନୋହଇ ଆମ୍ଭରି ।୨୨୨।

ୟେସନେକ ବଚନ ଯହୁଂ ମନ୍ତ୍ରୀବର କହିଲା

କୃତଶେଖର ରାଜା ଶୁଣି ଚକିତ ହୋଇଲା ।୨୨୩।

ମନ୍ତ୍ରୀ ବୋଇଲା ଆହୁରି କଥାୟେ ଗୋସାଇଂ

କୁଞ୍ଜଗଳ ଦେଶ ରାଜା ତାହାଂକ ସଙ୍ଗତେ ଅଛଇ ।୨୨୪।

ସାତ ଅକ୍ଷଉଣୀ ବଳ ଅଛଇ ତାହାର

ସେ ରାଜାର ନାମ ଅଟଇ ଯେ ଯୁଝେଷ୍ଠି ନୃପବର ।୨୨୫।

ଭୀମ ଅରଜୁନ ନକୁଳ ସହଦେବ ହୋଇ

ୟେମନ୍ତେଣ ସେ ଯେ ଅଛନ୍ତି ପାଞ୍ଚଭାଇ ।୨୨୬।

ସାଂଗ୍ରାମ କଲେ ତାଂକ ସଙ୍ଗେ ଯଶ ନ ପାଇବା

ବିନା କାରଣରେ ଥାଠ ସଇନ ସମସ୍ତ ମରାଇବା ।୨୨୭।

ୟେମନ୍ତ ବଚନ ଯହୁଂ ମନ୍ତ୍ରୀବର କହିଲା

ଶୁଣିଣ କୃତଶେଖର ବଡ଼ାଇ ଆଶ୍ରିଯ୍ୟ ହୋଇଲା ।୨୨୮।୮୭୭୪।

 

Unknown

ସୁରେଖା ବିଭା

ଅଗସ୍ତି ବୋଲନ୍ତି ଶୁଣ ବିଲଂକ ଦେଶ ରାୟେ

ଅମୃତ ଆଖ୍ୟାନ ୟେ ଅପୂର୍ବ ରସମୟେ ।୧।

ପଢିଲେ ଶୁଣିଲେ ଯେ ଭବୁ ନିସ୍ତରନ୍ତି

ନାନା ପାତେକ ସେ ଦୁରିତ ଖଣ୍ଡନ୍ତି ।୨।

ରାଜାର ବିମନ ବିରୂପାକ୍ଷ ମନ୍ତ୍ରୀ ଯେ ଜାଣିଲା

କରପତ୍ର ଯୋଡ଼ିଣ ଯେ ଚରଣେ ନମିଲା ।୩।

ଯେତେକ କଥା ମୁଂ ଯେ ଛାମୁରେ ଜଣାଇଲି

ସାବଧାନ ଚିତ୍ତେ ତାହା ଶୁଣିଲେ ହୋ ନୃପଶାଳୀ ।୪।

ରାଜା ବୋଇଲା ମୋତେ ବଡ ସଂଶୟ ହେଲା

କି ବୁଦ୍ଧି କରିବି ବୋଲି ମନରେ ବିକଳ ହୋଇଲା ।୫।

ୟେମନ୍ତ ସମୟେ ଦେଖ ହୋ ଦଇବ ଭବିଷ

ଯାଇଂଣ ମିଳିଲେ ତହିଂ ବ୍ରହ୍ମାଂକର ଶିଷ ।୬।

ନାରଦଂକୁ ଦେଖି କୃତଶେଖର ରାଜା ଯେ ଉଠିଲେ

ନାରଦଂକ ଚରଣେ ଯେ ପ୍ରଳମ୍ବିତ ହେଲେ ।୭।

ରାଜା ବୋଇଲା ମୁନି ହେ ବଡ଼ ଭାଗ୍ୟ ମୋହୋର ହୋଇଲା

ମୋହୋର ରାଜ୍ୟରେ ତୁମ୍ଭର ପାଦ ରଜ ପଡିଲା ।୮।

ମୁନି ବୋଇଲେ ତୁ ଯେ ଅଟୁ ଭାଗ୍ୟରାଶି

ତ୍ରିସନ୍ଧାରେ କଲ୍ୟାଣ ଆମ୍ଭେ କରୁ ଅହନିଶି ।୯।

ରାଜା ବୋଇଲା କଥାୟେ ଛାମୁରେ ଜଣାଇବି ମୁହିଂ

ସାବଧାନ ହୋଇ ଶୁଣିମା ହୋଉ ହେ ଗୋସାଇଂ ।୧୦।

ମେଢର ଭିତରେ ମୁଂ ଝିଅକୁ ରଖିଥାଇ

ପୁରୁଷ ମାତ୍ର ଗୋଟିୟେ କେହି ମେଢରେ ନ ପଶଇ ।୧୧।

ଦ୍ୱାରାବତୀ ପୁରେ ଯେ ଶ୍ରୀକୃଷ୍ଣର କୁମର

ପଦ୍ମନ କୁମର ବୋଲି ନାମ ଯେ ତାହାର ।୧୨।

ମେଢର ଭିତରେ ସେହୁ ଗୁପତେ ପଶିଲା

ସୁରେଖା କନ୍ୟାକୁ ସେହି ହରି ନେଉଥିଲା ।୧୩।

ବାରତା ପାଇଣ ଧରି ଆଣିଲି ତାହାକୁ

ବନ୍ଦୀ ପ୍ରକାରେଣ ରଖି ଅଛଇ କୁମରକୁ ।୧୪।

କୁମରର ପିତା ନାମ ଯେ ଶ୍ରୀକୃଷ୍ଣ ଅଟଇ

ବାରତା ପାଇ ଧାଇଂଲେ ରାମକୃଷ୍ଣ ପରିଘାଇ ।୧୫।

ତାହାଂକର ସଙ୍ଗେ ଉଗ୍ରସେନହିଂ ଆସିଛନ୍ତି

ଆଉର ବିଶେଷେ ଆସିଛନ୍ତି ପଣ୍ଡୁର ସନ୍ତତି ।୧୬।

ଉଗ୍ରସେନ ରାଜାର ବଳ ପନ୍ଦର କ୍ଷଉଣୀ

ପାଣ୍ଡବେ ଆସିଛନ୍ତି ସାତ କ୍ଷଉଣୀ ଘେନି ।୧୭।

ରାମକୃଷ୍ଣଂକର ଆସିଛନ୍ତି ପୁତ୍ରମାନେ

ମୋହୋର ମନ୍ତ୍ରୀ କହନ୍ତି ସେ ଅଟନ୍ତି ସ୍ୱୟେଂ ନାରାୟଣେ ।୧୮।

ରାଜାର କହନ୍ତେ ଯେ ତାହା ନାରଦେ ଶୁଣିଲେ

ୟେକାନ୍ତେ ରାଜନକୁ ନେଇଣ ପାଖରେ ବସାଇଲେ ।୧୯।

ବୋଇଲେ ତୋହୋର ପୁତ୍ର ନୀଳସେନକଇଂ ଆଣ ହକରାଇ

ଆଗ୍ୟାଂ ପରମାଣେ ଯେ କୁମର ଆସଇ ।୨୦।

ମୁନି ବୋଇଲେ ବାବୁ ଆସ ତୁହି ବେଗେ

ଗୁପତ କଥାୟେ ଯେ କହିବା ତୋହୋ ଆଗେ ।୨୧।

ପୁତ୍ର ନୀଳଶେଖର ବସିଲାକ ଆସି

ମୁନିଂକର ଚରଣେ ନମଇଂ ବିଶେଷି ।୨୨।

ନାରଦେ କୁମରକୁ କଲ୍ୟାଣ ବାଞ୍ଛିଲେ

ଆଶ୍ୱାସନା କରିଣ ଯେ କତିରେ ବସାଇଲେ ।୨୩।

ରାଜା କୃତଶେଖର ପୁତ୍ର ନୀଳଧର

ଆବର ବିଶେଷେ ଯେ ବସିଲା ମନ୍ତ୍ରୀବର ।୨୪।

ନାରଦେ ବୋଇଲେ କହିବୁ ଆମ୍ଭେ ଯାହା

କେବେହେଂ ଅନ୍ୟଥା ନୁହଇଂ ନରନାହା ।୨୫।

ମୁନିଂକ ବଚନେ ରାଜା କୃତକୃତ୍ୟ ହୋଇ

ପୁରୁଷାର୍ଥ କରିଣ ଯେ ମୁନିଂକ ପଚାରଇ ।୨୬।

ମୁନି ବୋଇଲେ ତୁ ହୋ ଥାଠ ସଜ କର

ପୁତ୍ର ନୀଳଶେଖର ଯେ ହୋଇଥିବ ଆଗର ।୨୭।

ସୁରେଖା କନ୍ୟାକୁ ବେଶ ବେଶନ କରାଇ

ପଦ୍ମନ କୁମରକୁ ବେଶ କର ନରବଇ ।୨୮।

ଆଗ ପଛ ହୋଇ ସମସ୍ତେ ସଙ୍ଗେ ଥିବ

ଥାଠ ଚଳାଇଣ ଆପଣେ ବାହାରିବ ।୨୯।

ବାଟରେ ରାମକୃଷ୍ଣଂକୁ ଭେଟିବାକ ଯାଇଂ

ତେବେ ସେ ବହୁତ ପୁରୁଷାର୍ଥ ଅଟଇ ।୩୦।

କଳି ଦ୍ୱନ୍ଦ ୟେଥେଂ ନୋହିବାକ କିଛି

ୟେ କଥା ଆମ୍ଭର ଯେ ମନକୁ ଆସୁଅଛି ।୩୧।

ମୁନିଂକର କହନ୍ତେ ରାଜା ତୁନୀ ହୋଇ ରହିଲା

ନୀଳଶେଖରକୁ ପଚାର ବୋଲିଣ ବୋଇଲା ।୩୨।

ମୁନି ବୋଇଲେ ଯେ କହ ହୋ କୁମର

ଭଲ ପ୍ରାୟେ ଦିଶିଲାକ ଆମ୍ଭର ବିଚାର ।୩୩।

କୁମର ବୋଇଲା ହୋ ଶୁଣିମା ଗୋସାଇଂ

ଅବଶ୍ୟ ଝିଅକୁ ବିଭା କରିତ ଯୋଗାଇ ।୩୪।

କୃଷ୍ଣଂକର ନନ୍ଦନ ଯେ ମୟାଣ କୁମର

ଆମ୍ଭର ଭାଗ୍ୟରେ ଯେବେ ସେ ମିଳିଅଛି ବର ।୩୫।

ୟେଥୁଂ ଅଧିକ ବର ତ ଖୋଜିଲେ ନ ପାଇ

ଦଇବ ପୁରୁଷ ଯାହା ଅଛଇ ଘଟାଇ ।୩୬।

ବିଧାତାର ବଶେ ୟେବେ ଆମ୍ଭର ଦୋହିତୀ

ଦୂଷିଲା କନ୍ୟା ସେହୁ ହୋଇଲା ମହାସତୀ ।୩୭।

ୟେ କନ୍ୟାକୁ ବର ୟେ ଦୁଲ୍ଲଭ ମିଳଇ

ମୋହୋର ମନକୁ ୟେକଥା ଘଟିଲା ଗୋସାଇଂ ।୩୮।

ବିନାଶ କାରଣେ କଳି ଦ୍ୱନ୍ଦ ନ କରିବା

କାଳାନ୍ତରେ ୟେ କଥାକୁ ନିଭାଇ ନୁଆରିବା ।୩୯।

ପୁତ୍ରର କହନ୍ତେ କୃତଶେଖର ରାଜା ଯେ ହସିଲା

ନୀଳଶେଖର ଯାହା କହିଲା ମୋ ମନୁକୁ ଯୋଗାଇଲା ।୪୦।

ନାରଦେ ବୋଇଲେ ହୋ କହିଲୁ ଯାହା ତୋତେ

ସୁଲଭେ ଦୁଲ୍ଲଭ ବର ପାଇଲା ତୋ ଦୋହିତେ ।୪୧।

ୟେତେ ବୋଲି ରାଜା ଯେ ଭିତରକୁ ଗଲା

ଭାରିଜା ମାଳତୀକି କତିକି ହକରାଇଲା ।୪୨।

ବୋଇଲା ରାଣୀ ଗୋ ଅପୂର୍ବ କଥାୟେକ ଶୁଣ

ମେଢରୁ ସୁରେଖାକୁ ନେଇଥିଲା ୟେକଜଣ ।୪୩।

ତାହାକୁ ଧରିଣ ଆମ୍ଭେ ବାନ୍ଧି ରଖିଥିଲୁ

ବଡର ପୁତ୍ର ବୋଲି ୟେବେ ସେ ଜାଣିଲୁ ।୪୪।

ଦ୍ୱାରାବତୀ ପୁରେ ସେ ଯେ ଶ୍ରୀକୃଷ୍ଣ କୁମର

ଘେନି ଯାଉଥିଲେ ଯେ ଝିଅକୁ ଆମ୍ଭର ।୪୫।

ବାରତା ପାଇଣ ଯେ ରାମକୃଷ୍ଣ ଅଇଲେ

ଉଗ୍ରସେନ ସହିତେ ଥାଠ ସଇନି ଘେନିଣ ବାହିଲେ ।୪୬।

ଆବର ବିଶେଷେ କୁଞ୍ଜଗଳ ଦେଶର ରାୟେ

ଆମ୍ଭର ସଙ୍ଗତେ ସମର କରିବାକୁ ଆୟେ ।୪୭।

ନାରଦ ଥାଇଣ ବିଚାରିଲୁ ଆମ୍ଭେ

ସେ ବରକୁ ଝିଅ ବିଭା କରାଇବା ୟେବେ ।୪୮।

ରାଜାର କହନ୍ତେ ରାଣୀ ମନକୁ ରୁଚିଲା

ହୋଉ ବୋଲି ରାଜା ଆଗେ ରାଣୀ ସନମତ କଲା ।୪୯।

ଭିତର ନବରୁ ରାଜା ବାହାର ହୋଇଲେ

ମୁନିଂକ ଛାମୁରେ ସେ ଆସିଣ ମିଳିଲେ ।୫୦।

ସବୁଂକରି ସନମତ ହୋଇଲା ସୀଉକାର

ମନ୍ତ୍ରୀକି ଚାହିଂଣ ଯେ ପୁଚ୍ଛଇ ନୃପବର ।୫୧।

ପଦ୍ମନ କୁମରକୁ ହୋ ଘେନି ଆସ ଯାଇ

ତତକ୍ଷଣେ ମନ୍ତ୍ରୀ ଗଲାକ ଚଳାଇ ।୫୨।

ବନ୍ଦୀ ଠାବରୁ କୁମରକୁ ଘେନିଣ ଅଇଲା

ନାରଦଂକ ଛାମୁରେ ନେଇଣ ଉଭାରିଲା ।୫୩।

ନାରଦଂକୁ ଦେଖିଣ ଯେ ପଦ୍ମନ କୁମର

ମୁନିଂକ ଚରଣେ ସେ କରଇ ନମସ୍କାର ।୫୪।

ମୁନି ବୋଇଲେ ତୋତେ କଲ୍ୟାଣ ହୋଉ ରେ କୁମରେ

ସୁରେଖା କନ୍ୟା ଧାର୍ଯ୍ୟ ହୋଉ ରେ ୟେ ଆମ୍ଭର ବରେ ।୫୫।

କୁମରକୁ ସ୍ରାହାନ ମାଜଣା କରାଇଲେ

ନାନା ଅଳଂକାର ତାର ଅଙ୍ଗରେ ଲଗାଇଲେ ।୫୬।

ଶୁକଳ ପାଗେକ ଯେ ମଥାରେ ଲାଇଣ

ନବୀନ ତଡ଼ପ ପିନ୍ଧିବାକୁ ଦିଲେ ପୁଣ ।୫୭।

ସୁଗନ୍ଧ ଚନ୍ଦନ ଯେ ଅଙ୍ଗରେ ଲଗାଇ

ଦିବ୍ୟ ବେଶକରି କୁମାରକୁ ରଥରେ ବସାଇଲେ ନେଇ ।୫୮।

ମାଜଣା ବିଧି କରିବାକୁ ଯେ ଦାସୀମାନେ ଗଲେ

ମେଢରେ କୁମାରୀକି ବେଶନ କରାଇଲେ ।୫୯।

ନାସାରେ ବସଣୀ ଯେ ତଡ଼କି କର୍ଣ୍ଣରେ

ପୁଣ ଚାପସାରି ଆବର ସୁବର୍ଣ୍ଣ ମାଳ ଖଞ୍ଜିଲେ ଗଳାରେ ।୬୦।

ହାଥେ ସୁବର୍ଣ୍ଣ ଚୂଡ଼ି ବାହାରେ ବାହୁଟି

ମୁଦ୍ରିକା ଖଞ୍ଜିଲେ ଯେ ପୟରେ ଅଙ୍ଗୁଷ୍ଠି ।୬୧।

କପାଳେ ସିନ୍ଦୂରର ଚିତାୟେକ ଦିଲେ

ଅରୁଣ ଉଇଂଲା ପ୍ରାୟେକ ଯେ ସୁରେଖା ଦିଶିଲେ ।୬୨।

ପୟରେ ଅଳତା ଯେ ଲେପିଲେ ତରୁଣୀ

ଜାଣି ପଟାନ୍ତର କି ଯେ ଅନଙ୍ଗ ଘରଣୀ ।୬୩।

ଦେବାଙ୍ଗ ପତନୀ ଶାଢୀୟେ ପିନ୍ଧାଇଲେ

ସୁରଙ୍ଗଣୀ ପାଟେ ଯେ ଉପୁରାଣ ଦିଲେ ।୬୪।

ଦିବ୍ୟବେଶ କରି କୁମାରୀକି ଦିଲେ

କୁମର କତିରେ ରଥ ଉପରେ ବସାଇଲେ ।୬୫।

ଥାଠ ସଇନି ଚଳାଇ ଯେ ନୃପତି ବାହାର

ମନ୍ତ୍ରୀ ରହିଣ ରଥ ଚଳାଇ ଧୀର ଧୀର ।୬୬।

ପୁତ୍ର ନୀଳଶେଖର ସଙ୍ଗରେ ଅଛଇ

ଦେଖା ଦରଶନି ଧନ ଘେନି ଉଭା ଯେ ହୁଅଇ ।୬୭।

ଆଗରେ ବୀରତୁର ବାଜଇ ଚହଳ

ଶଙ୍ଖ ମହୁରୀ ଯେ ବାଜଇ କୁତୂହୋଳ ।୬୮।

ନାରଦ ମୁନିୟେ ଯେ ଥୋକାୟେ ଦୂର ସଙ୍ଗେ ଗଲେ

ରାଜାନ୍ତ ରୁହାଇ ରାମକୃଷ୍ଣଂକ ଛାମୁରେ ମିଳିଲେ ।୬୯।

ନାରଦଂକୁ ଦେଖିଣ ହସିଲେ ଯେ ରାମ ବନମାଳୀ

ବୋଇଲେ କିସ ଚରିତ ଭିଆଇଲ ତପଶାଳୀ ।୭୦।

ନାରଦେ ବୋଇଲେ ସବୁ କଥା ଭଲ ହୋଇଅଛି

ବର କନ୍ୟା ଘେନିଣ କୃତଶେଖର ରାଜା ଶରଣ ପଶୁଅଛି ।୭୧।

ଗୋବିନ୍ଦେ ବୋଇଲେ ରାଇ ଉଗ୍ରସେନ ରାଜାଂକୁ

ଆବର ରାଇଲେ ଯୁଝେଷ୍ଠି ଭୀମ ଅର୍ଜୁନଂକୁ ।୭୨।

ସମସ୍ତେ ୟେକରୁଣ୍ଡ ହୋଇଣ ବସିଲେ

ନାରଦ ତହିଂ ସମସ୍ତ ଚରିତ କହିଲେ ।୭୩।

ନାରଦଂକ ମୁଖରୁ ୟେସନେକ ବଚନ ଶୁଣି

ଉଗ୍ରସେନ ରାଜା ପଚାରନ୍ତି ପୁଣ ପୁଣି ।୭୪।

ନାରଦେ ବୋଇଲେ କୃତଶେଖର ରାଜା ଆସୁଅଛି

ତାହାକୁ ଗଉରୋବ ୟେବେ କରିବା ନନ୍ଦବତ୍ସି ।୭୫।

ନାରଦେ କହନ୍ତେ ସର୍ବେ ସନ୍ତୋଷ ହୋଇଲେ

ନାରଦେ ମୁନି ହରଷେ ବୀଣାଯନ୍ତ୍ର ଯେ ବାଇଲେ ।୭୬।

କୃତଶେଖର ରାଜା ଛାମୁକୁ ଗଲେ ସେହୁ ଖରେ

ଆସ ଆସ ବେଗେ ହୋ ଯିବା ନୃପବରେ ।୭୭।

ମନ୍ତ୍ରୀ ବିରୂପାକ୍ଷ ପୁତ୍ର ନୀଳଶେଖର

ରାଜାନ୍ତ ଘେନି ମୁନି ଆସନ୍ତି ଧୀର ଧୀର ।୭୮।

କୁମର କୁମାରୀଂକୁ ରଥରେ ବସାଇ

ତାହାନ୍ତ ଆଗେ ଚଳାଇ ଆସଇ ନୃପସାଇଂ ।୭୯।

ରାମକୃଷ୍ଣଂକ ଛାମୁରେ ମିଳିଲାକ ଯାଇ

ହାଥ ଧରି ଦେଖାଇ ଦିଲେ ତପଶାଳୀ ତହିଂ ।୮୦।

ବୋଇଲେ ୟେହିଟି ଅଟନ୍ତି ରାମକୃଷ୍ଣ

ଯେତେ ପାପ ଅଛି ଅଙ୍ଗେ ହୋଇବ ସେ ଭସ୍ମ ।୮୧।

ଗୋବିନ୍ଦଂକ ମୁଖକୁ କୃତଶେଖର ଚାହିଂଲା ଯେତେବେଳେ

ଶଙ୍ଖ ଚକ୍ର ଗଦା ପଦ୍ମ ଦେଖିଲା ଚର୍ମଡୋଳେ ।୮୨।

ପଦ୍ମପାଦ ତଳେଣ ପଡ଼ି ସାଷ୍ଟାଙ୍ଗେ ଶୁତିଲା

ପୁଣି ଉଠି ରାଜା ଯେ ନିଉଛାଳି କଲା ।୮୩।

ସହସ୍ରେକ ଦଣ୍ଡ ପ୍ରଳମ୍ବ କରଇ ନୃପବର

ଉଠ ଉଠ ରାଜା ହୋ ବୋଲନ୍ତି ଚକ୍ରଧର ।୮୪।

ନାରାୟଣଂକ ଆଗ୍ୟାଂରେ ଉଠିଲା କୃତଶେଖର

କରପତ୍ର ଯୋଡ଼ିଉଭା ହୋଇଲା ଛାମୁର ।୮୫।

କୁମର କୁମାରୀଂକୁ ରଥରୁ ଓହ୍ଲାଇ

ଗୋବିନ୍ଦଂକ ଶ୍ରୀଚରଣେ ତଳେ ପ୍ରଳମ୍ବିତ କଲା ନେଇ ।୮୬।

ରାମକୃଷ୍ଣଂକୁ ଦେଖି ଯେ ପ୍ରଦ୍ୟୁମ୍ନ ମହାବୀର

ନମସ୍କାର କରଇ ଶିରେ ଯୋଡ଼ି ବେନି କର ।୮୭।

କୁମାରୀହିଂ ନମସ୍କାର କରଇ ପଡ଼ିଣ ପାଦ ତଳେ

ଉଠ ଉଠ ବୋଲିଣ ବୋଲନ୍ତି ହରି କାମପାଳେ ।୮୮।

କରପତ୍ର ଯୋଡ଼ି ରାଜା ଉଭା ହୋଇଲା ଖଣ୍ଡେ ଦୂରେ

ଗୋବିନ୍ଦେ ଆଗ୍ୟାଂ ଦିଲେ ଆସ ବସ ହୋ ନୃପବର ।୮୯।

ଉଗ୍ରସେନ ଯୁଝେଷ୍ଠିଂକ ଚରଣେ କୃତଶେଖର ନମଇଂ

କଲ୍ୟାଣ କରି ବୋଇଲେ ଉଠ ହୋ ନୃପସାଇଂ ।୯୦।

ଗୋବିନ୍ଦେ ବୋଇଲେ ବସ ହୋ ମହାରାୟେ

ୟେମନ୍ତ ସମୟେ କୁମର ନୀଳଶେଖର ଆୟେ ।୯୧।

ନାରାୟଣନ୍ତ ଦେଖି ସେ ଓଲଗି ଶୁତିଲା

କୁମର ପଛେ ବିରୂପାକ୍ଷ ମନ୍ତ୍ରୀ ଓଳଗିଲା ।୯୨।

ଉଠ ଉଠ ବୋଲି ଶ୍ରୀହରି ଆଗ୍ୟାଂ ଦିଲେ

ବିରୂପାକ୍ଷ ମନ୍ତ୍ରୀକି ବହୁତ ପ୍ରଶଂସିଲେ ।୯୩।

ରାଜାନ୍ତ ବୋଲନ୍ତି ୟେ ମନ୍ତ୍ରୀର ପରସାଦେ

ତୋହୋର ରାଜ୍ୟକୁ କଦାଶ୍ଚିତେ ନ ପଡ଼େ ବିରୋଧେ ।୯୪।

ମନ୍ତ୍ରୀ ବୋଇଲା ଗୋସାଇଂ ତୁମ୍ଭର କଲ୍ୟାଣରେ

ପୁରୁଷାନୁକ୍ରମେ ମୁଂ ସେବକ ୟେହାରେ ଦାମୋଦରେ ।୯୫।

ନାରଦେ ବୋଲନ୍ତି ତୁମ୍ଭେ ଶୁଣ ହୋ କହ୍ନାଇଂ

ୟେ ମନ୍ତ୍ରୀର ପ୍ରସାଦେ ରାଜ୍ୟକୁ ଅପଚୟେ ନାହିଂ ।୯୬।

ଯେତେବେଳେ ପୁତ୍ରକଇଂ ରାଜା ଧରାଇଣ ନିଲା

ମାରି ପକାଅ ବୋଲି ମନ୍ତ୍ରୀକି ଆଗ୍ୟାଂ ଦିଲା ।୯୭।

ବଡ଼ ବିଗ୍ୟଂବନ୍ତ ୟେ ଅଟଇ ମନ୍ତ୍ରୀବର

ରାଜାକୁ ବୋଇଲା ତୁମ୍ଭେ ଶୁଣ ହୋ ନୃପବର ।୯୮।

କୁମର ରୂପ ଗୁଣ ଦେଖି ମନ୍ତ୍ରୀବର ଜାଣିଲା

ୟେ ବଡ଼ କୁଳେ ଜନ୍ମିଛି ବୋଲି ରାଜାକୁ ବୁଝାଇଲା ।୯୯।

କୁମରକୁ ନ ମରାଇ ବନ୍ଦୀ ରଖିଥିଲା

ୟେଥିର ସୁଲଭ କଥା ତୋତେ ପ୍ରାପତ ହୋଇଲା ।୧୦୦।

ୟେମନ୍ତ ବଚନ ନାରଦେ ଗୋବିନ୍ଦଂକୁ କହିଲେ

ମନ୍ତ୍ରୀକି ପ୍ରଶଂସା ବହୁତ ରାମକୃଷ୍ଣେ କଲେ ।୧୦୧।

କୃତଶେଖର ରାଜା ଯେ କହଇ କର ଯୋଡ଼ି

ସାବଧାନ ହୋଇ ତୁମ୍ଭେ ଶୁଣିମା ଦେବ ରାମ ହରି ।୧୦୨।

ଆରତଭଞ୍ଜନ ବାନା ନାଥ ତୁମ୍ଭେ ବ୍ରହ୍ମରାଶି

ଦୁଖୀଜନର ବନ୍ଧୁ ନାମ କରୁଣାରାଶି ।୧୦୩।

ଅରକ୍ଷିତ ଲୋକନ୍ତ ଯେ ରଖିବାର ପାଇଂ

ଶଙ୍ଖ ଚକ୍ର ଗଦା ପଦ୍ମ ଶାରଙ୍ଗଧନୁ ବହି ।୧୦୪।

ମୁହିଂ ଯେ ହୀନ ଅରକ୍ଷିତ ଅଟଇ ଗୋସାଇଂ

ତୋହୋର ଦୟା ନ କଲେ ମୋହୋର ଅଛି କାହିଂ ।୧୦୫।

ଯେତେ ଦୋଷ କରିଛି କରିବା ମୋର କ୍ଷମା

ନିରନ୍ତରେ ଅପରାଧୀ ମୁଂ ତୁମ୍ଭେ ଯେ ଅଟ ଗୁଣସୀମା ।୧୦୬।

ରାଜାର ବିନୟ ଯେ ଭଗତି ଭାବ ଦେଖି

ଆପଣେ ଦୟା କରି ଯେ କହନ୍ତି ପଦ୍ମଆଖି ।୧୦୭।

ଶ୍ରୀହରି କହନ୍ତି ଶୁଣ ହୋ ମହାରାୟେ

ବହୁତ କୋପ ଆମ୍ଭର ଉପୁଜିଥିଲା ତୋୟେ ।୧୦୮।

ବଳରାମଂକ କ୍ରୋଧ କହିଲେ ନ ସରଇ

ସଉନନ୍ଦ ମୂଷଳରେ ତୋର ମୁଣ୍ଡ ଛେଚନ୍ତେ ହଳସାଇଂ ।୧୦୯।

ଲଙ୍ଗଳ ମୁନେ ତୋର ପୃଥୀକି ତାଡ଼ନ୍ତେ

ଜନ ପରଜା ତୋର ଭସ୍ମରାଶି ହୁଅନ୍ତେ ।୧୧୦।

ନାରଦଂକ ବଚନେ ବଳାରମେ ଶାନ୍ତି ଯେ ଭଜିଲେ

ତୋହୋର ଭାଗ୍ୟରେ ଆସି ମହାଋଷି ମିଳିଲେ ।୧୧୧।

ନରାୟଣ କହନ୍ତେ କୃତଶେଖର ଶୁଣଇ

କରପତ୍ର ଯୋଡ଼ିଣ ଯେ ଚରଣେ ନମଇଂ ।୧୧୨।

ଯେତେ ଦୋଷ କଲି ମୋର ଅପରାଧ ନ ଧର

କୁମର କୁମାରୀଂକି ନିଅ ହୋ ଦାମୋଦର ।୧୧୩।

ରାଜାର ବିନୟ ଯେ ବିକଳ ଭାବ ଦେଖି

ଛାମୁରେ ମିଳିଣ ଯେ କହନ୍ତି ବ୍ରହ୍ମବତ୍ସି ।୧୧୪।

ବୋଇଲେ ରାମକୃଷ୍ଣ ଉଗ୍ରସେନ ଅଛ

ଆବର ଅଛନ୍ତି ପଣ୍ଡୁର ପାଞ୍ଚବତ୍ସ ।୧୧୫।

ମନ୍ତ୍ରୀ ଅମାନାତ୍ୟେ ସମସ୍ତେ ପୂରିଛନ୍ତି

କଥାୟେ କହିବା କେହି ନ କରିବା ନାସ୍ତି ।୧୧୬।

ବଳରାମେ ବୋଲନ୍ତି କହ ହୋ ତପୋବନ୍ତ

ତୁମ୍ଭର ବଚନ ଆମ୍ଭର ଅଟଇ ଶିରାଗ୍ରତ ।୧୧୭।

ନାରଦେ ବୋଇଲେ ଚାଲ କରମଣ୍ଡଳ ରାଜ୍ୟକୁ ଯିବା

କୁମର କୁମାରୀଂକି ତହିଂ ବିଭା କରାଇବା ।୧୧୮।

ବର କନ୍ୟା ଘେନିଣ ସୁଖେ ଯିବା ଚଳି

ତେବେ ସେ ସବୁ ସୁଖ ରହଇ ହୋ ରାମ ବନମାଳୀ ।୧୧୯।

ନାରଦେ ବୋଇଲେ ଯହୁଂ ୟେସନେକ ବଚନ

ଶୁଣି ସନ୍ତୋଷ ହୋଇଲେ ପ୍ରଭୁ ଜନାର୍ଦ୍ଦନ ।୧୨୦।

ବଳରାମେ ଚାହିଂଲେ ଉଗ୍ରସେନ ଯୁଝେଷ୍ଠିଂକ ମୁଖକୁ

କିସ ବିଚାର କରିବା ହୋ ଫେଡ଼ି କହ ମୁକୁ ।୧୨୧।

ଯୁଝେଷ୍ଠି ଉଗ୍ରସେନ କରନ୍ତି ବିଚାର

ତେଣେ ବିଚାର କରନ୍ତି ହଳୀ ଚକ୍ରଧର ।୧୨୨।

ସମସ୍ତ ୟେକମନ ହୋଇଣ ବସିଲେ

ଯେ ଯାହା ମନରେ ଯେ କଥାନ୍ତ ଭାଳିଲେ ।୧୨୩।

କୃତଶେଖର ରାଜାକୁ ଯୁଝେଷ୍ଠି ରାଇଲେ

ଆସ ହୋ ମହାରାଜା କହିବା ଆମ୍ଭେ ଭଲେ ।୧୨୪।

ଦଇବେ ତ କୁମାରୀ ଯେ ଆମ୍ଭର ହେଲାଣି

ହରି ନେଇ ଯାଉଥିଲା କୁମର ଚୂଡାମଣି ।୧୨୫।

ୟେଥକୁ କୁ ବିଚାର କରୁ ହୋ ନୃପନାଥ

ଆମ୍ଭର ଆଗରେ କହ ୟେଥିର ତଦନ୍ତ ।୧୨୬।

ରାଜା ବୋଇଲା ମୋର କିସ ଦୋଷ ଅଛଇ

ଯାହା କହିବି ତାହା ଅବଧାନ କର ହୋ ଗୋସାଇଂ ।୧୨୭।

ଥାଠ ସଇନି ଘେନି ମୋର ରାଜ୍ୟକୁ ଚଳିଯିବା

ମଙ୍ଗଳ ବିଧି ଯାତ୍ରା ମୋହୋର ପୁରରେ ସାରିବା ।୧୨୮।

ଯୁଝେଷ୍ଠି ବୋଇଲେ ହୋ ଶୁଣିମା ରାମହରି

କୃତଶେଖର ରାଜ୍ୟକୁ ଚାଲ ଯିବା ଚଳି ।୧୨୯।

ଯୁଝେଷ୍ଠିଂକ ବାକ୍ୟ ସମସ୍ତଂକ ମନକୁ ଯୋଗାଇଲା

ସୀଉକାର ବଚନ ସବୁଂକରି ମୁଖରୁ ଶୁଭିଲା ।୧୩୦।

ନାରଦେ କୃତଶେଖର ରାଜାନ୍ତ ରାଇଲେ

ଗୁପତ କରିଣ ଯେ କଥାନ୍ତ ଭାଷିଲେ ।୧୩୧।

ଉଗ୍ରସେନ ରାଜାଂକର ପଞ୍ଚଦଶ କ୍ଷଉଣୀ ଯେ ବଳ

ସାତକ୍ଷଉଣୀ ଘେନିଛନ୍ତି ଯୁଝେଷ୍ଠି ନୃପବର ।୧୩୨।

ୟେତେ ସଇନଂକୁ ତୁମ୍ଭେ ପାରିବଟି କି ସମ୍ଭାଳି

ବିଚାରିଣ ଆମ୍ଭନ୍ତ କହ ହୋ ନୃପଶାଳୀ ।୧୩୩।

ରାଜା ବୋଇଲେ ଗୋସାଇଂ ତୁମ୍ଭର ପରସାଦେ

କେଉଣ ଦ୍ରବ୍ୟ ଅପୂର୍ବ ଅଛଇ ମୋତେ ହାଦେ ।୧୩୪।

ରାଜାର ବଚନେ ମୁନି ସାନନ୍ଦ ହୋଇଲେ

ନଗ୍ର ମଣ୍ଡାଅ ବୋଲିଣ ଶ୍ରୀମୁଖେ ଆଗ୍ୟାଂ ଦିଲେ ।୧୩୫।

ବଳରାମେ ବୋଇଲେ ଶୁଣ ହୋ ରାଜନ

ନଗ୍ରପୁର ତୋର ମଣ୍ଡାଅ ବହନ ।୧୩୬।

ବିଭାର ପଦାର୍ଥମାନ ଭିଆଣ କର ରାୟେ

ଆଗ୍ୟାଂ ପାଇଣ ନରପତି ଚଳିଗଲା

ପୁତ୍ର ନୀଳଶେଖର ବିରୂପାକ୍ଷ ମନ୍ତ୍ରୀକି ରାଇଲା ।୧୩୮।

ନଗ୍ରେ ପଶି ଘୋଷଣ ଦିଆଇଲା ରାୟେ

ଘରମାନ ମଣ୍ଡାଅ ଯେ ସୁରେଖା ବିଭା ହୋୟେ ।୧୩୯।

ନଗ୍ର ଲୋକମାନେ ଶୁଣିଲେକ ଯହୁଂ

ଯେ ଯାହାର ପୁରମାନ ମଣ୍ଡିଲେକ ତହୁଂ ।୧୪୦।

ବିଚିତ୍ର ଲେଖନମାନ କାନ୍ଥରେ ଲେହନ୍ତି

ନାରୀମାନେ ହୁଳହୁଳି ଶବଦ କରନ୍ତି ।୧୪୧।

ଉଚ୍ଛବ ଆନନ୍ଦ ଯେ ହୋଇଲା ନଗ୍ର ପୁରେ

ହଳଦୀ କୁଂକୁମ ଯେ ବିଲୋହିଲେ ନିରନ୍ତରେ ।୧୪୨।

ମନ୍ତ୍ରୀଂକି ଚାହିଂ କୃତଶେଖର ରାଜା ଆଗ୍ୟାଂ ଦିଲା

ବିଭାର ସାମଗ୍ରୀ ଭିଆଣ କର ହୋ ବୋଇଲା ।୧୪୩।

ବେଦୀ ଛାମୁଣ୍ଡିଆ ମଣ୍ଡନ କର ବେଗେ

ଯେମନ୍ତ ପରଶଂସା ପାଇବା ରାମକୃଷ୍ଣଂକର ଆଗେ ।୧୪୪।

ଯଉତୁକ ସାମଗ୍ରୀ ଯେ ପୂର୍ବର ବିଧାନ

ଭିଆଣ କରିଣ ମନ୍ତ୍ରୀ ଅଣାଅ ବହନ ।୧୪୫।

ବାଇଶିକ୍ଷଉଣୀ ବଳ ଯେ ଅଛଇ ତାହାଂକର

ତାହାଂକ ପାଇଂ ଘର ଭିଆଣ କର ହୋ ମନ୍ତ୍ରୀବର ।୧୪୬।

ହାଥୀ ଅଶ୍ୱଂକର ପାଇଂ କର ଘରମାନ

ବିରି ଘାସ ଆଦି ଯେତେକ ଭିଆଣ ।୧୪୭।

ଶଙ୍ଖୁଆ ମହୁରିଆ ତୂରୀଆ ବାଦ୍ୟକାରମାନଂକୁ

ଘରମାନ ତୋଳାଇ ଥାଆଟି ତାହାଂକୁ ।୧୪୮।

ଋଷିମାନଂକ ପାଇଂ ଭିଆଇ ଥା ଫଳମୂଳ

ମୃଗଛାଲମାନ ଭିଆଅ ମାଳ ମାଳ ।୧୪୯।

ପାତ୍ରାନ୍ତ ଉଆସ ଯେ ରାଜାନ୍ତ ନବର

ବଖରା ମୂଳ କରି ଭିଆଅ ସର୍ବ ଘର ।୧୫୦।

ପନ୍ତି ପନ୍ତି ଧାଡ଼ି ଧାଡ଼ି ରେଖ ରେଖ ହୋଇ

ବିଚିତ୍ର କଳସମାନ ବସିଥିବ ତହିଂ ।୧୫୧।

ବିଚିତ୍ର ବିରାଳ ଉଡୁଥିବ ଫରହର

ସବୁଘରେ ବିଚିତ୍ର ପ୍ରତିମାମାନ ଲେଖାଇବା ଧାତିକାରେ ।୧୫୨।

ବିଷ୍ଣୁ ପ୍ରତିମାମାନ ବଖରା ବଖରାକରେ ଥିବ

ଯାହାକୁ ଯେ ବିଧିରେ ସେ ପୂଜା କରାଇବ ।୧୫୩।

ବିଚିତ୍ର ଚାମର ଉଡୁଥିବ ନିରନ୍ତର

ଶ୍ୱେତ ପାରୁଆ ଶ୍ୱେତ ହଂସ କ୍ରୀଡ଼ା କରୁଥିବେ ଆକାଶର ।୧୫୪।

ଯେତେ ଯେତେ ପ୍ରକାରେ କୃତଶେଖର ରାଜା ଆଗ୍ୟାଂ ଦିଲା

ତହୁଂ ଶତେଗୁଣ କରି ମନ୍ତ୍ରୀ ସମସ୍ତ ନିର୍ଭାକଲା ।୧୫୫।

ଶ୍ରୀରାମକୃଷ୍ଣଂକୁ ଭିନ୍ନ ଭିନ୍ନ ଯେ ନବରେ

ବିଚିତ୍ର ଲେଖନ କରି ଭିଆଇଲା ମନ୍ତ୍ରୀବରେ ।୧୫୬।

ଦୀର୍ଘ ଚାରି କୋଶ ଯେ ପ୍ରତି ଚାରି କୋଶ

ଛାମୁଣ୍ଡିଆ ଗୋଟାୟେ ସଜକଲା ମନ୍ତ୍ରୀ ବିରୂପାକ୍ଷ ।୧୫୭।

ଦେବାଙ୍ଗ ବସନରେ ଚାନ୍ଦୁଆମାନ ସଞ୍ଚି

ଛାମୁଣ୍ଡିଆ ଉପରେ ନେତର ଚିରାଳ ଉକୁଚି ।୧୫୮।

ଦେବେ ଦୁଲଭ ଯେ ୟେମନ୍ତ ସ୍ଥାନ କଲା

ଦେଖି କୃତଶେଖର ରାଜା ଉଷତ ହୋଇଲା ।୧୫୯।

ବାରହାଥ ପ୍ରତି ବାରହାଥ ଦୀର୍ଘ କଲା

ଉତ୍ତମ ବେଦୀ ଗୋଟିୟେ ତହିଂ ନିର୍ମାଣିଲା ।୧୬୦।

ଖନ୍ଦାଶାଳମାନ ତହିଂ ଭିନ୍ନ କଲେ

ଛଡ଼ରସ ପ୍ରକାରେ ଯାବତ ମୁଣୋହି ଭିଆଇଲେ ।୧୬୧।

ହଳଦୀ କୁଂକୁମ ତଇଳ ଘୃତମାନ

ସର୍ବ ବହିଆଣ ଠିକ କଲା ସେ ବହନ ।୧୬୨।

ଯେ ଯାହାର ସେବାରେ ଲାଗିଲେ ଲୋକମାନେ

ଆଗ୍ୟାଂ ଦେଇଛନ୍ତି କୃତଶେଖର ରାଣେ ।୧୬୩।

ସମସ୍ତ କଥାମାନ ମନ୍ତ୍ରୀ ଭିଆଇଲା

ନାରଦ ମୁନିଂକି ନେଇଣ ତାହା ଦେଖାଇଲା ।୧୬୪।

ନାରଦ ମୁନି ଦେଖି ମନ୍ତ୍ରୀକି ପ୍ରଶଂସିଲେ

ତୋହୋରେ ସେ ୟେ କଥାମାନ ହୋଇଲା ବୋଇଲେ ।୧୬୫।

କୃତଶେଖର ରାଜାକଇଂ ନାରଦେ ରାଇଲେ

ସବୁକଥା ଭଲ ହୋଇଲା ନୃପବରେ ବୋଇଲେ ।୧୬୬।

ବିଭାର ଉଚ୍ଛବ ଯେ କରିବା କେଉଂଦିନ

ତହିଂର ଉପାୟ ୟେବେ କହିବା ବିଧାନ ।୧୬୭।

ରାମକୃଷ୍ଣଂକ ଛାମୁକୁ ଯିବା ବେଗେ ଆସ

ତେବେ ସେ ଆମ୍ଭର ମନୁଂ ଫିଟିବ ସନ୍ଦେଶ ।୧୬୮।

ରାଜାନ୍ତ ଘେନିଣ ମୁନି ହୋଇଲେ ବାହାର

ଯାଇଂଣ ଭେଟିଲେ ରାମକୃଷ୍ଣଂକ ଛାମୁର ।୧୬୯।

କୃତଶେଖର ରାଜା ଭଗବାନଂକୁ ଦେଖି

ଶିରେ କର ଦେଇ କହଇ ଉପଲେଖି ।୧୭୦।

ବିଭାର ବିଚାରମାନ ସବୁ ଭିଆଇଲି

ଛାମୁରେ ଜଣାଇବାକୁ ଯେଥକୁ ଅଇଲି ।୧୭୧।

ରାଜାର ବିନୋୟୀ ଭାବ ଶୁଣି ବୋଲନ୍ତି ନରହରି

ବଳରାମଂକୁ ବୋଇଲେ ଶ୍ରୀକୃଷ୍ଣ ଚାଲ ହୋ ଯିବା ଚଳି ।୧୭୨।

ନାରଦେ ବୋଇଲେ ଉଠ ଉଠ ହୋ ହଳଧର

ବିଳମ୍ବ ନ ସହେ ବିଭା ହୋଉଛି ଉଛୁର ।୧୭୩।

ରାଜା ଜଣାଇଲା ଶୁଣିମା ଗୋସାଇଂ

ଆଗ୍ୟାଂ ହୋଇଲେ କୁମର କୁମାରୀ ଯିବେ ବେଗ ହୋଇ ।୧୭୪।

ଗୋବିନ୍ଦେ ବୋଇଲେ ଆଗେ ପଠିଆଇ ଦିଅ

ମଙ୍ଗଳ ବିଧାନମାନ ତୁମ୍ଭେ ବେଗେ କରି ଯାଅ ।୧୭୫।

କୁମର କୁମାରୀଂକି ଚଳାଇଣ ଦିଲେ

ପଛେ ଥାଠ ଘେନି ରାମକୃଷ୍ଣ ବାହାର ହୋଇଲେ ।୧୭୬।

ପନ୍ଦର କ୍ଷଉଣୀ ବଳ ଘେନି ଉଗ୍ରସେନ ରାୟେ

ସାତ କ୍ଷଉଣୀ ସଇନି ଘେନି ପଣ୍ଡୁର ତନୟେ ।୧୭୭।

ବୀରତୂର ନିଶାଣ କୁତୂହୋଳେ ବାଜିଲା

କରମଣ୍ଡଳ ରାଜ୍ୟେ ଯେ ଉଛୁଳି ପଡ଼ିଲା ।୧୭୮।

ଶଙ୍ଖ ମହୁରୀ ଯେ ବାଜଇ ବିକଟାଳ

ଢୋଲ ଦମା ଦାଉଣ୍ଡି ଆଦି ବାଜଇ ମାର୍ଦ୍ଦଳ ।୧୭୯।

କନଡ଼ା ରାଗେଣ ଯେ ମହୁରୀ ବାଜଇ

ବୀଣାଯନ୍ତ୍ର ବାଇଣ ନାରଦ ନାଚଇ ।୧୮୦।

ସଇନ ବଳ ଘେନିଣ ଯେ ଆପଣେ ଭାବଗ୍ରାହୀ

କରମଣ୍ଡଳ ରାଜ୍ୟକୁ ଯାଆନ୍ତି ଚଳାଇ ।୧୮୧।

ରଥୀ ହାଥୀ ପାଦାନ୍ତି ଯେ ନୋହିଲା କଳନା

ୟେକକୁ ୟେକ ଦିଗୁଣ ବାଜଇ ବାଜଣା ।୧୮୨।

ଗ୍ରହପୁତ୍ରମାନେ ମଙ୍ଗଳ ଅଷ୍ଟକ ପଢନ୍ତି

ମଙ୍ଗଳ ହୁଳୋହୁଳି ଅହିୟୋ ନାରୀମାନେ ଦ୍ୟନ୍ତି ।୧୮୩।

ଶୁଭ ମଙ୍ଗଳ ଯୋଗେ ରାଜ୍ୟରେ ପଶିଲେ

ସନମାନ ପାଇଣ ଯେ ଯାହା ଆସ୍ତାନେ ବସିଲେ ।୧୮୪।

ଶୁଣ ବଇବସୁତ ମନୁ ବଦନ୍ତି ଅଗସ୍ତି

ସୁରେଖା ହରଣ ଚରିତ ୟେହି ଶୁଣ ଦିବ୍ୟ ରୀତି ।୧୮୫।

ନବରମାନ ଦେଖି ରାମକୃଷ୍ଣ ପରଶଂସା କରନ୍ତି

ଧନ୍ୟ ଧନ୍ୟ କୃତଶେଖର ରାଜା ବୋଲିଣ ବୋଲନ୍ତି ।୧୮୬।

ୟେ ନବର ଦେଖି ଯେ ଦେବତାୟେ ତୋଷ ହେବେ

ୟେକା ଦିବସେକ ୟେମାନ ନିର୍ଭା କଲା ହାଦେ ।୧୮୭।

ଯେ ଯାହାର ଥାନମାନ ଆବୋରି ଲୋକମାନେ

ନିଚିନ୍ତ ହୋଇଣ ଯେ ରହିଲେ କୃତଶେଖର ଭୁବନେ ।୧୮୮।

ରାଜଋଷି ଦେବଋଷି ବ୍ରହ୍ମଋଷିମାନେ ଯେ ଅଇଲେ

ସନମାନ ପାଇ କରି ଯେ ଯାହା ସ୍ଥାନେ ବସିଲେ ।୧୮୯।

ରାନ୍ଧଣା ବିଧାନ ସଞ୍ଚା ଯାହା ହୋଇଥିଲା

ଯେ ଯାହା ଅନରୂପେ ସମସ୍ତ ଚରଚିଲା ।୧୯୦।

ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ ସହିତେ

ଉଗ୍ରସେନ ଆଦିକରି ଭୁଞ୍ଜିଲେ ତୋଷ ଚିତ୍ତେ ।୧୯୧।

ଉଦ୍ଧବ ଅନାଧୃଷ୍ଟି ଅକ୍ରୂର ସାତୁକୀ ସମେତେ

ବସୁଦେବ ଭୁଞ୍ଜି ବସିଲେ ରାମକୃଷ୍ଣଂକ ସଙ୍ଗତେ ।୧୯୨।

ଷଢରସ ମେଞ୍ଜନେ ମୁଣୋହି କରନ୍ତି

ସନ୍ତୋଷେଣ ସଇନି ଯାକ ଯେ ଭୁଞ୍ଜିଣ ବସନ୍ତି ।୧୯୪।

ହାଥୀ ଘୋଡାଂକ ଦାନା ଘାସ ନେଇ ଦିଲେ

ଭୁଞ୍ଜି କରି ସର୍ବଜନ ହରଷ ହୋଇଲେ ।୧୯୫।

ଆସ୍ତାନ ଉପରେ ବସିଲେ ରାମକୃଷ୍ଣ ବେନି ଭାଇ

ଉଗ୍ରସେନ ସହିତେ ଯୁଝେଷ୍ଠି ପାଞ୍ଚଭାଇ ।୧୯୬।

ଋଷିମାନେ ଫଳମୂଳମାନ ଗ୍ରାସ କଲେ

ମୃଗ ଚଉରୀ ପାଡ଼ିଣ ସଭାରେ ବସିଲେ ।୧୯୭।

ୟେଥୁ ଅନନ୍ତରେ ରାଜା ଶୁଣ ଦିବ୍ୟ ରସ

ସାବଧାନେ ଶୁଣ ହୋ ବିଲଂକ ନରେଶ ।୧୯୮।

ଭୋଜନ ଚରଚା ଯହୁଂ ରାଜନ ସାରିଲା

ମଙ୍ଗଳ ବିଧିବିଧାନ ତହୁଂ ଭିଆଇଲା ।୧୯୯।

ସାତ ଅହିଅ ନାରୀ ଅଇଲେ ବହନ ହୋଇ

ସୁବର୍ଣ୍ଣ କୁମ୍ଭ ଉପରେ ନଟୀକାଳମାନ ଥୋଇ ।୨୦୦।

ପାଣି ତୋଳିଯାନ୍ତି ଶଙ୍ଖ ମହୁରୀ ବଜାଇ

ମଙ୍ଗଳ ହୁଳହୁଳି ନାଦେ ନଗ୍ର ଉଛୁଳଇ ।୨୦୧।

ସାତ ଘରୁ ପଶି ପାଣି ତୋଳିଣ ଆଣିଲେ

ମଙ୍ଗଳ ଗୀତ ଗାଇଣ ନଗରେ ପଶିଲେ ।୨୦୨।

ନବତନ ମସୁଣି ଗୋଟିୟେକ ଉପରେ

ବରକନ୍ୟାଂକୁ ବସାଇଲେ ତହିଂର ମଧ୍ୟରେ ।୨୦୩।

ତଇଳ ହଳଦୀ କୁଂକୁମ କସ୍ତୁରୀ ମିଶାଇ

କୁମର କୁମାରୀ ଅଙ୍ଗେ ଲେପିଲେକ ନେଇ ।୨୦୪।

ସୁବର୍ଣ୍ଣର ଶିଳୋପଆ ମଥାରେଣ ଦେଇ

ହୁଳହୁଳି ଦ୍ୟନ୍ତି ଅହିଅ ନାରୀ ତହିଂ ।୨୦୫।

ୟେମନ୍ତେଣ ମଙ୍ଗଳ ବିଧିବିଧାନ ସରିଲା

ସୁବର୍ଣ୍ଣ ଥାଳୀରେ ପଦ୍ମନ ଭୁଞ୍ଜି ଯେ ବସିଲା ।୨୦୬।

ନିଶି ପାହାନ୍ତିରେ ବରକନ୍ୟା ଘେନି

ମଙ୍ଗଳ ପାଣି ଘେନି ସ୍ରାହାନ କରାଇଲେ ବେନି ।୨୦୭।

ତହୁଂ ବରକନ୍ୟାନ୍ତ ଘେନି ଅଇଲେ ନବର

କନକ ପୀଢାରେ ବସାଇଲେକ କୁମର ।୨୦୮।

କୁମାରୀକୁ ଭିତର ପୁରକୁ ଘେନିଗଲେ

ହଳଦୀ କୁଂକୁମ ଲଗାଇ ସୁରେଖାକୁ ବେଶ ବେଶନ କରାଇଲେ ।୨୦୯।

କୁମରକୁ ୟେଣେ କରୁଛନ୍ତି ସୁବେଶ

ବାଜଇ ଶଙ୍ଖ ମହୁରୀ ଦମା ବିଜିଘୋଷ ।୨୧୦।

ଅହିଓ ସ୍ତିରୀମାନେ ମଙ୍ଗଳ ଗୀତ ଗାଇ

କୁମର ଆଗେ ନାଚନ୍ତି ପରିହାସ କହି ।୨୧୧।

ବ୍ରାହ୍ମଣେ କର୍ମମାନ କରୁଛନ୍ତି ବିଧି ବିଧାନେ

ମଙ୍ଗଳ ଅଷ୍ଟକ ପଢନ୍ତି ଗ୍ରହପୁତ୍ର ମାନେ ।୨୧୨।

ଜଉତିଷେ ଜଣାଇଲେ ସଭାରେ ଛାମୁରେ

ଅବଧାନ ହୋଇ ହୋ ଶୁଣିମା ନୃପବରେ ।୨୧୩।

ଅନକୂଳ ବେଳ ୟେବେ ହୋଇଲା ଗୋସାଇଂ

ବେଦୀ ଉପରକୁ ବିଜେ କର ନରସାଇଂ ।୨୧୪।

ୟେହା ଶୁଣିଣ ରାଜା ବିଭାବେଦୀକୁ ଗଲା

ଗୋବିନ୍ଦଂକୁ ଚାହିଂଣ ବଚନ ପ୍ରକାଶିଲା ।୨୧୫।

ଅନକୂଳ ବେଳ ୟେବେ ହୋଇଲା ଗୋସାଇଂ

ବେଦୀ ଉପରକୁ ୟେବେ ବିଜେକର ହଳସାଇଂ ।୨୧୬।

ଦିବ୍ୟବେଶ ହୋଇଣ ପୁଣି ଆପେ ଭାବଗ୍ରାହୀ

ଅର୍ଜୁନ ହାଥ ଧରି ସଭାରୁ ଉଠି ଯାଇ ।୨୧୭।

ରାଜାଂକୁ କହିଲେ କଥାୟେ କରିବା ବିଚାର

ଜଉତିଷ ହକାରି ଆଣ ଆମ୍ଭର ଛାମୁର ।୨୧୮।

ରାଜାର ଆଗ୍ୟାଂୟେ ଗ୍ରହପୁତ୍ରେ ଯେ ଅଇଲେ

ଗୋବିନ୍ଦଂକ ଛାମୁରେ ଉଭା ହୋଇଣ ରହିଲେ ।୨୧୯।

ଜଉତିଷ ଜଣାଇଲା ହୋଇଲା ଅନକୂଳ

ବେଦୀରେ ବୀଜେକର ମଦନ ଗୋପାଳ ।୨୨୦।

ଜଉତିଷ ମୁଖରୁ ଅନକୂଳ ବେଳ ଶୁଣି

ବସୁଦେବଂକୁ ଚାହିଂ ବୋଲନ୍ତି ଚକ୍ରପାଣି ।୨୨୧।

ବେଦୀର ଉପରକୁ ଆପଣେ ବିଜେକର

କୁମରକୁ କୋଳେ ଘେନି ବିଭା ମଙ୍ଗଳ ବିଚାର ।୨୨୨।

ତତକ୍ଷଣେ ବସୁଦେବ ବହନ ଚଳିଗଲେ

ବେଦୀର ଉପରକୁ ସେହୁ ଯେ ଉଠିଲେ ।୨୨୩।

ସୁବର୍ଣ୍ଣ ପିଢାୟେକ ରାଜା ବେଗେ ଆଣି ଦିଲେ

ତହିଂର ଉପର ବସୁଦେବନ୍ତ ବସାଇଲେ ।୨୨୪।

ପୂର୍ବ ମୁଖ ହୋଇ ଯେ ବସିଲେ ବସୁଦେବ

ପଚ୍ଛିମ ମୁଖ ହୋଇ ବସିଲା କୃତଶେଖର ରାଜଦେବ ।୨୨୫।

ବ୍ରହ୍ମଋଷି ରାଜଋଷି ଦେବଋଷି ସଭାରେ ବସିଲେ

ନାରଦ ମହଋଷି ହରଷେ ବୀଣାନାଦ କଲେ ।୨୨୬।

ମଙ୍ଗଳ କୁମ୍ଭ ଥୋଇଲେ ବେଦୀର ଉପରେ

ଚୂତପତ୍ର ନଟୀକାଳ ତଥିର ଉପରେ ।୨୨୭।

ମଙ୍ଗଳ ସିଉକାର କରନ୍ତି ବିପ୍ରବରେ

ବରୁଣ ପୂଜାବେଦ ପଢନ୍ତି ଧୀରେ ଧୀରେ ।୨୨୮।

ବରୁଣ ପୂଜାବିଧି ବିପ୍ରମାନେ ସାରିଲେ

ବେଶ ହୋଇ ବର ଆସୁ ବୋଲିଣ ବୋଇଲେ ।୨୨୯।

ତତକ୍ଷଣେ ବେଶ ହୋଇ କୁମର ଅଇଲା

ବସୁଦେବଂକ କୋଳରେ ଯାଇଣ ବସିଲା ।୨୩୦।

ବରବେଶ ହୋଇ ଯହୁଂ ବସିଲା କୁମର

ବେଦ ଉଚ୍ଚାରନ୍ତି ତହିଂ ସୁଗ୍ୟଂ ଦ୍ୱିଜବର ।୨୩୧।

ଅହିଓ ନାରୀମାନେ ହୁଳହୁଳି ଦିଲେ

ମଙ୍ଗଳ ବିଧି ଯେ ସଧୀରେ ଗାଇଲେ ।୨୩୨।

ୟେଥି ଉତ୍ତାରେଣ ଲବଣ ଚଉଂରୀ ବିଚାର

କୁମାରୀ ହାଥେ ଦେଇ ଘେନିଆସ ନୃପବର ।୨୩୩।

ୟେତେ ଶୁଣି ଅହିଓ ନାରୀମାନେ ଗଲେ

ସୁରେଖା ହାଥରେ ଲବଣ ଚଉଂରୀ ଚାଉଳ ସୋରିଷ ମିଶାଇଣ ଦିଲେ ।୨୩୪।

ବେଦୀ ଉପରେ ବର ଉପରକୁ ଫିଙ୍ଗିଦିଅ ବୋଲିଣ ବୋଇଲେ

ସମସ୍ତଂକ ବୋଲେ କୁମାରୀ ବେଦୀ ଉପରକୁ ଫିଙ୍ଗିଦେଲେ ।୨୩୫।

ଅହିଓ ସ୍ତିରୀମାନେ ଦିଅନ୍ତି ହୁଳହୁଳି

ଶଙ୍ଖ ମହୁରୀ ଶବଦେ ନଗ୍ରଯାକ ଉଛୁଳି ।୨୩୬।

ଲବଣ ଚଉଂରୀ ବିଧି ଉତ୍ତାରେଣ ପୁଣ

ବର ପାଦ ଧୋଇଦେବ ରାଜା ତୁମ୍ଭର ନନ୍ଦନ ।୨୩୭।

ରାଜା ବୋଇଲା ହୋ ଡଗରେ ବେଗେ ଚଳ

ରାଇ ଘେନି ଆସ ନୀଳଶେଖର ଦୁଲାଳ ।୨୩୮।

ତତକ୍ଷଣେ କୁମାରକୁ ରାଇ ଆଣିଲେ ବହନେ

ବୋଇଲା କିସ ଅବଧାନ ହୋଉଛି ରାଜନେ ।୨୩୯।

ରାଜା ବୋଇଲେ ଯାଇଣ ବିପ୍ରନ୍ତ ପଚାର

ବିପ୍ରେ ବୋଇଲେ ପାଣି ଘେନି ଆସ ସୁବର୍ଣ୍ଣ ଝରିର ।୨୪୦।

ବ୍ରାହ୍ମଣର ଆଗ୍ୟାଂରେ ଯେ କୁମର ଚଳିଗଲା

ସୁବର୍ଣ୍ଣ ଝରିରେ ଯାଇଂ ନୀର ପୂରୋଇ ଆଣିଲା ।୨୪୧।

ସୁବର୍ଣ୍ଣ ପଲମ ଯେ ଆଣିଲେ ଭୃତ୍ୟଜନ

ବେଦୀ ତଳେ ପାଦ ଧୋଇଲା କୁମର ପଦ୍ମନ ।୨୪୨।

ପାଣିଝରି ଘେନି କୁମର ତୋଳିଦିଲା

ଗୋଡ଼ଧୁଆ ବିଧାନ ସମସ୍ତ ସରିଲା ।୨୪୩।

ନବତନ ମସିଣା ଗୋଟିକ ଉପରେ

ପଦ୍ମନ କୁମରକୁ ବସାଇଲେ ତହିଂରେ ।୨୪୪।

ପୂର୍ବ ମୁଖ ହୋଇ କରି ବସିଲା କୁମର

ବେଦ ଉଚ୍ଚାରନ୍ତି ତହିଂ ସୁଗ୍ୟଂ ଦ୍ୱିଜବର ।୨୪୫।

ସୁରେଖା କନ୍ୟାକୁ ବେଶ ବେଶନ କରାଇ ଆଣିଲେ

କୃତଶେଖର ରାଜାର କୋଳରେ ବସାଇଲେ ।୨୪୬।

ମଂଗଳ ମହୁରୀ ଯେ ବାଜଇ ଘନ ଘନ

ବାଦ୍ୟ ନିଶାଣ ବାଜଇ ବୀରତୂରମାନ ।୨୪୭।

ପୂର୍ବ ମୁଖ ହୋଇକରି କୁମର ବସିଲା

ପଚ୍ଛିମ ମୁଖ ହୋଇ କନ୍ୟାହିଂ ରହିଲା ।୨୪୮।

କୁମର ଦକ୍ଷିଣ ହାଥ ବଢାଇଣ ଦିଲେ

କୁମାରୀ ହାଥ ଧରି ତହିଂରେ ଥୋଇଲେ ।୨୪୯।

ବେଦ ଧୁନି କରି ହାଥ ବନ୍ଧନେ ପଡ଼ିଲା

କୃତଶେଖର ରାଜାର ନୟନୁଂ ଅଶ୍ରୂଜଳ ନିଉଡ଼ିଲା ।୨୫୧।

ନାରଦେ ବୋଇଲେ ଶୁଣହୋ ନୃପବର

ଦାନ ଯଉତୁକମାନ ଅଣାଅ ବେଭାର ।୨୫୨।

ଶଙ୍ଖରେ ପାଣିଲାଇ ରାଜାର ହାଥେ ଦିଲେ

ତୋଳିଦିଅ ବର ହାଥେ ନାରଦ ବୋଇଲେ ।୨୫୩।

ହାଥରେ କୁଶ ଶଙ୍ଖ ଘେନିଣ ନରନାଥ

ପାଣି ତୋଳି ଦିଅଇ ସେ କୁମରର ହାଥ ।୨୫୪।

ସହସ୍ରେକ ରଥେ ଯେ ପାଣି ଦ୍ରବ୍ୟ ପୂରୋଇ

କୁମର ଆଗରେ ସବୁ ଥୋଇଲାକ ନେଇ ।୨୫୫।

ଦୁଇ ସହସ୍ର ତୁରଙ୍ଗ ସହସ୍ରେକ ହାଥୀ

ଛାମୁରେ ଆଣିଣ ଦିଲାକ ନରପତି ।୨୫୬।

ୟେକବର୍ଣ୍ଣ କରି ଦୁଇଲକ୍ଷ ଧେନୁ ଗାଇ

ସ୍ୱବତ୍ସା ସହିତେ ଦିଅଇ ନରସାଇଂ ।୨୫୭।

ଥାଳୀ ତାବୁରୀ ଯେ ସୁବର୍ଣ୍ଣ ନାଳୁଆର

ଗଡୁ ଗରିଆ ରାଜା ଦିଅଇ ଅପାର ।୨୫୮।

ଦାସୀ ମହିଂଷୀ ଅନେକ ରାଜା ଦିଲା

ଧନଦ୍ରବ୍ୟ ଦେଇ ରାଜା ସନ୍ତୋଷ ନୋହିଲା ।୨୫୯।

ବହୁତ ବିନୋୟୀ ରାଜା ହୋଇଣ କହିଲା

ବହୁତ ପ୍ରଶଂସା ରାଜା ଉଗ୍ରସେନ କଲା ।୨୬୦।

ବୋଇଲା ଶ୍ରୀକୃଷ୍ଣଂକର ୟେ ଅଟଇ କୁମର

ଯଉତୁକ ଦେବାକୁ ଶକ୍ୟ କାହିଂ ଯେ ମୋହୋର ।୨୬୧।

ଝିଅଗୋଟି ଦେଇ ମୁଂ ଯେ ଶରଣ ପଶିଲି

ସପତ ପୁରୁଷମାନନ୍ତ ମୁଂ ନରକୁଂ ଉଦ୍ଧାରିଲି ।୨୬୨।

ୟେ ଯେ ପରମବ୍ରହ୍ମ ଅଟନ୍ତି ନାରାୟଣ

କୃତାର୍ଥ କଲେ ୟେ ଯେ ମୋହୋର ଜୀବନ ।୨୬୩।

ୟେହାଂକର ପାଦରଜ ପଡ଼ିଲା ମୋହୋର ରାଜ୍ୟରେ

ଜନ ପରଜାଂକ କଷ୍ଟ ଗଲା ୟେତେ ଯେ କାଳରେ ।୨୬୪।

ଝିଅ ବିଭା ଦେଇ ରାଜା ପଶିଲା ଶରଣ

ଗୋବିନ୍ଦଂକ ଚରଣେ ଓଲଗଇ ପୁଣ ପୁଣ ।୨୬୫।

ଶ୍ରୀକୃଷ୍ଣ ବୋଲନ୍ତି ଶୁଣ ହୋ ମହାରାଣ

ସପତ ପୁରୁଷକୁ ରହିଲା ବନ୍ଧୁପଣ ।୨୬୬।

କରପତ୍ର ଯୋଡ଼ି ରାଜା କହଇ ବଚନ

ବନ୍ଧୁପଣକୁ ମୁଂ କ୍ଷମ ନୋହଇ ଜନାର୍ଦ୍ଦନ ।୨୬୭।

କୃତକୃତ୍ୟ ହୋଇ ରାଜା କହଇ କର ଯୋଡ଼ି

ଦୟା କରିଥିବ ମୋତେ ପ୍ରଭୁ ରାମହରି ।୨୬୮।

ଯଉତୁକ ବିଧିମାନ ସମସ୍ତ ସରିଲା

ଅହିଓ ନାରୀ ଆସି କୁଶ ବନ୍ଧନ ଫେଡ଼ିଲା ।୨୬୯।

ସୁବର୍ଣ୍ଣର କଉଡ଼ି ତାହାର ହାଥରେ ଯେ ଦିଲେ

ଜୁଅ ଖେଳିବାକୁ ଯେ ଆରମ୍ଭ କରାଇଲେ ।୨୭୦।

ବରକନ୍ୟା ୟେକ ଆସନେ ବସାଇ ଅଛନ୍ତି

ଅହିଓ ସ୍ତିରୀମାନେ ଜୁଅ ଖେଳାବନ୍ତି ।୨୭୧।

ଜୁଅଖେଳମାନ ସାରିଲେ ତତକ୍ଷଣ

ଭିତରକୁ ଘେନିଗଲେ ତାଂକୁ ନାରୀଗଣ ।୨୭୨।

ଭିତର ପୁରେ ଆଣି ବରକନ୍ୟାନ୍ତ ବସାଇଲେ

ସୁବର୍ଣ୍ଣ ଦୀପାବଳି ଘେନିଣ ବନ୍ଦାଇଲେ ।୨୭୩।

ସୁବର୍ଣ୍ଣ ପଲମରେ ଷଡ଼ରସର ବ୍ୟଞ୍ଜନ

ବରକନ୍ୟାଂକ ଛାମୁରେ ବାଢିଲେ ନାରୀଗଣ ।୨୭୪।

ୟେକପତ୍ରେ ବରକନ୍ୟା ବସି ଯେ ଭୁଞ୍ଜନ୍ତି

ଆନନ୍ଦେ ନାରୀମାନେ ହୁଳହୁଳି ଦ୍ୟନ୍ତି ।୨୭୫।

ଭୋଜନ ସାରିଣ ଯେ ଆଞ୍ଚୋବନ କଲେ

କର୍ପୂର ବିଡ଼ିଆ ପାନ ସନ୍ତୋଷେ ଭୁଞ୍ଜିଲେ ।୨୭୬।

ୟେସନେକ ପ୍ରକାରେ ବିଭା ବିଧାନ ସରିଲା

କୃତଶେଖର ରାଜା ସଭାମଣ୍ଡପକୁ ଗଲା ।୨୭୭।

ଆସ୍ତାନ କରିଣ ବସିଛନ୍ତି ଭାବଗ୍ରାହୀ

କରପତ୍ର ଯୋଡ଼ି ଉଭା ହେଇଲା ନରସାଇଂ ।୨୭୮।

ଅବଧାନ ହୋଇ ଶୁଣିମା ଦେବ ଜନାର୍ଦ୍ଦନ

ସାରିବା ହେଉ ସ୍ରାହାନ ନିତ୍ୟକର୍ମ ମାନ ।୨୭୯।

ରାଜାର ମୁଖରୁ ଯହୁଂ ଶୁଣିଲେକ ୟେହା

ଶ୍ରୀମୁଖେ ଆଗ୍ୟାଂଦିଲେ ପ୍ରଭୁ ଜଗୁନାହା ।୨୮୦।

ବୋଇଲେ ତଇଳ କୁଂକୁମ ଅଣାଅ ବହନ

ଗୋବିନ୍ଦ ଆଗ୍ୟାଂ ପ୍ରମାଣେ ଚଳଇ ରାଜନ ।୨୮୧।

ତଇଳ କୁଂକୁମ ଲଗାଇ ସର୍ବଜନେ

ସୁର ନଦୀରେ ଯାଇ କରନ୍ତି ସ୍ରାହାନେ ।୨୮୩।

ସ୍ନାନ ନିତ୍ୟକର୍ମ ବିଧି ସାରିଣ ଅଇଲେ

ଭୋଜନ ଠାବରେ ଯାଇ ସର୍ବେ ବିଜେ କଲେ ।୨୮୪।

ଅମୃତ ମୁଣୋହି ବିଧାନ ସାରିଲେ ବହନ

ସୁବାସ ପାଣି ଘେନିଣ କଲେ ଆଞ୍ଚୋବନ ।୨୮୫।

କର୍ପୂର ବିଡ଼ିଆ ଯେ ମୁଖବାସକୁ ଦିଲେ

ଆସ୍ତାନ ଉପରକୁ ସମସ୍ତେ ବିଜେ କଲେ ।୨୮୬।

ବାଇଶି କ୍ଷଉଣୀବଳ ଭୋଜନ ସାରିଲେ

ଶଙ୍ଖୁଆ ମହୁରୀ ବାଦ୍ୟକାରେ ଯେ ଭୁଞ୍ଜିଲେ ।୨୮୭।

ଯେ ଯାହାର ନିଯୋଗେ ଲାଗିଲେକ ଯାଇଂ

ଦାଉଣ୍ଡି ବିବିଧ ଛନ୍ଦେଶ ବାଜଣା ବଜାଇ ।୨୮୮।

ଶଙ୍ଖ ମହୁରୀ ଯେ ବାଜଇ କୁତୂହୋଳ

କରମଣ୍ଡଳ ରାଜ୍ୟଯାକେ ଶୁଭଇ ଚହଳ ।୨୮୯।

ସମସ୍ତ ମୁନିମାନେ ଫଳମୂଳ ଭୁଞ୍ଜିଲେ

ଆନନ୍ଦରେ ବେଦ ଧୁନି ଉଂକାରିଲେ ।୨୯୦।

ନାରଦ ମୁନି ଆନନ୍ଦେ ବୀଣାଯନ୍ତ୍ର ବଜାନ୍ତି

ଗୋବିନ୍ଦଂକ ମୁଖକୁ ଯେ ଚାହିଂଣ ହସନ୍ତି ।୨୯୧।

ବିଭା ତ ବଢିଲା ହୋ ଚାଲ ୟେବେ ଯିବା

କିସ ଅର୍ଥେ ଆଉ ୟେଠାରେ ଆମ୍ଭେ ରହିଥିବା ।୨୯୨।

ରାମକୃଷ୍ଣ ବୋଲନ୍ତି କୃତଶେଖରକୁ ରାଇ

ବରକନ୍ୟା ସଜ କରି ଆଣ ବେଗେ ଯାଇ ।୨୯୩।

ଦ୍ୱାରିକାକୁ ଯିବା ସର୍ବେ ବେଗେ ସଜ ହୁଅ

ଆଗିଆଣି ବଳ ସବୁ ଆଗେ ଚଳିଯାଅ ।୨୯୪।

ବିରୂପାକ୍ଷ ମନ୍ତ୍ରୀକୁ ନାରଦେ ରାଇଲେ

ରାଜାର ଛାମୁରେ ଜଣାଅ ବୋଇଲେ ।୨୯୫।

ରାମକୃଷ୍ଣ ୟେବେ ଯିବେ ଦ୍ୱାରିକା ଭୁବନ

ବିଳମ୍ବ ନ ସହି ସେ ଯିବେ ୟେହିକ୍ଷଣି ।୨୯୬।

ଖରତର ହୋଇ ମନ୍ତ୍ରୀ ବେଗ ହୋଇ ଗଲା

ରାଜାର ଛାମୁରେ ସେ ଯାଇଣ ଜଣାଇଲା ।୨୯୭।

ବୋଇଲା ସାବଧାନେ ଶୁଣିମା ଗୋସାଇଂ

ଦ୍ୱାରାବତୀ ପୁରକୁ ଯିବେ ଭାବଗ୍ରାହୀ ।୨୯୮।

ନାରଦ ମହର୍ଷି ମୋତେ ରାଇଣ କହିଲେ

ୟେଥକୁ କିସ ବିଚାର କରିବା ନୃପବରେ ।୨୯୯।

ମନ୍ତ୍ରୀଂକି ଚାହିଣ ରାଜା ଆଗ୍ୟାଂ ସେ ଦିଅନ୍ତି

ବରକନ୍ୟାକୁ ସଜକର ହୋ ତଡ଼ିତି ।୩୦୦।

ଘେନାଇଣ ଆସ ବେଗେ ବିଭାର ସାମଗ୍ରୀ

ବରକନ୍ୟାନ୍ତ ହାନ୍ଦୋଳାରେ ବସାଇ ଘେନି ଆସ ବେଗି ।୩୦୧।

ୟେତେ ଶୁଣି ମନ୍ତ୍ରୀବର ବହନ ଚଳିଗଲା

ଭିତର ପୁରକୁ ନେଇ ବାରତା ବେଗେ ଦିଲା ।୩୦୨।

ବରକନ୍ୟା ସଜକର ରାଜା ଆଗ୍ୟାଂ ଦିଲେ

ବରକନ୍ୟାକୁ ମାୟେ ସଜ କରାଇଲେ ।୩୦୩।

ହୁଳହୁଳି ଦ୍ୟନ୍ତି ଅହିଅ ନାରୀମାନେ

ଶଙ୍ଖ ମହୁରୀ ଯେ ବାଜଇ ଘନ ଘନେ ।୩୦୪।

ହାନ୍ଦୋଳା ଭିତରେ ନେଇ କନ୍ୟା ବସାଇଲେ

ଦିବ୍ୟସୁଖ ଆସନେ କୁମର ବିଜେ କଲେ ।୩୦୫।

ବରକନ୍ୟା ଦୁହେଂ ଯହୁଂ ହୋଇଲେ ବାହାର

ଆସ୍ତାନ ଉପରକୁ ତହୁଂ ବିଜେ କଲେ ନୃପବର ।୩୦୬।

ବୋଇଲେ ଅବଧାନ କରିବା ଭାବଗ୍ରାହୀ

ବରକନ୍ୟା ସଜହୋଇ ସିଂଘଦ୍ୱାରେ ଛନ୍ତି ରହି ।୩୦୭।

ଅକ୍ଷତ ବେଭାର ମାନ ଯେତେ ସଭାକୁ ଆଣିଅଛି

ଜଣେ ଜଣେ ଆପଣେ ଦେବା ହୋ ଶ୍ରୀବଚ୍ଛି ।୩୦୮।

ହାଥୀ ରଥୀ ଯେତେକ ପାଦାନ୍ତି ଆସିଥିଲେ

ଶାଢୀ ପରସାଦମାନ ଯେ ସମସ୍ତେ ପାଇଲେ ।୩୦୯।

ଶଙ୍ଖୁଆ ମହୁରିଆ ବାଦ୍ୟକାର ପରିଯନ୍ତେ

ଅନେକ ଶାଢୀ ପରସାଦ ଦିଲେ ନରନାଥେ ।୩୧୦।

ବାଜିଲା ଟମକ ସଜ ହୋଇଲେ ସଇନି

ଚାଲ ଚାଲ ଶବଦରେ କମ୍ପଇ ମେଦିନୀ ।୩୧୧।

ହୁଳହୁଳି ଶବଦ ଯେ ଶୁଭଇ ଅପାର

ଯେ ଯାହାର ମତେ ସଜ ହୋଇଣ ବାହାରିଲେ ।୩୧୩।

ପନ୍ଦର କ୍ଷଉଣୀ ବଳ ଉଗ୍ରସେନ ରାୟେ

ଆଗିଆଣି ଥାଠ ଚଳାଇ ସେହୁ ଯେ ଚଳିପାୟେ ।୩୧୪।

ୟେହାଂକର ପଛେ ବରକନ୍ୟା ଯେ ଚଳିଲେ

ଆଗପଛ ହୋଇଣ ଯେ ସନ୍ୟବଳ ଗଲେ ।୩୧୫।

କୃତଶେଖର ରାଜା ଯେ ପୁତ୍ରକୁ ରାଇଲା

ଝିଅର ସଙ୍ଗେ ଯାଅ ବୋଲିଣ ଆଗ୍ୟାଂ ଦିଲା ।୩୧୬।

ମନ୍ତ୍ରୀକି ବୋଇଲା ତୁହି ଯାଅ ଆଗେ ବେଗେ

ଝିଅକୁ ନେଇଣ ତୁମ୍ଭେ ଛାଡ଼ିଆସ ସୁବେଗେ ।୩୧୭।

ଅନେକ ସନ୍ୟ ନେଲା ନୀଳଧର ସଂଗତର

ଆଗ୍ୟାଂ ମାଗିଣ ତହୁଂ ଯେ ଚଳଇ ମନ୍ତ୍ରୀବର ।୩୧୮।

ଆଗରେ ଉଗ୍ରସେନ ଚଳାୟେ ସଇନି

ବରକନ୍ୟା ମଧ୍ୟରେ ପଛେ ନୀଳଧର କୁମରମଣି ।୩୧୯।

ସମ୍ଭର ହୋଇଣ ଯେ ସଇନି ଚଳିଗଲେ

ବୀରତୂର ବାଇଦେ ଯେ ରାଇଜ ଉଛୁଳିଲେ ।୩୨୦।

ପଛେ ରାମକୃଷ୍ଣ ପାଣ୍ଡବ ପଞ୍ଚୁଭାଇ

ସାତ କ୍ଷଉଣୀବଳ ଘେନି ଗଲେ ବାହାର ଯେ ହୋଇ ।୩୨୧।

ଅକ୍ରୂର ଅନାଧୃଷ୍ଟ ଉଦ୍ଧବ ସାତୁକୀ ସହିତେ

ରଥେ ରଥେ ଚଢିଯାନ୍ତି କୃଷ୍ଣଂକ ସଙ୍ଗତେ ।୩୨୨।

ବୀଣା ବାଦ୍ୟ ବାଇଣ ଯେ ନାରଦ ମହାମୁନି

କୁତୂହୋଳେ ନାଚି ଦିଅନ୍ତି ବୀଣାଧୁନି ।୩୨୩।

କୃତଶେଖର ରାଜା ଗୋଡ଼ାଇଲା ପଛେ

ରହ ରହ ବୋଲିଣ ଯେ ବୋଲନ୍ତି ଶ୍ରୀବଚ୍ଛେ ।୩୨୪।

ସାଷ୍ଟାଙ୍ଗେ ଗଡ଼ଘାଲି ପଡ଼ି ଶୁତିଲା ମହାରାଣ

କୃତକୃତ ହୋଇଣ ଯେ ବୋଲଇ ବଚନ ।୩୨୫।

ଦୋହିତା ଗୋଟିକ ନାଥ ମୁହିଂ ସମର୍ପିଲି ତୋତେ

ତାହାକୁ ସୁଦୟା କରିଥିବ ଜଗନ୍ନାଥେ ।୩୨୬।

ଯେତେ ଦୋଷ ତାର କରିବାକ କ୍ଷମା

ତୁମେ ଯେ ପରମବ୍ରହ୍ମ ଦେବାଧିଦେବଂକ ଉତ୍ତମା ।୩୨୭।

ଅନେର ପ୍ରକାର ରାଜା ବିନୋୟୀ କହିଲା

ସାଷ୍ଟାଙ୍ଗେ ପାୟେ ପଡ଼ି ଗଡ଼ଘାଲି ଶୁତିଲା ।୩୨୮।

ଆପଣେ ଜଗନ୍ନାଥ ଶ୍ରୀହସ୍ତ ତୋଳିଲେ

ସର୍ବ ଶୁଭେ ରାଜ୍ୟ ତୁମ୍ଭେ କରୁଥାଅ ଭଲେ ।୩୨୯।

ଝିଅ ପଠିଆଇ ରାଜା ହୋଇଲା ବିକଳ

କ୍ରୋଧଭରେ ନୟନରୁ ବହେ ଅଶ୍ରୁଜଳ ।୩୩୦।

ମେଲାଣି ମାଗିଣ ରାଜା ବାହୁଡ଼ି ଅଇଲା

ଭିତର ନବରେ ରାଜା ଯାଇଂଣ ବିଜେ କଲା ।୩୩୧।

ରାଣୀ ମହାଦେଈ ଯେ ବହୁତ କ୍ରୋଧ କଲେ

ଝିଅ ନାମ ଧରିଣ ଯେ ବାଉନି କାନ୍ଦିଲେ ।୩୩୨।

ଦଇବ ପୁରୁଷ ଯାହା କରିଅଛି ଘଟଣ

କର୍ମକୁ ଆଦରିଣ ରହିଲା ନୃପରାଣ ।୩୩୩।

ତୁଳୁସାର ବଲ୍ଲଭ ଯେ ଜଗତ ସୋଦର

ଅସୁର ନିବାରଣେ ନାମ ଚକ୍ରଧର ।୩୩୪।

ମୁହିଂ ଯେ ଅରକ୍ଷିତ ଅଟଇ ସାରୋଳା ଦାସ

ୟେ ଭବ ନଦୀରୁ ପାର କରିବା ପୀତ ବାସ ।୩୩୮ । ୭୯୧୦।

 

କୁଠାରସୁର ବଧ

କରପତ୍ର ଯୋଡ଼ିଣ ଯେ ବିଲଂକ ନୃପବର

ଅଗସ୍ତିଂକି ଚରଣେ ନମଇଂ ଶତେବାର ।୧।

ସୁରେଖା ବିଭା ମୁନି ଶୁଣିଲି ଶ୍ରବଣେ

କୋଟିୟେ ଜନ୍ମର ପାତେକ ହାରିଲି ତକ୍ଷଣେ ।୨।

ୟେଥୁ ଉତ୍ତାରେଣ ହୋଇଲା କିସ କଥା

ପୁରାଣ ପୋଥି ଫେଇ କହ ହେ ବ୍ରହ୍ମବେତ୍ତା ।୩।

ରାଜାର ବିନୟ ଭଗତିଭାବ ଦେଖି

ଅତି ଦୟା କରି କହନ୍ତି ବ୍ରହ୍ମବଚ୍ଛି ।୪।

ୟେଥି ଉତ୍ତାରେଣ ହୋଇଲା ଯିସ ରୀତି

ୟେକମନ ହୋଇଣ ହୋ ଶୁଣିମା ନରପତି ।୫।

ଥାଠ ସଇନି ଘେନିଣ ଯେ ବାହାର ହୋଇଗଲେ

ସେଦିନ ଯାଇଂଣ ଅଧ ବାଟରେ ରହିଲେ ।୬।

ରନ୍ଧନ ଭୋଜନ କରି ରହିଲେ ସେଦିନ

ନିଶି ପ୍ରଭାତେଣ ଯେ ଚଳାଇଲେ ସଇନ ।୭।

ଲକ୍ଷେକ ଶଙ୍ଖ ଯେ ବାଜଇ ଘନ ଘନ

ଲକ୍ଷେକ ମହୁରୀ ଯେ ଫୁରଇ ଅବିଚ୍ଛନ୍ନ ।୮।

କନଡ଼ା ରାଗେ ମହୁରୀ ବାଜଇ ବିଦ୍ୟମାନ

ବାଦ୍ୟଘାତେ ଛିଡ଼ିଣ ପଡ଼ିବ କି ଆକାଶ ଭୁବନ ।୯।

ସଇନି ବଳ ଘେନି ଯାଉଛନ୍ତି ଚଳି

ମୁଖରାବ ଶବଦରେ କୁରୁମ ଉଚ୍ଛୁଳି ।୧୦।

ଦଇବ ଭବିଷ କଥା ଶୁଣ ହୋ ରାଜନ

ମୃଗୟାକୁ ଆସିଥିଲା କୋଦାଳ ଅସୁରର ନନ୍ଦନ ।୧୧।

କୋଠାର ଗୋଟାୟେକ କାନ୍ଧେ ପକାଉଣ ଥାଇ

ଦେବ ଦାନବ ମାନବେ ସେ କାହାକୁ ନ ଗଣଇ ।୧୨।

ବଡ଼ାଇ ପ୍ରତାପୀ ଯେ ଦୁର୍ଭାର ଅସୁର

ଦଇବର ବେଶେ ସେଦିନ ଆସିଥିଲା ମୃଗୟାର ।୧୩।

ମୃଗ ହରିଣ ସେ ବହୁତ ଜୀବ ମାରିଅଛି

ଫୁଟିଣ ଗଛ ତଳେ ବସିଲା କୋଦାଳ ଅସୁର ବଚ୍ଛି ।୧୪।

ସଇନି ବଳ ସଙ୍ଗେ ତାର ଅଛନ୍ତି ଅପାର

ଆଗରେ ଉଭା ହୋଇଣ ଅଛି ମନ୍ତ୍ରୀବର ।୧୫।

ଆଲଟ ଚାମର ଧରି ଢାଳୁଛନ୍ତି ଥୋକେ

ଗନ୍ଧ ଚନ୍ଦନ ଯେ ଲେପୁଅଛନ୍ତି ସେବକେ ।୧୬।

ମହା ଆଡ଼ମ୍ବରେ ବେଢିଛନ୍ତି ସର୍ବଲୋକେ ।୧୭।

ବଡ଼ାଇ ସମ୍ଭରେ ବସିଅଛି ସେ ଅସୁର ବୀର

ଚାରି ଦିଗକୁ ମୁଖ କରିଣ ଚାହଂଇ ଧୀର ଧୀର ।୧୮।

ଯେଉଂ ଆଡ଼କୁ ଚାହଂଇ ସହସ୍ରେ ଓଲଗ ପଡ଼ଇ

ଅବୋଲକନ କରି ସେ ସଇନିକି ଚାହଂଇ ।୧୯।

ୟେସନେକ ସମୟେ ତହୁଂ ଶୁଭିଲା ଘୋରନାଦ

ବିକଟାଳ ହୋଇଣ ଯେ ବାଜୁଅଛି ବାଦ୍ୟ ।୨୦।

ଶଙ୍ଖ ମହୁରୀ ଯେ ବାଜଇ ଅତି କୁତୂହୋଳେ

ମହୀ ଟଳ ଟଳ ଯେ ଉଛୁଳଇ ପାଦଭରେ ।୨୧।

ପାଦଭରେ ଆକାଶେ ଯେ ଉଡୁଅଛି ଧୂଳି

ଶଙ୍ଖ ମହୁରୀ ଶବଦେ ଯେ କୁରୁମ ଉଛୁଳି ।୨୨।

ବୀରନାଦ ଟମକ ବାଜଇ ଦୂରୁ ଦୂର

ଘୋଡ଼ାମାନେ ଧୂଆଇଂ ଯେ ଧାମନ୍ତି ଅଶୁଆର ।୨୩।

ଆଗିଆଣି ଥାଠରେ ଉଗ୍ରସେନ ରାୟେ ଚଳି

ପଛ ଥାଠରେ ବିଜୟେ ହରି ହଳଧାରୀ ।୨୪।

ମଧ୍ୟରେ ବରକନ୍ୟା ଯେ ହାନ୍ଦୋଳରେ ବିଜେ

ପଛ ପଟୁଆରେ ଛନ୍ତି ପଣ୍ଡୁର ତନୁଜେ ।୨୫।

ଥାଠ ଚଳାଇଣ ସେ ଯାଉଛନ୍ତି ଧୀରେ ଧୀରେ

ଚିହ୍ନ ଚିରାଳମାନ ଉଡ଼ଇ ଫରହରେ ।୨୬।

ବାଦ୍ୟନାଦ ଶବଦ ଯେ ଶୁଣିଣ ଅସୁର

ଗୁପତେଣ ମନ୍ତ୍ରୀକି ରାଇଲା ସନ୍ନିଧର ।୨୭।

ବୀରତୂର ବାଜଣା ବିବିଧ ଛନ୍ଦେଣ ବାଜୁଅଛି

ଶଙ୍ଖ ମହୁରୀ ଅବିକ୍ଷଣେ ଘନ ଘନ ଫୁରୁଅଛି ।୨୮।

ହୁଳୁ ହୁଳି ଶବଦ ପଡୁଅଛି ଦେଖ

ଚାଲ ଚାଲ ଶବଦ ଯେ ପଡୁଅଛି ଡାକ ।୨୯।

ମନ୍ତ୍ରୀ ବୋଇଲା ଶୁଣ ହୋ ଅସୁର କୁଳସାଇଂ

ତହିଂର ବିଧାନ ତୋତେ କହଇ ବୁଝାଇ ।୩୦।

ତୋହୋର ସେବକ ମୁହିଂ ଅଟଇ ଜନ୍ମେ ଜନ୍ମେ

ଅବଧାନ ହୋଇ ଯେ ଶୁଣିମା ବିଦ୍ୟମାନେ ।୩୧।

କୁଶସ୍ଥଳୀ ଦ୍ୱାରିକା ବୋଲି ଅଛଇ ୟେକପୁର

ରାମକୃଷ୍ଣ ବୋଲି ବସୁଦେବର କୁମର ।୩୨।

ତାହାର ନନ୍ଦନ ଯେ ଅଟଇ ପଦ୍ମନ କୁମର

କୃଷ୍ଣର ଜ୍ୟୋଷ୍ଠାରାଣୀ ମାତା ତାହାଂକର ।୩୩।

ତାହାର ଗର୍ଭରୁ ସେ କୁମର ଜନମିଛି

ରୂପେ ପଟାନ୍ତର ସେ କାମଦେବକୁ ଯେ ଗଚ୍ଛି ।୩୪।

ସେ କୁମର ବିଭା ହୋଇ କନ୍ୟା ଘେନିଣ ଯାଉଛି

ବଡ଼ାଇ ସମ୍ଭର୍ବେ ସେ ଥାଠ ଚଳାଇଛି ।୩୫।

ମଙ୍ଗଳ ମହୁରୀ ବଜାଇ ରାମ ବନମାଳୀ

ଉଚ୍ଛବ ଆନନ୍ଦରେ ଯେ ଯାଉଛନ୍ତି ଚଳି ।୩୬।

ମନ୍ତ୍ରୀ କହନ୍ତେଣ କୋଠାରାସୁର ଯେ ଶୁଣିଲା

ମନ୍ତ୍ରୀକି ଚାହିଂଣ ସେ ବଚନ ପ୍ରକାଶିଲା ।୩୭।

ବୋଇଲା ଥାଠ ସଜକର ଯିବା ତହିଂ ଯାୟେ

କେମନ୍ତ ଉଚ୍ଛବେ ଯାଉଛନ୍ତି ଦେଖିବା ଥୋକାୟେ ।୩୮।

ରାଜାର ବଚନେ ମନ୍ତ୍ରୀ କରଯୋଡ଼ି କହଇ

ଅବଧାନ ହୋଇଣ ଶୁଣିମା ଗୋସାଇଂ ।୩୯।

ତାହାନ୍ତ ଦେଖିଲେ ଆମ୍ଭର କିସ କାର୍ଯ୍ୟ ହୋଇବ

ମୋହୋର ବୋଲ ଘେନି ନ ଯାଅ ଅସୁରକୁଳ ଦେବ ।୪୦।

କୋଠାର ଅସୁର ବୋଇଲା ୟେଠାରେ କି ବିରୋଧ ଅଛି

ୟେଥିର ସନ୍ଦେଶ ମୋତେ କହୁକିନା ବାଛି ।୪୧।

କାହିଂର ନୃପତି ସେ ରାଜ୍ୟ ତାର କାହିଂ

କେଉଣ ପ୍ରକାରେ ସେ କାହା ଝିଅ ନିୟେ ବିଭା ହୋଇ ।୪୨।

ଥାଠ ସଇନି ତାର କେତେ ଅଛଇ ସଙ୍ଗେ

ୟେଥିର ଚରିତ ମୋତେ କହ ହେ ସୁବାଗେ ।୪୩।

ମନ୍ତ୍ରୀ ବୋଇଲା ଦେବ ଅବଧାନ କର

କରମଣ୍ଡଳ ଦେଶର ଅଟଇ ନୃପବର ।୪୪।

ରାଜାର ନାମ ଅଟଇ କୃତ ଯେ ଶେଖର

ପୁତ୍ର ନାମ ତାହାର ଅଟଇ ନୀଳଧର ।୪୫।

ମନ୍ତ୍ରୀର ନାମ ତାର ଅଟଇ ବିରୂପାକ୍ଷ

ସାବଧାନ ହୋଇଣ ଶୁଣ ଦତ୍ୟକୁଳ ଦଚ୍ଛ ।୪୬।

ସୁରେଖା ବୋଲି ଦୁହିତା ଅଟଇ ତାହାର

ୟେକାନ୍ତେ ମେଢରେ ରଖିଥାୟେ ନୃପବର ।୪୭।

ଗୁପତେ ପଶିଲା ତହିଂ କୃଷ୍ଣର କୁମର

ବଳେ କନ୍ୟାକୁ ଆଣନ୍ତେ ଜାଣିଲା କୃତଶେଖର ନୃପବର ।୪୮।

ପିତାର ଆଗ୍ୟାଂରେ ନୀଳଶେଖର ଯେ ଗଲା

କୃଷ୍ଣର ପୁତ୍ରକୁ ଯାଇଂ ବାନ୍ଧିଣ ଆଣିଲା ।୪୯।

ଧରି ନେଇ ତାକୁ ବନ୍ଦୀ କରି ରଖିଥିଲା

ୟେତକେ ଉପାୟ ଯେ ନାରଦ ମୁନି କଲା ।୫୦।

ନାରଦ ପ୍ରବେଶ ଯାଇଂ ହେଲେ ଦ୍ୱାରିକାରେ

ବାରତା କହିଲେ ରାମକୃଷ୍ଣଂକ ଛାମୁରେ ।୫୧।

ନାରଦେ ବୋଇଲେ କୃତଶେଖର ରାଜ୍ୟରେ

କନ୍ୟାୟେ ଘେନି ଆସୁଥିଲା ସେ ରାତ୍ର କାଳରେ ।୫୨।

ରାଜା କୃତଶେଖର ତାକୁ ବାନ୍ଧି ରଖିଅଛି

ୟେମନ୍ତ ଶୁଣି କୋପ କଲେ ଶିରୀବଚ୍ଛି ।୫୩।

ସାତ ବଂଶ ଯାଦବ ଘେନି ବାହାର ହୋଇଲେ

ହଳ ମୂଷଳ ଧରି ବଳରାମେ ଧାଇଂଲେ ।୫୪।

କୁଞ୍ଜଗଳ ଦେଶରାଜା ଯୁଝେଷ୍ଠି ନୃପବର

ସାତ କ୍ଷଉଣୀ ବଳ ଛନ୍ତି ତାହାଂକ ସଙ୍ଗତର ।୫୫।

ରାଜା ଉଗ୍ରସେନଂକର ପନ୍ଦର କ୍ଷଉଣୀ ବଳ

ବାଇଶି କ୍ଷଉଣୀ ବଳ ଘେନି ବସୁଦେବ ବାଳ ।୫୬।

କରମଣ୍ଡଳ ଦେଶ ବେଢିଲେକ ଯାଇଂ

ଅପ୍ରମିତ ବଳ ଯେ କଳଣା ନ ଯାଇ ।୫୭।

ଭୟେଣ ନୃପତି ଯେ ବରକନ୍ୟା ଘେନି

ଖଣ୍ଡେ ଦୁରୁଂ ଆସି ସେ କଲାକ ଦଇନି ।୫୮।

ତାହାର ଭଗତି ଭାବ ଦେଖିଣ ରାମହଳୀ

ତାହାର ନଗ୍ରକୁ ବିଜେ କଲେ ରାମ ବନମାଳୀ ।୫୯।

ବାଇଶି କ୍ଷଉଣୀବଳକୁ ଭୁରି ଭୋଜନ ସେ ଦିଲା

ଅନେକ ସମ୍ଭର୍ବେ ଝିଅକୁ ସେ ବିଭା କରାଇଲା ।୬୦।

ଅନେକ ଯଉତୁକ ଦେଇଣ ନୃପରାୟେ

ବହୁତ ବିନୋୟୀ ହୋଇ କହିଲା ରାମକୃଷ୍ଣଂକର ପାୟେ ।୬୧।

ବରକନ୍ୟା ଘେନିଣ ସେ ଯେ ସମ୍ଭର୍ବେ ଯାଉଅଛି

ତାହାର ସଙ୍ଗେ ଖଡ଼ିଆଳ ନୁହ ତୁ କୋଦାଳ ଅସୁର ବଚ୍ଛି ।୬୨।

ପୁଣିହିଂ ମନ୍ତ୍ରୀକି ଯେ ପଚାରଇ ଅସୁର

ଯୁଦ୍ଧ କରିବା ଚାଲ ହୋ ତାହାଂକ ସଙ୍ଗର ।୬୩।

ମୋହୋର ଆଗରେ ସେ ବୀରତୂର ବଜାଇ

ନିର୍ଭୟେ ଯାଉଅଛି ତାହା ମୁଂ କେମନ୍ତେ ସହିବଇଂ ।୬୪।

ମନ୍ତ୍ରୀର ବୋଲ ରାଜା କେବେହେଂ ନ କଲା

ଥାଠ ସଜକର ବୋଲି ଯେ ମନ୍ତ୍ରୀକି ଆଗ୍ୟାଂ ଦିଲା ।୬୫।

ମନ୍ତ୍ରୀ ବୋଇଲା ହୋ ଶୁଣ କୋଠାର ଅସୁର ବୀର

ସ୍ୱୟେଂ ପରଂବ୍ରହ୍ମ ସେ ଅଟନ୍ତି ଚକ୍ରଧର ।୬୬।

ସାଂଗ୍ରାମ କଲେ ତୁ ଯଶ ନ ପାଇବୁ

ବିନାଶ କାରଣେ ସଇନି ଲୋଚାୟେ ମରାଇବୁ ।୬୭।

ମନ୍ତ୍ରୀ ବୋଇଲା ଆହୁରି କଥାୟେକ ଅଛି

ନ କହିଲେ କଥା ମୋତେ କହିବୁଟି ପଛେ ବାଛି ।୬୮।

ପିତୃ ପିତାମହ ବଇରି ହେଲେ ତାହାଂକର ତୁଲେ

ରଣ କଲେ ଯଶ ନ ପାଇଲେ ସେହୁ ଭଲେ ।୬୯।

ମନ୍ତ୍ରୀ କହନ୍ତେ ଅସୁର ପୁଣିହିଂ ପଚାରଇ

କେଉଣ ପ୍ରକାରରେ ସେ ମୋହୋର ପିତୃ ବଇରି ହୋଇ ।୭୦।

କାହିଂର ରାଜା ସେ ଯେ କାହିଂ ଆସିଥିଲା

କେଉଣ ପ୍ରକାରେ ମୋର ପିତାକୁ ମାଇଲା ।୭୧।

ୟେହା ମୋତେ ବୁଝାଇଣ କହ ମନ୍ତ୍ରୀବର

ନୋହିଲେ ନିଚୟେ ତୋର ପୁରାଇବି କାଳ ।୭୨।

ମନ୍ତ୍ରୀ ବୋଇଲା କୋପ ତୁ ନ କର ଅସୁରକୁଳ ନାଥ

ତହିଂର କଥା ମୁହିଂ ଯେ କହଇ ତଦନ୍ତ ।୭୩।

କୁଞ୍ଜଗଳ ଦେଶରାଜା ଯୁଝେଷ୍ଠି ନୃପବର

ତାହାର ଅନୁଜ ନକୁଳ ନାମେ ମହାବୀର ।୭୪।

ଦଇବ ବଶେ ସେ ରାଜା ମୃଗୟାକୁ ଆସିଥିଲା

ତାହାଂକର ସଙ୍ଗେ ପିତା ତୁମ୍ଭର ଭେଟ ଯେ ପଡ଼ିଲା ।୭୫।

ଦୁହେଂ ଉଞ୍ଚବାଚ ହୋଇ କରି କଳି କଲେ

ମହାଘୋର ସ୍ରାଂଗ୍ରାମ ଯେ ଦୁହେଂ ଆରମ୍ଭିଲେ ।୭୬।

ଦୁହେଂ ମହାକ୍ଷତ୍ରୀ ଯେ ନୋହନ୍ତି କେହି କାହାକଇଂ ଓଚ୍ଛ

ଦୁହେଂ ଦୁହିନ୍ତି ଯେ ଅଟନ୍ତି ସମକଚ୍ଛ ।୭୭।

ଅତିହିଂ ସଂଗ୍ରାମ ଯେ ସେଦିନର ନୋହଇ ଗୋଚର

ସାଂଗ୍ରାମେ କୁଣ୍ଡଳୀ ଅସୁରକୁ ମାଇଲା ନକୁଳ ମହାବୀର ।୭୮।

ସାଂଗ୍ରାମେଣ ମାରି ସେ ଯେ ବାହୁଡ଼ିଣ ଗଲେ

ଆପଣା ରାଇଜେ ଯାଇଂ ପ୍ରବେଶ ହୋଇଲେ ।୭୯।

ୟେମନ୍ତେଣ ଥୋକାୟେ ଯେ ଦିନ ବହିଗଲା

ତୋହୋର ପିତା କୋଦାଳେଶ୍ୱର ରାଜା ଯେ ହୋଇଲା ।୮୦।

ମୋତେ ଦିନେ ପଚାରିଲା ହାଦେ ତୋହୋର ପିତା

ଚଉଦିନ ହେଲା ମୃଗୟାକୁ ଗଲେ ନଇଲେ ମୋର ପିତା ।୮୧।

ମୁହିଂ ବୋଇଲି ପିତା ତୋର ସାଂଗ୍ରାମେ ପଡ଼ିଲା

କୁଞ୍ଜଗୋଳ ଦେଶ ରାଜା ନକୁଳ ମାଇଲା ।୮୨।

ଶୁଣିଣ ପିତା ତୋର ବହୁ କୋପ କଲେ

କାହିଂ ଅଛନ୍ତି ପାଣ୍ଡବେ ଭେଟାଅ ବୋଇଲେ ।୮୩।

ୟେତେ ବୋଲି ଦିନେ ଯେ ମୃଗୟାକୁ ଗଲା

ଦଇବର ବଶେ ପାଣ୍ଡବନ୍ତ ଭେଟ ଯେ ପାଇଲା ।୮୪।

ସେହୁ ଯାଇଥିଲେ ଯେ ନୀଳେନ୍ଦୀ ହରଣକୁ

ବିଭା ବଢାଇଣ ଯାଉଥିଲେ ଯେ ଘରକୁ ।୮୫।

ପାଣ୍ଡବଂକ ଅନୁଜ ସହଦେବ କୁମାର

ତୋହୋର ପିତା ତାହାର ସଙ୍ଗତେ ସାଂଗ୍ରାମ କଲା ମହାଘୋର ।୮୬।

ଅନେକ ସାଂଗ୍ରାମ ଯେ ଦୁଇ ଛତ୍ରୀ କଲେ

କେହି କାହାକୁ ସାଂଗ୍ରାମେ ଜିଣନ୍ତା ନୋହିଲେ ।୮୭।

କରକୁ ଚାହିଂଣ ଯେ ସହଦେବ ଜାଣିଲା

ତୋହୋର ପିତା ଯେମନ୍ତେ ମରିବ ସେ ଭେଦ ଦିଶିଲା ।୮୮।

ଭେଦ ଜାଣିଣ ସହଦେବ ମାଇଲାକ ବଳେ

ପିତାକୁ ତୋହୋର ଛେଦି ପକାଇଲା ହେଳେ ।୮୯।

ୟେ ରୂପେ ପିତା ବଇରି ଅଟଇ ତୋହୋର

ୟେକମନେ ୟେହା ଶୁଣ ବୋ ନୃପବର ।୯୦।

ୟେହା ଶୁଣି ଅସୁର ଯେ ବହୁତ କୋପ କଲା

ନିଚୟେଂ ପାଣ୍ଡବଂକ କାଳ ଯେ ପୂରିଲା ।୯୧।

ମୋହୋରି ପିତାକୁ ଯେ କରିଅଛି ନାଶ

ମୋହୋର ହାଥେ ତାହାଂକର ପୂରିବ ଆଇଷ ।୯୨।

କୋଠାର ଦୁଇ ଗୋଟା କାନ୍ଧରେ ପକାଇ

ଅତି କୋପଭର ହୋଇଣ ଅସୁର ଧାମଇଂ ।୯୩।

ମନ୍ତ୍ରୀ ବୋଲେ ରାଜା ଥିରହୋଇ ରହିଲା

କି କହିବୁ କହ ବୋଲିଣ ପଚାରିଲା ।୯୫।

ମନ୍ତ୍ରୀ ବୋଇଲା ହୋ ଥାଠ ସଇନି ସାଜି ଯିବା

ୟେକା ହୋଇ କିମ୍ପେ ସମର କରିବା ।୯୬।

ରାଜା ବୋଇଲା ମୋହୋର ସାଜ ହୋ ସଇନ

ପାଣ୍ଡବନ୍ତ ପ୍ରାଣ ଆଜ ହରିବ ଜନ୍ତୁରାଣ ।୯୭।

ଥାଠ ଚଳାଇଣ ଯେ ଅସୁରେ ତତକ୍ଷଣେ ଗଲେ

ପାଞ୍ଚ ଯୂଣେ ଯାଇଂ ରାମକୃଷ୍ଣନ୍ତ ଭେଟିଲେ ।୯୮।

ଆଗେଣ ଉଗ୍ରସେନ ସାତବଂଶ ଯାଦବନ୍ତ ଘେନି

ଚଳାଇ ଯାଉଅଛନ୍ତି କରିଣ ଶଙ୍ଖଧୁନି ।୯୯।

କୃଷ୍ଣର କୁମର ମାନେ ବରକନ୍ୟା ଘେନିଣ

ମଧ୍ୟ ଥାଠରେ ସେ ଯେ କରନ୍ତି ପୟାଣ ।୧୦୦।

ତାହାଂକର ପଛେ ରାମକୃଷ୍ଣ ବେନି ଭାଇ

ଅକ୍ରୂର ସାତୁକୀ ଅନାଧୃଷ୍ଟି ଉଦ୍ଧବ ତହିଂ ।୧୦୧।

ଆଗ ପଛରେ ଚଳି ଯାଉଛନ୍ତି ସେହି ।୧୦୨।

ଉଦ୍ଦଣ୍ଡ ବିରାଳମାନ ଉଡ଼ଇ ଫରହର

ଶଙ୍ଖ ମହୁରୀ ବାଦ୍ୟ ଶୁଭଇ ଦୂରୁଂ ଦୂର ।୧୦୩।

ତାହଂକର ପଛେ ସାତ କ୍ଷଉଣୀ ବଳ ଘେନି

ଚାରିଭାଇ ଘେନି ଯେ ଯୁଝେଷ୍ଠି ନୃପମଣି ।୧୦୪।

ମହା ସମ୍ଭର୍ବ ହୋଇଣ ଯେ ଆସୁଛନ୍ତି ଥାଠ

ଚାଲ ଚାଲ ଧାମ ଧାମ ମୁଖରାବ ଚହଟ ।୧୦୫।

କୋଠାର ଅସୁର ବେଗେ ଧାଇଂଅଛି ଖରେ

ରହ ରେ ପାଣ୍ଡବା ବୋଲି ଡାକେ କୋପଭରେ ।୧୦୬।

ମୁଖର ଚହଳେ ନ ଶୁଣନ୍ତି ଯେ ପାଣ୍ଡବେ

ହାଥୀ ରଥୀ ଚଳାଇ ଯାଉଛନ୍ତି ବେଗେ ।୧୦୭।

ତାହାଂକର ପଛେ ଯେ ସହଦେବ ଥିଲେ

କିୟେ ସେ ଡାକୁଛି ବୋଲି ପଛକୁ ତଲେ କଲେ ।୧୦୮।

ଦେଖିଲେ ଅସୁର ସଇନି ଆସୁଛନ୍ତି ମାଡ଼ି

ଦେଖି ଥମ୍ଭୀଭୂତ ହେଲା ସହଦେବ ମହାବଳୀ ।୧୦୯।

ବିଚାରଇ ବିପରୀତ ହୋଇଲାକ ୟେଥେ ।

ଥାଠ ଆପଣେ ଚଳନ୍ତି ଜଗନ୍ନାଥେ ।୧୧୦।

ଥାଠ ସଇନି ଚଳାଇଣ ଯୁଝେଷ୍ଠି ଠାକୁରେ

ଯାଉଅଛନ୍ତି ସେ ଯେ ନ ଚାହାନ୍ତି ପଛରେ ।୧୧୧।

ସହଦେବନ୍ତ ଆସୁର ସଇନି ବେଢିଲେକ ଯାଇଂ

ରହ ରେ ପାଣ୍ଡବା ବୋଲି ଅସୁର ଡାକଇ ।୧୧୨।

ସହଦେବ ବୋଇଲେ ତୁ କାହିଂର ଅଟୁ ବୀର

ବିନାଶ କାରଣେ ଦ୍ୱନ୍ଦ ଅରଜୁ ମୋହୋର ସଙ୍ଗର ।୧୧୩।

ମନ୍ତ୍ରୀକି ପଚାରଇ ଅସୁରକୁଳ ସାଇଂ

କହ ହୋ ମନ୍ତ୍ରୀବର ପିତା ଶତ୍ରୁ ଅଟଇ କି ୟେହି ।୧୧୪।

ମନ୍ତ୍ରୀ ବୋଇଲା ତୋ ପିତାକୁ ୟେହିଟି ମାଇଲା

ଭଲ କରି ଚିହ୍ନିଲି ମନ୍ତ୍ରୀ ବର କହିଲା ।୧୧୫।

କୋଠାର ଅସୁର ବୋଇଲା ଶୁଣ ରେ ପାଣ୍ଡବା

ପିତୃ ପିତା ବଇରି ତୋ ମୁଖ ନ ଚାହିଂବା ।୧୧୬।

ମୋହୋର ପିତାକୁ ତୁ କରିଅଛୁ ନାଶ

ତୀକ୍ଷ ଶରେ ପ୍ରାଣ ତୋର ଘେନିମି ଅବଶ୍ୟ ।୧୧୭।

ଅସୁର କ୍ରୋଧ ଦେଖି ସହଦେବ କହଇ

ତୋହୋର ବାପା ଅଜା ଯେବେ ମୋର ହାଥେ ମରଇ ।୧୧୮।

ୟେବେ ତୋହୋର ମରଣ ମୋହୋରି ହାଥରେ ଅଛଇ

ତୋହୋର ପ୍ରତଗ୍ୟାଂ ମୋହୋର କିସ ହୋଇ ।୧୧୯।

ଯୁଦ୍ଧ କଲେ ନ କଲେ ତୁ ପାଇବୁ କି ଯଶ

ଉଚ୍ଚବାଚ ହୋଇ ଦୁହେଂ ଆରମ୍ଭିଲେ ରୋଷ ।୧୨୦।

କହୁଂ କହୁଂ ଦୁହେଂ ଯେ ହୋଇ ମରା ମରି

କୋନ୍ତ ଗଦା ଶକତି ଯେ ବେନିକରେ ଧରି ।୧୨୧।

ରଥ ସଜ କରି ଆଣି ମନ୍ତ୍ରୀବର ଦିଲା

କୋଠାର ଅସୁର ଧାଇଂଣ ତହିଂ ବିଜେକଲା ।୧୨୨।

କୋଠାର ଦୁଇଗୋଟା ଯେ ଥୋଇଲା ରଥରେ

ଧନୁ ଧରି ଯୁଝଇ ସେ ସହଦେବ ଛାମୁରେ ।୧୨୩।

ୟେକାଜଣକୁ ଯେ ସହସ୍ରଜଣ ବେଢିଲେ

ଯେ ଯାହାର ଶହସ୍ରମାନ ନିଠାଇ ବିନ୍ଧିଲେ ।୧୨୪।

ଧନୁରୁ ନ ଫିଟୁ ତାହା ସହଦେବ ଚ୍ଛେଦଇ

ଅସୁର ଉପରକୁ ଶହସ୍ର ମନ୍ତ୍ରୀଣ ବିନ୍ଧଇ ।୧୨୫।

ବେଳୁଂ ବେଳ ରଣଗୋଳ ହୋଇଲା ଅପାର

ଦେବ ମାନବେ ତାହା ଅଟଇ ଅଗୋଚର ।୧୨୬।

ଅସୁର ସଇନି ଯେ ସହଦେବନ୍ତ ବେଢି

ଶସ୍ରମାନ ବିନ୍ଧନ୍ତି ସେ ଉପୁରୋଧ ଛାଡ଼ି ।୧୨୭।

ୟେକକୁ ଆରେକ ଶର ବିନ୍ଧନ୍ତି କୋପରେ

ମହାଘୋର ସାଂଗ୍ରାମ ଯେ ହୋଇଲା ସେଠାରେ ।୧୨୮।

ୟେକଇ ନାରାଜେକେ ଯେ ସହସ୍ରେକ ଶର

ଛେଦି ପକାଇଲା ତାହା ସହଦେବ କୁମାର ।୧୨୯।

କୋପେଣ ସହଦେବ ବିନ୍ଧିଲା ତୀକ୍ଷ ଶରେ

ୟେକା ନାରାଜେକ ପଡ଼ିଲେ ଦୁଇ ସହସ୍ର ଅସୁରେ ।୧୩୦।

ମୁଣ୍ଡ ଛିଡ଼ିଣ ଯେ ପଡିଲେ ସମସ୍ତେ ଭୂମିରେ

ଦେଖିଣ କୁଠାର ଅସୁର କମ୍ପଇ ଥର ହର ।୧୩୧।

ବୋଇଲା ମାନବା ରେ ୟେମନ୍ତ ସହସ୍ର କଲୁ

ଦୁଇ ସହସ୍ର ସଇନି ମୋର ଛେଦି ପକାଇଲୁ ।୧୩୨।

ପଞ୍ଚାଶ ନାରାଜ ସେ ଗୁଣରେ ବସାଇ

ସହଦେବ ଉପରକୁ ବିନ୍ଧିଲା କୋପ ବହି ।୧୩୩।

ସହଦେବ ଉପରେ ପଡ଼ିଲା ତୀକ୍ଷ ଶର

ଖଳ ଖଳ ହୋଇଣ ଅଙ୍ଗୁ ବହଇ ରୋଧିର ।୧୩୪।

ରୋଧିର ବହନ୍ତେ ସହଦେବ କୋପ କଲେ

ତିରିଶି ନାରାଜ ସହଦେବ ଯେ ବିନ୍ଧିଲେ ।୧୩୫।

ଅସୁର ଅଙ୍ଗେ ଯାଇଂ ପଡିଲା ଶରମାନ

ଧନୁ ଧରି ଅସୁର ଶହସ୍ର କରଇ ଚ୍ଛେଦନ ।୧୩୬।

ପୁଣ ମନ୍ତ୍ରିଣ ଚାଳିଶ ନାରାଜ ସହଦେବ ବିନ୍ଧଇ

ଅସୁର ଅଙ୍ଗରୁ ରୋଧିର ଖଳ ଖଳ ବହଇ ।୧୩୭।

କୋପେଣ ଅସୁର ଯେ କୋଡ଼ିୟେ ଶର ମାରି

ସହଦେବ ଉପରକୁ ବିନ୍ଧିଲା କୋପ କରି ।୧୩୮।

ଶହସ୍ର ଆସନ୍ତେ ତାହା ସହଦେବ ଦେଖିଲା

ଖଣ୍ଡେ ଦୂରୁଂ ସହଦେବ ତାହା ଛେଦି ପକାଇଲା ।୧୩୯।

ୟେଣେ ଅସୁର ସଇନି ଯେ ବିନ୍ଧୁଛନ୍ତି ଶର

କାଣ୍ଡରେ ଛାଉଣୀ ଯେ ହୋଇଲା ଶରୀର ।୧୪୦।

କୋପେଣ ସହଦେବ ସହସ୍ରେ ନାରାଜ ପେଷିଲା

ଦୁଇ ସହସ୍ରେ ଅସୁର ତା ଛେଦି ପକାଇଲା ।୧୪୧।

କଦଳୀ ବନ ଯେହ୍ନେ ବାତ ଘାତରେ ପଡ଼ନ୍ତି

ସହଦେବ ବାଣେ ଅସୁରବଳ ତେସନେ ଛିଡ଼ନ୍ତି ।୧୪୨।

ଅସୁରଂକ ହତ ଦେଖି କୁଠାର ଅସୁର

ସହଦେବ ଅଙ୍ଗରେ ପଡ଼ଇ ବାଣ ଯାଇ

ଅଗ୍ନି ଜଳି ଉଠଇ ଯେ ପ୍ରଜ୍ଜଳିତ ହୋଇ ।୧୪୪।

ବେଳୁଂ ବେଳ ସମର ଯେ ଅନେକ ହୋଇଲା

ରକତ ନଦୀ ଗୋଟାୟେ ପୃଥୀରେ ବହିଲା ।୧୪୫।

ଦଶସହସ୍ର ଅସୁର ଘେନି ଦାନବ ଯୁଝଇ

ଦେବେଣ ଦୁଲଭ ମାନବରେ ନୋହେ କେହି ।୧୪୬।

ଅସୁରକୁ ଛାଡ଼ିଣ ସେ ସହଦେବ ବୀର

ସଇନିଂକର ସଙ୍ଗତରେ ଯୁଝଇ କୁମର ।୧୪୭।

ଦୁଇ ପ୍ରହର ପର୍ଯ୍ୟନ୍ତେ ସେ ସଇନି ସଙ୍ଗରେ ଯୁଝଇ

କ୍ଷଣେହେଂ ବିଶ୍ରାମ ତା ହାଥ ଯେ ନୋହୋଇ ।୧୪୮।

ମୁଣ୍ଡା ବୃକ୍ଷ ପ୍ରାୟେ ଅସୁରନ୍ତ ଛେଦି ପକାଇଲା

ରକତେ କର୍ଦନ ଯେ ମହୀଆଳ ହୋଇଲା ।୧୪୯।

ମଡ଼ାମଡ଼ିରେ ଅନେକ ଅସୁର ଗଲେ ମରି

କେଉଂଣ ସକ୍ଷେଂପି ତାହା କହିବି ବିସ୍ତାରି ।୧୫୦।

ଆଠଘଡ଼ି ଭିତରେ ଦୁଇସହସ୍ର ଅସୁର

ୟେକା ଜଣକେ ପାଡ଼ିଲା ସେ କ୍ଷତ୍ରୀ ମହାବୀର ।୧୫୧।

ଦେଖିଣ କୁଠାରାସୁର କୋପେଣ ପ୍ରଜ୍ଜଳିଲା

ସହଦେବ ଉପରକୁ ନାରାଜ ବିନ୍ଧଇ ।୧୫୩।

ବେଳୁଂ ବେଳ ସମର ଯେ ହୋଇଲା ଅଗୋଚର

ରକତେ ଜର ଜର ଯେ ଦୁହିଂକ ଶରୀର ।୧୫୪।

କେହି କାହାକଇଂ ସମରେ ଓଛ ଯେ ନୋହନ୍ତି

ଦୁହେଂ ବୀର ମହାଛତ୍ରୀ ସାଂଗ୍ରାମ କରନ୍ତି ।୧୫୫।

ତିନି ପ୍ରହର ପର୍ଯ୍ୟନ୍ତ ସମର ଘୋର କଲେ

କେହି କାହାକଇଂ ସାଂଗ୍ରାମେ ଜିଣି ତ ନୁଆରିଲେ ।୧୫୬।

ରଣରେ ବିମୁଖ ଯେ ହୋଇଣ ମନ୍ତ୍ରୀ ବର

କରକୁ ଚାହିଂଲା କେମନ୍ତେ ମରିବ ଅସୁର ।୧୫୭।

ହାଥକୁ ଚାହିଂଲେ ଯାହାକୁ ତିନି ବ୍ରହ୍ମାଣ୍ଡ ଦିଶଇ

ତାହାକୁ କେଉଣ କଥା ଅଗୋଚର ନୋହଇ ।୧୫୮।

ବିଚାରି ଜାଣିଲା ୟେ ମରିବ ୟେମନ୍ତରେ

ୟେହାର କୋଠାର ଘେନି ହାଣିଲେ ଛିଡ଼ିବ ୟେହାର ଶିରେ ।୧୫୯।

ୟେସନେକ ଚରିତ ଯହୁଂ ସହଦେବ ଜାଣିଲା

ଅସୁରର ଉପରକୁ ଧାଇଂଣ ପଡ଼ିଲା ।୧୬୦।

କଟାଳିଣ ଯୁଦ୍ଧ ଯେ କରଇ ଅପାର

ୟେକ ମୁଖ ହୋଇ ଯେ କରନ୍ତି ସମର ।୧୬୧।

ଧନୁ ଗୁଣ ମାନ ଛିଣ୍ଡି ପଡ଼ିଲା ଯୁଦ୍ଧରେ

ବାଉଂଶ ଘେନି ପିଟା ପିଟି ହ୍ୱନ୍ତି ଯେ ଯାହାରେ ।୧୬୨।

ଧନୁ ହୁଳ ଛାଡ଼ି ଯେ ସହଦେବ ମହାବଳୀ

କୋଠାର ଦୁଇ ଗୋଟା ମନ୍ତ୍ରୀ ଯେ ଆଣିଲା ଉଛୁଡ଼ି ।୧୬୩।

ଥମ୍ଭୀଭୂତ ହୋଇ ଦତ୍ୟ ଚାହଂଇ ଜଳ ଜଳ

ବୋଇଲା ମୃତୁଭେଦ ୟେ ଜାଣିଲା ନିକର ।୧୬୪।

ମନ୍ତ୍ରୀକି ବୋଇଲା କି ବୁଦ୍ଧି କରିବା

କେବଣ ପ୍ରକାରେଣ ୟେଥୁଂ ପଳାଇଣ ଯିବା ।୧୬୪।

ମନ୍ତ୍ରୀ ବୋଇଲା ମୁଂ ଯେ କହିଅଛି ତୋତେ

ପାଣ୍ଡବଂକ ସଙ୍ଗେ ତୁ ନକର ଅନର୍ଥେ ।୧୬୫।

ତୋହୋର ବାପ ବଡ ଗରିଷ୍ଠ ଅଟଇ

ତାହାକୁ ୟେ କୁମର ଶହସ୍ରେ ଛେଦଇ ।୧୬୭।

ତୋହୋର ପଣଅଜା କୁଣ୍ଡଳୀ ଅସୁର ଥିଲା

ୟେହାର ବଡ଼ଭାଇ ହାଥରେ ପ୍ରାଣ ଦିଲା ।୧୬୮।

ୟେ କଥା କହିଲେ ତୁ କେବେହେଂ ନ ବୁଝିଲୁ

ସାଂଗ୍ରାମ କରିବୁ ବୋଲି ଧାଂଇଣ ଅଇଲୁ ।୧୬୯।

ଦଇବର କଲାକୃତ କେ କରିବ ନାହିଂ

ମୃତୁ ପୁରୁଷ ତୋତେ ଯେ ଆଣିଛି କଢାଇ ।୧୭୦।

ପଳାଇ ଯିବାକୁ ତୋତେ କେଣେ ବାଟ ନାହିଂ

ପଳାଇଲେ ଅବା ତୁହି ରହିବୁ କାହିଂ ଯାଇଂ ।୧୭୧।

ତୋତେ ରଖିବାକୁ କେହି ନାହିଂ ତିନିପୁର

ନିସତ ନୁହ ତୁ ୟେବେ କର ହୋ ସମର ।୧୭୨।

ବିଚାରଇ ନିଂଚେ ମୋର ଘଟିଲା ମରଣ

ମାଲ ବିନ୍ଧାଣ କରିଣ ଧାଂଇଲା କୋଦାଳ ଅସୁର ନନ୍ଦନ ।୧୭୩।

ସହଦେବ ଉପରକୁ ମାଡ଼ିଣ ପଡିଲା

ମାଡ଼ି ବସିବ ବୋଲି ଯେ ସେ ହାମ୍ପୁଡ଼ି ଧାଇଂଲା ।୧୭୪।

ଯହୁଂ ଦେହ ସମର ଯେ କଲାକ ଅସୁର

କୋଠାର ଘେନି ପିଟିଲେ ସହଦେବ ବୀର ।୧୭୫।

ଅସୁର କନ୍ଧରେ କୋଠାର ପଡ଼ିଲାକ ଯାଇଂ

ବେକ ଛିଣ୍ଡି ମୁଣ୍ଡ ତାର ଭୂମିରେ ପଡ଼ଇ ।୧୭୬।

ଥରହର ହୋଇ ଯେ ପଡ଼ିଲା ପିଣ୍ଡ ଖଣ୍ଡ

ଭୂମିରେ ପଡ଼ିଲା ଯେ ଛିଡ଼ିଣ ଗଣ୍ଡି ମୁଣ୍ଡ ।୧୭୭।

ଅସୁରକୁ ମାରି କୋପେ ବୋଲଇ ସହଦେବ

ମନ୍ତ୍ରୀ କି ବୋଇଲା ସେ ଶୁଣ ମୋହୋର ସମ୍ପାଦ ।୧୭୮।

ରାଜାକୁ ଘେନିଣ ତୋହୋର ଯେ ଅଇଲୁ ପରିଘାଇ

ତୋହୋର ବିଚାରେ ଯେ ମୋତେ କିସ କରି ହୋଇ ।୧୭୯।

ତୋହୋ କହନ୍ତେ ଅସୁର ସନ୍ଦେଶ ଜାଣିଲା

ମୋହୋର ସଙ୍ଗତେ ଆସି ୟେତେ ଯୁଦ୍ଧ କଲା ।୧୮୦।

ଦଇବର ବଳେ ଯେ ହୋଇଲାକ କ୍ଷୟେ

ତୋତେ ଆଜି ରଖି ନୁଆରନ୍ତି ଗନ୍ଧର୍ବ ଦେବତାୟେ ।୧୮୧।

ରଥର ଉପରକୁ ସହଦେବ ଧାଇଂଲା

ତୋତେ ରଖିବାର ନ ଯୋଗାଇ ରେ ବୋଇଲା ।୧୮୨।

ୟେତେ ବୋଲି ମନ୍ତ୍ରୀକି ବାଳ ଧରିଣ ସେ ଆଣିଲା

ସେହି କୋଠାରେ ତାହାର ବେକକୁ ଛେଦିଲା ।୧୮୩।

ମୁଣ୍ଡ ଛିଡ଼ି ଅସୁର ମନ୍ତ୍ରୀ ପଡ଼ିଲା ଭୂମିର

ପ୍ରାଣ ଛାଡ଼ିକରି ଗଲା ସେ ଅସୁର ଶରୀର ।୧୮୪।

କୋଠାର ଅସୁରର ମୁଣ୍ଡ ଧଇଲା ବାମ ହାଥେ

ମନ୍ତ୍ରୀ ମୁଣ୍ଡ ଧଇଲା ଦକ୍ଷିଣ କରପତ୍ରେ ।୧୮୫।

ଦୁହିଂକର ବାଳ ଯେ ଧଇଲା ୟେକଯୋଗ କରି

ପବନା ଶରେକ ବୀର ନିଜ କରେ ଧରି ।୧୮୬।

ଉଡ଼ାଇଣ ଦିଲା ସେ ପଡ଼ିଲା ନିଜ ରାଜ୍ୟେଣ

ନଗ୍ରଲୋକ ଦେଖି ଯେ ବିଚାରନ୍ତି ମନେ ମନ ।୧୮୭।

ଆମ୍ଭ ରାଜାର ମନ୍ତ୍ରୀର କେ କାଟିଲାକ ଶିର

ଦେଖି ନଗ୍ର ଲୋକ ଯେ ହୋଇଲେ କାତର ।୧୮୮।

ୟେଥି ଉତ୍ତାରେଣ ଶୁଣ ମନୁ ନରପତି

ଅସୁରକୁ ମାରିଣ ବାହୁଡ଼ିଲେ ବିଚିତ୍ରବୀର୍ଯ୍ୟ ନାତି ।୧୮୯।

ସାତ କ୍ଷଉଣୀ ବଳ ଘେନି ଯୁଝେଷ୍ଠି ରାୟେ ଗଲେ

ସହଦେବ ସଙ୍ଗେ ଅସୁର ଯୁଝିବାର କେହି ନ ଜାଣିଲେ ।୧୯୦।

ରାମକୃଷ୍ଣ ଉଗ୍ରସେନ ସହିତେ ଗଲେ ଆଗ ହୋଇ

ସହଦେବକୁ ଅସୁର ବେଢିଲା ନ ଜାଣନ୍ତି କେହି ।୧୯୧।

ବୀରତୂର ବଜାଇ ସମସ୍ତେ ଚଳିଗଲେ

ଦ୍ୱାରାବତୀ ପୁରେ ଯାଇଂ ପ୍ରବେଶ ହୋଇଲେ ।୧୯୨।

ହୁଳ ହୁଳି ଶବଦ ଯେ ଶୁଭଇ ଚହଳ

ଶଙ୍ଖ ମହୁରୀ ଭେରୀ ଯେ ବାଜଇ କୁତୂହୋଳ ।୧୯୩।

ଉଚ୍ଛବ ଆନନ୍ଦ ଯେ କହିଲେ ନ ସରଇ

ଅହିଅ ନାରୀ ମାନେ ବରକନ୍ୟାନ୍ତ ଆଇଲେ ବନ୍ଦାଇ ।୧୯୪।

କୃଷ୍ଣର ନାରୀମାନେ ଅଇଲେ ସମସ୍ତେ

ଦେବକୀ ଦେବୀ ବିଜେ କରି ଅଇଲେ ତୁରିତେ ।୧୯୫।

ଦୁର୍ବାକ୍ଷତ ଦେଇ ବନ୍ଦାଇଲେ କୁମର କୁମାରୀ

ସୁବର୍ଣ୍ଣର ଦୀପାବଳୀ ଘେନି ବନ୍ଦାନ୍ତି ସର୍ବ ବାଳୀ ।୧୯୬।

ବନ୍ଦାପନା ସାରିଣ ଯେ ଭିତରେ ଚଳିଲେ

କନ୍ୟାରୂପ ଦେଖିଣ ସମସ୍ତେ ପ୍ରଶଂସିଲେ ।୧୯୭।

ଉଚ୍ଛବ ଆନନ୍ଦ ଦ୍ୱାରାବତୀ ପୁରଯାକ ଯେ ହୋଇଲା

ସାତବଂଶ ଯାଦବ ଘେନି ଉଗ୍ରସେନ ଗଲା ।୧୯୮।

ଆପଣା ନବରେ ଯାଇଂ ପ୍ରବେଶ ହୋଇଲେ

ସାତକ୍ଷଉଣୀ ବଳ ଘେନି ଯୁଝେଷ୍ଠି ରହିଲେ ।୧୯୯।

ବଳରାମେ ଚଳିଗଲେ ଆପଣା ନବର

ସକଳ ଚରିତ କହିଲେ ରେବତୀଂକ ଆଗର ।୨୦୦।

ଶୁଣିଣ ମହାଦେଈ ମନେ ଆନନ୍ଦ ହୋଇଲେ

କୃଷ୍ଣର ପୁତ୍ରମାନେ ଯେ ଯାହା ନବରକୁ ଗଲେ ।୨୦୧।

କୃତଶେଖର ରାଜାର ପୁତ୍ର ମନ୍ତ୍ରୀ ଆସିଥିଲେ

ତାହାନ୍ତ ଭଗବାନ ବହୁତ ଗଉରୋବ କଲେ ।୨୦୨।

ଗଉରୋବ କରିଣ ଯେ ନେଇଣ ରଖିଲେ

ଅନେକ ଯତନେ ଭୁରିଭୋଜନ ଯେ ଦିଲେ ।୨୦୩।

ୟେମନ୍ତର ସମୟରେ ସହଦେବ ଅଇଲେ

ଯୁଝେଷ୍ଠି ଠାକୁରନ୍ତ ସେ ଦରଶନ କଲେ ।୨୦୪।

ଶିରେ କର ଦେଇଣ ସେ ବୋଲଇ ବଚନ

ବାଟେ ଓଗାଳିଲା ଆସି କୋଦାଳ ଅସୁର ନନ୍ଦନ ।୨୦୫।

ବହୁତ ଯୁଦ୍ଧ ସେ ମୋର ସଙ୍ଗତରେ କଲା

ମୋହୋର ହାଥରେ ସେ ପ୍ରାଣ ନାଶ ଗଲା ।୨୦୬।

ତୁମ୍ଭେ ମୋତେ ଛାଡ଼ି ଅଇଲ ଗୋସାଇଂ

ଚଣ୍ଡାଳ ଅସୁର ମୋତେ ବହୁତ କଷ୍ଟ ଦେଇ ।୨୦୭।

ରାମକୃଷ୍ଣ ଶୁଣି ସହଦେବକୁ ବହୁତ ପ୍ରଶଂସିଲେ

ପାଞ୍ଚ ପାଣ୍ଡବନ୍ତ ଘେନି ସାତଦିନ ଯେ ରହିଲେ ।୨୦୮।

ୟେମନ୍ତ ପ୍ରକାରେ ବିବାହ ମଙ୍ଗଳ ବଢିଲା

ସୁରେଖା ବିଭା ଶୁଣି ପାପ କର କ୍ଷୟେ ।୨୧୦।

ଶ୍ରୀମହାଭାରଥ ମଧ୍ୟ ପର୍ବର ଚରିତ

ପଢିଲେ ଶୁଣିଲେ ଛାଡ଼ି ଯିବୟେ ଯେ ପଞ୍ଚୁଭୂତ ମହା ଦୁଷୁକୃତ ।୨୧୧।

ଜୟ ଜୟ ଜଗନ୍ନାଥ ଜୟ ନାରାୟଣ

ମଧୁ କଇଟଭ ମାରି ନାମ ଶ୍ରୀ ମଧୁସୂଦନ ।୨୧୨।

ବଉଦ ରୂପେ ବିଜେ ଶ୍ରୀ ନୀଳକନ୍ଦରେ

ୟେକମୂର୍ତ୍ତି ଚତୁର୍ଦ୍ଧା ରୂପ ଧରିଛନ୍ତି ଦାମୋଦରେ ।୨୧୩।

ମେଳେକ୍ଷ ଜନମାନନ୍ତ ନିସ୍ତାରିବା ପାଇଂ

ନନ୍ଦିଘୋଷ ରଥେ ବିଜେକର ହୋ ଭାବଗ୍ରାହୀ ।୨୧୪।

ଗୁଣ୍ଡିଚା ନବରେ ନବଦିନ ଯେ ରହିବ

ଦୁଖୀ ଜନ ମାନଂକର ଯେ କଷ୍ଟ ଉଦ୍ଧାରିବ ।୨୧୫।

ଶ୍ରୀ ବିମ୍ବ ଅଧରକୁ ପ୍ରଭୁ ପଟାନ୍ତର ନାହିଂ

ଭୃତ୍ୟର ଦୁଖ ଦେଖି ନ ସହ ଗୋସାଇଂ ।୨୧୬।

ମୁହିଂ ଯେ ଅରକ୍ଷିତ ନ ଜାଣଇ କିଛି

ଦୟାକର ମୋତେ ଆହେ ପଦ୍ମଜଳ ଆଖି ।୨୧୭।

ୟେ ମାୟା ସଂସାର ଯେ ଭବ ଜଳଧି ଅଟଇ

ୟେଥୁଂ ଉଦ୍ଧରି ବଇକୁଣ୍ଠ ଦିଅ ମୋତେ ଭାବଗ୍ରାହୀ ।୨୧୮।

ସାରୋଳା ଦାସ କବି ଶ୍ରୀ ଜଗନ୍ନାଥଂକ ଚରଣେ ଶରଣ

ୟେ ଭବ ଜଳଧିରୁ ମୋତେ କର ଉଦ୍ଧାରଣ ।୨୧୯।

ବନ୍ଦଇ ଗଣନାଥ ଗଉରୀ ନନ୍ଦନ

ସ୍ୱୟଂ ଇନ୍ଦୂର ବାହାନ ଗଜର ବଦନ ।୨୨୦।୮୯୯୪।

 

Unknown

କଳ୍ପାସୁର ବଧ

ବଇବସୁତ ମନୁ ଯେ ବିଲଂକ ଦେଶ ରାଜା

ଅଗସ୍ତି ମୁନିଂକ ଚରଣେ କଲେ ଦିବ୍ୟ ପୂଜା ।୧।

ଭୋ ମୁନି ପଣ୍ଡିତ ମୋତେ କହିଲ ପୁରାଣ

ମଧ୍ୟପର୍ବ ବାରତା କର ଅବଧାନ ।୨।

ଶୁଣିମାକୁ ଶରଧା ମୋହୋର ମୁନିବର

ପ୍ରସନ୍ନ ଚିତ୍ତ ହୋଇ ଅବଧାନ କର ।୩।

ରାଜାର ବିନୟ ଭଗତି ଭାବ ଶୁଣି

ପ୍ରସନ୍ନ ଚିତ୍ତ ହୋଇ କହନ୍ତି ବ୍ରହ୍ମମୁନି ।୪।

ଶୁଣ ହୋ ମହାରାଜା କୁହଇ ଯେ ସତ

ମଧ୍ୟପର୍ବ ଖଣ୍ଡ ୟେ ଶ୍ରୀମହାଭାରଥ ।୫।

ବଇଶାଖ ଶୁକଳପକ୍ଷ ପଞ୍ଚମୀ ଗୁରୁବାର

ମୃଗଶିର ନକ୍ଷତ୍ର ଅଟଇ ସେ ଦିନର ।୬।

ସୁକର୍ମା ନାମରେ ଯୋଗ ବାଳବ କରଣ

ମେଷ ସଂକ୍ରାନ୍ତିକି ଭୋଗ ସତର ଦିନେଣ ।୭।

ସେ ଦିନ ନାରାୟଣ ଗରୁଡ଼ ପିଠିରେ

କପିଳାସ ପର୍ବତକୁ ଗମିଲେ ଦାମୋଦରେ ।୮।

ଗମନ୍ତେ ବାଟରେ ଭେଟ ହୋଇଲେ ତ୍ରିପୁରାରି

ଗରୁଡ଼ ପିଠିରେ ଥାଇ ପ୍ରଳମ୍ବ କଲେ ଦେବହରି ।୯।

ଦେଖି ତ୍ରିଲୋଚନ କଲେ କୋମଳ ସମ୍ଭାଷଣ

ମାହେନ୍ଦ୍ର ପର୍ବତେ ଯାଇଂ ବସିଲେ ବେନି ଜନ ।୧୦।

ନାନା କଥାମାନ କୁହାକୁହି ସେ ହ୍ୱନ୍ତି

ସଂସାର ଧାରଣ ଶ୍ରୀଧର ଶୂଳପତି ।୧୧।

ଦୁହେଂ ବସିଛନ୍ତି ୟେକ ଆସନ ହୋଇ

ଅଦଭୁତେ ଦାନବ ମିଳିଲା ତହିଂ ଯାଇଂ ।୧୨।

ବିବିଧ ବୀର ବେଶ ହୋଇଛି ଦନୁଜ

ସ୍ୱର୍ଗ ଆଦି କରି ଯେ ଜିଣିଲା ସୁରରାଜ ।୧୩।

ନାନା ଅସ୍ରାମାନ ଅଛି ବୀର ଘେନି

ଦାନବର ଭାରାୟେ ଯେ କମ୍ପଇ ମେଦିନୀ ।୧୪।

ହରିହରଂକୁ ଦେଖି ସେ ପଚାରଇ ହସି

କାହୁଂ ଆସି ତୁମ୍ଭେ ଦୁହେଂ ୟେଠାରେ ଅଛ ବସି ।୧୫।

ମୁହିଂ ବୁଭୁକ୍ଷିତ ଜଗତ ଯାକେ ବୁଲି

ତୁମ୍ଭନ୍ତ ଦେଖି ମନେ ଆନନ୍ଦ ହୋଇଲି ।୧୬।

ଆହାର ନିମନ୍ତେ ମୁଂ ବୁଲଇ ଅନୁବ୍ରତେ

ତୁମ୍ଭନ୍ତ ଦେଖି ମୁଂ ବିଚାର କରଇ ଚିତ୍ତେ ।୧୭।

ଆଜ ଭକ୍ଷି ସୁସ୍ଥ କରିବଇଂ ମୋର କାୟେ

ୟେତେକ ବୋଲି ଦତ୍ୟ ଛାଡ଼ିଲା ରଡ଼ିୟେ ।୧୮।

ରେ ରେ ଧୁନିୟେ ସେ କଲାକ ହୁଂକାରି

ଦାନବର ବିଘାତେ କମ୍ପିଲା ବସୁନ୍ଧରୀ ।୧୯।

ରଡ଼ି ଛାଡ଼ି ଗଦା ଧରି ଦତ୍ୟ ବୀରମଣି

ହରିହରଂକ ଉପରେ ଗଦା ପ୍ରଦାର କଲାକ ଆଣି ।୨୦।

ଆସନ ଛାଡ଼ି ଉଭା ହୋଇଲେ ହରିହର

ଦାନବ ଗଦା ପଡ଼ିଲା ପର୍ବତ ଉପର ।୨୧।

ସାତତାଳ ପରିଯନ୍ତେ ଧଂସିଲା ଗଦାଘାତ

ଦେଖି ଗରୁଡ଼ ପିଠିରେ ବିଜେ ଜଗନ୍ନାଥ ।୨୨।

ବୃଷଭ ପିଠିରେ ବେଗେ ବିଜୟେ କଲେ ଦେବ ହର

ଦୁଇଜଣ କରେ ଧଇଲେ ଧନୁର୍ବାଣ

ଅସ୍ର ଶସ୍ର ଘେନିଣ ଆରମ୍ଭ କଲେ ସେହୁ ରଣ ।୨୪।

ପାଞ୍ଚବାଣ ଦାନବ ଧନୁରେ ପୂରୋଇ

ଶ୍ରୀହରିଂକ ଉପରକୁ ବିନ୍ଧିଲା କୋପ ବହି ।୨୫।

ଦେଖି ନାରାୟଣ ଯେ ତାର ପ୍ରତିଅସ୍ର କଲେ

ଦାନବର ଅସ୍ରକୁ ବେଗେ କାଟି ପକାଇଲେ ।୨୬।

ଦେଖିଣ ଦାନବା ଯେ ପର୍ବତା ଅସ୍ର ମାରି

ବିନ୍ଧିଲା ନାରାଜ ଯେ ଆକର୍ଣ୍ଣ ଓଟାରି ।୨୭।

ବଜ୍ରଶର ମାରି ତାହା ଛେଦିଲେ ଦେବହରି

ଛେଦିଣ ନାରାଜ ଯେ ବିନ୍ଧିଲେ ଚକ୍ରଧାରି ।୨୮।

ପିନାକ ଶାରଙ୍ଗରେ ହରିହର ବିନ୍ଧନ୍ତି ବାଣ

ଦାନବଇଂ ନାରାଜ ବିନ୍ଧଇ ଅପ୍ରମାଣ ।୨୯।

ବିରଞ୍ଚି ବର ପ୍ରସାଦେ ଦାନବ ବଳୀୟାର

ବରଷଣ ପ୍ରାୟେ କରି ବିନ୍ଧୁଅଛି ଶର ।୩୦।

ଘୋର ଧୁନି ଶବଦେ ଧନୁ ଗୁଣ ଟଂକାରି

ନାରାଜ ତେଜରେ ଯେ ତୁଟିଲା ତିମିରି ।୩୧।

ହରିହର ବେନି ଯେ କରୁଛନ୍ତି ରଣ

ନାରାଜ ବିନ୍ଧନ୍ତି ଯେ ଶବଦ ଗରୁଟାଣ ।୩୨।

ଦଇତ କଳପା ଯେ ବିନ୍ଧିଲା ଲକ୍ଷେ ଶର

ଗରୁଡ଼ ଡେଣା ବାଜି ହୋଇଲା ସର୍ବ ଚୂର ।୩୩।

ଶାରଙ୍ଗ ଧନୁରେ ଦେବ ପୂରୋଇଣ ବାଣ

ଦଇତ ଉପରକୁ ବିନ୍ଧିଲେ ନାରାୟଣ ।୩୪।

ଦେଖିଣ ଦଇତେଶ୍ୱର ତାହା ଛେଦିଲାକ ଧାତି

ପଞ୍ଚୁଶିଖା ନାରାଜ ବିନ୍ଧିଲେ ଶୂଳପତି ।୩୫।

ଦାନବ ଦୃଷ୍ଟି କରିଥିଲା ନାରାଜ ଗବନ କରୁ

ପ୍ରତିଅସ୍ର କଲା ଯେ ନାରାଜ କଳ୍ପତରୁ ।୩୬।

ଦୁଇ ଅସ୍ର ମଧ୍ୟେ ଯେ ହୋଇଲେକ ଭେଟ

ଦୁଇ ଅସ୍ରଂକ ଧୁନିରେ ପୃଥିବୀ ଉଦେଘାଟ ।୩୭।

ମହାଘୋର ଧୁନି ଶୁଭିଲାକ ଯହୁଂ ଉଞ୍ଚେ

ଦେବଗଣ ଘେନି ବ୍ରହ୍ମା ଦେଖିଲେ ଅନ୍ତରୀଚ୍ଛେ ।୩୮।

ବ୍ରହ୍ମା କୁବେର ବରୁଣ ଚନ୍ଦ୍ର ସୂର୍ଯ୍ୟ ବିଶ୍ୱଦେବା

ତେତିଶ କୋଟି ଦେବତା ସହିତେଣ ମଘବା ।୩୯।

ଇନ୍ଦ୍ର ପଟାରିଲେ ବୃହଷ୍ପତିଂକି ଚାହିଂ

କେ ଯୁଦ୍ଧ କରୁଛି କହିବା ତାରାସାଇଂ ।୪୦।

ବୃହଷ୍ପତି ବୋଇଲେ ହୋ ଶୁଣିମା ପୁରନ୍ଦର

ହରିହର ତୁଲେ କଳପା କରଇ ସମର ।୪୧।

ଇନ୍ଦ୍ର ବୋଇଲେ ତେବେ ଆମ୍ଭର ସଜ ହୁଅ

ଆହୋ ଦେବତାମାନ ତୁମ୍ଭେ ସମସ୍ତେ ବାହାନ ଆରୋହ ।୪୨।

ଯେ ଯାହାର ବାହାନେ ଆସ ଆୟୁଧ ବେଗେ ଘେନି

ସଜ ହୋଇ ଆସ ସକଳ ସିଇନି ।୪୩।

ମାତଳିକି ଚାହିଂ ଯେ ବୋଇଲେ ସୁନାଶୀର

ଅଇରାବ୍ରତ ଗଜ ଯେ ବେଗେ ସଜକର ।୪୪।

ଗନ୍ଧର୍ବ ପଗଡଂକୁ ତ୍ରିଲୋଚନ ନାମ ଧରି ରାଇ

ଉଚେଇ ଅଶ୍ୱ ସଜକର ବେଗେ ଯାଇ ।୪୫।

ଇନ୍ଦ୍ରଂକ ଆଗ୍ୟାଂ ପାଇ ଧାଂଇଲେ ସର୍ବ ସଇନ

ସଜ ହୋଇ ଅଇଲେ ଯେ ଯାହାର ଚଢିଣ ବାହାନ ।୪୬।

ଯାହାର ଯେଉଂ ଅସ୍ର ଘେନି ବେଗେ ଧାଇଂ

ଦେବତାନ୍ତ ଚାହିଂଣ ଯେ ବୋଇଲା ଶଚୀସାଇଂ ।୪୭।

ଆହୋ ଦେବତାଗଣେ ଆମ୍ଭର ବାକ୍ୟ ଶୁଣ

କଳପାର ତୁଲେ ଯୁଝନ୍ତି ଶିବ ନାରାୟଣ ।୪୮।

ସଭାବେ ଦଇତ ସବୁରିହିଂ ଶଲ

ୟେହିକାଳେ ବେଢିଣ ମାରିବ ବେଗେ ଚାଲ ।୪୯।

ବୃହସ୍ପତି ବୋଇଲେ ସାଜିଲ ତ ସଇନ

କଳପାକୁ ଜିଣିମାକୁ କେହି ନୋହିବ ସମାନ ।୫୦।

ମାରି ନୁଆରି କାଳେ ଆସିବ ପଳାଇ

ସ୍ୱର୍ଗପୁର ସହିତେ ଅସୁର ନେମଇଂ ଜୂରିଆଇଂ ।୫୧।

ଇନ୍ଦ୍ର ବୋଇଲେ ଗୁରୁ ହେ ନକହ ୟେମନ୍ତ

ଯାହାର ତୁଲେ ଯୁଦ୍ଧ କରୁଛନ୍ତି ଦେବ ଜଗନ୍ନାଥ ।୫୨।

ବିଷ୍ଣୁ ଇଶ୍ୱର ଦୁହେଂ ଆରମ୍ଭିଛନ୍ତି ରଣ

କଳ୍ପ ଦାନବର ଆଉ ରହିବ କାହିଂ ପ୍ରାଣ ।୫୩।

ମନ୍ତ୍ରୀକି ସକଳ କହି ବିଜୟେ ସୁରପତି

ମହୀନ୍ଦ୍ର ପର୍ବତ ତଳେ ଯାଇଣ ମିଳନ୍ତି ।୫୪।

କଳ୍ପାର ତୁଲେ ଯୁଦ୍ଧ ନାରାୟଣ ହର

ଦେବ ସଇନି ତୁଲେ ଯେ ପ୍ରବେଶ ସୁରେଶ୍ୱର ।୫୫।

ଦଇତକୁ ରେ ମାର ବୋଲି ଶୁଭିଲା ଗରୁଧୁନି

ନାରାଜ ବୃଷ୍ଟି କଲେ ଦ୍ରୋଣମେଘ ଜାଣି ।୫୬।

ସକଳ ଦେବତାୟେ ମିଳିଣ ବିନ୍ଧିଲେ ତହିଂ ଶର

କଳ୍ପାର ଉପରେ ବାଣ ପଡ଼ଇ ନିରନ୍ତର ।୫୭।

ପର୍ବତ ଉପରେ ସୋରିଷ ବୁଣିଲେ ଯେବଣ ମତ ହୋଇ

ତେସନେକ ନାରାଜ ଦଇତ ଯେ ମହାବଳୀ

ଦେବ ସଇନି ଡାକ ହାକ ଶୁଭେ କୁତୂହୋଳି ।୫୯।

ଗଦାଭାଲ ଛେଲ ଯେ ଶକତି ତିମ୍ବୁର

କୋନ୍ତ ଅସିମୁନା ଯେ ପାରାସ ମୁଦୁଗର ।୬୦।

ପର୍ବତା ଭଇରବା ଯେ ପନ୍ନଙ୍ଗା ମେଘାବାଣ

ବଜ୍ରମୁନା ବଜ୍ରକୋନ୍ତ ବାବଲ ପିଟାବାଣ ।୬୧।

ମୋହୋଫାଶି ଜଳଫାଶି କାମଫାଶି ଶର

ରୁଦ୍ରଫାଶି ନାଗଫାଶି ଯମଫାଶି ଇନ୍ଦ୍ର ଶର ।୬୨।

ଘୋର ବାଣ ପ୍ରସର ବାଣ ଅଗ୍ନି ବାଣ ଭଇରୋବ ବାଣ

ଅଜରା ଚନ୍ଦ୍ରକଳା ଶକ୍ରା ତପନା ଶର ପଟହର

କାଳ କଳ୍ପ କାତି ତିରଣ ଯେ ବଜ୍ର ଜୀବହାର ।୬୪।

ଇନ୍ଦ୍ର ଶର ବାରୁଣା ଶର କାଳିକା ମେଘା ଚନ୍ଦ୍ର ଚିନ୍ତା

ବ୍ରହ୍ମାଣ୍ଡ ଅନ୍ତକ ବିଶ୍ୱହରା ବିଶ୍ୱତ୍ରାସ ଚଉକୁନ୍ତ ଶତ୍ରଜିତା ।୬୫।

ମହୀଲତା ଘୋର ଗର୍ଜନ ଆବର ଘଡ଼ଘଡ଼ି

ପ୍ରବଜ ତନ୍ତୁରାଜ ଘଟ ନକ୍ଷତ୍ର ବିଜୁଳି ଘଡ଼ଘଡ଼ି।୬୬।

ଦିଗରାଜ ତରଳ କଣ୍ଟା ସମର ଜଙ୍ଗମ ବୀରଭର

କରଞ୍ଜ ଅର୍ଦ୍ଧଚନ୍ଦ୍ର ଯେ କରଷଣା ଇକ୍ଷୁ ଶର ।୬୭।

କୁହୁକ କତୁରୀ ବାଣ କୃତାନ୍ତକ କାଳକଣ୍ଟ

କୁହୁଡ଼ି ବିଭଞ୍ଜନ ମାରଭକ୍ଷ ପ୍ରତୀହ ନୀଳକଣ୍ଟ ।୬୮।

ନାରାଜ ମାନଂକର ଜ୍ୟୋତି ଅଗ୍ନି ଦିବାକର

ମାରନ୍ତି ୟେ ବାଣମାନ ଅମର ନିକର ।୬୯।

କଳ୍ପାର ଉପରେ ଯେ ପଡୁଅଛି ଦେବଶର

ଯେସନେ ସୋରିଷ ବୁଣି ପର୍ବତ ଉପର ।୭୦।

ଦେଖିଣ ଦେବ ସଇନି ଯେ ବନରେ ଭୟ କରି

ଲକ୍ଷ ଲକ୍ଷ କରି ଯେ ବିନ୍ଧିଲେ ବନ୍ଧ ପାଡ଼ି ।୭୧।

ବିଷ୍ଣୁର ନାରାୟଣ ଯେ ରୁଦ୍ରର ରୁଦ୍ରାଶୁର

ନାରାଜଂକ ଜ୍ୟୋତି ଜାଣି ଅଗ୍ନି ଦିବାକର ।୭୨।

ବାଣ ପଡ଼ନ୍ତେଣ ଦାନବର କାୟେ

ମଣଇ ଦାନବ ତାହା ଜାଇପୁଷ୍ୟ ପ୍ରାୟେ ।୭୩।

କୁବେରଂକ ଗଦା ବରୁଣକଂର ଜଳଫାଶି

ନଇଋତ ପରିଘ ମୃତୁ ଦେବତାଂକ କାଳଫାଶି ।୭୪।

ଦଇତର ଉପରେ କରନ୍ତି ରଣଗୋଳ

ରଣଝଣ ଧୁନି ଯେ ଶୁଭିଲା କୋଳାହଳ ।୭୫।

ୟେକା ଦଇତ ବୀର ସଇନି ନାହିଂଟି ସାଖା

ବହୁତ ଗଜ ଦେଖି ଯେହ୍ନେ କେଶରୀ ନିଶଂକା ।୭୬।

ନାରଦେ ଯନ୍ତ୍ର ବୀଣା ଘେନି ଯୁଦ୍ଧ ଦେଖି

ରେ ରେ କାର ଶବଦେ ନାଚନ୍ତି ମନ ସୁଖୀ ।୭୭।

କୁତୂହୋଳ ନାଚନ୍ତି ବୀଣାଯନ୍ତ୍ର ବାଇ

ହସନ୍ତି ବ୍ରହ୍ମାସୁତ ତ୍ରିଦଣ୍ଡୀ ବୁଲାଇ ।୭୮।

ଲାଗୁ ଲାଗୁ କଳି ବୋଲି ନାରଦେ ହସିଲେ

କଳି ଧୋକଡ଼ିରୁ କାଢି ଧୂଳି ମୁଠାୟେ ପକାଇଲେ ।୭୯।

ଲାଗିଲାକ ରଣଗୋଳ ଅତି ଅପ୍ରମାଣ

ଦେଖନ୍ତି ଆରଣି ଯେ ବ୍ରହ୍ମାଂକ ନନ୍ଦନ ।୮୦।

ଦଇତ ରଣ ଦେଖିଣ ବିମୁଖ କୃଷ୍ଣ ହର

ବିଚାରନ୍ତି ଦଇତ ଘେନିବ ତିନିପୁର ।୮୧।

ଯହୁଂ ତାହାର ଦେହେ ନ ଫୁଟିଲା ଶର

କି ରୂପେ ଆନେ ପ୍ରାଣ ହରିବା ଦଇତର ।୮୨।

ୟେତେକ ବିଚାର କରିଣ ଦେବ ମଧିୁହାରୀ

କରେ ସୁଦ୍ରିଶେନ ଚକ୍ର କୋପେ ଦେବ ଧରି ।୮୩।

ହୁଂକାର ଶବଦ କରିଣ ଦେବ ନାରାୟଣ

ଦଇତର ଉପରେ ମାରିଲା ସୁଦ୍ରିଶେଣ ।୮୪।

ଅଶି ଶହସ୍ର ଧାର ଯେବଣ ଚକ୍ରର

ଦଇତର ବୁକୁରେ ବାଜିଣ ହୋଇଲା ଅନ୍ତର ।୮୫।

ଟହ ଟହ ହୋଇଣ ଯେ ହସିଲା କଳ୍ପାସୁର

ଦେଖିଣ ବଡ଼ ବ୍ୟଥା ଯେ ହୋଇଲା କଳ୍ପାସୁର

ଦେଖିଣ ବଡ଼ ବ୍ୟଥା ଯେ ହୋଇଲା ଦେବକଂର ।୮୬।

ସୁରଗଣମାନେ ଉଭା ଚିନ୍ତାଭର ହୋଇ

ସମର କରନ୍ତି ଯେ ମନରେ କୋପ ବହି ।୮୭।

ବ୍ରହ୍ମାର ନନ୍ଦନ ହାଥେ ତ୍ରିଦଣ୍ଡୀ ବୁଲାଇ

ଇଶ୍ୱରଂକ କପିଳାସ କନ୍ଦର ହେଲେ ଯାଇଂ ।୮୮।

କାର୍ତ୍ତିକ ଗଣେଶ ଟିଣାୟେକ ବୀଣାୟେକ

ନନ୍ଦୀ ଭୃଙ୍ଗୀ ମହାକାଳ ଜୟନ୍ତିକ ଅଜୟନ୍ତିକ ।୮୯।

ବୀରଭଦ୍ର ରଣଭଦ୍ର କାଳରୁଦ୍ର ଦେବତା

ମଣିଭଦ୍ର ମାନଭଦ୍ର ମହାକାଳ ଶକତା ।୯୦।

ସକଳ ରୁଦ୍ର ଗଣ ବସିଛନ୍ତି ୟେକମେଳେ

ବ୍ରହ୍ମମୁନି ନାରଦେ ବାରତା ନେଇ ଦିଲେ ।୯୧।

ଶୁଣ ହୋ ରୁଦ୍ରଗଣେ ପ୍ରମାଦ ୟେକ ବାଣୀ

ବୟେଲ ଚଢି ଯାଉଥିଲେ ଶୂଳପାଣି ।୯୨।

ଦ୍ୱାରିକାରୁ ଗରୁଡ଼ ଚଢି ବିଜୟେ ବନମାଳୀ

ମଧ୍ୟବାଟେ ହୋଇଲା ବେନି ଜନଂକର ମେଳି ।୯୩।

ଦୁହିଂକର ଭେଟ ହୋଇଲା ମାହୀନ୍ଦ୍ର ପର୍ବତରେ

ହରି ହର ବସିଲେ ଯେ ପର୍ବତ ଶିଖରେ ।୯୪।

ୟେସନେକ ସମୟରେ ଯେ କଳ୍ପାସୁର ଦଇତ

ହରିହରନ୍ତ ଭେଟିଲା ସେ ମହୀନ୍ଦ୍ର ପର୍ବତ ।୯୫।

ଘୋର ଗର୍ଜନ କରି ଆବୋରିଲେ ରଣ

ଦଇତକୁ ଜିଣି ନୁଆରିଲେ ବେନିଜନ ।୯୬।

ଦେବତାମାନନ୍ତ ଘେନି ଦେବ ଶଚୀପତି

ତେତିଶି କୋଟି ଦେବଗଣନ୍ତ ସଙ୍ଗେ ଘେତି ।୯୭।

ମହାଘୋର ଯୁଦ୍ଧ ଯେ ଦଇତ ସଙ୍ଗତରେ

ୟେହିକ୍ଷଣି ଦେଖି ଆମ୍ଭେ ଅଇଲୁ ଧାତିକାରେ ।୯୮।

ଦଇତର ସଙ୍ଗେ ଯୁଦ୍ଧ କରନ୍ତି ଓହମୁଖେ

ଦେବଗଣେ ହରିହର ହେଲାଣି ବିମୁଖେ ।୯୯।

ପାର ଯେବେ ତୁମ୍ଭେ ଆବୋର ଯାଇଂ ରଣ

ଶୁଣି ସଜ ତକ୍ଷଣେ ହୋଇଲେ ଶିବଗଣ ।୧୦୦।

ଯେ ଯାହାର ଆୟୁଧ ଧରି ଧାଇଂଲେ ଅତି ବେଗେ

ତକ୍ଷଣେ ମିଳିଲେ ଯାଇଂ କଳପା ଯୁଦ୍ଧ ଲାଗେ ।୧୦୧।

ରେ ରେ କାର କରିଣ ଦିଲେ ଭଇରୋବ ରଡ଼ି

ମେରୁ ମନ୍ଦର ଗିରି କିବା ପଡିଲାକ ଝଡ଼ି ।୧୦୨।

ଦଇତର ଉପରକୁ ମାଇଲେ ବେଗେ ଶର

ଯେସନେ ଶ୍ରାବଣ ମାସରେ ଜଳଧାର ।୧୦୩।

ତେସନେକେ ଦଇତର ଦେହେ ପଡ଼ଇ ଶସ୍ରମାନ

ବିମୁଖ ହୋଇଲେ ରଣେ ଦେବ ରୁଦ୍ରଗଣ ।୧୦୪।

ୟେଥୁ ଅନନ୍ତରେ ଦେବ ସୁରପତି

ଅଇରାବ୍ରତ ଚଢିଣ ଧାଇଂଲେ ତଡ଼ତି ।୧୦୫।

ଗନ୍ଧର୍ବ ବଳ ସଙ୍ଗେ ଅଛନ୍ତି ସୁନାଶୀର

ରାକ୍ଷସର ଉପରେ ବଜ୍ର ମାଇଲେ ଧାତିକାର ।୧୦୬।

ଅଗ୍ନିଦେବ ମାଇଲେ ଯେ ମୁଦୁଗର ଘେନି

କୁବେର ମାଇଲେ ରତ୍ନାବଳୀ ଗଦା ଆଣି ।୧୦୭।

କାଳାନ୍ତେକ ପରିଘ ମାଇଲେ ନଇଋତ

ଯମ ମାଇଲେ କାଳଦଣ୍ଡକୁ ତୁରିତ ।୧୦୮।

ମୃତୁ ଦେବତାୟେ ମାଇଲେ ଆମୋହ ବାଣ

ବଜ୍ରାବଳୀ ଗଦା ଯେ ମାଇଲେ ବରୁଣ ।୧୦୯।

ସରଯନ୍ତା ଅସ୍ରେକ ଯେ ମାଇଲେ ନିଶାକର

ସୂର୍ଯ୍ୟାବ୍ରତେକ ବାଣ ଯେ ମାଇଲେ ପ୍ରଭାକର ।୧୧୦।

ଅନିର୍ଯ୍ୟାପ ଶକତି ମାଇଲେ ମଳୟ

ଗନ୍ଧର୍ବା ଅସ୍ର ଘେନି ମାଇଲେ ବାଇବ

କାଳଚକ୍ର କାତି ମାଇଲେ ଭଇରୋବ ।୧୧୨।

ଗର୍ଜନ ସର୍ଜନା ଭଇରୋବା ତିନିବାଣ

ଦାନବକୁ ମାଇଲେ ଯେ ପାର୍ବତୀ ଜ୍ୟୋଷ୍ଠ ନାନ ।୧୧୩।

କାର୍ତ୍ତିକ ମାଇଲେ ଯେ କାଳରୁଦ୍ରା ଶର

ଦିଗ ବହନ ଖଡ଼ଗ ମାଇଲେ ମହାକାଳ ବୀର ।୧୧୪।

ଭ୍ରୂକୁଟୀ ପ୍ରହାରିଲେ ପର୍ବତ ଚୂଡ଼ା ବାଣ ନନ୍ଦୀ

ମାଇଲେ ଯେ ନନ୍ଦାବ୍ରତେକ ପୁଣ ।୧୧୫।

ଜୟନ୍ତକ ମାଇଲେ ମେରୁଜୟେ କୋନ୍ତ

ପ୍ରାଣାନ୍ତେକ ଶର ମାଇଲେ ଅଜନ୍ତେୟ ।୧୧୬।

ନନ୍ଦୀ ପ୍ରହାରିଲେ ଯେ ଚକ୍ରମୁନା ଶର

ମନ୍ଦକାଳ ନାରାଜ ଯେ ମାଇଲେ ଭସ୍ମହର ।୧୧୭।

ରୁଦ୍ର ପ୍ରହରିଲେ ଯେ ତ୍ରିଶୂଳ ଶକତି

କଉମୋଦକୀ ଗଦାଘେନି ମାଇଲେ ଶିରୀପତି ।୧୧୮।

ଦାନବ ଅଙ୍ଗେ ବାଜି ୟେଡ଼େ ୟେଡ଼େ ଶରମାନ

ନ ଭେଦିଲା ଦଇତ ଅଙ୍ଗେ ଶହସ୍ର ହେଲା ଚୂର୍ଣ୍ଣ ।୧୧୯।

ଦେଖିଣ ଦେବତାଂକର ନ ଫୁରଇ କିଛି

ନିଶ୍ୱାସ ଛାଡ଼ିଣ ଦେବେ ଜଣାନ୍ତି ଶ୍ରୀବଚ୍ଛି ।୧୨୦।

ଭୋ ଦେବ ବିରଞ୍ଚି ବରେ ୟେ ଦଇତ ଅମର

ନିଚୟେ ଦେବ ୟେ ଦଇତ ନାଶିଲା ତିନିପୁର ।୧୨୧।

ୟେହାର ଘେନି ନାଶ ହୋଇଲା ନବସୃଷ୍ଟି

ଆଲୋକିତ ବର ୟେହାକୁ ଦିଲେକ ପରମେଷ୍ଠି ।୧୨୨।

ୟେସନେକ ଦେବେ ଯେ ଭାଳନ୍ତି ହରି ମେଳେ

ଦାନବ କଳ୍ପାସୁର ଧାଇଂଲା କୋପାନଳେ ।୧୨୩।

ଦେବନ୍ତ ପ୍ରହାରଇ ଆୟୁଧ କରେ ଘେତି

ପଳାଇଲେ ଦେବେ ଯେ ପ୍ରାଣକୁ କରି ଭୀତି ।୧୨୪।

ଇନ୍ଦ୍ର ଯେ ପଳାଇଲା ସୁରଗଣ ଘେନି

ଭାଜିଲେ ରୁଦ୍ରଗଣେ ସାଂଗ୍ରାମେ ପାଇ ହାନି ।୧୨୫।

ବୃଷଭ ଗରୁଡ଼ ଯେ ଛାଡ଼ି ଦେବ ହରିହର

ବୋଇଲେ ଚଳ ତୁମ୍ଭେ ଯେ ଯାହାର ପୁର ।୧୨୬।

ୟେତେକ କହି ବେନି ଦେବ କଲେକ ଗମନ

ପଛରେ ଦଇତ ଯେ ଗୋଡ଼ାୟେ କୋପମନ ।୧୨୭।

ପର୍ବତ ଭିତରେ ଯେ ପଶିଲେ ପଳାଇ

କୋପେ ଦଇତ ରାୟେ ପଛେ ଅଛଇ ଗୋଡ଼ାଇ ।୧୨୮।

କାହିଂକି ଯିବରେ ବୋଲି ଗୋଡ଼ାଇ ପଛେ ଡାକ ଦେଇ

ବନସ୍ତେ ଦଇତକୁ ନିଅନ୍ତି କଢାଇ ।୧୨୯।

ଦଇତ ନ ଛାଡ଼ଇ ଗୋଡ଼ାୟେ ଘନ ଘନ

ବରୁଣା ପର୍ବତେ ଯାଇଂ ଉଠିଲେ ବେନିଜନ ।୧୩୦।

ରାକ୍ଷସ ଗୋଡ଼ାଇଣ ଉଠିଲା ଯାଇଂ ଧାତି

ରାକ୍ଷାସକୁ ଅନ୍ତର ହୋଇଲେ ଶୂଳଧର ଶିରୀପତି ।୧୩୧।

ବୀର ବେଶ ଛାଡ଼ିଣ ହୋଇଲେ ବ୍ରାହ୍ମଣ

ଦାନବ ଦେଖୁଂ ଦେଖୁଂ ହୋଇଲେ ଅନ୍ତର୍ଧାନ ।୧୩୨।

ନ ଦେଖି ଦଇତ ବୀର ବିଚାରଇ ଚିତ୍ତ

କେଣେ ଗଲା ବୋଲି ସେ ହୋଇଲା ଚକିତ ।୧୩୩।

ମନେ ବିଚାରଇ ଯିବେ ଆର କାହିଂ

ଚଉଦ ଭୁବନେ ମୁହିଂ ପଶି ଖୁଜିବଇଂ ।୧୩୪।

ୟେତେକ ବିଚାରିଣ ଶର୍ବଣା ଦଇତର ନାତି

କରେ ଘେନି ବେନି ଶସ୍ର କୋଦାଳ ଯେ ଶକତି ।୧୩୫।

ଡାକଇ ଦଇତ କେଣେ ଗଲେ ରେ ବେନି ବୀରେ

ସାମର୍ଥ ବୋଲାଅ ରେ ବ୍ରହ୍ମାଣ୍ଡ ଭିତର ।୧୩୬।

ଶୁଣି ନ ଶୁଣିଲା ପରି ହୋଇଅଛନ୍ତି ହରିହର

କୂଟ କରି ଦଇତକୁ ମାରିବା ବୋଲି କର ।୧୩୭।

ୟେମନ୍ତର ସମୟେ ଶୁଣ ହୋ ବଇବସୁତ ମନୁ

ସେ ପର୍ବତେ ବୁଲୁଅଛି ଆଦିତ୍ୟର ତନୁ ।୧୩୮।

କରେ ଧନୁ ଧରି ଖୋଜଇ ଗଣ୍ଡା ଜୀବ

ବିକ୍ରମ ସିଂଘ ମୂରତି ବୀରବର ରାଧେବ ।୧୩୯।

ୟେମନ୍ତେ ଯେ ଦାନବ ଲୋଡ଼ି ଆସୁଥିଲା

ଆଦିତ୍ୟ ନନ୍ଦନକୁ ଦୃଷ୍ଟିରେ ଦେଖିଲା ।୧୪୦।

ଡାକିଲା ରାକ୍ଷାସ ଶୁଣ ରେ କିରାତ ତୁହି

ବେନି ବୀରେ ଯାଉଛନ୍ତି ଦେଖିଲୁ କିରେ ଭାଇ ।୧୪୧।

କର୍ଣ୍ଣ ବୋଇଲା ଆହୋ ଦେଖିଲାତ ନାହିଂ

ପଳାଇଲା ଶତ୍ରୁକୁ ଯେ ଗୋଡ଼ାଇ ଯେ ହାଣି ।୧୪୩।

ସକଳ ଧର୍ମକଲା କୃତ୍ୟ ଯେତେ ତାର

ସମସ୍ତ ନାଶ ଯାଇ ଯେ ପଡ଼ଇ ନର୍କ ଘୋର ।୧୪୪।

ଯେବେ ପଳାଇ ହୋ ନୁଆରି ସମରେ

ତାହାକୁ ଗୋଡ଼ାଉ ତୁ କେଉଣ ପ୍ରକାରେ ।୧୪୫।

ୟେ କଥା ନ ଯୋଗାଇ ଶୁଣିଲୁ କିରେ ବୀର

ଶୁଣିଣ ଦାନବ ଯେ କୋପେ ଥର ହର ।୧୪୬।

ବୋଇଲା କିରାତ ରେ ବାଳୁତ ଅଟୁ ତୁହି

ମୋହୋର ହାଥେ ତୋର ନିଚୟେଂ ମରଣ ।୧୪୮।

ୟେତେ କହି ଦଇତ ମାଇଲା ଶକତି

ଅନିର୍ଯାପ ବାଣ ବିନ୍ଧିଲେ କର୍ଣ୍ଣ ମହାଛତ୍ରୀ ।୧୪୯।

ଦେଖିଣ ଦଇତ ଛାଡ଼ିଲା ଘୋର ରଡ଼ି

ଗିରି କନ୍ଦର କିବା ପଡିଲାକ ଝଡ଼ି ।୧୫୦।

କୋଦାଳ ଆୟୁଧ ଧରି କୋପେଣ ପ୍ରହାରି

ଦେଖି କାଳାନ୍ତକ ଶର କର୍ଣ୍ଣ ବିନ୍ଧିଲା କୋପ କରି ।୧୫୧।

ଦଇତର କୋଦାଳେ ପଡ଼ିଲା ଯାଇଂ ଶର

କୋଦାଳେ ଅସ୍ର ବାଜି ପଡ଼ିଲା ଭୂମିର ।୧୫୨।

ଦେଖିଣ ବିଚାରଇ ଆଦିତ୍ୟର ତନୟେ

ଧନ୍ୟ ୟେ ଦାନବ କାହାର ବଂଶ ୟେ ।୧୫୩।

ଧନ୍ୟ ୟେ ଆୟୁଧ ବହଇ ୟେହାର କରେ

କାଳାନ୍ତେକ ଶର ଝଡ଼ିଲା ଯାହାରେ ।୧୫୪।

ୟେତେକ ବିଚାରି ଧଇଲା ଅମୋହ ଶକତି

ମନ୍ତ୍ର ପଢି ମାଇଲା ସେ କାଶ୍ୟପର ନାତି ।୧୫୫।

ଦାନବର ଉପରେ ପଡ଼ିଲା ବାଣ ଯାଇଂ

ଅଗ୍ନି ଝଲକିଲା ଦଇତର ଅଙ୍ଗ ପାଇ ।୧୫୬।

ଦେହେ ନଭେଦି ନାରାଜ ପଡ଼ିଲା ଭୂମିରେ

ପୁଣ ବଜ୍ର ଅସ୍ର ବିନ୍ଧିଲା ମହାବୀରେ ।୧୫୭।

ଦଇତର ଅଙ୍ଗେ ବାଣ ଭେଦି ନୁଆରିଲା

ମୁନ ମୋଡ଼ି ହୋଇଣ ସେହୁ ଭୂମିରେ ପଡ଼ିଲା ।୧୫୮।

ଦେଖିଣ ଆଦିତ୍ୟର ତନୟେ ଥରହର

ଅସଂକ୍ଷେପ ତ୍ରୋଣରୁ କଲାକ ବାହାର ।୧୫୯।

ତ୍ରୋଣରୁ ବାହାର କରନ୍ତେଣ ସେହୁ ବାଣ

ସୂର୍ଯ୍ୟର ଦିଶିଲା କି ଶହସ୍ରେ କିରଣ ।୧୬୦।

ତ୍ରୋଣରୁ ବାହାର ହୋଅନ୍ତେ ସପତ ମୁନ ହୋଇଥିଲା

ଗୁଣରେ ବସାନ୍ତେ ସେ ସହସ୍ରେ ମୁନ ହୋଇଲା ।୧୬୧।

ଆକର୍ଣ୍ଣ ପରିଯନ୍ତେ ଓଟାରନ୍ତେ ମହାବୀର

ଅହିବ୍ରତେକ ମୁନ ହୋଇଲା ଧାତିକାର ।୧୬୨।

ଫିଟନ୍ତେଣ ନାରାଜ ହୋଇଲା ଲକ୍ଷେ ମୁନ

ଗର୍ଜନ କରି ଚଳନ୍ତେ କୋଟିୟେ ବଦନ ।୧୬୩।

ପଡ଼ିବାର ବେଳେ ଯେ ମର୍ଭୁତେକ ହୋଇ

କକଡ଼ା ମାସେ ଯେହ୍ନେ ଦ୍ରୋଣ ମେଘ ବରଷଇ ।୧୬୪।

ରାକ୍ଷସ ଉପରେ ଯେ ପଡ଼ିଲା ସର୍ବଶର

ତିଳ ବୃଷ୍ଟି ହୋୟେ ଯେହ୍ନେ ପର୍ବତ ଉପର ।୧୬୫।

ଦାନବ ଅଙ୍ଗେ ବାଜି ତେସନେକ ହେଲା ବାଣ

ଧନ୍ୟରେ ଦଇତ ବୋଲି ବୋଇଲେ ବୀର କର୍ଣ୍ଣ ।୧୬୬।

ପୁଣିହିଂ ଅଗ୍ନି ଅସ୍ରେ ବିନ୍ଧିଲା ଧାତିକାରେ

ତୁଣ୍ଡ ବିସ୍ତାର କରି ତାହା ଗିଳିଲା ଅସୁର ।୧୬୭।

ଅଗ୍ନିଅସ୍ର ଗିଳିଣ ଗର୍ଜିଲା ଦଇତ ନାହା

ନୟନ ତରାଟି ହଲାଇଲା ବେନି ବାହା ।୧୬୮।

ପଥରେକ ଧରିଣ ଯେ ମାଇଲା ତଡ଼ତି

ବଜ୍ର ଅସ୍ର ଘେନି ତାହା ଛେଦିଲା ମହାଛତ୍ରୀ ।୧୬୯।

ବେନି ବୃକ୍ଷ ଉପାଡ଼ି ମାଇଲା ଦଇତ ବୀର

କତୁରୀ ବାଣ ପେଷି ତାହା କର୍ଣ୍ଣ ଛେଦିଲା ସତ୍ୱର ।୧୭୦।

ବୃକ୍ଷ ଛେଦି ପୁଣ ସେ ପର୍ବତା ବାଣ ମାରି

ଅଙ୍ଗୁଳି ପାତିଣ ତାହା ଦଇତ ସମ୍ଭାଳି ।୧୭୧।

ଶରଯନ୍ତା ଶହସ୍ର ବିନ୍ଧିଲା ବୀରବର

ପଡ଼ିଲା ନାରାଜ ଯାଇଂ ଦଇତ ଉପର ।୧୭୨।

ମୁନ ମୋଡ଼ି ହୋଇଣ ଯେ ପଡ଼ିଲାକ ଝଡ଼ି

ଗର୍ଜନା ନାରାଜ ଯେ ବିନ୍ଧିଲା କରେ ଧରି ।୧୭୩।

ଦାନବର ଶିରେ ପଡ଼ିଲାକ ଯାଇଂ ବାଣ

ଟହ ଟହ ହସିଲା ସେ ଦଇତ ରାଣ ।୧୭୪।

ବୋଇଲା ମାନବା ରେ ପୂରିଲା ତୋର ଆଷ୍ୟ

ତୋତେ ରଖନ୍ତା କେହି ନୋହିବେ ଚତୁର୍ଦ୍ଦଶ ।୧୭୫।

ୟେତେକ ବୋଲିଣ ସେ ଅସୁର ମହାବଳୀ

କୋଦାଳ ଆୟୁଧକୁ ମାଇଲା ବେଗେ ତୋଳି ।୧୭୬।

କର୍ଣ୍ଣର ଅଙ୍ଗରେ ବାଣ ବାଜିଲା ମହାଶର

ଗ୍ୟାନ ହାରି ଭୂମିରେ ପଡ଼ିଲା ମହାବୀର ।୧୭୭।

ଦେଖିଣ ଅସୁର ଯେ ଧାଇଂଲା ତଡ଼ତି

ଦେଖି ବାରେ କିରାତ ଦିଶଇ କେମନ୍ତ ମୂରତି ।୧୭୮।

ୟେତେକ ବିଚାର ରାକ୍ଷସ ଛାମୁରେ ତାର ଯାଇଂ ମିଳି

ଧନୁଶର ଧରିଣ ପଡ଼ିଛି ମହାବଳୀ ।୧୭୯।

ଦାନବ ବୋଇଲା ରେ ଧନ୍ୟ ତୋର ପିତା

ଧନ୍ୟ ରେ କିରାତ ତୋହୋର ଗର୍ଭଧାରୀ ମାତା ।୧୮୦।

ଧନ୍ୟ ଯେଉଂଣ ଦେଶେ ହୋଇଲୁ ତୁ ଜାତ

ଧନ୍ୟ ତୋର ସାମରଥ ଧନ୍ୟ ବଳବନ୍ତ ।୧୮୧।

ଧନ୍ୟ ତୋର ଗୁରୁ ଧନ୍ୟ ୟେ ବିଦ୍ୟାୟେ

ମୋର ତୁଲେ ଯୁଦ୍ଧ କଲୁ ୟେତେବେଳେ ଯାୟେ ।୧୮୨।

ଧନ୍ୟ ରେ କିରାତ ମୋର ହାଥେ ହେଲୁ ନାଶ

ୟେତେକ ବିଚାରି ମନେ ହୋଇଲା ହରଷ ।୧୮୩।

ବୋଇାଲା ଆଦିତ୍ୟର ହୋଇଲା ଅସ୍ତକାଳ

ସ୍ରାହାନ କରିବି ୟେବେ ପଶି ନଦୀ ଜଳ ।୧୮୪।

ପଛେ ୟେହାର ମାଂସ ଭକ୍ଷିବଇଂ ଆସି

ଧନୁ ଶସ୍ର ଛଡ଼ାଇ ଯେ ନିଲା ସେ ଆକ୍ରେଷି ।୧୮୫।

ସେ ପର୍ବତ ତଳେ ଯେ ବାରିଣା ନାମେ ନଈ

ସେ ନଦୀକି ସ୍ରାହାନ କରିବାକୁ ସେ ଗମଇ ।୧୮୬।

ବୋଇଲା କିରାତର ଭକ୍ଷିବଇଂ ରକ୍ତ ମାଂସ

ହୃଦେ ଜାଣିଲେ ତାହା କଶ୍ୟପର ଶିଷ ।୧୮୭।

ବାକ୍ୟ ଦେବୀକି ଚିନ୍ତିଲେ ମନରେ ସବିତା

ଆଗୋ ବାକ୍ୟଦେବୀ ତୁହି ଜଗତର ମାତା ।୧୮୮।

ଜୟ ତୁ ଅନାଦି ଗୋ ବ୍ରହ୍ମାର କୁମାରୀ

ନାରାୟଣ ପୁରୁଷର ଅଟୁ ମନୋହାରୀ ।୧୮୯।

ବୀଣା ରସେ ତୋହୋର ଗାୟନ ରସବାଣୀ

ଅନାଦି ନାୟକ ଯେ ମୋହିତ ହେଲେ ଶୁଣି ।୧୯୦।

ହାହା ହୁହୁ ଗନ୍ଧର୍ବାଦି ଗାୟକ ତୁମ୍ଭର

ଯାର ପାଦେ ସେବା ସେ କରିଥାନ୍ତି ନିରନ୍ତର ।୧୯୧।

ବୃହଷ୍ପତି ଗଣେଶ ଆବର ଅନନ୍ତ ବେଦବ୍ୟାସ

ତୋ ପାଦେ ମୁନିଗଣେ ସେବନ୍ତି ଅଶେଷ ।୧୯୨।

ତୁ ୟେବେ ସୁଦୟା ଗୋ କର ବାକ୍ୟେଶ୍ୱରୀ

ଶୂଦ୍ରମୁନି ସାରୋଳା ଚିନ୍ତଇ ହୃଦେ ଧରି ।୧୯୩।

ବିରଞ୍ଚି ଚିନ୍ତିନ୍ତେଣ ମିଳିଲେ ସରସ୍ୱତୀ

ସପତସ୍ୱର ବୀଣା ଶ୍ରୀହସ୍ତେ ଘେନିଛନ୍ତି ।୧୯୪।

ଛାମୁରେ ଉଭାହୋଇ ଯେ କହନ୍ତି ମାହେଶ୍ୱରୀ

ତିମିର ବିଦାରଣ ନାଥ କିମର୍ଥେ ଚିନ୍ତାକରି ।୧୯୫।

ବଦୟନ୍ତି ଦିବାକର ଶୁଣି ଜଗତ ମାୟେ

କଳ୍ପାସୁର ମାଇଲା ଯେ ମୋହୋର ତନୟେ ।୧୯୬।

ସ୍ରାହାନ କରି ଆସିଣ କରିବ ଭୋଜନ

କଣ୍ଠେ ବସି ଦଇତଠାରୁ କର ଯା ରକ୍ଷଣ ।୧୯୭।

ଲୋକପାଳ ବଚନେ ଦେବୀ ଗୋସାମଣୀ

ଦଇତର କଣ୍ଠରେ ବିଜେ କଲେ ଠାକୁରାଣୀ ।୧୯୮।

ସ୍ରାହାନ କରି ଆସ ରାକ୍ଷସକୁଳ ରାୟେ

ନିଜ ପୁତ୍ର କଥା ଯେ ପଡ଼ିଲା ହୃଦୟେ ।୧୯୯।

ସ୍ନେହ ମନେ ବିଚାରଇ ଯିବି ଆଜି ନିଜପୁର

କାଲି ଆସି ମାୟେଂସ ଯେ ଭକ୍ଷିବି ୟେହାର ।୨୦୦।

ୟେତେକ ବିଚାରିଣ ରାକ୍ଷସ କୁଳପତି

ନିଜପୁରେ ପ୍ରବେଶ ସେ ହୋଇଲା ତଡ଼ତି ।୨୦୧।

ୟେଥୁ ଅନନ୍ତରେ ପାହିଲା ରୟଣୀ

ଗଗନେ ଉଦୟ ହୋଇଲା ଦିନମଣି ।୨୦୨।

କର୍ଣ୍ଣ ଯେ ପଡ଼ିଥିଲା ଦଇତ ଶରଘାତେ

ଆଦିତ୍ୟର ତେଜ ଯହୁଂ ଲାଗିଲା ଗଣ୍ଡପଥେ ।୨୦୩।

ଅମୃତ କୁଣ୍ଡଳରେ ଝରିଲା ଅମୃତ ଧାତିକାର

ସେ ଅମୃତ ଧାର ପଶେ କର୍ଣ୍ଣର ମୁଖର ।୨୦୪।

ନଉ ଲକ୍ଷ ବଳ ଯେ ହୋଇଲା ତତକ୍ଷଣେ

ମୋହ ତେଜିଣ ବୀର ଉଠିଲା ଆପଣେ ।୨୦୫।

ଧନୁ ତୁଣୀର ଲୋଡ଼ଇ ବୀରବର ଗୁଣଗ୍ରାହୀ

ଦେଖିଲା ଧନୁଶର ତୂଣଭାର ତାର ନାହିଂ ।୨୦୬।

ମନେ ବିଚାରଇ ୟେହା ନେଲା ଦଇତାରିୟେ

ଶିର ଚ୍ଛେଦନ ନକରି ପ୍ରାଣରକ୍ଷା କୟେ ।୨୦୭।

ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ୟେମନ୍ତ ସମୟେ ଆସି ଶ୍ରୀହରି ଶୂଳପତି ।୨୦୮।

ବ୍ରାହ୍ମଣ ରୂପ ଧରିଅଛନ୍ତି ବେନି ଜନ

ବିଜୟ କଲେ ଆସି ଯେଉଂଣ ଠାରେ କର୍ଣ୍ଣ ।୨୦୯।

ବ୍ରାହ୍ମଣନ୍ତ ଦେଖି ଉଠେ ରାଧାଦେବୀ ସୁତ

ପାଦେ ପ୍ରଳମ୍ବିତ ତାଂକ ହୋଇଲା ତୁରିତ ।୨୧୦।

କର୍ଣ୍ଣ କହଇ ହେ ବିପ୍ର ୟେ ବନକୁ ଅଇଲ କାହିଂ ପାଇଂ

କଳ୍ପା ନାମେ ଦାନବ ୟେ ବନରେ ଅଛି ରହି ।୨୧୧।

ମୋହୋର ତୁଲେ ସେ ଯୁଦ୍ଧ କଲା ଅପ୍ରମୟେ

ମୋତେ ମାରି ଧନୁଶସ୍ର ନେଲାକ ଦଇତାରିୟେ ।୨୧୨।

ମୋହୋର ମାଂସ ଭକ୍ଷେଣ ଅଛି ତାର ମନ

ତୁମ୍ଭନ୍ତ ଦେଖିଲେ ମୋତେ କରିବ ଲେଛନ ।୨୧୩।

ସଜ ମାୟେଂସ ଯେବେଟି ପାଇବ ସେ ଯୁଗତେ

ବାସି ମୃତୁ ମାୟେଂସକୁ ଭକ୍ଷିବ କିସ ଅର୍ଥେ ।୨୧୪।

କ୍ଷଣେହେଂ ନ ରହି ଚାଲ ଯିବା ହୋ ପଳାଇ

ମହାଘୋର ବନସ୍ତରେ ପଶିବାକ ଯାଇଂ ।୨୧୫।

ହରିହର ବୋଇଲେ ସଭାବେ ବ୍ରାହ୍ମଣ

ଥିଲେ ଗଲେ ଆମ୍ଭନ୍ତ ନାହିଂନା ଦୂଷଣ ।୨୧୬।

ତୁ ଯେ ମହାବୀର କ୍ଷତ୍ରୀୟ କୁଳେ ଜାତ

ଯୁଦ୍ଧ ଛାଡ଼ି ପଳାଇଲେ ପାଇବୁ ନର୍କପଥ ।୨୧୭।

କର୍ଣ୍ଣ ବୋଇଲା ଯେ ମୋର ନାହିଂ ଧନୁର୍ବାଣ

ଧନୁ ତ୍ରୋଣ ନେଲା ମୋର ଦଇତ ମହାରାଣ ।୨୧୮।

କି ଘେନି ଯୁଦ୍ଧକୁ ମୁଂ ଯିବଇଂ ଯେ ପୁଣ

କିସ ଘେନି ରକ୍ଷା କରିବି ଛତ୍ରୀପଣ ।୨୧୯।

ବ୍ରାହ୍ମଣେ ବୋଇଲେ ତୋର ଧନୁର୍ବାଣ ଥିଲେ

ଯୁଦ୍ଧ କରି ପାରିବୁଟି କି ରାକ୍ଷାସର ତୁଲେ ।୨୨୦।

କର୍ଣ୍ଣ ବୋଇଲା ଆମ୍ଭେ ନ ଜାଣୁ ଆନ ବିଦ୍ୟା

ପ୍ରଶୁରାମଂକର ଅସ୍ର ଦ୍ରୋଣଂକର ସିଦ୍ଧା ।୨୨୧।

ବିପ୍ରେ ବୋଇଲେ ଯହିଂରେ ସାଧିବାକୁ ଶତ୍ରୁ

ସେ ବିଦ୍ୟା ଉତ୍ତମ ସେ ଗୁରୁ ଗୁଣ ତତ୍ତୁ ।୨୨୨।

ବଇରି ମାରି ପଛେ ରଖିବ ଗୁରୁ ଧର୍ମ

ଗୁରୁ ହିଂ ପ୍ରଶଂସନ୍ତି ଦେଖିଲେ ପରାକ୍ରମ ।୨୨୩।

ରାଧାର ନନ୍ଦନ ଯେ ବୋଇଲା ବାକଚିତ୍ତେ

ତୁମ୍ଭେ ବିପ୍ର ଧନୁଶସ୍ର କାହୁଂ ଦେବ ମୋତେ ।୨୨୪।

ଯେବେ ଅନୁଗ୍ରହ ମୋତେ ଦିଅ ଧନୁର୍ବାଣ

ଶାରଙ୍ଗ ଧନୁକୁ ସୁମରିଲେ ନାରାୟଣ ।୨୨୫।

ହରିହର ବେନିଜନେ ଛେଦିଲେ ଆପଣା ଅଙ୍ଗୁଷ୍ଠି

ନାରାଜ କରିଣ ତାହା ନିର୍ବାଣ କଲେଟି ।୨୨୬।

କର୍ଣ୍ଣକୁ ବୋଇଲେ ହୋ ଘେନ ବେନିବାଣ

ଦଇତ ଉପରକୁ ବିନ୍ଧ ହୋ ଆପଣ ।୨୨୭।

ହୃଦୟକୁ ବିନ୍ଧବୁ ୟେ ଶୁକଳବର୍ଣ୍ଣ ଶର

କୃଷ୍ଣବର୍ଣ୍ଣ ଶର ବିନ୍ଧିବୁ ନାଭିର ।୨୨୮।

ତେବେ ସେ ଦଇତର ଛାଡ଼ିବ ନିଜ ପ୍ରାଣ

ୟେମନ୍ତର ସମୟେ ଆସି ମିଳିଲା ଦତ୍ୟରାଣ ।୨୨୯।

ରେ ରେ କାର କରିଣ ଯେ ଡାକିଲା ରାକ୍ଷସ

ହରିହର ବେନି ତହୁଂ ହୋଇଲେ ଅଦୃଶ୍ୟ ।୨୩୦।

ଖଣ୍ଡେ ଦୂର ଅନ୍ତରେ ଯେ ହର ପୀତବାସ

କର୍ଣ୍ଣର ଠାରେ ଯାଇଂ ମିଳିଲା ରାକ୍ଷସ ।୨୩୧।

ରେ ରେ କିରାତ ବୋଲିଣ ଦତ୍ୟରାୟେ

ପଥର ବୃଷ୍ଟି ସେ କଲା କର୍ଣ୍ଣର ହୃଦୟେ ।୨୩୨।

ଦେଖି କରି କର୍ଣ୍ଣବୀର ଧନୁ ଧରି କରେ

ନାରାଜ ବସାଇଲା ଯେ ଗୁଣର ଉପରେ ।୨୩୩।

ଆକର୍ଣ୍ଣ ପରିଯନ୍ତେ ଆଣିଲା ଓଟାରି

ମନ୍ତ୍ର ସୁମରି ବାଣ ବିନ୍ଧିଲା ଯତ୍ନ କରି ।୨୩୪।

ଦୃଷ୍ଟିଭେଦୀ ଅଟଇ ଯେ ରାଧାଦେବୀ ସୁତ

ହୃଦୟ ନାଭିକି ଯେ ବିନ୍ଧିଲା ବେନି ଅସ୍ର ।୨୩୫।

ନାଭି ହୃଦୟ ଫୁଟିଲା ଯେ ବେନିବାଣ

ଅସ୍ର ସଙ୍ଗେ ବାହାର ହୋଇଲା ଦତ୍ୟର ନିଜ ପ୍ରାଣ ।୨୩୬।

ଘୋର ଗର୍ଜନ କରି ପଡ଼ିଲା ଦତ୍ୟବୀର

ନଦୀରେ ସ୍ନାନସାରି ନାରାଜେ ପଶିଲେ ତୂଣର ଭିତର ।୨୩୭।

ଧନ୍ୟ ଧନ୍ୟ ବୋଲି ଡାକିଲେ ସର୍ବ ସୁରେ

କୁସୁମ ବରଷିଲେ ଆଦିତ୍ୟ ସୁତ ଶିରେ ।୨୩୮।

କଳପା ଯେତେ କଷ୍ଟ ଦେବନ୍ତ ଥିଲା ଦେଇ

ଆଦିତ୍ୟ ନନ୍ଦନ ସକାଶୁଂ ସମସ୍ତେ ସୁସ୍ଥ ହୋଇ ।୨୩୯।

ବଇବସୁତ ମନୁ ବୋଇଲେ ଭୋ ମୁନି କହ ମୋତେ

କଳ୍ପାର ବାରତା ଯେ କହିଲେ ଅପ୍ରମିତେ ।୨୪୦।

କାହାରି ଆୟୁଧରେ ନୋହିଲା ଭେଦ କାୟେ

କାହାକୁ ସେବି ବର ପାଇଲା ଦତ୍ୟରାୟେ ।୨୪୧।

ମୁନି ବୋଇଲେ ସେ ସେବିଲା ଦିବାକର

ନିଆହାରେ ବଞ୍ଚିଲା ସେ ସହସ୍ରେ ସମ୍ବଚ୍ଛର ।୨୪୨।

ନିରଞ୍ଜନ ଚିନ୍ତି ସେ ଶୂନ୍ୟକୁ କଲା ଧ୍ୟାନ

ଘୋର ତପ ଦେଖି ମିଳିଲେ କମଳଲୋଚନ ।୨୪୩।

ବୋଇଲେ କଳପା ରେ ମାଗି ଘେନ ବର

ଯେଉଂଣ ମନବାଞ୍ଛା ଅଛଇ ତୋହୋର ।୨୪୪।

ଦାନବ ବୋଇଲା ତୁ କେବଣ ଦେବତା

ଦିନକର ବୋଲନ୍ତି ଆମ୍ଭେ ଦେବତା କରତା ।୨୪୫।

ଅସୁର ବୋଇଲା ତୁମ୍ଭେ ଯେବେ ଦେବ ବର

କଳ୍ପେ ପରିଯନ୍ତେ ମୁହିଂ ହୋଇବି ଅମର ।୨୪୬।

ଦେବ ଦାନବ ଯେ ପକ୍ଷ ବିଦ୍ୟାଧର

ଗଣ ଗନ୍ଧର୍ବ ନାଗ ଯେ ପଶାଚ କିନ୍ନର ।୨୪୭।

ସୂର୍ଯ୍ୟଗଣ ଚନ୍ଦ୍ରଗଣ ଗ୍ରହଗଣ ରୁଦ୍ର ଇନ୍ଦ୍ର

ବ୍ରହ୍ମା ବିଷ୍ଣୁ ଅଗ୍ନି ବାୟୁ ନଇଋତ ନାଗେନ୍ଦ୍ର ।୨୪୮।

ବରୁଣ କୁବେର ଯେ ତେତିଶିକୋଟି ଦେବ

ଯାହାର ତ୍ରୋଣରେ ଯେତକ ଶସ୍ର ଥିବ ।୨୪୯।

ବିଶ୍ୱକର୍ମା ନିର୍ବାଣଟି ଅସ୍ର ଶସ୍ର ଯେତେ

ବ୍ରହ୍ମାର ନିର୍ବାଣ ଆହୂତି ଯାଗ ମତେ ।୨୫୦।

ୟେ ସମସ୍ତ ଶହସ୍ର ମୋର ନ ଭେଦିବ କାୟେ

ଚଉଦ ଭୁବନକୁ କରିବି ମୁଂ ଜୟେ ।୨୫୧।

ଅସ୍ତୁ ହୋଉ ବୋଲିଣ ଯେ ବୋଇଲେ ଛାୟାପତି

ଦାନବ ଅଙ୍ଗେ ଲେପନ କଲେକ ବଜ୍ର ଯେ ବିଭୂତି ।୨୫୨।

ହୃଦୟ ନାଭି ଯେ ଦୁଇ ସ୍ଥାନ ଗଭୀର

ବିଭୂତି ନ ଲାଗିଲା ଯେ ହୋଇଲା ଅନ୍ତର ।୨୫୩।

ଅର୍କ ବିଦାରଣ ଯେ ହୋଇଲେ ଅନ୍ତର୍ଧାନ

ବର ପାଇ ଦାନବ ଯେ ଗଲା ନିଜ ସ୍ଥାନ ।୨୫୪।

ବିରଞ୍ଚିର ବରେ ସେ ଜଗତ ସାଧ୍ୟ କଲା

ମୃତୁ ପ୍ରାପତ କାଳେ କର୍ଣ୍ଣକୁ ଭେଟିଲା ।୨୫୫।

ହରିହର କପଟେ ହୋଇଲା ପ୍ରାଣେ ନାଶ

ଅଙ୍ଗୁଳି ଛେଦି ବାଣ କଲେ ହର ପୀତବାସ ।୨୫୬।

ନାରାୟଣ ତର୍ଜନୀ ଅଙ୍ଗୁଳି ଚ୍ଛେଦନ ଯେଉଂ ବାଣ

ନୀଳବାଣ ନାମ ସେ ହୋଇଲା ଆପଣ ।୨୫୭।

ମହାଦେବଂକ କନିଷ୍ଠ ଅଙ୍ଗୁଳି ହୋଇଲା ଯେଉଂ ଶର

ଭୁଜବାଣ ନାମ ଗୋଟି ହୋଇଲା ତାହାର ।୨୫୮।

ଦଇତ ପଡ଼ନ୍ତେଣ ବୋଇଲେ ବେନିଜନ

ବାବୁ ଦେବଂକର ଶତ୍ରୁ ନାଶିଲୁ ହୋ କର୍ଣ୍ଣ ।୨୫୯।

ବର ମାଗ ଦେବା ବୋଲି ବୋଲନ୍ତି ଦେବରାୟେ

କର୍ଣ୍ଣ ବୋଇଲା ଗୋସାଇଂ କିୟେ ତୁମ୍ଭେ ଦୁହେଂ ।୨୬୦।

କହନ୍ତି ରୁଦ୍ର ବିଷ୍ଣୁ ଆମ୍ଭେ ଅଟୁ ବେନିଜନ

ଶୁଣିଣ ପାୟେ ପଡ଼ି ଶୋଇଲା ବୀର କର୍ଣ୍ଣ ।୨୬୧।

ତୁମ୍ଭନ୍ତ ନ ଚିହ୍ନି ମୁଂ ବୋଇଲି ମନ୍ଦ ବାଣୀ

ମମ ଦୋଷ କ୍ଷମା କରସି ହର ଚକ୍ରପାଣି ।୨୬୨।

ଯେବେ ବର ଦେବେ ଦିଅ ୟେ ବେନି ଶର

ଶୁଣିଣ ବେନିଜନେ ଯେ ବୋଇଲେ ଉତ୍ତର ।୨୬୩।

ତୁ ଯେ ମହାଦାନୀ ଅଟୁ ହୋ ରାଧେୟ

ବ୍ରାହ୍ମଣ ରୂପ ହୋଇ ଆସିବେ ଦେବ ଦାନବ ନିଚୟ ।୨୬୪।

ଦାନ ମାଗି ତୋତେ ଘେନିଯିବେ ଦୁଇବାଣ

ନିମିଷେକ ଜିଣିମେ ସେ ଚଉଦ ଭୁବନ ।୨୬୫।

ସାକ୍ଷାତେ ହରିହର ଅଟନ୍ତି ବେନି ଅସ୍ର

ୟେ ବାଣେ କ୍ଷୟ ହୋଇବେ ବ୍ରହ୍ମା ହରିହର ଶକ୍ର ।୨୬୬।

ୟେ କଥା ବିଚାର ଯେ କର ତୋର ମନ

ଶୁଣିକରି ଶିରେ କର ଦିଲା ବୀର କର୍ଣ୍ଣ ।୨୬୭।

ଗୋସାଇଂ ଗୁପତ କରି ଯେ ଥୋଇବି ୟେହୁ ଶର

ଯେବେ ଆଗ୍ୟାଂ ହୋଇବ ମୋତେ ବିଷୁଦ୍ଧ ଚିତ୍ତର ।୨୬୮।

କର୍ଣ୍ଣର ବଚନେ ବୋଲନ୍ତି ଯେ ବିଷ୍ଣୁ ହର

ଆମ୍ଭେ ଯାହା କହୁଛୁଂ ହୋ ଶୁଣ ମହାବୀର ।୨୬୯।

ୟେହୁ ଅସ୍ର ଘେନି କାହାକୁ ତୁ ନ ମାରିବୁ

ୟେ ଅସ୍ର ମହୀମାଂ କେହି ନ ଜାଣରେ ବାବୁ ।୨୭୦।

ପ୍ରାଣକୁ ତୋର ଯେବେଟି ପଡ଼ିବ ବିପତ୍ତି

ତେବେ ସେ ୟେ ଶସ୍ର ଘେନି ମାରିବୁ ମହାଛତ୍ରୀ ।୨୭୧।

ୟେତେ ବୋଲି ବାଣ ଦିଲେ ହରହରି

ଅସ୍ର ଥୋଇଲେ କର୍ଣ୍ଣ ଦୁଇ ଜାନୁ ଚିରି ।୨୭୨।

ହରିହର କର୍ଣ୍ଣ ଯେ ଜାଣନ୍ତି ଜଣ ତିନି

ବେଦବ୍ୟାସ ଜାଣନ୍ତି ଅଟନ୍ତି ମହାଗ୍ୟାନୀ ।୨୭୩।

ସହଦେବ ମନ୍ତ୍ରୀ ସର୍ବଗ୍ୟଂ ସେ ଯେ ଜାଣଇ

ୟେହି ପାଞ୍ଚଜଣ ଭିନ୍ନେ ନ ଜାଣନ୍ତି କେହି ।୨୭୪।

ବର ଦେଇ ଗଲେ ତହୁଂ ବେନି ଦେବତାୟେ

ନିଜପୁରେ ଚଳିଗଲେ ଆଦିତ୍ୟ ତନୟେ ।୨୭୫।

ଭୋ ରାଜା କଳ୍ପାସୁର ମରଣେ ସର୍ବ ସୁରେ

ଯେ ଯାହାର ମନ୍ଦିରେ ମିଳିଲେ ତତପରେ ।୨୭୬।

ଚିନ୍ତା ଛାଡ଼ିଲେ ଯେ ବନିତା ପୁତ୍ର ଘେନି

ଉଶ୍ୱାସ ପାଇ ଆନନ୍ଦ ହୋଇଲା ମେଦିନୀ ।୨୭୭।

ଦୁଷ୍ଟ ନିବାରଣେ ଯେ ସକଳ ଚିନ୍ତା ଛାଡ଼ି

ସୁଖ ସିନ୍ଧୁ ମଧ୍ୟରେ ସବୁରି ସବୁରି ଚିତ୍ତ ବୁଡ଼ି ।୨୭୮।

ଶୁଣ ହୋ ବଇବସୁତ ମନୁ ମଧ୍ୟ ପର୍ବ ରୀତି

କଳ୍ପାସୁର ବଧ ଯେହୁ କର୍ଣ୍ଣରେ ଶୁଣନ୍ତି ।୨୭୯।

ଗୋ ହତ୍ୟା ବ୍ରହ୍ମହତ୍ୟା ସ୍ତିରୀହତ୍ୟା ବାଳବଧ

ସୁବର୍ଣ୍ଣ ଚୋରି କରଇ ଯେ ସୁରାପାନେ ସଧ ।୨୮୦।

ୟେ ପାତେକମାନ ନାଶ ଯାଇ ୟେହା ଶୁଣି

ୟେ ଭାରଥ ଶୁଣି ଦକ୍ଷିଣା ଦିଅ ପ୍ରାଣୀ ।୨୮୧।

ଭାରଥ ଶୁଣି ଯେହୁ ଦକ୍ଷିଣା ନ ଦିଅନ୍ତି

ଶତେ ଜନ୍ମ ଯାୟେ ସେହୁ କର୍ଣ୍ଣରେ ବଧିର ହୁଅନ୍ତି ।୨୮୨।

ଆହେ ପ୍ରାଣୀମାନେ ଯେ ଦକ୍ଷିଣା ଯାଚି ଦେବ

ନିରନ୍ତରେ ଶ୍ରୀଭାରଥ ଚିନ୍ତା କରୁଥିବ ।୨୮୩।

ପଦେ ଅଧେ ଅକ୍ଷର କଲେ ସୁମରଣ

ନାଶ କରନ୍ତି ସର୍ବବ୍ୟାଧି ଦେବ ନାରାୟଣ ।୨୮୪।

ଜୟ ତୁ ଜଗନ୍ନାଥ ରାଜୀବଲୋଚନ

ଶଙ୍ଖ ଚକ୍ରଧାରୀ ଦେବ ଗରୁଡ଼ ଆସନ ।୨୮୫।

ନୀଳଗିରି ବାସୀ ପ୍ରଭୁ କମ୍ବୁ ଚକ୍ରଧାରୀ

ଭଗତ ଜନଦୁଖ ନାଶନ ଶତ୍ରୁ ଅନ୍ତକାରୀ ।୨୮୬।

ସିନ୍ଧୁର ଉତ୍ତର ତୀରେ ତୁମ୍ଭର ନିବାସ

କରିଅଛି ବିଜେ ନିଜେ କମଳା ବିଳାସ ।୨୮୭।

ଦୁଖୀ ଦୁଖ ଦେଖିଣ କ୍ଷଣେହେଂ ନ ସହନ୍ତି

ଆସ ଆସ ବୋଲିଣ ଶରଣ ଯାଚନ୍ତି ।୨୮୮।

ତେଣୁ କରି ମନ ମୋର ସେ ପାଦେ ଗମଇଂ

ରକ୍ଷାକର ଦେବ ଦେବ କମଳାର ସାଇଂ ।୨୮୯।

ତୁମ୍ଭ ବିନୁ ମୁଂ ଯେ ନ ଜାଣଇଂ ଆନକୁ

ଜିଭ୍ୱା ଆଶ୍ରେ କରଇ ଯେ ତୁମ୍ଭର ନାମକୁ ।୨୯୦।

ଜୟ ଜୟ ପଦ୍ମବାସ ଜୟ ପଦ୍ମପାଣି

ଜୟ ଜୟ ପଦ୍ମବାସିନୀ ଯାହାର ଘରଣୀ ।୨୯୧।

ଜୟ ଜୟ ପଦ୍ମମୁଖ ଜୟ ପଦ୍ମଆଖି

ଜୟ ଜୟ ଅହିଶୟ ଜଗୁଜନ ସାକ୍ଷୀ ।୨୯୨।

ସେ ପଦ୍ମ ପତ୍ରାକ୍ଷ ପାଦେ ରହୁ ମୋର ସେବା

ଶୂଦ୍ରମୁନି ସାରୋଳା ଦାସକୁ ଅଭୟେ ବର ଦେବା ।୨୯୩।୯୨୮୭।

 

କୁମ୍ଭକ ଦୈତ୍ୟ ବଧ

ବନ୍ଦଇ ଲମ୍ବୋଦର ଗିରିଜାର ନାନ

ଇନ୍ଦୁର ପିଠିରେ ବସି ସର୍ବଦା ଗମନ ।୧।

ଲଡୁ ଗୁଡ଼ ଅମୃତ କରି ତୁ ଭୋଜନ

ନୃତ୍ୟ ଗୀତ ବିନୋଦେ ତୋଷିଲୁ ଶିବ ମନ।୨।

ଅନ୍ଧେକ ଧଂସ ଗଲା ଯାହାର ବୁଦ୍ଧି ବଳେ

କାଶୀପୁର ନାଶିଲୁ କୋପ ଯେ ଅନଳେ ।୩।

ମଣିକର୍ଣ୍ଣିକା ତୀର୍ଥେ ମୋହିଲୁ ସଦାଶିବର ମନ

ପରମାନନ୍ଦ ପୁରୁଷେ ତୋତେ ନାହିଂ ରାତ୍ରଦିନ ।୪।

ପ୍ରଳୟ ମହାପ୍ରଳୟ ତୁହି ସିନା ଜାଣୁ

ମନୁୟେକ ଗଲେ ଦିବସେକ ପ୍ରାୟେ ମଣୁ ।୫।

ପୃଥୀ ଆପ ତେଜ ବାୟବ୍ୟ ଆକାଶ

ପଞ୍ଚୁଭୁତ ତଲୟେ ତୁମ୍ଭେ ନିରାକାର ପୁରୁଷ ।୬।

ଶିରରେ ସିନ୍ଦୂର କଣ୍ଠେ ପାରିଜାତର ମାଳୀ

ମତ୍ତ ଯେ ମତ୍ତାଙ୍ଗ ନାଥ ଗଜର ମଉଳି ।୭।

ସେ ଗଣନାଥ ପଦ୍ମପାଦରେ ଶରଣ

ଉଦ୍ଧରି ଧର ମୋତେ ଗିରିଜା ନନ୍ଦନ ।୮।

ପହିଲେ ବନ୍ଦଇ ମୁଂ ଯେ ଗଉରୀ ନନ୍ଦନ

କପାଳେ ଲିଖିତ ଯାର ଶ୍ରୀଖଣ୍ଡ ଚନ୍ଦନ ।୯।

ଗଜଦନ୍ତ ଥୋରହସ୍ତ ତୋର ମୁଖ ପଞ୍ଚାନନ

ଅନନ୍ତ ବାସୁକି ତୋର ବେନି ଭୁଜରେ ବନ୍ଧନ ।୧୦।

ଅଯୋନି ସମ୍ଭୂତେ ତୋତେ ଦୁର୍ଗା କଲେ ଜାତ

ପାର୍ବତୀ ଜନନୀ ତୋର ସଦାଶିବ ତାତ ।୧୧।

ଦକ୍ଷିଣ ଦୁଆର ତୁ ରଖିଲୁ ଭୁଜବଳେ

ସୁମରନ୍ତେ ବିଘ୍ନ ତୁ ଖଣ୍ଡୁ ଅବହେଳେ ।୧୨।

ଅଗ୍ରପୂଜା ଘେନୁ ତୁ ସର୍ବ ଦେବତାଂକ ମେଳେ

କୂଟେଣ ଅମୃତ ଲଡୁ ତୁ ଭକ୍ଷିଲୁ କୁତୂହୋଳେ ।୧୩।

ପ୍ରଶୁ ଫାଶି ଅଂକୁଶ ତୋ ମଣି ଚନ୍ଦ୍ର ଯେ କିରଣ

ସେ ମଣି ମୁକୁଟ ତୋର ଲଲାଟେ ଆଭରଣ ।୧୪।

ୟେ ତୋହୋର ଚରଣେ ଲୁଳୁ ମୋର ମାଥ

ଅବ୍ୟକତ ପୁରାଣ ତୁ ଦେସି ଗଣନାଥ ।୧୫।

ୟେଥୁ ଅନନ୍ତରେ ଯେ ବଇବସୁତ ମନୁ

ପାଦାଧି ପାଦ ଅର୍ଘ୍ୟ ଦିଲା ଘଟଋଷିର ତନୁ ।୧୬।

ଅର୍ଜୁନ ବନବାସ ନବ ବରଷ ହୋଇଲା

ଅନେକ ପୁଣ୍ୟ କର୍ମ କଲା କ୍ଷତ୍ରୀ ଧର୍ମ ରହିଲା ।୧୭।

ଯୁଝେଷ୍ଠି ଭୀମସେନ ଯେ ନକୁଳ ସହଦେବ

ୟେହୁ କେବଣ କୃତ୍ୟ କଲେ କହିବା ମୁନି ଦେବ ।୧୮।

ବଦୟନ୍ତି ଅଗସ୍ତି ଶୁଣିମା ମନୁରାୟେ

କୁମ୍ଭେକ ବଧ କଲା ଯେ ପବନ ତନୟେ ।୧୯।

ମନୁୟେ ବୋଇଲେ ୟେତ ବଡ଼ ସନ୍ଦେଶ ପ୍ରସ୍ତାବ

କୁମ୍ଭକ ବଧ ମୋତେ କହିବା ମୁନି ଦେବ ।୨୦।

କାହାର ପୁତ୍ର ସେ ଯେ କେଉଣ କୁଳେ ଜାତ

କେସନେକ ମାରୁତି କଲା ତାକୁ ହତ ।୨୧।

ବଦନ୍ତି ଅଗସ୍ତି ପଣ୍ଡିତ ବ୍ରହ୍ମବେତ୍ତା

ତୁ ଯାହା ପଚାରିଲୁ ବହୁତ କାଳର ୟେ କଥା ।୨୨।

ଆଦିହୁଂ ସିଂହିକାର କୋଳେ ଉତପତ୍ତି ରାହୁ

ରାହୁର ନନ୍ଦନ ଯେ ଅଟଇ ବୀରବାହୁ ।୨୩।

ବୀରବାହୁର ନନ୍ଦନ ଜମ୍ବୁ ଯେ ଦଇତ

ଅମର ବିବାଦେ ତାକୁ ନାଶକଲେ ପୁରୁହୂତ ।୨୪।

ଜମ୍ବୁ ଦଇତକଇଂ ସମରେ ଯହୁଂ ଛେଦି

ତେଣୁ ସେ ଇନ୍ଦ୍ର ନାମ ଅଟଇ ଜମ୍ବୋଭେଦୀ ।୨୫।

ଜମ୍ବୁ ଦଇତର ପୁତ୍ର ଅଟଇ ଲୋହାସୁର

ଚଣ୍ଡୀର ଯୁଦ୍ଧେ ସେହୁ ହୋଇଲା ଅପହାର ।୨୬।

ଲୋହାସୁର ନନ୍ଦନ ଯେ ଅଟଇ ଭାସକର

ଭାସକର ନନ୍ଦନ ଯେ ଅଟଇ ଅର୍କ ନାମେ ଅସୁର ।୨୭।

ସର୍ବଦା ଆବୋରି ଥାଇ ସେହୁ ଅର୍କ ନାମେ ତୀର୍ଥ

କଣୟବିନ୍ଦୁ ବିବାଦେ ତାକୁ ନାଶ କଲେ ଆଦିତ୍ୟ ।୨୮।

ଅର୍କ ଦଇତ ନନ୍ଦନ ଯେ ଉଦପା ଅସୁର ବୋଲି

ଉଦପାର ନନ୍ଦନ ଯେ ଦପାସୁର କହିଲି ।୨୯।

ଦପାସୁରର ନନ୍ଦନ ଯେ ଅମୟାସୁର ପ୍ରକାଶ ।୩୦।

ଅମୟାକୁ ମାଡ଼ି ବସିଲେ ଯେ ହନୁମନ୍ତ

ୟେହାର ନନ୍ଦନ ଯେ ଶ୍ରବଣା ଦଇତ ।୩୧।

ଶ୍ରବଣାର ନନ୍ଦନ ଯେ ଅଶ୍ଲେଷା ଅସୁର

ୟେହାକୁ ବଧ କଲେ ଯେ କାର୍ତ୍ତିକ ଷଡ଼ଶିର ।୩୨।

ଅଶ୍ଲେଷାସୁର ନନ୍ଦନ ଯେ କଳ୍ପାସୁର ଦଇତ

ହରିହର ବିବାଦେ ତାକୁ କର୍ଣ୍ଣ କଲେ ହତ ।୩୩।

କଳପାର ନନ୍ଦନ ଯେ କୁମ୍ଭେକ ଅସୁର

ମହାପ୍ରତାପୀ ସେ ପୃଥୀକି ମହାଭାର ।୩୪।

ବାଳୁତ କାଳୁଂ ସେ ସେବିଲା କରତାର

ତୋଷେ ନିରଞ୍ଜନ ନାଥ ତାକୁ ଦେଇଥିଲେ ବର ।୩୫।

ଦେବ ଦାନବ ଯେ ନୋହିବଇଂ ମୁହିଂ ବଧ

ଅସ୍ତୁ ହୋଉ ବୋଲିଣ ଯେ ବୋଇଲେ ବିବୁଧ ।୩୬।

ମନୁଷ୍ୟନ୍ତ ଛାର ବୋଲି ନ କଲା ସେ ଭୀତି

ୟେଣେ ତାର ମୃତୁ ବଞ୍ଚାଇଲେ ପ୍ରଜାପତି ।୩୭।

ରଥ ଗଜ ଅଶ୍ୱ ଥାଠ ସଇନି ନାହିଂ ତୁଲେ

ବ୍ରହ୍ମା ସୁର ଇନ୍ଦ୍ର ରୁଦ୍ର ଜିଣଇ ଜୂର କରି ।୩୯।

ବିଦ୍ୟାଧାରୀମାନନ୍ତ ସେ ହରି ଆଣିଲାକ ବଳେ

ଦେବେ ରହି ନୁଆରନ୍ତି ଗଗନ ମଣ୍ଡଳେ ।୪୦।

ଇନ୍ଦ୍ର ଚନ୍ଦ୍ର କୁବେର ବରୁଣ ପବନ

ଯମ ଅଗ୍ନି ନଇଋତଯେ ଆଉର ଗ୍ରହଗଣ ।୪୧।

ୟେମାନେ ସମସ୍ତେ ଯେ ସମର ଘୋର କଲେ

ସେ କୁମ୍ଭେକ ଦଇତକୁ ସମସ୍ତେ ହାରିଲେ ।୪୨।

ବଇଶାଖ ଶୁକଳ ଯେ ତୃତୀୟାର ଦିନ

ଭୃଗୁବାର ଯେ ରୋହିଣୀ ନକ୍ଷତ୍ର ବିଦ୍ୟମାନ ।୪୩।

ତଇତିଳ ନାମେ କରଣ ଶୁଭନାମେ ଯୋଗ

ରୋହିଣୀ ଘରେ ସେ ଦିନ ବୃକ୍ଷ ଚନ୍ଦ୍ର ଭୋଗ ।୪୪।

ସେ ଦିନ ଇନ୍ଦ୍ରଂକର ସ୍ୱନକ୍ଷତ୍ର ବନ୍ଦାପନା

ଅନେକ ସାନନ୍ଦ ସେ ଯେ ଦେବ ମଘବାନା ।୪୫।

ବସନ୍ତ ଉତ୍ସବ ସେ ଯେ ଯାତ୍ରାର ବିଧାନ

ଅନେକ ସମ୍ଭର୍ବ ଯେ ବୃନ୍ଦାଅର୍କ ମାନ ।୪୬।

ନନ୍ଦନ ବନ ଯେ ଆକାଶ ଗଙ୍ଗା କୂଳେ

ବସିଲେ ଆସ୍ତାନେ ସକଳ ଦିଗପାଳେ ।୪୭।

ଚଉଷଠି କୋଟି ଯେ ବିଦ୍ୟାଧର ବିଦ୍ୟାଧରୀ

ମହା ସମ୍ଭର୍ବେଣ ଯେ ସର୍ବେ ଗୀତ ନୃତ୍ୟ କରି ।୪୮।

ସା ରି ଗ ମ ପ ଧ ନି ସା ସପତ ସ୍ୱର ବୀଣା

ଭରହରଷ ନାୟିକା ସେ ଗାଇଲେ ଖଟଣା ।୪୯।

ରମ୍ଭା ଉର୍ବଶୀ ଯେ ମେନକା ଚିତ୍ରଲେଖା

ଚଞ୍ଚଳ ଚକିତା ଯେ ମଦନିକା ମୋହନିକା ।୫୦।

ମଣି ମାଳତୀ ଯେ ବସନ୍ତ ଅପକ୍ଷରୀ

କେଶୀ ମେଧା ସୁମେଧା ବିଭାଷୀ ଶାନ୍ତି ସୁନ୍ଦରୀ ।୫୧।

ସୁଭାଙ୍ଗୀ ସୁବାସୀ ବିଳାସୀ ସୁମତି

ବିଳାସିନୀ ଶ୍ରିୟା କାଞ୍ଚୀ କାମାକ୍ଷୀ ସରସ୍ୱତୀ ।୫୨।

ଲଲିତା ଶରଧା ସୁନାଙ୍ଗୀ ପରିଚନ୍ଦ୍ରା ମାଳତୀ

ସରଳା ସଉଦାମିନୀ ସୁମାଳୀ କାମକଳା ରତି ।୫୩।

ୟେହାଂକର ମୂଳେ ଚଉଷଠି ବିଳାସୁଣୀ

ଚଉଷଠି ପରିବନ୍ଧେ ଲଗାଇଛନ୍ତି ଖଟଣି ।୫୪।

ଯମ କୁବେର ବରୁଣ ପବନ ନଇଋତ

ଚନ୍ଦ୍ର ସୂର୍ଯ୍ୟ ଆବର ଗ୍ରହଗଣ ଦଇବତ ।୫୫।

ବିଶ୍ୱେଦେବାୟେ ଯେ ବିହନ୍ତା ପୁରୁଖେ

ସନକ ସନନ୍ଦାଦିଭୃଗୁ କଉଶିକେ ।୫୬।

ୟେମାନନ୍ତ ଘେନିଣ ସୁରରାଜ ମଘବା

ବସିଲେ ଆସ୍ତାନେ ତ୍ରିଦଶ କୋଟି ଦେବା ।୫୭।

ଦେବଋଷି ରାଜଋଷି ବ୍ରହ୍ମଋଷିଂକ ସହିତେ

ବସନ୍ତ ଉଚ୍ଛବ ଯାତ୍ରା କରନ୍ତି ସମସ୍ତେ ।୫୮।

ବଦନ୍ତି ଅଗସ୍ତି ଶୁଣ ହୋ ଯୋଗେଶ୍ୱର

ୟେମନ୍ତ ସମୟେ ବାହିଲା ଯେ କୁମ୍ଭେକ ଅସୁର ।୫୯।

ଅମରାବତୀ ପୁରେ ସେ ପଶଇ ଗଳଗାଜି

ଶବଦେ ପରବତ କି ପଡୁଅଛି ଭାଜି ।୬୦।

ସ୍ତିରୀ ପୁରୁଷ ସହିତେ କୁମର କୁମାରୀ

ସମସ୍ତେ ପ୍ରବେଶ ଯେ ଯାତ୍ରାରଙ୍ଗ କରି ।୬୧।

ପ୍ରଚଣ୍ଡାବଳୀ ଯେ ରହିଛି ଅମର ରକ୍ଷା

ସଙ୍ଗେ ଲକ୍ଷେକ ଗନ୍ଧର୍ବ ଯେ ତାହାର ସାରିକ୍ଷା ।୬୨।

ସମସ୍ତ ସମ୍ପଦ ଘେନି ଦେବ ସୁନାଶୀର

କରନ୍ତି ଯାତ୍ରା ସେ ଯେ ଆକାଶ ଗଙ୍ଗା ତୀର ।୬୩।

ଦାନବେ ପଶନ୍ତେ ସେ ଆଗେଣ ଓଗାଳି

କାହିଂର ଦ୍ରପିଷ୍ଠରେ ଭରସା ୟେତେ ଭଳି ।୬୪।

ଧାଇଂଲେ ବିଦ୍ୟାଧରେ ଯେ ରେ ରେ କାର କରି

ରାଗେଣ ନିଶାଚରେ ଯେ ପଶିଲେକ ପେଲି ।୬୫।

ଅସୁର ଅପ୍ରମିତ ତେଜ ଦେଖିଣ ପ୍ରଚଣ୍ଡାବଳୀ

ଗଦାବର ବୁଲାଇଣ ପିଟଇ ମହାବଳୀ ।୬୬।

ଦେଖିଣ ସାନନ୍ଦ ସେ ଯେ କୁମ୍ଭକ ଦଇତ ଅରି

ଦରାଣ୍ଡି ଧଇଲା ସେ ଖୋଜି ଖୋଜି କରି ।୬୭।

କେଶ ଧରି ବୁଲାଇ ସେ ସବୁନ୍ତି ଦିଅଇ ଫିଙ୍ଗି

ଗଙ୍ଗାକୂଳେ ପଡ଼ିଲେ ସେ ଥାନ ପରିତ୍ୟାଗି ।୬୮।

ଭିତରେ ଦାନବ ଯେ ପଶିଲା ଗଳଗାଜି

ଦ୍ୱାରପୁଡ଼ା ଜଗତୀ ପକାଇଲା ସର୍ବ ଭାଞ୍ଜି ।୬୯।

ମେଢ ମଣ୍ଡୋପ ଦେଉଳ ଅଟ୍ଟାଳୀ

ସମସ୍ତ ଭାଙ୍ଗଇ ସେ ଦୁର୍ଭାର ମହାବଳୀ ।୭୦।

ପୁରେ ପୁରେ ଦାନବ ଲୋଡ଼ଇ ଉପନେସି

ନ ଦେଖି ଦାନବ ଯେ ଭ୍ରମଇ ଆକ୍ରେଷି ।୭୧।

ନାରଦ ପ୍ରବେଶ ଯାଇ ଉଚ୍ଛବ ନଗର

ଦେଖିଣ ପୂଜାକଲେ ତାଂକୁ ଦେବ ସୁନାଶୀର ।୭୨।

ଇନ୍ଦ୍ର ବୋଇଲେ ହୋ ତୁମ୍ଭେ ବ୍ରହ୍ମାଂକ କୁମର

କିସ ସମ୍ପାଦେ ଆସିଛ କହ ତୁମ୍ଭେ ମୋହୋର ଆଗର ।୭୩।

ନାରଦେ ବୋଇଲେ ତୁମ୍ଭେ ଶୁଣହୋ ସୁରପତି

ଅମରାବତୀ ନାଶ କଲା ତାର ଅଶ୍ଲେଷାର ନାତି ।୭୪।

ପ୍ରଚଣ୍ଡାବଳୀକି ସେ ଦିଲା ବଳେ ଫିଙ୍ଗି

ବାରସ୍ୱତୀପୁର ତୋର ପକାଇଲା ଭାଙ୍ଗି ।୭୫।

ଶୁଣିଣ ଥମ୍ଭୀଭୂତ ଦେବ ମଘବାନେ

ଯାତ୍ରାମୁରାଟ ଭାଙ୍ଗିଲା ନାରଦଂକ ବଚନେ ।୭୬।

ଦେବତାମାନେ ଯେ ବୋଇଲେ ବାସବଂକୁ

ଆମ୍ଭେ ଯାଉଅଛୁଂ ହୋ ଯେ ଯାହା ଭୁବନକୁ ।୭୭।

ଇନ୍ଦ୍ର ବୋଇଲେ ତୁମ୍ଭେ ୟେମନ୍ତ ନ କହ

ମାରିବା ଦାନବ ଯେ ଫେଡିବା ସନ୍ଦେହ ।୭୮।

ଚିତ୍ରସେନ ବୃଦ୍ଧଶ୍ରବା ଅଂଗାରପନ୍ନଙ୍ଗ

ଜୟସେନ ଅଜୟସେନ ତୁଳାକର୍ଣ୍ଣ ବିରଙ୍ଗ ।୭୯।

ୟେହାଂକର ତୁଲେ ଯେ ଗନ୍ଧର୍ବ ନବଲକ୍ଷ

ତାହାନ୍ତ ରାଇ ଆଗ୍ୟାଂ ଦିଲା ସହସ୍ରାକ୍ଷ ।୮୦।

ରଥ ଗଜ ଅଶ୍ୱ ବହୁତ ସଇନ ସାଜ

ଦେବରାଜ ବଚନେ ହୋଇଲେ ସର୍ବେ ସଜ ।୮୧।

ଆପଣେ ସୁରନାଥ ଅଇରାବ୍ରତ ଗଜମଣ୍ଡି

ଉପରେ ଥୋଇଲେ ନେଇ ଛେଲ ଚକ୍ର ଭୂଷଣ୍ଡୀ ।୮୨।

ସୁବର୍ଣ୍ଣ ମୟେ ରସାଣ ରତ୍ନମୟେ ନିଗୂଢ

ଭିତରେ ଖଞ୍ଜଣି ଅଶି ହଜାରକ ବଜର ।୮୩।

ଲୋହାର ଜାଲି ଯେ ଉପରେଣ କାତି

ତହିଂକି ଆବୋରିଣ କଣ୍ଟେକ ତୀକ୍ଷ ବରତି ।୮୪।

ଭିତରେ ସେହ୍ନା ଯେ ବାହାରେ ଦିବ୍ୟରଙ୍ଗ

ଅଷ୍ଟାଙ୍ଗ ଶରୀରର ଯେ ମଣ୍ଡିଲା ମହାନାଗ ।୮୫।

ଘଣ୍ଟି ଘାଘୁଡ଼ି ଯେ ଘାଘରା ମାଳକଣ୍ଠି

ବଳିୟା ଶିଂକୁଳାରେ ଖଞ୍ଜିତ ସୁବର୍ଣ୍ଣର ଘଣ୍ଟି ।୮୬।

ଉପରେଣ ଶୋଭା ଶୁକଳ ପାଟ ଅଛି ଖଞ୍ଜି

ନିଘୋଡ଼ ଖଞ୍ଜା କରି ପଖାଉଜ ବାନ୍ଧି ।୮୭।

କୁମ୍ଭସ୍ଥଳ ମଣ୍ଡଣି ଯେ ବିବିଧ ରତ୍ନଖଞ୍ଜି

ମୁକୁତାର ତୁଲେ ଯେ ହୀରା ନୀଳା ପୁଞ୍ଜି ପୁଞ୍ଜି ।୮୮।

ସେହ୍ନାର ଉପରେ ଯେ ମାଣିକ୍ୟ କେଣ୍ଡା କେଣ୍ଡା

ଚଉକତି ଲମ୍ବର ମୁକୁତା ପେଣ୍ଡା ପେଣ୍ଡା ।୮୯।

ତହିଂର ପାଖରେ ଯେ ତ୍ରିବିଧ ରତ୍ନ ଖଞ୍ଜଣୀ

ପ୍ରଭାର ତେଜେ ଯେହ୍ନେ ଗଞ୍ଜଇ ଦିନମଣି ।୯୦।

ବାଗଲାଟ ଘୋର ଯେ ମସ୍ତକେ ଅଛି ଶୋହି

ଅଭେଦ ବଜ୍ର ସେହ୍ନା ହୃଦେ ଅଛି ଲାଇ ।୯୧।

କିରୀଟୀ ମୁକୁଟ ଶିରେ ପାରିଜାତକ ମାଳ

କରେ ବଜ୍ର ଶକତି ଶୋଭିତ ଆଖଣ୍ଡଳ ।୯୨।

ହାଥୀର ଉପରେ ଯେ ବତିଶ ଆଯୁଧ ରଖନ୍ତି

କୋନ୍ତ ଖାଡ଼ଗ ଲାଂକିଆ ତ୍ରିଶୂଳ ଶକତି ।୯୩।

ସାଞ୍ଜୁ ସାବେଳି ଶକତି ବଜ୍ରଯାଠି

ତୀକ୍ଷଣମୁନା ଅସିମୁନା କୋଦାଳ ମାଳ ଅଧାଟି ।୯୪।

ଛେଲ ଚକ୍ର ଗଦା ଯେ ଭୂଷଣ୍ଡୀ ମୁଷଳୀ

ୟେ ବିଧି ବତିଶ ଆୟୁଧ କଷିଛି ମହାବଳୀ ।୯୫।

ୟେସନେକ ସରୂପେ ବିଜୟେ ସୁରସାଇଂ

ରେ ରେ ଦାନବ ବୋଲି ଉଗାଳିଲେ ଯାଇଂ ।୯୬।

ବାସବର ସଜ ଦେଖି ବିଦ୍ୟାଧରମାନେ

ସମସ୍ତେ ଧାଇଂଣ ଯେ ପିଟିଲେ କୋପ ମନେ ।୯୭।

ଶହସ୍ର ପଡ଼ନ୍ତେ ଅସୁର ନ କରନ୍ତି ଭୟେ

ସେ ତାହା ମଣନ୍ତି ପିଚିକା ଜଳ ପ୍ରାୟେ ।୯୮।

ଆପଣେ ଦେବ ଇନ୍ଦ୍ର ଯେ ଅନେକ ସମର କଲା

ଦେବ ଶସ୍ରମାନ ତାର ଶରୀରେ ଚୂର ଗଲା ।୯୯।

ବଜ୍ର ଶକତି ବୁଲାଇ ବାସବ କୋପେ ପିଟି

ଦେଖିଣ ଦାନବ ଯେ ପାତିଲା ମଥାଗୋଟି ।୧୦୦।

କନ୍ଦର ଚୂର ହୋୟେ ଯେବଣ ବଜ୍ର ପଡ଼ି

ଦଇତ ମୁଣ୍ଡେ ପଡ଼ି ସେ ଗଲାକ ଉପୁଡ଼ି ।୧୦୧।

ଶକତି ଛାଡ଼ିଣ ସେ ହୋଇଲା ହୀନବର୍ଯ୍ୟ

କୋପେଣ କମ୍ପଇ ସେ ଦୁଷ୍ଟ ଯେ ଦନୁଜ ।୧୦୨।

କୋପେଣ ଦାନବ ଯେ ରେ ରେ କାର କରି

ଧାଇଂଣ ପିଟଇ ଯେ ମୁଦୁଗର କରେ ଧରି ।୧୦୩।

ମୁଦୁଗର ପଡ଼ନ୍ତେ ଦେବ ମଘବାନ

ଅଇରାବ୍ରତ ଘୁଞ୍ଚାଇଲେ ସେ ପାକଶାସନ ।୧୦୪।

ଦିଗପାଳେ ପଳାଇଲେ ଯାହା ଭୁବନକୁ

ଇନ୍ଦ୍ର ଦେବତା ପଳାଇଲେ ନନ୍ଦନ ବନକୁ ।୧୦୫।

ବିଦ୍ୟାଧରମାନନ୍ତ ସେ ମାଇଲା ଥୋକାୟେ

ଦିନକର ନାଥ ମେରୁ ଉହାଡ଼େଣ ରହେ ।୧୦୬।

ଅନେକ ସେ ଜୂର କଲା ଦେବ ଭଣ୍ଡାରମାନ

ଆପଣା ଭୁବନକୁ ବାହୁଡ଼ଇ ଅସୁର ଅଗ୍ୟାନ ।୧୦୭।

ଅମର ସମ୍ପଦ ନାଶି ବାହୁଡ଼ଇ ଅସୁର

ପ୍ରବେଶ ହୋଇଲା ଯାଇ ଆପଣାର ପୁର ।୧୦୮।

ଅରୁଣ ପ୍ରକାଶେ ଯେ ଉଦୟେ ଦିନକର

ପୁଣି ସଜ ହୋଇଲା କୁମ୍ଭକ ଅସୁର ।୧୦୯।

କରେଣ ଗଦା ଯେ ମୁଦୁଗର ଘେନି

ଧାମଇ ମହାବୀର କମ୍ପଇ ଭୁବନ ତିନି ।୧୧୦।

ମହାମତ୍ତା ବୀର ସେ ଆସଇ ଖର କରି

ବାସୁକି ଫେରୁରେ ରକତ ଧାର ଗଳି ।୧୧୧।

ଉତକଣ୍ଟିତ ରୋମ ଯେ ଫରହର ନିଶ

କଳାନଳ ନୟନ ଖରତର ନିଶ୍ୱାସ ।୧୧୨।

ସିଂଘନାଦ କରି ଧାମଇ ଅତି ରୋଷେ

ଅଳକା ପୁରେ ଯାଇ ହୋଇଲା ପରବେଶେ ।୧୧୩।

ନବ ସାଗର ଯେ ପକ୍ଷର ସଇନି

ବରୁଣ ପୁରକୁ ଯାଉଛନ୍ତି ଦେବଭଣ୍ଡାରମାନ ଘେନି ।୧୧୪।

ଅମର ଭଗ୍ନ ଦେଖି ସେ ଅଳକାର ପତି

କାଢିଲା ସମ୍ପଦ ସେ ହୋଇଲା ଅନ୍ତର୍ଗତି ।୧୧୫।

କୁମ୍ଭେକ ପ୍ରବେଶ ହୋଇଲା ସେହୁ ପୁରୀ

ରକ୍ଷାପାଳ ଲୋକନ୍ତ ମାଇଲାକ ଧରି ।୧୧୬।

ପୁରେ ପୁରେ ପଶି ସେ ନ ପାଇଲା କିଛି

ବିଚାରଇ ଦାନବ ସେ କାହିଂ ଲୁଚିଅଛି ।୧୧୭।

ପୁରଯାକ ତାଂକର ସେ ପକାଇଲା ଭାଞ୍ଜି

ନ ପାଇଣ ଦାନବ ବାହୁଡ଼ଇ ଅତି ବେଗି ।୧୧୮।

ପୁଣ ପ୍ରବେଶ ହୋଇଲା ଆପଣାର ପୁର

ସମସ୍ତ କଥା କହଇ ମାତାର ଆଗର ।୧୧୯।

ଇନ୍ଦ୍ରକୁ ଜିଣିଲେ ଯେ ହାରିଲା ରତ୍ନାକର

ପବନ ଘୁଞ୍ଚିଲା ଯେ ଲୁଚିଲା କୁବେର ।୧୨୦।

କାଲି ପ୍ରଭାତେ ଯିବି ମୁହିଂ ସଞ୍ଜୀବନୀ

କାଳ ବିକାଳ ଚିତ୍ରଗୁପତ ଯମକୁ ଆସିବଇଂ ଘେନି ।୧୨୧।

ବାନ୍ଧି ପକାଇବି ଯେ ନବରର ମଝି

ଅମର ପଦ ଲିଭାଇବି ପୋଛିବି ଯମରାଜା ପାଞ୍ଜି ।୧୨୨।

ୟେସନେକ ବିଚାରନ୍ତେ ଅରୁଣ ପରକାଶ

ଉଦୟଗିରି ଭେଦି ସ୍ୱାମୀ ବିଜେ କମଳ ବିଳାସ ।୧୨୩।

ବଦୟନ୍ତି ଅଗସ୍ତି ଶୁଣ ମନୁରାୟେ

ଭୀମସେନେ ହକାରି ଆଗ୍ୟାଂ ଦିଲେ ଧର୍ମର ତନୟେ ।୧୨୪।

ବାବୁ ଦିବସା ପିତୃ ଶ୍ରାଦ୍ଧ ରେ ହୋଇବ ପରିଦିନ

ବନସ୍ତରୁ ଗଣ୍ଡା ଗୋଟିୟେ ମାରି ଆଣ ରେ ଭୀମସେନ ।୧୨୫।

ସ୍ୱାମୀକଂର ଆଗ୍ୟାଂ ଯେ ଶିରେଣ ନିବେଶି

ଚଳଇ ମାରୁତି ଗହନ ବନେ ପଶି ।୧୨୬।

ନିର୍ଝର ଝର ଅଟବୀ ଗିରି କନ୍ଦର ଲତା

ଲୋଡ଼ଇ ଗଣ୍ଡାଜୀବ ସେ ପାଣ୍ଡବ ବଳବନ୍ତା ।୧୨୭।

ୟେଥୁ ଅନନ୍ତରେ ଯେ କୁମ୍ଭେକ ଦନୁଜ

ରଜନୀ ପ୍ରଭାତେ ପୁଣ ହୋଇଲା ବେଗେ ସଜ ।୧୨୮।

ବେନି କରେ ଧଇଲା ଗଦା ମୃଦୁଗର

ପ୍ରବେଶ ହୋଇଲା ଯାଇଂ ସଞ୍ଜୀବନୀ ପୁର ।୧୨୯।

ଚିତ୍ରଗୁପତେ କହିଲେ ଯମର ଅଗ୍ରତେ

ତୋହୋର ଉପରେ ବାହିଲା କୁମ୍ଭେକ ଦଇତେ ।୧୩୦।

ବାସବର ଅରିଷ୍ଟି ଯେ ଯାଇଅଛି ଦେଖି

ଯମହିଂ ଘୁଞ୍ଚିଲା ତେଣୁ ସମର ଉପେଖି ।୧୩୧।

ପଞ୍ଚାଉନ ମର୍ଭୁତ ଯେ ନାଶକର ବଳ

ପଳାଇଣ ପଶିଲେ ସେ ସମସ୍ତେ ସିନ୍ଧୁଜଳ ।୧୩୨।

ଥୋକାୟେ ଗୋଡ଼ାଇଣ ସେ ମାଇଲାକ ଧରି

ପଳାବନ୍ତି ସେମାନେ ପ୍ରାଣକୁ ଭୟ କରି ।୧୩୩।

କିଛିହିଂ ନ ପାଇଣ ତହୁଂ କୁମ୍ଭେକ ଅସୁର

ଭାଞ୍ଜିଣ ଜୂର କଲା ସେ ସଞ୍ଜୀବନୀ ପୁର ।୧୩୪।

ମେଢ ମଣ୍ଡୋପ ଜଗତୀ ଅଟ୍ଟାଳୀ ଆଦି କରି

ଆସ୍ତାନ ନବର ସହିତେ ଦିଲାକ ସେ ପୋଡ଼ି ।୧୩୫।

ସତ୍ୟ ତ୍ରେତୟା ବେନି ଯୁଗର ମଧ୍ୟେ

ଦେବତା ମାନନ୍ତ ସେ ସାଧ୍ୟ କଲା ଯୁଦ୍ଧେ ।୧୩୬।

ଋଷି ବିପ୍ର ତପୋଧନେ ଯେ ନ ରହନ୍ତି କେହି

ୟେକା ଦିବସେକ ଭ୍ରମି ପାରଇ ସପ୍ତଦୀପା ମହୀ ।୧୩୭।

ନିରଞ୍ଜନଂକର ବରେ ସେ ଦାନବ ଅକ୍ଷୟେ

ନାରାୟଣଂକ ଚକ୍ରକୁ ନାହିଂ ତାର ଭୟେ ।୧୩୮।

ଆକାଶ ଛାଡ଼ିଣ ଯେ ପଳାଇଲେ ବୃନ୍ଦଅର୍କେ

କ୍ଷୀର ସମୋଦ୍ର ଯେ ପଶିଲେ ଦେବଲୋକେ ।୧୩୯।

ଇନ୍ଦ୍ର ଦେବତା କହିଲେ ଯେ ପିତାମହର ଆଗେ

କୁମ୍ଭକର ଭୟେ ମୁଂ ରହି ନ ପାରଇ ସ୍ୱର୍ଗେ ।୧୪୦।

ଇନ୍ଦ୍ରଂକ ବଚନେ ଯେ ବୋଲନ୍ତି ବେଦପତି

ବହୁତ କଟାଳ ସେ କଲାନି ଆମ୍ଭନ୍ତି ।୧୪୧।

ନିରଞ୍ଜନ ବରେ ସେହୁ ଦ୍ରପିଷ୍ଠ ଅସୁର

ଦେବତାଂକ ଶରେ ସେ ନୋହଇ ଅପହାର ।୧୪୨।

ଦେବତାଂକ କଷ୍ଟ ଦେଖି ଅବନୀ କଲାକ ଗୁହାରି

ବିଷ୍ଣୁନାଥେ ଜନମ ହୋଇଲେ ମାନବ ଦେହ ଧରି ।୧୪୩।

ସୋମବଂଶେ ଜାତ ପାଣ୍ଡବ ପଞ୍ଚୁଭ୍ରାଥେ

ସେ ଜାତ ହୋଇଅଛନ୍ତି ଅସୁର ବଧ ଅର୍ଥେ ।୧୪୪।

ତୁମ୍ଭେ ସମସ୍ତେହେଂ ୟେବେ ହୋଇଥାଅ ଥିର

ପରିଦିନ ତେରଦଣ୍ଡ ମଧେ ମରିବ ଅସୁର ।୧୪୫।

ସ୍ୱର୍ଗେ ଦେବତାନ୍ତ ଯେ ନ ପାଇଣ ଲୋଡ଼ି

କପିଳାସ କନ୍ଦରକୁ ସେ ଦାନବ ଦିଲା ଧାଡ଼ି ।୧୪୬।

ଗଦାବର ବୁଲାଇ ସେ ଧାମଇଂ ଅତି ବଳେ

ଭିତରେ ପଶନ୍ତେ ଓଗାଳିଲେ ଦ୍ୱାରପାଳେ ।୧୪୭।

ଭୀମେକ ମଣିଭଦ୍ର ଚଣ୍ଡ ଯେ ପ୍ରଚଣ୍ଡ

ଜୟନ୍ତକ ଅଜୟନ୍ତକ ମହାକାଳଦଣ୍ଡ ।୧୪୮।

ଟିଣାୟେକ ବିନାୟେକ ହିଡ଼ିମ୍ବେକ ଗଣପତି

ନନ୍ଦୀ ମହାକାଳ କାର୍ତ୍ତିକେଶ୍ୱର ମହାଛତ୍ରୀ ।୧୪୯।

ଚଉଦ କୋଟି ଯେ ଶିବଗଣମାନେ

ଦାନବ ପଶନ୍ତେ ଦେଖି ଧାମନ୍ତି କୋପମନେ ।୧୫୦।

ଗଦା ମୁଦୁଗର ଯେ କୋନ୍ତ ଖଡ଼ଗ ଯାଠି

ପରିଘ ଅସିବର ଗୁରୁଜମାନ ପିଟି ।୧୫୧।

ଛେଲ ଭାଲ ଲାଂକିଆ ଯେ ଶକତି ଶୂଳ ସାବେଳି

ଅମୋହ ପରିଘ ଯେ ଆବର ବଜ୍ର ମୂଷଳୀ ।୧୫୨।

ଅଜଙ୍ଗ ପିନାକୀ ଯେ ଅକ୍ଷୟେ ତ୍ରୋଣ ଧରି

ଧାମନ୍ତି ଶିବଗଣେ ଯେ ମହାନାଦ କରି ।୧୫୩।

ଦେଖିଲେ ଦୁଆର ଆବୋରି ରହିଛି ଦଇତ

ହେମବନ୍ତ ପର୍ବତ ଜାଣି ଦିଶଇ ତାହାର ଗାତ୍ର ।୧୫୪।

ସେ ଶିବଗଣ ମାନେ ଯେ ସମରେ ଅଜୟେ

ଦେବତାନ୍ତ ଜିଣିଲା ସେ ଅସୁର ନିର୍ଭୟେ ।୧୫୫।

ଗଦା ମୁଦୁଗର ଯେ ଶକତି କୋନ୍ତ ଯାଠି

ରେ ରେ କାର ଶବଦେ ସର୍ବେ ଗୋଡ଼ାଇଣ ପିଟି ।୧୫୬।

ଅକାଟ ଅଫୁଟ ଯେ ଅସୁର ଶରୀର ଗୋଟି

ପଡ଼ିଣ ଶହସ୍ରମାନ ଯେ ଆସନ୍ତି ଲେଉଟି ।୧୫୭।

କୋପେଣ ଦାନବ ଯେ ଛାଡ଼ଇ ସିଂଘରଡ଼ି

ଯେସେନେକେ ଆକାଶୁଂ ନିର୍ଘାତ ଝଡ଼ି ।୧୫୮।

ଶହସ୍ର ବିହୁନେ ଯେ ଶିବଗଣମାନେ ଭାଜି

ଗଦାବର ବୁଲାଇ ଦାନବ ପିଟଇ ଗଳଗାଜି ।୧୫୯।

ଅସୁର ଗୋଡ଼ାବନ୍ତେ ଭାଞ୍ଜିଲେ ଶିବଗଣେ

ଗୋଡ଼ାଇ ପହିଜ କଲା ସେ ପାଞ୍ଚ ସାତ ଯୋଜନେ ।୧୬୦।

ମହାଗୋଳ ଶବଦ ଶୁଣିଣ ଦେବ ହର

ଭିତରୁ ବାହାର ହୋଇଲେ ପିନାକୀ ଶୂଳଧର ।୧୬୧।

କୋଟିୟେ ସହସ୍ର ବଳ ଶ୍ରୀକରେ ପିନାକ ନାମେ ଧନୁ

ଅକ୍ଷୟେ ତ୍ରୋଣ ଶର କାନ୍ଧେ ଶୋଭିତ ପଞ୍ଚମନୁ ।୧୬୨।

ହୃଦେଣ ବାସୁକି ଯେ ପନ୍ନଗ କଣ୍ଠେ ହାର

ସୋମ ସୂର୍ଯ୍ୟ ବହନି ଯେ ନୟନ ପ୍ରଖର ।୧୬୩।

ରୁଦ୍ର ଅବତାର ସ୍ୱାମୀ କଣ୍ଠେଣ କାଳକୂଟ

ନାଗମାନେ ଶୋଭିତ ପିଙ୍ଗଳ ପଞ୍ଚୁଜଟ ।୧୬୪।

ଶିବଗଣନ୍ତ ଛାଡ଼ି ସେ ଅସୁର ବେଗେ ଯାଇଂ

ଇଶ୍ୱରଂକ ଛାମୁରେ ପ୍ରବେଶ ଗଦାବର ବୁଲାଇ ।୧୬୫।

ଅସୁର ବୋଇଲା ତୁ ଶୁଣ ଦେବ ହର

ମୋହୋର ଅଜାକୁ ବଧିଲା ତୋ ପୁଅ କାର୍ତ୍ତିକେଶ୍ୱର ।୧୬୬।

ଈଶ୍ୱରେ ବୋଇଲେ ସେ ଉଗ୍ର ବର ପାଇ

ଅଳପେ ନାଶ ଗଲେ ସେ ଦେବେ ଦ୍ୱନ୍ଦୀ ହୋଇ ।୧୬୭।

ଦାନବେ ବୋଇଲା ତୁ ସବୁକୁହିଂ ଦେଉ ବର

ମୋତେ ବର ନ ଦେଉ ତୁ କେଉଣ ବିଚାର ।୧୬୮।

ଅସୁର ବଚନ ଶୁଣି ହସିଲେ ବିଶ୍ୱନାଥ

ଅଭଗତେ ବର କି ସେ ହୁଅଇ ପରାପତ ।୧୬୯।

ଦାନବ ବୋଇଲା ତୁ ନ ଦିଲେ ଭଲେ ବର

ତୋତେ ମାରି ଘେନିଯିବି ୟେ କପିଳାସ କନ୍ଦର ।୧୭୦।

ୟେତେ ବୋଲି ସେ ଦାନବ ବୀର ବେଗେ ଧାଇଂ

ସଦାଶିବ ଛାମୁରେ ଯେ ଗଦାବର ବୁଲାଇ ।୧୭୧।

ଅନ୍ଧକ ତ୍ରିପୁର ଯେହୁ ବଧ କଲା ୟେକା

ଦାନବ ମୁର୍ତ୍ତି ଦେଖି ମନେ କଲା ଶଂକା ।୧୭୨।

ଅନେକ ଶହସ୍ର ସ୍ୱାମୀ ପେଷିଲେ ଦେବ ହର

ଅସୁର ଦେହେ ତା ପଡ଼ି ହୋଇଗଲା ଚୂର ।୧୭୩।

ରେ ରେ କାର ଶବଦେ ଅସୁର ବୀର ଉଠି

ଇଶ୍ୱରଂକ ଉପରେ ନେଇଣ ଗଦାବର ପିଟି ।୧୭୪।

ଗଦା ପଡ଼ନ୍ତେ ଦେବ ପାତିଲେ ଶୂଳଦଣ୍ଡ

ପଡ଼ିଣ ବଜ୍ରଶୂଳ ହୋଇଲା ବେନିଖଣ୍ଡ ।୧୭୫।

ଦେବ ଦାନବେ ସେ ସମରେ ଅଜୟେ

ଦାନବର ଗଦାକୁ ଦେବ କଲେ ମହାଭୟେ ।୧୭୬।

ସମରେ ଘୁଞ୍ଚି ସେ ଆଡ଼େ ହୋଇଗଲେ ଦେବସ୍ୱାମୀ

କୁମ୍ଭେକ ବିଚାରଇ ସେ କପିଳାସ ପୁର ନେମି ।୧୭୭।

ୟେତେକ ବିଚାରି ସେ କଳ୍ପାଅସୁର ଶିଶି

କପିଳାସ କନ୍ଦରକୁ ସେ ଧଇଲା ଆକ୍ରେଷି ।୧୭୮।

ମାଥେ ବସାଇଣ ଆସଇ ଲେଉଟି

ଗୋଡ଼ାଇ ଈଶ୍ୱରେ ଶୂଳ ପଛେଣ ନେଇ ପିଟି ।୧୭୯।

ପାଞ୍ଚବେଳ ପରିଯନ୍ତେ ପିଟିଲେ ଦେବ ହର

ନ ଜାଣି ଦାନବ ଯେ ପଳାଇ ଖରତର ।୧୮୦।

ଥୋକାୟେକ ଦୂରଯାଇଂ ଚାହିଂଲା ଲେଉଟି

ଦେଖଇ ଈଶ୍ୱର ଯେ ପଛକତି ପିଟି ।୧୮୧।

ମଥାରୁ ପର୍ବତ ଯେ ଧଇଲାବାମ କରେ

ଡାହାଣ କରେ ଗଦା ଧରି ଲେଉଟିଲା କୋପଭରେ ।୧୮୨।

ଅସୁର ଲେଉଟନ୍ତେ ପଳାଇଲେ ଦେବ ଧାତି

ଗୋଡ଼ାଇବା ଦାନବ ସେ ମହାକୋପ ମୂର୍ତ୍ତି ।୧୮୩।

ରେ ରେ କାର ଶବଦେ ଧାମଇଂ ଦଇତ ରାଗେ

ନ ରହନ୍ତି ଈଶ୍ୱରେ ପଳାବନ୍ତି ଅତି ବେଗେ ।୧୮୪।

ୟେମନ୍ତର ସମୟେ ଯେ ପବନ ନନ୍ଦନ

ମୃଗୟା ବିନୋଦେ ସେ ଭ୍ରମଇ ଘୋର ବନ ।୧୮୫।

ବନସ୍ତର ଭିତରେ କରଞ୍ଜକ ନାମେ ଗିରି

ସେ ପର୍ବତ ଉପରକୁ ଉଠଇ ମାରୁତି ମହାବଳୀ ।୧୮୬।

କୁରଞ୍ଜା ନାମେଣ ଯେ ବହଇ ନଦୀଗୋଟି

ଈଶାନ୍ୟ ଭାରାରେ ସେ ସାହେରେ ଯାଇଂ ଫୁଟି ।୧୮୭।

କୁଞ୍ଜ ବନସ୍ତକୁ ସେ ପର୍ବତ ଇଶାନ୍ୟ କୋଣେ

ତହିଂକି ହର ଉଦ୍ୟାନ ବନ ବିଶାଶତେ ଯୋଜନେ ।୧୮୮।

ସେ ପର୍ବତ ଉପରେ ଭୀମସେନ ଉଠଇ ବେଗି

ମୃଗ ଶଅମ୍ବର ଯେ ବରେହା ଗଣ୍ଡାଜୀବ ଜଗି ।୧୮୯।

ଭାଳଇ ମାରୁତି ଯେ ମୁଂ କରିବଇଂ ଆଜ କିସ

କିଛିହିଂ ନ ଭେଟି ମନରେ ବିରସ ।୧୯୦।

ୟେମନ୍ତ ସମୟେ ଦେବ ଦେବ ଯେ ଧୂର୍ଜଟି

ବିଶାଶତ ଯୋଜନ ସେ ପଳାଇଲେନି ଫୁଟି ।୧୯୧।

କଟାଳି ଗୋଡ଼ାଇଣ ଅଛି ଦାନବ ବୀର ଯୋଧୀ

ଯେସନେକ ବନରେ ଖେଦଇ ପରିଧି ।୧୯୨।

ଆରତ ହୋଇଣ ସେ ଦେବ ପଞ୍ଚମୁଖ

ଆହୋ ପାବନି ତୁ ଶରଣ ମୋତେ ରଖ ।୧୯୩।

ଈଶ୍ୱରଂକ ତହୁଂ ଯେ କଷ୍ଠୋର ବଚନ ଶୁଣି

ପର୍ବତୁ ଡେଇଂ ପଡିଲେ ଯେ କାଳଦଣ୍ଡ ପାଣି ।୧୯୪।

ଭୀମସେନ ବୋଇଲା ହୋ ରହ ରହ ଦାନବ

ତୋହୋରେ ଈଶ୍ୱରେ କିମ୍ପା ୟେଡ଼େକ ଅଭାବ ।୧୯୫।

ଭାମସେନ ବଚନ ଯେ ଶୁଭିଲା ଦାନବ କର୍ଣ୍ଣକୁ

କିଞ୍ଚିତ ପ୍ରାୟେକ ମଣିଲା ସେ ଭୀମସେନକୁ ।୧୯୬।

ଡାହାଣ କରେ ଗଦା ପର୍ବତେ ବାମହାଥେ

ଯେସନେକ କ୍ଷୁଦ୍ର ଟେଳା ଧରନ୍ତି ବାଳୁତେ ।୧୯୭।

ପର୍ବତ ଉପରକୁ ସେ ଉଠନ୍ତେ ଅତି ବେଗେ

ଧାଇଂଣ ମାରୁତି ଯେ ଓଗାଳିଲା ଆଗେ ।୧୯୮।

ଭୀମସେନ ମୂର୍ତ୍ତି ଦେଖି ସେ ଅସୁର ବେଗେ ରହି

ଖଗେଶ୍ୱର ଦ୍ରଶନେ ଯେହ୍ନେ ଘୁଞ୍ଚିଯାନ୍ତି ଅହି ।୧୯୯।

ଅସୁର ବୋଇଲା ରେ ମାନବ ମାତ୍ର ହୋଇ

ୟେଡେ ବଡ଼ ଦର୍ପ ବହୁଅଛୁ କିସ ପାଇଂ ।୨୦୦।

ବ୍ରହ୍ମା ରୁଦ୍ର ଚନ୍ଦ୍ର ଇନ୍ଦ୍ର ଯାହାକୁ ସାଂଗ୍ରାମେ ନୁହଂନ୍ତି ଟି ସରି

ତୁ ମାନବ ମାତ୍ରକ ରେ ରଖୁ ମାହାର ବଇରି ।୨୦୧।

ଭୀମସେନ ବୋଇଲା ଅଗ୍ୟାନ ମନ୍ଦ ବାଇ

ଶରଣ ବୋଇଲେ ରେ ଉପେଖି ତ ନୁଆରଇ ।୨୦୨।

ଭୀମସେନ ବଚନେ ଯେ ହସିଲା ଅସୁର

ଆଜର ଦିବସ ଯେ ସୁଫଳ ମୋହୋର ।୨୦୩।

ଯତନେ ଯାହା ଲୋଡ଼ଇ ସେ ଆପଣେ ପରାପତ

ନରବଳି ଭୋଜନ ମୋତେ ଦିଲାକ ବିଧାତ ।୨୦୪।

ୟେତେ ବୋଲି ଦାନବ ଗର୍ଜଇ କୋପଚିତ୍ତେ

ମୁଣୋହିକି ପୋଡ଼ାବଳି କରିବଇଂ ଆଜ ତୋତେ ।୨୦୫।

ଭୀମସେନ କୋପିଲା ଯେ ଅସୁର ମୂର୍ତ୍ତି ଦେଖି

କାଳଚକ୍ର ପ୍ରାୟେକ ଭ୍ରମେକ ବେନି ଆଖି ।୨୦୬।

ଯଦ୍ୟପି ସ୍ୱର୍ଗ ମଞ୍ଚ ପାତାଳ ତୁ ଜିଣିଲୁ ଅସୁର

ଆଜ ତୋର ପାଞ୍ଜି ରେ ପୋଛିଲା ନାଶକର ।୨୦୭।

କପିଳାସ କନ୍ଦର ରଖିବି ଆଜ ତୋତେ ମାରି

ଆକାଶର କଷ୍ଟ ରେ ଆଜହୁଂ ଗଲା ପାରି ।୨୦୮।

ଭୀମସେନ ବଚନ ଶୁଣି ଅସୁର କୋପଚିତ୍ତ

କପିଳାସ କନ୍ଦର ଥୋଇଲା ଭୂମିଗତ ।୨୦୯।

ଗଦାବର ବୁଲାଇ ସେ କୋପେ ଗଳଗାଜି

ଶବଦେ ଗିରି କନ୍ଦର ପଡ଼ିଲା କି ଭାଜି ।୨୧୦।

ଭୀମସେନ ଗଦାବର ଧଇଲା ବେନି ହାଥେ

ଯେସନେକ ଆକାଶେ ଉଦୟ ଧୂମକେତେ ।୨୧୧।

ଆରେ ଆରେ ମାନବା ବୋଲି ଦାନବ ବୀର ଉଠି

ଭୀମସେନ ଉପରେ ଗଦାବର ନେଇ ପିଟି ।୨୧୨।

ଲୋହାର ବେନି ଗଦା ଶତେ ଶତେ ଭାର ଗରୁ

ଦିଗପାଳେ କମ୍ପିଲେ ସେ ଗଦା ପ୍ରହାର କରୁ କରୁ ।୨୧୩।

ଶତଶୃଙ୍ଗ ପ୍ରସନ୍ନେ ଯାହାର ବଜ୍ର ବାମଅଙ୍ଗ

ପଡ଼ିଣ ଗଦାବର ଯେ ହୋଇଲାକ ଭଙ୍ଗ ।୨୧୪।

ପୁଣ ଆରେକ ଗଦା ଯେ ବୁଲାଇ ଅସୁର

ୟେଘାନ୍ତି ପ୍ରତଗ୍ୟାଂ ରେ ଜାଣିମା ତୋହୋର ।୨୧୫।

ସମୁଦ୍ର ମନ୍ଥନ କାଳେ ଯେମନ୍ତ ଶବଦାଇ

ସେହିମତି ପ୍ରାୟେ ଗଦାଘାତେ ଗରଜଇ ।୨୧୬।

ସମ୍ଭାଳ ସମ୍ଭାଳ ବୋଲି ଅସୁର ବୀର ଗଦା ପିଟି

ଗଦାବର ପିଟନ୍ତେ ତାହା ଭୀମସେନ ମେଣ୍ଟି ।୨୧୭।

ବେନି ଗଦା ପଡ଼ିତାଳେ ଉଠିଲା ବହନି

ସତର ଲକ୍ଷ ଯୋଜନେ ଥାଇ ତାହା ଜାଣିଲେ ପଦ୍ମଯୋନି ।୨୧୮।

ଭୀମସେନ ଗଦାବର ଅତି କୋପେ ବୁଲାୟେ

କନ୍ଦରେ କମ୍ପିଲେ ସେ ଭୀମସେନ ଗଦାବର ବାତଘାୟେ ।୨୧୯।

କୋପେଣ ମାରୁତି ଯେ କମ୍ପଇ ପରଚଣ୍ଡ

ରଡ଼ିଘାୟେ କମ୍ପିଲାକ ସପତ ବ୍ରହ୍ମାଣ୍ଡ ।୨୨୦।

ପ୍ରଳୟ ନିକଟେ ଯେହ୍ନେ ଗର୍ଜନ୍ତି ମେଘମାଳ

ସେହିମତି ଶୁଭଇ ଯେ ଗଦାବର ପଡ଼ିତାଳ ।୨୨୧।

ଭୀମସେନ ଗଦା ଯେ ଅସୁର ଅଙ୍ଗେ ପତି

ସହସ୍ରେ ଖଣ୍ଡେ ହୋଇ ଯେ ଭାଜି ହୋଇଲାକ ଚୂରି ।୨୨୨।

ପୁଣି ଆରେକ ଗଦା ପିଟିଲା ବ୍ରିକୋଦର

ଧୂଳି ହୋଇଣ ଗଦା ପଡ଼ିଲା ଭୂମିର |୨୨୩|

ଅସୁର ଗଦାୟେକ ଘେନି ପିଟିଲା ଭୀମକୁ

ଦେଖିଣ ବିକ୍ରୋଦର ପାତିଲା ବାମ ବୁକୁ |୨୨୪|

ହୃଦଗତେ ପଡ଼ିଣ ସେ ଯେ ଦତ୍ୟର ଗଦାବର

ସହସ୍ରେ ଖଣ୍ଡ ହୋଇଣ ସେ ଗଦା ଗଲା ଚୂର |୨୨୫|

ଗଦାବର ବିଭଙ୍ଗ ଦେଖି ଅସୁର ବୀର ରାଗେ

ପର୍ବତେ ଉପାଡ଼ି ସେ ଧାଇଂଲା ଅତି ବେଗେ |୨୨୬|

ଅନ୍ତରୀକ୍ଷ ମାର୍ଗେଣ ସେ ଯେ ବୁଲାଇ ପର୍ବତ

ଭୀମସେନ ଉପରେ ସେ ନେଇଣ ପିଟିଲା ଦଇତ |୨୨୭|

ବାମ ଅଙ୍ଗର ମଧ୍ୟେ ପଡ଼ିଲା ଗିରିବର

ଧୂଳି ହୋଇ ଉଡ଼ିଲା ସେ ଗଗନ ଅନ୍ଧକାର |୨୨୮|

ଆକାଶେ ଶୁଭିଲା ସାଧୁ ସାଧୁ ରେ ପାବେନି

ଅସୁର ବଧ କରି ଉଦ୍ଧର ମେଦିନୀ |୨୨୯|

କିମ୍ଭୀରୀ କିନ୍ନରୀ ବକ ହିଡ଼ିମ୍ବକ ଚାରି

ୟେହାନ୍ତେ ବଧ କରି ରଖିଲୁ ବସୁନ୍ଧରୀ |୨୩୦ |

ୟେବେ କୁମ୍ବକକୁ କର ହୋ ବିନାଶ

ୟେତେକ କଲେ ବାବୁ ସୁସ୍ଥ ହୋଇବ ଆକାଶ |୨୩୧ |

ଆକାଶର ଧୁନି ଯେ ଶୁଣିଣ ବିକ୍ରୋଦର

ବଜ୍ରମୁଥେ ମାଇଲା ନେଇ ଦାନବ ମୁଣ୍ଡର |୨୩୨|

ଦଇତର ମୁଣ୍ଡରେ ଯେ ପଡ଼ିଲା ବଜ୍ର ମୁଷ୍ଠି

ମହାର୍ଣ୍ଣବ ପ୍ରାୟେ ହୋଇ ବହନି ଜଳି ଉଠି |୨୩୩|

ଦେବେ ଦାନବ ସେ ସମରେ ଅଜୟେ

ବ୍ରିକୋଦର ମୁରତି ଦେଖି ଅସୁର କଲା ଭୟେ |୨୩୪|

ଶହସ୍ର ବିହୁନେ ଦୁହେଂ ମାଲଗତି ଘେନି

ଧରାଧରି ଗଡ଼ାଗଡ଼ି ପଡ଼ାପଡ଼ି ହୁଅନ୍ତି ମେଦିନୀ |୨୩୫|

ହାମ୍ବୋଡ଼ାଇ ଦାନବ ଯେ ପକାଇଲା ଭୀମକୁ

ଲେଉଟାଇ ଭୀମସେନ ପାତିଲା ଦାନବକୁ |୨୩୬|

ଭୁଜେଭୁଜେ ଭିଡ଼ାଭିଡ଼ି ପାଦେ ପାଦ ଛନ୍ଦାଛନ୍ଦି

ଶିରେ ଶିର ପତିତାଳ ହୃଦେ ହୃଦ ବାନ୍ଧି |୨୩୭|

ପଡ଼ନ୍ତି ଉଠନ୍ତି ଗଡ଼ନ୍ତି ବସୁମତୀ

ଚକ୍ଷୁର ମଟକେ ସେ ଲେଉଟନ୍ତି ଧାଡ଼ି |୨୩୮|

ବେନି ବୀରେ ସମରେ ଯେ ଅଟନ୍ତି ମହାବଳୀ

ଶାଳବୃକ୍ଷମାନେ ସବୁ ହେଉଛନ୍ତି ଧୂଳି |୨୩୯|

ଦିଗପାଳମାନେ କମ୍ପିଲେ ଯେ ଶୁଣି ଦୁହିଂକ ମୁଖରତି

କୁରୁମ ଚମକିଲା ଲସିଲା ବସୁନ୍ଧରୀ |୨୪୦|

ଭୀମକଇଂ ମାଡ଼ି ଯେ ଅସୁରକୁଳ ରାୟେ

ହୃଦଗତେ ମାଡ଼ି ବସିଲାକ ବ୍ୟାଘ୍ରର ପରାୟେ |୨୪୧|

କୋତେ ପ୍ରତିଗ୍ୟାଂ କରଇ ସୁମର ମହାବୀର

ଆରେ ଆରେ ମାନବ ତୁ ଯିବୁ ନିଚେ ଯମପୁରେ |୨୪୨|

ଇଶ୍ୱର ଦେବତା ଭୟେ ପଳାଇଲେ ଡରି

ତୁ ମାନବା ହୋଇରେ ମୋତେ ନିରୋଧ କରି |୨୪୩|

ସାଧୁ ସାଧୁ ମହିମା ତୋର ଗର୍ଭଧାରୀ ଜନନୀ

ତୋତେ ଯେ ଜାତ କଲା ପିତା ତୋର ଧନୀ |୨୪୪|

ବୀରପଣେ ସରେ ତୋତେ ନାହିଂରେ ରବି ତଳେ

ମୋହୋର ତୁଲେ ପଡ଼ିତାଳ ତୁ ଦେଲୁ ୟେତେବେଳେ |୨୪୫|

ତୋତେ ପ୍ରାଣେ ମାରି ନେମଇଂ ଇଶ୍ୱରନ୍ତ ଆଜ ଧରି

ମାୟେଂସ ଭକ୍ଷିବି ତୋହୋର ପୋଡ଼ାବଳି କରି |୨୪୬|

ସୁମର ରେ ମାନବା ତୋହୋର ପିତା ମାତା

ସୁମରରେ ମାନବା ତୋହୋର ଇଷ୍ଟ ଯେ ଦେବତା |୨୪୭|

ଅସୁର ପ୍ରତଗ୍ୟାଂ ଯେ ଉଗ୍ର ବଚନ ଶୁଣି

ଭୟେଣ ଅନ୍ତର ଯେ ହୋଇଲେ ଶୂଳପାଣି |୨୪୮|

ସମରେଣ ହାରି ସେ ପାଣ୍ଡବ ପଞ୍ଚାଣ

ଶତଶିଙ୍ଗ ପର୍ବତକୁ କଲେ ସୁମରଣ |୨୪୯|

ୟେକ ଉତ୍ତର ଶତସିଂଘର ଯେ ହୋଇଲା ପରାକ୍ରମ

ବ୍ରିକୋଦର ମୂରତି ସେ ଧଇଲା ବୀର ଭୀମ |୨୫୦|

ହୁଂକାର ଶବଦ ସେ କରିଣ ମହାବଳେ

ଲେଉଟାଇ ଦାନବକୁ ପାଡ଼ିଲା ଭୂମିତଳେ |୨୫୧|

ମନ୍ଦରକୁ ମାଡ଼ି ଯେହ୍ନେ ବସଇ ହିମବନ୍ତ

ସେହିମତି ଦିଶଇ ଯେ ଦୁହିଂକରି ଗାତ୍ର |୨୫୨|

ତଳେଣ ଅସୁର ଯେ ଉପରେଣ ବୀର ଭୀମ

ଜନ୍ତୁ ବିନାଶନେ ଯେହ୍ନେ ଦିଶଇ ଦୁତୀ ଯମ |୨୫୩|

ଭୀମସେନ ବୋଇଲା ରେ ୟେତେ ମାନ ଭରସୁ

ଜଳନ୍ତା ଅନଳେ ଦେଖୁ ଦେଖୁ ତୁହି ଝାସୁ |୨୫୪|

କୁମ୍ଭାରୀ କିନ୍ନରୀ ଯେ ବକ ହିଡ଼ିମ୍ବକ

ୟେହାନ୍ତ ବଧ କଲି ତୁ ଉବୁରିଅଛୁଂ ୟେକ |୨୫୫|

ଆଜ ସେ ତୋହୋର ପାଞ୍ଜି ପୋଛିଲା ଜନ୍ତୁ ଅଇରି

ହୋଇଲୁ ନିରେଖ ଆଜ ତୋତେ କେହୁ ରକ୍ଷା କରି ପାରି |୨୫୬|

କୋପେଣ ମାରୁତି ଯେ ମାଇଲା ବଜ୍ରମୁଥେ

ନାସିକା ଫାଟି ଶ୍ରୋଣିତ ବହେ ଅପ୍ରମିତେ |୨୫୭|

ଯେସନେକ ମେରୁ ଫୁଟି ଗଙ୍ଗା ଯମୁନା ସରସ୍ୱତୀ ତିନି ଧାର

ସେହିମତି ହୋଇଣ ଯେ ଭୀମସେନର ଅଙ୍ଗ |୨୫୮|

ବିଶେଷେ ବ୍ରିକୋଦର ସେ ଆବର ମହାବଳ

କାଳଚକ୍ର ପରାୟେ ଭ୍ରମଇ ବେନି ଡୋଳ |୨୬୦|

ଯେସନେକ ଉପରେ ମାଡ଼ି ବସଇ ମେରୁ

ଚାଳି ନୁଆରିଲା ସେ ପାଇଲା ମହାଗରୁ |୨୬୧|

ତୋଟି ମାଡ଼ି ବସିଲା ସେ ତାହାର ବାମ କରଗତେ

ଡାହାଣ ଭୁଜେ ବୀର ଯେ ମାଇଲା ବଜ୍ରମୁଥେ |୨୬୨|

ପୁଣ ପୁଣ ବୀର ମାରଇ କରସ୍ଥଳ ତେଳି

ଭାଙ୍ଗିଣ ମୁଣ୍ଡ ତାହାର କଲାକ ସେ ଧୂଳି |୨୬୩|

ପିଣ୍ଡରୁ ପ୍ରାଣ ତାର ହାଦେ ଗଲାକ ଛାଡ଼ି

ପଡ଼ିଲା ଦାନବ ଯେ ପଞ୍ଚୁକୋଶ ମାଡ଼ି |୨୬୪|

ଅସୁର ବଧ କରି ଉଭା ବୀର ବ୍ରିକୋଦର

ଦେଖଇ ସାନ୍ନିଧେ ଯେ ନାହାନ୍ତି ଦେବହର |୨୬୫|

ମେଷମାସ ଶୁକଳ ପକ୍ଷ ପଞ୍ଚମୀ ଗୁରୁବାର

ଅସୁରକୁ ବଧ କଲା ବେଳ ଦଣ୍ଡ ତେର |୨୬୬|

ଆକାଶୁଂ ଶୁଭିଲା ଯେ ସାଧୁ ସାଧୁ ବାଣୀ

ଭୀମସେନ ମଥାରେ ପୁଷ୍ପବୃଷ୍ଟି କଲେ ଦେବ ଚକ୍ରପାଣି |୨୬୭|

ସାଧୁ ସାଧୁ ପାବନି ତୁ କାଳେବର ଷଣ୍ଢା

ଅସୁର ବଳ ନିଶୋଧନ ତେଣୁ ତୁ ବୀରବର ପ୍ରଚଣ୍ଡା |୨୬୮|

ଅସୁର ବଧ ଦେଖି ଅଇଲେ ସଦାଶିବ

ଭୀମସେନର ସାନ୍ନିଧେ ବିଜୟେ ମହାଦେବ |୨୬୯|

ଇଶ୍ୱରେ ବୋଇଲେ ତୁ ହୋ ଶୁଣ ବ୍ରିକୋଦର

ଯେସନେକ ବାଞ୍ଛା ତୋର ମାଗି ଘେନବର |୨୭୦|

ଭାମସେନ ବୋଇଲା ଯେବେ ଅନଗୃହ ମୋତେ କଲ ହାଦେ

ମୋହୋର କାର୍ଯ୍ୟବେଳେ ମାଗିଲେ ଦେବ ସିଂଘନାଦେ ।୨୭୧।

ଈଶ୍ୱର ବୋଇଲେ ମୋହୋର ବୋଲ ଶୁଣ

ତୋହୋର କାର୍ଯ୍ୟକାଳେ ମୋତେ କରିବୁ ସୁମରଣ ।୨୭୨।

ୟେତେ କହି କପିଳାସ ଗଲେ ଦେବ ହର

ନିଜ ସ୍ଥାନେ ବସାଇଲେ ନେଇ କପିଳାସ କନ୍ଦର ।୨୭୩।

ତହୁଂଣ ଭୀମସେନ ଗଣ୍ଡାଜୀବ ଲୋଡ଼ିଲା

ଭିଖି ବନରେ ଗଣ୍ଡା ଦୁଇଗୋଟି ମାଇଲା ।୨୭୪।

ଗଣ୍ଡାଭାର ଘେନି ଲେଉଟଇ ପାବନି

ପ୍ରବେଶ ମାରୁତି ବେଳ ପ୍ରହର ଯେ ତିନି ।୨୭୫।

ଜୟ ତୁ ତ୍ରିଲୋଚନ ଉମାଦେବୀର ପତି

କଣ୍ଠେ କାଳକୂଟ ଶିରେଣ ଗଙ୍ଗା ଥିତି ।୨୭୬।

ଅର୍ଦ୍ଧାଙ୍ଗେ ଶଇଳୀ ନାଭିରେ ବାରାହୀ

ଦିଗାଙ୍ଗ ବସନ ନାଥ ଅଙ୍ଗେ ଶୋହେ ଅହି ।୨୭୭।

ଡିବି ଡିବି ଡମ୍ୱରୁ ଯେ ବାଦ୍ୟ ଘନ ଡାକି

ଶ୍ରୀଭୂଜେ ଶୋଭାବନ ତ୍ରିଶୂଳ ପିନାକୀ ।୨୭୮।

ଶାର୍ଦ୍ଦୂଳ ଚର୍ମ ପରିହରଣ ହୃଦେ ଅସ୍ଥିମାଳଆ

ସୋମ ସୂର୍ଯ୍ୟ ବହନି ବିରାଜିତ ତିନି ଡୋଳା ।୨୭୯।

କନ୍ଦର୍ପ ଦହନ ଗଲା ଯାହା କୋପଦୃଷ୍ଟି

ଦକ୍ଷଯାଗ ବିନାଶନ ଦେବ ଅଭୟ ଧୂର୍ଜଟି ।୨୮୦।

ସଂସାରେ ରକ୍ଷଣେ ଯେ କଣ୍ଠେ କାଳକୂଟ

ଭାବଗ୍ରାହୀ ନାଥ ତେଣୁ ନାମ ନୀଳକଣ୍ଠ ।୨୮୧।

ଅନ୍ଧକ ତ୍ରିପୁରା ସମରେ ଶିର ଛେଦି

କାଞ୍ଚି କଳାଞ୍ଚି ଯେ ବେନି ଅସୁରନ୍ତ ବଧି ।୨୮୨।

ବେଦ ବିଦ୍ୟା ବାଦେ ଯେ ପିତାର ମୁଣ୍ଡ ମୋଡି

ମହାଯୋଗ ସାଧଇ ସେ ହତ୍ୟାକୁ ପାର କରି ।୨୮୩।

ଅନଙ୍ଗ ସୁନ୍ଦର ନାଥ ପନ୍ନଗ ହୃଦେ ହାର

ମହା ପିଙ୍ଗଳ ବଇରାଗୀ ବହନି ଜାଣି ଖର ।୨୮୪।

ଜ୍ୱଳିତ ବହନ ଯେ ଗଳିତ ଅମିୟ ରସ

କିଞ୍ଚିତ ସଦୟ ନାଥ ଲଭିଲି କପିଳାସ ।୨୮୫।

ସେବକ ଜନନ୍ତ ନାଥ ଧନ ରତ୍ନ ସୁଖାସନ

ପରକଇଂ ସମ୍ପଦ ଦେଇ ଆପଣେ ଦେବ ଶୂନ୍ୟ ।୨୮୬।

ପର ଦୁଖେ କାତର ନାଥ ଦ୍ରଶନେ ପାପ ହରି

ଅନ୍ଧ କୁଷ୍ଠ ଦରିଦ୍ର ଦ୍ରଶନେ ଯାହାରେ ହୋଇ ପାରି ।୨୮୭।

କିଞ୍ଚିତ ଭଗତେ ନାଥବହୁତ ବର ଦାତା

ଭାବକୁ ଭାବନା ନାଥ ସଂସାର ଭାବ ଚିନ୍ତା ।୨୮୮।

କଳିକାଳ ସଂସାରେ ନାଥ ପଡ଼ି ହୋଇଲି ମୁଂ ଭାସି

ୟେଥୁ ତରିବାକୁ ମୋତେ ମୁକତିଗତି ଦେସି ।୨୮୯।

କପିଳାସ କନ୍ଦର ସିଂଘଦ୍ୱାରେ ମୁଂ ଦ୍ୱାରପାଳ

ଗିରିଜାର ଶାପେ ମୁଂ ଜନମିଲି ମହୀଥଳ ।୨୯୦।

ଶ୍ରୀ ରୁଦ୍ର ଦେବତା ଯେ ଯୋଗଧ୍ୟାନେ ସନ୍ତତେ

ଶୂଦ୍ରମୁନି ସାରେଳା ଦାସ ବିନୟ ଭଗତେ ।୨୯୧।

ଜମ୍ୱୁଦ୍ୱୀପ ଭ୍ରଥଖଣ୍ଡ ଓଡ଼ରାଷ୍ଟ୍ର ମଣ୍ଡଳେ

ଚିତ୍ର ଉତ୍ପଳା ନଦୀ ଈଶାନୀ ଭାଗ କୂଳେ ।୨୯୨।

ଜଙ୍ଖେରପୁର ବୋଲିଣ ସେ ଗ୍ରାମର ନାମ

କନକାବତୀ ପାଟଣା ଯାହା ସ୍ରିଜିଲେ ପ୍ରଶୁରାମ ।୨୯୩।

ତହିଂର ସନିଧ୍ୟେ ଯେ ସାରୋଳା ବୋଲି ଗ୍ରାମ

ବିଜୟେ ମାହେଶ୍ୱରୀ ସାରୋଳା ଚଣ୍ଡୀ ନାମ ।୨୯୪।

ଜମଦଗ୍ନି ସୁତ ପ୍ରଶୁରାମ ଯାହାନ୍ତ ପୂଜି

ରୁଧିର ଦ୍ରଶନେ ଯେ ସର୍ବଦା ମନ ରଞ୍ଜି।୨୯୫।

ଗୋପପୁରେ ନନ୍ଦ ଘରେ ଅବତାର କହ୍ନାଇ

ପିତାମହ ଶାପେ ତହିଂ ବିଜୟେ ମହାମାୟୀ ।୨୯୬।

ବତ୍ସା ଚରାନ୍ତେଣ ଗୋପ କୁମାରଂକ ସଙ୍ଗେ ହରି

ଜାଣି କେଶବ ତାଂକୁ ୟେକାନ୍ତେ ତିଆରି ।୨୯୭।

କର୍ମ ଭୋଗ ବୁଝିଲୁ ଗୋ ଚଳ ୟେଥୁ ମାୟେ

କନକାବତୀ ପାଟଣାରେ ବିଜେ କର ଗୋ ସମୟେ ।୨୯୮।

ଶ୍ରୀକୃଷ୍ଣର ବଚନେ ଯେ ବିଜୟେ ଝଂକଡେ

ଚନ୍ଦ୍ରଭାଗା ଅର୍କ ତୀର୍ଥ ଈଶାନ କୋଣ ଆଡ଼େ ।୨୯୯।

କୃପାଜଳ ନନ୍ଦିନୀ ଗୋ ନର୍ମଦା ସରସ୍ୱତୀ

କଳିକାଳ ଧ୍ୱଂସନେ ମା ଗୋ ସିଦ୍ଧ ସାରୋଳା ଚଣ୍ଡୀ ମୂର୍ତ୍ତି ।୩୦୦।

ସେ ମୋତେ ପ୍ରସନ୍ନେ ଯେ କହିଲେ ସିଦ୍ଧଗ୍ରନ୍ଥେ

ମୁହିଂ ତାହା ବଞ୍ଚାଇଲି ସଂସାର ଜନ ହିତେ ।୩୦୧।

ଆହେ ବୃଦ୍ଧି ଜନମାନେ ମୋର ନ ଘେନିମା ଦୋଷ

ଜନ୍ମେ ଜନ୍ମେ ମୂର୍ଖ ମୁହିଂ ବୁଦ୍ଧି ମୋର କିସ ।୩୦୨।

ଶ୍ରୀ ମହାଭାରଥ ସୁମରି ବଳାଇଲି ସାହସ

ଶ୍ରୀଚଣ୍ଡୀ ପ୍ରସନ୍ନେ ମୋର ନାମ ସାରୋଳା ଦାସ ।୩୦୩।୯୫୯୦।

 

Unknown

ଧର୍ମ ଯଜ୍ଞର ପ୍ରସ୍ତାବ

ୟେଥୁ ଅନନ୍ତରେ ଯେ ବିଲଂକ ଦେଶ ରାଜା

ଷଡ଼ ଅର୍ଘ୍ୟ ଦେଇ ପୂଜା କଲେ ଘଟଋଷି ତନୁଜା ।୧।

ମୁନିଂକ ଚରଣେ ଯେ ନମସ୍କାର କରି

ପାୟେ ପଡ଼ି ଶୋଇଲା କରପତ୍ର ଯୋଡ଼ି ।୨।

ଦୟା କରି କହୁଛ ମୋତେ ଶ୍ରୀବିଷ୍ଣୁ ପୁରାଣ

ତେଣୁ କରି କୃତାର୍ଥ ହୋଇଲା ମୋହୋର ପଞ୍ଚୁ ପ୍ରାଣ ।୩।

ଅସଂଖ୍ୟ ଅସମ୍ଭବ ଶ୍ରୀମହାଭାରଥ ଚରିତ

ପଚାରିବାକୁ ସଖ୍ୟ ମୋହୋର କାହିଂ ତପୋବନ୍ତ ।୪।

ନ ପଚାରିଲେ ତ କୃତାର୍ଥ ନୋହିବ ମନୋର ଦେହୀ

ତେଣୁ କରି ପ୍ରାର୍ଥନା ଯେ କରୁଛି ଗୋସାଇଂ ।୫।

ଥୋକେ ତ କହିଲ ମୋତେ ଅପୂର୍ବ କଥାମାନ

ନକୁଳ କୋନ୍ତମୁନେ ପୃଥୀ ଧଇଲେ କେସନ ।୬।

ୟେହା ମୋତେ ସଞ୍ଚପି କହିବା ମୁନିବର

ତେବେ ସେ ମନ ମୋହୋର ହୋଇବାକ ସ୍ଥିର ।୭।

ୟେହା ଶୁଣି ହସିଲେ କୁମ୍ଭଋଷିର ନନ୍ଦନ

ଅସମ୍ଭବ କଥା ତ ପଚାରିଲୁ ହୋ ରାଜନ ।୮।

ୟେମନ୍ତ ବୋଲି ମୁନି ପୁରାଣ ପୋଥି ଫେଇ

ବୋଇଲେ ଶୁଣ ତୁ ହୋ ବିଲଂକ ଦେଶ ନରସାଇଂ ।୯।

ବଇଶାଖ କୃଷ୍ଣ ପକ୍ଷ ତୃତୀୟା ଗୁରୁବାର

ନାରଦ ବିଜେ କଲେ ଆସି ମଞ୍ଚ ମଣ୍ଡଳର ।୧୦।

ଦଣ୍ଡ କମଣ୍ଡଳୁ ଧୋତି ଛତା ପିଢା କଷା ବସନ

କଳି ଧୋକଡ଼ି ମୁଣି ଯେ କାଖରେ ଯାକିଣ ।୧୧।

ପ୍ରବେଶ ହୋଇଲେ ଯାଇଂ ହସ୍ତିନା ନବରେ

ଆସ୍ତାନେ କରି ବସି ଅଛନ୍ତି ବସି ଅଛନ୍ତି ଧୃତିରାଷ୍ଟର କୁମରେ ।୧୨।

କୁରୁ ସାଗର ସଇନି ଯେ ଅଛନ୍ତି ଚଉପାଶେ

ଅଠର କ୍ଷଉଣୀ ବଳ ଯେ ଅଛନ୍ତି ପାରୁଶେ ।୧୩।

ଆବର ଅଛନ୍ତି ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଶକୁନି ସହିତେ

ଧୁଶାସନ ମୂଳେ ଶତେ ଭାଇ ଅଛନ୍ତି ଅଗ୍ରତେ ।୧୪।

ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ ମୂଳେ

ସାତ କ୍ଷଉଣୀ ବଳ ଘେନି ଅଛନ୍ତି ଆସ୍ତାନ ଉପରେ ।୧୫।

କୁରୁ ପାଣ୍ଡବ ବେନି ଅଭେଦ ଆତ୍ମା ହୋଇ

ଯୁଝେଷ୍ଠି ଦ୍ରିଯୋଧନ ପଶା ଖେଳନ୍ତି ତହିଂ ।୧୬।

ୟେମନ୍ତର ସମୟେ ନାରଦେ ମିଳିଲେ ତହିଂ ଯାଇଂ

ଆସ୍ତାନ ଉପରକୁ ସେ ଯେ ଗଲେ ବେଗ ହୋଇ ।୧୭।

ନାରଦ ମୁନିଂକି ଦେଖି ଯେ ଉଠିଲେ ସମସ୍ତେ

ନମସ୍କାର କଲେ ସର୍ବେ ମୁନିଂକ ପାଦଗତେ ।୧୮।

ଭୀଷ୍ମ ଦ୍ରୋଣ ସହିତେ ଯେ ନମସ୍କାର କଲେ

ସ୍ୱସ୍ତି ସ୍ୱସ୍ତି କଲ୍ୟାଣ ଯେ ନାରଦେ ବାଞ୍ଚିଲେ ।୧୯।

ଷଡ଼ ଅର୍ଘେ ପୂଜାକଲେ ଗାନ୍ଧାରୀ ତନୟେ

ପାଦାର୍ଘ୍ୟ ଦେଇଣ ବୋଇଲେ ବସ ହୋ ମୁନିୟେ ।୨୦।

ଆଜ ମୋହୋର କୃତାର୍ଥ ଯେ ହୋଇଲା ଜୀବନ

ଦୟା କରି ଶଙ୍ଖୋଳି ମୋତେ ଅଇଲ ବ୍ରହ୍ମାଂକ ନନ୍ଦନ ।୨୧।

ୟେତେ ବୋଲି ରାଜା ଶୁତିଲା ଚରଣ ଦୁଇ ଧରି

ନାରଦେ ବୋଇଲେ ଉଠ ଉଠ ହୋ ଦଣ୍ଡଧାରୀ ।୨୨।

ତୋହୋର ଠାବରେ ଆମ୍ଭର ଯେ ବହୁତ ବିଶ୍ୱାସ

ତେଣୁ କରି ଶଙ୍ଖୋଳି ଅଇଲୁ ହୋ ଧୃତିରାଷ୍ଟ ଶିଷ ।୨୩।

ଆୟୁଷ ବର୍ଦ୍ଧୁତ ହୋଇ ଧନ ଧାନ୍ୟ ହୋଉ ପରାପତ

ବହୁତ କଲ୍ୟାଣ ବାଞ୍ଚାକଲେ ନାରଦ ତପୋବନ୍ତ ।୨୪।

ୟେମନ୍ତର ବେଳେ ତହିଂ ଯେ ଆସ୍ତାନ ମଉଳିଲା

ଦ୍ରିଯୋଧନ ରାଜା ତହୁଂ ମୁନିଂକି ପଚାରିଲା ।୨୫।

ବୋଇଲା ଗୋସାଇଂ ହେ ତୁମ୍ଭେ କାହିଂକି ଯେ ଯିବ

ଦୟାଥିଲେ ଆଜକ ଯେ ମୋ ପୁରେ ରହିବ ।୨୬।

ନାରଦେ ବୋଇଲେ ଆମ୍ଭେ ୟେକଠାବ ହୋଇ

ଦଣ୍ଡେହେଂ କେଉଣ ଠାରେ ଆମ୍ଭେ ନ ରହୁ ସ୍ଥିର ହୋଇ ।୨୭।

ୟେବେ ଯାଉଅଛୁଂ ଆମ୍ଭେ ପାତାଳ ଭୁବନକୁ

ଥରେ ଶଙ୍ଖୋଳି ଆସିବୁ ଆମ୍ଭେ ନାଗ ଦେବତାଂକୁ ।୨୮।

ୟେତେ ବୋଲିଣ ମୁନି ତହିଂ ଚଳିଗଲେ

ଯୁଝେଷ୍ଠି ଦେହବ ତାହାଂକ ପଛେ ଗୋଡ଼ାଇଲେ ।୨୯।

ସାତ କ୍ଷଉଣୀ ବଳ ଘେନି ପଣ୍ଡୁର କୁମରେ

ପ୍ରବେଶ ହୋଇଲେ ଯାଇଂ ବାରୁଣାବନ୍ତରେ ।୩୦।

ନାରଦ ମୁନିଂକି ତହୁଂ ଘେନି ସଂଗତେଣ

ଆସ୍ତାନ କରି ବସିଲେ ପଣ୍ଡୁର ନନ୍ଦନ ।୩୧।

ନାରଦେ ଯୁଝେଷ୍ଠିଂକି ବହୁତ ପ୍ରଶଂସିଲେ

ଧର୍ମ କଥା ମାନ ବହୁତ ବୁଝାଇ କହିଲେ ।୩୨।

ଷାଠିୟେ ସହସ୍ର ଋଷନ୍ତି ତୁ ହୋ ନିତ୍ୟେ ଦେଉ ଅନ୍ନ

ସତ୍ୟବାଦୀ ପୁରୁଷ ତୁ ଅଟୁ ପଣ୍ଡୁର ନନ୍ଦନ ।୩୩।

ନାରଦଂକ ମୁଖରୁ ୟେସନେକ ବାକ୍ୟ ଶୁଣି

ଦ୍ରହସିତ ହୋଇ ବୋଲନ୍ତି ଧର୍ମ ନୃପମଣି ।୩୪।

ୟେକଥା କେବେହେଂ ମୋତେ ନ ବୋଲ ମୁନିବର

ଅନ୍ନ ଦେଇ ପୋଷୁଛନ୍ତି ମୋତେ ଧୃତିରାଷ୍ଟଂକ କୁମର ।୩୫।

ନାରଦେ ବୋଇଲେ ଆମ୍ଭ କଥାୟେ କହିବୁଂ

ଆମ୍ଭର କଥା ତୁ ଯେବେ ଯୁଝେଷ୍ଠି କରିବୁ ।୩୬।

ନାରଦଂକ ବଚନେ ସେ ବୋଲନ୍ତି ଧର୍ମରାୟେ

ଯାହା ବୋଲିବ ତାହା କରିବି ଶକ୍ୟ ଥିଲେ ମୁନି ହେ ନିଚୟେ ।୩୭।

ମୁନି ବୋଇଲେ ତୁମ୍ଭେ ଯାଗ ଗୋଟିୟେ ଯେ କର

ଅସଂଖ୍ୟ ଧର୍ମ ତୋହୋର ହୋଇବ ଯୁଝେଷ୍ଠିର ।୩୮।

ଯୁଝେଷ୍ଠି ବୋଇଲେ ମୋର ୟେଡ଼େ ଭାଗ୍ୟ କାହିଂ

ଅନ୍ନ ବସ୍ର ଦେଇ ମୋତେ ପୋଷୁଛନ୍ତି କୁରୁସାଇଂ ।୩୯।

ନାରଦେ ବୋଇଲେ ତୁ ନ ବିଚାର କିଛି

ଯାହାକୁ ସାହାପକ୍ଷ ଯେ ଦେବ ଶିରୀବଛି ।୪୦।

ତୋତେ କିଛି ଅପୂର୍ବ ନୋହଇ ହୋ ଧନ

ୟେଥକୁ କିଛି ନ କର ହୋ ଧର୍ମର ନନ୍ଦନ ।୪୧।

ନାରଦଂକ ମୁଖରୁ ୟେସନେକ ବାକ୍ୟ ଶୁଣି

ଆନନ୍ଦ ହୋଇଲେ ଯେ ଯୁଝେଷ୍ଠି ନୃପମଣି ।୪୨।

ଯୁଝେଷ୍ଠି ୟେକାନ୍ତେ ରାଇଲେ ଅରଜୁନ

ଦ୍ୱାରିକାକୁ ବାବୁରେ ତୁ ଯିବୁ ୟେହିକ୍ଷଣ ।୪୩।

ନାରଦଂକ ସମ୍ପାଦ ବାବୁ ଶ୍ରୀକୃଷ୍ଣଂକୁ କହି

ଘେନିଆସ ବାବୁ ନାରଦେ ୟେଥେ ଥାନ୍ତୁ ରହି ।୪୪।

ଯୁଝେଷ୍ଠିଂକ ମୁଖୁଂ ୟେ,ନେକ ବାକ୍ୟ ଶୁଣି

ଧନୁ ତ୍ରୋଣ ଘେନି ବାହାର ଫାଲଗୁନି ।୪୫।

ଶୁଣ ହୋ ମନୁରାୟେ ବଦୟନ୍ତି ଅଗସ୍ତି

ସାବଧାନ ହୋଇ ଶୁଣ ମଧ୍ୟପର୍ବ ରୀତି ।୪୬।

ତୁ ଯେ ପଚାରିଲୁ ମୋତେ ନକୁଳ କୋନ୍ତ ମୁନେ ପୃଥିବୀ ଧାରଣ ପ୍ରସ୍ତାବ

ୟେକମନେ ଶୁଣ ବାବୁ ମୁଂ କହଇ ତହିଂର ଯେ ଭାବ ।୪୭।

ଯୁଝେଷ୍ଠିଂକ ଆଗ୍ୟାଂ ପାଥ ଶିରେଣ ନିବେଶି

ନମସ୍କାର କରି ବାହାର ହୋଇଲା ଇନ୍ଦ୍ରଂକର ଶିଷି ।୪୮।

ତକ୍ଷଣେ ଦ୍ୱାରିକାୟେ ହୋଇଲା ପ୍ରବେଶ

ନିର୍ଭୟେ ଚଳଇ ତହିଂ କୋଇନ୍ତାଂକ ଶିଷ ।୪୯।

ଅର୍ଜୁନ ଆସିବାର ଜାଣନ୍ତି ଭାବଗ୍ରାହୀ

ଅନ୍ତର୍ଯ୍ୟାମୀ ନାଥକୁଂ ଉବାର ଅଛି କାହିଂ ।୫୦।

ଦେବାର୍ଚ୍ଚନ ଭଜନ ସାରିଣ ନାରାୟଣ

ସତ୍ୟଭାମା ପୁରେ ଯାଇଂ ବିଜୟେ ଭଗବାନ ।୫୧।

ଯୂତ ଖେଳନ୍ତି ସତ୍ୟଭାମା ସଙ୍ଗେ ନରହରି

ବୋଇଲେ ଆମ୍ଭ ପୁରକୁ ଆସୁଛି ଅର୍ଜୁନ ବିଜେ କରି ।୫୨।

ୟେମନ୍ତର ସମୟେ ଶ୍ରୀକୃଷ୍ଣ ନଗର ଦ୍ୱାରେ ଅର୍ଜୁନ ମିଳିଲେ

ସପତ ଦ୍ୱାର ଜିଣିଣ ଯେ ଭିତରେ ପଶିଲେ ।୫୩।

ରହ ବୋଲିବାକୁ କ୍ଷମ ନାହିଂନା କାହାରି

ନିର୍ଭୟେଣ ଚଳି ଯାଉଅଛି ମହାବଳୀ ।୫୪।

ଯେଉଂଠାରେ ଗୋବିନ୍ଦେ ବିଜୟେ କରିଛନ୍ତି

ଅର୍ଜୁନ ସେଠାରେ ଯାଇ ମିଳିଲା ଶୀଘ୍ରଗତି ।୫୫।

ସତ୍ୟଭାମା ତୁଲେ ପଶା ଖେଳନ୍ତି ଜନାର୍ଦ୍ଦନ

ଅବଲୋକନରେ ଚାହିଂ ଦିଲାକ ଅରଜୁନ ।୫୬।

ସତ୍ୟଭାମାଂକୁ ଥିବା ଦେଖି ପଛକୁ ଘୁଞ୍ଚିଗଲା

ଅଭ୍ୟନ୍ତର ହୋଇ ଖଣ୍ଡେ ଦୂରରେ ରହିଲା ।୫୭।

ଅର୍ଜୁନର ମନ ତହିଂ ଜାଣିଲେ ଗୋସାଇଂ

ଆସ୍ତାନୁଂ ତକ୍ଷଣେ ଯେ ଉଠିଲେ ଭାବଗ୍ରହୀ ।୫୮।

ଆସ ଆସ ପାର୍ଥ ତୁ ଯେ ମୋହୋର ପଞ୍ଚୁପ୍ରାଣ

ତୋହୋଠାରେ ଅଭିନ୍ନ ମୋର କେବେହେଂ ନାହିଂ ପୁଣ ।୫୯।

ଜଗନ୍ନାଥଂକ ମୁଖରୁ ୟେସନ ବାକ୍ୟ ଶୁଣି

ପାୟେ ପଡ଼ି ଶୁତିଲା ଅର୍ଜୁନ ବୀରମଣି ।୬୦।

ଉଠ ଉଠ ବୋଲିଣ ଯେ ବୋଇଲେ ବାସୁଦେବ

ଆଜ ମୋହୋର ଦ୍ୱାରିକା ପୁର ଶୋଭାବନ ଦିଶିବ ।୬୧।

ସତ୍ୟଭାମାକୁ ଦେଖି ଅର୍ଜୁନ ନମସ୍କାର କଲେ

ଶକ୍ରାଜିତର ଝିଅ କଲ୍ୟାଣ ବାଞ୍ଚିଲେ ।୬୨।

ଶତ୍ରୁ ମାରିଣ ହୁଅସି ପଞ୍ଚୁ କଟକେ ରାଜନ

ପରମ କଲ୍ୟାଣ ବାବୁ ପାଅସି ଅରଜୁନ ।୬୩।

ତିନିପୁର ମଧ୍ୟେ ପାଥ ତୁମ୍ଭେ ପାଅ ପୂଜା

ୟେହା ଶୁଣି ହସିଲେ ଦେବାଧିଦେବ ରାଜା ।୬୪।

ବୋଇଲେ ସତ୍ୟଭାମାଂକ ହୋଇଲା ସଦୟେ

ଭ୍ରାନ୍ତି ତୁମ୍ଭର ନାହିଂ ହୋ କୋଇନ୍ତାଂକର ତନୟେ ।୬୫।

ୟେଥୁ ଅନନ୍ତରେ ମନୁ ରାଜା ଯେ ପଚାରି

ସନ୍ତୋଷ ମନେ ମୋତେ କହିବା ବିସ୍ତାରି ।୬୬।

ଅର୍ଜୁନ ଶ୍ରୀହରିଙ୍କର ହୋଇଲା କି ବିଚାର

ୟେହା ବିଚାରିଣ ମୋତେ କହିବା ମୁନିବର ।୬୭।

ରାଜାର ବଚନ ଶୁଣି କହନ୍ତି ମହାମୁନି

ୟେକମନେ ଶୁଣ ତୁ ହୋ ବିଲଂକ ଚୂଡ଼ାମଣି ।୬୮।

ଶ୍ରୀହରି ବୋଲନ୍ତି ତୁମ୍ଭେ ଶୁଣ ସତ୍ୟଭାମା

ସୁବର୍ଣ୍ଣ ଝରୀରେ ନୀର ଘେନିଆସ କିନା ।୬୯।

ତକ୍ଷଣେ ସତ୍ୟଭାମା ଆଣିଲେ ଗଙ୍ଗାଜଳ

ପାଦ ପଖାଳ ହୋ ତୁମ୍ଭେ ପଣ୍ଡୁର ଦୁଲାକ ।୭୦।

ଶୁଣି ଶ୍ରୀଜଗନ୍ନାଥଂକର ଶ୍ରୀମୁଖ ବଚନେ

ପାଦ ପଖାଳିଲେ ତହିଂ କୋଇନ୍ତାଂକର ନନ୍ଦନେ ।୭୧।

ପାଦ ପଖାଳି କରି ତହିଂ ବୀର ଅରଜୁନ

ପୟର ପୋଛନ୍ତି ଯେ ଘେନି ସୁଝୀନ ବସନ ।୭୨।

ହାଥ ଧରି ଭିତରକୁ ଘେନିଗଲେ ଭଗବାନ

ରତ୍ନ ପଳଂକରେ ବସାଇଲେ ନେଇଣ ବହନ ।୭୩।

କୁଶଳ ବାରତା ଯେ ପଚାରନ୍ତି ଚକ୍ରପାଣି

ଠାକୁରଂକ ସର୍ବଶୁଭ କହ ହୋ ବୀରମଣି ।୭୪।

ସମସ୍ତ କୁଶଳ ଯେ କହିଲେ ଅରଜୁନ

ଶୁଣିଣ ସାନନ୍ଦ ଯେ ଦେବ ଜନର୍ଦ୍ଦନ ।୭୫।

ପୁଣିହିଂ ଅର୍ଜୁନକୁ ବିନୋୟିଣ ପୁଚ୍ଛି

ଆମ୍ଭନ୍ତ ଶଙ୍ଖୋଳିବା ନିମନ୍ତେ ଅଇଲ କି ବିବତ୍ସି ।୭୬।

ଠାକୁରଂକର ଆଗ୍ୟାଂ କି ତୋହୋର କାର୍ଯ୍ୟ ଅର୍ଥେ

ୟେ କଥା ତୋତେ ଯେ ପଚାରଇ ବୀର ପାଥେ ।୭୭।

ଅର୍ଜୁନ ବୋଇଲେ ତୁମ୍ଭେ ଶୁଣିମା ଚକ୍ରଧର

ଆମ୍ଭର ପୁରେ ବିଜେ କଲେ ନାରଦ ମୁନିବର ।୭୮।

ଯୁଝେଷ୍ଠିଂକି କହିଲେ ତୁମ୍ଭେ କଥାୟେ କରିବ

ଆପଣା କାର୍ଯ୍ୟ ଅର୍ଥେ ଧର୍ମଯାଗ ଗୋଟିୟେ ଭିଆଇବ ।୭୯।

ନାରଦେ କହନ୍ତେ ଯୁଝେଷ୍ଠି ଠାକୁରେ ହସିଲେ

ଯାଗ କରିବାକୁ ମୋର କିସ ଶକ୍ୟ ଯେ ବୋଇଲେ ।୮୦।

ନାରଦେ ବୋଇଲେ ତୁମ୍ଭ ସଖା ଭଗବାନ

ୟେଥଝକୁ କିସ ଚିନ୍ତା ତୁମ୍ଭର ଯେ ମନ ।୮୧।

ନାରଦଂକ କାଷ୍ଠା ଯହୁଂ ଯୁଝେଷ୍ଠି ଶୁଣିଲେ

ୟେକାନ୍ତ କରିଣ ମୋତେ ରାଇଣ ଆଣିଲେ ।୮୨।

ବୋଇଲେ ଦ୍ୱାରିକାକୁ ତୁ ୟେହିକ୍ଷଣି ଯିବୁ

ଜଗନ୍ନାଥ ପ୍ରଭୁଂକୁ ତୁ ରାଇଣ ଆଣିବୁ ।୮୩।

ୟେହା ଶୁଣି ହସିଲେ ମଦନ ଗୋପାଳ

କିସ ଭିଆଣ କରିଅଛନ୍ତି କଳହ ପ୍ରିୟ ମୁନିବର ।୮୪।

ସତ୍ୟଭାମାଂକୁ ଚାହିଂଣ ବୋଲନ୍ତି ହୃଷୀକେଶି

ବେଗ କରି ରନ୍ଧନ କର ଗୋ ଶକ୍ରାଜିତର ଶିଷି ।୮୫।

ଠାକୁରଂକ ଆଗ୍ୟାଂ ପାଇ ଦେବୀ ବେଗେ ଚଳିଗଲେ

ଛଡ଼ରସ ପ୍ରକାରେଣ ମୁଣୋହି ରାନ୍ଧିଲେ ।୮୬।

ଘୃତଖଣ୍ଡ କ୍ଷିରୀ ସର ନାନାବର୍ଣ୍ଣେ ପିଠାମାନ

ତତକ୍ଷଣେ ନିର୍ଭାଇଲେ ରାନ୍ଧଣା ବିଧାନ ।୮୭।

ଅର୍ଜୁନକୁ ସ୍ରାହାନ କରାଇଲେ ଭଗବାନ

ପିନ୍ଧିବାକୁ ଦିଲେ ଆଣି ବିଚିତ୍ର ବସନ ।୮୮।

ପଖାଳ କରିଆ ଘେନି ଅର୍ଜୁନ ମଥା ପୋଛିଲେ

ଅଙ୍ଗେ ଗନ୍ଧ ଚନ୍ଦନ ଯେ ଚତୁସମ ଲେପିଲେ ।୮୯।

ଶ୍ରୀଖଣ୍ଡି ଚନ୍ଦନ ନେଇ ଅଙ୍ଗେ ଲଗାଇଲେ

ନାନା ବର୍ଣ୍ଣେ ପୁଷ୍ପ ଶିର ଗଭାରେ ଖଞ୍ଜିଲେ ।୯୦।

ନାନା ଅଳକାଂରକ ଯେ ଅର୍ଜୁନ ଅଙ୍ଗେ ଖଞ୍ଜି

ବୀରବେଶ କରିଣ ଯେ ଅର୍ଜୁନକୁ ସାଜି ।୯୧।

ମୁଣହି ଠାବକୁ ୟେ ଅର୍ଜୁନ ବିଜେ କଲେ

ବିଚିତ୍ର ଆସନ ଯେ ସଜାଡ଼ିଛନ୍ତି ଭଲେ ।୯୨।

ସୁବର୍ଣ୍ଣର ପିଢା ସେ ଯେ ବସିବାକୁ ଦେଇ

ତହିଂରେ ଅର୍ଜୁନକୁ ବସାଇଲେ ନେଇ ।୯୩।

ସୁବର୍ଣ୍ଣର ପଲମରେ ଅମୃତ ରସପାକ

ସତ୍ୟଭାମା ପରଶନ୍ତି ହୋଇଣ ଉତ୍ସୁକ ।୯୪।

ସନ୍ତୋଷେ ଭୋଜନ ତହିଂ କରନ୍ତି ଅରଜୁନ

ନାନା ବିଧ ରସ ପାକ ଅମୃତ ରସ ମାନ ।୯୫।

ନାନାବର୍ଣ୍ଣେ ପିଠା ସେ ତହିଂ ପରଶନ୍ତି ଆଣି

ସନ୍ତୋଷେ ଭୋଜନ ତହିଂ କରଇ ବୀରମଣି ।୯୬।

ମୁଣୋହି ସାରି ସେ ଉଠିଲେ ତତକ୍ଷଣି

ଆଞ୍ଚୋବନ ନିମନ୍ତେ ଆଣିଦିଲେ ବାସପାଣି ।୯୭।

ଆଞ୍ଚୋବନ ସାରି ସେ ବୀରବର କିରୀଟୀ

ଭୋଜନ ଶେଷେ ବୀର ନୁଆରିଲେ ଉଠି ।୯୮।

ରତ୍ନ ପଲ୍ୟଂକରେ ହସିଲେ ଶ୍ରୀକୃଷ୍ଣ ଫାଲଗୁନି

କର୍ପୁର ବିଡ଼ିଆ ଲାଗି କରାନ୍ତି ଚକ୍ରପାଣି ।୯୯।

ତମ୍ୱୋଳ ଭୋଜନ ଯେ ସାରିଣ ଅର୍ଜୁନ

ବୋଇଲେ ସାବଧାନେ ଶୁଣିମା ଭଗବାନ ।୧୦୦।

ଠାକୁରଂକ ଆଗ୍ୟାଂ ଯିବା ହସ୍ତିନା ପୁରକୁ

ଆଗ୍ୟାଂ ଦେଇଛନ୍ତି ବହନ ହୋଇଣ ଯିବାକୁ ।୧୦୧।

ଅର୍ଜୁନର ମୁଖରୁ ୟେସନେକ ବାକ୍ୟ ଶୁଣି

ସଜ ହୋଇଲେକ ତହୁଂ ଦେବ ଚକ୍ରପାଣି ।୧୦୨।

ଖଗବରକୁ ଦେବ ଯେ ସୁମରଣା କଲେ

ରମ୍ୟେକ ଦୀପରେଣ ଖଗେଶ୍ୱର ଥିଲେ ।୧୦୩।

ନାରାୟଣ ଚିନ୍ତିବା ସେ ମନରେ ଜାଣିଲେ

ତତକ୍ଷଣେ ଆସି ଦ୍ୱାରିକାରେ ମିଳିଲେ ।୧୦୪।

ନାରାୟଣଂକୁ ଦେଖି ସେ କଲା ନମସ୍କାର

କିସ ଅର୍ଥେ ଚିନ୍ତାକଲ ବୋଇଲା ଖଗବର ।୧୦୫।

ନାରାୟଣେ ବୋଇଲେ ବରୁଣାବନ୍ତ ଯାୟେ

ୟେହିକ୍ଷଣି ଯିବା ଆମ୍ଭେ ଶୁଣ ପଚ୍ଛୀରାୟେ ।୧୦୬।

ଅର୍ଜୁନ ଆସିଅଛି ଯେ ଆମ୍ଭନ୍ତ ନେମାପାଇଂ

ନାରଦେ କିସ ଚରିତ ତହିଂ ଅଛନ୍ତି ଭିଆଇ ।୧୦୭।

ନାରଦେ ଅଛନ୍ତି ଟିକି ମୋତେ ବାଟ ଚାହିଂ

ଆମ୍ଭେ ଗଲେ ସ୍ୱର୍ଗକୁ ସେ ଯିବେକ ମୁନିସାଇଂ ।୧୦୮।

ୟେମନ୍ତ ସମ୍ପାଦମାନ ଗରୁଡ଼କୁ କହି

ଅର୍ଜୁନକୁ ଘେନିଣ ବଇନେତ୍ର ପିଠିରେ ବିଜୟେ ଭାବଗ୍ରାହୀ ।୧୦୯।

ଚଇତନ କହନ୍ତି ତୁମ୍ଭେ ଶୁଣ ହୋ ମନୁରାୟେ

ମହାଭାରଥ ଚରିତୟେ ଅମୃତ ରସମୟେ ।୧୧୦।

ବନ୍ଦଇ ଶ୍ରୀ ନାରାୟଣ କମଳା ରମଣ

ସଂସାରଜନନ୍ତ ତୋର ନାମଟି କରଣ ।୧୧୧।

ନୀଳ କନ୍ଦରେ ବିଜୟେ ଅପୂର୍ବ ମୂରତି

ଚତୁର୍ଦ୍ଧା ମୂରତି ରତ୍ନ ସିଂଘାସନେ ବିଜୟେ ଶ୍ରୀପତି ।୧୧୨।

କମଳା ବିମଳା ବାକ୍ୟ ଦେବୀଂକ ସହିତେ

ସେବାୟେ ଖଟିଛନ୍ତି ଯାହାର ପାଦଗତେ ।୧୧୩।

ଦକ୍ଷିଣେ ମଉଦଧି କଳପବଟ ଅଛି

କୋଟିୟେ ତୀର୍ଥ ଘେନି ତହିଂ ବିଜୟେ ଶ୍ରୀବଚ୍ଛି ।୧୧୪।

ସଂସାର ଜନମାନନ୍ତ ଯେ ତାରିବା ନିମନ୍ତେ

ବଉଧ ରୂପେ ବିଜୟ କରିଛନ୍ତି ଜଗନ୍ନାଥେ ।୧୧୫।

ସେ ରୂପ ଚିନ୍ତିବାକୁ କାହାର ଶକ୍ୟ ଅଛି

ମୁର୍ଖ ଅପଣ୍ଡିତ ମୁହିଂ ନ ଜାଣଇ କିଛି ।୧୧୬।

ତୁଳୁସାର ବଲ୍ଲଭ ଚରଣୁ ମୋର ଆନ ନାହିଂ

ମୁର୍ଖ ସାରୋଳ ଦାସକୁ ରଖ ହେ ଭାବଗ୍ରାହୀ ।୧୧୭।

ୟେଥୁ ଅନନ୍ତରେ ଯେ ଶୁଣ ବିଂଲକ ରାଜନ

ୟେ ମଧ୍ୟପର୍ବ ଚରିତ ଯେ ବିଚିତ୍ର କଥନ ।୧୧୮।

ତକ୍ଷଣେ ଗରୁଡ଼ ଯେ କାୟା ବିସ୍ତାରିଲା

ସହସ୍ରେ ଯୋଜନ ଉପରକୁ ଉଡ଼ି ଗଲା ।୧୧୯।

ତିନି ନିଶ୍ୱାସେ ଗରୁଡ଼ ବିକ୍ରମିଣ ଗଲା

ବରୁଣାବନ୍ତରେ ଯାଇଂ ପ୍ରବେଶ ହୋଇଲା ।୧୨୦।

ଗରୁଡ଼ ପିଠିରୁ ଉତୁରିଲେ ହରି ଅରଜୁନ

ଆସ୍ତାନ ତଳରେ ଯାଇଂ ମିଳିଲେ ବହନ ।୧୨୧।

ଗରୁଡ଼ହିଂ ଅଛଇ ନାରାୟଣଂକ ସଙ୍ଗତେଣ

ଆସ୍ତାନର ତଳେ ଯେ ମିଳିଲେ ତିନିଜଣ ।୧୨୨।

ଯୁଝେଷ୍ଠିଂକି ଦେଖିଣ ପାୟେ ପଡ଼ି ଶୁତିଲେ

ଉଠ ଉଠ ବୋଲିଣ ଯୁଝେଷ୍ଠି ଆଗ୍ୟାଂ ଦିଲେ ।୧୨୩।

ତକ୍ଷଣେ ଉଠିଣ ମାଦ୍ରୀର ତନୟେ

ଶ୍ରୀକୃଷ୍ଣର ଛାମୁରେ ସେ ଯାଇଂଣ ଉଭା ହୋୟେ ।୧୨୪।

ଶ୍ରୀକୃଷ୍ଣଂକୁ ନମସ୍କାର କରିଣ ତୋଳିଲା

ପଛେହେଂ ଅର୍ଜୁନକୁ ସେ ନମସ୍କାର କଲା ।୧୨୫।

ପୁଣ କର ପ୍ରସାରିଣ ଧର୍ମର ନନ୍ଦନ

କଲ୍ୟାଣ ବାଞ୍ଛା ସେ ଯେ କରନ୍ତି ଆପଣ ।୧୨୬।

ଶ୍ରୀକୃଷ୍ଣଂକୁ ଦେଖି ତହିଂ ଭୀମସେନ ପରିଣାମି

ଉଠ ଉଠ ହୋ ବ୍ରିକୋଦର ବୋଲନ୍ତି ଦେବସ୍ୱାମୀ ।୧୨୭।

ଭୀମସେନକୁ ତହୁଂ ଅର୍ଜୁନ ଓଳଗିଲେ

ସହଦେବ ଅର୍ଜୁନକୁ ପ୍ରଣପତ୍ୟ କଲେ ।୧୨୮।

ଯେ ଯାହାର ମାନ୍ୟଧର୍ମ ସକଳ ଯେ ସାରି

ଆସ୍ତାନ ଉପରକୁ ଉଠିଲେ ଦେବହରି ।୧୨୯।

ଦେଖିଲେ ନାରଦଂକୁ ଯୁଝେଷ୍ଠିଂକ ଆଗରେ

ବସିଅଛନ୍ତି ସେ ବୀଣାଯନ୍ତ୍ର ଧରି କରେ ।୧୩୦।

ମୁନିଂକି ଦେଖି ହରି ଅର୍ଜୁନ ନମସ୍କାର କଲେ

ନାରଦେ କଲ୍ୟାଣ ତହୁଂ ଅନେକ ବାଞ୍ଛିଲେ ।୧୩୧।

ନାରାୟଣଂକ ମୁଖ ଚାହିଂ ଯୁଝେଷ୍ଠି ବୋଇଲେ

ଆସ୍ତାନେ ବସ ବୋଲି ଶ୍ରୀମୁଖେ ଆଗ୍ୟାଂ ଦିଲେ ।୧୩୨।

ଯୁଝେଷ୍ଠିଂକ ଆଗ୍ୟାଂ ସେ ଶିରରେ ନିବେଶିଣ

ଆସ୍ତାନରେ ବିଜେ କଲେ ଦେବ ଜନାର୍ଦ୍ଦନ ।୧୩୩।

ବୋଲନ୍ତି ନାରଦଂକ ମୁଖ ଚାହିଂ ଯଦୁସାଇଂ

କଳହପ୍ରିୟ ମୁନି କିସ ଅଛ ହେ ଭିଆଇ ।୧୩୪।

ଗୋବିନ୍ଦଂକ ବଚନେ ସେ କହନ୍ତି ମହାମୁନି

ଅପୂର୍ବ କଥାୟେ ଭିଆଇଛୁ ଶୁଣ ଚକ୍ରପାଣି ।୧୩୫।

ଧର୍ମଯୋଗ ବୋଲି ଅଛି ଯାଗ ଯେ ଗୋଟିୟେ

ଭିଆଣ କରିଛୁ ତାହା ଶୁଣ ହୋ ଦେବରାୟେ ।୧୩୬।

ଧନ ଧାନ୍ୟ ଲକ୍ଷ୍ମୀ ଯେ ହୋଇବ ପରାପତ

ସ୍ୱର୍ଗପୁରେ ବସିବେ ଯେ ସପ୍ତ ପୁରୁଷ ଲୋକେ ତ ।୧୩୭।

ଦେବତା ମାନେ ଯେ ଖାଇବେ ଘୃତରସ

ମୁନିମାନେ ଯାଗ ଦେଖି ହୋଇବେ ସନ୍ତୋଷ ।୧୩୮।

ରାଜଋଷି ବ୍ରହ୍ମଋଷି ଦେବଋଷିମାନେ ଆସିବେ

ଘୃତ ଯବ ତିଳ ସମିଧ ଅଗ୍ନିରେ ଦେଉଥିବେ ।୧୩୯।

ରାଜାଗଣ ମାନେ ରୁଣ୍ଡ ହୋଇବେ ସମସ୍ତେ

ଅମୃତ ଯୋଗାଡ଼ ଛତ୍ରଶାଳେ ଭୁଞ୍ଜୁଥିବେ ନିତ୍ୟପ୍ରତ୍ୟ ।୧୪୦।

ଯାଗନିକମାନେ ସର୍ବେ ଯୋଗେ ରୁଣ୍ଡ ହୋଇ

ଘୃତ ଦେଉଥିବେ ସେ ଯେ କ୍ଷଣେ ନ ବିଶୋଇଂ ।୧୪୧।

ମାଗନ୍ତା ଲୋକନ୍ତ ଯେ ଦେଉଥିବ ଧନ

ନିରାଶ ନ କରିବ ଦୁଖୀ ଦରିଦ୍ର ଜନମାନ ।୧୪୨।

ନାରଦଂକ ମୁଖରୁ ୟେସନେକ ବାକ୍ୟ ଶୁଣି

ହସିଣ ବୋଲୁଛନ୍ତି ଯେ ଦେବ ଚକ୍ରପାଣି ।୧୪୩।

ୟେତେ ସମ୍ପଦକୁ ଧନ କାହିଂ ଅଛି ଯୁଝେଷ୍ଠି ଦେବଂକର

ୟେ କଥା କିମ୍ପାଇ ତୁମ୍ଭେ କହିଲ ମୁନିବର ।୧୪୪।

ମୋହୋର ମନକୁ ୟେ ସର୍ବଥା ନ ଆସଇ

ତୁମ୍ଭ ପରା ମୁନି ୟେହା ପ୍ରବର୍ତ୍ତାଇଲେ କିଲ ପାଇଂ ।୧୪୫।

ରାଜା ବରଣକୁ ୟେହାଂକର ଶକ୍ୟ ଅଛି କାହିଂ

ଦୁଷ୍ଟ ରାଜାମାନେ ଯେ ମହୀରେ ଛନ୍ତି ରହି ।୧୪୬।

ରାଜାୟେ ନ ଅଇଲେ ତ ଯାଗ ଧର୍ମ ନ ପାଇବା

ୟେହା ବିଚାରିଣ ତୁମ୍ଭେ କୁହ ମୁନି ଦେବା ।୧୪୭।

ଗୋବିନ୍ଦଂକ ମୁଖରୁ ନାରଦ ୟେସନ ନିଷ୍ଠୁର ବଚନ ଶୁଣି

ପୁଣି ବଚନ ସେ କହନ୍ତି ନାରଦ ମହାମୁନି ।୧୪୮।

ୟେ କଥା ଯୁଝେଷ୍ଠିଂକୁ ଯେ ନ କହ କେବେହେଂ

ଯାହାର ପ୍ରାଣ ସଖା ଦେବାଧିଦେବ ରାୟେ ।୧୪୯।

ପୂର୍ବେତ ଶୁଣିଅଛ ଦେବ ନାରାୟଣ

ଖାଣ୍ଡବ ବନ ଦହନେ ଅଗ୍ନିକୁ ଉପକାର କରିଣ ଇଛନ୍ତି ଅର୍ଜୁନ ।୧୫୦।

ଲୁଦୁବୁଦୁ ବ୍ୟାଧି ହୋଇ ସେ ତିନିଯୁଗ ଯାୟେ ଥିଲେ

ଅର୍ଜୁନ ମଉଷଧି ଦିଅନ୍ତେ ସେ ନିସ୍ତରିଲେ ।୧୫୧।

ମନ୍ଦାଅଗ୍ନି ହୋଇଣ ସେ ଆହାର ନ ଭକ୍ଷିଲେ

ମଉଷଧି ଭକ୍ଷନ୍ତେ ସେ ନିବ୍ୟାଧି ହୋଇଲେ ।୧୫୨।

ଅର୍ଜୁନକୁ ପ୍ରସନ୍ନ ହୋଇଣ ସେ ବୋଇଲେ ବଚନ

ଘୃତ ଭୋଜନ ମୋତେ ଦେବୁଟି ପଣ୍ଡୁର ନନ୍ଦନ ।୧୫୩।

ଯାଗ କରିଣ ତୁହି ମୋତେ ଘୃତ ତିଳ ଦେବୁ

ତେବେ ସେ କ୍ଷୁଧା ମୋର ନିବାର କରିବୁ ।୧୫୪।

ୟେତେକ ବଚନ ଯହୁଂ ଅଗ୍ନି ଦେବତା କହିଲେ

ସନ୍ତୋଷ ହୋଇ ଅର୍ଜୁନ ସତ୍ୟବାକ୍ୟ ଦିଲେ ।୧୫୫।

ହେଉ ବୋଲିଣ ଯେ ଅର୍ଜୁନ କରିଅଛି ସତ୍ୟ

କେମନ୍ତ କରି ଅର୍ଜୁନ ଅଗ୍ନିକୁ ନ ଦେବଟି ଘୃତ ।୧୫୬।

ଅର୍ଜୁନକୁ ଚାହିଂ ତହୁଂ ପଚାରନ୍ତି ହରି

ସତ୍ୟ ବଚନ ଯେବେ କରିଅଛୁ ବୋଲ ମହାବଳୀ ।୧୫୭।

ଅର୍ଜୁନ ବୋଇଲେ ମୁଂ ସତ୍ୟ କରିଅଛି ପୂର୍ବେ

ୟେବେ କେମନ୍ତେ ନାସ୍ତି ମୁଂ କରିବି ବାସୁଦେବେ ।୧୫୮।

ୟେହା ଶୁଣି ହସିଲେ ଯେ ଦେବ ଚକ୍ରଧାରୀ

ବୋଇଲେ ଅଗ୍ନି ଦେବତାୟେ ଅଟନ୍ତି ବଡ଼ ଉପୁଗାରୀ ।୧୫୯।

ସମସ୍ତ ଦେବତାମାନଂକ ଠାରୁ ଶହସ୍ରମାନ ଆଣି

ତୋଷେ ତୋତେ ଦେଇଅଛନ୍ତି ଶୁଣ ହୋ ଗାଣ୍ଡିମ ପାଣି ।୧୬୦।

ତୁମ୍ଭେ ଯୋଗ କରିବା ତ ଅଟଇ ବିହିତ

ୟେଥକୁ କିସ ବିଚାର କରିବା ବୀର ପାଥ ।୧୬୧।

ନାରଦଂକୁ ଚାହିଂଣ ବୋଲନ୍ତି ଦେବ ଜନାର୍ଦ୍ଦନ

ଶୁଣ ହୋ ମହାମୁନି ବ୍ରହ୍ମାଂକ ନନ୍ଦନ ।୧୬୨।

ଲକ୍ଷେ ରାଜା ବରଣକୁ ତ କାଳ ସମୟ ନାହିଂ

ଯାଗଶାଳାମାନନ୍ତ ନିର୍ଭା କରିବ କେହୁ ।୧୬୩।

ଧନ ଦ୍ରବ୍ୟମାନ ଯେ କାହୁଂ ଭିଆଇବା

ବହୁତ ସଂଦେହ ମୋତେ ଲାଗିଲା ମୁନିଦେବା ।୧୬୪।

ନାରଦେ ବୋଇଲେ ତୁମ୍ଭେ ଯୁଝେଷ୍ଠିଂକି ଯେ ପଚାର

କହିବାର କଥା ସିନା ଆମ୍ଭେ ଜାଣୁ ହୋ ଦାମୋଦର ।୧୬୫।

ଯୁଝେଷ୍ଠିଂକ ମୁଖକୁ ତହୁଂ ଗୋବିନ୍ଦେ ଚାହିଂଲେ

କିସ ବିଚାର କରିବା ଆଗ୍ୟାଂ ହୋଉ ଯେ ବୋଇଲେ ।୧୬୬।

ଯୁଝେଷ୍ଠି ବୋଇଲେ ଯେ କିସ ମୋହର ଶକ୍ୟ

ଅନ୍ନ ଦେଇ ପୋଷୁଛି ତ ମୋତେ ଅମ୍ବିକାର ବଚ୍ଛ ।୧୬୭।

ମୋହୋରେ ୟେ କଥା ଯେ କେବେହେଂ ନୋହଇ

ନାରଦଂକୁ ନିବର୍ତ୍ତାଇ ରଖ ହୋ ଭାବଗ୍ରାହୀ ।୧୬୮।

ୟେତେ କହି ଯୁଝେଷ୍ଠି ଯେ ହୋଇଲେ ମଉନ

ତହୁଂ ହୃଦଗତେ ଚିନ୍ତା କରନ୍ତି ଦେବ ଭଗବାନ ।୧୬୯।

ଜଗନ୍ନାଥଂକ ବିମନ ତହୁଂ ନାରଦେ ଜାଣିଲେ

ୟେକାନ୍ତେ ଗୋବିନ୍ଦଂକୁ ରାଇଣ ବୋଇଲେ ।୧୭୦।

ନିଚୟ ୟାଗ ଗୋଟିୟେ କରାଅ ଭଗବାନ

ବହୁତ ଧର୍ମ ଉଦିତ ହୋଇବ ଧନ ଧାନ୍ୟ ।୧୭୧।

ନାରଦ ବୋଇଲେ ହୋ ଶୁଣ ଭାବଗ୍ରାହୀ

ସ୍ୱର୍ଗକୁ ଯାଉଅଛୁଂ ବିଳମ୍ବ ନ ସହଇ ।୧୭୨।

ଗୋବିନ୍ଦେ ବୋଇଲେ ହୋ ଶୁଣ ମହାମୁନି

ତୁମ୍ଭର ଆଗ୍ୟାଂୟୋ କରିବେ ଯୁଝେଷ୍ଠି ନୃପମଣି ।୧୭୩।

ଶ୍ରୀକୃଷ୍ଣାଂକ ମୁଖରୁ ନିର୍ଣ୍ଣୟ କଥା ପାଇ

ବୀଣାଯନ୍ତ୍ର ବାଇ ନାରଦେ ଗଲେ ତୋଷ ହୋଇ । ୧୭୪।

ସ୍ୱର୍ଗପୁରେ ଯାଇଂ ମୁନି ହୋଇଲେ ପରବେଶ

ନାରଦଂକ ଚରଣେ ଶରଣ କବି ସାରୋଳା ଦସ ।୧୭୫।୯୭୬୫।

 

ଧର୍ମଯଜ୍ଞର ଆୟୋଜନ

ୟେଥୁ ଅନନ୍ତରେ ତହୁଂ ମନୁ ପୁଚ୍ଛା କରି

କିସ ଚରିତ ହୋଇଲା ମୋତେ କହ ତପଚାରୀ  ।୧।

ରାଜା ପଚାରନ୍ତେ ତହୁଂ କହନ୍ତି ମୁନିବର

ସନ୍ତୋଷ ଚିତ୍ତେ ଶୁଣ ହୋ ବିଲଂକ ନୃପବର  ।୨।

ୟେଥୁ ଅନନ୍ତରେ ଯେ ଆସ୍ତାନ ମଉଳିଲା

ଚାରି ଭାଇନ୍ତ ଘେନି ଯୁଝେଷ୍ଠି ବିଜେ କଲା  ।୩।

ଗୋବିନ୍ଦ ଗରୁଡ଼କୁ ଘେନିଣ ସଙ୍ଗତରେ

ଆପଣେ ବିଜେ କଲେ ଯାଇଂ କୋଇନ୍ତାଂକ ନବରେ  ।୪।

କୋଇନ୍ତାଂକୁ ଦେଖି ସେ ବହୁତ କହିଲେ  ।୫।

ଅନେକ କଲ୍ୟାଣ ଯେ କଲେ କୋଇନ୍ତା ଦେଈ

ସମସ୍ତ କୁଶଳ ପଚାରିଲେ ତୋଷ ହୋଇ ।୬।

ସମସ୍ତ କୁଶଳ ଯେ କହିଲେ ନାରାଯଣ

ପୁତ୍ର ପଉତ୍ରୀ ମୋର ବ୍ରତି ଅଛନ୍ତି କ୍ଷମେଣ ।୭।

ଶୁଣିଣ କୋଇନ୍ତା ଦେବୀ ମନେ ଆନନ୍ଦ ହୋଇ

ଯୁଝେଷ୍ଠି ବୋଇଲେ ମାତାଂକ ମୁଖ ଚାହିଂ  ।୮।

ବେଗ କରିଣ ପାକ ସଞ୍ଚା କରାଅ ଗୋ ଆଈ

ଭିତରକୁ କହି ପଠିଆଅ ଦ୍ରୋପତୀଂକ ତହିଂ  ।୯।

ଛଡ଼ରସ ପ୍ରକାରେ ବ୍ୟଞ୍ଜନ ରନ୍ଧାଅ ବେଗ ହୋଇ  ।୧୦।

ୟେ ବଚନ ଶୁଣିଣ ଭିତର ପୁରକୁ କୋଇନ୍ତା ଦେବୀ ଚଳିଗଲେ

ଗୋବିନ୍ଦ ଆସିଛନ୍ତି ବୋଲି ଦ୍ରୋପତୀଂକି କହିଲେ   ।୧୧।

ୟେହା ଶୁଣିଣ ଯାଗଂସେନୀ ଆନନ୍ଦ ହୋଇଣ

ଛଡ଼ରସେ ମେଞ୍ଜନ ରନ୍ଧନ କଲେକ ତକ୍ଷଣ  ।୧୨।

ପଞ୍ଚୁବର୍ଣ୍ଣ କରି କଲେଜ ପିଠାମାନ

ଯାହା ସେ ଭୋଜନ କରିବେ ଦେବ ଜନାର୍ଦ୍ଦନ  ।୧୩।

ରନ୍ଧନ ବିଧି ସାରିଣ ଦ୍ରୁପଦ ଦୁଲଣୀ

ଯାଇଣ ଜଣାଇଲେ କୋଇନ୍ତା ଠାକୁରାଣୀ  ।୧୪।

କୋଇନ୍ତା ବୋଇଲେ ତୁମ୍ଭେ ଉଠ ହୋ ଚକ୍ରଧର

ବିଳମ୍ବ ନ କର ବେଳ ହେଳାଣି ଉଛୁର  ।୧୫।

ଭୀମ ଅର୍ଜୁନ ଯେ ନକୁଳ ସହଦେବ

ଯୁଝେଷ୍ଠିଂକି ଘେନିଣ ଯେ ବିଜୟ ବାସୁଦେବ  ।୧୬।

ସଞ୍ଚାମାନ ମାୟେ ତହିଂ ସଜାଡ଼ିଣ ଥିଲେ

ସୁବର୍ଣ୍ଣ ପଲମରେ ନେଇଣ ପରଶିଲେ  ।୧୭।

ଦିବ୍ୟ ଓରିଆରେ ସେ ଯେ ବାସଘିଅ ଲାଇ

ନାନା ବର୍ଣ୍ଣେ ତିଉଣ ପରଶନ୍ତି କୋଇନ୍ତା ଦେଈ  ।୧୮।

ଖିରି ଖିରିସା ସେ ଯେ ପରଶିଲେ ଆଣି

ସନ୍ତୋଷେ ଭୋଜନ ଯେ କରନ୍ତି ଚକ୍ରପାଣି  ।୧୯।

ପଞ୍ଚୁବର୍ଣେ ପିଠା ପରଶନ୍ତି ମାୟେ

ଆମ୍ବ ଅଡ଼ଙ୍ଗା ଯେ ଟଭାର ସମାନ ଦିୟେ  ।୨୦।

ପଣସ କଦଳୀ ଯେ ସୁସ୍ୱାଦ ଫଳମାନ

ଭୁଞ୍ଜିଣ ସନ୍ତୋଷ ହୋଇଲେ ନନ୍ଦନ ନନ୍ଦନ  ।୨୧।

ଭୋଜନ ସାରିଣ ଯେ ଉଠିଲେ ଛଡ଼ଜଣ

ଗଙ୍ଗାପାଣି ଘେନି ସେ ଯେ କଲେକ ଆଞ୍ଚୋବନ  ।୨୨।

କର୍ପୂର ବିଡ଼ିଆ ଯେ ପାନ ଆଣି ଦିଲେ

ସନ୍ତୋଷ ଜଗନ୍ନାଥ ଭୋଜନ ତାହା କଲେ  ।୨୩।

ଶୁଣ ହୋ ମନୁ ପୁରୁଷ ବଦୟନ୍ତି ଅଗସ୍ତି

ୟେକମନେ ଶୁଣ ତୁମ୍ଭେ ମଧ୍ୟପର୍ବ ରୀତି  ।୨୪।.

ଭୋଜନ ସାରଣ ତହୁଂ ପ୍ରଭୁ ଭାବଗ୍ରାହୀ

ପାଞ୍ଚ ଭାଇନ୍ତ ସେହୁ ଯେ ୟେକାନ୍ତରେ ରାଇ  ।୨୫।

ଯାଗ କରିବାକୁ କିଛି ବିଚାର ନ କର

ଯେତେ ଇଛା ବଇବାକୁ କୁବେର ଭଣ୍ଡାର ।୨୬।

ହୃଦଗତେ କଥାୟେ ଯେ ପାଞ୍ଚିଲେ ଜଗନ୍ନାଥେ

ରାଜୁସି ଯାଗ ଆଗକୁ ରାଜା କରିବା ନିମନ୍ତେ  ।୨୭।

ଲକ୍ଷେ ରାଜା ବରଣକୁ ସମୟ ମୋର ନାହିଂ

କିସ କିସ କରିବା ବୋଲି ଭାଳନ୍ତି ଭାବଗ୍ରାହି  ।୨୮।

ନାରଦଂକୁ ମନରେ ଯେ ସୁମରଣା କଲେ

ନାରାୟଣ ସୁମରନ୍ତେ କଳହ ପ୍ରିୟ ମୁନି ତା ଜାଣିଲେ ।୨୯।

ମନଦଣ୍ଡ ଚଢିଣ ଯେ ହୋଇଲେ ବାହାର

ପ୍ରବେଶ ହୋଇଲେ ଆସି ବାରୁଣାବନ୍ତ ପୁର  ।୩୦।

ନାରଦଂକୁ ଦେଖିଣ ଯେ ଉଠିଲେ ଛଡ଼ଜଣ

ନମସ୍କାର କଲେ ଯାଇଂ ନାରଦଂକ ଚରଣ  ।୩୧।

ନାରଦ ବୋଇଲେ କୁଷ୍ଣ କିମ୍ପେ ସୁମରିଲ

ଗୋବିନ୍ଦେ ବୋଇଲେ ଆଗେ ଯାହା କହିଥିଲ ।୩୨।

ଲକ୍ଷେ ରାଜା ବରଣକୁ ସମୟ ନ ପାଇବା

ୟେଥକୁ କିସ ବିଚାର କରିବା ମୁନିଦେବା  ।୩୩।

ନାରଦେ ବୋଇଲେ ଯେ ବୁଦ୍ଧିୟେ ମୋର ଅଛି

ୟେଥକୁ ଚିନ୍ତା କିଛି ନ କର ଶିରୀବଚ୍ଛି  ।୩୪।

ଲକ୍ଷେ ରାଜାନ୍ତ ୟେଥେ ବରଣ ନ କରି

ଚାରିଦିଗୁ ଚାରି ରାଜା ଆଣିମା ଶ୍ରେଷ୍ଠ କରି  ।୩୫।

ସ୍ୱର୍ଗପୁରରୁ ଇନ୍ଦ୍ରକୁ ଯେ ବରଣ କରିବା

ପାତାଳ ପୁରୁଂ ବାସୁକି ରାଜାକୁ ବରିବା  ।୩୬।

ୟେରୂପେ ଛଡ଼ଜଣ ରାଜା ଘେନି ଯାଗ କରିବା ଆରୋପଣ

ୟେଥକୁ ଚିନ୍ତା ତୁମ୍ଭେ ନ କର ନାରାୟଣ  ।୩୭।

ନାରଦଂକ ମୁଖରୁ ୟେସନେକ ବାକ୍ୟ ଶୁଣି

ଆନନ୍ଦ ହୋଇଣ କହନ୍ତି ଦେବ ଚକ୍ରପାଣି  ।୩୮।

ଭଲ କଥା ଗୋଟିୟେ କହିଲେ ମହାମୁନି

ଯାଗ ଆରମ୍ଭିବା ଆମ୍ଭେ କେଉଂଠାରେ ପୁଣି  ।୩୯।

ନାରଦ ବୋଇଲେ ଗଙ୍ଗାକୂଳେ ଯାଗଶାଳ କରିବା ନିରିବାଣ

ଜଳ ସୁଲଭ ତହିଂ ଯେ ପାଇବା ନାରାୟଣ  ।୪୦।

ନାରଦଂକୁ ଶ୍ରୀହରି ଯେ ପୁଣିହିଂ ପଚାରିଲେ

ମଞ୍ଚପୁରୁଂ କେଉଂ ରାଜା ବରିବାକ ଭଲେ  ।୪୧।

ନାରଦ କହନ୍ତି ତୁମ୍ଭେ ଶୁଣ ଦେବ ଦାମୋଦର

ୟେଥକୁ ବିଚାର ତୋତେ କହିବା ନିଜର ।୪୨।

ଚାରିଦିଗ ମଧ୍ୟରେ ଯେ ହସ୍ତିନା ନଗର ଗୋଟି

ରାଜା ତହିଂର ଯେ ଅଟଇ ଧୃତିରାଷ୍ଟ୍ରି ।୪୩।

ଗାନ୍ଧାରୀର ତନୟ ଯେ ମାନଗୋବିନ୍ଦାଇ

ପନ୍ନଗାନାରାୟଣ ୟେହାର ହାଥ ପାଦେ ପଦ୍ମ ଉକୁଟଇ ।୪୪।

ଲକ୍ଷେ ରାଜାଂକ ଉପରେ ଅଟଇ ମଉଡ଼ମଣି

ୟେହାତ ଆପଣେ ତୁମ୍ଭେ ଜାଣିଛ ପରିମାଣି  ।୪୫।

ଭୋଜବଂଶରେ ରାଜା ଯେ ଉଗ୍ରସେନ ରାୟେ

ତୋହୋର ଅଜାବଂଶ ଯେ ଅଟଇ ଦେବରାୟେ  ।୪୬।

ତାହାନ୍ତ ନିମନ୍ତ୍ରଣ କରି ଆଣିମାକ ଯାଇଂ

ୟେକଥା ତୋର ମନକୁ ଅଇଲା କି ଭାବଗ୍ରାହୀ  ।୪୭।

ଜଗନ୍ନାଥେ ବୋଇଲେ ମୁହିଂ ଜାଣିଲି ୟେ ଦୁଇ ରାଜା

ଆଉ ଦୁଇ ରାଜାଂକ ଚରିତ କହ ବ୍ରହ୍ମାଂକ ତନୁଜା  ।୪୮।

ନାରଦ ବୋଇଲେ ଆହୁରି ରାଜା ୟେକ ଅଛି

ତୋତେ ତରିଣ ତାହା ମୁଂ ନ କହଇ ଶିରୀବଚ୍ଛି  ।୪୯।

ଗୋବିନ୍ଦ ବୋଇଲେ ମନେ ନ କର କିଛି ଭ୍ରାନ୍ତି

ସଂଶୟ ଫେଡ଼ିଣ ୟେହା ମୋତେ କହିବା ମହାପତି।୫୦।

ନାରଦ ବୋଇଲେ ସେ ଜରାସନ୍ଧ ରାୟେ

ତାହା ଘରେ ବନ୍ଦୀଛନ୍ତି ଲକ୍ଷେକ ରାଜାୟେ ।୫୧।

ସେ ରାଜା ଅଇଲେ ସବୁ କଥା ହେବ ଭଲ

ଲକ୍ଷେ ରାଜା ସମାନେ ୟେ ହୋଇବାକ ତୁଲ  ।୫୨।

ୟେହା ଶୁଣି ହସିଲେ ଯେ ଦେବ ଚକ୍ରଧର

ଆମ୍ଭର ଭଗାରି ଯେ ଜାରାସନ୍ଧ ନୃପବର  ।୫୩।

ନାରଦେ ବୋଇଲେ ହୋ ନ କର କିଛି ଚିନ୍ତି

ଆମ୍ଭେ ତାଂକୁ ଆଣିବୁ ନ କର ମନେ ବ୍ୟଥା  ।୫୪।

ଗୋବିନ୍ଦ ବୋଇଲେ ଆମ୍ଭନ୍ତ ଦେଖିଲେ ସେ କଳି ଆରମ୍ଭିବ

ଅବଶ୍ୟ ତାହାର ଆମ୍ଭର ଦ୍ୱନ୍ଦ୍ୱ ଉପୁଜିବ  ।୫୫।

ଦ୍ୱନ୍ଦ କଳି ହୋଇଲେ ଯେ ଯାଗ ହୋଇବାକ ନଷ୍ଟ

ୟେଥିର ଚରିତ ମୋତେ କହ ବ୍ରହ୍ମାଂକର ବାଟ  ।୫୬।

ଗୋବିନ୍ଦଂକ ମୁଖରୁ ୟେହା ନାରଦେ ଶୁଣିଲେ

ଦ୍ୱନ୍ଦ କଳି ନୋହିବ ଆମ୍ଭେ ତାଂକୁ ତିଆରିବୁ ଭଲେ ।୫୭।

ୟେଥକୁ ସଂଶୟେ ତୁମ୍ଭେ ନ କର ଜନାର୍ଦ୍ଦନ

ୟେହାର ଦେବ କାର୍ଯ୍ୟ ହୋଇବ ବଡ଼ ଜାଣ ।୫୮।

ୟେ କଥା ଶୁଣି ତୂନୀ ହୋଇଲେ ନାରାୟଣ

ନାରଦଂକୁ ବୋଇଲେ ତୁମ୍ଭେ ସିନା ଜାଣ  ।୫୯।

ଗୋବିନ୍ଦ ବୋଇଲେ ବଳରାମେ ଯେ ଅଛନ୍ତି

ତାହାକୁ ଦେଖିଲେ ଅବଶ୍ୟ ଚଳିବେ ହଳପତି ।୬୦।

ନାରଦେ ବୋଇଲେ ସେ କିଛିହିଂ ନୋହିବେ

ଆମ୍ଭର କହନ୍ତେଣ ସେ ତୂନୀ ହୋଇଣ ରହିବେ ।୬୧।

ଶ୍ରୀହରି ବୋଇଲେ ହୋ ଶୁଣ ବ୍ରହ୍ମମୁନି

ୟେ କଥାକୁ ତୁମ୍ଭେ ଥାଅ ହେ ପରିମାଣି  ।୬୨।

ୟେମନ୍ତେ ତିନି ରାଜା ହୋଇଲେ ଭିଆଣ

ଆଉ ୟେଥୁ ଉତ୍ତାରେ କେଉଁ ରାଜା କୁହ ମହାମୁନ୍ୟ।୬୩।

ନାରଦେ ବୋଇଲେ ଶୁଣ ଶ୍ରୀପୁରୁଷ ଉତ୍ତମ

ରାଜାୟେ ଅଛି ଯେ ପୁଣ ମେରୁ ମେଖଳେଣ ।୬୪।

ବଡ଼ାଇ ବରିଷ୍ଠ ସେହୁ ଅଟଇ ନୃପବର

ଥାଠ ସଇନ ନାହିଂ ୟେକା କରଇ ରାଜ୍ୟ ଭାର ।୬୫।

ଧନୁ କମାୟେଣ ସେ ଧରିଥାଇ କରେ

ଶତ୍ରୁ ଉପଗତ ହେଲେ ନିବାରଇ ଭଲେ ।୬୬।

ଗୋବିନ୍ଦ ବୋଇଲେ ତୁମ୍ଭେ ଶୁଣ ମହାମୁନି

ଅପୂର୍ବ କଥା ୟେତ କହିଲ ତପୋଧନୀ ।୬୭।

ମେରୁ ମେଖଳକୁ କେହୁ ଯିବ ୟେହିକ୍ଷଣ

କେମନ୍ତ ଆସିବ ସେ ୟେତେ ଦୁଷ୍ଟ ଜନ  ।୬୮।

ନାରଦେ ବୋଇଲେ ହରି ନୋହଇ ସେ ଦୂର

ମେରୁ ମନ୍ଦର ବୋଲି ନାମ ସେ ପର୍ବତର  ।୬୯।

ମେରୁ ମେଖଳକୁ ସେ ସୀମା ଯେ ଲାଗଇ

ୟେ ନିମନ୍ତେ ଆମ୍ଭେ କହିଲୁ ଭାବଗ୍ରାହୀ  ।୭୦।

ଶ୍ରୀହରି ନାରଦଂକୁ ପଚାରନ୍ତି ଚାହିଂ

ତାହାର ନାମ କିସ କହିବା ମୁନି ଦୋହୀ ।୭୧।

ନାରଦେ ବୋଇଲେ ତାହାର ନାମ ମୃଗସେନ

ବ୍ୟାସ ମୁନିଂକର ସେହୁ ଅଟଇ ନନ୍ଦନ ।୭୨।

ତାହାର ମାତା ସେ ହାଦେ ମୃଗୁଣୀ ଅଟଇ

ୟେହା ଶୁଣି ହସି ଉଠିଲେ ଭାବଗ୍ରାହୀ  ।୭୩।

କହ ମୁନିବର ୟେହୁ କେଉଣ ପ୍ରକାର

ୟେହା ଶୁଣିବାକୁ ଶ୍ରଦ୍ଧା ହୋଇଲା ମନର ।୭୪।

ଶ୍ରୀକୃଷ୍ଣଂକର ବାଣୀ ଶୁଣି ନାରଦେ କହନ୍ତି

ୟେକମନ ହୋଇ ଶୁଣ ବାସୁଦେବର ସନ୍ତତି  ।୭୫।

ୟେକ ଦିନେ ବ୍ୟାସ ବନେ ଭ୍ରମି ଯାଇଥିଲେ

ମୃଗ ମୃଗୁଣୀଂକର ସେ ଶୃଙ୍ଗାର ଦେଖିଲେ  ।୭୬।

କାମବାଣ ତାହାଂକର ହୃଦରେ ପୀଡ଼ିଲା

ପଞ୍ଚୁ ଆତ୍ମା ତାହାଂକର କାମ ଜଳରେ ବୁଡ଼ିଲା ।୭୭।

ଖଣ୍ଡେ ଦୂରେ ଦେଖିଲେ ମୃଗୁଣୀରେ ଅଛି

ତାହାକଇଂ କୋଳ କରି ଧଇଲେ ମୁନିବଚ୍ଛି ।୭୮।

ଅନେକ ପ୍ରକାର ସେ ଯେ ସୁରତି ଭୋଗ କଲେ

ସୁରତି ରସରେ ସେହୁ ବିନ୍ଦୁ ଯେ ଟାଳିଲେ ।୭୯।

ବିନ୍ଦୁଛାଡ଼ି ମୁନିବର ଗଲେ ତତକ୍ଷଣ

ସେ ଆମୋହ ରେତ ରହିଲା ମୃଗୁଣୀ ଗର୍ଭେଣ  ।୮୦।

ଲାଭି ମଣ୍ଡଳକୁ ଯହୁଂ ଆବୋରି ରହିଲା

ସଇନ୍ଦୁ ପୁତ୍ରେକ ତାର ଗର୍ଭୁ ଉପୁଜିଲା ।୮୧।

ପୁତ୍ର ପ୍ରସବି ମୃଗୁଣୀ ଗଲା ସ୍ୱର୍ଗ ଆଳେ

କ୍ଷୀର ନ ପାଇଣ ପୁତ୍ର ରୋବଇ ବିକଳେ ।୮୨।

ବାଳକ ବିକଳ ଧର୍ମ ନିରଂଜନ ଜାଣିଲେ

ଶୂନ୍ୟେ ରହିଣ ସେହୁ ଯେ ବ୍ୟାସଂକୁ କହିଲେ  ।୮୩।

ମୃଗିଣୀ ଗର୍ଭରୁ ଯେବଣ ପୁତ୍ର ଉପୁଜିଛି

ତୁମ୍ଭର ବୀର୍ଯ୍ୟେ ସେତୁ ଯେ ଜନମ ଲଭିଛି ।୮୪।

ତାହାକି ଆଣିଣ ତୁମ୍ଭେ ବେଗେ ପ୍ରତିପାଳ

ନୋହିଲେ ଶାପ ପାଇବଟି ଋଷିର ଦୁଲାଳ  ।୮୫।

ଧର୍ମ ଦେବତାର ମୁଖୁଂ ୟେସନେକ ବାକ୍ୟ ଶୁଣି

ସେ ପୁତ୍ରକୁ ଆଣିଣ ଯେ ପାଳିଲେ ମୁନିମଣି  ।୮୬।

ଶହସ୍ର ଶାହାସ୍ର ବିଦ୍ୟା ତାକୁ ଅନେକ ଶିଖାଇଲେ

ବହୁତ କଲ୍ୟାଣ କରିଣ ସେ ବର ଦିଲେ ।୮୭।

ଚିର ଆଇଷ ହୋଇ ରହ ୟେହୁ ପୃଥିବୀରେ

ପୃଥୀର ରାଜାୟେ ତୋତେ ଜିଣି ନୁଆରହୁ ସମରେ ।୮୮।

ୟେ କାଳେ ଯୁଦ୍ଧ ତୁହି କରିବୁ କୁମର

ୟେକା ଧନୁରେ ୟେକା ନାରାଜ ଧରିଥିବୁ କର  ।୮୯।

ନାମ ଗୋଟି ତାହାର ଯେ ଦିଲେ ମୃଗସେନ

ମେରୁ ମନ୍ଦର ପର୍ବତେ ଦିଲେ ତାକୁ ସ୍ଥାନ ।୯୦।

ନାରଦଂକ ମୁଖରୁ ଯେ ଶ୍ରୀହରି ଶୁଣିଲେ

କୁରୁବଂଶେ ମୃଗସେନ ଜାତ ବୋଲିଣ ବୋଇଲେ  ।୯୧।

ୟେଥୁ ଅନନ୍ତରେ ଯେ ବିଲଂକ ରାଜନ

ମୁନିଂକ ଚରଣେ ପ୍ରଲମ୍ବଇ ପୁଣ ପୁଣ ।୯୨।

ବଡ଼ ସଂଶୟ ମୋତେ ଯେ ଲାଗିଲା ଗୋସାଇଂ

ଯାହା ପଚାରିବି ମୋତେ ଫେଡ଼ି କହିବାକୁ ତହିଂ ।୯୩।

ପୁତ୍ର ସ୍ରସବିଣ ସେ ମୃଗିଣୀ ସ୍ୱର୍ଗେ ଗଲା

ପୂର୍ବଜନ୍ମ କଥା ତାହାର କହିବା ମୁନିବଳା ।୯୪।

ଅଗସ୍ତି ବୋଇଲେ ତୁମ୍ଭେ ଶୁଣ ସାବଧାନେ

ତାହାର ଜନ୍ମ ତୋତେ କହିବା ଆଖ୍ୟାନେ ।୯୫।

ପୂର୍ବରେ ସେ ବିଦ୍ୟାଧରୀ ସ୍ୱର୍ଗପୁରେ ଥିଲା

ଶାପ ପାଇ ମୃଗ ଘରେ ଜନମ ଲଭିଲା ।୯୬।

ୟେହା ଶୁଣି ବିଲଂକ ଦେଶ ରାଜା ପଚାରିଲା ପୁଣି

ମୁନିଂକ ଚରଣେ ଶତେ ସହସ୍ର ଦଇନି  ।୯୭।

ଅଗସ୍ତି କହନ୍ତି ତୁ ହୋ ମନୁରାୟେ ଶୁଣ

ଧନୁମାସ ଅନ୍ତରେଣ ମକର ମାସ ପୁଣ ।୯୮।

ମକର ସ୍ରାହାନକୁ ଚଳନ୍ତି ସର୍ବଜନ

ଇନ୍ଦ୍ରର ପୁତ୍ର ଯେ ସୁର ଗନ୍ଧର୍ବ ୟେକ ଜଣ ।୯୯।

ସେହି ଯାଉଅଛି ମକର ସ୍ରାହାନ

ମେନକାର ଝିଅ ଯେ କୁନ୍ତଳା ତା ନାମ ।୧୦୦।

ସୁନ୍ଦର ପଣେ ତାକୁ ଯେ ପଟାନ୍ତର ନାହିଂ

ସେହି ଯାଉଅଛି ମକର ସ୍ରାହାନ କରିବାକ ପାଇଁ ।୧୦୧।

ତାହାକଇଂ ଗନ୍ଧର୍ବ ଯେ ଦେଖିଲା ବାଟରେ

କୁନ୍ତଳାକୁ ସେହୁ ୟେ ଧଇଲାକ ବଳେ ।୧୦୨।

ବଳବନ୍ତେ ଧରନ୍ତେ ସେ କେବେହେଂ ନ ମଙ୍ଗିଲା

ରାଗେଣ ଗନ୍ଧର୍ବ ତାହାକୁ ଶାପ ଦିଲା   ।୧୦୩।

ମୃଗ ପଶୁ ପ୍ରାୟେକ ହୋଇଲା ତାର ଦେହୀ

ଯା ଯା ମୃଗିଣୀ ରୁପେ ମଞ୍ଚରେ ଜାତ ହୁଅ ତୁହି ।୧୦୪।

ଡରେଣ ସୁନ୍ଦରୀ ଯେ ଗନ୍ଧର୍ବକୁ ପଚାରିଲା

ଶାପକୁ କାରଣ ମୋତେ କହିବା ଇନ୍ଦ୍ରବଳା  ।୧୦୫।

କନ୍ୟାର ଭଗତି ଦେଖିଣ ଦୟା କଲା

ଶାପକୁ କାରଣ ବଚନ କହିଲା ।୧୦୬।

ବୋଇଲା ଅସ୍କନ୍ଦ ବନରେ ଚରୁଥିବୁ

ବ୍ୟାସଂକୁ ଦେଖିଲେ ତୁହି କାରଣ ପାଇବୁ ।୧୦୭।

କୁନ୍ତଳା ବୋଇଲା ମୁଂ କେମନ୍ତେ ଜାଣିମି

କେମନ୍ତେ ପ୍ରକାରେ ମୁହିଂ ମୁନିଂକି ଚିହ୍ନିବି ।୧୦୮।

ଗନ୍ଧର୍ବ ବୋଇଲା ମନୁଷ୍ୟ ହୋଇ ତୋତେ ଯେ ରମଣ କରିବ

ତାହାର ବୀର୍ଯ୍ୟେ ତୋହୋର ପୁତ୍ରେକ ଉପୁଜିବ ।୧୦୯।

ତେବେ ସେ ଶାପରୁ ତୁହି ମୋକ୍ଷ ଯେ ହୋଇବୁ

ପୁର୍ବ ଦେହ ପାଇଣ ତୁହି ସ୍ୱର୍ବକଇଂ ଯିବୁ  ।୧୧୦।

ୟେତେକ ଶାପ ଦେଇଣ ଗନ୍ଧର୍ବ ଚଳିଗଲା

କୁନ୍ତଳା ମୃଗୁଣୀ ରୂପେ ମଞ୍ଚରେ ଜନମିଲା ।୧୧୧।

ସାରବତୀ ମୃଗୁଣୀ ଗର୍ଭରୁ ହେଲା ସେ ଉତପନ

ମୃଗଂକର ମଧ୍ୟରେ ନାହିଂ ସେ ୟେମନ୍ତ ଶୋଭାବନ ।୧୧୨।

ୟେହା ଶୁଣିଲୁଟି କି ହୋ ମନୁ ଯେ ନୃପବର

ୟେସନେକ ପ୍ରକାରେ ଜନ୍ମ ଚରିତ ମୃଗସେନର  ।୧୧୩।

ନାରଦେ କହିଲେ ଜଗନ୍ନାଥଂକର ଆଗେ

ଶୁଣିଲୁଟି କି ଆମ୍ଭେ ଯାହା କହିଲୁ ସୁବାଗେ ।୧୧୪।

ନାରାଦଂକୁ ହସିଣ ଯେ କହନ୍ତି ଜନାର୍ଦ୍ଦନ

ୟେ ରାଜା ମାନନ୍ତ କିୟେ କରିବ ବରଣ ।୧୧୫।

ୟେଥିର ଚରିତ ମୋତେ କର ତପୋଧନ

ନାରଦେ ବୋଇଲେ ତୁମ୍ଭେ ଶୁଣ ହୋ ଭଗବାନ  ।୧୧୬।

ସହଦେବଂକୁ ପଚାର ୟେଥିର ଚରିତହିଂ କହୁ

ଆଗତ ନିଗତ ଯେ ଜାଣଇ ହାଦେ ସେହୁ  ।୧୧୭।

ସହଦେବଂକ ମୁଖ ଚାହିଂ ପଚାରିଲେ ନାରାୟଣ

ୟେ ଯାଗ ନିର୍ଭା ପଡ଼ିବଟି କି ହୋ ମନ୍ତ୍ରୀରାଣ ।୧୧୮।

ସହଦେବ ଯେ କରକୁ ବେଗେ ଦିଲେ ଚାହିଂ

ୟେଥିର କିଛି ସଂଶୟ ନାହିଂ ଭାବଗ୍ରାହୀ ।୧୧୯।

ୟେଥିରେ କଳି ଦ୍ୱନ୍ଦ ନୋହିବ ନା କିଛିହିଂ

ନିଟିନ୍ତେ ଯାଗ ଆରମ୍ଭ କରିବା ଗୋସାଇଂ ।୧୨୦।

ସହଦେବ ମୁଖରୁ ଯେ ୟେସନେକ ଶୁଣି

ମନେ ମନେ ଆନନ୍ଦ ହୋଇଲେ ଚକ୍ରପାଣି  ।୧୨୧।

ଗୋବିନ୍ଦ ବୋଇଲେ ତୁ ହୋ ଶୁଣ ମନ୍ତ୍ରୀବର

ରାଜା ମାନନ୍ତ ବରଣ କେମନ୍ତେ କରିବା ବିଚାର ।୧୨୨।

ସହଦେବ ବୋଇଲେ ତୁମ୍ଭେ ଶୁଣିମା ସୃଷ୍ଟିକେଶ

ପାତାଳ ଭ୍ରବନକୁ ସେ ଯାନ୍ତୁ ମାଦ୍ରୀ ଶିଷ ।୧୨୩।

ମୃଗସେନ ଜାରାସନ୍ଧକୁ ଆଣନ୍ତୁ ଭୀମସେନ ଠାକୁର

ନାରଦଂକୁ ପଚାର ସେ ଜାଣନ୍ତି ୟେଥିର ବିଚାର  ।୧୨୪।

ଅର୍ଜୁନ ଠାକୁର ଯାନ୍ତୁ ସ୍ୱର୍ଗ ଭୁବନ ଯାୟେ

ମଥୁରାୟେ ବରଣ କରନ୍ତୁ ଉଗ୍ରସେନ ରାୟେ ।୧୨୫।

ମୁହିଂ ବରଣ କରି ଆଣିମି ଭାନୁମତୀ ରମଣ

ୟେମାନେ ଅଟନ୍ତି ତ ଆମ୍ଭର ବନ୍ଧୁବର୍ଗମାନ ।୧୨୬।

ୟେମାନେ ନିମନ୍ତ୍ରଣ ତ କରିବା ଅଟଇ

ୟେ ତୁମ୍ଭର ବିଚାରକୁ ଆସଇ କେମନ୍ତ ସତ୍ୟଭାମା ସାଇଂ ।୧୨୭।

ୟେସନେକ ବିଚାର ସହଦେବ ଯେ କହନ୍ତେ

ଅଳପ ହୋଇଣ ତହୁଂ ହସିଲେ ଜଗନ୍ନାଥେ ।୧୨୮।

ଶ୍ରୀହରି ନାରଦଂକୁ ହକାରିଣ କହନ୍ତି

ମଗଧ ଦେଶକୁ ତୁମ୍ଭେ ଚଳ ତତକ୍ଷଣାନ୍ତି ।୧୨୯।

ଜାରାସନ୍ଧ ରାଜା ଆସ୍ତନରେ ତୁମ୍ଭେ ବସିଥିବ

ନିମନ୍ତ୍ରଣ ଯୋଗାଡ଼ ଘେନି ଭୀମସେନ ଯିବ ।୧୩୦।

ଗୋବିନ୍ଦଂକ ବଚନେ ନାରଦେ ସନମତ କଲେ

ମନଦଣ୍ଡେ ଚଢି ମୁନି ତକ୍ଷଣେ ଚଳିଗଲେ ।୧୩୧।

ଶୁଣ ହୋ ମନୁ ପୁରୁଷ ବଦନ୍ତି ଅଗସ୍ତି

ୟେଥି ଉତ୍ତାରେଣ ଯାହା କଲେକ ଲକ୍ଷ୍ମୀପତି ।୧୩୨।

ସାବଧାନ ହୋଇ ତୁମ୍ଭେ ୟେକମନେ ଶୁଣ

ବିଚିତ୍ର ଆଖ୍ୟାନ ୟେତୁ ମହାଭାରତ ପୁରାଣ ।୧୩୩।

ବାରୁଣାବନ୍ତ ପୂର୍ବପାଖେ ସୁରଗଙ୍ଗା ତୀରେ

ଯାଗକୁ ଅନୁକୂଳ ଯେ କରନ୍ତି ସେଠାରେ ।୧୩୪।

ବାଳବ ନାମେ କରଣ ଆୟୁଷ୍ମାନ ନାମେ ଯୋଗ

ମେଷ ସଂକ୍ରାନ୍ତିକି ଯେ ୟେଗାରଦିନ ଭୋଗ ।୧୩୫।

ଦ୍ୱିଜା ନକ୍ଷତ୍ର ସେଦିନ ଯୁଝେଷ୍ଠିକୁ ସାଧକ ତାର

ସେ ଦିନ ଯାଗକୁ କରାଇଲେ ଅନକୂଳ ।୧୩୬।

ଯାଗଶାଳ ଭୂମିଖଣ୍ଡ ଲଙ୍ଗରେ ଶୋଧାଇ

ପ୍ରତିଷ୍ଠା ନିମନ୍ତେ ତହିଂ ମାଘୀ ତିଳ ଯେ ବୁଣାଇ ।୧୩୭।

ବିଶ୍ୱକର୍ମାଂକୁ ତହୁଂ ଶ୍ରୀହରି ସୁମରଣା କଲେ

ତତକ୍ଷଣେ ଆସି ବିଶ୍ୱକର୍ମା ଯେ ମିଳିଲେ  ।୧୩୮।

ଗୋବିନ୍ଦେ ବୋଇଲେ ତୁମ୍ଭେ ଶୁଣ ହୋ ବିଶ୍ୱକର୍ମା

ସ୍ୱର୍ଗପୁରୁ ଘେନିଆସ ସଭା ଯେ ସୁଧର୍ମା ।୧୩୯।

ସାତଦିନ ପରିଯନ୍ତେ ଆଣିମ ଆସ୍ତାନ

ଯୁଝେଷ୍ଠି ଦେବ ସେଠାରେ ଯାଗ କରିବେ ଆରୋହଣ  ।୧୪୦।

ବିଶ୍ୱକର୍ମା ବୋଇଲେ ତୁମ୍ଭେ ଶୁଣିମା ଗୋସାଇଂ

ସବୁକଥାରେ ତୋର ଭିଆଣ ଅଟଇ  ।୧୪୧।

ୟେକା ରାତ୍ରକ ଭିତରେ ପ୍ରଭୁ ସବୁ ନିର୍ଭା ହେବ

ୟେତକୁ କିଛି ଚିନ୍ତା ତୁମ୍ଭେ ନ କର ବାସୁଦେବ ।୧୪୨।

ବିଶ୍ୱକର୍ମାଂକୁ ଆଗ୍ୟାଂ ଦିଲେ ନାରାୟଣ

ଆପଣେ ବିଜେକଲେ କୁବେର ଭୁବନ ।୧୪୩।

ଶ୍ରୀଭଗବାନଂକୁ ଦେଖି କୁବେର ପାୟେ ପଡ଼ି ଶୁତିଲା

ଶିରେ କର ଦେଇ ପୁଣ ଛାମୁରେ କହିଲା ।୧୪୪।

ବୋଇଲା ଆଜ ମୋର ପବିତ୍ର ହୋଇଲା ୟେହୁ ଭୁବନ

କିମର୍ଥେ ବିଜୟେ କଲ ପ୍ରଭୁ ଭଗବାନ   ।୧୪୫।

ଗୋବିନ୍ଦେ ବୋଇଲେ ଆମ୍ଭେ ଅଇଲୁ ୟେଥିପାଇଂ

ଯାଗ ଗୋଟି ଯେ କରିବେ ଯୁଝେଷ୍ଠି ନରସାଇଂ  ।୧୪୬।

ଯେତେକ ଧନ ଲାଗିବ ସମସ୍ତ ଦେଉଥିବ

ସାତଦିନ ଯାୟେ ଯାଗ ଯେମନ୍ତ ନିର୍ଭାଯିବ   ।୧୪୭।

କୁବେ ବୋଇଲେ ଗୋସାଇଂ ୟେ ତୋହୋର ଭଣ୍ଡାର

ମୋତେ କିମ୍ପେ ଧନ ମାଗୁଅଛ ଆହୋ ଚକ୍ରଧର  ।୧୪୮।

କୁବେରଂକୁ ଆଗ୍ୟାଂ ଦେଇ ଚଳିଲେ ନାରାୟଣ

ପ୍ରବେଶ ହୋଇଲେ ଯାଇଂ ବାରୁଣା ଭୁବନ ।୧୪୯।

ବରୁଣ ଦେବତା ଦେଖିଣ ତହୁଂ ନମସ୍କାର କଲା

ଅନେକ ପ୍ରକାରେ ଛଡ଼ ଅର୍ଘେ ଯେ ପୂଜିଲା ।୧୫୦।

ବରୁଣ ବୋଇଲା ଗୋସାଇଂ ଅଇଲ କିମର୍ଥେ

ଠାକୁରେ ବୋଇଲେ ଯାଗ ଗୋଟିୟେ କରିବେ

ଯୁଝେଷ୍ଠି ନରନାଥେ ।୧୫୧।

ସୁବର୍ଣ୍ଣର ପଲମ ନିତି ଯେତେ ଲାଗୁଥିବ

ସାତଦିନ ପରିଯନ୍ତେ ସମସ୍ତ ଦେବ ।୧୫୨।

ବରୁଣ ବୋଇଲା ଗୋସାଂଇ ତୋର ଥୋଇଲା ପଦାର୍ଥ

ଦଇବାକୁ ମୁଂ କି ନାସ୍ତି କରିବି ଜଗନ୍ନାଥ  ।୧୫୩।

ବରୁଣର ମୁଖରୁ ୟେ ୟେସନେକ ବାକ୍ୟ ଶୁଣି

ବାହାର ହୋଇଲେ ତହୁଂ ଦେବ ଚକ୍ରପାଣି ।୧୫୪।

କିରାତେଶ୍ୱର ବନେ ଯାଇଂ ହୋଇଲେ ପରବେଶ

କିରାତେଶ ନୃପତିକି ହକରାଇଲେକ ପାଶ ।୧୫୫।

କିରାତେଶ୍ୱର ଗୋବିନ୍ଦଂକୁ ନମସ୍କାର କାଲ

କିମର୍ଥେ ୟେ ଠାବକୁ ଅଇଲ ବୋଲି ପଚାରିଲା  ।୧୫୬।

ଗୋବନ୍ଦ ବୋଇଲେ ଶୁଣ ତି କିରାତେଶ୍ୱର

ଯାଗ କରିବେ ବାରୁଣାବନ୍ତେ ଯୁଝେଷ୍ଠି ଠାକୁର ।୧୫୭।

ଯେତେକ ତହିଂରେ ଲାଗୁଥିବେ ଫଳମୂଳ

ନାବରେ ପୁରୋଇଣ ତୁ ଯେ ଦେଉଥିବୁ ସକଳ  ।୧୫୮।

ୟେତେ କହି ସେଠାବରୁ ଚଳିଗଲେ ନାରାୟଣ

ସମସ୍ତ ନିଯୋଗୀମାନନ୍ତ ନିଯୋଗ ଦେଇଣ ।୧୫୯।

ବାରୁଣାବନ୍ତରେ ପ୍ରବେଶ ହେଲେ ଜନାର୍ଦ୍ଦନ

ଦରଶନ କଲେ ଆସି ଯୁଝେଷ୍ଠି ରାଜନ  ।୧୬୦।

ଦେଖିଲେ ଯାଗଶାଳ ତହିଂ ହୋଇଛି ଭିଆଣ

ରାଜାମାନଂକ ଅନରୂପ ଆସ୍ତାନ ବେହରଣ ।୧୬୧।

ଋଷିମାନନ୍ତ ମଠ ତହିଂ ପ୍ରତି ପ୍ରତି କରି

ଯେଉଂରୂପେ ବିଶ୍ୱକର୍ମାଂକୁ କହିଥିଲେ ନରହରି ।୧୬୨।

ଷୋଳ କୋଶ ପରିଯନ୍ତେ ସମସ୍ତ ଯାଗଶାଳ ଆରମ୍ଭିଲା

ସୁବର୍ଣ୍ଣର ଶେଣୀ ଚନ୍ଦନ କାଠ ରୁଅ କଲା ।୧୬୩।

ମର୍କତର ସ୍ତମ୍ଭମାନ ବଇତୁର୍ଯ୍ୟର ଓରା

ନାନାବର୍ଣ୍ଣେ ରତନମାନ ଦିଶୁଛନ୍ତି ତୋରା ।୧୬୪।

ବଖରାକୁ ବଖରା ଯେ ପ୍ରତି ପ୍ରତି ଚିତ୍ର

ଘର ଚାଳମାନ ଛାଉଂଣି ଯେ ତେଜପତ୍ର  ।୧୬୫।

ଆପଣେ ବିଶ୍ୱକର୍ମା ତା କରିଛି ଘଟଣ

ପଟାନ୍ତର ଦେବାକୁ ନାହି ନା ତିନି ଭୁବନେଣ ।୧୬୬।

ଆଉର ବିଶେଷେ ଯେ ଗୋବିନ୍ଦଂକ ଆଗ୍ୟାଂ

ବିଶ୍ୱାକର୍ମା ତାହା କାହିଂ କରିବ ଅବଗ୍ୟାଂ  ।୧୬୭।

ୟେମନ୍ତେ ବିଶ୍ୱକର୍ମା ସଭାମଞ୍ଚ କରିଣ

ବେଗେ ଚଳିଗଲା ସେହୁ ବଇକୁଣ୍ଠ ଭୁବନ ।୧୬୮-୯୦୬୯।

 

Unknown

ରାଜାମାନଙ୍କୁ ନିମନ୍ତ୍ରଣ

ୟେଥୁ ଉତ୍ତାରେଣ କିସ ହୋଇଲା ବିଧାନ

ବିଶେଷି କହ ହେ କୁମ୍ଭଋଷିର ନନ୍ଦନ  ।୧।

ଅଗସ୍ତି ବୋଲନ୍ତି ତୁ ହୋ ଶୁଣ ମନୁରାୟେ

ରାଜାନ୍ତ ନିମନ୍ତ୍ରଣ ସେହୁ କଲେକ ଉପାୟେ  ।୨।

ଭୀମସେନକୁ ଚାହିଂ ବୋଲନ୍ତି ଚକ୍ରଧର

ଜାରାସନ୍ଧ ରାଜାକୁ ଯାଇ ନିମନ୍ତ୍ରଣ କର  ।୩।

ନାରଦେ ଯାଇଛନ୍ତି ତାହାର ଭୁବନକୁ

ନିମନ୍ତ୍ରଣ ଘେନିଯାଅ ତୁ ତାହାର ପୁରକୁ  ।୪।

ଆବର ମୃଗସେନକୁ କରିବୁ ବରଣ

ନିମନ୍ତ୍ରଣ ଯୋଗାଡ଼ ଘେନି ଚଳ ହୋ ଭୀମସେନ  ।୫।

ମାହେନ୍ଦ୍ର ବେଳ ଆସି ହୋଇଳା ବ୍ରିକୋଦର

ସଙ୍ଗତେ ଥାଠ ସଇନ ଯେ ଘେନିଣ ଅପାର  ।୬।

ଦୁଇ କ୍ଷଉଣୀ ବଳ ଦୁଇଶତ ରଥ

ଚାରି ଲକ୍ଷ ହାଥୀ ସଙ୍ଗେ ଅଛନ୍ତି ମାହୁନ୍ତ ।୭।

ସହସ୍ରେକ ଅଶ୍ୱ ଦୁଇ ସହସ୍ର ପାଦାନ୍ତି

ଲକ୍ଷେକ ଶଙ୍ଖ ଯେ ତାର ଛାମୁରେ ଫୁରନ୍ତି  ।୮।

ଶୁଭ ଅନକୂଳେ ଭୀମ ବାହାର ହୋଇଗଲା

ଦୁଇକୋଶ ମାତି ଥାଠ ପଲାଣି ଚଳାଇଲା ।୯।

ପ୍ରବେଶ ଭୀମସେନ ମଗଧ ଦେଶେ ୟାଇଂ

ଚାରଗଣେ ଯାଇ ରାଜା ଛାମୁରେ ଜଣାଇଂ  ।୧୦।

ଭୋ ଦେବ ପରଦେଶର ଥାଠ ଯେ ଗୋଟାୟେ

ସେ ଆମ୍ଭର ରାଜ୍ୟରେ ଆସି ପଶିଲେ ମହାରାୟେ ।୧୧।

ଶୁଣିଣ ଜାରାସନ୍ଧ କୋପେଣ ଥରହର

ବୋଇଲା ଥାଠକୁ ରେ ଭଳ କରିଣ ପଚାର  ।୧୨।

ଜାରାସନ୍ଧ ମୁଖରୁ ଚାର ୟେସନେକ ଶୁଣି

ନାରଦେ ବୋଇଲେ ରାଜା ତୁ ବୁଝ ପରିମାଣି  ।୧୩।

ନାରଦଂକ ବଚନେ ମଗଧ ଦେଶ ନରସାଇଂ

ଚାରକୁ ବୋଇଲା ରେ ତୁମ୍ଭେ ଯାଅ ବେଗ ହୋଇ ।୧୪।

କାହିଂର ଥାଠ ସେ ଯେ ତାହାନ୍ତ ପଚାର

କି ନିମନ୍ତେ ଥାଠ ଚଳାଉଅଛି ରାଜ୍ୟକୁ ମୋହୋର ।୧୫।

ୟେମନ୍ତେ ଚାରଗଣେ ପ୍ରବେଶ ଭୀମସେନ ଛାମୁରେ

ବୋଇଲେ କାହିଂକି ପଶୁଅଛି ଆମ୍ଭର ରାଜ୍ୟରେ  ।୧୬।

ଭୀମସେନ ବୋଇଲେ ଆମ୍ଭେ ଯୁଦ୍ଧକୁ ଆସିନାହୁଂ

ଯାଗକୁ ଯିବା ନିମନ୍ତେ ନିମନ୍ତ୍ରଣ ଯୋଗାଡ଼ ଆଣିଅଛୁଂ ତହୁଂ ।୧୭।

ଭୀମସେନ ମୁଖୁଂ ଚାରେ ୟେସନେକ ବାଣୀ ଶୁଣି

ଡଗରମାନେ ସେ ଠାବରୁ ବାହୁଡ଼ିଲେ ତତକ୍ଷଣି ।୧୮।

ରାଜାଂକ ଛାମୁରେ ଯାଇ କହିଲେ ବାରତ

ନିମନ୍ତ୍ରଣ ଯୋଗାଡ଼ ଘେନି ଆସିଅଛି ୟେକ ମହାରଥ ।୧୯।

ୟେଥକୁ କିସ ଅଗ୍ୟାଂ ଯେ ହୋଇବ ଗୋସାଇଂ

ଜାରାସନ୍ଧ ବୋଇଲା ତହୁଂ ନାରଦଂକ ମୁଖ ଚାହିଂ ।୨୦।

କିସ ନିମନ୍ତ୍ରଣ ୟେହୁ ସେ କେଇଣ ଦେଶ ରାଜା

ୟେହା ମୋତେ ସଞ୍ଚପିଣ କହ ବ୍ରହ୍ମଦ୍ୱିଜା ।୨୧।

ନାରଦ ବୋଇଲେ ଶୁଣ ମଗଧେଶ୍ୱର ସାଇଂ

ହାସ୍ତିନା କଟକେ ଯେ ରାଜା କୁରୁବଇ  ।୨୨।

ତାହାର ଭ୍ରାଥ ପଞ୍ଚୁ ପାଣ୍ଡବେ ଅଛନ୍ତି

ବାରୁଣାବନ୍ତରେ ସେ ନବର କରି ରହିଥାନ୍ତି  ।୨୩।

ଯୁଝେଷ୍ଠି ଦେବ କରିବେ ଧର୍ମଯାଗ ଗୋଟିୟେ

ଚାରି ଦିଗରୁ ଚାରି ରାଜା ଗରଣ ହୋଇବେ ସେହି ଠାୟେ ।୨୪।

ଲକ୍ଷେ ରାଜା ଉପରେ ତୁ ଅଟୁ ଯେ ଗରିଷ୍ଠ

ତେଣୁ କରି ତୋତେ ବରଣ କରିଅଛନ୍ତି ପଣ୍ଡୁଚାଟ ।୨୫।

ନାରଦଂକ ବଚନେ ତହୁଂ ଜାରାସନ୍ଧ ବୋଇଲା

ଭଲ କଥା ଗୋଟିୟେ ତ ତୁମ୍ଭେ କହିଲ କହିଲ ବ୍ରହ୍ମବଳା ।୨୬।

ମୋତେ ତ ଅସମ୍ଭବ ଲାଗୁଅଛି ୟେହୁ କଥା

ୟେଥିର ବିଚାର ତୁମ୍ଭେ କୁହ ହେ ବ୍ରହ୍ମବେତ୍ତା ।୨୭।

ରାମକୃଷ୍ଣ ଦୁଇଭାଇ ଆସିଲେ ସେଠାଇଂକି

ଯାଗର ଚରଚା ସେ କରିବେ ଭାଳଇ ତହିଂକି  ।୨୮।

ନାରଦେ ବୋଇଲେ ତହିଂକି ନ ଭାଳ ହୋ ରାୟେ

ଉଚ୍ଛବ ବରଣ କାଳେ କେବେହେଂ ଦ୍ୱନ୍ଦ ନୋହେ ।୨୯।

ନାରଦଂକ ବଚନେ ରାଜା ତୂନୀ ହୋଇ ରହିଲା

ଡଗର ମୁଖକୁ ସେ ଯେ ଚାହିଂଣ ଆଗ୍ୟାଂ ଦିଲା ।୩୦।

ଆରେ ରେ ଚାରଗଣ ଯାଅ ବହନ ହୋଇଣ

ମୋହୋର ଛାମୁକୁ ଭୀମସେନକୁ ବେଗେ ଆଣ ।୩୧।

ଶୁଣି ଚାରଗଣମାନେ ତତକ୍ଷଣେ ଚଳିଗଲେ

ଭୀମସେନଂକ ଛାମୁରେ ଯାଇଂ ପ୍ରବେଶ ହୋଇଲେ ।୩୨।

ଜାରାସନ୍ଧ ପଠିଆଇଲେ ତୁମନ୍ତ ପାଛୋଟି ନେମାପାଇଂ

ଉଛୁର ହୋଇଲେ ସେ ଯେ ଚଳିବେ ନରସାଇଂ  ।୩୩।

ୟେହାଶୁଣି ଭୀମସେନ ଆନନ୍ଦ ହୋଇଲା

ନିମନ୍ତ୍ରଣ ଯୋଗାଡ଼ ଘେନି ବହନ ଚଳିଗଲା  ।୩୪।

ଦେଖି କରି ଜାରାସନ୍ଧ ତହୁଂ ଉଠିଲା ବହନ

ଭୀମସେନକୁ କଲା କୋଳ ସମ୍ଭାଷଣ  ।୩୫।

ନାରଦଂକୁ ଦେଖି ଭୀମସେନ ନମସ୍କାର କଲା

ନିମନ୍ତ୍ରଣ ଯୋଗାଡ଼ ନେଇ ଭୀମସେନ ଜାରାସନ୍ଧକୁ ଦିଲା ।୩୬।

ବୋଇଲା ଶୁକଳ ପକ୍ଷ ପଞ୍ଚମୀ ବଇଶାଖ ମାସେ ଯାଗରେ ବସିବେ

ସାତଦିନ ପରିଯନ୍ତେ ଆହୂତି ଦେଉଥିବେ ।୩୭।

ସେହି ଦିନ ତୁମ୍ଭେ ଯାଇଂ ପ୍ରବେଶ ହୋଇବ

ଯାଗ ସମାପତ ହେଲେ ଆପଣା ରାଜ୍ୟକୁ ଆସିବ ।୩୮।

ୟେତେ କହି ଭୀମସେନ ମେଲାଣି ମାଗିଲେ

ଜାରାସନ୍ଧ ରାଜା ସେଦିନ ଭୀମସେନେ ରୁହାଇଲେ ।୩୯।

ସେଦିନ ଭୀମସେନ ସେଠାରେ ରହିଲେ

ଷଡ଼ରସ ପ୍ରକାରେଣ ମୁଣୋହିଂ ତହିଂ କଲେ ।୪୦।

ଆରଦିନ ରାତ୍ର ପ୍ରଭାତୁ ଥାଠ ଯେ ଚଳାଇ

ପଚ୍ଛିମ ମୁଖେ ଭୀମ ଗଲେ ପଥ ବାହି ।୪୧।

ଦୁଇଦିନ ସେହୁ ଯେ ପଥ ବାହି ଗଲେ

ତିନି ଦିନେ ମୃଗସେନ ରାଜ୍ୟରେ ମିଳିଲେ ।୪୨।

ବୀରତୂର ବଜାଇଣ ଭୀମସେନ ଚଳାଇଛି ଥାଠ

ଅତି ଗରଷ୍ଠ ଅଟଇ ସେ ପଣ୍ଡୁରାଜାଂକର ଚାଟ  ।୪୩।

ଶୁଣ ହୋ ମନୁ ବଦନ୍ତି ଅଗନ୍ତି

ପର୍ବତେ ଥାଇଂ ଅନାଇଲା ମୃଗସେନ ନରପତି ।୪୪।

କାହିଂର ୟେ ଥାଠ ବୋଲି ଘୋର କୋପକାଲା

ପର୍ବତୁଂ ଓହ୍ଲାଇଣ ସେ ଥାଠ ଓଗାଳିଲା ।୪୫।

ବୋଇଲା କାହିଂର ହାଦେ ଅଟୁ ପରଦେଶୀ

ନ ବିଚାରି କିମ୍ପେ ମୋହୋର ରାଜ୍ୟେ ପଶି ।୪୬।

ଯୁଝିବା ନିମନ୍ତେ ଯେବେ ଆସିଅଛୁ ତୁହି

ସାଂଗ୍ରାମ କଲେ ୟେଥେ ଆସିଅଛୁ ତୁହି

ସାଂଗ୍ରାମ କଲେ ୟେଥେ ଜୟେ ପାଇବୁ କାହିଂ ।୪୭।

ମୃଗସେନ ମୁଖରୁ ୟେସନେକ ବାକ୍ୟ ଶୁଣି

ଭୀମସେନ ବୋଇଲା ମୁଂ ନିମନ୍ତ୍ରଣ ଅଛି ଆଣି ।୪୮।

ୟେହାଶୁଣି ମୃଗସେନ କୋପଭର ହୋଇଲା

କାହିଂର ରାଜା ତୁହି ରୋ ବୋଲିଣ ଆଣ୍ଟେ ପଚାରିଲା ।୪୯।

ଭୀମସେନ ବୋଇଲା ମୁଂ ହସ୍ତିନା କଟକର ରାଜା

ଧର୍ମଯାଗ କରିବେ ଯୁଝେଷ୍ଠି ମହାରଜା ।୫୦।

ତୁମ୍ଭେ ଯାଗେ ଯିବ ଯେ ନିମନ୍ତ୍ରଣ ଆଣି ଆସିଅଛି ମୁହିଂ

ସାତଦିନ ଯାଗରେ ରହି ଆସିବ ନରବଇ  ।୫୧।

ଭୀମସେନ କହନ୍ତେ ମୃଗସେନ ନ ବୁଝିଲା

କାହିଂର ଯୁଝେଷ୍ଠି ସେ ବୋଲିଣ କୋପକଲା ।୫୨।

କାହାର ବଂଶିକ ସେ କାହାର କୁଳେ ଜାତ

ତାହାର ହାଦେ ମୁଂ ନୋହଇ ବଶୀଭୂତ ।୫୩।

ଭୀମସେନ ବୋଇଲା ଆମ୍ଭେ ବ୍ୟାସବଂଶୀ ଅଟୁ

ସର୍ବଦାୟେ ଆମ୍ଭେ ବ୍ୟାସଂକ ଚରଣରେ ଖଟୁ ।୫୪।

ୟେହାଶୁଣି ମୃଗସେନ ବୋଇଲା ବଚନ

ତୋହୋର ସୁମରନ୍ତେ ଆସିବେକି ବ୍ୟାସ ମହାମୁନ୍ୟ ।୫୫।

ତୋହାର ସୁମରନ୍ତେ ଯେବେ ଆସିବେ ବ୍ୟାସ ଋଷି

ତେବେ ସେ ଜାଣିମା ନା ଯୁଝେଷ୍ଠି ବ୍ୟାସବଂଶୀ ।୫୬।

ୟେହା ଶୁଣି ଭୀମ ଆତଙ୍କ କଲା ମନ

ବ୍ୟାସ ଋଷିଂକି ସେହୁ ଯେ କଲାକ ସୁମରଣ ।୫୭।

ଆଶ୍ରମେଣ ବସି ଥିଲେ ଯେ ମୁନି ବ୍ୟାସ

ଆସନ କମ୍ପିଲା ଯୋଗ ନୋହିଲା ଅଭ୍ୟାସ  ।୫୮।

ଧ୍ୟାନେ ବସି ମୁନି ଜାଣିଲେ ଯୋଗବଳେ

ଭୀମସେନ ସୁମରୁଛି ଜାଣିଲେ ଯୋଗବଳେ ।୫୯।

ମନଦଣ୍ଡ ଚଢିଣ ମୁନି ହୋଇଲେ ବାହାର

ପ୍ରବେଶ ହୋଇଲେ ଆସି ମେରୁମେଖଳ ପର୍ବତର ।୬୦।

ବ୍ୟାସନ୍ତ ଦେଖିଣ ସେ ଯେ ମୃଗସେନ ରାଣ

ନମସ୍କାର କଲା ଯାଇଂ ମୁନିଂକ ଚରଣ ।୬୧।

ଉଠ ଉଠ ବୋଲି ମୁନି କଲ୍ୟାଣ ବାଞ୍ଚିଲେ

ଭୀମନେକଇଂ ମୁନି ଅବଲୋକନେ ଚାହିଂଲେ  ।୬୨।

ଭୀମସେନ ମୁନିଂକ ଚରଣେ ନମିଲା

କରପତ୍ର ଯୋଡ଼ି ଉଭା ହୋଇଣ ରହିଲା ।୬୩।

ମୁନି ବୋଇଲେ ତୁ ହୋ ଶୁଣ ଭୀମସେନ

ଆଜକୁ ଯାଗ ରହିଲା ଆଉ କେତେହେଂକ ଦିନ ।୬୪।

ଭୀମସେନ ବୋଇଲା ଯେ ଅଳପ ଦିନ ଅଛି

ତଦନ୍ତ କରିଣ ୟେହା ଜାଣ ମୁନିବଚ୍ଛି ।୬୫।

ନିମନ୍ତ୍ରଣ ଘେନି ୟେବେ ଆସିଅଛି ମୁହିଂ

ଯିବି ବେଗହୋଇ ରହିବାକୁ କାଳ ମୋତେ ନାହିଂ ।୬୬।

ବ୍ୟାସେ ବୋଇଲେ ତୁ ହୋ ଶୁଣ ମୃଗସେନ

ଖୁଡୁତା ପୁତୁରା ତୁମ୍ଭେ ଅଟ ବେନି ଜଣ ।୬୭।

ଯେଥକୁ ଚିନ୍ତା କିଛି ନ କର ତୁମ୍ଭେ ବାବୁ

ନିମନ୍ତ୍ରଣ ଘେନିଣ ତୁ ଯାଗକୁ ଚଳିଯିବୁ ।୬୮।

ଭୀମସେନକୁ ବୋଇଲେ ୟେହାକୁ ଦିଅ ନିମନ୍ତ୍ରଣ

ଭୀନସେନ ତତକ୍ଷଣେ ଦିଲା ନିମନ୍ତ୍ରଣ ଯୋଗାଡ଼ମାନ ।୬୯।

ମୃଗସେନ ବୋଇଲା ୟେ ଯାଉ ବେଗହୋଇ

ପଛେ ଯାଇଂ ମୁହିଂ ଯେ ପଇଠ ହୋଇବଇଂ  ।୭୦।

ମୃଗସେନ ବୋଇଲା ଯାଗ ହୋଇବ କେଉଂଦିନ

ଭୀମସେନ ବୋଇଲା ତୁମ୍ଭେ ସାବଧାନେ ଶୁଣ  ।୭୧।

ଯାଗ ହୋଇବ ବଇଶାଖ ଶୁକଳ ପକ୍ଷ ପଞ୍ଚମୀ ସୋମବାର

ୟେକଇ ମାସ ଯେ ବଇଶାଖ ମାସର ।୭୨।

ୟେହି ଦିନକୁ ପଇଠ ହୋଇବ ତୁମ୍ଭେ ଯାଇଂ

ମୁହିଂ ଯାଉଅଛି ଯେ ମୋତେ ବିଳମ୍ବ ନ ସହଇ  ।୭୩।

ୟେତେ କହି ଭୀମସେନ ହୋଇଲା ବାହାର

ଥାଠ ସଇନ ଘେନିଣ ଯେ ଚଳିଲା ଅତି ଖର ।୭୪।

ବ୍ୟାସ ଯେ ଅନ୍ତର୍ଦ୍ଧାନ ହୋଇ ତହୁଂ ଚଳିଗଲେ

ନିଜ ଆଶ୍ରମରେ ଯାଇଂ ପ୍ରବେଶ ହୋଇଲେ  ।୭୫।

ୟେଥୁ ଅନନ୍ତରେ ହୋ ଶୁଣିମା ଦିବ୍ୟରସ

ଗୋବିନ୍ଦେ ଅର୍ଜୁନକୁ ହକାରିଲେ ପାଶ ।୭୬।

ନିମନ୍ତ୍ରଣ ଯୋଗାଡ଼ ଘେନିଣ ଚଳ ୟେହିକ୍ଷଣ

ସ୍ୱର୍ଗ ଭୁବନେ ଇନ୍ଦ୍ରଂକୁ କରଯା ବରଣ ।୭୭।

ଥାଠ ସଇନ ଘେନିଣ ଅର୍ଜୁନ ଚଳିଗଲେ

ଅମର ଭୁବନେ ୟାଇଂ ପ୍ରବେଶ ହୋଇଲେ ।୭୮।

ଆସ୍ତାନ କରିଣ ବସିଛନ୍ତି ସସ୍ରଯୋନି

ଅସ୍ତାନ ତଳେ ଯାଇଂ ମିଳିଲେ ଫାଲଗୁନି ।୭୯।

ଅମରନାଥଂକୁ ଦେଖି ସେ ପାୟେ ପଡ଼ି ଶୋଇଲେ

ଶିରେ କର ଦେଇ ପଛ ଘୁଞ୍ଚିଣ ରହିଲେ ।୮୦।

କଲ୍ୟାଣ ଅର୍ଜୁନକୁ କଲେ ସହସ୍ରାକ୍ଷ

କି ନିମନ୍ତେ ଆସିଅଛୁ କହ ହୋ ବିବଚ୍ଛ ।୮୧।

ଅର୍ଜୁନ ବୋଇଲେ ଧର୍ମଯାଗ ଗୋଟିୟେ କରିବେ ଯିଝେଷ୍ଠି

ପ୍ରବର୍ତ୍ତାଇ ଅଛନ୍ତି ଯେ ନାରଦ ତପୋନିଷ୍ଠି ।୮୩।

ୟେ ଯାଗ କଲେ ଧାନ୍ୟ ପ୍ରାପତ ହୋଅଇ

ଅନେକ ପୁଣ୍ୟ ବାବୁ ତୁମ୍ଭର ସେ ହୋଇ ।୮୪।

କର ଯାଗ ବାବୁ ତୁମ୍ଭେ କିଛିହିଂ ନ ବିଚାର

ଯେମନ୍ତଟି ସନ୍ତୋଷ ହୋଅନ୍ତି ବଶ୍ୟାନର ।୮୫।

ଇନ୍ଦ୍ରଂକ ମୁଖୁଂ ଅରଜୁନ ୟେସନେକ ବାକ୍ୟ ଶୁଣି

ନିମନ୍ତ୍ରଣ ଯୋଗାଡ଼ ଦିଅଇ ଫାଲଗୁନି ।୮୬।

ନିମନ୍ତ୍ରଣ ଯୋଗାଡ଼ ଘେନିଣ ସହସ୍ରାଷ

ଅର୍ଜୁନକୁ ବୋଇଲେ ତୁ ଶୁଣରେ ବିବଚ୍ଛ ।୮୭।

ବୋଇଲେ ବାବୁରେ ତୁ ବେଗହୋଇ ଯାଅ

ନାରାୟଣଂକ ଛାମୁରେ ଆମ୍ଭର ବାକ୍ୟ କହ ।୮୮।

ଅମରନାଥଂକୁ ପାଥ ନମସ୍କାର କରି

ଥାଠ ଚଳାଇ ଆସଇ ସେ ଗାଣ୍ଡିମ ଧନୁଧାରୀ ।୮୯।

ପୁଣ ଇନ୍ଦ୍ରରାୟେ ଅର୍ଜୁନକୁ ଚାହିଂ

ଯାଗରେ ଯୁଝେଷ୍ଠି ଦେବ ଯେଉଂଦିନ ବସିବେ

ତାହା ଫେଡ଼ିତ ନ କହି ।୯୦।

ଅର୍ଜୁନ କହିଲେ ଶୁକଳ ପକ୍ଷ ପଞ୍ଚମୀ ସୋମବାରେ

ସେଦିନ ଯାଗକୁ କରିବେ ଅନକୂଳେ ।୯୧।

ଇନ୍ଦ୍ର ପଚାରନ୍ତେ ସେ ଯେ ଅର୍ଜୁନ କହିଲେ

ପୁଣ ଚରଣ ତଲେ ନମସ୍କାର କଲେ ।୯୨।

ଥାଠ ସନ୍ୟ ସଙ୍ଗେ ଚାର ଅଛଇ ଅପାର

ବାଦ୍ୟନାଦ ଶବଦେ ବିଶ୍ୱ କମ୍ପଇ ଥରହର ।୯୩।

ଚଳଇ ମହାବୀର ଯେ ଦ୍ୱାରାବତୀ ପୁରେ

ପ୍ରବେଶ ହୋଇଲେ ଯାଇଂ ଉଗ୍ରସେନଂକ ଛାମୁରେ ।୯୪।

ଶିରେ କର ଦେଇ ସେ ଉଭା ବୀର ଫାଲଗୁନି

ଉଗ୍ରସେନଂକ ଚରଣେ କରଇ ଦଇନି ।୯୫।

ବୋଇଲେ ଧର୍ମ ଯାଗ କରିବେ ଯିଝେଷ୍ଠି ମହାରାୟେ

ଶୁଣି ଉଗ୍ରସେନ ନିମନ୍ତ୍ରଣ ଯୋଗାଡ଼ ଘେନିଯାୟେ  ।୯୬।

ଯାଗ କେଉଂଦିନ ହୋଇବ ବୋଲି ଉଗ୍ରସେନ ପଚାରିଲେ

ଅର୍ଜୁନ ବୋଇଲେ ବଇଶାଖ ଶୁକଳ ପକ୍ଷ ପଞ୍ଚମୀ ଦିନରେ ।୯୭।

ୟେଦିନ ପ୍ରବେଶ ଯେ ହୋଇବେ ଆପଣ

ସାତଦିନ ରହି ତହିଂ ଆସିବେ ଯେ ପୁଣ ।୯୮।

ୟେତେ କହି ତହୁଂ ଯେ ଅର୍ଜୁନ ଚଳିଗଲା

ଶ୍ରୀ ବଳରାମଙ୍କ ଛାମୁରେ ଯେ ପ୍ରବେଶ ହୋଇଲା ।୯୯।

ଶତେ ସହସ୍ର ଯେ ଦଣ୍ଡ ପ୍ରଳମ୍ବିତ ହୋଇ

ଚରଣ ତଳରେ ବୀର ସାଷ୍ଟାଙ୍ଗେଣ ଶୋଇ ।୧୦୦।

ବଳରାମେ ବୋଇଲେ ଉଠ ଉଠ ରେ ଫାଲଗୁନି

କି ନିମନ୍ତେ ଅଇଲୁ କହ ୟେଥିର ବାଣୀ  ।୧୦୧।

ଅର୍ଜୁନ କହନ୍ତି ଯେ କରପତ୍ର ଯୋଡ଼ି

ଧର୍ମଯାଗ ଗୋଟିୟେ କରିବେ ଯୁଝେଷ୍ଠି ଦଣ୍ଡଧାରୀ ।୧୦୨।

ନାରଦେ କହିଅଛନ୍ତି ୟେଥିର ବିଧାନ

ତୁମ୍ଭର ଛାମୁକୁ ମୁଂ ଆଣିଛି ନିମନ୍ତ୍ରଣ ।୧୦୩।

ବଳରାମେ ବୋଇଲେ ରେ ଗୋବିନ୍ଦ କାହିଂ ଅଛି

ଅର୍ଜୁନ ବୋଇଲେ ଆମ୍ଭ ପୁରେ ଅଛନ୍ତି ଶ୍ରୀବଚ୍ଛି ।୧୦୪।

ନିମନ୍ତ୍ରଣ ଯୋଗାଡ଼ ବଳରାମ ଠାକୁରଙ୍କୁ ଦେଇ

କୃଷ୍ଣଙ୍କ ପୁତ୍ରମାନନ୍ତ ନିମନ୍ତ୍ରଣ ଦିଲା ତହିଂ  ।୧୦୫।

ତହୁଂ ମହାବୀର ଯେ ତତକ୍ଷଣେ ଚଳିଗଲା

ଦ୍ରୋପଦ ରାଜ୍ୟରେ ଯାଇଂ ପ୍ରବେଶ ହୋଇଲା ।୧୦୬।

ବାରତ ପାଇଣ ଯେ ଦ୍ରୋପଦ ମହାରାୟେ

ଅର୍ଜୁନଂକୁ ଖଣ୍ଡେ ଦୂରୁଂ ପାଛୋଟିଣ ଆୟେ ।୧୦୭।

ଦ୍ରୋପଦଂକୁ ଦେଖି ଅର୍ଜୁନ ଓଳଗି ହୋଇଲେ

ଅନେକ ହରଷେ ରାଜା କଲ୍ୟାଂଣ ବାଞ୍ଚିଲେ ।୧୦୮।

ଆପଣେ ଦ୍ରୋପଦ ରାୟେ ଯେ ଡଗରା ହକରାଇ

ବୋଇଲେ ରାଜ୍ୟରେ ବେଗେ ଉଚ୍ଛବ କରାଅ ଯାଇଂ ।୧୦୯।

ୟେହା ଶୁଣି ଚାରଗଣେ ବହନ ଚଳିଗଲେ

ରାଜ୍ୟରେ ଅନେକ ସେ ଉଚ୍ଛବ କରାଇଲେ ।୧୧୦।

ଅର୍ଜୁନକୁ ଘେନିଣ ଦ୍ରୋପଦ ପୁରରେ ପ୍ରବେଶ

ସିଂଘାସନେ ନେଇ ବସାଇଲେ ପଣ୍ଡୁଶିଷ ।୧୧୧।

ଅନେକ ଗଉରୋବ କରି ରୁହାଇଲେ ଆପଣେ ରାଜନ

ଛଡ଼ରସ ମେଞ୍ଜନେ କରାଇଲେ ଭୋଜନ ।୧୧୨।

ନିମନ୍ତ୍ରଣ ଯୋଗାଡ଼ ଘେନିଣ ଅରଜୁନ

ଦ୍ରୋପଦେଶ୍ୱର ରାଜାନ୍ତ କଲେ ନିମନ୍ତ୍ରଣ ।୧୧୩।

ବୋଇଲେ ବଇଶାଖ ଶୁକଳ ପକ୍ଷ ପଞ୍ଚମୀ ସୋମବାର ଦିନ

ସେଦିନ ପ୍ରବେଶ ତୁମ୍ଭେ ହୋଇବ ଆପଣ ।୧୧୪।

ୟେଡ଼େ କହି ଥାଠ ତହୁଂ ଚଳାଇଣ ଗଲେ

ଭାନୁମତ ପୁରେ ଯାଇଂ ପ୍ରବେଶ ହୋଇଲେ ।୧୧୫।

ଦେଖିଣ ମହାରାୟେ ଗଉରୋବ କଲା

କୃତ କୃତ ହୋଇ ଅର୍ଜୁନକୁ କୋଳ ଯେ କରିଲା  ।୧୧୬।

ପାଦାସନ ଦେଇଣ ସେ ପାଶେ ବସାଇଲା ନେଇ

କୋମଳ କରି ପଚାରଇ ତହିଂ ନରସାଇଂ ।୧୧୭।

ଯାଗର ବିଧାନ ଅର୍ଜୁନ ଯେ ସମସ୍ତ କହିଲେ

ଶୁଣି ଭାନୁମତ ରାୟେ ଯେ ଆନନ୍ଦ ହୋଇଲେ ।୧୧୮।

ବୋଇଲେ ଭୀମସେନ ଯେ ୟେହିବାଟେ ଗଲେ

ଯାଗର ବିଧାନ ମୋତେ ସମସ୍ତ କହିଲେ ।୧୧୯।

ନିମନ୍ତ୍ରଣ ଯୋଗାଡ଼ ଯେ ଦେଇଛନ୍ତି ମୋତେ

ଆଗରୁ ୟେ କଥା ମୁଂ ଜାଣିଛି ହୋ ବୀର ପାଥେ ।୧୨୦।

ଭାନୁମତ ରାଜା ମୁଖୁଂ ଯେସନେକ ଶୁଣି

ପୁଣ ପୁଣ ଅର୍ଜୁନ ଯେ କହଇ ପରିମାଣି ।୧୨୧।

ଆଉର ନିମନ୍ତ୍ରଣ ତୁମ୍ଭେ ଘେନି ହୋ ଭାନୁରାୟେ

ଶୁଣି ମହାରାଜା ମହା ଆନନ୍ଦ ମନ ହୋୟେ ।୧୨୨।

ନିମନ୍ତ୍ରଣ ଯୋଗାଡ଼ ତାଂକୁ ପାଥ ଦିଲେ ନେଇ

କ୍ଷଣେହେଂ ନ ରହି ତୁମ୍ଭେ ଯାଅ ବେଗହୋଇ ।୧୨୩।

ବଇଶାଖ ଶୁକଳ ପକ୍ଷ ପଞ୍ଚମୀ ସୋମବାର

ୟେଦିନ ପ୍ରବେଶ ହୋଇବ ବାରୁଣାବନ୍ତର ।୧୨୪।

ୟେତେ କହି ପାଥ ହୋଇଲା ବାହାର

ପ୍ରବେଶ ହୋଇଲା ଆସି ଆପଣା ନବର ।୧୨୫।

ମନ ଉତ୍ତାରେଣ କିସ ହୋଇଲା ଗୋସାଇଂ ।୧୨୬।

ରାଜାର ଶୁଣ ତୁହୋ ପାପନାଶନ ଧୁନି ।୧୨୭।

ଶ୍ରୀ ସହଦେବଂକୁ ହକାରିଲେ ପାଶ

ମୁନିମାନନ୍ତ ଘେନି ଆସ ହୋ ମାଦ୍ରୀଦେବୀର ଶିଷ ।୧୨୮।

ଶ୍ରୀ ଜଗନ୍ନାଥଂକର ଯେ ଆଗ୍ୟାଂ ପରମାଣେ

ସହଦେବ ଗଲେ ଯେ ମୁନିଂକର ନିମନ୍ତ୍ରଣେ ।୧୨୯।

ନାରାୟଣ କହନ୍ତି ହୋ ଶୁଣ ସହଦେବ

ଷାଠିୟେ ସହସ୍ର ରଷିଂକି ଘେନିଣ ଆସିବ ।୧୩୦।

ନଇମିଷା ଅରଣ୍ୟେ ସମସ୍ତ ଋଷି ଛନ୍ତି

ନିମନ୍ତ୍ରଣ ଦେଇ ଘେନି ଆସ ହୋ ଝଟତି ।୧୩୧।

ନାରାୟଣ ଆଗ୍ୟାଂୟେ ସହଦେବ ଗଲେ

ଶୁଭ ନାମ ଯୋଗରେ ଯେ ଅନୁକୂଳ କଲେ ।୧୩୨।

ରଥ ଚଲାଇଣ ତହୁଂ ଗଲେ ମନ୍ତ୍ରୀବର

ଯାହାକୁ ସାହାପକ୍ଷ ଅଟନ୍ତି ଚକ୍ରଧର ।୧୩୩।

ଶ୍ରୀହରିଂକି ସୁମରି ସେ ତତକ୍ଷଣେ ଗଲେ

ନଇମିଷା ଅରଣ୍ୟେ ଯାଇଂ ପ୍ରବେଶ ହୋଇଲେ ।୧୩୪।

ଦେଖିଲେକ ମୁନିମାନେ ନିତ୍ୟକର୍ମ ସାରି

ପୁରାଣ ଶୁଣୁଅଛନ୍ତି ବସିଣ ତପଚାରୀ ।୧୩୫।

ସହଦେବଂକୁ ଦେଖି ମୁନିମାନେ ବିଚାରନ୍ତି

କାହୁଂ ୟେ ରଥୀ ଆସୁଅଛି ବୋଲିଣ ଭାଳନ୍ତି ।୧୩୬।

ନିକଟେ ସହଦେବ ଯେ ମିଳିଲେକ ଯାଇଂ

ନମସ୍କାର କରିଣ ଭୂମିରେ ଗଡ଼ଘାଲି ଶୋଇ ।୧୩୭।

ବ୍ୟାସେ ବୋଇଲେ ୟେତ ଅଟଇ ସହଦେବ

ଯାଗେ ନିମନ୍ତ୍ରଣ କରିବ ସର୍ବଋଷି ଦେବ ।୧୩୮।

ବୋଇଲେ ଉଠ ସହଦେବ ମନ୍ତ୍ରୀବର

କି ନିମନ୍ତେ ଅଇଲୁ ଆମ୍ଭର ଛାମୁର  ।୧୩୯।

ସହଦେବ ବୋଇଲେ ଯୁଝେଷ୍ଠି ଠାକୁର କରିବେ ଧର୍ମଯାଗ

ମୁନିମାନେ ଥାଇ ଅଗ୍ନିରେ ଦେବେ ହବିର୍ଭାଗ ।୧୪୦।

ୟେହା ଶୁଣି ମୁନିୟେ ଯେ ଆନନ୍ଦ ହୋଇଲେ

ନିମନ୍ତ୍ରଣ ଯୋଗାଡ଼ ତହିଂ ସହଦେବ ଦିଲେ ।୧୪୧।

ବାଳଖିଳାନ୍ତ ଘେନି ମୁନିମାନେ ବାହାର ହୋଇଲେ

ଗଉତମ ବାଲମ୍ବିକ ବ୍ୟାସ ସଜ ହେଲେ ।୧୪୨।

ଶୁକମୁନି ସନକ ମୁନି ପିପଳୟନ ମୂଳେ

ମାରକଣ୍ଡ ବ୍ରହ୍ମଋଷି କୁମ୍ଭଋଷି ତୁଲେ ।୧୪୩।

ଭାରଦ୍ୱାରଶ ପଉଲସ୍ତି କଣ୍ଡୁଋଷି ଘେନି

ଅଙ୍ଗିରା ପରାଶର ନଅ ବ୍ରହ୍ମମୁନି ।୧୪୪।

ଆନନ୍ଦ ହୋଇଣ କରନ୍ତି ହରିଧୁନି

ୟେମନ୍ତେ ବାହାର ହୋଇଲେ ଷାଠିୟେ ସହସ୍ର ତପୋଧନି ।୧୪୫।

ୟେହାଂକର ଯେତେ ସାଖା ଶିଷ୍ୟନ୍ତ ଥିଲେ

ମନଦଣ୍ଡ ଚଢିଣ ବାରୁଣାବନ୍ତରେ ମିଳିଲେ ।୧୪୬।

ମୁନିମାନନ୍ତ ଦେଖି ଯୁଝେଷ୍ଠି ମନସ୍କାର କଲେ

କଲ୍ୟାଣ ଧୁନି ଯେ ତାଂକୁ ମୁନିମାନେ ବାଞ୍ଛିଲେ ।୧୪୭।

ଆସନ ପାଇଣ ସେ ବସିଲେ ମୁନିମାନେ

ଶୁଣହୋ ବିଲଂକ ରାଜା କହନ୍ତି ତପୋଧନେ ।୧୪୮।

ୟେମନ୍ତ ପ୍ରକାରେ ଋଷିମାନନ୍ତ ବରଣ

ୟେଥୁ ଅନନ୍ତରେ ମୁନିୟେ ହୋଇଲା

କିସ ପୁଣ ।୧୪୯।୯୨୧୮।

 

ନକୁଳର କୁନ୍ତମୁନେ ପୃଥ୍ୱୀ ଧାରଣ

ୟେଥୁ ଅନନ୍ତରେ କଥା ହୋଇଲାକ ଯିସ

ନକୁଳକୁ ଶ୍ରୀହରି ଯେ ହକାରିଲେ ପାଶ ।୧।

ନିମନ୍ତ୍ରଣ ଘେନିଣ ତୁ ପାତାଳକୁ ଯିବୁ

ବାସୁକି ରାଜାକୁ ନିମନ୍ତ୍ରି ଘେନିଣ ଆସିବୁ  ।୨।

ଅନେକ ଥାଠ ସଇନ ନକୁଳ ସଙ୍ଗେ ଦିଲେ

ଶୁଭ ଅନୁକୂଳେ ବୀର ପରସ୍ଥାନ କଲେ ।୩।

ପାତାଳ ଭୁବନକୁ ଥାଠ ଚଳାଇଣ ବୀର

ପ୍ରବେଶ ହୋଇଲା ଯାଇଂ ପାତାଳ ସ୍ୱର୍ଗପୁର ।୪।

ନାଗରାଜା ଛାମୁରେ ପରବେଶ ହୋଇ

ନମସ୍କାର କରିଣ ସେ ଯେ ଶିରେ କର ଦେଇ ।୫।

ବାସୁକି କଲ୍ୟାଣ କରି ତହୁଂ ପଚାରିଲେ

କିସ ଅର୍ଥେ ଅଇଲ ବାବୁ କହ ତୁମ୍ଭେ ଭଲେ ।୬।

ନକୁଳ କହଇ ଯେ ଶୁଣିମା ଗୋସାଇଂ

ଧର୍ମଯାଗ କରିବେ ଯେ ଯୁଝେଷ୍ଠି ନରସାଇଂ ।୭।

ଶ୍ରୀହରି ପେଷିଛନ୍ତି ନିମନ୍ତ୍ରଣ ଯୋଗାଡ଼ନ୍ତ ଦେଇ

ଆପଣେ  ବିଜୟେ ଯେ କରିବ ୟେହିକ୍ଷଣି ଯାଗଠାଇଂ ।୮।

ଯାଗ ହୋଇବ ବଇଶାଖ ଶୁକଳ ପଞ୍ଚମୀ ସୋମବାର ଦିନ

ବହୁତ ଦିନ ନାହିଂ ଅଳପ ହିଂ ଦିନ ।୯।

ଶୁଣି ନାଗରାଜା ଯେ ବୋଲନ୍ତି ବଚନ

ପୃଥିବୀ ଧରିବାକୁ କେ ଅଛଇ ଭାଜନ ।୧୦।

ପୃଥୀଭାରା ଛାଡ଼ି ଆମ୍ଭେ ଯାଗକୁ କେହ୍ନେ ଯିବୁଂ

ୟେ କଥା ବିଚାରିଣ ତୁ କହ କିନା ବାବୁ ।୧୧।

ୟେହା ଶୁଣି ନକୁଳ ଯେ ବିଚାରଇ ମନେ

ୟେଥିର ଚରିତ ସିନା ଜାଣନ୍ତି ଭଗବାନେ ।୧୨।

ତାହାଂକର ବୋଲେ ଅଇଲି ନା ୟେଠାଇଂକି ମୁଇଂ

ୟେବେ ବୁଦ୍ଧି ମୋତେ କିଛି ଯେ ନ ଦିଶଇ ।୧୩।

ପଞ୍ଚୁଭୂତ ଆତ୍ମାରେ ଚିନ୍ତଇ ନାରାୟଣ

ଦୟାକର ମୋତେ ବାରେ ତୁମ୍ଭେ କମଳାରମଣ ।୧୪।

ନାରାୟଣ ସୁମରନ୍ତେ ଗ୍ୟାନ ପ୍ରସରିଲା

ବଳ ପ୍ରାକର୍ମ ଯେ ତାର ବହୁତ ହୋଇଲା ।୧୫।

ୟେଥୁ ଉତ୍ତରେଣ ଯେ ବାସୁକି ପଚାରଇ

କେତେଦିନ ଯାୟେ ଯାଗ ହୋଇବ ମୋତେ କହ ଥିର ହୋଇ ।୧୬।

ନକୁଳ ବୋଇଲା ହୋ ହୋଇବ ସାତଦିନ

ୟେତକୁ ଚିନ୍ତା କିଛି ନ କର ରାଜନ ।୧୭।

ବାସୁକି ବୋଇଲା ତୁ ଯେ ଶୁଣ ରେ କୁମାର

ଛାଡ଼ିଲେଣ ପୃଥୀ ପଡିବ ରାସାନ୍ତଳ ।୧୮।

ନାଗରାଜା ମୁଖରୁ ୟେସନେକ ବାଣୀ ଶୁଣି

କୋନ୍ତ କରେ ଧରିଣ ଯେ ବୋଲଇ ବୀରମଣି ।୧୯।

କୋନ୍ତମୁନେ ମୁହିଂ ଧରିବଇଂ ପୃଥୀ

ୟେଥକୁ ତୁମ୍ଭେ କିଛି ଚିନ୍ତା ନ କର ନାଗପତି ।୨୦।

ୟେତେ କହି ନକୁଳ ଯେ କୋନ୍ତ କରେ ଧରି

ଡାହାଣ ଚରଣ ଆଗକୁ ବଢାଇଲା ଧିର କରି  ।୨୧।

ଆପଣା ପାଦର ବୃଦ୍ଧ ଅଙ୍ଗୁଷ୍ଠି ଉପରେ

କୋନ୍ତକୁ ନେଇଂଣ ଯେ ଥୋଇଲା ତଥିପରେ ।୨୨।

ମୁନ ସଳଖି ବୋଇଲା ଶୁଣ ମହାରାଣ

ୟେ ମୁନ ପରେ ପୃଥୀ ଯେ ଥୋଅ ୟେହିକ୍ଷଣ ।୨୩।

ନକୁଳ ବଚନେ ଯେ ବୋଲନ୍ତି ନାଗରାଜା

ବଡ ପ୍ରତଗ୍ୟାଂ କଲୁ ତ ଅଶ୍ୱିନୀ କୁମାରଂକ ତନୁଜା ।୨୪।

ନକୁଳ ବୋଇଲା ମୁହିଂ ଶ୍ରୀହରିଂକ ଆଗ୍ୟାଂରେ

ସପତଦୀପା ପୃଥୀ ଧରିବି ଯେ ୟେହି କୋନ୍ତର ମୁନରେ ।୨୫।

ୟେତେ ବୋଲି ପୃଥୀ ଯେ ଛାଡ଼ିଲା ନାଗରାୟେ

ବୋଇଲା ଧୀରେ ସମ୍ଭାଳ ହୋ ପାଣ୍ଡୁର ତନୟେ ।୨୬।

କୋନ୍ତମୁନ ଉପରେ ନାଗରାଜା ପୃଥିବୀ ନେଇ ଥୋଇ

ବଡ଼ ବାଆ ବହିଲେ ଯେହ୍ନେ ମେରୁ ନ ଟକଇ  ।୨୭।

ପୃଥୀ ଦେବୀ ଯହୁଂ କୋନ୍ତମୁନୁଂ ଲିତାୟେ ନ ଚଳିଲା

କୋନ୍ତମୁନେ ପୃଥିବୀ ଯେ ନିଚଳେ ରହିଲା ।୨୮।

ଦେଖିଣ ବାସୁକି ରାଜା ଯେ ତାଟକା ହୋଇଲେ

ଧନ୍ୟ ଧନ୍ୟ ନକୁଳ ବୋଲି ଅନେକ ପ୍ରଶଂସିଲେ ।୨୯।

ବୋଇଲେ ଆକାଶରେ ପାଟ ଅଛି ତୋତେ ହାଦେ

ୟେତେ ସାମରଥ ନାହିଂଟି ତିନିପୁର ମଧ୍ୟେ ।୩୦।

ନକୁଳ ବୋଇଲେ ଅବଧାନ ହୋଉ ହୋ ଗୋସାଇଂ

ନିମନ୍ତ୍ରଣ ଘେନି ଯାଗକୁ ଚଳ ହୋ ନାଗସାଇଂ ।୩୧।

ନକୁଳ ବୋଇଲେ ବିଜେ କରହୋ ଗୋସାଇଂ

ତୁମ୍ଭେ ଆସିବା ଯାୟେଂ ମୁଂ ଧରିଥିବ ମହୀ ।୩୨।

ନକୁଳ ବଚନ ଶୁଣି ବାସୁକି ନାଗରାୟେ

ଥାଠ ସଇନ ଘେନି ପାତାଳରୁ ବାହାର ଯେ ହୋୟେ ।୩୩।

ବାରୁଣାବନ୍ତରେ ଯାଇଂ ସେ ହୋଇଲେ ପରବେଶ

ଶ୍ରୀଚଣ୍ଡୀ ସାରୋଳା ଚରଣେ ଶରଣ

କବି ସାରୋଲା ଦାସ ।୩୪।୯୨୫୨।

 

Unknown

ଧର୍ମଯଜ୍ଞ

ୟେଥୁ ଉତ୍ତାରେଣ ମନୁ ରାୟେ ପଚାରଇ

କିସ ଚରିତ ହୋଇଲା ମୋତେ କହିବା ଗୋସାଇଂ ।୧।

ନାଗବୃନ୍ଦ ଘେନିଣ ଯେ ବାସୁକି ନାଗରାୟେ

ଯାଗଶାଳାଠାରେ ଯାଇଂ ପରବେଶ ହୋୟେ ।୨।

ଦେଖିଣ ଶ୍ରୀହରି ନାଗରାଜାକୁ ଯେ ଘେନିଗଲେ

ସୁଧର୍ମା ସଭାରେଣ ନେଇ ବସାଇଲେ ।୩।

ମୁନି ମାନେ ବସିଛନ୍ତି ଯେ ଯାହା ଆସନରେ

ଚରଚା କରନ୍ତି ଯାହାକୁ ଯେଉଂ ପରକାରେ ।୪।

ୟେମନ୍ତର ସମୟେ ପରବେଶ ହୋଇଲା ଜାରାସନ୍ଧ ରାୟେ

ଗଉରୋବ କରି ତାଂକୁ ବସାଇଲେ ସଭାୟେ ।୫।

ମୃଗସେନ ଅଇଲେ ଯେ ୟେସନ ସମୟେ

ଗଉରୋବ କରି ତାଂକୁ ନେଲେ ଦେବ ରାୟେ ।୬।

ୟେମନ୍ତର ସମୟେ ଥାଠ ସଇନ ଘେନି ଭୀମସେନ ଅଇଲା

ଯିଝେଷ୍ଠି ଶ୍ରୀହରିଂକ ଚରଣେ ନମସ୍କାର କଲା  ।୭।

ସାତ ବଂଶ ସଙ୍ଗେ ଘେନି ରାଜା ଉଗ୍ରସେନ

ଆପଣେ ଚଳାଇଣ ଅଇଲେ ବଳରାମ ।୮।

ନାରଦେ ପରବେଶ ହୋଇଲେକ ଆସି

ସମସ୍ତ ଚରିତ ଯେ କହନ୍ତି ହୃଷୀକେଶି ।୯।

ବଳରାମଂକ ଚରଣେ ଯୁଝେଷ୍ଠି ନମସ୍କାର କଲେ

ଶ୍ରୀହରି ବଳରାମଂକ ଚରଣେ ନମିଲେ  ।୧୦।

ଯୋ ଯାହା ଆସ୍ତାନେ ବସିଲେ ଖମ୍ଭେ ଖମ୍ଭେ ମାଡ଼ିଣ

ଭାନୁମତ ଦ୍ରୁପଦ ଦୁଇରାଜା ଆସି ମିଳିଲେ ସେ ଠାବେଣ ।୧୧।

ଯେ ଯାହାର ବିଧାନରେ ମାନ୍ୟ ଧର୍ମ କଲେ

ଯେ ଯାହାର ଆସ୍ତାନରେ ଯାଇଣ ବସିଲେ ।୧୨।

ଶ୍ରୀହରି ପୁତ୍ର ମାନେ ଯେ ସନମାନ ପାଇ

ପଦ୍ମନ ଶାମ୍ବ ମୂଳେ ଲକ୍ଷେ ଷାଠିୟେ ସହସ୍ର ଅଶିୟେ ତନଇ  ।୧୩।

ଦ୍ରିଯୋଧନ ରାଜାନ୍ତ ଯେ ଅର୍ଜୁନ ଆଣି ଗଲେ

ସମସ୍ତ ଚରିତ ମାନ ତାଂକୁ ମଣାଇ କହିଲେ  ।୧୪।

ଭୀଷ୍ମଂକୁ ନିମନ୍ତ୍ରଣ ତହୁଂ କରିଣ ଆଇଲେ

ତହାକଂର ସଙ୍ଗେ ପୁଣ ଦ୍ରୋଣହିଂ ଅଇଲେ ।୧୫।

ୟେଗାର କ୍ଷଉଣୀ ବଳ ଘେନି ମାନ ଗୋବିନ୍ଦାଇ

ପ୍ରବେଶ ହୋଇଲେ ସେ ଯେ ବାରୁଣବନ୍ତେ ଯାଇଂ ।୧୬।

ରାଜ ଋଷି ଦେବଋଷି ବ୍ରହ୍ମଋଷି ଅଇଲେ

ସନମାନ ପାଇଣ ସର୍ବେ ଆସ୍ତାନେ ବସିଲେ ।୧୭।

ରୋଷାଇ ଶାଳେ ଭୀମସେନ ବିଜୟେ କଲେ ଯାଇ

ଗଉରୀ ଶଉରୀ ନଳବିଧି ରାନ୍ଧଣା ରାନ୍ଧଇ ।୧୮।

ଯେ ଯାହାର ଇଚ୍ଛାୟେ ସର୍ବେ ଭୋଜନ କରନ୍ତି

ଅମୃତ ଯୋଗାଡ଼ମାନ ଘେନି ପରଷନ୍ତି ।୧୯।

ଋଷି ମାନେ ଫଳମୂଳ ଭୋଜନ ତହିଂ କଲେ

ଯେ ଯାହାର ସେବାରେ ନିଯୋଗୀମାନେ ଯେ ଲାଗିଲେ ।୨୦।

ମାନଗୋବିନ୍ଦଂକୁ କାଳେ ଭଣ୍ଡାରେ ଅଧିକାରୀ

ଯେ ଯାହାର ଅନରୂପେ ଦିଅଇ ଅଧିକାରୀ ।୨୧।

କୁବେର ଭଣ୍ଡାର ଆଣି କୁବେର ସମର୍ପିଲା

ବରୁଣ ଆଣି ରତ୍ନ ଯୋଗାଡ଼ମାନ ପଇଠ କଲା।୨୨।

ଫଳମୂଳମାନ ନାବେ ଶବର ରାଜା ଯେ ଆଣଇ

ଠାକୁରଂକ ଆଜ୍ଞା ମେଣ୍ଟିବାକୁ କାହାର ଶକ୍ୟ ଅଛଇ ।୨୩।

ୟେଥୁ ଅନ୍ତରେ ଶୁଣ ହେଲା ଯେବଣ ବିଧାନ

ଯାଗଶାଳା ଭୂମିକୁ ଯେ କାନ୍ତି ଶୋଧନ ।୨୪।

ସୂତା ମାପ କାରି ଯାଗକୁଣ୍ଡ ଯେ ଖୋଳିଲେ

ଅଗ୍ନିକୁ ନେଇଣ ଯେ ତହିଂ ରେ ଥାପିଲେ ।୨୫।

ଦିବ୍ୟବେଶ ହୋଇଣ ଯେ ଯୁଝେଷ୍ଠି ମହାରାୟେ

ପାଞ୍ଚାଳ ଦୁହିତା ଯେ ବେଶ ବେଶନ ହୋୟେ ।୨୬।

ଦ୍ରୋପତୀଂକୁ କୋଳେ ଧରି ବସିଲେ ଯାଗାରେ

ଗୋତ୍ର ଉଚ୍ଚାରନ୍ତି ତହିଂ ବ୍ୟାସ ମୁନିବରେ ।୨୭।

ବରୁଣ ପୂଜାବିଧି ବହନ ସାରିଲେ

ଯୁଝେଷ୍ଠିଂକି ଚାହିଂ ବ୍ୟାସ ବଚନ ବୋଇଲେ ।୨୮।

ଯବଧାନ ମାଘୀତିଳ ଅଣାଅ ଗୁଆଘୃତ

ୟେମାନ ଆଣି ରୁଣ୍ଡ କରନ୍ତି ବହୁତ ।୨୯।

ନବତନ ଅଗ୍ନି ଆଣି କୁଣ୍ଡରେ ଥାପିଲେ

ଘୃତ ତିଳ ଯବଧାନେ ଅଗ୍ନି କି ପୂଜିଲେ ।୩୦।

ପଞ୍ଚଶିଖା ଘେନିଣ ଯେ ତେଜିଲେ ପ୍ରଖର

ସନ୍ତୋଷେ ଘୃତ ଭୋଜନ କରନ୍ତି ବଶ୍ୟାନର ।୩୧।

ବ୍ରହ୍ମା ବରଣ ହେଲେ ଯେ ମାରକଣ୍ଡ ଋଷି

ସପତଋଷି ମାନ ଯାଗ ଚାରିପାଖେ ବସି ।୩୨।

ଅଗ୍ନି ଆରୋପଣ ତହିଁ କଲେ ମୁନିମାନେ

ସ୍ଵର୍ଗରୁ ଇନ୍ଦ୍ରଯେ ଅଇଲେ ତତକ୍ଷଣ ।୩୩।

ୟେମନ୍ତେ ପ୍ରଥମ ଆହୂତି କି ଯେ ସାରିଲେ

ସନ୍ତୋଷେଣ ତହିଂ ଦେବେ ଅମୃତ ପାନ କଲେ ।୩୪।

ୟେଥୁ ଅନନ୍ତ ରେ ତୁ ଶୁଣ ହୋ ରାଜନ

ପ୍ରଭାତୁ ଉଠିଣ ଯେ ଋଷିଗଣମାନ ।୩୫।

ନିତ୍ୟକର୍ମ ବିଧିମାନ ଯେ ତୁରିତେ ସାରିଣ

ଅଗ୍ନି କି ଆରୋପଣ ଯେ କରନ୍ତି ମୁନିଜନ ।୩୬।

ସ୍ଵାହା ସ୍ଵଧାଂକର ତହିଁ ନାମ ଉଚ୍ଚାରିଣ

ତିଳ ଘୃତ ପକାବନ୍ତି ଅଗ୍ନି ଦେବତାଂକ ଉପରେଣ ।୩୭।

ରାଜାଗଣମାନେ ଯେ ସ୍ରାହାନ ସାରିଣ

ପଞ୍ଚାମୃତ ଯୋଗାଡ଼ ସେ କରନ୍ତି ଭୋଜନ ।୩୮।

ମାଗନ୍ତା ଜନନ୍ତ ଯେ ଅବିଚ୍ଛନ୍ନେ ଦାନ

ଋଷିମାନେ ଫଳମୂଳ କରନ୍ତି ଭୋଜନ ।୩୯।

ଦୁଖୀ ଦରିଦ୍ରଂକୁ ଯାଚି ଧନ ଯେ ଦିଅନ୍ତି

ଗୁଣେ ଦିଲେ ବେନି ଗୁଣେ ଭଣ୍ଡାର ପୂରନ୍ତି ।୪୦।

ମାନଗୋବିନ୍ଦ ହାତେ ଶଙ୍ଖନିଧି ପଦ୍ମନିଧି ଅଛଇ

ଦ୍ଵିଗୁଣ ବଇଲେ ଯେ ଭଣ୍ଡାର ତିନିଗୁଣ ପୂରଇ ।୪୧।

ଆପଣେ ନାରାୟଣେ ଯେ ସୁବର୍ଣ୍ଣ ବେତ ଧରି

ସଭାରେ ଚରଚନ୍ତି ବିଶ୍ଵମୂର୍ତ୍ତି ଧରି କରି।୪୨।

ଜରାସନ୍ଧ ଦେଖିକରି ମନରେ କରଇ ଯେ ଭୟେ

ସନ୍ଥରାଜାମାନେ ମନେ କରନ୍ତି ସ୍ତୁତିୟେ ।୪୩।

ସଭାରେ ନିରୋପନ୍ତି ଯେ ଆପଣେ ଭଗବାନ

ପାକଶାଳ ଚରିତ ଲାଗଇ ଭୀମସେନ ।୪୪।

ସହଦେବ ଆଗତ ଭବିଷ୍ୟ ଯେ କହଇ

ୟେମନ୍ତେ ସଭାଗୋଟି ନିର୍ଭା ପଡୁଥାଇ ।୪୫।

ହବିର୍ଭଗ ପାଇଣ ଯେ ଦେବତାୟେ ତୋଷ

ନାରଦେ ବୀଣାଯନ୍ତ୍ର ବାବନ୍ତି ହରଷ ।୪୬।

ଦୁତୀୟ ଦିନ ଯାଇ ତୃତୀୟ ପରବେଶ

ଅନଳେ ଆହୂତି ଯେ ଦିଅନ୍ତି ବେଦବ୍ୟାସ ।୪୭।

ଦିନକୁ ଦିନ ଅଗ୍ନିର ତେଜ ବିକାଶଇ

ମନ୍ଦାଅଗ୍ନି ତାହାଙ୍କର ଶରୀରୁ ଛାଡ଼ିଯାଇ ।୪୮।

ତେଜ ବିକାଶିଲା ଯେ ସପତ ବ୍ରହ୍ମାଣ୍ଡକୁ

ସବୁଂକରି ବପୁ ପୁଷ୍ଟ ହୋଇଲା ଅଗ୍ନିଂକ ସକାଶକୁ ।୪୯।

ଚତୁର୍ଥ ଯେ ପଞ୍ଚମ ଷଷ୍ଠ ଦିନ ଗଲା

ସପତ ଦିନ ୟେ ଅନ୍ତେ ପ୍ରବେଶ ହୋଇଲା।୫୦।

ରାତ୍ର ଦିବସରେ ଘୃତ ତିଳ ଯବଦାନ ପଡ଼ିଆ ନୋହିଲା

ଘୃତ ଖାଇ ଅଗ୍ନି ଦେବତା ସନ୍ତୋଷ ହୋଇଲା।୫୧।

ହବିର୍ଭାଗ ପାଇ ଦେବ ସନ୍ତୋଷ ହୋଇଲେ

ଯୁଝେଷ୍ଠି ଦେବଂକୁ ବହୁ କଲ୍ୟାଣ ବାଞ୍ଛିଲେ ।୫୨।

ଯହୁଂ ଦେବଗଣେ ଗଲେ ସନ୍ତୋଷକୁ ବହି

ଋଷିମାନେ ଆନନ୍ଦ ହୋଇଲେ ତାହା ଚାହିଁ ।୫୩।

ସଭାଜନମାନେ ଦେଖି ହୋଇଲେକ ତୋଷ

ସପତମ ଦିନେ ଧର୍ମଯାଗ ହେଲା ଶେଷ ।୫୪।

ଅଗ୍ନି ଦେବତାୟେ ଦେଖି ହୋଇଲେ ହରଷ

ପଞ୍ଚୁ ପାଣ୍ଡବନ୍ତ କଲ୍ୟାଣ କରନ୍ତି ଅଶେଷ   ।୫୫।

ୟେ ପଞ୍ଚୁ କଟକେ ଶତ୍ରୁମାରି ହୁଅ ତୁମ୍ଭେ ରାଜା

ତିନିପୁର ମଧ୍ୟେ ସବୁଠାରେ ପାଅ ପୂଜା   ।୫୬।

ଶତ୍ରୁ ମାରି ୟେ ପଞ୍ଚୁ କଟକେ ହୁଅ ୟେକଛତ୍ରୀ

ୟେହୁ ଦେହ ଘେନି ସ୍ଵର୍ଗକୁ ଯାଉ ଯୁଝେଷ୍ଠି ନରପତି   ।୫୭।

ସର୍ବଦା ଦୟା ତୁମ୍ଭନ୍ତ କରନ୍ତୁ ନାରାୟଣ

ୟେତେମତେ କଲ୍ୟାଣ ଯେ କଲେ ବଶ୍ୟାନର ପୁଣ   ।୫୮।

ରାଜଋଷି ଦେବଋଷିମାନେ ଆନନ୍ଦ ହୋଇଲେ

ଯୁଝେଷ୍ଠି ଦେବଂକୁ ତହିଂ ଅନେକ ପ୍ରଶଂସିଲେ ।୫୯।

ଅଗ୍ନି ଦେବତାୟେ ବୋଇଲେ ଶୁଣ ହେ ଅର୍ଜୁନ

ଯାହା ସତ୍ୟ କରିଥିଲୁ ଅନ୍ୟଥା ନୋହିଲା ବଚନ ।୬୦।

ତୋହରେଣ ସନ୍ତୋଷ ଯେ ହୋଇଲା ଶରୀର

ନିରୋଗ ହୋଇଣ ତୁହି ଥାଅ ଚିରକାଳ  ।୬୧।

ୟେତକ ବର ଦେଇଣ ଅଗ୍ନି ଦଇବତେ

ଅନ୍ତର୍ଧ୍ୟାନ ହୋଇଣ ସେ ଗଲେ ତତକ୍ଷଣାନ୍ତେ  ।୬୨।

ୟେମନ୍ତେଣ ଧର୍ମଯାଗ ହୋଇଲା ସମାପତ

ମୁନିମାନେ ବୋଇଲେ ଶୁଣ ହୋ ଯୁଝେଷ୍ଠି ନରନାଥ ।୬୩।

ଆମ୍ଭନ୍ତ ମେଲାଣି ତୁମ୍ଭେ ଦିଅ ହୋ ନୃପମଣି

ନଇମିଷା ଅରଣ୍ୟକୁ ଆମ୍ଭେ ଯିବୁ ୟେହିକ୍ଷଣି  ।୬୪।

ଯୁଝଷ୍ଠିଂକ କରେ ଅର୍ଘ୍ୟପାତ୍ର ଦେଇଥିଲେ ମୁନିମାନେ

ସଭାକୁ ଘେନିଣ ସେ ଯେ ଚଳିଲେ ବହନେ  ।୬୫।

ଆସ୍ତାନରେ ତଳେ ସେ ଯେ ମିଳିଲେ ଯୁଝେଷ୍ଠି ରାଜାଇ

ଅର୍ଘ୍ୟ ଘେନି ଉଭା ହେଲେ ଧର୍ମଂକ ତନୟି  ।୬୬।

ଯୁଝେଷ୍ଠି ବୋଇଲେ ୟେଥେ ଅଛ ଦେବଋଷି ବ୍ରହ୍ମଋଷି ମାନେ

ମହାରଥୀ ରାଜାମାନେ ବସିଅଛ ୟେଣେ  ।୬୭।

ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଶକୁନିହିଂ ଅଛ

ଅର୍ଘ୍ୟପାତ୍ର କାହାକୁ ଦେବା କହିବା ପ୍ରତକ୍ଷ  ।୬୮।

ୟେମନ୍ତେଣ ତିନି ବେଳ ଡାକିଲେ ଯୁଝେଷ୍ଠି

ବୋଇଲେ ଗରିଷ୍ଠ ରାଜାମାନେ ତୁମ୍ଭେ ଅଛ ପରମେଷ୍ଠୀ  ।୬୯।

ନାରଦେ ବୀଣା ବଜାଇ ଆନନ୍ଦେ ହସିଲେ

ବିଷ୍ଣୁ ଥାଉଂ ପାଦଅର୍ଘ୍ୟ କାହାକଇଂ ଦେବ ଭଲେ  ।୭୦।

ୟେସନେକ ବଚନ ଯେ ନାରଦଂକୁ ମୁଖୁଂ ଶୁଣି

ସନ୍ଥରାଜାମାନେ ଶୁଣି ଆନନ୍ଦ ହୋଇଲେ ପୁଣି  ।୭୧।

ଦୁଷ୍ଟ ରାଜାମାନେ ତୂନୀ ହୋଇ ରହିଲେ

ସଭାଜନ ମାନଙ୍କର ଯହୁଂ ସୀଉକାର ଦେଖିଲେ  ।୭୨।

ନାରଦ ବୋଇଲେ ଦିଅ ଗୋବିନ୍ଦ ଚରଣେ

ବହୁତ ପୁଣ୍ୟ ଅରଜିବୁ ପଣ୍ଡୁର ନନ୍ଦନେ  ।୭୩।

ଯେଉଂଣ ପାଦକୁ ବ୍ରହ୍ମା ପଖାଳି ନୁଆରିଲେ

ଚଉରାଶି କାଠି ଗଙ୍ଗା ଯେଉଂ ଚରଣ ନଖ କୋଣରେ ଲୁଚିଲା ।୭୪।

ତିବିକ୍ରମ ରୂପ ଯେ ଯେଉଂଣ ଶରୀର

ଦ୍ଵାଦଶ ଅଙ୍ଗୁଳି ଗୋଟି କାୟା ଯେ ତାହାର   ।୭୫।

ଯେ ପାଦରେ ସୁରନଦୀ ଗୋପ୍ୟାନ ହୋଇଲା

ଲଜ୍ଜାପାଇ ବ୍ରହ୍ମା ମଉନ ଭଜିଲା   ।୭୬।

ସେ ପାଦ ଧୋଇବାକୁ ଯୁଝେଷ୍ଠି ହୋଇଲୁ ଭାର୍ଜନ

ପୂର୍ବଜନ୍ମର ବିପାକ ଖଣ୍ଡିଲୁ ହୋ ପଣ୍ଡୁର ନନ୍ଦନ  ।୭୭।

ଶ୍ରୀକୃଷ୍ଣ ଚରଣେ ଅର୍ଘ୍ୟ ଦିଲେ ଯୁଝେଷ୍ଠି ନୃପତି

ଦେଖିଣ ମୁନିମାନେ ଯେ ତୋଷ କଲେ ମତି  ।୭୮।

ଅର୍ଘ୍ୟ ପୁଜା ବିଧିମାନ ସେଠାରେ ସାରିଣ ବହନ

ମୁନିମାନେ ବୋଇଲେ ଶୁଣ ଧର୍ମର ନନ୍ଦନ  ।୭୯।

ଯାଉଅଛୁ ୟେବେ ଆମ୍ଭେ ନ ରହିବୁ କ୍ଷଣେ

ଯୁଝେଷ୍ଠି ବୋଇଲେ ଅବଧାନ ହୁଅ ମୁନିମାନେ  ।୮୦।

ସର୍ବଦାୟେ ମୋତେ ତୁମ୍ଭେ ଦୟା କରିଥିବ

ତ୍ରିସନ୍ଧ୍ୟାୟେ ମୋତେ ଯେ କଲ୍ୟାଣ ବାଞ୍ଛିବ  ।୮୧।

ୟେତେ ବୋଲିଣ ଯୁଝେଷ୍ଠି ମୁନିଂକ ଚରଣେ

ନମସ୍କାର ହୋଇଲେ ଶୋଇଣ କାର୍ପଣ୍ୟେ ।୮୨।

ୟେ ଅନ୍ତେ ଜାରାସନ୍ଧ ମୃଗସେନ ବେନିରାୟେ

ମେଲାଣି ମାଗିଲେ ଯେ ଯାହାର ରାଜ୍ୟଯାୟେ ।୮୩।

ଅକ୍ଷତ ବିଧିମାନ ଯେ ଯାହାର ଆଣିଥିଲେ

ଯୁଝେଷ୍ଠି ଦେବଂକୁ ଦେଇ ସନ୍ତୋଷେ ସମସ୍ତେ ଚଳିଗଲେ  ।୮୪।

ନାଗରାଜା ବାସୁକି ଯେ ଗୋବିନ୍ଦଙ୍କୁ ଚାହିଁ

ବୋଇଲା ପାତାଳ ପୁରକୁ ଯାଉଅଛି ମୁହିଁ ।୮୫।

ଯୁଝେଷ୍ଠି ଦେବ ତହୁଁ ଅନେକ କାର୍ପଣ୍ୟ ହୋଇଲେ

କୋଳାଗ୍ରତ କରିଣ ଅନେକ ଅକ୍ଷତ ତାଙ୍କୁ ଦିଲେ  ।୮୬।

ନାଗବଳ ଘେନିଣ ବାସୁକି ନାଗରାଣ

ପ୍ରବେଶ ହୋଇଲେ ଯାଇ ପାତାଳ ଭୁବନ  ।୮୭।

ନକୁଳ ଆଗରେ ସେ ଯେ ମିଳିଲେକ ଯାଇଂ

ବୋଇଲେ ଥିର କରି ପୃଥୀ ଛାଡ଼ ହୋ ପଣ୍ଡୁର ତନୟି ।୮୮।

ୟେତେ ବୋଲି ବସୁକି ଶିରଗୋଟି ପାତିଲେ

କୋନ୍ତମୁନ ନକୁଳ ବାହାର କରି ନେଲ ।୮୯।

ଥିର ହୋଇଣ ଯେ ରହିଲା ବସୁନ୍ଧରୀ

ପୂର୍ବ ବିଧି କର୍ମରେ ଯେ ରହିଲା ସମ୍ଭାଳି ।୯୦।

ଶୁଣ ହୋ ବିଲଂକା ରାଜା ଚଇତନ କହନ୍ତି

ୟେସନେକ ପ୍ରକାରେ ନକୁଳ କୋନ୍ତମୁନେ ପୃଥୀ ଧରନ୍ତି ।୯୧।

ୟେହା ଶୁଣି ମନୁରାୟେ ସନ୍ତୋଷ ହୋଇଲେ

ଛଡ଼ ଅର୍ଘ୍ୟ ଦେଇଣ ସେ ମୁନିଂକି ପୂଜା କଲେ  ।୯୨।

ୟେଥୁ ଉତ୍ତାରେଣ କିସ ହୋଇଲା ଗୋସାଇଂ

ସଞ୍ଚପି କହିବା ମୋତେ ତୋଷମନ ହୋଇ  ।୯୩।

ଅଗସ୍ତି କହନ୍ତି ତୁ ହୋ ଶୁଣ ମନୁରାୟେ

ଶ୍ରୀମହାଭାରତ ଶୁଣି ପାତକେ କର କ୍ଷୟେ  ।୯୪।

ବାସୁକି ରାଜା ସେ ଯେହୁଂ ପାତାଳ ପୁର ଗଲେ

ନକୁଳ ସେ ଭୁବନରୁ ବାହାର ହୋଇଲେ  ।୯୫।

ବରୁଣାବନ୍ତ ରେ ଆସି ହୋଇଲେ ପରବେଶ

ଦରଶନ କଲେ ଯାଇଂ ଧର୍ମଂକର ଶିଷ  ।୯୬।

ନମସ୍କାର କରି ସମସ୍ତ ଚରିତ କହିଲେ

ଶୁଣିଣ ଯୁଝେଷ୍ଠି ଦେବ ଆନନ୍ଦ ହୋଇଲେ  ।୯୭।

ନକୁଳକୁ ଦେଖିଣ ଯେ ଶ୍ରୀହରି ପଚାରନ୍ତି

ଶ୍ରୀ ହରି ଚରଣେ ନକୁଳ ପ୍ରଳମ୍ବ କରନ୍ତି ।୯୮।

କୋନ୍ତମୁନେ ବାବୁ ଧଇଲୁ ତୁ ପୃଥୀ

ସପତ ବ୍ରହ୍ମାଣ୍ଡେ ତୋତେ ଜିଣନ୍ତା ନାହିଂ ଛତ୍ରୀ ।୯୯।

ନକୁଳ ବୋଇଲା ସ୍ଵାମୀ ତୋହର ପରସାଦେ

ତେଣୁ କରି ପୃଥୀ ସିନା ଧଇଲି ମୁଂ ହାତେ  ।୧୦୦।

ଭୀମ ଅରଜୁନକୁ ଯେ ନକୁଳ ଓଳଗିଲେ

ନକୁଳ ଚରଣେ ସହଦେବ ଯେ ନମିଲେ  ।୧୦୧।

ଶୁଣି ତାହା ସଭାଜନେ ସନ୍ତୋଷ ହୋଇଲେ

କୁରୁବଂଶ ଶୁଣି ୟେହା ମନରେ ଭୟ କଲେ  ।୧୦୨।

ମାନଗୋବିନ୍ଦ ଯେ ଗଲା ହସ୍ତିନା ଭୁବନକୁ

ସମସ୍ତ କହିଲା ଯାଇଂ ଧୃତି ଯେ ରାଷ୍ଟଂକୁ  ।୧୦୩।

ଯାଗର ବିଧାନ ଯେ ସମସ୍ତ କହିଲା

କୋନ୍ତମୁନେ ନକୁଳ ଯେ ପୃଥିବୀ ଧଇଲା  ।୧୦୪।

ସାତଦିନ ପରିଯନ୍ତେ କୋନ୍ତେ ଧଇଲା ବସୁନ୍ଧରୀ

ଧୃତିରାଷ୍ଟ୍ର ବୋଇଲେ ନୁଆରିବି ରକ୍ଷାକରି  ।୧୦୫।

ୟେଥୁ ଅନନ୍ତରେ ତୁ ହୋ ଶୁଣ ମନୁ ମହାରାଣ

ପବିତ୍ର ଆଛ୍ୟାନ ୟେ ଯେ ଶ୍ରୀମହାଭାରତ ପୁରାଣ  ।୧୦୬।

ପଢନ୍ତେ ଶୁଣନ୍ତେଣ ଖଣ୍ଡଇ ଦୁର୍ଗତି

ରାଜଦ୍ଵାରେ ସେହୁ ଯେ ପୂଜାପାୟେ ନିତି  ।୧୦୭।

ଶତ୍ରୁ ବିପତ୍ତି ତାକୁ ନ ପଡ଼ଇ ଢାଳେ

ରୋଗ ବ୍ୟାଧି ନ ଲାଗଇ ଶୁଣନ୍ତେ ଶ୍ରବଣରେ  ।୧୦୮।

ମନୁ କହନ୍ତି ଯେ ଚଇତନ ଶୁଣଇ

ୟେଥୁ ଉତ୍ତାରେଣ କିସ ଚରିତ ହୋଇଲା ଗୋସାଇଂ ।୧୦୯।

ଅଗସ୍ତି ବୋଇଲେ ତୁ ହୋ ଶୁଣ ମହାରାଣ

ମେଲାଣି ମାଗିଲେ ଉଗ୍ରସେନ ଯେ ରାଜନ  ।୧୧୦।

ସାତବଂଶ ଘେନିଣ ଯେ ଉଗ୍ରସେନ ରାଜା

ଯୁଝେଷ୍ଠି ଅକ୍ଷତ ଦେଇ କଲେ ତାକୁ ପୂଜା ।୧୧୧।

ମେଲାଣି ହୋଇଣ ତହୁଂ ଉଗ୍ରସେନ ଗଲା

ମଥୁରା ପୁରେ ଯାଇ ପ୍ରବେଶ ହୋଇଲା ।୧୧୨।

ବଳରାମ ବୋଇଲେ ହୋ ଆମ୍ଭେ ଯିଂବୁ ଚଳି

ସାତଦିନ ହୋଇଲା ଅଇଲି ଆମ୍ଭେ ରଜ୍ୟ ଛାଡ଼ି  ।୧୧୩।

ବଳରାମକଇଂ ଯୁଝେଷ୍ଠି ଦେବ ନମସ୍କାର କଲେ

ଛଡ଼ଅର୍ଘ୍ୟ ଦେଇଣ ଯେ ଚରଣେ ନମିଲେ  ।୧୧୪।

ଶ୍ରୀହରି ପୁତ୍ରମାନନ୍ତ ଘେନିଣ ବଳରାମ ଗଲେ

ଦ୍ଵାରାବତୀ ଭୁବନେ ଯାଇଣ ହୋଇଲେ  ।୧୧୫।

ଦ୍ରୋପଦ ରାଜା ବୋଇଲେ ଯୁଝେଷ୍ଠିଂକି ଚାହିଂ

ମେଲାଣି ଦିଅ ମୁକୁ ମୁଂ ଯିବଂଇ ବେଗ ହୋଇ ।୧୧୬।

ଅକ୍ଷତ ପ୍ରକାରେ ଯେ ଅନେକ ଧନ ବସ୍ତ୍ର ଦିଲେ

ନମସ୍କାର କରିଣ ଚରଣେ ନମିଲେ ।୧୧୭।

କଲ୍ୟାଣ କରିଣ ଯେ ଦ୍ରୋପଦ ରାଜା ଗଲେ

ପାଞ୍ଚାଳ ରଜ୍ୟେ ଯାଇଂ ପ୍ରବେଶ ହୋଇଲେ ।୧୧୮।

ଭାନୁମତ ରାଜା ତହିଂ ଯୁଝେଷ୍ଠିଂକି ଚାହିଂଣ

ବୋଇଲେ ମେଲାଣି ଆମ୍ଭନ୍ତ ଦିଅ ୟେହିକ୍ଷଣ  ।୧୧୯।

ବହୁତ ଅକ୍ଷତ ଭାନୁମତ ରାଜନ୍ତ ଦେଇ

ମେଲାଣି ଦିଲେ ଯେ ଯୁଝେଷ୍ଠି ନରସାଇଂ ।୧୨୦।

ମେଲାଣି ପାଇ ଭାନୁମତ ରାଜ୍ୟେ ଯାଇଂ ହୋଇଲେ ପରବେଶ

ଶୁଣିଲୁଟି କିହୋ ମନୁ ୟେ ଅପୂର୍ବ ଦିବ୍ୟରସ ।୧୨୧।

ଶ୍ରୀହରି କହନ୍ତି ଯେ ଯୁଝେଷ୍ଠି ଅର୍ଜୁନନ୍ତ ଚାହିଂ

ସମସ୍ତ କାର୍ଯ୍ୟ ନିର୍ଭା କଲୁ ତ ୟେଥେଂ ରହି ।୧୨୨।

ଗୋବିନ୍ଦଂକ ବଚନେ ଯୁଝେଷ୍ଠି ବୋଇଲେ ଶୁଣ

ନାରଦେ ଅଛନ୍ତି ତାଂକୁ ମେଲାଣି ଦିଅ ୟେହିକ୍ଷଣ  ।୧୨୩।

ନାରଦଂକୁ ହକାରି ବୋଇଲେ ଦାମୋଦର

ୟେବେ ସ୍ଵର୍ଗ ଭୁବନକଇଂ ତୁମ୍ଭେ ଚଳସି ମୁନିବର  ।୧୨୪।

ତୁମ୍ଭର କଲ୍ୟାଣେ ଆମ୍ଭେ କାର୍ଯ ସିଦ୍ଧ ହେଲା

ତୁମ୍ଭର ବଚନେ ୟେ ଯାଗ ଯେ ସମ୍ପୂର୍ଣ୍ଣ ହୋଇଲା ।୧୨୫।

ୟେସନେକ ବଚନ ଶୁଣି ନାରଦ ମହାମୁନି

ବଇକୁଣ୍ଠ ପୁରକୁ ଯେ ଚଳିଲେ ତତକ୍ଷଣି  ।୧୨୬।

ଶ୍ରୀହରି ଯୁଝେଷ୍ଠି ଚାରି ଭାଇ ସହିତେ

ନମିଲେ ମୁନିଂକର ଚରଣ ଅଗ୍ରତେ  ।୧୨୭।

ସ୍ଵର୍ଗ ପୁରେ ମୁନି ଯେ ହୋଇଲେ ପ୍ରବେଶ

ଶ୍ରୀହରି ଚରଣେ ଶରଣ କବି ସାରଳା ଦାସ ।୧୨୮।

ୟେଥୁ ଅନନ୍ତ ରେ ପ୍ରଭୁ ନାରାୟଣ

ଯୁଝେଷ୍ଠିଂକି ଚାହିଣ ବୋଇଲେ ମେଲାଣି ଦିଅ ଆମ୍ଭେ ଯିବୁ

ଦ୍ଵାରାବତୀ ଭୁବନ ।୧୨୯।

ୟେତେ କହି ଶ୍ରୀହରି ଗରୁଡ଼କୁ ସୁମରଣା କଲେ

ରମ୍ୟେକ ଦ୍ଵୀପେ ଥାଇ ୟେହା ଗରୁଡ଼ ଜାଣିଲେ  ।୧୩୦।

ତତକ୍ଷଣେ ଅଇଲେ ଯେ ବିନିତା ନନ୍ଦନ

ଶ୍ରୀକୃଷ୍ଣଂକୁ ଆସି ସେହୁ କଲେକ ଦରଶନ  ।୧୩୧।

ଯୁଝେଷ୍ଠିଂକ ଚରଣ ରେ ଶ୍ରୀହରି ନମସ୍କାର କଲେ

ଭୀମ ଅର୍ଜୁନ ନକୁଳ ସହଦେବ ଗୋବିନ୍ଦଂକ ଚରଣେ ନମିଲେ ।୧୩୨।

କଲ୍ୟାଣ କରଣ ଯେ ଚଳିଲେ ଭଗବାନ

ପ୍ରବେଶ ହୋଇଲେ ଯାଇଂ କୁଶସ୍ଥଳି ଭୁବନ  ।୧୩୩।

ଗରୁଡୁଂ ଉତୁରି ହରି ଭିତରକୁ ଗଲେ

ରୁକ୍ମିଣୀ ସତ୍ୟଭାମା ମୂଳେ ଅଷ୍ଟପାଟବଂଶୀ ଦର୍ଶନ ଆସି କଲେ ।୧୩୪।

ଯାଗର ଚରିତ ସବୁ କହିଲେ ଦାମୋଦର

କୋନ୍ତମୁନେ ପୃଥିବୀ ଧଇଲା ନକୁଳ କୁମର  ।୧୩୫।

ଶୁଣି ପାଟବଂଶୀ ମାନେ ହରଷ ହୋଇଲେ

ୟେ ସବୁ ଭିଆଣ ଆପଣେ ସିନା କରିଛ ବୋଇଲେ ।୧୩୬।

ଗୋବିନ୍ଦ ନିଚିନ୍ତଣ ଦ୍ଵାରିକାରେ ରହିଲେ

ୟେଥୁ ଅନନ୍ତ ରେ ମନୁ ପଚାରିଲେ  ।୧୩୭।

ଧର୍ମ ଯାଗ ଚରିତ ଶୁଣିଲି ଶ୍ରବଣେ

ପଣ୍ଡୁ ପାଞ୍ଚପୁତ୍ର ରହିଲେ ବାରୁଣବନ୍ତ ସ୍ଥାନେ ।୧୩୮।

ୟେଥୁ ଉତ୍ତାରେଣ ପୁଣ ହୋଇଲାକ କିସ

ୟେହା ବିଶେଷିଣ ମୋତେ କହୁ କୁମ୍ଭଋଷି ଶିଷ  ।୧୩୯।

ଅଗସ୍ତି କହନ୍ତି ତୁ ହୋ ଶୁଣ ମନୁରାଣ

ୟେହାପରେ ହେଲା ଯେବଣ କାରଣ  ।୧୪୦।

କହ ମୁନି ମୋତେ ତୋଷଚିତ୍ତ ହୋଇ

ଦୁଧ ଦେଇ ଘୃତ ମୋତେ ଅଛ ହୋ ଲୁଚାଇ  ।୧୪୧।

ନମସ୍ତେ ବିମଳା ମାଗୋ ନମୋ ନାରାୟଣି

ସଂସାର ଜନେ ମା ଗୋ ତୋ ନାମ ବଖାଣି  ।୧୪୨।

ଦୁର୍ଗତି ଖଣ୍ଡନୀ ମା ଗୋ କମଳ ଆସନୀ

ଅରକ୍ଷିତ ଜନଂକର ଦୁଖ ବିନାଶିନୀ ।୧୪୩।

ନିତ୍ୟେହେଂ ତୋର ନାମ ଯେହୁ କରଇ ସୁମରଣ

ନାନା ଦୁର୍ଗତି ତାହାର ହୋଅଇ ଖଣ୍ଡଣ  ।୧୪୪।

ସୁଦୟା ଚିତ୍ତେ ମାଗା ଦୟାକର ମୋତେ

ସାରଳା ଦାସ କୁ ଗୋ ରଖ ଜଗତର ମାତେ  ।୧୪୫।

ଜୟ ଜୟ ସର୍ବ ମଙ୍ଗଳା ଗୋ ସଂକଟ ତାରିଣୀ

କାକଟପୁରେ ମାଡ଼ିଣ ଗୋ ବସିଛୁ ଗୋସାମଣୀ ।୧୪୬।

ପ୍ରାଚୀନଦୀ ତୀରେ ପୂର୍ବ କୋଣେ ସ୍ଥିତି

ନିତ୍ୟେହେଂ ପୋଢୁଅ ବୋଦାବଳି ଖାଉ ଭଗବତୀ ।୧୪୭।

ରାଜା ଘରେ ତୋତେ ଯେ ଭୋଗ ଖଞ୍ଜା ନାହିଂ

ସଂସାର ଜନକୁ ଗୋ ମୋହି ଖାଉ ତୁହି  ।୧୪୮।

ମଇଂଷାସୁର ନାଶ ଗଲା ତୋହର ବୁଦ୍ଧିବଳେ

ରକତବୀର୍ଯ୍ୟକୁ ଭକ୍ଷିଲୁ ପକାଇ ଖପରେ  ।୧୪୯।

ଅସୁର ବିନାଶିନୀ ମାଗୋ ନାମ ତୋ ଯିଘ୍ନସେନୀ

ଦୁଷ୍ଟ ଜନନ୍ତ ନାଶି ସ୍ଥିର କଲୁ ମେଦିନୀ  ।୧୫୦।

ମୁହିଂ ଯେ ଅରକ୍ଷିତ ଅଟଇ ସାରୋଳା ଦାସ

ଜନ୍ମେ ଜନ୍ମେ ତୋହର ଚରଣକୁ ମୋର ଆଶ  ।୧୫୧।

ଜୟ ତୁ ନାରାୟଣ ବିଜୟେ ଶବରୀ

ବନକ୍ରୀଡ଼ା ରଙ୍ଗେଣ ଅରଣ୍ୟେ ବେଣ୍ଟକରି  ।୧୫୨।

ଅଜମିତ କିରାତର ଝିଅ ଯେ ମାଳତି

ତାହାକୁ ବିଭା ହେଲୁ ନାଥ ସମ୍ଭରେ ମେଳ ମତି ।୧୫୩।

ସ୍ଵାମି ମଉଳି ଶୋଭାବନ ଯାହାର କବରୀ

ଗୁଞ୍ଜରା ଗୁଞ୍ଜମାଳି ଲଲାଟେ କସ୍ତୁରୀ  ।୧୫୪।

ମାଳତୀର ବଲ୍ଲଭ ଶବରୀ ନାରାୟଣ

ଶୂଦ୍ରମୁନି ସାରୋଳା ଦାସ ତା ଚରଣେ ଶରଣ  ।୧୫୫।

ଜୟତୁ ନାରାୟଣୀ ଗୋ ଅନାଦି ଶକତି

ପରମ ବଇଷ୍ଣବୀ ତୁହି ଅଟୁ ଜଗଦ୍ଧାତ୍ରୀ ।୧୫୬।

ତୋହର ବୁଦ୍ଧିବଳେ ମଇଂଷାସୁର ନାଶି

ଶୁମ୍ଭ ନିଶୁମ୍ଭନ୍ତ ତୁ ମାଇଲୁ ବିଶ୍ଵାସୀ ।୧୫୭।

ଧନୁ ଧରିଣ ତୁ ଚଣ୍ଡ ଯୁଦ୍ଧର କାଳେ ମାୟେ

ଧନୁ ଧଇଲୁ ତୁ ଗୋ ଚଉଦ ମନୁ ଯାୟେ  ।୧୫୮।

ଯହୁଂ ରକତବୀର୍ଯ୍ୟ ତୁ କଲୁ ଦେବୀ ଧ୍ଵଂସ

ତାହାର ରକତ ଜନ୍ମିଲା ସେ ଉପୁଜିଲା ବଂଶ ।୧୫୯।

ମାରି ଚିନ୍ତା କଲୁ ନ ମଲା ସେ ଯହୁଂ

ଚଉଦ ମର୍ଭୁତ ଚଣ୍ଡି ଜାତ କାଲୁ ତହୁଂ ।୧୬୦।

ୟେତେ ବଡ଼ ଅସୁରକୁ କିଞ୍ଚିତେ ନାଶିଲୁ

ସୁର ନର ମାନଂକର ଭୟ ନିବାରିଲୁ  ।୧୬୧।

ତେଣୁ କରି ରକତ ନାଶେନି ବୋଲି ତୋତେ

ଦାନବ କୁଳ ଧ୍ଵଂସିନିୀ ଗୋ ଦୟା କର ମୋତେ  ।୧୬୨।

ତୋହର ଚରଣକୁ ଆଶ୍ରେ କରି ମୁହିଂ

ଭାରଥ ରଚିବାକୁ ମନରେ ବିଚାରଇଂ ।୧୬୩।

ତୁ ଦେବୀ ସୁଦୟା କଲେ ପାଇବି କାରଣ

ମନୁଷ୍ୟ ଯୋନିରେ ମୁଂ ହୋଇଛି ବରଣ ।୧୬୪।

ମୁର୍ଖ ଅପଣ୍ଡିତ ଯେ ମୁଂ ନ ଜାଣଇଂ କିଛି

ତୋହର ଚରଣକୁ ମୁଂ ଆଶ୍ରେ କରିଅଛି ।୧୬୫।

ସାରୋଳା ରୂପେ ତୁ ମୋତେ କହିଲୁ ଗୋ ଗ୍ରନ୍ଥ

ତେଣୁ କରି ଜଗତେ ମୋତେ ବୋଲନ୍ତି ପଣ୍ଡିତ  ।୧୬୬।

ମୋହର ଜନ୍ମେ ମୁହିଂ ବିଦ୍ୟା ପଢିନାହିଂ

ସୁଜନ ଜନମାନଂକ ସଙ୍ଗତେ ନ ଥାଇ  ।୧୬୭।

ପଣ୍ଡିତ ଜନଂକର ନ ବସିଲି ସଙ୍ଗେ

ପଶାଯୂତ ଶକଟାରେ ବୁଲିଲି ନାନାରଙ୍ଗେ ।୧୬୮।

ତୁହି ଯେ ସୁଦୟା କଲୁସି ଗୋ ମାୟେ

ତେଣୁ କରି ସୁଜନ ମୋତେ ବୋଲନ୍ତି ସଭିୟେ ।୧୬୯।

ୟେବେ କରୁଣା କଲୁ କହିବି ଭାରଥ

ଆଗୋଚର ଦିଶିଲା ମୋତେ ମଧ୍ୟପର୍ବର ଅର୍ଥ ।୧୭୦।

ୟେଣୁ ଗୋ ନାରାୟଣୀ ମୁହିଂ ଆଶ୍ରେ କଲି ତୋତେ

ଅଇଲାକ ମାୟା ଡରାଉ ଗୋ ମୋତେ ।୧୭୧।

ତୋହୋର ସୁଦୟା ରୁ ଭୟ ନାହିଂ ଚିତ୍ତେ

ଶୂଦ୍ରମୁନି ସାରୋଳା ଦାସ ନମଇଂ ପାଦଗତେ ।୧୭୨।

 

Unknown

ଶୋଭାବତୀ ହରଣ

ବନ୍ଦଇ ବାକ୍ୟଦେବୀ ଗୋ ବ୍ରହ୍ମାର ଦୁଲଣୀ

ଯାହାର ନାମ ଗୋଟି ସୁଗ୍ୟଂଜନେ ବଖାଣି  ।୧।

ସମସ୍ତଙ୍କ କଣ୍ଠରେ ଗୋ ବସିଥାଉ ମାୟେ

କହିଣ ଦେଉଥାଉ ବସିଣ ହୃଦୟେ ।୨।

ତୋହର ସୁଦୟା ମାଗୋ ଯାହାତହିଂ ନାହିଂ

ଜଗତରେ ସେହି ପ୍ରାଣୀ ପୂଜିତ ନୋହଇ ।୩।

ତୋହର ଯାହଠାରେ ମାଗୋ ସୁଦୟା ଅଛଇ

ଜଳେ ଥଳେ ଅନଳେ ମହାଭୟ କିଛି ନାହିଂ ।୪।

ମୁହିଂ ମାଗୋ ଅରକ୍ଷିତ ମୋତେ ଦୟା କଲୁ

କଣ୍ଠରେ ବସିଣ ମାହାଭାରଥ ବଖାଣିଲୁ ।୫।

ୟେଣିକି ପଦ ଯେ ପଦ ମୋତେ ନୋହୋଛି ଗୋ ଦୃଶ୍ୟ

ଅପଣ୍ଡିତ ଲୋକେ ମୋତେ କରିବେ ଉପହାସ୍ୟ ।୬।

ମୂର୍ଖ ଜନମାନନ୍ତ ମୁଂ ବହୁତ ଡରଇ

ସାଧୁ ଜନମାନଂକ ଚରଣେ ଅଛି ଧ୍ୟାୟି ।୭।

ଶ୍ରୀ ବାକ୍ୟ ଦେବୀଂକର ଚରଣ କମଳେ

କବି ସରୋଳା ଦାସ ନମଇଂ ସର୍ବକାଳେ  ।୮।

ବିଲଂକ ଦେଶର ରାଜା ଯେ ଅଟଇ ମନୁରାୟେ

ଅଗସ୍ତିଙ୍କ ଚରଣରେ ବହୁତ ବିନୟେ  ।୯।

ଶୁଣିଲି ମାହାଭାରଥ ତୁମ୍ଭର ପରସାଦେ

ନାନା ଦୁର୍ଗତରୁ ମୁହିଂ ତରିବଇଂ ହାଦେ  ।୧୦।

ନାନାଦି ପାତକ ୟେ ଅଙ୍ଗରୁ ଛଡ଼ାଇଲି

ଶାମ୍ବ ଚନ୍ଦ୍ରାବତୀଂକର ବିବାହ ଶୁଣିଲି ।୧୧।

କୁମ୍ଭକ ଦଇତ ବଧ ଶୁଣିଲି ଶ୍ରବଣେ

କଥାୟେ ପଚାରିବି ହୋଇବା ସାବଧାନେ  ।୧୨।

ଶାମ୍ବ କୁମର ଚନ୍ଦ୍ରାବତୀ କି ବିଭା ହେଲେ

ଆବର ପୁତ୍ରମାନେ ପୁଣ କେବଣ କୃତ୍ୟ କଲେ  ।୧୩।

ଶ୍ରୀକୃଷ୍ଣଂକର ପୁତ୍ରମାନେ ଅଟନ୍ତି ବଳିୟାର

ତାହାଂକର ଚରିତ ମୋତେ କହ ମୁନିବର  ।୧୪।

ୟେକା ଭାରିଯାୟେ କି ତାହାଂକର ହୋଇଲା

ଆଉ କି ୟେହାଂକର ଭାରିଯା ନୋହିଲା  ।୧୫।

ୟେ କଥାମାନ ମୋତେ କହ ମୁନି ପୁଣି

ତେବେ ସିନା ପ୍ରତେ ଯିବି ତୁମ୍ଭ ମୁଖୁଂ ଶୁଣି  ।୧୬।

ରାଜାର ବଚନ ଶୁଣି ହସିଲେ ମୁନିବର

ଯାହା ପଚାରିଲୁ ତାହା ଶୁଣ ଦଣ୍ଡଧର ।୧୭।

କେଉଂ ପୁତ୍ରର ଦୁଇ ଭାରିଯା କାହାର ତିନି ହୋଇ

କେଉଂ ପୁତ୍ରର ୟେକା ଭାରିଯାକେ ଦିନ ଯାଇ ।୧୮।

ୟେମନ୍ତେ ଲକ୍ଷେ ଷାଠି ସହସ୍ର ଅଶିୟେ କୁମର

ଦ୍ଵାରବତୀରେ ଥାଇଂଣ ବଞ୍ଚନ୍ତି ଯେ କାଳ  ।୧୯।

ଯେ ଯାହାର ମନ୍ଦିରେ ଯେ ସୁଖେଣ ଥାଅନ୍ତି

ନାନା କଉତୁକ ରସେ ଦିନ ସେ ହରନ୍ତି ।୨୦।

ଶାମ୍ବ କୁମର ବୋଲିଣ ଯେବଣ ନନ୍ଦନ

ଚନ୍ଦ୍ରାବତୀ କି ଘେନିଣ ଅନେକ ଭୋଗ କଲା ଜାଣ ।୨୧।

ଚନ୍ଦ୍ରଶାଳା ପୁର ସେ ଯେ ଗୋଟିୟେ ଭିଆଇ

ୟେମନ୍ତେଣ କେତେକାଳ ତହିଂ ଗଲା ବହି ।୨୨।

ଦ୍ରଯୋଧନ ରାଜାର ସେ ଅଟଇ ଦୁହିତୀ

ରୂପ ଗୁଣ ସୁନ୍ଦରେ ସେ ଜିଣଇ ପାର୍ବତୀ ।୨୩।

ରୂପ ଗୁଣ ଦେଖି ଶାମ୍ବ ନ ଛାଡ଼ଇ କ୍ଷଣେ

ସେ କନ୍ୟାକୁ ମୁରୁଛି ନପାରଇ ୟେକ ଦିନେ ।୨୪।

ଶୁଣ ତୁ ମହାରାଜା ବନ୍ଦନ୍ତି ଅଗସ୍ତି

ୟେମନ୍ତେ ଶୁଣ ତୁ ଦଇବର ଗତି ।୨୫।

ୟେକ ଦିନକରେ ପୁଣି ନାରଦ ମହାମୁନି

ଦ୍ଵାରିକା ପୁରେ ବିଜେ କଲେ ତପୋଧନି ।୨୬।

କଷା କଉପୁନୀ ସେ ଯେ ଦିବ୍ୟ ବେଶ ହୋଇ

ଭସ୍ମ ବିଲେପନ ଯେ କାୟାଗୋଟି ସେହି  ।୨୭।

ବେନିକର୍ଣ୍ଣେ ବିରାଜଇ ତାମ୍ରର କୁଣ୍ଡଳ

ପଦ୍ମ ପତ୍ରେ ନୀର ଯେହ୍ନେ ଦିଶଇ ଢଳ ଢଳ  ।୨୮।

ଦଣ୍ଡ କମଣ୍ଡଳୁ ମୁନି ହାଥରେ ଧରିଛନ୍ତି

କଳି ଧୋକଡ଼ି ମୁଣି କାଖରେ ଯାକିଛନ୍ତି ।୨୯।

ସ୍ଵର୍ଗପୁରରୁ ଓଲ୍ଲାଇ ଅଇଲେ ମୁନିବର

ଭ୍ରମନ୍ତି ତପଶୀଳ ଆସି ମର୍ତ୍ତ୍ୟମଣ୍ଡଳର  ।୩୦।

ଭମି ଭ୍ରମି ଆସି ସେହୁ ଦ୍ଵାରିକାରେ ହୋଇଲେ

ଉଗ୍ରସେନ ଆସ୍ତାନରେ ଯାଇଣ ମିଳିଲେ  ।୩୧।

ମୁନିଂକି ଦେଖିଣ ତହିଂ ଉଠିଲେ ସମେସ୍ତ

ନମସ୍କାର କଲେ ଯାଇଂ ଋଷିଂକ ପାଦଗତେ ।୩୨।

ଗଙ୍ଗା ଜଳ ଘେନି ତାଂକ ଚରଣ ଧୋଇଲେ

ପାଦ ଊଦକ ନେଇଣ ଗର୍ଭକୁ କ୍ଷେପିଲେ ।୩୩।

ପାଦାସନ ଦେଇ ମୁନିଂକି ବସାଇଲେ ଧୀରେ

କୁଶଳ ବାରତା ପଚାରିଲେ ମୁନିବରେ  ।୩୪।

ସମସ୍ତ କୁଶଳ ତହିଂ କହିଲେ ଉଗ୍ରସେନ

କଲ୍ୟାଣ କରିଣ ତହିଂ ଉଠିଲେ ତପୋଧାନ ।୩୫।

ରାଜାକୁ ମେଲାଣି ମାଗି ବାହାର ହୋଇଲେ

ବଳରାମଂକ ନବରେ ଯାଇଂ ପ୍ରବେଶ ଯେ ହେଲେ ।୩୬।

ତାଂକୁ ଦେଖି ବଳରାମ ଉଠିଲେ ବହନ

ନମସ୍କାର କଲେ ସେହୁ ମୁନିଂକ ଚରଣ ।୩୭।

କଲ୍ୟାଣ କରିଣ ତାହନ୍ତ କହନ୍ତି ମହାମୁନି

ସକଳ କୁଶଳଟିକି ହୋ ତୋହର ହଳପାଣି ।୩୮।

ବଳରାମେ ବୋଇଲେ ମୋର ସମସ୍ତ କୁଶଳ

କାହିଂ ଥିଲ ତୁମ୍ଭେ ମୋତେ କହ ତପଶୀଳ ।୩୯।

ୟେହା ଶୁଣି ନାରଦ ଯେ ବୋଲନ୍ତି ବଚନ

ଯହିଂ ଥିଲି ତାହା ତୁ ହୋ ଶୁଣ ବଳରାମ ।୪୦।

ମଞ୍ଚ ମଣ୍ଡଳ ରେ ଆମ୍ଭେ ଭ୍ରମଣ କରୁଥିଲୁ

ତୁମ୍ଭନ୍ତ ଯେ ସଙ୍ଗେ ନେବା ନିମନ୍ତେ ୟେଠାକୁ ଅଇଲୁ।୪୧।

ସେଠାରୁ ମେଲାଣି ହୋଇଣ ହୋଇଲେ ବାହର

ଯାଇଣ ମିଳିଲେ ସେ ଶ୍ରୀକୃଷ୍ଣଂକ ନବର ।୪୨।

ଆସ୍ତାନେ କରଣ ଯେ ବସିଅଛନ୍ତ ନରହରି

ତହିଂ ସେ ଯାଇଣ ପ୍ରବେଶ ହୋଇଲେ ତପଚାରୀ ।୪୩।

ନାରଦଂକୁ ଦେଖି ତହୁଂ ଦେବ ଶ୍ରକୃଷ୍ଣ ଉଠିଲେ

ନମସ୍କାର କରିଣ ଯେ ଉଭା ହୋଇଣ ରହିଲେ ।୪୪।

ଗଙ୍ଗା ଜଳ ଘେନି ତାଂକ ଚରଣ ଦୋଇଲେ

ପାଦର ଉଦକ ନେଇ ଗର୍ଭ କୁ କ୍ଷେପିଲେ ।୪୫।

ପାଦାସନ ଦେଇ ମୁନିଂକି ବସାଇଲେ ଧିରେ

କୁଶଳ ବାରତା ପଚାରିଲେ ମୁନିବରେ  ।୪୬।

ସକଳ ବାରତା ତାହାନ୍ତ ପୁଛନ୍ତି ନାରାୟଣ

ମୋତେ ସଙ୍ଖୋଳି ତୁମ୍ଭେ କି ଅଇଲ ବ୍ରହ୍ମମୁନ୍ୟ ।୪୭।

ନାରଦେ ବୋଇଲେ ଆମ୍ଭେ ମଞ୍ଚକୁ ଆସିଥିଲୁ

ତୁମ୍ଭନ୍ତ ସଙ୍ଖୋଳିବାକୁ ବୋଲିଣ ଅଇଲୁ ।୪୮।

ଯାଉଅଛୁ କ୍ଷଣେ ନ ରହୁ ହୋ ବାବା

ଶ୍ରକୃଷ୍ଣ ବୋଇଲେ କ୍ଷଣେ ରହ ମୁନିଦେବା  ।୪୯।

ନାରଦେ ବୋଇଲେ ହରି ନ ଜାଣ କି ଆମ୍ଭର ଚରିତ

ୟେକା ଠାବକରେ ମୁହିଂ ନ ବସେ କଦାଚିତେ ।୫୦।

କଳହପ୍ରିୟ ମୁନି କଳି ଘେନି ବୁଲୁଥାଇଂ

ତିନି ଭୁବନ ରେ ଯହିଂ ଯେତେ କଥା ପଡ଼ଇ  ।୫୧।

ସକଳ ଚରିତ ତହିଂ ଜାଣଇ ପରିମାଣି

ତେଣୁ କରି କହନ୍ତି ମୋତେ କଳହ ପ୍ରିୟ ମୁନି ।୫୨।

ୟେତେ କହି ଶ୍ରୀକୃଷ୍ଣନ୍ତ ମେଲାଣି ମାଗିଲେ

ପଦ୍ମନର ପୁରେ ଯାଇ ପ୍ରବେଶ ହୋଇଲେ ।୫୩।

ପଦ୍ମନ ଦେଖି ମୁନିଂକି ନମସ୍କାର କଲା

ବସିବାକୁ ଦିବ୍ୟ ଆସନେକ ନେଇ ଦିଲା  ।୫୪।

ସକଳ ଚରିତ ମାନ କୁହାକୁହି ହୋଇଲେ

ତତକ୍ଷଣେ ସେଠାରୁ ବାହାର ହୋଇଗଲେ ।୫୫।

ଶାମ୍ବକୁମର ମନ୍ଦିରେ ମିଳିଲେ କ ଯାଇ

ଦେଖହିଲେ ଯେ ପୁରରେ ଜଣେହେଂ କେହି ନାହିଂ।୫୬।

ଭିତରେ ଥାଇଣ ତହିଂ ଜାଣିଲା କୁମର

ବୋଇଲେ ଆମ୍ଭରପୁରେ ବିଜେ କଲେ ମୁନିବର  ।୫୭।

ତକ୍ଷଣେ କୁମର ଭିତରୁ ବାହାର ହୋଇ

ମୁନିଂକ ଚରଣେ ତଳେଣ ଲମ୍ବଇ ।୫୮।

ନମସ୍କାର କରିଣ କହଇ ବଚନ

ଆମ୍ଭର ବଡ଼ ଭାଗ୍ୟ ଦେଖିଲି ବ୍ରହ୍ମମୁନ୍ୟ ।୫୯।

ଭିତରେ ଥାଇ ଚନ୍ଦ୍ରାବତୀ କରଇ ନମସ୍କାର

କଲ୍ୟାଣ କର ମୋତେ ବ୍ରହ୍ମାଂକ କୁମର ।୬୦।

ନାରଦ ବୋଇଲେ ତୁ ହୁଅସି କଇଲ୍ୟାଣ

ପୁତ୍ର ପଉତ୍ରୀ ତୋର ଯେ ହୁଅନ୍ତୁ ବର୍ଦ୍ଧମାନ  ।୬୧।

ୟେତେକ କଲ୍ୟାଣ ଯହୁଂ ନାରଦ ମୁନି କଲେ

ଶୁଣି ଚନ୍ଦ୍ରାବତୀ ତହୁଂ ଆନନ୍ଦ ହୋଇଲେ ।୬୨।

ନାରଦେ ଗଉରୋବ ପାଇ ବସିଲେ ସେ ଠାବରେ

କନକର ଚମ୍ପା ଗୋଟିୟେ ଘେନିଥିଲେ କରେ ।୬୩।

ଚନ୍ଦ୍ରାବତୀ ହାଥ କୁ ସେ ଫୁଲ ବଢାଇଣ ଦିଲେ

ୟେହି ପୁଷ୍ୟେଗୋଟି ମାୟେ ଘେନ ଗୋ ବୋଇଲେ।୬୪।

ହାଥ ପ୍ରସାରିଣ ପୁଷ୍ୟ ନେଲାକ ଚନ୍ଦ୍ରବତୀ

ପୁଷ୍ୟ ଦେଖି ଆନନ୍ଦ ମାନଗୋବିନ୍ଦ ଦୁହିତୀ ।୬୫।

ମୁନିଂକି ବୋଇଲେ ତୁମ୍ଭେ ଶୁଣିମା ଗୋସାଇଂ

ୟେ ପୁଷ୍ୟ ଗୋଟି କାହୁଂ ଆଣିଲ ବ୍ରହ୍ମାଂକ ତନୟି।୬୬।

ନନ୍ଦନ ବନେ ଥାଇ ୟେ ଫୁଲ ନ ଥାଇ ଆନ ଠାରେ

ଆମ୍ଭେ ଯେ ଅଇଲୁ ସେହି ତୋଟାର ବାଟରେ ।୬୭।

ଶରଧାୟେ ତହୁଂ ପୁଷ୍ୟ ଗୋଟେୟେ ଆଣିଲୁ

ଶରଧା ଯୁଗତେ ଆମ୍ଭେ ତୋହର ହାଥେ ଦିଲୁ ।୬୮

ନାରଦେ ବୋଇଲେ ୟେ ପୁଷ୍ୟର ମହିମା ତୁମ୍ଭେ ଶୁଣ

ଇଶ୍ଵରଂକ ଭାରିଯା ଗଉରୀଂକି ଦେଇ ପୁଜିବ ଯେଉଂଦିନ।୬୯।

ପୁତ୍ରବତୀ ହୋଅଇ ଅହିଓ ସୁଲକ୍ଷଣି ନାରୀ

ସ୍ଵାମୀରେ ସଇଭାଗୀ ହୋଇଣ ସେହୁ ଦିନ ସାରି ।୭୦।

ଅନ୍ତେଣ ବସଇ ସେହୁ ବଇକୁଣ୍ଠ ପୁର

ପ୍ରସନ୍ନେ ବର ଦିଅନ୍ତି ଗଉରୀ ଶଂକର  ।୭୧।

ମୁନିଂକର ଶ୍ରୀମୁଖରୁ ୟେସନେକ ଶୁଣି

ପୁଣି ପଚାରଇ ଦ୍ରିଯୋଧନ ରାଜାର ଦୁଲଣୀ ।୭୨।

ବୋଲଇ ଗୋସାଂଇ ତୁମ୍ଭେ ସାବଧାନେ ଶୁଣ

ୟେହି ପୁଷ୍ୟରେ ପୂଜିବି କି ଆଉ ଅଛି ବିଧାନ ।୭୩।

ନାରଦେ ବୋଇଲେ ଅଛି ଯେ ଅଷ୍ଟ ପରକାର

କହିବା ତୋହର ଆଗେ ଶୁଣ ୟେଥିରେ ବିଚାର ।୭୪।

କନକର ଚମ୍ପା ଅଷ୍ଟ ଗୋଟି ଯେ ଘେନିମ

ସୁବର୍ଣ୍ଣର ଅଷ୍ଟଗୋଟି ଚାଉଳ ହୋଇବ ।୭୫।

ସୁବର୍ଣ୍ଣର ଅଷ୍ଟକେରୀ ଦୁବ ଯେ କରିବ

ନାନା ଜାତିରୁ ଫଳ ଅଷ୍ଟଗୋଟି ହୋଇବ  ।୭୬।

ନଟୀକାଳ ଫଳ ଯେ ହୋଇବ ଅଷ୍ଟଗୋଟି

ରମ୍ଭାତରୁ ଫଳ ପୁଣ ହୋଇବ ଆଠଗୋଟି ।୭୭।

ଟଭା ନାରଙ୍ଗ ଘେନି ଅଷ୍ଟଗୋଟି ଲେଖାୟେଂ

କମଳା ପଣସରୁ ଯେ ଆଠ ଆଠ ହୋୟେ ।୭୮।

ଲେମ୍ବାଉ ଫଳରୁ ଯେ ଅଷ୍ଟଗୋଟି ଭିଆଇବ

ଆବର ଚୂତ ଫଳରୁ ଅଷ୍ଟଗୋଟି ହୋଇବ ।୭୯।

ୟେମନ୍ତେ ଅଷ୍ଟଫଳ କରିବ ଭିଆଣ

ଶ୍ଵେତ ବସ୍ର ଗୋଟିୟେ କରିବାକ ଆସନ ।୮୦।

ଶ୍ଵେତ ଶାକର ଅଷ୍ଟଗୋଟି ହୋଇବ

ଶ୍ଵେତଖଣ୍ଡ ମଣ୍ଡା ଅଷ୍ଟଗୋଟି ହୋଇଥିବ ।୮୧।

ଗୁଆଫଳ ପେଣ୍ଡିୟେ ତହିଂରେ ରଖିବ

ତୁଳସୀ ଜଳ ଦେଇ ଗଉରୀଂକି ପୂଜିବ ।୮୨।

ତେବେ ସେ ପ୍ରସନ୍ନ ହୋଇବେ ଶାକମ୍ଭରୀ

ପ୍ରସନ୍ନ ହୋଇଣ ବର ଦେବେଟି ମାହେଶ୍ଵରୀ ।୮୩।

ଯେଂଉ ସ୍ତିରୀ ୟେହା ପୂଜିତେ କରଇ ଇଚ୍ଛା

ସମ୍ପୂର୍ଣ୍ଣ ହୋଅଇ ଯେ ତାହାର ମନବାଞ୍ଛା ।୮୪।

ୟେକବର୍ଣ୍ଣ ଗାଈର କ୍ଷୀର ୟେକବର୍ଣ୍ଣ ଧାନର ତଣ୍ଡୁଳ

ତରଣ କରି ତାହା କ୍ଷେପିବ ଗର୍ଭର ଭିତର  ।୮୫।

ଆରଦିନ ସ୍ରାହାନ କରି କରିବାକୁ ପୂଜା

ପ୍ରସନ୍ନ ହୋଇଣ ବର ଦେବେ ଯେ ଗିରିଜା ।୮୬।

ଯାହା ମନେ ବାଞ୍ଛାକରିଥିବ ଟି ତାହାର

ପ୍ରସନ୍ନ ରେ ହେମବନ୍ତୀ ଦେବେ ତତପର ।୮୭।

ଚନ୍ଦ୍ରାବତୀ ବୋଇଲେ ୟେହୁ  ଓଷା ପୂଜା ହୋଇବ କେଉଂ ମାସ କେଉଂ ଦିନ

ୟେହା ମୋତେ ସଞ୍ଚପି କହିବା ମହାମୁନ୍ୟ ।୮୮।

ନାରଦେ ବୋଇଲେ ବରଷେ ମଧ୍ୟେ ଯେ ଚଇତ ମାସ ଶୁକ୍ଳପକ୍ଷ

ମଙ୍ଗଳବାର ଦିନ ଯେ ପୂଜିବ ପ୍ରତକ୍ଷ ।୮୯।

ଚନ୍ଦ୍ରାବତୀ ବୋଇଲେ ମୁଂ ଓଷା ପୂଜିବଇଂ

ସେ ପୂଜା କରାଅ ମତେ ଅନୁଗ୍ରହ ବହି ।୯୦।

ଆପଣ ଥାଇଂ ତୁମ୍ଭେ ୟେ ଓଷା ପୂଜାଇବ

ତେବେ ସିନା ମୋହର ପୂର୍ବ ଭାଗ୍ୟ ଦିଶିବ ।୯୧।

ତୁମ୍ଭର ଯେବେ ମୋତେ ସୁଦୟା ଭାବ ଥିବ

ଆପନେ ଥାଇଂ ସେ ଓଷା ନିର୍ଭା କରାଇବ  ।୯୨।

ନାରଦେ ବୋଇଲେ ତୋତେ ସମସ୍ତ ପଦାର୍ଥ ମିଳିବ

କନକ ଚମ୍ପାତୋତେ କେହୁ ଆଣିଦେବ ।୯୩।

ସ୍ଵରଗର ପୁଷ୍ୟ ଅଟଇ ସେ ଦେବତାନ୍ତ ଭୋଗ୍ୟ

ତୋହର ଯେବେ ଥିବଟି ପରମ ସଉଭାଗ୍ୟ ।୯୪।

ଅବଶ୍ୟ ସେ ପୁଷ୍ୟ ତୋହା ଭାଗ୍ୟ ରେ ମିଳିବ

ୟେଥକୁ ଚିନ୍ତା ତୁ ଗୋ ନ କର ସଦିଭାବ ।୯୫।

ସେ କନକ ଚମ୍ପା ଅଛି ନନ୍ଦନ ବନର

ଆଣି ପାରିଲେ ଭାଗ୍ୟ ଦିଶିବ ତୋହର  ।୯୬।

ନାରଦେ ବୋଇଲେ ମୁହିଂ ଆସିବି ଅବଶ୍ୟ

ଶାମ୍ବ କୁମର ଭିଆଇ ଆଣିବ ୟେହୁ ପୁଷ୍ୟ  ।୯୭।

ୟେତେ କହି ନାରଦେ ତହୁଂ ଅନ୍ତର୍ଦ୍ଧାନେ ଗଲେ

ସ୍ଵର୍ଗ ପୁରେ ଯାଇଣ ସେ ପ୍ରବେଶ ହୋଇଲେ ।୯୮।

ୟେମନ୍ତେଣ ଥୋକାୟେକ ଦିନ ବହିଗଲା

ଶାମ୍ବ ଚନ୍ଦ୍ରାବତୀଂକ ପୀରତି ଗାଢ ବଢିଲା ।୯୯।

ଦିନେ ଶାମ୍ବ କୁମରକୁ ଚାହିଂ ଚନ୍ଦ୍ରାବତୀ ବୋଲଇ

ଢାଳେ ପାସୋରିଲ ଯାହା ମୁନିଗଲେ କହି ।୧୦୦।

ଶାମ୍ବ କୁମର ବୋଇଲା ମୋ ମନ ରେ ନଥିଲା

ଭଲା ଚେତୁଆଇ ତୁମ୍ଭେ ଦିଲ ଗୋ ଅବଳା ।୧୦୧।

ଚଇତ୍ର ମାସ ତ ଆସି ହୋଇଲା ପରବେଶ

ଭିଆଇବ ପଦାର୍ଥ ଯାହା କହିଲେ ବ୍ରହ୍ମଶିଷ ।୧୦୨।

ସମସ୍ତ ପଦାର୍ଥମାନ ଗୋ ଲୋଡ଼ିଲେ ପାଇବା

କନକର ଚମ୍ପା ଗୋ ଆମ୍ଭେ କେମନ୍ତେ ଆଣିବା ।୧୦୩।

ଇନ୍ଦ୍ର ରୂପିଲା ତୋଟା ଅଟଇ ନନ୍ଦନ ବନ

ସେ ତୋଟା ଜଗିୟା ଗର୍ନ୍ଧବ ସହସ୍ରଗଣ ।୧୦୪।

ତହୁଂ କେମନ୍ତେ ମୁଂ ପୁଷ୍ୟ ଆଣିମଇଂ

ନିତି ପ୍ରତି ଇନ୍ଦ୍ର ଦେବତା ତୋଟା ବୁଲିଣ ଦେଖଇ ।୧୦୫।

ୟେହା ଶୁଣିଣ ବୋଲଇ ତହିଂ ଚନ୍ଦ୍ରାବତୀ କୁମାରୀ

କେମନ୍ତ ପୁଜିଣ ମନାଇବି ମୁ ଶଂକର ଗଉରୀ ।୧୦୬।

କୁମର ବୋଇଲା ମୁହିଂ ଯିବି ନନ୍ଦନ ବନ ତୋଟା ପାୟେ

ଯେମନ୍ତେ ପାଇବଇଂ ଆଣିମି ପୁଷ୍ୟ ଗୁଡ଼ାୟେ ।୧୦୭।

ୟେମନ୍ତ ବିଚାର ତହିଂ ସେ କରିଣ କୁମର

ଦବ୍ୟଅଳଂକାର ମାନ ଲାଇଲା ଶରୀର ।୧୦୮।

ଶୁକଳର ପାଗ ଯେ ଶୁକଳର ତଡପ

ଶୁକଳ ପାଛୋଡା ଯେ ଅଙ୍ଗେ ପରିଧାପ ।୧୦୯।

ଦିବ୍ୟ ବେଶ ଗୋଟିୟେ ସେ ହୋଇଣ କୁମର

ଦାରୁକକୁ ଆଗ୍ୟାଂ ଦେଇ କହଇ ଉତ୍ତର  ।୧୧୦।

ଦିବ୍ୟ ରଥ ଗୋଟିୟେ ତୁ ସଜ କରି ଆଣ

ଦିଗ ବିଜେ କରି ଯାଇଂ ଆସିବା ବହନ  ।୧୧୧।

ଆଗ୍ୟାଂ ପରମାଣେ ତହୁଂ ଦାରୁକ ଚଳିଗଲା

ରଥ ସଜ କରିଣ ସେ ଛାମୁରେ ମିଳିଲା ।୧୧୨।

ଧନୁ କମାୟେଣ ସେ ଯେ ଘେନିଣ କୁମର

ରଥର ଉପରେ ଯାଇଂ ବସିଲା ଧାତିକାର ।୧୧୩।

ଦ୍ଵାରିକାରୁ ଦକ୍ଷିଣ ମୁଖ ହୋଇ ବାହାର ହୋଇଗଲେ

ତହୁଂ ପୁଣ ପୂର୍ବମୁଖ ହୋଇଣ ଗମିଲେ ।୧୧୪।

ରଥ ରୁହାଇଣ ତହୁଂ ଗଲେ ଖର ହୋଇ

ନନ୍ଦନ ବନ ତୋଟାରେ ବୀର ପଶିଲେକ ଯାଇଂ ।୧୧୫।

ତୋଟାଳମାନ ତାହାନ୍ତ ନ ଦେଖିଲେ ଯହୁଂ

ଗୁପତେ ତୋଟାର ମଧ୍ୟେ ପଶିଲେକ ତହୁଂ ।୧୧୬।

ଦଇବର କୃତ୍ୟ ପୁଣ କେ କରିବ ଆନ

ଯାହା ଭିଆଇଣ ଅଛନ୍ତି ପ୍ରଭୁ ଭଗବାନ ।୧୧୭।

ସେହିଦିନ ସୁରସେନ ଗର୍ନ୍ଧବ ଦୋହିତା

ଯଉବନ ଭାରେ ଚାଲିବାକୁ ଅସକତା ।୧୧୮।

ସଖୀଗଣ ସଙ୍ଗେ ଘେନି ତୋଟାକୁ ଗମଇଂ

ଚାଲିବାର ଗତି ତାର ହାଥୀ କି ନିନ୍ଦଇ ।୧୧୯।

ତାହାର ନାମ ଗୋଟି ଯେ ଶୋଭାବତୀ ଅଟଇ

ରତି ସମାନେ ତାହାର ପଟାନ୍ତର ନାହିଂ ।୧୨୦।

ଅବିଭାଇ ହୋଇ ସେ ପିତା ଘରେ ଅଛି

ତାହାର ସମାନେଣ ବର ଯେ ନୋହିଲା ସେ ବିଭା ନୋହିଛି।୧୨୧।

ୟେକେ ଯୁବାକାଳ ସେ ଯେ ଗନ୍ଧର୍ବ ଦୁହିତା

ଯଉବନ ଭାରରେ ଚାଲି ନୁଆରଇ ସେ ବନିତା  ।୧୨୨।

ସଖୀଗଣମାନନ୍ତ ସେ ସଙ୍ଗତେ ଘେନିଲା

ଆକାଶ ଗଙ୍ଗାକଇଂ ସେ ସ୍ରାନ କରି ଅଇଲା ।୧୨୩।

ଗଙ୍ଗାରେ ସ୍ରାହାନ ଯେ ନିତ୍ୟକର୍ମ ସାରି

ନାନା ଅଳଂକାରମାନ ଅଙ୍ଗରେଣ ଭରି ।୧୨୪।

ଦେବାଙ୍ଗ ପାଟେକ ସେହୁ ଉପରାଣ କଲା

ଅମଳାନ ବସ୍ରଗୋଟି ଅଙ୍ଗରେ ପିନ୍ଧିଲା ।୧୨୫।

କପାଳେ କସ୍ତୁରୀ ଚିତା ଯତନେ ଘେନିଲା

ତଥି ଉପରେ ଚନ୍ଦନ ବିନ୍ଦୁୟେକ ଦେଲା ।୧୨୬।

ରିତିକି ସମାନ ତାହାର ରୂପ ଯେ ଦିଶଇ

ଚାଲିବାର ଗତି ଯେହ୍ନେ ମତ୍ତଗଜ ଚାଲଇ ।୧୨୭।

ସିଂଘର ମଝା ପ୍ରାୟେ ତାହାର କଟି ଗୋଟି ଦିଶଇ

କୁରଙ୍ଗୀ ଲୋଚନେ ତାର ଚାହିଂବା ଛଟକଇ ।୧୨୮।

ବିମ୍ବ ଫଳ ପ୍ରୟେ ତାର ଅଧର ଦିଶଇ

ହସି କଥା କହିଲେ ଅମୃତ ବରଷଇ ।୧୨୯।

ତାହାର ରୂପକୁ ଆଉ ନୁହଇ ବର୍ଣ୍ଣିତ

ଧୀରେ ଧୀରେ ଆସଇ ସେ ସଖୀଂକ ସଙ୍ଗତ ।୧୩୦।

ଦଇବର ଭବିଷ୍ୟ କେ କରିବ ଯେ ଆନ

ସ୍ରାହାନ ସାରି ସୁନ୍ଦରୀ ବିଚାରଇ ମନ ।୧୩୧।

ସଖୀମାନଂକ ମୁଖ ଚାହିଂଣ ପଚାରଇ

ୟେ କିସ ତୋଟା ଗୋଟି ଗୋ ଦିଶୁଣ ଅଛଇ ।୧୩୨।

ସଖୀମାନେ କହିଲେ ସେ ଅଟଇ ନନ୍ଦନ ବନ

ଇନ୍ଦ୍ର ରାଜାୟେ ୟେଠିକି ଆସଇ ପ୍ରତିଦିନ  ।୧୩୩।

ୟେକେ ମଧୁମାସ ଅଟଇ ବସନ୍ତର କାଳ

ବୃକ୍ଷର ଶିଖର ଗୋ ଦିଶଇ ସୁନ୍ଦର  ।୧୩୪।

ତୋଟା ଦେଖିତେ ତାର ହୋଇଲା ଶରଧା ମନ

ଅବଶ୍ୟ ତୋଟା ଗୋ ଦେଖିବା ନନ୍ଦନ ବନ  ।୧୩୫।

କେମନ୍ତ ପ୍ରକାର ସେ ତୋଟାର ବିଧାନ

କି କି ପଦାର୍ଥ ଅଛଇ ଦେଖିବା ଭ୍ରମଣ ।୧୩୭।

ସଖୀଗଣ କହନ୍ତି ତୁ ଶୁଣ ଗୋ ସୁନ୍ଦରୀ

ସେ ତୋଟାକୁ ସମାନ ଯେ ନାହିଂ ତିନିପୁରୀ ।୧୩୮।

ଅମର ମଉଷଧି ଥମ୍ଭନ ମୋହନ ବଶ ଉଚ୍ଚାଟନ

ଗୁଟିକା ଅଞ୍ଜନ ସହିତେ

ଯାହା ତୁ ଲୋଡ଼ିବୁ ତାହା ଗୋ ମିଳିବ ସଂଘାତେ ।୧୩୯।

ସେ ତୋଟା ଦେଖିଲେ ତୁ ମୋହମାନ ହୋଇବୁ

ଘରକୁ ଯିବାର କଥା ଗୋ ମନରେ ନ ଧରିବୁ ।୧୪୦।

ସେ ତୋଟାରେ ପଶିଲେ କ୍ଷୁଧା ତୃଷା ନ ଲାଗଇ

ମଳୟ ପବନ ଗୋ ତହିଂ ସଧିରେ ବହୁଥାଇ ।୧୪୧।

ସର୍ବଦା ବସନ୍ତ ତହିଂ ଥାୟେ ଆଗୋ ସଖୀ

ପିକ ଆଦି ତହିଂ ଥାନ୍ତି ନାନା ବର୍ଣ୍ଣେ ପଛୀ ।୧୪୨।

ପଛୀ ଜନ୍ତୁମାନେ ତହିଂ ନିରନ୍ତରେ ମୟେମତ୍ତ

ନାନାରଙ୍ଗେ କ୍ରୀଡ଼ା ତହିଂ କରୁଥାନ୍ତି ଅନବ୍ରତ  ।୧୪୩।

ଭ୍ରମରମାନେ ତହିଂରେ ଗୋ ମତ୍ତଭର ହୋଇ

ପୁଷ୍ୟମାନେ ଚୁମ୍ବୁଥାନ୍ତି ଅତି ସୁଖ ପାଇ ।୧୪୪।

ଆମ୍ବ ପନସ ଅଖୁ କଦଳୀ ଗୁଆ ନଟୀକାଳ

ଲେମ୍ବାଉ ଟଭା ଜେଉଟ କରମଙ୍ଗା ଜମ୍ବିଳ ।୧୪୫।

ଫଳମାନ ପାଚିଣ ଯେ ପଡ଼ଇ ଭୂମିର

ନେମାକୁ ଶକ୍ୟ ଯେ ତହିଂ ଅଛଇ କାହାର ।୧୪୬।

ଇନ୍ଦ୍ରର ତୋଟା ସେ ତହିଂ କେ ପଶି ନୁଆରଇ

ସହସ୍ରେ ଗନ୍ଧର୍ବ ଯେ ତୋଟାଗୋଟି ରଖଇ ।୧୪୭।

ଇତର ଜନ ତହିଂ ପଶିତେ ନୋହେ କ୍ଷମ

ଇନ୍ଦ୍ର ସେ ପଶିବାକୁ ତହିଂ ଅଟଇ ଭାରଜନ ।୧୪୮।

ଆଠ ଦିନେ ୟେ ତୋଟା ସେ ଦେଖିଣ ଆସଇ

ଶାଢୀ ପ୍ରସାଦ ଯେ ତୋଟାଳମାନନ୍ତ ଦେଇ ।୧୪୯।

ଗଙ୍ଗାର ଜଳ ଆଣି ବୃକ୍ଷ ମୂଳକୁ ବିଳାନ୍ତି

ଖତ କରି କସ୍ତୁରୀ ଗୁଣ୍ଡାକୁ ବୃକ୍ଷ ମୂଳରେ ଦିଅନ୍ତି ।୧୫୦।

ଆବର କଥାୟେ ତୁ ଶୁଣ ଗୋ ସଙ୍ଘାତ

ପଛୀ ଜନ୍ତୁ ମାନେ ମଳମୂତ୍ର ତହିଁ ନ କରନ୍ତି କଦାଚିତ୍ତ।୧୫୧।

ଶୁଖିଲା ପତ୍ର ଯେତେ ତଳରେ ଝଡ଼ିଣ ପଡ଼ଇ

ପବନର ଘାତେ ତାହେ ସବୁ ଉଡ଼ିଯାଇ ।୧୫୨।

ଶୁଣିଣ ସୁନ୍ଦରୀର ମନକୁ ରୁଚିଲା

ୟେକେ ଗନ୍ଧର୍ବର ଝିଅ ଗର୍ବିତା ହୋଇଲା ।୧୫୩।

ମତ୍ତଗଜ ଗବନୀ ସେ ଧୀରେ ଧୀରେ ଚାଲଇ

ସତେ କି ଯଉବନ ଭାରେ ଭାଞ୍ଜିଣ ପଡ଼ଇ ।୧୫୪।

ଡାଳିମ୍ବ ମଞ୍ଜି ପ୍ରାୟେ ତାର ଦନ୍ତ ପନ୍ତି

ତିଳ ପୁଷ୍ୟ ଜାଣି ତାର ନାଶିକା ଦିଶନ୍ତି ।୧୫୫।

ମୃଣାଲର ନାଡ଼ ପ୍ରାୟେ ଦିଶଇ ଭୁଜ ଶୋଭାବନ

ଉଲଟ ରମ୍ଭା ପ୍ରାୟେକ ଦିଶଇ ଜଘନ ।୧୫୬।

ଅଙ୍ଗୁଷ୍ଠିମାନ ଦିଶଇ ଚମ୍ପାକଢି ପ୍ରାୟେ

କପାଳର ଚିତା କିବା ଅରୁଣ ଉଦୟେ ।୧୫୭।

ତା ଚନ୍ଦ୍ରମା ବଦନ କୁ ପଟାନ୍ତର ନାହିଂ

କୁରଙ୍ଗୀ ଲୋଚନକୁ କଜ୍ଜଳ ଶୋଭାପାଇ ।୧୫୮।

ପଦ୍ମଦଳ ପ୍ରାୟେ ଦିଶେ ଦିଶେ ତଳିପାର କାନ୍ତି

ପଦ୍ମଫୁଲ ପ୍ରାୟେ ତାର ହାତ ଶୋଭାପାନ୍ତି ।୧୫୯।

ତହାର ଯେ ରୂପ ଗୁଣ କିୟେ ବାଉନି କହିବ

କେତେ କାଳ ବସି ତାକୁ ଗଢିଲା ଦଇବ  ।୧୬୦।

ସଖୀଗଣ ଘେନି ସଙ୍ଗରେ ଆସଇ ଚଳାଇ

ତୋଟାର ଭିତେରେ ସେ ଯେ ପଶିଲେକ ଯାଇଂ ।୧୬୧।

ତୋଟା ଦେଖିଣ ମୋହି ହୋଇଲା ସୁନ୍ଦରୀ

ମଦନର ପଞ୍ଚୁବାଣ ଅଙ୍ଗରେ ତାର ଘାରି ।୧୬୨।

ୟେକେ ମଧୁମାସ ଅଟେ ବସନ୍ତର କାଳ

ନାନା ଜୀବଜନ୍ତୁ ତହିଂ ମଦନରେ ଭୋଳ ।୧୬୩।

ସେ ତୋଟା ରେ ବୃଦ୍ଧଜନ ଯେବେଟି ପଶଇ

ନବଯୁବା ପ୍ରାୟେ ତାର ଶରୀର ଦିଶଇ  ।୧୬୪।

ସଖୀଗଣ ଘେନି ସେହୁ ତୋଟା ରେ ଭ୍ରମୁଛି

ଭ୍ରମରମାନେ ତହିଁ ମଦନେ ବିଭୋକ୍ଷି ।୧୬୫।

କ୍ରୀଡ଼ା ରସରଙ୍ଗେ ନାନା ପୁଷ୍ୟରେ ବସନ୍ତି

ୟେ ପୁଷ୍ୟରୁ ଉଡ଼ିଯଇ ସେ ପୁଷ୍ୟ ଚୁମ୍ବନ୍ତି ।୧୬୬।

ନୟନରେ ସୁନ୍ଦରୀ ଯେ ୟେମାନ ଦେଖିଲା

ମଦନ ପଞ୍ଚୁବାଣ ତା ଅଙ୍ଗରେ ପୀଡ଼ିଲା ।୧୬୭।

ବିଚାରଇ ମୁହିଂ ଯେବେ ବିଭା ହୋଇଥାନ୍ତି

ବଲ୍ଲଭ ଘେନି ୟେ ରୂପେ କ୍ରୀଡ଼ା କରୁଥାନ୍ତି ।୧୬୮।

ନାନା କଉତୁକ ମୁହିଂ ହରନ୍ତି ଯେ ଦିନ

ବିଧାତା ପୁରୁଷ ମୋତେ କଲା ହୀନିମାନ ।୧୬୯।

ୟେ ଛାର ଜନ୍ତୁ ମାନେ ଯେ ବଲ୍ଲବନ୍ତ ଘେନିଣ

ନାନା କଉତୁକେ ୟେହୁ କରନ୍ତି ରମଣ ।୧୭୦।

ୟେତେ ବିଚାରି ସୁନ୍ଦରୀ ବିମୁଖ ହୋଇଲା

ତାହାର ପଞ୍ଚୁମନରେ ବଲ୍ଲଭ ଚିନ୍ତାକଲା ।୧୭୧।

ଚୂତବୃକ୍ଷ ପରେ ବସି କୋକିଳ ଭାସନ୍ତି

ଡାଳିମ୍ବ ବନରେ ଶାରୀ ଶୁଆ ରାବ ଦ୍ୟନ୍ତି ।୧୭୨।

ଆମ୍ବଫଳ ମାନ ବୃକ୍ଷେ ଲେନ୍ତି ଲେନ୍ତି ହୋଇ

ପଚିଣ ସେ ସୁରଙ୍ଗ ଦିଶନ୍ତି ପୁଣି ତହିଂ ।୧୭୩।

ରମ୍ଭା ବୃକ୍ଷମାନେ ଯେ ପନ୍ତି ପନ୍ତି ହୋଇ

ଗୁଆ ବୃକ୍ଷମାନଂକରେ ସାନ୍ନିଧ୍ୟରେ ଥାଇ ।୧୭୪।

ବୁଲିଣ ସୁନ୍ଦରୀ ତୋଟା ଯାକ ଯେ ଦେଖିଲା

ଚମ୍ପା ବୃକ୍ଷତଳେ ଯାଇଣ ବିସ୍ମୟେ ବସିଲା ।୧୭୫।

ଜାଈ ପୁଷ୍ୟରୁ ସେ ଯେ ଗୁଡ଼ାୟେ ଘେନିଲା

ତହିଂରେ ମଲ୍ଲିଫୁଲ ଗୁଡ଼ାୟେ ବସାଇଲା ।୧୭୬।

ଶରଧା ନିମନ୍ତେ ତାହା ଧରିଛି ହାତରେ

ଅଳପ ଅଳପ ବାସ ଘେନଇ ସଧିରେ ।୧୭୭।

ଶୁଣ ହୋ ମନୁରାୟେ ଯେଥି ଉତ୍ତାରୁ ଚରିତ

ରଥ ଘେନି ଶାମ୍ବ ତହିଂ ମିଳିଲା ତୁରିତ  ।୧୭୮।

କନକ ଚମ୍ପାର ଯେ ବୃକ୍ଷର ନିକଟ

ଯାଇଣ ମିଳିଲା ତହିଂ ଶ୍ରୀକୃଷ୍ଣଂକ ଚାଟ ।୧୭୯।

ଶରଧାରେ ପୁଷ୍ୟ ତହୁଂ ଗୁଡ଼ାୟେ ତୋଳିଲେ

ରଥ ଉପରେ ତହୁଂ ନେଇଣ ଥୋଇଲେ ।୧୮୦।

ନାନା ଫଳ ପୁଲ ମାନ ସେ ତୋଳଇ ବହନ

ରଥର ଉପରେ ଥାୟେ କୃଷ୍ଣର ନନ୍ଦନ ।୧୮୧।

ଦଇବର ଭବିଷ୍ୟ ମେଣ୍ଟଣ କି କରୁ

ସୁନ୍ଦରୀର ନୟନ ଯେ ପଡ଼ିଲା ଖଣ୍ଡେ ଦୂରୁ ।୧୮୨।

ଦେଖିଲା କୁମାରୀ ଶାମ୍ବ କୁମର ର ବଦନ

ସତେ କିବା ପଞ୍ଚୁବାଣ ଆସି ପଡ଼ିଲା ଅଙ୍ଗେଣ ।୧୮୩।

ଶ୍ରୀକୃଷ୍ଣର ନନ୍ଦନ ସେ ଜାମ୍ବୁବତୀର ବାଳା

ଜନ୍ମ ଲଭିଅଛି ସେହୁ ଘେନି କୃଷ୍ଣ କଳା ।୧୮୪।

ସୁନ୍ଦର ପଣ ରେ ତାକୁ ପଟାନ୍ତର ନାହିଂ

ଯୁବା ସ୍ତିରୀମାନଂକର ସେ ଗରବ ଗଞ୍ଜଇ ।୧୮୫।

ସତେକି ମଦନ ଫାଶ ଧରିଅଛି କରେ

ଯୁବା ସ୍ତିରୀଂକର ମନ ବାନ୍ଧଇ ତାହାରେ ।୧୮୬।

କୁମାରୀ ନୟନ ଯହୁଂ ପଡ଼ିଲାକ ଯାଇଂ

ମଦନ ଅନଳେ ସେ ହୋଇଲାକ ଦହି ।୧୮୭।

ଗୁପତ ଭାବରେ ସେହୁ ଅନାଉଣ ଥିଲା

ସଖିଗଣ ଚହିଂଣ ସେ ବଚନ ଭାଷିଲା  ।୧୮୮।

ଶୋଭାବତୀ ବୋଇଲା ସଖୀଗଣଂକ ମୁଖ ଚାହିଂ

ଦେଖ ଗୋ ଅନଙ୍ଗ ପୁରୁଷ ତୋଟାରେ ବୁଲଇ ।୧୮୯।

ଶରଧାରେ ପୁଷ୍ୟ ଗୋ ତୋଳୁଣ ଅଛନ୍ତି

ଚାହିଂବାର ଛଟକେ ଯୁବା ସ୍ତିରୀଂକର ଗରବ ଗଞ୍ଜନ୍ତି ।୧୯୦।

ୟେହାଇକ ରୂପେ ଦେଖି ମୁହିଂ ମଦନ ବଶ ଗଲି

ଯଉବନ ଭାବରେ ମୁଂ ଗଞ୍ଜିତ ହୋଇଲି ।୧୯୧।

କୁମାରର ରୂପ ଗୋ ବାଉନିବା କିସ

କାମଦେବ ଅବା ଘେନିଅଛି ଅନଙ୍ଗ ପାଶ ।୧୯୨।

ୟେସନେକ ବିଚାର କରନ୍ତି ସର୍ବବାଳି

ୟେକ ସଖୀୟେ ତହିଂ ବୋଇଲା ବିଚାରି ।୧୯୩।

କାହିଂର ପୁରୁଷ ସେହୁ କାହୁଂ ଆସିଅଛି

ତାହାକୁ ଦେଖି କିଂକି ମଦନେ ହୋଉ ଦୁଖୀ ।୧୯୪।

ୟେକେ ସଖୀୟେ ଯେ ବୋଇଲା ବିଚାରିଣ

ପଚାରି ଜାଣିମା ସେହୁ କାହାର ନନ୍ଦନ ।୧୯୫।

କାହାର କୁଳରେ ସେହି ହୋଇଅଛି ଜାତ

ପଚାରି ଜାଣିମା ଆମ୍ଭେ ତାହାର କୁଳଗୋତ୍ର ।୧୯୬।

ସ୍ଵର୍ଗର ଗନ୍ଧର୍ବ କିବା ମଞ୍ଚରୁ ଆସିଅଛି

କି ବୋଲଇ ବାରତା ପଚାରିବା ଦେଖି ।୧୯୭।

ୟେତେକଇ ବିଚାରିଣ ସମସ୍ତ କୁମାରୀୟେ

ଶୋଭାବତୀ କି ବୋଧ କରନ୍ତି ଥୋକାୟେ ।୧୯୮।

ୟେମନ୍ତର ସମୟେ ତହିଂ କୃଷ୍ଣର କୁମର

ପୁଷ୍ୟଫଳ ତୋଳିଣ ଯେ ବିଚାରଇ ମନର ।୧୯୯।

ଗନ୍ଧର୍ବେ ନ ଜାଣନ୍ତୁ ୟେଥୁଂ ଯିବା ବେଗ ହୋଇ

ଜାଣିଲେ ଅନର୍ଥ ଉପୁଜିବ ୟେହିଠାଇଂ ।୨୦୦।

ଦେଖିଲେ ଗୋଳ ଅନର୍ଥ ୟେଥିରେ ହୋଇବ ଅପାର

କେହୁ ନ ଜାଣନ୍ତୁ ୟେଥୁ ଯିବା ତତପର ।୨୦୧।

ୟେମନ୍ତ ବିଚାରିଣ ସେ ରଥରେ ବସିଲା

କନ୍ୟାର ଉପରେ ତାର ନୟନ ପଡ଼ିଲା ।୨୦୨।

ଶୋଭାବତୀର ମୁଖକୁ ଚହିଂଲା ଯେତେବେଳେ

ମଦନ ଅନଳ ତାର ଜଳିଲା ଶରୀରେ ।୨୦୩।

ରଥର ଉପରୁ ସେହୁ ଉଲ୍ଲାଇ ପଡ଼ିଲା

ଶୋଭାବତୀ ସନ୍ନିଧରେ ଜାଇଣ ମିଳିଲା ।୨୦୪।

ଯତନେଣ କୁମାରୀ ଯେ ଲୋଡୁଥିଲା ଯାହା

ଦଇବ ଘଟାଇଣ ଯେ ଦିଲା ନେଇ ତାହା ।୨୦୫।

କୁମରକୁ ଦେଖି ତହୁ ଶୋଭାବତୀ ବାଳୀ

ସଲଜ୍ଜିତେ ମୁଖ ପୋତି ବସିଲା ଦୁଲାଳି ।୨୦୬।

ସଖୀଗଣ ମାନେ ଯେ ଶୋଭାବତୀ ପାଶେ ଥିଲେ

କୁମରକୁ ଚାହିଂଣ ସେହୁ ବଚନ ଭାଷିଲେ ।୨୦୭।

ବୋଇଲେ କେଉଣ ଠାରୁ ଅସିଅଛ ଆପଣେ

ଇନ୍ଦ୍ରର ନନ୍ଦନ ବନ ୟେଥେଂ ପଶିଲ କେସନେ ।୨୦୮।

ବନ୍ଧର୍ବେ ଜାଣିଲେ ନିଚେଂ କୋପ ଯେ କରିବେ

ନାନା ପରକାରେ ସେହୁ ଦ୍ଵନ୍ଦ ଆରମ୍ଭିବେ ।୨୦୯।

କୁମର ବୋଇଲା ଆମ୍ଭେ ଆସିଅଛୁ ଯହୁଂ

ୟେକମନ ହୋଇ ଶୁଣ କହଇ ମୁଂ ତହୁଂ ।୨୧୦।

ଦ୍ଵାରାବତୀ ପୁରେ ଯେ ଅଟଇ ଆମ୍ଭ ଘର

ଆମ୍ଭର ପିଅର ଯେ ଅଟନ୍ତି ଚକ୍ରଧର ।୨୧୧।

ଆମ୍ଭର ମାତାଂକର ନାମ ଜାମ୍ବବତୀ ଯେ ଅଟଇ

ଆମ୍ଭର ପିଅର ଅଜା ଉଗ୍ରସେନ ସାଇଂ ।୨୧୨।

ସୁନ୍ଦରୀୟେ ବୋଇଲେ କିମ୍ପା ୟେଥକୁ ଅଇଲ

କି ନେମ ବୋଲି ୟେଥେ ପ୍ରବେଶ ହୋଇଲ ।୨୧୩।

କୁମର ବୋଇଲା ଯେ କନକ ଚମ୍ପା ନେମା ପାଇଂ

ୟେକସରେ ମୁଂ ଯେ ୟେଥକୁ ଅଇଲଇଂ ।୨୧୪।

ଶୁଣି କୁମାରୀମାନେ ପୁଣି କହନ୍ତି ବଚନ

ୟେ ପୁଷ୍ୟକୁ କିମ୍ପେ ହୋ ବଳିଛି ତୁମ୍ଭ ମନ ।୨୧୫।

ଶାମ୍ବ କୁମର ଯେ ତହୁଂ ବୋଇଲା କ ହସି

ୟେକଦିନେ ଆମ୍ଭ ପୁରେ ଗଲେ ନାରଦ ମହାଋଷି ।୨୧୬।

କନକ ଚମ୍ପା ଗୋଟିୟେ ହାଥରେ ଘେନିଥିଲେ

ଶରଧା ନିମନ୍ତେ ଆମ୍ଭ ଭାବିନୀକି ଦେଲେ ।୨୧୭।

ସେହିତ ରାଜକୁମାରୀ ବୟସେ ଗର୍ବିତୀ

ଶରଧା ରେ ସୁନ୍ଦରୀର ବଳିଲାକ ମତି ।୨୧୮।

ଚନ୍ଦ୍ରବତୀ ବୋଲି ଯେ ଅଟଇ ତାର ନାମ

ରତି ସଙ୍ଗରେ ସେହୁ ଅଟଇ ଯେ ସମ ।୨୧୯।

ନାରଦେ ବୋଇଲେ ଓଷା ଗୋଟିୟେକ କର

ୟେ ପୁଷ୍ୟ ଦେଇଣ ପୂଜ ଗଉରୀ ଶଂକର ।୨୨୦।

ତେଣୁ କରି ଶରଧା ଯେ ହୋଇଲା ତାହାରି

ତେଣୁ ପୁଷ୍ୟ ନେମାକୁ ରେ ଆସିଛି ସୁନ୍ଦରୀ ।୨୨୧।

ତୁମ୍ଭେମାନେ କିମ୍ପେ ହୋ ଆସିଛ ୟେଥକୁ

ୟେ କନ୍ୟାର ନାମ କିସ କହ କିନା ମୁକୁ ।୨୨୨।

କୁମାରୀୟେ ବୋଇଲେ ୟେହାର ନାମ ଅଟେ ଶୋଭାବତୀ

ସୁରସେନ ଗନ୍ଧର୍ବର ଯେ ଅଟଇ ଦୋହିତି ।୨୨୩।

ବିଭା ନୋହିଅଛି ୟେ ଅଛି ଅବିଭାଇ

ୟେହାର ସମାନେ ବର ନ ମିଳିଲା କହିଂ ।୨୨୪।

ଶରଧାରେ ସ୍ରାହାନ ନିମନ୍ତେ ଗଙ୍ଗାକୁ ଅଇଲା

ତୋଟା ଦେଖିବାକୁ ତାର ମନ ଯେ ବଳିଲା ।୨୨୫।

ତୋଟା ଦେଖିଲୁନି ୟେବେ ଯିବୁଂ ନିଜ ପୁର

ତୁମ୍ଭେ ୟେ ଠାବରୁ ବେଗ ଯାଅ ହୋ କୁମର ।୨୨୬।

କୁମର ବୋଇଲା ମୁଂ କହାକୁ ନ ଡରଇ

ସହସ୍ରେକ ଇନ୍ଦ୍ର ହୋଇଲେଣ ମୋହର କିସ ହୋଇ ।୨୨୭।

ତିନିପୁରେ ମୁହିଂ ଯେ କାହକୁ ନ ଡରଇଂ

ମୋହର ପିତା ପୁଣ ଅଟନ୍ତ ଭାବଗ୍ରାହୀ ।୨୨୮।

ଡରେ କିମ୍ପେ ମୁହିଂ ଗୋ ହୋଇବି ବାହାର

ପୁଷ୍ୟ ଘେନିଣ ୟେଥୁ ମୁହିଂ ଯିବି ଧୀର ଧୀର ।୨୨୯।

କୁମର ମୁଖରୁ ୟେସନେକ ଗାଢ ବକ୍ୟ ଶୁଣି

ବିଚାର କରିଣ ତହୁଂ ଜାଣିଲେ ତରୁଣିୀ ।୨୩୦।

ନିଚେଂ ବଡ଼ କୁଳରେ ୟେହୁ ହୋଇଅଛି ଜାତ

ତେଣୁ କରି କଥା ୟେହୁ କହଇ ସୋମରଥ ।୨୩୧।

ଶୋଭାବତୀ କି ଚାହିଂଣ ପଚାରନ୍ତି ବାଳୀ

ୟେ ବର ତୋର ମନକୁ କି ରୁଚିଲା ସୁନ୍ଦରୀ ।୨୩୨।

ୟେହା ଶୁଣିଣ ଶୋଭାବତୀ ବୋଲଇ ବଚନ

ଭାଲପାଟେ ଦଇବ କି କରିଛି ଲେଖନ ।୨୩୩।

ୟେହି ଥିଲା କାହିଂ ଗୋ ଆମ୍ଭେ ଥିଲାଇଂ ତ କାହିଂ

ଦଇବ ପୁରୁଷ ଯାହା ଅଛଇ ଘଟଇ ।୨୩୪।

କେମନ୍ତ ପ୍ରକାରେ ମୁଂ ଗୋ ୟେହାକୁ ବରିବି

ୟେହାଂକର ମନ ମୁଂ ଯେ କେମନ୍ତେ ଯାଣିବି ।୨୩୫।

ଖଣ୍ଡେ ଦୂରେ ଥାଇଣ ତା କୁମର ଜାଣିଲା

କୁମାରୀ ମନ ଯେ ମୋହ ଠାବରେ ବଳିଲା ।୨୩୬।

ସଖୀଗଣନ୍ତ ଚହିଂଣ ପଚାରଇ କୁମର

ଶୋଭାବତୀ ଚତ୍ତ କି ବଳାଇଲା ମୋହଠାର ।୨୩୭।

ଇଚ୍ଛାଥିଲେ ମୋତେ ଯେ ବରଣ କରୁ ବାଳୀ

ତେବେ ସେ ହୋଇବ ମୋର ମନର ହିଆଳି ।୨୩୮।

କୁମରର ମୁଖରୁଂ ଯେ କୁମାରୀ ଶୁଣିଲା

କୁମରର ମନ ସେ ଉପଲେଶି ଜାଣିଲା ।୨୩୯।

ଜାଇ ଫୁଲର ମାଳ ଯେ ଗୋଟିୟେକ ଘେନିଥିଲା

କୁମର କଣ୍ଠରେ ତା ନେଇଣ ଲମ୍ବାଇଲା ।୨୪୦।

ବେନି ଜନଂକର ମନ ଯହୁଂ ହୋଇଲା ୟେକତ୍ଵ

ହାଥ ଧରି ନେଇଣ ଯେ ବସାଇଲା ରଥ ।୨୪୧।

କୁମାରୀକୁ କୋଳରେ ଯେ ଘେନିଲା କୁମର

ଜାନୁରେ ବସାଇଣ ଯେ କହଇ ଉତ୍ତର ।୨୪୨।

କୋଳାଗ୍ରତ କରି ମୁଖରେ ଚୁମ୍ବନ ଯେ ଦିଲା

ପ୍ରେମ ଆଲିଙ୍ଗନ କରି ପୀରତି ବଢାଇଲା ।୨୪୩।

ବିରୂପା ନାମେଣ ଯେ ୟେକଇ କୁମାରୀ

ଶୋଭାବତୀର ଚର ସେ ସଘାଂତୁଣୀ ବାଳୀ ।୨୪୪।

ଶୋଭାବତୀ ତାହାକୁ ଯେ ସ୍ନେହ କରୁଥାଇ

ଯେଣେ ଯିବ ତେଣେ ତାକୁ ସଙ୍ଗେ ଘେନିଯାଇ ।୨୪୫।

ତାହାନ୍ତ ଆଶ୍ଵାସିଣ ଯେ ପାଶକୁ ରାଇଲା

ହାତ ଧରି ନେଇନ ଯେ ରଥ ରେ ବସାଇଲା ।୨୪୬।

କୁମରକୁ ଚାହିଣ ଯେ ବୋଲଇ କୁମାରୀ

ରଥ ବାହ ଚାଲ ଯିବା ଦ୍ଵାରାବତୀ ପୁରୀ ।୨୪୭।

କୁମର ଆଗ୍ୟାଂ ଦିଲା ଦାରୁକକୁ ଚାହିଂ

ରଥ ବାହ କିନା ହୋ ଯିବା ବେଗ ହୋଇ ।୨୪୮।

ତଡ଼ ବେଗେ ରଥ ଯେ ତହୁଂ ଦାରୁକ ବାହିଲା

ସଙ୍ଗ ସଖୀମାନନ୍ତ ଶୋଭାବତୀ ମେଲାଣି ଯେ ଦିଲା ।୨୪୯।

କୁମାରୀକି ଘେନିଣ ତହୁଂ ଯେ କୁମର ଚଳିଗଲେ

ଗନ୍ଧର୍ବ ଦୁହିତା ମାନେ ବାହୁଡ଼ି ଅଇଲେ ।୨୫୦।

ବିରସ ମତି ହୋଇଣ ତହୁଂ ଚଳିଯାଇଂ

ସେ ତୋଟାରେ ଗନ୍ଧର୍ବନ୍ତ କହିଲେ ମଣାଇ ।୨୫୧।

ବୋଇଲେ ୟେକ ପୁରୁଷେକ ରଥ ଚଢି ଆସି

ତୋଟାର ଭିତରେ କେତେବେଳୁ ଥିଲା ପଶି ।୨୫୨।

ଶୋଭାବତୀ ଘେନି ଆମ୍ଭେ ତୋଟା ବୁଲୁଥିଲୁଂ

ୟେମନ୍ତେ ସମୟେ ଆମ୍ଭେ ସେହି ପୁରୁଷକୁ ଦେଖିଲୁଂ ।୨୫୩।

ଅନଙ୍ଗ ପ୍ରାୟେକ ଲହୁ ଦିଶଇ ଶୋଭାବନ

ତାହାକଇଂ ପଟାନ୍ତର ନାହିଂୟେ ତିନି ଭୁବନ ।୨୫୪।

କନକ ଚମ୍ପା ପୁଷ୍ୟ ତୋଳୁଣ ସେ ଥିଲା

ୟେମନ୍ତର ସମୟେ ତାକୁ ଶୋଭାବତୀ ଦେଖିଲା ।୨୫୫।

ମଦନ ଶରଣେ ସେ ହୋଇଲା ବିକଳୀ

ମାଳା ଦେଇଣ ତାହାକୁ ବରିଲାକ ବାଳୀ ।୨୫୬।

ହାଥ ଧରି କୁମର ତାକୁ ରଥରେ ବସାଇଲା

ଆବର ବିରୂପା କନ୍ୟାକୁ ଯେ ସଙ୍ଗେ ଘେନିଗଲା ।୨୫୭।

ପଚାରିଲା କୁ ବୋଇଲା ଆମ୍ଭର ଘର ଦ୍ଵାରାବତୀ ପୁର

ଆମ୍ଭର ପିଅର ଯେ ଅଟନ୍ତି ପ୍ରଭୁ ଚକ୍ରଧର ।୨୫୮।

କନ୍ୟା ଘେନିଣ ସେହୁ ଗଲାଟି ୟେହିକ୍ଷଣି

ଆମ୍ଭମାନନ୍ତ ସେହୁ ଦେଇଗଲା ଯେ ମେଲାଣି ।୨୫୯।

ଗନ୍ଧର୍ବ ବୋଇଲେ ସେହୁ କେତେବେଳୁ ଗଲାନି

କନ୍ୟାୟେ ବୋଇଲେ ସେହୁ ଗଲା ୟେହିକ୍ଷଣି ।୨୬୦।

ବହୁତ ଦୂର ସେ ଯାଇ ନାହିଂ ବେଗେ

ଗୋଡ଼ାଇଲେ ତମ୍ଭେ ଭେଟ ପାଇବ ୟେହିଲାଗେ ।୨୬୧।

ଶୁଣିଣ ଗନ୍ଧର୍ବ ଯେ ଯାହା ଶହସ୍ର ଧଇଲେ

ମାର ମାର ବୋଲିଣ ଯେ ଶବଦାଇ ଡାକ ଦିଲେ ।୨୬୨।

ଧର ଧର ବୋଲି ଯେ ଉଚ୍ଚେ ଡାକଦେଇ

କନ୍ୟା ଚୋର କାହିଂ ଗଲା ବୋଲି ଅଛନ୍ତି ଗୋଡ଼ାଇ ।୨୬୩।

ୟେମନ୍ତେ ଖଣ୍ଡେଦୂର ପର୍ଯ୍ୟନ୍ତେ ଗୋଡ଼ାଇଲେ

ଥୋକାୟେକ ଦୂର ଯାଇ ରଥେକ ଦେଖିଲେ ।୨୬୪।

ରୁହ ରୁହ ବୋଲିଣ ଯେ ଡାକିଲେ ନିଠିଆଇ

ବୟୁବେଗେ ରଥ ସେ ଯେ ଯାଉଅଛି ବାହି ।୨୬୫।

କୁମରେ ଚହିଂଣ ଯେ କୁମାରୀ ବୋଇଲା

ଗନ୍ଧର୍ବ ବଳ ବେଢିଲେ ୟେବେ ପ୍ରମାଦ ପଡ଼ିଲା ।୨୬୬।

କୁମର ବୋଇଲେ ଶତେ ଇନ୍ଦୁର ଯେବେ ହୋଇ

ମଞ୍ଜାରୀ ଦାଢରୁ ସେ ଯିବେକି ବଞ୍ଚାଇ ।୨୬୭।

ସହସ୍ରେକ ଛେଳି ଯେବେ ହୋଇଥିବେ ଆଗ

ଛାମୁରେ ପଡିଲେ କି ଘୁଞ୍ଛଇ ମତ୍ତବ୍ରାଘ ।୨୬୮।

ମୁହିଂ ମତ୍ତବ୍ରାଘ ଗୋ ସମସ୍ତେହିଂ ଛେଳି

ୟେଥକୁ ଚିନ୍ତା ତୁ ଗୋ ନ କରସି ବାଳୀ ।୨୬୯।

ଗନ୍ଧର୍ବ ଡାକକୁ ସେ ଶୁଣିଣ କୁମର

ତତକ୍ଷଣେ ଧନୁଶର ଧଇଲାକ କର ।୨୭୦।

ବକ୍ରମ ମୂରତି ସେ ଧରିଣ ପାଲଟିଲା

ଦାରୁକ ବେଗେ ତହିଂ ରଥ ଲେଉଟାଇଲା ।୨୭୧।

ସହସ୍ରେ ଗନ୍ଧର୍ବ ଯେ ବେଢିଗଲେ ତାକୁ ଯାଇଂ

ଯେ ଯାହାର ଶହସ୍ର ମାନ ମାରିଲେ ନିଠାଇ ।୨୭୨।

ବେଳୁଂ ବେଳ ସମର ଯେ ହୋଇଲା ଆଗୋଚର

ଭାଲ ଶକତି କୋନ୍ତ ଯେ ମାରନ୍ତି ମୁଦୁଗର ।୨୭୩।

ଶହସ୍ରକୁ ଶହସ୍ର ବାଜିଣ ଉଠଇ ଜୁଇ

ସବୁ ଶହସ୍ରମାନ ୟେକା କୁମାରେକ ନାଶଇ ।୨୭୪।

କୁମର ଶହସ୍ର ଯେ ବିନ୍ଧଇ ଗନ୍ଧର୍ବଂକୁ

ଦଶ ବିଂଶ ପଞ୍ଚିଂଶ ପଡ଼ନ୍ତି ୟେକୁ ୟେକୁ ।୨୭୫।

ଶାମ୍ବକୁମର ନାରଜେ ଅନେକ ଗନ୍ଧର୍ବ ଯେ ମଲେ

ଥୋକୟେ ଗନ୍ଧର୍ବ ତହୁଂ ପଳାଇଣ ଗଲେ ।୨୭୬।

ଥୋକାୟେ ଗନ୍ଧର୍ବ ଯେ କୁମରକୁ ଗୋଡ଼ାଇ ଯୁଝନ୍ତି

ଥୋକାୟେ ପଳାଇ ତହୁଂ ଗଲେ କ ତଡ଼ତି ।୨୭୭।

ଆସ୍ତାନ କରିଣ ବସିଅଛଇ ସୁରରାୟେ

ସକଳ ଦେବତାୟେ ବସିଅଛନ୍ତି ସଭାୟେ ।୨୭୮।

ଗଣଗନ୍ଧର୍ବ ଦେବତାୟେ ବସିଣ ଅଛନ୍ତି
ବ୍ରହ୍ମା ଶଂକର ବସିଛନ୍ତି ଆବର ବୃହଷ୍ପତି ।୨୭୯।

ଚତ୍ରସେନ ଶୂରସେନ ଅଙ୍ଗାର ପନ୍ନଙ୍ଗ

ଚଉଷଠି କୋଟି ଯେ ଅଛନ୍ତି ଗନ୍ଧର୍ବ ।୨୮୦।

ପବନ ବରୁଣ ଯେ ଆଉର କୁବେର

ଯେ ଯାହାର ମତେ ବସିଅଛନ୍ତି ଆସ୍ଥାନର ।୨୮୧।

ଯମ ବାସୁକି ତହିଂ ଆବର ବଇଶ୍ୟାନର

ଆସ୍ତାନକରି ବସିାଚନ୍ତି ସଭାର ।୨୮୨।

ଅପକ୍ଷରୀ ମାନେ ତହିଂ ନୃତ୍ୟ ଯେ ଭିଆଇ

ରମ୍ଭା ମେନକା ଗଉରୀ ତିଳୋତ୍ତମା ନାଚଇ ।୨୮୩।

ସେ ନୃତ୍ୟକୁ ଅବଧାନ କରିଣ ସହସ୍ରାକ୍ଷି

ଆନନ୍ଦେଣ ନାଟ ଯେ ଦେଖୁଛନ୍ତି ବସି ।୨୮୪।

ୟେମନ୍ତର ସମୟେ ଗନ୍ଧର୍ବେ ମିଳିଲେକ ଯାଇଂ

ଦେବସଭା ତଳରେ ଯେ ପାୟେ ପଡ଼ି ଶୋଇ ।୨୮୫।

ବୋଇଲେ ଗୋସାଇଂ ଅବଧାନେ ହୋ ଶୁଣ

ଅପୂର୍ବ ଚରିତ ସେହୁ ଆଜର ବିଧାନ ।୨୮୬।

ମର୍ତ୍ତ୍ୟପୁରୁଂ ରଥେକ ଚଢି ପରୁଷେ ଅଇଲା

ଆମ୍ଭେ ନ ଜାଣୁଂ ସେ କେଉଂବାଟେ ତୋଟାରେ ପଶିଲା ।୨୮୭।

କନକ ଚମ୍ପା ପୁଷ୍ୟ ନେଲା ରଥରେ ପୂରୋଇ

ତୋଟାରେ ଭିତରେଣ ସେ ଥିଲା ଉଭାହୋଇ ।୨୮୮।

ଶୂରସେନ ଗନ୍ଧର୍ବର ଦୋହିତା ଶୋଭାବତୀ

ଗଙ୍ଗା ସ୍ରାହାନକୁ ଯାଇଥିଲା କନ୍ୟାମାନ ସଙ୍ଗେ ଘେତି ।୨୮୯।

ସ୍ରାହାନ ସାରିଣ ଆସି ତୋଟା ମଧ୍ୟେ ବୁଲୁଥିଲା

ୟେ ସମୟେ ଶୋଭାବତୀ ତାହାକୁ ଦେଖିଲା ।୨୯୦।

ଅନଙ୍ଗ ପ୍ରାୟେକ ରୂପ ପଟାନ୍ତର ନାହିଂ

ତାହାକୁ ବରିଲା କନ୍ୟା ପୁଷ୍ୟମାଳା ଦେଇ ।୨୯୧।

ହାଥ ଧରି ନେଇ ତାକୁ ରଥରେ ବସାଇଲା

ବିରୂପା କୁମାରୀକୁ ସଙ୍ଗରେ ଘେନିଗଲା ।୨୯୨।

ଆଉ କନ୍ୟାମାନନ୍ତ ସେ ମେଲାଣି ମାଗିଲେ

ସେହି କନ୍ୟାମାନେ ଆସି ଆମ୍ଭନ୍ତ ବାରତା କହିଲେ ।୨୯୩।

ବାରତା ପାଇଣ ଆମ୍ଭେ ଉଗାଳିଲୁଂ ଯାଇଂ

ଅନେକ ନାରାଜ ଯେ ବିନ୍ଧିଲୁ ରୋଷ ବହି ।୨୯୪।

ରୋମେହେଂ ତାହାର ଯେ କିଛିହିଂ ନୋହିଲା

ତାହାର ନାରାଜେ ଯେ ଅନେକ ଗନ୍ଧର୍ବ ନାଶ ଗଲା ।୨୯୫।

ୟେକା ଜଣକେ ସେ ଯେ ୟେଡ଼େକ ସାମରଥ

କେତେ ଗନ୍ଧର୍ବ ମାଇଲା ନ ଯାଇ ତଦନ୍ତ ।୨୯୬।

ୟେହା ଶୁଣି ଇନ୍ଦ୍ରରାୟେ ବ୍ରହ୍ମାକଇଂ ଚାହିଂ

କିମ୍ଭୂତ କାରଣ ୟେହୁ ବୋଲିଣ ପଚାରଇ ।୨୯୭।

ବ୍ରହ୍ମାୟେ ବୋଇଲେ ତାହା ଜାଣିବା କେମନ୍ତେ

ଧରି ଘେନି ଆସ ତାକୁ ବୁଝିବା ତଦନ୍ତେ ।୨୯୮।

ଚିତ୍ରସେନ ଗନ୍ଧର୍ବ ରାଇନ ଶକ୍ରରାୟେ

ବୋଇଲେ ବେଗେ ତୁହି ଯାଅରେ ତନୟେ ।୨୯୯।

ଶୋଭାବତୀ କି କେହୁ ନେଉଅଛି ଧରି

ବେଗେ ଘେନି ଆସ ତାକୁ ପ୍ରାଣରେ ନ ମାରି ।୩୦୦।

କୁଳ ଗୋତ୍ର ପୁଚ୍ଛି ପଛେ କରିବା ପ୍ରାଣନାଶ

କାହାର କୁମର ସେ ଜାଣିବା ସମନ୍ଦେଶ ।୩୦୧।

ଆଗ୍ୟାଂ ପ୍ରମାଣେ ଚିତ୍ରସେନ ଯେ ଧାଇଂଲା

ଅନେକ ସନ୍ୟ ତାର ସଙ୍ଗତେ ଘେନିଗଲା ।୩୦୨।

ବାୟୁ ବେଗେ କୁମରକୁ କଣ୍ଟିଲାକ ଯାଇଂ

ଶ୍ୟାମଳ ପଚ୍ଛୀ ଯେହ୍ନେ ବକକୁ ବେଢଇ ।୩୦୩।

ସଂପୂର୍ଣ୍ଣ ଚନ୍ଦ୍ରମାକୁ କି ଘୋଟିଲାକ ରାହୁ

ତେହ୍ନେ ପ୍ରାୟ କୁମରକୁ ଘୋଟିଲା କହୁ କହୁ ।୩୦୪।

ମାର ମାର ଶବଦରେ କୁରୁମ ଉଛୁଳିଲା

କି ବୁଦ୍ଧି କରିବା ୟେବେ ଅନର୍ଥ ହୋଇଲା ।୩୦୫।

ଦଇବ ପୁରୁଷ କି ବିପକ୍ଷ ବିଚାରିଲା

କେହୁ ୟେମାନନ୍ତ ଯଇଂ ବାରତା ନେଇ ଦିଲା ।୩୦୬।

କୁମର ବୋଇଲା ୟେମନ୍ତ ତୁ ନ ଭାଳ ଗୋ ସଖୀ

ୟେହିକ୍ଷଣି କଥା ଯେ ବୁଝିବା ଉପଲେଖି ।୩୦୭।

କହୁଂ କହୁଂ ଗନ୍ଧର୍ବେ ଯେ କୁମରକୁ ବେଢି

ଜୀବନ୍ତା ଧରିବେଟି ପ୍ରାଣରେ ନମାରି ।୩୦୮।

ଅନେକ ନାରାଜ ମାନେ ଗନ୍ଧର୍ବେ ବିନ୍ଧିଲେ

କାଣ୍ଡ ମାରିଣ କୁମର ରଥ ଲୁଚାଇଲେ ।୩୦୯।

କୁମରହିଂ ଅନେକେ ଯେ ନାରାଜ ବିନ୍ଧିଲା

ଅନେକ ଗନ୍ଧର୍ବ ବଳ ମାରି ପକାଇଲା ।୩୧୦।

ଦେଖିଣ ଚିତ୍ରସେନ ବିଚାରଇ ମନ

ଧନ୍ୟ ରେ ମାନବା ତୋର ମାତା ପିତା ଧନ୍ୟ ।୩୧୧।

ମାନବ ହୋଇ ତୁ ଦେବତାଂକ ସଙ୍ଗେ ଯୁଝୁ

ଇତର ଲୋକ ପ୍ରାୟେ କି ଆମ୍ଭନ୍ତ ତୁ ବୁଝୁ ।୩୧୨।

ଭୟ ନ କରିଣ କନ୍ୟା ନେଉଅଛୁ ଧରି

ୟେକାୟେ ଗନ୍ଧର୍ବ ବଳ ପକାଇଲୁ ମାରି ।୩୧୩।

କହୁଂ କହୁଂ ଅନେକ ସେ ନାରଜ ବିନ୍ଧିଲା
ଖଣ୍ଡେ ଦୂରୁଂ ତାହାକୁ କୁମର ନିବାରିଲା ।୩୧୪।

ଦେଖିଣ ଚିତ୍ରସେନ ମହାକୋପ କରି

ତୀକ୍ଷ ଭାଲ କୋନ୍ତ ଯେ ମାରଇ ରୋଷଭରି ।୩୧୫।

କୁମରର ଅଙ୍ଗେ ନାରାଜ ପଡିଲାକ ଯାଇଂ

ବଡ଼ ବାଆ ବହିଲେ ଯେହ୍ନେ ମେରୁ ନ ଟଳଇ ।୩୧୬।

କୋପେଣ କୁମର ଯେ ବିନ୍ଧିଲା ତୀକ୍ଷ ଶରେ

ଅନେକ ଗନ୍ଧର୍ବ ବଳ ଲୋଟିଲେ ଭୂମିରେ ।୩୧୭।

ୟେମନ୍ତେ ଦୁଇ ପ୍ରହର ହୋଇଲାକ ସମର

ଦୁହେଂ ମହାଛତ୍ରୀ କେହି ନୁହନ୍ତି ଦୁର୍ବଳ ।୩୧୮।

ୟେକା ଜନକୁ ଯେ ସହସ୍ରେ ଜଣ ବେଢିଲେ

ଅନେକ ଗୋଳ ଧନ୍ଦୋଳମାନ କଲେ ।୩୧୯।

ବେଳୁଂବେଳ ସମର ତହିଂ ହୋଇଲା ଆଗୋଚର

ଦେବ ଦାନବରେ କହିତେ ଶଖ୍ୟ ନାହିଂ କାହାର ।୩୨୦।

ୟେକା କୁମାରେକ କେତେବେଳେ ସେ ଯୁଝିବ

ବଳେ ବଳିୟାର ସେ ଯେ ଚିତ୍ରସେନ ଗନ୍ଧର୍ବ ।୩୨୧।

ଅନେକ ଗନ୍ଧର୍ବ ସେହୁ ଘେନିଣ ଧାଇଂଲା

କୁମରର ନାରଜ କୁ ଭୟେ ସେ ନ କଲା ।୩୨୨।

ରଥ ଉପରକୁ ଘେନି ଉକୁସିଣ ଧାଇଂ

କୁମର ହାଥରୁ ଧନୁ ଆଣିଲା ଛଡ଼ାଇ ।୩୨୩।

ବିଶହସ୍ର ହୋଇଲେ ଯହୁଂ ସେ କୁମର

ଧାଇଂ ଧଇଲା ଚିତ୍ରସେନ କୁମରର ବାଳ ।୩୨୪।

ରଥର ଉପରୁ ଯେ ତଳକୁ ଖସାଇ

ପାଟଡୋର ଘେନି ତାକୁ ନିର୍ଭରେ ବାନ୍ଧଇ ।୩୨୫।

କୁମରକୁ ଘେନି ସେହି ରଥରେ ବସାଇଲା

ଶୋଭାବତୀକି ଚାହିଂଣ ଅନେକ ଝିଙ୍ଗାସିଲା ।୩୨୬।

କୁମାରୀ ବୋଇଲେ ତୁମ୍ଭେ ମନ୍ଦ କୃତ୍ୟ କଲ

ଯୁବାକନ୍ୟା ମୋତେ କିମ୍ପେ ବିଭା ଯେ ନ କଲ ।୩୨୭।

ମୋହର ଇଛାୟେ ମୁଂ ଯେ ବରିଲଇଂ ବର

ୟେଥ କୁ କୋପ ତୁମ୍ଭେ କରୁଛ ଅପାର ।୩୨୮।

କୁମର ବନ୍ଧନ ଦେଖି ବିକଳୀ ହୁଅଇ

ମନେ ମନେ ଧର୍ମ ଦେବତାନ୍ତ ସୁମରଇ ।୩୨୯।

ଶ୍ରୀଜଗନ୍ନାଥ ଦେବଂକୁ ବାଳୀ କରଇ ଗୁହାରି

ବୋଲଇ ଜଗତରନାଥ ତୁମ୍ଭେ ଅଟଇ ମୁରାରି ।୩୩୦।

ମୁହିଂ ଅଟେ ଅରକ୍ଷିତ ସ୍ତିରୀ ମାତ୍ର ସିନା

ତୁମ୍ଭେତ ଜଗତ ତାତ ଅଟବଜ୍ର ସେହ୍ନା ।୩୩୧।

ୟେ ଘୋର ଆତଙ୍ଗରୁ କର ମୋତେ ତ୍ରାହି

ଯେମନ୍ତ କୁମରକୁ ବିରୋଧ ନ ପଡଇ ।୩୩୨।

ପୁଣ ପୁଣ ସୁମରଇ ଦେବୀ କମଳିଣୀ

ତୁହି ଜଗତର ମାତ ଅଟ ଠାକୁରାଣୀ ।୩୩୩।

ସ୍ତିରୀଂକର ବେଦନା ତୁ ଜାଣୁ ଗୋସାମଣି

ୟେ ମହାଭୟରୁ ମୋତେ ଉଦ୍ଧରି ଧର ପୁଣି ।୩୩୪।

ଅନେକ ବିକଳ ହୋଇ କନ୍ୟା ଯେ କନ୍ଦଇ

କୁରଙ୍ଗୀ ଲୋଚନରୁ ଲୋତକ ବୁହଇ ।୩୩୫।

ପୁଇଂସୂତାରୁ କି ମୁକୁତା ଝରି ପଡ଼ଇତଳେ

ତେହ୍ନେ ହୋଇ ଲୋତକ ନୟନରୁ ପଡ଼ଇ ମହୀରେ ।୩୩୬।

କୁମରକୁ ବାନ୍ଧି ରଥେ ଘେନି ଚତ୍ରସେନ

ଦାରୁକକୁ ବୋଇଲା ରଥ ବାହରେ ବହନ ।୩୩୭।

କୁମରର ମୁଖ ଚାହିଂ ବିଚାରଇ ଚିତ୍ରସେନ ଗନ୍ଧର୍ବ

କୃଷ୍ଣର କୁମର ପରାୟେ ଦିଶଇ ସଦିଭାବ ।୩୩୮।

ୟେତେ ବିଚାରିଣ ସୁଧର୍ମା ସଭାକୁ ବୋଲି ନେଲା

ସଭାର ତଳରେ ନେଇ କୁମରକୁ ପରବେଶ କଲା ।୩୩୯।

ଦେଖି ଇନ୍ଦ୍ରରାୟେ ତହିଂ ବୋଲଇ ବଚନ

ବାନ୍ଧି ଥୋଇଥାଅ ୟେହୁ କାହାର ନନ୍ଦନ ।୩୪୦।

ସଭାର ମଧ୍ୟେ ନାରଦ ଥିଲେ ଉଭା ହୋଇ

କୁମର ମୁଖକୁ ସେ ଦିଲେ କ ଅନାଇଂ ।୩୪୧।

ବୋଇଲେ ୟେହୁତ ଅଟଇ ଶାମ୍ବବୀର

କନକଚମ୍ପା ନିନ୍ତେ ଆସିଥିଲା ତୋଟାର ।୩୪୨।

ଶୋଭାବତୀ କନ୍ୟାକୁ ଯେ ବଳେ ନେଉଥିଲା

ମୋତେ କିମ୍ପାଇଂ ୟେହୁ ଗୁପତେ ନ କହିଲା ।୩୪୩।

କିଛି ନ କହିଣ ମୁନି ତୁନି ହୋଇ ରହିଲେ

ସୁଧର୍ମା ସଭାରୁ ସେ ଯେ ବେଗେଣ ଖସିଲେ ।୩୪୪।

ମନଦଣ୍ଡ ଚଢି ତହୁଂ ହୋଇଲେ ବାହର

ଯାଇଣ ମିଳିଲେ ସେହୁ ଦ୍ଵାରାବତୀ ପୁର ।୩୪୫।

ସଭାକରିଣ ବସିଛନ୍ତି ତହିଂ ନାରାୟଣ

ସେଠାରେ ମିଳିଲେ ଯାଇଂ ପୁଣ ମହାମୁନ୍ୟ ।୩୪୬।

କୃଷ୍ଣର କୁମର ମାନେ ସମସ୍ତେ ଛନ୍ତି ବସି

ସମସ୍ତେ ଯାଇ ନାରଦଂକ ଚରଣେ ନିବେଶି ।୩୪୭।

ପାଦ ଅର୍ଘ୍ୟ ଦେଇଣ ଯେ ମୁନିଂକି ପୂଜିଲେ

ଅନେକ ପ୍ରକାରେ ତାଂକୁ ବିନୋୟୀ ହୋଇଲେ ।୩୪୮।

ଶ୍ରୀକୃଷ୍ଣ ପଚାରନ୍ତି ମୁନିୟେ ଥିଲେ କାହିଂ

କି କି ଉପାଧି ବାରତା ଆଣିଛ କହ ମୁନି ବୁଝାଇ ।୩୪୯।

ନାରଦେ ବୋଇଲେ ଉପାଧି ବାରତା ଶୁଣ ସାବଧାନେ

କନକଚମ୍ପା ନିମନ୍ତେ ଶାମ୍ବ ଯାଇଥିଲା ନନ୍ଦନ ବନେ ।୩୫୦।

ଶୁରସେନ ଗନ୍ଧର୍ବର ଦୁହିତା ଶୋଭାବତୀ

ତାହାକୁ ହରି ଆଣୁଥିଲା ତୋର କୁମର ମହାଛତ୍ରୀ ।୩୫୧।

ଗନ୍ଧର୍ବ ଜାଣି ତାହା ଅନେକ ଯୁଦ୍ଧ କାଲେ

ଶାମ୍ବକୁମର ହାଥେ ଅନେକ ଗାନ୍ଧର୍ବେ କ୍ଷୟେ ଗଲେ ।୩୫୨।

ଇନ୍ଦ୍ର ବାରତା ପାଇ ଚିତ୍ରସେନ ପେଷି ଦିଲା

ସେ ଅସି ଘୋର ସଂଗ୍ରାମ କୁମର ସଙ୍ଗେ କଲା ।୩୫୩।

ବଳେ ଧରି କୁମରକୁ ବାନ୍ଧିଣ ସେହୁ ନେଲେ

ଅନେକ ପ୍ରକାର ମାଡ଼ ମାରିଣ ରଖିଲେ ।୩୫୪।

ତାହା ଦେଖି ଆମ୍ଭେ ବଡ଼ ବିକଳ ହୋଇଲୁଂ

ତୋତେ ବାରତା କହିତେ ୟେଥକୁ ଅଇଲୁ ।୩୫୫।

ପାରିଲେ କୁମରକୁ ଆଣ ଯା ଛଡ଼ାଇ

ତାହା ଶୁଣି କୋପ କଲେ ଯେ କମଳାଇ ସାଇଂ ।୩୫୬।

ବୋଇଲେ ସ୍ଵର୍ଗପୁର ଆଜ କରିବଇଂ ନାଶ

ନୂଆ ଇନ୍ଦ୍ର ଗୋଟାୟେ ବସାଇବି ସ୍ଵର୍ଗବାସ ।୩୫୭।

ୟେତକ ବଚନ ଯହୁଂ ଗୋବିନ୍ଦ କହିଲେ

କଳହପ୍ରୟ ମୁନି ହସିଣ ବୋଇଲେ ।୩୫୮।

ବୋଇଲେ ଇନ୍ଦ୍ରର ତୁଲେ ତୁମ୍ଭେ ନୁଆର ସମର କରି

ତୋତେ କିମ୍ପଇଂ ସେ ହୋ ଡରିବ ବଜ୍ରଧାରୀ ।୩୫୯।

ନାରଦଂକ ବଚନେ ଯେ ଶ୍ରୀହରି ଉଠିଲେ

ଧାତିକାରେ ବଳରାମଂକ ଛାମୁରେ ଯାଇଂଣ ମିଳିଲେ ।୩୬୦।

ନମସ୍କାର କରିଣ ଯେ କହନ୍ତି ବଚନ

ନାରଦେ ଯାହା କହନ୍ତି କରନ୍ତୁ ଅବଧାନ ।୩୬୧।

ଶାମ୍ବକୁମର ଯାଂଥିଲା ନନ୍ଦନ ବନ ତୋଟା କୁ

କନକଚମ୍ପା ଘେନି ଅସୁଥିଲା ନବରକୁ ।୩୬୨।

ଦଇବର ବସେ ଯେ ସୁରସେନ ଗନ୍ଧର୍ବର ଝିଅ

ବଳେ ଘେନି ଅସୁଥିଲା ତକୁ ଆମ୍ଭ ପୁଅ ।୩୬୩।

ଗନ୍ଧର୍ବ ବଳେ ଆସି ତାହା ତାହାକୁ ବେଢିଲେ

ଅନେକ ଯୁଦ୍ଧକରି କୁମରକୁ ଧରିନେଲେ ।୩୬୪।

ଅନେକ ମାଡ଼ ମାରି ଧରିନେଇ ତାକୁ ବାନ୍ଧି ରଖିଛନ୍ତି

ୟେଥକୁ କି ଆଗ୍ୟାଂ ହେବ ହେ ହଳପତି ।୩୬୫।

ଶୁଣି ବଳରାମେ ତହୁଂ ବୋଲନ୍ତି ବଚନ

ଅନ୍ୟାୟେ କଲା ଯେ ବାବୁ ତୋହର ନନ୍ଦନ ।୩୬୬।

ପରର ଝିଅକୁ ସେ କିମ୍ପେ ଆଣିଲା ଚୋରାଇ

କେତେ କଳିଦ୍ଵନ୍ଦ ହେ କରିବା କାହାଠାବଇଂ ।୩୬୭।

ୟେହା କହି ବଳରାମ କୋପଭର ହୋଇଲେ

ବାତଘାତେ କଦଳୀପତ୍ରେ ପ୍ରାୟେ ଶରୀର କମ୍ପାଇଲେ ।୩୬୮।

ବୋଇଲେ ଅମରପୁର କରିବି ଭସ୍ମୀଭୂତ

ଦେବତାଗଣନ୍ତ ଆଜି କରିବଇଂ ନିପାତ ।୩୬୯।

ସ୍ଵର୍ଗେ ଦେବତାଗଣେ ଆଜ ନ ରଖିବି କାହିଂ

କୋପେ ଥର ହର ହୋଇ କମ୍ପନ୍ତି ହଳସାଇଂ ।୩୭୦।

ସଉନନ୍ଦ ମୂଷଳ ସେ ଯେ ହାଥରେ ଧଇଲେ

ବାମକରେ ସେହୁ ଯେ ଲଙ୍ଗଳ ତୋଳିଲେ ।୩୭୧।

ଇନ୍ଦ୍ର ଦେବତାଂକୁ ପେଷିବି ଯମ ପୁରେ

ସେହୁ ବାନ୍ଧି ରଖିଅଛି ମୋହର କୁମର ।୩୭୨।

ବଳରାମଂକର କୋପ ଜାଣିଲେ ନାରଦ

ବୋଇଲେ ୟେଥିରେ ହେବ ବହୁତ ପରମାଦ ।୩୭୩।

ଦ୍ଵନ୍ଦ କଳି ୟେଥେ ଯେ ଅନେକ ହୋଇବ

କଳି କୁତୂହଳ ଆଜ ଦେଖିବଇଂ ଯବ ।୩୭୪।

ୟେତେକ ବିଚାରିଣ ଯେ ନାରଦ ମହାମୁନି

ବୋଲନ୍ତି ସାବଧାନେ ହେ ଶୁଣ ହଳପାଣି ।୩୭୫।

ଥାଠ ସଜକର ତୁମ୍ଭେ ଯିବା ବେଗ ହୋଇ

କୁମରକୁ ଯାଇଂ ଆମ୍ଭେ ଆଣିବା ବହନ ଛଡ଼ାଇ ।୩୭୬।

ଗୋବିନ୍ଦ ଉଦ୍ଧବକୁ ହକାରଇ ଆଣିଲେ

ଉଗ୍ରସେନକୁ କହ ଥାଠ ସଜକରୁ ବେଗ ଭଲେ ।୩୭୭।

ଆଗ୍ୟାଂ ପାଇଣ ଉଦ୍ଧବ ବେଗେ ଚଳିଗଲା

ଉଗ୍ରସେନଂକ ସଭାରେ ଯାଇଣ ମିଳିଲା ।୩୭୮।

ନମସ୍କାର କରିଣ ସେ କହନ୍ତି ବଚନ

ସାବଧାନେ ହୋଇ ଶୁଣିମା ମଥୁରା ରାଜନ ।୩୭୯।

ଠାକୁରେ ବୋଇଲେ ବେଗେ ଥାଠ ସଜ କର

ଇନ୍ଦ୍ର ଦେବତା ସଙ୍ଗେ ଆଜ ହୋଇବ ସମର ।୩୮୦।

ଶାମ୍ବକୁମର ଯେ ଗଲା ନନ୍ଦନ ତୋଟାୟେ

କନକ ଚମ୍ପା ଯେ ଆଣିବା ଉପାୟେ ।୩୮୧।

ସେଦିନ ଇନ୍ଦ୍ରର ନାତୁଣୀ ସେ ଶୋଭାବତୀ କନ୍ୟା

ନନ୍ଦନ ବନକୁ ଆସିଥିଲା ବରାଙ୍ଗନା ।୩୮୨।

ସେ ସଂଯୋଗରେ ଶୋଭାବତୀକି ଦେଖିଲେ

କୁମରକୁ ଦେଖି କନ୍ୟା ବିଭଳିତ ହେଲେ ।୩୮୩।

ମାଳା ଗୋଟିୟେକ ବାଳୀ ହାଥରେ ଥିଲା ଘେନି

କୁମରର କଣ୍ଠେ ତାହା ଲମ୍ବାଇଲା ପୁଣି ।୩୮୪।

କୁମର କୁମାରୀ ତହିଂ ୟେକ ସଂଯୋଗ ହୋଇ

କୁମାରୀ ହାଥ ଧରି କୁମର ରଥରେ ବସାଇ ।୩୮୫।

ଘେନିଣ ଆସଇ ସେ ସଧିରେ ସଧିରେ

ସଙ୍ଗର କୁମାରୀ ଯାଇ ଜଣାଇଲେ ଇନ୍ଦ୍ରର ଛାମୁରେ ।୩୮୬।

ବାରତା ପାଇଣ ଇନ୍ଦ୍ର ଧରାଇ ଘେନିଗଲା

ବନ୍ଦୀ ପ୍ରକାରେଣ ସେ ଯେ ଧରାଇ ରଖିଲା ।୩୮୭।

ନାରଦ ଆସିଣ ଯହୁଂ ବାରତା କହିଲେ

ୟେଣୁ ଶ୍ରୀକୃଷ୍ଣ ହଳୀ ଯେ ଅନେକ କହିଲେ ।୩୮୮।

ବୋଇଲେ ଇନ୍ଦ୍ର ସଙ୍ଗେ ଆଜ କରିବି ସମର

ସ୍ଵର୍ଗପୁର ଭାଙ୍ଗି ଆଜ କରିବେ ନାରଖାର ।୩୮୯।

ମୋତେ ରାଇଣ ଯେ ଆଗ୍ୟାଂ ଦିଲେକ ନାରାୟଣ

ରାଜାଂକ ଛାମୁରେ ଯାଇଂ କହ ତୁ ୟେସନ ବିଧାନ ।୩୯୦।

ୟେହା ଶୁଣି ଉଗ୍ରସେନ ରାଜା ବହୁତ କୋପ କଲେ

ପଢିହାରୀ ସେବକନ୍ତ ରାଇଣ ଆଗ୍ୟାଂ ଦିଲେ ।୩୯୧।

ସାତ ବଂଶ ଯାଦବ ଯେ ସଜ ହୁଅ ବେଗେ

ଯେ ଯାହାର ଶହସ୍ର ଯାବବାହନ ଘେନେ ହାଦେ ।୩୯୨।

ଯେ ଯାହାର ଶହସ୍ର ଯାନ ଘେନି ସଙ୍ଗତେଣ

ସାତୁକି ଅନାଧୃଷ୍ଟ ଅକୃର ସହିତେଣ ।୩୯୩।

ସମସ୍ତେ ସଜ ହୋଇ ମିଳ ମୋହର ଅଗ୍ରତେ

ଆଗ୍ୟାଂ ପରମାଣେ ଦୂତେ ଚଳିଲେ ତୂରିତେ ।୩୯୪।

ଦାଣ୍ଡରେ ଯାଇଂଣ ସେହୁ ବେଗେ ଘୋଷଣ ଦିଆଇଲେ

ସନ୍ୟ ସଜହୋଇ ଆସ ବୋଲିଣ ବୋଇଲେ ।୩୯୫।

ବାରତା ପାଇଣ ସାତବଂଶ ଯେ ଯାଦବେ

ସଜ ହୋଇଣ ଉଭା ହେଲେ ଦାଣ୍ଡରେ ସମ୍ଭର୍ବେ ।୩୯୬।

ଆପଣେ ଉଗ୍ରସେନ ଦିବ୍ୟ ବେଶ ହୋଇ

ଅକୃର ରଥ ୟେକ ସାଜିଣ ଆଣଇ ।୩୯୭।

ସେ ରଥରେ ଉଗ୍ରସେନ ରାଜା ବିଜେ ଯାଇ କଲେ

ଧବଳ ଛତ୍ର ଗୋଟିୟେ ଶିରରେ ଉଡ଼ାଇଲେ ।୩୯୮।

ଉଦଣ୍ଡ ପାଟଛତ୍ର ଯେ ଉଡ଼ଇ ଆଗରେ

ଶଙ୍ଖ ମହୁରୀ ତୂରୀ ଯେ ବାଜଇ ଉଚ୍ଚେ ଧିରେ ଧିରେ ।୩୯୯।

ବାଦ୍ୟନାଦ ଶବଦେ ଯେ କୁରୁମ ଉଛୁଳି

ଦଲ ଦଲ ହୋଇଣ ଯେ କମ୍ପଇ ମହୀଅଳି ।୪୦୦।

ଅନେକ ସନ୍ୟ ସଜ ହୋଇଲେ ଦାଣ୍ଡରେ

ମାର ମାର ଶବଦ ଯେ ଫୁକାରନ୍ତି ତୁଣ୍ଡରେ ।୪୦୧।

ଶୁଣ ହୋ ମନୁ ରାୟେ ଅଗସ୍ତି କହନ୍ତି

ୟେ ସେ ମହାଭାରଥ ଅମୃତ ରସ ମତି ।୪୦୨।

ହରି ବଳରାମ ଦୁହେଂ ପୁଣ ତେଣେ ସଜ ହୋଇ

ରଥେ ରଥେ ଚଢି ଦାଣ୍ଡେ ଉଭା ହୋଇଲେକ ଯାଇ ।୪୦୩।

କୃଷ୍ଣ ର ପୁତ୍ର ମାନେ ବେଗେ ସଜ ହୋଇଲେ

ବଳରାମ ଦୁଇ ପୁତ୍ର ବେଗେ ସଜହୋଇ ଅଇଲେ ।୪୦୪।

ଯେ ଯାହାର ଶହସ୍ର ମାନ କରେ ଧରିଛନ୍ତି

ଆପଣେ ଦିବ୍ୟ ସଜ ହୋଇ ଅଇଲେ ଶ୍ରୀପତି ।୪୦୫।

ବୋଇଲେ ଅମର ପୁରେ ଭସ୍ମୀଭୂତ କରିବି

ଦେବଗଣ ମାନନ୍ତ ଗୋଟିୟେ ନ ରଖିବି ।୪୦୬।

ବିନତା ନନ୍ଦନ ଗରୁଡ଼କୁ ହରି ସୁମରିଲେ

ରମ୍ୟେକ ଦୀପରୁ ଖବର ଯେ ଅଇଲେ ।୪୦୭।

ଦ୍ଵାରାବତୀ ପୁରେ ସେ ଯେ ମିଳିଲେକ ଆସି

ଗୋବିନ୍ଦଂକୁ ଦେଖିଣ ଯେ ଶିରେ କର ନିବେଶି ।୪୦୮।

ସମସ୍ତ ଚରିତ ଯେ କହିଲେ ନାରାୟଣ

ବୋଇଲେ ଇନ୍ଦ୍ରଦେବତାର ଗୁଣ ଶୁଣ ହୋ ଖଗରାଣ ।୪୦୯।

ମୋହର କୁମରକୁ ସେ ବାନ୍ଧି ରଖିଅଛି

ମୋହର କୁମର ବୋଲି କହିଲେ ନାରଦେ ଉପଲେଚ୍ଛି ।୪୧୦।

ୟେହା ଶୁଣି ଖଗବର ଯେ କହିଲେ କରଯୋଡ଼ି

ହରି ତୋହର ସଞ୍ଚିଲା ସିନା ଅଟଇ ସ୍ଵର୍ଗପୁରୀ ।୪୧୧।

ସଞ୍ଚିଲା ଦାସକୁ ଯେ ୟେଡ଼େ କୋପ କରୁ

ଆପଣା ମହିମା ତୁ ଆପଣେ ନ ବିଚାରୁ ।୪୧୨।

ନାରାୟଣ ବୋଇଲା ସେ ବଡ଼ ଗରିଷ୍ଠ ହୋଇଲା

ଆପଣାର ଇଚ୍ଛାୟେ ସେ ସମ୍ପଦ ବୁଡ଼ାଇଲା ।୪୧୩।

ଆଜ ତାହାର ସମ୍ପଦ ଯେ କରିବଇଂ ନାଶ

ଆନ ଇନ୍ଦ୍ର କରି ବସାଇବି ସ୍ଵର୍ଗ ବାସ ।୪୧୪।

ଶଙ୍ଖ ଚକ୍ର ଗଦା ସାରଙ୍ଗ କରେ ଧରି

ଆପଣେ ଦିବ୍ୟ ସଜ ହୋଇଲେ ଦଇତାରି ।୪୧୫।

ଗରୁଡ଼ ପିଠିରେ ସେ ଯାଇଣ ବସିଲେ

ବଳରାମେ ତାଳଧ୍ଵଜ ରଥ ଆରୋହିଲେ ।୪୧୬।

ବହୁତର ସନ୍ୟ ଘେନିଣ ଉଗ୍ରସେନ ରାୟେ

ଆଗ ହୋଇଣ ସେହୁ ବାହାର ହଇଆୟେ ।୪୧୭।

ଉଦଣ୍ଡ ୟେକ ଲକ୍ଷୀ ଉଡ଼ଇ ଦାଣ୍ଡରେ

ପ୍ରଚଣ୍ଡ ହୋଇଣ ବାଦ୍ୟ ବାଜଇ ଘନ ଘୋରେ ।୪୧୮।

କୃଷ୍ଣର କୁମରମାନ ଘେନିଣ ବଳରାମ

ଆପଣେ ବାହର ଦେବ ହେଲେ ତତକ୍ଷଣ ।୪୧୯।

ଥାଠ ସନ୍ୟ ଘେନିଣ ସମସ୍ତେ ଚଳାଇଣ ଗଲେ

ପଛକୁ ରହିଲେ ଯେ ଦେବ ଦାମୋଦରେ ।୪୨୦।

ଗରୁଡ଼କୁ ୟେକାନ୍ତେ ଯେ କହନ୍ତି ଭଗବାନ

ବଳରାମଂକ କୋପେ ନାଶ ଯିବ ୟେ ସ୍ଵର୍ଗ ଭୁବନ ।୪୨୧।

ସାତବଂଶ ଯାଦବେ ତହୁଂ ଗଲେ ବାହର ହୋଇ

ସନ୍ୟ ବଳ ଦେଖିଣ ନାରଦେ ବିଚାରଇ ।୪୨୨।

ହରି ସହସ୍ରାକ୍ଷଂକର ଆଜ ହୋଇବ ସମର

କଳି କୁତୂହୋଳ ଦେଖିଲେ ପେଟ ପୂରିବ ଆମ୍ଭର ।୪୨୩।

ଯତନେ ଯାହା ମୁହିଂ ମନରେ ଲୋଡୁଥାଇ

ଦଇବ ପୁରୁଷ ମତେ ଦିଅଇ ଭେଟାଇ ।୪୨୪।

ୟେତେ ବୋଲି ନାରଦେ ଆନନ୍ଦେ ନାଚନ୍ତି

ବୀଣାଧୁନି କରିଣ ସେହୁ ଶୂନ୍ୟରେ ଚଳନ୍ତି ।୪୨୫।

କଳି ଧୋକଡ଼ି ମୁଣିକି କାଖରେ ଯାକିଣ

ତହିଂରୁ ମୁଠିୟେ ବାହାର କଲେ ବ୍ରହ୍ମମୁନ୍ୟ ।୪୨୬।

ଲାଗୁ ଲାଗୁ ବୋଲିଣ ପୁଣ ବୁଣିଣ ସେ ଦିଲେ

ଲାଗୁ ଲାଗୁ ବୋଲିଣ ସେ ଗୀତ ଯେ ଗାଇଲେ ।୪୨୭।

ମାନଦଣ୍ଡ ଚଢିଣ ସେ ଧାମନ୍ତି ତତପରେ

ଯାଇଂଣ ମିଳିଲେ ସେହୁ ଅମର ପୁରରେ ।୩୨୮।

ଇନ୍ଦ୍ର ଦେବତା ବୋଇଲେ କାହିଂ ଥିଲ ମୁନି

ନାରଦେ କହନ୍ତି ତୁମ୍ଭେ ଶୁଣ ସୁରମୁନି ।୩୨୯।

ଯାହା ପଚାରିଲୁ ତାହା ଶୁଣ ସାବଧାନେ

ଆମ୍ଭେ ଯାଇଥିଲୁ ଆଜି ମଞ୍ଚ ଯେ ଭୁବନେ ।୪୩୦।

ଦ୍ଵାରାବତୀ ପୁରେ ଆମ୍ଭେ ୟେହିକ୍ଷଣି ଥିଲୁ

ତହିଂ ପୁଣ ଅପୂର୍ବ ଯେ କଥାୟେ ଦେଖିଲୁ ।୪୩୧।

କୃଷ୍ଣର କୁମର ସେହି ଶାମ୍ବ କୁମରକୁ

ନ ଜାଣିଣ ଶକ୍ରରାୟେ ରଖିଲୁ ତାହାଂକୁ ।୪୩୨।

ସେ ବାରତା ପାଇଣ ଯେ ହରି ବଳରାମ

ଥାଠ ଘେନି ଆସୁଛନ୍ତି ତୋହ ସାଙ୍ଗେ କରିବେ ସଂଗ୍ରାମ ।୪୩୩।

ବହୁତ କୋପ କଲେ ଯେ ଦେବ ହଳଧର

ବୋଇଲେ ଇନ୍ଦ୍ରକୁ ଆଜି ପେଷିବି ଯମପୁର ।୪୩୪।

Unknown

ଅମରପୁର କରିବି ଆଜ ଭସ୍ମରାଶି

ଗଣ ଗନ୍ଧର୍ବ ଦେବତାନ୍ତ ଆଜ ପକାଇବି ନାଶି ।୪୩୫।

ବହୁତ ପ୍ରତଗ୍ୟାଂ ଆଜ କଲେ ହଲଧର

ଥାଠ ସନ୍ୟ ଘେନି ଆପଣେ ହୋଇଲେ ବାହାର ।୪୩୬।

ଗରୁଡ଼ ପୁଷ୍ଠେ ଚଢିଣ ଦେବ ନାରାୟଣ

ସେହୁ ବଡ଼ ଗାଢେ ଯେ କହିଲେ ବଚନ ।୪୩୭।

ଉଗ୍ରସେନ ରାଜା ପ୍ରତଗ୍ୟାଂ କହିଲେ ନ ସରଇ

ସାତବଂଶ ଯାଦବନ୍ତ ଘେନିଣ ସେ ଆସନ୍ତ ଧୁଆଇଂ ।୪୩୮।

ସଙ୍ଗେ ସନ୍ୟ ତାର ଯେ ଅଛଇ ଅନେକ

ୟେକ ଆରକେ ପ୍ରତଗ୍ୟାଂ କରଇ ବହୁତ ।୪୩୯।

ସମସ୍ତ ସଇନମାନନ୍ତ ପେଷିଣ ଆଗେ ନାରାୟଣ

ପଛରେ ଗରୁଡ଼ ଚଢି କରନ୍ତ ପ୍ରୟାଣ ।୪୪୦।

ଅନେକ ଗୋଳ ଯେ ୟେଥି କରିବେ ଦାମୋଦର

ୟେହା ଦେଖି ଆମ୍ଭେ ଗୋ ଅଇଲୁ ନୟନର ।୪୪୧।

ଶୁଣିଣ ଶକ୍ରରାୟେ କମ୍ପଇ ଥର ହର

ବଜ୍ର ଝମକାଇଣ କୋପେ କହଇ ଉତ୍ତର ।୪୪୨।

ବୋଇଲା ଗୋ ମୁନି ତୁମ୍ଭେ କହ ତଥ୍ୟ କରି

ସତେ ଗଉଡ଼େ ଆସୁଛନ୍ତି ସମର ଆରମ୍ଭ କରି ।୪୪୩।

ମଞ୍ଚ ରାଜା ପ୍ରାୟେ କି ସେ ମଣିଛନ୍ତି ମୋତେ

ରାଜାମାନଂକର ଝିଅ ନିଅନ୍ତି ୟେହିମତେ ।୪୪୪।

ତେହ୍ନେ ପ୍ରାୟେ କରି କି ସେ ମଣିଛନ୍ତି ମୋତେ

ସନ୍ୟବଳ ଘେନି କରି ଆସୁଛନ୍ତି ୟେଥେଂ ।୪୪୫।

ଆଜ ଯେବେ ସମର ସେ କରିବ ମୋର ତୁଲେ

ଗଉଡଂକର ପ୍ରତଗ୍ୟାଂ ଜାଣିମା ଆଜ ଭଲେ ।୪୪୬।

ଗଉ ବାଉ ହାଉ ତିନି ଜାତି ନାମ

ଗାଢେ ପ୍ରତଗ୍ୟାଂ ଯାହା କରୁଛନ୍ତି ନ ଜାଣିମା ପଣ ।୪୪୭।

ବ୍ରହ୍ମାଂକୁ ଚାହିଂଣ ଯେ କହନ୍ତି ଶକ୍ରରାୟେ

ଗଉଡ଼ଂକ ପ୍ରତଗ୍ୟାଂ ତୁ ଶୁଣ ଦେବରାୟେ ।୪୪୮।

ସ୍ଵର୍ଗେପଶି କନ୍ୟାକୁ ବଳେ ନେଉଅଛେ ହରି

ୟେକଥା ବିଚାର କିମ୍ପେ ନ କର କୁଶ ଧାରୀ ।୪୪୯।

ବ୍ରହ୍ମାୟେ ବୋଇଲେ ତୁ ହୋ ଶୁଣ ସୁରରାଣ

କଥାୟେ କହିବା ତୁମ୍ଭେ ସାବଧାନ ଶୁଣ ।୪୫୦।

ଆଗହୁଂ ପ୍ରତଗ୍ୟାଂ ହୋ ନ କର ତୁ ଗାଢେ

ଦେଖିଣ ଜାଣିମା କେତେ ବଳବନ୍ତ ଗଉଡ଼େ ।୪୫୧।

ଆମ୍ଭର ଦେବଗଣ ହୋ ବହନ ସଜକର

ଗଉଡଂକ ସଙ୍ଗେ ଆଜ କରିବା ସମର ।୪୫୨।

ସାତବଂଶ ଯାଦବନ୍ତ କରିବା ଆମ୍ଭେ ନାଶ

ୟେଥକୁ ଚିନ୍ତା ତୁହୋ ନ କର ସହସ୍ରାକ୍ଷ ।୪୫୩।

ବ୍ରହ୍ମାଂକ ବଚନ ଶୁଣିଣ ଶକ୍ରରାୟେ

ବେଗେ ସଜ ତୁମ୍ଭେ ହୁଅ ହୋ ଦେବତାୟେ ।୪୫୪।

ଇନ୍ଦ୍ର ଆଗ୍ୟାଂ ପାଇ ଗଣ ଗନ୍ଧର୍ବ ଦେବତା

ସନ୍ୟ ସଜ ହୋଇଲେ ଯେ ତହିଂ ଅପ୍ରମିତା ।୪୫୫।

ସୁରସେନ ଚିତ୍ରସେନ ଅଙ୍ଗାରପନ୍ନଙ୍ଗ ମୂଳେ

ଚଉଷଠୀ ଗନ୍ଧର୍ବ ଯେ ଇନ୍ଦ୍ରଂକ କୁମରେ ।୪୫୬।

ଅଷ୍ଟବସୁୟେ ଯେ ସଜ ହୋଇଣ ଅଇଲେ

ଅଶ୍ଵିନୀ କୁମାର ଯେ ଧାଇଂଲେକ ଖରେ ।୪୫୭।

ଶହସ୍ରମାନ କରେ ଧରି ବେଗେ ଝମକାନ୍ତି

ୟେକୁଂ ଆରେକ ତହିଂ ଯେ ବହୁତ ପ୍ରତଗ୍ୟାଂ କରନ୍ତି ।୪୫୮।

ବାୟୁ ବରୁଣ ଯେ ଚନ୍ଦ୍ର ସୂର୍ଯ୍ୟ ମେଳେ

ଯମଦେବତା ସଜ ହୋଇଲେ ତତପରେ ।୪୫୯।

ବାରତା ପାଇଣ ଯେ ବାସୁକି ନାଗରାୟେ

ଥାଠ ସନ୍ୟ ଘେନି ସେହି ଆସି ହୋୟେ ।୪୬୦।

ନବଗ୍ରହଂକୁ ଚହିଂ ବୋଲଇ ସୁରପତି

ବଜ୍ରସୂଚୀ ଗୋଟାୟେ ହାଥରେ ଘେନିଛନ୍ତି ।୧୬୧।

କପିଳାଇ କନ୍ଦରୁଂ ଅଇଲେ ଶୂଳଧର

ସଙ୍ଗରେ ଅଛନ୍ତି ଶିବଗଣ ଯେ ଅପାର ।୪୬୨।

କାର୍ତ୍ତିକେଶ୍ଵର ଗଣେଶ୍ଵର ନନ୍ଦୀ ଭ୍ରୂକୁଟିର ମେଳେ

ୟେହୁ ଅଇଲେ ଯେ ଇଶ୍ଵରଂକର ତୁଲେ ।୪୬୩।

କଳ୍ପାନ୍ତକ ବୃଷଭ ଯେ ଚଢିଣ ମହାଦେବ

ସେହି ଆସି ମିଳିଲେ ଅମର ସଭା ଠାବ ।୪୬୪।

ଆବର ତେତିଶ କୋଟି ଦେବତା ଗଣ ଗନ୍ଧର୍ବ ମେଳେ

ସଜ ହୋଇ ଉଭା ହୋଇଲେ ଆସ୍ତାନର ତଳେ ।୪୬୫।

ଇଶ୍ଵରଂକୁ ଚହିଂଣ ଯେ ବୋଇଲେ ସୁରପତି

ସାବଧାନେ ହୋଇଶୁଣ ମୋହର ଭକତି ।୪୬୬।

କୃଷ୍ଣର ନନ୍ଦନ ଯେ ଶାମ୍ବ କୁମର

କନକ ଚମ୍ପା ପାଇଂ ଅଇଲା ବନର ।୪୬୭।

ଶୂରସେନ ଝିଅ ଶୋଭାବତୀ ତାର ନାମ

ଭ୍ରମିବାକୁ ସେ ଆସିଥିଲା ନନ୍ଦନ କାନନ ।୪୬୮।

ଚମ୍ପାପୁଷ୍ୟ ଘେନି ସେହି ବାହୁଡ଼ିବା ବେଳେ

ଶୋଭାବତୀ କନ୍ୟାକୁ ସେ ଦେଖିଲାକ ଡୋଳେ ।୪୬୯।

ରଥେ ବସାଇଣ ତାକୁ ହରି ଘେନିଗଲା

ଗନ୍ଧର୍ବଂକ ସଙ୍ଗତେ ବହୁତ ଯୁଦ୍ଧ କଲା ।୪୭୦।

ଚିତ୍ରସେନ ଯାଇଣ ଆଣିଲା ବାନ୍ଧିକରି

ଶୁଣି କୋପ କରିଣ ଆସନ୍ତି ହଳୀ ହରି।୪୭୧।

ଉଗ୍ରସେନ ସାତବଂଶ ଯାଦବ ସହିତେ

ଯୁଦ୍ଧ କରିବାକୁ ଆସନ୍ତି ସେ ମୋହର ସଙ୍ଗତେ ।୪୭୨।

ତାହା ଶୁଣି ବୋଲନ୍ତି ଯେ ଦେବ ଶୂଳପାଣି

ୟେହିମତେ ଆମ୍ଭସଙ୍ଗେ ଯୁଝିଲେ ନ ଜାଣି ।୪୭୩।

ନୀଳେନ୍ଦୀ ନାମରେ ଥିଲା ବରୁଣ ଦୁହିତା

ଆମ୍ଭ ପୁତ୍ର କାର୍ତ୍ତିକକୁ ବରିଥିଲା ତାହାର ଯେ ମାତ ।୪୭୪।

ତହିଂର ଯେତକ ଅନର୍ଥ ପଡ଼ିଲା

ତେବେହେଂ ଗଉଡ଼କୁ ଲାଜ ନ ମାଡ଼ିଲା ।୪୭୫।

ବ୍ରହ୍ମାୟେ ଥାଇଣ ସେ ଯେ ଯାହା ବିଚାରିଲେ

ତେଡେ ବଡ଼ କଳି ଗୋଟା କ୍ଷଣକେ ନିର୍ଭାଇଲେ ।୪୭୬।

କେତେ କେତେ ଲୋକ ମାନ ଅଇଲେ ପରିଘାଇ

କେତେ ଅନର୍ଥ ହୋଇଲା କହି ତ ନୋହଇ ।୪୭୭।

ସର୍ବ ଶୁଭେ ଥାଆନ୍ତୁ ୟେକା ନାରଦ ମହାମୁନି ।୪୭୮।

ଈଶ୍ୱର କହନ୍ତେ ତହିଂ ଇନ୍ଦ୍ରରାୟେ ହସିଲେ

ଖଣ୍ଡେଦୂରେ ଥାଇ ତାହା ନାରଦେ ଶୁଣିଲେ ।୪୭୯।

ବୋଇଲେ ଆମ୍ଭନ୍ତ ନିନ୍ଦା କଲ ହୋ ବିଶ୍ୱନାଥେ

ମୋହୋର କିସ ଦୋଷ ହୋଇଲାକ ୟେଥେ ।୪୮୦।

ଦେଖିଲାର କଥା ଆମ୍ଭେ କହିଲୁ ସିନା ଆସି

ୟେଥକୁ ନିନ୍ଦା ତୁମ୍ଭେ କଲ ହୋ ବିଶ୍ୱବାସୀ ।୪୮୧।

ଈଶ୍ୱର କହନ୍ତେ ଯେ ନାରଦେ ଉଠିଲେ

ମନଦଣ୍ଡ ଚଢ଼ି ଶ୍ରୀକୃଷ୍ଣ ଛାମୁରେ ମିଳିଲେ ।୪୮୨।

ନାରଦଂକୁ ଦେଖିଣ ଯେ ପ୍ରଭୁ ନାରାୟଣ

ନମସ୍କାର କଲ ଯାଇଂ ନାରଦଂକ ଚରଣ ।୪୮୩।

ବୋଇଲେ କିସ ଭିଆଇ ଆଇଲ ବ୍ରହ୍ମମୁନି

କଥାର ତଦନ୍ତ ବୁଝିବା ନା ଲାଭ ହାନି ।୪୮୪।

ନାରଦେ ବୋଇଲେ ଇନ୍ଦ୍ର ଯୁଝିବ ତୋର ତୁଲେ

ଇଶ୍ୱରେ ପହିଜ କଲେ ତହିଂ ଗାଢତ୍ୱରେ  ।୪୮୫।

ଇଶ୍ୱରଂକ କଥା ଶୁଣି ଆମ୍ଭେ ଖଙ୍ଖ ଯେ ପାଇଲୁ

ତୋତେ କହିବାକୁ ଆମ୍ଭେ ଅଇଲୁ ।୪୮୬।

ନୀଳେନ୍ଦୀ ହରଣେ ହୋ ଯେତେକ ଚରିତ

ତାହା ସୁମରିଣ କୋପ କଲ ଶୂଳହସ୍ତ ।୪୮୭।

ନାରଦଂକ ମୁଖୁ ଯହୁଂ ୟେସନ ଶୁଣିଲେ

କ୍ରୋଧଭର ହୋଇଣ ଯେ ଗୋବିନ୍ଦ ବୋଇଲେ ।୪୮୮।

ଇଶ୍ୱରଂକର ଆଜ ହୋ ଆମ୍ଭେ ଜାଣିମା ବଡ଼ପଣ

କେତେ ଗାଢରେ ଆଜ କରିବେ ସେ ରଣ ।୪୮୯।

ୟେତେକ ବିଚାରିଣ ପ୍ରଭୁ ନାରାୟଣ

ଅକ୍ରୁରକୁ ଚାହିଂ କହନ୍ତି ଗୁପତ ବଚନ ।୪୯୦।

ତୁହି ୟେହିକ୍ଷଣି ହୋ ବାରୁଣାବନ୍ତେ ଯିବୁ

ଯୁଧିଷ୍ଠିଂକ ଛାମୁରେ ବାରତା କହିବୁ ।୪୯୧।

ସାତକ୍ଷଉଣୀ ବଳ ଘେନି ଆସିବେ ସଜହୋଇ

ଗୁପତେଣ ୟେ କଥା ଅର୍ଜୁନକୁ କହିବୁ ବୁଝାଇ ।୪୯୨।

ନାରାୟଣଂକର ଆଗ୍ୟାଂ ଅକ୍ରୂର ଶିରେ ନିବେଶିଲା

ବରୁଣାବନ୍ତକଲ ସେ ଯେ ବେଗହୋଇ ଗଲା ।୪୯୩।

ତତକ୍ଷଣେ ବରୁଣାବନ୍ତ ରେ ଯାଇଂଣ ମିଳଇ

ଆସ୍ଥାନ କରି ବସିଛନ୍ତି ଯୁଝେଷ୍ଠି ନରସାଇଂ  ।୪୯୪।

ୟେମନ୍ତର ସମୟ ଯାଇ ଅକ୍ରୂରେ ମିଳିଲା

ଯୁଝେଷ୍ଠିକି ଦୋଖିଣ ଶିରେଣ କର ନିବେଶିଲା ।୪୯୫।

ଭୀମ ଅରଜୁନନ୍ତ ସେହୁ ଆଲିଙ୍ଗନ ଦେଇ

ନକୁଳ ସହଦେବ ଅକ୍ରୂର ଚରଣେ ନମଇ ।୪୯୬।

ଯୁଝେଷ୍ଠି ଦେବ ବୋଇଲେ ରହ ରହ ବୀର

ପରମ ଭାଗ୍ୟ ହୋ ଆଜ ଦିଶିଲା ଆମ୍ଭର ।୪୯୭।

ମୋତେ ଶଙ୍ଖୋଳିବାକୁ କି ଆସିଅଛ ହାଦେ

ଆବର କି ପଠିଆଇଛନ୍ତି ବାସୁଦେବେ  ।୪୯୮।

ଅକ୍ରୁର ବୋଇଲେ ହୋ ସାବଧାନେ ଶୁଣ

ମୋତେ ପଠିଆଇ ଅଛନ୍ତି ପ୍ରଭୁ ନାରାୟଣ ।୪୯୯।

ଇନ୍ଦ୍ର ଗୋବିନ୍ଦର ଆଜ ହୋଇବ ସମର

ୟେହି କଥା କହି ମୋତେ ପଠିଆଇଲେ ଦାମୋଦର ।୫୦୦।

ଯୁଝେଷ୍ଠି ବୋଇଲେ ଇନ୍ଦ୍ର ଗୋବିନ୍ଦ୍ରର କିମର୍ଥେ ଯେ କଳି

ୟେହା ମୋତେ ସଞ୍ଚପି ହୋ କହିବା ମହାବଳୀ ।୫୦୧।

ଅକ୍ରୂର ବୋଇଲେ ତୁମ୍ଭେ ଶୁଣିମା ସାବଧାନ

ନନ୍ଦନବନକୁ ଯାଇଥିଲେ ଜମ୍ବୁବତୀର ନନ୍ଦନ ।୫୦୨।

କନକ ଚମ୍ଫା ପୁଷ୍ୟ ଆଣିମାକ ସମୟରେ

କନ୍ୟାୟେକ ଆସି ମେଳ ହୋଇଲା ସେଠାରେ ।୫୦୩।

ଶୂରସେନ ଗନ୍ଧର୍ବର ସେ ଅଟଇ ଦୁହିତୀ

ନାମ ଗୋଟି ତାହାର ପୁଣି ଅଟଇ ଶୋଭାବତୀ  ।୫୦୪।

ସେ କନ୍ୟା ବଳେ କୁମରକୁ ଯେ ବରିଲା

ରୂପ ଗୁଣ ଦେଖି ସେ ଯେ ମଦନେ ବଶଗଲା ।୫୦୫।

ଦୁହେଁ ୟେକମନ ତହିଂ ହୋଇଲେକ ଯହୁଂ

କନ୍ୟା ଘେନି କୁମର ଯେ ଅଇଲାକ ତହୁଂ ।୫୦୬।

ବାରତା ପାଇଣ ଗନ୍ଧର୍ବେ ଆସି ଓଗାଳିଲେ

ଘୋର ଯୁଦ୍ଧ କରି କୁମରକୁ ଧରିନେଲେ ।୫୦୭।

ବନ୍ଦୀ ପ୍ରକାଣେ ତହିଂ ଅଛନ୍ତି ରଖାଇ

ସେ ବାରତା ପାଇଣ କୋପ କଲେ ଭାବଗ୍ରାହୀ ।୫୦୮।

ନାରଦେ ଆସି ଯହୁଂ ବାରତା କହିଲେ

ଅନେକ ସନ୍ୟଘେନି ଉଗ୍ରସେନ ଆଗେ ଯେ ଧାଇଂଲେ ।୫୦୯।

ହରି ବଳରାମ ତହିଂ ତାଂକ ପୁତ୍ରମାନନ୍ତ ଘେନି ।

ଯୁଦ୍ଧକୁ ଆଗମନ କରନ୍ତି ଭାଇ ବେନି  ।୫୧୦।

ଗଲେନି ବାହାର ହୋଇ ସମସ୍ତେ ରୁଣ୍ଡହୋଇ

ଆଗ ଥାଠରେ ଉଗ୍ରସେନ ଯେ ଚଳଇ ।୫୧୧।

ପଛ ପଟୋଆରେ ଅଛନ୍ତି ଦେବ ଦାମୋଦରେ

ବାରତା ପାଇଣଂ ତେଣେ ବାହିଲା ବଜ୍ରଧର ।୫୧୨।

ମୋତେ ରାଇ ଆଗ୍ୟାଂ ଦିଲେ ଦେବ ନାରାୟଣ

ବେଗେ ଘେନିଆସ ଯାଇଂ ପାଣ୍ଡବ ପଞ୍ଚାଣ ।୫୧୩।

ସାତକ୍ଷଉଣୀ ବଳ ଘେନି ଆସନ୍ତୁ ବେଗ ହୋଇ

ଆବର ଆସନ୍ତୁ ଦ୍ରିଧୋଧନ ଶତେ ଭାଇ ।୫୧୪।

ବେଗେ ସଜହୁଅ ତୁମ୍ଭେ ଯିବାକ ବହନ

ଘୋର ସାଂଗ୍ରାମ ତେଣେ ହୋଇବନି ଜାଣ ।୫୧୫।

ୟେହା ଶୁଣି ଯୁଝେଷ୍ଠି ଯେ ଡଗରାୟେ ହକରାଇ

ହସ୍ତିନାରୁ ଦ୍ରିଯୋଧନକୁ ଆଣ ବେଗେ ଯାଇଂ  ।୫୧୬।

ବଳରାମଂକର ତାଂକୁ କହିବୁ ଆଦେଶ

ୟେଗାର କ୍ଷଉଣୀ ବଳ ଘେନି ବେଗ ହୋଇ ଆସ ।୫୧୭।

ତକ୍ଷଣେ ଡଗରା ଯାଇଂ ହସ୍ତିନାରେ ମିଳିଲା

ବଳରାମଂକର ଆଦେଶ ବୋଲିଣ କହିଲା  ।୫୧୮।

ୟେଗାର କ୍ଷଉଣୀ ଥାଠ ସନ୍ୟବଳ ଘେନି

ବେଗ ହୋଇ ଆସିବ କହି ଅଛନ୍ତି ହଳପାଣି ।୫୧୯।

ଶୁଣିଣ ଦ୍ରିଯୋଧନ ଯେ ଆନନ୍ଦ ହୋଇଲା

ଆଗହୁଂ ବାରତା ଗୋଟି ସେହୁ ପାଇଥିଲା ।୫୨୦।

ଡଗର କହନ୍ତେ ଭଲ କରି ଜାଣିଲେ

ୟେଗାର କ୍ଷଉଣୀ ବଳ ତକ୍ଷଣେ ସାଜିଲେ  ।୫୨୧।

ଟମକ ନିଶାଣ ଯେ ବାଜେ ବୀର ତୂର

ଶଙ୍ଖ ମହୁରୀ ଭେରୀ ଯେ ବାଜଇ ଧୀର ଧୀର ।୫୨୨।

ଭୀଷ୍ମ ଦ୍ରୋଣ କର୍ଣ୍ଣ ଭୂରିସର୍ବାୟେ ସହିତେ

ଜଦ୍ୟରଥ ଶକୁନି ସଜ ହୋଇଲେ ସମସ୍ତେ ତୁରିତେ ।୫୨୩।

ଜୟେ ଶଙ୍ଖ ବଜାଇଣ ହୋଇଲେ ବାହାର

ସନ୍ୟଂକର ଚାଲନ୍ତେ ଯେ କମ୍ପଇ ମଞ୍ଚପୁର ।୫୨୪।

ମାର ମାର ଧୁନିରେ ଯେ କୁରୁମ ଉଛୁଳିଲା

ୟେହିମତେ ବାରୁଣାବନ୍ତୁଂ ଥାଠ ବାହାରିଲା ।୫୨୫।

ସାତକ୍ଷଉଣୀ ବଳ ଘେନି ପାଣ୍ଡବ ପାଞ୍ଚଭାଇ

ବୀର ତୂର ବଜାଇ ସେ ବାହାର ଯେ ହୋଇ ।୫୨୬।

ଉଦଣ୍ଡ ପାଟଛତ୍ର ଉଡ଼ଇ ନିରନ୍ତର

ମୁଖରାବ ଶବଦରେ ପୃଥିବୀ ଦଲ ଦଲ ।୫୨୭।

ଜୟମଙ୍ଗଳ ଅନକୂଳେ ବାହାର ହୋଇଲେ

ଯେ ଯାହାର ମତେ ଯେ ସର୍ବ ସଇନି ଧାଇଂଲେ ।୫୨୮।

ବାଉ ବେଗେ ରଥ ଚଳାଇଣ ଯାଇଂ

ବାଟରେ ଭେଟିଲେ ଯାଇଂ କମଳାର ସାଇଂ ।୫୨୯।

ଯୁଝେଷ୍ଠିଂକି ଦେଖିଣ ଯେ ଦେବ ନାରାୟଣ

ନମସ୍କାର କଲେ ଯାଇଂ ତାହାଂକ ଚରଣ ।୫୩୦।

ଭୀମ ଅରଜୁନ ମୂଳେ ଯେ ଚାରିଭାଇ

ଗୋବିନ୍ଦଂକ ପାଦତଳେ ପ୍ରଳମ୍ବିଲେ ଯାଇଂ ।୫୩୧।

କରପତ୍ର ଯୋଡ଼ିଣ ସେ ଉଭା ହୋଇ ରହିଲେ

ଆଶ୍ୱାସିଣ ଗୋବିନ୍ଦ ଯେ କୋଳାଗ୍ରତ କଲେ ।୫୩୨।

ଯୁଝେଷ୍ଠି ବୋଇଲେ ହୋ କିସ ୟେ ଚରିତ

କିମ୍ପାଇଂ ୟେଡେ ଦ୍ୱନ୍ଦ କଲେ ପୁରୁହୁତ ।୫୩୩।

ଦ୍ରିଯୋଧନ ଯାଇଂ ବଳରାମଂକ ଛାମୁରେ ମିଳଇ

ବଳରାମେ କହନ୍ତି ତୁ ଶୁଣହୋ କୁରୁସାଇଂ ।୫୩୪।

ଇନ୍ଦ୍ରର ଚରିତ ତୁମ୍ଭେ ଶୁଣିଲଟି ସର୍ବ

ନିରନ୍ତରେ ମୋହୋର ସଙ୍ଗେ ଆରମ୍ଭିଛି ବାଦ ।୫୩୫।

ଆଜ ବଂଶ ତାର ମୁଂ ଯେ ନ ଥୋଇବି କାହିଂ

ଦେବ ଦାନବରେ ତାରେ ରଖନ୍ତା କେ ନାହିଂ ।୫୩୬।

ଦ୍ରିଯୋଧନ ଶୁଣିଣ ଯେ ବଡ଼ କୋପକଲା

ଗଦାବର ବୁଲାଇଣ ଝମକାଇଣ ଉଠିଲା ।୫୩୭।

ଯୁଝେଷ୍ଠି ନାରାୟଣେ କରନ୍ତି ବିଚାର

ଆକାଶରେ ତୁନ୍ଦୁଭି ଶବଦ ଶୁଭେ ବିକଟାଳ ।୫୩୮।

ମାର ମାର ଶବଦରେ କୁରୁମ ଚମକଇ

ଯେ ଯାହାର ଶସ୍ର କରେ ଘେନି କରି ଧାଇଂ ।୫୩୯।

ଆଗଭର ଥାଠରେ ଯେ ଯଦୁବଳ ଥିଲେ

ଉଚ୍ଚବାଚ କରିଣ ସେଠାରେ କଳି ଭିଆଇଲେ ।୫୪୦।

ଯେ ଯାହାର ଶସ୍ର କରେ ଘେନି ହେଲେ ମରା ମରି

ଅଙ୍ଗେ ନ ବାଜୁଂ ଯେ ତାହା ଆଗହୁଂ ନିବାରି ।୫୪୧।

ତୀକ୍ଷ ଲାଭ ଶକତି କୋନ୍ତ ଯେ ନିଠାଇ ମାରନ୍ତି

ଶହସ୍ର ପଡ଼ିତାଳେ ଯେ ଅଗ୍ନି ଝଲକନ୍ତି  ।୫୪୨।

ଦେବ ମାନବେ ଯେ ତହିଂ ୟେକମୁଖ ହୋଇ

ଅନେକ ଘୋର ସାଂଗ୍ରାମ କଲେକ ତୁହାଇ ।୫୪୩।

ଦେବତାଂକ ଶହସ୍ର ବାଜଇ ମାନବଂକ ଅଙ୍ଗରେ

ବାଜନ୍ତେ ରୁଧିର ଦେହୁ ବହଇ ଖଳ ଖଳେ ।୫୪୪।

ରକତରେ କର୍ଦ୍ଦନ ତହିଂ ହୋଇଲ ମହୀଆଳି

କୁଢ କୁଢ଼ ହୋଇଣ ଯେ ଯଦୁବଳେ ପଡ଼ି ।୫୪୫।

ଦେଖିଣ ଉଗ୍ରସେନ ଯେ ମହାକୋପ କଲା

ବାଉ ବେଗେ ରଥ ଯେ ଚଳାଇ ଧାଇଂଲା ।୫୪୬।

ଉଗ୍ରସେନର ଧାଇଂବା ଦେଖିଣ ଚିତ୍ରସେନ

ଧାଇଂ ଆସି ଆଗେ ଉଗାଳିଲାକ ବହନ ।୫୪୭।

ଚିତ୍ରସେନ ସଙ୍ଗତରେ ବହୁତ ସଇନ ଥିଲେ

ଅନେକ ନାରାଜ ଉଗ୍ରସେନକୁ ବିନ୍ଧିଲେ ।୫୪୮।

ଅଙ୍ଗରେ ବାଜନ୍ତେଣ ରାଜା ବହୁ କୋପକଲା

ମନ୍ତ୍ରିଣ ନାରାଜ ଯେ ଅନେକ ବିନ୍ଧିଲା ।୫୪୯।

ଦେବଗଣଂକର ଅଙ୍ଗେ ବାଣ ବାଜିଲାକ ଯାଇଂ

କୁଢ କୁଢ ହୋଇଣ ଦେବେ ପଡ଼ିଲେକ ଶୋଇ ।୫୫୦।

ୟେମନ୍ତେଣ ପ୍ରହରେକ ହୋଇଲା ସମର

ରକତ ନଦୀ ଗୋଟାୟେ ବହିଲା ସେଠାର ।୫୫୧।

ଚିତ୍ରସେନ ବେଗ କରି ନାରାଜ ବିନ୍ଧଇ

ତାହାସବୁ ଉଗ୍ରସେନ ବେଗେଣ ଛେଦଇ ।୫୫୨।

ଚିତ୍ରସେନ ଉଗ୍ରସେନ ଅନେକ ଯୁଦ୍ଧ କଲେ

ଦୁଇ ମହାଛତ୍ରୀ କେହି କାହାକଇ ଜିଣନ୍ତା ନୋହିଲେ ।୫୫୩।

କୋପଣ ତୀକ୍ଷ ଯେ ପେଷିଲା ଉଗ୍ରସେନ

ଚିତ୍ରସେନ ଅଙ୍ଗେ ଯାଇ ବାଜିଲା ତତକ୍ଷଣ ।୫୫୪।

ନାରାଜ ପଡ଼ନ୍ତେ ଚିତ୍ରସେନ ଘୁମାଇଲା

ମୋହଗତ ହୋଇଣ ସେ ଭୂମିରେ ପଡ଼ିଲା ।୫୫୫।

ଚିତ୍ରସେନ ପଡ଼ିବାର ଦେଖିଣ ଉଗ୍ରସେନ

କୋପେଣ ନାରଜ ପେଷି ସେହୁ ବିନ୍ଧିଲେ ବହନ ।୫୫୬।

ଅଗ୍ନିକଣିକା ଜାଣିଣ ପଡ଼ଇ ଯେହ୍ନେ ଶର

ପ୍ରଳୟ ଅଗ୍ନି କି ଜିଳିଲା ସେଠାବର  ।୫୫୭।

ଶୂରସେନ ନାରାଜ ତହିଂ ଅନେକ ବିନ୍ଧିଲା

ଉଗ୍ରସେନ ଅଙ୍ଗରେ ଯେ ନାରାଜ ବିଦାରିଲା ।୫୫୮।

ନାରାଜ ପଡ଼ନ୍ତେ ଯେ ରୁଧିର ଗଳଇ

ତାହା ଦେଖି ଉଗ୍ରସେନ ବଡ଼ କୋପ କରଇ ।୫୫୯।

କୋପଭରେ କୁନ୍ତ ନାରାଜ ଗୋଟାୟେ ବିନ୍ଧିଲା

ଶୂରସେନ ଉପରକୁ ନିଠାଇ ମାଇଲା ।୫୬୦।

ନାରାଜ ପଡ଼ନ୍ତେ ଶୂରସେନ ଗନ୍ଧର୍ବ ମୋହଯାଇ

ରଥର ଉପରେ ଗ୍ୟାନ ହାରିଣ ଶୁଅଇ ।୫୬୧।

ଶୂରସେନ ପଡ଼ିବାର ଦେଖିଲା ଅଙ୍ଗାରପନ୍ନଙ୍ଗ

ରଥ ଧୁଆଂଇ ମିଳିଲା ଉଗ୍ରସେନ ଆଗ ।୫୬୨।

ତୀକ୍ଷ ନାରାଜ ସେହୁ ବସାଇ ଗୁଣରେ

ଉଗ୍ରସେନ ଉପରକୁ ବିନ୍ଧିଲାକ ଖରେ ।୫୬୩।

ଗର୍ଜିଣ ଆସଇ ଶର କରି ମହାତେଜ

ଦୂରରୁ ଛେଦିଲା ତାହା ଉଗ୍ରସେନ ରାଜ ।୫୬୪।

ତାହା ଦେଖି କୋପକଲା ଅଙ୍ଗାରପନ୍ନଙ୍ଗ

ପଞ୍ଚଧାରା ଶକତି ସେ ମାଇଲାକ ବେଗ ।୫୬୫।

ଶବଦ ଶୁଭିଲା ଯେହ୍ନେ ମେଘ ଘଡ଼ଘଡ଼ି

ବଜ୍ରସମ ଜାଣି ଉଗ୍ରସେନ ଦେହେ ପଡ଼ି ।୫୬୬।

ହତଗ୍ୟାଂନ ହୋଇଣ ପଡ଼ିଲା ମହାରାୟେ

ଶରୀରେ ଚେତନା ନାହିଂ ପଡ଼ିଲାକ ମୋହେ ।୫୬୭।

ଉଗ୍ରସେନକୁ ମାରିଣ ଅଙ୍ଗାରପନ୍ନଙ୍ଗ

ମନରେ ବହୁତ ସେ କରଇ ବଇରାଗ ।୫୬୮।

ବୋଇଲା ମାନେବାଂକର ୟେତେକ ଭରସା

ଦେବତାଂକ ସଙ୍ଗେ ଯୁଝିବାକୁ ବଳାଇଲେ ମନୀଷା ।୫୬୯।

ୟେତେକ ବିଚାରିଣ ସେ କୋପେ ଥରହର

ରଥ ଚମକାଇଣ ସେ ଆସେ ଖରତର ।୫୭୦।

ଛାମୁରେ ଯେତେକ ଯେ ପଡ଼ିଲେ ସଇନବଳ

ମାରି ପଦାକଲେ ତାହା ବାସବର ବାଳ ।୫୭୧।

ଉଦ୍ଧବ ଅକ୍ରୂର ଯେ ସାତୁକି ସହିତେ

ଘୋର ସାଂଗ୍ରାମ କର ପଡ଼ିଲେ ସମସ୍ତେ ।୫୭୨।

ୟେହାଂକର ପଡ଼ିବାର ଦେଖିଣ ବଳରାମ

କ୍ରୋଧଭରେ ମୁଖ ସେ ଯେ କଲେ ତମ ତମ ।୫୭୩।

ହଳ ଲଙ୍ଗଳ ସେହୁ ଯେ ବୁଲାଇ ବାମକରେ

କରମୋଦକୀ ଗଦା ଧରିଛନ୍ତି ଦକ୍ଷିଣ ଭୁଜରେ ।୫୭୪।

କୋପଭରେ ଆପଣେ ଧାଇଂଲେକ ବେଗେ

ଅଙ୍ଗାରପନ୍ନଙ୍ଗକୁ ସେ ଓଗାଳିଲେ ଆଗେ ।୫୭୫।

ଦୁହେଂ ମହାଛତ୍ରୀ ସମରେ ନୋହନ୍ତି ନା ଓଛ

ଅନେକ ଶହସ୍ର ବିନ୍ଧିଲେ ଇନ୍ଦ୍ରରାୟେ ବଚ୍ଛ ।୫୭୬।

ଲଙ୍ଗଳ ପାତିଣ ତାହା ବଳରାମେ ସମ୍ଭାଳିଲେ

ମୂଷଳ ବୁଲାଇ କୋପଭରେଣ ପିଟିଲେ ।୫୭୭।

ମୂଷଳ ବାଜନ୍ତେ ଅଙ୍ଗାରପନ୍ନଙ୍ଗ ଘୁମାଇଲା

ରଥର ଉପରୁ ସେ ଭୂମିରେ ପଡ଼ିଲା ।୫୭୮।

ସାରଥୀ ନେଇଣ ତାକୁ ରଥରେ ବସାଇଲା

ପଛକୁ ରଥ ଲେଉଟାଇଣ ବାହିଲା ।୫୭୯।

ଅଙ୍ଗାରପନ୍ନଙ୍ଗ ପଡ଼ିବା ଦେଖି ଆଉ ଗନ୍ଧର୍ବ ମାନେ

ବଳରାମଂକୁ ଆସି ଓଗାଳିଲେ ବହନେ ।୫୮୦।

ଅନେକ ଘୋର ଯୁଦ୍ଧ ସେଠାରେ ହୋଇଲା

ରକତ ନଦୀ ଗୋଟାୟେ ଆକାଶରେ ବହିଲା ।୫୮୧।

ବଳରାମେ କୋପଭରେ ହୋଇଲେ ଥରହର

ଲଙ୍ଗଳ ବୁଲାଇ ପିଟିଲେ ଗନ୍ଧର୍ବଂକ ଉପର ।୫୮୨।

ଲଙ୍ଗଳର ଘାୟେ ଅନେକ ଗନ୍ଧର୍ବ ପଡ଼ିଲେ

ଯଦୁବଂଶ ସଇନ ଅନେକ କ୍ଷୟେ ଗଲେ ।୫୮୩।

ମଡ଼ା ଉପରେ ମଡ଼ା କୁଢ କୁଢ଼ ହୋଇ

ଚଉଦିଗୁଂ କେତେ ପଡ଼ିଲେ କଳଣା ନ ଯାଇ  ।୫୮୪।

ଯଦୁବଂଶ ସଇନି ଯେତେକ ଆସିଥିଲେ

ଗନ୍ଧର୍ବଂକ ହାଥେ ସମସ୍ତେ ନାଶ ଗଲେ ।୫୮୫।

ବଳରାମେ ଯହୁଂ ତହିଂ ଯୁଦ୍ଧ କଲେ

ଅନେକ ଗନ୍ଧର୍ବ ବଳ ବିନାଶ ହୋଇଲେ ।୫୮୬।

ଗନ୍ଧର୍ବଂକ ମୃତୁ ତହିଂ ଦେଖିଣ ସୁରପତି

ଅଇରାବ୍ରତ ଚଢିଣ ଧାମଇ ତଡ଼ତି ।୫୮୭।

ବଳରାମଂକ ଛାମୁରେ ପଡ଼ିଲାକ ଭେଟ

ଯେକକୁ ଆରେକ ଯେ ହୋଇଣ ମୁରାଟ ।୫୮୮।

ଉଚ୍ଚବାଚ ହୋଇଣ ଯେ କଳି ଆରମ୍ଭିଲେ

ରଥର ଉପରେ ବଳରାମେ ହଳ ମୁଷଳ ଥୋଇଲେ।୫୮୯।

ଆପଣେ ଧନୁ କମାୟେଣ ହାଥରେ ଧଇଲେ

ଅନେକ ନାରାଜ ସେହୁ ମନ୍ତ୍ରିଣ ମାଇଲେ ।୫୯୦।

ଇନ୍ଦ୍ରର ଉପରେ ଯାଇଂ ପଡ଼ିଲାକ ନାରାଜ

କୋପଭରେ ତନୁ ଯେ କମ୍ଫାଇ ସୁର୍ରରାଜ ।୫୯୧।

ଅଚାର୍ଗଳ ନାରାଜ ଇନ୍ଦ୍ର ଗୁଣରେ ବସାଇ

ବଳରାମଂକ ଉପରକୁ ବିନ୍ଧିଲା କୋପବହି ।୩୯୨।

ନାରାଜ ବାୟୁ ବେଗେ ଯାଇଂ ବଳରାମଂକ ଅଙ୍ଗେଣ ପଡ଼ିଲା

ମେରୁ ଯେହ୍ନେ ଗଙ୍ଗା ବହଇ ତେହ୍ନେ ରୁଧିର ବହିଲା ।୫୯୩।

ବଳରାମଂକ ସଙ୍ଗେ ଇନ୍ଦ୍ର କରଇ ସମର

ଖଣ୍ଡେ ଦୂରୁଂ ଦେଖିଲେ ତା କୃଷ୍ଣଂକ କୁମର ।୫୯୪।

ଯେ ଯାହାର ବାହାନ ସେ ଚଢିଣ ଧାଇଂଲେ

ଶତେପୁର କରି ସେହୁ ଇନ୍ଦ୍ରଂକୁ ବେଢିଲେ ।୫୯୫।

ଯେସନେକେ ଚନ୍ଦ୍ରମାକୁ ଘୋଟଇ ପୁଣ ରାହୁ

ତେସନେକ ପ୍ରକାରେ ଘୋଟିଲେ ଚାହୁଂ ଚାହୁଂ ।୫୯୬।

ୟେମନ୍ତେ ଅପାରବେଳ ଯେ ହୋଇଲା ସମର

ନାରାଜ ବୃଷ୍ଟି ଯେହ୍ନେ ଶ୍ରାବଣ ଜଳଧାର ।୫୯୭।

ଇନ୍ଦ୍ରରାୟେ ଯେତେକ ନାରାଜ ବିନ୍ଧିଲେ

କୃଷ୍ଣର କୁମରେ ତାହା ଦୂରହୁଂ ନିବାରିଲେ ।୫୯୮।

କୃଷ୍ଣ କୁମରେ ଯେ ବିନ୍ଧନ୍ତି ନାରାଜ

ପବନାଶରେ ଉଡ଼ାଇ ଦିଅଇ ସୁରରାଜ ।୫୯୯।

ୟେମନ୍ତେ ଅନେକ ଘୋର ସାଂଗ୍ରାମ ଯେ କଲେ

ଇନ୍ଦ୍ରରେ କୁମରେ ତହିଂ ଜିଣି ନୁଆରିଲେ ।୬୦୦।

ବଳରାମେ ତେଣେ ଗନ୍ଧର୍ବଂକ ସଙ୍ଗେ କରନ୍ତି ସମର

ତାହାଂକ ସଙ୍ଗେ ଥାଇ ଯୁଝଇ ଗାନ୍ଧାରୀ କୁମର ।୬୦୧।

ଅନେଶତ ଭାଇଂକି ସେ ସଙ୍ଗତରେ ଘେନି

ମାନଗୋବିନ୍ଦ ରାଜା ତହିଂ ଯୁଝୁଥାଇ ପରିମାଣି ।୬୦୨।

ୟେଗାର କ୍ଷଉଣୀ ବଳ ଅଛି ସଙ୍ଗତର

ବେଳୁଂବେଳ ସମର ତହିଂ ହୋଇଲା ଅପାର ।୬୦୩।

କୃଷ୍ଣର କୁମର ତହିଂ ଯେତେ ଯୁଝୁଥିଲେ

ଇନ୍ଦ୍ରଂକର ଶରଘାତେ ସମସ୍ତେ ନାଶ ଗଲେ ।୬୦୪।

କୁଢ କୁଢ ହୋଇଣ ସେ ପଡ଼ିଲେ ଭୂମିର

ଦେବ ମାନବେ ୟେ କଥା କହିତେ ଅଗୋଚର ।୬୦୫।

ଶ୍ରୀକୃଷ୍ଣଂକର କୁମରକୁ ମାରିଣ ସସ୍ରଯୋନି

ବଳରାମଙ୍କ ସନ୍ନିଧେ ସେ ମିଳିଲାକ ପୁଣି ।୬୦୬।

ଅଇରାବ୍ରତ ହାଥୀକି ସେ ଚମକାର ଦେଇ

ଦେଖିଲା ମାନଗୋବିନ୍ଦ ଯୁଝଇ ପରିଘାଇ ।୬୦୭।

ବଳରାମଂକର ସେହୁ ସାହାବଳ ଘେନି

ଗନ୍ଧର୍କ ବଳ ସହିତେ ସେ ଯୁଝଇ ପାରିମାଣି ।୬୦୮।

ଅଇରାବ୍ରତ ପରେ ଥାଇଂ ଚାହିଂଲା ସୁରପତି

ଦେଖିଲା ମାନଗୋବିନ୍ଦର ସେହୁ ଦୁଷ୍ଟମତି ।୬୦୯।

ବୋଇଲା ମାନବା ତୁ ରେ ଅନ୍ଧରାୟେର ସୁତ

ଗୋଳକୁଣ୍ଡା ତୁମ୍ଭେରେ ଅଟ ଜାରଜାତ  ।୬୧୦।

ମଞ୍ଚର ମାନବା ତୁ ରେ ଯୁଝୁ ଆମ୍ଭ ତୁଲେ

ବଜ୍ର ମାରି ଆଜ ଶିର ଛେଦିବଇଂ ଭଲେ ।୬୧୧।

ୟେତେ ବୋଲି ଅଇରାବ୍ରତକୁ ସେ ଚମକାଇ ଦିଲା

ମାନଗୋବିନ୍ଦ ଉପରେ ଆଣି ବଜ୍ର ପ୍ରହାରିଲା ।୬୧୨।

ବଜ୍ର ପଡ଼ନ୍ତେଣ ମାନଗୋବିନ୍ତ ଘୁମାଇ

ଭୂମିଗତେ ପଡ଼ିଣ ଯେ ସେହୁ ମୋହ ଯାଇ ।୬୧୩।

ମାନଗୋବିନ୍ଦର ପଡ଼ିବା ଦେଖି ଅନେଶ୍ୱତ ଭାଇ

ଯେ ଯାହାର ଶସ୍ର ଘେନି ଇନ୍ଦ୍ରକୁ ବେଢିଲେକ ଯାଇ ।୬୧୪।

ତୁହାଇଣ ବାଣ ଯେ ବିନ୍ଧନ୍ତି କୋପଭରେ

ଅନେଶ୍ୱତ ଶର ଯାଇଂ ପଡ଼ିଲା ଇନ୍ଦ୍ରର ଉପରେ ।୬୧୫।

ଶର ପଡ଼ନ୍ତେଣ ତହିଂ ଇନ୍ଦ୍ର କୋପ କଲା

ଶତେକ ବଜ୍ର ଧରି ୟେକାବେଳକେ ପ୍ରହାରିଲା ।୬୧୬।

ବ୍ରଜ୍ର ପଡ଼ନ୍ତେଣ ତହିଂ ଅନ୍ଧର ତନୟେ

ମୋହରେ ପଡ଼ିଲେ ସେ ଯେ ଭୂମିରେଣ ଶୋୟେ ।୬୧୮।

ଅନେଶ୍ୱତ ଭାଇ ଘେନି ମାନଗୋବିନ୍ଦ ପଡ଼ିଲା

ତାହା ଦେଖି ବଳରାମଂକର ଶରୀର କମ୍ଫିଲା ।୬୧୯।

ହଳ ମୂଷକ ବୁଲାଇ ବାହାର ହଳପାଣି

ବୋଇଲେ ଶକ୍ରରାୟେ ଜୀବନ ହାରିବୁ ୟେହିକ୍ଷଣି ।୬୨୦।

କୋପେଣ ମୂଷଳ ନେଇ ପ୍ରହାରିଲେ ଯହୁଂ

ଶକ୍ରରାୟେର ଅଙ୍ଗରେ ବାଜିଲାକ ତହୁଂ ।୬୨୧।

ଅଇରାବ୍ରତର ଉପରେ ଘୁମାଇଲା ସୁରପତି

ମୋହ ଯାଇଣ ସେହୁ ଯେ ପଡ଼ିଲା ତଡ଼ତି ।୬୨୨।

ଇନ୍ଦ୍ରର ପଡ଼ନ୍ତେ ଯେ ଗନ୍ଧର୍ବ ବଳ ଧାଇଂ

ଆବର ଯମ ବରୁଣ କୁବେର କୋପଭର ହୋଇ ।୬୨୩।

ସମସ୍ତେ ହୋଇଣ ବଳରାମଂକୁ ବେଢିଲେ

ଅନେକ ଘୋରଯୁଦ୍ଧ ଯେ ସେଠାବରେ କଲେ  ।୬୨୪।

ଶୁଣ ଆହୋ ମନୁରାୟେ ବଦନ୍ତି ଅଗସ୍ତି

ୟେକମନେ ଶୁଣ ତୁ ହୋ ମଧ୍ୟପର୍ବ ରୀତି ।୬୨୫।

ଅନେକ ସନ୍ୟ ବଳରାମଂକୁ ବେଢିଲେ

ଯେ ଯାହାର ଶହସ୍ର ଧରି ମରାମରି ହୋଇଲେ ।୬୨୬।

ଗନ୍ଧର୍ବଂକ ଶର ବଳରାମେ ନ ସହଇ

ଗନ୍ଧର୍ବଂକ ଉପରେ କଉମୋଦକୀ ଗଦା ପ୍ରହାରିଲେ ନେଇ ।୬୨୭।

ବଳରାମଂକ ଗଦାଘାତେ ଗନ୍ଧର୍ବେ ପଡ଼ିଲେ

ତାହା ଦେଖିଣ ତହୁଂ ଯମ ବରୁଣ ଧାଇଂଲେ ।୬୨୮।

ବଳରାମଂକ ସଙ୍ଗତରେ ଘୋରଯୁଦ୍ଧ କରି

ଯମଫାଶ ଜଳଫାଶ ବଳରାମଂକୁ ପ୍ରହାରି ।୬୨୯।

ସେ ଫାଶ ଛିନାଇଲେ ରେବତୀରମଣ

ହଳମୂଷକ ଘେନିଣ ମାଇଲେ ଆପଣ ।୬୩୦।

କୋପେ ଯମର ଉପରେ ପ୍ରହାରିଲେ ନେଇ

ହଳ ବାଜନ୍ତେଣ ଯମ ପଡ଼ିଲା ଘୁମାଇ  ।୬୩୧।

ଯମ ପଡ଼ନ୍ତେଣ ତହୁଂ ବରୁଣ ଧାଇଂଲା

ବଳରାମମଂଙ୍କ ଅଙ୍ଗେ କୋନ୍ତ ପ୍ରହାରିଲା ।୬୩୨।

କୋନ୍ତ ସହି ବଳରାମେ ପୁଣ ଯେ ଧାଇଂଲେ

ବରୁଣର ଅଙ୍ଗେ ଶୂଳ ନେଇଣ ପ୍ରହାରିଲେ  ।୬୩୩।

ଶୂଳର ଘାୟେ ତହିଂ ବରୁଣ ପଡ଼ିଲା

ଖଣ୍ଡେ ଦୂରେ ଥାଇଂ ତାହା ଈଶ୍ୱରେ ଦେଖିଲା ।୬୩୪।

ବୃଷଭ ଧୂଆଂଇଣ ତହିଂ ଅଇଲେ ଶୂଳଧର

ବଳରାମଂକୁ ଆସି ୟେ ଓଗାଳିରେ ଆଗର ।୬୩୫।

ଈଶ୍ୱରେ ବଳରାମେ ଯହୁଂ ହୋଇଲେକ ଭେଟ

ଦୁଂହେ ମହାଛତ୍ରୀ ତହିଂ ହୋଇଲେ ମୁରାଟ ।୬୩୬।

ଈଶ୍ୱରେ ବୋଇଲେ ତୁ ଶୁଣ ରେ ଗଉଡ଼

ବେଳ ବେଳକେ ତୁମ୍ଭେ ରେ ଅଟ ରତିଚୋର ।୬୩୭।

ଲାଜ ସଂକୋଚ ରେ ତୁମ୍ଭନ୍ତ ନ ମାଡ଼ଇ

ବଳେ ବଳେ କନ୍ୟାମାନ ତୁମ୍ଭେ ନିଅ ରେ ଚୋରାଇ।୬୩୮।

ମଞ୍ଚରାଜା ଝିଅ ପ୍ରାୟେକି ମଣିଲ ୟେଠାର

ୟେ ଶୋଭାବତୀ କନ୍ୟାରେ ତୁମ୍ଭର ସରିବ ବେଭାର ।୬୩୯।

ଆଜ ପ୍ରାଣ ଘେନି ରେ ନ ଯିବ ବେନିଭାଇ

ଆଜ ସମରେ ସବୁକୁହିଂ ମୁଂ ବିନାଶ କରିବଇଂ  ।୬୪୦।

ଈଶ୍ୱରଂକ ମୁଖରୁ ୟେସନେକ ବାଣୀ ଶୁଣି

କୋପଭର ହୋଇ ତହିଂ ବୋଲନ୍ତି ହଳପାଣି ।୬୪୧।

ତୁମ୍ଭେ ପରିଘାଇ ଅଛ ଇନ୍ଦ୍ରର ନିମନ୍ତେ

ନୀଳେନ୍ଦୀ ହରଣ କଥା ପାସୋରିଲ କି ବିଶ୍ୱନାଥେ ।୬୪୨।

ତହିଂରେ ଯେତେକ ପାଇଅଛୁ ଶାସ୍ତି

ତାହା ୟେତେ ବହନ ପାସୋରିଲ ଶୂଳପତି ।୬୪୩।

ବେଳେ ବେଳେ ଆମ୍ଭର ସଙ୍ଗେ ତୁମ୍ଭେ କର ଖଡ଼ିଆଳୀ

ଇନ୍ଦ୍ରର ନିମନ୍ତେ ତୁମ୍ଭେ ଆସିଅଛ ପହିଜ ଯେ କରି ।୬୪୪।

ଆଜ ଜାଣିମା ଇନ୍ଦ୍ରକୁ ପାରିବ ଯେବେ ରଖି

ତେବେ ସେ ଜାଣିମା ତୁମ୍ଭର ଗାରିମା ଉପଲେଖି ।୬୪୫।

ବଳରାମଂକର ମୁଖୁ ୟେସନେକ ଶୁଣି

କୋପେଣ କମ୍ପନ୍ତି ତହିଂ ମୃଗଧରପାଣି ।୬୪୬।

କୋପେଣ ଈଶ୍ୱର ଯେ କମ୍ପନ୍ତି ଥରହର

ବୃଷଭ ଉପରେ ଥାଇଂ ଦିଅନ୍ତି ଉତ୍ତର ।୬୪୭।

ବୋଳନ୍ତି ଗଉଡ଼ ତୁମ୍ଭେ ବଡ଼ାଇ ସିହାଣ

ଦୁଧ ଭାରମାନ ବହିଣ ଯେ କରୁଥାଅ ଟାଣ ।୬୪୮।

ଗୋପପୁରେ ଥାଇଂ ତୁମ୍ଭେ ଯେତେ ଯେତେ କୃତ୍ୟ କଲ

ଗଉରୋବୀ ମାନିତୀ ଗୋପାଳୁଣୀଂକୁ ବନୟେ ହରିଲ ।୬୪୯।

ବେଣୁ ସ୍ୱନେ ତୁମ୍ଭେ ରେ ମୋହିଲ ଗୋପସ୍ତିରୀ

ବଳେ ଗୋପ କନ୍ୟାମାନ ହରଇ ଚକ୍ରଧାରୀ ।୬୫୦।

ଷଣ୍ଢା କଚାଡ଼ିଲ ରେ ପୂତନୀ ବିଧଂସିଲ

ବଳେ ଯାଇ ଭୀଷ୍ମେକ ରାଜା ଦୋହିତୀକି ବିଭା ହେଲ ।୬୫୧।

ଲକ୍ଷେ ରାଜାନ୍ତ ତହିଂ କରାଇଲୁ ଲାଜ

ବେଳେ ବେଳେ ଅନ୍ୟାୟ ତୁ କରୁ ଦେବରାଜ ।୬୫୨।

ପୁତ୍ର ତୋର ପଦ୍ମନ କୃତକେଶୀ ରାଜ୍ୟକୁ ଗଲା

ମେଢରେ ପଶି ତାର ଦୋହିତା ହରିଲା ।୬୫୩।

ସୁରେଖା କନ୍ୟାକୁ ବଳେ ଆଣୁଥିଲା ହରି

ତହିଂ ଯେତେ ଶାସ୍ତି ପାଇଛ ନ ଜାଣ କି ହଳଧାରୀ ।୬୫୪।

ବେଳେ ବେଳେ ତୁମ୍ଭେ ରେ ଅନ୍ୟାୟ ପୁଣ କର

ୟେବେ ତୁମ୍ଭେ ମୋତେ ନିନ୍ଦା କଲ ହୋ ହଳଧର ।୬୫୫।

ଆବର କଥାୟେ ତୋତେ କହଇ ହଳପାଣି

ୟେତେକ କଥା ତୁମ୍ଭେ ପାସୋରିଲ କି ପୁଣି ।୬୫୬।

ଅନେକ ପ୍ରକାରେ ଯେ ଈଶ୍ୱରେ ଗାଳି ଦିଲେ

ଶୁଣିଣ ବଳରାମେ ଯେ କୋପେଣ ଧାଇଂଲେ ।୬୫୭।

ବୋଲନ୍ତି ଜଟିଆ ଆରେ କହୁଂ ତୋହୋର ଆଗେ

ତୋହୋର ଅକୀର୍ତ୍ତି ପାସୋରିଲୁ ୟେତେ ବେଗେ ।୬୫୮।

ବ୍ରହ୍ମ ହତ୍ୟା କଲୁ ତୁ ତାହା କି ପାସୋରିଲୁ

ଆବର ଗୋହତ୍ୟା ତୁ ଗୋଟାୟେ ଅରଜିଲୁ ।୬୫୯।

ମାତା ହରଣ ତୁ ହୋ କରିଅଛୁ ହାଦେ

ଅଲଙ୍ଘିତ ପାପ ତୁହି କରିଅଛୁ ସଦାନନ୍ଦେ ।୬୬୦।

ଆପଣାର ଅଙ୍ଗରେ ଯେ ଅର୍ଜିଲା ପାପ ଥାଇଂ

ପର ଅକୀର୍ତ୍ତି ଗୁଣ ବାଛିତେ ନ ଯୋଗାଇ ।୬୬୧।

କହୁଂ କହୁଂ ଦୁହେଂ ଯେ ହେଲେ କୋପଭର

ମରା ମରି ହେଲେ ତହିଂ ଅନେକ ଶହସ୍ର ।୬୬୨।

ଦୁହେଂ ମହାମେରୁ ସେହୁ ପୃଥୀକି ଧାରଣ

ପାଦଘାତେ ବସୁଧା କମ୍ପଇଂ ଯେ ପୁଣ ।୬୬୩।

ଅନେକ ଘୋର ସାଂଗ୍ରାମ ସେହୁ ଆରମ୍ଭିଲେ

କେହି କାହାକୁ ଯେ ତହିଂ ସମରେ ନ ଘୁଞ୍ଚିଲେ ।୬୬୪।

ଦୁହିଂକର ସମର ଯେ ଅନେକ ହୋଇଲା

ସପତଦୀପା ମହୀ ଦଲଦଲିତ କମ୍ପିଲା ।୬୬୫।

ଶୁଣ ହୋ ମନୁରାୟେ ଅଗସ୍ତି କହନ୍ତି

ୟେକମନେ ଶୁଣ ତୁ ହୋ ଶୋଭାବତୀ ହରଣର ରୀତି ।୬୬୬।

ହରି ବଳରାମ ଦୁହେଂ କରୁଛନ୍ତି ରଣ

ଶ୍ରୀକୃଷ୍ଣର ସଙ୍ଗେ ଯୁଝନ୍ତି ଯେ ଶିବଗଣ ।୬୬୭।

ନାରାୟଣ ଚକ୍ରରେ ଅନେକ ଶିବଗଣ ଯେ ପଡ଼ିଲେ

ଗରୁଡ଼ ଗର୍ଜନ୍ତେ ଶିବଗଣେ ଯେ ଘୁଞ୍ଚିଲେ ।୬୬୮।

ୟେମନ୍ତେ ପୃଥିବୀ ଦିଶିଲା ଅନ୍ଧକାରମୟେ

କେବଣ ଶହସ୍ର ଦିଶିଲା ଝଟକ ବିଜୁଳି ପରାୟେ  ।୬୬୯।

ଦେବଗଣ ମାନେ ଯେ ପଳାଇଲେ ତତକ୍ଷଣେ

ନମସ୍କାର କଲେ ଯାଇଂ ବ୍ରହ୍ମାଂକ ଚରଣେ ।୬୭୦।

ସାବଧାନ ହୋଇ ଶୁଣ ଆହେ କୁଶଧର

ସ୍ୱର୍ଗପୁର ନିଚେ ନାଶ ଗଲାଟି ୟେଥର ।୬୭୧।

ଶୂରସେନ ଗନ୍ଧର୍ବର ଦୋହିତା ଶୋଭାବତୀ

ତାହାର ସକାଶେ ନାଶଗଲା ସୁରପତି ।୬୭୨।

କୃଷ୍ଣର କୁମର ତା ଚୋରାଇ ଘେନିଥିଲା

ବାରତା ପାଇଣ ଇନ୍ଦ୍ର ତାହାକଇଂ ଧରାଇ ଆଣିଲା ।୬୭୩।

ସେ ବାରତା ପାଇଣ ଯେ ରାମକୃଷ୍ଣେ ଅଇଲେ

ଅନେକ ଘୋର ଯୁଦ୍ଧ ସ୍ୱର୍ଗପୁରେ କଲେ ।୬୭୪।

ସାତବଂଶ ଯାଦବ ଉଗ୍ରସେନ ସହିତେ

ଇନ୍ଦ୍ରର ଶହସ୍ରଘାୟେ ସର୍ବେ ପଲେ ମୋହୋଗତେ ।୬୭୫।

ଅଠରକ୍ଷଉଣୀ ବଳ ଘେନି କୁଞ୍ଚଗଳ ଦେଶ ରାୟେ

ସେହି ନାଶଗଲା ପୁଣ ଇନ୍ଦ୍ରର ଶରଘାୟେ ।୬୭୬।

ବଳରାମଂକ ଶସ୍ରଘାୟେ ଇନ୍ଦ୍ର ନାଶଗଲା

ଅନେକ ଗନ୍ଧର୍ବ ଦେବ ସମରେ ପଡ଼ିଲା ।୬୭୭।

ଘୋର ସାଂଗ୍ରାମ ଦେବ କ୍ଷଣେହେଂ ନ ରହି

ଅନେକ ଗୋଳ ହୋଇଛି ଦେବ କହିଲେ ନ ସରଇ ।୬୭୮।

ଶୁଣିଣ ବେଦବର ଯେ ହୋଇଲେ ଚକିତ

ବୋଇଲେ ୟେତେ ଗୋଳ କିମ୍ପେ ଅରଜିଲେ ପୁରୁହୁତ ।୬୭୯।

ଅବଶ୍ୟ ଝିଅକୁ ବିଭା କରିତ ଦିଅନ୍ତେ

ବଳେ ଯେବେ କୃଷ୍ଣଂ ପୁତ୍ର ନେଉଥିଲା

କିମ୍ପେ କଲେକ ଅନର୍ଥେ ।୬୮୦।

କି ବୁଦ୍ଧି କରିବା ବୋଲି ବିଚାରନ୍ତି ମନେ

ହରି ହରଂକ ସମର ତହିଂ ସହି ନୁହଇ କ୍ଷଣେ ।୯୮୧।

ବିସ୍ମୟେ ମନରେ ଯେ ବ୍ରହ୍ମାୟେ ଭାଳିଲେ

ମରୁଳ ପିଠିଲେ ଯାଇଂ ଆପଣେ ବିଜେକଲେ ।୬୮୨।

ୟେଥୁ ଅନନ୍ତରେ ତୁ ହୋ ଶୁଣ ଦିବ୍ୟରସ

ହରି ହର ବେନି ଯହୁଂ ସମରେ ପରବେଶ ।୬୮୩।

ହର ବଳରାମେ ତହିଂ ଅନେକ ଯୁଦ୍ଧ କଲେ

କେହି କାହାକୁ ସମରେ ଜିଣନ୍ତା ନୋହିଲେ ।୬୮୪।

ଅନେକ ଶହସ୍ର ସେତୁ ଯେ ହୋଇଲେ ମରାମରି

ରୁଧିର ବହନ୍ତେ ଶରଘାତେ ଦେହ ଯେ ହେଉଛି ପ୍ରଜ୍ୱଳି ।୬୮୫।

ଶିବଗଣ ସଙ୍ଗତରେ ଯେ ଗୋବିନ୍ଦ ଯୁଝୁଥିଲେ

ଅନେକ ଶିବଗଣ ସେ ଚକ୍ରରେ ନାଶିଲେ ।୬୮୬।

ଶିବଗଣ ତୁଲେ ଯେ ନାରାୟଣ ଯୁଝନ୍ତି

ଭୟେଣ ଶିବଗଣ ସମର ନ କରନ୍ତି ।୬୮୭।

ପଞ୍ଚୁପାଣ୍ଡବ ଯେ ତହିଂ ଖଣ୍ଡିୟେ ଦୂରେ ଥିଲେ

ଶିବଗଣଂକ ସଙ୍ଗେ କୃଷ୍ଣଂକର ଯୁଝିବା ଦେଖିଲେ ।୬୮୮।

ଯେ ଯାହାର ଯାନବାହାନ ଚଢିଣ ଧାମନ୍ତି

ସାତକ୍ଷଉଣୀ ବଳ ତାଂକ ସଙ୍ଗତେ ଗୋଡ଼ାବନ୍ତି ।୬୮୯।

ଶିବଗଣମାନନ୍ତ ସେ ଓଗାଳିଲେ ଯାଇଂ

ଅର୍ଜୁନ ମୁଖକୁ ଶିବଗଣ ଦିଲେ ଚାହିଂ ।୬୯୦।

ସୂର୍ଯ୍ୟ କିରଣ ଲାଗିଲେ ଯେହ୍ନେ କୁମୁଦିନୀ ବନ

ଅର୍ଜୁନକୁ ଦେଖି ଶିବଗଣ ହୋଇଲେ ତେସନ ।୬୯୧।

ଯେତେ ପ୍ରାକ୍ରମେଣ ସେହୁ ଯୁଦ୍ଧ କରୁଥିଲେ

ଅର୍ଜୁନକୁ ଦେଖି ସର୍ବେ ପଛଘୁଞ୍ଚା ଦିଲେ ।୬୯୨।

ଶିବଗଣଂକର ତହିଂ ନ୍ୟୁନଭାବ ଦେଖି

ମନେ ବିଚାରଇ ତହିଂ ପାଣ୍ଡବ ବିବତ୍ସି ।୬୯୩।

ନିସତ ଲୋକକୁ ମାରିତେ ନ ଯୋଗାଇ

ମାଇଲେ ନିଚୟ ତ ଅଦର୍ମକୁ ଯାଇ ।୬୯୪।

ପଛଘୁଞ୍ଚା ଦିଲେ ଯେ ୟେହାନ୍ତ ନ ମାରିବି

ଇଶ୍ୱରଂକର ସଙ୍ଗତରେ ଯାଇଣ ଯୁଝିବି  ।୬୯୫।

ଇଶ୍ୱରଂକର ପରାକ୍ରମ ଜାଣିବା ୟେଠାରେ

ନୀଳେନ୍ଦୀ ହରଣ ଯୁଦ୍ଧ ପାସୋରିଲେ ହେଳେ ।୬୯୬।

ଗଣ୍ଡା ମାରିବାର କାଳେ ମୁହିଂ ଯାହା କଲି

ବେକରେ ଧନୁହୁଳ ଲଗାଇ ଯେ ବୁଲାଇଲି ।୬୯୭।

ଚକ୍ରାକାରେ ବୁଲାଇଲି ମୁହିଂ ସାତ ଥର

ପ୍ରାଣର ବିକଳେ ମୋତେ ସେ ଯାଚି ଦିଲେ ବର ।୬୯୮।

ବେଳେ ବେଳେ ମୋଠାରେ ସେ ପାଆନ୍ତି ଅପଚୟେ

ନ ଜାଣନ୍ତି କି କୃଷ୍ଣର ଭୃତ୍ୟ ପାଣ୍ଡବ ପାଞ୍ଚେହେଂ ।୬୯୯।

ୟେତେକ ବିଚାର କରି ପାଣ୍ଡବ କୁମର

ରଣ ଧୁଆଂଇଣ ସେ ଧାଂଇଲେ ତତପର ।୭୦୦।

ହଳୀ ହର ବେନିଜନେ ଯହିଂ ସମର କରୁଥିଲେ

ତାହାଂକର ସନ୍ନିଧ୍ୟରେ ଅର୍ଜୁନ ରଥ ନେଇ ଗଲେ ।୭୦୧।

ଦେଖିଲେ ଦୁଇଜଣେ ଘୋର ସାଂଗ୍ରାମ କରୁଛନ୍ତି

କୋପଭରେ ପର ଆପଣା ଯେ ନ ଗଣନ୍ତି  ।୭୦୨।

ବୃଷଭ ଉପରେ ଚଢି ହର ଯୁଝୁ ଥିଲେ

ଅର୍ଜୁନର ମୁଖକୁ ସେ ସଧୀରେ ଚାହିଂଦିଲେ  ।୭୦୩।

ଅର୍ଜୁନକୁ ଦେଖି ହର ଚକିତ ହୋଇଲେ

ଅନର୍ଥ ହୋଇଲା ସେ ଆପଣେ ଜାଣିଲେ ।୭୦୪।

ଧନୁ ଶହସ୍ର ବୃଷଭ ଉପରେ ଥୋଇଣ

ମଉନ ବ୍ରତ ହୋଇଣ ରହିଲେ ଆପଣ ।୭୦୫।

ଇଶ୍ୱରଂକର ନ୍ୟୁନଭାବ ଦେଖିଣ ଦେବ ହଳୀ

ଆପଣେ ଶାନ୍ତି ହୋଇଲେ ଗଦା ଯେ ସଂହରି ।୭୦୬।

ବଳରାମଂକୁ ଯେ ତହିଂ ଦେଖିଣ ଅର୍ଜୁନ

ରଥରୁ ଉତୁରି ବଳରାମଂକର ନମଇ ଚରଣ ।୭୦୭।

କଲ୍ୟାଣ କରି ବଳରାମ ତୋଳିଣ ଧଇଲେ

ଯୁଦ୍ଧର ଚରିତ ସେ ଯେ ସମସ୍ତ କହିଲେ ।୭୦୮।

କରଯୋଡ଼ି ଅରଜୁନ ତହିଂ କହଇ ବଚନ

ସାବଧାନ ହୋଇ ତୁମ୍ଭେ ଶୁଣିମା ବଳରାମ ।୭୦୯।

କ୍ରୋଧ ଶାନ୍ତିକର ତୁମ୍ଭେ ନ କର ସମର

ଆଜ ବଡ଼ପଣ ଜାଣିମା ବିଶ୍ୱନାଥଂକର ।୭୧୦।

ହଳରାମଂକ ସମର ରୁହାଇ ଅରଜୁନ

ଇଶ୍ୱରଂକ ଛାମୁକୁ ଚଳିଲେ ପାଣ୍ଡୁର ନନ୍ଦନ ।୭୧୧।

ଖଣ୍ଡେ ଦୂରେ ଈଶ୍ୱରେ ଯେ ଥିଲେ ଉଭାଇ

ଅର୍ଜୁନଂକୁ ଦେଖି ହସିଲେ ବିଶ୍ୱନାଥ ଗୋସାଇଂ ।୭୧୨।

ବିଶ୍ୱନଥଂକର ହରଷ ଦେଖି ବୀର ପାଥ

ପାଦଗାମୀ ହୋଇ ରଥୁଂ ଓହ୍ଲାଇଲେ ତୁରିତ ।୭୧୩।

ବୃଷଭ ଉପରୁ ଯେ ଇଶ୍ୱର ଓହ୍ଲାଇଲେ

ଭୂମିଗତ ହୋଇଣ ସେ ଉଭା ହୋଇଣ ରହିଲେ ।୭୧୪।

ଅର୍ଜୁନ ଯାଇଂଣ ସେ ମିଳିଲା ଛାମୁର

ଭୂମିରେଣ ପାୟେ ପଡ଼ି ଶୋଇଲା ମହୀବୀର ।୭୧୫।

ଇଶ୍ୱରଂକ ଚରଣେ ସେ ନମସ୍କାର କଲା

କରଯୋଡ଼ିଅର୍ଜୁନ ଯେ ଉଭା ହୋଇଣ ରହିଲା ।୭୧୬।

କର ପ୍ରସାରିଣ ଇଶ୍ୱରେ କଲ୍ୟାଣ ବାଞ୍ଛନ୍ତି

ଚିରକାଳ ବ୍ରତ ତୁ ହୋ ପଣ୍ଡୁର ସନ୍ତତି ।୭୧୭।

ଅରଜୁନ କରଯୋଡ଼ି ତହିଂ ବୋଲଇ ଗୋସାଇଂ

ସାବଧାନ ଶୁଣ ତୁମ୍ଭେ ଯାହା କହଇ ଯେ ମୁହିଂ ।୭୧୮।

ଶାମ୍ବ କୁମର ତ ୟେଥୁ କନ୍ୟା ହରିନେଲା

ହରି ବଲରାମଂକର ତୁମ୍ଭର କିମ୍ପେ ୟେଡ଼େ ଅନର୍ଥ ହୋଇଲା ।୭୧୯।

ଆପଣେ ତ ବିଶ୍ୱନାଥ ଜଗତର ନାଥ

ସକଳ ବ୍ରହ୍ମାଣ୍ଡଯାକ ତୁମ୍ଭର ଗର୍ଭଗତ ।୭୨୦।

ଶାମ୍ବକୁମରର ଆପଣେ ଯେବେ ଦୁଷ୍ଟପଣ ଦେଖିଲ

ଆପଣେ ଥାଇଂ କିମ୍ପେ ୟେଥିଲ ଭଲମନ୍ଦ ନ ବୁଝିଲ ।୭୨୧।

ଅନର୍ଥ କରି ତ ଦେବ କେବେହେଂ ନ ଯୋଗାଇ

ଆପଣେ ଅନର୍ଥେ ତ ପଶୁଛ କିମ୍ପାଇଂ ।୭୨୨।

ଅର୍ଜୁନ କହନ୍ତେ ତହିଂ ଇଶ୍ୱରେ ଶୁଣିଲେ

କ୍ଷଣେ ତୂନୀ ହୋଇ ପୁଣ ବଚନ ଭାଷିଲେ ।୭୨୩।

ବୋଲନ୍ତି ଅର୍ଜୁନ ତୁ ହୋ ଶୁଣ ମନଦେଇ

ଅମର ଅଧିକାରୀ ଯେ ଅଟଇ ସୁରସାଇଂ ।୭୨୪।

ତାହାର ଉପ୍ରୋଧେ ଆମ୍ଭେ ଅଇଲୁ ପରିଘାଇ

ଇନ୍ଦ୍ରର ପାଇଂ କୃଷ୍ଣର ସଙ୍ଗେ ବିପକ୍ଷ ଯେ ହୋଇ ।୭୨୫।

ତୋତେ ଦେଖିଣ ସାଂଗ୍ରାମ ଛାଡ଼ିଲୁ ଆମ୍ଭେ ୟେବେ

ତୁ ୟେବେ ଅଇଲୁ ଭଲ ହୋଇଲାଣି ସର୍ବେ ।୭୨୬।

ହର ଅର୍ଜୁନ ବେନି ବିଚାର କରନ୍ତେ

ସାଂଗ୍ରାମ ଛାଡ଼ି ଯେ ଯହିଂରେ ରହିଲେ ସମସ୍ତେ ।୭୨୭।

ଶୁଣ ଆହୋ ମନୁରାଜା ଅଗସ୍ତି ବଦନ୍ତି

ମରୁଳ ଛାଡ଼ିଣ ବ୍ରହ୍ମା ଆସିଣ ମିଳନ୍ତି  ।୭୨୮।

ବ୍ରହ୍ମାନ୍ତ ଦେଖି ଅର୍ଜୁନ ପାୟେ ପଡ଼ି ଶୋଇଲେ

ଶିରେ କରଦେଇ ଉଭା ହୋଇଣ ରହିଲେ ।୭୨୯।

ଶ୍ରୀ ବଳରାମେ ଯେ ତହୁଂ ଖଣ୍ଡେ ଦୂରେ ଥିଲେ

ବ୍ରହ୍ମାଂକ ହାଥ ଠାରନ୍ତେ ପାଖକୁ ଅଇଲେ ।୭୩୦।

ବ୍ରହ୍ମାନ୍ତ ଦେଖିଣ ହଳୀ ଶିରେ କରଦେଇ

ଇଶ୍ୱରେ ବ୍ରହ୍ମାନ୍ତ ଯେ ନମସ୍କାର ହୋଇ ।୭୩୧।

ତିନିଜଣେ ଯହୁଂ ତହିଂ ହେଲେ ୟେକମେଳ

ବ୍ରହ୍ମାୟେ ବୋଇଲେ ଅକାରଣେ କିମ୍ପେ କରୁଅଛ ଗୋଳ ।୭୩୨।

ଆସ ୟେକସ୍ଥାନ ୟେବେ ହୋଇଣ ବସିବା

କେମନ୍ତେ ଚରିତ ୟେହା ଥାଇଣ ବୁଝିବା  ।୭୩୩।

ହର ବଳରାମ ବ୍ରହ୍ମା ଅର୍ଜୁନ ଚଳିଗଲେ

ନନ୍ଦନବନ ତୋଟାରେ ପ୍ରବେଶ ହୋଇଲେ  ।୭୩୪।

ତୋଟାର ମଧ୍ୟରେ ସେ ଯାଇଂଣ ବସିଲେ

ନନ୍ଦୀର ମୁଖକୁ ଯେ ବ୍ରହ୍ମାୟେ ଚାହିଂଲେ ।୭୩୫।

ଆଗ୍ୟାଂ ଦିଲେ ନନ୍ଦୀ ତୁହି ୟେହିକ୍ଷଣି ଯିବୁ

ଯୁଝେଷ୍ଠି ନାରୟଣନ୍ତ ଘେନିଣ ଆସିବୁ ।୭୩୬।

ଆମ୍ଭର ଆଗ୍ୟାଂ କହିଣ ବେଗେ ଘେନିଆସ

ସମସ୍ତେ ଥାଇଂ ବୁଝିବା ୟେଥିର ସନ୍ଦେଶ ।୭୩୭।

ଆଗ୍ୟାଂ ପରମାଣେ ତହୁଂ ବେଗେ ଚଳିଗଲା

ଶ୍ରୀକୃଷ୍ଣଂକ ଛାମୁରେ ସେ ଯାଇଂଣ ମିଳିଲା ।୭୩୮।

ନମସ୍କାର କରିଣ ସେ କହଇ ବଚନ

ଅବଧାନ ହୋଇ ତୁମ୍ଭେ ଶୁଣିମା ନାରାୟଣ ।୭୩୯।

ବ୍ରହ୍ମା ଆଗ୍ୟାଂ ଦିଲେ ଯେ ଯିବ ନନ୍ଦନବନ ଯାୟେ

ଯୁଝେଷ୍ଠିଂକି ଘେନି ଆପଣେ କରିବା ବିଜୟେ ।୭୪୦।

ୟେହା ଶୁଣି ବେଗେ ତହୁଂ ଉଠିଲେ ଭଗବାନ

ଯୁଝେଷ୍ଠିଂକି ଘେନିଣ ଯେ ଚଳିଲେ ଆପଣ ।୭୪୧।

ନନ୍ଦନବନ ତୋଟାରେ ମିଳିଲେକ ଯାଇ

ଯୁଝେଷ୍ଠି ନାରାୟଣ ଶିରେ କରଦେଇ ।୭୪୨।

ଇଶ୍ୱରନ୍ତ ଦେଖି ଦୁହେଂ ନମସ୍କାର କଲେ

କଲ୍ୟାଣ ପାଇଣ ସେ ଠାବରେ ବସିଲେ ।୭୪୩।

ବ୍ରହ୍ମାୟେ ବୋଲନ୍ତି ହରିବଳରାମଂକୁ ଚାହିଂ

ଆପଣେ ବିଚାରି ପଚାରନ୍ତି ଦେବସାଇଂ  ।୭୪୪।

କାହିଂପାଇଂ ୟେତେକ ହୋଇଲା ଅନର୍ଥ

ବିଚାରିଣ ୟେହା ମୋତେ କହ ଜଗନ୍ନାଥ  ।୭୪୫।

ଗୋବିନ୍ଦ ବୋଇଲେ ହୋ ମୁଂ କିଛି ନ ଜାଣଇଂ

କଳହପ୍ରିୟ ୟେହା ଅଛନ୍ତି ଭିଆଇ ।୭୪୬।

କଳି ଦ୍ୱନ୍ଦ ଯହୁଂ ତହିଂ ନିବର୍ତ୍ତ ହୋଇଲେ

ବୀଣାନାଦ ଦେଇଣ ଯେ ନାରଦ ଧାଇଂଲେ ।୭୪୭।

ନନ୍ଦନବନ ତୋଟାରେ ମିଳିଲେକ ଯାଇଂ

ବ୍ରହ୍ମାନ୍ତ ଦେଖିଣ ସେହୁ ଶିରେ କର ଦେଇ ।୭୪୮।

ନାରଦଂକୁ ଦେଖିଣ ଯେ ସମସ୍ତେ ଉଠିଲେ

ଶିରେ କର ଦେଇ ସର୍ବେ ନମସ୍କାର କଲେ ।୭୪୯।

ନାରଦେ ବୋଇଲେ ୟେବେ ଇନ୍ଦ୍ରରାୟେ କାହିଂ

ତାହାନ୍ତ ପଚାର ସେ କହିବେ ସମସ୍ତ ବୁଝାଇ ।୭୫୦।

ଅର୍ଜୁନ ବୋଇଲେ ସେ ତ ସାଂଗ୍ରାମେ ପଡ଼ିଛନ୍ତି

ଗଣ ଗନ୍ଧର୍ବ ଦେବତା ଅନେକ ପ୍ରାଣେ କ୍ଷତି ।୭୫୧।

ନାରଦଂକୁ କହନ୍ତେ ତାହା ବ୍ରହ୍ମାୟେ ଶୁଣିଲେ

ଆପଣେ ସେ ସାଂଗ୍ରାଂମ ଭୂମିକି ଉଠିଲେ ।୭୫୨।

ସାଂଗ୍ରାମ ଭୂମିରେ ଯାଇଂଣ ମିଳନ୍ତି

ମନ୍ତ୍ରିଣ ପାଣି ମୁଠିୟେ କମଣ୍ଡଳୁଂ ଛିଞ୍ଛନ୍ତି ।୭୫୩।

ଯେତେକ ସାଂଗ୍ରାମ ଭୂମିରେ ପଡ଼ିଥିଲେ

ବ୍ରହ୍ମାଂକ ମନ୍ତ୍ରପାଣି ପଡ଼ନ୍ତେ ଜୀଇଣ ଉଠିଲେ।୭୫୪।

ଇନ୍ଦ୍ରାଦି ସହିତେ ସମସ୍ତେ ହେଂ ଜୀଇଂ

ଆବର ପାଣି ମୁଠାୟେ ସିଞ୍ଚିଲେ କୁଶସାଇଂ ।୭୫୫।

ଉଗ୍ରସେନ ଦ୍ରିଯୋଧନ ସନ୍ୟବଳ ସହିତେ

ସମସ୍ତେ ଜୀଇଣ ତହିଂ ଉଠିଲେ ତୁରିତେ  ।୭୫୬।

ବ୍ରହ୍ମାୟେ ବୋଇଲେ ହୋ ସମସ୍ତେହେଂ ଆସ

ନନ୍ଦନବନ ତୋଟାରେ ବସି ବୁଝିବା ସନ୍ଦେଶ ।୭୫୭।

ବ୍ରହ୍ମାଂକର ଆଗ୍ୟାଂୟେ ସେ ସମସ୍ତେ ଚଳିଗଲେ

ନନ୍ଦନବନ ତୋଟାରେ ଯାଇଂଣ ମିଳିଲେ ।୭୫୮।

ଥାନମାନ ପାଇଣ ଯେ ବସିଲେ ସମସ୍ତେ

ବ୍ରହ୍ମାୟେ ପଚାରନ୍ତି ତହିଂ ଇନ୍ଦ୍ରଂକ ଅଗ୍ରତେ ।୭୫୯।

କାହିଂପାଇଂ ତୁମ୍ଭେ ହୋ ୟେତେ ଦ୍ୱନ୍ଦ କଲ

କି ନିମନ୍ତେ ତୁମ୍ଭେ ହୋ ୟେଡ଼େ କଳି ଆରମ୍ଭିଲ ।୭୬୦।

ଇନ୍ଦ୍ରରାୟେ କହନ୍ତି ଯେ ବ୍ରହାଂକ ମୁଖ ଚାହିଂ

ସାବଧାନ ଚିତ୍ତେ ଶୁଣ ଆହେ କୁଶସାଇଂ  ।୭୬୧।

ଶୂରସେନର ଦୋହିତା ତାର ନାମ ଶୋଭାବତୀ

କୃଷ୍ଣର କୁମର ତାକୁ ବଳାତ୍କାରେ ଗଲା ଘେତି ।୭୬୨।

ଅମରେ ପଶି ସେ କନ୍ୟାକୁ ଚୋରାଇ ନେଉଥିଲା

ଓଗାଳି ଧରନ୍ତେ ସେହୁ ଅନେକ ଯୁଦ୍ଧ କଲା ।୭୬୩।

ଅନେକ ସନ୍ୟ ମୋର ସେ ହେଳେ ନାଶ କରି

ତାହାଂକ ଦୁଷ୍ଟପଣ ସହି ଯେ ନୁଆରି ।୭୬୪।

ବେଳେ ବେଳେ କୃଷ୍ଣପୋୟେ ଦୁଷ୍ଟପଣ କରନ୍ତି

ବଳେ କନ୍ୟାମାନନ୍ତ ୟେ ଚୋରାଇ ନିଅନ୍ତି ।୭୬୫।

ୟେବେ ୟେ ଅମର ମଣ୍ଡଳକୁ ଧାଡ଼ି ଦିଲା

ବଳେ ନାତୁଣୀକି ମୋର ଚୋରାଇ ନେଉଥିଲା ।୭୬୬।

ସନ୍ୟ ପଠିଆଇଣ ମୁଂ ଧରାଣ ଆଣିଲି

ପରିଯତ୍ନ କରି ମୁଂ ତାକୁ ବାନ୍ଧିଣ ରଖିଥିଲି ।୭୬୭।

ନାରଦେ ଯାଇଣ ତହିଂ ବାରତା କହିଲେ

ଶୁଣିଣ ରାମ କୃଷ୍ଣ ତହୁଂ ପରିଘାଇ ସେ ଅଇଲେ ।୭୬୮।

ସାତବଂଶ ଯାଦବ ଯେ ଘେନି ବେନିଭାଇ

ଆବର ଅଠରକ୍ଷଉଣୀ ବଳ ଘେନିଣ କୁଞ୍ଜଗଳ ଦେଶସାଇଂ ।୭୬୯।

ସାତକ୍ଷଉଣୀ ବଳ ଘେନି ପାଣ୍ଡବ ପାଞ୍ଚଭାଇ

ଜୟନ୍ତା ନଗରୁଂ ସେହୁ ଅଇଲେ ଚଳାଇଂ  ।୭୭୦।

ୟେ ସମସ୍ତ ଘେନି ହରି ବଳରାମେ ଧାଇଂଲେ

ଯେତେ ଦ୍ୱନ୍ଦ ଅନର୍ଥ ଅମରେ ପୁରେ କଲେ ।୭୭୧।

ଶୁଣିଣ ବ୍ରହ୍ମାୟେ ଯେ ଅଳପ ହସନ୍ତି

ଗୋବିନ୍ଦ ବୋଲନ୍ତି ତୁମ୍ଭେ ଶୁଣ ହୋ ବେଦପତି ।୭୭୨

ସେ କୁମାରୀ ଶାମ୍ଭକୁ ତା ଇଚ୍ଛାୟେ ବରିଲା

ସେଥିଲେ କେବଣ ଦୋଷ ଆମ୍ଭର ହୋଇଲା ।୭୭୩।

ୟେ ସବୁ କାରଣ କାହାର ଦୁଷ୍ଟପଣ

ବିଚାରିଣ ୟେହା ତୁମ୍ଭେ ବୁଝତ ଆପଣ ।୭୭୪।

ଯୁଝେଷ୍ଠି ବୋଇଲେ ଆମ୍ଭେ କଥାୟେ କହିବା

ମୋହୋର କଥା ୟେବେ ଘେନିବା ବ୍ରହ୍ମଦେବା ।୭୭୫।

କୁମାର କୁମାରୀଂକି ୟେଠାକୁ ଘେନାଇଣ ଆସ

ତାହାନ୍ତ ପଚାରି ଆମ୍ଭେ ଜାଣିବା ୟେହାର ସନ୍ଦେଶ ।୭୭୬।

ବ୍ରହ୍ମାୟେ ବୋଇଲେ ଯୁଝେଷ୍ଠି ଯାହା ସେ କହିଲେ

ଯୁଝେଷ୍ଠିଂକ ବଚନ ତହିଂ ସମସ୍ତେ ଘେନିଲେ ।୭୭୭।

ଈଶ୍ୱରେ ବୋଇଲେ ତହୁଂ ଇନ୍ଦ୍ରଂକ ମୁଖ ଚାହିଂ

କୁମାର କୁମାରୀଂକି ବେଗେ ଘେନିଆସ ଯାଇଂ।୭୭୮।

ଇନ୍ଦ୍ରଂକ ଆଗ୍ୟାଂରେଣ ଚିତ୍ରସେନ ଯେ ଧାଂଇଲା

ଅମର ମଣ୍ଡକେ ସେହୁ ଯାଇଂଣ ମିଣିଲା ।୭୭୯।

କୁମାର କୁମାରୀ ଯେଉଂ ପୁରେ ଥିଲେ

ତାହାନ୍ତ ଘେନାଇଂ ଚିତ୍ରସେନ ଯେ ଅଇଲେ ।୭୫୦।

ସଭାର ମଧ୍ୟରେଣ ଆଣି ଉଭାକରି

ବ୍ରହ୍ମାଂକୁ ଦେଖି କୁମର ଶିରେ କରଯୋଡ଼ି ।୭୮୧।

ବ୍ରହ୍ମାୟେ ବୋଲନ୍ତି କୁମାରର ମୁଖ ଚାହିଂ

କେମନ୍ତ ଚରିତ ୟେହା କହ ହେ କୃଷ୍ଣର ତନୟି ।୭୮୨।

ଶାମ୍ବ କୁମାର ବୋଇଲେ କନ୍ୟାକୁ ପଚାର

କାହାର ଦୋଷ ୟେହା ବିଚାରି ବୁଝ ହୋ ବେଦବର ।୭୮୩।

ବ୍ରହା ପଚାରନ୍ତି ଶୋଭାବତୀ ମୁଖ ଚାହିଂ

ୟେଥିର ଚରିତ୍ର ଆମ୍ଭଂକୁ ମା ଗୋ କହନି ବୁଝାଇ ।୭୮୪।

କୁମାରୀ ବୋଇଲା ଦେବ ଶୁଣିମା ସାବଧାନେ

ତୋଟା ବୁଲି ଆସିଥିଲି ମୁହିଂ ୟେକଦିନେ ।୭୮୫।

ସଖୀଗଣମାନନ୍ତ ଘେନିଣ ଯେ ସଙ୍ଗେ

ନାନା କଉତୁକେ ମୁଂ ବୁଲଇ କ୍ରଡ଼ାରଙ୍ଗେ ।୭୮୬।

ଦଇବର ବଶେ ସେ କୁମର ୟେଥରୁ ଆସିଥିଲା

ବିଶେଷେ କନକଚମ୍ପା ଗୁଡ଼ାୟେ ତୋଳିଲା ।୭୮୭।

ନାନା ବର୍ଣ୍ଣେ ଫଳପୁଷ୍ୟ ଗୁଡ଼ାୟେକ ଘେତି

ରଥର ଉପରେ ଧୀରେ ଧୀରେଣ ବସିଛନ୍ତି ।୭୮୮।

ମୋହୋର ନୟନ ପଡ଼ିଲା ୟେହାଂକଠାରେ ଯାଇଂ

କାମଦେବ ପ୍ରାୟେକ ମୋତେ ୟେ ଦିଶଇ ।୭୮୯।

ୟେକେ ଯୁବାନାରୀ ଅଟେ ମୋର ଅଳପ ବୟସ

ଦୁଜେଣ ଅଟଇ ଯଏ ବସନ୍ତର ମାସ ।୭୯୦।

ୟେହାନ୍ତ ଦେଖି ମୋ ମନ ବିଖଣ୍ଡ ହୋଇଲା

ହୃଦପଦ୍ମ ମଧ୍ୟେ କଥାନ୍ତ ଭାଳିହେଲା ।୭୯୧।

ଅବିଭାଇତ କନ୍ୟା ମୁଂ ପିତା ବିଭା ତ ନ କଲେ

ଅବଶ୍ୟ ପିତା ଦେବ ଯାହାକୁହିଂ ଭଲେ ।୭୯୨।

ୟେତେ ବିଚାରିଣ ମୁହିଂ ଶରଧା ମନ କଲି

ୟେହାଂକ ରୂପ ଗୁଣ ଦେଖିଣ ବିଚାରିଲି ।୭୯୩।

ବଡ଼ କୁଳେଣ ୟେହୁ ହୋଇଣ ଯେ ଅଛି

ବଡ଼ ଜଣଂକର ୟେହୁ ଅଟଇ ଯେ ବଚ୍ଛି ।୭୯୪।

ୟେଥିରୁ ଦୁର୍ଲ୍ଲଭ ବର ଲୋଡ଼ିଣ ନ ପାଇ

ୟେଣୁ କରି ମାଳା ଦେଇ ୟେହାନ୍ତ ବରିଲଇଂ ମୁହିଂ ।୭୯୫।

ମାଳା ଦେଇଣ ମୁହିଂ ବରଣ କରନ୍ତେ

ଦୁହିଂକରି ମନ ଯହୁଂ ହୋଇଲା ୟେକତ୍ୱେ ।୭୯୬।

ରଥରେ ବସାଇଣ ୟେହୁ ନେଉଥିଲେ ମୋତେ

ସାବଧାନ ଚିତ୍ତେ ଶୁଣ ଆହେ କୁଶନାଥେ ।୭୯୭।

ୟେହାଶୁଣି ବ୍ରହ୍ମାୟେ ବୋଇଲେ ଯୁଝେଷ୍ଠିଂକ ମୁଖ ଚାହିଂ

ୟେଥିରେ କାହାର ଯେ ଦୋଷ ବିଚାରି କହ

କୁଞ୍ଜଗଳ ଦେଶସାଇଂ ।୭୯୮।

ତୁମ୍ଭର ତୁଣ୍ଡରେ ତ ନ ଆସିବ ମିଛ

ଆଉମାନେ ସମସ୍ତେ ସଭାରେ କହନ୍ତି ପକ୍ଷାପକ୍ଷ ।୭୯୯।

ଯୁଝେଷ୍ଠି ବୋଇଲେ ବାସବଂକୁ ୟେହା ନ ଯୋଗାଇ

କନ୍ୟାକୁ ନ ପଚାରି କିମ୍ପେ ଯୁଦ୍ଧ ଆରମ୍ଭଇ ।୮୦୦।

ଶୁଣିଣ ଶୁକ୍ରରାୟେ ଲଜ୍ଜାଭାବ ପାଇଲେ

ମଥା ପୋତିଣ ସେ ଯେ ସଭାରେ ବସିଲେ ।୮୦୧।

ହରି ବଳରାମଂକ ମୁଖ ପଦ୍ମ ପ୍ରାୟେ ବିକାଶଇ

ଇଶ୍ୱରେ ମୁଖ ଟେକିଣ ସଭାକୁ ନ ଚାହିଂ ।୮୦୨।

ଦୁଇଦଣ୍ଡ ପରିଯନ୍ତେ ସଭାଲୋକେ ମଉନ ହୋଇଲେ

କେହି କାହାକଇଂ ତହିଂ ସମସ୍ୟା ନ ଦିଲେ ।୮୦୩।

କ୍ଷଣକ ଉତ୍ତାରେ ତହିଂ ବ୍ରହ୍ମା ଯେ ବୋଲନ୍ତି

କିମ୍ପାଇ ମଉନ ହୋଇ ତୁ ବସିଲୁ ହୋ ସୁରପତି ।୮୦୪।

ଦୁଇଜଣ କଳିକଲେ ଜଣେ ସେ ହାରନ୍ତି

ୟେଥିକଇଂ ଚିନ୍ତା ତୁ ହୋ ନ କର ସୁରପତି ।୮୦୫।

ହୋ ପଣ୍ଡିତଜନମାନେ ୟେହା ବିଚାରିଣ ବୁଝ

ଆମ୍ଭେ ଯାହା କହୁଂ ତୁମ୍ଭେ ୟେକମନେ ହେଜ ।୮୦୬।

ଅବିଭାଇତ କରି ଯୁବାକନ୍ୟା ଘରେ ତ ନ ରଖି

ରଖିଲେ ଯେ ଅବଶ୍ୟଟି ପରମାଦ ଦେଖି ।୮୦୭।

ୟେହି କନ୍ୟା ଘରେ ଯେବେ ଯୁବା ହୋଇ ନ ଥାନ୍ତା

ୟେତେକ ଅନର୍ଥ ଯେ କିମ୍ପାଇଂ ହୁଅନ୍ତା ।୮୦୮।

ବାପଘରେ ଝିଅ ଅବିଭାଇ ହୋଇଣ ରହିଲେ

ସପତ ପୁରୁଷ ପିତୃ ଶ୍ରୋଣିତ ପିବନ୍ତି ଭଲେ ।୮୦୯।

କେବେହେଂ ବଂଶ ତାହାର ଉଜ୍ଜାଳ ନୁହଇ

ବ୍ରହ୍ମା ବେଦବର ୟେହା ମୁଖରେ ଭାଷଇ ।୮୧୦।

ସପତମ ବରଷୁ ହୋହିତା ଯେବେ ବିଭା କରିବ

ସେହି ଲୋକ କଥାରେ ଯଶ ଯେ ଲଭିବ ।୮୧୧।

ନବ ବରଷ କନ୍ୟା ନବଯୁବା ହୋଅଇ ।

ସେହି ନ୍ୟାୟରୁ ସପତ ବରଷେ ବିଭା ଯେ ଯୋଗାଇ ।୮୧୨।

ଯୁବା ହୋଇଲା କନ୍ୟା ଘରେ ୟେ ରଖିଲେ

ଆପଣେ ଅନର୍ଥ ୟେହୁ ଅର୍ଜିଣ ବସିଲେ ।୮୧୩।

କୁମରର ୟେଥିଲେ କିଛିହିଂ ଦୋଷ ନାହିଂ

ପରୁଷୁ ହୋଇ କି ଯୁବା ସ୍ତିରୀ ରୂପ ଲେଛଇ ।୮୧୪।

ପୁରୁଷ ଯେ ଭ୍ରମର ପ୍ରାୟେକ ଭୋଳ ହୋଇ

ନବତନ ପୁଷ୍ୟ ପାଇଲେ କି ନ ଚୁମ୍ବଇ ।୮୧୫।

ୟେଡ଼େ କହିଣ ବ୍ରହ୍ମାୟେ ଇନ୍ଦ୍ରକୁ ପଚାରନ୍ତି

ୟେବେ ନାତୁଣୀ ତୁମ୍ଭର କଲାକ ଅନୀତି ।୮୧୬।

ଲୋକ ଆଚାରକୁ କନ୍ୟା ଦୂଷିତ ହୋଇଲା

ଆନକୁ ପ୍ରଦାନ ୟେ କରିତେ ନୋହିଲା ।୮୧୭।

ୟେହି ବରକୁ ତ ୟେହି କନ୍ୟା ବିଭା ଦେବା

ସମସ୍ତେ ବସିଣ ୟେଥେଂ ଆମ୍ଭେ ବିଭା କରାଇବା ।୮୧୮।

ବୃହସ୍ପତିଂକି ଡାକି କହନ୍ତୁ ୟେଥିର ବିଚାର

ଶୁଭ ଲଗ୍ନେ ଯେ ବିଭା ବେଳର ବେଭାର ।୮୧୯।

ବ୍ରହ୍ମାଂକର କଥା ସମସ୍ତଂକର ମନକୁ ଅଇଲା

ହୋଉ ବୋଲି ବାସବ ଯେ ସନସତ କଲା ।୮୨୦।

ଶୁଣ ହୋ ମନୁରାୟେ ଅଗସ୍ତି କହନ୍ତି

ଶ୍ରୀମହାଭାରଥ ୟେ ଯେ ଶୁଣ ଶୁଦ୍ଧମତି ।୮୨୧।

ଇଂନ୍ଦ୍ରକୁ ସନମତ କରାଇ ବେଦବର

ହରି ବଳରାମଂକୁ ସେହୁ ପଚାରନ୍ତି ଧୀର

ବ୍ରହ୍ମାଂକ ବଚନୁଂ କେହୁ ନୁହନ୍ତି ବାହାର ।୮୨୨।

ଯାହା ସେ ଜଗତପିତା କରିଛି ଭିଆଣ

ଯେତେକ ଅନର୍ଥ କଲେ ପାକ ଯେ ଶାସନ ।୮୨୩।

ଚିତ୍ରସେନ ସୁରସେନ ଅଙ୍ଗାରପନ୍ନଙ୍ଗକୁ ଚାହିଂ

ବ୍ରହ୍ମାୟେ ପଚାରିଲେ ତୁମ୍ଭର ମନକୁ ୟେକଥାଟି କି ଯୋଗାଇ ।୮୨୪।

କୁମାରେ ବୋଇଲେ ଯାହା ବିହି କରିଛି ଘଟଣ

ଆମ୍ଭର ବୋଇଲେ କେବେହେଂ ନୋହଇ ସେ ଆନ ।୮୨୫।

ବ୍ରହ୍ମାୟେ ବୋଇଲେ ବୃହସ୍ପତିଂକି ଘେନିଆସ ରାଇ

ବିଭାର ଚରିତ ବୁଝାଇବା ୟେଥି ଥାଇ ।୮୨୬।

ଆଗ୍ୟାଂ ପ୍ରମାଣେ ଅଙ୍ଗାରପନ୍ନଙ୍ଗ ଯେ ଗଲା

ବୃହଷ୍ପତି ଗୁରୁଂକୁ ସେ କହି ହକାରି ଆଣିଲା ।୮୨୭।

ନନ୍ଦନବନକୁ ବୋଲି ଅଇଲେ ବୃହସ୍ପତି

ବ୍ରହ୍ମାଂକ ପାରିଶେ ଯାଇଂ ଆପଣେ ବସନ୍ତି ।୮୨୮।

ବ୍ରହ୍ମାୟେ ବୋଇଲେ ଶୁଣ ହେ ଦେବଗୁରୁ

କେତେହେଂ ଅନର୍ଥ ହୋଇଲା ତୁ କିଛି ନ ପଚାରୁ ।୮୨୯।

କେତେ କେତେ ଦ୍ୱନ୍ଦ ହୋଇଲା ଶୋଭାବତୀକି ଘେନି

ବିଭାଯୋଗ ଲଗ୍ନ ଖୋଜି କହ ପରିମାଣି ।୮୩୦।

ଖଡ଼ି ଘେନି ଗିରାକାଟି ସମସ୍ତ ଜାଣିଲେ

ବିଭାର ଅନକୂଳ ସେ ଖୋଜିଣ ଠାବ କଲେ ।୮୩୧।

ବଇଶାଖ ଶୁକଳ ତୃତୀୟା ଶନିବାରେ

ନାଡ଼ୀ ନକ୍ଷତ୍ର ଯେ କରଣ ଯୋଗମୂଳେ ।୮୩୨।

ତାରବାର ସେହୁ ପୁଣ ଗଣିକରି ଠାବକଲେ

ସେଦିନ ଯୋଗାଇଲା ବୋଲି ବ୍ରହ୍ମାନ୍ତ କହିଲେ ।୮୩୩।

ବ୍ରହ୍ମାୟେ ବୋଇଲେ ହୋ ଅଛଇ କେତେଦିନ

ବୃହସ୍ପତି ବୋଇଲେ ଆଉ ଅଛଇ ତିନିଦିନ ।୮୩୪।

ରାତ୍ରି ପାହିଲେ କାଲି ହୋଇବ ମଙ୍ଗନ

ଶନିବାର ଦିନ ବିଭା ହୋଇବାକ ଜାଣ ।୮୩୫।

ବୃହସ୍ପତି କହନ୍ତେ ଯେ ବାସବେ ଶୁଣିଲେ

ୟେହି ଦିନ ବିଭା ହୋଉ ବୋଲି ସନମତ କଲେ ।୮୩୬।

ଶୂରସେନ ଚିତ୍ରସେନ ଅଙ୍ଗାରପନ୍ନଙ୍ଗକୁ ରାଇ

ୟେମାନନ୍ତ ଚାହିଂଣ ଆଗ୍ୟାଂ ଦିଲେ ଶଚୀସାଇଂ ।୮୩୭।

ବିବାହ ଉତ୍ସବରେ ଯେତେକ ବିଧାନ

ସମସ୍ତ ଭିଆଣ ତୁମ୍ଭେ କର ହୋ ବହନ ।୮୩୮।

ଦାନ ଯଉତୁକ ଆଦି ୟେଥିରେ ଯେତିକି ଲାଗଇ

ସକଳ ସମ୍ପାଦିଣ ତୁମ୍ଭେ ରଖ ହୋ ବେଗେ ଯାଇଂ ।୮୩୯।

ଇନ୍ଦ୍ରଂକ ଆଗ୍ୟାଂରେ କୁମରେ ଚଳିଗଲେ

ବିଭାର ବିଧାନମାନ ସକଳ ନିର୍ଭାକଲେ ।୮୪୦।

ବେଦି ଛାମୁଣ୍ଡିଆ ଆଦି ସକଳ ଭିଆଇ

ସମସ୍ତ ଭିଆଣ କଲେ ଅମରେ କି ଅବା ନ ମିଳଇ ।୮୪୧।

ସେ ଦିନକ ନନ୍ଦନବନେ ସମସ୍ତେ ରହିଲେ

ଫଳମୂଳ ଖାଇଣ ସେ ରଜନୀ ବଞ୍ଚିଲେ ।୮୪୨।

ଇନ୍ଦ୍ର ବୃହସ୍ପତି ବ୍ରହ୍ମା ଈଶ୍ୱରେ ସହିତେ

ଯେ ଯାହାର ବାହନେ ଚଢିଲେ ତୁରିତେ ।୮୪୩।

ଗୋବିନ୍ଦେ ଗରୁଡ଼ ପିଠିରେ ବିଜେ କଲେ

ବଳରାମ ତାଳଧ୍ୱଜ ରଥରେ ବସିଲେ ।୮୪୪।

ଯୁଝେଷ୍ଟି ତହିଂ ଦିବ୍ୟ ରଥେକ ଆରୋହି

ଆଉ ଚାରି ପାଣ୍ଡବେ ଯେ ଯାହାମତେ ସଜ ହୋଇ ।୮୪୫।

ଅର୍ଜୁନର ହାଥକୁ ଯେ ଧରିଣ ବାସବ

କୋଳରେ ବସାଇ ତାଂକୁ ଚଳିଗଲେ ଜବ ।୮୪୬।

ଉଗ୍ରସେନ ଦ୍ରିଯୋଧନ ରଥ ଆରୋହିଲେ

ସନ୍ୟବଳ ଘେନି ଶ୍ରୀକୃଷ୍ଣର ପଛେ ଗୋଡ଼ାଇଲେ ।୮୪୭।

ଦୁନ୍ଦୁଭି ଶବଦ ଯେ ବାଜଇ ବୀରତୂର

ବାଦ୍ୟନାଦ ଶବଦେ ଯେ ମହୀ ଥରହର ।୮୪୮।

ଅମର ମଣ୍ଡଳେ ଯାଇଂ ପ୍ରବେଶ ହୋଇଲେ

ଛାୟା ମଣ୍ଡୋପରେ ଉଗ୍ରସେନ ଦ୍ରିଯୋଧନ ବିଜେ କଲେ ।୮୪୯।

ହରି ବଳରାମ ଯୁଝେଷ୍ଠିଂକି ଘେନି

ଅମର ମଣ୍ଡୋପେ ଯାଇଂ ବିଜୟେ ଶୂଳପାଣି ।୮୫୦।

ବ୍ରହ୍ମା ବୃହସ୍ପତି ଯେ ଈଶ୍ୱର ସହିତେ

ସମସ୍ତେ ବିଜୟେ କଲେ ଅମର ସଭାର ସମୀପେ ।୮୫୧।

ସମସ୍ତ କଳି ଦ୍ୱନ୍ଦ ନିବର୍ତ୍ତ ହୋଇଲା

ଇନ୍ଦ୍ର ବଳରାମଂକର ପୀରତି ବଢିଲା ।୮୫୨।

ଭିତରେ ବାରତା ପାଇ ଇନ୍ଦ୍ରଂକ ଘରଣୀ

ଭିତରକୁ ଘେନାଇ ଗଲେ ପାଣ୍ଡବ ଫାଲଗୁନି ।୮୫୩।

ଶଚୀଂକି ଦେଖି ଅରଜୁନ ପାୟେ ପଡ଼ି ଶୋଇଲା

ଶିରେ କର ଦେଇଣ ସେ ବିନୋୟୀ ହୋଇଲା ।୮୫୪।

ଶଚୀ ବୋଇଲେ ବାବୁ ହୋ ଶୁଣ ବୀର ପାଥ

ତୋହୋର ଥାଉଂ କିମ୍ପେ ହୋଇଲା ୟେଡ଼େକ ଅନର୍ଥ ।୮୫୫।

ଅରଜୁନ ବୋଇଲେ ୟେହା ମୁହିଂ ନ ଜାଣଇ କିଛି

ନାରଦେ ୟେମାନ ଯେ ଭିଆଉଥାନ୍ତି ବସି ।୮୫୬।

ୟେ ବାରତା ପାଇଣ ମୁଂ ବହନ ଅଇଲି

ତେତେ ବଡ଼ ଦ୍ୱନ୍ଦଗୋଟା କ୍ଷଣକେ ନିବର୍ତ୍ତାଇଲି ।୮୫୭।

ଇନ୍ଦ୍ର କୃଷ୍ଣଂକର ଯେ ବଡ଼ ପୀରତି ହୋଇଲା

କାଲି ବିଭା ହୋବାର ୟେ ପ୍ରସଙ୍ଗ ପଡ଼ିଲା ।୮୫୮।

ସମସ୍ତେ ଆସିଣ ସୁଧର୍ମା ସଭାରେ ବସିଛନ୍ତି

ଅର୍ଜୁନ ମୁଖୁଂ ୟେହା ଶୁଣି ଶଚୀ ମହାସତୀ ।୮୫୯।

ଆନନ୍ଦ ହୋଇଣ ତହୁଂ ଦେବୀ ଭିତରକୁ ଗଲେ

ଅର୍ଜୁନ ଯେ ତାହଂକାର ପଛେ ଗୋଡ଼ାଇଲେ ।୮୬୦।

ଭିତର ପୁରେ ଅରଜୁନ ରହିଲେକ ଯହୁଂ

ମଙ୍ଗଳ ବିଧି ଭିଆଣ କଲେକ ସେ ତହୁଂ ।୮୬୧।

କନ୍ୟାକୁ ହାନ୍ଦୋଳାରେ ବସାଇଣ ଆଣିଲେ

ହାନ୍ଦୋଳାରୁ ଓହ୍ଲାଇ ଶଚୀ ଭିତରକୁ ନେଲେ ।୮୬୨।

ରାତ୍ରରେ ମଙ୍ଗଳଣ ବିଧାନ ମାନ କରି

ଅହିଓ ନାରୀମାନେ ଦିଅନ୍ତି ହୁଳହୁଳି ।୮୬୩।

ହୁଳ ହୁଳି ଶବଦେ ସ୍ୱର୍ଗପୁର ଉଛୁଳଇଂ

ମଙ୍ଗଳ ନାଦ ଘେନି ମହୁରୀ ବାଜଇ ।୮୬୪।

ୟେହିମତେ ରଜନୀ ଯେ ପ୍ରଭାତ ହୋଇଲା

ଦେବାତାଂକ ଆଳେ ଶଙ୍ଖ ଶବଦ ଶୁଭିଲା ।୮୬୫।

ଶଙ୍ଖ ମହୁରୀ ଯେ ବାଜଇ ଘନ ଘନ

ବରବେଶ କଲେ ତହୁଂ କୃଷ୍ଣର ନନ୍ଦନ ।୮୬୬।୧୦୨୫୬।

 

Unknown

ଶୋଭାବତୀର ବିବାହ

ୟେଥୁ ଅନନ୍ତରେ ରାଜା ତୁ ଶୁଣ ଦିବ୍ୟରସ

ଶୋଭାବତୀ କନ୍ୟାକୁ ବହନ କରିଣ ଦିବ୍ୟ ବେଶ ।୧।

ବରଣ ପୂଜାବିଧି ସମସ୍ତ ସାରିଲେ

ବରକୁ ନେଇ ବେଦୀ ଉପରେ ବସାଇଲେ ।୨।

ସୁବର୍ଣ୍ଣ ପୀଢ଼ା ଉପରେ ବସିଲେ କୁମାର

ବରଣ ବିଧାନମାନ ସେ ସାରିଲେ ତତପର ।୩।

ସତ୍ୟବାକ୍ୟ କର୍ମ ସାରି ବର ପାଦ ଧୋଇ

ଅଭ୍ୟୁଦୟିକ ଶ୍ରାଦ୍ଧ କଉତୁକ ସୂତ୍ର ବଢାଇ ।୪।

ଲବଣ ଚଉଂରୀ କନ୍ୟା ପକାଇଣ ଦିଲା

କନ୍ୟାର ଭାଇ ପୁଣ ବର ପାଦ ପଖାଳିଲା ।୫।

କନ୍ୟାକୁ ତହୁଂ ବେଶ ବେଶନ କରାଇ

ବେଦୀର ଉପରେଣ ଯେ ବସାଇଲେ ନେଇ ।୬।

ବୃହସ୍ପତି ଥାଇଣ ଯେ ବରଣ ବିଧି କଲେ

ଅମଳାଣ ବସ୍ତ୍ରମାନ ଆଣି ପିନ୍ଧାଇଲେ ।୭।

ପୂର୍ବ ମୁଖ ହୋଇଣ ସେ ବସିଲେ କୁମାର

କନ୍ୟାକୁ କୋଳେ ଧରି ବସିଲେ ସୁନାଶୀର ।୮।

କୁମାରକୁ କୋଳେ ଯେ ଧରିଣ ନାରାୟଣ

ହୁଳ ହୁଳି ଦିଅନ୍ତି ଅହିଓ ନାରୀଗଣ ।୯।

ପାରିଜାତ ପୁଷ୍ୟନେଇ ମଥାରେଣ ଦିଲେ

ବରି କନ୍ୟାଂକର ହାଥ ନେଇଣ ଯୋଡ଼ିଲେ ।୧୦।

ମନ୍ତ୍ର ପଢିଣ କୁଶ ବନ୍ଧନ ଯେ କରି

ଶଙ୍ଖେ ଜଳ ଦେଇଣ ବୃହସ୍ପତି ପଚାରି ।୧୧।

କି କି ଯଉତୁକ ତୁମ୍ଭେ ଦେବ ହୋ ଶଚୀନାଥ

ଶଙ୍ଖେ ପାଣି ତୋଳିଣ ଦିଅ ହେ ତୁରିତ ।୧୨।

ହାଥରେ ଶଙ୍ଖ ଯେ ଘେନିଣ ସୁରରାୟେ

ମନରେ ଅନେକ ଯଉତୁକ ବିଚାରଣ କୟେ ।୧୩।

ଥାଳୀ ଆବର ଯେ ଗଡ଼ୁଆ ଗିନା ଯାୟେ

ସୁବର୍ଣ୍ଣର କମ ସମସ୍ତ ନିର୍ବାଣ ଯେ ହୋୟେ ।୧୪।

ଲକ୍ଷେକ ସୁବର୍ଣ୍ଣ ସବୁ ନେଇ ଆପଣେ ଆଗରେ କୁଢାଇ

ଅଇରାବ୍ରତ ସମାନରେ ଲକ୍ଷେକ ହାଥୀ ଦେଇ ।୧୫।

ଉଚେଇଶ୍ରବା ସମାନେ ଲକ୍ଷେକ ଅଶ୍ୱ ଦିଲେ

ଆଉ ପଦାର୍ଥମାନ କେତେ ଦିଲେ ଗଣନା ନୋହିଲେ ।୧୬।

ଯଉତୁକ ଦେଇ ରାୟେ ଆନନ୍ଦ ଯେ ହୋଇ

ୟେ ଅନ୍ତେ ବୃହସ୍ପତି କୁଶଗଣ୍ଠି ଦିଲେ ଫେଇ ।୧୭।

ଅହିଓ ସ୍ତିରୀମାନନ୍ତ ଘେନି ଶଚୀଦେବୀ ଯେ ଅଇଲେ

ଶାମ୍ବ କୁମରକୁ ଲକ୍ଷେ ସୁବର୍ଣ୍ଣ ଦେଇଣ ବନ୍ଦାଇଲେ ।୧୮।

ବେଦୀର ବରକନ୍ୟାକୁ ଭିତରକୁ ନେଇ

ଜୁଅ ଖେଳାଇଣ ଶୀତଳ ମୁଣୋହି କରାଇ ।୧୯।

କର୍ପୂର ବିଡ଼ିଆ ପାନ କରାନ୍ତି ଭୋଜନ

ସମସ୍ତେ ତହିଂ ଉତ୍ତାରୁ କଲେ ଅମୃତ ଯେ ପାନ ।୨୦।

ବିଭାର ବିଧାନ ମାନ ଯହୁଂ ସମସ୍ତ ସାରିଲେ

ଇନ୍ଦ୍ରଂକ ମୁଖ ଚାହିଂ ଶ୍ରୀହରି ଆଗ୍ୟାଂ ଦିଲେ ।୨୧।

ବରକନ୍ୟାକଇଂ ତୁମ୍ଭେ ହୋ ବେଗେ ସଜକର

ଯିବୁ ଦ୍ୱାରିକାକୁ ବେଗେ ତୁମ୍ଭେ ଉଛୁର ନ କର ।୨୨।

ଇନ୍ଦ୍ର ବୋଇଲେ ଆଜକ ମୋହାର ପୁରେ ଥିବ

ବରକନ୍ୟାକଇଂ ଘେନିଣ ପ୍ରଭାତୁଂ ଚଳିଯିବ ।୨୩।

ଇନ୍ଦ୍ରଂକର ବଚନ ଶ୍ରୀକୃଷ୍ଣ ଭାଙ୍ଗି ନୁଆରିଲେ

ଥାଠ ସଇନ ଘେନିଣ ସମସ୍ତେ ସେ ଦିନ ରହିଲେ ।୨୪।

ପଞ୍ଚାମୃତ ରସେ ସେ ସର୍ବେ କରନ୍ତି ଭୋଜନ

ଯାହା ଯାହାକୁ ରୁଚଇ କଲେ ଅମୃତ ଯେ ପାନ ।୨୫।

ଭୋଜନ ସାରି ନିଦ୍ରା ଆଳସେ ଶୋଇଲେ

ରଜନୀ ପ୍ରଭାତେ ସେ ଶଯ୍ୟାରୁ ଉଠିଲେ ।୨୬।

ଶଙ୍ଖ ମହୁରୀ ଯେ ବାଜଇ ଘନ ଘନ

ଦୁନ୍ଦୁଭି ଶବଦେ ଉଛୁଳଇ ସରଗ ଭୁବନ ।୨୭।

ବର କନ୍ୟାନ୍ତ ସେ ଯେ ବନ୍ଦାପନା କଲେ

କନ୍ୟାକଇ ନେଇ ହାନ୍ଦୋଳା ଉପରେ ବସାଇଲେ ।୨୮।

ସୁଖାସନ ଗୋଟିକରେ ଯାଇଂ ବସିଲେ କୁମାର

ଅନକୂଳ କଲେ ପର୍ବେ ମାହେନ୍ଦ୍ର ବେଳର ।୨୯।

ଆବର ବ୍ରହ୍ମା ଇନ୍ଦ୍ର ବୃହସ୍ପତି ଯେ ବସିଲେ

ଈଶ୍ୱରେ ଆସିଣ ତାକଂର ସନ୍ନିଧେ ମିଳିଲେ ।୩୦।

ଶଚୀଂକି ନମସ୍କାର କରି ତହିଂ ବୀର ପାଥ

ଇନ୍ଦ୍ରଂକ ସନ୍ନିଧେ ଆସି ବସିଲା ତୁରିତ ।୩୧।

ଶ୍ରୀକୃଷ୍ଣ ବଳରାମେ ତହିଂ ଯୁଝେଷ୍ଠିଂକି ଘେନି

ସଭାୟେଣ ବିଜୟେ କଲେ ଆସି ଚକ୍ରପାଣି ।୩୨।

ଦ୍ରିଯୋଧନ ଉଗ୍ରସେନ ସନ୍ନିଧେଣ ବସି

ବ୍ରହ୍ମାୟେ ବୋଇଲେ ତୁମ୍ଭେ ଶୁଣ ହୋ ବ୍ରହ୍ମରାଶି ।୩୩।

ବିଭାର ଉତ୍ସବ ତ ସମସ୍ତ ସରିଲା

ୟେବେ ମନଗୋଟି ତୋର ସନ୍ତୋଷ ହୋଇଲା ।୩୪।

ନାରାୟଣ ବୋଇଲେ ତୁମ୍ଭେ ଥାଅ ହୋ ବେଦବର

ମନ ଚଞ୍ଚଳ ହୋଇଲା ଯିବା ୟେବେ ଦ୍ୱାରାବତୀ ପୁର ।୩୫।

ବ୍ରହ୍ମା ବୃହସ୍ପତିଂକି ଘେନି ଇନ୍ଦ୍ରରାୟେ ଭାଳିଲେ

ଅକ୍ଷତ ବିଧି କରି ଅନେକ ବସ୍ର ଦିଲେ ।୩୬।

ପାଟ ପତନୀମାନ ଦେବାଙ୍ଗ ଯେ ଶାଢୀ

ଗଉରୋବ କରିଣ ଅନେକ ବସ୍ର ବାଢି ।୩୭।

ଯେତେକ ଥାଠ ସଇନ ଶ୍ରୀକୃଷ୍ଣଂକ ସଙ୍ଗେ ଆସିଥିଲେ

ଜଣେ ଜଣେ କରି ଇନ୍ଦ୍ର ଅନେକ ବସ୍ର ଦିଲେ ।୩୮।

ବାଦ୍ୟକାରଠାରୁ ଭଡ଼ଙ୍ଗିଆ ମହୁରିୟା ଯାୟେ

ସୁରନାଥ ସମସ୍ତଂକୁ ଅକ୍ଷତ ବିଧି ଦିୟେ ।୩୯।

ବିଭାର ବିଧି ବିଧାନମାନ ସମସ୍ତ ସରିଲା

ବୀର ତୂର ନାନା ବାଦ୍ୟ ଅନେକ ବାଜିଲା ।୪୦।

ବିକଟାଳ ହୋଇ ତହିଂ ବାଜଇ ବାଜଣା

ଶଙ୍ଖ ମହୁରି ଟମକ କେ କରିବ କଳଣା ।୪୧।

ଯେ ଯାହାର ବାହନ ସମସ୍ତେ ଚଢିଲେ

ବରକନ୍ୟାକଇଂ ଯେ ଆଗରେ ଚଳାଇଲେ ।୪୨।

ତତକ୍ଷଣେ ସ୍ୱର୍ଗପୁରୁ ହୋଇଲେ ବାହାର

କ୍ଷଣକେ ମିଳିଲେ ଯାଇ ଦ୍ୱାରାବତୀ ପୁର ।୪୩।

ବାଦ୍ୟବାଦ ଶବଦରେ ପୃଥୀ ଚମକିଲା

ଦ୍ୱାରାବତୀ ପୁରଯାକ ଉତ୍ସବ ହୋଇଲା ।୪୪।

ବାରତା ପାଇଣ ଯେ ବସୁଦେବ ରାଣୀ

ଆବର ସଙ୍ଗେ ଛନ୍ତି ଉଗ୍ରସେନଂକ ଘରଣୀ ।୪୫।

ରୁକ୍ମଣୀ ସତ୍ୟଭାମା କାଳିନ୍ଦୀ ତୁଳସାଂକୁ ଘେନି

ଜମ୍ବୁବତୀ ମୂଳେ ଆବର ଅଷ୍ଟ ପାଟରାଣୀ ।୪୬।

ସମସ୍ତ କନ୍ୟାମନେ ସଜ ହୋଇ ଅଇଲେ

ବରକନ୍ୟାଂକୁ ଆସି ବାଟରେ ଭେଟିଲେ ।୪୭।

ଦୁର୍ବାକ୍ଷତ ସରୁ ତଣ୍ଡୁଳରେ ବନ୍ଦାପନା କରି

କୁମାର କୁମାରୀଂକୁ ଘରକୁ ଘେନିଗଲେ ଚଳି ।୪୮।

ନିଜପୁରେ ବରକନ୍ୟା ହୋଇଲେ ପରବେଶ

ଚନ୍ଦ୍ରାବତୀ ଦେଖି କରି ମନରେ ବିରସ ।୪୯।

ଶୋଭାବତୀ ରୂପକୁ ସେ ପଟାନ୍ତର ନୋହିଲା

ଦୀପ ଆଗରେ ଦିହୁଡ଼ି ପରାୟେ ଦିଶିଲା ।୫୦।

ଉଗ୍ରସେନ ରାଜା ଗଲେ ଆପଣାର ପୁର\

ବଳରାମେ ଗଲେ ପୁଣ ଆପଣା ମନ୍ଦିର ।୫୧।

ରେବତୀ ଠାକୁରାଣୀ ବଳରାମଂକ ସଙ୍ଗେ ଗଲେ

ବରକନ୍ୟାଂକୁ ସେହୁ ବନ୍ଦାପନା କରି ଆସିଥିଲେ ।୫୨।

ସାତବଂଶ ଯାଦବେ ଯେ ଯାହା ପୁରେ ଗଲେ

ଅକ୍ଷତ ପଦାର୍ଥ ସେ ଯେତେକ ଆଣିଥିଲେ ।୫୩।

ସାତୁକୀ ଗୋଚରେ ତାହା ସବୁ ସମର୍ପିଲେ

ଭଣ୍ଡାରରେ ନେଇ ତାହା ସାତୁକୀ ରଖିଲେ ।୫୪।

ଉଦ୍ଧବ ଅକ୍ରୂର ପୁଣି ସାତୁକୀ ସହିତେ

ଆପଣା ମନ୍ଦିରେ ପ୍ରବେଶ ହୋଇଲେ ତତକ୍ଷଣାନ୍ତେ ।୫୫।

ଦ୍ରିଯୋଦନ ରାଜାଂକୁ ଚାହିଂଣ ଦାମୋଦର

ବୋଇଲେ ହସ୍ତିନାକୁ ଯାଅ ହୋ ନୃପବର ।୫୬।

ଆଗ୍ୟାଂ ପରମାଣେ ମାନଗୋବିନ୍ଦ ବାହାରିଲା

ହସ୍ତିନା ନଗରେ ଯାଇଂ ପ୍ରବେଶ ହୋଇଲା ।୫୭।

ୟେଗାର କ୍ଷଉଣୀ ବଳ ଶତେଭାଇ ମୂଳେ

ଯେ ଯାହା ମନ୍ଦିରକୁ ଗଲେ ତତପରେ ।୫୮।

ଧୃତିରାଷ୍ଟ୍ର ଯହୁଂ ବାରତା ପାଇଲେ

ମାନଗୋବିନ୍ଦକୁ ସେ ସକଳ ପଚାରିଲେ ।୫୯।

ସମସ୍ତ ବାରତା କହିଲେ ମାନଗୋବିନ୍ଦାଇ

ଭାନୁମତୀ ରାଣୀକି ତାହା କହିଲେ ବୁଝାଇ ।୬୦।

ଶୁଣି ଭାନୁମତୀ ରାଣୀ ବିକଳ ହୋଇଲା

ଦଇବ ପୁରୁଷ ଲେଖନ ତ ଅନ୍ୟସ୍ତା ନୋହିଲା ।୬୧।

ଶ୍ରୀକୃଷ୍ଣେ ବିଜେ କଲେ ଯାଇଂ ଆସ୍ତାନ ଉପରେ

ସଙ୍ଗତେ ଅଛନ୍ତି ଯେ ପଣ୍ଡୁଂକ କୁମରେ ।୬୨।

ଯେତେକ ଯଉତୁକ ଇନ୍ଦ୍ର ଦେଇଥିଲେ

ଭଣ୍ଡାରରେ ନେଇଣ ସମସ୍ତ ରଖାଇଲେ ।୬୩।

ୟେମନ୍ତେ ପାଣ୍ଡବେ ତହିଂ ରହିଲେ ଦିନା ସାତ

ଯୁଝେଷ୍ଠିଂକି ଚାହିଂଣ ଯେ ବୋଲନ୍ତି ଜଗନ୍ନାଥ ।୬୪।

ଅଇଲ ବହୁତ ଦିନ ହେଲାନି ଯାଇ ବାରୁଣାବନ୍ତେ

ବହୁତ ଅକ୍ଷତ ତାଂକୁ ଦିଲେ ଜଗନ୍ନାଥେ ।୬୫।

ଯୁଝେଷ୍ଠିଂକ ଚରଣରେ କଲେ ନମସ୍କାର

ଚାରି ପାଣ୍ଡବେ ନମିଲେ ଗୋବିନ୍ଦଂକ ପୟର ।୬୬।

ମେଲାଣି ପାଇଣ ପାଣ୍ଡବେ ଗଲେ ନିଜପୁର

ପ୍ରବେଶ ହୋଇଲେ ଯାଇଂ ବାରୁଣାବନ୍ତର ।୬୭।

କୋଇନ୍ତାଂକୁ ଦେଖିଣ ପାଞ୍ଚଭାଇ ନମସ୍କାର କଲେ

ବିଭାର ଚରିତ ଯେ ଦ୍ରୋପତୀ ପଚାରିଲେ ।୬୮।

ବିଧିମତ କରିଣ ଯେ ସମସ୍ତ କହନ୍ତି

ଶୁଣିଣ ସନ୍ତୋଷ ଯେ ଦ୍ରୋପଦ ଦୁହିତୀ ।୬୯।

ଶୁଣ ମନୁ ପୁରୁଷ ଯେ ଅଗସ୍ତି କହିଲେ

ଶୋଭାବତୀକି ଘେନି ଶାମ୍ବ ଅନେକ ଭୋଗ କଲେ ।୭୦।

ତାହାର ଗର୍ଭରୁ ପାଞ୍ଚ ପୁତ୍ର ଜନମିଲେ

ଚନ୍ଦ୍ରାବତୀର ଚାରି ପୁତ୍ର ଦୋହିତାୟେ ହେଲେ ।୭୧।

ତୁ ଯେ ପଚାରିଲୁ ଶୋଭାବତୀ ହରଣ ଚରିତ

ଶୁଦ୍ଧ ଚିତ୍ତ ହୋଇ ଶୁଣିଲୁଟି କି ନରନାଥ ।୭୨।

ୟେହି ରୂପେ ଶାମ୍ବର ଯେ ଦୁଇଗୋଟି ଭାରିଯା

କାହାର ଚାରି କାହାର ପାଞ୍ଚ ଶୁଣ ହୋ ମହାରାଜା ।୭୩।

ୟେହି ରୂପେ ଲୀଳା କରି ରହିଲେ ଦ୍ୱାରିକାରେ କାମପାଳ ହରି

କୃଷ୍ଣର ସଂପଦ ବଚନେ କେ କହିତ ପାରି ।୭୪।

ପଦ୍ମ ବନ ପ୍ରାୟେକ ବଂଶ ଯେ ବଢିଲେ

ନାତି ପଣନାତି ଯେ ଅନେକ ସୁତ ହେଲେ ।୭୫।

ଶ୍ରୀମହାଭାରଥ ୟେହୁ ଅମୃତ ମୟ ରସ

ଅମୃତ ପାନେ ଯେହ୍ନେ ଆତ୍ମା ହୋୟେ ତୋଷ ।୭୬।

ଶ୍ରୀମହଭାରଥ ଯେ ଶ୍ରବଣେ ଶୁଣିଲେ

ତେହେନେକ ପ୍ରାୟେ ଆତ୍ମାକୁ ଲାଗଇ ଶୀତଳେ ।୭୭।

ବନ୍ଦଇ ଶ୍ରୀ ନାରାୟଣ କମଳାର ପତି

ସକଳ ପ୍ରାଣୀଂକର ହୃଦରେ ଯାର ସ୍ଥିତି ।୭୮।

ଅରକ୍ଷିତ ଲୋକ ବନ୍ଧୁ ଦୁଖୀ ଲୋକଂକର ଧନ

ଭଗତ ଜନଂକର ସେ ଯେ ଅଟନ୍ତି ପଞ୍ଚୁପ୍ରାଣ ।୭୯।

ଅରକ୍ଷିତ ଜନଂକୁ ଯେ ନିସ୍ତାରିବା ପାଇଂ

ଶୂନ୍ୟକୁ ଶ୍ରବଣ ଡେରିଥାଅ ହେ ଗୋସାଂଇ ।୮୦।

ମୁହିଂ ଯେ ଅରକ୍ଷିତ ଅଟଇ ଅପଣ୍ଡିତ

ବିଦ୍ୟା ଶାହାସ୍ରରେ ନୋହିଲି ଭଗତ ।୮୧।

ସୁଦୟା କଲେ ମୋତେ ସାରୋଳା ଚଣ୍ଡୀ ଦେବୀ

ତେଣୁ କରି ମୁହିଂ ତାଂକ ଶ୍ରୀଚରଣେ ସେବି ।୮୨।

ସେ ଦେବୀ ଯହୁଂ ମୋର କଣ୍ଠରେ ବିଜେକଲେ

ତେଣୁ କରି ପଦ ମୋର ଦୃଦରେ ସ୍ପୁରିଲେ ।୮୩।

ଶ୍ରୀଚଣ୍ଡୀ ସାରୋଳାଂକ ଚରଣକୁ ଧ୍ୟାୟି

ଅନ୍ତକାଳେ କପିଳାସ କନ୍ଦରକୁ ଯାଇଂ ।୮୪।

ତୁଳୁସାର ବଲ୍ଲଭ ଚରଣକୁ ମୋର ଆଶା

କବି ସାରୋଳ ଦାସକୁ ରଖ ପୀତବାସ ।୮୪।୧୦୩୪୧।

 

ପ୍ରୌଢାସୁର ଓ ରୂଢାସୁରର ବରଲାଭ

ବନ୍ଦଇ ଶ୍ରୀ ଗଣନାଥ ଗଉରୀ ନନ୍ଦନ

ଶରୀରକୁ ଶୋଭା ପାୟେ ଗଜର ବଦନ ।୧।

ଛଟକରେ ତୁ ଯେ ବିଶ୍ୱନାଥକୁ ଭଣ୍ଡିଲୁ

କଥାରେ ଛଟକେ ଅମୃତ ଲଡୁ ଛଡାଇଣ ନେଲୁ ।୨।

ମଙ୍ଗଳ ଉତ୍ସବ କାଳେ ତୋର ନାମ କରନ୍ତି ବନ୍ଦନା

ଯାତ୍ରା ଉତ୍ସବ କାଳେ ତୋର ନାମ କରନ୍ତି ଗଣନା ।୩।

ବାକ୍ୟଦେବୀ ସେବି ସର୍ବ ବିଦ୍ୟା ସାଧ୍ୟ କଲୁ

ତେଣୁ କରି ଗଣନାଥ ନାମ ବୋଲାଇଲୁ ।୪।

ଗଉରୀ ନନ୍ଦନ ଚରଣକୁ ମୋର ଆଶ

ବାକ୍ୟ ନ ଫୁରଇ ଆଗ୍ୟାଂ ଦିଅ ହରଶିଷ୍ୟ ।୫।

ତେଣୁ କରି ତୋହୋର ଚରଣେ ଜଣାଉଛି

କବି ସାରୋଳ ଦାସକୁ ରଖ ହେ ହରତ୍ସି ।୬।

ୟେଥୁ ଅନନ୍ତରେ ଯେ ବିଲଂକ ଚୂଡ଼ାମଣି

ମୁନିଂକ ଚକଣରେ କରଇ ଦୟିନୀ ।୭।

ଶ୍ରୀମହାଭାରଥ ମଧ୍ୟପର୍ବ କହୁଛ ମୁନି ମୋତେ

ତହିଂ ପରେ କିସ ହେଲା କହ ତୋଷ ବିତ୍ତେ ।୮।

ମନୁ ପଚାରନ୍ତି ଯେ ଅଗସ୍ତି କହନ୍ତି

ୟେକମନ ହୋଇଣ ତୁ ଶୁଣ ନୃପତି ।୯।

କପିଳାସ କନ୍ଦର ଉତ୍ତର ପାରୁଶରେ

ରୂଢାସୁର ବୋଲି ଅସୁରେ ରାଜ୍ୟ କଲାକ ତହିଂରେ ।୧୦।

କାଳେ ସେହି ଅସୁର ଅନ୍ୟାୟପଣ ତହିଂ କଲା

ଦେବ ଦାନବରେ ସେ କାହାକୁ ନ ଡରିଲା ।୧୧।

ୟେମନ୍ତେ ଅନେକ କାଳ ସେହୁ ରାଜ୍ୟ କରି

ରାଜାମାନଂକ ସଙ୍ଗରେ ସେ କରେ ଖଡ଼ିଆଳି ।୧୨।

ନଉ ସହସ୍ର ନବ ଛାୟାଣୋଇ ରାଜା

ୟେ ରୁଢାସୁରକୁ ସମସ୍ତେ କରନ୍ତି ପାଦପୂଜା ।୧୩।

ମହିଷାସୁର ବଂଶରେ ଅସୁର ଉତପନ୍ନ

ପୃଥୀରେ କେହି ତାହାକଇଂ ନୋହିଲେ ସରିସମ ।୧୪।

ଅଗମ୍ୟ ବନ ଦେଖି ନଗ୍ରେକ ଭିଆଇଲା

ଅଳମ୍ବୁଷା ବୋଲି ସେହୁ ନଗ୍ରର ନାମ ଦିଲା ।୧୫।

ଗଡ଼କୁ ଖଣା ବେଢି ଚଉଷଠି ପର୍ବତ,

ତହିଂର ମଧ୍ୟରେ ରହିଲା ଅସୁର ବଳବନ୍ତ ।୧୬।

ୟେମନ୍ତେଣ ଅସୁର ରାଜ୍ୟ ସେ କରଇ

ଅନ୍ୟାୟବନ୍ତ ହୋଇ ପୃଥୀରେ ସେ ବୁଲଇ ।।୧୭

ଅତିହିଂ ଅଧର୍ମ ପଣରେ ସେହୁ ଦିନ ନେଲା

ଦେବତା ବ୍ରାହ୍ମଣନ୍ତ ସେ ବହୁତ ଦୁଖ ଦିଲା ।୧୮।

ୟେମନ୍ତେଣ ରାଜ୍ୟ ସେ ଯେ କରଇ ଅସୁରାଧି

ସ୍ୱର୍ଗରେ ବିବାଦ ସେ କରଇ ବିବୁଧାଦି ।୧୯।

ତାହାର ନନ୍ଦନ ଯେ ହୋଇଲା ପ୍ରୋଢାସୁର

ରୂଢାସୁର ଅନ୍ତେ ପ୍ରୋଢା ହେଲା ନୃପବର ।୨୦।

ଦିନେକ ପ୍ରୋଢାସୁର ବିଚାରଣ କଲା

ଆଜ ସ୍ୱର୍ଗକୁ ଯିବି ବୋଲିଣ ବୋଇଲା ।୨୧।

ମନ୍ତ୍ରୀକି ସଙ୍ଗେ ଘେନି ସ୍ୱର୍ଗପୁରକଇଂ ଗଲା

ସ୍ୱର୍ଗ ମଞ୍ଚ ପାତାଳ ତିନି ପୁରକୁ ଜିଣିଲା ।୨୨।

ଭ୍ରମି ଭ୍ରମି କପିଳାସ କନ୍ଦରେ ପଶଇ

ଉତ୍ତର ଦ୍ୱାରେ ଯାଇଂ କାର୍ତ୍ତିକେଶ୍ୱରଂକୁ ଦେଖଇ ।୨୩।

ତାହାଂକ ଚରଣେ ସେହୁ କରଇ ମନସ୍କାର

ବିନୋୟୀ ହୋଇଣ ସେ କହଇ ଉତ୍ତର ।୨୪।

ଛଡ଼ମୁଖ ପଚାରନ୍ତି ତୁ କି ନିମନ୍ତେ ଅଇଲୁ

ପୃଥୀ ଯାକେ ତେ ୟେକାଙ୍ଗ ଚକ୍ରବ୍ରତୀ ହୋଇଲୁ ।୨୫।

ବାବୁ ରୂଢାସୁର ପିତା ତୋର ଥିଲା ମହାବଳୀ

ପୃଥୀର ରାଜାନ୍ତ ସେ ପକାଇଛି ଦଳି ।୨୬।

ସ୍ୱର୍ଗରେ ପଶିଣ ସେହୁ ପୁରୁହୁତ ଜିଣିଲା

କାଳେକ ପୁଣ ଯେ ସେହି ରହି ନୁଆରିଲା ।୨୭।

ଅନ୍ୟାୟ କଲେ ବାବୁ ବହୁତ କାଳ ଯେ ନ ଥାଇ

ଧର୍ମରେ ଥିଲେ ପୃଥୀ କାଳେ କାଳେ ଭୋଗ ହୋଇ ।୨୮।

ତୋହୋର ପିତା ଯେ କେଭେଂ ଧର୍ମ ନ ଥାପିଲା

ସ୍ୱର୍ଗ ମଞ୍ଚ ପାତାଳେ କାହାକଇଂ ନ ଡରିଲା ।୨୯।

ସେହି ପୁଣି କାଳେ ରହି ନୁଆରିଲା ମହୀ

ଅକୀର୍ତ୍ତି କଥା ୟେବେ ତାହାର ଅଛି ରହି ।୩୦।

ତୁହି ୟେବେ ଧର୍ମରେ ଆତଯାତ ହୋଅ

ଦେବ ଦାନବରେ ତୁ ବହୁତ ପୂଜାପାଅ |୩୧|

କାର୍ତ୍ତିକେଶ୍ୱର କହନ୍ତେ ପ୍ରୋଢାସୁର ଶୁଣଇଂ

ବିଶ୍ୱନାଥ ପୁତ୍ରନ୍ତ ଭରସି ନ କହଇ |୩୨|

ଦୁଷ୍ଟଜନ ସନ୍ଥ ଅବା ହୋଇବ କେମନ୍ତେ

ଦୁଷ୍ଟ ପ୍ରକୃତି ଭାବଇ ଚିତ୍ତେ ଅନୁବ୍ରତେ |୩୩|

ଧର୍ମ କଥାୟେ ତାହାର ମନ ନ ବଳଇ

ଅଧର୍ମର କଥାକୁ ସେ ନିରନ୍ତରେ ଭାଳୁଥାଇ |୩୪|

ପ୍ରୋଢାସୁର ବୋଲଇ ହୋ ଶୁଣିମା ଗୋସାଇଂ

ତୁମ୍ଭର ଛାମୁକୁ ମୁହିଁ ଅଇଲଇ ଯହିଁ ପାଇଂ |୩୫|

ସାବଧାନ ହୋଇ ଶୁଣିମା ଶୁଦ୍ଧ ଚିତ୍ତେ

ତୁମ୍ଭର ଦୟା ଯେବେ ମୋତେ ଅଛଇ ହୃଦଗତେ |୩୬|

ଅମର ବରଟି ଯେବେ ମୋତେ ଦେଇପାର

ତେବେ କୀରତି ତୁମ୍ଭର ରହିବ ଚାରି ଯେ ଯୁଗର |୩୭|

ଦେବ ଦାନବରେ ମୁହିଁ ନୋହିବଇଂ ନାଶ

ନାନାଦି ଶହସ୍ରମାନ ଅଙ୍ଗରେ ପଡ଼ି ମୋର ହୋଇବାକ ଭସ୍ମ |୩୮|

ମୁଣ୍ଡ କାଟନ୍ତେଣ ମୋର ନୋହିଵ ମରଣ

ନିକୁଛ ଜନ ହାଥେ ମୁଂ ନ ଦେବଇ ପ୍ରାଣ |୩୯|

ୟେ ତିନିପୁର ମଧ୍ୟେ ମୁହିଁ ହୋଇବି ବରଣି

ୟେମନ୍ତ ବର ମୋତେ ଦେଵାକୁ ଦେବସ୍ଵାମୀ |୪୦|

ଶୁଣିଣ କାର୍ତ୍ତିକେଶ୍ୱର ମନରେ ଭାଳିଲେ

ପଞ୍ଚଭୂତ ଆତ୍ମାରେ ସେ କଥାନ୍ତ ବାଣ୍ଟିଲେ |୪୧|

ତୁଚ୍ଛାୟେ ୟେ ଅସୁର ଭ୍ରମୁଅଛି ତିନିପୁର

ବର ପାଇଲେ କି ରଖିବ ସ୍ଵର୍ଗ ମଞ୍ଚ ପାତାଳ |୪୨|

ୟେଡ଼େକ ଦୁସହ ବର କେମନ୍ତେ ଦେବଇଂ

ୟେହୁ ବର ପାଇଲେ ପୃଥୀ କେବେହେଂ ନ ରଖଇ |୪୩|

କେବେହେଂ ବର ୟେହାକୁ ମୁହିଁ ଯେ ନ ଦେବି

କପଟ କଥା କହିଣ ବାହୁଡ଼ାଇ ଦେବି |୪୪|

ୟେତେକ ବିଚାର କରି ସେ କାର୍ତ୍ତିକେଶ୍ୱର

ବୋଲନ୍ତି ଶୁଣ ହୋ ରୂଢାସୁରର କୁମର |୪୫|

ଅମର ବରଟି ତୁହି ମାଗିଲୁ ଯେବେ ମୋତେ

ଅମର ହୋଇ ଜଣେ ରହି ନାହି ୟେଥେ |୪୬|

ଅମର ବର ବାବୁ ନୋହଇ କିଛି ଭଲ

କାଳେଣ ଆପଣାକୁ ହୋଅଇ ସେ ସଲ |୪୭|

ସବୁଂକରି ହୃଦରେ ଦୁଖ ଉପୁଜଇ

ଦେବ ଦାନବରେ ତୋତେ ନ ସହିବେ କେହି |୪୮|

ଧର୍ମ କଥା କଲେ ବାବୁ ସବୁଦିନେ ଥାଇ

ଅଧର୍ମ କଥାକୁ ଗଲେ ପୃଥୀ ନ ରହଇ |୪୯|

ତୁହି ଯେ ଅମର ବର ମାଗୁଅଛୁ ମୋତେ

ଆମ୍ଭର ଦୟା ଅଛି ନ ଦେବୁ କେମନ୍ତ |୫୦|

ୟେ ମଞ୍ଚ ମଣ୍ତଳରେ ହୋ ଯେତେକ ରାଜା ଛନ୍ତି

ସମସ୍ତ ରାଜାୟେ ତୋତେ ହୁଅନ୍ତେ ବଶ୍ୟାବୃତ୍ତି |୫୧|

ପିତା ତୋହର ତାହାନ୍ତ ତ ଜିଣିଛି ସାଂଗ୍ରାମେ

ୟେବେ କାହାକୁ ଜିଣିମୁଂ ଭାଳୁଅଛୁ ମନେ |୫୨|

ପାତାଳ ପୁର ଜିଣିମାକୁ ତୋହୋର ଶକ୍ୟ ନାହିଁ

ରସାନ୍ତଳେ ପଡିବାକ ଜାଣ ୟେହୁ ମହୀ |୫୩|

ପାତାଳପୁରକୁ ହୋ ନ କର ତୁ ମନ

ଆମ୍ଭ ଆଗ୍ୟାଂରେ ତୋତେ ଦେବା ସମାଧାନ |୫୪|

ଆବର କଥା ୟେ ତୋତେ କହିବା ଶୁଣ ମନ ଦେଇ

ଯମରାଜା ପୁରକୁ ବାବୁ ନ ଯିବାକ ତୁହି |୫୫|

ସବୁ ଜନ୍ତୁଂକର ସେ ଅଟଇ ଅଧିକାରୀ

ତାହାର ସଙ୍ଗେ ସାଗ୍ରାମ କଲେ ଜିଣି ତ ନୂଆରି |୫୬|

ଆମ୍ଭର ଆଗ୍ୟାରେ ତୁହି ତାହାକୁ ନ ଜିଣିମୁଂ

ତାହାତୁଲେ ଖଡ଼ିଆଳି ତୁହି ଯେ ନୋହିବୁ |୫୭|

ଆକାଶରେ ଚନ୍ଦ୍ର ସୂର୍ଯ୍ୟ ହୋଉଛନ୍ତି ଆତଯାତ

ତାହାଂକର ତୁଲେ ତୁ ନୋହିବୁ ଖଡ଼ିଆଳି ଯେ ଅପ୍ରୀତ |୫୮|

ସୂର୍ଯ୍ୟ ଯେବେ ଆକାଶରେ ଉଦୟ ନୋହିବ

ୟେ ସଂସାର କେମନ୍ତେ ଆତଯାତ ହୋଇଵ |୫୯|

ଚନ୍ଦ୍ର ଯେବେ ରାତ୍ରରେ ଉଦୟ ନୋହିବ

ପୃଥିବୀରେ ଶସ୍ୟମାନ ଜାତ କି ହୋଇବ |୬୦|

ଅମୃତ ଜଳ ମାନ ବିଷ ଯେ ହୋଇଵ

ସୁସ୍ଵାଦୁ ଫଳମାନ ପୃଥୀରେ ନ ଫଳିବ |୬୧|

ଚନ୍ଦ୍ର ସୂର୍ଯ୍ୟ ଯୋଗେ ଶସ୍ୟ ଫଳ ହୋୟେ ବାବୁ

ୟେହି ଯୋଗେ ତାଂକ ସଙ୍ଗେ ଯୁଦ୍ଧ ନ କରିବୁ |୬୨|

ୟେହି ନ୍ୟାୟରୁ ୟେହାନ୍ତ ଜିଣି ନୁଆରିବୁ

ସବୁ କଥାରେ ତୋତେ ବୁଝାଇ କହିଲି ରେ ବାବୁ |୬୩|

କାର୍ତ୍ତିକେଶ୍ୱର ମୁଖରୁ ୟେସନେକ ଶୁଣି

ପ୍ରୋଢାସୁର ତହିଂକି ବଚନ ଯେ ଭଣି |୬୪|

ଯାହା ତୁ କହିଲୁ ପ୍ରଭୁ ସେ କଥା କରିବି

ତୋହୋର ବଚନକୁ ମୁଂ ପ୍ରତିପାଳି ଥିବି |୬୫|

ଆବର କଥାୟେ ମୁଂ କହିବି ଛାମୁରେ

ସାବଧାନେ ଶୁଣ ହୋ ଈଶ୍ଵର କୁମରେ |୬୬|

ଦିଗବିଜେ ମୁହିଂ କରିବି ତିନିପୁର

ୟେହି ଆଗ୍ୟାଂ ମୋତେ ଦେବାକ ଯତୀଶ୍ଵର |୬୭|

କାର୍ତ୍ତିକେଶ୍ୱର ବୋଇଲେ ଅସ୍ତୁ ହୋଉ ତୋତେ

ସବୁଂକୁ ଜିଣିମୁଂ ନ ଜିଣିମୁଂ ସୁରନାଥେ |୬୮|

ଗୁପତ କଥାୟେ ତୁ ଜାଣିଥାଇ ବୀର

ତୋହୋର ମୃତୁ ଅଛଇ ଇନ୍ଦ୍ରର ହାଥର |୬୯|

ଇନ୍ଦ୍ରର ବଜ୍ରେ ତୁ ଅବଶ୍ୟ ହୋଇବୁ ପ୍ରାଣେ ନାଶ

ୟେ କଥା ଗୁପତ ଜାଣିଥିବୁଟି ବିଶ୍ଵାସ |୭୦|

ୟେତେକ ବଚନ ପ୍ରୋଢାସୁରକୁ କହିଲେ

କାର୍ତ୍ତିକେଶ୍ୱର ଯେ ତହୁଂ ଅନ୍ତର ହୋଇଲେ |୭୧|

ତହୁଂ ପ୍ରୋଢାସୁର ଶୀଘ୍ର ଚଳିଣ ଯେ ଗଲା

ଅଳମ୍ଵୁଷ ରାଜ୍ୟେ ଯାଇଂ ପ୍ରବେଶ ହୋଇଲା |୭୨|

ମନ୍ତ୍ରୀକି ସଙ୍ଗରେ ଘେନି କରଇ ବିଚାର

କାର୍ତ୍ତିକେଶ୍ୱର ମୋତେ ଦିଲେ ଯେ ୟେହି ବର |୭୩|

ତିନିପୁର ଜିଣ ବୋଲି ୟେମନ୍ତ ଆଗ୍ୟାଂ ଦିଲେ

ଦେବ ଦାନବରେ ମୋର ଭୟ ନ ରଖିଲେ |୭୪|

ୟେବେ ମୋର ଥାଠ ସନ୍ୟ ତୁମ୍ଭେ ବେଗେ ସଜକର

ଦିଗବିଜେ କରି ଜିଣିମି ମୃତୁପୁର ନୃପବର |୭୫|

ୟେବେହୋ ଭୋ ମନ୍ତ୍ରୀ ତୁ ମୋର ବୋଲକର

ସାରଥିକି ହକାରିଣ ରଥ ସଜକର |୭୬|

କୃପାଳୁ ମନ୍ତ୍ରୀ ବୋଲଇ ଶୁଣ ମହାରାୟେ

ତୋହୋର ଛାମୁରେ ମୁହିଂ କହିବି କଥାୟେ |୭୭|

ମହା ମହା ବଳୀ ରାଜା ଅଛନ୍ତି ମୃତୁପୁରେ

ୟେକୁ ୟେକ ରାୟେ ଯେ ଅଛନ୍ତି ବଳୀୟାରେ |୭୮|

ମନ୍ତ୍ରୀ ମୁଖରୁ ଯେ ୟେସନେକ ବାକ୍ୟ ଶୁଣି

ପ୍ରୋଢାସୁର ପଚାରଇ ତାକୁ ପୁଣ ପୁଣି |୭୯|

କହ ଆହୋ ମନ୍ତ୍ରୀବର ରାଜା ମାନଂକର ନାମ

କେଂଉ କେଂଉ ଦେଶରେ ସେ କରିଛନ୍ତି ଗ୍ରାମ |୮୦|

ୟେହୋ ମୋତେ ସଞ୍ଚପିଣ କହ ମନ୍ତ୍ରୀବର

ତେବେ ସେ ସଂପ୍ରତେ ଯେ ହୋଇବ ମନର | ୮୧|

କୃପାଳୁ ମନ୍ତ୍ରୀ ବୋଲଇ ଶୁଣ ହୋ ସାବଧାନେ

କୁଞ୍ଜଗଳ ଦେଶର ଯେ ରାଜା ଦ୍ରିଯୋଧନ |୮୨|

ଯେଗାର କ୍ଷଉଣୀ ତାର ଅଛଇ ଅଙ୍ଗବଳ

ତାର ମାମୁଂ ଶକୁନି ଯେ ଅଟେ ମନ୍ତ୍ରୀବର |୮୩|

ଆବର ଭୀକ୍ଷ୍ମ ଦ୍ରୋଣ କୃପ ଯେ ଶଇଲେ

ଶତେ ଭାଇ ଛନ୍ତି ତାର ଧୁଶାସନ ମୂଳେ |୮୪|

ମାନଗୋବିନ୍ଦ ରାଜା କନ୍ଧରେ ଲକ୍ଷ୍ମୀ ଥାଇ

ହାଥ ପାଦରେ ଶଙ୍ଖନିଧି ପଦ୍ମନିଧି ଯେ ଅଛଇ |୮୫|

ଲକ୍ଷଣବନ୍ତ ପୁରୁଷ ଲକ୍ଷ୍ମୀ କ୍ଷଣେହେଂ ନ ଛାଡ଼ଇ

ଲକ୍ଷେ ରାଜା ଉପରେ ମଉଡ଼ମଣି ସେ ବୋଲାଇ

ମହାବଳୀ କର୍ଣ୍ଣ ଯେ ପାଖରେ ତାର ଥାଇ |୮୬|

ମନ୍ତ୍ରୀ ମୁଖରୁ ସେହୁ ୟେସନେକ ବାଣୀ ଶୁଣି

କୋପେ ପ୍ରଜ୍ଜଳିତ ହେଲା ଅସୁରକୁଳ ନୃପମଣି |୮୭|

ବୋଇଲା ଥାଠ ସନ୍ୟ ତୁହି ମୋର ବେଗେ ସଜକର

ଅବଶ୍ୟ ଯିବଇଂ ମୁହିଂ ହସ୍ତିନା ନଗ୍ର ପୁର |୮୮|

ମନ୍ତ୍ରୀ ବୋଇଲା ରାୟେ କୋପ ତୁ ନ କର

ଦ୍ରିଯୋଧନର ଭାଇ ଯେ ଯୁଝେଷ୍ଠି ନୃପବର | ୮୯|

ପଣ୍ତୁ ରାଜାଂକର ସେହୁ ଅଟନ୍ତି ତନୟେ

ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ ହୋୟେ |୯୦|

ୟେମନ୍ତ ପାଞ୍ଚ ତନୟେ ପଣ୍ତୁ ରାଜାଂକର

ତାହାଂକର ମହିଂମା ଦେବେ ଦାନବେ ଅଗୋଚର |୯୧|

ଅର୍ଜୁନ ବୋଲି କରି ପଣ୍ତୁର ଯେବଣ ତନୟେ

ଶ୍ରୀକୃଷ୍ଣର ସାଦୃଶ୍ୟେ ଯେ ତାହାର ପ୍ରାଣ ହୋୟେ |୯୨|

ହର ଉଦ୍ୟାନ ବନେ ସେ ଈଶ୍ଵରନ୍ତ ଜିଣିଲା

କିଞ୍ଚିତ ସେବାରେ ସେ ପାର୍ବତୀଂକି ମଣାଇଲା |୯୩|

ଅକ୍ଷୟ ତ୍ରୋଣ ଯେ ପଶୁପତ୍ର ନେଲା ମାଗି

କୋପେ ଇଶ୍ଵରଂକୁ ଦେବୀ ହୋଇଲେ ବଇରାଗୀ |୯୪|

କୋଟି ଈଶ୍ଵର ହୋଇଲେ ନ ଜିଣନ୍ତୁ ବାବୁ ତୋତେ

ୟେମନ୍ତ ବର ଦିଲେ ହେମବନ୍ତର ଦୁହିତେ |୯୫|

ୟେ ନ୍ୟାୟରୁ ପାଣ୍ତବେ ଅଟନ୍ତି ବଳବନ୍ତ

ତିନିପୁରେ ତାହାଂକ ମହିମା ଅପ୍ରମିତ |୯୬|

ମଗଧ ଦେଶର ରାଜା ଜାରାସନ୍ଧ ରାୟେ

ଛୟାଣୋଇ ସହସ୍ର ରାଜା ବନ୍ଦୀ କରିଥାୟେ |୯୭|

ରାମକୃଷ୍ଣ ବୋଲି ବସୁଦେବର ତନୟେ

ମଥୁରାର ରାଜା ଯେ ଉଗ୍ରେସେନ ରାୟେ |୯୮|

ଉଗ୍ରେସେନର ପୁତ୍ର କଂସ ମହାରାଣ

ଅତି ଉତପାତ ସେ ହୋଇଲା ରାଜନ |୯୯|

ଜାରାସନ୍ଧ ଦୁହିତା ଅଟଇ ହେତି ଯେ ପରହେତି

ତାହାନ୍ତ ବିଭା ହୋଇଲା କଂସ ଯେ ନୃପତି |୧୦୦|

ଉଗ୍ରସେନ ଦୁହିତା ଦେବକୀ ନାମେ ନାରୀ

ବସୁଦେବଂକୁ ବିଭା କରିଥିଲା ଉଗ୍ରସେନ ଦଣ୍ତଧାରୀ |୧୦୧|

କଂସକୁ ନାରଦ କହିଲେ ଗୁପତ ବଚନ

ଭଣଞ୍ଜାଂକ ହାଥେ ତୁହି ହୋଇବୁ ନିଧନ |୧୦୨|

ତାହା ଶୁଣି କଂସରାୟେ ବଡ଼ କୋପକଲା

ଛଡ଼ଗୋଟି ଭଣଞ୍ଜାଂକୁ ହାଥେ କଚାଡ଼ିଲା |୧୦୩|

ବସୁଦେବ ରାମକୃଷ୍ଣଂକୁ ଚୋରାଇ ଯେ ନେଇ

ଗୋପପୁରେ ନନ୍ଦଘରେ ଛାଡ଼ିଣ ଆସଇ |୧୦୪|

ଅଷ୍ଟ ବରଷ ଯେ ତହିଂ ବଢିଲେ ରାମକୃଷ୍ଣ

ଘେନାଇ ଅଇଲା ତହୁଂ ଯେ କଂସ ନୃପନାଥ |୧୦୫|

ଧନୁ ମଉଛବ ଯାତ୍ରା ଗୋଟିୟେକ ଭିଆଇ

ଗୁପତେ ଅକ୍ରୂର ପେଶି ଅଇଲା ଘେନାଇଂ |୧୦୬|

ଦେଖିଲା ମାତ୍ରକେ କଂସ ହୋଇଲା ପ୍ରାଣେ ନାଶ

ଦୋହିତାୟେ କାନ୍ଦି କହିଲେ ଜାରାସନ୍ଧ ପାଶ |୧୦୭|

କ୍ରୋଧେଣ ସେହୁ ଧାଡ଼ି ଦିଲା ଅଠର ଯେ ବେଳ

ରାମକୃଷ୍ଣ ପଳାଇଲେ ଛାଡ଼ି ମଥୁରା ରାଜ୍ୟର |୧୦୮|

ସେ ଜାରାସନ୍ଧ ରାଜା ଅଟଇ ବଳୀୟାର

ତାର ଡରେ ଲୁଚିଛନ୍ତି ଯାଂଇ ଦ୍ୱାରାବତୀପୁର |୧୦୯|

ଶୁଣିଣ ପ୍ରୋଢାସୁର ଯେ ହସିଣ ଉଠିଲା

ମନ୍ତ୍ରୀ ମୁଖ ଚାହିଂକରି ବଚନ ଭାଷିଲା |୧୧୦|

ୟେମାନଂକ କଥା ମୁହିଂ ଶୁଣିଲି ଶ୍ରବଣେ

ଆଉ ରାଜା ମାନଂକର ମାନ ତୁ କହ ଜଣେ ଜଣେ |୧୧୧|

କୃପାଳୁ ଯେ କହଇ ପରିମାଣି

ଗୋଟି ଗୋଟି କରି ରାଜାମାନଂକ କଥା କହଇ ବଖାଣି |୧୧୨|

ଶୁଣିଣ ପ୍ରୋଢାସୁର କମ୍ପଇ ଥରହର

ରାଜାମାନଂକର କଥା ଶୁଣି କୋପେଣ ଗୁରୁତର |୧୧୩|

ମନ୍ତ୍ରୀକି ବୋଇଲା ତୁ ସବୁ କଥା ଛାଡ

ମୋହୋର କଥାକୁ ତୁ ହୋ ମନେ କର ଦୃଢ |୧୧୪|

ସନ୍ୟବଳ ମୋର ବେଗେଣ ତୁହି ସଜକର

କରିବି ମୁଂ ଦିଗ ବିଜେ ମଞ୍ଚମଣ୍ତଳର |୧୧୫|

ଦାଣ୍ତରେ ଦାଉଣ୍ତି ମୋର ବାଜୁ ଏହିକ୍ଷଣ

ଶଙ୍ଖ ଯେ ମହୁରୀ ଆଦି ବାଜୁ ଘନ ଘନ |୧୧୬|

ୟେହା ଶୁଣି କୃପାଳୁ ମନ୍ତ୍ରୀ ବେଗେଣ ଚଳିଗଲା

ଆପଣା ମନ୍ଦିରେ ସେ ପ୍ରବେଶ ହୋଇଲା |୧୧୭|

ଡଗରା ରାଇଣ ବୋଲଇ ମନ୍ତ୍ରୀମଣି

ଦାଣ୍ତରେ ଘୋଷଣ ଯେ ଦିଆଅ ୟେହିକ୍ଷଣି |୧୧୮|

ହାଥୀ ରଥୀ ପାଦାନ୍ତି ଅଶ୍ଵବଳ ଯେତେ

ସଜ ହୋଇ ଉଭା ଦାଣ୍ତେ ହୁଅନ୍ତୁ ସମସ୍ତେ |୧୧୯|

ଦାଣ୍ତରେ ଦାଉଣ୍ତି ଯେ ବାଜୁ ୟେହିକ୍ଷଣି

ଶଙ୍ଖ ମହୁରୀ ଯେ କାହାଳୀ ବାଜୁ ପୁଣି |୧୨୦|

ମନ୍ତ୍ରୀବର ବଚନେ ଡଗର ଚଳିଲେ

ଦାଉଣ୍ତି ଦିଅ ବୋଲି ଦାଉଣ୍ତିଆମାନନ୍ତ କହିଲେ |୧୨୧| ୧୦୪୬୨|

 

ପ୍ରୋଢାସୁରର ଦିଗ୍‌ବିଜୟ

ଶୁଣ ଆହୋ ମନୁରାୟେ ବଦନ୍ତି ଅଗସ୍ତି

ୟେକ ମନେ ଶୁଣ ତୁ ହୋ ମଧ୍ୟପର୍ବ ରୀତି |୧|

ତୁ ଯେ ପଚାରିଲୁ ମୋତେ ପ୍ରୋଢାସୁର ବଧ

ୟେକ ମନେ ଶୁଣ ତୁମ୍ଭେ ଚିତ୍ତ କରି ଶୁଦ୍ଧ |୨|

ଦାଉଣ୍ତି ବାଜନ୍ତେ ସନ୍ୟବଳ ଯେ ଶୁଣିଲେ

ଯେ ଯାହାର ମତେ ସଜ ହୋଇଣ ଅଇଲେ |୩|

ହାଥୀ ରଥ ଅଶ୍ଵ ଚଢି ହୋଇଲେ ବାହାର

ଉଲାଖ ଉଦଣ୍ତ ଯେ ଉଡ଼ଇ ଦାଣ୍ତର |୪|

ପାଦାନ୍ତି ବଳମାନେ ଯେ ଅଇଲେ ସଜ ହୋଇ

ମୁଖରାବ ଶବଦରେ କୁରୁମ ଉଛୁଳଇ |୫|

ତେର ଲକ୍ଷ ରଥୀ ତହିଂ ହୋଇଲେ ବାହାର

ଚଉଦ ଲକ୍ଷ ହାଥୀ ଯେ ଅତିହିଂ ଆଗୋଚର |୬|

ଅଠର ଲକ୍ଷ ଅଶ୍ଵ ଚଢିଣ ଅଶୁଆର

ଅଶ୍ଵ ଧୁଆଇଂଣ ଉଭା ହେଲେ ସିଂଘଦ୍ଵାର |୭|

ଵାଇଶି ଲକ୍ଷ ଯେ ପାଦାନ୍ତି ବଳ ସଜ

ମନୁଷ୍ୟଂକ ଛାଇରେ ଅଦୃଶ୍ୟ ହେଲେ ସୂର୍ଯ୍ୟ |୮|

ଲକ୍ଷେକ ବାଦ୍ୟକାର ଯେ ବଜାବନ୍ତି ବାଦ୍ୟ

ବାଦ୍ୟର ନାଦଘାତେ ଯେ ପୃଥୀଦେବୀ ବିଷାଦ |୯|

ସହସ୍ରେକ ଶଙ୍ଖ ଯେ ସହସ୍ରେକ ମହୁରୀ

ୟେହାଂକର ଶବଦେ ଟଳଟଳିତ ମହୀଆଳି |୧୦|

ଆପଣେ ମନ୍ତ୍ରୀବର ରଥେକ ସଜାଡ଼ିଲା

ଦିବ୍ୟବେଶ ହୋଇଣ ରାଜା ଛାମୁରେ ମିଳିଲା |୧୧|

ନମସ୍କାର କରିଣ ଯେ କହଇ ବଚନ

ସଜ ହୋଇ ଅଇଲେ ତୋହୋର ଥାଠ ସନ୍ୟ |୧୨|

ସମସ୍ତେ ସିଂଘଦ୍ଵାରେ ଛନ୍ତି ଉଭାହୋଇ

ଦିବ୍ୟ ରଥେକ ସଜ କରି ଅଛଇ ରଖାଇ |୧୩|

ଆପଣେ ବେଶ ବେଶନ ହୋଇ ତହିଂ ବିଜେକର

ଯହିଂକି ମନ ତହିଂକି ଯାଅ ହୋ ନୃପବର |୧୪|

ମନ୍ତ୍ରୀର ମୁଖରୁ ରାଜା ୟେସନେକ ଶୁଣି

ଆପଣେ ସଜ ହୋଇ ଅଇଲା ଦଇତକୁଳ ମଣି |୧୫|

ପାଗ ପାଛୋଡ଼ା ଯେ ଗନ୍ତାମାନ ବେଢାଇ

କର୍ଣ୍ଣରେ କୁଣ୍ତଳ ଯେ କଣ୍ଠେ କଣ୍ଠିମାଳ ଲାଇ |୧୬|

ହୃଦରେ ପଦକ ଯେ ଲମ୍ବାଇ ନୃପମଣି

ବୀରବର ନାମେ ତିଳକ ଘେନଇ ଲଲାଟରେ ପୁଣି |୧୭|

ଦିଗ ଚିରାଳ ଯେ ଉଡ଼ଇ ଫରହର

ଅନକୂଳ କରି ଯାଇଂ ବସିଲା ରଥର ଉପର |୧୮|

ଆଠ ଅଶ୍ଵ ନେଇ ଯୋଚିଲା ରଥରେ

ମନ୍ତ୍ରୀକି ଘେନି ରାଜା ବସିଲା ତହିଂରେ |୧୯|

ରାଜାଂକୁ ଚାହିଂଣ ମନ୍ତ୍ରୀ ବୋଲଇ ବଚନ

କେବଣ ଦିଗକୁ ରାଜନ କରୁଛ ଗମନ |୨୦|

ମନ୍ତ୍ରୀର ବଚନେ ଯେ ବୋଲଇ ପ୍ରୋଢାସୁର

ହସ୍ତିନା ନବରକୁ ଯିବା କରିଛି ବିଚାର |୨୧|

କୃପାଳୁ ମନ୍ତ୍ରୀ ଯେ ବିଚାରି ବୋଲଇ

ଦୋଷ କ୍ଷମା କଲେ ଛାମୁରେ ଜଣାଇବି ମୁହିଂ |୨୨|

ରାଜା ବୋଇଲେ ମୁଂ ଦୋଷ କଲି କ୍ଷମା

ନିର୍ଭୟ ହୋଇଣ ରେ କହସି ମହାତମା |୨୩|

କରପତ୍ର ଯୋଡ଼ି କହେ ରାଜାର ଛାମୁରେ

ୟେକମନ ହୋଇ ତୁ ହୋ ଶୁଣ ନୃପବରେ |୨୪|

କପିଳାସ କନ୍ଦରେ ତୋତେ କେହୁ ଦିଲା ବର

ୟେଥିର ତଦନ୍ତ କଥା କହ ମୋ ଆଗର |୨୫|

ମନ୍ତ୍ରୀର ବଚନେ କହଇ ମହାରାଣ

ଈଶ୍ଵରଂକ ପୁତ୍ର କାତ୍ତିକେଶ୍ଵରଂକୁ ମନାଇଛି ସେବାୟେଣ |୨୬|

ସେ ମୋତେ ପ୍ରସନ୍ନେ ଅଭୟେ ବର ଦେଇଣ ଅଛନ୍ତି

ଦେବ ଦାନବରେ ମୋତେ ଜିଣନ୍ତା ନାହିଂ ପୃଥୀ |୨୭|

ମନ୍ତ୍ରୀ ବୋଇଲା ମୁଂ କହଇ ତୋହର ଛାମୁରେ

ମୋହର କଥା ୟେବେ ଶୁଣ ହୋ ନୃପବରେ |୨୮|

କଉରୋବ ବଳଂକୁ ତୁ ନୁଆରିବୁ ଜିଣି

ଯେବେ ପାଣ୍ତଵ ଅର୍ଜୁନ ଅଛଇ ବୀରମଣି |୨୯|

ଯାହାକୁ ଈଶ୍ଵର ପାର୍ବତୀ ଦେଇଛନ୍ତି ବର

ତାହାକୁ ଜିଣନ୍ତା କେହି ନାହିଂ ତିନିପୁର |୩୦|

ଆବର କଥାୟେ ଯେ ଅଛଇ ତହିଂରେ

ଅକ୍ଷୟେ ତ୍ରୋଣ ପାଶୁପତ୍ର ଦେଇଛନ୍ତି ପାର୍ବତୀ ଈଶ୍ୱରେ ।୩୧।

ଆଗେତ ତୋହ ଛାମୁରେ କହିଅଛ ମୁହିଂ

ମୋହୋର ବଚନକୁ ତୁ ପାସୋରୁ ନୃପସାଇଂ ।୩୨।

କାର୍ତ୍ତିକେଶ୍ୱର ସିନା ତାହାଂକ କୁମର

ତାହାନ୍ତ ୟେଡ଼େ ସୁଦୟା ଅଛଇ ପିତାଂକର ।୩୩।

ମୋହୋର ବୋଲ ନ କରି ତୁ ଯେବେ ଯିବୁ ନୃପରାୟେ

କାର୍ଯ୍ୟ କିଛି ନୋହିବ ତୁ ନୋଇବୁ ଅଜୟେ ।୩୪।

ପୁରୁଷାନୁକ୍ରମେ ମୁହିଂ ସେବକ ତୋହୋର

କୁଞ୍ଜଗଳ ଦେଶକୁ ନ ଯିବା ମୋହୋର ମନର ।୩୫।

ମନ୍ତ୍ରୀର ବଚନ ରାଜା ମନରେ ଘେନିଲା

ହୃଦୟ ମଧ୍ୟରେ ତାର କଥାନ୍ତ ଭାଳିଲା ।୩୬।

ମନ୍ତ୍ରୀର ବୋଲଟି ଯେବେ ନ କରିବି ମୁହିଂ

କେମନ୍ତେ ମୁଂ ରାଜ୍ୟ ସୁଖେଣ ଭୋଗ କରିବଇଂ ।୩୭।

କୁଞ୍ଜଗଳ ଦେଶକୁ ଯାହା କରୁଥିଲା ମନ

ପୁଣ ପଚାରଇ ସେ ମନ୍ତ୍ରୀକି ଚାହିଂଣ ।୩୮।

କେଉଂଣ ରାଜାଠାରୁ ଆମ୍ଭେ କରିବା ପଲାଣି

ୟେଥିରେ ଉପାୟ ମନ୍ତ୍ରୀ କହ ମୋତେ ପୁଣି ।୩୯।

ମନ୍ତ୍ରୀ ବୋଇଲେ ୟେବେ କଥାୟେ କରିବା

ଦଣ୍ଡ ସାଜିଣ ଆମ୍ଭେ ଚଳାଇ ଯାଉଥିବା ।୪୦।

ଯେଉଂ ରାଜା ଆମ୍ଭନ୍ତ ସନ୍ଧାନ ଦେଇ ଭେଟିବାକ

ତାହାର ସଙ୍ଗେ ଆମ୍ଭେ ହୋ ନ କରିବା ହାକ ।୪୧।

ଆମ୍ଭର ସଙ୍ଗରେ ଯେହୁ କରିବ ସମର

ତାହାର ସଙ୍ଗେ ଆମ୍ଭେ ଯେ କରିବା ଦ୍ୱନ୍ଦଗୋଳ ।୪୨।

ୟେମନ୍ତ ବୋଲିଣ ମନ୍ତ୍ରୀ କହିଲା ମଣାଇଂ

ଥାଠ ଚଳାଇଣ ରାଜା ବାହାର ବେଗେ ହୋଇ ।୪୩।

ଅଳମ୍ବୁଷା ରାଜ୍ୟରୁ ବାହାର ହୋଇ ଗଲା

କପିଳାସ କନ୍ଦରକୁ ପ୍ରତିକ୍ଷଣ କଲା ।୪୪।

ବାଦ୍ୟନାଦ ଶବଦେ କମ୍ପଇ ମହୀଆଳି

ସର୍ବ ମଞ୍ଚମଣ୍ଡଳରେ ଯେ ପଡ଼ିଲା ହାଲହୋଳି ।୪୫।

ସ୍ୱର୍ଗର ଦେବତାୟେ ମହାଭୟେ କଲେ

ପ୍ରୋଢା ଅସୁର ବାହିଲା ବୋଲିଣ ଡରିଲେ ।୪୬।

ନାରଦଂକୁ ରାଇଣ ଯେ ବୋଇଲେ ପୁରନ୍ଦର

ଦିଗ ବିଜେକରି କାହିଂ ବାହି ଯାଉଛି ଅସୁର ।୪୭।

ନ ପୁଣ ସ୍ୱର୍ଗ ଭୁବନକୁ ଧାଡ଼ି ଦେଇ

ତୁମ୍ଭେ ଯାଇଂ ତଦନ୍ତ ବୁଝ ହୋ ମନ ଦେଇ ।୪୮।

ଇନ୍ଦ୍ରଂକ ବଚନେ ଯେ ନାରଦ ଚଳିଗଲେ

ପ୍ରୋଢାସୁର ଆଗରେ ଯାଇଣ ମିଳିଲେ ।୪୯।

ନାରଦଂକୁ ଦେଖି ପ୍ରୋଢାସୁର ରଥୁଂ ଓହ୍ଲାଇଲା

ଚରଣ ତଳେ ପଡ଼ି ନମସ୍କାର କଲା ୫୦।

ବୋଇଲା ଗୋସାଇଂ ହେ କାହିଂ ଥିଲ ତୁମ୍ଭେ

ମୋହୋର ଭାଗ୍ୟେ ତୁମ୍ଭନ୍ତ ଦେଖିଲଇଂ ୟେବେ ।୫୧।

ନାରଦ ବୋଇଲେ ତୁ ହୋ ଆମ୍ଭ କଲ୍ୟାଣରେ

ଆରୋଗ୍ୟ ଶରୀର ତୁ ହୋ ବହ କାଳେ କାଳେ ।୫୨।

କଲ୍ୟାଣ କରିଣ ତାକୁ ପଚାରନ୍ତି ଯେ ମୁନି

ଦିଗ ବିଜେକରି କି ଯାଉଛୁ ନୃପମଣି ।୫୩।

ସ୍ୱର୍ଗକଇଂ ଯିବୁ କି ପାତାଳକୁ ଯିବୁ

ଆବର କି ମଞ୍ଚଭୁବନେ ଭ୍ରମିବୁ ।୫୪।

ୟେଥିରେ ସନ୍ଦେଶ କହ ମୋର ଆଗେ

ଆମ୍ଭେହେ ଥାଇଂ କିନା ତୋହେର ଯେ ସଙ୍ଗେ ।୫୫।

ନାରଦଂକ ବଚନେ କହଇ ପ୍ରୋଢାସୁର

ରଥରେ ଭ୍ରମିବି ମୁଂ ମଞ୍ଚମଣ୍ଡଳର ।୫୬।

ୟେତେ କହି ରାଜା ଯେ ରଥରେ ବସିଲା

ନାରଦଂକ ହାଥ ଧରି ପାଶେ ବସାଇଲା ।୫୭।

ସମଦଣ୍ଡ ଘେନି ରାଜା ଦକ୍ଷିଣେ ଚଳଇ

ବିକଟାଳ ହୋଇ ଯେ ବାଦ୍ୟନାଦ ଶୁଭଇ ।୫୮।

କନାଉଜ ଦେଶ ରାଜା ନାମ କାମ୍ୟେଶ୍ୱର

ବାରତା ପାଇଣ ରାଜା କମ୍ପଇ ଥରହର ।୫୯।

ପ୍ରୋଢାସୁର ବାହିବାର ଡଗର କହିଲା

ମନ୍ତ୍ରୀକି ଚାହିଂଣ ଯେ ରାଜା ପଚାରିଲା ।୬୦।

ବୋଇଲା ପ୍ରୋଢାସୁର ଆସୁଅଛି ବହି

ଅବଶ୍ୟ ରାଜ୍ୟ ମୋର ନାରଖାର ହୋଇ ।୬୧।

କାମ୍ୟେଶ୍ୱର ରାଜା ଯେ ବିକଳ ହୁଅନ୍ତେ

କରପତ୍ର ଯୋଡ଼ିଣ କହଇ ମନ୍ତ୍ରୀନାଥେ ।୬୨।

ସମାଧାନ କରି ତାକୁ ଭଗତି ହୋଇବା

ତାହାର ସଙ୍ଗତେ ଆମ୍ଭେ ଦ୍ୱନ୍ଦ ନ କରିବା ।୬୩।

ଯୁଦ୍ଧ କଲେ ବଳେ ଯେ ନୁଆରିବା ଆମ୍ଭେ

ଧନ ସନ୍ଧାନ ଦେଇ ବୋଧ କରିବାକ ହାଦେ ।୬୪।

ମନ୍ତ୍ରୀର ବଚନେ ରାଜା ସନମତ କଲା

ଶତେକ ରଥରେ ପାଣିଦ୍ରବ୍ୟ ପୂରେଇଲା ।୬୫।

ପ୍ରୋଢାସୁର ଆଗେ ସେହୁ ମିଳିଲାକ ଯାଇଂ

ଶିରେ କରଦେଇ ବୋଲଇ କାମ୍ୟେଶ୍ୱର ନରସାଇଂ ।୬୬।

ଶତେରଥ ପାଣିଦ୍ରବ୍ୟ ଛାମୁରେ ଥୋଇଲା

ବିନୟ ଭଗତି ସେ ଯେ ଅନେକ ହୋଇଲା ।୬୭।

ଧନ ସନ୍ଧାନ ଯେ ପାଇଣ ଅସୁର

ବହୁତ ଗଉରୋବ କଲା କାମ୍ୟେଶ୍ୱର ନୃପବର ।୬୮।

ତହୁଂ ସନ୍ୟ ସେହୁ ଗଲାକ ଚଳାଇ

ବିରାଳ ଦେଶରେ ସେ ପ୍ରବେଶ ହେଲା ଯାଇ ।୬୯।

ବାରତା ପାଇଣ ଯେ ବୀର କେଦାର ରାଣ

ଡଗର କହିଲେ ଯାଇଂ ରାଜା ଛାମୁରେଣ ।୭୦।

ଆବଧାନ ହୋଇ ହୋ ଶୁଣିମା ଗୋସାଇଂ

ପ୍ରୋଢାସୁର ଆମ୍ଭ ରାଜ୍ୟକୁ ଆସୁଅଛି ବାହି ।୭୧।

ଶୁଣିଣ କେଦାରେଶ୍ୱର ହୋଇଲା ଆରତ

କି ବୁଦ୍ଧି କରିବି ବୋଲି ବିଚାରଇ ଚିତ୍ତ ।୭୨।

ୟେକାନ୍ତେ ମନ୍ତ୍ରୀକି ସେ ଗୁପତେ ରାଇଲା

ପ୍ରୋଢାସୁର ଆମ୍ଭର ରାଜ୍ୟକୁ ବାହିଲା ।୭୩।

କି ବୁଦ୍ଧି କରିବଇଂ ୟେବେ କହ ହୋ ବିଚାରି

ଯେମନ୍ତେ ରାଜ୍ୟ ମୋର ନୋହୋଇ ଉଜାଡ଼ି ।୭୪।

ରାଜାର ବଚନେ ଯେ ବୋଲଇ ମନ୍ତ୍ରୀବର

ମୁଂ ଯାହା କହିବି ତୁ ହୋ ଅନ୍ୟସ୍ଥା ନ କର ।୭୫।

ସମାଧାନ ଦେଇ ତାକୁ ପ୍ରୋବଧ କରିବା

ଯୁଦ୍ଧରେ ତାହାନ୍ତ ଆମ୍ଭେ ଜିଣି ନୁଆରିବା ।୭୬।

ମନ୍ତ୍ରୀର ବଚନେ ରାଜା ସନମତ କଲା

ଅନେକ ପାଣିଦ୍ରବ୍ୟନ୍ତ ଘେନିଣ ଚଳିଗଲା ।୭୭।

ଥାଠ ସଇନି ଘେନି ରାଜା ବାହାର ଯେ ହୋଇ

ପ୍ରୋଢାସୁର ଛାମୁରେ ସେ ମିଳିଲାକ ଯାଇ ।୭୮।

ମସ୍ତକେ ହାଥ ଦେଇ ହକଇ ବଚନ

ୟେଡ଼େ କୋପ ମୋତେ କିମ୍ପେ କରୁ ମହାରାଣ ।୭୯।

ସମଦଣ୍ଡ ଘେନି ୟେବେ ବାହୁଡ଼ିଣ ଯାଅ

ସର୍ବଦାକାଳେ ମୋତେ ଦୟାଭାବ ବହ ।୮୦।

ବୀର କେଦାରଂକ ମୁଖୁଂ ୟେସନେକ ଣୁଣି

ପ୍ରୋଢାସୁର ରାଜା ଯେ ମନେ ମନେ ଗୁଣି ।୮୧।

ୟେ ଯେବେ ଭଗତି ହୋ ଆସି ହୋଇଲାକ ମୋତେ

ୟେହାକୁ କୋପ ମୁଂ ତ ନ କରେ କଦାଚିତେ ।୮୨।

ଅନେକ ଧନରତ୍ନ କେଦାର ରାଣ ଦିଲା

ଭଗତି ଘେନିଣ ପ୍ରୋଢାସୁର ବାହୁଡ଼ିଲା ।୮୩।

ତହୁଂଣ ପ୍ରୋଢାସୁର ବାହୁଡ଼ନ୍ତେ ବହନ

ମଞ୍ଚପୁର ରାଜାମାନଂକ ଉପରକୁ କରଇ ପ୍ରୟାଣ ।୮୪।

ବାରତା ପାଇଣ ଯେ ସମସ୍ତେ ରାଜାମାନେ

ସମାଧାନ ଘେନି ଆସି ଭେଟନ୍ତି ଆପଣେ ।୮୫।

କେଇଂଣସିଠାରେ ରାଜା ଯୁଦ୍ଧ ନ ପାଇଲା

ଭଗତି ସମାଧାନ ପାଇ ସବୁଠାରୁ ବାହୁଡ଼ିଲା ।୮୬।

ୟେମନ୍ତ ଜିଣିଲା ଚଉରାଶି ସହସ୍ର ଯେ ରାଜା

କେଉଂଣସି ରାଜା ମୁଖେ ନ ପାଇଲା ପରିଜା ।୮୭।

ମଞ୍ଚମଣ୍ଡଳରେ ଛୟାଣୋଇଂ ସହସ୍ର ରାୟେ

ଆଉ ରାଜା ମାନେ କେ କେ ବୋଲି କୋପ କୟେ ।୮୮।

ମନ୍ତ୍ରୀର ମୁଖକୁ ଚାହିଂ ବୋଲେ ନୃପବର

ଆଉ କେତେ ରାଜା ଛନ୍ତି କହ ମୋ ଗୋଚର ।୮୯।

ମନ୍ତ୍ରୀ ବୋଲେ ଆଉ ଛନ୍ତି ବାରସସ୍ର ରାୟେ

ତାହାନ୍ତ ଜିଣିଲେ ତୁହି ହୋଇବୁ ଅଜୟେ ।୯୦।

ମନ୍ତ୍ରୀବର ବଚନେ ସେ ବୋଲେ ପ୍ରୋଢାସୁର

ତୋହୋର କଥା ଯେ ମୋତେ ନୋହିଲା ଗୋଚର ।୯୧।

କେଉଂ ଦିଗେ ରାଜ୍ୟ ଅଟେ ରାଜାମାନଂକର

ନାମଧରି କହ କିନା ମୋହୋର ଛାମୁର ।୯୨।

ତୁ ଯେ କୃପାଳୁ ମନ୍ତ୍ରୀ ମୋର ଅଟୁ ଗୁଣବନ୍ତ

ତୋହୋର କଥା ମୁଂ ନ ଲଂଘଇ କଦାଚିତ ।୯୩।

ରାଜାର ବଚନେ ମନ୍ତ୍ରୀ କହଇ କରଯୋଡ଼ି

ସାବଧାନ ହୋଇ ତୁ ହୋ ଶୁଣିମା ଦଣ୍ଡଧାରୀ ।୯୪।

ରାଜାମାନଂକର କଥା ଯେ ପଚାରିଲେ ମୋତେ

ୟେକ ୟେକ କରି କହଇ ତୁମ୍ଭଇ ଅଗ୍ରତେ ।୯୫।

ଦକ୍ଷିଣ ଦିଗ ମହୋଦଧି ହୋଇଗଲେ ପାରି

ଲଂକା ନାମେ ତହିଂ ଅଛଇ ୟେକ ଯେ ନଗରୀ ।୯୬।

ତହିଂରେ ରାଜପଣ ରାବଣ କରୁଥିଲା

ଦେବତାଂକ ସଙ୍ଗେ ସେହୁ ବିବାଦୀ ହୋଇଲା ।୯୭।

ତାହାର ଭୟେ ଦେବେ ସ୍ୱର୍ଗେ ନ ରହନ୍ତି

ବଶ୍ୟବୃତ୍ତି ହୋଇଣ ରାବଣକୁ ଖଟିଥାନ୍ତି ।୯୮।

ଛପନ ଗଣ୍ଡା ଯୁଗକୁ ଆଇଷ୍ୟ ଅଛଇ ତାହାର

ବ୍ରହ୍ମା କୁଶଧର ତାକୁ ଦେଇଥିଲେ ବର ।୯୯।

ଦେବତାୟେ ତାର ଉପଦ୍ରବ ସହି ନୁଆରିଲେ

ବିଷ୍ଣୁର ଛାମୁରେ ଦେବେ ଗୁହାରି ଯେ କଲେ ।୧୦୦।

ମର୍ତ୍ତ୍ୟପୁରେ ନାରାୟଣ ହୋଇଲେକ ଜାତ

ଦଶରଥ ରାଜାଘରେ ହୋଇଲେ ସମ୍ଭୂତ ।୧୦୧।

ମନୁଷ୍ୟର ଶରୀର ସେ ଧଇଲେ ନରହରି

କଇକୟାଂକ ଛଳେ ବନକୁ ଗଲେ ଚାପଧାରୀ ।୧୦୨।

ଭାଇ ଭାରିଜା ଯେ ସଙ୍ଗତେ ଘେନି ଗଲେ

ଦଣ୍ଡକା ଅରଣ୍ୟରେ ଯାଇଣ ରହିଲେ ।୧୦୩।

ଶ୍ରୀରାମଂକ ଭାରିଜା ଯେ ସୀତା ମହାସତୀ

ବାରତା ପାଇଣ ଚୋରାଇ ନେଲା ଲଂକପତି ।୧୦୪।

ଭାରିଯାର ଛଳେ ତହୁଂ ଶ୍ରୀରାମ ଧାଇଂଲେ

ଋକ୍ଷ କପିବଳମାନ ତହିଂ ରୁଣ୍ଡ କଲେ ।୧୦୫।

ତାହାଂକର ହାଥେ ଯେ ସେତୁବନ୍ଧ ବାନ୍ଧିଲେ

ପର୍ବତ ଅଣାଇ ଯେ ସାହେର ବନ୍ଧାଇଲେ ।୧୦୬।

ରାବଣର ଭାଇ ଯେ ନାମ ବିଭୀଷଣ

ସେ ଆସି ଶ୍ରୀରାମରେ ପଶିଲା ଶରଣ ।୧୦୭।

ତାହାନ୍ତ ଶ୍ରୀରାମ ଯେ ଲଂକାର ରାଜା କରି

ରାବଣର ବଂଶଯାକ ପକାଇଲେ ମାରି ।୧୦୮।

ବାସ୍ତରୀ କୁମର ଯେ ତେରଶତ ନାତି

ୟେକେ ୟେକେ ତିନିପୁର ସାଧି ସେ ପାରନ୍ତି ।୧୦୯।

କୁମ୍ଭକର୍ଣ୍ଣ ନାମେ ଥିଲା ତାର ୟେକ ଭାଇ

ଚଉଦ ଭୁବନେ ବୀର ତା ସମାନେ ନାହିଂ ।୧୧୦।

ଇନ୍ଦ୍ରଜିତ ବୋଲି ତାର ୟେକଇ କୁମର

ମେଘରେ ଲୁଚି କରଇ ସେ ବୀର ସମର ।୧୧୧।

ସେ ବୀରଗୋଟା ଲକ୍ଷ୍ମଣ ହାଥେ ପ୍ରାଣ ଦିଲା

ରାବଣର ଦଶମୁଣ୍ତ ଶ୍ରୀରାମ ଛେଦିଲା ।୧୧୨।

ବିଭୀଷଣକୁ ଲଂକାରେ କରିଣ ନୃପତି

ବୋଇଲେ ତୁ ଯୁଗେ ଯୁଗେ ଥିବୁ ୟେହିମତି ।୧୧୩।

ବୋଇଲେ ରାମନାମ ଯେତେକାଳ ଥିବ

ତେତେକାଳ ତୋର ରାଜାପଣ ରହିଥିବ ।୧୧୪।

ତ୍ରେତୟା ଦ୍ୱାପର ଦୁଇ ଯୁଗ ୟେବେ ହୋଇଲା

ନୃପତିପଣ ଯେ ତହିଂ ବିଭୀଷଣ କଲା ।୧୧୫।

ସେ ରାଜାକୁ ତୁହି ତ ଜିଣି ନୁଆରିବୁ ବଳେ

ଅଭିଷେକ ଯାହାକୁ କରିଛନ୍ତି ରଘୁବାଳେ ।୧୧୬।

ମନ୍ତ୍ରୀର ବଚନେ ରାଜା ଆନନ୍ଦେ ହସିଲା

ଆଉ ରାଜାଂକର ନାମ କହ ହୋ ବୋଇଲା ।୧୧୭।

କୃପାଳୁ ମନ୍ତ୍ରୀ ଯେ କହଇ ତୋଷ ଚିତ୍ତେ

ଆବର କଥାୟେ ତୋତେ କହଇ ନରନାଥେ ।୧୧୮।

କିଷ୍କିନ୍ଧ୍ୟା ରାଜ୍ୟ ବୋଲି ଅଛଇ ୟେକ ନଗ୍ରେ

ତହିଂର ନୃପତି ଅଟଇ ସୁଗ୍ରୀବର ରାଜେ ।୧୧୯।

ତାହାର ଜ୍ୟେଷ୍ଠ ଭାଇ ବାଳୀ ନାମେ ମହାରାଣ

ତାହାକୁ ନାରାଜ ଯେ ମାଇଲେ ରଘୁନାନ ।୧୨୦।

ସୁଗ୍ରୀବର ସଙ୍ଗେ ସେହୁ ମଇତ୍ର ହୋଇଲେ

କିଷ୍କିନ୍ଧ୍ୟା କଟକେ ତାକୁ ରାଜପଣ ଦିଲେ ।୧୨୧।

ୟେମନ୍ତେ ଯେ ତ୍ରେତୟା ଯୁଗ ଗଲା ବହି

ତାହାର ନନ୍ଦନ ସୁରବନ୍ତ ରାଜା ହୋଇ ।୧୨୨।

ଶ୍ରୀରାମର ବରେ ତାକୁ କାହାକୁ ନାହିଂ ଭୟେ

ତାହାର ତୁଲେ ସଂଗ୍ରାମ କଲେ ତୋତେ ନାହିଂ ଜୟେ ।୧୨୩।

ମନ୍ତ୍ରୀର ବଚନେ ରାଜା ମନ ହେତୁ କଲା

ପୁଣିହିଂ ରାଜାମାନଂକ ଚରିତ ମନ୍ତ୍ରୀକି ପୁଚ୍ଛିଲା ।୧୨୪।

ଆଉ କେଉଂଦିଗେ ଅଛଇ ଯେ କେଉଂ କେଉଂ ରାଜା

ତେବେ ସେ ମୋର ମନୁ ଉପେକ୍ଷିବି ପରିଜା ।୧୨୫।

କୃପାଳୁ ମନ୍ତ୍ରୀ ଯେ ମହାଭାଗ୍ୟବନ୍ତ

ପ୍ରୋଢାସୁର ଆଗେ ସେହୁ କହଇ ଗୁପତ ।୧୨୬।

ଆଗେ ତ ଶୁଣିଛୁ ଦୁଇ ରାଂଜାକ ଚରିତ

ଜାରାସନ୍ଧ ମାନଗୋବିନ୍ଦର ଚରିତ ବୃତ୍ତାନ୍ତ ।୧୨୭।

ଆବର ରାଜାୟେ ଅଛି ଜଦ୍ୟରଥ ନାମଇ

ୟେକରାଜା ଚେଦିଦେଶେ ଦମଘୋଷ ନାମେ ଥାଇ ।୧୨୮।

ସପତ ସମୁଦ୍ରେ ରାଜା ବରୁଣ ଯେ ହୋଇ

ପାତାଳେ ରାଜା ବାସୁକି ପୃଥିବୀ ବହଇ ।୧୨୯।

କାର୍ତ୍ତିକେଶ୍ୱର ତୋତେ ଯେ ମନା କରିଛନ୍ତି

ଯମରାଜା ତୁଲେ ତୁହି ନୋହିବୁ ଅପ୍ରୀତି ।୧୩୦।

ମଥୁରା କଟକେ ଅଛି ଉଗ୍ରସେନ ରାୟେ

ହରି ବଳରାମଂକର ଅଜାଗୋତ୍ର ହାୟେ ।୧୩୧।

ଆବର ରାଜାୟେ ଅଛି ମୃଗସେନ ବୋଲି

ବ୍ୟାସଂକର ତନୟ ସେ ଅଟଇ ମହାବଳୀ ।୧୩୨।

ରାଜାଂକ ଚରିତ ଶୁଣି ପ୍ରୋଢାସୁର କୋପକଲା

ମନ୍ତ୍ରୀକି ଚାହିଂଣ ସେହୁ ବଚନ ପ୍ରକାଶିଲା ।୧୩୩।

ଆଉର ରାଜାମାନଂକ ଚରିତ ଥାଉ ପଛେ

ମୃଗସେନ ଚରିତ ତୁ କହ ମୋ ଆଗେ ପ୍ରତଖ୍ୟେ ।୧୩୪।

ମନ୍ତ୍ରୀର ବୋଇଲା ହୋ ସେହୁ ବଡ଼ ବଳୀୟାର

ଥାଠ ସନ୍ୟ ନାହିଂ ତାର ୟେକା କରଇ ସମର ।୧୩୫।

ୟେକା ଧନୁ ୟେକା ନାରାଜ ଯେ ଧରିଥାଇ

ପର ଥାଠ ପଡ଼ିଲେ ସେ ୟେକାୟେ ଯୁଝଇ ।୧୩୬।

ମନ୍ତ୍ରୀ କହନ୍ତେଣ ପ୍ରୋଢାସୁର ହସିଣ କହିଲା

ମୃଗସେନ ବୋଲିଣ ସେ କିମ୍ପେ ନାମ ବୋଲାଇଲା ।୧୩୭।

କୃପାଳୁ ମନ୍ତ୍ରୀ ସେ ଯେ କହଇ ବଚନ

ତହିଂର ଚରିତ ଶୁଣ କହୁଛି ରାଜନ ।୧୩୮।

ବ୍ୟାସ ମହାଋଷି ମୃଗୁଣୀକି ହରିଥିଲେ

ସଇନ୍ଦୁ ପୁତ୍ରେକ ତହୁଂ ଜନମ ହୋଇଲେ ।୧୩୯।

ମନୁଷ୍ୟ ଯୋନିରେ ସେ ଯେ ଜାତ ହେଇନାହିଂ

ମୃଗୁଣୀ ଯୋନିରୁ ଜାତ ହୋଇଅଛି ସେହି ।୧୪୦।

ତେଣୁ ସେହୁ ମୃଗସେନ ନାମ ବୋଲାଇଲା

ବ୍ୟାସଋଷି ଆପଣେ ଯେ ଥାଇ ନାମ ଦେଇଗଲା ।୧୪୧।

ବ୍ୟାସଋଷି ପରସାଦେ ସେ କାହାକୁ ନ ଡରଇ

ନିର୍ଭୟ ହୋଇଣ ଗିରି ଶିଖେ ରହିଥାଇ ।୧୪୨।

ୟେହା ଶୁଣି ପ୍ରୋଢାସୁର ବଚନ ଭାଷିଲା

ମନ୍ତ୍ରୀ ମୁଖ ଚାହିଂଣ ଯେ ଆପଣେ ପଚାରିଲା ।୧୪୩।

ବୋଇଲା ପ୍ରୋଢାସୁର କେମନ୍ତ କରିବା

ଦଣ୍ଡ ସଇନ ଘେନି ଚାଲ ତାହା ସଙ୍ଗେ ଯୁଝିବା ।୧୪୪।

ମନ୍ତ୍ରୀ ବୋଇଲା ନୋହୋଇ ୟେମନ୍ତ ବିଚାର

ଋଷି ଅଂଶେ ଜାତ ହୋଇଅଛି ମୃଗସେନ ନୃପବର ।୧୪୫।

ପ୍ରୋଢାସୁର ମନ୍ତ୍ରୀକୁ ଘେନି କରଇ ବିଚାର

ୟେମନ୍ତ ସମୟେ ମିଳିଲେ ଯାଇଂ ନାରଦ ତପଶୀଳ ।୧୪୬।

ନାରଦଂକୁ ଦେଖିଣ ଯେ ପ୍ରୋଢାସୁର ଉଠିଲା

ମନ୍ତ୍ରୀକି ଘେନିଣ ଯେ ନମସ୍କାର କଲା ।୧୪୭।

ଗଉରୋବ କରି ତାଂକୁ ବସାଇଲା ପାଖର

ତୁମ୍ଭର କଲ୍ୟାଣେ ଦିଗବିଜେ କରିଛି ମୁନିବର ।୧୪୮।

ଅନେକ ରାଜା ମୁଂ ଯେ ଜିଣିଣ ଅଇଲି

କାହାରି ତୁଲେ ଯୁଦ୍ଧ ମୁହିଂ ନ ପାଇଲି ।୧୪୯।

ସମସ୍ତ ରାଜାୟେ ସମାଧାନ ଦେଇ ଭଗତି ହୋଇଲେ

ଅନେକ ପ୍ରକାରେଣ ମୋତେ ବିନୋୟୀ କହିଲେ ।୧୫୦।

ୟେବେ ମୃଗସେନ ରାଜା ସଙ୍ଗତରେ ମୁହିଂ

ଅବଶ୍ୟ ତାହାର ତୁଲେ ଦ୍ୱନ୍ଦ ଗୋଟିୟେ କରିବଇଂ ।୧୫୧।

ପ୍ରୋଢାସୁର ମୁଖରୁ ୟେସନେକ ବାକ୍ୟ ଶୁଣି

ବଚନ ବଖାଣନ୍ତି ନାରଦ ମହାମୁନି ।୧୫୨।

ମୋହୋର ବଚନ ଯେବେ ପାଳିବୁ ମହାରାୟେ

ତେବେ ସେ ତୋର ଆଗେ କହିବି କଥାୟେ ।୧୫୩।

ଋଷି ଅଂଶ ଘେନି ସେହୁ ହୋଇଅଛି ଜାତ

ତେଣୁ କରି ଅଟଇ ସେ ମହାବଳବନ୍ତ ।୧୫୪।

ୟେକେ ବ୍ରାହ୍ମଣ ,ସେ ଯେ ଅବଧ୍ୟ ଅଟଇ

ଦୁଜେ କ୍ଷତ୍ରୀପଣ କରି ଧନୁ ଶହସ୍ର ଧରଇ ।୧୫୫।

ୟେକା ହୋଇଣ ସେହୁ ଯେ କରଇ ସମର

ତାହାର ସଙ୍ଗେ ସମର କରିବା ଆମ୍ଭର ନୋହଇ ବିଚାର ।୧୫୬।

ତାହାର ସଙ୍ଗତେ ତୋତେ ପ୍ରୀତି କରାଇବା

ତୁମ୍ଭ ଦୁଇଜଣଂକୁ ଯେ ମଇତ୍ର ବନ୍ଧାଇବା ।୧୫୭।

ପ୍ରୀତି ବନ୍ଧୁପଣ ଯେ କାଳେ କାଳେ ଥିବ

ତିନିଯୁଗ ପରିଯନ୍ତେ କଥା ରହିଥିବ ।୧୫୮।

ନାରଦଂକ ବଚନେ ପ୍ରୋଢାସୁର ଯେ ହସିଲା

ହୋଉ ବୋଲିଣ ସେହୁ ଯେ ସନମତ କଲା ।୧୫୯।

ରାଜାର ବଚନ ଯେ ନାରଦ ଉଠିଲେ

ମୃଗସେନ ସନିଧ୍ୟରେ ଯାଇଣ ମିଳିଲେ ।୧୬୦।

ନାରଦଂକୁ ଦେଖିଣ ମୃଗସେନ ରାୟେ

ଉଠିଣ ମୁନିଂକର ଚରଣେ ବିନୟେ ।୧୬୧।

କିମର୍ଥେ ମୁନି ହେ ତବ ୟେଥକୁ ଆଗମନ

ମୋତେ ସଂଖୋଳି କି ଅଇଲ ମହାମୁନ୍ୟ ।୧୬୨।

ନାରଦେ ବୋଇଲେ ଆମ୍ଭେ ଅଇଲୁ ଯହିଂ ପାଇଂ

ତହିଂର ଚରିତ ହୋ ତୁ ଶୁଣ ମନଦେଇ ।୧୬୩।

ପ୍ରୋଢାସୁର ବୋଲିଣ ଯେ ଅସୁର ଗୋଟାୟେ

ଦିଗବିଜେ କରି ଆସି ଜିଣୁଛି ସର୍ବରାୟେ ।୧୬୪।

ବଡ଼ାଇ ଗରିଷ୍ଠ ସେହୁ ଅଟଇ ପାମର

ଦୁଷ୍ଟପଣ କରି ଯେ ବୁଲଇ ମୃତୁପର ।୧୬୫।

ୟେବେ ଯେ ତୋହୋର ରାଜ୍ୟକୁ ଆସୁଅଛି

ତେଣୁ କରି ତୋତେ କହିଲୁ ହୋ ବ୍ୟାସବଚ୍ଛି ।୧୬୬।

ଶୁଣିଣ ମୃଗସେନ ଯେ କୋପଭର ହୋଇଲା

କାହିଂଅଛି ବୋଲିଣ ଯେ ମୁନିଂକି ପଚାରିଲା ।୧୬୭।

ମୁନି ବୋଇଲେ ହୋ ସେହୁ ଅଛଇ ବହୁଦୂରେ

ଆମ୍ଭେ ଦେଖିଣ କହି ଅଇଲୁ ତୋହୋରେ ।୧୬୮।

ୟେବେ ଆସି ତୋହୋର ନିକଟେ ହେଲାଣି

କି ବିଚାର କରିବା କହ ହୋ ନୃପମଣି ।୧୬୯।

ମୃଗସେନ ବୋଇଲା ମୁଂ ତାହାର ସଇନ ବଳ ନାଶିବି

ୟେକା କାଣ୍ଡକରେ ତାହାର ହୃଦୟ ବିଦାରିବି ।୧୭୦।

କେତେ ବଳ ତାହାର ଅଛଇ ୟେବେ ଆସୁ

ଅବଶ୍ୟ ଶରୀର ତାହାର କରିବି ଧୂଳି ପାଂଶୁ ।୧୭୧।

ମୃଗସେନ ପ୍ରତଗ୍ୟାଂ ଦେଖିଣ ମୁନିବର

କୋମଳ କରିଣ କହନ୍ତି ବଚନ ମଧୁର ।୧୭୨।

ବାବୁ ସମସ୍ତ ରାଜାମାନେ ସମାଧାନ ଦିଲେ

ଅନେକ ପ୍ରକାରେ ତାକୁ ବିନୋୟୀ କହିଲେ ।୧୭୩।

ତୁ ୟେବେ କଥାୟେ ହୋ କର ନୃପବର

ଆମ୍ଭର ବଚନକୁ ତୁ ୟେବେ ପ୍ରତିପାଳ ।୧୭୪।

ଦୁଷ୍ଟର ସଙ୍ଗତେ କିମ୍ପେ କରିବା ଦ୍ୱନ୍ଦ କଳି

ବଚନ କର୍ତ୍ତବ୍ୟରେ ଯିବ ସେହୁ ଚଳି ।୧୭୫।

ତାହାର ସଂଗତେ ତୋତେ ପ୍ରୀତି କରାଇବା

ଦୁଇଜଣଂକୁ ଆମ୍ଭେ ସତ୍ୟେ ମନାଇବା ।୧୭୬।

ବିନାଶ କାରଣେ ହୋ ନୋହୁ ୟେତେ ଦ୍ୱନ୍ଦଗୋଳ

ୟେଥକୁ କିମ୍ପେ କୋପ କରୁଛୁ ମହୀପାଳ ।୧୭୭।

ନାରଦଂକ ବଚନେ ମୃଗସେନ ଯେ ବୋଇଲା

ମୁନିଂକ ବଚନ ମୋର ମେଣ୍ଟଣ ନ ଗଲା ।୧୭୮।

ୟେମନ୍ତେ ପ୍ରୋଢାସୁର ଯେ ଦଣ୍ଡ ସନ୍ୟ ଚଳାଇ

ପର୍ବତର ତଳେ ସେହୁ ମିଳିଲାକ ଯାଇଂ ।୧୭୯।

ଟମକ ନିଶାଣ ବାଜଇ ଯେ ଗୁରୁ ଟାଣ

ଶୁଣିଣ ମୃଗସେନ ଯେ କରଇ କୋପମନ ।୧୮୦।

ନାରଦେ ବୋଇଲେ କୋପ ନ କର ତୁ ରାୟେ

ଆମ୍ଭର ବଚନେ ଶାନ୍ତୁହୁଅ ବ୍ୟାସଂକ ତନୟେ ।୧୮୧।

ମୃଗସେନକୁ କହିଣ ନାରଦେ ଚଳିଗଲେ

ପ୍ରୋଢାସୁର ଛାମୁରେ ସେ ଯାଇଂଣ ମିଳିଲେ ।୧୮୨।

ପ୍ରୋଢାସୁର ଉଠି ଯେ କରଇ ନମସ୍କାର

କି ବିଚାର ତହିଂରେ କଲ କହ ହୋ ମୁନିବର ।୧୮୩।

ନାରଦେ ବୋଇଲେ ତାହା କହିବା ତୋର ଆଗେ

ଦ୍ୱନ୍ଦରେ ଆରମ୍ଭ ନ କରିବ ତୋର ସଙ୍ଗ ।୧୮୪।

ସର୍ବ ଶୁଭ କଥା ଶୁଣିଲୁ ଯେ ଶୁଭ ଭାଗ୍ୟେ

ପ୍ରୀତି କଥାମାନ କହିଲା ସେ ମୋର ଆଗେ ।୧୮୫।

ଶୁଣିଣ ପ୍ରୋଢାସୁର ଯେ ସନ୍ତୋଷ ହୋଇଲା

ବହୁତ ବିନୋୟୀ ହୋଇ ମୁନିଂକି ପ୍ରଶଂସିଲା ।୧୮୬।

ମୁନିୟେ ବୋଇଲେ ଦୁହେଂ ମଇତ୍ର ଯେ ହୁଅ

ଯୁଗେ ଯୁଗେ କଥା ପୁଣ ରୁହାଇଣ ଥାଅ ।୧୮୭।

ୟେତେ କହି ମୁନି ଯେ ବହନ ଉଠିଲେ

ମୃଗସେନ ରାଜା ପାଶେ ସେହୁ ଯାଇଂଣ ମିଳିଲେ ।୧୮୮।

ଦୁହିଂକ ପ୍ରୀତି ସେ କରାଇବା ହାଦେ

କଳି ଦ୍ୱନ୍ଦ ନୋହୁ ସେହୁ ଯାଉ ଅପ୍ରମାଦେ ।୧୮୯।

ମୁନିଂକ ବଚନେ ମୃଗସେନ ସନମତ କଲା

ହୋଉ ବୋଲିଣ ସେ ଯେ ବଚନ ଭାଷିଲା ।୧୯୦।

ପ୍ରୋଢାସୁରକୁ ତହୁଂ ଯେ ଘେନାଇଗଲେ ମୁନି

ଦୁଇ ରାଜାଂକୁ ସେ ଭେଟ କରାଇଲେ ପୁଣି ।୧୯୧।

ସୁକୃତ ଲଗାଇ ଦୁହିନ୍ତି ମଇତ୍ର ବନ୍ଧାଇଲେ

ବିଧି ପ୍ରକାରେ ପ୍ରୋଢାସୁରକୁ ବାହୁଡ଼ାଇ ଦିଲେ ।୧୯୨।

ତହୁଂ ଥାଠ ଘେନିଣ ସେ ଚଳଇ ବହନ

କାମେଶ୍ୱର ବନେ ଯେ ପ୍ରବେଶ ତତକ୍ଷଣେ ।୧୯୩।

ସେ ଦେଶର ରାଜା ଯେ କାମେଶ୍ୱର ରାୟେ

ବାରତା ପାଇଣ ସେହୁ ମନ୍ତ୍ରୀକି ହକରାୟେ ।୧୯୪।

କି ବୁଦ୍ଧି କରିବା ୟେବେ ହୋ କହ ମନ୍ତ୍ରୀବର

ପ୍ରୋଢାସୁର ବାହିଲା ଯେ ଆମ୍ଭର ରାଜ୍ୟର ।୧୯୫।

ଯୁଦ୍ଧ ଆରମ୍ଭିବା କି ପ୍ରୀତି ଆରମ୍ଭିବା

କିବା ସମାଧାନ ଦେଇ ତାକୁ ବାହୁଡ଼ାଇ ଦେବା ।୧୯୬।

ତୁ ଯେ ମନ୍ତ୍ରୀବର ହୋ ବିଚାରିଣ କହ

ମନ୍ତ୍ରୀ ବୋଇଲା ଶୁଣିବାକୁ ଅବଧାନ ହୋଅ ।୧୯୭।

ପ୍ରୋଢାସୁର ଅସୁର ଯେ ଅଟଇ ବଡ଼ ଦୁଷ୍ଟ

ବଡ଼ାଇ ଦ୍ୱନ୍ଦୀ ସେହୁ ଅଟଇ ଗରିଷ୍ଠ ।୧୯୮।

ଯୁଦ୍ଧ କଲେ ତାହାକୁ ଆମ୍ଭେ ନୁଆରିବା ଜିଣି

ଅକାରଣେ ଅନେକ ଲୋକ ମରାଇବା ପୁଣି ।୧୯୯।

ରାଜ୍ୟର ଜନ ପରାଜୟେ ହୋଇବାକ ଧ୍ୱଂସି

ଯୁଦ୍ଧ ନ କରିବା ହୋ ଶୁଣ ନୃପଶିଷି ।୨୦୦।

ସମାଧାନ ଦେବା ସେ ବାହୁଡ଼ିଣ ଯାଉ

ମୋହୋର ବିଚାରକୁ ଯେ ଯୋଗାଇଲା ୟେହୁ ।୨୦୧।

କାମେଶ୍ୱର ରାଜା ତହୁଂ ବୋଲଇ ବଚନ

ତୋହୋର ବଚନ ମୁଂ କେବେହେଂ ନ କରଇ ଆନ ।୨୦୨।

ୟେମନ୍ତର ସମୟେ ଟମକ ନିଶାଣ ବାଜିଲା

ଧାଇଂ ଆସିଣ ଡଗର ଯେ ବାରତା କହିଲା ।୨୦୩।

ପ୍ରୋଢାସୁର ବାହିଲା ହୋ ତୋହୋର ରାଜ୍ୟକୁ

ୟେଥକୁ ଉପାୟ ହୋ ବିଚାର ମନକୁ ।୨୦୪।

ୟେହା ଶୁଣିଣ ରାଜା ମନ୍ତ୍ରୀକି ଚାହିଂ

ସମାଧାନ ତିଆରିଣ ଯିବା ତାଂକ ତହିଂ ।୨୦୫।

ଆଗ୍ୟାଂ ପ୍ରମାଣେ ମନ୍ତ୍ରୀ ତତକ୍ଷଣେ ଚଳିଗଲେ

ଶତେକ ରଥରେ ପାଣିଦ୍ରବ୍ୟ ପୂରେଇଲେ ।୨୦୬।

ଅଳପ ସନ୍ୟ ଯେ ସଜକଲା ରାୟେ

ଆପଣେ ଦିବ୍ୟ ବେଶ ହୋଇଲା ଗୋଟାୟେ ।୨୦୭।

ସୁଖାସନ ଚଢି ରାଜା ବାହାର ହୋଇଲା

ସଙ୍ଗତରେ ମନ୍ତ୍ରୀବରକୁ ୟେ ଘେନାଇଲା ।୨୦୮।

ତହୁଂ ଖଣ୍ଡେ ଦୂର ଗଲେକ ଚଳାଇ

ପ୍ରୋଢାସୁର ଛାମୁରେ ମିଳିଲାକ ଯାଇଂ ।୨୦୯।

ଶିରେ କର ଦେଇଣ ସେ ବିନୟୀ ହୋଇଲା

ଶତେ ରଥ ପାଣିଦ୍ରବ୍ୟ ଛାମୁରେ ଥୋଇଲା ।୨୧୦।

ଅନେକ ପ୍ରକାରେ ରାଜା ବିନୟୀ ହୋଇଲା

ଦୋଷ କ୍ଷମାକର ବୋଲି ସେ ବୋଇଲା ।୨୧୧।

କାମେଶ୍ୱର ରାଜାର ବିନୟ ଭଗତିଭାବ ଦେଖି

କୋପ ଶାନ୍ତି କଲା ଯେ ହୋଇଲା ପରମ ସୁଖୀ ।୨୧୨।

ସମାଧାନ ପାଇଣ ଯେ ପ୍ରୋଢାସୁର ବାହୁଡ଼ିଲା

ଥାଠ ସନ୍ୟ ଘେନାଇଣ ତହୁଂ ଚଳିଗଲା ।୨୧୩।

ୟେମନ୍ତ ସେ ଥୋକାୟେ ଦୂର ଅନ୍ତରଣେ

ନଗ୍ରେକ ଦେଖିସଲା ସେ ବଡ଼ାଇ ବିତକ୍ଷଣ ।୨୧୪।

ସେ ନଗ୍ରର ନାମ ସୁଜାଣ ଅଟଇ

ଅମରାବତୀକି ଜାଣି ପଟାନ୍ତର ସେହି ।୨୧୫।

ସେ ରାଜାର ନାମ ଯେ ଅଟଇ ସୁରବୀର

ନଗ୍ରଗୋଟି ତାର ଅତିହିଂ ସୁସଞ୍ଚ ସୁନ୍ଦର ।୨୧୬।

ରାଜ୍ୟ ପ୍ରଜାଜନମାନେ ଅଟନ୍ତି ବଡସୁଖୀ

ଧନବନ୍ତ ପଣେ ତାକୁ କୁବେର ସଙ୍ଗେ ଲେଖି ।୨୧୭।

ସେ ସୁରବୀର ରାଜା ଅଟଇ ବଡ଼ ବିଗ୍ୟଂବନ୍ତ

କାହାରି ସଙ୍ଗରେ ସେହୁ ନ କରଇ ଅନର୍ଥ ।୨୧୮।

ଆପଣା ସୁଖେ ସେ ତାର ରାଜ୍ୟ କରୁଥାଇ

କାହାରି ସଙ୍ଗରେ ସେ ଯେ ଖଡ଼ିଆଳି ନୋହଇ ।୨୧୯।

ଶତ୍ରୁ ବୋଲି ରାଜା କିଛିହିଂ ନ ଜାଣଇ

ପରରାଷ୍ଟ୍ର ପଡ଼ିଲେ ରାଜା ଧର୍ମେଣ ନିବାରଇ ।୨୨୦।

ଦାନୀପଣକୁ ରାଜା କର୍ଣ୍ଣର ସମାନ

ନିରନ୍ତରେ ବିଷ୍ଣୁପାଦେ କରୁଥାଇ ଧ୍ୟାନ ।୨୨୧।

ତାହାର ରାଜ୍ୟକୁ ଯେ ପ୍ରୋଢାସୁର ବାହିଲା

ୟେ ବାରତା ଯାଇଂ ତାକୁ ଡଗରା ଜଣାଇଲା ।୨୨୨।

ସାବଧାନ ହୋଇ ତୁମ୍ଭେ ଶୁଣିମା ଗୋସାଇଂ

ତୋହୋର ରାଜ୍ୟକୁ ପ୍ରୋଢାସୁର ସମଦଣ୍ଡ ଯେ ଚଳାଇ ।୨୨୩।

ଶୁଣିଣ ସୁରବୀର ବଡ କାତର ହୋଇଲା

ଗୋବିନ୍ଦଂକ ଶ୍ରୀଚରଣେ ରାଜା ଚିତ୍ତବୃତ୍ତି ଦିଲା ।୨୨୪।

ଜଗତର ନାଥ ତୁମ୍ଭେ କର ମୋତେ ତ୍ରାହି

ତୋହୋର ଚରଣ ବିନୁ ମୁଂ ଅନ୍ୟଗତି ନ ଜାଣଇ ।୨୨୫।

ଭଗତମଚ୍ଛଳ ହରି କରୁଣା ସାଗର

ନାମଗୋଟି ଯାହାରଟି ସଂସାରରେ ସାର ।୨୨୬।

ସେ ପ୍ରଭୁ ମୋତେ ସର୍ବଦା ଦୟା କରିଥାଇଂ

ଘୋର ବିପଦରୁ ସେ ମୋତେ ଉଦ୍ଧରି ଧରଇ ।୨୨୭।

କରୁଣାସାଗର ଗୋସାଇଂ କରୁଣା କର ମୋତେ

ତୁମ୍ଭର ପ୍ରସାଦେ ମୁଂ ବ୍ରତଇ ନିଶ୍ଚିତେ ।୨୨୮।

ୟେବେ ଆସି ସୋତେ ପ୍ରଭୁ ପଡ଼ିଲା ବିପତ୍ତି

ବେଳେକ ଉଦ୍ଧରି ଧର ଦେବ ଶିରୀପତି ।୨୨୯।

ୟେମନ୍ତେ ଅନେକ ସ୍ତୁତି କଲା ଯହୁଂ ରାଜା

କଣ୍ଠରେ ବିଜେ କଲେ ବ୍ରହ୍ମାର ତନୁଜା ।୨୩୦।

ବୁଦ୍ଧିୟେକ ଆସି ତାର ପ୍ରସରିଲା ମନେ

ସମାଧାନ ଦେଇ ତାକୁ କରିବା ଦ୍ରଶନେ ।୨୩୧।

ୟେତେକ ବିଚାରି ରାଜା ମନ୍ତ୍ରୀକି ଚାହିଂଲା

ଦେଖା ଦରଶନି ଧନ ସଜକର ହୋ ବୋଇଲା ।୨୩୨।

ଆଗ୍ୟାଂ ପରମାଣେ ମନ୍ତ୍ରୀବର ଯେ ଚଳଇ

ପଞ୍ଚାଶ ରଥରେ ପାଣିଦ୍ରବ୍ୟ ଯେ ପୂରୋଇ ।୨୩୩।

ଆପଣେ ମନ୍ତ୍ରୀବର ବେଗେ ସଜହେଲା

ପୁଣିହିଂ ରାଜା ଛାମୁରେ ଯାଇଂ ସେ ମିଳିଲା ।୨୩୪।

ପଞ୍ଚାଶ ରଥରେ ପାଣିଦ୍ରବ୍ୟ ସଜକରି

ୟେବେ କିସ ବିଚାର ମନ୍ତ୍ରୀବର ପଚାରି ।୨୩୫।

ସୁରବୀର ରାଜା ବୋଲଇ ୟେହି ଅନକୂଳେ ଯିବା

ସମାଧନ ଦେଇ ତାହା ସଙ୍ଗେ ପୀରତି ହୋଇବା ।୨୩୬।

ରଥକେ ଚଢି ରାଜା ବାହାର ଯେ ହୋଇ

ପ୍ରୋଢାସୁର ଆଗେ ଡଗର କହିଲେକ ଯାଇଂ ।୨୩୭।

ଶୁଣିମା ହୋ ସାବଧାନେ ନୃପତି କୁଳସାଇଂ

ସାବଧାନ ନେଇ ସୁରବୀର ରାଜା ଆସଇ ଚଳାଇ ।୨୩୮।

ପ୍ରୋଢାସୁର ବୋଇଲା ଯେବେ ପ୍ରୀତିପଣେ ଆସୁଅଛି

ତାହାର ସଙ୍ଗେ ଆମ୍ଭେ ଦ୍ୱନ୍ଦ ବାଦ ନ କରିବା କିଛି ।୨୩୯।

ୟେଥୁ ଅନନ୍ତରେ ହୋ ଶୁଣିମା ଦିବ୍ୟରସ

ସୁରବୀର ରାଜା ମିଳିଲା ପ୍ରୋଢାସୁର ପାଶ ।୨୪୦।

ଶିରେ କର ଦେଇଣ ଯେ କହଇ ବଚନ

ଦୟା କଲ ମୋହୋର ରାଜ୍ୟରେ ପଡ଼ିଲା ଚରଣ ।୨୪୧।

ପଞ୍ଚାଶ ରଥ ପାଣିଦ୍ରବ୍ୟ ଛାମୁରେ ଥୋଇଲା

ଅନେକ ବିନୋୟୀ ହୋଇଣ ବଚନ ଭାଷିଲା ।୨୪୨।

ରାଜାର ବିନୟ ଭଗତି ଦେଖି ପ୍ରୋଢାସୁର

ଭଗତି ଘେନି ତହୁଂ ହୋଇଲା ବାହାର ।୨୪୩।

ସମସ୍ତ ଦଣ୍ଡ ସନ୍ୟ ଘେନିଣ ଚଳଇ ଆପଣ

ସୁରବୀର ରାଜାକୁ ସେହୁ ମେଲାଣି ଦେଇଣ ।୨୪୪।

ୟେହିରୂପେ ଅନେକ ରାଜ୍ୟ ଭ୍ରମଣି ସେ କଲା

କେହୁଣସି ରାଜ୍ୟଠାରେ ସେ ଦ୍ୱନ୍ଦ ନ ପାଇଲା ।୨୪୫।

ଶୁଣ ମନୁରାଜା ହୋ ବଦୟନ୍ତି ଅଗସ୍ତି

ୟେକମନ ହୋଇ ଶୁଣ ମହାଭାରଥ ରୀତି ।୨୪୬।

ତୁ ଯେ ପଚାରିଲୁ ଶୁଣ ସାବଧାନେ

ଅପଂଣ୍ତିତ ପଣ୍ଡିତ ହୋୟେ ୟେହା ଶୁଣିଲେ ଶ୍ରବଣେ ।୨୪୭।

ଶୁଣିଣ ମନୁ ରାଜା ମୁନିଂକ ଚରଣେ

ପୁଣ ପୁଣ ନମସ୍କାର କରଇ କ୍ଷଣେ କ୍ଷଣେ ।୨୪୮।

ସାବଧାନ ହୋଇ ଣୁଣିମା ଗୋସାଇଂ

ୟେବେ ପ୍ରୋଢାସୁର କି କଲା ମୋତେ କହିବା ବୁଝାଇ ।୨୪୯।

ସୁରବୀର ରାଜାକୁ ସେ ମେଲାଣି ଯେ ଦିଲା

ସମଦଣ୍ଡ ଘେନିଣ ଯେ ସେହୁ ତହୁଂ ବାହୁଡ଼ିଲା ।୨୫୦।

କେବଣ ଦେଶକୁ ସେହୁ ଗଲାକ ଚଳାଇ

ୟେହା ମୋତେ ବୁଝାଇ କହ ହୋ ପୁଣ୍ୟଦେହୀ ।୨୫୧।

ଶୁଣିଣ ଅଗସ୍ତି ମୁନି ସନ୍ତୋଷ ହୋଇଲେ

ରାଜାଂକ ମୁଖକୁ ଚାହିଂ ବଚନ ବୋଇଲେ ।୨୫୨।

ସୁରବୀର ରାଜ୍ୟରୁ ଖଣ୍ଡେ ଦୂର ଯାଇଂ

ପ୍ରୋଢାସୁର ମନେ ଯେ ବିଚାର କରଇ ।୨୫୩।

ମନ୍ତ୍ରୀ ମୁଖ ଚାହିଂଣ ଯେ ଭାଷଇ ବଚନ

ମଞ୍ଚ ମଣ୍ଡଳଯାକ ମୁଂ ଅଇଲି ଭ୍ରମିଣ ।୨୫୪।

କେହୁଣସି ରାଜା ମୋତେ ଅସାଧ୍ୟ ନୋହିଲେ

ତିନିପୁରେ ୟେକାଙ୍କ ଚକ୍ରବତୀ ହୋଇଲଇଂ ଭଲେ ।୨୫୫।

ୟେବେ ଚାଲ ହୋ ନିଜ ରାଜ୍ୟକୁ ମୋର ପିତା

ନିଚିନ୍ତ ହୋଇଣ ଯେ ଆମ୍ଭେ ରାଜ୍ୟ କରୁଥିବା ।୨୫୬।

ମନ୍ତ୍ରୀ ବୋଇଲା ହୋ ଯେ ତୋହୋର ଆଗ୍ୟାଂ

ମୋହୋର ବେଳେ କରି ନୋହୋଇ ଅବଗ୍ୟାଂ ।୨୫୭।

ୟେମନ୍ତେ ମନୁରାୟେ ଶୁଣିମା ଦିବ୍ୟରସ

ଶୂନ୍ୟୁଂ ଆସି ମିଳିଲେ ବ୍ରହ୍ମାଂକର ଶିଷ ।୨୫୮।

କନ୍ଧେ ବୀଣା ଯନ୍ତ୍ର ଯେ କରେ ଦଣ୍ଡ ଲାଇ

ବିଭୂତି ଅଙ୍ଗେ ବୋଳି ବାଇବସ୍ର ପରିହରଣ ହୋଇ ।୨୫୯।

ୟେମନ୍ତ କଳି ଧୋକଡ଼ି ମୁଣି କାଖରେ ଯାକିଛନ୍ତି

ହରି ଧୂନି କରିଣ ସେ ଶୂନ୍ୟରେ ଗମନ୍ତି ।୨୬୦।

ସେ କଳହପ୍ରିୟ ମୁନି ଖୋଜୁଥାନ୍ତି କଳି

କଳି ଦ୍ୱନ୍ଦ ନ ପାଇଲେ ମନ ତାଙ୍କ ହୁଅଇ ଆକୁଳି ।୨୬୧।

ପୂର୍ବରୁ ଶାପ ତାଂକର କେବେହେଂ ମେଣ୍ଟଣ ନ ଯାଇ

ଥିର ହୋଇଣ ମୁନି କ୍ଷଣହେଂ ନ ରହଇ ।୨୬୩।

ମୁନି ଶୂନ୍ୟରୁ ଓହ୍ଲାଇଣ ମଞ୍ଚକୁ ଅଇଲେ

ପ୍ରୋଢାସୁର ଛାମୁରେ ସେ ଯାଇଣ ମିଳିଲେ ।୨୬୪।

ରଥ ଉପରେ ଥାଇଣ ଯେ ଦେଖିଲା ଅସୁର

ଉଠିଣ ନାରଦଂକ ଛାମୁରେ କଲାକ ଦରଶନି ନମସ୍କାର ।୨୬୫।

ଆଜ ମୋର ବଡ ଭାଗ୍ୟ ଦେଖିଲି ମୁନିମଣି

ବଡ଼ ଦୟାକରି ମୋତେ ଶଙ୍ଖୋଳି ଅଇଲ ତ ପୁଣି ।୨୬୬।

ରାଜାର ବିନୟ ଯେ ଭଗତି ଭାବ ଦେଖି

ଗଉରୋବ ପାଇଣ ତହିଂ ବସିଲେ ବ୍ରହ୍ମବଚ୍ଛି ।୨୬୭।

ସମସ୍ତ ଚରିତ ଦୁହେଂ କୁହାକୁହି ହ୍ୱନ୍ତି

ପ୍ରୋଢାସୁର ବୋଲଇ ଶୁଣ ହୋ ମହାଯତି ।୨୬୮।

ପୃଥୀଯାକ ବୁଲିଣ ମୁଂ ସମସ୍ତ ସାଧ୍ୟ କଲି

ଅନେକ ରାଜ୍ୟ ମୁହିଂ ଭ୍ରମି ଭ୍ରମି ଫୁଟିଲି ।୨୬୯।

ୟେଠାରେ ବିଶ୍ରାମ ମୁହିଂ କରିଅଛି ଆଜ

ୟେବେ ଲେଉଟିଣ ମୁଂ ଯିବି ନିଜ ରାଜ୍ୟ ।୨୭୦।

ପ୍ରୋଢାସୁର ମୁଖରୁ ୟେସନେକ ଶୁଣି

କଳହ ପ୍ରିୟ ମୁନି ବଚନ ଯେ ଭଣି ।୨୭୧।

କଳି ନ ପାଇଣ ମୁନି ଯେ ଭ୍ରମନ୍ତି ଦେଶେ ଦେଶେ

ୟେବେ ମିଳିଲେ ଆସି ପ୍ରୋଢାସୁର ପାଶେ ।୨୭୨।

ହସିଣ ବୋଲନ୍ତି ତୁ ହୋ ଶୁଣ ମହାରାୟେ

ଗୁପତ କରି ତୋତେ କହିବା କଥାୟେ ।୨୭୩।

ସବୁନ୍ତି ଜିଣିଲୁ ଆହୁରି ଅଛଇ ୟେକଜଣ

ତାହାକୁ ଜିଣିଲେ ତୁ ବୋଲାଇବୁ ବିତକ୍ଷଣ ।୨୭୪।

କୃତକେଶୀ ବୋଲି ରାଜା ୟେକ ଅଛି

ତାହାର ରାଜ୍ୟରେ କେହୁ ନୁଆରନ୍ତି ପଶି ।୨୭୫।

ତାହାର ରାଜ୍ୟକୁ ବେଢିଛି ପର୍ବତ ମାଳ

ଅଗମ୍ୟ ଲତା ତହିଂ ପନ୍ତି ପନ୍ତି ଗହଳ ।୨୭୬।

ଆବର କଥାୟେକ କରିଛି ଭିଆଣ

ପର୍ବତ ଚାରିପାଖେ ଖଣା ଖୋଳାଇଛି ଜାଣ ।୨୭୭।

ସାତ ତାଳ ଗଭୀର ତହିଂ ଥଳ କୂଳ ନାହିଂ

ଯମୁନା ନଦୀରୁ ଧାର ବୁହାଇଅଛି ତହିଂ ।୨୭୮।

ନିଚିନ୍ତ ହୋଇଣ ସେହୁ ରାଜ୍ୟ କରୁଥାଇ

ଶତ୍ରୁ ଉପଗତ ତହିଂରେ ନ ପଡ଼ଇ ।୨୭୯।

ନାନାଦି କୃଷି ଉପୁଜଇ ତାହାର ରାଜ୍ୟର

ଧାନ ମାତ୍ର ନ ଉପୁଜଇ ବହୁତ ତହିଂର ।୨୮୦।

ପାଞ୍ଚ ସହସ୍ର ରଥୀ ଯେ ଗଜ ୟେକଲକ୍ଷ

ବେନିଲକ୍ଷ ଅଶ୍ୱ ତାର ଅଛନ୍ତି ପ୍ରତକ୍ଷ ।୨୮୧।

ପାଞ୍ଚଲକ୍ଷ ପାଦାନ୍ତି ସଇନି ପରିମାଣି

ସେ ରାଜ୍ୟକୁ ବାବୁ ତୁହି ପାରିବୁ କି ଜିଣି ।୨୮୨।

ତାହାର ରାଜ୍ୟକୁ ତ ଯିବାକୁ ବାଟ ନାହିଂ

ନଦୀରେ ପଶିଲେ ତ ଥଳକୂଳ ନାହିଂ ।୨୮୩।

ମୁନିଂକ ମୁଖରୁ ଯେ ୟେସନେକ ଶୁଣିଲା

କୋପଭର ହୋଇଣ ସେହୁ ଗର୍ଜିଣ ଉଠିଲା ।୨୮୪।

ମନ୍ତ୍ରୀକି ଚାହିଂଣ ସେହୁ କହଇ ବଚନ

ଦଣ୍ଡ ସାଜ ବେଗେ ଯିବା କୃତକେଶୀର ଭୁବନ ।୨୮୫।

ନାରଦଂକ କଥା ଶୁଣି ମୋର ନ ସହଇ ଦେହୀ

ତାହାର ତୁଲେ ମୁଂ ଯେ ଅବଶ୍ୟ ଦ୍ୱନ୍ଦ କରିବଇଂ ।୨୮୬।

ଶୁଣି ମନୁ ରାଜା ଅଗସ୍ତିଂକି ଯେ ପଚାରି

କୃତକେଶୀ ଠାରେ କିମ୍ପେ ନାରଦ କୋପ କରି ।୨୮୭।

ୟେଥିରେ ଚରିତ ମୋତେ କହିବା ଗୋସାଇଂ

ତେବେ ସେ ମନରୁ ମୋର ଭ୍ରାନ୍ତି ଯେ ଫିଟଇ ।୨୮୮।

ଅଗସ୍ତି ବୋଇଲେ ତୁ ହୋ ଶୁଣ ମନୁ ପୁରୁଷ

ୟେକମନେ ଶୁଣ କହିବା ତହିଂର ସନ୍ଦେଶ ।୨୮୯।

ଦିନେକ ନାରଦ ମୁନି ତାର ରାଜ୍ୟକୁ ଅଇଲେ

ଦଣ୍ଡ ବୀଣା ବାଇଣ ଆସ୍ତାନକୁ ଉଠିଗଲେ ।୨୯୦।

ନାରଦଂକୁ ଦେଖି କୃତକେଶୀ ନ ଉଠିଲା

ବସିବା ଠାବରେ ମୁନିଂକି ଯେ ନମସ୍କାର କଲା ।୨୯୧।

ତାହାର ଅଣଆଦର ଦେଖିଣ ମୁନିବର

ମନେ ମନେ ଖଙ୍ଗ ସେହୁ ପାଇଲେ ଅପାର ।୨୯୩।

ବସି କରି ୟେହୁ ମୋତେ କଲା ନମସ୍କାର

ମୋହୋର ଆଗେ ଗର୍ବ କଥା କହଇ ଅପାର ।୨୯୪।

କୃତକେଶୀ ପଚାରିଲା ଥିର ହେ ମୁନି କାହିଂ

ମୁନି ବୋଇଲେ ମୁଂ ଆକାଶୁ ଆସୁଛି ଚଳାଇ ।୨୯୫।

ମଞ୍ଚ ମଣ୍ଡଳରେ ମୁହିଂ ଭ୍ରମିବଇଂ ଥରେ

ଉପାଧି କଥାମାନ ଦେଖିବା ନୟନରେ ।୨୯୬।

ସମସ୍ତ ରାଜାମାନଂକର ପୁରକୁ ମୁଂ ଯିବଇଂ

ଯାହାର ଯେମନ୍ତ ଭଗତିଭାବ ଦେଖିବଇଂ ।୨୯୭।

କୃତକେଶୀ ପଚାରଇ ଶୁଣିମା ଗୋସାଇଂ

ମୋହୋଠାରୁ ବଳବନ୍ତ କେହୁ ରାଜା ହୋଇ ।୨୯୮।

ନାରଦେ ବୋଇଲେ ଅନେକ ଛନ୍ତି ବଳୀ ମହାରଥା

ୟେକାୟେ ପୃଥୀ ଜିଣିବାକୁ ଅଟନ୍ତି ସାମରଥା ।୨୯୯।

ନାରଦେ ଯହୁଂ ସେ କହିଲେ ଆଗ ବଢି

ଶୁଣି କୃତକେଶୀ ମନରେ ଯେ ଭାଳି ।୩୦୦।

ଉପ୍ରୋଧେ ମୁନିଂକି କିଛିହିଂ ନ ବୋଇଲା

କଳହପ୍ରିୟ ମୁନିଂକି ଭାଷାରେ ଗାଳି ଦିଲା ।୩୦୧।

କଳି ନ ପାଇଣ ମୁନି ବୁଲନ୍ତି ଦେଶେ ଦେଶ

କଳି ପାଇଲେ ମୁନି ମନରେ ହରଷ ।୩୦୨।

ୟେବେ ତ ଦ୍ୱନ୍ଦ କଳି ଲୋଡୁଛି ମୁନି ଦେହୀ

କଳି ଧୋକତି ମୁଣିକି କାଖରେ ଯେ ଲାଇ ।୩୦୩।

ମନ୍ଦ ପ୍ରକୃତି ତୁମ୍ଭେ କେବେହେଂ ନ ଛାଡ଼

କଳି ଦ୍ୱନ୍ଦ କଥା ତୁମ୍ଭ ମନକୁ ସେ ବଡ଼ ।୩୦୪।

ୟେମନ୍ତ ପ୍ରକାରେ ଯେ ମୁନିଂକି ଗାଳି ଦିଲା

ମୁନିଂକ ହୃଦରେ ମହାକୋପ ଯେ ବସିଲା ।୩୦୫।

କୋପେଣ ଥରହର ହୋଇଣ ବ୍ରହ୍ମମୁନି

କୃତକେଶୀ ଛାମୁରୁ ଉଠିଲେ ତତକ୍ଷଣି ।୩୦୬।

ସେହି ଠାବରୁ ମୁନି କୋପେଣ ଅଇଲେ

ପ୍ରୋଢାସୁର ଛାମୁରେ ଯାଇଣ ପ୍ରବେଶ ହୋଇଲେ ।୩୦୭।

ତୁ ଯେ ପଚାରିଲୁ କୃତକେଶୀ ରାଜା କଥା

ୟେକମନ ହୋଇ ଶୁଣିଲୁ କି ମନୁଗ୍ୟାଂତା ।୩୦୮।

ୟେମନ୍ତ ପ୍ରକାରେ କୃତକେଶୀ କି ନାରଦ କୋପକଲେ

ପ୍ରୋଢାସୁରକୁ ବହୁତ ପ୍ରବର୍ତ୍ତାଇ କହିଲେ ।୩୦୯।

ଯେମନ୍ତେ ତାହାର ରାଜ୍ୟକୁ ମୁଂ କରିବଇଂ ନାଶ

ତେବେ ସେ ମୋହୋର ରହିବ ସିନା ବଡ଼ ଯଶ ।୩୧୦।

ମୋହୋର ଆଗରେ ସେ ଗର୍ବ କଥା କହିଲା

ମୋହୋର ବଚନ ସେହୁ ଅବଗ୍ୟାଂ ଯେ କଲା ।୩୧୧।

ଗର୍ବକଥାକୁ ମୁଂ ଯେ କେବେହେଂ ନ ସହଇ

ଶାପ ଦିଲେ ତ ଅବଶ୍ୟ ଅଧର୍ମ ପାଇବଇଂ ।୩୧୨।

ପର ହାଥେ ତାହାକୁ ମୁଂ ଦିଆଇବି ଦଣ୍ଡ

ଅନେକ ପ୍ରକାରେ ତାକୁ କରିବଇଂ ଲଣ୍ଡଭଣ୍ଡ ।୩୧୩।

ପ୍ରୋଢାସୁରକୁ ଚାହିଂ ବୋଲନ୍ତି ବଚନ

ଉଠ କୃତକେଶୀ ରାଜ୍ୟକୁ ଯିବା ହୋ ବହନ ।୩୧୪।

ତୁ ରାଜା ତାହାନ୍ତ ଯେବେ ଜିଣି ନୁଆରିବୁ

ଅବଶ୍ୟ ଆମ୍ଭନ୍ତ ଲଜ୍ଜା କରାଇବୁ ।୩୧୫।

ଶୁଣି ପ୍ରୋଢାସୁର ଯେ କମ୍ପଇ ଥରହର

କୋପଭରେ ସେହୁ ଦନ୍ତ ଚାପଇ ଅଧର ।୩୧୬।

ମୁନିଂକି ବୋଇଲା ତୁମ୍ଭର କଇଲ୍ୟାଣେ

ପୃଥୀବି ଯାକ ବୁଲିଲି କ୍ଷମ ନୋହିଲା ୟେକ ଜଣେ ।୩୧୭।

ସେହି ମୋତେ ସମାଧାନ ଦେଇଅଛି ଥରେ

ୟେବେ କି କୃତକେଶୀ ହୋଇଲା ବଳୀୟାରେ ।୩୧୮।

ନାରଦେ ବୋଇଲେ ସମସ୍ତ ରାଜାଂକର ବୋଲେ

ସମାଧାନ ଦେଇ ପ୍ରୀତି ହୋଇଲା ତୋର ତୁଲେ ।୩୧୯।

ତାହାର କଥାକୁ ତୁ ଶୁଣିନାହୁ ରାୟେ

ପୃଥୀରେ କାହାକୁ ସେ ଗଣନା ନ କୟେ ।୩୨୦।

ତୁ କେଉଂ ରାଜା ତୋତେ ଗଣନା କରିବ

ଅବଶ୍ୟ ତୋହୋର ତୁଲେ ସେ ଯୁଦ୍ଧ ଆରମ୍ଭିବ ।୩୨୧।

ତାହାର ରାଜ୍ୟକୁ ତୁ ହୋ ନୁଆରିବୁ ଯାଇ

ଥଳକୂଳ ନାହିଂ ତହିଂ ପଶିଯିବୁ କାହିଂ ।୩୨୨।

ପ୍ରୋଢାସୁର ବୋଲେ ମୁଂ ଯେମନ୍ତ ପାରଇ

ଅବଶ୍ୟ ସଇନ ମୁଂ ଯେ ନେମଇଂ ଚଳାଇ ।୩୨୩।

ଯେମନ୍ତ ପ୍ରକାରେ ତାହାକଇଂ ଜିଣିମଇଂ ।୩୨୪।

କପଟ କୂଟ ମାୟା ମୁଂ ଜାଣଇଂ ଅପାର

ପୃଥୀ ବୁଲି ଦ୍ୱନ୍ଦ ନ ପାଇଛି କେଉଣ ଠାବର ।୩୨୫।

ୟେତେକାଳେ ଆସି ଦ୍ୱନ୍ଦ ମୋତେହିଂ ମିଳିଲା

ଦଇବ ପୁରୁଷ ମୋତେ କଳି ଆଣି ଦିଲା ।୩୨୬।

ନାରଦଂକୁ ପ୍ରଶଂସା ସେ କରଇ ବହୁତ

ମୋହୋର ଠାରେ ଦୟା ତୁମ୍ଭର ଅଛଇ ତପୋବନ୍ତ ।୩୨୭।

ୟେହି ଅନକୂଳେ ହୋ କରିବା ଗବନ

ତୁମ୍ଭର ଯେବେ ଦୟା ଅଛଇ ତପୋଧନ ।୩୨୮।

ମୁନି ବୋଇଲେ ତୁ ହୋ ଦଣ୍ଡ ବେଗେ ସାଜ

ଯାଇଂଣ ଧଂସିବା ହୋ କୃତକେଶୀ ରାଜ୍ୟ ।୩୨୯।

ଶଙ୍ଖ ମହୁରୀ ଢୋଲ ଟମକ ବାଜିଲା

କଡ଼ା ଘୁମୁରା ଯେ ଅନେକ ଶୁଭିଲା ।୩୩୦।

ମୁଖରାବ ଶବଦ ଯେ ବଡ଼ାଇ ଚହଳ

ମାର ମାର ଶବଦ ଯେ ଯୁଭଇ ଗହଳ ।୩୩୧।

ପୃଥୀଦେବୀ ଯେ ଦଲ ଦଲିତେ କମ୍ପିଲା

ବାସୁକି ମହାରାଜା ଶିର ନ ଟେକିଲା ।୩୩୨।

ସ୍ୱର୍ଗେ ଦେବତାୟେ ଯେ ମହାଭୟ କଲେ

ଅସୁର ବାହୁଅଛି ବୋଲିଣ ଡରିଲେ ।୩୩୩।

ନିକଟ ରାଜାମାନନ୍ତ ଶୁଭିଲା ଶବଦ

ଘନ ଘନ ବିକଟାଳ ବାଜୁଅଛି ବାଦ୍ୟ ।୩୩୪।

ବନ ଗହନେ ଯେ ବନ ଜନ୍ତୁମାନେ ଥିଲେ

ଭୟେଣ ଅଗମ୍ୟ ବନରେ ଲୁଚିଲେ ।୩୩୫।

ନାରଦେ ଯେ ଆଗରେ କଢାଉଛନ୍ତି ବାଟ

ୟେକ ଅସୁର ଦୁଜେଣ ମୁରାଟ ।୩୩୬।

ପୃଥୀ ଦେବୀର ଭୟ ତ କହିଲେ ନ ସରିଲା

ସତେ ବସୁନ୍ଧରୀ ନାଗରାଜ କି ଛାଡ଼ିଲା ।୩୩୭।

ପାଦ ପଡ଼ନ୍ତେ ବସୁଧା କମ୍ପଇ ଶରୀର

ମୁଖ ବାଟେ ବାନ୍ତି ଯେ କରଇ ରୁଧିର ।୩୩୮।

ଉଦଣ୍ଡ ପାଟଛତ୍ର ଉଡ଼ଇ ଛାମୁର

ଦିବ୍ୟବେଶ ହୋଇଣ ସେ ବସିଲା ରଥର ।୩୩୯।

କର୍ଣ୍ଣେ କୁଣ୍ଡଳ ତାର ଲଲାଟେ ମୁକୁଟ

ସୁବର୍ଣ୍ଣର କଣ୍ଠିମାଳ ଲମ୍ବଇ କଣ୍ଠତଟ ।୩୪୦।

ଶୁକଳ ପାଗେକ ସେ ମଥାରେ ବାନ୍ଧିଲା

ଶୁକଳର ତଡ଼ପ ପାଟେକ ପିନ୍ଧିଲା ।୩୪୧।

ଶୁକଳ ପାଛୋଡ଼ା ଯେ ଅଣ୍ଟାରେ ବେଢାଇ

ଖଣ୍ଡା ତରୁଆର ଅଣ୍ଟାରେ ବାନ୍ଧଇ ।୩୪୨।

ଶୁକଳ ଗନ୍ତା ଗୋଟାୟେକ ସେ ପିନ୍ଧିଲା

କର୍ପୂର ବିଡ଼ିଆ ପାନ ଯେ ଭୁଞ୍ଜିଲା ।୩୪୩।

କସ୍ତୁର ତିଳକ ଲଲାଟେ ଘେନିଲା

ନିଶ୍ୱାସ ବାରିଣ ସେହୁ ଅନକୂଳ କଲା ।୩୪୪।

ଅସୁର ବୋଲଇ ଯେ ଚାହିଂଣ ମୁନିନ୍ତ

କୃତକେଶୀ ରାଜ୍ୟକୁ କଢାଅ ତପୋବନ୍ତ ।୩୪୫।

ପ୍ରୋଢାସୁର କ୍ରୋଧ ଦେଖିଣ ନାରଦ

ଆନନ୍ଦେ ନାରଦ କରନ୍ତି ବୀଣାନାଦ ।୩୪୬।

ଆନନ୍ଦ ହୋଇଣ ଚଳନ୍ତି ମୁନି ଶୂନ୍ୟମାର୍ଗେ

ଶୂନ୍ୟରେ ଯାଉଛନ୍ତି ଯେ ପାଦ ନ ଲାଗେ ଭୂମି ଭାଗେ ।୩୪୭।

ପଛରେ ପ୍ରୋଢାସୁର ଆସଇ ସଇନ ଘେନି

ଆପଣଏ ଗର୍ଜନ ଯେ କରୁଛି ଦଇତକୁଳ ମଣି ।୩୪୮।

ପାଦଘାତେ ଧୂଳି ଉଡ଼ଇ ଗଗନେ

ଦେବତାମାନେ ଚାହୁଂଅଛନ୍ତି ଯେ ଶୂନ୍ୟେ ।୩୪୯।

ଶୂନ୍ୟରେ ଗମନ୍ତେ ଯେ ପର୍ବତେ ଧୂଳି ହୋଇ

ଯମୁନା କୂଳେ କୂଳେ ଯାଉଅଛନ୍ତି ଚଳାଇ ।୩୫୦।

ତିନିଦିନେ କୃତକେଶୀ ରାଜ୍ୟରେ ହୋଇଲେ

ଡଗରେ ଯାଇଣ କୃତକେଶୀ କହିଲେ ।୩୫୧।

ଭୋ ଦେବ ସାବଧାନେ ଶୁଣିମା ନରସାଇଂ

ଅପୂର୍ବ କଥାୟେକ ମୁଂ ଦେଖି ଅଇଲଇଂ ।୩୫୨।

ଦଣ୍ଡ ସଇନ ଘେନିଣ ଅସୁର ପ୍ରୋଢାସୁର

ଆମ୍ଭର ରାଜ୍ୟକୁ ବାହିଲା ନୃପବର ।୩୫୩।

ନାରଦେ କଢାଇଣ ଆସୁଛନ୍ତି ଆଗେ

ଭୋ ନାଥ ୟେ କଥାକୁ ବୁଝିବା ସୁବାଗେ ।୩୫୪।

ଶୁଣିଣ କୃତକେଶୀ କମ୍ପଇ ଥରହର

ଆଜ ମୁଂ ଅସୁରର ଛେଦିବଇଂ ଶିର ।୩୫୫।

ନାରଦଂକ ବଚନେ ସେ ଆସୁଅଛି ବାହି

ନିଚୟେଂ ମୋହୋର ହାଥେ ପ୍ରାଣ ଦେବ ସହି ।୩୫୬।

ପ୍ରୋଢାସୁର ଜୀବନ ହରିବଇଂ ଆଜ

ସେ ନାରଦ ମୁନି ପାଇଯିବ ପୁଣ ଲାଜ ।୩୫୭।

କୃତକେଶୀ ପ୍ରତଗ୍ୟାଂ କହିଲେ ନ ସରଇ

ଦେବ ଦାନବରେ ସେ କାହାକୁ ନ ଗଣଇଂ ।୩୫୮।

ପ୍ରୋଢାସୁର ମହିମାଂ ସେ ନ ଜାଣଇ କିଛି

ତୁଚ୍ଛ ଅସୁର ପ୍ରାୟେକ ତାହାକୁ ମଣୁଅଛି ।୩୫୯।

ଶୁଣ ହୋ ମନୁରାଜାୟେ ବିଚିତ୍ର ଚରିତ

ଶ୍ରୀମହାଭାରଥ ୟେ ଅମୃତ ରସମୟେ ଗୀତ ।୩୬୦।

ବନ୍ଦଇ ଶ୍ରୀ ନାରାୟଣ କମଳାର ପତି

ଭଗତ ଜନଂକର ୟେ ପଞ୍ଚୁପ୍ରାଣ ଅଟନ୍ତି ।୩୬୧।

ଜଗତ ଜନମାନଂକର ନିସ୍ତାରଣ ଅର୍ଥେ

ଆପଣେ ପୃଥୀରେ ସେହୁ ହୁଅନ୍ତି ଦେହବନ୍ତେ ।୩୬୨।

ଶଙ୍ଖ ଚକ୍ର ଗଦା ସାରଙ୍ଗକୁ ବହି

ପଦ୍ମଫୁଲ ଗୋଟାୟେ ହାଥରେ ଘେନିଥାଇ ।୩୬୩।

ଗରୁଡ଼ ପଛୀ ଅଟଇ ଯାହାର ବାହାନ

ଅସୁର ନିଶୋଧନେ ଦଇତାରି ଯାର ନାମ ।୩୬୪।

ଲକ୍ଷ୍ମୀ ସରସ୍ୱତୀ ଯାର ଚରଣେ ଦଇନି

ଶୁଦ୍ରମୁନି ସାରୋଳା ଦାସକୁ ରଖ ହୋ ଚକ୍ରପାଣି ।୩୬୫।

ଗଉରୀ ନନ୍ଦନ ଚରଣକୁ ମୋର ଆଶ

ଅଦୃଶ୍ୟ ଦୃଶ୍ୟ ଯେମନ୍ତେ ହୋଅଇ ହର ଶିଷ ।୩୬୬।

ଶ୍ରୀ ବିଶ୍ୱନାଥ ମୋତେ ଉଦ୍ଧର ଦେବସ୍ୱାମୀ

ମୂରୁଖ ସାରୋଳା ଦାସକୁ ରଖ ଅନ୍ତର୍ଯ୍ୟାମୀ ।୩୬୭।୧୦୮୨୯।

 

କୃତକେଶୀ ସହ ପ୍ରୋଢାସୁରର ଯୁଦ୍ଧ

ୟେଥୁ ଅନନ୍ତରେ ବିଲଂକ ଦେଶ ରାୟେ

ମୁନିଂକ ଚରଣରେ ସେ ନମସ୍କାର କୟେ ।୧।

ଭୋ ମୁନି କହିବା ମୋତେ ପ୍ରୋଢାସୁର ଚରିତ

କେମନ୍ତ ପ୍ରକାରେ ଜିଣିଲା ସେହୁ କୃତକେଶୀ ନରନାଥ ।୨।

ତହିଂର ଚରିତ ମୋତେ କହ ହୋ ତୋଷମନେ

ନାରଦେ କଢାଇ ନେଲେ ପ୍ରୋଢାସୁର ରାଜନେ ।୩।

ମନୁ ପଚାରନ୍ତି ଯେ ଚଇତନ କହନ୍ତି

ତୋଷମନ ହୋଇ ତୁ ଶୁଣ ହୋ ନରପତି ।୪।

ପ୍ରୋଢାସୁର ଯାଇଂ ଖଣା ବେଢିଣ ରହିଲା

ଖଣା ଭିତରକୁ ସେ ପଶି ନୁଆରିଲା ।୫।

କୃତକେଶୀ ଡଗର ମୁଖରୁ ଯେ ଶୁଣି

ମନ୍ତ୍ରୀକି ଚାହିଂଣ ପଚାରଇ ନୃପମଣି ।୬।

ଥାଠ ସଜକର ମନ୍ତ୍ରୀ ଯେ ଆମ୍ଭର

ଅସୁର ସଂଗତେ ମୁହିଂ କରିବି ସମର ।୭।

ମନ୍ତ୍ରୀ ବୋଇଲା ତୁ ହୋ ମନ୍ଦକୃତ୍ୟ କଲୁ

ନାରଦଂକ ତୁଲେ ତୁ ଯେ ବିବାଦୀ ହୋଇଲୁ ।୮।

ଅସୁର ଆମ୍ଭଠାରୁ ସମାଧାନ ପାଇ

ଥରେ ଥାଠ ସନ୍ୟ ନେଇଛି ବାହୁଡ଼ାଇ ।୯।

ୟେବେ ନାରଦଂକ ବୋଲେ ଆସୁଛି ଅସୁର

ଆମ୍ଭର ତୁଲେ ସମର ଆଜ କରିବ ମହାଘୋର ।୧୦।

ତାହାକୁ ସାଂଗ୍ରାମେ ଆମ୍ଭେ ନୁଆରିବା ଜିଣି

ୟେ କଥା ମହାରାଜା ବୁଝିବା ପରିମାଣି ।୧୧।

ମନ୍ତ୍ରୀ ମୁଖୁଂ କୃତକେଶୀ ୟେମନ୍ତ ଶୁଣିଲା

କି ବୁଦ୍ଧି କରିବି ବୋଲି ମନରେ ଭାବିଲା ।୧୨।

ସମାଧାନ କରିବା କି ଦ୍ୱନ୍ଦ ଆରମ୍ଭିବା

ୟେ ଦୁଇ କଥା ମୋତେ ବୁଝାଇ କହିବା ।୧୩।

ମନ୍ତ୍ରୀ ବୋଇଲେ ସମାଧାନ ଦିଲେ କେବେହେଂ ନ ନେବ

ଅବଶ୍ୟ ତୋର ତୁଲେ ସାଂଗ୍ରାମ କରିବ ।୧୪।

ପୃଥୀ ବୁଲି ଯେ କାହିଂ ନ ପାଇଲା ରଣ

ରଣ ରଂକା ହୋଇ ଅସୁର ବୋଲଇ ବଚନ ।୧୫।

ନାରଦ ମହାମୁନି ଯେ ଚେତିଆଇଛନ୍ତି

ତାହାର ତୁଲେ ତୋତେ କରାଇବେ ଅପ୍ରୀତି ।୧୬।

ଯୁଦ୍ଧ ନ କଲେ ତ ତୋତେ ଅନ୍ୟ ଗତି ନାହିଂ

ଅବଶ୍ୟ ଦ୍ୱନ୍ଦ ଗୋଟାୟେ ଉପୁଜିବ ତହିଂ ।୧୭।

ଶୁଣିଣ କୃତକେଶୀ ଯେ ହରଷ ବିସ୍ମୟେ

ମନ୍ତ୍ରୀକି ବୋଇଲା ମୁଂ କହଇ କଥାୟେ ।୧୮।

ପ୍ରୋଢାସୁର ଖଣାର ପାଖରେ ଆବୋରିଛି

ଗଡ଼ର ଭିତରକୁ ସେ ପଶି ନୁଆରୁଛି ।୧୯।

ଆମ୍ଭର ଥାଠ ସନ୍ୟ ଘେନିଣ ସଜହୁଅ

ଖଣାର ୟେ ପାଖ ଯେ ଆବୋରିଣ ଥାଅ ।୨୦।

ପର୍ବତ ଆଡକୁ ହୋ କରିଥାଅ ପିଠି

ତାହାର ସୈନ୍ୟଂକୁ ହୋ ଦେଇଥାଅ ଦୃଷ୍ଟି ।୨୧।

ବଳବନ୍ତେ ଯେବେ ଅସୁର ଖଣା ପାର ହୋଇ

ପର୍ବତକୁ ପିଠି କରି ମାରିବ ଗୋଡ଼ାଇ ।୨୨।

ତେବେ ସେ ଅସୁର ବଳ ହୋଇବାକ କ୍ଷୟେ

ୟେମନ୍ତ ଆଗ୍ୟାଂ ଦିଲା କୃତକେଶୀ ରାୟେ ।୨୩।

ଶୁଣ ଆହୋ ମନୁରାଜା ଦଇବର କୃତ

ଯାହାକୁ ବିପକ୍ଷ ହୋଇଲେ ନାରଦ ତପୋବନ୍ତ ।୨୪।

ଖଣାର ଚାରିପାଖେ ଘେରି ରହିଲେ ଯହୁଂ ଥାଠ

ନଗ୍ରରେ ପଶିତ ସେ ନ ପାଇଲେ ବାଟ ।୨୫।

ନାରଦଂକୁ ଚାହିଂ ଯେ ବୋଇଲା ପ୍ରୋଢାସୁର

କି ବୁଦ୍ଧି କରିବା ୟେବେ କହ ହୋ ମୁନିବର ।୨୬।

ୟେ ଖଣା କେତେ ଗଭୀର ତଦନ୍ତ ନ ଜାଣିଲି

ୟେ କୃତକେଶୀକି ମୁଂ ଯେ ଜିଣି ନୁଆରିଲି ।୨୭।

ନାରଦେ ବୋଇଲେ କିଛି ନ ଭାଳ ହୋ ରାୟେ

ମୋହୋର ତହିଂକି ଅଛଇ ୟେକଇ ଉପାୟେ ।୨୮।

ଉପାୟ ପ୍ରକାରେ ମୁଂ ହରିବଇଂ ୟେହୁ ଜଳ

ୟେ କଥାକୁ ଚିନ୍ତା ତୁ ନକର ମହୀପାଳ ।୨୯।

ଶୋଷଣ ମନ୍ତ୍ର ଗୋଟିୟେ ନାରଦ ପଢିଲେ

କ୍ଷଣକ ଭିତରେ ସେହି ଜଳହିଂ ଶୋଷିଲେ ।୩୦।

ଶୁଖିଲାକ ଜଳ ଯେ ଖଣା ହୋଇଲାକ ଥଳ

ରେ ରେ କାର କରି ଝସାଇ ପଶିଲେ ପ୍ରୋଢାସୁରର ବଳ ।୩୧।

ଦେଖି ପ୍ରୋଢାସୁର ଯେ ଉଷତ ହୋଇଲା

ନାରଦ ମୁନିଂକୁ ବହୁତ ପ୍ରଶଂସା ଯେ କଲା ।୩୨।

ଭୋ ମୁନି ୟେବେ ମୁଂ ତୁମ୍ଭର ପରସାଦେ

କୃତକେଶୀକି ମୁଂ ଜିଣିମି ଅପ୍ରମାଦେ ।୩୩।

ଘୋଷଣ ଦିଆଇଲା ଥାଠର ମଧ୍ୟେଣ

ସଜହୁଅ ବୋଲି ଦାଉଣ୍ଡି ବାଜିଲା ବିକଟାଳେଣ ।୩୪।

ହାଥୀ ରଥୀ ପାଦାନ୍ତି ସଜ ଯେ ହୋଇଲେ

ପାଇକ ମାହୁନ୍ତ ଅଶୁଆର ପାଦାନ୍ତି ବଳ ଯେତେ ଥିଲେ ।୩୫।

ସମସ୍ତେ ସଜହୋଇ ରହିଲେ ରାଜାଂକ ଅଗ୍ରତେ

ନାରଦ ମହାମୁନି ଅଛନ୍ତି ସଂଗତେ ।୩୬।

ନାରଦ ମୁନି ଆଗ ହୋଇ ଚଳିଗଲେ

ପଛରେଣ ସମଦଣ୍ଡ ଥାଠ ଗୋଡ଼ାଇ ଅଇଲେ ।୩୭।

ଖଣା ପାରିହୋଇ ଆର ପାରିରେ ମିଳନ୍ତି

ମାର ମାର ଶବଦ ଯେ ଉଚ୍ଚେଣ ଡାକଦ୍ୟନ୍ତି ।୩୮।

ମୁଖରାବ ଶବଦେ କୁରୁମ ଚମକିଲା

କୃତକେଶୀ ସଇନଂକୁ ଯାଇଂଣ ବେଢିଲା ।୩୯।

ପ୍ରୋଢାସୁର ବୋଇଲା ସନ୍ୟଂକୁ ବେଢି ମାର

ପଳାଇଯାନ୍ତି ଟିକି ନିର୍ବନ୍ଧେଣ ଧର ।୪୦।

ରାଜାର ଆଗ୍ୟାଂରେ ଯେ ସନ୍ୟ ଗୋଡ଼ାଇଲେ

ଧନୁରେ ନାରାଜ ଯେ ପୂରୋଇ ବିନ୍ଧିଲେ ।୪୧।

ୟେକ ଆରେକ ଯଏ ହୁଅନ୍ତି ମରା ମରି

ପର ଆପଣା କେ ବାରି ତ ନୁଆରି ।୪୨।

ଦୁଇ ବଳ ଲୋକ ୟେକମେଳି ଯେ ହୋଇଲେ

ଉଞ୍ଚ ପାଞ୍ଚ କଳି ଯେ ଯାହାରେ ଆରମ୍ଭିଲେ ।୪୩।

ପ୍ରୋଢାସୁର ସଇନ ଯେ ଅଟନ୍ତି ବଳୀୟାର

ଆବର ଗରିଷ୍ଠ ସେ ଅଟଇ ଅସୁର ।୪୪।

କୃତକେଶୀ ସଇନ ନୁଆରିଲେ ଜିଣି

ଅନେକ ସଇନ ଅସୁର ପକାଇଲା ହାଣି ।୪୫।

ଅନେକ ସଇନ ଯେ ପଡ଼ିଲେ ମହୀଲୋଟି

କଦଳୀ ବନ ଯେହ୍ନେ ବାତ ଘାତେ ତୁଟି ।୪୬।

ହାଥୀ ରଥୀ ପାଦାନ୍ତି ଲୋଟନ୍ତି ଭୂମିରେ

ଦଶ ବିଂଶ ପଞ୍ଚିଶ ପଡ଼ନ୍ତି ୟେକା ବାଣକରେ ।୪୭।

ରକତେ କର୍ଦ୍ଦନ ହୋଇଲା ମହୀଆଳି

ଅନେକ ଯେ ପଦାଘାତେ ହେଲେ ଘୋଡା ହାଥୀ ଦଳି ।୪୮।

ତେଡ଼େବଳ ସଇନ ବଳ ଗୋଟା ଖଳବଳ ହୋଇଲେ

କ୍ଷଣକ ଭିତରେ ଯେ ସେ ନାରଖାର ହୋଇଗଲେ ।୪୯।

କୃତକେଶୀ ଆଗେ କହିଲେ ଚାରେ ଯାଇଂ

ଅନେକ ହାଥୀ ରଥୀ ପଡ଼ିଲେ ଗୋସାଇଂ ।୫୦।

ଅନେକ ଅଶୁଆରେ ପ୍ରାଣେ ହତ ହେଲେ

କେତେ ସଇନ ମଲେ ନ ଜାଣିଲୁ ଭଲେ ।୫୧।

ୟେକ ନାରାଜକେ ପଡ଼ନ୍ତି ଯେ ଦଶବିଂଶ

ବଡ଼ାଇ ଗରିଷ୍ଠ ସାଂଗ୍ରାମେ ବଡ଼ାଇ ସାହସ ।୫୨।

କୃତକେଶୀ ପଚାରଇ ଖଣା କେମନ୍ତେ ପାରି ହୋଇଲେ

କେମନ୍ତେ ପ୍ରକାରେ ସେ ୟେଥକୁ ଅଇଲେ ।୫୩।

ଡଗର କହିଲା ସେ ଅପୂର୍ବ ଚରିତ

ଉପାୟେ ଭିଆଇଲେ ନାରଦେ ତପୋବନ୍ତ ।୫୪।

ଶୋଷେକ ମନ୍ତ୍ର ସେହୁ ଆପଣେ ପଢିଲେ

ତେଡ଼େ ଜଳ ଗୋଟା ଆପଣେ ସଂହରିଲେ ।୫୫।

ଜଳ ଶୁଖନ୍ତେଣ ଭୂମି ଯେ ଦିଶିଲା

ସେ ନ୍ୟାୟରୁ ଥାଠ ସଇନ ପାରି ଯେ ହୋଇଲା ।୫୬।

ନାରଦେ ତୋତେ ଯେ ହୋଇଲେ ବିରଷ

ସେହି ସକାଶୁଂ ବଳୀୟାର ହୋଇଲା ରାକ୍ଷସ ।୫୭।

ଭେଟି ଆସି ତୋର ସଇନକୁ ବେଢିଲା

ପର ଆପଣା ଯେ ସେହୁ କିଛି ନ ଜାଣିଲା ।୫୮।

ଶୁଣିଣ କୃତକେଶୀ ଯେ ମନରେ ବିକଳ

ବୋଇଲା ମୋତେ ନାଶ କଲେ ନାରଦ ତପଶୀଳ ।୫୯।

ମନ୍ତ୍ରୀକି ଚାହିଂଣ ରାଜା ପଚାରଇ ଧରେ

ୟେଥିକି ଉପାୟ କିସ ତୁ ହୋ କହ ମନ୍ତ୍ରୀବରେ ।୬୦।

ମନ୍ତ୍ରୀ ବୋଇଲା ତୋର ଆଉ ଅଛି କି ଉପାୟେ

ନିସତ ହୋଇବାର ତ ନୋହଇ ହୋ ରାୟେ ।୬୧।

ପାର ନପାର ଦ୍ୱନ୍ଦ କର ତାର ତୁଲେ

ଅକାରଣେ ସଇନ ନାଶ ନ କର ନୃପବରେ ।୬୨।

ରାଜା ବିଚାରଇ ମୁଂ ମନ୍ତ୍ରୀ ବୋଲ ନ କଲେ

କାଳେ ଅପକୀର୍ତ୍ତି ମୋତେ ଉପୁଜିବ ଭଲେ ।୬୩।

ଯେଉଂଣ ରାଜା ନ ଘେନଇ ମନ୍ତ୍ରୀର ବଚନ

ସେ ରାଜା ନ ପାଇଟି କାଳେ ଯଶ ପୁଣ ।୬୪।

ମୁଂ ୟେବେ ମନ୍ତ୍ରୀବରର ବଚନ ପାଳିବି

ତେବେ ସେ ଯଶକୀର୍ତ୍ତି ୟେଥିରେ ପାଇବି ।୬୫।

ମନ୍ତ୍ରୀକି ବୋଇଲା କହ ୟେଥିରେ ବିଚାର

ନାରଦଂକ ବିଚାରେ ନାଶ ହୋଇଲା ରାଜ୍ୟ ମୋର ।୬୬।

ମନ୍ତ୍ରୀ ବୋଇଲା ୟେଥେଂ ପ୍ରୀତି ଉପୁଜାଇବା

ସମାଧାନ ଦେଇ ତାକୁ ଭଗତି ବୋଇବା ।୬୭।

ରାଜା ମନ୍ତ୍ରୀ ଦୁହେଂ ତହିଂ କରନ୍ତି ବିଚାର

ପ୍ରୋଢାସୁର ସଇନବଳ ବଳେ ବଳୀୟାର ।୬୮।

ଚାରିକତି ବେଢିଣ ଯେ ଘେରିଣ ରହିଲେ

ସଇନଂକୁ ନାଶ କରି ନବରେ ବେଢିଲେ ।୬୯।

ମାର ମାର ଶବଦେ ଯେ ପୃଥିବୀ କମ୍ପଇ

ଧର ଧର ଶବଦେ କୁରୁମ ଉଛୁଳଇ ।୭୦।

କୃତକେଶୀ ରାଜା ବଡ଼ ଭୟେ କଲା

ପଞ୍ଚଭୂତ ଆତ୍ମାରେ କଥାନ୍ତ ଭାଳିଲା ।୭୧।

ବୋଇଲା ମରଣ ମୋର ହୋଇଲା ନିକଟ

ତେଣୁ କରି ବିପାକ ହୋଇଲା କର୍ମ କଷ୍ଟ ।୭୨।

କାହାର ଆଗେ କହିବଇଂ କର୍ମର ଯେ ଦୋଷ

ଯାହା ଭିଆଇଛ ଦଇବ ପୁରୁଷ ।୭୩।

ଆହେ ଜଗନ୍ନାଥ ତୁମ୍ଭେ ଭଗତ ବାରାନିଧି

ଅରକ୍ଷିତ ଉଦ୍ଧାରଣ କରୁଣାଜଳଧି ।୭୪।

ଅରକ୍ଷିତ ନିମନ୍ତେ ଶଙ୍ଖ ଚକ୍ର ଧରି

ମେଳକ୍ଷ ଜନନ୍ତ ଦୁର୍ଗତିରୁ ଉଦ୍ଧରି ।୭୫।

କୃତକେଶୀ ଯହୁଂ ନାରାୟଣଂକୁ ସୁମରିଲା

ସଦବୁଦ୍ଧି ଗ୍ୟାନ ତାର ହୃଦରେ ପ୍ରସରିଲା ।୭୬।

ବୋଇଲା ମରଣକାଳେ ନୋହିବି ନିସତ

ତାହାର ସଙ୍ଗତେ ସମର କରିବା ଉଚିତ ।୭୭।

ଥାଠ ସଇନ ମୋର ତ ସମସ୍ତ ନାଶ ଗଲେ

ମୋହୋର ପ୍ରାଣ ରଖିବି କିମ୍ପେ ଆଉ ଗଲେ ।୭୮।

ୟେମନ୍ତ ବିଚାର କରି କୃତକେଶୀ ବୀର

ମନ୍ତ୍ରୀକି ସଙ୍ଗତ ଘେନି ବୋଇଲା ବାହାର ।୭୯।

ସଇନିର ନିକଟରେ ମିଳିଲାକ ଯାଇ

ଅନେକ ଶହସ୍ର ଯେ ମାଇଲା ନିଠିଆଇ ।୮୦।

ରାଜାକୁ ଦେଖିଣ ଥାଠ ସଇନ ଯେ ଧାଇଂଲେ

ମାର ମାର ବୋଲିଣ ସେ ଗର୍ଜିଣ ଉଠିଲେ ।୮୧।

ପ୍ରୋଢାସୁର ସଇନ ଯେ ସମରେ ପଡ଼ନ୍ତି ଘାୟେ

ଦେଖି କୋପକଲା ଅସୁରକୁଳ ରାୟେ ।୮୨।

ମାର ମାର ବୋଲି ସେହୁ ରଥ ଚଳାଇଲା

କୃତକେଶୀ ଆଗରେ ଯାଇଂଣ ମିଳିଲା ।୮୩।

ବୋଇଲା ରାଜା ତୁ ରେ ଅଟୁ ବଳୀୟାର

ମୋହୋର ସଙ୍ଗତେ ଆଜ କରିବୁ ସମର ।୮୪।

କହୁଂ କହୁଂ ନାରାଜ ବିନ୍ଧଇ ଲକ୍ଷ ଲକ୍ଷ

ବାଜନ୍ତେ ନାରାଜ ମାନେ ରୁଧିରେ ବହଇ ପ୍ରତକ୍ଷ ।୮୫।

ଶୂନ୍ୟରେ ଥିଲେ ଯେ ନାରଦ ତପୋଧନୀ

କଳି ଧୋକଡ଼ି ମୁଣିରୁ ଧୂଳି ମୁଠାୟେ ବୁଣନ୍ତି ପୁଣି ।୮୬।

ଲାଗୁ ଲାଗୁ ବୋଲିଣ ଶବଦେକ ଦିଲେ

ବୀଣାନାଦ ବାଇଣ ନାଚେକ ନାଚିଲେ ।୮୭।

କଳି ଧନ୍ଦୋଳ ଯେ ଲାଗିଲା ଅସଂଖ୍ୟ

ବଚନରେ ତାହା କେ କହିବ ପ୍ରତକ୍ଷ ।୮୮।

ଦୁହେଂ ମହାଛତ୍ରୀ କେହି ନ ଘୁଞ୍ଚନ୍ତି ପାୟେ

ଅନେକ ଶହସ୍ର ମରାମରି ହୁଅନ୍ତି ଯେ ଦୁହେଂ ।୮୯।

ଦେବ ଦାନବରେ ତାହା ଗୋଚର ନୁହଇ

ଦୁଇ ରାଜାଂକର ତହିଂ ସମର ବାଜଇ ।୯୦।

ଅନେକ ନାରାଜ ଯେ ପ୍ରୋଢାସୁର ବିନ୍ଧିଲା

କୃତକେଶୀ ସେ ନାରାଜ ଛେଦି ପକାଇଲା ।୯୧।

ଆରେକ ବାଣ ପେଷି ପ୍ରୋଢାସୁର ଛେଦିଲା ଧନୁଶର

ଶୂନ୍ୟହାଥ ହୋଇଲା କୃତକେଶୀ ନୃପବର ।୯୨।

ବେଗେଣ ପ୍ରୋଢାସୁର ଧାଇଂଣ ପଡ଼ିଲା

କୃତକେଶୀ ରାଜାର କେଶ ଯେ ଧଇଲା ।୯୩।

ରଥର ଉପରୁ ତାକୁ ତଳକୁ ପକାଇ

ହାଣିମ ବୋଲିଣ ଯେ ଖଡ଼ଗ ଝମକାଇ ।୯୪।

ତାହା ଦେଖିଣ ନାରଦ ଶୂନ୍ୟୁ ଓହ୍ଲାଇଲେ

ପ୍ରୋଢାସୁର ହାଥ ସେ ଯାଇଂଣ ଧଇଲେ ।୯୫।

ଆମ୍ଭର ରାଣ ତୋତେ ତୁ ତାକୁ ନ କର ନିଧନ

ଦୋଷକୁ ସେ ଦଣ୍ଡ ପାଇଲାକ ୟେବେ ଜାଣ ।୯୬।

ୟେହାକୁ ୟେଠାରୁ ହୋ ଆମ୍ଭେ ଧରି ଘେନିଯିବା

ବନ୍ଦୀ ପ୍ରକାରେଣ ୟାକୁ ଧରି ରଖିଥିବା ।୯୭।

ନାରଦଂକ ବଚନ ପ୍ରୋଢାସୁର ମାନିଲା

ତାହାଂକର ବୋଲେ ସିନା କୃତକେଶୀକୁ ଜୟେ କଲା ।୯୮।

ବାଳ ଛାଡ଼ି ଦିଲା ସେହୁ ନାରଦଂକ ବଚନେ

ପାଟଡୋର ଘେନି ତାକୁ କଲାକ ବନ୍ଧନେ ।୯୯।

ରଥ ଦଣ୍ଡରେ ନେଇ ତାହାକୁ ବାନ୍ଧିଲା

କୃତକେଶୀ ମନ୍ତ୍ରୀ ବଡ଼ ବିକଳ ହୋଇଲା ।୧୦୦।

ରଣ ଜୟକରି ପ୍ରୋଢାସୁର ବାହୁଡ଼ାଇ

ଖଣା ଡେଇଂ ତାହାର ରାଜ୍ୟରୁ ଗଲା ବାହାର ହୋଇ ।୧୦୧।

ନାରଦଂକ ମୁଖ ଚାହିଂ ବୋଲେ ପ୍ରୋଢାସୁର

ବିନାଶ କାରଣେ ଯୁଦ୍ଧକଲା ୟେ ମୋହୋର ସଂଗର ।୧୦୨।

ଅକାରଣେ ୟେ ମୋହୋର ସଇନ ନାଶକଲା

ବେଳହୁଂ ମୋହୋର ସଙ୍ଗେ ପୀରତି ନୋହିଲା ।୧୦୩।

ସଇନି ନିହତ ତହୁଂ ଦେଖିଣ ପ୍ରୋଢାସୁର

ମନରେ ବହୁତ ସେ ହୋଅଇ ବିକଳ ।୧୦୪।

ପ୍ରୋଢାସୁର ମନ ବ୍ୟାଥା ନାରଦେ ଜାଣିଲେ

ଅସୁର ମୁଖକୁ ଚାହିଂ ବଚନ ଭାଷିଲେ ।୧୦୫।

ପ୍ରୋଢାସୁରର ମୁଖ ଚାହିଂଣ ଯେ ହସି

ଜୟକଲୁ ବୋଲି ତାକୁ ବହୁତ ପରଶଂସି ।୧୦୬।

କୃତକେଶୀକି ବୋଇଲେ ଆମ୍ଭନ୍ତ ନ ମାନିବା ଫଳେ

ୟେଡ଼େକ କର୍ମ ତୁ ଭୁଞ୍ଜିଲୁ ନୃପବରେ ।୧୦୭।

ନାରଦଂକୁ ଚାହିଂଣ ଯେ ବୋଲଇ ପ୍ରୋଢାସୁର

ୟେଡ଼େକ ସଇନ ମୋର ହୋଇଲା ନାରଖାର ।୧୦୮।

ୟେ କୃତକେଶୀ ପ୍ରମାଦେ ମୋର ସଇନ ନାଶ କଲେ

ୟେହାର ପ୍ରାଣ ମୁଂ ହୋ ହରିବଇଂ ଭଲେ ।୧୦୯।

ପ୍ରୋଢାସୁର ବଚନେ ନାରଦେ କହନ୍ତି

ସାଂଗ୍ରାମେ କଲେଟି ଯଶ ଅପଯଶ ପାଆନ୍ତି ।୧୧୦।

ୟେଥକୁ ଚିନ୍ତା ତୁ ହୋ ନ କର ମହାରାୟେ

ଗୁପତ କରିଣ ତୋତେ କହିବା କଥାୟେ ।୧୧୧।

କୃତକେଶୀ ରାଜାକୁ ତୁ ସାଂଗ୍ରାମେ ଜିଣିଲୁ

ଆମ୍ଭର କଲ୍ୟାଣେ ହୋ ଯଶ ତୁ ପାଇଲୁ ।୧୧୨।

ଶୁଣିଣ ପ୍ରୋଢାସୁର ମୁନିଂକ ଚରଣେ ନମିଲା

ବିନୋୟୀ ହୋଇ ଅନେକ କଥା ପଚାରିଲା ।୧୧୩।

ତୁମ୍ଭର ବଚନ ନ କରିବି କି ୟେବେ

ୟେଡ଼େ ସମ୍ପଦ ମୋହୋର କାହାର ପରସାଦେ ।୧୧୪।

ରାଜାର ବିନୟ ଭଗତି ଭାବ ଦେଖି

ନାରଦେ ବୋଲନ୍ତି ଶୁଣ ତୁ ଅସୁର ସୁଖୀ ।୧୧୫।

ନାରଦେ ବୋଇଲେ ଶୁଣ ପ୍ରୋଢାସୁର

ଆମ୍ଭର ବଚନ ୟେବେ କର ବୀରବର ।୧୧୬।

ଦୋଷକୁ ଯେ ଦଣ୍ଡ ୟେହୁ ପାଇଲା ବହୁତ

ତୋହୋର ହୋଇ ଥାଉ କୃତକାଶୀ ନରନାଥ ।୧୧୭।

ବନ୍ଧନରୁ ୟେହାକୁ ତୁହି ବେଗେ ଫେଡ଼ିଦିଅ

ଆମ୍ଭର ବଚନ ଗୋଟି ପ୍ରତିପାଳିଥାଅ ।୧୧୮।

ମୁନିଂକ ବଚନ କେବେହେଂ ଅନ୍ୟଥା ନ କଲା

କୃତକେଶୀ ରାଜାର ବନ୍ଧନ ଫେଇଦିଲା ।୧୧୯।

ବନ୍ଧନ ଫିଟାଇ ବସାଇଲା ସନ୍ନିଧରେ

ନାରଦେ ବୋଇଲେ ଶୁଣ କୃତକାଶୀ ନୃପବରେ ।୧୨୦।

ସମାଧାନ ଦିଅ ୟେବେ ବାହୁଡ଼ିଣ ଯାଉ

ଦ୍ୱନ୍ଦ କଳି ବାଦ ୟେହିଠାରୁ ରହୁ ।୧୨୧।

ଶୁଣିଣ କୃତକେଶୀ ତାର ମନ୍ତ୍ରୀକି ଚାହିଂଲା

ସମାଧାନ ସଞ୍ଛା ଭିଆଅ ବୋଲିଣ ବୋଇଲା ।୧୨୨।

ଆଗ୍ୟାଂ ପରମାଣେ ଯେ ମନ୍ତ୍ରୀ ଗଲା ଚଳି

ଭଣ୍ଡାର ଘରେ ପଶି ଅନେକ ଧନ ଯେ ସଜାଡ଼ି ।୧୨୩।

ସହସ୍ରେକ ରଥ ପାଣିଦ୍ରବ୍ୟ ସଜାଡ଼ିଲା

ସହସ୍ରେକ ହାଥୀ ସେହୁ ବେଗେ ସଜ କଲା ।୧୨୪।

ଦୁଇ ସହସ୍ର ଅଶ୍ୱ ସୁନା ରୂପା ବାଖର ସହିତେ

ସଜକରି ଆଣିଦିଲା ମନ୍ତ୍ରୀ ଯେ ତୁରିତ ।୧୨୫।

ଲକ୍ଷେକ ଦେବାଙ୍ଗ ବସନ ଭିଆଇ

ସମସ୍ତ ଘେନିଣ ମନ୍ତ୍ରୀ ଆସଇ ଚଳାଇ ।୧୨୬।

ରାଜାର ଛାମୁରେ ସମ୍ଭାରକୁ ନେଇ ଗଲା

ଦେଖିଣ ରାଜା ଯେ ମନ୍ତ୍ରୀକି ବହୁ ପ୍ରଶଂସିଲା ।୧୨୭।

ସେହି ଦ୍ରବ୍ୟ ସବୁ ଦେଖିକରି ପ୍ରୋଢାସୁର

ନାରଦଂକ ମୁଖ ଚାହିଂ କରଇ ବିଚାର ।୧୨୮।

ୟେ ରାଜା ମୋତେ ଭଗତି ବୋଇଲା

ଅନେକ ସମାଧାନ ପଦାର୍ଥ ଆଣି ମୋତେ ଦିଲା ।୧୨୯।

ନାରଦେ ବୋଇଲେ ତୁ ସନ୍ତୋଷ ହୋଇଲୁ କି

ୟେ କଥା ଫେଡ଼ିଣ ମୋତେ କହ ଉପଲେଖି ।୧୩୦।

ପ୍ରୋଢାସୁର ବୋଇଲା ମୁଂ ସନ୍ତୋଷ ହୋଇଲି

ୟେହାର ସଙ୍ଗତେ ମୁଂ ପୀରତି ଆରମ୍ଭିଲି ।୧୩୧।

ଆଜହୁଂ ୟେ ମୋର ମଇତ୍ର ହୋଇଲା

ପ୍ରୋଢାସୁର ସତ୍ୟ ସତ୍ୟ ବୋଲି ଉଚ୍ଚାରିଲା ।୧୩୨।

ତିନିବେଳ ସତ୍ୟ ସତ୍ୟ ମୁଖେ ଉଚ୍ଚାରଇ

କୃତକେଶୀ ରାଜା ସେହି ବଚନ ଭାଷଇ ।୧୩୩।

ଦୁହେଂ ସତ୍ୟବାକ୍ୟେ ତହିଂ ମଇତ୍ର ହୋଇଲେ

କୋଳାଗ୍ରତ ହୋଇ ବେନିଜନେ ଯେ ବସିଲେ ।୧୩୪।

ବହୁତ ପୀରତି ବଢିଲା ଦୁହିଂକର ତହିଂ

ଯିବା ବୋଲି ପ୍ରୋଢାସୁର ମେଲାଣି ମାଗଇ ।୧୩୫।

ପୁଣି କଥାୟେକ ସେହୁ ମନରେ ଭାଳିଲା

ୟେତେକ ସଇନ ମୋର ନାଶ ଯେ ହୋଇଲା ।୧୩୬।

ପ୍ରୋଢାସୁର ମନକଥା ନାରଦେ ଜାଣିଲେ

ହସିଣ ଆପଣେ ତହୁଂ ବଚନ ଭାଷିଲେ ।୧୩୭।

ବୋଇଲେ ରେ ରାଜା ମନେ ନ ଭାଳ ତୁ କିଛି

ତୋହୋର ସଇନ ଜୀଇଂବାକୁ ମୁଂ ଉପାୟ କରୁଅଛି ।୧୩୮।

ୟେତେ ବୋଲି ମୁନି ପାଣି ମୁଠାୟେ ମନ୍ତ୍ରିଲେ

ସଇନଂକ ଉପରେ ନେଇ ତାହାକୁ ସିଞ୍ଚିଲେ ।୧୩୯।

ଗତୁଂ ଶତେଗୁଣ ହୋଇ ସଇନି ଉଠନ୍ତି

ମାର ମାର ଧର ଧର ବୋଲିଣ ଫୁକାରନ୍ତି ।୧୪୦।

ପ୍ରୋଢାସୁର ବୋଇଲା ତୁମ୍ଭେ ତୁନୀ ହୁଅ ସମସ୍ତେ

ୟେ ରାଜା ଆମ୍ଭନ୍ତ ଯେ ବୋଇଲା ଭଗତେ ।୧୪୧।

ରାଜାର କହନ୍ତେ ସଇନି ତୁନୀ ଯେ ହୋଇଲେ

ଯେ ଯାହାର ମତେ ଧୀରେ ଧୀରେ ଯେ ରହିଲେ ।୧୪୨।

କୃତକେଶୀ ନମିଲା ଯେ ମୁନିଂକ ଚରଣ

ମୋହୋର ସଇନ ଜୀଆଇଂଣ ଦିଅ ତପୋଧନ ।୧୪୩।

ସେହି ମନ୍ତ୍ରପାଣି ନେଇଣ ସିଞ୍ଚିଲେ

କୃତକେଶୀ ସଇନ ସବୁ ଜୀଇଂଣ ଉଠିଲେ ।୧୪୪।

ପୁଣି ଜଳ ଧରି ମନ୍ତ୍ର ପଢିଲେକ ମୁନି

ଖଣାଯାକ ଶୁଖି ଥିଲା ପୂରିଲାକ ପାଣି ।୧୪୫।

ଦେଖିଣ ଉଷତ ହୋଇଲା ରାଜା କୃତକେଶୀ

ମୁନିଂକି ବହୁତ ସେହୁ ମନରେ ପ୍ରଶଂସି ।୧୪୬।

ତୁମ୍ଭର ନିର୍ଦ୍ଦୟାରେ ମୁଂ ପାଇଲଇଂ ବଡ଼ କଷ୍ଟ

ୟେବେ ଦୟାକଲ ଆହେ ବ୍ରହ୍ମାଂକର ଚାଟ ।୧୪୭।

ଶୁଣ ହୋ ମନୁରାଜା ବଦୟନ୍ତି ଅଗସ୍ତି

ୟେସନେକ ପ୍ରକାରେ ଯେ ପ୍ରୋଢାସୁର ରୀତି ।୧୪୮।

ୟେବେ ସାବଧାନେ ତୁ ହୋ ଶୁଣ ୟେକଚିତ୍ତେ

ଯେମନ୍ତେ ପାତକ ତୋର ନ ରହଇ ଗାତ୍ରେ ।୧୪୯।

କୃତକେଶୀକି ପ୍ରୋଢାସୁର ମେଲାଣି ମାଗିଲା

ଥାଠ ସଇନ ଘେନିଣ ଯେ ଚଳାଇଣ ରଲା ।୧୫୦।

କୃତକେଶୀ ଗଲା ତହୁଂ ଆପଣା ନବର

ପୂର୍ବନିଧି କର୍ମ କଲା ରାଜ୍ୟର ତାହାର ।୧୫୧।

ଟମକ ନିଶାଣ ବଜାଇ ପ୍ରୋଢାସୁର ରାୟେ

ଶବଦର ଘାତେ ସେହୁ ମେଦିନୀ ଚମକାୟେ ।୧୫୨।

ପୃଥିବୀ ଦଲଦଲ ଜଗତ ଅନ୍ଧକାର

ସ୍ୱର୍ଗେ ଦେବତାୟେ କମ୍ପିଲେ ଥରହର ।୧୫୩।

ପ୍ରୋଢାସୁର ଦିଗବିଜେ କରି ବାହୁଡ଼ିଲା

ଛୟାଣୋଇ ସହସ୍ର ସେ ରାଜାନ୍ତ ଜିଣିଲା ।୧୫୪।

ୟେବେ ସ୍ୱର୍ଗକୁ ଅଇଲା ପ୍ରାୟେକ ଦିଶଇ

ନ ପୁଣ ଆମ୍ଭର ସଙ୍ଗେ ଯୁଦ୍ଧ ଆରମ୍ଭଇ ।୧୫୫।୧୦୯୮୪।

 

Unknown

ପ୍ରୋଢାସୁର ବଧ

ଅଗସ୍ତି ବୋଲନ୍ତି ଶୁଣ ମନୁ ଦଣ୍ଡଧର

ୟେଥୁ ଅନନ୍ତରେ ହେଲା ଯେବଣ ବିଚାର ।୧।

ଇନ୍ଦ୍ର ବୃହଷ୍ପତି ବ୍ରହ୍ମାୟେ ସ୍ୱର୍ଗେ ବସିଥିଲେ

ପ୍ରୋଢାସୁର ଦିଗବିଜେ ଶୁଣିଣ ଭାଳିଲେ ।୨।

ଇନ୍ଦ୍ର ପଚାରନ୍ତି ବ୍ରହ୍ମାଂକ ମୁଖ ଚାହିଂ

ପ୍ରୋଢାସୁର ଭୟେ ସ୍ୱର୍ଗେ ନୁଆରିବା ରହି ।୩।

ବଡ଼ାଇ ଦୁର୍ଭାର ସେ ଯେ ଅଟଇ ଅସୁର

କହ ଜଗତର ପିତା କିସ କରିବା ବିଚାର ।୪।

ପୃଥିବୀକି କାଳାନ୍ତକ ହୋଇଲା ଦ୍ରପିଷ୍ଠ

ରାବଣ ତହୁଂ ବଡ଼ ହୋଇଲା ଗରିଷ୍ଠ ।୫।

ମଞ୍ଚ ପାତାଳ ରାଜାନ୍ତ ଜିଣିଲାକ ଭଲେ

ଆଉ କି ସ୍ୱର୍ଗପୁର ରହିବ ତାହାର ଧାଡ଼ି ଦିଲେ ।୬।

ଶୁଣି ଶୁକ୍ର ରାୟେ ତାଂକୁ କହଇ ବିଚାରି

କାହାର ହାଥରେ ମରିବ ସେ କୁହ କୁଶଧାରୀ ।୭।

ବ୍ରହ୍ମାୟେ ବୋଇଲେ ବୃହସ୍ପତିଂକି ପଚାର

ତେବେ ଜାଣିମାନା କଥା ତଦନ୍ତ ବିଚାର ।୮।

ଇନ୍ଦ୍ର ପଚାରନ୍ତି ବୃହସ୍ପତି ଯେ କହନ୍ତି

ଖଡ଼ି ପକାଇଣ ସେ ଯେ ମନରେ ହସନ୍ତି ।୯।

ଇନ୍ଦ୍ର ପଚାରନ୍ତି ତୁମ୍ଭେ ହସିଲ ଗୁରୁ ହେ

ସ୍ୱର୍ଗେ ରହି ପାରିବା କି ଅସୁରର ଭୟେ ।୧୦।

ବୃହସ୍ପତି ବୋଇଲେ ମୁଂ କଥାନ୍ତ ଜାଣିଲି

ଅସୁର କଥାକୁ ନ ଭାଳ ହେ ଆଖଣ୍ଡଳି ।୧୧।

ତୁମ୍ଭର ହାଥରେ ସେହୁ ପାଇବ ମରଣ

ବଜ୍ରର ଆଘାତେ ସେହୁ ହୋଇବ ନିବାରଣ ।୧୨।

ୟେଥର ଯେବେ ସେହୁ ସ୍ୱର୍ଗକୁ ଆସିବ

ତୋହୋର ବଜ୍ରଘାତେ ଅବଶ୍ୟ କ୍ଷୟେ ଯିବ ।୧୩।

ବୃହସ୍ପତି ବୋଇଲେ ମୁଂ କଥାନ୍ତ ଜାଣିଲି

ଅସୁର କଥାକୁ ନ ଭାଳ ହୋ ଆଖଣ୍ଡଳି ।୧୪।

ତୁମ୍ଭର ହାଥରେ ସେହୁ ପାଇବ ମରଣ

ବଜ୍ରର ଆଘାତେ ସେହୁ ହୋଇବ ନିବାରଣ ।୧୫।

ୟେଥର ଯେବେ ସେହୁ ସ୍ୱର୍ଗକୁ ଆସିବ

ତୋହୋର ବଜ୍ରଘାତେ ଅବଶ୍ୟ କ୍ଷୟ ଯିବ ।୧୬।

ବୃହସ୍ପତି କହନ୍ତେ ଇନ୍ଦ୍ର ବ୍ରହ୍ମା ଯେ ଶୁଣିଲେ

ଆବର ଦେବତାୟେ ସମସ୍ତେ ଜାଣିଲେ ।୧୭।

ୟେଥୁ ଅନନ୍ତରେ ଯେ ଆସ୍ତାନ ମଉଳିଲା

ଦେବତାଂକ ଗୋଷ୍ଠୀ ଯହୁଂ ସେଠାରୁ ଭାଞ୍ଜିଲା ।୧୮।

ବ୍ରହ୍ମା ବୃହସ୍ପତି ଯେ ଗଲେ ନିଜ ପୁରେ

ଦେବତାୟେ ଗଲେ ତହୁଂ ଯେ ଯାହା ମନ୍ଦିର ।୧୯।

ଶଚୀକଂର ପୁରେ ଇନ୍ଦ୍ର ବିଜେ କଲେ ଯାଇଂ

ସମସ୍ତ ଚରିତ ଶଚୀଂକି କହିଲେ ମଣାଇଂ ।୨୦।

ପ୍ରୋଢା ବୋଲିଣ ଯେ ଅସୁର ଗରିଷ୍ଠ

ତାହାଂକର ଭୟେ ଚମକଇ ସ୍ୱର୍ଗରାଷ୍ଟ୍ର ।୨୧।

ଦିଗବିଜେ କରିଣ ସେ ଜିଣିଲା ତିନିପୁର

ୟେବେ ଜିଣିମ ବୋଲି ଆସୁଅଛି ଅମର ମଣ୍ଡଳ ।୨୨।

ଶଚୀ ବୋଇଲେ ତାକୁ କର ପ୍ରାଣେ ନାଶ

ତେବେ ସେ ସ୍ୱର୍ଗପୁର ହୋଇବ ଉଶ୍ୱାସ ।୨୩।

ଇନ୍ଦ୍ର ବୋଇଲେ ସେ ଥୋକାୟେକ ଦିନ ଅଛି

ମୋହୋର ବଜ୍ରଘାତେ ଯିବ କି ସେ ବଞ୍ଚି ।୨୪।

ୟେଥୁ ଅନନ୍ତରେ ତୁମ୍ଭେ ଶୁଣ ଦିବ୍ୟରସ

ଶ୍ରୀମହାଭାରଥ ୟେହୁ ଅମୃତ ସଦୃଶ ।୨୫।

କୃତକେଶୀ ରାଜାକୁ ସେ ଜିଣି ପ୍ରୋଢାସୁର

ସ୍ୱର୍ଗକୁ ବାହିବ ବୋଲି କରଇ ବିଚାର ।୨୬।

ପ୍ରୋଢାସୁର ପୁଣି ନାରଦଂକୁ ପଚାରଇ

ମଞ୍ଚପୁର ରାଜାନ୍ତ ମୁଂ ହେଳେ ଜିଣିଲଇଂ ।୨୭।

ପାତାଳ ମଞ୍ଚପୁର ତ ମୋହୋର ହୋଇଲା

ସ୍ୱର୍ଗପୁର କଥା ମୋତେ ଗୋଚର ନୋହିଲା ।୨୮।

ୟେବେ ଇନ୍ଦ୍ର ସଙ୍ଗେ ମୁହିଂ କରିବଇଂ ରଣ

ସ୍ୱର୍ଗମଞ୍ଚ ପାତାଳ ୟେ ତିନିପୁର ମୋର ହୋଇବ ଜାଣ ।୨୯।

ନାରଦେ ବୋଇଲେ ତୁ ହୋ ଭ୍ରମିଲୁ ମଞ୍ଚରେ

ଥୋକାୟେକ ଦିନ ତୁ ଥାଅ ହୋ ତୋହୋର ନବରେ ।୩୦।

ୟେବେ ଆସି ଚତୁର୍ମାସ୍ୟା ହୋଇଲା ପରବେଶ

ବରଷାୟେ ଯୁଦ୍ଧ କରି ନୋହୋ ନୃପଇଶ ।୩୧।

ନାରଦଂକ ବଚନ ଯେ ପ୍ରୋଢାସୁର ମାନିଲା

ରଥ ଲେଉଟାଇ ସେହୁ ନିଜପୁରେ ଗଲା ।୩୨।

ନିଚିନ୍ତରେ ପ୍ରୋଢାସୁର ରାଜ୍ୟରେ ରହଇ

ଜନପ୍ରଜାମାନନ୍ତ ସେ ସୁଖରେ ପାଳଇ ।୩୩।

ନାରଦେ ମେଲାଣି ପାଇ ସ୍ୱର୍ଗପୁରେ ଗଲେ

ପ୍ରୋଢାସୁରର ଚରିତ ଦେବତାନ୍ତ କହିଲେ ।୩୪।

ଶୁଣିଣ ଦେବତାୟେ ଆନନ୍ଦେ ଯେ ହୋଇ

ନିଚିନ୍ତେ ଦେବତାୟେ ସ୍ୱର୍ଗପୁରେ ରହି ।୩୫।

ଶୁଣ ଆହୋ ମନୁରାୟେ ବଦୟନ୍ତି ଅଗସ୍ତି

ୟେକମନେ ଶୁଣ ତୁ ହୋ ମଧ୍ୟପର୍ବ ରୀତି ।୩୬।

ମନୁ ପଚାରଇ ତୁମ୍ଭେ ଶୁଣିମା ଗୋସାଇଂ

ପ୍ରୋଢାସୁର ଚରିତ କହ ମୋତେ ଯେ ବୁଝାଇ ।୩୭।

ନାରଦଂକ ବଚନେ ସେ ନିଚିନ୍ତେ ରହିଲା

କେମନ୍ତେ ପ୍ରକାରେ ତାର ପ୍ରାଣନାଶ ହେଲା ।୩୮।

ୟେ କଥାବୁଝାଇ ମୋତେ କହ ମୁନିବର

ତେବେ ସିନା ମନଭ୍ରାନ୍ତି ଫିଟିବ ମୋହୋର ।୩୯।

ମନୁ ପଚାରନ୍ତେ ଚଇତନ ଯେ କହଇ

ଯାହା ପଚାରିଲୁ ତୁ ହୋ ଶୁଣ ମନଦେଇ ।୪୦।

ଚତୁର୍ମାସ୍ୟା ଅନ୍ତେ ମାର୍ଗଶିର ପ୍ରବେଶ ହୋଇଲା

ପ୍ରୋଢାସୁର ରାଜା ତହୁଂ ମନ୍ତ୍ରୀକି ପଚାରିଲା ।୪୧।

ଥାଠ ସନ୍ୟ ମୋର ତୁହୋ ବେଗେ ସଜକର

ଇନ୍ଦ୍ର ସଙ୍ଗେ ମୁହିଂ କରିବଇଂ ଯେ ସମର ।୪୨।

ତାହାକୁ ଜିଣିଲେ ତିନିପୁର ମୋର ହୋଇ

ଯୁଗ ଯୁଗାନ୍ତରେ ଯେ କଥା ରହିଥାଇ ।୪୩।

ରାଜାର କହନ୍ତେ ମନ୍ତ୍ରୀ ବର ଯେ ଶୁଣିଲା

ରାଜା ଆଗ୍ୟାଂ ଘେନି ସେ ମନ୍ଦିରକୁ ଗଲା ।୪୪।

ଡଗରାକୁ ହକାରି ମନ୍ତ୍ରୀବର ଯେ କହିଲା

ରାଜ୍ୟରେ ଘୋଷଣ ଦିଆଅ ବୋଇଲା ।୪୫।

ଥାଠସନ୍ୟ ସଜହୁଅ ରାଜା ଆଗ୍ୟାଂ ଦିଲେ

ମନ୍ତ୍ରୀର ମୁଖରୁ ଯେ ଡଗରେ ଶୁଣିଲେ ।୪୬।

ସିଂଘଦୁଆରେ ଯାଇଂ ଘୋଷଣା ଦିଆଇଲେ

ସନ୍ୟ ବହନ ସଜ ହୁଅ ହୋ ବୋଇଲେ ।୪୭।

ଶୁଣି ଥାଠ ସଇନ ହୋଇଲେକ ସଜ

ପାଦାନ୍ତି ରଥୀ ଯେ ଘୋଡ଼ା ମୟେମତ୍ତ ଗଜ ।୪୮।

ସମସ୍ତେ ସଜହୋଇ ହୋଇଲେ ବାହାର

ସିଂଘଦ୍ୱାରେ ଆସି ମିଳିଲେକ ସର୍ବବଳ ।୪୯।

ଚାରିଲକ୍ଷ ପାଦାନ୍ତି ଅଶ୍ୱ ଦୁଇଲକ୍ଷ ପୁଣ

ତିନି କ୍ଷଉଣୀ ଯେ ପାଇକ ବଳ ସନ୍ୟ ।୫୦।

ପାଞ୍ଚଲକ୍ଷ ସଇନ ବଳ ବାହାର ହୋଇଲେ

ସତେ କି ପୃଥିବୀକି ଅନ୍ଧକାର କଲେ ।୫୧।

ଦୁଇଶତ ରଥୀ ରଥମାନ ଚଢିଲେ

ବାଦ୍ୟନାଦ ଶବଦେ ପୃଥୀଦେବୀ କମ୍ପିଲେ ।୫୨।

ଉଦଣ୍ଡ ଉଲାଖ ପାଟଛତ୍ର ଯେ ଅପାର

ସମଦଣ୍ଡ ସଜହୋଇ ହୋଇଲେ ବାହାର ।୫୩।

ଶଙ୍ଖ ଟମକ ବାଜଇ ଘନ ଘନ

ବୀରତୂର ଶବଦେ କମ୍ପଇ ତିନି ଯେ ଭୁବନ ।୫୪।

ସ୍ୱର୍ଗରେ ଦେବତାୟେ ବାରତା ପାଇଲେ

ପ୍ରୋଢାସୁର ସ୍ୱର୍ଗକୁ ବାହୁଛି ବୋଇଲେ ।୫୫।

ଦିବ୍ୟବେଶ ବୋଇଣ ପ୍ରୋଢାସୁର ଅସୁର

ରଥେକ ସଜକରି ଦିଲା ମନ୍ତ୍ରୀବର ।୫୬।

ଅନକୂଳ ଘେନି ତହିଂ ବସିଲାକ ଯାଇଂ

ମଙ୍ଗଳ ବନ୍ଦାପନା ଯେ ତହିଂରେ ସାରଇ ।୫୭।

ଥାଠ ସଇନ ଆଗରେ ଗଲେ ଯେ ବାହାର ହୋଇ

ମଧ୍ୟ ଦାଣ୍ଡରେଣ ସେ ଚଳଇ ନରସାଇଂ ।୫୮।

ମୁଖରାବ ଶବଦେ ପୃଥିବୀ ହାନ୍ଦୋଳଇ

ପାଦରେଣୁ ଘାତେ ଆକାଶ ନ ଦିଶଇ ।୫୯।

ବାଦ୍ୟନାଦ ଶବଦ କମ୍ପଇ ଗୁରୁ ଟାଣ

ଦେବତାଂକ ଉପରକୁ କରଇ ପୟାଣ ।୬୦।

ରଥ ଚଳାଇଣ ରାଜା ବାହାର ହୋଇଲା

ସ୍ୱର୍ଗପୁରକଇଂ ସେହୁ ଅନକୂଳ କଲା ।୬୧।

ଦେବଂକର ଡଗରେ ଯେ ବୁଲି ଯାଇଥିଲେ

ଅସୁରର ସଜ ଦେଖି ତହୁଂ ବେଗେ ବାହୁଡ଼ିଲେ ।୬୨।

ସଭା ମଣ୍ଡାଇଣ ଯେ ବସିଛି ସୁରପତି

ଦେବତାମାନେ ବସିଛନ୍ତି ଇନ୍ଦ୍ର କତି ।୬୩।

ଅପକ୍ଷରମାନେ ତହିଂ ନାଚନ୍ତି ହରଷେ

ସାବଧାନ ହୋଇ ଦେଖଇ ସେ କଶ୍ୟପର ଶିଷ୍ୟେ ।୬୪।

ୟେମନ୍ତର ସମୟେ ଡଗରା ପ୍ରବେଶ ହୋଇଲେ

ପାୟେ ପଡ଼ି ଶୋଇ ସେ ଶିରେ କର ଦିଲେ ।୬୫।

ସାବଧାନ ହୋଇ ତୁମ୍ଭେ ଶୁଣିମା ଗୋସାଇଂ

ପ୍ରୋଢାସୁର ନାମେ ଅସୁର ସ୍ୱର୍ଗକୁ କଟାଳଇ ।୬୬।

କି ବୁଦ୍ଧି କରିବା କହ ୟେବେ ସୁରଗଣ

ନିଚେଂ ଦେବତାଂକର ବୋଇଲା ମରଣ ।୬୭।

ଶୁଣି ସୁରପତି ପୁଣିହିଂ ପଚାରଇ

କିସ ବାରତା ବୋ କହୁଅଛୁ ତୁହି ।୬୮।

ଚାରଗଣ ବୋଇଲେ ଶୁଣିମା ନରନାଥ

ସ୍ୱର୍ଗକୁ ବାହିଆସୁଛି ପ୍ରୋଢାସୁର ଦତ୍ୟ ।୬୯।

ଶୁଣିଣ ସୁରପତି ଆନନ୍ଦ ବିସ୍ମୟେ

ଦେବତାନ୍ତ ଚାହିଂଣ ଯେ ବୋଲଇ ସୁରରାୟେ ।୭୦।

ଡଗର ମୁଖରୁ ଶୁଣିଲଟି କି ଯାହା ପୁଣ

ପ୍ରୋଢାସୁର ସ୍ୱର୍ଗକୁ ବାହିଲାକ ଜାଣ ।୭୧।

ତୁମ୍ଭେ ଦେବତାୟେ ଯେ ବେଗେ ସଜହୁଅ

ଶହସ୍ରମାନ ଘେନିଣ ଯେ ଉଭା ହୋଇଥାଅ ।୭୨।

ପ୍ରୋଢାସୁର ତୁଲେ ଆମ୍ଭେ କରିବା ସମର

ଯେ ଯାହାର ମତେ ଶହସ୍ରମାନ ଧର ।୭୩।

ରାଜା ଆଗ୍ୟାଂ ପାଇଣ ଯେ ଦେବତାୟେ ଗଲେ

ଯେ ଯାହାର ଯାନ ବାହାନ ଆରୋହିଲେ ।୭୪।

ଯେ ଯାହାର ଶହସ୍ର ଆୟୁଧମାନ ଧରି

ସଜ ହୋଇ ଆସିଣ ଦାଣ୍ଡରେ ଉଭାରି ।୭୫।

ମୃଦଙ୍ଗ ଦୁନ୍ଦୁଭି ଆଦି ବାଜଇ ବୀରତୂର

ଶଙ୍ଖ ମହୁରୀ ଟମକ ଯେ ବାଜଇ କୁତୂହୋଳ ।୭୬।

ଅଇରାବ୍ରତ ଚଢି ସଜହେଲେ ସୁରରାୟେ

କରେ ବଜ୍ରସୂଚି ଧରିଣ ସେ କୋପମାନ କୟେ ।୭୭।

ମଙ୍ଗଳ ଆରତି ପୁଣି ବନ୍ଦାପନା ହୋଇ

ଆପଣେ ସଜ ଯେ ବୋଇଲେ ସୁରସାଇଂ ।୭୮।

ଚିତ୍ରସେନ ସୁରସେନ ଅଙ୍ଗାରପନ୍ନଙ୍ଗର ମୂଳେ

ଗଣ ଗନ୍ଧର୍ବ ଦେବତାୟେ ସଜ ହୋଇଲେ ଯେ ଯାହାରେ ।୭୯।

ସଜ ହୋଇଣ ଯେ ଥୋକାୟେକ ଦୂର ଗଲେ

ଅସୁର ଆସୁଛି ବୋଲି ପଥ ନିରୋଧିଲେ ।୮୦।

ଆପଣେ ପ୍ରୋଢାସୁର ଥାଠ ସଇନ ଘେନି

ଆକାଶ ଗଙ୍ଗାକୂଳେ ମିଳିଲା ତତକ୍ଷଣି ।୮୧।

ଦେବତାୟେ ଆସିଣ ମିଳିଲେ ସେହିଠାରେ

ମୁଖରାବ ଶବଦରେ କୁରୁମ ଚହଳେ ।୮୨।

ଦୁଇବଳ ସଇନ ଯହୁଂ ହୋଇଲେକ ଭେଟ

ଉଚ୍ଚବାଚ ହୋଇଣ ସେ କଲେକ ମୁରାଟ ।୮୩।

ମାର ମାର ଶବଦ କରିଣ ଡାକନ୍ତି ଅସୁରେ

ଡାକ ଶୁଣି ଦେବତାୟେ ଧାଇଂଲେ ଯେ ଖରେ ।୮୪।

ଭାଲ ଶକତି ଯେ ମାରନ୍ତି ତୀକ୍ଷଶର

ଯାଇଂଣ ପଡ଼ଇ ସେ ଅସୁରଂକ ଉପର ।୮୫।

ମନୁ ମୋଡ଼ି ହୋଇଣ ସେ ଭୂମିରେ ପଡ଼ଇ

ଅସୁରଂକ ଅଙ୍ଗରେ ଯେ ଲିତାୟେ ନ ଭେଦଇ ।୮୬।

ଘାୟେ ପାଇଣ ଯେ ଅସୁର ହୋଇଣ କୋପମୁଖ

ଦେବତାନ୍ତ ଭ୍ରଚ୍ଛନା ଯେ ବୋଲନ୍ତି ଅନେକ ।୮୭।

ତୁମ୍ଭେ ଦେବତାୟେ ହୋ ଆମ୍ଭର ଭକ୍ଷପାନ

ତୁମ୍ଭର ମାଂସ ଭକ୍ଷି ତୋଷିବୁ ଆମ୍ଭମନ ।୮୮।

କହୁଂ କହୁଂ ଶହସ୍ର ଯେ ମରା ମରି ହୋଅନ୍ତି

କେହି କାହାକଇଂ ସାଂଗ୍ରାମେ ଓଛ ଯେ ନୋହୋନ୍ତି ।୮୯।

ବେଳୁଂ ବେଳ ସାଂଗ୍ରାମ ବଢିଲା ଅଗୋଚର

ଦେବତାଂକ ଶହସ୍ରେ ଅସୁର ପଡ଼ିଲେ ଅପାର ।୯୦।

ବାତଘାତେ ଯେହ୍ନେ କଦଳୀ ବନ ପଡ଼ଇ

ତେହେନେକ ହୋଇ ଅସୁର ବଳ ଭୂମିରେ ଲୋଟଇ ।୯୧।

ମଡ଼ାର ଉପରେ ମଡ଼ା କୁଢ କୁଢ ପଡ଼ିଲେ

ରଥୀ ହାଥୀ ଘୋଡ଼ା ପାଦାନ୍ତି ଅନେକ କ୍ଷୟେ ଗଲେ ।୯୨।

ରକତରେ କର୍ଦ୍ଦନ ହୋଇଲା ମହୀଆଳୀ

ରକତ ବହିବାରେ ଯେହ୍ନେ ନଦୀୟେ ବଢିଣ ଉଛୁଳି ।୯୩।

ରକତ ନଦୀରେ ମଡ଼ା ଯାଉଛନ୍ତି ଭାସି

ଗିଧ୍ର ଶୃଗାଳ ଯେ ମାୟେଂସ ସୁଖେ ଭକ୍ଷି ।୯୪।

ଅସୁରଂକ ଶରଘାତେ ଦେବଗଣେ ପଡ଼ିଲେ

ଆକାଶରେ ଥାଇଂଣ ଯେ ନାରଦ ଦେଖୁଥିଲେ ।୯୫।

କଳି ଧୋକଡ଼ି ମୁଣିରୁ ଧୂଳି ମୁଠାୟେ ବିଞ୍ଚିଲେ

ଲାଗୁ ଲାଗୁ ବୋଲି ସେ ନାଚେକ ଚାଚିଲେ ।୯୬।

ହରି ଧୁନି କରି ବୀଣାନାଦ ଯେ ଘୋଷନ୍ତି

ମହା ଆନନ୍ଦରେ ମୁନି ଯୁଦ୍ଧକୁ ଦେଖନ୍ତି ।୯୭।

ୟେମନ୍ତେ ରାତ୍ରେକ ଦିବସେକ ଘୋର ସମର ହୋଇଲା

ଅସୁର ବଳ ଯେ ଅନେକ କ୍ଷୟେ ଗଲା ।୯୮।

ଅସୁର ବଳ ନାଶ ଦେଖିଣ ପ୍ରୋଢାସୁର

ବିଚାରିଲା ଯଶ ମୋତେ ନୋହିବ ୟେଥର ।୯୯।

ମଞ୍ଚ ମଣ୍ଡଳରେ ମୁହିଂ ଦିଗବିଜେ କଲି

କାହାର ହାଥରେ ମୁଂ ଯେ ଅପଚୟେ ନ ପାଇଲି ।୧୦୦।

କୃତକେଶୀ ସଙ୍ଗେ ମୁଂ ଯେ କଲଇଂ ସମର

ସେହି ମାଇଲା ଯେ ମୋହୋର ଅନେକ ସଇନ ବଳ ।୧୦୧।

ନାରଦେ ଥାଇଣ ତାହା ଜୀଆଂଇଣ ଦିଲେ

ଅପଜୟେ କଥା ପାଇଲଇଂ ୟେବେ ଦେବଂକ ହାଥରେ ।୧୦୨।

ୟେତେ ବୋଲି ଅସୁର କୋପଭର ହୋଇ

ଧନୁରେ ନାରାଜମାନ ପୂରୋଇଲା ନେଇ ।୧୦୩।

କୋପଭର ହୋଇ ଦେବତାଗଣନ୍ତ ଗୋଡ଼ାଇଲା

ଜଣ ଜଣକେ ଗୋଟାୟେ ଲେଖାୟେ ଶହସ୍ର ବିନ୍ଧିଲା ।୧୦୪।

କୋଟି କୋଟି କରି ମାରନ୍ତେ ଶହସ୍ରମାନ

କୁଢ କୁଢ ହୋଇ ପଡନ୍ତି ଯେ ଦେବଗଣ ।୧୦୫।

ଦେଖିଣ ଶକ୍ରରାୟେ କୋପେଣ ଧାଇଂଲା

ପ୍ରୋଢାସୁର ଅସୁରକୁ ଯାଇଂ ଓଗାଳିଲା ।୧୦୬।

ବୋଇଲା ଅସୁର ଆରେ ସଇନ କିମ୍ପେ ନାଶୁ

ଆଜ ତୋତେ ମୁହିଂ ରେ କରିବି ଧୂଳି ପାଂଶୁ ।୧୦୭।

ୟେତେ ବୋଲି ଶକ୍ରରାୟେ ଧନୁରେ ନାରାଜ ପୂରୋଇ

ଅସୁର ଉପରକୁ ନିଠିଆଇ ପିଟଇ ।୧୦୮।

ଅଙ୍ଗରେ ବାଜନ୍ତେଯେ ନାରାଜ ନ ଭେଦିଲା

ପ୍ରଜ୍ୱଳିତ ଅଗ୍ନି ପରି ଜଳିଣ ଉଠିଲା ।୧୦୯।

ଟହ ଟହ ହୋଇଣ ଯେ ହସଇ ଅସୁର

ପୁଣି ସହସ୍ରେ ନାରାଜ ସେ ବିନ୍ଧଇ ପ୍ରଖର ।୧୧୦।

ଇନ୍ଦ୍ରର ଅଙ୍ଗେ ତାହା ପଡ଼ନ୍ତେଣ ଯାଇ

ହାବୋଡ଼ା ଶରେ ଶକ୍ରରାୟେ ତାହା ଦିଲାକ ଉଡ଼ାଇ ।୧୧୧।

କୋପେଣ ଅସୁର ଆଗଭର ଯେ ହୋଇଲା

ଲକ୍ଷେକ ନାରାଜ ଯେ ଗୁଣେ ପୂରୋଇଲା ।୧୧୨।

ମନ୍ତ୍ରିଣ ନାରାଜ ବେଗେଣ ବିନ୍ଧଇ

ଅଙ୍ଗ ପାତିଣ ତାହା ଯେ ସହିଲା ସୁରସାଇଂ ।୧୧୩।

ନାରାଜ ସମ୍ଭାଳିଲା ସହସ୍ରଲୋଚନ

ପଞ୍ଚଶତ ନାରାଜ ବସାଇଲା ଗୁଣରେଣ ।୧୧୪।

ଅସୁର ଉପରକୁ ମନ୍ତ୍ରିଣ ବିନ୍ଧିଲା

ଅସୁର ଅଙ୍ଗରେ ତାହା ଯାଇଣ ବାଜିଲା ।୧୧୫।

ସେହ୍ନା ଫୁଟିଣ ନାରାଜ ନିକିଳିଣ ହୋଇ

ଖଳ ଖଳ ରୁଧିର ଯେ ପଡୁଅଛି ବୋହି ।୧୧୬।

ରୁଧିର ବହନ୍ତେ ଅସୁର ନ କରଇ ଶଂକା

ବାୟୁବେଗେ ରଥ ବାହଇ ସେ ରଣରଂକା ।୧୧୭।

ଦୁହେଂ ମହାଛତ୍ରୀ କେହୁ ନ ଘୁଞ୍ଚନ୍ତି ରଣେ

ଅନେକ ନାରାଜ ମରାମରି ହୋନ୍ତି ଜଣେ ଜଣେ ।୧୧୮।

ୟେମନ୍ତେ ଦୁଇଦିନ ଦୁଇରାତ୍ର ସମର ହୋଇଲା

ନାରାଜାଘାତେ ସେହ୍ନାମାନେ ଯେ ଛିଡ଼ିଲା ।୧୧୯।

ନାରାଜର ତେଜେ ଅଗ୍ନି କି ଜଳଇ

ଦିବସେ ଯେ ଅନ୍ଧକାର ପ୍ରାୟେକ ଦିଶଇ ।୧୨୦।

ବେଳୁଂ ବେଳ ସମର ଯେ ଅନେକ ହୋଇଲା

କେହି କହାକଇଂ ତହିଂ ଜିଣନ୍ତା ନୋହିଲା ।୧୨୧।

ଯେତେକ ଅସୁର ବଳ ତହିଂ ଆସିଥିଲେ

ଦେବତାଂକ ଶରାଘାତେ ସର୍ବେ ନାଶ ଗଲେ ।୧୨୨।

ହାଥୀ ରଥୀ ପାଦାନ୍ତି ଘୋଡ଼ା ସମସ୍ତେ କ୍ଷୟ ଗଲେ

ୟେକା ପ୍ରୋଢାସୁର ମନ୍ତ୍ରିକି ଘେନିଣ ରହିଲେ ।୧୨୩।

ରାତ୍ର ଦିବସରେ ସମର ନ ରହଇ

ରକତେ କର୍ଦ୍ଦନ ଯେ ହେଉଅଛି ମହୀ ।୧୨୪।

ଦୁହିଂକରି ସମର ଦେବ ଦାନବେ ଅଗୋଚର

ଶହସ୍ର ଭେଦ ଅଙ୍ଗ ହେଲା ରକତେ ଜର ଜର ।୧୨୫।

ଅସୁର ବଳ ହତ ଦେଖି ପ୍ରୋଢାସୁର ରାୟେ

ମନେ ବିଚାରଇଂ ମୁଂ ୟେଥର ହୋଇବଇଂ କ୍ଷୟେ ।୧୨୬।

ୟେତେ ବୋଲିଣ କୋପେ ଗଦାୟେ ଘେନିଲା

ଶକ୍ରକାୟେ ଅଙ୍ଗେ ତାହା ନେଇଣ ପିଟିଲା ।୧୨୭।

ଗଦା ବାଜନ୍ତେଣ ଇନ୍ଦ୍ର ଅଙ୍ଗ ଯେ ପାତିଲେ

ଗଦାଘାତେ ପୁଣି ସେ ସମ୍ଭାଳି ହୋଇଲେ ।୧୨୮।

ଆପଣେ ବଜ୍ରବାଣ ଘେନିଣ ଧାଇଂଲେ

ଅସୁର ଅଙ୍ଗରେ ତାହା ନେଇଣ ପିଟିଲେ ।୧୨୯।

ବଜ୍ର ପଡ଼ନ୍ତେ ଅସୁର ମୁଣ୍ଡ ଯଏ ପାତିଲା

ବିଭଙ୍ଗ ନୋହି ସେ ଟହ ଟହ ହୋଇଣ ହସିଲା ।୧୩୦।

ରଥର ଉପରୁ ସେ ଡେଇଂଣ ପଡ଼ଇ

ମୁଥେକ ନେଇ ଇନ୍ଦ୍ର ରାୟେ ଉପରେ କଚାଡ଼ଇ ।୧୩୧।

ବିଧାଘାତ ଖାଇ ଇନ୍ଦ୍ର ବଡ଼ କୋପ କଲେ

ବଜ୍ରସୂଚୀ ଶର ସେହୁ ହାଥରେ ଘେନିଲେ ।୧୩୨।

ଅସୁର ଅଙ୍ଗରେ ନେଇ ତାହା କଚାଡ଼ିଲେ

ସମ୍ଭାଳ ରେ ପ୍ରୋଢାସୁର ୟେମନ୍ତ ବୋଇଲେ ।୧୩୩।

ବଜ୍ର ପଡ଼ନ୍ତେଣ ଅସୁର ପ୍ରାଣ ହାରି

ଦେଖିଣ ନାରଦେ ଯେ ହରି ଧୁନି ଉଂକାରି ।୧୩୪।

ରଥରେ ଥାଇ ତାହା ଦେଖିଲା ମନ୍ତ୍ରୀବର

ବିଚାରଇ ୟେହିକ୍ଷଣି ମୋତେ ମାରିବ ବଜ୍ରଧର ।୧୩୫।

ୟେତେ ବୋଲି ମନରେ ସେ ମହାଭୟ କଲା

ତାହାର ଭୟ ଦେଖି ସୁରପତି ବିଚାରିଲା ।୧୩୬।

ୟେହାକୁ ମାଇଲେ ହୋ ହୋଇବାକ କିସ ଯଶ

ସେବକ ଜନ ୟେହୁ ସବୁଂକରି ବିଶ୍ୱାସ ।୧୩୭।

ଇନ୍ଦ୍ର ବୋଇଲେ ହୋ ତୁ ଆସ ମନ୍ତ୍ରୀବର

କିମର୍ଥେ ଭୟରେ ତୁ ହୋଉ ଥରହର ।୧୩୮।

ତୋହୋର କିସ ଦୋଷ ଅଛଇ ୟେଥିରେ

ସେବକ ଲୋକ ଭୟ ନ କର ମନରେ ।୧୩୯।

ୟେହିକ୍ଷଣି ରଥ ଚଢି ରାଜ୍ୟକୁ ତୋର ଯାଇଂ

ରାଜା ମଲା ବୋଲି ରାଜ୍ୟରେ ବାରତା କହ ତୁହି ।୧୪୦।

ମନ୍ତ୍ରୀ ବୋଇଲେ ଗୋସାଇଂ ତୁମ୍ଭ ଆଗ୍ୟାଂ ପରମାଣେ

ବାରତା ଯାଇଣ ମୁହିଂ କହିବି ୟେହିକ୍ଷଣେ ।୧୪୧।

ପୁରୁଷାନୁକ୍ରମେ ସେବକ ମୁଂ ତାହାର ଅଟଇ

ସର୍ବଦା ତାହାର ମୁଂ ଯେ ଚରଣେ ଖଟଇ ।୧୪୨।

ଶୁଣିଣ ଶକ୍ରରାୟେ ପଚାରଇ ହସି

କଥାୟେ ପଚାରିବା କହ ଉପନେସି ।୧୪୩।

ୟେହାର ବାପ ନାମ ଜାଣୁଟିକି ତୁହି

କିସ ଅଟଇ ମୋତେ କହନି ବୁଝାଇ ।୧୪୪।

ମନ୍ତ୍ରୀ ବୋଇଲା ଗୋସାଇଂ ସାବଧାନେ ଶୁଣ

ୟେହାର ପିତା ନାମ ରୂଢାସୁର ଜାଣ ।୧୪୫।

ବଡ଼ାଇ ଗରିଷ୍ଠ ସେ ଅଟଇ ଅସୁର

ଦେବ ଦାନବରେ ଅପ୍ରୀତି ଅର୍ଜିଲା ଅପାର ।୧୪୬।

ଇନ୍ଦ୍ର ବୋଇଲେ କାହାର ହାଥେ ସେହୁ ମଲା

ମନ୍ତ୍ରୀ ବୋଇଲା ସେ ଆପଣା ସୁଖେ ନାଶଗଲା ।୧୪୭।

ଇନ୍ଦ୍ର ବୋଇଲେ ୟେହାର ଅଛଇଟି କି ପୁତ୍ର

ମନ୍ତ୍ରୀ ବୋଇଲା ୟେହାର ୟେକ ଅଛଇ କୁମର ।୧୪୮।

ତାହାର ନାମ କିସ ଶକ୍ରରାୟେ ପଚାରନ୍ତି

ମନ୍ତ୍ରୀ କହଇ ତୁମ୍ଭେ ଶୁଣ ହୋ ସୁରପତି ।୧୪୯।

ତାହାର ନାମ ଗୋଟି ଯେ ଅଟଇ ମୋଢାସୁର

ୟେହାଶୁଣି ସହସ୍ରାକ୍ଷ ହସିଲେ କର କର ।୧୫୦।

ଅଜାର ନାମ ୟେହାର ହୋଇଲା ରୂଢାସୁର

ପୁତ୍ରର ନାମ ତାର ହୋଇଲା ପ୍ରୋଢାସୁର ।୧୫୧।

ନାତିର ନାମ ଯେ ମୋଢାସୁର ହୋଇଲା

ୟେହିପରି ନାମ କାହିଂ ଶୁଣାତ ନ ଥିଲା ।୧୫୨।

ଉତ୍ତମ ନାମ ୟେହୁ ପାଇଥିଲେ ହାଦେ

ମନ୍ତ୍ରୀଂକି ବହୁ ପ୍ରଶଂସା କରନ୍ତି ସୁର ଦେବେ ।୧୫୩।

ମନ୍ତ୍ରୀକି ବୋଇଲେ ତୁ ଯାଅ ନିଜ ଦେଶ

ମୋଢାସୁରକୁ ତୁ ଯାଇଂ କର ରାଜ୍ୟେ ଈଶ ।୧୫୪।

ଆଗ୍ୟାଂ ପରମାଣେ ତହୁଂ ମନ୍ତ୍ରୀ ଚଳିଗଲା

ଆପଣାର ଦେଶେ ଯାଇଂ ପ୍ରବେଶ ହୋଇଲା ।୧୫୫।

ପ୍ରୋଢାସୁର ନାଶି ଇନ୍ଦ୍ର ରାଜା ତହୁଂ ବାହୁଡ଼ିଲେ

ଅମରପୁରରେ ଯାଇଂ ପ୍ରବେଶ ହୋଇଲେ ।୧୫୬।

ବାରତା ପାଇଣ ଯେ ଶଚୀ ମହାଦେଈ

ଅର୍ଘ୍ୟଥାଳୀୟେ ଘେନିଣ ଇନ୍ଦ୍ରଂକୁ ବନ୍ଦାଇ ।୧୫୭।

ବନ୍ଦାପନା ହୋଇ ଭିତରକୁ ଗଲେ

ସଭାମଣ୍ଡୋପ ମଣ୍ଡାଅ ବୋଲି ଯେ ଭୃତ୍ୟକୁ ଆଗ୍ୟାଂ ଦିଲେ ।୧୫୮।

ସୁଧର୍ମା ସଭା ଯେ ମଣ୍ଡଣି ହୋଇଲା

କିସ ପଟାନ୍ତର ତାକୁ ଦେବାଇଂ ଯେ ଭଲା ।୧୫୯।

ଭିତରେ ଶକ୍ରରାୟେ ମୁଣୋହି ସାରିଲେ

ଅମୃତ ପାନରେ ସେହୁ ଆତ୍ମା ତୋଷକଲେ ।୧୬୦।

ସୁଧର୍ମା ସଭାରେ ଯେ ବିଜେ କଲେ ଯାଇଂ

ବ୍ରହ୍ମା ବୃହସ୍ପତି ଯେ ଅଇଲେ ଚଳାଇ ।୧୬୧।

ଈଶ୍ୱର ପବନ ଯେ ଦୁହେଂ ଅଇଲେ ସଙ୍ଗ ହୋଇ

ତେତିଶି କୋଟି ଦେବତା ଯେ ଯାହା ଆସ୍ତାନେ

ବସିଲେକ ଯାଇଂ ।୧୬୨।

ଇନ୍ଦ୍ର ମୁଖରୁ ଯୁଦ୍ଧ ବାରତା ଶୁଣିଲେ

ସମସ୍ତେ ତହିଂରେ ଯେ ତୋଷମନ ହୋଲେ ।୧୬୩।

ଅସୁର ହତ ଶୁଣି ସମସ୍ତେ ହରଷ

ଯହୁଂ ପୃଥୀଭାର ହୋଇଲା ଉଶ୍ୱାସ ।୧୬୪।

ସ୍ୱର୍ଗର ଅପକ୍ଷରୀ ନାଚନ୍ତି ସୁଖ ପାଇ

ସ୍ୱର୍ଗର ଆନନ୍ଦ ଯେ କହିଲେ ନ ସରଇ ।୧୬୫।

ଅଗସ୍ତି କହନ୍ତି ତୁ ହୋ ମନୁରାୟେ ଶୁଣ

ୟେ ପ୍ରକାରେ ପ୍ରୋଢାସୁର ପାଇଲା ମରଣ ।୧୬୬।

ଶୁଣିଣ ବିଲଂକ ଦେଶର ଦଣ୍ଡଧର

ମୁନିଂକି ନମସ୍କାର କରଇ ଶତେବାର ।୧୬୭।

ତାହାର ପୁତ୍ର ଯେ ମୋଢାସୁର ଥିଲା

ପିତାର ମରଣ ଶୁଣି ସେ କିସ ବିଚାରିଲା ।୧୬୮।

ରାଜା ପଚାରନ୍ତେ ଯେ କହନ୍ତି ମୁନିବର

ରାଜ୍ୟରେ ପ୍ରବେଶ ଯାଇଂ ହୋଇଲା ମନ୍ତ୍ରୀବର ।୧୬୯।

ସେ ରାଜ୍ୟର ଲୋକେ ତାକୁ ପଚାରନ୍ତି ନାହିଂ

ତୁହିତ ଅଇଲୁ ଆମ୍ଭ ରାଜା ଛନ୍ତି କାହିଂ ।୧୭୦।

ମନ୍ତ୍ରୀ କହିଲା ରାଜା ସମରେ ପଡ଼ିଲା

ହାଥୀ ରଥୀ ଅନେକ ଇନ୍ଦ୍ର ନାଶକଲା ।୧୭୧।

ୟେକାୟେ ପ୍ରାଣ ଘେନିଣ ଅଇଲଇଂ ମୁହିଂ

ମୋଢାସୁରକୁ ରାଜା କରିବାର ପାଇଂ ।୧୭୨।

ପିତାର ମରଣ ବାରତା ପାଇଣ ମୋଢାସୁର

ବହୁତ କ୍ରୋଧ କଲା ମନ୍ତ୍ରୀର ଆଗର ।୧୭୩।

ମନ୍ତ୍ରୀ ବୋଇଲା ତୁ କ୍ରୋଧକର ଶାନ୍ତି

ତତକ୍ଷଣେ ମୋଢାସୁରକୁ ରାଜ୍ୟେ କଲାକ ନୃପତି ।୧୭୪।

ପାତ୍ର ସାମନ୍ତ ଘେନି ନୃପତି ହୋଇଲା

ବଡ଼ାଇ ଗରିଷ୍ଠ ସେ କାହାକୁ ତିଳେ ନ ଡରିଲା ।୧୭୫।

ଅନେକ ସୁଖରେ ସେହୁ ରାଜ୍ୟ କରୁଥାଇ

ଦେବ ଦାନବରେ ସେ କାହାକୁ ନ ଡରଇ ।୧୭୬।

ସଞ୍ଚପି ଶୁଣିଲୁଟିକି ତୁ ହୋ ମନୁ ମହାରାଣ

ୟେ ସେ ମଧ୍ୟପର୍ବ ମହାଭାରଥ ପୁରାଣ ।୧୭୭।

ବନ୍ଦଇ ଜଗନ୍ନାଥ ଜଗତ ଉଦ୍ଧାରଣ

ଭଗତମତ୍ସଳ ଯୋଗୀଜନ ଯାକୁ କରୁଛନ୍ତି ଧ୍ୟାନ ।୧୭୮।

ଦୟାନିଧି ନାମ ପୁଣି ଅଟଇ ଯାହାର

ଦରିଦ୍ରଜନଂକର ଯେ ଅଟଇ ସୋଦର ।୧୭୯।

ଅରକ୍ଷିତ ଲୋକଂକର ଅଟଇ ସେ ବନ୍ଧୁ

ତେଣୁ କରି ନାମ ତାଂକ ଅଟେ କୃପାସିନ୍ଧୁ ।୧୮୦।

ପତିତପାବନ ତୁମ୍ଭେ ପତିତ ତାରଣ

ୟେ ଭବ ଭୟ ଦୁର୍ଗତିରୁ ରଖ ନାରାୟଣ ।୧୮୧।

ତୁଳୁସାର ବଲ୍ଲଭ ଚରଣକୁ ମୋର ଆଶ

କବି ସାରୋଳା ଦାସକୁ ରଖ ପୀତବାସ ।୧୮୨।

ବନ୍ଦଇ କମଳା ମା ଗୋ ବିଷ୍ଣୁର ପାଟରାଣୀ

ଦୁଃଖ ବିନାଶିନୀ ମା ଗୋ ଦରିଦ୍ରଭଞ୍ଜନୀ ।୧୮୩।

ପଦ୍ମଆସନୀ ମାଗୋ ସିନ୍ଧୁର ଦୁହିତା

ସର୍ବଜନଂକର ମାତା ଗୋ ସଂସାର ରଖନ୍ତା ।୧୮୪।

ନିତ୍ୟେ ନିତ୍ୟେ ଯେଉଂ ଜନ ତୋର ଚରଣେ ବନ୍ଦନ୍ତି

ବିପୁଳ ଲକ୍ଷ୍ମୀ ତାକୁ ଦେଉ ଗୋ ମହାସତୀ ।୧୮୫।

ପଦ୍ମ ପୁଷ୍ୟରୁ ଜନ୍ମିଲୁ ପଦ୍ମାନୀ ତୋର ନାମ

କମଳିନୀ ନାମ ତେଣୁ କରନ୍ତି ବଖାଣ ।୧୮୬।

ଲକ୍ଷ୍ମୀ ନାରାୟଣଂକର ଚରଣ କମଳେ

ଶୁଦ୍ରମୁନି ସାରୋଳା ଦାସ

ସେବଇ ନିରନ୍ତରେ ।୧୮୭।୧୧୧୭୧।

 

ମୂଢାସୁରର ବରଲାଭ ଓ ଗଣେଶଙ୍କ ଜନ୍ମ

ବଇବସୁତ ମନୁ ଯେ ଅଗସ୍ତିଂକ ଚରଣେ

ସହସ୍ରେକ ପ୍ରଲମ୍ବ କରଇ କ୍ଷଣେ କ୍ଷଣେ ।୧।

ଛଡ଼ଅର୍ଘ୍ୟ ପୂଜା କରି କରଯୋଡ଼ି କହଇ

ମହାଭାରଥ କହି କାରଣ କର ମୋର ଦେହୀ ।୨।

ଜନ୍ମେ ଜନ୍ମେ ମୁହିଂ ତୁମ୍ଭ ଦାସଂକର ଦାସ

ମୋଢାସୁର ବଧ ମୋତେ କହ ବ୍ରହ୍ମଶିଷ୍ୟ ।୩।

କାହାର କୋଳେ ସେହୁ ଅସୁର ଜନମିଲା

କାହାକଇଂ ସେବି ସେ ୟେଡ଼େ ଗରିଷ୍ଠ ହୋଇଲା ।୪।

ୟେହା ମୋତେ ବିସ୍ତାରିଣ କହ ମୁନିବର

ତେବେ ସେ ମନ ଶାନ୍ତି ହୋଇବ ମୋହୋର ।୫।

ମନୁରାଜା କହନ୍ତେ ଯେ ଅଗସ୍ତି ହସିଲେ

ରାଜାନ୍ତ ସେ କୋଳାଗ୍ରତ କରିଣ ବସାଇଲେ ।୬।

ରାଜାନ୍ତ ପ୍ରଶଂସା ମୁନି କରନ୍ତି ବହୁତ

ବୁଦ୍ଧିବନ୍ତ ଗୁଣବନ୍ତ ଅଟୁ ତୁ ପଣ୍ଡିତ ।୭।

ୟେଡ଼େ ସନ୍ଧିକଥା ତୋତେ ଦୃଶ୍ୟହେଲା ରାୟେ

ସାବଧାନେ ଶୁଣ ତୁ କହିବା କିଛୁ ତୋୟେ ।୮।

ୟେକମନ ହୋଇ ଶୁଣ ମନୁ ମହାରାଣ

ଚିତ୍ତ ଚଞ୍ଚଳ ନ କରି ୟେକମନେ ଶୁଣ ।୯।

ପୁରାଣ ପୁସ୍ତକ ଫେଡ଼ି କହନ୍ତି ଅଗସ୍ତି

ମୋଢାସୁର ଚରିତ ତୁ ଶୁଣ ନରପତି ।୧୦।

କପିଳାସ କନ୍ଦରର ଉତ୍ତର ପାରୁଶରେ

ଅଳମୂଷା ବୋଲି ତହିଂ ୟେକଇ ନଗରେ ।୧୧।

ରୂଢାସୁର ବୋଲିଣ ଯେ ଅସୁରେକ ଥିଲା

ଅତି ବଳବନ୍ତ ପଣେ ସେ ଗରିଷ୍ଠ ହୋଇଲା ।୧୨।

ୟେହାର ନନ୍ଦନ ଯେ ହୋଇଲା ପ୍ରୋଢାସୁର

ସୁର ଅସୁରଂକ ସଙ୍ଗେ ବାଦ କରଇ ନିରନ୍ତର ।୧୩।

ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଯେ ଭ୍ରମୁଥାଇ ନିତି

ସବୁଂକରି ସଙ୍ଗେ ସେ ହୋଇଲା ଅପ୍ରୀତି ।୧୪।

ନିରନ୍ତରେ ଅସୁର ନାମରେ ସ୍ୱର୍ଗେ ଚମକ ପଡ଼ଇ

ଦେବତାୟେ ସ୍ୱର୍ଗରେ ଯେ ନୁଆରନ୍ତି ରହି ।୧୫।

ଉପାୟ କରି ତାକୁ ବଜ୍ରଧର ଯେ ମାଇଲେ

ତେବେ ସେ ଦେବତାୟେ ନିଚିନ୍ତେ ରହିଲେ ।୧୬।

ତାହାର ନନ୍ଦନ ଯେ ହୋଇଲା ମୋଢାସୁର

ଅତିହିଂ ଗରିଷ୍ଠ ସେ ହୋଇଲା ନିଶାଚର ।୧୭।

ମଞ୍ଚମଣ୍ଡଳେଣ ଯେତେକ ରାଜା ଥିଲେ

ଭୟେ ସେ ଅସୁରକୁ ସମାଧାନ ଦିଲେ ।୧୮।

ୟେମନ୍ତେଣ ରାଜ୍ୟ ତହିଂ କରଇ ମୋଢାସୁର

ମନ୍ତ୍ରୀର ନାମ ତାର ଅଟଇ କୁରୁପାଳ ।୧୯।

ଦିନେ ସେ ଆସ୍ଥାନ କରି ବସିଛି ମହାବୀର

ମନ୍ତ୍ରୀକି ଚାହିଂଣ ଯେ ପଚାରଇ ଅସୁର ।୨୦।

ୟେ ମଞ୍ଚ ମଣ୍ଡଳ ତ ମୋହୋର ହୋଇଲା

ୟେତେକ ବଚନ ମୋଢାସୁର ମନ୍ତ୍ରୀକୁ କହିଲା ।୨୧।

ମନ୍ତ୍ରୀ କୁରୁପାଳ ବୋଇଲା ଶୁଣ ଅସୁରକୁଳ ସାଇଂ

ତୋହୋର ଛାମୁରେ ମୁହିଂ କଥାୟେ କହିବଇଂ ।୨୨।

ସମସ୍ତଂକୁହିଂ ତୁହି ଜିଣି ପାରିଲୁଟି ବଳେ

ଜିଣି ନୁଆରିବୁ ୟେକା ସ୍ୱର୍ଗେ ଆଖଣ୍ଡଳେ ।୨୩।

ମନ୍ତ୍ରୀର ମୁଖରୁ ଶୁଣି କୋପକଲା ଦୁଷ୍ଟମତି

ମନ୍ତ୍ରୀର ବାଳ ଯାଇଂ ଧଇଲା ତତକ୍ଷଣାତି ।୨୪।

ଇନ୍ଦ୍ର ବଡ଼ ଗରିଷ୍ଠ ତୁ କହିଲୁ ମୋ ଛାମୁର

ୟେବେ ଥାଠ ସଜକର ଯିବା ସ୍ୱର୍ଗପୁର ।୨୫।

ମନ୍ତ୍ରୀ ବୋଇଲା ତୁ ହୋ ଛାଡ଼ ମୋର କେଶ

ଗୁପତ କଥାୟେ ତୋତେ କହଇ ବିଶ୍ୱାସ ।୨୬।

ତୋହୋର ବାପ ଯେ ପ୍ରୋଢାସୁର ଥିଲା

ଦେବତାଂକ ସଙ୍ଗେ ସେହୁ ବାଦ ଆରମ୍ଭିଲା ।୨୭।

ସ୍ୱର୍ଗେ ଇନ୍ଦ୍ର ଦେବତାଂକ ସଙ୍ଗେ ଯୁଦ୍ଧ କରି

ବଜ୍ରମାରି ସେହୁ ତୋର ପିତାକୁ ସଂହାରି ।୨୮।

ୟେହି କଥା ପାଇଂ ମୁଂ ହୋ ତିଆରଇ ତୋତେ

ତୋହୋର ବିଚାରକୁ ପୁଣ ଦିଶଇ ଯେମନ୍ତେ ।୨୯।

ମନ୍ତ୍ରୀର ମୁଖୁଂ ରାଜା ୟେମାନନ୍ତ ଶୁଣି

ଧୀର ଧୀର କରି ମନ୍ତ୍ରୀକି ପଚାରଇ ଅସୁର କୁଳମଣି ।୩୦।

ମୋହୋର ବାପକୁ ଯେବେ ମାରିଛି ଇନ୍ଦ୍ରରାଣ

ମୋହୋର ହାଥେ ନିଚେଂ ହାରିବ ସେ ପ୍ରାଣ ।୩୧।

କୃପାଳୁ ମନ୍ତ୍ରୀ ଯେ ବୋଇଲା ଶୁଣ ଅସୁରକୁଳ ରାୟେ

ମୋହୋର କଥା ଯେବେ କରିବୁ ଥୋକାୟେ ।୩୨।

ତୁ ମୋହୋର ଠାକୁର ମୁଂ ତୋହୋର ସେବକ

ପୁରୁଷାନୁକ୍ରମେ ମୁହିଂ ଅଟଇ ତୋର ଲୋକ ।୩୩।

ତୁମ୍ଭର ଯେ ଭଲକଥା ସେ ମୋହୋର ସୁଲଭକର୍ମ

କେବେହେଂ ମୋହୋର କଥା ନ କରିବୁ ଭ୍ରମ ।୩୪।

ମନ୍ତ୍ରୀର କହନ୍ତେଣ ଅସୁରର ଭ୍ରମ ଗଲା

ତକ୍ଷଣେ ସେହୁ ମନ୍ତ୍ରୀର ବାଳ ଛାଡ଼ିଦିଲା ।୩୫।

କୋଳ କରିନେଇ ବସାଇଲା ସନ୍ନିଧ୍ୟର

ବୋଇଲା କି ବୁଦ୍ଧି କରିବା ୟେବେ କହ ହୋ ମନ୍ତ୍ରୀବର ।୩୬।

ମୋହୋର ପିତାକୁ ତ ଇନ୍ଦ୍ର ପ୍ରାଣେ କଲା ହତ

ପିତୃକାର୍ଯ୍ୟ ନ କଲେ ପୁତ୍ରର ଜୀବନ ବିଅର୍ଥ ।୩୭।

ୟେତେକ ବଚନ ତହିଂ ଅସୁର କହନ୍ତେ

ମନ୍ତ୍ରୀ ବୋଇଲା ଶୁଣ ପ୍ରଭୁ କଥାର ତଦନ୍ତେ ।୩୮।

କପିଳାସ କନ୍ଦରେ ଯେ ଅଛନ୍ତି ବିଶ୍ୱନାଥେ

ଗଣେଶ୍ୱର ବୋଲି ଈଶ୍ୱରଂକର ୟେକ ପୁତ୍ରେ ।୩୯।

ପାର୍ବତୀଂକର ଗର୍ଭରୁ ସେ ପୁତ୍ର ଜନ୍ମିଛନ୍ତି

ଦକ୍ଷିଣ ଦ୍ୱାରପାଳ ସେ ଦ୍ୱାରେ ବସିଛନ୍ତି ।୪୦।

ତାହାକୁ ଯେବେ ତୁହି ସେବାରେ ମଣାଇବୁଂ

ତାହାର ପ୍ରସାଦେ ତୁହି ଇନ୍ଦ୍ରକୁ ମାରିବୁ ।୪୧।

ୟେସନେକ ବଚନ ଯହୁଂ କୃପାଳୁ କହିଲା

ହୃଦପଦ୍ମ ମଧ୍ୟରେ ସେ କଥାନ୍ତ ବାଣ୍ଟିଲା ।୪୨।

ମନ୍ତ୍ରୀ ଯାହା କହିଲା ସେ ସରୂପ ବଚନ

ସେବାରେ ମନାଇବି ମୁଂ ଈଶ୍ୱର ନନ୍ଦନ ।୪୩।

ୟେଥୁ ଅନନ୍ତରେ ଶୁଣ ବିଲଂକ ନରଈଶ

ଅଗସ୍ତି ମୁନିଂକ ଚରଣେ ନମଇଂ ମନତୋଷ ।୪୪।

କଥାୟେ ପଚାରିବି ଶୁଣିମା ସାବଧାନେ

କେମନ୍ତ ପ୍ରକାରେ କପିଳାସକୁ ଗଲା ଅସୁର ରାଜନେ ।୪୫।

ରାଜାର ଭଗତି ଦେଖିଣ ମୁନିବର

ୟେକମନେ ଶୁଣ ତୁ ହୋ ବିଲଂକ ଈଶ୍ୱର ।୪୬।

ପ୍ରଭାତରୁ ଅସୁର ଯେ ଉଠିଲା ବହନ

ତତକ୍ଷଣ ସାରିଲା ସେ ନିତ୍ୟକର୍ମମାନ ।୪୭।

ମନ୍ତ୍ରୀକି ବୋଇଲା ହୋ କପିଳାସ କନ୍ଦରକୁ ଯିବା

ସେବାକରି ଗଣନାଥ ପ୍ରଭୁଂକୁ ମନାଇବା ।୪୮।

ୟେଥୁ ଅନନ୍ତରେ ତୁ ହୋ ଶୁଣ ଦିବ୍ୟରସ

ଥାଠ ସଇନ ନାହିଂ ମନ୍ତ୍ରୀକି ଘେନିଣ ବାହାର ପ୍ରୋଢାସୁର ଶିଷ ।୪୯।

କପିଳାସ କନ୍ଦର ଦକ୍ଷିଣ ଦ୍ୱାରରେ ଯାଇଂଣ ମିଳିଲା

ମନ୍ତ୍ରୀକି ଚାହିଂଣ ସେହୁ ବଚନ ପ୍ରକାଶିଲା ।୫୦।

ବୋଇଲା କି ହୋ ମନ୍ତ୍ରୀ ଗଣନାଥ ୟେଥି କାହିଂ

ହାଥ ଠାରି ମନ୍ତ୍ରୀମଣି ଦିଲାକ ଦେଖାଇ ।୫୧।

ବୋଇଲାକ ୟେହି ସେ ଅଟନ୍ତି ଗଣପତି

ମନୁଷ୍ୟ ଶରୀର ଯେ ଗଜମୁଖ ଗୋଟି ।୫୨।

ୟେହାଶୁଣି ଅସୁର ଯେ ବିଚାରି ବୋଇଲା

ପୁଣି ମନ୍ତ୍ରୀ ମୁଖକୁ ଚାହିଂଣ ହସିଲା ।୫୩।

ମନ୍ତ୍ରୀ ବୋଇଲା ରାଜା ତୁ ଶୁଣ ୟେକମନେ

ବିସ୍ତାରି କହିବଇଂ ତୋତେ ୟେଥିର ବିଧାନେ ।୫୪।

ୟେକ ଦିନକରେ ଯେ ପ୍ରଭୁ ବିଶ୍ୱନାଥ

ବୃଷଭ ଚଢିଣ ସେ ଦେବ ବୁଲନ୍ତି ଜଗତ ।୫୫।

ଭ୍ରମଣି କରିଣ ଯାଇଂ ମିଳିଲେ ସ୍ୱର୍ଗପୁରେ

ଦେଖିଲେ ଦେବତାୟେ ବସିଣ ଅଛନ୍ତି ଆସ୍ଥାନରେ ।୫୬।

ଈଶ୍ୱରଂକୁ ଦେଖିଣ ଦେବଗଣ ଉଠିଲେ

କରପତ୍ର ଯୋଡ଼ିଣ ଶିରରେ କର ଦିଲେ ।୫୭।

ଦେବତାଂକ ଠାରୁ ଶିବ ପାଇଣ ସମ୍ମାନ

ସେହିଠାରୁ ମହାଦେବ ଚଳିଲେ ବହନ ।୫୮।

ପ୍ରବେଶ ବୋଇଲେ ଯାଇଂ ଯଶୋବନ୍ତୀ ଭୁବନେ

ଦେଖିଲେ ବ୍ରହ୍ମାୟେ ବସିଛନ୍ତି ଯୋଗଧ୍ୟାନେ ।୫୯।

ବିଶ୍ୱନାଥଂକୁ ଦେଖି ଉଠିଲେ ବେଦବର

ତତକ୍ଷଣେ ଧ୍ୟାନ ଯେ ଭାଞ୍ଜିଲା ତାହାଂକର ।୬୦।

ବୋଇଲେ କାହିଂ ତୁମ୍ଭେ ଥିଲ ତ୍ରିପୁରାରି

ଈଶ୍ୱରେ ବୋଇଲେ ଆମ୍ଭେ ଥିଲୁ ଯେ ସ୍ୱର୍ଗପୁରୀ ।୬୧।

ତୁମ୍ଭନ୍ତ ଶଙ୍ଖୋଳି ୟେବେ ଯିବୁ କପିଳାସ

କେବଣ ବେଦ ତୁମ୍ଭେ କରୁଛ ଅଭ୍ୟାସ ।୬୨।

ବ୍ରହ୍ମାୟେ ବୋଇଲେ ମୁଂ ଚାରିବେଦ ଯେ ଘୋଷଇ

ଋକ ଯଜୁ ସାମ ଅଥର୍ବ ବେଦ ମୁଂ ପଢଇ ।୬୩।

ଈଶ୍ୱରେ ବୋଇଲେ ତୁମ୍ଭେ ଚାରିବେଦ ପଢୁଅଛ

ମୁହିଂ ପଞ୍ଚୁବେଦ ଯେ ପଢଇ ପ୍ରତକ୍ଷ ।୬୪।

ଋକ ଯଜୁ ସାମ ଅଥର୍ବ ଚାରିବେଦ ଯେ ଘୋଷଇ

ପଞ୍ଚୁମୁଖେ ଶିଶୁବେଦ ନିତ୍ୟେ ଅଭ୍ୟାସଇ ।୬୫।

ୟେମନ୍ତେ ପଞ୍ଚୁବେଦ ପଢଇ ବେଦବର

ତୁମ୍ଭେ ତ ଚାରିବେଦ ଘୋଷ ନିରନ୍ତର ।୬୬।

ବ୍ରହ୍ମାୟେ ବୋଇଲେ ମୁଂ ଶିଶୁବେଦ ନୁଆରେ କି ପଢିଣ

ଈଶ୍ୱରେ ବୋଇଲେ ତୋର ଆର ମୁଣ୍ଡ କାହିଂ ପୁଣ ।୬୭।

ୟେହା ଶୁଣି ବେଦବର ଧ୍ୟାନରେ ବସିଲେ

ଶିରର ଉପରେ ଆରେକ ଶିର ଦେଖାଇଲେ ।୬୮।

ପଞ୍ଚୁମୁଖ ଦେଖି ତହିଂ ଈଶ୍ୱରେ କୋପକଲେ

କ୍ରୋଧଭର ହୋଇଣ ସେ ଚାପୋଡ଼େ ମାଇଲେ ।୬୯।

ମୁଣ୍ଡ ଛିଡ଼ି ଯାଇଂକରି ଲାଗିଲା ହାଥର

ହାଥକୁ ଛିଞ୍ଚାଡ଼ି ପକାନ୍ତି ଦେବ ମହେଶ୍ୱର ।୭୦।

ହାଥ ଛିଞ୍ଚାଡ଼ନ୍ତେ ବ୍ରହ୍ମ କପାଳ ହାଥୁଂ ନ ଛାଡ଼ିଲା

ଈଶ୍ୱରଂକ ମନ ତହୁଂ ବିରସ ହୋଇଲା ।୭୧।

ଯୋଶବନ୍ତୀ ପୁରୁଂ ଈଶ୍ୱରେ ବାହାର ହୋଇଲେ

ଲଜ୍ଜାରେ କପିଳାସ ପୁରକୁ ନ ଗଲେ ।୭୨।

ହଟକେଶ୍ୱରକୁ ହର ଗଲେ ତପକରି

ଧ୍ୟାନେଣ ଯାଇଂ ବସିଲେ ଦେବ ତ୍ରିପୁରାରି ।୭୩।

ୟେମନ୍ତେଣ କେତେକାଳ ଯେ ତହୁଂ ବହିଗଲା

ପାର୍ବତୀଂକ ମନ ତହୁଂ ବିକଳ ହୋଇଲା ।୭୪।

ବୋଇଲେ ଈଶ୍ୱରେ ମୋର ଗଲେ ଅବା କାହିଂ

ଧ୍ୟାନକରି ବସିଲେ ଯେ ତହୁଂ ମହାମାୟୀ ।୭୫।

ଧ୍ୟାନେଣ ଜାଣିଲେ ହେମବନ୍ତର ଦୁଲଣୀ

ବୋଇଲେ ବ୍ରହ୍ମହତ୍ୟା ଯେ କଲେକ ଶୂଳପାଣି ।୭୬।

ତପ କରୁଅଛନ୍ତି ହଟକେଶ୍ୱରେ ଯାଇଂ

ପାର୍ବତୀଂକ ଚିନ୍ତା କହିଲେ ନ ସରଇ ।୭୭।

ୟେମନ୍ତେ ଥୋକାୟେକ ଦିନ ବହିଗଲା

ବସନ୍ତଋତୁ ଆସି ପ୍ରବେଶ ହୋଇଲା ।୭୮।

ସଖୀଗଣମାନନ୍ତ ଘେନିଣ ମହାସତୀ

ଫୁଲବନେ ଦିନେ ବିଜୟେ କଲେକ ପାର୍ବତୀ ।୭୯।

ବଇଶାଖ ଶୁକଳ ଦଶମୀ ତିଥି ଗୁରୁବାର

ହସ୍ତା ନକ୍ଷତ୍ର ଯେ ଦେବୀଂକି ଅଟେ ସାଧକ ତାର ।୮୦।

ମେଷ ସଂକରାନ୍ତିକି ଯେ ଚବିଶଦିନ ଭୋଗ

ଦେବୀ ବସିଲେ ଯାଇଂ କପିଳାସ ପୂର୍ବ ଭାଗ ।୮୧।

ଦେଖିଲେ ବନସ୍ତ ଅତ୍ୟନ୍ତ ଶୋଭାବନ ପାଉଅଛି

ନାନା କୂତୁହୋଳେ କ୍ରୀଡ଼ା କରୁଛନ୍ତି ପଛୀ ।୮୨।

ପୁଷ୍ୟରେ ବସି ଭ୍ରମରେ କେଶର ଚୁମ୍ବୁଛନ୍ତି

ମତ୍ତଭରେଣ କ୍ରୀଡ଼ା ରତିରଙ୍ଗ କରନ୍ତି ।୮୩।

ୟେକେଣ ବସନ୍ତ ମାସ ବହଇ ମଳୟ ପବନ

ସୁଗନ୍ଧ ଘେନିଣ ପବନ ତହିଂ ବହଇ ଅବିଚ୍ଛନ୍ନ ।୮୪।

ପଛୀଂକର କ୍ରୀଡ଼ା ଦେବୀ ନୟନେ ଦେଖିଲେ

କ୍ରୋଧଭରେ ଈଶ୍ୱରଂକୁ ଦେବୀ ସୁମରିଲେ ।୮୫।

ଦେବୀଂକ ଅଙ୍ଗେ ଯେ କାମଜ୍ୱର ଘୋଟିଲା

ଉଛୁଳିଣ ରଜ ତାଂକ ଭୂମିରେ ପଡ଼ିଲା ।୮୬।

ତୋଳିଣ ହାଥରେ ତାହା ପାର୍ବତୀ ଧଇଲେ

ବୋଇଲେ ଈଶ୍ୱରଂକ ବୀର୍ଯ୍ୟ ଯେବେ ପଡ଼ନ୍ତା ୟେଥିରେ ।୮୭।

ସଇନ୍ଦୁପୁତ୍ର ଗୋଟିୟେ ଜନମ ହୁଅନ୍ତା

ଅତି ବଳବନ୍ତ ହୋଇ ସେହୁ ପୁତ୍ର ହୋଇଥାନ୍ତା ।୮୮।

ବିଚାରୁ ବିଚାରୁ ଦେବୀଂକ ହୃଦରେ କଥାୟେକ ସ୍ପୁରିଲା

ଈଶ୍ୱରଂକ ବିଭୂତି ନେଇ ସେ ତହିଂରେ ମେଦିଲା ।୮୯।

ଦଇବର ଭିବିଷ ଯେ ଶୁଣ ନୃପରାଣ

ପିତୁଳା ୟେକ ଦେବୀ ଗଢିଲେ ତତକ୍ଷଣ ।୯୦।

ଅତି ସୁକୁମାର ସେହି ପ୍ରତିମାକୁ ଦେଖି

ଈଶ୍ୱରଂକୁ ସୁମରିଣ ମନ୍ତ୍ରପାଣି ସିଞ୍ଚିଲେ ଶଶୀମୁଖୀ ।୯୧।

ଜୀବନ୍ୟାସ ପାଇଣ ଯଏ ଉଠିଲା କୁମର

ପାର୍ବତୀଂକ ଚରଣେ ସେ କଲା ନମସ୍କାର ।୯୨।

କୋଳରେ ବସାଇଣ ତାକୁ ଦେବୀ ମାହେଶ୍ୱରୀ

ଥନରୁ କ୍ଷୀର ମୁଖେ ଦିଅନ୍ତି ଥିର କରି ।୯୩।

ପାର୍ବତୀଂକ ଥନରୁ କ୍ଷୀର ଖାଇଲା ଯେତେବେଳେ କୁମରମଣି

ଅତିବଳେ ବଳୀୟାର ହୋଇଲା ସେହିକ୍ଷଣି ।୯୪।

ପାର୍ବତୀଂକ ମୁଖ ଚାହିଂ ବୋଲଇ ବଚନ

ବୋଇଲେକ ମାତା ଗୋ ହୋଅ ସାବଧାନ ।୯୫।

କି କରିବି ୟେବେ ତୁମ୍ଭେ ମୋତେ ଆଗ୍ୟାଂ ଦିଅ

କେଉଂଠାରେ ରହିବି ମୁହିଂ ମୋତେ ୟେବେ କହ ।୯୬।

ହେମବନ୍ତ ନନ୍ଦିନୀ ବୋଇଲେ ଶୁଣ ରେ କୁମର

ଦକ୍ଷିଣଦ୍ୱାର ବାବୁ ହୋଇଲା ତୋହୋର ।୯୮।

ନିଚିନ୍ତ ହୋଇଣ ତୁହି ୟେହି ଦ୍ୱାର ରଖିଥିବୁ

ପୁରୁଷ ନାମାୟେ କାହାରିକୁ ଭିତରକୁ ପୂରାଇ ନ ଦେବୁ ।୯୯।

ହଟକେଶ୍ୱର ଈଶ୍ୱର କରୁଥିଲେ ତପ

ତକ୍ଷଣେ ବାହାର ହୋଇଲେ କ୍ଷୟକରି ପାପ ।୧୦୦।

ବିଭୂତି ଭୂଷଣ ଡମ୍ବରୁ ଶୋହଇ ହାଥରେ

କୋଠାର ସେ ଧରିଣ ଅଛନ୍ତି ଦକ୍ଷିଣ କରରେ ।୧୦୧।

କାଇବସ୍ତ୍ର ଅଙ୍ଗରେ କରିଅଛନ୍ତି ଭୂଷଣ

ଦିଗାମ୍ବର ବେଶ ହୋଇଅଛନ୍ତି ଆପଣ ।୧୦୨।

ଦକ୍ଷିଣ ଦୁଆରେ ଆସି ମିଳିଲେ ତକ୍ଷଣ

ଦେଖିଲେ ସେ ଦ୍ୱାରେ ବସିଅଛି ୟେକଇ ନନ୍ଦନ ।୧୦୩।

ଈଶ୍ୱର ବୋଇଲେ ଦ୍ୱାର ଛାଡ଼ସି ରେ ବାଳ

ଭିତରକୁ ଯିବୁ ଆମ୍ଭେ ନ ଥିଲୁ ବହୁତ ଯେ କାଳ ।୧୦୪।

ଈଶ୍ୱର କହନ୍ତେଣ କୁମର ତିଳେ ନ ଘେନିଲା

ବିଶ୍ୱନାଥ ଦେବନ୍ତକୁ ସେ ଦ୍ୱାର ନ ଛାଡ଼ିଲା ।୧୦୫।

କୁମର ନ ଛାଡ଼ନ୍ତେ ଈଶ୍ୱର କୋପ କଲେ

କୋଠାର ନେଇଣ ତାର ଗଳାରେ ପ୍ରହରିଲେ ।୧୦୬।

ମୁଣ୍ଡ ଛିଣ୍ଡିଯାଇ ତାର ପଡ଼ିଲାକ ଖଣ୍ଡେ ଦୂରେ

ଯାଇଣ ଈଶ୍ୱର ତହୁଂ ପଶିଲେ ଭିତରେ ।୧୦୭।

କୁମରର ମୁଣ୍ଡ ଯେ ତହିଂ ଛିଡ଼ି ପଡ଼ିଥିଲା

ୟେକଇ ଅସୁର ଯେ ତାହା ଗିଳିଦେଲା ।୧୦୮।

ମନ୍ତ୍ରୀର କହନ୍ତେ ଯେ ଅସୁର ହସଇ

କୁରୁପାଳ ମନ୍ତ୍ରୀକି ହରଷଚିତ୍ତ ହୋଇ ।୧୦୯।

କୃପାଳୁ ମନ୍ତ୍ରୀ ତହିଂରେ ରାଜାକୁ ଚାହିଂଣ

ୟେଥୁ ଅନନ୍ତରେ କଥା ଶୁଣ ଅସୁର ନୃପରାଣ ।୧୧୦।

ଈଶ୍ୱରଂକୁ ଦେଖିଣ ଯଏ ପାର୍ବତୀ ଉଠିଲେ

ମହାଦେବଂକ ଚରଣେ ଦେବୀ ନମସ୍କାର କଲେ ।୧୧୧।

ବୋଇଲେ ୟେତେ କାଳରେ ଅଇଲେ ବିଶ୍ୱନାଥେ

ୟେତେ ବୋଲି ଦେବୀ ହେଲେ ତହୁଂ ମନରେ ଉଷତ ।୧୧୨।

ଚରଣ ଧୋଇଣ ତହୁଂ ବସିଲେ ଶଂକର

ଷଡ଼ରସ ମୁଣୋହି କରନ୍ତି ଶୂଳଧର ।୧୧୩।

କୋଠାର ଦେଖିଣ ଯେ ପୁଚ୍ଛନ୍ତି ମହାମାୟୀ

ୟେ କୋଠାରେ ରକତ କିମ୍ପେ ଲାଗିଛି ଗୋସାଇଂ ।୧୧୪।

ୟେହା ଶୁଣି ହସିଲେକ ଦେବ ଶୂଳହାଥ

ବୋଇଲେ ଶୁଣ ତୁ ଆଗୋ ପ୍ରାଣର ସଂଘାତ ।୧୧୫।

ଦକ୍ଷିଣ ଦୁଆରେ ୟେକ ଜଣେକ ବସିଥିଲା

ଆମ୍ଭ ଆସନ୍ତେଣ ତହୁଂ ଛାଡ଼ିଣ ନ ଦିଲା ।୧୧୬।

କୋପେଣ ତାହାକୁ ଆମେ ମାଇଲୁ କୋଠାର

ବେକ ଛିଡ଼ି ମୁଣ୍ଡ ତାର ଯାଇଂ ପଡ଼ିଲା ଭୂମିର ।୧୧୭।

ତେଣୁ କରି ରକତ ଯଏ ଲାଗିଛି କୋଠାରେ

ପାର୍ବତୀ ଶୁଣିଲେ ଯହୁଂ ଈଶ୍ୱରଂକ ମୁଖରେ ।୧୧୮।

କୁମର ହତ ଶୁଣି ଯେ ଦେବୀ ମହାମାୟୀ

କ୍ରୋଧଭର ହୋଇଣ ସେ ଉଠିଲେ ବୋବାଇ ।୧୧୯।

ଗଉରୀଂକର କ୍ରୋଧ ଦେଖିଣ ବୋଇଲେ ଶଂକର

ୟେ କିସ ଚରିତ ଗୋ କହନି ଆମ୍ଭର ଛାମୁର ।୧୨୦।

ଶଂକର ପଚାରନ୍ତେ କହନ୍ତି ଗଉରୀ

ସେ ତୁମ୍ଭର କୁମର ୟେବେ ଶୁଣ ଶୂଳଧାରୀ ।୧୨୧।

ଈଶ୍ୱରେ ବୋଇଲେ ସେହୁ କେମନ୍ତେ ଆମ୍ଭର କୁମର

ସନ୍ତୋଷ ଚିତ୍ତେଣ କହ ଆମ୍ଭର ଆଗର ।୧୨୨।

ଈଶ୍ୱରେ ପଚାରନ୍ତେ ପାର୍ବତୀ କହନ୍ତି

ସାବଧାନେ ଶୁଣ ଦେବ ୟେଥିରେ ଯେ ରୀତି ।୧୨୩।

କାମଦେବ ପୀଡ଼ା ମୋର ହୋଇଲା ଅଙ୍ଗରେ

ଯେଣୁ ଥିଲ ତୁମ୍ଭେ ପ୍ରଭୁ ହଟକେଶ ପୁରେ ।୧୨୪।

ତକ୍ଷଣେ ମୋଠାରୁ ରଜ ସ୍ଖଳିତ ହୋଇଲା

ଆବର ତାହା ଯାଇଂଣ ଭୂମିରେ ପଡ଼ିଲା ।୧୨୫।

ସେ ରଜରେ ମିଶାଇଲି ତୁମ୍ଭର ବିଭୂତି

ସଇନ୍ଦୁ ସେହି କୁମର ହେଲା ଉତପତ୍ତି ।୧୨୬।

ଶୁଣି ବିସ୍ମୟ ହୋଇଲେ ଦେବ ବିଶ୍ୱନଥ

ୟେହା ମନେ ଭାବି ଦେବ ହେଲେ ଥମ୍ଭୀଭୂତ ।୧୨୭।

ତତକ୍ଷଣେ ଦେବ ତହୁଂ ହୋଇଲେ ବାହାର

ପ୍ରବେଶ ହୋଇଲେ ଯାଇଂ ଦକ୍ଷିଣ ଦୁଆର ।୧୨୮।

ଦେଖିଲେ ସେ କୁମରର ପଡ଼ିଅଛି ଗଣ୍ଡିଗୋଟି

ମୁଣ୍ଡଗୋଟି ନ ଦେଖିଲେ ଭାଳିଲେ ଧୂର୍ଜଟି ।୧୨୯।

ୟେମନ୍ତର ସମୟେ ପାର୍ବତୀ ତହିଂ ମିଳିଲେକ ଯାଇଂ

ଦେଖି କରି ଦେବୀ ଯେ ବିକଳେ କାନ୍ଦଇ ।୧୩୦।

ବୋଇଲେ ହୋ ବିଶ୍ୱନାଥ ୟେତେ କୃତ୍ୟ କଲ

ୟେହାର ପରା ପୁତ୍ର ଶିର ଛେଦି ପକାଇଲ ।୧୩୧।

ମୁଣ୍ଡ ଭକ୍ଷିଣ ଯେ ତହୁଂ ଅସୁର ପଳାଇଲା

ଉତ୍ତର ମୁଖ ହୋଇ ଗଜେକ ଶୋଇଥିଲା ।୧୩୨।

ସେ ଗଜରାଜ ନାମ ଯଏ ଅଟଇ ମଣିଭଦ୍ର

ତାହାର ମୁଣ୍ଡ ହାଣି ଆଣିଲେ ଦେବ ରୁଦ୍ର ।୧୩୩।

କୋଠାରେ ପ୍ରହାରେଣ ମୁଣ୍ଡକୁ ଛିନାଇଲେ

କୁମର କନ୍ଧେଣ ସେ ନେଇଣ ଲଗାଇଲେ ।୧୩୪।

ମୃତ୍ୟୁସଞ୍ଜୀବନୀ ମନ୍ତ୍ର କହିଲେ ତାର କର୍ଣ୍ଣେ

ଜୀଇଂଣ ଉଠିଲା ସେ ବାଳୁତ ନନ୍ଦନେ ।୧୩୫।

ଈଶ୍ୱର ପାର୍ବତୀଂକୁ ଦେଖି ଓଳଗିଲା

କରପତ୍ର ଯୋଡ଼ିଣ ଉଭା ହୋଇ ରହିଲା ।୧୩୬।

ଈଶ୍ୱର ବୋଇଲେ ବର ମାଗ ରେ କୁମର

ଚିରଂଜୀବ ହୋଇଥାଉ ତୋହୋର ଜୀବନ ଶରୀର ।୧୩୭।

ଦୁତୀ ଈଶ୍ୱର ପଦ ତୋତେ ଦିଲୁରେ ବାଳୁତେ

ଶୁଭେ ଅଶୁଭେ ଆଗେ ପୂଜା କରନ୍ତୁ ନରେ ତୋତେ ।୧୩୮।

ତିନିପୁରେ ଜିଣନ୍ତା ତୋତେ କେହୁ ନୋହୁ ରେ କୁମର

ୟେତେ ବୋଲି ଅମୃତ ଲଡୁ ଦିଲେକ ଇଶ୍ୱର ।୧୩୯।

କାଳେ କାଳେ ଅମୃତ କରିବୁ ଆପ୍ୟାନ

ଦକ୍ଷିଣ ଦୁଆରେ ନିର୍ଭରେ ବସିଥାଅ ନନ୍ଦନ ।୧୪୦।

ୟେତେକ ବର ଦେଇ ଈଶ୍ୱର ଚଳିଗଲେ

ଭିତରେ ପୁରେ ଯାଇଂ ପ୍ରବେଶ ହୋଇଲେ ।୧୪୧।

ଗଣନାଥ ବୋଲି କରି ତାର ନାମ ଦିଲେ

ତେଣୁ କରି ଗଣେଶ୍ୱର ନାମ ସେ ପାଇଲେ ।୧୪୨।

କୁରୁପାଳ ମନ୍ତ୍ରୀ ୟେହା ବିସ୍ତାରି କହିଲା

ମୋଢାସୁର ଶୁଣି ତାହା ଅତି ସନ୍ତୋଷ ହୋଇଲା ।୧୪୩।

କୁରୁପାଳ ମନ୍ତ୍ରୀକି ବହୁତ ପ୍ରଶଂସା ଯେ କଲା

ଗଣନାଥଂକ ଛାମୁରେ ଯାଇଂଣ ମିଳିଲା ।୧୪୪।

ଖଣ୍ଡେ ଧୂରୁ ଦେଖିଣ ଯେ କରଇ ନମସ୍କାର

ପୁଣ ପୁଣ ଚରଣେ ନମଇଂ ଶେତବାର ।୧୪୫।

ଶିରେ କର ଦେଇଣ ଉଭା ହୋଇ ରହିଲା

ମନେ ମନେ ଅନେକ ସ୍ତୁତି ଯେ ବଖାଣିଲା ।୧୪୬।

ତାହାର ଭଗତିଭାବ ଯେ ଦେଖିଣ ଗଣନାଥ

ବୋଇଲା ତୁ ହୋ ବର ମାଗ ପ୍ରୋଢାସୁର ସୁତ ।୧୪୭।

ୟେହା ଶୁଣି ମୋଢାସୁର ବୋଲଇ ବଚନ

ୟେବେ ଦୟାକଲୁ ମୋତେ ପାର୍ବତୀ ନନ୍ଦନ ।୧୪୮।

ସ୍ୱର୍ଗ ମଞ୍ଚ ପାତାଳ ଯେ ଅଟଇ ତିନିପୁର

କେହି ମୋତେ ଜିଣନ୍ତା ନୋହିବେ ସାଂଗ୍ରାମର ।୧୪୯।

ଦେବେ ଦାନବେ ମୋତେ କେହି ଜିଣନ୍ତା ନୋହିବ

ଅମର ତନୁ ମୋର ଶରୀର ହୋଇବ ।୧୫୦।

କାହାର ହାଥରେ ମୋର ଶିରଛେଦ ଯେ ନୋହିବ

ୟେମନ୍ତ କରି ବର ମୋତେ ଅମୃତାଧି ଦେବ ।୧୫୧।

ଅସ୍ତୁ ହୋଉ ବୋଲିଣ ବୋଇଲେ ଗଣେଶ୍ୱର

ମୋଢାସୁର ନମଇ ଯେ ଗଣନାଥଂକ ପୟର ।୧୫୨।

କରପତ୍ର ଯୋଡ଼ିଣ ଗଣନାଥେ ପଚାରଇ

କଥାୟେ ପଚାରିବି ଅବଧାନ ହୋଇବା ଗୋସାଇଂ ।୧୫୩।

ତୁମର ଆଗ୍ୟାଂରେ ମୁଂ ତ ହୋଇଲି ଅମର

ସ୍ୱର୍ଗ ମଞ୍ଚ ପାତାଳେ କାରେଣୀ ହୋଇଲି ତିନିପୁର ।୧୫୪।

ୟେବେ ଯେ କଥାୟେକ ପଚାରିବି ମୁହିଂ

ଜନମ ହୋଇଲେ ଅବଶ୍ୟ ମୃତୁ ଯେ ହୋଅଇ ।୧୫୫।

କେବଣ ପ୍ରକାରେ ମୋତେ ହୋଇବ ମରଣ

ସାବଧାନେ କହିବା ମୋତେ ଗଉରା ନନ୍ଦନ ।୧୫୬।

ମୋଢାସୁର ବଚନେ ଗଣନାଥ ଯେ ହସିଲେ

ଭଲ କଥାୟେ ପଚାରିଲୁ ବୋଲିଣ ଉଷତ ବୋଇଲେ ।୧୫୭।

ଅସୁରକୁ ଚାହିଂଣ ଯେ ବଚନ ପ୍ରକାଶନ୍ତି

ବୋଇଲେ ଶୁଣ ତୁ ହୋ ଅସୁର କୁଳପତି ।୧୫୮।

ଯାହା ପଚାରିଲୁ କହିବା ଆମ୍ଭଏ ତାହାର ବିଚାର

ଜନମ ହୋଇଲେ ମରଣ ଅଛଇ ନିକର ।୧୫୯।

ଯେମନ୍ତେ ମରିବୁ ତୁହି ଆମ୍ଭଏ ତୋତେ ତାହା କହିଥିବା

ତଦନ୍ତ କରି ମନରେ ଥୋଇଥିବୁ ଆରେ ବାବା ।୧୬୦।

ଶିର ହାଣିଲେ ତୋର ନୋହିବ ମରଣ

ହାଣୁଥିଲେ ଲାଗୁଥିବ ଯେ ଶିର ପୁଣ ପୁଣ ।୧୬୧।

ହାଥ ଗୋଡ଼ ଶିର ତୋର ଖଡ଼ଗରେ ନ ଛିଡ଼ିବ

ବୁକୁ ହୃଦୟରେ ତୋର ଶହସ୍ର ନ ଫୁଟିବ ।୧୬୨।

ୟେକ କଥାୟେକ ତୋର ଅଛଇ ମରଣ

ଅଗ୍ନିଶରେ ପେଷିତୋତେ ଯେହୁ କରିବ ଦହନ ।୧୬୩।

ଅଗ୍ନିଶରେ ଦହିଜ ହୋଇବ ତୋର କାୟେ

ଦୃଢ କରି ଶୁଣ ତୁ ହୋ ଅସୁରକୁଳ ରାୟେ ।୧୬୪।

ତେବେହେଂ ଶରୀର ତୋର ନୋହଇ ଦହିଜ

ଅଶ୍ୱିନୀକୁମାରଂକର ଯେ ହୋଇଥିବ ତନୁଜ ।୧୬୫।

ସେହୁ ବିନ୍ଧିବ ଯେବେ ଅଗ୍ନିଶର ଘେନି

ତେବେ ସେ ମରଣ ତୋର ବୋଇବ ବୀରମଣି ।୧୬୬।

ୟେସନେକ ବର ଯହୁଂ ଦିଲେ ଗଣେଶ୍ୱର

ନିଜ ରାଜ୍ୟକୁ ଗଲା ଅସୁର ନୃପବର ।୧୬୭।

ନିର୍ଭୟ ହୋଇଣ ଯେ କାର୍ଯ୍ୟ କରୁଥାଇ

ସ୍ୱର୍ବ ମଞ୍ଚ ପାତାଳେ କାହାକୁ ନ ଡରଇ ।୧୬୮।

ନିତି ନିଦ୍ରାରୁ ସେ ଉଠଇ ବହନ

ନିତ୍ୟକର୍ମ ବିଧାନ ସେ ସାରଇ ତତକ୍ଷଣ ।୧୬୯।

ଗଣନାଥଂକୁ ସେ ନିତ୍ୟେ ଦର୍ଶନ କରେ ଯାଇ

ଉଦକ ପ୍ରସାଦ ନିତ୍ୟପ୍ରତି ସେ ଭୁଞ୍ଜଇ ।୧୭୦।

ଶୟେ ଅଷ୍ଟଉତ୍ତର ବେଳ ପ୍ରଳମ୍ବ କରଇ

କଲ୍ୟାଣ ପାଇଣ ସେ ନବରକୁ ଆସଇ ।୧୭୧।

ୟେରୂପେ ଗଣନାଥକଇଂ କରୁଥାଇ ସେବା

ଗଣନାଥ ବିନୁ ସେ ନ ଜାଣେ ଅନ୍ୟ ଦେବା ।୧୭୨।

ନମସ୍ତେ କଉଶଲ୍ୟା ନନ୍ଦନ ରଘୁବୀର

ଜାନକୀ ଛଳେଣ ଯେ ଛେଦିଲ ଦଶଶିର ।୧୭୩।

ଅସୁର ନିବାରଣେ ଧାନୁକୀ ଚୂଡ଼ାମଣି

ନିରନ୍ତରେ ତୋର ନାମ ବଖାଣନ୍ତି ସୁରମୁନି ।୧୭୪।

ଦଶରଥଂକ ନନ୍ଦନ ସେ ଅଟନ୍ତି ରାମଚନ୍ଦ୍ର

କବି ସୋରୋଳା ଦାସକୁ ରଖ ଆଦିକନ୍ଦ ।୧୭୫।

 

Unknown

ମୂଢାସୁରର ସ୍ୱର୍ଗ ଆକ୍ରମଣ

ୟେଥୁ ଅନନ୍ତରେ ଯେ ବିଲଂକ ଦେଶର ରାୟେ

କିସ ଚରିତ ହେଲା କୁହ କୁମ୍ଭଋଷିର ତନୟେ ।୧।

ୟେମନ୍ତ ଥୋକାୟେ ଦିନ ତହିଂ ବହିଗଲା

ସ୍ୱର୍ଗ ମଞ୍ଚ ପାତାଳରେ ସେ ବୀର କାହାକୁ ନ ଡରିଲା ।୨।

ମାର୍ଗଶୀର ମାସ ଶୁକଳପକ୍ଷ ତ୍ରୟୋଦଶୀ

ରୋହିଣୀ ନକ୍ଷତ୍ର ବୃଷଘରେ ଚନ୍ଦ୍ର ବସି ।୩।

ବାଣିଜ୍ୟ ନାମେ କରଣ ସାଧ୍ୟେ ନାମେ ଯୋଗ

ଆସ୍ତାନେ ବସି ମୋଢାସୁର ପ୍ରତଗ୍ୟାଂ କରେ ବେଗ ।୪।

ମନ୍ତ୍ରୀକି ଚାହିଂଣ ସେହୁ କହଇ ଉତ୍ତର

ଥାଠ ସଇନ ବେଗେ ସଜକର ମନ୍ତ୍ରୀବର ।୫।

ୟେଥର ସ୍ୱର୍ଗରେ ଯାଇଂ ଯୁଝିବଇଂ ମୁହିଂ

ସ୍ୱର୍ଗ ମର୍ତ୍ତ୍ୟ ପାତାଳେ ମୋର କାହାକୁ ଭୟ ନାହିଂ ।୬।

ଇନ୍ଦ୍ର ଦେବତାର ତୁଲେ କରିବି ସମର

ତେବେ ସିନା ପିତୃକାର୍ଯ୍ୟ ହୋଇବ ମୋହୋର ।୭।

ଅସୁର ମୋଢାସୁର ଯହୁଂ ୟେମନ୍ତ ଆଗ୍ୟାଂ ଦିଲା

ଶୁଣି କୁରୁପାଳ ମନ୍ତ୍ରୀ ବହନ ଚଳିଗଲା ।୮।

ଥାଠ ସଜହୋଉ ବୋଲି ଟମକ ଦିଆଇଲା

ରାଜ୍ୟଯାକ ତାର ଉତ୍ସବ ହୋଇଲା ।୯।

ସାତଯୂଣ ଦୀର୍ଘ ଯେ ପାଞ୍ଚଯୂଣ ପ୍ରତି

ସେ ନଗ୍ରରେ ବିଂଶଲକ୍ଷ ଘର ଯେ ବସନ୍ତି ।୧୦।

ଧନବନ୍ତ ପଣେ ପରଜା କୁବେର ସମାନ

ସୁଖେଣ ପରଜାୟେ ନେଉଛନ୍ତି ଦିନ ।୧୧।

ଥାଠ ସନ୍ୟମାନେ ତାର ନ ଯାଇ କଳନା

ନିରନ୍ତରେ ବାଜୁଥାଇ ଅପୂର୍ବ ବାଜଣା ।୧୨।

ତିନିଲକ୍ଷ ହାଥୀ ପାଞ୍ଚଲକ୍ଷ ହୟ ହୋଇ

ଚଉଦକୋଟି ତାର ଅଙ୍ଗବଳ ଅଛଇ ।୧୩।

ରଥୀ ପାଦାନ୍ତି ମାନେ ତାର ଅଛନ୍ତି ଅପାର

ୟେମନ୍ତେଣ ରାଜ୍ୟ ତହିଂ କରଇ ନିଶାଚର ।୧୪।

ଆଗ୍ୟାଂ ପାଇଣ ଯେ ମନ୍ତ୍ରୀବର ଗଲା

ହାଥୀ ରଥୀ ପାଦାନ୍ତି ଅନେକ ସଜ କଲା ।୧୫।

ଢୋଲ ଦମା ଟମକ ଯଏ ଘୁମୁରା ବଜାଇ

ମଦିରା ରସପାନେ ଅସୁର ମତ୍ତଭୋଳ ହୋଇ ।୧୬।

ଥାଠ ସଜକରିଣ ମନ୍ତ୍ରୀ ଚଳିଗଲା

ଅସୁର ଛାମୁରେ ସେ ଯାଇଣ ଜଣାଇଲା ।୧୭।

ବୋଇଲାକ ଶୁଣ ତୁ ହୋ ଅସୁରକୁଳ ସାଇଂ

ଥାଠକୁ ଆଗ୍ୟାଂ ଦିଲେ ଯିବେ ବେଗ ହୋଇ ।୧୮।

ମନ୍ତ୍ରୀକି ବୋଇଲା କେତେ ସଇନ ସାଜିଲୁ ମୋହୋର

ହାଥୀ ରଥୀ ଅଶ୍ୱ କେତେ ହୋଇଲେ ବାହାର ।୧୯।

ମନ୍ତ୍ରୀ ବୋଇଲା ସାତ ସହସ୍ର ହାଥୀ

ସଜ ହୋଇ ଥିଲେ ତୋର ଦଶଲକ୍ଷ ପାଦାନ୍ତି ।୨୦।

ବାରକୋଟି ସଇନ ଅଇଲେ ସଜହୋଇ

ଆଗ୍ୟାଂ ଦିଲେ ସଇନ ଆଗେ ଯିବେ ସଜହୋଇ ।୨୧।

ମନ୍ତ୍ରୀର ବଚନେ ମୋଢାସୁର ଯେ ବୋଲଇ

ଆଗିଆଣି ଦଣ୍ଡ ଦିଅ ତୁ ଚଳାଇ ।୨୨।

ଟମକ ନିଶାଣ ବାଦ୍ୟ ଘୁମୁରା ବାଜଇ

ବାହାର ହୋଇଲେ ସଇନ ଆଗଭର ହୋଇ ।୨୩।

ବାଦ୍ୟ ଘୋରନାଦେ କମ୍ଫଇ ମେଦିନୀ

ଆକାଶେ ଉଛୁଳଇ ମୁଖରାବି ଧୁନି ।୨୪।

ପ୍ରଳୟ ପାଣି ପ୍ରାୟେ ଦିଶଇ ସଇନ ଆସିବାର

ଭୟେଣ ବାସୁକି ଯେ ନ ଟେକଇ ଶିର ।୨୫।

ଭୟେଣ ଉଦୟେ ନୋହିଲେ ଦିବାକର

ମୁଖରାବ ଶବଦେ କମ୍ପଇ ମେରୁ କନ୍ଦର ।୨୬।

ଆଗ ହୋଇଣ ମନ୍ତ୍ରୀ ଥାଠ ଯେ ଚଳାଇଣ ଗଲା

ଖଣ୍ଡିୟେକ ଧୂରେ ଯାଇଣ ରହିଲା ।୨୭।

ପଛରେ ମୋଢାସୁର ରଥ ଚଢିଣ ବାହାର

ନାନା ଶସ୍ରମାନ ଥୋଇଛି ରଥର ଉପର ।୨୮।

ଢୋଲ ଦମାଲୁ ଟମକ ନିଶାଣ ବାଜଇ

ସ୍ୱର୍ଗ ମଞ୍ଚ ପାତାଳ ନିଶାଣେ ଉଛୁଳଇ ।୨୯।

ଥାଠ ସଇନ ଘେନିଣ ଅସୁର ଚଳଇ

ସ୍ୱର୍ଗପୁର ଯାକ ଆଜ ନାରଖାର କରିବଇଂ ।୩୦।

ଇନ୍ଦ୍ର ଦେବତାର ଆଜି ଜାଣିବା ବଡ଼ପଣ

ମୋହୋର ପିତାଂକୁ ସେ କରିଛି ନାଶପାନ ।୩୧।

ମୋଢାସୁର ବହୁତ ପ୍ରତଗ୍ୟାଂ କରଇ

ଗଣ ଗନ୍ଧର୍ବ ଦେବତା ସେ କାହାକୁ ନ ଡରଇ ।୩୨।

ଧୀର ଧୀର କରିଣ ସେହୁ ଚଳାଇଲା ଥାଠ

ମାର ମାର ଶବଦେଣ କମ୍ପଇ ମହୀରାଷ୍ଟ ।୩୩।

ଶୁଣ ହୋ ମହାରାଜା ବିଲଂକର ସାଇଂ

ପବିତ୍ର ଆକ୍ଷାନ ୟେହୁ ଅମୃତ ରସମୟୀ ।୩୪।

ଯେତେବେଳେ ଅସୁର ପୁଣ ସ୍ୱର୍ଗକୁ ବାହିଲା

ଅମର ମଣ୍ଡଳରେଣ ମହା ଚମକ ପଡ଼ିଲା ।୩୫।

ସଭା ମଣ୍ଡାଇଣ ତହିଂ ଯେ ବସିଛି ସୁରନାଥ

ଗଣ ଗନ୍ଧର୍ବ ଦେବତାୟେ ଅଛନ୍ତି ସଙ୍ଗତ ।୩୬।

ବ୍ରହ୍ମଋଷି ରାଜଋଷି ଅଛନ୍ତି ଆସ୍ଥାନେ

ଶୂରସେନ ଚିତ୍ରସେନ ଅଙ୍ଗାରପନ୍ନଙ୍ଗ ତିନିଜଣେ ।୩୭।

ଇନ୍ଦ୍ରଂକର ପୁତ୍ରମାନେ ସମସ୍ତେ ଛନ୍ତି ବସି

ଅପକ୍ଷରୀ କିନ୍ନରୀ ଯେ ନୃତ୍ୟରଙ୍ଗେ ରସି ।୩୮।

ବିଶ୍ୱଦେବା ଅଷ୍ଟବସୁ ଅଶ୍ୱିନୀକୁମାରଂକ ମୂଳେ

ପବନ ଦିବାକର ଚନ୍ଦ୍ରଦେବ ମେଳେ ।୩୯।

ବଇଲ ବାହାନେ ଯେ ଈଶ୍ୱର ମିଳିଲେ

ଆସ୍ଥାନ ଉପରେ ଯାଇଣ ବିଜେକଲେ ।୪୦।

ହଂସ ବାହାନ ଚଢି ଦେବ ବେଦବର

ସେହି ମିଳିଲେ ଆସି ଅମର ସଭାର ।୪୧।

କାମଦେବ ସଜ ହୋଇଣ ଅଇଲେ

ବେଶ ବେଶନ ହୋଇଣ ସଭାରେ ବସିଲେ ।୪୨।

ତେତିଶି କୋଟି ଦେବତାୟେ ଯେଝା ଆସ୍ଥାନ ମାଡ଼ି

ସମସ୍ତେ ବସିଅଛନ୍ତି ଦେବସଭା ଆବାରି ।୪୩।

ନାରଦେ ବୀଣାଯନ୍ତ୍ର ବଜାନ୍ତି ହରଷେ

ବୃହସ୍ପତି ବସିଛନ୍ତି ଇନ୍ଦ୍ର ଦେବତାର ପାଶେ ।୪୪।

ବ୍ରହ୍ମା ଈଶ୍ୱର ଯେ ବସିଲେ ୟେକସ୍ଥାନେ

କୁବେର ହିଂ ପୁଣ ଅଛନ୍ତି ତାହାଂକ ସନ୍ନିଧ୍ୟାନେ ।୪୫।

ଶଙ୍ଖନିଧି ପଦ୍ମନିଧି ବରୁଣହିଂ ଅଛନ୍ତି

ୟେସନେକ ସମୟେ ତହିଂ ମିଳିଲେ ବସୁମତୀ ।୪୬।

ମୁଖରୁ ରୁଧିର ଯେ ବହଇ ଝର ଝର

ଆସିଣ ମିଳିଲେ ସେ ଦେବସଭା ସନ୍ନିଧର ।୪୭।

ପାୟେ ପଡ଼ି ଶୋଇ କହଇ କରଯୋଡ଼ି

ସାବଧାନେ ଶୁଣ ଆହେ ଦେବ ବଜ୍ରଧାରୀ ।୪୮।

ଅସୁରଂକ ଭାର ମୁଂ ନୁଆରିଲି ସହି

ତୁମ୍ଭର ପୃଥିବୀ ତୁମ୍ଭେ ସମ୍ଭାଳ ହୋ ବଜ୍ରସାଇଂ ।୪୯।

ୟେତେ କହି ବସୁମତୀ ମଉନ ହୋଇଲା

ବ୍ରହ୍ମାଂକର ମୁଖକୁ ଇନ୍ଦ୍ରଦେବତା ଚାହିଂଲା ।୫୦।

ବଇକୁଲ୍ୟ ସେ ବେଦବର ଅବଧାନ କର

ବସୁମତୀ ଯାହା କହୁଅଛଇ ସଭାର ମଧ୍ୟର ।୫୧।

ବ୍ରହ୍ମା ପଚାରିଲେ ଗୋ ଶୁଣ ବସୁମତୀ

ୟେତେକ ବିକଳ କିମ୍ପାଇଂ ହେଉଛି ତୋର ମତି ।୫୨।

ବସୁମତୀ କହଇ ଯେ ତୁମ୍ଭେ ଶୁଣ କୁଶଧର

ଅସୁରଂକ ଭାର ନ ସହିଲା ମୋହୋର ଶରୀର ।୫୩।

ମୋଢାସୁର ବୋଲି ଯେ ଅସୁରେକ ଅଛି

ତା ପାଦ ପଡ଼ନ୍ତେ ମୁଖରୁଂ ରୁଧିର ଗଳୁଛି ।୫୪।

ବସୁଧା ମୁଖରୁ ୟେସନେକ ବାକ୍ୟ ଶୁଣି

ବୃହସ୍ପତିଂକି ଚାହିଂ ପଚାରନ୍ତି କୁଶପାଣି ।୫୫।

କହ ହେ ଗୁରୁ ୟେ କାହିଂର ଅସୁର

କାହା କୁଳେ ଜାତ ୟେ କାହାର କୁମର ।୫୬।

ବ୍ରହ୍ମା ପଚାରନ୍ତେ ତହିଂ ବୃହସ୍ପତି କହଇ

ସାବଧାନେ ଶୁଣ ତୁମ୍ଭେ ସାବିତ୍ରୀର ସାଇଂ ।୫୭।

କପିଳାସ କନ୍ଦର ଉତ୍ତର ପାରୁଶେ

ଅଳମ୍ବୁଷା ବୋଲି ଅଛଇ ୟେକ ଦେଶେ ।୫୮।

ରୂଢାସୁର ବୋଲି ଅସୁର ରାଜ୍ୟ କରଇ

ତାହାର ତନୁଜ ଯେ ପ୍ରୋଢାସୁର ହୋଇ ।୫୯।

ସେ ପ୍ରୋଢାସୁର ବେଳେ ସ୍ୱର୍ଗକୁ ଧାଡ଼ି ଦିଲା

ଅମର ମଣ୍ଡଳେ ସେ ଅନେକ ଯୁଦ୍ଧ କଲା ।୬୦।

ବଜ୍ରଧରି ତାକୁ ମାରିଲେ ସୁରରାୟେ

ତାହାର ତନୟ ମୋଢାସୁର ହୋୟେ ।୬୧।

ଗଣନାଥଂକୁ ସେବାକରି ପାଇଅଛି ବର

ଅମର ବର ଦେଇଅଛନ୍ତି ଈଶ୍ୱର କୁମର ।୬୨।

ଅମରେ ବହୁତ ସେ କରିବାକ ଧ୍ୱଂସ

ଦେବତାଂକ ସଙ୍ଗେ ସେହୁ ହୋଇବ ଅମରିଷ ।୬୩।

ତାହାର ଧାଡ଼ିରେ ଦେବେ ରହି ନୁଆରିବେ

ଗଣ ଗନ୍ଧର୍ବ ଅପକ୍ଷରୀ ଅସୁରେ ହରିନେବେ ।୬୪।

କାହାରି ହାଥରେ ସେହୁ ନୋହିବ ବିନାଶ

ଦେବ ଦାନବରେ ସେ ନ ପାଇବ ଅପଯଶ ।୬୫।

ଇନ୍ଦ୍ର ବୋଲେ ତାହା ତୁଲେ ଯୁଦ୍ଧ କରିବଇଂ

ଅମରପୁରକୁ ଯେବେ ସେ ଆସିବାକ ବାହି ।୬୬।

ବୃହସ୍ପତି ବୋଲେ ତୁ ନୁଆରିବୁ ସୁରରାଣ

ତୋହୋର ହାଥରେ ସେ ନୋହିବ ମରଣ ।୬୭।

ବୃହସ୍ପତି କହନ୍ତେ ବ୍ରହ୍ମାଇନ୍ଦ୍ର ଶୁଣିଲେ

ଯେ ଯାହାର ମତେ ସେହୁ ମଉନ ରହିଲେ ।୬୮।

ବସୁଧାକୁ ଚାହିଂ ବ୍ରହ୍ମା ଆଗ୍ୟାଂ ଦିଲେ

ଥୋକାୟେକ ଦିନ ଥାଅ ତୁ କଷ୍ଟରେ ।୬୯।

ଉପାୟେ କରିଣ ଅସୁରକୁ କରିବାକ ନାଶ

ବର ତାକୁ ଦେଇଛନ୍ତି ପାର୍ବତୀଂକ ଶିଷ ।୭୦।

ବସୁମତୀକୁ ପ୍ରବୋଧନା କରିଣ ବେଦବର

ହଂସ ଚଢି ଅମରୁଂ ଯେ ହୋଇଲେ ବାହାର ।୭୧।

ଯଶୋବନ୍ତୀ ପୁରକୁ ଗଲେ କୁଶଧର

ନିଚିନ୍ତେ ରହିଲେ ଯାଇଂ ଆପଣା ମନ୍ଦିର ।୭୨।

ଈଶ୍ୱର ତହୁଂ କପିଳାସ କନ୍ଦରକୁ ଗଲେ

ଦେବସଭାରେ ଦେବତାନ୍ତ ଘେନି ଇନ୍ଦ୍ର ହାଦେ ବସିଥିଲେ ।୭୩।

ୟେସନେକ ସମୟେ ତ ଦେବଂକ ଡଗର

ଆସିଣ ମିଳିଲେ ସେ ସୁଧର୍ମା ସଭାର ।୭୪।

ବୋଇଲେ ହୋ ସାବଧାନେ ଶୁଣ ସୁରସାଇଂ

ମୋଢାସୁର ସ୍ୱର୍ଗକୁ ଆସୁଅଛି ବାହି ।୭୫।

ଥାଠ ସଇନ ତାର କଳନା ନ ଯାଇ

ହାଥୀ ରଥୀ ପାଦାନ୍ତି ଅନେକ ଅଛଇ ।୭୬।

ୟେହିକ୍ଷଣି ଆସି ଦେବ ଅମରେ ପଶିବ

ସ୍ୱର୍ଗପୁର ଯାକ ଆଜ ସବୁ ଜୂର କରିଦେବ ।୭୭।

ଅମର ମଣ୍ଡଳେ ସେହୁ କରିବ ନାରଖାର

ସାବଧାନେ ୟେହା ତୁମ୍ଭେ ଶୁଣ ବଜ୍ରଧର ।୭୮।

ଡଗର ମୁଖରୁ ଦେବ ୟେସନେକ ଶୁଣି

ମନେ ମନେ ଚିନ୍ତା ବଡ଼ କଲେ ବଜ୍ରପାଣି ।୭୯।

ବୃହସ୍ପତି ବୋଇଲେ ତାହାର ଭୟେ ରହି ନୁଆରିବା

ସ୍ୱର୍ଗପୁର ଛାଡ଼ି ୟେବେ ଚାଲ ପଳାଇଣ ଯିବା ।୮୦।

ଭାଳୁ ଭାଳୁ ଆର ଡଗରେକ ଅଇଲା

ପାୟେ ପଡ଼ିଶୋଇ କଥାନ୍ତ କହିଲା ।୮୧।

ବୋଇଲା ହୋ ସାବଧାନେ ଶୁଣ ସୁରନାଥ

ଥାଠ ଚଳାଇ ମୋଢାସୁର ମିଳିଲା ସ୍ୱର୍ଗପଥ ।୮୨।

ୟେହା ଶୁଣି ଦେବେ ତହିଂ ଭୟ ମନେ କଲେ

କ୍ରମେ କ୍ରମେ ହୋଇ ଯେ ଯାହାରେ ପଳାଇଲେ ।୮୩।

ଯେ ଯହିଂ ପାରିଲେ ସେ ତହିଂ ଲୁଚିଲେ

ଗଣ ଗନ୍ଧର୍ବ ଘେନି ଦେବ ଇନ୍ଦ୍ର ପଳାଇଲେ ।୮୪।

ଶଚୀ ଘେନି ଯାଇଂ କୁସୁମ ବନରେ ଲୁଚଇ

ଅମର ମଣ୍ଡଳ ତୁଚ୍ଛା କରିଗଲେ ଶଚୀସାଇଂ ।୮୫।

ଗୋପ୍ୟାନ ହୋଇଣ ସର୍ବେ ରହିଲେ ଯେ ଯାହାରେ

ଅପଛରୀମାନେ ଲୁଚିଲେ ନିମ ବନିକାରେ ।୮୬।

ସାବଧନ ହୋଇ ତୁମ୍ଭେ ଶୁଣ ନରସାଇଂ

ଅମର ମଣ୍ଡଳେ ଦେବେ ନ ରହିଲେ କେହି ।୮୭।

ଥାଠ ଚଳାଇଣ ତହିଂ ଅସୁରକୁଳ ବୀର

ପ୍ରବେଶ ହୋଇଲା ଯାଇ ଅମର ମଣ୍ଡଳର ।୮୮।

ଦେଖିଲା ସ୍ୱର୍ଗ ପୁରେ ଜନ ମନୁଷ୍ୟ କେହି ନାହିଂ

ବୀରତୂର ବଜାଇ ଅସୁର ଅମର ମଣ୍ଡଳେ ବୁଲଇ ।୮୯।

ବୋଇଲା ସୁରଇନ୍ଦ୍ର ପଡ଼ିଲେ ଛାମୁର

ପ୍ରାଣ ପାଆନ୍ତା କି ଆଜ ପଡ଼ିଲେ ବଜ୍ରଧର ।୯୦।

ଅମର ସଭାରେ ଯାଇ ଅସୁର ଉଠିଲା

ମଣ୍ଡିଲା ଆୟେମାନ ସବୁ ଛିଣ୍ଡାଇ ପକାଇଲା ।୯୧।

ବୋଇଲା ଇନ୍ଦ୍ରପୁର ଆଝୁଂ ହୋଇଲା ମୋହୋର

ଦେବତାୟେ ପଳାଇଣ ଗଲେ ଯେ ଯାହାର ।୯୨।

ଅମର ସଭାରେ ବସି ଅସୁର ଅନେକ ପହିଜ୍ୟ କଲା

ନିଶରେ ହାଥ ଲାଇ ଇନ୍ଦ୍ରକୁ ବହୁତ ଖୋଜିଲା ।୯୩।

କୁରୁପାଳ ମନ୍ତ୍ରୀକି ବୋଇଲା କି କରିବା

ଥାଟ ଲେଉଟାଇ ଚାଲ ରାଜ୍ୟକୁ ଆମ୍ଭେ ଯିବା ।୯୪।

ଭଲ ଭଲ ଦ୍ରବ୍ୟ ସ୍ୱର୍ଗେ ପାଇଲାକ ଯାହା

ଘେନିଣ ବାହାର ହେଲା ଅସୁରକୁଳ ନାହା ।୯୫।

ବୀରତୂର ବଜାଇ ସ୍ୱର୍ଗୁଂ ବାହାର ହୋଇଲା

ଯାଇଣ ଅସୁର ଯେ ରଥରେ ବସିଲା ।୯୬।

ମନେ ବିଚାରଇ ଅସୁରକୁଳ ରାୟେ

ସ୍ୱର୍ଗପୁର ଆଜ ମୋତେ ହୋଇଲାକ ଜୟେ ।୯୭।

ଅଳମ୍ବୁଷା ରାଜ୍ୟେ ଯାଇଂ ପ୍ରବେଶ ହୋଇଲା

ଗଣନାଥଂକୁ ବହୁତ ସ୍ତୁତି ହାଦେ କଲା ।୯୮।

କୁରୁପାଳ ମନ୍ତ୍ରୀକି ଯେ ଗଉରୋବ କଲା

ଶାଢୀ ପ୍ରସାଦ ଯେ ବହୁତ ତାକୁ ଦିଲା ।୯୯।

ସ୍ରାହାନ ନିତ୍ୟକର୍ମ ସାରିଣ ମୋଢାସୁର

କପିଳାସ କନ୍ଦରକୁ ଗଲା ଖରତର ।୧୦୦।

ଶୟେ ଅଷ୍ଟଉତ୍ତର ସେହୁ ପ୍ରଳମ୍ବିତ କଲା

ଧୂପ ଦ୍ଵୀପ ଦେଇଣ ଗଣନାଥଂକୁ ବନ୍ଦାଇଲା ।୧୦୧।

ଶାଢୀ ପ୍ରସାଦ ପାଇ ସେହୁ ଉଦେକ ଭକ୍ଷଇ

ବଦୁତ ତୁସ୍ତି କରିଣ ସେ ବାହୁଡ଼ି ଆସଇ ।୧୦୨।

ଆପଣା ନବରେ ଯେ ହୋଇଲା ପରବେଶ

କବି ସାରୋଳା ଦାସକୁ ରଖ ପୀତବାସ ।୧୦୩।

 

ମୂଢାସୁରର ଏକୋଇଶବାର ସ୍ୱର୍ଗ ଆକ୍ରମଣ

ୟେଥୁ ଅନନ୍ତରେ ଯେ ବିଲଂକ ନରପତି

ଅଗସ୍ତିଂକ ଚରଣେ ନମସ୍କାର କରନ୍ତି ।୧।

ଅବଧାନ ହୋଇ ଯେ ଶୁଣିମା ଗୋସାଇଂ

ଦେବତାୟେ କିସ କଲେ ମୋତେ କହିବା ବୁଝାଇ ।୨।

ରାଜାର ଭଗତି ଭାବ ଦେଖିଣ ମହାମୁନି

ସାହଧାନେ ଶୁଣିମା ମଧ୍ୟପର୍ବର କାହାଣୀ ।୩।

ଯେତେ ବେଳେ ମୋଢାସୁର ସ୍ୱର୍ଗକୁ ବାହିଲା

ଦେବଗଣ ଘେନି ଇନ୍ଦ୍ର ପଳାଇଣ ଗଲା ।୪।

ସେ ଅସୁର ବାହୁଡ଼ିବାରୁ ଦେବତାୟେ ଜାଣିଲେ

କ୍ରମେ କ୍ରମେ ହୋଇ ଆସିଣ ଯେ ସମସ୍ତେ ମିଳିଲେ ।୫।

ଅମର ମଣ୍ଡଳୁଂ ଇନ୍ଦ୍ର ପଳାଇ ଯେ ଥିଲେ

ଶଚୀଂକୁ ଘେନି କୁସୁମ ବନରୁ ବାହାର ହୋଇଲେ ।୬।

ଗଣଗନ୍ଧର୍ବ ଦେବତାୟେ ଯେ ଯାହାରେ ଆସି

ସୁଧର୍ମା ସଭାରେଣ ସମସ୍ତେ ଆସି ବସି ।୭।

ଭିତର ପୁରକୁ ଶଚୀଦେବୀ ଗଲେ

ନିମ ବନିକାରୁ ଅପକ୍ଷରୀମାନେ ଯେ ଅଇଲେ ।୮।

ଇନ୍ଦ୍ର ବୃହସ୍ପତି ଆସି ବସିଲେ ସଭାର

ଦେଖିଲେ ନାରଖାର ହୋଇଛି ସ୍ୱର୍ଗପୁର ।୯।

ଭଲ ଭଲ ପଦାର୍ଥ ସବୁ ଅସୁର ଜୂର କରି ନେଲା

ଇନ୍ଦ୍ର ଦେବତା ଦେଖି ବହୁତ ଚିନ୍ତା କଲା ।୧୦।

ୟେଥୁ ଅନନ୍ତରେ ଦେବସଭା ମଉଳିଲା

ସୁରନାଥ ଦେବ ମନେ ବିକଳ ହୋଇଲା ।୧୧।

ଥୋକାୟେକ ଦିନ ଯହୁଂ ବହିଗଲା ତହିଂ

ଅମର ଦେବତାୟେ ଯେ ରହିଲେ ନିଚିନ୍ତ ହୋଇ ।୧୨।

ଆସ୍ତାନ ଉପରେ ଦିନେ ବସିଣ ଅସୁର

କୁରୁପାଳ ମନ୍ତ୍ରୀକି ରାଇଲା ଧାତିକାର ।୧୩।

ମକର ସଂକରାନ୍ତି ସେ ଦିନ ହୋଇଅଛି

ସେ ଦିନ ମୋଢାସୁର ମନ୍ତ୍ରୀକି ଯେ ପୁଚ୍ଛି ।୧୪।

ବୋଇଲା ଥାଠ ସଇନ ହାଦେ ସଜକର

ଆଜ ଯାଇ ବାନ୍ଧି ଯେ ଆଣିବି ଆଖଣ୍ଡଳ ।୧୫।

ମନ୍ତ୍ରୀ ବୋଇଲା ୟେବେ ଥୋକାୟେ ଦିନ ଯାଉ

ପାସୋରାଇ ଦେଇ ସ୍ୱର୍ଗକୁ ଯିବା ଅସୁରକୁଳ ରାହୁ ।୧୬।

ମନ୍ତ୍ରୀ କଥାକୁ ଅସୁର ସନମତ କଲା

ଅମର ମଣ୍ଡଳକୁ ସେ ଯେ ବାହାର ନୋହିଲା ।୧୭।

ମୃଗୟା ବିନୋଦେ ଯେ ସେ ଯାଉଥାଉ ନିତି

ପାଦଘାତେଣ ବସୁଧା ରୁଧିର କରଇ ବାନ୍ତି ।୧୮।

ବଡ଼ାଇ ଦୁର୍ଭାଗର ସେ ହୋଇଲା ଅସୁର

ଋଷି ଗୋରୁ ବ୍ରାହ୍ମଣଂକୁ କଲା ନାରଖାର।୧୯।

ଗଣନାଥ ପ୍ରସନ୍ନରେ କାହାକୁ ନ ଡରଇ

ଦେବତାଂକ ସଙ୍ଗେ ସେ ବାଦ ଆରମ୍ଭଇ ।୨୦।

ତାହାର ଭୟେ ଦେବେ ସ୍ୱର୍ଗେ ନୁଆରନ୍ତି ରହି

ଅସୁର ଆସୁଅଛି ଶୁଣିଲେ ଦେବେ ଯାଆନ୍ତି ପଳାଇ ।୨୧।

ନିତ୍ୟେହେଂ ସ୍ୱର୍ଗେ ପଡୁଥାଇ ହୁରିଜୁରି

ନ ପୁଣ ସ୍ୱର୍ଗକୁ ବାହଇ ଅସୁର ମହାବଳୀ ।୨୨।

ମନସ୍ତେ ଦୁର୍ଗା ମା ଗୋ ସଂକଟ ତାରିଣୀ

ସଂକଟ ପଡିଲେ ରଖୁ ଶିବର ଘରଣୀ ।୨୩।

ମହିଷାସୁର ମର୍ଦ୍ଦିନୀ ମା ଗୋ ନାମ ତୋ ଚହଟି

ସିଂଘବାହିନୀ ତୁ ଭ୍ରମୁ ସ୍ୱର୍ଗ ମଞ୍ଚ ପାତାଳ ତିନିଗୋଟି ।୨୪।

କାତି ଖପର ମାଗୋ ଶୋହୋଇ ତୋର କର

ଶମ୍ଭୁ ନିଶମ୍ଭୁ ମାଇଲୁ ବିଂଝ ପର୍ବତର ।୨୫।

ବିଂଝଗିରି ବାସିନୀ ନାମ ବହିଲୁ ମହାମାଈ

ମୁହିଂ ଯେ ଅରକ୍ଷିତ ଅଧର୍ମ ଅଟଇ ମୂର୍ଖବାଇ ।୨୬।

ଦୁର୍ଗତି ତାରିଣୀ ବିନୁ ଅନ୍ୟ ନ ଜାଣଇ

ତୁ ମୋହୋର କଣ୍ଠେ ବସି ୟେହା ଦିଅ କହି ।୨୭।

ତୋହୋର ଆଗ୍ୟାଂରେ ପଦ ହେଉଛି ମୋତେ ଦୃଶ୍ୟ

ଜନ୍ମେ ଜନ୍ମେ ଶ୍ରୀ ସାରୋଳା ଚଣ୍ଡୀର ମୁଂ ଦାସ ।୨୮।

ୟେଥୁ ଅନନ୍ତରେ ଯେ ବିଲଂକ ଦେଶର ରାଜନ

ଅଗସ୍ତିଂକି ପଚାରନ୍ତି ଶୁଣ ହୋ କୁମ୍ଭଋଷିର ନନ୍ଦନ ।୨୯।

କିସ କୃତ୍ୟ କଲା ସେ ତହୁଂ ମୋଢାସୁର

ୟେହା ମୋତେ ବିସ୍ତାରି କହ ମୁନିବର ।୩୦।

କାହାର ହାଥରେ ସେ ପାଇଲା ମରଣ

ସଞ୍ଚପି କହିଲେ ପାଇବି ବହୁତ କାରଣ ।୩୧।

ରାଜା ପଚାରନ୍ତେ ଯେ କହନ୍ତି ମହାମୁନି

ୟେକ ମନେ ଶୁଣ ହୋ ବିଲଂକ ନୃପମଣି ।୩୨।

କାଳ ପଠାରିଣ ଯେ ଦେବତାୟେ ରହିଲେ

ବୃହସ୍ପତି କି ଘେନି ଦେବଇନ୍ଦ୍ର ଯେ ଭାଳିଲେ ।୩୩।

ବୃହସ୍ପତି ବୋଇଲେ ହୋ ଶୁଣ ସୁରରାଣ

ନିତ୍ୟେହେଂ ଅସୁର ଭୟ ହୋଇଲା ଅମର ଭୁବନ ।୩୪।

ଇନ୍ଦ୍ର ବୃହସ୍ପତି ଯେ ବିଚାରନ୍ତି ବସି

ୟେମନ୍ତ ସମୟେ ମିଳିଲେ ବେଦବର ଆସି ।୩୫।

ଇନ୍ଦ୍ର ବୃହସ୍ପତି ଦେଖି ବହନ ଉଠିଲେ

ଶିରେ ବେନିକର ଯୋଡ଼ିଣ ରହିଲେ ।୩୬।

ଆଶିଷ୍ୟ କଲ୍ୟାଣ ଯେ କଲେ ବେଦବର

ତିନିହେଂ ବସିଲେ ଯାଇଂ ଅମର ସଭାର ।୩୭।

ଇନ୍ଦ୍ର ବୋଇଲେ ଶୁଣ ସାବିତ୍ରୀ ଦେବୀର ସାଇଂ

ଅସୁର ଭୟେ ଆମ୍ଭେ ନୁଆରୁ ସ୍ୱର୍ଗେ ରହି ।୩୮।

ଅମର ମଣ୍ଡଳକୁ ଦିନେ ବାହିଲା ମୋଢାସୁର

ପଳାଇ ଲୁଚିଲି ମୁଂ କୁସୁମ ବନର ।୩୯।

ଯେ ଯହିଂ ପାରିଲେ ସେ ଦେବତାୟେ ଲୁଚିଲେ

ସ୍ୱର୍ଗପୁରେ ଅସୁର ଆସି ପଶିଲାକ ଭଲେ ।୪୦।

ଭଲ ଭଲ ପଦାର୍ଥମାନ ନେଲେ ସେ ଜୂର କରି

ଅମର ମଣ୍ଡଳଯାକ କଲେ ହୁରିଜୂରି ।୪୧।

ମନ୍ତ୍ରୀର ପ୍ରବୋଧ ଘେନି ସେହୁ ବାହୁଡ଼ିଲା

ଅଳମ୍ବୁଷା ରାଜ୍ୟେ ଯାଇଂ ପ୍ରବେଶ ହୋଇଲା ।୪୨।

ଯେବେ ଅମରକୁ ଦତ୍ୟ ଆସୁଅଛି ବାହି

ଡଗର ମୁଖରୁ ମୁଂ ୟେହା ଶୁଣିଲଇଂ ।୪୩।

ବ୍ରହ୍ମା ପଚାରିଲେ ଶୁଣ ହୋ ଦେବଗୁରୁ

ଅସୁର କେମନ୍ତେ ମରିବ ୟେହା ବିଚାର ନ କରୁ ।୪୪।

ବୃହସ୍ପତି ବୋଇଲେ ତାର ଉପଦର୍ପ କାଳ ହୋଇଅଛି

ସ୍ୱର୍ଗେ ପଶି ସେ ଜାଣିପାରିବ ସହସ୍ରାକ୍ଷି ।୪୫।

ସ୍ୱର୍ଗପୁରକୁ ୟେକୋଇଶ ବାର ଯାୟେ

ଅବଶ୍ୟ ଧାଡ଼ିଦେବ ଅସୁରକୁଳ ରାୟେ ।୪୬।

ବୃହସ୍ପତିଂକ ମୁଖରୁ ୟେସନେକ ଶୁଣି

ଇନ୍ଦ୍ର ବେଦବର ତାଂକୁ କହନ୍ତି ପୁଣି ପୁଣି ।୪୭।

କାହାର ହାଥରେ ତାର ଅଛଇ ମରଣ

ବିତାରିଣ ଆମ୍ଭନ୍ତ କହ ହୋ ଗୁଜୁରାଣ ।୪୮।

ଇନ୍ଦ୍ର ପଚାରନ୍ତେ ତହିଂ ବୃହସ୍ପତି ହସିଲେ

ପୂର୍ବର ଭବିଷ୍ୟ ତାନ୍ତ ଦେଖାଇ କହିଲେ ।୪୯।

ବୋଇଲେ ସୁରରାୟେ ତୁମ୍ଭେ କର ଅବଧାନ

ବୁଝାଇ କହିବା ତୁମ୍ଭନ୍ତ ପୂର୍ବର ଆଚ୍ଛାନ ।୫୦।

ଯେତେବେଳେ ମୋଢାସୁର ଗଣନାଥଂକୁ ସେବାକଲା

ସେବାରେ ମନାଇ ସେ ଅମର ବର ମାଗିଲା ।୫୧।

ପ୍ରସନ୍ନ ହୋଇଣ ଗଣନାଥ ତାହାକୁ ବର ଦିଲେ

ଅମର ତନୁ ଧର ବୋଲିଣ ବୋଇଲେ ।୫୨।

କାହାର ହାଥରେ ତୁ ଯେ ନୋହିବୁ ମରଣ

ସୁରଗଣ ଦେବତାୟେ ହାରିବେ ତୋହୋରେ କଲେ ରଣ ।୫୩।

ଆବର କଥାୟେ ଶୁଣ ଦତ୍ୟମଣି

ମୁଣ୍ଡ କାଟିଲେ ତୁ ନ ମରିବୁ ପୁଣି ।୫୪।

ବୁକୁ ଫୁଟିଲେ ତୁ ନୋହିବୁ ବିନାଶ

ୟେମନ୍ତେ ବର ଦିଲେ ପାର୍ବତୀଂକ ଶିଷ ।୫୫।

ବଜ୍ର ଅଙ୍ଗ କରି କାୟାଗୋଟି କଲେ

ଶୁଣ ଶକ୍ରରାୟେ ବୃହସ୍ପତି ଯେ କହିଲେ ।୫୬।

ବର ପାଇକରିଣ ସେ ଅସୁର ମୂଢମତି

ଦଇବ ମାୟାରେ ଗଣନାଥଂକୁ ପଚାରନ୍ତି ।୫୭।

ଅମର କରିଣ ତ ତୁମ୍ଭେ ରଖିଲ ମୋର କାୟେ

କେମନ୍ତେ ମରିବି ମୁହିଂ କହିଥାଅ କଥାୟେ ।୫୮।

ଶୁଣି କରି ଗଣନାଥ ଆନନ୍ଦେ ହସିଲେ

ପଞ୍ଚଭୂତ ଆତ୍ମାରେ କଥାନ୍ତ ବାଣ୍ଟିଲେ ।୫୯।

ବୋଇଲେ ଭଲକଥା ପଚାରିଲୁ ଅସୁର

ଭଗତିଭାବ ଦେଖି ତୋତେ ଦେଲେଇଂ ଯେ ବର ।୬୦।

ମରଣ ଚରିତ ଯେ ତୁହି ପଚରିଲୁ ମୋତେ

କହିଥିବା ତୋତେ ତୁହି ମରିବୁ କେମନ୍ତେ ।୬୧।

ଅସୁରକୁ ଚାହିଂଣ ଯେ ବୋଲନ୍ତି ଗଣପତି

ମରଣ ଚରିତ ତୁହି ଶୁଣିଥାଅ ଦେଇ ହେତୁମତି ।୬୨।

ଅଶ୍ୱନୀକୁମାରଂକ ବୀର୍ଯ୍ୟେ ଯେଉ କୁମର ଜନ୍ମିଥିବ

ଅଗ୍ନିଶର ମାରି ତୋତେ ଦହିଜ କରିବ ।୬୩।

ୟେସନେକ ପ୍ରକାରେ ତୋତେ ହୋଇବ ମରଣ

ନୋହିଲେ ଆନମତେ ନ ହେବୁ ନାଶପାନ ।୬୪।

ୟେହି କଥା ଅସୁର ହେତୁ କଲା ମନେ

ଗଣଗନ୍ଧର୍ବ ଦେବତାନ୍ତ ନ ଗଣଇ ରଣେ ।୬୫।

ବୃହସ୍ପତି ଯହୁଂ କହିଲେ ତଥ୍ୟ ବାଣୀ

ଇନ୍ଦ୍ରଦେବତା ବୃହସ୍ପତିଂକି ପଚାରନ୍ତି ପୁଣି ପୁଣି ।୬୬।

ଅଶ୍ୱନୀକୁମାରଂକ ପୁତ୍ର ଅଛି କାହିଂ

ବିଚାରିଣ ମୋତେ କହ ଗୁରୁଦେହୀ ।୬୭।

ବୃହସ୍ପତି କହିଲେ ଅଛି ତହିଂର ଯେ କଥା

ୟେକମନେ ଶୁଣ ତୁମ୍ଭେ ବାସବ ଦେବତା ।୬୮।

ମଞ୍ଚ ମଣ୍ଡଳରେ ହସ୍ତିନା ନଗରେ

ତହିଂର ରାଜା ଯେ ପଣ୍ଡୁ ନୃପବରେ ।୬୯।

ଶତଶୃଙ୍ଗ ପର୍ବତରେ ସେହୁ ରହିଥିଲେ

ମୃଗୟା ବିନୋଦେ ଘୋର ଅରଣ୍ୟକୁ ଗଲେ ।୭୦।

ଅଗ୍ନିକା ନାମରେ ଥିଲେ ୟେକ ତପୀମଣି

ବଳାତ୍କାରେ ହରିଲେ ସେ ୟେକଇ ମୃଗୁଣୀ ।୭୧।

ମୃଗୁଣୀ ଡାକିଲା ଆହେ ପାଣ୍ଡୁ ନୃପବର

ତୋହେ ରାଜ୍ୟେ ହୋଇଲା ଯେ ଅନ୍ୟାୟ ବିଚାର ।୭୨।

ଶବଦଭେଦୀ ଅଟନ୍ତି ପାଣ୍ଡୁ ନୃପରାଣ

ତତକ୍ଷଣେ ମନ୍ତ୍ରୀଣ ବିନ୍ଧିଲେକ ବାଣ ।୭୩।

ଅଗ୍ନିକା ମହାଋଷିର ଅଙ୍ଗେ ଗଲା ଚଳି

ଋଷି ମୃଗୁଣୀ ଦୁହେଂ ଯେ ପଡ଼ିଲେକ ଢଳି ।୭୪।

ଚେତନା ପାଇ ବୋଇଲେ ଋଷି କୋପାନଳେ

ଅକାଳ କାଣ୍ଡ ପଡୁ ତୋ ରତିରଙ୍ଗ ବେଳେ ।୭୫।

ୟେତେକ ଶାପ ତାହାନ୍ତ ଦିଲେ ବ୍ରହ୍ମଋଷି

ସେହିଦିନୁ ରତିଶ୍ରଦ୍ଧା ନ କରଇ ନୃପଶିଷି ।୭୬।

ତାହାଂକର ଭାରିଯା ଯେ କୋୟେନ୍ତା ମହାଦେଈ

ବାଳକାଳେ ଦୃଭାସାଂକୁ ସେବା କରିଥାଇ ।୭୭।

ସେବାରେ ମନାଇଲା ସେ ଦୃଭାସା ଋଷିଂକି

ମାଳାଗୋଟି ଯାଚିଦେଲେ ଋଷି କୋୟେନ୍ତା ଦେବୀଂକି ।୭୮।

ବୋଇଲେ ତୋର ଇଚ୍ଛା ଯେବଣ ପୁରୁଷେ

ୟେ ମାଳା ଘେନି ଜପିଲେ ଆସିବ ତୋର ପାଶେ ।୭୯।

ସେହି ମାଳା ଘେନି ବାଲ୍ୟକାଳେ ସୂର୍ଯ୍ୟଂକୁ ସୁମରିଲା

ଋଷିଂକର ବଚନ କେବେହେଂ ଅନ୍ୟସ୍ତା ନୋହିଲା ।୮୦।

ଭାଜିଲା ମାତ୍ରକେ ସୂର୍ଯ୍ୟ ଦେବତା ଅଇଲେ ତଡ଼ିତି

ପ୍ରବେଶ ହୋଇଲେ ଆସି କୋୟେନ୍ତାଂକ କତି ।୮୧।

କୋୟେନ୍ତାଂକୁ ସୂର୍ଯ୍ୟେଦେବ ଶୃଙ୍ଗାର ତହିଂ କଲା

ସୂର୍ଯ୍ୟଂକର ବୀର୍ଯ୍ୟେ କୋୟେନ୍ତାଂକ ପୁତ୍ରେକ ହୋଇଲା ।୮୨।

ଲାଜରେ ସୁନ୍ଦରୀ ପୁଣ ନଇଲା ଘରକୁ

କର୍ଣ୍ଣବାଟେ ବାହାର କରି ପକାଇଲା ପୁତ୍ରକୁ ।୮୩।

ମାଟିର ମଞ୍ଜୁଷା ଗୋଟିୟେ କୋୟେନ୍ତା ତହିଂ କଲା

ସେ ପୁତ୍ର ତହିଂ ନେଇ ଭିତରେ ପୂରୋଇଲା ।୮୪।

ଜଳରେ ମେଲି ଦିଲାକ ସେ ମଞ୍ଜୁଷା ଗୋଟି ନେଇ

ଶମ୍ବର ରାଜା ରାଜ୍ୟରେ ଲାଗିଲାକ ଯାଇଂ ।୮୫।

ରାଧେବ ତାକୁ ନେଇ ପାଳିଲା ଯତ୍ନ କରି

ୟେବେ ୟେଣିକି ତୁ ହୋ ଶୁଣ ସ୍ୱର୍ଗର ଦଣ୍ଡଧାରୀ ।୮୬।

କାଳେଣ ସୁନ୍ଦରୀ ସେ ହୋଇଲା ନବଯୁବା

ପୁଣି ପଣ୍ଡୁ ରାଜାଂକୁ ସେ ହୋଇଲାକ ବିଭା ।୮୭।

ୟେମନ୍ତ ଯେ କେତେଦିନ ସୁଖେ ବହିଗଲା

ଯେତେବେଳେ ପାଣ୍ଡୁଂକୁ ବ୍ରହ୍ମଶାପ ଯେ ହୋଇଲା ।୮୮।

ସେହିଦିନୁ ପାଣ୍ଡୁ ଆଉ ନ କଲେ ରତିରସ

ତାହା ଜାଣି କୋନ୍ତୀ ଦେବୀ ହୋଇଲେ ବିରସ ।୮୯।

ଧର୍ମଂକର ନାମ ଧରି କୁନ୍ତୀ ଯେ ଜପିଲେ

ତତକ୍ଷଣେ ଧର୍ମଦେବ ଆସି ବିଜେ କଲେ ।୯୦।

ଧର୍ମଂକର ବୀର୍ଯ୍ୟେ ଯେଉଂ ପୁତ୍ର ଉପୁଜିଲା

ଯୁଝେଷ୍ଠି ବୋଲି କରି ନାମ ତାଂକର ହୋଇଲା ।୯୧।

ପୁଣି ସୁମରିଲେ ପବନ ମରୁତ

ଆସିଣ ମିଳିଲେ କଶ୍ୟପର ସୁତ ।୯୨।

ତାହାଂକର ରେତରେ ପୁତ୍ରେକ ଉପୁଜିଲା

ଭୀମ ବୋଲି ତାହାର ନାମ ଯେ ହୋଇଲା ।୯୩।

ପୁଣ ସୁରରାଣ ତୋତେ ସୁମରିଲେ କୋନ୍ତୀ ଦେବୀ

ତୁହି ଶକ୍ରରାୟେ କୋଇନ୍ତାଂକୁ ବଇଭାଗୀ ।୯୪।

ତୋହୋର ବୀର୍ଯ୍ୟରେ ଯେ ପୁତ୍ରେକ ଉପୁଜିଲା

ଅର୍ଜୁନ ବୋଲି ନାମ ତାହାର ଯେ ହେଲା ।୯୫।

ପଣ୍ଡୁଂକର ସାନ ଭାରିଯା ମାଦ୍ରୀ ମହାଦେବୀ

ତାହାନ୍ତ ମାଳିଗୋଟି ଦିଲେ କୋଇନ୍ତା ଦେବୀ ।୯୬।

ଅଶ୍ୱନୀକୁମାରଂକ ସେ ନାମ ଧରି ଜପିଲା

ତାହାଂକର ବୀର୍ଯ୍ୟେ ପୁଣ ପୁତ୍ରେକ ଉପୁଜିଲା ।୯୭।

ନକୁଳ ବୋଲି କରି ନାମ ତାହାର ଯେ ଦିଲେ

ଇନ୍ଦ୍ର ଦେବତା ଆଗେ ବୃହସ୍ପତି କହିଲେ ।୯୮।

ଦଇବର ଭବିଷ୍ୟ ଦିନେ ପଣ୍ଡୁ ମହାରାୟେ

ମାଦ୍ରୀଦେବୀ ସଙ୍ଗତରେ ରତିରଙ୍ଗ କାୟେ ।୯୯।

ବ୍ରହ୍ମ ଋଷିଂକ ଶାପ କେବେ ଅନ୍ୟସ୍ତା ନୋହିଲା

ଦଇବର ଅକାଳ କାଣ୍ଡ ଯେ ରତି ବେଳରେ ପଡ଼ିଲା ।୧୦୦।

ଅକାଳ କାଣ୍ଡ ପଡ଼ନ୍ତେ ଦୁହେଂ ନାଶ ଗଲେ

ପଣ୍ଡୁଂକର ରେତରେ ପୁତ୍ରେକ ଉପୁଜିଲେ ।୧୦୧।

ଦେଖି କୋଇନ୍ତା ଦେବୀ ପୁତ୍ରକୁ କୋଳେ ଧରି

ସହଦେବ ବୋଲି ନାମ ହୋଇଲା ତାହାରି ।୧୦୨।

ୟେମନ୍ତେ ପଣ୍ଡୁଂକର ପାଞ୍ଚପୁତ୍ର ହୋଇଲେ

ଶୁଣିଲଟି ଶକ୍ରରାୟେ ବୃହସ୍ପତି ବୋଇଲେ ।୧୦୩।

ନକୁଳ ବୋଲିଣ ଯେଉଂ ପୁତ୍ରଗୋଟି ହୋଇଲା

ତାହାର ହାଥରେ ଅସୁର ମରିବ ହୋ କଶ୍ୟପର ବଳା ।୧୦୪।

ଶୁଣିଣ ଇନ୍ଦ୍ରରାୟେ ହରଷ ହୋଇଲେ

ବୃହସ୍ପତିଂକି ଉଠିଣ କୋଳାଗ୍ରତ କଲେ ।୧୦୫।

ବ୍ରହ୍ମା ଶୁଣି ବୃହସ୍ପତିଂକି ପ୍ରଶଂସନ୍ତି

ନୋହିଲେ କି ଦେବ ଗୁରୁ ବୋଲିଣ ବୋଲନ୍ତି ।୧୦୬।

ୟେଥୁ ଅନନ୍ତରେ ତୁମ୍ଭେ ଶୁଣ ଦିବ୍ୟରସ ବାଣୀ

ବ୍ରହ୍ମାୟେ ବୋଇଲେ ଶୁଣ ହୋ ବଜ୍ରପାଣି ।୧୦୭।

ଦୂତ ପଠିଆଇ ଘେନିଆସ କୁମର ଚୂଡାମଣି

ୟେତେକ କହିଣ ବିଜେକଲେ କୁଶପାଣି ।୧୦୮।

ଦେବସଭା ମଉଳିଲା ଦେବତାୟେ ଗଲେ

ଦେବ ବୃହସ୍ପତି ନିଜ ପୁରେ ବିଜେ କଲେ ।୧୦୯।

ଶଚୀପୁରକୁ ଇନ୍ଦ୍ର ଦେବତା ବିଜେ କଲେ

ସକଳ ଚରିତ ଶଚୀଂକ ଅଗ୍ରତେ କହିଲେ ।୧୧୦।

ୟେଥୁ ଅନନ୍ତରେ ତୁମ୍ଭେ ଶୁଣ ମହାରାୟେ

ଶ୍ରୀମହାଭାରଥ ଶୁଣି କର ପାପ କ୍ଷୟେ ।୧୧୧।

ନମସ୍ତେ ନାରାୟଣ ଭଗତମତ୍ସଳ

ଭୃତ୍ୟ ଅଭିମାନ ନ ସହୁ ଦାମୋଦର ।୧୧୨।

ଭଗତ ନିସ୍ତାରଣେ ଶଙ୍ଖ ଚକ୍ରଧାରୀ

ଚତୁର୍ଦ୍ଧାରୂପ ଧରି ଦେବ ଦଇତାରି ।୧୧୩।

ଶ୍ରୀନୀଳକନ୍ଦରେ ପ୍ରଭୁ ବିଜେ କରିଅଛ

ମେଳେଛ ଜନମାନନ୍ତ ତୁମ୍ଭେ କରିବାପାଇଂ ମୋଚ୍ଛ ।୧୧୪।

ଶ୍ରୀରଙ୍ଗା ଅଧରେ ଯେ ମନ୍ଦ ମନ୍ଦ ହସି

ଆରତଭଞ୍ଜନ ନାଥ ଅଟ ବ୍ରହ୍ମରାଶି ।୧୧୫।

କରୁଣା ଜଳଧି ନାଥ ତୁମ୍ଭ ନାମ କୃପାସିନ୍ଧୁ

ଦୀନଜନ ବାନ୍ଧବ ନାମ ତେଣୁ ଦୀନବନ୍ଧୁ ।୧୧୬।

ଅରକ୍ଷିତ ସାରୋଳା ଦାସ ଅଟଇ ହୀନଜନ

ନିରନ୍ତରେ ଭାବଇ ଶ୍ରୀରଙ୍ଗା ଚରଣ ।୧୧୭।

ମନ ପଚାରଇ ଚଇତନ କହଇ

ୟେକମନ ହୋଇ ତୁମ୍ଭେ ଶୁଣିମା ନରସାଇଂ ।୧୧୮।

ୟେଥୁ ଅନ୍ତରେଣ ସେହୁ ମୋଢାସୁର ବୀର

କିସ କୃତ୍ୟ କଲା ସେହି ପାମର ଅସୁର ।୧୧୯।

ୟେହା ମୋତେ ସଞ୍ଚପି କହ ମୁନିମଣି

ପାପ କ୍ଷୟ କରିବି ମୁଂ ତବ ମୁଖୁଂ ଶୁଣି ।୧୨୦।

ଅଗସ୍ତି କହନ୍ତି ଶୁଣ ହେ ନୃପରାଣ

ମକର ସଂକରାନ୍ତି ଦିନ ବାହୁଡ଼ିଲା ଘେନିଣ ଅସୁର ସନ୍ୟ ।୧୨୧।

ମନ୍ତ୍ରୀର ବୋଲ ସେ ଅସୁର ନ ପକାଇଲା ତଳେ

ସେବା କରିଥାଇ ସେ ଗଣନାଥଂକ ପାଦତଳେ ।୧୨୨।

ମକର ସଂକରାନ୍ତିକି ଉଣୋଇଶ ଦିନ ଗଲା

ସେଦିନ ଅସୁର ମନ୍ତ୍ରୀକି ହକାରିଲା ।୧୨୩।

ଇନ୍ଦ୍ର ଦେବତା ଯେ ମୋହୋରେ ଜୟେ ନୋହିଲା

ତୋହୋର ପରା ମନ୍ତ୍ରୀ ଥାଉଂ ମୋତେ କଥା ଭଲ ତ ନ ଦିଶିଲା ।୧୨୪।

ଥାଠ ସଜକର ଯେ ଯିବା ସ୍ୱର୍ଗପୁର

ଇନ୍ଦ୍ରକୁ ନ ଜିଣିଲେ ମୁଂ ନ ଆସଇ ଘର ।୧୨୫।

କରପତ୍ର ଯୋଡ଼ି ମନ୍ତ୍ରୀ ଜଣାବଇ

ସାବଧାନ ହୋଇ ଶୁଣ ତୁମ୍ଭେ ଅସୁରକୁଳ ସାଇଂ ।୧୨୬।

ଯିବା ସ୍ୱର୍ଗପୁର ଆମ୍ଭେ କରିବା ସମର

ଅମର ମଣ୍ଡଳ ଯାଇଂ କରିବା ନାରଖାର ।୧୨୭।

ମନ୍ତ୍ରୀର କହନ୍ତେ ମୋଢାସୁର ଆନନ୍ଦ ହୋଇଲା

ମନ୍ତ୍ରୀକି ବହୁତ ଯେ ପରଶଂସା କଲା ।୧୨୮।

ନମସ୍କାର କରି ତହୁଂ ମନ୍ତ୍ରୀବର ଚଳଇ

ଥାଠ ସଜହୋଉ ବୋଲି ଟମକ ଦିଆଇ ।୧୨୯।

ହାଥୀ ରଥୀ ପାଦାନ୍ତି ଅନେକ ସଜ କଲା

ଅଗଣିତ ସଇନ ଯେ ଗଣିତା ନୋହିଲା ।୧୩୦।

ଥାଠ ସଇନ ଯେ ସାଜିଣ ମନ୍ତ୍ରୀବର

ଆପଣେ ରଥ ଚଢି ନଗ୍ରୁଂ ହୋଇଲା ବାହାର ।୧୩୧।

ସଇନକୁ ଆଗକରି ସେ ପଛକୁ ରହିଲା

ମୋଢାସୁରକୁ ମନ୍ତ୍ରୀ ଯାଇଂ ଦରଶନ କଲା ।୧୩୨।

ବୋଇଲା ସନ୍ୟ ଆଗେ ଚଳାଇଣ ଗଲେ

ୟେବେ କିସ ବିଚାର କରିବା ନୃପବରେ ।୧୩୩।

ମୋଢାସୁର ବୋଇଲା ମୁହିଂ କ୍ଷଣେ ନ ରହଇ

ରଥ ସଜକର ଆମ୍ଭେ ଯିବା ବେଗହେଇ ।୧୩୪।

ବିଚିତ୍ର ରଥ ସଜକରି ଆଣିଲା ମନ୍ତ୍ରୀବର

ତହିଂରେ ବିଜୟ କଲା ଅସୁର ମୋଢାସୁର ।୧୩୫।

ବୀରତୂର ବଜାଇଣ ସେ ସଇନ ସାଖା ଘେନି

ଆପଣେ ବାହାର ସେ ଅସୁରକୁଳ ମଣି ।୧୩୬।

ସେ ଦିନ ଶ୍ରବଣା ନକ୍ଷତ୍ର ମକରେ ଚନ୍ଦ୍ର ରହି

ଧୃତି ନାମେ ଯୋଗ ତତୁଲ୍ୟ କରଣ ହୋଇ ।୧୩୭।

ସେଦିନ ଅସୁରକୁ ହୋଇଛି ସାଧେକ ତାର

ଅମୃତ ଲଗ୍ନ ଘେନି ଚଳଇ ମୋଢାସୁର ।୧୩୮।

ଟମକର ଘାୟେ ଯେ ମେଦିନୀ ଚମକିଲା

ପାଦଘାତେ ପୃଥୀ ଦଲଦଲିତ ହୋଇଲା ।୧୩୯।

ପାଦରେଣୁରେ ପୁଣ ଆକାଶ ନ ଦିଶଇ

ମୁଖରାବ ଶବଦେ କୁରୁମ ଚମକଇ ।୧୪୦।

ପୃଥୀ ଦେବୀ ଯେ ଆକୁଳେ ରୋବଇ

ନ ପୁଣ ଅସୁର ମୋତେ ରସାନ୍ତଳେ ପକାଇ ।୧୪୧।

ୟେତେ ବୋଲି ଦେବୀ ଯେ ନ ଟେକଇ ଶିର

ଭୟେଣ ଶରୀର ତାର କମ୍ପଇ ଥରହର ।୧୪୨।

ଅପୂର୍ବ ଚରିତ ହୋ ଶୁଣ ମହାରାୟେ

ଅମୃତ ଆଚ୍ଛାନ ଶୁଣି ପାପ କର କ୍ଷୟେ ।୧୪୩।

ସ୍ୱର୍ଗେ ଦେବତାୟେ ପୁଣ ବାରତା ପାଇଲେ

ମୋଢାସୁର ବାହି ଆସୁଛି ସ୍ୱର୍ଗପୁରେ ।୧୪୪।

ନାରଦଂକୁ ରାଇ ବୋଇଲେ ସୁରଗଣ

କେତେଦୂରେ ଅସୁର ହୋଇଲାନି ଦେଖ ବ୍ରହ୍ମାଂକ ନନ୍ଦନ ।୧୪୫।

ଇନ୍ଦ୍ରଂକ ବଚନେ ନାରଦ ଚଳିଗଲେ

ଖଣ୍ଡିୟେକ ଦୂରେ ଅସୁର ସଇନି ଦେଖିଲେ ।୧୪୬।

ବୀଣାନାଦ ବାଇ ନାରଦ ମହାଋଷି

ତାଣ୍ଡବ ନୃତ୍ୟ କରି ସେ ଯାଉଛନ୍ତି ହସି ।୧୪୭।

ଖଣ୍ଡେ ଦୂରେ ଥାଇଂ ଅନାଇଲା ଅସୁର

କୁରୁପାଳ ମନ୍ତ୍ରୀକି ହକାରିଲା ସନ୍ନିଧର ।୧୪୮।

ବୀଣା ବଜାଇଣ ଆସୁଛନ୍ତି କେବଣ ମହାଋଷି

ୟେହାର ନାମ କିସ ବୋଲ ହୋ ବିଶେଷି ।୧୪୯।

ମନ୍ତ୍ରୀ ବୋଇଲା ସେ ନାରଦ ମୁନିବର

ତାହାର କଲ୍ୟାଣ ଆଷ୍ୟା ହୋଇବ ତୁମ୍ଭର ଚିର ।୧୫୦।

ୟେହାନ୍ତ ଉଠିଣ ତୁ କର ନମସ୍କାର

କଲ୍ୟାଣ କରନ୍ତୁ ତୋତେ ନାରଦ ମୁନିବର ।୧୫୧।

ମନ୍ତ୍ରୀବର ବଚନେ ମୋଢାସୁର ରଥରୁ ଓହ୍ଲାଇଲା

ମାରଦ ମୁନିଂକର ଚରଣେ ନମିଲା ।୧୫୨।

ନାରଦେ ବୋଇଲେ ଉଠ ଉଠ ରାୟେ

ଆରୋଗ୍ୟ କଲ୍ୟାଣ ହେଉ ତୋର କାୟେ ।୧୫୩।

କଲ୍ୟାଣ ବାଞ୍ଛା ଯହୁଂ କଲେ ନାରଦ ମହାଋଷି

କରପତ୍ର ଯୋଡ଼ିଣ ଅସୁର ପଚାରଇ ହସି ।୧୫୪।

ମୋତେ କି ସଙ୍ଖୋଳି ଅଇଲ ମହାଋଷି

ୟେ କଥା ମୋତେ କହିବା ବିଶେଷି ।୧୫୫।

ନାରଦେ ବୋଇଲେ ତୁ ଆମ୍ଭନ୍ତ ନ ଜାଣୁ ହୋ ରାୟେ

ଆମ୍ଭେ ତୁମ୍ଭନ୍ତ କଲ୍ୟାଣ କରୁଥାଇଂ ସର୍ବଦାୟେ ।୧୫୬।

ମୁନିଂକ ହାଥ ଧରି ଅସୁର ରଥକୁ ଘେନିଗଲା

ରଥର ଉପରେ ନେଇଣ ବସାଇଲା ।୧୫୭।

ନାରଦେ ବୋଇଲେ ତୁ ଥାଠ ସଇନ ଚଳାଇ

କାହିଂକି ଯାଉଅଛୁ ତୁ ଅସୁରକୁଳ ସାଇଂ ।୧୫୮।

ନାରଦଂକ ବଚନ ଶୁଣି କହଇ ମୋଢାସୁର

ଥାଠ ସଇନ ଘେନି ସ୍ୱର୍ଗକୁ ଯାଉଛି ମୁନିବର ।୧୫୯।

ଇନ୍ଦ୍ର ଦେବତାନ୍ତ ଆଜ ଆଣିମଇଂ ଧରି

ସେ ମୋହୋର ଅଟଇ ପିତାର ବଇରି ।୧୬୦।

ମୋହୋର ପିତାକୁ ସେ କରିଅଛି ନାଶ

ମୁଇଂ ସ୍ୱର୍ଗପୁରକୁ ତାର କରିବଇଂ ଧ୍ୱଂସ ।୧୬୧।

ନାରଦେ ବୋଇଲେ ତୋତେ କହିବା କଥାୟେ

ୟେକମନେ ଶୁଣ ତୁ ପ୍ରୋଢାସୁରର ତନୟେ ।୧୬୨।

ତୁହି ଯେ ଆମ୍ଭର ପୁଣ ଅଟୁ ହିତକାରୀ

ଗୁପତ କରି ତୋତେ କହିବା କଥା ଚାରି ।୧୬୩।

ମୋଢାସୁର ବୋଇଲା ଅବଧାନ ହୋଉ

ତୁମ୍ଭେ ସର୍ବଗ୍ୟଂ ଅଟ ମହାପ୍ରହୁ ।୧୬୪।

ନାରଦେ ବୋଇଲେ ତୋତେ କହିବା କଥାୟେ

ୟେକମନେ ଶୁଣ ତୁ ପ୍ରୋଢାସୁର ତନୟେ ।୧୬୫।

ନାରଦେ ବୋଇଲେ ୟେବେ ଯାଉ ଥୋକାୟେ ଦିନ

କାଳ ପଠାରିଣ ପୁଣ କରିବୁ ସଂଗ୍ରାମ ।୧୬୬।

ଦିନା କେତେ ତୋତେ ସ୍ୱର୍ଗେ ଜୟ ନାହିଂ

ଗୁପତ କଥା ତୋତେ କହିଲୁ ବୁଝାଇ ।୧୬୭।

ନାରଦଂକ ବଚନେ ଅସୁର ଶାନ୍ତି ଯେ ହୋଇଲା

ମନ୍ତ୍ରୀଂକି ଚାହିଂଣ ସେ ବଚନ ପ୍ରକାଶିଲା ।୧୬୮।

ମନ୍ତ୍ରୀ ବୋଇଲା ତୁ ନାରଦଂକ ବୋଲକର

ଥାଠ ଲେଉଟାଅ ନଗ୍ରକୁ ଯେବା ଚାଲ ।୧୬୯।

ନାରଦଂକ ବଚନେ କୁରୁପାଳ ମନ୍ତ୍ରୀ ବୋଲକଲା

ସେହିଠାରୁ ଲେଉଟାଇ ରଥକୁ ବାହିଲା ।୧୭୦।

ଆପଣେ ନବରେ ଯାଇଂ ବୋଇଲା ପରବେଶ

ନାରଦଂକ ବଚନକୁ କଲାକ ବିଶ୍ୱାସ ।୧୭୧।

ନାରଦେ ବୋଇଲେ ହୋ ଅସୁରକୁଳ ସାଇଂ

ସ୍ୱର୍ଗକୁ ଯାଉଅଛୁ ନୁଆରୁଂ ଆମ୍ଭେ ରହି ।୧୭୨।

ଚଞ୍ଚଳ ପ୍ରକୃତି ଆମ୍ଭେ ଠାୟେ ହୋଇ ନ ରହୁଂ

ନିରନ୍ତରେ ଆମ୍ଭେ ଯେ ସପତ ବ୍ରହ୍ମାଣ୍ଡ ବୁଲୁଥାଉଂ ।୧୭୩।

ୟେତେ କହି ମୁନି ଯେ ହୋଇଲେ ବାହାର

ମନଦଣ୍ଡ ଚଢି ଯେ ଚଳିଲେ ସ୍ୱର୍ଗପୁର ।୧୭୪।

ଅମର ସଭାରେ ନାରଦେ ମିଳିଲେକ ଯାଇଂ

ସଭା ମଣ୍ଡାଇଣ ବସିଛନ୍ତି ସୁରସାଇଂ ।୧୭୫।

ୟେମନ୍ତ ସମୟେ ଯାଇଂ ନାରଦ ମିଳିଲେ

ନାରଦଂକୁ ଦେଖି ତହିଂ ସମସ୍ତେ ଉଠିଲେ ।୧୭୬।

ଶିରେ କର ନେଇ ଦିଲେ ସୁରରାଣ

କିସ ଚରିତ ଭିଆଇଲ ବ୍ରହ୍ମାଂକ ନନ୍ଦନ ।୧୭୭।

ନାରଦେ ବୋଇଲେ ଆମ୍ଭେ ଯେତେବେଳେ ଗଲୁ

ଖଣ୍ଡିୟେକ ଦୂର ଯାଇ ଅସୁରକୁ ଦେଖିଲୁ ।୧୭୮।

ମନ୍ତ୍ରୀର ବଚନେ ସେ ରଥରୁ ଓହ୍ଲାଇଲା

ଆମ୍ଭର ଚରଣେ ସେହୁ ନମସ୍କାର କଲା ।୧୭୯।

ଭଗତ ଭାବ କରି କହିଲା ବଚନ

ବହୁତ ପ୍ରକାରେ ଅମ୍ଭେ କଲୁ ଯଏ କଲ୍ୟାଣ ।୧୮୦।

ଆମ୍ଭେ ପଚାରିଲୁ ତୁମ୍ଭେ କେଣିକି ଯାଉଛ

ଅସୁର ବୋଇଲା ମୁଂ ଜିଣିମି ସହସ୍ରାକ୍ଷ ।୧୮୧।

ୟେସନ ଶୁଣିଣ ଆମ୍ଭେ ବୋଇଲୁ ବଚନ

ୟେକ୍ଷଣି ସ୍ୱର୍ଗକୁ ତୁ ନ କର ଗବନ ।୧୮୨।

ରିଷ୍ଟ ଅରିଷ୍ଟ ଯେ ଅଛଇ ତୋର କାୟେ

ୟେବେଳେ ଗଲେ ତୋତେ ନାହିଂ ସ୍ୱର୍ଗେ ଜୟେ ।୧୮୩।

ଥୋକାୟେକ କାଳ ତୁହି ୟେବେ ଥାଅସି ପଠାରି

ପଛେ ସ୍ୱର୍ଗପୁରକୁ ହୋ ଯିବୁ ମହାବଳୀ ।୧୮୪।

ଆମ୍ଭର କହନ୍ତେ ତାକୁ ମନ୍ତ୍ରୀ ତିୟାରିଲା

ପ୍ରବୋଧ ହୋଇଣ ସେ ବାହୁଡ଼ିଣ ଗଲା ।୧୮୫।

ନାରଦେ କହନ୍ତେ ତହିଂ ସୁରରାୟେ ଶୁଣି

ଅସୁର ଲେଉଟିବାର ତ ଶୁଣିଲା ବଜ୍ରପାଣି ।୧୮୬।

ସଭାମଣ୍ଡାଇଣ ତହିଂ ଆନନ୍ଦେ ରହିଲେ

ଅପକ୍ଷରୀ ବିଦ୍ୟାଧରୀ ହରଷେ ନୃତ୍ୟ କଲେ ।୧୮୭।

ଅଗସ୍ତି କହନ୍ତି ଶୁଣ ବିଲଂକ ନରନାଥ

ୟେସନେକ ବିଧି ମୋଢାସୁରର ଚରିତ ।୧୮୮।

ଅଗସ୍ତିଂକ ବଚନେ ବିଲଂକ ନରସାଇଂ

ଭକ୍ତିଭାବେ ମୁନିଂକର ଚରଣେ ନମଇଂ ।୧୮୯।

ୟେଥୁ ଉତ୍ତାରେ ଅସୁର କଲା କିସ ରୀତି

ୟେହା ମୋତେ ବୁଝାଇଣ କହ ଘଟଋଷିର ସନ୍ତତି ।୧୯୦।

ଅଗସ୍ତି ବୋଇଲେ ତୁମ୍ଭେ ଶୁଣ ହୋ ମହାରାୟେ

ୟେକମନେ ଶୁଣ ତୁ ହୋ କହିବା କଥାୟେ ।୧୯୧।

ମକର କୁମ୍ଭ ଯେ ବେନିମାସ ଗଲା

ଚଇତ୍ର ମାସ ଆସି ପ୍ରବେଶ ହୋଇଲା ।୧୯୨।

ଦିନେକ ନୃପମଣି ଥାଠ ସନ୍ୟ ଘେନି

ମୃଗୟା ବିନୋଦେ ଗଲା ଅସୁରକୁଳ ମଣି ।୧୯୩।

ମୃଗ ହରିଣ ଶୟଂବର ବାହୁଚିଆ ପଲ

ଅନେ ବିନ୍ଧିଲା ସେ ଅସୁର ମହାମଲ୍ଲ ।୧୯୪।

ବରେହା ଶୁକର ଆଦି ଅନେକ ନାଶକଲା

ଅଶ୍ୱ ଧୂଆଂଇଣ ନଗ୍ରକୁ ଅଇଲା ।୧୯୫।

ଆରଦିନ ନିଶି ପ୍ରଭାତୁଂ ଉଠିଣ

ନିତ୍ୟକର୍ମ ବିଧାନ ସାରିଲା ତତକ୍ଷଣ ।୧୯୬।

ମନ୍ତ୍ରୀକି ସଙ୍ଗେ ଘେନି କପିଳାସ ପର୍ବତେ ଗଲା

ଗଣେଶ୍ୱର ନାଥଂକୁ ଦରଶନ କଲା ।୧୯୭।

ଶୟେ ଅଷ୍ଟଉତ୍ତର କରଇ ଦଣ୍ଡବତ

ପୁଣ ପୁଣ ଚରଣେ କରଇ ପ୍ରଳମ୍ବିତ ।୧୯୮।

ପ୍ରସନ୍ନ ହୋଇଣ ତାକୁ ଗଣେଶ୍ୱର ବୋଇଲେ

ପ୍ରସାଦ ଉଦକ ତାହାର ହାଥେ ଦିଲେ ।୧୯୯।

ଅସୁର ବୋଇଲେ ଅବଧାନ କର ଗଣପତି

କେମନ୍ତେ ଜିଣିମି ମୁହିଂ ସ୍ୱର୍ଗେ ସୁରପତି ।୨୦୦।

ୟେହାଶୁଣି ବିଶ୍ୱନାଥଂକର ତନୟେ ହସିଲେ

ୟେଥର ଇନ୍ଦ୍ରକୁ ଜିଣି ମୁଂ ସ୍ୱର୍ଗପୁର ଗଲେ ।୨୦୧।

ପ୍ରସାଦ ଘେନିଣ ଯେ ବାହୁଡ଼ିଲା ଅସୁର

ପ୍ରବେଶ ହୋଇଲା ଆସି ଆପଣା ମନ୍ଦିର ।୨୦୨।

ନାନା ପ୍ରକାରେଣ ମୁଣୋହିଂ ସାରିଲା

ୟେକାନ୍ତ କରିଣ ସେ ମନ୍ତ୍ରୀକି ରାଇଲା ।୨୦୩।

ବୋଇଲା ୟେବେ କିସ କରିବା ବିହିତ

କହ ହୋ କୁରୁପାଳ ମନ୍ତ୍ରୀ ୟେଥିର ଚରିତ ।୨୦୪।

ଅସୁର ପଚାରନ୍ତେ ମନ୍ତ୍ରୀବର କହଇ

ଥାଠ ସାଜ ସ୍ୱର୍ଗକୁ ଯିବାକ ଚଳାଇ ।୨୦୫।

ସ୍ୱର୍ଗପୁରେ ଆଜ କରିବା ଅନର୍ଥ

ପଡ଼ିଲେଣ ମାରିବା ପ୍ରାଣେ ଶଚୀନାଥ ।୨୦୬।

ଅପଚ୍ଛରୀ କିନ୍ନରୀମାନନ୍ତ ଆଣିମା ବନ୍ଦୀକରି

ଗଣ ଗନ୍ଧର୍ବ ବିଦ୍ୟାଧର ଯେ ପକାଇବା ମାରି ।୨୦୭।

ବିବିଧ ପଦାର୍ଥମାନ ଆମ୍ଭେ ଜୂର କରି ଆଣିବା

ଯେ ମୁଖେ ପଡ଼ିବ ପୁଣ ତାହାକୁ ମାରିବା ।୨୦୮।

ୟେସନେକ ବଚନ ଯହୁଂ କହିଲା ମନ୍ତ୍ରୀବର

ଅଙ୍ଗ ଫୁଲାଇଲା ତହିଂ ଅସୁରକୁଳ ବୀର ।୨୦୯।

ସେ ମନ୍ତ୍ରୀକି ଶାଢୀ ଆୟେ ଅଳଂକାର ଦିଲା

ଥାଠ ସଇନ ସଜକର ବୋଲିଣ ବୋଇଲା ।୨୧୦।

ଶାଢୀ ପାଇଣ ମନ୍ତ୍ରୀ ଗଲାକ ବହନ

ଅସୁର ସିଂଘଦ୍ୱାରେ ଯାଇଂ ଦିଆଇଲା ଘୋଷଣ ।୨୧୧।

ସାଜ ସାଜ ବୋଲି ଶୁଭିଲା ଶବଦ

ନଗ୍ରଯାକ ଡେଙ୍ଗୁରା ଶବଦ ଘୋଷନାଦ ।୨୧୨।

ଶବଦ ଶୁଣି ସଇନେ ଯେ ହୋଇଲେ ବାହାର

ବୋଇଲେ ସ୍ୱର୍ଗକୁ ଆଜ ବିଜେ କରିବ ଅସୁର ।୨୧୩।

ତିନିକ୍ଷଉଣୀ ପାଇକ ଆସିଲେ ସଜ ହୋଇ

ସିଘଂଦ୍ୱାରେ ସଇନ ମିଳିଲେକ ଯାଇଂ ।୨୧୪।

ତିନିଲକ୍ଷ ଗଜ ମାହୁନ୍ତ ସଜ କଲେ

ଉଲାଖ ଉଦଣ୍ଡମାନ ଆଗ ଉଭାରିଲେ ।୨୧୫।

ରଥୀ ତିନିଶତ ହୋଇଲେ ବାହାର

ପାଦାନ୍ତି ପାଞ୍ଚଲକ୍ଷ ଅଶ୍ୱଚଢି ହେଲେ ଆଗୁସାର ।୨୧୬।

ସମସ୍ତେ ସିଘଂଦ୍ୱାରେ ମିଳିଲେକ ଯାଇଂ

ଦିବସେ ଦିନକର କିରଣ ନ ଦିଶଇ ।୨୧୭।

ସହସ୍ରେକ ଢୋଲ ଯେ ବାଜଇ ଅବିଚ୍ଛନ୍ନ

କଡ଼ା ଘୁମୁରା ଯେ ବାଜଇ ଘନ ଘନ ।୨୧୮।

ମଦିରା ପାନ କରି ଅସୁରେ ମତୁଆଳ

ମୁଖରାବ ଶବଦେ ଶୁଭଇ ଚହଳ ।୨୧୯।

ଦିବ୍ୟ ହୟେକ ଯେ ଚଢିଣ ମନ୍ତରୀବର

ସଜହୋଇଂ ଘରୁ ଯେ ହୋଇଲା ବାହାର ।୨୨୦।

ରଥରୁ ଓହ୍ଲାଇ ମନ୍ତ୍ରୀ ନବରେ ପଶିଲା

ଅସୁର ରାଜାକୁ ମନ୍ତ୍ରୀ ନିଉଛାଳି କଲା ।୨୨୧।

ବୋଇଲା ରଥ ସାଜ ଯିବା ବେଗହୋଇ

ସିଘଂଦ୍ୱାରେ ସମଦଣ୍ଡ ଛନ୍ତି ଉଭା ହୋଇ ।୨୨୨।

ମନ୍ତ୍ରୀର ବଚନେ ମୋଢାସୁର ଉଠିଲା

ଶୁକଳ ପାଗ ବୀର ମଥରେ ବାନ୍ଧିଲା ।୨୨୩।

ଦିବ୍ୟ ବେଶ ହୋଇଣ ରଥରେ ବସାଇ

ଅନକୂଳ ଘେନି ନବରୁ ବାହାର ସେ ହୋଇ ।୨୨୪।

ଆକାଶ ମଣ୍ଡଳେ ତାହାର ଶିଖା ଲାଗୁଅଛି

ଖଡ଼ଗ କରେ ଧରି ଝମକାୟେ ଅସୁରର ବଚ୍ଛି ।୨୨୫।

ଚଇତ୍ର କୃଷ୍ଣପକ୍ଷ ଅଷ୍ଟମ ବୁଧବାର

ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ସେ ଦିନର ।୨୨୬।

ବାଳବ ନାମେ କରଣ ବରୀୟାନ ଯୋଗ

ମୀନ ସଂକରାନ୍ତିକି ତେରଦିନ ଭୋଗ ।୨୨୭।

ମକର ଲଗ୍ନ ବେଳେ କଲାକ ଅନକୂଳ

ସେ ଦିନ ଅସୁରକୁ ହୋଇଛି ଶୁଭ ତାର ।୨୨୮।

ବେଳା ଘେନି ଅସୁର ହୋଇଲା ବାହାର

ଆଗରେ ବାହାରେ ହୋଇଲେ ଅଶୁଆର ।୨୨୯।

ତାହାଂକର ପଛେ ପଛେ ଗଲେ ରଥୀ ହାଥୀ

ଚମକ ନିଶାମରେ କମ୍ପଇ ବସୁମତୀ ।୨୩୦।

ଢୋଲ ଦମା ଟମକ ଯେ ନିଶାଣ ଉଡ଼ାଇ

ଆଗିଆଣି ଦଣ୍ଡେ ସେ ଗଲେକ ଚଳାଇ ।୨୩୧।

ପଛେ ପଛିଆଣି ଦଣ୍ଡ ମଝିରେ ରାଜା ଅଛି

ଦିବ୍ୟ ସୁଖାସନେ ଅସୁର ବସିଛି ।୨୩୨।

ପାଦଘାତ ରେଣୁରେ ଗଗନ ନ ଦିଶି

ମେଘ ଉହାଡ଼ିଲା ପ୍ରାୟେ ଦିଶନ୍ତି ରବି ଶଶୀ ।୨୩୩।

ଥାଠ ଚଳାଇଣ ଯେ ଅସୁର ଚଳିଗଲା

ମେରୁ ବାଇବ୍ୟ କୋଣେ ବାହାର ହୋଇଲା ।୨୩୪।

ଡରେ ଥରହର କମ୍ପଇ ମେଦିନୀ

ଶିର ଟେକି ନୁଆରଇ ନାଗରାଜା ପୁଣି ।୨୩୫।

ସନ୍ୟ ଘେନି ଅସୁର ଗମଇ ଧୀରେ ଧୀରେ

ପ୍ରବେଶ ହୋଇଲା ଯାଇ ଅମର ମଣ୍ଡଳେ ।୨୩୬।

ୟେଥୁ ଅନନ୍ତରେ ତୁମ୍ଭେ ଶୁଣ ନରସାଇଂ

ଦେବଗଣ ଘେନି ଅଧାସ୍ୱର୍ଗେ ଶକ୍ରଛନ୍ତି ରହି ।୨୩୭।

ଅଇରାବ୍ରତ ହାଥୀ ଚଢିଣ ବଜ୍ରଧର

ବୁଲି ଯାଉଅଛନ୍ତି ଦକ୍ଷିଣ ସ୍ୱର୍ଗର ।୨୩୮।

ଅସୁର ଆସିବାର ନ ଜାଣନ୍ତି କେହି

ଅଙ୍ଗାରପନ୍ନଙ୍ଗ ଚିତ୍ରରଥ ଅଛନ୍ତି ବେନିଭାଇ ।୨୩୯।

ସୁରସେନ ସହିତ ଅଛନ୍ତି ଗନ୍ଧର୍ବ ବଳ

ଆବର ଦେବତାମାନେ ଅଛନ୍ତି ସକଳ ।୨୪୦।

ଚାର ଜଣାଇଲା ଯାଇଂ ଇନ୍ଦ୍ର ଛାମୁର

ଭୋ ଦେବ ମୋଢାସୁର ବାହିଲା ସ୍ୱର୍ଗପୁର ।୨୪୧।

ୟେସନେକ ବାରତା ଯହୁଂ ଚାର ଜଣାଇଲା

ଅମର ପୁର ଯାକ ରେ ଚମକ ପଡ଼ିଲା ।୨୪୨।

ମାର ମାର ଧର ଧର ଶବଦ ଶୁଭିଲା

ସପତ ସ୍ୱର୍ଗ ଯାକ ଯେ ହାଲହୋଳି ପଡ଼ିଲା ।୨୪୩।

ବାରତା ପାଇଲେ ତହିଂ ଦେବ ସୁରରାୟେ

କେଣେ ଯାଇଂ ଲୁଚିଲେ ନୋହିଲେକ ଥୟେ ।୨୪୪।

ଯେ ଯହିଂ ପାରିଲେ ଦେବତାୟେ ଲୁଚିଲେ

ଗଣ ଗନ୍ଧର୍ବ ଅପକ୍ଷରୀ ପଳାଇଣ ଗଲେ ।୨୪୫।

ଅପଚ୍ଛରୀ ବିଦ୍ୟାଧରୀ ଘେନିଣ ଶଚିରାଣୀ

କୁସୁମ ବନରେ ଯାଇଂ ଲୁଚିଲେ ତରୁଣୀ ।୨୪୬।

ଇନ୍ଦ୍ର ଆଗ୍ୟାଂ ଦିଲେ ପୁତ୍ରମାନନ୍ତ ଯେ ଚାହିଂ

ତୁମ୍ଭେମାନେ ଅସୁରକୁ ଓଗାଳରେ ଯାଇ ।୨୪୭।

ଶୁଣିକରି ଅଙ୍ଗାରପନ୍ନଙ୍ଗ ଚିତ୍ରସେନ

ସୁରସେନ ସହିତେ ଗନ୍ଧର୍ବଗଣମାନ ।୨୪୮।

ଇନ୍ଦ୍ରର ଆଗ୍ୟାଂରେ ସର୍ବେ ଧାଇଂଲେ ତୁରିତେ

ଯେ ଯାହାର ଶସ୍ରମାନ ଧରିଛନ୍ତି ହାଥେ ।୨୪୯।

ଅସୁର ପଶନ୍ତେ ଯାଇ ସ୍ୱର୍ଗପୁର ଭିତର

ଓଗାଳିଲେ ଚିତ୍ରରଥ ଅଙ୍ଗାରପନ୍ନଗ ବୀର ।୨୫୦।

ଦେଖିଣ ପଚାରଇ ଅସୁରକୁଳ ରାୟେ

ତୁମ୍ଭେ ପରା ଅଟ ଇନ୍ଦ୍ରର ତନୟେ ।୨୫୧।

ଅସୁର ପଚାରନ୍ତେ କୁମର କୋପକଲେ

ଅନେକ ଶହସ୍ର ଅସୁର ଉପରକୁ ବିନ୍ଧିଲେ ।୨୫୨।

ଅଙ୍ଗେ ପଡ଼ି ଶହସ୍ର ପଡଇ ଉପୁଡ଼ି

କୋପେଣ ଅସୁର ଯେ ଦିଅଇ ସିଂଘରଡ଼ି ।୨୫୩।

ଅସୁର ସଇନମାନେ ବିନ୍ଧିଲେକ ଶର

ଶ୍ରାବଣ ମାସରେ ଯେହ୍ନେ ବରଷେ ଜଳଧାର ।୨୫୪।

ଅନେକ ଶହସ୍ର ଯଏ ଅସୁର ବିନ୍ଧିଲା

ଶରେ ଅଙ୍ଗାରପନ୍ନଙ୍ଗ ତାହା ଛିନ୍ନାଇଲା ।୨୫୫।

ମନ୍ତ୍ରୀଣ କାଣ୍ଡ ବିନ୍ଧଇ ଅସୁର ଉପରକୁ

ଉପୁଡ଼ି ଶହସ୍ରମାନ ପଡ଼ଇ ତଳକୁ ।୨୫୬।

ୟେମନ୍ତ ସମର ତହିଂ ହୋଇଲା ଘଡ଼ିୟେ ନିରାପକ୍ଷ

କେହି କାହାକଇଂ ନୁହନ୍ତି ଯଏ ଓଚ୍ଛ ।୨୫୭।

ବେଳୁଂ ବେଳ ସମର ତହୁଂ ହୋଇଲା ଅଗୋଚର

ତେଣେ ଅସୁର ସଇନ ସ୍ୱର୍ଗେ କରୁଛନ୍ତି ଜୂର ।୨୫୮।

ଯେ ଯାହା ପାଇଲେ ତହିଂ ଦ୍ରବ୍ୟନ୍ତ ଆଣିଲେ

ଅମର ମଣ୍ଡଳଯାକ ନାରଖାର କଲେ ।୨୫୯।

ଅଙ୍ଗାରପନ୍ନଙ୍ଗ ସଙ୍ଗେ ମୋଢାସୁର କରଇ ସମର

ପ୍ରହରେ ପରିଯନ୍ତେ ସମର ହୋଇଲା ମହାଘୋର ।୨୬୦।

ଚିତ୍ରସେନ ସଙ୍ଗତେ ଯୁଝଇ ମନ୍ତ୍ରୀବର

ଶହସ୍ରକୁ ଶହସ୍ର ଯେ କରନ୍ତି ପରିତାଳ ।୨୬୧।

ସମର ପରିତାଳ କହିଲେ ନ ସରଇ

ବିଜୁଳି ତେଜ ପ୍ରାୟେ ଶହସ୍ର ଦିଶଇ ।୨୬୨।

ୟେମନ୍ତେ ଦୁଇପ୍ରହର ସମର ଘୋର ହୋଇଲା

କେହି କାହାକଇଂ ଜିଣନ୍ତା ନୋହିଲା ।୨୬୩।

ବିଚିତ୍ର ବିନ୍ଧାଣ ଯେ ଜାଣନ୍ତି ଦୁଇ କ୍ଷତ୍ରୀ

ଗଣପତିଂକ ବରେ ଅସୁରେ କାହାକୁ ନ ଡରନ୍ତି ।୨୬୪।

ବେଳୁଂ ବେଳ ଅସୁର ତହିଂ ମହାକୋପ କଲା

ଅଙ୍ଗାରପନ୍ନଙ୍ଗ ଉପରକୁ ରଥରୁ ଡେଇଂଣ ପଡ଼ିଲା ।୨୬୫।

ହାମ୍ପୋଳି ଅଙ୍ଗାରପନ୍ନଙ୍ଗକଇଂ ମାଡ଼ିଣ ବସଇ

ବାମ ହାଥରେ ଯେ ବାଳ ଯାଇଂ ଧରଇ ।୨୬୬।

ବାଳ ଧରି ରଥ ଉପରକୁ ଉଠଇ

ବୋଇଲା ଆଜ କାହିଂଯିବୁ ରେ ଇନ୍ଦ୍ରର ତନୟି ।୨୬୭।

ୟେତେ ବୋଲି ରଥ ଦଣ୍ଡରେ ବାନ୍ଧିଲା

ଅମର ଜୟେ ହେଲା ବୋଲି ଚମକ ଦିଆଇଲା ।୨୬୮।

ଚିତ୍ରସେନ ସଙ୍ଗରେ ଯେ ମନ୍ତ୍ରୀ ଯୁଝୁଥିଲା

ବେନି ଜନଂକର ତହିଂ ସମର ବଢିଲା ।୨୬୯।

ସାଂଗ୍ରାମେ ପଡ଼ିଲେ ଅନେକ ଗନ୍ଧର୍ବ ବଳ

ତାହାଦେଖି କୋପକଲା ଚିତ୍ରସେନ ବୀର ।୨୭୦।

ଗୋଡ଼ାଇ ଚିତ୍ରସେନ ଅସୁରକଇଂ ମାଇଲା

ରକତ ନଦୀଗୋଟି କ୍ଷଣକେ ବୁହାଇଲା ।୨୭୧।

ଅସୁର ମଡ଼ାମାନେ ହୋଇଲେ ଗଡ଼ାଗଡ଼ି

ଅନେକ ଶିର ଭୂମିରେ ପଡିଲାକ ଛିଡ଼ି ।୨୭୨।

ତାହାଦେଖି ମୋଢାସୁର କ୍ରୋଧଭର ହୋଇଲା

ଗୁରୁଜ ବୁଲାଇ ଚିତ୍ରସେନକୁ ପିଟିଲା ।୨୭୩।

ରଥ ପରେ ଚିତ୍ରସେନ ହେଲା ମୋହମାନ

ସାରଥୀ ରଥ ଘେନିଣ ଗଲାକ ବହନ ।୨୭୪।

ଚିତ୍ରସେନ ପଳାନ୍ତେ ମୋଢାସୁର ଦେଖିଲା

ଥାଠ ଫେରାଅ ବୋଲିଣ ମନ୍ତ୍ରୀକି କହିଲା ।୨୭୫।

ଅଙ୍ଗାରପନ୍ନଙ୍ଗକଇଂ ମନ୍ତ୍ରୀ ରଥରେ ଦେଖିଲା

ରଣେ ଜୟେ ହୋଇଲା ବୋଲି ଯେ ମନେ ବିଚାରିଲା ।୨୭୬।

ଥାଠ ଚଳାଇଣ ସେ ଚଳଇ ଧୀର ଧୀର

ତେଣେ ବାରତା ଯେ ପାଇଲେ ବଜ୍ରଧର ।୨୭୭।

ସ୍ୱର୍ଗପୁରଯାକ ହୋଇଲା ହାଲହୋଳି

ଅଙ୍ଗାରପନ୍ନଙ୍ଗକଇଂ ବାନ୍ଧିନେଲା ମହାବଳୀ ।୨୭୮।

ଇନ୍ଦ୍ରରାୟେ ଶୁଣି ତହିଂ ବିକଳ ହୋଇଲେ

ବୃହସ୍ପତିକି ଯେ ହକାରି ଆଣିଲେ ।୨୭୯।

ବୋଇଲେ କି ବୁଦ୍ଧି କରିବା ଦେବଗୁରୁ

ଅଙ୍ଗାରପନ୍ନଙ୍ଗକଇଂ ଧରିନେଲା ଅସୁର

ୟେବେ କିସ ଯେ ବିଚାରୁ ।୨୮୦।

ବୃହସ୍ପତି ବୋଇଲେ ମୁଂ କହଇ କଥାୟେ

ସାବଧାନ ହୋଇ ଶୁଣ ତୁମ୍ଭେ ସୁରରାୟେ ।୨୮୧।

ଉପାୟ କରି ଅଙ୍ଗାରପନ୍ନଙ୍ଗକଇଂ ଛଡ଼ାଇ ଆଣିବା

ୟେଥି ଉତ୍ତାରେ ପୁଣି କଥାନ୍ତ ଭାଳିବା ।୨୮୨।

ଆଜ ଯେତେ ପରାଭାବ ପାଇଲା ଅସୁର

ୟେତେ କାଳ ପାୟେ ପରାଭବ ପାଇ ନ ଥିଲା ନିଶାଚର ।୨୮୩।

ୟେବେ ନାରଦନ୍ତ ହକରାଇ ଆଣ

ଅଙ୍ଗାରପନ୍ନଙ୍ଗକଇଂ ସେ ଆଣନ୍ତୁ ଛଡ଼ାଇଣ ।୨୮୪।

ବୃହସ୍ପତି କହନ୍ତେ ଇନ୍ଦ୍ରରାୟେ ଶୁଣିଲେ

ମାତଳିକି ଚାହିଂଣ ସୁରରାୟେ ଆଗ୍ୟାଂ ଦିଲେ ।୨୮୫।

ବୋଇଲେ ନାରଦନ୍ତ ତୁ ଯେ ଘେନିଆସ ଯାଇ

ୟେହାଶୁଣି ମାତଳି ଯେ ଗଲା ବେଗହୋଇ ।୨୮୬।

ନାରଦଂକ ଛାମୁରେ ମିଳିଲା ବହନ

ଇନ୍ଦ୍ର ଆଗ୍ୟାଂ ଦିଲେ ଆପଣ ଯିବ ୟେହିକ୍ଷଣ ।୨୮୭।

ମାତଳିର ବଚନେ ଯେ ନାରଦେ ଉଠିଲେ

ଇନ୍ଦ୍ରର ଛାମୁରେ ଯେ ଯାଇଂଣ ମିଳିଲେ ।୨୮୮।

ବୋଇଲେ କାହିଂକି ଡାକିଲ ବଜ୍ରଧର

ବାସବ ବୋଇଲେ ଅଙ୍ଗାରପନ୍ନଙ୍ଗକଇଂ ଧରିନେଉଛି ଅସୁର ।୨୮୯।

ତୁମ୍ଭେ ଯାଇଂଣ ତାହାନ୍ତ ଯେ ଛଡ଼ାଇ ଘେନିଆସ

ତେବେ ସେ ମୋହୋର ପିଣ୍ଡରେ ପଶିବ ସାହାସ ।୨୯୦।

ତତକ୍ଷଣେ ନାରଦେ ମନଦଣ୍ଡେ ଚଢିଗଲେ

ବୀଣା ବଜାଇଣ ଅସୁର ଛାମୁରେ ମିଳିଲେ ।୨୯୧।

ଅର୍ଦ୍ଧବାଟେ ଯାଇଂ ଯେ ଭେଟିଲେ ମୋଢାସୁର

ନାରଦଂକୁ ଦେଖିଣ ଅସୁର କଲା ନମସ୍କାର ।୨୯୨।

କଲ୍ୟାଣ ବାଞ୍ଛା ପୁଣି ତାକୁ କଲେ ମୁନିମଣି

ଆରୋଗ୍ୟ ଶରୀର ହୋଉ ଅସୁରକୁଳ ମଣି ।୨୯୩।

ମୁନି ବୋଇଲେ ବାବୁ ସ୍ୱର୍ଗରେ କଲୁ ଯାହା

ଆମ୍ଭର ଦେଖନ୍ତେ କେହି କରି ନାହାନ୍ତି ତାହା ।୨୯୪।

ଶୁଣିଣ ଅସୁର ଯେ ହସିଣ ବୋଇଲା

ଇନ୍ଦ୍ର ଦେବତାର ମୃତୁ ମୋର ହାଥେ ଅଛି ମୁନିବଳା ।୨୯୫।

ନାରଦ ବୋଇଲେ ଆମ୍ଭେ କଥାୟେ ମାଗିବୁ

ସତ୍ୟ ବଚନରେ ଯେ ଆମ୍ଭନ୍ତ ତାହା ଦେବୁ ।୨୯୬।

ସତ୍ୟ କରିଥାଅ ଆମ୍ଭ ବଚନ ନ କରିବୁ ନାହିଂ

ଆମ୍ଭ ଦେହ ଛୁଇଂ କହ ଅସୁରକୁଳ ସାଇଂ ।୨୯୭।

ନାରଦଂକର ଅଙ୍ଗ ଯେ ଅସୁର ଛୁଇଂଲା

ଦେବଇଂ ବୋଲି ଯେ ସତ୍ୟ ଉଚ୍ଚାରିଲା ।୨୯୮।

ବୋଇଲା ଗୋସାଇଂ କି କି ମାଗିବି ମାଗ

ନାରଦେ ବୋଇଲେ ଅଙ୍ଗାରପନ୍ନଙ୍ଗକୁ ମୋତେ ଦେବ ।୨୯୯।

ଶୁଣିଣ ଅସୁର ଯେ ମଉନ ହୋଇଲା

ପଞ୍ଚୁଭୂତ ଆତ୍ମାରେ ସେ କଥାନ୍ତ ଭାଳିଲା ।୩୦୦।

ବିଚାରଇ ନ ଦିଲେ କୋପିବେ ମୁନିବର

ୟେହା ଭାବି ରଥୁଂ ଫିଟାଇ ଦିଲା ଇନ୍ଦ୍ରଂକ କୁମର ।୩୦୧।

ନାରଦ ମୁନିଂକି ଯେ ସମର୍ପଇ ନେଇ

ବୋଇଲା ଆଜ ୟେହାର ପ୍ରାଣ ରଖିଲ ଗୋସାଇଂ ।୩୦୨।

ନାରଦେ ବୋଇଲେ ବାବୁ ଯାଉଅଛି ମୁହିଂ

ଆରୋଗ୍ୟ କଲ୍ୟାଣ ତୁ ହୁଅ ଅସୁରକୁଳ ସାଇଂ ।୩୦୩।

କଲ୍ୟାଣ କରି ନାରଦେ ହୋଇଲେ ବାହାର

ପ୍ରବେଶ ହୋଇଲେ ଯାଇଂ ଅମର ମଣ୍ଡଳର ।୩୦୪।

ଅଙ୍ଗାରପନ୍ନଙ୍ଗକଇଂ ଇନ୍ଦ୍ର ମୂଳେ ଦିଲେ

ନାରଦ ମହାମୁନି ହରଷେ ବୀଣାଯନ୍ତ୍ର ବାଇଲେ ।୩୦୫।

ଶୁଣ ହୋ ବିଲଂକ ରାୟେ ବଦନ୍ତି ଅଗସ୍ତି

ସାବଧାନ ହୋଇ ଶୁଣ ମଧ୍ୟପର୍ବ ରୀତି ।୩୦୬।

ଥାଠ ଚଳାଇଣ ପୁଣ ଅସୁର ବୀର ଗଲା

ଆପଣା ନଗ୍ରେ ଯାଇଂ ପ୍ରବେଶ ହୋଇଲା ।୩୦୭।

ଥାଠ ସଇନଂକୁ ଯେ ମେଲାଣି ଅବଧାନ

ଯେ ଯାହା ପୁରକୁ ଗଲେ ସର୍ବଜନ ।୩୦୮।

ମନ୍ତ୍ରୀକି ଚାହିଂଣ ମୋଢାସୁର କହଇ ଉତ୍ତର

ସ୍ୱର୍ଗପୁରଯାକ ଜୟ ହୋଇଲା ଆବର ।୩୦୯।

ୟେବେ କିସ ଉପାୟ କରିବା କହ ମୋତେ

ମନ୍ତ୍ରୀ ବୋଇଲା ୟେବେ ଯାଉ ଦିନା କେତେ ।୩୧୦।

ମନ୍ତ୍ରୀର ବଚନେ ଶାନ୍ତ ମୂର୍ତ୍ତି ହୋଇଲା

ନିଚିନ୍ତ ହୋଇ ଅଳମ୍ବୁଷା ରାଜ୍ୟରେ ରହିଲା ।୩୧୧।

ୟେଥୁ ଅନନ୍ତରେ ଶୁଣ ବିଲଂକ ଦେଶ ରାୟେ

ସୁଧର୍ମା ସଭାରେ ଯେ ବସିଲେ ସୁରରାୟେ ।୩୧୨।

ଗୋଟିୟେ ଗୋଟିୟେ ହୋଇ ଦେବତାଗଣ ଅଇଲେ

ସୁଧର୍ମା ସଭାରେ ଯେ ଆସିଣ ବସିଲେ ।୩୧୩।

ଇନ୍ଦ୍ର ବୃହସ୍ପତି କରନ୍ତି ବିଚାର

ବହୁତ କ୍ରୋଧ କରି କହିଲା ଅଙ୍ଗାରପନ୍ନଙ୍ଗ କୁମାର ।୩୧୪।

ବୋଇଲା ଦେବତାୟେ ତୁମ୍ଭେ ପଳାଇଣ ଗଲ

ଅସୁର ମୁଖରେ ଯେ ଆମ୍ଭନ୍ତ ସମର୍ପିଲ ।୩୧୫।

ୟେତେ କହି କୁମାର ତହିଂ ମହାକ୍ରୋଧ କଲେ

ବୃହସ୍ପତି ତାହାନ୍ତ ପ୍ରବୋଧି କହିଲେ ।୩୧୬।

ହାନି ଅପଚାୟେ ଅଛଇ ସର୍ବକାଳେ

ୟେଥିକଇଂ ଚିନ୍ତା ତୁହି ନ କର ଶକ୍ରବାଳେ ।୩୧୭।

ବୃହସ୍ପତି ବୋଇଲେ ତୁମ୍ଭେ ପଠାର ହୋ କାଳ

ୟେହିକ୍ଷଣି ନ ମରଇ ପ୍ରୋଢାସୁର କୁମର ।୩୧୮।

ୟେଥୁ ଅନନ୍ତରେ ଦେବସଭା ମଉଳିଲା

ବାସବ ଦେବତା ନିଜ ଆଶ୍ରମକୁ ଗଲା ।୩୧୯।

ବୃହସ୍ପତି ଚଳିଗଲେ ଆପଣା ମନ୍ଦିରକୁ

ସମସ୍ତ ଦେବତାୟେ ଗଲେ ଯେ ଯାହା ପୁରକୁ ।୩୨୦।

ଅସୁର ଭୟେ ସ୍ୱର୍ଗେ ଦେବସଭା ନୋହିଲା

ଇନ୍ଦ୍ର ଦେବତା ଆସ୍ତାନ କରି ନ ବସିଲା ।୩୨୧।

ବଇବସୁତ ମନୁ ଅଗସ୍ତିଂକି ପଚାରିଲେ

ଯେଥି ଉତ୍ତାରେ ଅସୁରେ କେବଣ କୃତ୍ୟ କଲେ ।୩୨୨।

ୟେହା ମୋତେ ବିସ୍ତାରି କହ ମୁନିବର

କେମନ୍ତେ ପ୍ରକାରେ ତାକୁ ମାଇଲେ ନକୁଳ କୁମର ।୩୨୩।

ମନୁ ପଚାରନ୍ତି ଚଇତନ ତାହାନ୍ତ କହଇ

ୟେକମନ ହୋଇ ତୁମ୍ଭେ ଶୁଣ ନରସାଇଂ ।୩୨୪।

ୟେମନ୍ତେ ଯେ ଅସୁର ରାଜ୍ୟ କରୁଥାଇ

ନିତ୍ୟହେଂ ଗଣନାଥଂକୁ ଦ୍ରଶନ କରଇ ।୩୨୫।

ଥୋକାୟେକ ଦିନ ଯହୁଂ ବହିଗଲା

ଦିନେ ମୋଢାସୁର ତାର ମନ୍ତ୍ରୀକୁ ପଚାରିଲା ।୩୨୬।

ଇନ୍ଦ୍ର ଦେବତା ମୋତେ ଜୟ ତ ନୋହିଲା

ପିତୃକାର୍ଯ୍ୟ ମୋର କିଛି ତ ନୋହିଲା ।୩୨୭।

ପିତାର ଋଣ ନ ସୁଝଇ ଯେବଣହିଂ ପୁତ୍ର

ତାହାର ଜୀବନ ଯେ ଅଚଇ ବିଅର୍ଥ ।୩୨୮।

ପୁତ୍ର ହୋଇ ମୁଂ ତ ନ କଲି କିଛି କାର୍ଯ୍ୟ

ମୋହୋର ପିତାକୁ ଯେ ମାଇଲା ଇନ୍ଦ୍ରରାଜ ।୩୨୯।

ତାହାକୁ ତ ମୁହିଂ ନୁଆରିଲି ମାରି

ୟେତେ ଗରିଷ୍ଠପଣ ଧିକ ଧିକ ମୋହୋରି ।୩୩୦।

ୟେତେ ବୋଲି ଅସୁର ସନ୍ତାପୀ ହୋଇଲା

କୁରୁପାଳ ମନ୍ତ୍ରୀ ଯେ ବହୁତ ପ୍ରବୋଧିଲା ।୩୩୧।

ଅସୁର କହିଲା ତୁ ଶୁଣ ହୋ ମନ୍ତ୍ରୀବର

ବିଳମ୍ବ ନ କର ଚାଲ ଯିବା ସ୍ୱର୍ଗପୁର ।୩୩୨।

ରାଜାର କହନ୍ତେ ମନ୍ତ୍ରୀ ବେଗହୋଇ ଗଲା

ଟମକ ଦିଆଇଣ ସନ୍ୟ ସଜକଲା ।୩୩୩।

ହାଥୀ ରଥୀ ପାଦାନ୍ତି ଅଇଲେ ସଜହୋଇ

ଅଶ୍ୱ ପାଇକ ଲୋକଗହଳ କଳନା ନ ଯାଇଂ ।୩୩୪।

ଟମକ ଶବଦ ଶୁଣି ଲୋକେ ହୋଇଲେ ବାହାର

ଦିଗ ବିଜେ ଆଜ କରିବେ ଅସୁରେଶ୍ୱର ।୩୩୫।

କୁରୁପାଳ ମନ୍ତ୍ରୀକି ଘେନି ରାଜା ଦିଗବିଜେ କଲା

ରଥ ଉପରେ ଦତ୍ୟ ବିକ୍ରମି ବସିଲା ।୩୩୬।

ଢୋଲ ଦମାଲକୁ ତହିଂ ବାଜଇ ବୀରତୂର

ଘୁମୁରା ଶବଦ ଯେ ଅତି ଅଗୋଚର ।୩୩୭।

ଚାଲ ଚାଲ ଧାଅଂ ଧାଅଂ ଆସ ଆସ ଶବଦ ଶୁଭଇ

ପ୍ରଳୟ କାଳେ ଯେହ୍ନେ ସାହେର ଗରଜଇ ।୩୩୮।

ଧାମନ୍ତି ଅସୁର ବଳ ପବନ ଗତି ଜାଣି

ଗଗନେ ଅଦୃଶ୍ୟ ଯଏ ହୋଇଲେ ଦିନମଣି ।୩୩୯।

ରଥ ଚଳାଇଣ ମୋଢାସୁର ବୀର

ଗବନ କରଇ ସେବପ ହୋଇଣ ଧୀର ଧୀର ।୩୪୦।

ସ୍ୱର୍ଗପୁରେ ଯାଇଂଣ ପ୍ରବେଶ ହୋଇଲା

ବୀରତୂର ଶବଦରେ କୁରୁମ ଉଛୁଳିଲା ।୩୪୧।

ଅଜାଗେ ଅମରେ ଯାଇଂ ପଶିଲା ଧସାଇ

ଦେବେ ନ ଜାଣନ୍ତି ଅସୁରେ ଆସୁଛନ୍ତି ବାହି ।୩୪୨।

ଦେବ ଡଗର ଜଣାଇଲା ତୁମ୍ଭେ ଶୁଣ ହୋ ସୁରରାଣ

ମୋଢାସୁର ସ୍ୱର୍ଗକୁ କରୁଛି ପୟାଣ ।୩୪୩।

କହୁଂ କହୁଂ ଅସୁର ପଶିଲା ଧସାଇ

ସାବଧାନେ ହୋଇ ଶୁଣ ତୁମ୍ଭେ ଶଚୀସାଇଂ ।୩୪୪।

କହୁଂ କହୁଂ ଅସୁରେ ବେଢିଲେ ସ୍ୱର୍ଗପୁର

ମାର ମାର ଶବଦେ ଯେ ମୁଖର ଚହଳ ।୩୪୫।

ଯେ ଯାହାର ମତେ ଦେବତାୟେ ପଳାଇଲେ

ଯେ ଯହିଂକି ପାରିଲା ଯାଇଂ ତହିଂ ସେ ଲୁଚିଲେ ।୩୪୬।

ଇନ୍ଦ୍ର ଦେବତା ଯେ ଗଲେକ ପଳାଇ

ଦକ୍ଷିଣ ସ୍ୱର୍ଗରେ ସେହୁ ଲୁଚିଲେକ ଯାଇଂ ।୩୪୭।

ଅସମ୍ଭାଳ ହୋଇଣ ଯେ ଇନ୍ଦ୍ର ପଳାଇଲେ

ଶଚୀଦେବୀ ସଙ୍ଗତେ ଯାଇଂ ନୁଆରିଲେ ।୩୪୮।

ଅଜାଗେ ଅସୁର ପଶିଲା ସ୍ୱର୍ଗପୁର

ରଣ ଭଣ ହୋଇଲା ଯେ ଅମର ମଣ୍ଡଳ ।୩୪୯।

ଇନ୍ଦ୍ରପୁରେ ବଳେ ପଶିଲାକ ଯାଇଂ

ଅପକ୍ଷରୀ କିନ୍ନରୀନ୍ତ ବଳେଣ ଧରଇ ।୩୫୦।

ଭଲ ଭଲ ପଦାର୍ଥମାନ ଅସୁରେ ଜୂର କଲେ

ଅମର ମଣ୍ଡଳଯାକ ଅସୁର ଘୋଟିଲେ ।୩୫୧।

ଇନ୍ଦ୍ରଂକର ପୁରେ ଯେ ଅସୁର ପଶିଲେ

ଦେବଭଣ୍ଡାର ଯାକ ଜୂର କରିନେଲେ ।୩୫୨।

ଦେଖିଲା ବସିଛି ଶଚୀଦେବୀ ଅଭ୍ୟାନ୍ତର ହୋଇକରି

ବେନି ନୟନରେ ତାଂକୁ ଦେଖିଲା ଅମରାରି ।୩୫୩।

କୁରୁପାଳ ମନ୍ତ୍ରୀକି ରାଇଲାକ ଧୀରେ

ଅମର ମଣ୍ଡଳ ସାଧ୍ୟ ହୋଇଲା ମୋହୋରେ ।୩୫୪।

ଇନ୍ଦ୍ରର ଭାରିଯା ଶଚୀ ପରା ୟେହି

ୟେହାରେ ସେ ସୁରରାଜା ଇନ୍ଦ୍ରପଣ କରଇ ।୩୫୫।

ଭଲା ଗଣନାଥ ଦିଲେ ମୋତେ ବର

ୟେବେ ଆସି ତପସିଦ୍ଧ ହୋଇଲା ମୋହୋର ।୩୫୬।

ୟେତେ ବୋଲି ଅସୁର ଯେ ଧସାଇ ପଶିଲା

ଶଚୀଦେବୀକଇଂ ବଳେ ଓଟାରି ଆଣିଲା ।୩୫୭।

ରଥ ଉପରେ ସେ ବସାଇଲାକ ନେଇ

ବିକଳେ ଶଚୀଦେବୀ ଯେ ରୋଦନ କରଇ ।୩୫୮।

ଅପକ୍ଷରୀ କିନ୍ନରୀ ବିଦ୍ୟାଧରୀ ସଙ୍ଗେ ଗୋଡ଼ାଇଲେ

ହା ହା ଦଇବ ବୋଲି ବିକଳେ ରୋବିଲେ ।୩୫୯।

ଅମର ଜୟେ କରି ଅସୁର ହୋଇଲା ବାହାର

ଜୟେ ହୋଇଲା ବୋଲି ବିଚାରଇ ମନର ।୩୬୦।

ଆପଣା ନଗ୍ରକୁ ସେ ଚଳଇ ବହନ

କାଲି ପ୍ରଭାତେ ଇନ୍ଦ୍ରକୁ ଧରି କରିବି ବନ୍ଧନ ।୩୬୧।

ନଗ୍ରେ ପଶନ୍ତେଣ ସେ ଘୋଷଣ ଦିଆଇଲା

ରଥ ଉପରୁଂ ଶଚୀଦେବୀକଇଂ ଓହ୍ଲାଇଲା ।୩୬୨।

ବୋଇଲା ଗୋ ଇନ୍ଦ୍ରୟେଣୀ ଶୁଣ ମୋର ବାଣୀ

ଆଜିଦିନ ଠାରୁ ତୁ ମୋର ହୋଇବୁ ଘରଣୀ ।୩୬୩।

ଅପକ୍ଷରୀ ବିଦ୍ୟାଧରୀ ହୋଇଲେ ମୋହୋର

ୟେସନେକ ବଚନ ଶଚୀଂକି କହିଲା ଅସୁର ।୩୬୪।

ମନ୍ତ୍ରୀକି ବୋଇଲେ କହ ୟେଥିର ବିଚାର

ଅମର ପୁରେ କାଲି କରିବା ସମର ।୩୬୫।

ଇନ୍ଦ୍ରରାଜାନ୍ତ ମୁଂ କାଲି କରିବଇଂ ପ୍ରାଣେ ନାଶ

ଗଣ ଗନ୍ଧର୍ବ ଅପକ୍ଷରୀ ଖଟିବେ ମୋର ପାଶ ।୩୬୬।

ଅମର ମଣ୍ଡଳେ ମୁଂ ସୁଖେଣ ବିଳସିବି

ସୁରପତି ପଣେ ମୁଂ ସୁଧର୍ମା ସଭାରେ ବସିବି ।୩୬୭।

ୟେତେକ ପହିଜ ଯହୁଂ କହିଲା ଅସୁର

ମନ୍ତ୍ରୀକି କହିଲା କହ ୟେଥିର ବିଚାର ।୩୬୮।

ମନ୍ତ୍ରୀ କହିଲା ମୁଂ କି କହିବି ତୋତେ

ତୁହି ସିନା ଜାଣୁ ୟେଥିର ତଦନ୍ତେ ।୩୬୯।

ଅସୁର ବୋଇଲା ଯେ ଶଚୀଂକର ମୁଖ ଚାହିଂ

ଅମର ମଣ୍ଡଳେ ମୋତେ ରାଜା କର ନେଇ ।୩୭୦।

ଶଚୀ ବୋଇଲେ ତୁ ହୋ ନ ପଚାର ମୋତେ

ବଳେ କିମ୍ପେ ମୋତେ ଘେନି ଅଇଲୁ ବିଅର୍ଥେ ।୩୭୧।

ବ୍ରତଚାରୀ ହୋଇ ମୁହିଂ ବସିଥିଲି ଜାଣ

ବ୍ରତ ଭଙ୍ଗାଣ ମୋତେ କଲୁ ରଣଭଣ ।୩୭୨।

ୟେକୋଇଶ ଦିନେ ବ୍ରତ ପୂରିବ ମୋହୋର

ତେବେ ଯେ ଭାରିଯା ମୁହିଂ ହୋଇବି ମୋହୋର ।୩୭୩।

ତୋତେ ଘେନି ଅମର ମଣ୍ଡଳେ ଅଭିଷେକ ହୋଇବି

ୟେଥକୁ କିଛି ତିନ୍ତା ନ କର ବୋଇଲେ ଶଚୀଦେବୀ ।୩୭୪।

କପଟ କରି ଯହୁଂ ଶଚୀଦେବୀ କହିଲେ

କଥାରେ ପ୍ରସ୍ତାବେ ଶଚୀଦେବୀ ଅସୁରକୁ ଭୁଲାଇଲେ ।୩୭୫।

ଶଚୀଦେବୀ ବୋଇଲେ ହୋ ଶୁଣ ଦତ୍ୟରାୟେ

ବ୍ରତ କରିଅଛି ମୁହିଂ ୟେକୋଇଶ ଦିନ ପାୟେ ।୩୭୬।

କାହାରି ମୁଖକୁ ପୁଣ ନ ଚାହିଂବି ମୁହିଂ

ଅଭ୍ୟାନ୍ତର ସ୍ଥାନେ ମୋତେ ରଖିଆସ ନେଇ ।୩୭୭।

ଦଇବର କଥା କେହୁ କରିପାରେ ଆନ

କଥା କୁତୂହୋଳେ ମୋହଗଲା ଅସୁର ରାଜନ ।୩୭୮।

ମନ୍ତ୍ରୀ ବୋଇଲା ୟେକାନ୍ତ ନବରେ ବେଗେ କର

ଶଚୀକି ନେଇଣ ରଖ ୟେକାନ୍ତ ପୁରର ।୩୭୯।

ମୋଢାସୁର ଗଚନେ ମନ୍ତ୍ରୀ ବହନ ଚଳିଗଲା

ଭିନ୍ନେ ନବର କରି ଶଚୀଂକି ରଖିଲା ।୩୮୦।

ୟେଥୁ ଅନନ୍ତରେ ଶୁଣ ନୃପରାଣ

ଦକ୍ଷିଣ ସ୍ୱର୍ଗରେ ଲୁଚିଥିଲେ ଶଚୀର ରମଣ ।୩୮୧।

ଅସୁର ଶଚୀଂକି ହରିନେବାର ଶୁଣିଲେକ ଯହୁଂ

ଲୁଚିଲା ଠାବରୁ ବେଗେ ଅଇଲେ ସୁରରାହୁ ।୩୮୨।

ତତକ୍ଷଣେ ଆସି ମିଳିଲେ ଆଖଣ୍ଡଳ

ଦେଖିଲେ ନାରଖାର ହୋଇଛି ଅମର ମଣ୍ଡଳ ।୩୮୩।

ଆବର ଦେବ ଭଣ୍ଡାରଯାକ ଜୂର କରି ନେଇଛି

ଦେଖିଣ ଇନ୍ଦ୍ର ରାଜାର ନ ଫୁରଇ କିଛି ।୩୮୪।

ବଡ ପ୍ରତାପୀ ହୋଇଣ ରାବଣେଶ୍ୱର ଥିଲା

ସେହି ୟେଡ଼େ କର୍ମ ଯେ ସ୍ୱର୍ଗରେ ନ କଲା ।୩୮୫।

ଅତି ବଳବନ୍ତ ଥିଲା ତାରକା ଅସୁର

ସେ ୟେତେ କୃତ୍ୟ ନ କଲା ଅମର ମଣ୍ଡଳର ।୩୮୬।

କେଡ଼େ କେଡ଼େ ଅସୁରେ ପୃଥୀରେ ନ ଥିଲେକି

ଅତିହିଂ ଗରିଷ୍ଠ ୟେ ହୋଇଲା ପାତକୀ ।୩୮୭।

ବହୁତ କ୍ରୋଧ ପୁଣ କଲେକ ସୁରରାଣ

ସୁଧର୍ମା ସଭାକୁ ଯେ ଚଳିଲେ ଆପଣ ।୩୮୮।

ସଭାଯାକ ସବୁ ତହିଂ ହୋଇଅଛି ନଷ୍ଟ

ବୋଇଲେ ସବୁ ନାଶକଲା ସେ ଚାଣ୍ଡାଳ ଦ୍ରପିଷ୍ଠ ।୩୮୯।

ୟେସନେକ ସମୟେ ଯେ ମିଳିଲା ମାତଳି

ଶିରେ କରଦେଇ ସେ କହଇ କରଯୋଡ଼ି ।୩୯୦।

ଇନ୍ଦ୍ର ବୋଇଲା ମାତଳି ଚଳ ୟେହିକ୍ଷଣି

ବ୍ରହ୍ମାଦି ଦେବତାନ୍ତ ବେଗେ ହକାରିଣ ଆଣ ।୩୯୧।

ୟେମନ୍ତ ଆଗ୍ୟାଂ ଯହୁଂ ଇନ୍ଦ୍ରରାୟେ ଦିଲେ

ତତକ୍ଷଣ ମାତଳି ଯେ ବହନ ହୋଇଗଲେ ।୩୯୨।

ବ୍ରହ୍ମାଂକର ନବରେ ମିଳିଲେକ ଯାଇଂ

ଦେଖିଲେ ବସିଛନ୍ତି ସାବିତ୍ରୀ ଦେବୀଂକ ସାଇଂ ।୩୯୩।

ଖଣ୍ଡେ ଦୂରୁଂ ଦେଖି ମାତଳି ପାୟେ ପଡ଼ି ଶୋଇଲା

ଶିରେ କର ଦେଇ ଯେ ପଛଘୁଞ୍ଚି ରହିଲା ।୩୯୪।

ବ୍ରହ୍ମାୟେ କଲ୍ୟାଣ କରିଣ ପଚାରି

କିମର୍ଥେ ଅଇଲ କହ ହୋ ମାତଳି ।୩୯୫।

ମାତଳି ବୋଇଲା ତୁମ୍ଭେ ଶୁଣିମା ବେଦବର

ଇନ୍ଦ୍ର ଆଗ୍ୟାଂଦିଲେ ତୁମ୍ଭେ ଯିବ ଧାତିକାର ।୩୯୬।

କାଲି ସ୍ୱୟେଂ ମୋଢାସୁର ସ୍ୱର୍ଗପୁରକୁ ବାହିଲା

ଦେବ ଭଣ୍ଡାର ଯାକ ସବୁ ଜୂର କରି ନେଲା ।୩୯୭।

କିନ୍ନରୀ ବିଦ୍ୟାଧରୀ ଆଦି ଶଚୀ ସହିତେଣ

ସମସ୍ତ ହରିନେଲା ପ୍ରୋଢାସୁରର ନନ୍ଦନ ।୩୯୮।

ୟେହା ଶୁଣି ବ୍ରହ୍ମାୟେ ଉଠିଲେ ବହନ

ହଂସ ପିଠିରେ ଯାଇଂ ସେ ବସିଲେ ଆପଣ ।୩୯୯।

ସୁଧର୍ମା ସଭାକୁ ଚଳିଲେ ବେଦବର

ମାତଳି ଚଳିଣ ଗଲେ ତାହାଂକ ସଙ୍ଗର ।୪୦୦।

ବ୍ରହ୍ମାଂକୁ ଦେଖିଣ ଇନ୍ଦ୍ର ନମସ୍କାର କଲେ

ହାଥ ଧରି ନେଇଣ ସଭାରେ ବସାଇଲେ ।୪୦୧।

ମାତଳି ଚଳିଗଲେ ବୃହସ୍ପତିଂକ ପାଖକୁ

ଇନ୍ଦ୍ର ଆଗ୍ୟାଂ ଦିଲେ ତୁମ୍ଭେ ଆସ ହେ ସଭାକୁ ।୪୦୨।

ତତକ୍ଷଣେ ବୃହସ୍ପତି ତହୁଂ ଚଳିଗଲେ

ଅମର ଆସ୍ତାନେ ଯାଇଂ ପ୍ରବେଶ ହୋଇଲେ ।୪୦୩।

ବ୍ରହ୍ମାଂକୁ ଦେଖିଣ ବୃହସ୍ପତି କଲେ ନମସ୍କାର

ଯାଇଣ ବସିଲେ ଯେ ଆସ୍ତାନ ଉପର ।୪୦୪।

ନାରଦେ ବିଜେକଲେ ବୀଣାଯନ୍ତ୍ର ବାଇ

ବରୁଣ ପବନ ଅଇଲେ ୟେକମେଳ ହୋଇ ।୪୦୫।

ଚନ୍ଦ୍ର ସୂର୍ଯ୍ୟ ନବଗ୍ରହ ସମସ୍ତେ ଅଇଲେ

ଅଶ୍ୱିନୀ କୁମାରେ ଯେ ଅଷ୍ଟବସୁ ତହିଂ ମିଳିଲେ ।୪୦୬।

ଦିବ୍ୟବେଶ ହୋଇ ତହିଂ କାମଦେବ ରାୟେ

ସେହି ମିଳିଲେ ଆସି ଆସ୍ତାନର ଠାୟେ ।୪୦୭।

ଗଣ ଗନ୍ଧର୍ବ ଦେବତାୟେ ଯେ ଯହିଂରେ ଥିଲେ

ଯେ ଯାହାର ମତେ ସଭାରେ ମିଳିଲେ ।୪୦୮।

ଚଉଦ କୋଟି ଯେ ଶିବଗଣ ସଙ୍ଗେ ଘେନି

ସଭାରେ ଆସି ମିଳିଲେ ଦେବ ଶୂଳପାଣି ।୪୦୯।

ସଭା ପୂରିଲା ଯେ ବସିଲେ ସମସ୍ତେ

ଇନ୍ଦ୍ର ବସିଣ ଅଛନ୍ତି ମଉନବ୍ରତେ ।୪୧୦।

ଅଙ୍ଗାରପନ୍ନଙ୍ଗ ଚିତ୍ରସେନ ପଛେଣ ମିଳନ୍ତି

ତାହାଂକର ପଛରେ ଅଇଲେ ବସୁମତୀ ।୪୧୧।

ମୁଖରୁ ରୁଧିରେ ଯେ ବହଇ ଝର ଝର

ବୋଇଲା ନିଚୟେ ପୃଥୀ ହୋଇଳା ରସାନ୍ତଳ ।୪୧୨।

ବସୁଧା କହନ୍ତେ ଇନ୍ଦ୍ର ବୃହସ୍ପତି ଶୁଣିଲେ

ଯେ ଯାହାର ମୁଖକୁ ଚାହିଂଣ ଭାଳିଲେ ।୪୧୩।

ଇନ୍ଦ୍ର ବୋଇଲେ ଯେ ବ୍ରହ୍ମାଂକ ମୁଖ ଚାହିଂ

କି ବୁଦ୍ଧି କରିବା କହ ସାବିତ୍ରୀ ଦେବୀଂକ ସାଇଂ ।୪୧୪।

ମୋଢାସୁର ଦଇତ ଯେ ସ୍ୱର୍ଗ ନାଶକଲା

ଅମର ଭଣ୍ଡାର ଜୂର କରି ଶଚୀଂକି ଘେନିଗଲା ।୪୧୫।

କେମନ୍ତେ ମରିବ ସେ ପାମର ମୋଢାସୁର

ୟେଥିରେ ବିଚାର ତୁମ୍ଭେ କହ ବେଦବର ।୪୧୬।

ବ୍ରହ୍ମା ବୋଇଲେ ତୁମ୍ଭେ ବୃହସ୍ପତିଂକି ପଚାର

ୟେଥିର ନିମନ୍ତକୁ ସେ କରନ୍ତୁ ବିଚାର ।୪୧୭।

ବୃହସ୍ପତି ବୋଲନ୍ତି ଶୁଣ ବେଦମଣି

ତହିଂର ବିଚାର ମୁଂ କହଇ ୟେହିକ୍ଷଣି ।୪୧୮।

ଆଗୁଂ ତ କହିଅଛଇ ତୁମ୍ଭର ଛାମୁର

କାହାରି ହାଥରେ ନ ମରଇ ମୋଢାସୁର ଅସୁର ।୪୧୯।

ଅଶ୍ୱିନୀ କୁମାର ବୀର୍ଯ୍ୟେ ଜାତ ହୋଇଛି ନକୁଳ

ତାହାର ହାଥରେ ସେ ମରିବ ମୋଢାସୁର ।୪୨୦।

ଗଣପତିଂକି ମଣାଇ ସେ ପାଇ ଅଛି ବର

ୟେକମନ ହୋଇ ତୁମ୍ଭେ ଶୁଣ ବେଦବର ।୪୨୧।

ବ୍ରହ୍ମାୟେ ବୋଇଲେ ନକୁଳ କେମନ୍ତ ଆସିବ

ତହିଂକି ବିଚାରି ତୁମ୍ଭେ କହ ହେ ଗୁରୁଦେବ ।୪୨୨।

ବୃହସ୍ପତି ବୋଇଲେ ମାତଳି ଯାଅ ବେଗ ହୋଇ

ରଥରେ ବସାଇ ଆଣ ମାଦ୍ରୀର ତନୟି ।୪୨୩।

ୟେହା ଶୁଣି ଇନ୍ଦ୍ର ଯେ ବଚନ ପ୍ରକାଶିଲେ

ମାତଳି ଯାଉ ବୋଲି ଶ୍ରୀମୁଖେ ଆଗ୍ୟାଂ ଦିଲେ ।୪୨୪।

ବ୍ରହ୍ମା ବୃହସ୍ପତି ଶିବ ଇନ୍ଦ୍ରରାଣ

ଚାରିହେଂ ବୃହସ୍ପତିଂକି ରାଇଲେ ବହନ ।୪୨୫।

ନକୁଳ କୁମାରକୁ ତୁ ଘେନିଣ ଆସିବୁ

ବୋଇଲେ ମାତଳି ତୁ ୟେହିକ୍ଷଣି ଯିବୁ ।୪୨୬।

ଆମ୍ଭର ଆଗ୍ୟାଂ ଯେ ଯୁଝିଷ୍ଠିଂକି କହି

ବହନ ଘେନିଆସ ନକୁଳକୁ ରଥରେ ବସାଇ ।୪୨୭।

ତାହାର ଅଇଲେ ଥିର ହୋଇବ ସ୍ୱର୍ଗପୁର

ତେବେ ସେ ମରିବ ଦ୍ରପିଷ୍ଠ ପାମର ଅସୁର ।୪୨୮।

ଚାରିଦେବଂକ ତହୁଂ ମାତଳି ୟେମନ୍ତେ ଆଗ୍ୟାଂ ପାଇ

ନମସ୍କାର କରିଣ ଯେ ବାହାର ହୁଅଇ ।୪୨୯।

ଖଣ୍ଡିୟେକ ଦୂରେ ଯେ ରଥରେ ବସିଲା

ଧୀର ଧୀର ହୋଇଣ ମଞ୍ଚକୁ ଓହ୍ଲାଇଲା ।୪୩୦।

ବାରୁଣାବନ୍ତରେ ସେ ପ୍ରବେଶ ହେଲା ଯାଇଂ

ଦେଖିଲା ଆସ୍ତାନେ ବସିଛନ୍ତି ଯୁଝେଷ୍ଠି ନୃପସାଇଂ ।୪୩୧।

ମାତଳିକି ଦେଖିଣ ଯେ ଉଠିଲେ ପଞ୍ଚୁବୀରେ

କରମାନ ନେଇଣ ଲଗାଇଲେ ଶିରେ ।୪୩୨।

ଗଉରୋବ କରିଣ ଆସ୍ତାନେ ବସାଇଲେ

କିମର୍ଥେ ଅଇଲି ବୋଲିଣ ବାରତ ପଚାରିଲେ ।୪୩୩।

ମାତଳି ବୋଇଲା ଇନ୍ଦ୍ର ଦେବତାଂକ ଆଗ୍ୟାଂରେ

ରଥରେ ବସାଇ ନେବି ମାଦ୍ରୀର କୁମରେ ।୪୩୪।

ଯୁଝେଷ୍ଠି ପଚାରନ୍ତି ନକୁଳ କିମର୍ଥେ ଯିବ ସ୍ୱର୍ଗପୁର

ଇନ୍ଦ୍ର ଆଗ୍ୟାଂ ଯେବେ ଯାଉ ଅର୍ଜୁନ କୁମାର ।୪୩୫।

ମାତଳି ବୋଇଲା ନକୁଳ ଯିବାପାଇଂ

ଆଗ୍ୟାଂ ଦେଇଅଛନ୍ତି ଶଚୀ ଦେବୀଂକର ସାଇଂ ।୪୩୬।

ଯୁଝେଷ୍ଠି ପଚାରନ୍ତି ସ୍ୱର୍ଗରେ କିସ ଭୟେ

ମାତଳି ବୋଇଲା ମୋଢାସୁର ଅସୁର ଗୋଟାୟେ ।୪୩୭।

କପିଳାସ ଉତ୍ତର ପାରୁଶେ ତାର ଘର

ଅଳମ୍ବୁଷା ନାମେ ନଗ୍ର ଅଟଇ ତାହାର ।୪୩୮।

ତାହାର ବାପା ଯେ ପ୍ରୋଢାସୁର ଥିଲା

ସ୍ୱର୍ଗ ଦେବତାଂକ ସଙ୍ଗେ ବାଦ ଆରମ୍ଭିଲା ।୪୩୯।

ବଜ୍ର ଧରିଣ ତାହାକୁ ମାଇଲେ ସୁରରାୟେ

ତାହାର ତନୁଜ ଯେ ମୋଢାସୁର ହୋୟେ ।୪୪୦।

ଗଣନାଥଂକ ବରେ ସେ କାହାକଇଂ ନ ଡରଇ

ସ୍ୱର୍ଗ ମଞ୍ଚ ପାତାଳେ ସେ ନିରତେ ଭ୍ରମଇ ।୪୪୧।

ଗଣ ଗନ୍ଧର୍ବ ଦେବତା କାହାକଇଂ ନ ଡରଇ

ସ୍ୱର୍ଗରେ ପଶି ଦେବତଂକ ସଙ୍ଗେ ସେ ଯୁଝଇ ।୪୪୨।

ଗଲା ଦିବସ କାଲି ଯେ ସ୍ୱର୍ଗକୁ ଆସିଥିଲା

ଅମର ଜୂର କରି ଶଚୀଂକି ଧରିନେଲା ।୪୪୩।

ସଭା ମଣ୍ଡାଇ ଇନ୍ଦ୍ର ଆସ୍ତାନ କରିଣ ବସିଲେ

ଇନ୍ଦ୍ର ଦେବତାୟେ ବୃହସ୍ପତିଂକି ପଚାରିଲେ ।୪୪୪।

କାହାର ହାଥରେ ସେ ମରିବ ପାମର ଅସୁର

ୟେ କଥା ବିଚାରି କହ ବୋଇଲେ ବେଦବର ।୪୪୫।

ବୃହସ୍ପତି ବୋଇଲ ସେ କାହାରି ହାଥେ ନ ମରଇ

ପଣ୍ଡୁ ଦୁଲାଳ ନକୁଳ ହାଥରେ ମୃତୁ ତା ଅଛଇ ।୪୪୬।

ବ୍ରହ୍ମା ବୃହସ୍ପତି ଇନ୍ଦ୍ର ରୁଦ୍ର ଥାଇଣ ଆଗ୍ୟାଂ ଦିଲେ

ନକୁଳ କୁମାରକୁ ଘେନିଆସ ଯାଇଂ ଭଲେ ।୪୪୭।

ଦେବଂକ ଆଗ୍ୟାଂରେ ମୁଂ ଅଇଲି ବହନ

ରଥରେ ବସାଇ ନେବି ମାଦ୍ରୀର ନନ୍ଦନ ।୪୪୮।

ମାତଳି ମୁଖରୁ ୟେସନେକ ବଚନ ଶୁଣି

ଯୁଝେଷ୍ଠି ବୋଲନ୍ତି ଶୁଣ ହେ ଗାଣ୍ଡିବପାଣି ।୪୪୯।

ନକୁଳକୁମାର ସ୍ୱର୍ଗକୁ ଯାଉ ୟେହିକ୍ଷଣ

ନାଶକରୁ ଯାଇ ପ୍ରୋଢାସୁରର ନନ୍ଦନ ।୪୫୦।

ଅର୍ଜୁନ ବୋଇଲେ ଯେବେ ସୁରପତି ଆଗ୍ୟାଂ ଦେଇଛନ୍ତି

ନକୁଳ ନ ଗଲେ କୋପ କରିବେ ସୁରପତି ।୪୫୧।

ଭୀମସେନ ବୋଇଲେ ମୁଂ କଥାୟେ କହଇ

ସହଦେବନ୍ତ ପଚାର ନକୁଳ ହାଥେ ଅସୁର ମରିବକି ନାହିଂ ।୪୫୨।

ଭୀମସେନ କହନ୍ତେ ଯୁଝେଷ୍ଠି ମହାରାୟେ

ସହଦେବ ମୁଖକୁ ଅବଲୋକନ କରି ଚାହେଂ ।୪୫୩।

ଯୁଝେଷ୍ଠି ବୋଇଲେ ତୁ କହ ହେ ମନ୍ତ୍ରୀବର

ନକୁଳ ହାଥେ ମରିବ କି ମୋଢାସୁର ଅସୁର ।୪୫୪।

କରକୁ ଚାହିଂଣ ସହଦେବ ଯେ କହଇ

ନକୁଳ ଠାକୁରଂକ ହାଥେ ଅସୁର ମରିବ ଗୋସାଇଂ ।୪୫୫।

ୟେହା ଶୁଣି ଯୁଝେଷ୍ଠି ଦେବ ଆନନ୍ଦ ହୋଇଲେ

ଯାଅ ହୋ ନକୁଳ ବୋଲି ଯୁଝେଷ୍ଠି ଆଗ୍ୟଂ ଦିଲେ ।୪୫୬।

ଯୁଝେଷ୍ଠିଂକ ମୁଖରୁ ପରମାଣେ ଆଗ୍ୟାଂପାଇ

ଧନୁ କମାଣ ଘେନି ବୀର ବାହାର ହୁଅଇ ।୪୫୭।

ଯୁଝେଷ୍ଠି ଠାକୁରଂକୁ ନକୁଳ ନମସ୍କାର କଲା

ପଛେ ଭୀମ ଅର୍ଜୁନନ୍ତ ଓଳଗି ଶୁତିଲା ।୪୫୮।

ସହଦେବ ନକୁଳକୁ କଲା ନମସ୍କାର

ମେଲାଣି ହୋଇ ନକୁଳ ବସିଲା ରଥର ।୪୫୯।

ବହୁତ କଲ୍ୟାଣ ଯେ କଲେ ତିନିଭାଇ

ଅସୁରକୁ ମାରିଣ ତୁ ଆସ ବେଗ ହୋଇ ।୪୬୦।

ନକୁଳ ମାତଳି ବେନି ବସିଲେ ରଥର

ରଥ ଚମକାଇଣ ଚାଲନ୍ତି ଧୀର ଧୀର ।୪୬୧।

ଆଧା ସ୍ୱର୍ଗେ ଯାଇଂଣ ସେ ହୋଇଲେ ପରବେଶ

ନକୁଳ କହଇ ଯେ ମାତଳିର ପାଶ ।୪୬୨।

ୟେହିଠାରେ ରଥ ରୁହାଅ ଯେ କ୍ଷଣେ

ଅବଧାନ ହୋଇ ଯେ ଶୁଣିମା ଆପଣେ ।୪୬୩।

ଅସୁରକୁ ନ ମାରିଲେ ମୁଂ ନ ଯାଇ ସ୍ୱର୍ଗପୁର

ଦଇତକୁ ମାରି ମୁଂ ଦ୍ରଶନ କରିବି ଆଖଣ୍ଡଳ ।୪୬୪।

ଶଚୀ ଠୀକୁରାଣୀଂକୁ ମୁଂ ଇନ୍ଦ୍ର ପାଶେ ଦେଇ

ତେବେହେଂ ଦ୍ରଶନ କରିବି ସୁରସାଇଂ ।୪୬୫।

ୟେଥୁ ଅନନ୍ତରେ ତହୁଂ ବିଲଂକ ଦେଶ ରାୟେ

ଅଗସ୍ତିଂକ ଚରଣେ କଲା ବହୁତ ବିନୟେ ।୪୬୬।

ୟେଥୁ ଅନନ୍ତରେ ହୋଇଲା କିସ କୃତ୍ୟ

ୟେହା ମୋତେ ସଞ୍ଚପି କହିବା ତପୋବନ୍ତ ।୪୬୭।

ଅଗସ୍ତି ବୋଲନ୍ତି ତୁମ୍ଭେ ଶୁଣ ମନୁରାୟେ

ବିଚିତ୍ର ଆଖ୍ୟାନ ୟେ ଅମୃତ ରସମୟେ ।୪୬୮।

ଦେବସଭା ମଧ୍ୟରେ ଯେ ନାରଦ ବସିଥିଲେ

ଅମର ସଭାରୁ ସେହୁ ବାହାର ହୋଇଲେ ।୪୬୯।

ମନଦଣ୍ଡ ଚଢି ଗଲେ ଅଳମ୍ବୁଷା ରାଜ୍ୟକୁ

ଯାଇଣ ଭେଟିଲେ ମୋଢାସୁର ଦାନବକୁ ।୪୭୦।

ଆସ୍ତାନ କରି ତହିଂ ବସିଅଛଇ ମୋଢାସୁର

ଯାଇଣ ମିଳିଲେ ନାରଦ ମୁନିବର ।୪୭୧।

ନାରଦଂକୁ ଦେଖିଣ ଅସୁର କୁଳରାଣ

ଉଠି ନମସ୍କାର କଲା ମୁନିଂକ ଚରଣ ।୪୭୨।

ବୋଇଲା ପରମ ଭାଗ୍ୟ ହୋଇଲା ଆଜ ମୋର

ନୟନେ ଦେଖିଲି ମୁହିଂ ବ୍ରହ୍ମାଂକ କୁମର ।୪୭୩।

ଅସୁର ଭଗତି ଦେଖିଣ ମହାଋଷି

କଲ୍ୟାଣ କରିଣ ମୁନି କହନ୍ତି ତହିଂ ହସି ।୪୭୪।

ତୋହୋଠରେ ଆମ୍ଭର ବହୁତ ଯେ ସୁଖଥାଇ

ତେଣୁ କରି ସଙ୍ଖୋଳି ତୋତେ ଅଇଲୁ ଅସୁର କୁଳସାଇଂ ।୪୭୫।

ୟେବେ ଗୁପତ କଥାୟେ କହୁଂ ତୋହୋର ଆଗରେ

ଶତ୍ରୁ ଉପଗତ ହୋଇଲା ବିଚାର ନୃପବରେ ।୪୭୬।

ହସ୍ତିନା ନଗରେ ବାରୁଣାବନ୍ତରେ

ଯୁଝେଷ୍ଠି ବୋଲିଣ ଯେ ୟେକଇ ନୃପବରେ ।୪୭୭।

ତାହାଂକର ଅନୁଜ ଯେ ନକୁଳ ମହାବୀର

ତୋହୋର ସଂଗତରେ ସେହୁ କରିବ ସମର ।୪୭୮।

ତାହା ଶୁଣି ଅସୁର ଯେ ଗର୍ଜିଣ ଉଠିଲା

ନାରଦ ମୁନିଂକି ସେ ବହୁତ ପରଶଂସା କଲା ।୪୭୯।

ବୋଇଲା ଗୋସାଇଂ ମୁଂ ତୁମ୍ଭର ପରସାଦେ

କେବେହେଂ ଶତ୍ରୁକୁ ଯେ ନ ଡରଇ ହାଦେ ।୪୮୦।

ଗଣନାଥ ଗୋସାଇଂ ମୋତେ ମୋତେ ଦେଇଛନ୍ତି ବର

ଅମର କରି ରଖିଛନ୍ତି ମୋହୋର ଶରୀର ।୪୮୧।

ଅସୁର ବୋଇଲା ତୁମ୍ଭେ କରିବା ଅବଧାନ

କାହିଂ ଅଛଇ ଦେଖାଅ ସେ ପଣ୍ଡୁର ନନ୍ଦନ ।୪୮୨।

ନାରଦେ ବୋଇଲେ ସେ ଅଛଇ ଅଧା ସ୍ୱର୍ଗର

ମାତଳିହିଂ ଅଛଇ ତାହାରି ସଙ୍ଗତର ।୪୮୩।

ୟେହା ଶୁଣି ଅସୁର ବଡ଼ କୋପକଲା

ମନ୍ତ୍ରୀକି ରାଇଣ ସେ ବଚନ ପ୍ରକାଶିଲା ।୪୮୪।

ବୋଇଲାକ ଥାଠ ସଇନ ସଜକର ମୋର

ଯାଇଂଣ ମାରିବଇଂ ମୁଂ ପଣ୍ଡୁର କୁମର ।୪୮୫।

ରାଜାର ବଚନେ ମନ୍ତ୍ରୀ ଶୀଘ୍ରେଣ ଚଳିଗଲା

ସିଂଘଦ୍ୱାରେ ଯାଇଣ ସେ ଟମକ ଦିଆଇଲା ।୪୮୬।

ବୋଇଲା ସଜହୋଇଣ ବେଗେ ଆସ ସର୍ବ ସଇନ

ଆଗ୍ୟାଂ ଦେଇଣ ଅଛନ୍ତି ମୋଢାସୁର ରାଜନ ।୪୮୭।

ହାଥୀ ରଥୀ ପାଦାନ୍ତି ଅଇଲେ ସଜ ହୋଇ

ଅଶ୍ୱଚଢି ଅଶୁଆରେ ଉଭାରିଲେ ଯାଇଂ ।୪୮୮।

ପାଇକ ବାରକୋଟି ହୋଇଲେ ବାହାର

ସିଂଘଦ୍ୱାରେ ଆସିଣ ମିଳିଲେ ସର୍ବବୀର ।୪୮୯।

ଢୋଲ ଦମାଲୁ ଯେ ଟମକ ବାଜଇ

ଘୁମୁର ଘୁମୁ ଘୁମୁ ହୋଇଣ ଶୁଭଇ ।୪୯୦।

ଶଙ୍ଖ ମହୁରୀ ଭେରୀ ବାଜଇ ବିକଟାଳ

ଟମକର ଘାତେ ତହିଂ ମେଦିନୀ ଟଳମଳ ।୪୯୧।

ରଥେକ ସାଜିଣ ସେ ଅସୁର ଅଇଲା

ନାନା ବର୍ଣ୍ଣ ଶହସ୍ର ଯେ ରଥରେ ଥୋଇଲା ।୪୯୨।

ମନ୍ତ୍ରୀକି ବୋଇଲା ରଥରେ ମୋର ବସ

ନକୁଳକୁ ମାରି ସ୍ୱର୍ଗ କରିବଇଂ ଧ୍ୱଂସ ।୪୯୩।

ଇନ୍ଦ୍ର ଦେବତା ଯେବେ ଆସିବ ପରିଘାଇ

ପଡ଼ିଲେ ଆଜ କି ପ୍ରାଣ ପାଇବ ସୁରସାଇଂ ।୪୯୪।

ଥାଠ ଚଳାଇଣ ଯେ ମୋଢାସୁର ଅସୁର

ତତକ୍ଷଣେ ରାଜ୍ୟରୁ ସେ ହୋଇଲା ବାହାର ।୪୯୫।

ନାରଦଂକୁ ବୋଇଲା ବାଟ କଢାଅ ମୁନିବର

ଅଧାସ୍ୱର୍ଗ ଯାୟେଂ ଆସ ଆମ୍ଭ ସଂଗତର ।୪୯୬।

ନାରଦେ ବୋଇଲେ ଆମ୍ଭେ ନ ଯିବୁ କେମନ୍ତେ

ତୁମ୍ଭେ ଆମ୍ଭର ତ ଅଟ ପ୍ରାଣହିତ ।୪୯୭।

କହୁ କହୁ ଅସୁର ମିଳିଲାକ ଯାଇଂ

ସିଂଘରଡ଼ି ଶବଦେ ଆକାଶ କମ୍ପଇ ।୪୯୮।

ମାର ମାର ଧର ଧର ଯେ ଶବଦ ଶୁଭଇ

ପାଦରେଣୁରେ ଆକାଶେ ଦିନମଣି ନ ଦିଶଇ ।୪୯୯।

ଦିବସେ ଅନ୍ଧାର ଦେଖି ନକୁଳ ପଚାରଇ

ଦିବସେ ଅନ୍ଧକାର ଦିଶଇ କାହିଂପାଇଂ ।୫୦୦।

ମାତଳି ବୋଇଲା ଯେ ଅସୁର ବାହିଲା

ନାରଦଂକ ମୁଖୁ ସେ ସମସ୍ତ ବାରତା ଶୁଣିଲା ।୫୦୧।

ଶୁଣିଣ ନକୁଳ କୁମାର ଧନୁଶର ଧରଇ

ଦ୍ରୋଣ ଗୁରୁକୁଂ ସେ ମନରେ ସୁମରଇ ।୫୦୨।

ରଖ ଆହେ ଜଗନ୍ନାଥ କରୁଣା ସାଗର

ଅସୁର ନିବାରଣେ ତୁମ୍ଭେ ନାନା ରୂପ ଧର ।୫୦୩।

ଦଇତ ନିବାରଣେ ତୁମ୍ଭ ନାମ ଦଇତାରି

ମତ୍ସ୍ୟ କୂର୍ମ ବରେହା ଦଶରୂପ ଘରି ।୫୦୪।

ସମୁଦ୍ରେ ପଶିଣ ଯେ ଶଙ୍ଖାସୁର ମାରି

ତାହାର ମୁଖରୁ ପୁଣି ନିଗମ ଉଦ୍ଧାରି ।୫୦୫।

କୂର୍ମ ଉପରେ ତୁମ୍ଭେ ଧଇଲ ପୃଥିବୀ

ହିରଣ ହିରଣାକ୍ଷ ତୋହୋରେ ବିବାଦୀ ।୫୦୬।

ବରେହା ନରସିଂଘ ରୂପେ ତାହାନ୍ତ ମାଇଲୁ

ଅସୁର ନିବାରି ପୃଥୀଭାରା ଉଶ୍ୱାସିଲୁ ।୫୦୭।

ଆମ୍ଭେ ପଣ୍ଡୁର ପୁତ୍ରେ ଯେ ତୁମ୍ଭର କୋୟର

ରକ୍ଷାକର ମୋତେ ତୁମ୍ଭେ କମଳାଂକ ବର ।୫୦୮।

ଗୋବିନ୍ଦଂକୁ ନକୁଳ ଯହୁଂ ମନରେ ସୁମରିଲା

ତହୁଂ ଅଙ୍ଗେ ବଳ ତାର ବହୁତ ହୋଇଲା ।୫୦୯।

ତୁଳୁସାର ବଲ୍ଲଭ ଯେ ଅଟନ୍ତି ନାରାୟଣ

ସାରୋଳା ଦାସକୁ ରକ୍ଷାକର ଜନାର୍ଦ୍ଦନ ।୫୧୦।

ପଛରେ ରହିଲା ଯେ ମୋଢାସୁର ଅସୁର

ନକୁଳକୁ ବେଢିଲେ ଯେ ଅସୁର ସଇନ ବଳ ।୫୧୧।

ନକୁଳ ବୋଇଲା ଯେ ମାତଳିକି ଚାହିଂ

ଅସୁରଂକ ଉପରକୁ ମୋ ରଥ ଦିଅ ଚମକାଇ ।୫୧୨।

କହୁଂ କହୁଂ ଅସୁରେ ଯେ ମାରନ୍ତି ଶସ୍ରମାନ

ନକୁଳ ଶସ୍ର ମାରି ତାହା କରଇ ଛେଦନ ।୫୧୩।

ୟେକ ନ ପଡୁଣ ଆରେକ ଶହସ୍ର ଆସିଣ ପଡ଼ଇଂ

ୟେକା କାଣ୍ଡକେ ତାହା ନକୁଳ ନିବାରଇ ।୫୧୪।

କଳି କୁତୂହୋଳ ଯେ ଦେଖି ନାରଦ ମୁନିବର

ବୀଣାବାଦ୍ୟ ବଜାଇ ସେ ନାଚନ୍ତି ଧୀର ଧୀର ।୫୧୫।

କଳି ଧୋକଡ଼ି ମୁଣିରୁ ଧୂଳି ମୁଠାୟେ କାଢିଲେ

ସାଂଗ୍ରାମ ଭୂମିରେ ତାହା ନେଇଣ ବୁଣିଲେ ।୫୧୬।

ଲାଗୁ ଲାଗୁ ବୋଲି ଶବଦେକ ଦେଇ

ନାରଦଂକ ଉଷତ କହିଲେ ନ ସରଇ ।୫୧୭।

ହାଥୀ ରଥୀ ପାଦାନ୍ତି ଯେ ନକୁଳକୁ ବେଢିଛନ୍ତି

ଯେ ଯାହାର ଶସ୍ରମାନ ନିଠାଇ ବିନ୍ଧନ୍ତି ।୫୧୮।

ଅଙ୍ଗେ ନ ବାଜୁଣୁ ତାହା ନକୁଳ ନିବାରଇ

ଅସୁରଂକ ଶସ୍ର ତାର ଅଙ୍ଗେ ନ ବାଜଇ ।୫୧୯।

ବେଳୁ ବେଳ ସମର ଯେ ହୋଇଲା ଅପାର

ରାଗେଣ ଅସୁର ଅଙ୍ଗ କମ୍ପଇ ଥରହର ।୫୨୦।

ପଞ୍ଚିଶ ନାରାଜ ଯେ ଗୁଣରେ ବସାଇଲା

ଦ୍ରୋଣ ଗୁରୁଂକୁ ସୁମରି ନାରା ପେଷି ଦେଲା ।୫୨୧।

ୟେତେକ ବାଣ ଯେ ପଡ଼ିଲାକ ଯାଇଂ

ବିଶାଶତେ ହାଥୀ ରଥୀ ଭୂମିରେ ଲୋଟଇ ।୫୨୨।

ମାହୁନ୍ତ ସହିତେ ଯହୁଂ ହୋଇଲେ ସର୍ବ କ୍ଷୟେ

ସାଂଗ୍ରାମେ ଭୂମିଗୋଟି ହୋଇଲା ରକତମୟେ ।୫୨୩।

ଧାଇଂଣ ଅସୁର ବଳ ନକୁଳକୁ ବେଢନ୍ତି

ନାନା ତୀକ୍ଷଶର ସେହୁ କୋପେଣ ବିନ୍ଧନ୍ତି ।୫୨୪।

ନକୁଳ ଅଙ୍ଗରେ ଯାଇଂ ବାଜିଲା ତୀକ୍ଷଶର

ଝର ଝର ହୋଇଣ ଯେ ବହଇ ରୁଧିର ।୫୨୫।

କୋପେଣ ନକୁଳ ଯେ କମ୍ପଇ ଥରହର

ସହସ୍ରେକ ନାରାଜ ଯେ ବସାଇଲା ଗୁଣର ।୫୨୬।

ମନ୍ତ୍ର ସୁମରି ନାରାଜ ଛାଡ଼ିଦିଲା ବେଗେ

ବେନିଖଣ୍ଡ ହୋଇ ଅସୁର ପଡ଼ିଲେ ଭୂମି ଭାଗେ ।୫୨୭।

ରକତେ କର୍ଦ୍ଦନ ଯେ ହୋଇଲା ବସୁନ୍ଧରୀ

ଅସୁର ମଡ଼ାଭୂମିରେ ପଡ଼ି ଯାଉଛନ୍ତି ଗଡ଼ି ।୫୨୮।

ସନ୍ୟଂକର ପଡ଼ିବାର ଦେଖି ରଥୀମାନେ

ନକୁଳକୁ ଯାଇଣ ସେ ବେଢିଲେ ବହନେ ।୫୨୯।

ତୀକ୍ଷଶର ତ୍ରିକେନା ଚିଆଉଂ ବିନ୍ଧନ୍ତି ଅପାର

ଅଙ୍ଗରେ ନ ବାଜୁ ନକୁଳ ଛେହଇ ତାହା ଦୂର ।୫୩୦।

ବେଳୁଂ ବେଳ ଅସୁରଂକର ହୋଇଲା କୋପଚିତ୍ତ

ନକୁଳ ଉପରେ ନେଇଣ ସେ ପିଟନ୍ତି ଗଦା କୋନ୍ତ ।୫୩୧।

ପଞ୍ଚିଶ ବାଣ ନକୁଳ ଗୁଣରେ ବସାଇ

ଅସୁରଂକ ଉପରକୁ ବିନ୍ଧନ୍ତି ନିଠିଆଇ ।୫୩୨।

ନାରାଜ ପଡ଼ନ୍ତେଣ ଦୁଇ ଶହସ୍ର ରଥୀ

ଛେଦିଣ ପକାଇଲା ନକୁଳ ମହାଛତ୍ରୀ ।୫୩୩।

ମୁଣ୍ଡାବୃକ୍ଷ ହୋଇଣ ଅସୁରେ ପଡ଼ିଲେ

ରକତ ନଦୀରେ ପିଣ୍ଡମାନେ ଉପୁଚିଆଇ ଉଠିଲେ ।୫୩୪।

ନକୁଳ ହାଥରେ ଯେ ଅନେକ ସଇନ ମଲା

ହାଥୀ ରଥୀ ପାଦାନ୍ତି କଳନା ନୋହିଲା ।୫୩୫।

ପବନ ବହିଲେ ଯେହ୍ନେ କଦଳୀ ବନ ଭାଂଜଇ

ତେସନେକ ପରକାରେ ଅସୁର ସଇନ ମହୀରେ ଲୋଟଇ ।୫୩୬।

ସାତତାଳ ଉତ୍ସର୍ଗେ ରକତ ନଦୀ ବହିଗଲା

ଦେଖିଣ ମୋଢାସୁର ବହୁତ କୋପକଲା ।୫୩୭।

କୁରୁପାଳ ମନ୍ତ୍ରୀକି ବୋଇଲାକ ଚାହିଂ

ନକୁଳ ଛାମୁକୁ ରଥ ମୋର ଦିଅ ବେଗେ ବାହି ।୫୩୮।

ସଇନ ମାରୁ ମାରୁ ଦିବସେକ ରାତ୍ରେକ ବହିଗଲା

ଆରଦିନ ବେଳ ଆସି ପହଡ଼େ ହୋଇଲା ।୫୩୯।

ରାତ୍ର ଦିବସେ ଅସୁର ସଇନ ନକୁଳ ନିବାରିଲା

ତେବେ ସେ ବସୁନ୍ଧରୀ ଉଶ୍ୱାସ ପାଇଲା ।୫୪୦।

ଦେଖିଣ ମୋଢାସୁର ଯେ ବିଚାରଇ ମନେ

ଧନ୍ୟ ରେ ପାଣ୍ଡବା ତୋତେ କେହି ନାହିଂ ପୃଥୀରେ ସମାନେ ।୫୪୧।

କହୁଂ କହୁଂ କୁରୁପାଳ ମନ୍ତ୍ରୀ ରଥ ବହିନେଲା

ନକୁଳ ଛାମୁରେ ନେଇ ରଥ ଭେଟାଇଲା ।୫୪୨।

ବୋଇଲା ୟେହି ତୋର ଅଟଇ ଶତ୍ରୁ ଦେଖ

ୟେହାକୁ ମାରି ସଇନଂକ ଦୁଖ ଯେ ଉପେଖ ।୫୪୩।

କହୁଂ କହୁଂ ଅସୁରଯେ ମହକୋପ କଲା

ନକୁଳକୁ ଚାହିଂଣ ଯେ ଅନେକ ପହିଜ କଲା ।୫୪୪।

ଦୁହେଂ ମହାଛତ୍ରୀ ନୋହୋନ୍ତି କେହି ଓଛ

ୟେକେ ନାରାଜ ବିନ୍ଧାବିନ୍ଧି ହୋନ୍ତି ମହାତୀଛ ।୫୪୫।

ସହସ୍ରେକ ନାରାଜ ଯେ ଗୁଣରେ ବସାଇ

ନକୁଳ ଉପରକୁ ବିନ୍ଧିଲା ଅସୁର କୁଳସାଇଂ ।୫୪୬।

ବାଣ ଆସନ୍ତେଣ ଯେ ନକୁଳ ଚାହିଂଥିଲା

ୟେକା ନାରାଜକେ ତାହା କାଟି ପକାଇଲା ।୫୪୭।

ଦେଖିଣ ଅସୁର ଯେ କମ୍ପଇ ଥରହର

କୋପେଣ ନକୁଳ ବିନ୍ଧଇ ଦୁଇ ସହସ୍ର ଶର ।୫୪୮।

ଅସୁର ଅଙ୍ଗରେ ପଡ଼ି ଅଗ୍ନି ଜଳିଣ ଉଠିଲା

ମୁନ ମୋଡ଼ି ହୋଇ ନାରାଜ ଭୂମିରେ ପଡ଼ିଲା ।୫୪୯।

କୋପେଣ ଅସୁର ଯେ ପବନାଶର ପେଷଇ

ତୀଖଶରେ ତାହା ନକୁଳ ନିବାରଇ ।୫୫୦।

ଅଗ୍ନି ଶରେକ ଯେ ଅସୁର ପେଷିଲା

ମେଘାଶରେ ତାହାକୁ ନକୁଳ ନିବାରିଲା ।୫୫୧।

ପଞ୍ଚବିଂଶ ନାରାଜ କୋପେ ଅସୁର ବିନ୍ଧଇ

ଯାଉଂ ଯାଉଂ ନକୁଳ ତାହା ଦୂରୁଂ ନିବାରଇ ।୫୫୨।

ଦୁଇଶରେ ବାଟେ ହୋଇଲା ଭେଟାଭେଟି

ଦୁହିଂକର ତେଜେ ଯେ ଅଗ୍ନି ଜଳି ଉଠି ।୫୫୩।

ୟେମନ୍ତେ ଅନେକ ଶସ୍ର ହୋଇଲେ ମରାମରି

ଶହସ୍ରଂକ ଘାୟେ ଅଙ୍ଗରୁ ରୁଧିର ନିକିଳି ।୫୫୪।

ଶହସ୍ରଂକ ତେଜେ ଯେ ଆଦିତ୍ୟ ନ ଦିଶଇ

ସାଗ୍ରାଂମ ଭୁମିଗୋଟା ଅନ୍ଧାର ଘୋଟଇ ।୫୫୫।

ବିଜୁଳିର ଝଟକ ପ୍ରାୟେ ଶହସ୍ରେ ଗଗନେ ଦିଶନ୍ତି

ମେଘ ଘଡ଼ଘଡ଼ି ପ୍ରାୟେକ ଶବଦ କରନ୍ତି ।୫୫୬।

ୟେକର ବିନ୍ଧନ୍ତେ ଯେ ତାହା ଆରେକ ନିବାରଇ

କାହାରି ଶହସ୍ର କାହାରି ଅଙ୍ଗରେ ନ ବାଜଇ ।୫୫୭।

ବେଳୁଂ ବେଳ ସମର ଯେ ହୋଇଲା ଅପାର

ଦୁହେଂ ମହାଛତ୍ରୀ ନ ଘୁଞ୍ଚନ୍ତି ସାଂଗ୍ରାମର ।୫୫୮।

ବେଳ ପହଡ଼କ ଠାରୁ ସାଂଗ୍ରାମ ଘୋର କଲେ

ରାତ୍ର ତିନି ପହଡ଼ ସରିକି କେହି ନ ଘୁଞ୍ଚିଲେ ।୫୫୯।

କାଣ୍ଡରେ ନକୁଳ ଶରୀର ହୋଇଲାନି ଛାଇ

କାଣ୍ଡ ଘାଆରେ ରୁଧିର ଅଙ୍ଗରୁ ଝର ଝର ବହଇ ।୫୬୦।

ନକୁଳ ଯେତେ ଶସ୍ର ମନ୍ତ୍ରି କୋପଣ ବିନ୍ଧିଲା

ଅସୁର ଶରୀର ଯାକ ବିକୋତି କାଟିଲା ।୫୬୧।

ରକତେ ଜର ଜର ଦୁହିଂକରି କାୟେ

ସାଂଗ୍ରାମ କରୁ କରୁଂ ଅରୁଣ ଉଦୟ ହୋୟେ ।୫୬୨।

ତୀଖ ଶହସ୍ରେକ ନକୁଳ ମନ୍ତ୍ରିଲା

ଅସୁର ଉପରକୁ ସେ କୋପେଣ ଛାଡ଼ିଦିଲା ।୫୬୩।

ବେକ ସଳଖରେ ବାଜି ଗଳିଗଲା ଯହୁଂ

ମୁଣ୍ତ ଛିଣ୍ତି ଭୂମିରେଣ ପଡିଲାକ ତହୁଂ ।୫୬୪।

ପୁଣି ଯାଇଂ ମୁଣ୍ଡ ତାର ବେକରେ ଲାଗିଲା

ଦେଖିଣ ନକୁଳ ଯେ ଥମ୍ଭୀଭୂତ ହେଲା ।୫୬୫।

ନକୁଳେ ଚାଂହିଣ ଯେ ବୋଲଇ ଅସୁର

ଗୁରୁମୁଖେ ଯେତେ ଶସ୍ର ପାଇଅଛୁ ବୀର ।୫୬୬।

ସାବଧାନ ହୋଇଣ ଯେ ବିନ୍ଧୁ କିନା ମୋତେ

ଗୁରୁ ଶସ୍ର ତୋତେ ଦେଇଛନ୍ତି ପୁଣି ଯେତେ ।୫୬୭।

ଛିଦ୍ର କରି ଯହୁଂ ସେ ଅସୁର ବୋଇଲା

ନକୁଳ ମନରେ ବହୁତ କୋପ ଉପୁଜିଲା ।୫୬୮।

କୋପଣେ ଶୟେ ଶସ୍ର ବିନ୍ଧିଲା ମହାବୀର

ଯାଇଂଣ ପଡ଼ିଲା ତାହା ଅସୁର କନ୍ଦର ।୫୬୯।

ଭୂମିରେ ପଡ଼ିଲା ଯାଇଂ ଅସୁର ମୁଣ୍ଡଗୋଟି

ପୁଣି ଯାଇ ଶିର ଲାଗିଲା ପାଲଟି ।୫୭୦।

ଦେଖିଣ ନକୁଳ ଯେ ମହାକୋପ କଲା

ଚାଳିଶ ନାରାଜ ସେହୁ କୋପେଣ ବିନ୍ଧିଲା ।୫୭୧।

ବୋଇଲା ମୋଡ଼ାସୁରରେ ସମ୍ଭାଳ ସମ୍ଭାଳ

ତୁହି ସେ ପୃଥୀକି ସିନା ହୋଇଲୁ ଅଚାର୍ଗଳ ।୫୭୨।

କହୁଂ କହୁଂ ନାରାଜ ପଡ଼ିଲା ତାର ଅଙ୍ଗେ ଯାଇ

ବୁକୁରେ ବାଜି ଶହସ୍ର ଭୂମିରେ ଲେଉଟି ପଡ଼ଇ ।୫୭୩।

ଦେଖିଣ ନକୁଳ ଯେ ଚକିତ ହୋଇଲା

ବିସ୍ମୟେ ହୋଇଣ ତହୁଂ ମାତଳିକୁ ଚାହିଂଲା ।୫୭୪।

ବୋଇଲା କି ବୁଦ୍ଧି କରିବା କହ ହେ ମାତଳି

ବିନ୍ଧିଲେ ଶହସ୍ର ଯେ ନ କାଟଇ ତାହାର ମଉଳି ।୫୭୫।

ଯେତେକ ଶହସ୍ର ଯେ ଅସୁର ବିନ୍ଧଇ

ନକୁଳ ଅଙ୍ଗରେ ବାଜି ରୁଧିର ବହଇ ।୫୭୬।

ଘାୟେ ବିକରାଳ ହୋଇଣ କୁମାର

କେମନ୍ତେ ମରିବ ଅସୁର ମାତଳି କହ ହୋ ବିଚାର ।୫୭୭।

ମାତଳି ବୋଇଲା ଶୁଣ ଯେ ସାବଧାନ ହୋଇ

ଯେମନ୍ତେ ମରିବ ଅସୁର ସେକଥା ମୁହି ତେମନ୍ତ କହଇ ।୫୭୮।

ଯେତେବେଳେ ୟେ ଗଣନାଥଂକୁ ସେବା କଲା

ସେବାରେ ମନାଇଣ ଯେ ବରେକ ମାଗିଲା ।୫୭୯।

ବୋଇଲା ଅମର ଯେ ହୋଇବ ମୋର କାୟେ

ୟେମନ୍ତେ ବର ଦେବ ଯେ ତନୟେ ।୫୮୦।

ଅସ୍ତୁ ହୋଉ ବୋଲିଣ ଯେ ବୋଇଲେ ଗଣପତି

ଆବର ବରକେ ମାଗିଲା ଅସୁରକୁଳ ଛତ୍ରୀ ।୫୮୧।

ଦେବ ଦାନବରେ ମୁହିଂ ନୋହିବିନା ନାଶ

ୟେମନ୍ତେ ବର ଦେବା ମୋତେ ପାର୍ବତୀର ଶିଷ ।୫୮୨।

କଲ୍ୟାଣ କରିଣ ବୋଇଲେ ତୋତେ ୟେ ବର ଚିର ହେଉ

ଅମର ହୋଇଣ ଯେ କାୟାଗୋଟି ତୋର ଥାଉ ।୫୮୩।

ଅସୁର ବୋଇଲା ମୁଂ ମରିବି କାହା ହାଥେ

ବିଚାରିଣ ମୋତେ କହିବା ଗଣ ନାଥେ ।୫୮୪।

ଗଣପତି ବୋଇଲେ ମୁଣ୍ଡ କାଟିଲେ ନ ମରିବୁ

ବୁକୁ ଫୁଟିଲେ ତୁହି ବିନାଶ ନ ହେବୁ ।୫୮୫।

ଅଗ୍ନିଶର ଘେନିଣ ଯେ ତୋହୋର ମାରିବ

ଅଙ୍ଗ ଜଳିଗଲେ ତୋର ବିନାଶ ନୋହିବ ।୫୮୬।

ୟେମନ୍ତ ପ୍ରକାରେଣ ତୁହି ନୋହିବୁ ପ୍ରାଣେ ହତ

ଅଶ୍ୱିନୀ କୁମାରଂକ ବୀର୍ଯ୍ୟେ ଯେହୁ ହୋଇଥିବ ଜାତ ।୫୮୭।

ସେହି ଯେବେ ଅଗ୍ନିଶର କରି ତୋର ଅଙ୍ଗକୁ ବିନ୍ଧିବ

ତେତେବେଳେ ଯାଇ ତୋର ମରଣ ହୋଇବ ।୫୮୮।

ୟେସନକ ବଚନ ଯହୁଂ ମାତଳି କହିଲା

ନକୁଳର ମନୁ ତହୁଂ ସନ୍ଦେହ ଫିଟିଲା ।୫୮୯।

ତ୍ରୋଣରୁ ନାରାଜ ବାଛିଲା ଅଗ୍ନିଶର

ଗୁଣରେ ବସାଇଲା ଯେ ନକୁଳ କୁମାର ।୫୯୦।

ଯେତେବେଳେ ନକୁଳ ଯୋଚିଲା ଅଗ୍ନିଶର

ମନ୍ତ୍ରୀ ମୁଖକୁ ଚାହିଂଣ ଯେ ବୋଇଲ ଅସୁର ।୫୯୧।

ମରଣ ଭେଦ କାହୁଂ ଜାଣିଲା ମହାବଳୀ

ୟେହିକ୍ଷଣି ଅଙ୍ଗ ତ ଦେବ ମୋର ଜାଳି ।୫୯୨।

ଯାହା ସେ ଦଇବ କରିଛି ଲେଖନ

ନକୁଳ ହାଥରେ ଅଛି ମୋହୋର ମରଣ ।୫୯୩।

ଗୁରୁ ଦ୍ରୋଣ ସୁମରି ଯେ ନକୁଳ ନାରାଜ ବିନ୍ଧିଲା

ଅସୁରର ଅଙ୍ଗରେ ତାହା ଯାଇଣ ପଡ଼ିଲା ।୫୯୪।

ବାଣ ପଡ଼ନ୍ତେଣ ଯେ ଅଗ୍ନି ଜଳିଣ ଉଠିଲା

ଅସୁର କାୟା ଗୋଟିକ ଯେ ଦହନ ହୋଇଲା ।୫୯୫।

କୁରୁପାଳ ମତ୍ରୀ ଯେ ଅସୁର ସଙ୍ଗତରେ ଥିଲା

ଅସୁର ସଙ୍ଗତରେ ସେହୁ ପୋଡ଼ିଗଲା ।୫୯୬।

ଅଶ୍ୱ ରଥ ସହିତେଣ ଯହୁଂ ହୋଇଲା ଭସ୍ମରାଶି

ଶୂନ୍ୟେ ଥାଇଂ ନୃତ୍ୟ କରନ୍ତି ନାରଦ ମହାଋଷି ।୫୯୭।

ଦେଖିଣ ମାତଳି ଯେ ଅନେକ ତୋଷ ହୋୟେ

ନକୁଳ କୁମାରକୁ ବହୁତ ପରଶଂସା କୟେ ।୫୯୮।୧୨୧୭୦।

 

Unknown

ନକୁଳ ଶିରେ ପାଟବନ୍ଧନ

ଶୁଣ ହୋ ବିଲଂକ ରାୟେ ବଦନ୍ତି ଅଗସ୍ତି

ୟେସନେକ ପରକାର ମୋଢାଶୁର ହୋଇଲା ବିନଶ୍ୟତି ।୧।

ଅସୁର ମାରିବା ଦେଖି ନାରଦେ ବାହୁଡ଼ିଲେ

ସୁଧର୍ମା ସଭାୟେ ସେହୁ ଯାଇଣ ମିଳିଲେ ।୨।

ସଭା ମଣ୍ଡାଇ ଯେ ବସିଛନ୍ତି ଅମରନାଥ

ୟେ ସମୟେ ଯାଇଣ ମଳିଲେ ନାରଦ ତପୋବନ୍ତ ।୩।

ନାରଦଂକୁ ଚାହିଂଣ ବୋଲନ୍ତି ସୁରରାୟେ

କିସ ଚରିତ କରି ଅଇଲ କହ ହୋ ମୁନିୟେ ।୪।

ନାରଦେ ବୋଇଲେ ଯେ ନକୁଳ ମହାବୀର

ମୋଢ଼ାସୁର ସଙ୍ଗେ ସେ କଲାକ ସମର ।୫।

ଅଗ୍ନିଶର ଘେନି ଯେ ତାହାକୁ ଦହିଲା

ତିନିଦିନେ ଅସୁରବଳ ନାଶ କଲା ।୬।

ୟେହାଶୁଣି ଇନ୍ଦ୍ରରାୟେ ଉଷତ ହୋଇଲେ

ନକୁଳ କୁମାରକୁ ବହୁତ ପ୍ରଶଂସିଲେ ।୭।

ସ୍ୱର୍ଗପୁରେ ଜୟ ଜୟ ଶୁଭିଲା ଶବଦ

ଅପକ୍ଷରୀ କିନରୀଂକର ବହୁତ ଆନନ୍ଦ ।୮।

ପଦ୍ମପୁଷ୍ପ ଜାଣି ଇନ୍ଦ୍ରଂକର ମୁଖ ବିକଶଇ

ଅବସନ୍ତେ ବସନ୍ତ ଧୀରେ ଧୀରେ ବହଇ ।୯।

ସଭା ମଣ୍ତାଇଣ ଇନ୍ଦ୍ରରାୟେ ଯେ ବସିଲେ

ୟେମନ୍ତ ସମୟେ ବୃହସ୍ପତିଂକୁ ସେହୁ ହକରାଇ ଆଣିଲେ ।୧୦।

ତେତିଶ କୋଟି ଦେବତା ଯେ ଯାହାରେ ଅଇଲେ

ସୁଧର୍ମା ସଭାରେ ଯାଇଂ ଆନନ୍ଦେ ବସିଲେ ।୧୧।

ବୃଷଭ ବାହାନେ ଯେ ଡମ୍ବରୁ ବଜାଇ

କପିଳାସ କନ୍ଦରୁ ବିଶ୍ୱନାଥ ଆସଇ ।୧୨।

ଯେ ଯାହାର ମତେ ଯେ ସଭାରେ ବସିଲେ

ୟେମନ୍ତ ସମୟରେ ବେଦବର ଯେ ଅଇଲେ ।୧୩।

ହଂସରୁ ଓହ୍ଲାଇଣ ଆସ୍ଥାନକୁ ଗଲେ

ଦେଖିଣ ଦେବତାୟେ ଶିରେ କର ଦିଲେ ।୧୪।

ବ୍ରହ୍ମାୟେ ପଚାରନ୍ତି ଇନ୍ଦ୍ରଂକ ମୁଖ ଚାହିଂ

ଅସୁର ମଲାଣିତ ଆଉ ସ୍ୱର୍ଗପୁରେ ଭୟେ ନାହିଂ।୧୫।

ବେଦକରଂ ମୁଖରୁ ୟେସନେକ ବାକ୍ୟ ଶୁଣି

ମନର ସାନନ୍ଦେ କହନ୍ତି ସୁରମଣି ।୧୬।

ଭୋ ଦେବ ପିତାମହ ଶୁଣ ମୋ ଉତ୍ତର

ଅସୁରକୁ ନାଶିଲେ ନକୁଳ ମହବୀର ।୧୭।

ଏମନ୍ତ ବଚନ ଯହୁଂ ବିଧାତା ଶୁଣିଲେ

ଧନ୍ୟରେ ନକୁଳ ବୋଲି ପ୍ରଶଂସା ସେ କଲେ ।୧୮।

ବୃହସ୍ପତି ବୋଇଲେ ହୋ ତୁମ୍ଭେ ଶୁଣ ସୁରରାଣ

ନକୁଳ କୁମାରକୁ ବେଗେ ହକାରିଣ ଆଣ ।୧୯।

ଇନ୍ଦ୍ର ବୋଇଲେ ସୁରସେନ ଗନ୍ଧର୍ବହିଂ ବେଗ ହୋଇ ଯାଉ

ଆମ୍ଭର ଆଗ୍ୟାଂ ବୋଲି ସେ ନକୁଳକୁ କହୁ ।୨୦।

ଆଗ୍ୟାଂ ପାଇ ସୁରସେନ ଗନ୍ଧର୍ବ ଚଳିଗଲା

ନକୁଳ କୁମାର ଛାମୁରେ ଯାଇଂଣ ପ୍ରବେଶ ହୋଇଲା ।୨୧।

ବୋଇଲା ବାସବଂକର ଆଗ୍ୟାଂ ହୋଇଅଛି ତୁମ୍ଭନ୍ତ

ମୁହିଂ ଆସିଅଛି ତୁମ୍ଭକଇଂ ନେବାର ନିମନ୍ତ ।୨୨।

ସୁରସେନ ମୁଖରୁ ନକୁଳ ୟେସନେକ ଶୁଣି

ମାତଳି ମୁଖକୁ ଚାହିଂଲା କୁମରମଣି ।୨୩।

ବୋଇଲେ ଯିବା ୟେବେ ଚାଲ ଅସୁରର ପୁର

ଶଚୀ ଠାକୁରାଣୀ ବନ୍ଦୀ ଯେ ଅଛନ୍ତି ତହିଂର ।୨୪।

ରଥରେ ବସି ନକୁଳ ସୁରସେନ ମାତଳି ଚଳିଗଲେ

ଅଳମ୍ବୁଷା ରାଜ୍ୟରେ ଯାଇଂ ପ୍ରବେଶ ହୋଇଲେ ।୨୫।

ଡଗରକେ ଯାଇଂଣ ଶଚୀଦେବୀଂକୁ କହିଲା

ମୋଢାସୁର ଅସୁରକୁ ନକୁଳ ରଣରେ ମାଇଲା ।୨୬।

ତୁମ୍ଭନ୍ତ ଘେନିଣ ସେହୁ ଯିବେ ସ୍ୱର୍ଗପୁର

ଦ୍ରଶନ କରିବେ ଯାଇଂ କଶ୍ୟପ କୁମାର ।୨୭।

ଶୁଣିଣ ଇନ୍ଦ୍ରାୟଣୀ ତହୁଂ ହରଷ ହୋଇଲେ

ଧନ୍ୟରେ ନକୁଳ ବୋଲିଣ ବହୁତ ପ୍ରଶଂସିଲେ ।୨୮।

ତୋହୋରେଣ ରକ୍ଷା ଯେ ହୋଇଲା ଅମର

ମୋହୋର ମାନ ଉଦ୍ଧରିଲୁ ତୁହିରେ କୁମର ।୨୯।

ୟେମନ୍ତର ସମୟେ ତିନିହେଂ ଯାଇଂ ପ୍ରବେଶ ହୋଇଲେ

ଇନ୍ଦ୍ରଂକର ରାଣୀଂକି ଦ୍ରଶନ ଯାଇଂ କଲେ ।୩୦।

ପାୟେ ପଡ଼ି ଶୁତିଲେ ଶିରେ କର ଦେଇ

ବୋଇଲେ ଅବଧାନ କର ମହାଦେଈ ।୩୧।

ତୁମ୍ଭର ଭାଗ୍ୟରେ ସିନା ଅସୁର ନାଶ ଗଲା

ତୁମ୍ଭର ପ୍ରସାଦେ ଯଶ ମୋତେ ଉପୁଜିଲା ।୩୨।

ଆସ ଆସ ମାତା ଗୋ ମୋର ରଥରେ ବିଜେକର

ଅମର ମଣ୍ତଳେ ଯାଇଂ ଭେଟିବା ବଜ୍ରଧର ।୩୩।

ନକୁଳ ବୋଲନ୍ତି ତୁମ୍ଭେ ସ୍ୱର୍ଗ ଠାକୁରାଣୀ

ତୁମ୍ଭର ନ ଥିଲେ ସ୍ୱର୍ଗ ଶୋଭା ନ ପାଇ ଗୋସାମଣୀ ।୩୪।

ନକୁଳ କହନ୍ତେ ସେଠାରୁ ଇନ୍ଦ୍ରାୟଣୀ ଉଠିଲେ

ଅପକ୍ଷରୀ କିନ୍ନରୀ ଘେନି ଶଚୀ ରଥରେ ବିଜେକଲେ ।୩୫।

ଚମକାଇ ରଥଯେ ବାହଇ ମାତଳି

ଧୀରେ ଧୀରେ ହୋଇଣ ରଥ ଯାଉଅଛି ଚଳି ।୩୬।

ସ୍ୱର୍ଗପୁରେ ଯାଇଂଣ ପ୍ରବେଶ ହୋଇଲେ

ଅମର ପୁରକୁ ଦେବୀ ଚଲାଇଣ ଗଲେ ।୩୭।

ଇନ୍ଦ୍ରଭୁବନରେ ବିଜୟେ କଲେ ଠାକୁରାଣୀ

ଅପକ୍ଷରୀ ବିଦ୍ୟାଧରୀ ଖଟିଲେ ଯେ ଯାହା ସେବା ଘେନି ।୩୮।

ନକୁଳ ଘେନିଣ ଯେ ମାତଳି ଚଳିଗଲା

ସୁଧର୍ମା ସଭାର ତଳେ ସେହୁ ଯାଇଣ ମିଳିଲା ।୩୯।

ବ୍ରହ୍ମା ବୃହସ୍ପତି ଇନ୍ଦ୍ର ଇଶ୍ୱରଂକୁ ଦେଖିଣ

ପାୟେ ପଡ଼ିଣ ଶୁତିଲା ମାଦ୍ରୀର ନନ୍ଦନ ।୪୦।

ଇନ୍ଦ୍ର ବୋଇଲେ ଉଠ ହୋ ପଣ୍ଡୁର ତନୟ

ଯାଅରେ ଚିତ୍ରସେନ ନକୁଳକୁ ତୋଳିଦିଅ ।୪୧।

ଧାଇଂଣ ଚିତ୍ରସେନ ନକୁଳକୁ ତୋଳି ଦିଲା

କରପତ୍ର ଯୋଡ଼ି ନକୁଳ ସଭାତଳେ ଉଭାହୋଇ ରହିଲା ।୪୨।

ଇନ୍ଦ୍ର ଆଗ୍ୟାଂ ଦିଲେ ନକୁଳକୁ ଉପରକୁ ଘେନିଆସ

ଧନ୍ୟରେ ନକୁଳ ତୁମ୍ଭେ ପଣ୍ଡୁ ରାଜାର ଶିଷ ।୪୩।

ଆସ୍ତାନ ଉପରକୁ ଯହୁଂ ନକୁଳ ଉଠିଲେ

ଧାଇଂ ଧାଇଂ ଅଶ୍ୱିନୀ କୁମାରେ ପୁତ୍ରକୁ କୋଳକଲେ ।୪୪।

ମୁଖରେ ଚୁମ୍ବନ ସେ ଦିଲେକ ହରଷେ

ଶିର ଆଉଂଷିଣ ବସାଇଲେ ପାଶେ ।୪୫।

ବ୍ରହ୍ମା ରୁଦ୍ର ବୃହସ୍ପତି ଯେ କଲ୍ୟାଣ ବାଞ୍ଛିଲେ

ଅମର ମଣ୍ଡଳେ ଅଧିକାରୀ ହୁଅଇ ବୋଲିଣ ବୋଇଲେ ।୪୬।

ଗଣ ଗନ୍ଧର୍ବ ଦେବତା ଯେତେକ ବସିଥିଲେ

ଯେ ଯାହାର ମତେ ନକୁଳକୁ କଲ୍ୟାଣ ବାଞ୍ଛାକଲେ ।୪୭।

ଅମର ସଭାରେ ଅନେକ ପୁରୁଷାର୍ଥ ପାଇଲେ

ଉଠିଣ ଇନ୍ଦ୍ର ରାୟେ ନକୁଳକୁ କୋଳକଲେ ।୪୮।

ତୋହୋରେଣ ସ୍ୱର୍ଗପୁର ରକ୍ଷା ହୋଇଲାରେ ବାବୁ

ୟେ ଅମର ମଣ୍ଡଳ ତୋହୋର ଅର୍ଜିଲା ସିନା ସବୁ ।୪୯।

ପୁରନ୍ଦର ରାୟେ ନକୁଳକୁ ବହୁ ପୁରୁଷାର୍ଥ କଲେ

ଆପଣା ଅଙ୍ଗେ ଅଳଙ୍କାର ଯେତେ ଥିଲା

ନକୁଳ ଅଙ୍ଗରେ ଲାଇଲେ ।୫୦।

ଦେବାଙ୍ଗ ପାଟକେ ଯେ ହାଥରେଣ ଘେନିଲେ

ନକୁଳ ମଥାରେ ତାହା ନେଇଣ ବାନ୍ଧିଲେ ।୫୧।

ଅଭିଷେକ ଯୋଗାଡ଼ ଅଣାଇଲେ ପୁରନ୍ଧର

ଅମର ସଭାରେ ଅଭିଷେକ କରାନ୍ତି ନକୁଳ କୁମାର ।୫୨।

ଭିତରେଣ ବାରତା ପାଇଲେ ଶଚୀଦେଈ

ଅର୍ଘ୍ୟଥାଳୀ ଘେନିଣ ଯେ ଅଇଲେ ମହାମାୟୀ ।୫୩।

ସୋଦୋର ନାୟେକାମାନେ ତାଂକର ଅଛନ୍ତି ସଙ୍ଗତରେ

ଆସିଣ ପ୍ରବେଶ ଯେ ହୋଇଲେ ସଭାରେ ।୫୪।

ଦୀପାବଳୀ ଘେନିଣ ନକୁଳକୁ ବନ୍ଦାଇଲେ

ଅମର ମଣ୍ଡଳେ ପାଟ ତୋତେ ହୋ ଆଝୁଂ ହୋଇଲା ବୋଇଲେ ।୫୫।

ଯେତେବେଳେ ବନ୍ଦାଇଲେ ଶଚୀ ଠାକୁରାଣୀ

ଗଣ ଗନ୍ଧର୍ବ ଦେବତାୟେ କଲ୍ୟାଣ କଲେ ପୁଣି ।୫୬।

ଆଶିଷ ତଣ୍ଡୁଳ ଶିରେ ଦିଲେ ବେଦବର

ଆଝୁଂ ଅମରେ ପାଟ ତୋତେ ହୋଇଲାରେ ନକୁଳ କୁମାର ।୫୭।

ୟେମନ୍ତେ ଅବିଷେକ ବିଧାନ ସାରିଲେ

ଅପକ୍ଷରୀ କିନ୍ନରୀୟେ ଗାୟନ କରିଣ ନାଚିଲେ ।୫୮।

ନାରଦେ ଆଶିଷ କଲେ ବୀଣା ଯନ୍ତ୍ର ବାଇ

ଅଶ୍ୱିନୀ କୁମାରେ ବହୁତ କଲ୍ୟାଣ କଲେ ତହିଂ ।୫୯।

ଶଚୀ ଠାକୁରଣୀ ଭିତର ପୁରକୁ ବିଜେକଲେ

ଅନେକ ଗଉରୋବ ନକୁଳ ଅମରେ ପାଇଲେ ।୬୦।

ୟେଥୁ ଅନନ୍ତରେ ଦେବସଭା ମଉଳିଲେ

ହଂସ ଚଢି ବ୍ରହ୍ମା ନିଜ ପୁରକୁ ଚଳିଗଲେ ।୬୧।

ଈଶ୍ୱର ଚଳିଗଲେ କପିଳାସ କନ୍ଦର

ଗଣ ଗନ୍ଧର୍ବ ଦେବତାୟେ ଗଲେ ଯେ ଯାହାର ପୁର ।୬୨।

ନକୁଳକୁ ଘେନି ଅଶ୍ୱିନୀ କୁମାରେ ଚଳିଗଲେ

ଆପଣା ମନ୍ଦିରେ ଯାଇଂ ପ୍ରବେଶ ହୋଇଲେ ।୬୩।

ଇନ୍ଦ୍ର ବିଜେକଲେ ତହୁଂ ଅମର ପୁରକୁ

ଶଚୀ ମଥାପୋତି କଥା ନ କହିଲେ ମଘବାଂକୁ ।୬୪।

ଇନ୍ଦ୍ର ବୋଇଲେ କୋପ ନ କର ମହାମାୟୀ

ୟେହିମତି ସ୍ୱର୍ଗକୁ କେତେ ଅପଚୟ ନ ପଡ଼ଇ ।୬୫।

ଇନ୍ଦ୍ର କହନ୍ତେଣ ଇନ୍ଦ୍ରାୟେଣୀ ସନ୍ତୋଷ ହୋଇଲେ

ନିଚିନ୍ତ ହୋଇଣ ତହୁଂ ସ୍ୱର୍ଗରେ ରହିଲେ ।୬୬।

ଥୋକାୟେକ ଦିନ ନକୁଳ ସ୍ୱର୍ଗପୁରେ ରହିଲା

ଯିବି ବୋଲି କୁମର ଯେ ଉଦବେଗ ହୋଇଲା ।୬୭।

ଇନ୍ଦ୍ର ଦେବତାନ୍ତ ଯାଇଂ କଲାକ ଦରଶନ

ଯିବି ହସ୍ତିନା ଆଗ୍ୟାଂ ଦିଅ ହେ ମଘବାନ ।୬୮।

ନକୁଳ ବଚନ ଶୁଣି ମଘବାନ ହସିଣ ବୋଇଲେ

ଯାଅ ବୋଲିଣ ନକୁଳକୁ କଲ୍ୟାଣ ଧୁନି କଲେ ।୬୯।

ଟନ୍ଦ୍ରଶାଳା ପୁରକୁ ଯେ ନକୁଳ ଚଳଇ

ଶଚୀ ଠାକୁରାଣୀଂକି ସେ ମେଲାଣି ମାଗଇ ।୭୦।

ଇନ୍ଦ୍ରାୟେଣୀ ବୋଇଲେ ଯାଅ ବାବୁ ବେଗେ

କଲ୍ୟାଣ ହୋଇ ବାବୁ ଥାଅ ତୁ ସୁଭାଗ୍ୟେ ।୭୧।

ସୁରନାଥ ଆଗ୍ୟାଂ ଦିଲେ ମାତଳି ତୁମେ ଯାଅ

ନକୁଳ କୁମାରନ୍ତ ହସ୍ତିନାକଇଂ ନିଅ ।୭୨।

ଅଶ୍ୱିନୀ କୁମାରନ୍ତ ନକୁଳ ନମିକରି

ରଥରେ ବିଜୟ ଯେ କଲା ମହାବଳୀ ।୭୩।

ଧୀର ଧୀର ହୋଇ ରଥ ସ୍ୱର୍ଗରୁ ଓହ୍ଲାଇଲା

ହସ୍ତିନା ନଗରେ ସେ ଯାଇଂଣ ମିଳିଲା ।୭୪।

ରଥରୁ ଓହ୍ଲାଇଣ ନକୁଳ ବହନ ଚଳିଗଲେ

ରଥ ଘେନି ମାତଳି ସ୍ୱର୍ଗପୁରୁ ଅଇଲେ ।୭୫।

ନକୁଳ ବାରୁଣାବନ୍ତେ ମିଳିଲାକ ଯାଇଂ

ନମସ୍କାର କଲା ଯାଇଂ ଯୁଝେଷ୍ଠି ଭୀମ ଅରଜୁନଂକୁ ଚାହିଂ ।୭୬।

ଯୁଝେଷ୍ଠି ବୋଇଲେ ତୁ ଯାଅରେ ସହଦେବ ବହନ

ନକୁଳକୁ ବେଗେ ତୁହି ଦିଅ ଉଠାଇଣ ।୭୭।

ସହଦେବ ଯାଇଂ ନକୁଳଂକ ଚରଣେ ନମଇଂ

ବୋଇଲା ଠାକୁରଂକ ଆଗ୍ୟାଂ ହୋଇଲା ଉଠିବା ଗୋସାଇଂ ।୭୮।

ତତକ୍ଷଣେ ନକୁଳ ଯେ ଉଠିଣ ବସିଲା

କରପତ୍ରଯୋଡି ଯାଇଂ ଯୁଝେଷ୍ଠିଂକ ଛାମୁରେ ମିଳିଲା ।୭୯।

ଯୁଝେଷ୍ଠି ବୋଇଲେ କିସ ଚରିତ ସ୍ଵର୍ଗରେ ହୋଇଲା କହନି ନକୁଳ

କରପତ୍ର ଯୋଡ଼ି କହଇ ମାଦ୍ରିର ଦୁଲାଳ ।୮୦।

ନକୁଳ ବୋଇଲା ମୁ ୟେଥୁଂ ଚଳିଗଲି

ମୋଢାସୁର ସଙ୍ଗତେ ବହୁତ ଯୁଦ୍ଧ କଲି ।୮୧।

ବାରକୋଟି ସଇନ ତାର ପକାଇଲି ହାଣି

ଅଗ୍ନିଶର ପେଶି ଅସୁରକୁ ଦହନ କଲି ପୁଣି ।୮୨।

ହାଥୀ ରଥୀ ଅଶ୍ଵ ତହିଂ ଅନେକ କ୍ଷୟ ଗଲା ।୮୩।

ମନ୍ତ୍ରୀ ସହିତରେ ତାର ସମସ୍ତ ପଡ଼ିଲା

ଯୁଝେଷ୍ଠି ଦେବ ଶୁଣି ବହୁତ ଆନନ୍ଦ ହୋଇଲେ ।୮୪।

ନକୁଳ କୁମାରକଇଂ ପରଶଂସା କଲେ ।୮୪।

ନକୁଳ କହିଲା ବହୁତ ଗଉରୋବ ପାଇଲି

ପୂଜାବିଥି ପାଇଣ ଶିରେ ପାଟକେ ବାନ୍ଧି ଆସ୍ତାନରେ ବସିଲି ।୮୫।

ମଘବାନ ଅଙ୍ଗରେ ଯେତେ ଅଳଂକାର ଥିଲା

ଗଉରୋବ କରିଣ ଇନ୍ଦ୍ର ମୋ ଅଙ୍ଗରେ ଖଞ୍ଜିଲା ।୮୬।

ସୁବର୍ଣ୍ଣର ଦୀପାବଳୀ ଘେନି ଇନ୍ଦ୍ରାୟେଣି ବନ୍ଦାଇଲେ

ବ୍ରହ୍ମାୟେ ଥାଇ ଅନେକ କଲ୍ୟାଣ ଧୁନି କଲେ ।୮୭।

ନକୁଳ କହନ୍ତେ ଚରିଭାଇ ସନ୍ତୋଷ ହୋଇଲେ

ଶୁଣ ହୋ ବିଲଂକ ରାଜା ଅଗସ୍ତି କହିଲେ ।୮୮।

ବୋଇଲେ ମହାରାଜା ଶୁଣିଲୁଟି କି ମୋଢାସୁର ବଧ

ଯେସନେ ନକୁଳ ପାଟ ବାନ୍ଧିଲା ଅମର ମଧ୍ୟ ।୮୯।

ବନ୍ଦଇ ସାରୋଳା ମା ଗୋ ଜଙ୍ଖେରପୁର ବାସୀ

ତୋହରି ନାମ ଗୋଟି ସାଧୁଜନେ ଘୋଷି ।୯୦।

ଯାହାକୁ ସୁଦୟା ଗୋ କରୁ ମହାମୟୀ

ଧନ ଜନ ବିପୁଳ ଲକ୍ଷ୍ମୀ ତାହାକୁ ମିଳଇ ।୯୧।

ଯାହାକୁ ନିର୍ଦ୍ଦୟା ମାଗୋ କରୁ ଠାକୁରାଣୀ

ବହୁତ କଷ୍ଟ ସଂସାରେ ପାଆନ୍ତି ସେ ପ୍ରାଣୀ ।୯୨।

ମୁହିଂ ଯେ ଅରକ୍ଷିତ ଅଟଇ ସାରୋଳା ଦାସ

ଅନ୍ତକାଳେ କପିଳାସେ ଦିଅ ମୋତେ ବାସ ।୯୩।୧୨୨୬୩।

 

ନାରକାସୁର ବଧ ଓ ପାରିଜାତ ହରଣ

ୟେଥୁ ଅନନ୍ତରେ ଯେ ବିଲଂକା ଦେଶ ରାଜା

ଅଗସ୍ତି ମୁନିଂକ ଚରଣେ କଲେ ଦିବ୍ୟ ପୂଜା ।୧।

ଗନ୍ଧ ପୁଷ୍ୟ ନଇବେଦ୍ୟ ଛାମୁରେ ଦିଲେ ନେଇ

କରପତ୍ର ଯୋଡ଼ି ବୋଲଇ ବିନୋୟୀ ଭାବ ହୋଇ ।୨।

ଭୋ ମୁନି ବୋଇଲୁ ଯେ ଦେବଦତ୍ତ ଅଇଲା କାହିଂ

ୟେଥି ଉତ୍ତାରେଣ କିସ କଲା ଶଚୀସାଇଂ ।୩।

ନାରକାସୁର ବଧ କେମନ୍ତେ କଲା ଚକ୍ରପାଣି

ୟେ କଥା ସଞ୍ଚପି ମୋତେ କହିବା ମହାମୁନି ।୪।

ରାଜାର ବଚନେ ଯେ କହନ୍ତି ଅଗସ୍ତି ଯତି

ଶୁଣ ତୁ ସାବଧାନେ ବିଲଂକ ଦେଶର ନୃପତି ।୫।

ଯେମନ୍ତ ପ୍ରକାରେ ବିଭା ହୋଇଲେ ଅଷ୍ଟପାଟବଂଶୀ

ସେ କଥା ନୃପତି ତୁ ଶୁଣିଲୁ ବିଶେଷି ।୬।

ଆବର ବିଭା ହୋଇଲେ ହରି ଷୋଳସହସ୍ର ଶତେନାରୀ

ୟେହାନ୍ତ ଆଣିଲେ ହରି ନାରକାସୁର ମାରି ।୭।

ୟେକଥା ବିଶେଷି ମୋତେ କହିବା ସମସ୍ତ

ଅତି ଭାଗ୍ୟେ ଭାରଥ ୟେ କର୍ଣ୍ଣକୁ ଅମୃତ ।୮।

ସାବଧାନେ ଶୁଣ ତୁ ହୋ ବିଲଂକ ଦେଶ ରାୟେ

ନାରକାସୁର ବୋଲିଣ ଯେ ଅଟଇ ମହାରାୟେ ।୯।

ବରୁଣତହୁଂ ସେ କନକ ଛତ୍ର ଦଣ୍ଡ ନିଲା

ଆଦିତ୍ୟକ ତହୁଂ କମଣ୍ଡଳ ଛଡ଼ାଇ ଘେନିଲା ।୧୦।

ବଳାତ୍କାରେଣ ମଣିପର୍ବତ ନିଲା ସେହି

ତାହାକୁ ଦେଖିଲେ ଦେବ ଇନ୍ଦ୍ର ଭୟେ ପାଇ ।୧୧।

ଶ୍ରୀକୃଷ୍ଣ ବାରତା ଯହୁଂ ଦୂତେ କହିଲେ ଇନ୍ଦ୍ରକୁ

ଦ୍ୱାରିକା ପୁରେ ଭେଟିଲା ସେ ଶ୍ରୀବିଷ୍ଣୁନାଥଂକୁ ।୧୨।

ସତ୍ୟଭାମାର ପୁରେ ହରି ବିଜୟ କରିଥିଲେ

ସେଠାରେ ଦେବ ଇନ୍ଦ୍ର ଯାଇଂଣ ଭେଟିଲେ ।୧୩।

ନାରକାସୁରର ଯେଉଂ ଉପଦର୍ପମାନ

ଶ୍ରୀକୃଷ୍ଣ ଛାମୁରେ ସବୁ କହିଲେ ମଘବାନ ।୧୪।

ସମସ୍ତ କଥାମାନ ଶୁଣିଲେ ସାବଧାନ ହୋଇ

ବିନତାସୁତକୁ ରାଇ ଆଗ୍ୟାଂ ଦିଲେ ଭାବଗ୍ରାହୀ ।୧୫।

ଉଗ୍ରସେନ ରାଜାକୁ ବେଗେ ଜଣାଇବୁ

ଆମ୍ଭର ଆଗ୍ୟାଂ ବୋଲି ଛାମୁରେ କହିବୁ ।୧୬।

ବୋଲିବୁ ନାରକାସୁର ଉପରକୁ ଦଣ୍ଡ ସାଜିବେ ଦାମୋଦର

ଚଉରାଶି କୋଟି ଯାଦବନ୍ତ ବହନ ସଜକର ।୧୭।

ଶ୍ରୀକୃଷ୍ଣ ଆଗ୍ୟାଂ ପାଇ ଗରୁଡ଼ ବହନ ଚଳିଗଲେ

ଉଗ୍ରସେନ ଛାମୁରେ ଯାଇଣ ଜଣାଇଲେ ।୧୮।

ନାରକାସୁରକୁ ଦଣ୍ଡ କରିବେ ଚକ୍ରଧର

ଚଉରାଶି କୋଟି ଯାଦବନ୍ତ ବହନ ସଜକର ।୧୯।

ଗରୁଡ଼ ବଚନ ଶୁଣି ଉଗ୍ରସେନ ରାଜା

ସଇନ ଦଣ୍ଡ ସାଜ ବୋଲି ଆଗ୍ୟାଂ ଦିଲେ ମହାରାଜା ।୨୦।

ରାଜା ଆଗ୍ୟାଂ ପ୍ରମାଣେ ସାଜିଲେ ସମଦଣ୍ଡ

ବୀରତୂର ଶବଦେ କମ୍ପଇ ବ୍ରହ୍ମାଣ୍ଡ ।୨୧।

ଭେରୀ ମର୍ଦ୍ଦନ ଶଙ୍ଖ ଯେ ଆବର କାହାଳ

ଟମକ ନିଶାଣ ଢୋଲ ଦମାଲୁ ମର୍ଦ୍ଦଳ ।୨୨।

ଘୋଷନାଦ ଦାଉଣ୍ଡି କଢା ଅଳାବେଶୀ ଝଞ୍ଜାଳ

ମହୁରୀ କାହାଳୀ ବାଉଂଶି ବିକରାଳ ।୨୩।

ଅଶ୍ୱଂକର ହ୍ରେସାରାବ ହାଥୀଂକର ଘଣ୍ଟନାଦେ

ପ୍ରଳୟ ଉତ୍ପତ୍ତି ଯେ ଅପ୍ରମିତ ଶବଦେ ।୨୪।

ପାତାଳ ବାସୁକିର କମ୍ପିଲା ସପ୍ତଫେଣୀ

ଡରେ ଥରହର ଦେବୀ କମ୍ପିଲା ଧରଣୀ ।୨୫।

ଯବୁବଂଶ ଭୋଜବଂଶ ତୁହାଣ ବଂଶ ଥାଠ

ଅନ୍ଧକ ବାମନ ହୋଇ ଯେ ବିଷ୍ଣୁବଂଶ ଉଚ୍ଚାଟ ।୨୬।

ୟେସନେକ ସାତବଂଶ ବିଦ୍ୟାମାନ ଅଟନ୍ତି

ଭୋଜବଂଶ ରାଜା ହୋଇ ୟେହାକୁ ଖଟନ୍ତି ।୨୭।

ଅତିବଡ଼ ଯୋଦ୍ଧାୟେ ଯେ ସାତବଂଶ ଛନ୍ତି

ୟେକକୁ ଆରେକ ଯେ ମହା ବଳୀୟାର ଅଟନ୍ତି ।୨୮।

ପ୍ରତାପୀ ଯାଦବ ଯେ ଚଉରାଶିକୋଟି ବଳ

କାହାକୁ ଭୟ ନାହିଂ ଆରେଣି ଅଚାର୍ଗଳ ।୨୯।

ନଉସହସ୍ର ଥାଠ ସତର ଲକ୍ଷ ହାଥୀ

ପାଞ୍ଚକୋଟି ତୁରଙ୍ଗମ ଦଶକୋଟି ପାଦାନ୍ତି ।୩୦।

ୟେତେକ ସଇନି ଯେ ଉଗ୍ରସେନର ସେହ୍ନା

ବୀର ମର୍ଦ୍ଦଳ ବୀରଧୁ ସେ ବହିଥାନ୍ତି ବାନା ।୩୧।

ଅଷ୍ଟରତ୍ନେ ନିର୍ବାଣ ରଥ ଅଟନ୍ତି ଦିବ୍ୟଶୋଭା

ମଧ୍ୟାହ୍ନ ଆଦିତ୍ୟ ଯେସନେକ ଜ୍ୟୋତିପ୍ରଭା ।୩୨।

କଳସଂକ ଉପରେ ନେତ ପାତାଙ୍ଗ ଧ୍ୱଜ

ନୀଳମେଘେ ଯେସନେକ ଉଦୟ ବିଜୁଳିର ତେଜ ।୩୩।

ରସାଣିଲା ଛାୟେଣୀ ପୀଢା ଯେ ସୁବର୍ଣ୍ଣ ବିସ୍ତାର

ମୁକୁତା ତ୍ରୋଣାଝରା ଯେ ଲମ୍ବଇ ଫରହର ।୩୪।

ଦେବାଙ୍ଗ ଝୀନ ବସନ ଅପୂର୍ବ ଦିବ୍ୟକାନ୍ତି

ହୀରା ପଗଡ଼ କାଠି ଦର୍ପଣ ପନ୍ତି ପନ୍ତି ।୩୫।

ଚମ୍ପା ବକୁଳ ଜାଇ ଯେ ନାଗେଶ୍ୱର ପୁଷ୍ୟ

ରଙ୍ଗଣୀ ପାଟଳୀ ଧଣ୍ଡା ଲମ୍ବଇ ଚଉପାଶ ।୩୬।

ମେଲା ପାଟ ଝୁମ୍ପା ଯେ ସୁବର୍ଣ୍ଣର କଣ୍ଠୀ

ନୀଳା ପୋୟେଳା ଲମ୍ବଇ ଯେ ମୁକୁତା ମାଳ ଗୋଟି ।୩୭।

ମାରାଗ ରତ୍ନ କଳସ ଯେ ସଷ୍ଟିକର ସ୍ତମ୍ଭ

ମଧ୍ୟରେ ମରକତ ସ୍ତମ୍ଭ ଯେ ଦିଶଇ ଆରମ୍ଭ।୩୮।

ଉପରେ ଚନ୍ଦ୍ରାତପ ସୂଚିକମ ଟେରା

ଗଗନ ଆଦ୍ରାବଳୀ ଯେସନେକ ନିର୍ମଳ ଜ୍ୟୋତି ତାରା ।୩୯।

ତୀର କୋନ୍ତ ଶାବେଳୀ ଯେ ଲାଂକିଆ କୋଦଣ୍ଡ

ଗଦା ମୁଦୁଗର ପରଶୁ ତୀକ୍ଷମୁନା କାଣ୍ଡ ।୪୦।

ଅସିପତ୍ର ନିର୍ମାଣ ଯେ ତୁଣ ଆଦି କରି

ସେନା ଯମଦାଢ ଯେ ଅନେକ ଚାପସରି ।୪୧।

ନାନା ଶହସ୍ର ଧରିଣ ଯେ ବୀରବେଶ ହୋଇ

ରଥ ଉପରେ ରଥୀୟେ ବିଜେକଲେ ଯାଇଂ ।୪୨।

ବାହାରେ ବୀରନେତ ଯେ ମୁକୁଟ ସପ୍ତଶାଖା

ବିଦ ମୁଦି କଂକଣ ଯେ ଅପୂର୍ବ ରୂପରେଖା ।୪୩।

ରଥରେ ଅଶ୍ୱନେଇ ଯେ ଯୋଚିଲା ସାରଥି

ରଥ ଆରୋହିଲେ ନେଇ ରଥୀଂକର କତି ।୪୪।

ହାଥୀଂକର ଉପରେ ଯେ ନିଘୋଡ଼ି ବଜ୍ରସେହ୍ନା

ଅମାରି ସାଜେଣି ରଥ ଫରହର ବାନା ।୪୫।

ବୀରଘଣ୍ଟି ଘାଗୁଡ଼ି ଯେ ମଣ୍ଡିଲେ ଚଉପାଶ

ଉଡ଼ନ୍ତା ପର୍ବତ ଯେସନେକ ଧାମନ୍ତି ବିଳାସ ।୪୬।

ତେସନ ସମ୍ଭର୍ବେ ଯେ ଚଳଇ ହାଥୀବଳ

ଆଗପଛ ହୋଇଣ ଯେ ଚଳନ୍ତି ପଲ ପଲ ।୪୭।

ହାଥୀ ଆରୋହିଣ ଯେ ମାହୁନ୍ତେ ଚଳନ୍ତି ଆଗସରି

ତହିଂର ପାରିଶେ ମାହୁନ୍ତେ କରେ ଶସ୍ର ଧରି ।୪୮।

ରଣରଙ୍ଗେ ଅଶ୍ୱମାନ ରାଉତେ ଚହଟାଇ

ବରହୀ ଜାଲି ଯେ ବଜ୍ର ସରଳାଇ ।୪୯।

ଟୋପର ଅଙ୍ଗରକ୍ଷୀ ଯେ ଅଙ୍ଗବାସର ମୂଳେ

ସମୁଦ୍ର ଲହରୀ ଯେସନେକେ ଅତ୍ୟନ୍ତ ଗହଳେ ।୫୦।

ପାଇକଂକ ହାଥରେ ଧନୁ ଆଢଣ ଫରି

କୋଦଣ୍ଡ କାଣ୍ଡ ଖଣ୍ଡା ଶତସହସ୍ର ଧରି ।୫୧।

କଟିରେ ବୀରଖଣ୍ଟ ଯେ କୋଳାହଳ ବାଜେ

ବସନ୍ତ ରଙ୍ଗପାଟ ଯେ ଚଉତନା ସାଜେ ।୫୨।

ବିଭୂତି କାଇମାଟି ଯେ ସିଂଘନାଦ ବାନ୍ଧି

ନେତ ପତନି ଯେ ସିନ୍ଧୁଆ ପାଗ ପିନ୍ଧି ।୫୩।

ଆନନ୍ଦେଣ ପାଦାନ୍ତି ବଳ ଯେ କିଳିକିଳା ନାଦ କରି

ଖଞ୍ଜାମୂଳେ ରହିଲେ ଯେ ରାଉତନ୍ତ ଆବୋରି ।୫୪।

ବଳରାମ ଠାକୁରେ ଶ୍ରୀକୃଷ୍ଣଂକ ଅଗ୍ରଜ

ତାଳଧ୍ୱଜେ ବସି ଦିଶିଲେ ଦିବ୍ୟତେଜ ।୫୫।

କରେ ହଳ ମୂଷଳ ଯେ ବେଶ ବେଶନ ହୋଇ

ଦ୍ୱାରିକା ଦାଣ୍ଡେ ଉଭା ହୋଇଲେ ସେ ଯାଇଂ ।୫୬।

ଉଦ୍ଧବ ଅନାଧୃଷ୍ଟ କୃପବ୍ରହ୍ମାର ମୂଳେ

ଯା ଯାହାରେ ସଜ ହୋଇଣ ସକଳେ ।୫୭।

ଅକ୍ରୂର ବୀରବହୁ ବୀରଜିତ ବେଲାଳେ

ବସୁଦେବ ସୁରଥ ଯାଦବ ମହୀପାଳେ ।୫୮।

କୁମୁଦ କଉଶିକ ସୁଦେବ ଆଦି କରି

ଅନେକ ଯାଦବ ବୀରେ ଅଛନ୍ତି ଶହସ୍ର ଧରି ।୫୯।

ଆପଣେ ଉଗ୍ରସେନ ଦିବ୍ୟବେଶ ହୋଇ

ଅଇରିଚୂଡ଼ ମୁକୁଟ ବାନ୍ଧିଲେ ଶିରେ ନେଇ ।୬୦।

ବୀରନେତ କର୍ଣ୍ଣାଞ୍ଚଳ ସିମନ୍ଥିନୀ ଜଗଦଳା

କଣ୍ଠରେ ଆଭରଣ ଯେ ମୁକୁତା ସରି ମାଳା ।୬୧।

ତାଡ଼ତୋଡ଼ର କିରୀଟ ବାହୁଟି ବିଦ ମୁଦି

ବାଳଅର୍କ କିରଣ ଯେସନେ ଗଗନ ଭେଦି ।୬୨।

ଶ୍ରୀହସ୍ତେ ଶୋଭାବନ ଆଦ୍ରାବଳୀ ସମାନେ ଧନୁ

ଦେଖିଣ ଶଂକିଲେ ବିବିଧ ଶତମନୁ ।୬୩।

ଗଦା ତ୍ରୋଣମାନ ବେନି ପାରୁଶରେ ଥୋଇ

ଶୁଭ ମଙ୍ଗଳ ଯୋଗରେ ରଥେ ବସିଲେକ ଯାଇଂ ।୬୪।

ଅନେକ ସମ୍ଭରେ ରଥ ରଥୀ ହୋଇଲେକ ସଜ

ରଥୀଂକ ପାରୁଶରେ ଆରୋହିଲେ ମତ୍ତଗଜ ।୬୫।

ଗଜକୁ ଆରୋହି ଯେ ରହିଲେ ରଣ ଯୋଧୀ

ରାଉତଂକୁ ଆରୋହି ରହିଲେ ଅପ୍ରମିତ ପୟୋଧି ।୬୬।

ୟେବିଧି ଚତୁରଙ୍ଗ ବଳ ଚଉରାଶି କୋଟି ଲେଖା

ସାତବଂଶ ଯାଦବେ ଉଗ୍ରସେନର ସଖା ।୬୭।

ଉଦଣ୍ଡ ୟେକଲକ୍ଷୀ ଯେ ଆଲମ୍ବ ପାଟଛତ୍ର

ଉଡ଼ନ୍ତି ପନ୍ତି ପନ୍ତି ଯେ ଚିରାଳ ଝୀନ ନେତ ।୬୮।

ଅନେକ ଛନ୍ଦେଣ ଯେ ବାଜଇ ଘୋରନାଦ

ନବଖଣ୍ଡ ମେଦିନୀ କମ୍ପଇ ମୁଖରାବ ଶବଦ ।୬୯।

ସଇନର ଉତ୍ସବ ଦେଖିଣ ଉଗ୍ରସେନ ରାୟେ

ଅନେକ ଛନ୍ଦେଣ ବାଜଣା ବାଜି ପୁଲକଇ ତାର କାୟେ ।୭୦।

ଦିବ୍ୟସଜ ହୋଇଣ ଆପଣେ ଦେବରାୟେ

ସତ୍ୟଭାମାକୁ ଘେନି ଗରୁଡ଼ ପିଠିରେ ବିଜୟେ ।୭୧।

ବସୁଦେବ ହକାରି ଯେ ଶ୍ରୀମୁଖେ ଦିଲେ ଭିକ୍ଷା

ଭୋ ପିତା ଆମ୍ଭର ଆସିବା ଯାୟେ କଟକେ କରିଥାଅ ରକ୍ଷା ।୭୨।

ତୁମ୍ଭର ପ୍ରସାଦେ ଆମ୍ଭେ ବିଜେ କରି ଯିବୁ

ନାରକାସୁରକୁ ବଧ କରି ସର୍ବଶୁଭେ ଯେ ଆସିବୁ ।୭୩।

ଆଗ୍ୟାଂ ପାଇ ବସୁଦେବ ଦ୍ୱାରିକାୟେ ରହିଲେ

ସର୍ବଶୁଭେ ଶ୍ରୀକୃଷ୍ଣ ଯେ ସମଦଣ୍ଡକୁ ବାହିଲେ ।୭୪।

ବଇଶାଖ ଶୁକ୍ଳ ତୃତୀୟା ଯେ ବୃହସ୍ପତି ବାର ଭୋଗ

ବାଣିଜ୍ୟ ନାମେ କରଣ ବିଷ୍କୁମ୍ଭ ନାମେ ଯୋଗ ।୭୫।

ବୃଷ ଲଗ୍ନେ ବାହାର ହୋଇଲେ ହୃଷୀକେଶୀ

ଅପ୍ରମିତ ସଇନ ସଙ୍ଗରେ ଯେ ଅଛନ୍ତି ବିଶେଷି ।୭୬।

ଷଡ଼ମନ୍ତ୍ରୀ ଉଗ୍ରସେନ ଯେ ବେଢିଛନ୍ତି ପାଶ

ଆଧି ଉପାଧି ବାରତା ଜାଣନ୍ତି ବିଶ୍ୱାସ ।୭୭।

ସମରେ ଶ୍ରୀକୃଷ୍ଣ ଚଳିଲେ ସମଦଣ୍ଡ ବାହି

ଉତ୍ତର ମୁଖେ ଚଳିଲେ ବଳ ଦ୍ୱାରିକାରୁ ବାହାର ହୋଇ ।୭୮।

ମାର ମାର ଧର ଧର ଯେ ଗୋଳନାଦ ଶବଦେ

ନବଖଣ୍ଡ ମେଦିନୀ କମ୍ପୁଛି ସଇନ ପାଦନାଦେ ।୭୯।

ପାତାଳେ ବାସୁକୀ ରାଜା କମ୍ପଇ ସପ୍ତଫେଣୀ

ଖୁରା ରେଣୁ ଅନ୍ଧାରେ ଅଦୃଶ୍ୟ ଦିନମଣି ।୮୦।

ବସାକୁ ବସା ଯେ ଚଳାଇଲେ ବଳ ଘେନି

ବକୁଳାଞ୍ଚ ପର୍ବତ ତଳେ ପ୍ରବେଶ ହୋଇଲେ ସଇନି ।୮୧।

ତହିଂର ରାଜା ଯେ ନାରକାସୁର ରାୟ

ଅତିବଡ଼ ରାଜା ଯେ ପୃଥୀଦେବୀର ତନୟେ ।୮୨।

ଅପ୍ରମିତ ସଇନ ଯେ ତାହାର ଅଟଇ ଅଳକଣା

ବତିଶ କ୍ଷଉଣୀ ବଳ ତାର ଅଟଇ ଜଗୁଜିଣା ।୮୩।

ଗଣ ଗନ୍ଧର୍ବ ଦେବତାନ୍ତ ତାହାର ଭୟ ନାହିଂ

ଅନେକ ରାଜା ସେ ଯେ ଜିଣିଲା ଦଣ୍ଡ ବାହି ।୮୪।

ଯେତେ ରାଜା ମାନଂକର ଯେତେ ସୁନ୍ଦର ଦୋହିତା ଥିଲା

ବଳେ ବନ୍ଦୀ କରି ସବୁ ଅନ୍ତପୁରକୁ ଆଣିଲା ।୮୫।

ଗଣିତା ନବ ଯୁବା ଯେ ଲକ୍ଷେକ ରାଜଜେମା

ୟେକାବେଳେ ସବୁକୁ ବିଭା ହୋଇବ ଅଗୁଳିମା ।୮୬।

ସଂକଳ୍ପ କରି ମନେ ବାଞ୍ଛା କରିଅଛି ଯାହା

ଲକ୍ଷେକ ସୁନ୍ଦରୀ ହୋଇଲେ ହୋଇବ ତେବେ ବାହା ।୮୭।

ତେଣୁ କରି କନ୍ୟାମାନନ୍ତ ଅନ୍ତପୁରେ ଥୋଇଛି ନୃପମଣି

ବେଳେ ବେଳେ ପଶି ବଳେ ସବୁନ୍ତି ଅଛି ଆଣି ।୮୮।

ଅତିବଳେ ବଳୀୟାର ସେ ନାରକାସୁର ରାୟେ

ତେତିଶ କୋଟି ଦେବତା ଯାହାର ନାମକୁ କରନ୍ତି ଭୟେ ।୮୯।

ସେ ରାଜାର ସନ୍ନିଧ୍ୟେ ଯାଇ ମିଳିଲେ ଚକ୍ରଧର

ନାରଦେ କହିଲେ ଯାଇ ନାରକାସୁର ଆଗର ।୯୦।

ହାଥେ ବ୍ରହ୍ମବୀଣା ଲୋହିତ ପିଙ୍ଗଳ ଜ୍ୟୋତି

ନିର୍ଧୂମ ଅଗ୍ନି ଜାଣି ବିରାଜଇ କାନ୍ତି ।୯୧।

ମନପବନ ତ୍ରିଦଣ୍ଡୀ କନ୍ଧରେ ପାଡ଼ି

ସ୍ଫଟିକର ଜପମାଳି ହାଥରେ କୁଶ ବିଡ଼ି।୯୨।

ଧୋତି ଉତ୍ତରୀ ଯେ ପ୍ରୋକ୍ଷଣୀ ପବିତ୍ରା

ଦ୍ୱାଦଶ କୋଟି ଅଙ୍ଗେ ଦୋହୋରା ଭସ୍ମଚିତା ।୯୩।

ମଥାରେ ତୁଳସୀ ଗଭା ଯେ କୁଣ୍ଡଳ କର୍ଣ୍ଣମୂଳେ

ବିଶୁଦ୍ଧ ଗଙ୍ଗାଜଳ ପୂରୋଇ କମଣ୍ଡଳେ ।୯୪।

କଳି ଧୋକଡ଼ି କନ୍ଧେ ବେଦ କରାଣ୍ଡି କୁଶ ପୀଢା ସାଜେ

ରଙ୍ଗପାଟି କଉପୁନି କଟିରେ ଦିବ୍ୟଶୋଭା ଯେ ବିରାଜେ ।୯୫।

ଅଦଭୁତେ ଆକାଶୁଂ ଖସି ନାରକାପୁରେ ଉଭା

ବ୍ରହ୍ମାଂକର ସମାନେ ପାଇଲେ ଦିବ୍ୟ ଶୋଭା ।୯୬।

ନାରଦଂକୁ ଦେଖି ନାରାସୁର ନିସ୍ତରିଲି ବୋଇଲା

ଆସ୍ତାନ ତେଜି ଆସି ପାୟେ ପଡ଼ି ଶୋଇଲା ।୯୭।

ପ୍ରଣପତ୍ୟ ହୋଇଣ ଯେ ଯୋଡ଼ିଲା ବେନିକର

ଭୋ ମୁନି ଧନ୍ୟ ଆଜ ଜୀବନ ମୋହୋର ।୯୮।

ଧନ୍ୟ ସେ ପିତା ମାତା କଲା ମୋତେ ଜନ୍ମ

ତୋତେ ଦ୍ରଶନ ପାଇଲି ସଫଳ ମୋର କର୍ମ ।୯୯।

ୟେତେ ବୋଲି ନାରକାସୁର ଚରଣ ପଖାଳିଲା

ପାଦ ଉଦକ ଆଣି ଶିରରେ ଲଗାଇଲା ।୧୦୦।

ନାରକାସୁର ଭଗତି ଯହୁଂ ନିର୍ମଳ ଦେଖିଲେ

ମହାମନ୍ତ୍ର ସୁମରି ମୁନି କଲ୍ୟାଣ ବାଞ୍ଛା କଲେ ।୧୦୧।

ନାରକାସୁର ବୋଇଲା ମୁନି ହେ ପଥଶ୍ରାନ୍ତ ପାଇ

ତେଣୁ ମୋହୋର ପୁରକୁ ବିଜେ କଲ କି ଗୋସାଇଂ ।୧୦୨।

ନାରଦେ ବୋଇଲେ ଆମ୍ଭର ଦୟା ଯହୁଂ ତୋତେ

ଶ୍ରଦ୍ଧାକରି ଅଇଲୁ ଆମ୍ଭେ ତୋତେ ଦେଖିବା ନିମନ୍ତେ ।୧୦୩।

ପ୍ରତଗ୍ୟାଂ ପ୍ରତାପୀ ତେଜବନ୍ତ ସାମରଥା

ତ୍ରଇଲୋକ୍ୟେ ବିଖ୍ୟାତ ଯେ ଅଟଇ ତୋର କଥା ।୧୦୪।

ସ୍ୱର୍ଗ ମର୍ତ୍ତ୍ୟ ପାତାଳେ ତୁ ହୋଇଲୁ କାରେଣୀ

ସଂସାରେ ତୋର କଥା ସମସ୍ତେହେଂ ଜାଣି ।୧୦୫।

ରବିର ତଳେ ତୋତେ ସରିସମ ନାହିଂ

ଅନେକ ଅବତାର ଯେ ହୋଇଛୁ ଦେହ ବହି ।୧୦୬।

ଯେ ତୋହୋର ସଉର୍ଯ୍ୟ ବଳ ତୁହି ତାହା ଜାଣୁ

ୟେବେ ତୋତେ ବିପଦ ପଡ଼ିଲା ନିହାଇ ତୁହି ଶୁଣୁ ।୧୦୭।

ଶ୍ରୀକୃଷ୍ଣ ତୋହୋର ତହିଂକି ଅଇଲେ ଦଣ୍ଡ ବାହି

ବକୁଳାଞ୍ଚଳ ପର୍ବତ ତଳେ ଅଛନ୍ତି ସଇନି ରହି ।୧୦୮।

ଯଦ୍ୟପି ସଂଗ୍ରାମ ତୁ କରିବୁ ଅଙ୍ଗଛଳେ

କୋଟିୟେ ଇନ୍ଦ୍ର ହୋଇଲେ ତୁ ଜିଣିପାରୁ ହେଳେ ।୧୦୯।

ମର୍ତ୍ତ୍ୟର ରାଜାୟେ ତୋତେ କେହି ନୁହନ୍ତି ସମ

ଶୂରବନ୍ତା ଶକତା ତୁ ଯେ ସାଂଗ୍ରାମରେ ଅଟୁ ଯମ ।୧୧୦।

ତୋହୋର ଭଳି ଲୋକ ୟେହା ସହୁଛି କେମନ୍ତେ

ନିର୍ଭୟେ ଥାଠ ଘେନି ତୋତେ ଭେଟିବେ ଦେବ ଜଗନ୍ନାଥେ ।୧୧୧।

ନାରଦଂକ ବଚନ ଶୁଣି ନାରକାସୁର ରାୟେ

କୋପେଣ ଗର୍ଜଇ ଯେ ମହାମେଘ ପ୍ରାୟେ ।୧୧୨।

ୟେଡ଼େ ବଡ଼ ଭରସା କାହାର ରବି ତଳେ ହୋଇଲା

ମୋହୋର ତହିଂକି ସେ ବୀରତୂର ବଜାଇ ଅଇଲା ।୧୧୩।

ମନ୍ତ୍ରୀ ବୋଇଲା ଦେବ କି କରିବା ଉପାୟେ

କେଉଂଣ ଦେଶର ସେ ଅଟଇ ମହାରାୟେ ।୧୧୪।

ସାବଧାନେ ଶୁଣ ଦେବ ବୁଝି ଅଇଲି ମୁହିଂ ଯାହା

ବସୁଦେବର ପୁତ୍ର ସେ ଅଟଇ ଚଉବାହା ।୧୧୫।

ମହା ମହା ଯୋଧୀ ଦେବ ଅଛନ୍ତି ତାହାର ସଙ୍ଗେ

ଜଣ ଜଣକେ ସପ୍ତଦୀପା ପୃଥୀକି ଜିଣନ୍ତି ରଣରଙ୍ଗେ ।୧୧୬।

ଅନେକ ଯାଦବେ ଯେ ଅଟନ୍ତି ରଣରଂକା

ମହାଘୋର ସାଂଗ୍ରାମରେ କେହି ନ ଲରନ୍ତି ଶଂକା ।୧୧୭।

କାଳଦମନ ରାଜା ସଙ୍ଗେ ଛୟାଣୋଇ ସହସ୍ର ନୃପତି

ଅଠାର ବେଳ ଧାଡ଼ି ଦିଲେ କେହି ଜିଣି ନୁଆରନ୍ତି ।୧୧୮।

ସ୍ୱୟେଂ ବିଷ୍ଣୁ ଅବତାର ସେ ଅଟନ୍ତି ଜଗୁଜିତା

ସ୍ୱର୍ଗ ମର୍ତ୍ତ୍ୟ ପାତାଳେ ତାଂକୁ ନାହିଂ କେ ଜିଣନ୍ତା ।୧୧୯।

ଯଦ୍ୟପି ଦେହ ଧରି ଆସିବେ ତ୍ରିପୁରାରି

ଶ୍ରୀକୃଷ୍ଣଂକ ସଙ୍ଗେ କେହି ନୁଆରିବେ ସମର କରି ।୧୨୦।

ମନ୍ତ୍ରୀର ବଚନ ଶୁଣି ନାରକାସୁର ବୋଇଲା

ୟେ କଥା ଶୁଣି ମୋତେ ବଡ଼ ହରଷ ଲାଗିଲା ।୧୨୧।

ଶ୍ରୀକୃଷ୍ଣ ମହିମାଂ ଯେ କହିଲୁ ମୋର ଆଗେ

ୟେଡ଼େ ବଡ଼ ଯୋଦ୍ଧା ସେ ହୋଇଲା କେଉଂଣ ବାଗେ ।୧୨୨।

ମୋହୋର ଭଳି ଲୋକକୁ ଖଡ଼ିଆଳି ଆସୁଅଛି

ୟେ ମୋର ପୁରେ କେହ୍ନେ ଭରସି ପଶୁଛି ।୧୨୩।

ଯମର ଭୁବନକୁ ଯେ ପ୍ରସ୍ଥାନ କଲା ଆସି

ଆପଣା ଗଳାରେ ଯେ ଲଗାଇଲା ଫାଶି ।୧୨୪।

ଦେହ ବହି ଜୀବନକୁ ନ କଲାକ ଆଶ

ନିଚୟେ ମଣିଲି ସେ ଯେ ହୋଇବ ପ୍ରାଣେ ନାଶ ।୧୨୫।

କୋଟିୟେ ଇନ୍ଦ୍ରଂକୁ ମୁଂ ଯେ ଜିଣି ପାରଇ ଧରି

ପୁଣି ଆଗ୍ୟାଂ ଦିଲା ସଇନ ସଜକର ମୋହୋରି ।୧୨୬।

ପରିଘାଇ ସମର କରିବି ଆଜ ଦିନ

ଚତୁରଙ୍ଗ ବଳ ମୋର ସାଜି ବେଗେ ଆଣ ।୧୨୭।

ଆଗ୍ୟାଂ ପ୍ରମାଣେ ସଇନ ହୋଇଲେକ ସଜ

ମାହୁନ୍ତେ ଆସିକରି ସାଜିଲେ ମତ୍ତଗଜ ।୧୨୮।

ଚଉସ୍ତରୀ ସହସ୍ର ଯେ ସାଜିଲେ ତୁରଙ୍ଗମ ବାଜୀ

ଆଠକ୍ଷଉଣୀ ପାଦାନ୍ତି ସାଜିଲେ କୋଦଣ୍ଡ କାଣ୍ଡ ସାଜି ।୧୨୯।

ନଉସାଗର ରଥ ଯେ ସାଜିଲେ ଅତି ବେଗେ

ସକଳ ସଇନ ସଜ ହୋଇ ମିଳିଲେ ନାରକାସୁର ଆଗେ ।୧୩୦।

ମୁଦର ଦଇତ ଯେ ନାରକାସୁର ପାଶେ ଥିଲା

ତୁରିତେ ଯାଅବୋଲି ସଇନଂକୁ ଆଗ୍ୟାଂ ଦିଲା ।୧୩୧।

ଆପଣେ ମୁଦର ଦଇତ ଯେ ଦିବ୍ୟବେଶ ହୋଇ

ସମ୍ଭର୍ବେ ବିଜେ କଲା ରଥେକ ଆରୋହୀ ।୧୩୨।

ତିନିମର୍ଭୃତ ବାଜଣା ବାଜଇ ପ୍ରଚଣ୍ଡ

ଶବଦେ କମ୍ପୁଅଛି ଯେ ସପତ ବ୍ରହ୍ମାଣ୍ଡ ।୧୩୩।

ହାଥୀ ରଥୀ ପାଇକ ରାଉତ ରଣରଂକା ଯୋଧୀ

ସାଜିଲେ ସଇନ ବଳ ଯେସନେକ ସାଂଗ୍ରାମର ବିଧି ।୧୩୪।

ପୁତ୍ର ଭଗଦତ୍ତ ହାଥୀୟେକ ଆରେହି

ଆଗିଆଣି ଥାଠେ ସମଦଣ୍ଡ ଅଛି ଚଳାଇ ।୧୩୫।

ଆଲମ୍ବ ୟେକଲକ୍ଷୀ ମେଘ ଡମ୍ବର ପାଟଛତ୍ର

ଉଦଣ୍ଡ ଚିରାଳ ଆବର ବୀରନେତ ।୧୩୬।

ଅନେକ ସଇନ ଘେନି ମୁଦର ଅସୁର ବାହିଲା

ନଗ୍ର ବାହାରେ ଆସି ପଟୁଆରି ରହିଲା ।୧୩୭।

ମେଘା ବୀରତୂର ଯେ ବାଜଇ ପୁଣ ପୁଣି

ପୃଥୀ ଦଲଦଲିତ ଯେ କମ୍ପୁଇଛି ଜାଣି ।୧୩୮।

ଶ୍ରୀକୃଷ୍ଣଂକ ଛାମୁରେ ଯାଇଂ ଚାର ଜଣାଇଲା

ଭୋ ଦେବ ମୁଦର ଦଇତ ଆସି ପଟୁଆରି ରହିଲା ।୧୩୯।

ଚତୁରଙ୍ଗ ବଳ ତାର ଯେ ଅପ୍ରମିତ ସଇନି

ଯାହାର ପାଦଭରେ କମ୍ପଇ ଭୁବନ ତିନି ।୧୪୦।

ଭଗଦତ୍ତ ବୋଲିଯେ ନାରକାସୁର ପୁତ୍ର ରଣରଂକା

ଆଗ ଥାଠେ ଅଛି କାହକୁ ନାହିଂ ଶଂକା ।୧୪୧।

ବେଳୁଂ ବେଳୁଂ ସଇନ ଯେ ମାଡ଼ିପଡୁଅଛି ବେଗେ ବେଗେ

ପ୍ରତଗ୍ୟାଂ କରି ସେ ଆସୁଅଛି ଅତିରାଗେ ।୧୪୨।

ଡଗରା ମୁଖରୁ ହରି ୟେସନେକ ବାରତା ପାଇ

ତାଳଧ୍ୱଜ ରଥ ଆରୋହି ବଳଦେବ ପଡ଼ିଲେକ ଡେଇଂ ।୧୪୩।

ବଳଦେବ ବୋଇଲେ କୃଷ୍ଣ ଚାରଗଣ କହିଲେକ ଯାହା

ସାବଧାନ ହୋଇ ତୁ ଶୁଣିଲୁ ଟିକି ତାହା ।୧୪୪।

ନାରକାସୁର ଅସୁର ଯେବେ କରିବ ଆରେଣି

କାହାର ବିଚାରକୁ ୟେକଥା କେମନ୍ତ ପ୍ରାୟେ ମଣି ।୧୪୫।

ବଳବନ୍ତ ଯୋଦ୍ଧା ସେ ନାରକାସୁର ରାୟେ

ଦିଗପାଳ ଦେବତା ମାନେ କରନ୍ତି ତାକୁ ଭୟେ ।୧୪୬।

ଯୁଗତେ ପୃଥୀଦେବୀ ଜାତ କଲେକ ୟେହାକୁ

ମର୍ତ୍ତପୁରେ କେ ଅଛି ଯୋଦ୍ଧାପଣେ ଲେଛିବାକୁ ।୧୪୭।

ବଳରାମେ କହିଲେ ଯହୁଂ ୟେସନେକ ବାଣୀ

ଦରହସିତ ହୋଇଲେ ହରି ତାହାଂକର କଥାକଇଂ ଶୁଣି ।୧୪୮।

ଶ୍ରୀକୃଷ୍ଣ ବୋଇଲେ କାହିଂ ଆମ୍ଭର ୟେଡ଼େ ଭାଗ୍ୟ

ପଟୋଆରେ ରହିବା ଭଳି ଆମ୍ଭେ ପାଇବା ରଣଯୋଗ୍ୟ ।୧୪୯।

ୟେତେକ ଶୁଣି ବଳରାମେ ପଡ଼ିଲେ ବେଗେ ଧାଇଂ

ସାଚୋଇ ଯାଦବ ସଇନ ପଡ଼ିଲେକ ଡେଇଂ ।୧୫୦।

ପାଞ୍ଚଯୋଜନ ମାଡ଼ି ଯେ ପଡ଼ିଲେକ ଥାଠ

ନାରକାସୁର ସଇନରେ ହୋଇଲେ ଯାଇଂ ଭେଟ ।୧୫୧।

ରେ ରେ କାର କରିଣ ପଡ଼ିଲେ ବେଗେ ମାତି

ହୁଂକାର ନାଦ କରିଣ ସେ ଛାଡ଼ିଲେ ଘୋରରଡ଼ି ।୧୫୨।

ୟେକକୁ ଆରେକ ସଇନ ଉପ୍ରୋଧ ଛାଡ଼ିଲେ

ଗଦା ମୁଦୁଗର ଆସି ଛେଲ ଚକ୍ର ପହୁଡ଼ିଲେ ।୧୫୩।

ଅଧରେ ଦନ୍ତ ଚାପି କେ ମାରଇ ବଜ୍ରମୁଷ୍ଟି

ରଥ ଆଗକରି କେ ଧାମଇଂ ପୁଣ ହେଟି ।୧୫୪।

ରଥୀ ମାନନ୍ତ ଆଗ କରି କେ ଧାମନ୍ତି ରଥୀମାନେ

ସହସ୍ରକୋଟି ନାରାଜମାନ ମାରନ୍ତି ଅବିଚ୍ଛନ୍ନେ ।୧୫୫।

ରକତେ କର୍ଦ୍ଦନ ଯେ ହୋଇଲା ମହୀସ୍ଥଳୀ

ସାନନ୍ଦେ ମେଦ ମେଦା ଭୁଞ୍ଜନ୍ତି ଯୋଗ୍ନୀଗଣ ମିଳି ।୧୫୬।

କିଳିକିଳା ନାଦ କରିଣ ଧାମନ୍ତି ରଣରଙ୍ଗେ

ରକତେ କର୍ଦ୍ଦନ ଯେ ଭଇରୋବୀଂକର ଅଙ୍ଗେ ।୧୫୭।

ଶୂଳ ଫାଶ ଅଂକୁଶ କରେଣ ତୀକ୍ଷଖଣ୍ଡା

ରଣ ରଙ୍ଗେ ବିହଡ଼ନ୍ତି ଚଣ୍ଡୀ ଯେ ଚାମୁଣ୍ଡା ।୧୫୮।

ଗଡ଼ନ୍ତି ପଡ଼ନ୍ତି ଯେ କେହୁ ରଣେ ହୋୟେ ଭାଙ୍ଗି

କୋନ୍ତ ସାବେଳୀ କାହାର ହୃଦରେ ଅଛି ଲାଗି ।୧୫୯।

ପରିଘାଇ ସମର କରନ୍ତି ରଣରଂକା

ଦେଖିଣ ଯାଦବ ସଇନ ମନେ କଲେ ଶଂକା ।୧୬୦।

ରଣଭଗ୍ନ ହୋଇ ଡରେ ପଳାଉଣ ଛନ୍ତି

ଗୋଡ଼ାଇ ଶହସ୍ର କେହୁ ପିଠିରେ ପହୁଡ଼ନ୍ତି ।୧୬୧।

ପ୍ରତକ୍ଷେ ବଳଦେବ ତାହା ଦେଖିଲେକ ଆଗ

ରହ ରହ ବୋଲି ଯାଇ ଓଗାଳିଲେ ବେଗେ ।୧୬୨।

ଯାଦବ ସଇନ ଭାଞ୍ଜି ପଳାଉଣ ଥିଲେ

ବଳଦେବନ୍ତ ଆଶ୍ରେ କରି ସମସ୍ତେ ରହିଲେ ।୧୬୩।

ଧାତିକାରେ ନାରକା ସଇନି ପଡୁଛନ୍ତି ମାଡ଼ି

ଦେଖିଣ ବଳଦେବ ଧାଇଂଲେ କର ଛାଡ଼ି ।୧୬୪।

ମହା ପରାକ୍ରମ କରି ଧାଇଂଲେ ଅତିବେଗେ

ମେରୁ ଆବୋରିଲା ଯେହ୍ନେ ଅଇରାବ୍ରତ ନାଗେ ।୧୬୫।

ଆଗହୁଂ ଆପଣେ ସାଂଗ୍ରାମକୁ ଅଛଇ ପରିଘାଇ

ଦେଖିଲା ମାତ୍ରକେ ଯେ ପଡ଼ିଲେ ବେଗେ ଧାଇଂ ।୧୬୬।

ପ୍ରଥମେ ବଳଦେବ ରଡ଼ିୟେକ ଛାଡ଼ିଲେ

ପ୍ରତକ୍ଷେ କୃତାନ୍ତେକ ରୂପ ପ୍ରକାଶିଲେ ।୧୬୭।

ଘଟ ଘଟ ଶବଦ ଭୟଂକର ବାଣୀ

ଓହୋବଳ ସଇନି ଶଂକା ପାଇଲେ ତାହା ଶୁଣି ।୧୬୮।

ନାରକାସୁର ସଇନ ପଳାଇଲେ ଛାଡ଼ି

ପଛରେ ଯାଦବ ସଇନ ଗୋଡ଼ାଇଛନ୍ତି ବେଢି ।୧୬୯।

ନାରକାସୁର ପୁତ୍ର ଭଗଦତ୍ତ ନାମେ ଯୋଧୀ

ଗଜ ମର୍ମ ବିଦାରକୁ ସେ ଜାଣଇ ମଉଷଧି ।୧୭୦।

ଦଶ ମର୍ଭୁତ ଗଜ ପଛେ ଅଛନ୍ତି ଚଳାଇ

ବିଂଝ ପର୍ବତେ ଯେହ୍ନେ ମେଘମାଳ ରହଇ ।୧୭୧।

ତେସନେକ ଦିଶଇ ସେ ଭଗଦତ୍ତର ହାଥୀବଳମାନ

ରେ ରେ କାର କରି ବେଗେ ଓଗାଳିଲେ ହାଥୀବଳ ପୁଣ ।୧୭୨।

ଧାତିକାରେ ମିଳିଲା ବଳଦେବଂକର ଆଗେ ଯାଇ

ହଳ ମୂଶଳ ଧରି ହଳୀ ଥିଲେ ଉଭା ହୋଇ ।୧୭୩।

ହାଥୀଦଣ୍ଡ ଦେଖି ବେଗେ ପଡ଼ିଲେକ ଧାଇଂ

ଦେଖିଣ ବଳରାମେ ଧାଇଂଲେ ବେଗହୋଇ ।୧୭୪।

ପ୍ରଚଣ୍ଡ ନାଦ କରି ସେ ଧରନ୍ତି ଥୋରହସ୍ତ

ୟେକ ଉପରେ ନେଇ କଚାଡ଼ନ୍ତି ସମସ୍ତ ।୧୭୫।

ଦନ୍ତ ଉପାଡ଼ିଣ ଯେ ଭାଜନ୍ତି ଭୁଜଦଣ୍ଡ

ବୁକୁ ବିଦାରିଣ ଯେ କରନ୍ତି ଖଣ୍ଡ ଖଣ୍ଡ ।୧୭୬।

କାହାର କୁମ୍ଭସ୍ତଳେ ମାରନ୍ତି ବଜ୍ରମୁଷ୍ଟି

ପାଦ ଘାତରେ କେହୁ ପଡ଼ଇ ମହୀଲୋଟି ।୧୭୭।

ୟେସନେକ ବେଳେ ଭଗଦତ୍ତ ଧଇଲା କୋଦଣ୍ଡ

ମନ୍ତ୍ରବଳେ ବେଗେ ପୂରୋଇଲା ଷାଠିୟେସହସ୍ର କାଣ୍ଡ ।୧୭୮।

ପୁଣି ଅଶିସହସ୍ର ବାଣ ବିନ୍ଧିଲା ଅତି ରୋଷେ

ଚଳିଲେକ ବାଣମାନ ଘୋଟିଲେ ଆକାଶେ ।୧୭୯।

ପଞ୍ଚସହସ୍ର ବାଣ ବିନ୍ଧିଲାକ ପୁଣି

ଆକର୍ଣ୍ଣ ପୂରୋଇଣ ବିନ୍ଧିଲାକ ଗୁଣ ଟାଣି ।୧୮୦।

ନିଶ୍ୱାସ ମାତ୍ରକେ ବାଣ ବିନ୍ଧଇ କୋଟି କୋଟି

ଗମିଲେ ବାଣମାନ ଶୂନ୍ୟ ଭୁବନ ଘୋଟି ।୧୮୧।

ଆକାଶ ମଣ୍ଡଳ ପରିଯନ୍ତେ ଘୋଟିଲାକ ଶର

ଦିବସେ ଅନ୍ଧକାର ଯେ ଦିଶିଲେ ଦିନକର ।୧୮୨।

ଦେଖିଣ ବଳରାମ ପାତିଲେ ନେଇ ମୁଣ୍ଡ

ପଡ଼ିଲେ ବାଣମାନ ହୋଇଲେ ମସିଗୁଣ୍ଡ ।୧୮୩।

ଚୂନା କୁଢ ହୋଇଣ ଯେ ପଡ଼ିଲେକ ଉଡ଼ି

ତତକ୍ଷଣେ ତ୍ରୋଣରୁ ଆବର ବାଣ କାଢି ।୧୮୪।

ବାବଲ ଶତେକ ବାଣ ମାଇଲା ନାରକାସୁରର ତନୁଜ

ମୁଖ ବିସ୍ତାରିଣ ତାହା ଗିଳିଲେ ହଳପାଣି ଅଚ୍ୟୁତାଗ୍ରଜ ।୧୮୫।

ବେଳେ ବେଳେ ଭଗଦତ୍ତ ରୋଷଭର ହୋଇ

ଅନେକ ନାରାଜ ସେ ବିନ୍ଧିଲା ପରିଘାଇ ।୧୮୬।

କେହୁଣସି ପ୍ରକାରେ ବଳଦେବଂକ ଅଙ୍ଗେ ନୋହିଲାକ ଭେଦ

ଦେଖିଲା ଭଗଦତ୍ତ ଯେ ହୋଇଲା ବିଷାଦ ।୧୮୭।

ଧନୁ ଶହସ୍ର ଛାଡ଼ିଣ ବୀର ରଥର ଉପରେ

ନିଶ୍ୱାସ ଫନ୍ଦି ଫୁଟିଲା ଦେଖି ହୋଇଲା କାତରେ ।୧୮୮।

ବଳଦେବ ହସିଲେ ଭଗଦତ୍ତ ମୁଖ ଚାହିଂ

ଆହେ ଦେବସହସ୍ର ଗୋଟାୟେ ଅଛୁଟି କି ପାଇ ।୧୮୯।

ୟେତେ ବୋଲି ବଳଦେବ ହାଥୀଂକ ଲାଞ୍ଜ ଧରି

ଦିଅନ୍ତି ଫୋପଡ଼ାଇ କାହାକୁ ନାନା ଦୁଖ ଦେଇ କରି ।୧୯୦।

ରେ ରେ କାର କରିଣ ଧାମନ୍ତି ଗଳଗାଜି

ୟେକ ମେଘ ଉପରେ ଆରେକ ମେଘ ପଡ଼ଇ କି ଭାଜି ।୧୯୧।

ଦରାଣ୍ଡି ବଳରାମେ ଯେ ଅତି ମହାରୋଷେ

ଭାଞ୍ଜିଲେ ଭଗଦତ୍ତ ସଇନ କେହି ନ ରହିଲେ ପାଶେ ।୧୯୨।

ଦଶମର୍ଭୁତ ସଇନରୁ ଆଠମର୍ଭୁତ ସଇନ ଯେ ପଡ଼ିଲା

ଦୁଇମର୍ଭୁତ ସଇନ ଘେନି ଭଗଦତ୍ତ ରାଜ୍ୟକୁ ପଳାଇଲା ।୧୯୩।

ଯେବଣ ଠାବରେ ନାରକାସୁର ଅଛି ଉଭାହୋଇ

ଦଣ୍ଡଭଗ୍ନ ହୋଇ ଭଗଦତ୍ତ ମିଳିଲାକ ତହିଂ ।୧୯୪।

ସଇନର ବିକଳ ଦେଖି ନାରକାସୁର ରାୟେ

କଦଳୀ ପତ୍ରପ୍ରାୟେ କମ୍ପଇ ତାର ଦେହେ ।୧୯୫।

ସାରଥୀକି ବୋଇଲା ରଥ ଆଗକରୁ କିନା

ଭାଞ୍ଜିଲେ ଥାଠ ମୋହୋର ପଡ଼ିଲେ ବହୁତ ସେହ୍ନା ।୧୯୬।

ଅକାରଣେ ଶତ୍ରୁ ମୋତେ ମିଳିଲେକ କାହୁଂ ଆସି

ୟେଡ଼େ ବଡ଼ ସମ୍ପଦ ହରିଲା ରାଜ୍ୟରେ ମୋହୋର ପଶି ।୧୯୭।

ସଇନର ବଇକୁଲ୍ୟ ଦେଖି ବ୍ୟାକୁଳ ମୋହୋର ଚିତ୍ତେ

ଦେଖିଣ ଦେହ ଅସମ୍ଭାଳ ଲାଗିଲାକ ମୋତେ ।୧୯୮।

ଆହେ ସାରଥୀ ରଥ ମୋର ବେଗେ ବାହା

ମୋହୋର ଥାନ୍ତେ ସଇନ ଯେ ହୋଇଲେ ଅସାହା ।୧୯୯।

ୟେହିକ୍ଷଣି ଶତ୍ରୁକୁ ମୁଂ ମାରିବି ବିକୋତି

ପ୍ରାଣଘେନି ୟେଥୁଂ ଜଣେ ନ ଯିବେଟି ବ୍ରତି ।୨୦୦।

ସମସ୍ତେ ବୋଲନ୍ତି ନାରକାସୁର ବଡ଼ ଯୋଧୀ

ରଣ ଦେଖି କାତର ହୋଇଲୁ ତୋର ତୁଚ୍ଛ ବୁଦ୍ଧି ।୨୦୧।

କେସନେକ ଈଶ୍ୱରଂକୁ କରିଅଛୁ ସେବା

ୟେମନ୍ତ ବର ତୋତେ ଦିଲେକ ବିଶ୍ୱଦେବା ।୨୦୨।

କିଞ୍ଚିତ ସାଂଗ୍ରାମକୁ ନୋହିଲା ତୋର ବଳ

ଆମ୍ଭର ସାଂଗ୍ରାମ ଦେଖି ଘାନ୍ତିୟେ ସମ୍ଭାଳ ।୨୦୩।

ୟେ ତୋହୋର ଦେହ ଯେ କେମନ୍ତେ ପାରୁ ରଖି

ନୋହିଲେ ୟେହିକ୍ଷଣି ହୋଇବୁ ଅନେକ ଦୁଖୀ ।୨୦୪।

ୟେତେବୋଲି ବଳଦେବ ଧାଇଂଲେ କୋପକରି

ଦେଖିଣ ନାରକାସୁର ପଳାଇଲା ଭୟକରି ।୨୦୫।

ସକଳ ସଇନମାନେ ଯେ ତହୁଂ ପଳାଇଲେ

ଯାଦବ ସଇନମାନେ ଯେ ଗୋଡ଼ାଇ ମାଇଲେ ।୨୦୬।

ବେଳୁଂ ବେଳୁଂ ସଇନି ଯେ ପଡୁଛନ୍ତି ମାତି

ବାତଘାତେ ମେଘ ଯେହ୍ନେ ଧାମଇଂ ତଡ଼ବଡ଼ି ।୨୦୭।

ୟେହା ଦେଖି ମୁଦର ଦଇତର କମ୍ପିଲାକ ଅଙ୍ଗ

କୋପେଣ କୋପାନଳ ସେ ହୋଇଲାକ ଭଙ୍ଗ ।୨୦୮।

ଗଦାବର ବୁଲାଇ ଧାମଇଂ କୋପାନଳେ

ଧାତିକାରେ ମିଳିଲା ଆସି ପର୍ବତର ତାଳେ ।୨୦୯।

ନିରନ୍ତରେ ସଇନ ଯେ ପଡୁଛନ୍ତି ବେଗେ

ରହ ରହ ମୁଦର ବୋଲି ଉଗାଳିଲେ ଆଗେ ।୨୧୦।

ମାନବ ସଇନ ଦେଖି ହରଷ ମନ୍ତ୍ରୀମଣି

ଉପହାସ କରି ଅସୁର କହଇ କୋପବାଣୀ ।୨୧୧।

ତୁମ୍ଭେ ବାଳୁତ ନରେ ଅଟ ରେ ମାନବା

ବାଟ ନ ଜାଣି ବଣା ହୋଇ ମଲ ଅବା ।୨୧୨।

ୟେ ମୋହୋର ବଳ ଅବା କିମ୍ପେ ମାରୁଅଛୁ ଗଞ୍ଜି

ନିଚୟେଂ ଯମ ଦେବତା ପୋଛିଲା ତୁମ୍ଭର ଯେ ପାଞ୍ଜି ।୨୧୩।

ନ ଜାଣି ଶତ୍ରୁ କିମ୍ପେ ରେ ହୋଇଲ ମୋହୋର ତୁଲେ

ଜଣେ କି ତୁମ୍ଭେ ପ୍ରାଣଘେନି ଯିବ ୟେଥୁ ଭଲେ ।୨୧୪।

ଅକାରଣେ ମରଣ ପ୍ରାପତ ହୋଇଲା

ୟେତେ ବୋଲି ଦାନବ ଧଇଲା ମହାରୋଷ ।୨୧୫।

ଗଦାହିଂ ବୁଲାଇ ଯେ ମାଇଲା ମହାକୋପେ

ଯୋଦ୍ଧାଂକ ଉପରେ ଯେ ପିଟିଲା ଗରୁତାପେ ।୨୧୬।

ହୁଂକାରନାଦ କରି ଛାଡ଼ିଲା ଘୋରରଡ଼ି

ମେରୁ ଉପରେ ମନ୍ଦର ପଡିଲାକ ଝଡ଼ି ।୨୧୯।

ଅଧରେ ଦନ୍ତ ଚାପି ମାରଇ ବଜ୍ରମୁଷ୍ଟି

ହାଥୀଂକର ଉପରେ ପଡ଼ି ମୂର୍ଦ୍ଧନା ଯାଇ ଫାଟି ।୨୨୦।

ୟେକ ରଥ ଉପରେ ଯେ ଆରେକ ରଥ କଚାଡ଼ଇ ରୋଷଭରେ

ଗର୍ଜନ ନାଦ କରି କଚାଡ଼ଇ ୟେକକୁ ଆରେକ ଉପରେ ।୨୨୧।

ଚଉକତି ଦେଖିଣ ଯେ ମାରଇ ତକ୍ଷଣେ ଶରେ

ଚାପୋଡ଼ ମାରନ୍ତେ ସେ ଭାଞ୍ଜିଲେ ଯେ ଯାହାରେ ।୨୨୨।

ଅଶ୍ୱଂକ ଉପରେ ନେଇ ସେ ଅଶ୍ୱନ୍ତ କଚାଡ଼ି

ବିକ୍ରମ ଗତି କରି ଯେ ଦିଅଇ ସିଂଘରଡ଼ି ।୨୨୩।

ବାମକରେ ହାଥୀଂକର ଥୋରହସ୍ତ ଧରି

ରଥୀଂକ ଉପରେ ସେ ମାରଇ ରୋଷଭରି ।୨୨୪।

ଅଶ୍ୱ ପାଦାନ୍ତି ବଳ ସେ ପାଦରେ ମର୍ଦ୍ଦଇ

ବିଜୁଳି ଗତି ଜାଣି ଅନ୍ତର୍ଗତେ କ୍ଷେପଇ ।୨୨୫।

ବେଳୁ ବେଳ କୋପ ଯେ ବଢଇ ଉଗୁଳି

ଅଧରେ ଦନ୍ତ ଚାପି ଯେ ଧାମଇଂ ମହାବଳୀ ।୨୨୬।

କାମରୂପୀ ଅସୁର ଯେ ରଞ୍ଚିଲା କୂଟମାୟା

ପର୍ବତ ଆକାର କରି ଯେ ବଢାଇଲା କାୟା ।୨୨୭।

ଆକାଶ ମାର୍ଗେ ମୁଣ୍ଡ ଲାଗିଲାକ ଯାଇ

ଦେଖିଣ ଯାଦବେ ଯେ ପଳାଇଲେ ଭୟପାଇ ।୨୨୮।

ବେନି ପର୍ବତ ପ୍ରାୟେକ ଦିଶଇ ବେନିଭୁଜ

ଉଡ଼ନ୍ତା ପର୍ବତ ଯେସନେକ ଦୁଇପାଦେ ତେଜ ।୨୨୯।

ରଟମଟ ବାଜଇ ଯେ ଭୟଂକର ଦୁଇପାଟି

ଡରେଣ ପଡ଼ିଲେ ଯେ ସକଳ ନବସୃଷ୍ଟି ।୨୩୦।

ଲହ ଲହ ଜିଭ୍ୟା ଯେ ଭୟଂକର ମୂର୍ତ୍ତି

ନିର୍ଧୁମ ଅଗ୍ନି ଜାଣି ଯେ ବେନି ନୟନ ଜ୍ୟୋତି ।୨୩୧।

ନିଶ୍ୱାସ ବାତଘାତେ ଯେ ରଥ ଗଜେ ଉଡ଼ନ୍ତି

ଅନେକ ଦୂରେ ପଡ଼ିଣ ଚିତୋଇଣ ଯାନ୍ତି ।୨୩୨।

ବିକରାଳ ରୂପ ସେ ଧଇଲା ରୋଷଭରେ

ହାଥୀ ରଥୀ ଅଶ୍ୱ ସଇନ ମର୍ଦ୍ଦଇ ପାଦଭରେ ।୨୩୩।

ଗୋଇଠାରେ କାହାକୁ ସେ କରଇ ମସିଗୁଣ୍ଡା

ରଣରଙ୍ଗ କୁତୂହୋଳ କରଇ ପ୍ରଚଣ୍ଡା ।୨୩୪।

ମହାଗର୍ଜନ କରି ସେ ମାରଇ ମହାରୋଷେ

ଦେଖିଣ ଯାଦବେ ଯେ କେହି ନ ରହନ୍ତି ପାଶେ ।୨୩୫।

ନିରନ୍ତରେ ସଇନଂକୁ ଯେ ପଡଇ ଜାଳାବଳୀ

ରକତେ କର୍ଦ୍ଦନ ଯେ ହୋଇଲା ମହୀସ୍ଥଳୀ ।୨୩୬।

ନିର୍ଦ୍ଦୟା ନାରାପକ୍ଷ ନିଷ୍ଠୁର ଯାହାର ଅଙ୍ଗ

ମାରଇ ଯାଦବନ୍ତ ଯେ କରଇ ରଣଭଙ୍ଗ |୨୩୭|

ପଳାନ୍ତି ପଛକୁ ଯେ ନ ଚାହାନ୍ତି କେହି

ଅସମ୍ଭାଳ ହୋଇଲା ଯେ ଯାଦବଙ୍କ ଦେହୀ |୨୩୮|

ସଇନଂକୁ ଆକୁଳ ଦେଖି ଦେବଧିଦେବ ରାୟେ

ଗରୁଡ଼ୁଂ ଉତୁରି ନନ୍ଦିଘୋଷେ କଲେକ ବିଜୟେ |୨୩୯|

ଗରୁଡ଼ ପିଠିରେ ସତ୍ୟଭାମା ଯେ ଅଛନ୍ତି

ଗରୁଡ଼କୁ ଆଗ୍ୟାଂ ଦିଲେ ଦେବ ଶିରୀବତ୍ସି |୨୪୦|

ଅନ୍ତର୍ଦ୍ଧାନ ହୋଇ ତୁ ଦଣ୍ଡକେ କରିବୁ ବିଶ୍ରାମ

ଦତ୍ୟର ତୁଲେ ଆମ୍ଭେ ଯେ କରିବୁ ସଂଗ୍ରାମ |୨୪୧|

ୟେତେ ବୋଲି ଜଗନ୍ନାଥେ ସଇନକୁ ପଛକରି

ରଥେଣ ଆରୋହିଲେ କରେ ଶସ୍ର ଧରି |୨୪୨|

ତାହା ଦେଖିଣ ଦଇତ ଧାଇଂଲା ଅତିବେଗେ

ବାହାନାଦ କରିଣ ମିଳିଲା ଶ୍ରୀକୃଷ୍ଣଂକ ଆଗେ |୨୪୩ |

କେତୁ ମଙ୍ଗଳ ପ୍ରାୟେ ଯେ ଦିଶଇ ମହାତେଜ

ମେରୁ ପର୍ବତେ ଭେଟି ଯେସନେକେ ଅଇଲା ମତ୍ତଗଜ |୨୪୪|

ରେ ରେ କାର କରିଣ ଯେ ଅସୁର ମହାକୋପେ

ଶ୍ରାକୃଷ୍ଣଂକ ରଥେ ଗଦା ପିଟିଲା ଗୁରୁତାପେ |୨୪୫|

ଦେଖିଣ ସାରଥି ରଥ ନେଲାକ ଯେ କାଢି

ଗଦା ଭାଞ୍ଜି ଭୂମିରେ ଯେ ଶତେଖଣ୍ଡ ହୋଇ ପତି |୨୪୬|

ଗଦାଭଗ୍ନ ହୋଇଲେ ଯେ ମୁଦର ଦଇତ୍ୟର ଆଗେ

ବୃକ୍ଷେକ ଉପାଡ଼ି ଆଣି ପିଟିଲା ଅତିବେଗେ |୨୪୭|

ରଥରେ ଥାଇଣ ଯେ ଦେଖିଲେ ଦେବରାୟେ

ଅତି କୋପାନଳେ ଯେ କମ୍ପଇ ତାର କାୟେ |୨୪୮|

ଭଗ୍ନ ସଇନ ଦେଖିଣ ଯେ କମ୍ପିଲାକ ତନୁ

ଧାତିକାରେ ଧଇଲେ ଯେ ଶାରଙ୍ଗ ନାମେ ଧନୁ |୨୪୯|

ତିନିଶତ ବାଣ ଯେ ବସାଇଲେକ ଗୁଣେ

ମନ୍ତ୍ରବଳେ ଦାନବ ଉପରକୁ ବିନ୍ଧିଲେ ତତକ୍ଷଣେ |୨୫୦|

ପୁଣ ପୁଣ ବାଣ ଯେ ତୀକ୍ଷମୁନା ଘେନି

ବାହାନାଦ କରିଣ ଯେ ବିନ୍ଧିଲେ ଚକ୍ରପାଣି |୨୫୧|

ହାଥର ବ୍ୟଗ୍ରେ ଯେ ପୁଣ ଦଶସହସ୍ର ବାମ ବିନ୍ଧିଲେ

ଅଧର ପୃଷ୍ଟ କରି ଯେ ଦାନବକୁ ମାଇଲେ |୨୫୨|

ବେଳୁ ବେଳ କୋପ ଯେ ବଢିଲା ଉଗୁଳି

ପଞ୍ଚବାଣ ବେଗେ ମାଇଲେ ମହାବଳୀ |୨୫୩|

ହୁକାଂର ନାଦ କରିଣ ଯେ ବିନ୍ଧିଲେ ଦିବ୍ୟଶର

ଗଗନେ ଅନ୍ଧାର ଯେ ଦିଶିଲେ ଦିନକର |୨୫୪|

ଶ୍ରାବଣ ମାସେ ଯେନେହେ ଦିଶଇ ମେଘମାଳ

ତେସନେକ ଶର ବୃଷ୍ଟି ହୋଇଲା ଆକାଶ ମଣ୍ଡଳ |୨୫୫|

ନିଶ୍ୱାସ ମାତ୍ରକେ ଷାଠିୟେ ବାଣ ପୂରୋଇ

ଘୋର ଗର୍ଜନ କରି ସ୍ୱାମୀ ଯେ ମାଇଲେକ ତୁହାଇ |୨୫୬|

ପ୍ରତଗ୍ୟାଂ ସାମରଥା ଯେ ବସୁଦେବର ବଳା

ରଣରଙ୍ଗେ ଅଟଇ ଯେ କ୍ଷତ୍ରିୟ ଅଚାର୍ଗଳା |୨୫୭|

କୋଟିୟେ ଇନ୍ଦ୍ର ଯାହାକୁ ସମାନ ନୁହନ୍ତି ରଣେ

ଦଇତ ମାତ୍ରକେ କି ଜଣିମ ତାହାଂକୁ ୟେକାଜଣେ |୨୫୮|

ଅସଂକ୍ଷେପ ଆରେଣି ଯେ ବଢିଲାକ ରଣରଙ୍ଗ

ମନ୍ଦାର ପୁଷ୍ୟ ପ୍ରାୟେ ହୋଇଲା ଦତ୍ୟଂକର ଅଙ୍ଗ |୨୫୯|

ଅନେକ ପରିଘାଇ ନାରାଜ ମାରନ୍ତି ଯଦୁବୀର

ସ୍ୱର୍ଗରେ ଦୋବତାୟେ ଦେଖି ହୋଇଲେ କାତର |୨୬୦|

ଅର୍ଦ୍ଧ ଆକାଶେ ଥାଇ ଦେବତାଗଣମାନେ

ମୁଦର ଦଇତ ସମର ଦେଖନ୍ତି ଅନ୍ତର୍ଦ୍ଧାନେ |୨୬୧|

ୟେସନେକ ପ୍ରତାପ ଯେହ୍ନେ ଯାଦବ ବଳ

ଆନନ୍ଦ ହୋଇଣ ଯେ ବୋଲନ୍ତି ସକଳ |୨୬୨|

କେବଣ ଭାଗ୍ୟେ ବସୁଦେବ କୃଷ୍ଣଂକୁ କଲେ ଜାତ

ଧନ୍ୟ ଜୀବନ ତୋର ଦେବକୀ ଦେବୀ ମାତ |୨୬୩|

ୟେସନେକ ବିଚାର କରନ୍ତି ଯାଦବ ବୀରମାନ

ସାନନ୍ଦ ହୋଇଲେ ଶୁଣି ଦେବ ଭଗବାନ |୨୬୪|

ନିଶ୍ୱାସ ମାତ୍ରକେ ଶର ମାରନ୍ତି କୋଟି କୋଟି

ନିର୍ଘାତ ଶବଦ ଯେସନେକ ଶୁଭଇ ନବସୃଷ୍ଟି |୨୬୫|

ନିରନ୍ତରେ ଦିଶଇ କି ଜୁଳୁଜୁଳା ପୋକମାଳା

ପୃଥୀଯାକ ପୂରିଲା ଯେସନେକ ଶ୍ରୀକୃଷ୍ଣର ବାଣ ଜାଳା |୨୬୬|

ୟେହା ଦେଖି ମୁଦର ଦଇତ ଥମ୍ଭୀଭୂତ ହୋଇଲା

ଶ୍ରୀକୃଷ୍ଣ ବିଶ୍ୱମୂର୍ତ୍ତିକି ଚାହିଂଣ ବୋଇଲା |୨୬୭|

କାହୁଂଣ ଅଇଲୁ ତୁ ଅଟୁ କେଉଂଣ ଦେଶୀ

ଅକାରଣେ ତୁ ଯେ ମୋହର ବଳ କାହିଂକି ପୁଣ ଧ୍ୱଂସି |୨୬୮|

ମୁହିଂତ ଶତ୍ରୁ ତୋହୋର ପୂର୍ବରେ ନୋହି ବାଦୀ

ଅଦୋଷେ ତୁ କିମ୍ପାଇ ଅଇଲୁ ମୋତେ ସାଧି |୨୬୯|

ଅପୂର୍ବ ରାଜ୍ୟ ଗୋଟି କଲୁ ମୋର ଧ୍ୱଂସ

କେବଣ କୁଳେ ଜାତ ନାମ ତୋର କିସ |୨୭୦|

ଅନେକ କାଳରୁ ମୁହିଂ ଯେ ଅଛଇ ୟେଥି ରହି

ଜମ୍ବୁଦୀପ ଭିତରେ ତୋତେ ଦେଖିଲାତ ନାହିଂ |୨୭୧|

ଶ୍ରୀଜଗନ୍ନାଥେ ବୋଇଲେ ଶୁଣ ରେ ଅସୁର ବୀର

ବସୁଦେବ ପୁତ୍ର ମୁଂ ନାମ ମୋହର ଚକ୍ରଧର |୨୭୨|

ୟେସନେକ ଆଗ୍ୟାଂ ତାକୁ ଦିଲେକ ଦେବହରି

ଦଇତ ମାରି ମୋର ନାମ ଅଟଇ ଦଇତାରି |୨୭୩|

ଶ୍ରାଜଗନ୍ନାଥେ ୟେସନେକ ଆଗ୍ୟାଂ ଦିଲେ ଯହୁଂ

ସାଂଗ୍ରାମ ଛାଡ଼ି ମୁଦର ଦଇତର ଭାଜିଲାକ ତହୁଂ |୨୭୪|

ଭାଜିଲେକ ସଇନ ଯେ ନ ରହିଲେ କେହି

ପଳାବନ୍ତି ସଇନେ ଯେ ଛିନ୍ନଛତ୍ର ହୋଇ |୨୭୫|

ଯାଦବେ ଯେ ତାହା ଦେଖିଲେ ଦୂରେ ଥାଇ

ଗୋଡ଼ାଇ ମାରୁଛନ୍ତି ପିଠିରେ ଗୋଡ଼ଦେଇ |୨୭୬|

ନାରକାସୁର ରଥି ଦୁହେଂ ଯେ ଭାଜିଲେ

ଗଡ଼ ଭିତରେ ଯାଇ ପଳାଇ ପଶିଲେ |୨୭୭|

ମହାଅଜୟେ ଗଡ଼ ଦାନେବ ଭିଆଣ କରିଅଛି

ଅତି ଦୁର୍ଗମ ଗଡ଼ ଅସୁର ନିର୍ବାଣିଛି |୨୭୮|

ତହିଂର ଖଣ୍ଡେ ଦୂରେ ଯେ ଅନଳ ପାଚେରୀ

ଅତି ଯତନେ ଅସୁର ନିର୍ବାଣ ଅଛି କରି |୨୭୯|

ବିଷଜଳ ପୂରିଅଛି ଦୁସ୍ତର ଦୁର୍ଗମ ଭୁଇଂ

ମୁଦର ଦଇତ ଯେ ସିଂହଦ୍ୱାରେ ଅଛି ରହି |୨୮୦|

ୟେସନେକ ଦୁସ୍ତର ଯେ ଦେଖିଣ ଚକ୍ରଧର

କଉମୋଦୀ ଗଦା ସ୍ୱାମୀ ଘେନିଲେ ହାଥର |୨୮୧|

ଗଦାବର ଘେନି ସ୍ୱାମୀ ପର୍ବତ ଭାଞ୍ଜିଲେ

ସୁଦର୍ଶନ ଚକ୍ରେ ଯାଇ ଅଗ୍ନି ଲିଭାଇଲେ |୨୮୨|

ଶାରଙ୍ଗ ଧନୁରେ ବାଣ ବିନ୍ଧନ୍ତି ଦଇତାରି

ଲକ୍ଷେ କୋଟି ମର୍ଭୁତ କରି ବିନ୍ଧନ୍ତି ଦେବହରି |୨୮୩|

ଚକ୍ରେ ନିବାରନ୍ତି ଯେ ସମସ୍ତ ଦୁର୍ଗମାନ

ଅସୁରନ୍ତ ଛେଦନ କରନ୍ତି ଜନାର୍ଦ୍ଦନ |୨୮୪|

ପ୍ରବେଶ ହୋଇଲେ ନାରକାସୁର ଦ୍ୱାରେ ଯାଇ

ପଞ୍ଚଜନ୍ୟ ଶଙ୍ଖ ଶବଦ କଲେ ଦେବ ତହିଂ |୨୮୫|

ସପତ ବ୍ରହ୍ମାଣ୍ଡକୁ ଶଙ୍ଖ ଶବଦ ଶୁଭିଲାକ ଯହୁଂ

ଶୁଣି ଦଇତବଳ ହତବୀର୍ଯ୍ୟ ହୋଇଲେକ ତହୁଂ |୨୮୬|

ଦୂରେ ଥାଇଣ ତାହା ମୁଦର ଦଇତ ଶୁଣି

କୋପେଣ ଧାଇଂଲା ବଜ୍ର ମୂଷଳ କରେ ଘେନି |୨୮୭|

ଦଇତର କର୍ଣ୍ଣେ ପଞ୍ଚଜନ୍ୟ ଶବଦ ପାଇ

ଜଳ ଭିତରୁ ବେଗେ ଆସୁଛନ୍ତି ଧାଇଂ|୨୮୮|

ହାଥେ ମୂଷଳ ଧରି ଯେ ମୁଦର ଦଇତ ବୀର

ମାଇଲାକ ଶୂଳ ନେଇ ନନ୍ଦିଘୋଷ ରଥର ଉପର |୨୮୯|

ସୁମାଳୀ ବୀର ଯେ ଗର୍ଜିଣ ଉଠିଲା

ସପତ ବ୍ରହ୍ମାଣ୍ଡକୁ ତାର ଶବଦ ଶୁଭିଲା |୨୯୦|

ତୀକ୍ଷମୁନା ଦୁଇବାଣ ଯେ ମାଇଲେ ଦେବହରି

ହାଥରୁ ମୂଷଳ ଯେ କାଟିଲେ ଦଇତାରି |୨୯୧|

ପୁଣି ଧାଇଂଲା ଦାନବ ଯେ ପାଟି ବିସ୍ତାର କରି

ତୁଣ୍ଡର ଭିତରକୁ ବେଗେ ପାଶୁପତ୍ର ବାଣ ମାରି |୨୯୨|

ପୁଣ ଦଇତ ବୀର ଶକ୍ତି ଗୋଟାୟେକ ଧରି

ଶ୍ରାକୃଷ୍ଣ ଉପରକୁ ନେଇଣ ବେଗେ ମାରି |୨୯୩|

ଅନ୍ତରୀକ୍ଷ ମାର୍ଗେ ହରି ଶକ୍ତି ବଞ୍ଚାଇଲେ

ଧୃମଶରେ ମାରି ତାହାର ଶିର ଯେ କାଟିଲେ |୨୯୪|

ଜଳ ଭିତରେ ଯେ ପଡ଼ିଲାକ ମୁହଂ ମାଡ଼ି

ପଞ୍ଚଗୋଟି ବାଣରେ ତାହାର ପଞ୍ଚଗୋଟି ମୁଣ୍ଡ ଛିଡ଼ି |୨୯୫|

ତାହାର ସଙ୍ଗରେ ତାହାର ଯେ ଶତ ପୁତ୍ର ଥିଲେ

ବାପ ପଡ଼ନ୍ତେଣ ପୋୟେ ରଣ ଆବୋରିଲେ |୨୯୬|

ପିଠୋଳ ବୋଲିକରି ତାହାର ଯେବଣ ସେନାପତି

ତାହାକଇଂ ଘେନିଣ ସେ ସମର କରନ୍ତି |୨୯୭|

ପୁତ୍ରବଳ ଘେନିଣ ଯେ କୃଷ୍ଣଂକୁ ବେଢିଲେ

ଶ୍ରାବଣ ମାସେ ଯେସନେକ ବରଷା

ତେସନେକ ନାରାଜ ବରଷିଲେ |୨୯୮|

ଦେଖିଣ ଶ୍ରାକୃଷ୍ଣ ଯେ ପଶୁପତ୍ର ବାଣ ମାରି

ମାଂସ କାଟିଲେ ତାଂକର ଟିକି ଟିକି କରି |୨୯୯|

ପୁଣିହିଂ ଥାଠକୁ ଯେ ଆବୋରିଣ ମାରି

ତକ୍ଷଣେ ମୁଣ୍ଡ ଯେ କାଟି ପକାଇଲେ ଆଗ କରି |୩୦୦|

ଡଗର ମୁଖରୁ ଯେ ନାରକା ୟେହାଶୁଣି

ବେଗେଣ ଧାଇଂଲା ଯେ ଗର୍ଜିଣ ବଳ ଘେନି |୩୦୧|

ଅଇରାବ୍ରତ ଅଂଶେ ଉପୁଜି ଅଛନ୍ତି ସମସ୍ତ ହାଥୀ

ସମୋଦ୍ର ମନ୍ଥନରୁ ସମସ୍ତ ଉତପତ୍ତି |୩୦୨|

ମନ୍ତ୍ର ବଳେ ଧବଳ ଯେ ମହାଗଜମାନ

ପାଦଭରେ ପୃଥୀଦେବୀ ହୋଉଛି କର୍ଦ୍ଦନ |୩୦୩|

ବାମ କରେ ଶଙ୍ଖ ଯେ ଡାହାଣେ ସୁଦ୍ରିଶେଣ

କଉମୋଦିକୀ ଗଦାବର ସେ ଶାରଙ୍ଗଧନୁ କରେଣ |୩୦୪|

ଚତୁର୍ଭୁଜେ ଚାରିଶହସ୍ର ଛନ୍ତି ରହି

ମହା ବିଶ୍ୱରୂପେ ତିନିପୁର ମୋହି |୩୦୫|

ହାଥୀବଳ ଘେନି ଯେ ଶ୍ରାକୃଷ୍ଣଂକୁ ଭେଟିଲେ

ଗରୁଡ଼ ପିଠିରେ ଥାଇ ଶ୍ରାକୃଷ୍ଣ ତାହା ଯେ ଦେଖିଲେ |୩୦୬|

ଗରୁଡ଼ ତେଜ ଦିଶଇ ବାଳ ଅର୍କ ପ୍ରାୟେ

ତହିଂକି ନୀଳବର୍ଣ୍ଣ ଯେ ଶ୍ରୀକୃଷ୍ଣର କାୟେ |୩୦୭|

ବିଜୁଳିର ତେଜ ଜାଣି ଦିଶନ୍ତି ସତ୍ୟଭାମା

କେ କହି ପାରିବ ଯେ ଶ୍ରୀକୃଷ୍ଣଂକ ମହିମା |୩୦୮|

ୟେସନେକ ରୂପ ଦେଖି ବିରସ ନାରକା

ଧାଇଂଣ ବଜ୍ର ମୂଷଳ ଯେ ମାଇଲା ରଣରଂକା |୩୦୯|

ଶ୍ରୀକୃଷ୍ଣ ଦେଖିଣ ଯେ ଦୂରୁ ବାଣ ମାରି

ଅଧାଚନ୍ଦ୍ର ବାଣେ କାଟିଲେ ତିନିଖଣ୍ଡ କରି |୩୧୦|

ସନ୍ନିଧ୍ୟେ ତାହାର ଯେତେକ ବଳ ଥିଲା

ପାଞ୍ଚବାଣ ମାରି ତାହା ଗରୁଡ଼ ନାଶ କଲା |୩୧୧|

ଆପଣେ ଶ୍ରୀକୃଷ୍ଣ ଯେ ଅନେକ ବାଣ ମାରି

ସଇନମାନେ ମାରନ୍ତି ଯେ ଖଣ୍ଡ ଖଣ୍ଡ କରି |୩୧୨|

କାହାର ଶିର ଚରଣ କାହାର ଭୂଜମାନ

ପ୍ରତି ପ୍ରତି କରି ଯେ କାଟନ୍ତି ଭିନ୍ନ ଭିନ୍ନ |୩୧୩|

ନାରକାସୁର ସଙ୍ଗତେ ଯେତେକ ବଳ ଥିଲେ

ସକଳ ନାଶ ଗଲେ ଯେ ଅଳପ ବ୍ରତିଲେ |୩୧୪|

ୟେକା ହୋଇଣ ଯେ ନାରକାସୁର ରହିଲା

ଶ୍ରୀକୃଷ୍ଣଂକ ସଂଗତେ ସେ ଅନେକ ଯୁଦ୍ଧ କଲା |୩୧୫|

ପ୍ରତଗ୍ୟାଂ କରିଣ ଯେ ଯୁଝୁଥିଲା ଦଇତ

ପଶୁପତ୍ର ବାଣ ପେଶି ତାହାର ମୁଣ୍ଡ କାଟିଲେ ଅନନ୍ତ |୩୧୬|

ନାରକାସୁର ମୁଣ୍ଡ ଯହୁଂ ଭୂମିରେ ପଡ଼ିଲା

ଜୟେ ଜୟେ ଶବଦ ଯେ ଆକାଶେ ଶୁଭିଲା |୩୧୭|

ପୃଥୀଦେବୀ ୟେସନେକ ଦେଖିଲେକ ଯହୁଂ

ଛାମୁରେ ମାୟେ ଯେ ହୋଇଲେକ ତହୁଂ |୩୧୮|

ଦିବ୍ୟଚକ୍ଷୁ ଘେନି ମାୟେ ଯେ ଚାହିଂଲେ ୟେକଚିତ୍ତେ

ଦେଖିଲେ ସରୂପ ଯେ ଶଙ୍ଖ ଚକ୍ର ଅଛି ହାଥେ |୩୨୦|

ନିସ୍ତରିଲି ନସ୍ତରିଲି ବୋଲି ଶୋଇଲା ଗଡ଼ଖାଲି

ଅନେକ ସ୍ତୁତି କରଇ କାର୍ପୂଣ୍ୟ ହୋଇ କରି |୩୨୧|

ଜୟ ଜୟ ନିରଞ୍ଜନ ପ୍ରଭୁ ନିରାକାର ଦେବସ୍ୱାମୀ

ଅଶେଷ କୋଟି ବ୍ରହ୍ମାଣ୍ଡେ ତୁହି ସେ ଅନ୍ତର୍ଯ୍ୟାମୀ |୩୨୨|

ଲକ୍ଷ୍ମୀର ବଲ୍ଲଭ ସ୍ୱାମୀ ତୁହି ଯେ ଦେବରାଜା

ଶୁକ ସଉନକ ମୁନି କରନ୍ତି ଯାହାକୁ ପାଦପୂଜା |୩୨୩|

ରୂପେ ରେଖ ବର୍ଣ୍ଣ ନାହିଂ ଯେ ତୋର ତିନି

ତୁହି ସେ ସଞ୍ଚିଲୁ ନାଥ ସଚରାଚର ମେଦିନୀ |୩୨୪|

ଜଳ ସ୍ଥଳ ଅନଳ ଯେ ସବୁଠାରେ ଅଛୁ ପୂରି

ଶୁଭାଶୁଭ କର୍ମ ଯେ ତୁ ପାରୁ ଆନ କରି |୩୨୫|

ଅକ୍ଷୟ ଅଜୟ ଅମର ତୁ ଯେ କଳ୍ପାନ୍ତେକ ପୁରୁଷ

ଭୂତ ଭବିଷ୍ୟ ବର୍ତ୍ତମାନ ସମସ୍ତ ତୋତେ ଦୃଶ୍ୟ |୩୨୬|

ମଦ ମଚ୍ଛର ଅହଂକାର ଶରୀରେ ତୋର ନାହିଂ

ଅଛିଦ୍ର ପୁରୁଷ ପୂର୍ଣ୍ଣାନନ୍ଦ ଅଛିଦ୍ରେ ଅଛୁ ରହି |୩୨୭|

ସ୍ୱାମୀ ମୂର୍ଖ ନାରାକସୁର ତୋତେ ସେ ନ ଚିହ୍ନିଲା

ଆପଣେ ଯାହା ଅରଜିଲା ସେ ତାହା ଭୋଗକଲା |୩୨୮|

ପ୍ରଭୁ ସଙ୍ଗେ ବିଗ୍ରହ କଲାକ ୟେଡ଼େ ମାନୀ

ମୁହିଂ ତୋହର ଦାସୀ ଅଟଇ ଦେବସ୍ୱାମୀ |୩୨୯|

ୟେତେ ବୋଲି ପୃଥୀଦେବୀ ହୋଇଲେ ପରିଣାମି ।୩୩୦।

ଶ୍ରା ଜଗନ୍ନାଥେ ବୋଇଲେ ପୃଥୀଦେବୀର ମୁଖ ଚାହିଂ

ଆଗୋ ଭାରାଭର ନିବାରିବାକୁ ଜାତ ହୋଇଅଛି ମୁହିଂ |୩୩୧|

ଆବର କଥାୟେକ ତୋତେ ଦେବାକ ଚିତୋଇ

ପାତାଳ ବଇକୁଣ୍ଠେ ମୋତେ ଗୁହାରି କଲୁ ଯାଇ |୩୩୨|

ଦୁଷ୍ଟାଂକର ଭରା ସହି ନୁଆରଇ ବୋଲିଣ ବୋଇଲୁ

ତୋହୋର ନିମନ୍ତେ ସିନା ତୋହୋର ପୁତ୍ରକୁ ମାଇଲୁଂ |୩୩୩|

ବୋଧ ବଚନେ ପୃଥୀଦେବୀ ଶାନ୍ତି ଯେ ହୋଇଲେ

ଅମୃତ କୁଣ୍ଡଳ ଦଣ୍ଡଛତ୍ର ତହୁଂ ଆଣିଦିଲେ |୩୩୪|

ଯେତେକ ଦ୍ରବ୍ୟ ସେ ନାରକାସୁର ନେଇଥିଲା

ଛାମୁରେ ପୃଥୀଦେବୀ ସମସ୍ତ ଯେ ଦିଲା |୩୩୫|

ପୁଣ ପ୍ରଳମ୍ବ କରି ଯେ ଯୋଡ଼ିଲା ବେନିକର

ପୃଥିଦେବୀ କହନ୍ତି ଯେ ପ୍ରଭୁଂକ ଆଗର |୩୩୬|

ଭୋ ବିଶ୍ୱନାଥ ମୋତେ ହୋଇବା ପ୍ରସନ୍ନ

ୟେ ନାରକାସୁର କୁମର ଭଗଦତ୍ତକୁ ଦେବା ଦାନ |୩୩୭|

ୟେ ତୋହୋର ପ୍ରାସାଦେ ଯେ ହୋଇଥାଉ ଅଭୟେ

ୟେହାର ମଥାରେ ଦେବ ପଦ୍ମଚରଣ ଦିୟେ |୩୩୮|

ପୃଥୀଦେବୀର ବଚନ ଶୁଣିଲେ ଚକ୍ରପାଣି

ଭଗଦତ୍ତକୁ କୃପା ଯେ କଲେ ତହୁଂ ପୁଣି |୩୩୯|

ଶ୍ରୀହସ୍ତେ ତୋଳିଣ ଶାଢୀ ତାହାକୁ ଯେ ଦିଲେ

ସେଠାରୁ ନବର ଭିତରକୁ ବିଜେ କଲେ |୩୪୦|

ନାରକାସୁର ଅନ୍ତପୂରେ ପ୍ରବେଶ ହେଲେ ଯାଇଂ

ଦେଖିଲେ ଷୋଳ ସହସ୍ର କନ୍ୟା ଅଛନ୍ତି ଯେ ରହି |୩୪୧|

ସେଠାରେ ଯାଇଣ ଶ୍ରୀଜଗନ୍ନାଥେ କଲେକ ବିଜୟେ

ସମସ୍ତ କନ୍ୟାମାନ ଦେଖନ୍ତି ଦେବରାୟେ |୩୪୨|

ଶ୍ରୀକୃଷ୍ଣ ମୁଖଗୋଟି ନୟନେ ଦେଖିଲେକ ଯହୁଂ

ମନେ ମନେ ପଡ଼ି କରି ଯେ ଆବୋରିଲେ ତହୁଂ |୩୪୩|

ବାଞ୍ଛା କଳ୍ପତରୁ ବୋଲି ଯେହୁ ନାମଗୋଟି ବହି

ସେ କନ୍ୟାମାନନ୍ତ କୃପା କଲେ ଭାବଗ୍ରାହୀ |୩୪୪|

ଘୁଟି ଚନ୍ଦନ ଲଗାଇ ସ୍ରାହାନ କରାଇଲେ

ଉତ୍ତମ ଦେବାଙ୍ଗ ବସନମାନ ପିନ୍ଧାଇଲେ |୩୪୫|

ହାନ୍ଦୋଳାରେ ବସାଇ ଦ୍ୱାରିକାକୁ ପଠିଆଇଲେ

ଦ୍ୱାରାବତୀ ପୁରେ ଯାଇଂ ପ୍ରବେଶ ହୋଇଲେ |୩୪୬|

ଅଇରାବ୍ରତ ଗଜ ଅଂଶେ ଯେତେକ ଗଜ ଜାତ

ମହାଗଜମାନଂକର ଚାରି ଚାରି ଦାନ୍ତ |୩୪୭|

ୟେସନେକ ପ୍ରକାରେ ବାଛିଲେ ଚଉଷଠି ଗଜ

ଦ୍ୱାରିକାରେ ଚାଳିଦିଲେ ତହୁଂ ଦେବରାଜ |୩୪୮|

ଉତ୍ତମ ବାଜୀ ଅଶ୍ୱମାନ ଯେତେକ ଥିଲେ

ସବୁ ଅଶ୍ୱମାନ ଦ୍ୱାରିକାକୁ ଚାଳିଦିଲେ |୩୪୯|

ୟେମାନନ୍ତ ଘେନି ଉଗ୍ରସେନ ବେଗେ ଚଳି

ସମ୍ଭବରେ ଗଜେ ଯେ ଦ୍ୱାରିକାରେ ମିଳି |୩୫୦|

ଇତି ଶ୍ରୀମହାଭାରଥ ନାରକାସୁର ଦେବବାଣୀ

ପାପାଧୀ ମହାପାତକ ଯେ ହରଇ ତାହା ଶୁଣି |୩୫୧|

ଅଗସ୍ତି ବୋଇଲେ ଶୁଣ ବିଲଂକେଶ୍ୱର ରାୟେ

ଇଦଂ ନାରକାସୁର ବଧ ସମାପତ ହୋୟେ |୩୫୨|

ୟେଥୁ ଅନନ୍ତରେ ବିଲଂକ ନୃପଣି

ଅଗସ୍ତି ମୁନିଂକି ପୁଚ୍ଛା କଲେ ପୁଣି ପୁଣି |୩୫୩|

ୟେଥୁ ଅନନ୍ତରେ ପୁଣ ହୋଇଲା କେବଣ ଚରିତ

ତାହା ବିସ୍ତାରି ମୋତେ କହିବା ତପୋବନ୍ତ |୩୫୪|

ବିଲଂକ ଦେଶ ରାଜାର ଯେ ନିର୍ମଳ ଚିତ୍ତ ଶୁଣି

ପୁରାଣ ପୁସ୍ତକ ଯେ ଫେଡ଼ିଲେ ମହାମୁନି |୩୫୫ |

ଆଗୋ ଦ୍ୱାରିକା ପୁରକୁ ସମସ୍ତ ଚାଳିଦିଲେ ଭାବଗ୍ରାହୀ

ସ୍ୱର୍ଗକୁ ଯିବାକୁ ସଜ ହେଉଛନ୍ତି ରହି |୩୫୬|

ଲେଉଟି ନାରାୟଣ ଗରୁଡ଼କୁ ପ୍ରଦକ୍ଷିଣ କରି

ଖଗେଶ୍ୱର ପିଠିରେ ବିଜେକଲେ ଦେବହରି |୩୫୭|

କରେ ଶଙ୍ଖ ଚକ୍ର ଗଦା ଆବୋର ଶାରଙ୍ଗ ଧନୁ

ନୀଳେନ୍ଦ୍ରୀ ଦଳ ପ୍ରାୟେ ଶୋଭିତ ଦିବ୍ୟତନୁ |୩୫୮|

ହୃଦରେ କଉସ୍ତୁଭ ମଣି ମୁକୁତା ସରି ମାଳ

ଆନନ୍ଦ କନ୍ଦ ରୂପ ଯେ ଧଇଲେ ନନ୍ଦବାଳ |୩୫୯|

ବିଦମୁଦି କଂକଣ ଜଗଦଳା ବଳୟା ବାହୁଟି

ମଣି ମାଣିକ୍ୟ ହୀରା ଯେ ବିରାଜଇ କୋଟି କୋଟି |୩୬୦|

ମୁକୁଟ କର୍ଣ୍ଣାଞ୍ଚଳ ଗଣ୍ଡସ୍ଥଳେ ଆଭା

ମୃଗମଦ କସ୍ତୁରୀ ଦ୍ୱାଦଶ ଚିତା ଦିବ୍ୟଶୋଭା |୩୬୧|

କଟିରେ ଝୀନ ବସନ କନ୍ଧରେ ପବିତ୍ରା

କୋଟି ମଦନ ରୂପ ପ୍ରଭୁ ଧଇଲେ ଜଗୁଜିତା |୩୬୨|

ଗରୁଡ଼ ପିଠିରେ ବିଜେକଲେ ଦେବସ୍ୱାମୀ

ଅମର ଭୁବନେ ବିଜେ ସେ ଦେବ ଅନ୍ତର୍ଯ୍ୟାମୀ |୩୬୩|

ଶ୍ରୀକୃଷ୍ଣ କୋଳରେ ବିଜେ କରିଛନ୍ତି ସତ୍ୟଭାମା

ଲକ୍ଷ୍ମୀନାରାୟଣ ମୂର୍ତ୍ତି ଦେବାକ ଉପମା |୩୬୪|

ତେତିଶି କୋଟି ଦେବ ଆସ୍ଥାନରେ ଥିଲେ ବସି

ଦେଖିଲେ ଖଣ୍ଡେ ଦୂରେ ଆସୁଛନ୍ତି ହୃଷୀକେଶୀ |୩୬୫|

ତକ୍ଷଣେ ଦେବଗଣ ଆସ୍ଥାନ ତେଜି ଉଠି

ଇନ୍ଦ୍ର ଦେବତା ସହିତେ ବାଟକୁ ଅଇଲେ ପାଛୋଟି |୩୬୬|

କରପତ୍ର ଯୋଡ଼ି ସମସ୍ତ ହୋଇଲେକ ଉଭା

କ୍ଷୀର ସମୁଦ୍ରେ ଯେସନେକ ଶ୍ୱେତନାଗ ଶୋଭା |୩୬୭|

ସକଳ ଦେବତାମାନେ ଯେ ଦେଖିଲେ ନାରାୟଣ

ଗରୁଡ଼ ପିଠିରୁ ଓହ୍ଲାଇଲେ ତତକ୍ଷଣ |୩୬୮|

ଦେବତାମାନେ ଆସ୍ଥାନେ ବିଜେକଲେ ଯାଇଂ

ସତ୍ୟଭାମା ଦେବୀ ବିଜେ କଲେ ଅନ୍ତପୁରକଇଂ |୩୬୯|

ବୃହସ୍ପତି ବୋଇଲେ ଶ୍ରୀକୃଷ୍ଣ ଆଗମ କାହିଂକି

ଠାକୁରେ କହିଲେ ଆମ୍ଭେ ଅଇଲୁ ଯହିଂକି |୩୭୦|

ବୋଇଲେ ଆମ୍ଭେ ସମୟେ ଗୋପପୁରେ ଥିଲୁ

କଂସକୁ ମାରି ଆସି ମଥୁରାରେ ରହିଲୁ |୩୭୧|

ତହିଂକି ଲାଗିଲା ଯେ ଜାରାସନ୍ଧ ଭୟେ

ନିରନ୍ତରେ ଧାଡ଼ିଦିଲା ଯେ ଅଷ୍ଟାଦଶବେଳ ପ୍ରାୟେ |୩୭୨|

ସମସ୍ତ ରାଜ୍ୟଯାକ ହୋଇଲା ନିରେଖ

ପଳାଇ ପଳାଇ ଯାଦବେ ପାଇଲେ ଅତି ଦୁଃଖ |୩୭୩ |

ତେଣୁ କରି ମଥୁରା ଆମ୍ଭେ ଯେ ଛାଡ଼ିଲୁ

ଦ୍ୱାରାବତୀ ପୁରେ ଆଶ୍ରମ ଯାଇଂ କଲୁ |୩୭୪|

ତୁମ୍ଭେ ତହିଂକି ଅବଧାନ କରୁଥିବି ନିତି

ନିରନ୍ତର ଲାଗିଲା ଆମ୍ଭନ୍ତ ଅସୁରଂକ ଭୀତି |୩୭୫|

ଦେବଗଣେ ବୋଇଲେ ତୁ ଯେ ବହୁ ଦନୁଜାନ୍ତକ ବାନା

କଳ୍ପଣା କାମନିଧି ଅଟୁ ସଂକଟ ସେହ୍ନା |୩୭୬|

ଭାରାଭର ନିବାରଣ ଅର୍ଥେ ଯେ ହୋଇଅଛୁ ଅବତାର

ସଂସାର ସମୁଦ୍ରକୁ ତୁ ଯେ ନାଉକା କର୍ଣ୍ଣଧାର |୩୭୭|

ତୋହୋର ଥାପିଲାର ଆମ୍ଭେ ଯେ ସମସ୍ତେ ଦେବତା

ଭଗତ ବାନ୍ଧବ ତୁ ଯେ ପ୍ରଭୁ ଜଗୁଜିତା |୩୭୮|

ତୁହି ଯେ ସ୍ୱର୍ଗକୁ ବିଜେ କଲୁ ଦେବରାୟେ

ନିଚିନ୍ତ ହୋଇଲୁ ଆମଭେ ଯେ ସମସ୍ତ ଦେବତାୟେ |୩୭୯|

ତୁ ଯେ ଦ୍ୱାରିକା ଭୁବନେ ରହିଲୁ ହୃଶିକେଶୀ

ୟେବେ ଆମ୍ଭେ ନିଚିନ୍ତ ଯେ ହୋଇଲୁ ସ୍ୱର୍ଗବାସୀ |୩୮୦|

ଅନେକ ପ୍ରକାର ଯେ ଦେବତାୟେ ବୋଧି କହି

ସତ୍ୟଭାମାନ୍ତ ଘେନି ଶ୍ରୀକୃଷ୍ଣ ତହିଂ ରହି |୩୮୧|

ୟେସନେକ ସ୍ୱର୍ଗପୁରେ ରହିଲେ ଦିନାକେତେ

ସତ୍ୟଭାମା ରହିଲେ ଶଚୀଂକ ସଂଗତେ |୩୮୨|

ୟେକଦିନେ ରମ୍ଭା ଉର୍ବଶୀ ମେନକା

ସତ୍ୟଭାମାଂକୁ ଦ୍ରଶନ କଲେ ଯେ ତିନି ନାୟେକା |୩୮୩ |

ଶଚୀ ଆଦିକରି ସମସ୍ତେ ବସିଥିଲେକ ସଭା

ୟେସନେକ ସମୟେ ଆସୁଛନ୍ତି ଯେ ପାରିଜାତକ ଗଭା |୩୮୪|

ଆତୋ ଆତୋ ବୋଲି ଯେ ପାଟଛତ୍ର ଧରାଇ

ଲୋକନ୍ତ ଘଉଡ଼ନ୍ତି ଯେ ବାଜଣା ବଜାଇ |୩୮୫|

ୟେସନେକ ପ୍ରକାର ଯହୁଂ ସତ୍ୟଭାମା ଦେଖିଲେ

ରମ୍ଭାର ମୁଖ ଚାହିଂ ସତ୍ୟଭାମା ପଚାରିଲେ |୩୮୬|

ଦାଣ୍ଡରେ କିସ ଗୋଳ ଗୋ ଶୁଭୁଅଛି ସଖୀ

ରମ୍ଭା କହୁଅଛି ସତ୍ୟଭାମାଂକ ମୁଖ ଦେଖି |୩୮୭|

ଶ୍ରୀକୃଷ୍ଣ ବଲ୍ଲଭୀ ଗୋ ଅଛ ଜାତ ହୋଇ

ପାରିଜାତ ପୁଷ୍ୟର କଥା ତୁମ୍ଭର ଶୁଣିଲ କି ନାହିଂ |୩୮୮|

ଅପୂର୍ବଫୁଲ ଫୁଟଇ ଗୋ ସୁବର୍ଣ୍ଣର ଜ୍ୟୋତି

ପଞ୍ଚାଶ ଯୋଜନ ପରିପନ୍ତେ ପୁଷ୍ୟ ଚହଟଇ ଚଉକତି |୩୮୯|

ସମ୍ପୂର୍ଣ୍ଣ ବରଷେ ଫୁଟଇ ୟେକ କଢି

ବେନି ବରଷେ ଉତ୍ତାରୁ ବୃକ୍ଷର ପତର ପଡ଼ଇ ଯେ ଝଡ଼ି |୩୯୦|

ଆଂକୋଡ଼ି ବଢାଇ ପୁଷ୍ୟ ତୋଳନ୍ତି ତୋଟାଳେ

ଇନ୍ଦ୍ର ଦେବତାନ୍ତ ନିଯୋଗ ଗଭାୟେ ଶଚୀଂକ ନିତ୍ୟ ମାଳେ |୩୯୧|

ଆବର ଯେତେକ ପୁଷ୍ୟମାନ ଉବୁରନ୍ତି

ଅଗ୍ନିରେ ପୋଡ଼ି ପାଉଂଶ ହୋଇଲେ ସମୋଦ୍ରେ ମେଲନ୍ତି |୩୯୨|

ଇନ୍ଦ୍ର ଇନ୍ଦ୍ରାୟେଣୀ ସେ ପୁଷ୍ୟ ଘେନନ୍ତି ଯେ ୟେକା

ସମୁଦ୍ର ମନ୍ଥନ କାଳେ ସେ ଉପୁଜିଲା କଳପ ଶାଖା |୩୯୩|

ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ ସେ ଉତ୍ତମ ତରୁବର

ତିନି ଭୁବନେ ତାହାକୁ ନାହିଂ ପଟାନ୍ତର |୩୯୪|

ପାଚିଲା ପୁଷ୍ୟ ବୃକ୍ଷୁଂ ପଡ଼ନ୍ତେଣ ଝଡ଼ି

ପବନ ଆତପେ ସେ ଅନ୍ତରୀକ୍ଷେ ଯାଇ ଉଡ଼ି |୩୯୫|

ୟେସନେକ ବାକ୍ୟ କହୁଂ ରମ୍ଭା ଦିବ୍ୟବାଣୀ

ସାନନ୍ଦ ହୋଇଲେ ଯେ ସତ୍ୟଭାମା ଶୁଣି |୩୯୬|

ମନେ ମନେ ବିଚାର କରନ୍ତି ଯେ ଦେବୀ

ଶ୍ରୀକୃଷ୍ଣଂକୁ ମାଗି ଯେ ଦ୍ଵାରିକାକୁ ନେବି |୩୯୭|

ୟେସନେକ ବିଚାରି ଦେବୀ ଭିତରକୁ ଉଠିଗଲେ

ତହୁଂ ରମ୍ଭା ମେନକା ଉର୍ବଶୀ ଚଳିଗଲେ |୩୯୮|

ଶୁଣ ଆହୋ ବିଲଂକ ଦେଶ ରାଜା ବଦନ୍ତି ମହାମୁନି

ଇତି ଶ୍ରୀମହାଭାରଥ ପୁରାଣ ପୁଣ୍ୟ ଧୁନି |୩୯୯|

ୟେଥୁ ଅନନ୍ତରେ ଯେ ଆସ୍ତାନ ମଉଳାଇଲେ

ସମସ୍ତ ଦେବତାମାନେ ଯେ ଯାହା ପୁରକଇଂ ଗଲେ |୪୦୦|

ଇନ୍ଦ୍ର ଦେବତାଂକ ପୁରେ ବିଜେ କଲେ ଦେବହରି

ନିତ୍ୟକର୍ମ ବେଭାର ସାରି ମୁଣୋହିରେ ବିଜେ କରି |୪୦୧|

ସମସ୍ତ ଦେବତା ମାନନ୍ତ ଘେନିଣ ସୁରଶ୍ରେଷ୍ଠି

ନାନା କଉତୁକ ରଙ୍ଗେ ନିରନ୍ତରେ ଥାନ୍ତି ଖଟି |୪୦୨|

ସତ୍ୟଭାମାନ୍ତ ଘେନି ପ୍ରଭୁ ହୃଷୀକେଶ

ଇନ୍ଦ୍ର ଦେବତାଂକ ଗଉରୋବ ପାଇଣ ରହିଲେ ଦିନ ଦଶ |୪୦୩|

ଭୋଜନ ଶୟନ ଅଭେଦ କରୁଥାନ୍ତି ମଘବା

ଶଚୀ ଆଦି କରି ସମସ୍ତେ କରିଥାନ୍ତି ସେବା |୪୦୪|

ୟେଥୁ ଅନନ୍ତରେ କେତେହେଂକେ ଦିନ ଯାନ୍ତେ

ଶ୍ରୀକୃଷ୍ଣ ଛାମୁରେ ସତ୍ୟଭାମା କହିଲେ ୟେକାନ୍ତେ |୪୦୫|

ସାବଧାନେ ଶୁଣିମା ଦେବ ତ୍ରଇଲୋକ୍ୟ ଗୋସାଇଂ

ପାରିଜାତକ ପୁଷ୍ୟ ଗଛ ଦ୍ଵାରିକାକୁ ନେବି ମୁହିଂ |୪୦୬|

ଶ୍ରୀ ଜଗନ୍ନାଥେ ବୋଇଲେ ଇନ୍ଦ୍ର ଦେବତାଂକ ଅଟଇ ସେ ପାଟ

ସେ ତରୁକୁ ଇନ୍ଦ୍ରଂକର ବହୁତ ଆକଟ |୪୦୭|

ଚାଲ ସେ ପୁଷ୍ୟ ତୁମ୍ଭନ୍ତ ଦେଖାଇବା ୟେକାନ୍ତେ

କଉତୁକେ ବିଜେକଲେ ସତ୍ୟଭାମା ଜଗନ୍ନାଥେ |୪୦୮|

ଥୋକାୟେ ବିଶ୍ଵାସ ଲୋକ ଗୋଡ଼ାଇଛନ୍ତି ସଙ୍ଗେ

ୟେହିରୂପେ ସେ ଚଳିଯାନ୍ତି ଶୂନ୍ୟମାର୍ଗେ |୪୦୯|

ଆକାଶଗଙ୍ଗା ତୀରେ ଗଉରୀ ତୀର୍ଥ ଜିଣି

ନନ୍ଦନବନ ଜିଣନ୍ତେ ସତ୍ୟଭାମା ଠାକୁରାଣୀ |୪୧୦|

ନନ୍ଦନବନେ ପ୍ରବେଶ ହୋଇଲେ ବେଗେ ଯାଇଂ

ଗରୁଡ଼ ପିଠିରେ ବିଜେ ସତ୍ୟଭାମା ଭାବଗ୍ରାହୀ |୪୧୧|

ଫଳିତ ପୁଷ୍ୟ ତରୁ ଯେ ଅତ୍ୟନ୍ତ ଶୋଭା ପାନ୍ତି

ଧାଡ଼ି ଧାଡ଼ି ରେଖ ଅପୂର୍ବ ବୃଷାଳ ପନ୍ତି ପନ୍ତି |୪୧୨|

ଅଷ୍ଟରତ୍ନ ଚଉରା ବେଦୀ ସବୁ ବୃକ୍ଷଂକର ମୂଳେ

କର୍ପୂର ପନିର ପାଣି କ୍ଷତ ବୃକ୍ଷଂକର ତୁଲେ |୪୧୩|

ଅବସନ୍ତେ ବସନ୍ତ ଯେ ବହଇ ଘନ ଘନ

ଫଳିତ ପୁଷ୍ୟତରୁ ବିସ୍ତାର ଶୋଭାବନ |୪୧୪|

ମନ୍ଦ ଗନ୍ଧ ସୁଶୀତଳ ଲତା ବହି ବାୟେ

ସୁରସିଦ୍ଧ ମୁନିଂକର ଯେ ପୁଲକିତ କାୟେ |୪୧୫|

ଧନ୍ୟ ସେ ନନ୍ଦନବନ କିସ ପଟାନ୍ତର ଦେବା

ଵୃଦ୍ଧାୟେ ପଶିଲେ ତହିଂ ହୁଅନ୍ତି ନବଯୁବା |୪୧୬|

ଚତୁର୍ଦ୍ଦଶ ଭୁବନେ ଯହିଂ ଅପୁର୍ବ ପୁଷ୍ୟ ଥିଲେ

ନନ୍ଦନବନେ ନେଇ ସମସ୍ତେ ଠାବ କଲେ |୪୧୭|

ଜାଇ ଯୁଇ ମଲ୍ଲୀ ମଳତୀ ପୁଷ୍ୟ ନାନା

ପୁନାଙ୍ଗ ପାଟଳ ବକୁଳ ନାଗେଶ୍ଵର ଛୁରୀଅନା |୪୧୮|

ଅଶୋକ କେତକୀ କଞ୍ଚଣ କଣେଅର

ପ୍ରଫୁଲ ବୋଲାଉଳ ତରାଟ ଟଗର |୪୧୯|

ସେବତୀ ଶତଦଳକରୁଣା ଗନ୍ଧବତୀ

ପଦ୍ମ କୋକନଦ କୁମୁଦ ଚନ୍ଦ୍ରକାନ୍ତି |୪୨୦|

ବଟାହୁଳ ମଞ୍ଜୁଳ ଦୟଣା ମରୁଆ କୁରୁବେଲି

ନାନା ବର୍ଣ୍ଣେ ତରୁ ଅଛନ୍ତି ଫୁଟି ଫଳି |୪୨୧|

ପାଟୋଳୀ ଗଙ୍ଗଶିଉଳି ଆବର ସୁଗନ୍ଧିକା

ଦାରାକ୍ଷପେଣ୍ତି ଖଜୁରୀ ଫଳିତ ଦିବ୍ୟ ଶାଖା |୪୨୨|

ଅଗ୍ର ଚନ୍ଦନ ସରଳ ମଳୟ ଦେବଦାରୁ

ଆମ୍ଵ ପଣସ ଗୁଆ କଦଳୀ ନଟୀକାଲ ତରୁ |୪୨୩|

ଚାର ନାରଙ୍ଗ କ୍ଷୀରକୋଳି ଭଇଞ୍ଚ ରାମଗୁଆ

କୋଳାହଳ ଧ୍ଵନି ଯେ କରନ୍ତି ଶାରୀ ଶୁଆ |୪୨୪|

ମୟୂର ଶାରୀ ଶୁଆ କ୍ରୋକଟ ଡାହୁକ

ବୃକ୍ଷର ଉପରେ ଉଠି ଡାକନ୍ତି ଦିବ୍ୟ ଡାକ |୪୨୫|

କେନ୍ଦୁ କପିଥ ଟଭା କରମଙ୍ଗା ବରକୋଳି

ଫଳନ୍ତି ବାରମାସେ ସ୍ଵାଦ ଅମୃତ ସରି |୪୨୬|

ଲବଙ୍ଗ ଜାଇଫଳ ଅଳାଇଚ କାଂକୋଳା

ମରିଚ ମହାରା ୟେକୁ ଆରେକ ଭଲା |୪୨୭|

ଗୁଡତ୍ଵକ ଯାଷ୍ଟିମଧୁ ମତ୍ତାହୋଳ ଗଣ୍ଠିଅନା

ଅମୃତ ସ୍ଵାଦଫଳ କେ କରିବ ଗଣନା |୪୨୮|

ୟେକ ୟେକ ନାମଧରି କହନ୍ତେ ଅନ୍ତ ନାହିଂ

ଅନେକ ଯତ୍ନେ ତାହା ସଞ୍ଚିଲେ ଶଚୀସାଇଂ |୪୨୯|

ଅଶିଲକ୍ଷ ତୋଟାଳିଆ ୟେ ବୃକ୍ଷମାନନ୍ତ ପ୍ରତିପାଳି

ବତିଶଲକ୍ଷ ଗନ୍ଧର୍ବେ ସେ ତୋଟାକୁ ରଖୁଆଳି |୪୩୦|

ଇକ୍ଷୁ ଆମ୍ଵ ଯେ ତେନ୍ତୁଳି ଜାଇଫଳ

ଅମୃତ ଅପୂର୍ବ ଫଳ ପାଚି ପଡ଼ନ୍ତି ବୃକ୍ଷଂକର ତଳ |୪୩୧|

ତେଣ୍ତା କୋଡ଼ା ବୃକ୍ଷମାନଂକର ତଳକୁ ବିଳାନ୍ତି ପାଣି

ବୃକ୍ଷନ୍ତ ପ୍ରତିପାଳିତ ତୋଟାଳେ ଯେ ଯାହା ବେଳ ଜାଣି |୪୩୨|

ସାନନ୍ଦେ ଶ୍ରୀକୃଷ୍ଣ ସତ୍ୟଭାମାନ୍ତ ଘେନି ସଙ୍ଗେ

ନନ୍ଦନବନ ତୋଟାରେ ବିହରନ୍ତି ନାନାରଙ୍ଗେ |୪୩୩|

ଗମନ୍ତେ ମିଳିଲେ ଯାଇ ପାରିଜାତକ ତରୁତଳେ

ବିସ୍ତାର ଅମର ବୃକ୍ଷ ଅତ୍ୟନ୍ତ ବୃଷାଳେ |୪୩୪|

ବେନି ଯୋଜନ ଉତ୍ସର୍ଗ ଯୋଜନେକ ପ୍ରତି

ପତ୍ର ପତ୍ରକେ ଧରଇ ଆନେ ଆନେ ମୂର୍ତ୍ତି |୪୩୫|

କୋଶେକ ଓସାର ମୂଳ ଅଷ୍ଟରତ୍ନରେ ଚଉରା

ମଧ୍ୟାହ୍ନ ଆଦିତ୍ୟ ଜାଣି ମଣିମଣିକ୍ୟ ହୀରା |୪୩୬|

ପଞ୍ଚଯୋଜନ ଆୟତନେ ପାଚେରୀ ଅଂକିବେଢି

ଆବର୍ତ୍ତକ ସମ୍ଵର୍ତ୍ତକ ଦ୍ରୋଣ ଯେ ପୁଷ୍କର ମେଘ ଚାରି |୪୩୭|

ଉପରେ ଛାମୁଣ୍ତିଆ ହୋଇଛନ୍ତି ଦଣ୍ତ ଧରି |୪୩୮|

ଲକ୍ଷେକ ପାହାରୀ ଯେ ଜଗନ୍ତି ବାହାରେ

ଚନ୍ଦ୍ର ସୂର୍ଯ୍ୟ ରଖୁଆଳ ହୋଇଛନ୍ତି ନିରନ୍ତରେ |୪୩୯|

ଅପୂର୍ବ ଫୁଲ ଫୁଟଇ ସୁବର୍ଣ୍ଣର ଜ୍ୟୋତି

ପୁଷ୍ୟ ଦେଖିଣ ଶ୍ରଦ୍ଧା ଯେ କଲେ ଶକ୍ରାବତୀ |୪୪୦|

ଭୋ ଦେବ ତୁମ୍ଭେ ଯେ ବୋଇଲ ଆମ୍ଭେ ଶକ୍ରାବତୀର ସାଇଂ

ୟେସନେକ ପୁଷ୍ୟ ଆମ୍ଭର ଦେଖିଲାତ ନାହିଂ |୪୪୧|

ୟେ ପୁଷ୍ୟ ତରୁବର ଗୋଟି ଆମ୍ଭ ଦ୍ଵାରକୁ ନେବା

ମୋହୋର ପୁରେ ନେଇ ୟେ ପୁଷ୍ୟ ଥାପିବା |୪୪୨|

ସତ୍ୟଭାମାଂକର ଯହୁଂ ବହୁତ ଶ୍ରଦ୍ଧା ଦେଖିଲେ

ହୋଉ ନେମା ବୋଲି ପାରିଜାତକ ଵୃକ୍ଷ ଉପାଡ଼ିଲେ |୪୪୩|

ହୁଂକାର ନାଦ କରି ଉପାଡ଼ିଲେ ପାରିଜାତକ ବୃକ୍ଷ

ଗରୁଡ଼ ଉପରେ ନେଇ ଥାପିଲେ ଶ୍ରୀବଚ୍ଛ |୪୪୪|

ଗରୁଡ଼ ମୁଖ ଚାହିଂଣ ପ୍ରଭୁ ଆଗ୍ୟାଂ ଦିଲେ

ଦ୍ଵାରିକାପୁରକଇଂ ବେଗେ ଚାଲବୋଲି ବୋଇଲେ |୪୪୫|

ଗନ୍ଧର୍ବମାନେ ଯେ ତୋଟା ରଖିଥିଲେ

ଇନ୍ଦ୍ର ଦେବତା ଛାମୁରେ ଯାଇଂ ଜଣାଇଲେ |୪୪୬|

ସାବଧାନେ ଶୁଣ ତୁମ୍ଭେ ଶଚୀଦେବୀର ସାଇଂ

ପାରିଜାତକ ପୁଷ୍ୟବୃକ୍ଷ ଉପାଡ଼ି ନେଲେ ଭାବଗ୍ରାହୀ |୪୪୭|

ଗନ୍ଧର୍ବଂକ ମୁଖୁଂ ଇନ୍ଦ୍ର ବାରତା ପାଇଲେ

ଶ୍ରୀକୃଷ୍ଣଂକୁ ଆସି ବେଗେଣ ଉଗାଳିଲେ |୪୪୮|

ଅଇରାବ୍ରତ ପିଠିରେ ବିଜେ କରିଣ ମଘବାନ

ଗରୁଡ଼ ପିଠିରେ ଦେବ ତ୍ରିଦଶ୍ୟ ଦେବ କାହ୍ନ |୪୪୯|

ଶତେପୁର କରି ଗନ୍ଧର୍ବେ ବେଢିଲେକ ଯାଇଂ

ବୀରବେଶ ହୋଇଛନ୍ତି କରେଣ ଶହସ୍ର ବହି |୪୫୦|

ରହ ରହ ବୋଲି ବେଗେ ଓଗାଳିଲେ ଯାଇଂ

ଛୟାଣୋଇଂ କୋଟି ଗନ୍ଧର୍ବେ ବେଢିଛନ୍ତି ସବୁ ତହିଂ |୪୫୧|

ରାଗେଣ ଦେବ ଇନ୍ଦ୍ର ଗନ୍ଧର୍ବଂକୁ ଡାକ ଦିଲା

ବେଢିଣ ସମସ୍ତେ ମାର ବୋଲିଣ ବୋଇଲା |୪୫୨|

ଧର ଧର ମାର ମାର ପଡ଼ିଲାକ ମହାଗୋଳ

ନିଶଂକେ ଚଳାଇଅଛନ୍ତି ବସୁଦେବଂକର ବାଳ |୪୫୩|

କୋପେଣ ଡାକ ଦିଲା ଶଚୀଦେବୀର ସାଇଂ

ରହ ରହ ଗଉଡ଼ ଆଜ କାହିଂ ଯିବୁରେ ପଳାଇ |୪୫୪|

ଗଉଡ଼ ବାଉଡ଼ ହାଉଡ଼ ତୁହି ଯେ ଅଟୁ ମନ୍ଦଜାତି

ତିନି ନାମ ବହୁ ତୁମ୍ଭର କିସ ଗତି |୪୫୫|

ଗୋହତ୍ୟା ସ୍ତିରିହତ୍ୟା କାଦମ୍ଵରୀ ପାନ କଲୁ

ରଖୁଆଳଂକ ସଙ୍ଗତେ ବାଛୁରୀ ଚରାଇଲୁ |୪୫୬|

ମାଉସୀ ପିଉସୀ ଯେ ଦେଠୋଇ ମଉଳାଣୀ

ସବୁନ୍ତି ହରିଲୁ ତୁ ବନସ୍ତ ଭିତରେ ଆଣି ।୪୫୭।

ଆଡ଼ଚରା ଯୁବତୀଂକି କଲୁ ଚଉର୍ଯ୍ୟ ବନ୍ଧେ ରତି

ଆନ ଯୋନିରେଣ ଚିତ୍ତ ନୁହଇ ତୋହୋର ସଂଜାତି ।୪୫୮।

ସୋଦର ମଉଳାଂକୁ ସଂହାଥେ ବଧକଲୁ

ପିତୃଦ୍ରୋହ ରାଜଦ୍ରୋହ ପାତକ ଅର୍ଜିଲୁ ।୪୫୯।

ଗଉଡ଼ଂକ ଅନ୍ନ ତୁ ଯେ ସମୟେ ଅଛୁ ଖାଇ

ଅଷ୍ଟ ବରଷ ପର୍ଯ୍ୟନ୍ତେ ଥିଲୁ ତହିଂ ରହି ।୪୬୦।

ଆବର ପାତକ ତୁ କରିଅଛୁ ଯେତେ

ୟେକେ ୟେକେ ନାମ ଧରି କହିବାକ କେତେ ।୪୬୧।

ସ୍ତିରୀହତ୍ୟା ପ୍ରତକ୍ଷେ ଥୋକାୟେ ତାହା ଜାଣୁ

ଆପଣାର କଥା କି ତାହା ଆପଣେ ନ ଜାଣୁ ।୪୬୨।

ମିଛେହେଂ ନାରାୟଣ ପଣେ ହୋଉ ଟାଣି

ନଟେ କହନ୍ତି ଯେ ବଢାଣିଆ ବାଣୀ ।୪୬୩।

ଆଜ ଜାଣିବାନା କେମନ୍ତେ ଯିବୁ ବର୍ତ୍ତି

ଆକ୍ରଷଣ ପୂରୋଇ ଆଜ ଦଣ୍ଡିବ ଜନ୍ତୁପତି ।୪୬୪।

ଆହେ ସାଧୁଂକର ସଦବିଦ୍ୟା ସଦକର୍ମ ଜୀବିକା

ସଂସାରେ ଜାତ ହୋଇ ସେହି ଶ୍ରେଷ୍ଠ ଲେଖା ।୪୬୫।

ଜଗନ୍ନାଥେ କୋପକଲେ ଇନ୍ଦ୍ର ବଚନ ଶୁଣି

କାଳସର୍ପ ଜାଣି କୋପେ ଗର୍ଜନ୍ତି ଚକ୍ରପାଣି ।୪୬୬।

ନୟନ କାଳଚକ୍ର ଅଧରେ ଦନ୍ତ ଚାପି

ବୋଇଲେ ଆମ୍ଭନ୍ତ ନିନ୍ଦା କଲୁ ଯେ ହୋଇଲୁ ମହାପାପୀ ।୪୬୭।

ଅଗ୍ୟାନ ପାମର ତୁ ହୋ ଅଳପ ତୋର ବୁଦ୍ଧି

କି ଅବା ଆବୋରିଲା ତୋତେ ଭୂତ ପ୍ରେତ ବ୍ୟାଧି ।୪୬୮।

ଆମ୍ଭେ ବିଶ୍ୱନାଥ ତୁ ଆମ୍ଭନ୍ତ ବୋଲୁ ମନ୍ଦ

ଆୟୁଷ କ୍ଷୟ ହୋଇଲା ତୁଟିଲା ତୋର ସମ୍ପଦ ।୪୬୯।

ୟେ ବଚନ ଶୁଣି ଇନ୍ଦ୍ର ଦେବତା ବୋଇଲେ

ସାନ ବଡ଼ ଜାଣି ସିନା ୟେଥୁଂ ଉବୁରି ଗଲେ ।୪୭୦।

ପୁଣି ଇନ୍ଦ୍ର ଦେବତା ହୋଇଲେ ବିକରାଳୀ

ଆକ୍ରେଷି ଧନୁ କରେ ଧଇଲେକ ତୋଳି ।୪୭୧।

ଗୁଣ ଟଂକାର କରି କୋଦଣ୍ଡ ଆମଞ୍ଚନ କଲେ

ବାବଲ ଦଶବଣ ଯେ ଗୁଣରେ ବସାଇଲେ ।୪୭୨।

ଭୂମିକି ଦୃଷ୍ଟି ଦେଇଯେ ବିନ୍ଧିଲେ ସ୍ଥିର କରି

ଗରୁଡ଼ ଡୋଣାରେ ବାଜି ପଡ଼ିଲା ଉପୁଡ଼ି ।୪୭୩।

ଗନ୍ଧର୍ବେ ବେଢିଲେ ଯେ ଶତେପୁର କରି

କରେ ଧନୁ ଧରି ଯେ ମାରନ୍ତି ଯେ ଯାହାରି ।୪୭୪।

କେ ଦଶ ତିରିଶ କେ ବିଂଶ ପଞ୍ଚିଶ ମାରନ୍ତି

ୟେକାୟେ ଗଉଡ଼ ଯେ ସମସ୍ତ ନିବାରନ୍ତି ।୪୭୫।

ଶ୍ରାବଣ ମାସେ ଯେହ୍ନେ କରଇ ଜଳ ବୃଷ୍ଟି

ସେହି ରୂପେ ଗନ୍ଧର୍ବେ ବାଣ ମାରନ୍ତି ହେଟି ।୪୭୬।

ଗଦା ମୁଦୁଗର ଯେ ମାରନ୍ତି ତୁହାଇ

ଗରୁଡ଼ ପିଠିରେ ପଡ଼ି ସମସ୍ତ ଚୂର ହୋଇ ।୪୭୭।

ଗର୍ଜିଣ ଉଠିଲା ଯେ ବିନତାର ସୁତ

ଦେଖିଣ ଗନ୍ଧର୍ବେ ଯେ ପଳାଇଲେ ଛିନ୍ନଛତ୍ର ।୪୭୮।

ବଳଂକର ଭଗ୍ନ ଦେଖିଣ ସୁନାଶୀର

ଧାତିକାରେ ଟେକିଲା ନେଇ ଅଇରାବ୍ରତ କରୀବର ।୪୭୯।

ଶ୍ରୀଜଗନ୍ନାଥେ ତାହା ଦେଖିଲେ ଦୂରେ ଥାଇ

କୋଠାର ନାରାଜ ବେଗେ ବିନ୍ଧିଲେ ତୁହାଇ ।୪୮୦।

ହାଥୀର କୁମ୍ଭ ସ୍ଥଳେ ଯେ ବାଣ ପଡ଼ିଲା ବଜ୍ର ଘୋଟି

ଛଇଛାଡ଼େ ବାଣ ଯେ ଗଲାକ ଦେହେ ଫୁଟି ।୪୮୧।

ପୁଣିହିଂ ତୀକ୍ଷମୁନା ପାଞ୍ଚଶର ଘେନିଲେକ ବେଗେ

ପଛେ ମାହୁନ୍ତଂକୁ ଯେ ମାଇଲେ ଅତି ରାଗେ ।୪୮୨।

କତୁରୀ ପାଞ୍ଚବାଣ ପୂରୋଇଲେ ଧାତିକାରେ

ସେ ବାଣ ବାଜିଲା ଯାଇ ଅଇରାବ୍ରତ ଉପରେ ।୪୮୩।

ଫୁଟିଣ ଅଇରାବ୍ରତ ଆଉ ନୁଆରିଲା ଚଳି

ପଛଆଡ଼େ ଗରୁଡ଼ ଚଳଇ ମହାବଳୀ ।୪୮୪।

ଗନ୍ଧର୍ବ ସଇନ ଯେ ଆବୋରି ରହିଥିଲେ

ଗରୁଡ଼କୁ ଦେଖି ଛିନ୍ନଛତ୍ରେ ପଳାଇଲେ ।୪୮୫।

ମହା ବିଶ୍ୱରୂପ ଧଇଲେକ ଅତିବେଗେ

ଦିବସେ ଅନ୍ଧକାରମୟେ ଦିଶିଲାକ ସ୍ୱର୍ଗେ ।୪୮୬।

ଆକାଶ ମାର୍ଗେ ଗରୁଡ଼ ଯେ ଆସୁଅଛି ଉଡ଼ି

ମହାଘୋର ଶବଦ ଗର୍ଜନ ସିଂଘରଡ଼ି ।୪୮୭।

ଦେଖିଣ ଜମ୍ଭୋଭେଦୀ କୋପେଣ ବିକରାଳୀ

ବାବଲ ଶହସ୍ର ବାଣ ବିନ୍ଧିଲେ ମହାବଳୀ ।୪୮୮।

ଆକାଶେ ଯେସନେକ ଉଡ଼ଙ୍ଗେ ଆସନ୍ତି ଉଡ଼ି

ଗରୁଡ଼ ପିଠିରେ ବାଣ ପଡ଼ି ପଡ଼ଇ ଉପୁଡ଼ି ।୪୮୯।

କଥାର ବେଗ୍ରେ ହରି ଯେ ଶହସ୍ର ବାବଲ ତୀକ୍ଷ

ଖରଷଣ ମନଭେଦୀ ସନ୍ଧିଲେ ଅନ୍ତରୀକ୍ଷ ।୪୯୦।

ଇନ୍ଦ୍ର ବିସର୍ଜିଲା ଯେ ପାତାଳବଳୀ ଚାହିଂ

ଗନ୍ଧର୍ବେ ପଳାଇଲେ ଗରୁଡ଼କୁ ଭୟେ ପାଇ ।୪୯୧।

ମହାଘୋର ସାଂଗ୍ରାମରେ କେହି ନ ଘୁଞ୍ଚିଲେ

ବ୍ରହ୍ମାଂକ ଅଗ୍ରତେ ଯାଇଂ ନାରଦେ କହିଲେ ।୪୯୨।

ଭୋ ପିତା ଇନ୍ଦ୍ର ଦେବତା ପୁରକୁ ଯେ ଗୋବିନ୍ଦେ ବିଜେକଲେ

ନନ୍ଦନବନ ବୁଲନ୍ତେ ପାରିଜାତକ ତରୁ ଦେଖିଲେ ।୪୯୩।

ସତ୍ୟଭାମା ଦେଖିଣ ଯେ ଶରଧା କଲେ ଯହୁଂ

ପାରିଜାତକ ତରୁ ହରି ଉପାଡ଼ିଲେ ତହୁଂ ।୪୯୪।

ଗରୁଡ଼ ପିଠିରେ ଦ୍ୱାରିକାକୁ ନେଉଥିଲେ

ଗନ୍ଧର୍ବେ ଯାଇ ଇନ୍ଦ୍ର ଛାମୁରେ କହିଲେ ।୪୯୫।

କୋପେଣ ସୁରରାଜ ଗନ୍ଧର୍ବ ବଳ ଘେନି

ନିର୍ଭରେ ବେଢି ସାଂଗ୍ରାମ କଲେକ ସେ ପୁଣି ।୪୯୬।

ମହାଘୋର ସାଂଗ୍ରାମ ଯେ କରନ୍ତି ଆରଣି

ୟେଥକୁ ଉପାୟେ ଧାତା କରିଟି କି ପୁଣି ।୪୯୭।

ମରୁଳ ବାହାନେ ଯେ ବ୍ରହ୍ମା ଚଳିଗଲେ

ଇନ୍ଦ୍ର ବାହାନେ ଛାମୁରେ ଯାଇଂଣ ମିଳିଲେ ।୪୯୮।

ଆକାଶଗଙ୍ଗା କୂଳେ ପାରିଜାତକ ଛଳେ

ମହାଘୋର ସାଂଗ୍ରାମ ଲାଗିଛି କୁତୂହୋଳେ ।୪୯୯।

ୟେସନକ ସମୟେ ଯାଇ ମିଳିଲେ ବେଦବର

ମଧ୍ୟରେ ଉଭା ହୋଇ ସ୍ତୁତି କଲ୍ୟାଣ କରନ୍ତି ଅପାର ।୫୦୦।

ଜୟ ତୁ ବିଶ୍ୱନାଥ ଜଗବନ୍ଦନ ଦୀନବନ୍ଧୁ

ଜୟ ତୁ ବିଶ୍ୱନାଥ କୃପାଜଳ ସିନ୍ଧୁ ।୫୦୧।

ଜୟ ତୁ ବିଶ୍ୱନାଥ ଯେ ସଂସାର କାରେଣି

ଜୟ ତୁ ବିଶ୍ୱନାଥ ଲକ୍ଷ୍ମୀର ପ୍ରାଣମଣି ।୫୦୨।

ଜୟ ତୁ ବିଶ୍ୱନାଥ ଗୋ ବ୍ରାହ୍ମଣ ହିତକାରୀ

ଜୟ ତୁ ବିଶ୍ୱନାଥ ଶଙ୍ଖଚକ୍ରଧାରୀ ।୫୦୩।

ଜୟ ତୁ ବିଶ୍ୱନାଥ ଅଶେଷ ବିଶ୍ୱବାସ

ଜୟ ତୁ ବିଶ୍ୱନାଥ କରୁଣା କଟାକ୍ଷ ।୫୦୪।

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଆଦିକରି

ଜଳ ସ୍ଥଳ ଅନଳେ ତୁ ସବୁଠାରେ ଅଛୁ ପୁରି ।୫୦୫।

ପୃଥୀର ଭରାଭର ଯେ ନିବାରିବା ପାଇଂ

ଦ୍ୱାପରେ ଜାତ ହେଲ ମାନବ ଦେହ ବହି ।୫୦୬।

ଆମ୍ଭର ଜନମ ସଫଳ ହୋଇଲାକ ଆଜ

ଅବ୍ୟକ୍ତ ବିଶ୍ୱରୂପ ଦେଖିଲି ଦେବରାଜ ।୫୦୭।

ତୋହୋର ସଞ୍ଚିଲା ୟେ ଅଟଇ ସୁରପତି

ୟେସନେକ ସ୍ତୁତି ଯେ ବୋଲନ୍ତି ବେଦପତି ।୫୦୮।

ବ୍ରହ୍ମାଂକର ବଚନ ଶୁଣି ହରି ହୋଇଲେକ ତୋଷ

ବିଶ୍ୱନାଥଂକୁ ବ୍ରହ୍ମା ପ୍ରବୋଧି ଇନ୍ଦ୍ରଠାରେ ପ୍ରବେଶ ।୫୦୯।

ମନପବନ ଦଣ୍ଡ ଯେ ଚଢିଲେ ଅତିବେଗ

ନିଶଂକେ ମିଳିଲେ ଯାଇ ଇନ୍ଦ୍ର ଦେବତାଂକ ଆରେ ।୫୧୦।

ପିତାମହଂକ ଆଗତ ଦେଖିଣ ସୁନାଶୀର

ତକ୍ଷଣେ ଗଜରୁ ଉତୁରିଲେ ଧାତିକାର ।୫୧୧।

ଅଷ୍ଟରତ୍ନ ବିବିଧ ପାତ୍ରେ ଗଙ୍ଗାଜଳ ପୂରୋଇ

ବ୍ରହ୍ମାର ବେନି ଚରଣେ ଅଭିଷେକ କଲେ ଯାଇ ।୫୧୨।

ଗନ୍ଧପୁଷ୍ୟ ଧୂପ ଦୀପ ନଇବେଦ୍ୟ ଦିଲା

ପୁଣ ପୁଣ ଶତେବାର ଯେ ଗଡ଼ଘାଲି ଶୁଭିଲା ।୫୧୩।

କର ଯୋଡ଼ି ଛାମୁରେ କଲା ଅନେକ ସ୍ତୁତି

ବୋଇଲେ ଭୋ ପିତା ତୋର ପ୍ରସାଦେ ସିନା

ୟେସନ ବିଭୁତି ।୫୧୪।

ତୁ ସେ ସଞ୍ଚିଲା ମୋତେ କରିଛୁ ୟେଡ଼େଜଣ

ତୋହୋର ପ୍ରସାଦେ ମୋର ୟେଡ଼େ ବଡ଼ପଣ ।୫୧୫।

ସ୍ୱର୍ଗ ମର୍ତ୍ତ୍ୟ ପାତାଳ ମୁଂ ଯେ କରିପାରଇ ସାଧ୍ୟ

ସାଂଗ୍ରାମେ ଜିଣନ୍ତା ନାହିଂ ମୋତେ ତିନିଭୁବନ ମଧ୍ୟ ।୫୧୬।

ୟେବେ ଯେ ଦ୍ୱାରିକାପୁରକୁ ସର୍ବଦେବେ ଦେବେ ଧାଡ଼ି

ଯାଦବନ୍ତ ମାରି ଦ୍ୱାରିକା ଆଣିମି ଉପାଡ଼ି ।୫୧୭।

ବାଉନକୋଟି ଭଣ୍ଡାର ଜୂର କରି ଆଣିମି ସର୍ବ

ଚଉରାଶିକୋଟି ଯାଦବଂକର ଗଞ୍ଜିବି ସର୍ବ ଗର୍ବ ।୫୧୮।

ଶୁଣିଣ ପିତାମହ ପାଇଲେ ବଇରାଗ

ବୋଇଲେ ଆମ୍ଭର ବୋଲ ଛାଡ଼ି କି ଲଘିଂବୁ ଧର୍ମମାର୍ଗ ।୫୧୯।

ବାବୁ ତୋହୋର ଭଳି ଲୋକ ଯେବେ କରିବୁ ଅବିଚାର

ସଂସାର ନାଶ ଯିବ ନା ସଞ୍ଚୟେ ଭାରାଭର ।୫୨୦।

ଛାଡ଼ ପରିତାପ ନ ଧର ଦୁଷ୍ଟମତି

ଚିର ହୋଇ ରହିବ ନା ଅଚଳାଚଳ ସମ୍ପତ୍ତି ।୫୨୧।

ଛାଡ଼ ଦୁଷ୍ଟପଣ କରସି ଆମ୍ଭର ବୋଲ

ଆମ୍ଭର ବଚନ ଲଘିଂଲେ ନାହିଂ ତୋତେ ଭଲ ।୫୨୨।

ଶୁଣି ଇନ୍ଦ୍ରଦେବତା ହୋଇଲେକ ମନଶାନ୍ତି

ତୁମ୍ଭେ ଯାହା ବୋଲିବ କରିବି ବେଦପତି ।୫୨୩।

ପିତାମହ ବୋଇଲେ ଯୁଦ୍ଧ ଯେ ନ କର

ନିଅନ୍ତୁ ପାରିଜାତେକ ବେଗେ ତୁହି ଛାଡ଼ ।୫୨୪।

ଆମ୍ଭେ ହେ ୟେଥିପାଇଂ ବୋଲୁଛୁ ବହୁତ

ଶ୍ରୀକୃଷ୍ଣ ସଙ୍ଗତେ ତୁମ୍ଭେ ନ ଯୁଝିବା କଦାଚିତ ।୫୨୫।

ଆହେ ନିଚୟ କରିଣ ତୁମ୍ଭେ ଶୁଣ ସୁରରାୟେ

ତାହାର ସଞ୍ଚିଲା ଆମ୍ଭେ ସମସ୍ତ ଦେବତାୟେ ।୫୨୬।

ୟେ ତୋହୋର ଇଚ୍ଛା ନିମନ୍ତେ ଆମ୍ଭେ ବୋଲୁଛଂ ପରିଘାଇ

ସାଂଗ୍ରାମ କଲେ ତୋହୋର ଆଜ ବର୍ତ୍ତି ନାହିଂ ।୫୨୭।

କପଟ କୃଟ ମାୟା ହେ ଦେବ ନାରାୟଣ

ତୋତେ ମାରିଣ ସ୍ୱର୍ଗ କରିବ ରଣଭଣ ।୫୨୮।

ଇନ୍ଦ୍ର ଗୋବିନ୍ଦ ଭେଟ କରାଇବା ୟେହିଠାବେ

ନୋହିଲେ ବ୍ରତିବାକୁ ନାହିଂଟି ପ୍ରସ୍ତାବେ ।୫୨୯।

ଅନେକ ଉପୁଗାର କରିଅଛନ୍ତି ତୋହୋର ପାଇଂ

ଆମ୍ଭେ ଅନେକ ପ୍ରକାର ଆସିଛୁଂ ବୁଝାଇ ।୫୩୦।

ଆମ୍ଭେ ତ୍ରିଦଶ୍ୟଂକର କି ଉପ୍ରୋଧ ପାରୁ ଛାଡ଼ି

ୟେକଥା ବିଚାରି ବେଗେ ଯାଅ ଯା ବାହୁଡ଼ି ।୫୩୧।

ଯଦ୍ୟପି ବଳିଆଇ ଭାଙ୍ଗିବୁ ଆମ୍ଭରବୋଲ

ଶ୍ରୀକୃଷ୍ଣ ବଚନ ତୋତେ ନାହିଂଟି ଯେ ଭଲ ।୫୩୨।

ଶୁଣି ଇନ୍ଦ୍ର ଦେବତା ମନେ ପାଇଲାକ ଭୀତି

ବୋଇଲା ତୋହୋର ଆଗ୍ୟାଂ କେମନ୍ତେ ଲଘିଂବି ବେଦପତି ।୫୩୩।

ଅଙ୍ଗାରପନ୍ନଙ୍ଗକୁ ଆଗ୍ୟାଂ ଦିଲା ବାହୁଡ଼ାଇ ଆଣ ଥାଠ

ବ୍ରହ୍ମାର ବଚନ ଲଂଘିତେ ହୋଇଚ ବହୁ ଘୋଟ ।୫୩୪।

ଶୁଣିଣ ଅଙ୍ଗାରପନ୍ନଙ୍ଗ ଥାଠ ଆଣିଲା ବାହୁଡ଼ାଇ

ଚଳିଲେ ସମଦଣ୍ଡ ନଇଋତବାଗି ହୋଇ ।୫୩୫।

ଅମରାବତୀ କଟକେ ଯାଇଂ ଇନ୍ଦ୍ର ଦେବତା ମିଳି

ଗୋବିନ୍ଦଂକ ସନ୍ନିଧକୁ ବୋଲି ବ୍ରହ୍ମାୟେ ଗଲେ ଚଳି ।୫୩୬।

ଆକାଶଗଙ୍ଗା କୂଳେ ପାରିଜାତକ ତରୁ ଘେନି

ୟେସନେକ ସମୟେ ଯାଇ ମିଳିଲେକ କୁଶପାଣି ।୫୩୭।

ଦୂରୁ ଦେଖି ଗୋବିନ୍ଦ ଯେ କଲେ ନମସ୍କାର

ଗୋବିନ୍ଦ ପଚାରିଲେ ବ୍ରହ୍ମା କେଉଣ କୃତ୍ୟ କଲ ।୫୩୮।

ନିଚିନ୍ତେ ପୁଷ୍ୟଭୋଗ କର ଚକ୍ରପାଣି

ଭରାବର ଉଶ୍ୱାସ କର ଅର୍ଜୁନକୁ ଘେନି ।୫୩୯।

ଇଦଂ ପ୍ରତିବାକ୍ୟ ଯେ ବଦନ୍ତି ବେଦବର

ଭୋ କୃଷ୍ଣ ୟେବେ ପାରିଜାତିକ ଘେନି

ଦ୍ୱାରିକାକୁ ବିଜେକର ।୫୪୦।

ୟେହା ଶୁଣି କୃତକୃତ୍ୟ ହୋଇଲେ ଚକ୍ରପାଣି

ଆବର ଅନେକ ଉପହାର ଶ୍ରୀକୃଷ୍ଣଂକୁ ଦିଲେ ଆଣି ।୫୪୧।

ଯେ ଯାହାର ଅନରୂପେ ସକଳ ଦେବତାବୃନ୍ଦ

ଶ୍ରୀଜଗନ୍ନାଥକଇଂ ଅନେକ ଅକ୍ଷତ ଦିଅନ୍ତି ସାନନ୍ଦ ।୫୪୨।

ଶ୍ରୀନାରାୟଣ ପାଦପଦ୍ମେ ସମସ୍ତେ କଲେ ପୂଜା

ଗରୁଡ଼ ପିଠିରେ ବିଜେ କଲେ ଦେବାଧିଦେବ ରାଜା ।୫୪୩।

ସକଳ ଦେବତାମାନନ୍ତ ଦେଇଣ ମେଲାଣି

ଅନ୍ତରୀକ୍ଷ ମାର୍ଗେ ଚଳିଗଲେ ଚକ୍ରପାଣି ।୫୪୪।

ଅନନ୍ତ ମାୟାଧର ସ୍ୱାମୀ ଅଶେଷ ବିଶ୍ୱବାସ

କୁଶସ୍ଥଳୀ ଦ୍ୱାରିକାରେ ଯାଇଂ ହୋଇଲେ ପରବେଶ ।୫୪୫।

ଖଣ୍ଡେ ଦୂରେ ଯାଇ ଯେ ଦେଖିଲେ ଦେବହରି

ସୁନ୍ଦର ଶୋଭାବନ ଦ୍ୱାରିକା ନାମେ ପୁରୀ ।୫୪୬।

ସୁବର୍ଣ୍ଣ ପର୍ବତ ଯେସନେକ ଆକାଶୁଂ ପଡ଼ଇ ଖସି

ତେସନେକ ସୁନ୍ଦର ଯେ ଦ୍ୱାରିକାପୁର ଦିଶି ।୫୪୭।

ମଧ୍ୟାହ୍ନ ଆଦିତ୍ୟ କି ଉଦୟେ ବାଳରବି ଜ୍ୟୋତି

ଝିଲିମିଲି ହୋଇ ତେସନେକେ ବିରାଜନ୍ତି ।୫୪୮।

ବିନତା ନନ୍ଦନ ପିଠିରେ ନାରାୟଣ ଛନ୍ତି ବସି

ବାହାନାଦ କରି ବିନତା ନନ୍ଦନ ଆକାଶରୁ

ପଡ଼ଇ ଖସି ।୫୪୯।

ପକ୍ଷୀର ବାହାନାଦ ଶୁଭଇ ତଡ଼ବଡ଼ି

ଶ୍ରାବଣ ମାସରେ ଯେହ୍ନେ ମେଘ ଘଡ଼ଘଡ଼ି ।୫୫୦।

ଅଣଚାଣ ପବନ ପ୍ରାୟେ ଶୁଭଇ କି ବାତ

ଦଲଦଲିତ ବସୁନ୍ଧରୀ ବ୍ରହ୍ମାଣ୍ଡ ଖଣ୍ଡ ସାତ ।୫୫୧।

ଶବଦକୁ ଶୁଣିଲେ ସମସ୍ତ ଯାଦବବୃନ୍ଦ

ଦେଖିଲେ ଦିବ୍ୟରୂପ ଗରୁଡ଼ ଗୋବିନ୍ଦ ।୫୫୨।

ନବର ସିଂଘଦ୍ୱାରେ ବିଜେ କଲେକ ଦେବହରି

ଦେଖିଣ ଯାଦବେ ଅଇଲେ ଯେ ଯାହାରି ।୫୫୩।

ଇନ୍ଦୁବତୀଂକ ନବରେ ଯେ ସୁରଥ ନବଭ୍ରାଥ ଥଲେ

ନବରେ ପଶନ୍ତେ ଆସି ଛାମୁରେ ଦରଶନ କଲେ ।୫୫୪।

ସୁରଥନ୍ତ ଦେଖି ହାଥ ଧରି ଦେବହରି

ନବରକୁ ବିଜେ କଲେ ଗରୁଡ଼ ପିଠିରୁ ଉତୁରି ।୫୫୫।

ଉଗ୍ରସେନଂକୁ ନମସ୍କାର କରିଣ ଦେବ ନାରାୟଣ

ପ୍ରଣପତ୍ୟ ହୋଇଲେ ଯାଇଂ ବସୁଦେବଂକ ଚରଣ ।୫୫୬।

ତଦନ୍ତରେ ବସୁଦେବଂକ କଲେ ପାଦପୂଜା

ଇନ୍ଦୁମତୀଂକୁ ନମସ୍କାର କଲେ ଦେବରାଜା ।୫୫୭।

ଆବରେ ଯାଦବେ ଯେ ଯାହାରେ ପୂଜା କରି

ଯେ ଯାହା ଅନରୂପେ ମାନ୍ୟ କଲେ ଦେବହରି ।୫୫୮।

ସନାତନ ପୁରୁଷ ଯାହାର ଆଦିଅନ୍ତ ନାହିଂ

ସମସ୍ତ ଭେଇଛନ୍ତି ସଂସାର ଚେଷ୍ଟା ପାଇଂ ।୫୫୯।

ସେ ଯେବେ ଆନନ୍ଦେ ନ କରିବେ ପାଳଣା

ସମସ୍ତ ପ୍ରାଣୀମାନେ ହୋଇବେ ଯେ ବଣା ।୫୬୦।

ଯାହା ଆନୁଆନେ ହୋଇ ଶୁଭକର୍ମ

ଲୋକାଚାର କର୍ମେ ସେ କରନ୍ତି ମାନ୍ୟଧର୍ମ ।୫୬୧।

ଶୁଣ ହୋ ବିଲଂକ ଦେଶରାଜା ବଦନ୍ତି ଅଗସ୍ତି ମୁନି

ଇତିଶ୍ରୀ ମହାଭାରଥ ପୁରାଣ ପୁଣ୍ୟ ଧୁନି ।୫୬୨।

ୟେଥୁ ଅନନ୍ତରେ ଯେ ସମସ୍ତ ଯାଦବ ବଳ

ୟେ ଯାହାର ନିଜ ପୁରକୁ ଚଳିଲେ ସକଳ ।୫୬୩।

ସ୍ରାହାନ ନିତ୍ୟକର୍ମ ଯେ ସାରିଲେ ଦେବହରି

ବିଶ୍ୱାସୀ ଲୋକନ୍ତ ଘେନି ମୁଣୋହିରେ ବିଜେ କରି ।୫୬୪।

ଆପଣେ ଦେବକୀ ମାୟେ ପରଷନ୍ତି ଅନ୍ନ

ଚଉରାଶି ମଢ଼ଫୁଲି ଯୋଗାଡ଼ ଯେତେ ବର୍ଣ୍ଣ ।୫୬୫।

ଅମୃତ ଶୃଦ୍ଧ୍ୟପାକ ଅନ୍ନ ଅପୂର୍ବ ରାନ୍ଧଣା

ସମ୍ପୂର୍ଣ୍ଣ ଅନ୍ନ ଯେ ୟେକକୁ ଆରେକ ଜିଣା ।୫୬୬।

ଭୁଞ୍ଜିଣ ତ୍ରିପୁତି ଯେ ହୋଇଲେ ଭଗବାନ

ଆଞ୍ଚୋବନ ସାରିଣ ଯେ ତାମ୍ବୋଳ କରନ୍ତି ଭୋଜନ ।୫୬୭।

ସତ୍ୟଭାମାଂକ ପୁରେ ପାରିଜାତ ରୋପିଲେ ନେଇ

ସତ୍ୟଭାମାଂକୁ ଘେନି ଅବକାଶ ଗୋସାଇଂ ।୫୬୮।

ୟେଥୁ ଅନନ୍ତରେ ଉଦୟେ ଦିନମଣି

ସୁଧର୍ମା ସଭାରେ ବିଜୟେ କଲେ ଚକ୍ରପାଣି ।୫୬୯।

ଇତି ଶ୍ରୀମହାଭାରଥ ବିଷ୍ଣୁ ପୁରାଣ ବାଣୀ

ପାପାଧି ମହାପାତକ କ୍ଷୟେ ହୋଇବ ଶୁଣି ।୫୭୦।

ଅଗସ୍ତି ବୋଇଲେ ଶୁଣ ବିଲଂକ ଦେଶରାୟ

ଇଦଂ ପାରିଜାତକ ହରଣ ସମାପତ ହୋୟେ ।୮୭୧।

ଜୟ ତୁ ଜଗନ୍ନାଥ ଲକ୍ଷ୍ମୀର ପ୍ରାଣବନ୍ଧୁ

ଅଶେଷ ମହିମା ଯେ କୃପାଜଳ ସିନ୍ଧୁ ।୮୭୨।

ଖଙ୍ଖ ଚକ୍ର ଗଦା ପଦ୍ମ ଶାରଙ୍ଗ ଚତୁର୍ଭୁଜ

ଦେବାଧିଦେବ ରାଜା ଅଶେଷ ବିଶ୍ୱତେଜ ।୫୭୩।

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଚାରିଖାନି

ଚଉରାଶିକୋଟି ଯାଦବ ଉପରେ ଶିରୋମଣି ।୫୭୪।

କଳ୍ପନା କାମନିଧି ଅଶେଷ ଗୁଣଗ୍ରାହୀ

ବିନାଗତି କରୁଣା ଶରଣାଗତ ତ୍ରାହି ।୫୭୫।

ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ଯାହାରେ କରନ୍ତି ଲୟେ

ଅକ୍ଷୟେ ଅଜାମ୍ବର ଯେ ନିରାକାର କାୟେ ।୫୭୬।

ମନ ବୁଦ୍ଧି ଅହଂକାର ଅତ୍ୟନ୍ତ ତୋର ତନୁ

ୟେକା ନିଶ୍ୱାସକେ ଯାହାର କୋଟିୟେକ ମନୁ ।୫୭୭।

କାଳାନ୍ତେ ଯୁଗାନ୍ତେ ପ୍ରଳୟାନ୍ତେକ ପାଳଣା

ଗଣଗନ୍ଧର୍ବ ଦେବତା ତୋର ମାୟାରେ ପଡ଼ି ହୁଅନ୍ତି ବଣା ।୫୭୮।

ତୁ ଦେବ ଅନାଦି ପରମ ଧର୍ମ ବ୍ରହ୍ମ

ଅକ୍ଷରହୁଂ ବିବର୍ଜିତ ନାମ ତୋର ସୂକ୍ଷ୍ମ ।୫୭୯।

ଶ୍ରୁତି ସ୍ମୃତି ପ୍ରକୃତି ଅର୍ଜିଲୁ ଆପଣେ ୟେକା

ଅନେକ ରୂପ ସ୍ୱାମୀ ନାହିଂ ତୋର ଲେଖା ।୫୮୦।

ସତ୍ୱ ରଜ ତମ ତ୍ରିଗୁଣ ଅନ୍ତର

ସନାତନ ପୁରୁଷ ତୋତେ ନାହିଂ ପଟାନ୍ତର ।୫୮୧।

ପୃଥ୍ୱୀ ଆପ ତେଜ ଯେ ବାଇବ ଆକାଶ

ପଞ୍ଚଭୂତ ତୋର ଯେ ଶରୀରେ ପ୍ରକାଶ ।୫୮୨।

ଜନ୍ମ କର୍ମ ବନ୍ଧନରେ ଭେଦ ଅକ୍ଷ ଧ୍ୟାୟେ ତିଥି ମୂଳେ

ଉତ୍ପତ୍ତି ସ୍ଥିତି ସ୍ୱଧ୍ୟାୟେ ଭିଆଇଲୁ ସର୍ବକାଳେ ।୫୮୩।

ଅନ୍ତର ଅନନ୍ତ ରୂପ ଧରୁ ଯେ କାମମୂର୍ତ୍ତି

ଜଳ ସ୍ଥଳ ଅନଳରେ ତୁହି ସିନା ସ୍ଥିତି ।୫୮୪।

କଳ୍ପନା କାମନିଧି ଦେବ ଦେବତାଂକୁ ପୂରି

ଭାରାଭର ଅର୍ଥେ ଯେ ତୁ ନାନାରୂପ ଧରି ।୫୮୫।

ବିଶ୍ୱ ସଂସାର ତୋର ଯେ ଖେଳାଘର ଲୀଳା

କଉତୁକେ ମାନବ ରୁପ ଯେ ଧଇଲୁ ନନ୍ଦବଳା ।୫୮୬।

ଦ୍ୱାପରେ ମାନବ ରୂପେ ଯେ ତୁ ଧଇଲୁ ଆପଣେ

ମହାଭାରଥ ଯୁଦ୍ଧ ତୁ କରିବାକୁ ଗୋଳରଣେ ।୫୮୬।

ବନ୍ଦଇ ସାରୋଳା ମା ଗୋ ଜଙ୍ଖେରପୁର ବାସୀ

ସଂସାର ଜନେ ମା ଗୋ ତୋହୋର ନାମ ଘୋଷି ।୫୮୮।

ସେ ସର୍ବ ସିଦ୍ଧି ମା ଗୋ ରହିଲୁ ନିଚିନ୍ତେ

ଅସୁର ନିବାରିଲୁ ସଂସାରଜନ ହିତେ ।୫୮୯।

ସିଂଘବାହିନୀ ତୁ ଭ୍ରମୁ ତିନିପୁରେ

ତୋହୋରେ ଦେବେ ରକ୍ଷା ହୋଇଲେ ସ୍ୱର୍ଗରେ ।୫୯୦।

ଅସୁର ନିବାରଣୀ ତୁ ଦୁର୍ଗତି ତାରେଣୀ

ତୋହୋର ମହିମା କେ ଜାଣିବ ପରିମାଣି ।୫୯୧।

ଦେବଂକୁ ଅଗୋଚର ତୋହୋର ମହିମା

ମନୁଷ୍ୟେ ଜନ୍ମ ହୋଇ କେ ଜାଣିବ ତୋର ସୀମା ।୫୯୨।

ତେଣୁ କରି ପ୍ରାର୍ଥନା ହୋଉଅଛି ମୁହିଂ

ପିମ୍ପୁଡ଼ି ଉପରେଣ ପର୍ବତ ଲଦିଲେ ମହାମାୟୀ ।୫୯୩।

ୟେଣିକି ଅଗୋଚର ହେଉଅଛି ମୋତେ

ତୁ ଦେବୀ ପ୍ରସନ୍ନ ଯେ ହୁଅ ଶୁଦ୍ଧ ଚିତ୍ତେ ।୯୮୪।

ହୀନ ପଣ୍ଡିତ ମୁଂ ଅଟଇ ସାରୋଳା ଦାସ

ଶ୍ରୀଚଣ୍ଡୀ ସରୋଳା ପାଦେ ରହୁ ମୋର ଆଶ ।୫୯୫।୧୨୯୭୦।

 

Unknown

ଶିବ ବିବାହ

ୟେଥୁ ଅନନ୍ତରେ ବଇବସୁତ ମନୁ ନୃପବର

କୁମ୍ଭ ଋଷିଂକର ସୁତ ଅଗସ୍ତି ମୁନିବର ।୧।

ତାହାଂକର ପାଦତଳେ ବଇବସୁତ ପଡ଼ି

ଉଠି ଉଭା ହୋଇ ଶିରେ କର ଯୋଡ଼ି ।୨।

ତୁମ୍ଭ ପାଦପଦ୍ମେ ମୁନି ନିତ୍ୟେ ମୋର ସେବା

ଯାହା ପଚାରିବି ମୋତେ ତାହା କହିଦେବା ।୩।

ଆଦ୍ୟପର୍ବର କଥା ଚରିତ ସମସ୍ତ ବୁଝିଲି

ଅନେକ ବିଭା ଉତ୍ସବ ସମର ଶୁଣିଲି ।୪।

ପାତାଳପୁରର ବିଭା ମଞ୍ଚପୁର ବିଭା

ସ୍ୱର୍ଗପୁର ବିଭା ଅସୁରଂକର ମରିବା ।୫।

ୟେ ଆଦ୍ୟ ପର୍ବର ଯେତେ ଚରିତ ଯେ ମାନ

ପ୍ରତି ପ୍ରତି କରି ମୋତେ କହିଲେ ଆପଣ ।୬।

ୟେକ କଥା ଯେ ମୋତେ ଫେଡ଼ି ନ କହିଲ ।୭।

ଯେଉଂକଥା ଗୁପତ କରି ରଖିଅଛ ଚିତ୍ତେ

ସେ କଥା ଫିଟାଇଣ କହ ତୁମ୍ଭେ ମୋତେ ।୮।

ୟେହା ଶୁଣି ବୋଲନ୍ତି ଅଗସ୍ତି ମୁନିମଣି

କେଉଂଣ ଚରିତ ମୋତେ କହ ନୃପମଣି ।୯।

ୟେହା ଶୁଣି ବୋଲନ୍ତି ଯେ ବଇବସୁତ ରାଜନ

ସାବଧାନେ ଶୁଣ କୁମ୍ଭରଷିଂକ ନନ୍ଦନ ।୧୦।

ଯେଉଂ କଥାରେ ସଂଶୟ ଅଛି ମୋହୋର ମନ

ସେ କଥାମୁଂ କହୁଅଛି ଶୁଣ ସାବଧାନ ।୧୧।

ବ୍ରହ୍ମା ବିଷ୍ଣୁ ଶିବ ଅଟନ୍ତି ତିନିଜଣ

ତିନିଜଣଂକର ପଉରୁଷ କଲ ଯେ ଭିଆଣ ।୧୨।

ସାବିତ୍ରୀଂକି ବିଭା ହୋଇଲେ ବ୍ରହ୍ମା ପୁଣି଼

ବରୁଣ ଜେମାଂକୁ ବିଭା ହେଲେ ଚକ୍ରପାଣି ।୧୩।

ଈଶ୍ୱରେ କାହାକୁ ବିଭା ହେଲେ ମୁନିବର

କାହାର ନନ୍ଦିନୀ କିସ ନାମ ଯେ ତାହାର ।୧୪।

କେମନ୍ତ ପ୍ରକାରେ ବିଭା ହୋଇଲେ ଈଶ୍ୱରେ

ଅଗସ୍ତି ବୋଇଲେ ବଇବସୁତ ମନୁ ଢାଳେ ।୧୫।

ୟେହା ଶୁଣିବାକୁ ଅଟୁ ତୁ ଭାରଜନ

ଆନ କେହି ବୁଝିବାକୁ ପଚାରନ୍ତା ୟେମାନ ।୧୬।

ବଇବସୁତ ପୁଚ୍ଛାକଲେ ମୁନିଂକର ଚରଣରେ

କେବଣ ଚରିତ୍ରମାନ ହେଲା ସେ ବିଭାରେ ।୧୭।

ଇଶ୍ୱରଂକ ବିଭା ମୋତେ ବିସ୍ତାରି କହ ପୁଣ

ପ୍ରତି ପ୍ରତି କରି ମୋତେ କହିବ ଆପଣ ।୧୮।

ତୁମ୍ଭ ଶ୍ରୀମୁଖରୁ ମୁଂ ୟେହି ରସ ଶୁଣି

ନିସ୍ତାର ହୋଇବି ୟେହି ଭବ ତରଙ୍ଗିଣୀ ।୧୯।

ୟେହା ଶୁଣି କହନ୍ତି କୁମ୍ଭଋଷି ବାଳ

ୟେକମନେ ଶୁଣ ତୁ ହୋ ବଇବସୁତ ମହୀପାଳ ।୨୦।

ତୁ ବଡ଼ ଧାର୍ମିକ ରାଜା ଅଟୁ ଯେ ମହତ

ତୋତେ ବୁଝାଇ ଆମ୍ଭେ କହିବା ସମସ୍ତ ।୨୧।

ଇଶ୍ୱରଂକ ବିଭା ବଡ଼ ରହସ୍ୟ ଚରିତ୍ର

ୟେକମନେ ଶୁଣ ତୁମ୍ଭେ ବିଲଂକ ନୃପନାଥ ।୨୨।

ହେମବନ୍ତର ତୁହିତାୟେ ଯେ ହୋଇଲେ ଉତପତ୍ତି

ସୁନ୍ଦର ଦେଖି ନାମ ତାହାର ଦିଲେକ ପାର୍ବତୀ ।୨୩।

ଦିନୁଂ ଦିନୁଂ କୁମାରୀ ପିତାଘରେ ଯେ ବଢ଼ଇ

ହେମବନ୍ତ ଯେ ଝିଅକୁ ଦେଖିଣ ଭାଳଇ ।୨୪।

ୟେକଦିନେ ପିତା ମାତା ବସିଣ ବିଚାରନ୍ତି

କାହାକୁ ପ୍ରଦାନ କରିବା ଆମ୍ଭେ ଯେ ଦୋହିତୀ ।୨୫।

ୟେତେ କହି ବେନିଜନ ଭାଳୁଛନ୍ତି ବସି

ୟେମନ୍ତର ସମୟେ ପାର୍ବତୀ ମିଳିଲେକ ଆସି ।୨୬।

ପିତାମାତାଂକ ବିରସ ଦେଖିଣ କୁମାରୀ

ପଚାରନ୍ତି ମାତାଂକର କରେ କର ଧରି ।୨୭।

କିମ୍ପାଇ ବିରସ ତୁମ୍ଭେ ହୋଉଛ ଗୋ ମାତ

ଦୋହିତୀ ବଚନ ଶୁଣି କହେ ହେମବନ୍ତ ।୨୮।

ଶୁଣ ଗୋ ପାର୍ବତୀ ତୁହି ମୋହୋର ବଚନ

ଯହିଂର ନିମନ୍ତେ ଭାଳୁଅଛୁଂ ବେନିଜନ ।୨୯।

ପିତାଘରେ ଦୁହିତା ହେଇଲେ ରଜୋବତୀ

ୟେକାଉନ ପୁରୁଷ ନର୍କଗତି ଯାନ୍ତି ।୩୦।

ତୁ ବାଳଭାବ ଛାଡ଼ି ୟେବେ ହେଲୁ କନ୍ୟା

କାହାକୁ ପ୍ରଦାନ କରିବି ତୋତେ ତୁ ହେଲୁ ୟେବେ ବାମା ।୩୧।

ୟେହିକଥା ବିଚାରି ଭାଳୁଛୁ ବେନିପ୍ରାଣୀ

ୟେହା ଶୁଣିଣ ପାର୍ବତୀ ବୋଲୁଛନ୍ତି ପୁଣି ।୩୨।

ଶୁଣସି ପିତା ମାତା ତୁମ୍ଭେ ମୋହୋର ବଚନ

ୟେ କଥାରେ ଭ୍ରାନ୍ତି ତୁମ୍ଭେ ନ କର ମନେଣ ।୩୩।

ମୋହୋର ସିନା କାନ୍ତ ଅଟନ୍ତି ପଶୁପତି

ତାହାନ୍ତ ଦେଖିଲେ ମୁଂ ହୋଇବି ରଜୋବତୀ ।୩୪।

ତାଂକୁ ନ ଦେଖିଲେ ମୁଂ ନୁହଇ ରଜକାରୀ

ୟେହି କନ୍ୟାରୂପେଣ ମୁଂ ଥିବି ଯୁଗ ଚାରି ।୩୫।

ଯୁଗକୁ ଯୁଗ ଅଟନ୍ତି ମୋର ବର

ୟେଥିକି ଶୋଚନା ତୁମ୍ଭେ ନ କର ମନର ।୩୬।

ୟେତେ କହି ପାର୍ବତୀ ଯେ ମଉନ ହୋଇଲେ

ୟେହା ଶୁଣି ହେମବନ୍ତ ପୁଣ ପଚାରିଲେ ।୩୭।

ବୋଇଲେ ଶୁଣ ମାୟେ ଗୋ ମୋହୋର ଉତ୍ତର

ହର ଯେବେ ଅଟନ୍ତି ତୋହୋର ନିଜ ବର ।୩୮।

ୟେବେ ସେହୁ ଅଛନ୍ତି ଯେ କେବଣ ଭୁବନ

ଇଶ୍ୱର ଚରିତ ମୋତେ କହ ବୁଝାଇଣ ।୩୯।

ୟେଥିର ଚରିତ ମୋତେ ବୁଝାଇଣ କହ

ତେବେ ସେ ମନରୁ ମୋର ଫିଟିବ ସନ୍ଦେହ ।୪୦।

ପିତାର ବଚନ ଶୁଣି ବୋଲନ୍ତି ପାର୍ବତୀ

ସଦାଶିବ ସ୍ୱାମୀ ମଞ୍ଚପୁରେ ତ ନାହାନ୍ତି ।୪୧।

ଠିକ ଠିକ କରି ବଚନ କହଇ ତୁମ୍ଭଂକୁ

ମଞ୍ଚ ତେଜି ହର ଯେ ଗଲେ ହଟକେଶ୍ୱରକୁ ।୪୨।

କୁଶବିଡ଼ି ଅର୍ଥେ କପିଳାକୁ ବଧ କଲେ

ବେଦର ବିବାଦେ ବ୍ରହ୍ମାର ମୁଣ୍ଡକୁ ମୋଡ଼ିଲେ ।୪୩।

ସେ ଦୋଷ ଅର୍ଥେ ହର ରହି ନୁଆରିଲେ

ମଞ୍ଚ ତେଜ୍ୟା କରିଣ ସେ ହଟକେଶ୍ୱରକୁ ଗଲେ ।୪୪।

ହଟକେଶ୍ୱରେ ତପ କରୁଛନ୍ତି ବସି

ଦୋଷ ଛଡ଼ାଇଣ ତହୁଂ ଆସିବେକ କାଶୀ ।୪୫।

ସେହି ଈଶ୍ୱରଂକୁ ମୁହିଂ ବିଭା ଯେ ହୋଇବି

ନୋହିଲେ ଯେ ତୋର ଘରେ କନ୍ୟାରୂପେ ଥିବି ।୪୬।

ୟେତେକହି ପାର୍ବତୀ ଯେ ହୋଇଲେ ମଉନ

ୟେଥୁ ଅନ୍ତେ ତହୁଂ ଗଲା କେତେ ଦିନ ।୪୭।

ୟେକମନେ ତୁମ୍ଭେ ଶୁଣ ବଇବସୁତ

ହଟକେଶ୍ୱରପୁରେ ଈଶ୍ୱରଂକର ଯେଉଂଣ ଚରିତ ।୪୮।

ବୃଷଭ ଉପରେ ଯେ ହର ବିଜେକଲେ

ତ୍ରିଶୂଳ ଗୋଟିୟେ ଯେ ହାଥରେ ଧଇଲେ ।୪୯।

ନବଲକ୍ଷ ଡମ୍ବରୁ ବାଜଇ ଶୂନ୍ୟେଣ

ହେମନ୍ତ ବାଟେ ସେହୁ କଲେକ ଗବନ ।୫୦।

ପାତକ ମୋଚନ କରିତେ ବିଶ୍ୱବାସୀ

ହଟକେଶ୍ୱରପୁରେ ଅଛନ୍ତି ସେ ବସି ।୫୧।

ୟେସନେକ ସମୟେ ଗଲା କେତେଦିନ

ସ୍ରାହାନ ସାରି ଈଶ୍ୱରେ ବସିଲେ ଧ୍ୟାନେଣ ।୫୨।

ଧ୍ୟାନ କରନ୍ତି ସେ ମଞ୍ଚପୁରକୁ ଅନାଇ

ଚିତ୍ତ ସ୍ଥିର କରି ଶୁଣ ବିଲଂକ ନୃପସାଇଂ ।୫୩।

ମଞ୍ଚପୁର ଚରିତ ଜାଣିଲେ ଯୋଗରେ

ପାର୍ବତୀ ଜନ୍ମ ହେଲେଣି ହେମବନ୍ତର ଘରେ ।୫୪।

ହଟକେଶ୍ୱରପୁରୁ ବାହାରିଣ ହର

ବିଜୟେ କଲେ ଆସି ମଞ୍ଚ ମଣ୍ଡଳର ।୫୫।

କପିଳାସପୁରେ ଆସି ପ୍ରବେଶ ହୋଇଲେ

ନିଚିନ୍ତ ହୋଇଣ ତହିଂ ଈଶ୍ୱରେ ରହିଲେ ।୫୬।

ୟେଥୁ ଅନନ୍ତରେ ତହୁଂ ଗଲା କେତେ ଦିନ

ମେରୁ ସଭାକୁ ଈଶ୍ୱର କଲେକ ଗବନ ।୫୭।

ଡମ୍ବରୁ ଶବଦ ଶୁଣି ପାର୍ବତୀ ଜାଣିଲେ

ହଟକେଶ୍ୱରୁଂ ହର ୟେତେ ଦିନେଣ ଅଇଲେ ।୫୮।

ମାତା ଆଗେ ଯାଇ କହିଲେ ପାର୍ବତୀ

ଶୂନ୍ୟେଣ ଡମ୍ବରୁ ବଜାଇଣ ଈଶ୍ୱରେ ଆସନ୍ତି ।୫୯।

ୟେହି ହର ମାଗୋ ଅଟନ୍ତି ମୋର ବର

ପାର ଯେବେ ମୋତେ ତୁମ୍ଭେ ୟାଂକୁ ବିଭାକର ।୬୦।

ଲାଜ ସଂକୋଚ ଫିଟାଇ କହିଲଇଂ ମୁହିଂ

ୟେହାଂକ ବେତ୍ରକେ ମୋରଆନେ କାର୍ଯ୍ୟ ନାହିଂ ।୬୧।

ୟେତେ କହିଣ ପାର୍ବତୀ ମଉନ ରହିଲେ

ୟେହାଶୁଣି ହେମବନ୍ତୀ ଉଚ୍ଛନ୍ନ ହୋଇଲେ ।୬୨।

ପାର୍ବତୀଂକ ନିଷ୍ଠୁର ବାଣୀ ଶୁଣିଣ ହେମବନ୍ତୀ

ତତକ୍ଷଣେ ବିଜେକଲେ ହେମବନ୍ତ କତି ।୬୩।

ବୋଇଲେ ଭୋ କାନ୍ତ ଶୁଣ ମୋର ବାଣୀ

ଈଶ୍ୱର ଯାଉଛନ୍ତି ଯେ ମେରୁସଭାକୁ ପୁଣି ।୬୪।

ଶୁଣ ଶୂନ୍ୟେ ନବଲକ୍ଷ ଡମ୍ବରୁ ବାଜଇ

ପାର୍ବତୀଂକି ବିଭା ଦେବା ୟେଠାରେ ରଖାଇ ।୬୫।

ୟେହାଶୁଣି ହେମବନ୍ତ ହରଷ ହୋଇଲେ

କିଛିଦୂର ଯାୟେ ସେହୁ ପାଛୋଟି ଯେ ଗଲେ ।୬୬।

ଦେଖିଲେ ବୃଷଭ ଚଢି ଈଶ୍ୱରେ ଆସନ୍ତି

ବିଭୂତି ଭୂଷଣ ଜଟା ତଳେଣ ଲମ୍ବନ୍ତି ।୬୭।

ତିନିନେତ୍ର ତାହାଂକର ଦିଶନ୍ତି ରଙ୍ଗମୟେ

କୋଟିୟେ କନ୍ଦର୍ପ ଜିଣି ଅଙ୍ଗ ଶୋଭା ପାୟେ ।୬୮।

ଇଶ୍ୱରଂକ ମୂରତି ଦେଖିଣ ହେମବନ୍ତ

ହୃଦଗତେ ବିଚାରି ହୋଇଲେ କୃତକୃତ୍ୟ ।୬୯।

ବୋଇଲେ ଭୋ ସଦାଶିବ ଯାଇଛ କାହିଂକି

ଡମ୍ବରୁ ଶୁଣି ଅଇଲି ତୁମ୍ଭର ତହିଂକି ।୭୦।

ମୋହୋର ଭୁବନକୁ ହୋ ବିଜୟେ କର କାଶୀ

ହେମବନ୍ତ ବଚନେ ହରଷ ବିଶ୍ୱବାସୀ ।୭୧।

ବେନିଜନେ ସଙ୍ଗ ହୋଇ ତହୁଂ ଚଳିଗଲେ

ହେମବନ୍ତ ନିଜପୁରେ ପ୍ରବେଶ ହୋଇଲେ ।୭୨।

ବୃକ୍ଷଭ ଉପରୁ ଓହ୍ଲାଇଣ ଗଙ୍ଗାଧର

ବିଜୟେ କଲେ ଯାଇଂ ଜଗତୀ ଉପର ।୭୩।

ହେମବନ୍ତପୁର ଦେଖି ହରଷ ହୋଇଲେ

ବହୁତ ପ୍ରଶଂସା କରି ବଚନ ବୋଇଲେ ।୭୪।

ଧନ୍ୟ ହେମନ୍ତେ ରାଜା ନବର ତୋହୋରି

କେତେ ଯୁଗ ତପ କରି ପାଇଲୁ ୟେ ପୁରୀ ।୭୫।

ୟେହାଶୁଣି ହେମବନ୍ତ ହରଷ ହୋଇଲା

ଗଉରବ କରିଣ ସେ ହରଂକୁ ରଖିଲା ।୭୬।

ହର ବୋଇଲେ ହେମବନ୍ତ ଯାଇହୋ ବହନ

ପାର୍ବତୀକି କହ ବେଗେ କରୁ ସେ ରନ୍ଧନ ।୭୭।

ୟେହାଶୁଣି ହେମବନ୍ତ ବେଗେ ଚଳିଗଲେ

ପାର୍ବତୀର ଆଗେ ଯାଇ ସକଳ କହିଲେ ।୭୮।

ବୋଇଲେ ଗୋ ପାର୍ବତୀ ଶୁଣ ମୋ ବଚନ

ବହନ ରନ୍ଧନ କର ହର କରିବେ ଭୋଜନ ।୭୯।

ୟେହା ଶୁଣିଣ ପାର୍ବତୀ ବେଗେ ଚଳିଗଲେ

ରୋଷାଇଶାଳରେ ଯାଇଂ ପ୍ରବେଶ ହୋଇଲେ ।୮୦।

ରନ୍ଧନ କଲେ ଯାଇଂ ବେଗେ ଶାଳିଅନ୍ନ

ହେଙ୍ଗୁ ଜୀରା ମେଥି ପକାଇଣ ମୁଗ ଯେ ତିଉଣ ।୮୧।

କନ୍ଦ ଲୁଚି ପୁରି ବଢ଼ା ଝିଲି ଯେ ମିଠାଇ

ଆରିସା ଲଡୁ କଚୋରୀ ସିଂଗଡା ଯେ ଖଇ ।୮୨।

ଶୁଆଂମଣ୍ଡା ୟେଣ୍ଡୁରି ଗଇଂଠା ଯେଉଟ ଫୁଲ

ଚିନି ପକାଇଣ ପଣାକଲେ ସମତୁଲ ।୮୩।

ଚକୁଳି ଛୁଞ୍ଚିପତର ଛେନା ମନୋହର

ଖିରି ଖିରିସା ଶାକର ସକଳ ଦ୍ରବ୍ୟ ସାର ।୮୪।

ଗଉରୀ ସଉରୀ ନଳ ତ୍ରିବିଧି ତିନିପ୍ରତି

ଯୁଗତ କରିଣ ଯେ ପାର୍ବତୀ ରାନ୍ଧିଛନ୍ତି ।୮୫।

ଇଶ୍ୱରଂକୁ ନିଉନ୍ତି ଭୋଜନେ ବସାଇଲେ

ଆପେ ଯେ ହେମବନ୍ତ ତହିଂ ପରଶିଲେ ।୮୬।

ଭୋଜନ କରି ହରଷ ହେଲେ ପଶୁପତି

ବିଚାରିଲେ ୟେ ଯୋଗାଡ଼ ରାନ୍ଧିଛନ୍ତି ପାର୍ବତୀ ।୮୭।

ୟେ ରାନ୍ଧଣା ରାନ୍ଧିବାକୁ ଅନେକ ଭାର୍ଜନ

ହେମନ୍ତ ଘରେ ଆସି ପାର୍ବତୀ ଜନମ ।୮୮।

ୟେ କଥାମାନ ଇଶ୍ୱରେ ହୃଦଗତେ ଜାଣି

ଆଞ୍ଚୋବନ କଲେ ତହିଂ ସୁଶୀତଳ ପାଣି ।୮୯।

କର୍ପୂର ପାନ ବିଡ଼ଆ ହେମବନ୍ତ ଦିଲେ

ହରଷ ହୋଇଣ ତାହା ଈଶ୍ୱରେ ଭୁଞ୍ଜିଲେ ।୯୦।

ବୃଷଭହିଂ ତହିଂ ସେହି ଯୋଗାଡ଼ମାନ ପାଇଲେ

ପାଇଣ ବୃଷଣ ତହିଂ ଆନନ୍ଦ ହୋଇଲେ ।୯୧।

ୟେଥୁ ଅନନ୍ତରେ କହନ୍ତି ଅଗସ୍ତି ମୁନି ତହିଂ

ୟେକମନେ ଶୁଣ ତୁ ହୋ ବିଲଂକ ନୃପସାଇଂ ।୯୨।

ବଡ଼ ରହସ୍ୟ କଥା ୟେବେ ହୋଇବ ୟେଣିକି

ଚନ୍ଦ୍ରଶେଖର ବିଭା ହୋଇବେ ପାର୍ବତୀଂକି ।୯୩।

ହର ବସିଅଛନ୍ତି ମନରେ ଆନନ୍ଦିତ ହୋଇ

ହେମବନ୍ତ ସ୍ତୁତି କରିକରକୁ ଯୋଡ଼ଇ ।୯୪।

ଭୋ ଦେବ ଚନ୍ଦ୍ରଶେଖର ଗଙ୍ଗା ଶିରରେ ତୋହୋର

ଭୋ ଦେବ ଚନ୍ଦ୍ରଶେଖର ତ୍ରିଶୂଳ ତୋର କର ।୯୫।

ଭୋ ଦେବ ଶିବ ହୋ ତୋର ବୃଷଭ ବାହନ

ଭୋ ଦେବ ଶିବ ତୁହି ପୁରୁଷଂକ ଉତ୍ତମ ।୯୬।

ଭୋ ଦେବ ଶିବ ଅଟୁ ତୁହି ମୂଳ ସ୍ତମ୍ଭ

ସମସ୍ତ ଚଳ ନାଥ ତୁହି ଅଟୁ ଦମ୍ଭ ।୯୭।

କେହୁ ବ୍ରହ୍ମା କେହୁ ବିଷ୍ଣୁ କେହୁ ମହେଶ୍ୱର

ଜ୍ୟେଷ୍ଠ ନାମ ଗୋଟି ତୁମ୍ଭରି ସବୁରି ଉପର ।୯୮।

ଭୋ ଦେବ ଶିବ ୟେ କାହୁଂ ଉତପତ୍ତି

ଭୋ ଦେବ ଶିବ ଯେ ତୋତେ କେହି ନ ଜାଣନ୍ତି ।୯୯।

ଭୋ ଦେବ ଶିବ ତୋର ଧବଳ ବର୍ଣ୍ଣ କାୟେ

ଭୋ ଦେବ ଶିବ ତୋତେ ପୃଥିବୀ ତିଳ ପ୍ରାୟେ ।୧୦୦।

ଭୋ ଦେବ ସଦାଶିବ ତୁମ୍ଭେ ଅଟ ଯେ ଅଲୀଳ

ପାଦ ନଖକୋଣେ ଯେ ରହିଛି ସକଳ ।୧୦୧।

ଭୋ ଦେବ ଶିବ ତୁ ନିରଞ୍ଜନ ଅବତାର

ଜୟ ଜୟ ସଦାନନ୍ଦ ଦ୍ୱାଦଶ ନାମ ତୋର ।୧୦୨।

ଅନେକ ମତେ ହରଂକୁ ହେମବନ୍ତ ସ୍ତୁତି କଲେ

କରପତ୍ର ଯୋଡ଼ିଣ ଛାମୁରେ ଉଭା ଯେ ହୋଇଲେ ।୧୦୩।

ହେମବନ୍ତ ତୁସ୍ତି ଶୁଣି ସନ୍ତୋଷ ହର ଚିତ୍ତେ

ବୋଇଲେ ୟେଡ଼େ ତୁସ୍ତି କରୁ ଯେ କିମ୍ଫେ ମୋତେ ।୧୦୪।

ଯହିଂ ନିମନ୍ତେ ତୁସ୍ତି ଯେ କରୁଛ ଆପଣ

ସେକଥା ଫେଡ଼ି କହ ମୋହୋର ଆଗେଣ ।୧୦୫।

ଯାହା ସେ ତୁମ୍ଭେ କହିବ କରିବଇଂ ମୁହିଂ

ଈଶ୍ୱରଂକୁ ହେମବନ୍ତ କରଯୋଡ଼ି କହି ।୧୦୬।

ମୋହୋର ବଚନ ତୁମ୍ଭେ କର ତ୍ରିପୁରାରି

ହେମବନ୍ତୀ ଗର୍ଭୁଂ ଜାତ ୟେକଇ କୁମାରୀ ।୧୦୭।

ତାହାର ନାମ ଗୋଟି ଅଟଇ ପାର୍ବତୀ

ତ୍ରୋଇଲୋକ୍ୟ ମୋହିନୀ ସେହି ଅଟେ ରୂପବନ୍ତୀ ।୧୦୮।

ସେ ତୁହିତା ଗୋଟି ମୁହିଂ ଦେବଇଂ ତୁମ୍ଭଂକୁ

ୟେ କଥା ଯେ ରହିଥିବ ଯୁଗ ଯୁଗାନ୍ତକୁ ।୧୦୯।

ୟେହା ଶୁଣି ଈଶ୍ୱର ଯେ ହରଷ ହୋଇଲେ

କୋମଳ ବଚନ ହେମବନ୍ତକୁ କହିଲେ ।୧୧୦।

ବୋଇଲେ ହେମବନ୍ତ ଶୁଣ ମୋ ବଚନ

ୟେବେ ଯାଉଅଛୁ ଆମ୍ଭେ ମେରୁ ଯେ ଆସ୍ଥାନ ।୧୧୧।

ମେରୁ ଆସ୍ଥାନରେ ଥିବେ ତ୍ରିଦଶ ଦେବତାୟେ

ସମସ୍ତଂକୁ କହିବୁ ଆମ୍ଭେ କହିବା କଥାୟେ ।୧୧୨।

ଦେଖୁଣି ବେଭାରମାନ ଆମ୍ଭେ ଚଳାଇବା

ପଶ୍ଚାନ୍ତରେ ଆମ୍ଭେ ବିଭାଲଗ୍ନ ଧରି ବିଭାଦେବା ।୧୧୩।

ଆମ୍ଭେ ୟେହା କହିଲୁ ତୁମ୍ଭ ଆମ୍ଭର ସତ୍ୟ ଯେ ବଚନ

ପାର୍ବତୀ ବେତ୍ରକେ ଆମ୍ଭେ ନୋହିବୁ ଆନମନ ।୧୧୪।

ୟେତେ କହି ଈଶ୍ୱରେ ଉଠି ଉଭାହେଲେ

ବୃଷଭ ଉପରେ ଚଢି ମେରୁସଭାରେ ମିଳିଲେ ।୧୧୫।

ତେତିଶକୋଟି ଦେବ ମେରୁରେ ଛନ୍ତି ବସି

ୟେହି ସମୟେ ତହିଂ ବିଜୟେ କଲେ କାଶୀ ।୧୧୬।

ଈଶ୍ୱରଂକୁ ଦେଖି ସର୍ବ ଦେବତାୟେ ଉଠିଲେ

ମାନନା କରି ଦେବସଭା ମଧ୍ୟେ ବସାଇଲେ ।୧୧୭।

କୁଶଳ ବାରତା ତହିଂ ପୁଚ୍ଛା ପୁଚ୍ଛି ହୋଇ

ହରଷେ କହନ୍ତି ଶିବ ଦେବଂକ ମୁଖ ଚାହିଂ ।୧୧୮।

ଭୋ ଦେବ ସକଳ ଶୁଣ ମୋ ବଚନ

ଦୁହିତାୟେ ଦେବ ମୋତେ ହେମବନ୍ତ ରାଜନ ।୧୧୯।

ଦେଖୁଣିଘର ଦ୍ରବ୍ୟମାନ ଦିଅ ମୋତେ ତୁମ୍ଭେ

ଆବର ବେଭାର ଦ୍ରବ୍ୟ ମାଗୁଅଛୁ ଆମ୍ଭେ ।୧୨୦।

ଈଶ୍ୱରଂକ ବଚନ ଶୁଣି ଦେବଗଣେ

ଦେଖୁଣି ଘର ବିଧାନ ଭିଆଇ ବହନେ ।୧୨୧।

ଦେଖୁଣିଘରକୁ ଯେତେ ଅଂଶ ଭାବ ହୋଇ

ସକଳ ଦେବତାୟେ ସଭାରେ ତାହା ଆଣି ଥୋଇ ।୧୨୨।

ପୁରି ପାଞ୍ଚ ଭାର ଯେ ମିଠାଇ ପାଞ୍ଚ ଭାର

ଫେଣା ପାଞ୍ଚଭାର ଯେ ନଡ଼ିଆ ପାଞ୍ଚଭାର ।୧୨୩।

ବସାଦଧି ପାଞ୍ଚଭାର ଆବର କନ୍ଦ ପାଞ୍ଚଭାର

କଦଳୀ ଦଶଭାର ଯେ ବିଚିତ୍ର ପ୍ରକାର ।୧୨୪।

ବିଚିତ୍ର ବସନ ପାଞ୍ଚଭାର ପିନ୍ଧା ଶାଢ଼ୀ ଆଣି

ଯୁଗତ କରିଣ ଥୋଇଲେ ତାହା ପୁଣି ।୧୨୫।

କଦଳୀ ପାଞ୍ଚଭାର ଘିଅ ଦୁଇଭାର

ଅମଳାଣ ପୁଷ୍ୟ ଯେ ଆଣିଲେ ସାତଭାର ।୧୨୬।

ଅଗର ଚନ୍ଦନ ଦଶଭାର ଆଣିଲେ

ପାନ ସାତଭାର ଗୁଆ ତିନିଭାର ତହିଂରେ ସଜାଡ଼ିଲେ ।୧୨୭।

ୟେମନ୍ତେ ଅଣାଅଶିଭାର ତହିଂରେ ଯେ ହୋଇ

ଦ୍ରବ୍ୟ ଦେଖି ହରଷ ହେଲେ ଶିବ ତହିଂ ।୧୨୮।

ଭାର ଭାର କରି ସବୁ ଦ୍ରବ୍ୟ ସଜାଡ଼ିଲେ

ଇନ୍ଦ୍ର ଥାଇଣ ସକଳଦେବ ଚାଳିଦିଲେ ।୧୨୯।

ମେରୁ କନ୍ଦରକୁ ହେମବନ୍ତର ନବର

ପଞ୍ଚଦଶ ଯୋଜନ ପଥ ଅଟଇ ସେହୁ ଦୂର ।୧୩୦।

ସକଳ ଭାର କରିଣ ତହୁଂ ଘେନି ଗଲେ

ନାରଦେ ଯେ ଶୂନ୍ୟେ ଥାଇଣ ତାହା ଦେଖୁଥିଲେ ।୧୩୧।

ମନେ ମନେ ନାରଦେ କଲେକ ବିଚାର

ଆଜ ହେମବନ୍ତେ ଲଜ୍ଜା କାରଇବି ହର ।୧୩୨।

ୟେମନ୍ତ ବିଚାରିଣ ମନଦଣ୍ଡ ବିମାନେ

ଆରୋହଣ କରି ନାରଦେ ଯେ ଚଳିଗଲେ ଶୂନ୍ୟେ ।୧୩୩।

ସାତଯୋଜନ ପଥରେ ରହିଲେ ସେ ଯାଇ

ୟେମନ୍ତ ସମୟରେ ଭାର ଘେନି ତହିଂ ।୧୩୪।

ପ୍ରବେଶ ହୋଇଲେ ଦେବେ ଯାଇ ତାହାଂକ କତିରେ

ତାହାନ୍ତ ଦେଖିଣ ମାୟାକଲେ ମୁନିବରେ ।୧୩୫।

ବୋଇଲେ ହୋ କେଣିକି ଯାଉଛ ତୁମ୍ଭେମାନେ

ଅନେକ ଦ୍ରବ୍ୟମାନ ତ ଅଛଇ ଗହନେ ।୧୩୬।

ସେ ବୋଇଲେ ଶୁଣ ହୋ ନାରଦ ମୁନିବର

ୟେହୁ ଅଂଶ ଭାର ସବୁ ଦେଖୁଣି ଘରର ।୧୩୭।

ଈଶ୍ୱର ଦେଇଛନ୍ତି ହେମବନ୍ତର ଘରକୁ

ଦୋହିତୋୟେ ପ୍ରଦାନ ସେ କରିବ ହରଂକୁ ।୧୩୮।

ନାରଦବୋଇଲେ ସବୁ ଅଟଇ ୟେ ମିଛ

ଖାଇବାର ଦ୍ରବ୍ୟମାନ କାଢି ତୁମ୍ଭେ ରଖ ।୧୩୯।

ପିନ୍ଧିବାର ବସ୍ରମାନ ପିନ୍ଧ ହୋ ଯତନେ

ୟେହା ଶୁଣି ହରଷ ହୋଇଲେ ସର୍ବଜନେ ।୧୪୦।

ନାରଦଂକ ବଚନ କେହି ନ ଜାଣିଲେ

ଖାଇବାର ଦ୍ରବ୍ୟ ଖାଇ ବସନ ପିନ୍ଧିଲେ ।୧୪୧।

ଫୁଲ ଚନ୍ଦନ ସବୁ ଯେ ଘେନିଲେ ଦେହରେ

ପାନ ଗୁଆ ମିଶାଇ ଖାଇଲେ ରସଭରେ ।୧୪୨।

ବୋଇଲେ ଆମ୍ଭେମାନେ କରିବୁ କେମନ୍ତ

ବିଚାରିଣ କହ ତୁମ୍ଭେ ମୁନି ତପୋବନ୍ତ ।୧୪୩।

ସେମାନଂକ ବଚନ ନାରଦ ଯେ ଶୁଣି

ହରଷ ହୋଇ ତାଂକୁ କହୁଛନ୍ତି ପୁଣି ।୧୪୪।

ଆହେ ତୁମ୍ଭେ ସକଳ ଯେ ଆମ୍ଭ ଠାରୁ ଶୁଣ

ଯହିଂ ଯାହା ରଖିବ ତାହା କହିବାକୁ ପୁଣ ।୧୪୫।

କହନ୍ତି ନାରଦେ ଯେ ଶୁଣ ଆମ୍ଭ ବାଣୀ

ପୁରି ଯହିଂ ଥିଲା ଘସି ତହିଂ ଥୁଅ ପୁଣି ।୧୪୬।

ମିଠାଇମାନ ଥିଲା ଯେବଣ ହାଣ୍ଡିର

ସେହି ହାଣ୍ଡିମାନଂକରେ ରଖ ଯେ ପଥର ।୧୪୭।

ଫେଣା ହାଣ୍ଡିରେଣ ରଖ ଗୁଣ୍ଡାଘସି ପୁଣି

ନଡ଼ିଆ ହାଣ୍ଡିରେ ବେଲଫଳ ପୂରାଅ ଆଣି ।୧୪୮।

କଦଳୀ ସ୍ଥାନରେ ଅରଖ ଫୁଲ ଯେ ପୂରାଅ

ଗୁଆ ଥିଲା ଯହିଂ ପାଟୋଳି ଫଳ ଥୂଅ ।୧୪୯।

ଦହି ଯହିଂ ଥିଲା ପଂକ ପୂରାଅ ନେଇ ତହିଂ

କନ୍ଦ ସ୍ଥାନେ ବାଲି ଧୂଳି ପୂରାଅ ଯେ ନେଇ ।୧୫୦।

ବସନମାନ ଥିଲା ଯେଉଂ ଆଡ଼ ଖୁର

ସେ ସ୍ଥାନମାନଂକରେ ପୂରାଅ ପତର ।୧୮୧।

ହଳଦୀଆ ମାଟି ରଖ ହଳଦୀ ସ୍ଥାନରେ

କିଂଶୁକ ଫୁଲ ରଖ ଅମଳାନ ପୁଷ୍ୟଠାରେ ।୧୫୨।

ଘିଅ କଳସିରେ ପୂରାଅ ହଳଦୀ ଯେ ପାଣି

ଚନ୍ଦନ ସ୍ଥାନରେ ଥୁଅ ଧଅକାଠ ଆଣି ।୧୫୩।

ପାନ ସ୍ଥାନରେ ଆଳୁ ପତର ପୂରାଅ

ମୁଦମାନ ଦେଇଣ ହେମବନ୍ତେ ଚଳିଯାଅ ।୧୫୪।

ୟେତେ କହି ନାରଦେ ଯେ ଶୂନ୍ୟମାର୍ଗେ ଗଲେ

ନାରଦଂକ ବଚନେ ଯେ ସେ ସେହିମତି କଲେ ।୧୫୫।

ସ୍ଥାନମାନଂକରେ ସେ ସେହିମତି କରି

ମୁଦମାନ ଦେଇଗଲେ ହେମବନ୍ତ ପୁରୀ ।୧୫୬।

ହେମବନ୍ତପୁରେ ଯାଇଂ ପ୍ରବେଶ ହୋଇଲେ

ଦେଖି ସେମାନନ୍ତ ହେମବନ୍ତ ପଚାରିଲେ ।୧୫୭।

ବୋଇଲେ ୟେ ଦ୍ରବ୍ୟମାନ କାହାର ଅଟଇ

ସେ ବୋଇଲେ ୟେ ଦ୍ରବ୍ୟମାନ ହର ଛନ୍ତି ଦେଇ ।୧୫୮।

ଦେଖୁଣି ଘର ଦ୍ରବ୍ୟ ଅଟଇ ୟେ ପୁଣ

ଯତନ କରିଣ ୟେହା କର ସମ୍ଭାଳଣ ।୧୫୯।

ୟେହା ଶୁଣି ହେମବନ୍ତ ହରଷ ହୋଇଷେ

ଯତନ କରିଣ ଭଣ୍ଡାରେ ନେଇଣ ରଖିଲେ ।୧୬୦।

ଗଲା ଲୋକ ମାନନ୍ତ ସେ ଚରଚା କରିଣ

ବସାଇଲେ ନେଇ ତାଂକୁ ଭୋଜନ ସ୍ଥାନେଣ ।୧୬୧।

ଷଡ଼ରସେ ଭୋଜନ ସେ କଲେକ ତହିଂରେ

ଆଞ୍ଚୋଣ ସାରି ସେ ବସିଲେ ହରଷରେ ।୧୬୨।

ୟେମନ୍ତର ସମୟେ ନାରଦ ମୁନିବର

ପ୍ରବେଶ ହୋଇଲେ ଯାଇ ହେମବନ୍ତ ପୁର ।୧୬୩।

ନାରଦଂକୁ ଦେଖି ହେମବନ୍ତ ପୂଜାକଲେ

ଚରଣ ପଖାଳିଣ ମୃଗଛାଲେଣ ବସାଇଲେ ।୧୬୪।

ବୋଇଲେ ନାରଦ ମୁନି ତୁମ୍ଭେ କାହିଂ ଥିଲ

ଆଜ ଆସି ଦୁର୍ଦ୍ଦଶା ମୋର ଉପେକ୍ଷିଲ ।୧୬୫।

ନାରଦେ ବୋଇଲେ ଆମ୍ଭେ ଶୂନ୍ୟେ ଯାଉଥିଲୁ

ତୋହୋର ପୁରେ ପୁଣ ଗହଳ ଶୁଣିଲୁ ।୧୬୬।

ଶବଦ ଶୁଣି ୟେଣେ ଅଇଲୁ ତୋର ପୁର

ୟେହା ଶୁଣି ହେମବନ୍ତ କହନ୍ତି ଉତ୍ତର ।୧୬୭।

ଶୁଣ ହୋ ନାରଦ ତୁମ୍ଭେ ମୋହୋର ବଚନ

କନ୍ୟାୟେ ଅଛି ମୋର ହରଂକୁ କରିବି ପ୍ରଦାନ ।୧୬୮।

ପାର୍ବତୀ ବୋଲିଣ ନାମ ଅଟଇ ତାହାରି

ଈଶ୍ୱରଂକୁ ବିଭା ଦେବି ମୋହୋର କୁମାରୀ ।୧୬୯।

ତହିଂର ନିମନ୍ତେ ୟେ ଆସିଛନ୍ତି ପୁଣ

ଦେଖୁଣି ଘର ଦ୍ରବ୍ୟମାନ ଯେ ଘେନିଣ ।୧୭୦।

ୟେହା ଶୁଣି ନାରଦେ ହରଷ ହୋଇଲେ

ସପତସ୍ୱର ଆଳାପି ବୀଣାବାଦ୍ୟ କଲେ ।୧୭୧।

ୟେଥୁ ଅନନ୍ତରେ ସେ ହେମବନ୍ତ ପୁଣି

ଅଇଲା ଲୋକ ମାନନ୍ତ କଲାକ ମେଲାଣି ।୧୭୨।

ମେଲାଣି ହୋଇଣ ତହୁଂ ସର୍ବେ ଚଳିଗଲେ

ଯେ ଯାହାର ପୁରେ ଯାଇଂ ପ୍ରବେଶ ହୋଇଲେ ।୧୭୩।

ୟେଥୁ ଅନନ୍ତରେ ତହୁଂ ନାରଦ ମୁନିବର

ହେମବନ୍ତ ରାଜାକୁ ସେ କହନ୍ତି ଉତ୍ତର ।୧୭୪।

ଆହୋ ହେମବନ୍ତ ରାଜା ଆମ୍ଭଠାରୁ ଶୁଣ

ଯାଉଅଛୁଂ ଆମ୍ଭେ ସେ ସ୍ୱର୍ଗ ଯେ ଭୁବନ ।୧୭୫।

ନାରଦଂକ ବାଣୀ ଶୁଣି ହେମବନ୍ତ କହି

ଦେଖିବ ନାହିଂକି ହର କି କି ଛନ୍ତି ଦେଇ ।୧୭୬।

ୟେହା ଶୁଣି ନାରଦେ ଯେ ହରଷ ହୋଇଲେ

କି କି ଦ୍ରବ୍ୟ ଦେଇଛନ୍ତି ଦେଖିବା ବୋଇଲେ ।୧୭୭।

ଭିତରକୁ ଗଲେ ସେ ନାରଦ ମୁନିବର

ଦେଖିଲେ ଥୁଆ ହୋଇଅଛି ଅଣାଅଶି ଭାର ।୧୭୮।

ଫିଟାଇ ଦେଖନ୍ତି ତହିଂ ନାରଦ ମୁନି ବସି

ଦଶ ଗୋଟି ହାଣ୍ଡିରେ ପଶିଛି ପରା ଘସି ।୧୭୯।

ଦଶଗୋଟି ହାଣ୍ଡିରେ ପଥର ପୂରିଛଇ

ଦଶଗୋଟି ହାଣ୍ଡିରେ ଗୁଣ୍ଡା ଘସି ଅଛଇ ।୧୮୦।

ଦଶଗୋଟି ହାଣ୍ଡିରେ ଅଛି ବେଲଫଳ

ପାଟୋଳି ଫଳ ଅଛଇ ଛଅଗୋଟି ହାଣ୍ଡିର ।୧୮୧।

ଅରଖ ଫୁଲ ପୂରିଛି ଦଶ ଯେ ଭାରରେ

ପାଞ୍ଚଭାର ପଂକ ଅଛଇ ନିଚଳରେ ।୧୮୨।

ବାଲି ପୂରିଅଛି ଦଶଗୋଟା ହାଣ୍ଡିରେ

କଦଳୀପତ୍ର ଅଛଇ ଦଶ ଆଡ଼ଖୁରେ ।୧୮୩।

ହଳଦିଆ ମାଟି ଅଛି ପାଞ୍ଚ ୟେ ଭାରର

ହଳଦିଆ ପାଣି ଅଛି ଚାରି କଳଶିର ।୧୮୪।

କିଂଶୁକ ଫୁଲ ଅଛି ତହିଂ ସାତଭାର

ଦଶଭାର ଧଅକାଠ ଅଛି ଯେ ତହିଂର ।୧୮୫।

କଣ୍ଟାଆଳୁ ପତର ଯେ ସାତଭାର ଅଛି

ଫିଟାଇ ସବୁ ଦେଖିଲେ ବ୍ରହ୍ମାଂକର ବଚ୍ଛି ।୧୮୬।

ହେମନ୍ତ ମୁଖକୁ ଚାହିଂଣ ମୁନିବର

ଆନନ୍ଦ ହୋଇଣ ସେ ହସନ୍ତି କର କର ।୧୮୭।

ହେମବନ୍ତ ନାରଦଂକ ହସ ତହିଂ ଦେଖି

ୟେ ଭବିଷ୍ୟ ଦେଖି ପିଛାଡ଼ି ନୁଆରନ୍ତି ଆଖି ।୧୮୮।

ନାରଦେ କହନ୍ତି ହୋ ଶୁଣ ହେମବନ୍ତ

ଜାଣୁ ଜାଣୁ ତୁହି ପୁଣ କଲୁ ୟେହୁ କୃତ ।୧୮୯।

ଈଶ୍ୱର ନାମ ବହି କରୁଥାନ୍ତି ୟେମନ୍ତ

ତାହାନ୍ତ କେମନ୍ତେ ତୁ ଦେବୁ ତୋହୋର ଦୋହିତ ।୧୯୦।

ଶମଶାନ ବାସୀ ସେହୁ ଇଶ୍ୱର ଅଟଇ

ତୁହି ତ ଜାଣୁ ତାହାର କୁଳ ଗୋତ୍ର ନାହିଂ ।୧୯୧।

ହାଡ଼ମାଳ ଲୋଚାୟେ ଲମ୍ବାଇଥାଇ ଗଳାରେ

ପାଉଂଶ ଲୋଚାୟେ ଗୋଳି ହୋଇଥାୟେ ସେ ଦେହରେ ।୧୯୨।

ମୃଗଚର୍ମ ଗୋଟାୟେ ସେ କାନ୍ଧେ ପକାଇଣ ଥାଇ

ମୟୂର ପଚ୍ଛୀ ଗୋଟାୟେ ମୁଣ୍ଡରେ ଗୁଡ଼ିୟାଇ ।୧୯୩।

ବସ୍ର ବିହୀନେ ପିନ୍ଧିଥାଇ ବୃକ୍ଷଇ ବକଳ

ତ୍ରିଶୂଳ ଗୋଟାୟେ ଧରିଥାୟେ ବକ୍ଷସ୍ଥଳ ।୧୯୪।

ବୃଷଭ ଗୋଟାୟେ ନିତ୍ୟ ଚଢିଥାଇ

ଅନନ୍ତ ନାଗ ପଇତା ହୃଦରେ ଲମ୍ବଇ ।୧୯୫।

ତାହାର ଛାରକୁ ଦେବୁ ୟେପରି କୁମାରୀ

ଶୁଣିଣ ହେମବନ୍ତ ବହୁତ କ୍ରୋଧ କରି ।୧୯୬।

ହେମବନ୍ତ କ୍ରୋଧ ଦେଖି ତହିଂ ହେମବନ୍ତୀ

ସମ୍ଭାଳି ନୁଆରି କ୍ରୋଧ କଲା ଅପ୍ରମିତି ।୧୯୭।

ବିପରୀତ ଅସମ୍ଭବ ଦେଖି ପୁରଜନେ

ସମସ୍ତେ ରୋଦନ କଲେ ବିଦ୍ୟମାନେ ।୧୯୮।

ଯେସନ ପର୍ବର କାଳେ ସାହେର ଗର୍ଜନ

ରୋଦନ ଶବଦ ତହିଂ ଗହନ ତେସନ ।୧୯୯।

ରୋଦନ ଶବଦ ତହିଂ ଶୁଣି ମୁନିବର

ହେମବନ୍ତ ରାଜାକୁ କରାଇଲେ ସ୍ଥିର ।୨୦୦।

ରାଜା ସ୍ଥିର ହୁଅନ୍ତେ ତହୁଂ ପୁରଜନମାନେ

ସମସ୍ତେ ଯେ ସ୍ଥିର ହେଲେ ମୁନିଂକ ବଚନେ ।୨୦୧।

ବିଚିତ୍ର ଦ୍ରବ୍ୟମାନ ଅଛଇ ଠାବେ ଠାବେ

ହେମବନ୍ତ ପୁରୁ ନାରଦେ ଚଳିଗଲେ ଭାବେ ।୨୦୨।

ହେମବନ୍ତ ରାଜାକୁ ଲାଗିଲା ଗରୁ ବ୍ୟଥା

ଧ୍ୟାନ କରି ବ୍ରହ୍ମାଂକୁ ସେହୁ ଚିନ୍ତା ।୨୦୩।

ହେମବନ୍ତ ଆରତରେ ଚିନ୍ତିଲାକ ଯହୁଂ

ତତକ୍ଷଣେ ବ୍ରହ୍ମା ଆସି ବିଜେକଲେ ତହୁଂ ।୨୦୪।

ବ୍ରହ୍ମାୟେ ବୋଇଲେ ଚିନ୍ତା କିମ୍ପେ କଲୁ ମୋତେ

କେବଣ ଚରିତ୍ର ମାନ କୁହ ମୋ ଅଗ୍ରତେ ।୨୦୫।

ହେମବନ୍ତ ବୋଇଲା ଆସ ଯିବା ଭିତରକୁ

ଦେଖୁଣି ବେଭାରମାନ ଦେଖାଇବା ତୁମ୍ଭଂକୁ ।୨୦୬।

ଦେଖୁଣି ବେଭାର ଯାହା ଦେଇଛନ୍ତି ଈଶ୍ୱରେ

ଭିତରକୁ ଆସ ତୁମ୍ଭେ ତାହା ଦେଖ ଥରେ ।୨୦୭।

ୟେତେ କହି ହେମବନ୍ତ ବ୍ରହ୍ମାଂକୁ ଘେନିଗଲେ

ଅସମ୍ଭବମାନ ସବୁ ଦେଖାଇଣ ଦିଲେ ।୨୦୮।

ତାହା ଦେଖିଣ ବ୍ରହ୍ମା ସ୍ତମ୍ଭୀଭୂତ ହୋଇ

ବିଚାରିଲେ ଆମ୍ଭ ଦିଲା ଦ୍ରବ୍ୟ କିଛି ନାହିଂ ।୨୦୯।

କେହୁ ୟେଡ଼େ ବିପରୀତ କଲା ୟେଥେ ପୁଣ

ପଚାରିବା କେହୁ ଆସିଥିଲା ୟେ ଭୁବନ ।୨୧୦।

ୟେତେ ବିଚାରିଣ ବ୍ରହ୍ମା ଆପଣା ମନକୁ

ପଚାରିଲେ ଚାହିଂ ହେମବନ୍ତର ମୁଖକୁ ।୨୧୧।

ବୋଇଲେ ହୋ ହେମବନ୍ତ ଶୁଣ ଆମ୍ଭ ବାଣୀ

ଆନ କେହି ଆସିଥିଲା ୟେ ଠାବକୁ ପୁଣି ।୨୧୨।

ହେମବନ୍ତ କହଇ ଯେ ବ୍ରହ୍ମାଂକ ଅଗ୍ରତେ

ୟେକା ଆସିଥିଲେ ଯେ ନାରଦ ତପୋବନ୍ତେ ।୨୧୩।

ଯେହା ଶୁଣି ବ୍ରହ୍ମା ହେମବନ୍ତ ମୁଖ ଚାହିଂ

ଶୁଣ ହେମବନ୍ତ ଚିତ୍ତ ସ୍ଥିରକରି ତୁହି ।୨୧୪।

ୟେ କଥାକୁ ଶୋଚନା ତୁ ନ କର ମନେଣ

ୟେ କଥାମାନ ସବୁ ନାରଦଂକ ଭିଆଣ ।୨୧୫।

ଦେଖୁଣିଘର ବିଧାନ ଯେତେକ ଅଛଇ

ସକଳ ଦେବତାମାନେ ଆମ୍ଭେ ଥିଲୁ ଦେଇ ।୨୧୬।

ପ୍ରବୋଧ ବଚନେ କହି ବ୍ରହ୍ମା ଚଳିଗଲେ

ଆପଣା ଭୁବନେ ଯାଇଂ ପ୍ରବେଶ ହୋଇଲେ ।୨୧୭।

ୟେଥୁ ଅନନ୍ତରେ ତହିଂ ଗଲା କେତେଦିନ

ଈଶ୍ୱରେ ବିଜେ କଲେ ମେରୁ ଯେ ଆସ୍ଥାନ ।୨୧୮।

ସକଳ ଦେବତାମାନେ ମେଳିହେଲେ ତହିଂରେଣ

ହରଂକୁ ଦେଖି ଉଠିଲେ ସର୍ବ ଦେବତାଗଣ ।୨୧୯।

ମାନନା କରି ବସାଇଲେ ମେରୁସଭାର ମଧ୍ୟେଣ ।୨୨୦।

ସଭାରେ ଯେ ପଡ଼ିଲା ଅନେକ ବିଷୟମାନ

ପଶ୍ଚାନ୍ତେ ଈଶ୍ୱରେ ଯେ କହିଲେ ବଚନ ।୨୨୧।

ୟେକମନେ ଶୁଣ ଆହେ ସକଳ ଦେବଗଣେ

ଆମ୍ଭେ ତୁମ୍ଭଠାକୁ ଆସିଲୁ ଯେବଣ କାରଣେ ।୨୨୨।

ହେମବନ୍ତ ପୁରକୁ ସମସ୍ତ କର ହୋ ଗବନ

ବିଭାର ଯେ ଦିନ ବାର ଘେନିଆସ ପୁଣ ।୨୨୩।

ୟେହାଶୁଣି ସର୍ବ ଦେବଗଣେ ବିଚାରିଲେ

ବିଚାର କରିଣ ତହୁଂ ବ୍ରହ୍ମାଂକୁ ବୋଇଲେ ।୨୨୪।

ଆହୋ ବ୍ରହ୍ମାୟେ ଚଳିଯାଅ ହୋ ବହନ

ହେମବନ୍ତ ପୁରୁ ଯାଇ ବିଭାଲଗ୍ନ ଆଣ ।୨୨୫।

ମକର ଯାଇଣ କୁମ୍ଭ ହୋଇଲା ପ୍ରବେଶ

ବେଗେ ଯାଇ ତୁମ୍ଭେ ବିଭାଲଗ୍ନ ଘେନିଆସ ।୨୨୬।

ସର୍ବ ଦେବଗଣେ ଆମ୍ଭେ ମେଳିହୋଇ ଯିବା

ଚନ୍ଦ୍ରଶେଖରଂକୁ ଯାଇ ବିଭା କରାଇବା ।୨୨୭।

ଦେବଗଣଂକ ବଚନେ ବ୍ରହ୍ମା ଚଳିଗଲେ

ହେମବନ୍ତ ପୁରେ ଯାଇ ପ୍ରବେଶ ହୋଇଲେ ।୨୨୮।

ହେମବନ୍ତ ରାଜାକଇଂ କହନ୍ତି ବଚନ

ମୋତେ ପଠିଆଇଲେ ସକଳ ଦେବଗଣ ।୨୨୯।

ବିଭାର ଯେ ଲଗ୍ନ ଦିନ ଦିଅ ତୁମ୍ଭେ ମୋତେ

ମେରୁ ଉପରେ ସଭା କରି ବସିଅଛନ୍ତି ସମସ୍ତେ ।୨୩୦।

ୟେହାଶୁଣି ହେମବନ୍ତ ହରଷ ହୋଇଲେ

ଦଇବଗ୍ୟଂକୁ ଡକାଇ ସେ ଲଗ୍ନ ବୁଝାଇଲେ ।୨୩୧।

କୁମ୍ଭ ଚଉବିଂଶ ଦିନେ ବଡ଼ ଶୁଭ ଦୋଇ

ତିଥିବାର ନକ୍ଷତ୍ର ସର୍ବ ଶୁଭ ଯେ ଅଟଇ ।୨୩୨।

ସେହିଦିନ ପାର୍ବତୀଂକି ବିଭାକର ତୁମ୍ଭେ

ତିଥିବାର କୋଷ୍ଠୀଗୋଟି ବୁଝି କହିଲୁ ଯେ ଆମ୍ଭେ ।୨୩୩।

ବୁଝି ଲଗ୍ନ ଦିନ ବ୍ରହ୍ମା ତହୁଂ ଚଳିଗଲେ

ମେରୁ ସଭା ତଳେ ଯାଇ ପ୍ରବେଶ ହୋଇଲେ ।୨୩୪।

ସମସ୍ତ ଚରିତମାନ କହିଲେ ସଭାରେ

ଆସ୍ଥାନ ମଉଳିଲା ଉଠିଗଲେ ଯେଝାପୁରେ ।୨୩୫।

ସମସ୍ତ ଦେବଗଣମାନେ ତୁମ୍ଭେ ଯିବ

ଆମ୍ଭର ଆଜଠାରୁ ସଦିଭାବ ଦେବ ।୨୩୬।

ୟେଥୁ ଅନନ୍ତରେ ତହୁଂ କେତେଦିନ ଗଲା

ବିଭାର ବିଧାନ ମାନ ହେମବନ୍ତ କଲା ।୨୩୭।

ନାନାରୂପେ ପୁରମାନ କଲାକ ମଣ୍ଡଣି

ମେରୁ ସଭାକୁ ଗଲା ଗୁଆ ଅକ୍ଷତ ଘେନି ।୨୩୮।

ଗୁଆ ଅକ୍ଷତ ଦିଲେ ସର୍ବେ ଦେବତାଂକୁ

ବୋଇଲେ ହରଂକୁ ଘେନିଯିବ ମୋହୋର ପୁରକୁ ।୨୩୯।

ସଭାସ୍ଥ ଦେବତାଗଣମାନ ତୁମ୍ଭେ ସବୁ ଯିବ

ହର ପାର୍ବତୀଂକି ତୁମ୍ଭେ ବିଭା କରାଇବ ।୨୪୦।

ୟେତେ କହି ହେମବନ୍ତ ଗଲା ନିଜପୁରେ

ସମସ୍ତ ଦେବତାୟେ କପିଳାସ ପୁରକଇଂ ଗଲେ ।୨୪୧।

କପିଳାସପୁରେ ଯାଇଂ ହୋଇଲେ ପ୍ରବେଶ

ଶ୍ରୀହରି ଚରଣ ସେବଇ କବି ସାରୋଳ ଦାସ ।୨୪୨।

ୟେଥୁ ଅନନ୍ତରେ ଶୁଣ ବିଲଂକ ରାଜନ

ମହାଦେବଂକର ବରବେଶର ବିଧାନ ।୨୪୩।

ବିଭୂତି ଲେପନ ହେଳେ ସର୍ବାଙ୍ଗରେ

କୁଳିକ କର୍କୋଟକ ଦୁଇନାଗ ନାନ୍ଧିଲେ ଶିରରେ ।୨୪୪।

ମହାପଦ୍ମ ନାଗକୁ ସେ ପଇତା କରିଣ

କାନ୍ଧେ ପଇତା ସଜାଡ଼ି ଦେଉଛନ୍ତି ଦେବଗଣ ।୨୪୫।

ବିରସ ନାଗକୁ ସେ କଟିରେ ତୋର କଲେ

ଶ୍ୱେତ ନାଗକୁ ସେ କଉପୀନ କରିଣ ପିନ୍ଧିଲେ ।୨୪୬।

ପଦ୍ମନାଗ ତକ୍ଷକକୁ ସେ ଲମ୍ବାଇ ଗଳାରେ

ଭୋଳେ ସେ ବିଜେ କଲେ ଯାଇ ବୃଷଭ ଉପରେ ।୨୪୭।

ତ୍ରିଶୂଳ ଗୋଟିୟେକ ସେ ଘେନିଣ ହାଥରେ

ନବଲକ୍ଷ ଡମ୍ବରୁ ସେ ବାଜଇ ଶୂନ୍ୟରେ ।୨୪୮।

ଦେବଗଣଂକୁ ଘେନିଣ ସଙ୍ଗରେ ଚଳିଲେ

ହେମବନ୍ତ ପୁରେ ଯାଇଂ ପ୍ରବେଶ ହୋଇଲେ ।୨୪୯।

ୟେସନେକ ସମୟେ ତହିଂ ନାରଦ ମୁନିବାର

ତୁମ୍ବୁରୁ ବଜାଇଣ ଯେ ଯାଉଥିଲେ ଶୂନ୍ୟର ।୨୫୦।

ହେମବନ୍ତ ପୁରେ ଯେ ଗହଳ ବାଣୀଶୁଣି

ତୁମ୍ବୁରୁ ନ ବଜାଇ ଶୂନ୍ୟରେ ରହିଲେ ମୁନିମଣି ।୨୫୧।

ହେମବନ୍ତ ପୁରେ ବିଭା ଧ୍ୟାନେଣ ଜାଣିଲେ

ଶୂନ୍ୟ ତେଜ୍ୟାକରି ଆସି ତା ପୁରେ ମିଳିଲେ ।୨୫୨।

ଦେଖିଲେ ସଭାରେ ବସିଛନ୍ତି ଦେବଗଣ

ବର ବେଶେ ବସିଛନ୍ତି ତହିଂ ହର ପୁଣ ।୨୫୩।

ମନେ ବିଚାରିଲେ ୟେବେ ଉପାୟେ କରିବା

ହରଂକୁ ୟେ ସଭାୟେ ଲଜ୍ଜା କରାଇବା ।୨୫୪।

ୟେତେ ବିଚାରି ନାରଦେ ଭିତରକୁ ଗଲେ

ହେମବନ୍ତ ପୁରେ ଯାଇଂ ପ୍ରବେଶ ହୋଇଲେ ।୨୫୫।

ନାରଦଂକୁ ହେମବନ୍ତୀ ୟହୁଂ ସେ ଦେଖିଲା

ଦଣ୍ଡବତ କରି କରଯୋଡ଼ି ଉଭାହେଲା ।୨୫୬।

ହେମବନ୍ତୀ ଆଗରେ କହନ୍ତି ମୁନିବର

ଆଜ ତ ବଡ଼ ଉତ୍ସବ ୟେ ତୋହୋର ପୁର ।୨୫୭।

କି ନିମନ୍ତେ ଦେବଗଣ ମାନେ ଆସିଛନ୍ତି

ୟେଥିର ଚରିତ ମୋତେ କହ ହେମବନ୍ତୀ ।୨୫୮।

ଭୋ ଦେବ ନାରଦ ଶୁଣ ବଚନ ମୋହୋରି

ଈଶ୍ୱରଂକୁ ବିଭାଦେବି ମୋହୋର କୁମାରୀ ।୨୫୯।

ୟେହା ଶୁଣି ନାରଦ ଯେ ବଚନ କହନ୍ତି

ଆଣନି ଦୋହିତା ତୋର କେତେ ରୂପବନ୍ତୀ ।୨୬୦।

ୟେହା ଶୁଣି ହେମବନ୍ତୀ ଭିତରକୁ ଗଲା

ପାର୍ବତୀର ହାଥ ଧରି ଘେନିଣ ଅଇଲା ।୨୬୧।

ନାରଦଂକ ଆଗରେ ଆଣି କଲା ଉଭା

ନିକଳଂକ ଚନ୍ଦ୍ର ଜାଣି ପାର୍ବତୀଂକ ଶୋଭା ।୨୬୨।

ଦେଖିଣ ନାରଦେ ଯେ ହରଷ ହୋଇଲେ

ବାହାରେ ବିରସ ହୋଇ ବଚନ ବୋଇଲେ ।୨୬୩।

ଶୁଣ ଆଗୋ ହେମବନ୍ତୀ ଶୁଣ ମୋ ଉତ୍ତର

ପାର୍ବତୀଂକି ହରଂକୁ କିମ୍ପାଇକଲୁ ବର ।୨୬୪।

ୟେଡେ ସୁନ୍ଦର ଝିଅକୁ ଅଖଡ଼େ ନାଶ କଲୁ

ଜନ୍ମ କାଳେ ବିଷ ଦେଇ କିମ୍ପେ ନ ମାଇଲୁ ।୨୬୫।

ନୋହିଲେ ପକାଇ ଦେଇଥାନ୍ତୁ ଜଳରେ

ବାଳକାଳେ ଗୋଡ଼େ କିମ୍ପେ ନ ଦିଲୁ ଗଲାରେ ।୧୬୬।

ସ୍ଥିର କରି ଚାହାଂ ନିଜେ ହରଂକୁ ଯେ ତହିଂ

କେମନ୍ତ ବରବେଶରେ ବସିଛନ୍ତି ସେହି ।୨୬୭।

ଦେଖ ଶିରେ ବାନ୍ଧିଛନ୍ତି ବେନିଗୋଟି ଭୁଜଙ୍ଗ

ବିଭୂତି ଲେପନ ଯେ ହୋଇଛି ସର୍ବାଙ୍ଗ ।୨୬୮।

ଅହି ଗୋଟାୟେ କାନ୍ଧରେ ପଇତା ପକାଇ

ଗଳାରେ ଲମ୍ବାଇଛି ସର୍ପ ଗୋଟା ଦୁଇ ।୨୬୯।

କଟିରେ ଭିଡ଼ିଛି ଯୋଡ଼ାୟେକ ଅହି ପୁଣି

ପିନ୍ଧିଅଛି ସର୍ପେକ ଯେ କରିଣ କଉପୁନି ।୨୭୦।

ତ୍ରିଶୂଳ ଗୋଟାୟେକ ଧରିଛି ହାଥର

ୟେ ତୋର ଝିଅକୁ କିମ୍ପେ ୟେହାକୁ କଲୁ ବର ।୨୭୧।

ଦେଖୁ ଦେଖୁ ଝିଅକୁ ଜଳରେ ଝାସିଲୁ

ଜନମ କାଳରୁ କିମ୍ପେ ୟେହାକୁ ନ ମାଇଲୁ ।୨୭୨।

ୟେବେ କେମନ୍ତ କରି ଦେହ ଧରିବୁ ଯେ ତୁହି

ୟେ ସୁନ୍ଦର ଝିଅ ହରକୁ ପୁଣ ଦେଇ ।୨୭୩।

ଦେଖ ସର୍ପ ଆଭରଣ ହର ହୋଇଛନ୍ତି

ୟେ ବିଭା ଉତ୍ସବେ ୟେହାଂକର ୟେସନେକ ରୀତି ।୨୭୪।

ଯେବଣ ଜନମାନେ ବସ୍ରହୀନେ ଥାନ୍ତି

ଯାତ୍ରା ବିଭାକାଳେ ସେ ପଡ଼ିଶାଘର ଯାନ୍ତି ।୨୭୫।

ସାଇ ପଡିଶାଘରୁ ଯେ ବସ୍ରେକ ମାଗିଣ

ଆଣି ଯାତ୍ରା ସାରିଣ ଦିଅନ୍ତି ଫେରାଇଣ ।୨୭୬।

ଯେଣୁ ୟେହାର କୁଳ ଗୋତ୍ର ନାହିଂ ପୁଣ

ବସ୍ର ଆଭରଣ ସେ ପାଇବ କାହିଂ ଜାଣ ।୨୭୭।

ଦେଖ ଯେଉଂ ସର୍ପମାନେ ଫୁ ଫୁ କରୁଛନ୍ତି

ବିଭାକାଳେ ନ ପୁଣ ସେ ଝିଅକୁ ଦଂସନ୍ତି ।୨୭୮।

ୟେତେ କହି ମୁନିବର ମଉନେ ରହିଲେ

ସ୍ଥିର କରି ହେମବନ୍ତୀ ହରଂକୁ ଚାହିଂଲେ ।୨୭୯।

ଦେଖିଲେ ସର୍ପମାନେ ଅଛନ୍ତି ଦେହର

ଫୁ ଫୁ କାର କରି ସେହୁ ଗର୍ଜନ୍ତି ଗୁରୁତର ।୨୮୦।

ତାହା ଦେଖିଣ ହେମବନ୍ତୀ ଝାମ ଯାଇ

ପଡ଼ିଲେକ ଭୂମିରେ ଶରୀରେ ଗ୍ୟାନ ନାହିଂ ।୨୮୧।

ଦାସୀମାନେ ତୋଳିମ ମୁଖେ ଛିଞ୍ଚିଲେକ ପାଣି

ଅସାଷ୍ଟମ ହୋଇ ହେମବନ୍ତୀ ରୋଦନ କରଇ ପୁଣି ।୨୮୨।

ହେମବନ୍ତୀ ଅଷ୍ଟାସମ ହେମବନ୍ତ ଶୁଣିଲେ

ସଭାରୁ ଆସି ଭିତର ପୁରରେ ମିଳିଲେ ।୨୮୩।

ସାଷ୍ଟାମ ହୋଇଣ ଯେ ବସିଲେ ହେମବନ୍ତୀ

କାନ୍ତ ମୁଖ ଚାହିଂଣ ସେ ରୋଦନ କରନ୍ତି ।୨୮୪।

ହେମବନ୍ତ ତହିଂଣ ଯେ ଅନେକ କ୍ରୋଧ କଲେ

ହେମବନ୍ତୀ କର ଧରି ତାଂକୁ ବହୁତ ପ୍ରୋବଧିଲେ ।୨୮୫।

ହେମବନ୍ତୀଂକି ପ୍ରୋବଧ କରନ୍ତି ହେମବନ୍ତ

ଦେବ ସଭାକୁ ବିଜୟେ କଲେକ ତୁରିତ ।୨୮୬।

ଯେଥୁ ଅନନ୍ତରେ ଶୁଣ ବିଲଂକ ନୃପସାଇଂ

ହେମବନ୍ତୀ କହେ ନାରଦଂକର ଧରି ପାଦ ଦୁଇ ।୨୮୭।

ଭୋ ମୁନି ଶୁଣ ତୁମ୍ଭେ ମୋହାର ବଚନ

ଯେମନ୍ତେ ରହଇ ମୋହୋର ଦୋହିତାର ଜୀବନ ।୨୮୮।

ସେ ଉପାୟ ତୁମ୍ଭେ କରିଦିଅ ମୁନି

ତୁମ୍ଭ ପାଦତଳେ ମୁଂ କରୁଛି ଦଇନି ।୨୮୯।

ୟେହା ଶୁଣି ନାରଦେ କହନ୍ତି ଉତ୍ତର

ହେମବନ୍ତୀ ମନେ ଚିନ୍ତା ନ କର ତୋହୋର ।୨୯୦।

ଆମ୍ଭେ ମୁନିମାନେ ଜାଣୁ ସକଳ ଯେ କଥା

ପଚାରିଲେ କହୁଂ ଆମ୍ଭେ ତିନିପୁରର ବାରତା ।୨୯୧।

ହେମବନ୍ତୀ ପଚାରିଲୁ ଆମ୍ଭନ୍ତ ତୁହି ଯେବେ

ସର୍ପମାନନ୍ତ ଉପାୟେ କରିଦେବା ଆମ୍ଭେ ।୨୯୨।

ଆମ୍ଭେ ଯାହା ଦେବା ତୁମ୍ଭେ ଝିଅ ହାଥେ ଥିବ ଦେଇ

ୟେ ଜଡ଼ି ସଙ୍ଗେ ଥିଲେ ଫେରୁ ନ ଟେକିବେ ଅହି ।୨୯୩।

ଯେତେବେଳେ ଝିଅ ଉପରକୁ ଯିବ

ଝିଅର ବାମ ହାଥେ ୟେ ଜଡ଼ି ଖଣ୍ଡିଦେବ ।୨୯୪।

ୟେତେ କହି ମୁନି କଳି ଧୋକଡ଼ି ଫେଇଲେ

ୟେକ ଜଡ଼ି ଖଣ୍ଡିୟେ ଯେ ହାଥ ରେ ଘେନିଲେ ।୨୯୫।

ବୋଇଲେ କି ହେମବନ୍ତୀ ୟେ ଖଣ୍ଡି ରଖିଥିବୁ

ଝିଅ ବେଦି କି ଗଲାବେଳେ ତାହାର ହାଥେ ଦେବୁ ।୨୯୬।

ହେମବନ୍ତି ହାଥେ ଜଡ଼ି ଦେଇ ମୁନିବର

ତିଆରି କହିଣ ତହୁଂ ହୋଇଲେ ବାହାର ।୨୯୭।

ଦେବସଭା ମଧ୍ୟେ ଯାଇ ହୋଇଲେ ପ୍ରବେଶ

ଲକ୍ଷ୍ମୀ ନାରାୟଣ ଚରଣେ ଶରଣ ମୁହିଂ ସାରୋଳା ଦାସ ।୨୯୮।

ଯେଥୁ ଅନନ୍ତ ରେ ବିଲଂକ ନୃପତି

ୟେ ବିଭା ସଭା ରେ ଲଜ୍ଜ୍ୟା ଯେ ପାଇଲେ ପଶୁପତି ।୨୯୯।

ଯହୁଂ ବିଭାଲଗ୍ନ ହୋଇଲାକ ଆସି

ସକଳ ମୁନି ମାନେ ପ୍ରବେଶିଲେ ବହୁତ ପ୍ରଶଂସି ।୩୦୦।

ପ୍ରଥମେଣ ଆସି ମିଳିଲେ ବେଦବ୍ୟାସ

ଷାଠିୟେ ସହସ୍ର ଶିଷ୍ୟ ଛନ୍ତି ତାଙ୍କ ପାଶେ ।୩୦୧।

ପାଞ୍ଚଶହସ୍ର ଶିଷ୍ୟ ଘେନି ଚଳିଲେ ବିଶ୍ଵାମିତ୍ରେ

ଲକ୍ଷେ ଶିଷ୍ୟ ଘେନି ବିଜେ କଲେ ଧର୍ମସୁତେ ।୩୦୨।

ଲକ୍ଷେ ଶିଷ୍ୟ ଘେନି ଅଇଲେ ବିଭାଣ୍ଡେକ

ବେନି ସହସ୍ର ଶିଷ୍ୟ ଘେନି ଅଇଲେ ବାଲମ୍ବିକ ।୩୦୩।

ଲକ୍ଷେକ ଶିଷ୍ୟ ଘେନିଅଇଲେ ଲୋମଶ ଗାଙ୍ଗବ

ପାଞ୍ଚଲକ୍ଷ ଶିଷ୍ୟ ଘେନି ବଶିଷ୍ଠ ବାମଦେବ ।୩୦୪।

ଅଗସ୍ତିଂକ ତୁଲେଣ ଯେ ଲକ୍ଷେକ ବାଳଶିଷି

ହେମବନ୍ତ ପୁରେ ଯେ ମିଳିଲେକ ଆସି ।୩୦୫।

ବାଲମ୍ବିକ ସୁମନ୍ତେକ ଗାଗ୍ରେବ ଉତ୍ତମା

ଶିଷ୍ୟଗଣନ୍ତ ଘେନି ମଳିଲେ ମହତାମା ।୩୦୬।

ଗଉତମ ଭାରଦ୍ଵାଦଶ ଶିଷ୍ୟନ୍ତ ଘେରନି ସଙ୍ଗନ୍ତର

ୟେମାନେ ବିଜେକଲେ ହେମବନ୍ତ ପୁର ।୩୦୭।

ପଉଲସ୍ତି ପାରେଶ୍ଵର ଆବର ଶାୟଂତନୁ

ଜୟଦେବ ଅଇଲେ ପଉଲସ୍ତିର ତନୁ ।୩୦୮।

ୟେହାନ୍ତ ଆଦିକରି ଅନେକ ମହଋଷି

ଈଶ୍ଵରଂକ ବିଭାକଲେ ମିଳିଲେକ ଆସି ।୩୦୯।

ଛାୟାମଣ୍ଡୋପକୁ ସର୍ବ ଦେବ ବିଜେକଲେ

ବେଦୀ ଚରିପାଖେ ମୁନିମାନେ ଯେ ବସିଲେ ।୩୧୦।

ଈଶ୍ଵର ଯେ ବେଦିପରେ ବସିଲେକ ଯାଇଂ

ଦିଜଗଣମାନେ ବାକ୍ୟ ଉଚ୍ଚାରିଲେ ତହିଂ ।୩୧୧।

ଲବଣ ଚାମେରି ସାରି ଗଲେକ ପାର୍ବତୀ

ବେଦୀର ଉପରେ ବସିଅଛନ୍ତ ପଶୁପତି ।୩୧୨।

ହେମବନ୍ତୀ ପୁଣି ପାର୍ବତୀଂକି ଘେନିଣ ଅଇଲେ

ବେଦୀ ତଳେ କଟମ୍ବା ମାଡ଼ିଣ ବସିଲେ ।୩୧୩।

ପର୍ବତୀଂକ ବାମହାଥେ ଜଡ଼ି ଖଣ୍ଡିୟେ ଅଛଇ

ଜଡ଼ି ଗୁଣ ଆନତାହା କେହି ନ ଜାଣଇ ।୩୧୪।

ଈଶ୍ଵରଂକ କରେ ପାର୍ବତୀଂକ କର ଦେଇ

ବିଦୁଜନ ମାନେ ଯେ ବାକ୍ୟକଲେ ତହିଂ ।୩୧୫।

ବେନିଜନଂକର କର ବନ୍ଧନ ଯେ କଲେ

ଅହିଓ ଯୁବତୀ ମାନେ ହୁଳ ହୁଳି ଦେଲେ ।୩୧୬।

ପୁଣି ବେନିଜନଂକର କର ଫିଟାଇଣ

ପାର୍ବତୀଂକର ତହିଂ ଧରିଣ ଈଶାନ୍ୟ ।୩୧୭।

କର ଧରି ପାର୍ବତୀଂକୁ ବୁଲାଇଣ ନେଲେ

ଈଶ୍ଵରଂକ ଡାହାଣ ଭାଗରେ ବସାଇଲେ ।୩୧୮।

ୟେଥୁ ଅନନ୍ତରେ ତୁ ହୋ ଶୁଣ ଦିବ୍ୟରସ

ଅକ୍ଷୟ ସଭାରେ ଉପୁଜିବ ବଡ଼ହାସ୍ୟ ।୩୧୯।

ପାର୍ବତୀ ଯହୁଂ ହରଂକ ଡାହାଣେ ବସିଲେ

ସଧୀରେ ସଧୀରେ ତହୁଂ ପବନ ବହିଲେ ।୩୨୦।

ମଉଷଧି ଗନ୍ଧ ତହିଂ ସର୍ପମାନେ ପାଇ

ରହି ନୁଆରନ୍ତି ତହିଇ ପୁଣ ସୁସ୍ଥ ହୋଇ ।୩୨୧।

ସଧୀରେ ସଧୀରେ ହର ଅଙ୍ଗୁ ଫିଟିଗଲେ

ଫିଟିଣ ସର୍ପମାନେ ୟେଣେ ତେଣେ ପଶିଲେ ।୩୨୨।

ଯହୁଂ ସର୍ପମାନେ ପଳାଇଲେ ଖରତରେ

ତହୁଂ ଉଲଗ୍ନ ହୋଇ ହର ବେଦୀ ରେ ବସିଲେ ।୩୨୩।

ହରଂକ ଡାହାଣ ଭାଗେ ପର୍ବତୀ ଅଛନ୍ତି

ୟେହି ସମୟରେ ହେମବନ୍ତୀ ଯେ ଆସନ୍ତି ।୩୨୪।

ସଖୀଗଣମାନନ୍ତ ଯେ ଘେନି ସଙ୍ଗତେଣ

ସପ୍ତ ଦୀପାବଳିମାନ ଘେନିଣ କରେଣ ।୩୨୫।

ଗହ ଗହ ଶବଦେ ଯେ ହୁଳ ହୁଳି ଦେଇ

ଆନନ୍ଦେ ଆସନ୍ତି ବନ୍ଦାପନା କରିବା ପାଇଂ ।୩୨୬।

ନାରଦେ ହସି ନାଚନ୍ତି ବୀଣା ଧରି କର

ଦୂରୁ ଦେଖିଲେ ଉଲଗ୍ନ ହୋଇ ହର ବସିଛନ୍ତି ସେ ସଭାର ।୩୨୭।

ଦେବଗଣ ମାନେ ଯେ ହସନ୍ତି ହରଂକୁ ଚାହିଂ

ସଂକୁଚେ ବସିଲେ ହର ବହୁତ ଲଜ୍ଜ୍ୟା ପାଇ ।୩୨୮।

କାହାର ଦେହେ ବୁଦ୍ଧି ନ ରହଇ ହସରେ

ୟେକୁଂ ୟେକେ ଧାରାଧରି ହୁଅନ୍ତି ସଭାରେ ।୩୨୯।

ଦେବଗଣ ଶିବଗଣ ମୁନିଗଣ ତହିଂ

ସମସ୍ତେ ହସନ୍ତି ଯେ କରତାଳି ଦେଇ ।୩୩୦।

ୟେହାଂକର ହସଦେଖି ପୁଣି ତତପର

ଲୋଚି ହୋଇ ବସିଲେ ବେଦୀର ଉପର ।୩୩୧।

ତାହା ଦେଖି ହେମବନ୍ତୀ ଲାଜେ ପଳାଇଲେ

ସଖୀମାନେ କରତାଳି ଦେଇଣ ହସିଲେ ।୩୩୨।

ବୋଇଲେ ସଖୀୟେଗୋ ବଡ଼ ବିପରୀତ

ତିନିପୁରେ ୟେ ଭବିଷ୍ୟ ଦେଖିଲା ନାହିଂ ତ ।୩୩୩।

ଝିଅ କରମରେ ତ ୟେହି ଦଶାଥିଲା

ୟେତେ ହୀନିମାନ କରି ବିଧାତା ଲେଖିଲା ।୩୩୪।

ବହୁ ବିରସ ତହୁଂ ହୁଅନ୍ତି ହେମବନ୍ତୀ

ହେମବନ୍ତୀ କର ଧରି ସଖୀମାନେ ହସନ୍ତି ।୩୩୫।

ବଡ ଲଜ୍ଜ୍ୟା ହେମବନ୍ତ ସଭାରେଣ ପାଇ

ଭିତର ପୁରକୁ ସେ ଗଲେ ବେଗ ହୋଇ ।୩୩୬।

ଚାଙ୍ଗଡା ଘରୁ ବସ୍ର ଅଳଂକାର ଘେନିଲେ

ବେଦୀର ତଳେ ଆସି ପ୍ରବେଶ ହୋଇଲେ ।୩୩୭।

ବସ୍ର ଅଳଂକାର ଥୋଇ ବୋଇଲେ ବଚନ

ବେଗକରି ପିନ୍ଧ ୟେହି ବସ୍ର ଅଳଂକାରମାନ ।୩୩୮।

ତତକ୍ଷଣେ ଈଶ୍ଵରେ ଯେ ବେଦୀରୁ ଉଠିଲେ

ଲାଜ ତେଜି ବସ୍ର ଅଳଂକାର ମାନ ସେ ପିନ୍ଧିଲେ ।୩୩୯।

ବସ୍ର ଅଳଂକାରମାନ ପିନ୍ଧିଲେ ଦେବହର

ବସିଲେ ଯାଇ ପାର୍ବତୀଂକ ଡାହାଣ ଭାଗର ।୩୪୦।

ବେଦଧୁନି କଲେ ବିପ୍ରେ ହସ ତେଜ୍ୟାକରି

ଯେସନେକ ପର୍ବକାଳେ ଗର୍ଜଇ ସିନ୍ଧୁବାରି ।୩୪୧।

ବେଦଧୁନି ଶବଦ ଶୁଣିଣ ହେମବନ୍ତୀ

ସଖୀଗଣମାନନ୍ତ ଘେନି ସେ ବନ୍ଦାଇ ଆସନ୍ତି ।୩୪୨।

ଗହ ଗହ ହୁଳ ହୁଳି ସର୍ବ ବାମା ଦେଇ

ସପ୍ତ ଦୀପାବଳି ଘେନି ଅଇଲେ ଚଳାଇ ।୩୪୩।

ଆସିଣ ମିଳିଲେ ସେ ବେଦୀର ଉପରେ

ବେଦୀପରେ ବସିଛନ୍ତି ପାର୍ବତୀ ଯେ ହର ।୩୪୪।

ବିଭାର ବିଧାନମାନ ସରିଲାକ ଯହୁଂ

ହୁଳହୁଳି ଦେଇ ବନ୍ଦାପନା କଲେ ତହୁଂ ।୩୪୫।

ବନ୍ଦାପନା କରି ହରପାର୍ବତୀଂକୁ ନେଲେ

ଭିତର ପୁରେ ନେଇ ଯୁଅ ଖେଳାଇଲେ ।୩୪୬।

ଯୁଅ ଖେଳମାନ ତହୁଂ ସରିଲାକ ଯହୁଂ

ବରକନ୍ୟା ଶୀତଳ ତୁଣ୍ଡି କଲେ ସେ ଯେ ତହୁଂ ।୩୪୭।

ୟେହି ରହସ୍ୟରେ ଈଶ୍ଵରେ ବିଭାହୋଇ

ସେଦିନ ହେମବନ୍ତେ ହରପାର୍ବତୀ ଯେ ରହି ।୩୪୮।

ସକଳ ଦେବତାମାନେ ଭୋଜନ ଯେ କଲେ

ଭୋଜନ କରିଣ ଆଞ୍ଚୋବନ ଯେ ସାରିଲେ ।୩୪୯।

କର୍ପୂର ପାନ ବିଡ଼ିଆ ସମସ୍ତ ଯେ ପାଇ

ସନ୍ତୋଷ ହୋଇଲେ ସର୍ବ ଦେବେ ତହିଂ ।୩୫୦।

ୟେକା ମତ୍ର ପବନ ଦେବତା ନ ଭୁଞ୍ଜିଲେ

ହେମବନ୍ତ ପୁରେ ସମସ୍ତ ଦେବତା ରହିଲେ ।୩୫୧।

ଆର ଦିନ କନ୍ୟା ଘେନିଣ ସଙ୍ଗତର

ପ୍ରବେଶ ହୋଇଲେ ଆସି କପିଳାସ ପୁର ।୩୫୨।

ଦେବଗଣ ମାନେ ଯେଝା ପୁରେ ଗଲେ

କପିଳାସ ପୁରେ ହରପାର୍ବତୀ ରହିଲେ ।୩୫୩।

ୟେକଦିନ ପାର୍ବତୀ ବିଚାରନ୍ତି ବସି

ୟେମନ୍ତେ କାର୍ତ୍ତିକେଶ୍ଵର ମିଳିଲେକ ଆସି ।୩୫୪।

ପୁଣି ଆସି ମିଳିଲେକ ଦେବ ଗଣେଶ୍ଵର

ତାହାନ୍ତ ଦେଖିଣ ଦେବୀ ହୋଇଲେ କାତର ।୩୫୫।

ମନିଷରେ ସଂଜାତ ଅଟଇ କରଚାରି

ଗଜ ମୁଣ୍ଡ ଦେଖିଣ ପାର୍ବତୀ ଭୟେ କରି ।୩୫୬।

ତାହାଂକୁ ନ ଅନାଇଲେ ବାମଭାଗେ

କାର୍ତ୍ତିକେଶ୍ଵର ଉଭା ହୋଇଛନ୍ତି ଆଗେ ।୩୫୭।

ଛଡ଼ଗୋଟି ମୁଣ୍ଡ ତାଂକ ବାରଗୋଟି ଆଖି

ବଡ଼ ଭୟେ କଲେ ଯେ ପାବର୍ତୀ ତାଂକୁ ଦେଖି ।୩୫୮।

ବିଚାରିଲେ ଗଣେଶ ବାହାନ ମୂଷିକ ଅଟଇ

କାର୍ତ୍ତିକର ବାହାନ ଯେ ମୟୂର ଗୋଟି ହୋଇ ।୩୫୯।

ମୂଷା ଧାନ ଚାଉଳ ତାହାର ଖାଇବ

ମୟୂର ବାଡ଼ିରେ ଫୁଳ ଫଳ ନ ରଖିବ ।୩୬୦।

ୟେ ମୂଷିକ ଗୋଟି ଲୁଗା ଭିତରେଣ ପଶି

ଖଣ୍ଡି ଖଣ୍ଡି କରିଣ ଯେ କାଟିବ ନିଶେଷି ।୩୬୧।

କି ବୁଦ୍ଧି କରିବି ମୋତେ ବୁଦ୍ଧି ଦିଶୁ ନାହିଂ

ୟେମନ୍ତ ସମୟେ ହର ମିଳିଲେକ ତହିଂ ।୩୬୨।

ବୃଷଭ ଉପରେ ହର ଚଢିଣ ଆସନ୍ତି

ନବଲକ୍ଷ ଡମ୍ବରୁ ଯେ ଶୁନ୍ୟରେ ବାଜୁଛନ୍ତି ।୩୬୩।

ବାଦ୍ୟଶୁଣି ପର୍ବତୀ ଚହିଂଲେ ସ୍ଥିରକରି

ଦେଖିଲେ ଅସୁଛନ୍ତି ଦେବ ତ୍ରପୁରାରି ।୩୬୪।

ପାଞ୍ଚଗୋଟା ମୁଣ୍ଡ ତାଂକର ପନ୍ଦର ଗୋଟା ଆଖି

ଆଖି ପିଛାଡ଼ି ନୁଆରନ୍ତି ପାର୍ବତୀ ଯେ ଦେଖି ।୩୬୫।

ମେନେ ବିଚାରିଲେ ମୁଂ କି ବୁଦ୍ଧି କରିବି

ୟେ ଭବିଷ୍ୟ ଦେଖି ଦେହ କେମନ୍ତେ ଧରିବି ।୩୬୬।

ୟେତେ ବିଚାରି ତଳକୁ କଲେ କ ବଦନ

ବେନି ନୟନରୁ ନୀର ବହଇ ଘନ ଘନ ।୩୬୭।

ପାର୍ବତୀ ନୟନ ନୀରେ ଜଗତ ପୂରିଲା

ଦେବଗଣମାନନ୍ତ ବଡ଼ ଭୟ ଯେ ଲାଗିଲା ।୩୬୮।

ଅଧାସ୍ଵର୍ଗ ପୁରେଣ ରହିଲେ ଦେବଗଣ

ପାବର୍ତୀଂକି ତୁସ୍ତି ଯେ କତନ୍ତି ମଘବାନ ।୩୬୯।

ଜୟ ଜୟ ପାବର୍ତୀ ତୁ ହରର ଘରଣୀ

ଜୟ ଜୟ ପାବର୍ତୀ ଜଗତ ତାରେଣୀ ।୩୭୦।

କପଳାସ ଭୁବନ ଗୋ ଅଟଇ ତୋହରି

ୟେଥି ବିଜେକଲୁ ହେମବନ୍ତ ତେଜ୍ୟା କରି ।୩୭୧।

ରୋଦନ ଜଳରେ ମାଗୋ ବୁଡୁଛି ସଂସାର

ଜୟ ଜୟ ପାବର୍ତୀ ଗୋ ସଂସାର ରକ୍ଷା କର ।୩୭୨।

ତୋହୋରେଣ ଦେବେ ସ୍ଵର୍ଗ ରକ୍ଷା ହେବେ ପୁଣି

ଜୟ ଜୟ ଦୁର୍ଗା ମା ଗୋ ଦୁର୍ଗତି ତାରେଣୀ ।୩୭୩।

ଦେବେ ଆଗୋଚର ମା ଗୋ ତୋହର ମହିମା

ମନୁଷ୍ୟ ଜନ୍ମରେ କେ ଜାଣିମ ତୋ ସୀମା ।୩୭୪।

ତେଣୁ ତୁମ୍ଭନ୍ତ ମା ଗୋ ପାର୍ଥନା କରଇ

ନୟନୁ ଲୋତକ ମାଗୋ ନ ପକାଅ ତୁହି ।୩୭୫।

ୟେ ନୟନ ଜଳ ରେ ଯେ ସ୍ଵର୍ଗ ଆଚ୍ଛାଦିବ

ଦେବଲୋକ ନରଲୋକ କିଛି ନ ରହିବ ।୩୭୬।

ତୁସ୍ତି ଶୁଣି ପାବର୍ତୀ ଯେ ତେରେଛେ ଚହିଂଲେ

ପ୍ରଥମେ ଅଧା ସ୍ଵର୍ଗରେ ଇନ୍ଦ୍ରଂକୁ ଦେଖିଲେ ।୩୭୭।

ସହସ୍ରନୟନ ଯେ ଇନ୍ଦ୍ରଂକ ଦେହର

ତାହା ଦେଖି ପାବର୍ତୀ ଯେ ହୋଇଲେ କାତର ।୩୭୮।

ପୁଣି ବ୍ରହ୍ମାଂକ ଉପରେ ଦୃଷ୍ଟି ପଡ଼ିଲାକ ଯାଇ

ସ୍ଥିର କରି ପାବର୍ତୀ ଯେ ନିରେଖିଣ ଚାହିଂ ।୩୭୯।

ଦେଖିଲେ ବ୍ରହ୍ମାଂକ ଶିରେ ଚାରିମୁଣ୍ଡ

ଚାରିଦିଗ ଭାଗକୁ ହୋଇଛି ଚାରିତୁଣ୍ଡ ।୩୮୦।

ୟେପରି ଚରିତ ମାନ ଦେଖି ପାବର୍ତୀ ବିଚାରିଲେ

ସ୍ଵର୍ଗରେ ତ ୟେ ଭବିଷ୍ୟ ଅଛଇ ବୋଇଲେ ।୩୮୧।

କର୍ମକୁ ଆଦରି ଦେବୀ ହୋଇଲେକ ସ୍ଥିର

ସୁଖ ଦୁଖ ଆବୋରି ରହିଲେ କଇଳାସର ।୩୮୨।

ୟେହି ପ୍ରକାରେଣ ହର ପାବର୍ତୀଂକ ବିଭା

ହର ପାବର୍ତୀଂକଠାରୁ ଆଉ ନାହିଂ ଶୋଭା ।୩୮୩।

ୟେମନ୍ତ ହୋଇ ରାଜନ ବିଭାର ଚରିତ

ହର ଗଉରୀଂକ ବିଭା ୟେସନେକ ସଂଜାତ ।୩୮୪।

ୟେହା ଶୁଣି ବଇବସୁତମନୁ ଆନନ୍ଦ ହୋଇଲେ

ମୁନିଂକ ଚରଣେ ଗଡ଼ଘାଲିଣ ଶୁତିଲେ ।୩୮୫।

ଭୋ ଅଗସ୍ତି ମୁନି ମୋତେ କଲ ଯେ କାରଣ

ତୁମ୍ଭ ମୁଖୁ ଶୁଣିଲି ହର ପାବର୍ତୀଂକ ବିଭାପୁଣ ।୩୮୬।

ୟେ ବିଭା ଚରିତ ଶୁଣି ମୋ ଶରୀର ଉଲ୍ଲାସ

ପଦ୍ମପାଦେ ଶରଣ ମୁଂ ସାରୋଳା ଦାସ ।୩୮୭।

 

କୁନ୍ତୀ ଗାନ୍ଧାରୀଙ୍କ କଳି (ମଧ୍ୟପର୍ବର ପରିଶିଷ୍ଟ )

ବଦନ୍ତି ଅଗସ୍ତି ଶୁଣ ହୋ ମନୁ ନୃପତି

କୋଇନ୍ତା ଗାନ୍ଧାରୀଂକ କଳିର ଯିସ ରୀତି ।୧।

ମନୁ ପୁଚ୍ଛାକଲେ ଅଗସ୍ତିଂକ ଅଗ୍ରତେ

କିସ ଅର୍ଥେ କଳି ହୋଇଲା କହହୋ ମୁନିମତେ ।୨।

ଶୁଣ ହୋ ମନୁରାୟେ ଭାଗିରଥୀ ନାମେ ଗଙ୍ଗାକୂଳେ

ନୀଳ ଉତ୍ପଳନାମେ ଯେ ପର୍ବତ ର ତଳେ ।୩।

ବିରାଜେଶ୍ଵର ବୋଲି ତହିଂ ବିଜୟେ ଦେବ କାଶୀ

ମନୁଷ୍ୟେ ଅବତାର ସେ ପ୍ରତକ୍ଷେ ବାରଣାସୀ ।୪।

ବାଳ ବୃଦ୍ଧ ତରୁଣ ତିନି ରୂପ ଧରଇ

ପ୍ରତକ୍ଷେ ବର ଦିଅଇ ଯେ ଯାହା ମନେ ବାଞ୍ଛଇ ।୫।

ଇନ୍ଦ୍ରପ୍ରଶସ୍ଥ ରାଜ୍ୟ ତେଜି ନିତ୍ୟହେଂ ଆସନ୍ତି କୋଇନ୍ତି

ସେ ବିରାଜେଶ୍ଵର ଦେବତାନ୍ତ ଆସି ପୂଜା କରଇ ନିତି ।୬।

ପ୍ରହରକ ରାତ୍ର ଥାଉଂ ସେ ପୂଜାବିଧି କର୍ମ ସାରି

ବିବାନେ ଆରୋହି ଦେବୀ ଆସନ୍ତି ବାହୁଡ଼ି ।୭।

କନକର ଚମ୍ପା ଦେବୀ ସହସ୍ରେକ ଘେନି

ନିତିପ୍ରତି କୋଇନ୍ତା ପୂଜାବିଧି ସାରି ଭକ୍ତି ମାନି ।୮।

ଗାନ୍ଧାରୀ ସ୍ରହାନ ସାରି ପ୍ରଭାତର କାଳେ

ସେହି ବିରାଜେଶ୍ଵରଂକୁ ପୂଜା କରଇ ଅବଲୀଳେ ।୯।

ନିତ୍ୟେହେଂ ଆସନ୍ତି ଗାନ୍ଧାରୀ ଇଶ୍ଵର ପୂଜିବାରେ

ମନର ହରଷେ ଯେ ଚଳନ୍ତି ନିଜପୁରେ ।୧୦।

କୋଇନ୍ତାଂକ ପୂଜା ତ ଗାନ୍ଧାରୀ ନ ଜାଣନ୍ତି

ଗାନ୍ଧାରୀଂକ ପୂଜା ନ ଜାଣନ୍ତି କୋନ୍ତି ।୧୧।

ୟେମନ୍ତ ପ୍ରକାରେ କେତେ ଦିନ ଗଲା

ୟେକର ପୂଜା ଆରେକ ନଦେଖିଲା ।୧୨।

ୟେକଦିନେ କୋଇନ୍ତା ଯେ ପୂଜାବିଧି ସାରି

ନିଜ ମନ୍ଦିରକୁ ଗଲେ ପାଣ୍ଡବ ଗର୍ଭଧାରୀ ।୧୩।

ୟେମନ୍ତ ସମୟେ ଦ୍ରିଯୋଧନ ମାତ

ଦେବତା ପୂଜାକୁ ଉପହାରମାନ ଘେନି ଦାସୀ ମାନେ ଅଛନ୍ତି ସଙ୍ଗତ ।୧୪।

ୟେମନ୍ତେ ଦାସୀ ମାନେ ସଙ୍ଗତେ ଅଛନ୍ତି

ଦେଉଳ ଭିତରେ ପ୍ରବେଶ ହୋଇଲେ ଗାନ୍ଧାର ଦୋହିତୀ ।୧୫।

ରଜ୍ୟର ଭୋଗେ ସେ ଗରିଷ୍ଠ ସେ ଦ୍ରିଯୋଧନ ମାତ

ଲିଙ୍ଗ ପୂଜା ଦେଖିଣ ସେ ହୋଅନ୍ତି ପ୍ରଜ୍ଵଳିତ ।୧୬।

କୋପେ ବୋଲନ୍ତି ଦେବୀ ପରିଜନଂକ ଅଗେ

ମୋହର ଠାରୁ ଗରିଷ୍ଠ କେ ଜାମ୍ବୋଦୀପ ଭାଗେ ।୧୭।

ସୁବର୍ଣ୍ଣର ଚମ୍ପା ଦେବୀ ଶତେଗୋଟି ଘେନି

ପ୍ରତକ୍ଷେ ପୂଜା କରଇ ସେ ସୁଲଭ କାମିନୀ ।୧୮।

ନିତ୍ୟେହେଂ ପ୍ରହରକ ପରିଯନ୍ତେ ନିଷ୍ଠାପର ଯୋଗେ

ଖଟିଣ ମଣାଇଥାଇ ମୁହିଂ ସଦାନନ୍ଦଂକ ଆଗେ ।୧୯।

ଯାହା ମାଗିବଇଂ ମୋର ବାଞ୍ଛାସିଦ୍ଧି କରଇ

ଜାମ୍ବୋଦୀପ ମଧ୍ୟେ ପୁତ୍ର ମୋର ୟେକାଙ୍ଗ ଚକ୍ରବତୀ ହୋଇ ।୨୦।

ଅନେକ ସମ୍ପଦ ମୋତେ ଦେଇଛନ୍ତି କାଶୀ

ତାହାଂକର ଚରଣେ ସେବା ମୁ କରଇ ଅହର୍ନିଶି ।୨୧।

ଅନେକ ଦୟା ମୋତେ କରନ୍ତି କପାଳୀ

ଭୃତ୍ୟ ପୂଜା ଦେଖି ମୋର ଶରୀର ବିକଳି ।୨୨।

ମୋହର ଭକତି ଭାଙ୍ଗି କେ କରଇ ସେବା

ଲିଙ୍ଗ ପୂଜା କଲେ ସପ୍ତଦୀପେ ହୋଇ ରାଜା ।୨୩।

କେସନେକ ପୂଜା ମୁହିଂ ଭାଞ୍ଜିବି ତାହାର

ୟେସନେକ ବୋଲି ଗାନ୍ଧାରୀ ଗଲେ ହସ୍ତିନା ନବର ।୨୪।

ବସ୍ମୟେ ହୋଇ ହସ୍ତିନା ପୁରେ ବିଜୟେ ଗାନ୍ଧାରୀ

ସନ୍ନିଧ୍ୟେ ରାଇ ଦ୍ରଯୋଧନକୁ ଆଗ୍ୟାଂ ଦିଲେ କ ହକାରି ।୨୫।

ବାବୁ ବିରାଜେଶ୍ଵର ଲିଙ୍ଗ ଆମ୍ଭେ ପୂଜା କରୁଂ ନିତି

ସେ ଲିଙ୍ଗ ପୂଜା କଲେ ହୋଇ ସପତ ଦୀପେ ନୃପତି ।୨୬।

ବିବିଧ ବର୍ଣ୍ଣେ କରି ଚମ୍ପା ସହସ୍ରେ କୁସୁମ

ନିତିପ୍ରତି ଉପହାର ମୁଂ କରଇ ଅନୁପମ ।୨୭।

ଆମ୍ଭର ପୁଷ୍ୟ କେହୁ ପକାଇ ଦିଅଇ ପ୍ରତିଦିନେ

କନକ ଚମ୍ପା ପୂଜିକେ ଆସଇ ଦେବସ୍ଥାନେ ।୨୮।

ତେଣୁ କରି ବିସ୍ମୟେ ବାବୁ ମୋହର ପଞ୍ଚୁମତି

ନିଚଳ ପୂଜା କେମନ୍ତେ ଘେନଇ ପଶୁପତି ।୨୯।

ତୁହି ଯେ ମୋର ପୁତ୍ର ୟେକାଙ୍ଗ ରାଜନ
ତୋହର ପ୍ରସାଦେ ବାବୁ ମୋହୋର ସର୍ବ ଶୁଭମାନ ।୩୦।

ୟେକା କାଶୀପ୍ରତି ପ୍ରସନ୍ନେ ମୁଂ ମାଗିବି ସଦଗତି

ୟେ ଈଶ୍ଵର ପ୍ରସାଦେ ତୁମ୍ଭେ ଯେ ୟେକାଙ୍ଗ ଚକ୍ରବତୀ ।୩୧।

ୟେବିଧି ପୂଜାମାନ ଯେ ଅଟଇ କେମନ୍ତ

ୟେହା ବିଚାରି ମୋତେ କହ ବୋଇଲେ ରାଜମାତ ।୩୨।

ୟେହାଶୁଣି ଦ୍ରିଯୋଧନ ବୋଇଲା ମାତା ଗୋ ନ ଜାଣ କି ୟେସନ

ପାଣ୍ଡବଂକର ଜନନୀ ୟେ ଶିବଂକୁ ପୂଜା କରଇ ପ୍ରତିଦିନ ।୩୩।

ରାତ୍ର ପ୍ରହରେକ ଥାଉୁଂ ପୂଜା କରଇ ଦେବୀ କୋନ୍ତୀ

ନାନା ବର୍ଣ୍ଣେ ଚମ୍ପା ଗଇଛ ଦୁଦୁରା ଘେନି ନିତି ।୩୪।

ତାହାଂକର ପୂଜାକୁ ତୁମ୍ଭେ ଯେବେ ଅଭିମାନ କର

ଅଭିମାନ ନ ସହିବାଟି ମାତ ଗୋ ସମସ୍ତେ ଛାଡ଼ିବା ଶରୀର ।୩୫।

ଗାନ୍ଧାରୀଂକ ଅଗ୍ରତେ କହନ୍ତି ମାନଗୋବିନ୍ଦ ନୃପ ଚକ୍ରବତୀ

ସୁବର୍ଣ୍ଣର ଲକ୍ଷେ ଚମ୍ପାରେ ତୁମ୍ଭେ ପୂଜା କର ନିତି ।୩୬।

ଅଳପ ଦିନ ରାଜ୍ୟ ଅଟନ୍ତି ସିନା ପାଣ୍ଡବଂକର

କିସ ଅଛି ତାହାଂକର କଣୟ ଧନରତ୍ନ ଭଣ୍ଡାର ।୩୭।

ନିତ୍ୟେହେଂ ସୁବର୍ଣ୍ଣ ଚମ୍ପା ଭିଆଇ ପାରିବଟି କି କୋନ୍ତୀ

ବଇଲକ୍ଷ କରଇ ସିନା ଈଶ୍ଵର ଭଗତି ।୩୮।

ଦ୍ରିଯୋଧନ ବଚନ ଶୁଣି ଗାନ୍ଧାରୀ ତୋଷମନ

ସୁବର୍ଣ୍ଣର ଶତେ ଚମ୍ପା ଗଢାଇ ପ୍ରତିଦିନ ।୩୯।

ଭୋଗରାଗ ବିଧାନ ଘେନି ଅନୁଆନ

ସୁବର୍ଣ୍ଣର ଚମ୍ପା ଘେନି ପୂଜଇ ପ୍ରତିଦିନ ।୪୦।

ଆରକେ ଦିନ ପୂଜା କରି ଅଇଲେ ଦେବୀ କୋନ୍ତୀ

ସୁବର୍ଣ୍ଣର ଚମ୍ପା ଦେଖି ବିସ୍ମୟ ତାଂକର ଯେ ମତି ।୪୧।

ପୂଜାସାରି ଦେବୀ ତହୁଂ ବାହୁଡ଼ିଣ ଗଲେ

ଆରଦିନ ସୁବର୍ଣ୍ଣ ଚମ୍ପା ଘେନି କୋଇନ୍ତାୟେ ଅଇଲେ ।୪୨।

ଦୁଇଦିନ ପୂଜାକୁ ଯେତିକି ଆୟେ ଲାଗି

ପ୍ରଭାତେ କାଳେ କୋଇନ୍ତାୟେ ପୂଜା କରନ୍ତି ବେଗି ବେଗି ।୪୩।

ୟେମନ୍ତର ସମୟେ ଦ୍ରିଯୋଧନର ମାତ

ବିରାଜେଶ୍ଵର ଲିଙ୍ଗ ତହିଂ ମିଳିଲେ ତୁରିତ ।୪୪।

ଦେଖିଣ ଗାନ୍ଧାରୀ ଯେ ହୋଇଲେ କୋପଚିତ୍ତ

ମନରେ ବିକୃତ କଲା ଦ୍ରିଯୋଧନର ମାତ ।୪୫।

ରାଗେଣ ଗାନ୍ଧାରୀ ଯେ ବୋଲଇ ବଚନ

ମୁହିଂ ସେ ଲିଙ୍ଗ ପୂଜିବାକୁ ଅଟଇ ଭାଜନ ।୪୬।

ତୁ ସେ ପୂଜା ମୋହୋର ଭାଙ୍ଗୁକିନା ଯୁଗତେ

ୟେତେ ବୋଲି କୋପେ ସେ ବୋଲଇ କୋଇନ୍ତେ ।୪୭।

ଅନେକ ଝିଂଘାସି ଗାନ୍ଧାରୀ ବୋଇଲେ

ଅପମାନ ପାଇଣ କୋଇନ୍ତାୟେ ବାହୁଡ଼ିଣ ଗଲେ ।୪୮।

କୋଇନ୍ତାୟେ ବୋଇଲେ ଗୋ ପୂଜଇ ମୁହିଂ ନିତି

ତୁମ୍ଭେ କିମ୍ପେ ୟେବେ ଗୋ ବୋଲୁଛ ଅନୀତି ।୪୯।

ଗାନ୍ଧାରୀ ବୋଇଲେ ଲିଙ୍ଗ ମୋହର ଯେ ପୂଜା

ନିତ୍ୟାପ୍ରତି ପୂଜଇ ମୁଂ ଈଶ୍ଵର ଦେବରାଜା ।୫୦।

ତୋହର ଅନୀତି ହୋଇଲା ଯେ ଅବିଚାର

ତୁ ସେ ନିତି ପୂଜା ଗୋ ଭାଙ୍ଗୁଛୁ ମୋହର ।୫୧।

ୟେସନ ଉଚ୍ଚବାଚ ହୋଅନ୍ତେ ବେନି ବାମା

ଦୁହିଂକର ମଧ୍ୟରେ ବିଜୟେ ଈଶ୍ଵର ମହାତମା ।୫୨।

ଉଭା ହୋଇଣ ମଧ୍ୟେ ସେ ଯେ ବୋଇଲେ ଦେବ ହର

ଦୁହେଂ ଶୁଣ ହୋ ତୁମ୍ଭେ ଆମ୍ଭର ଉତ୍ତର ।୫୩।

କି ନିମନ୍ତେ ଦୁହେଂ ତୁମ୍ଭେ ହୋଅ ଅନ୍ୟୋଅନ୍ୟି

କୁରୁ ପାଣ୍ଡବଂକର ଅଟ ତୁମ୍ଭେ ଗୋ ଜନନୀ ।୫୪।

ବୋଲନ୍ତି ଗାନ୍ଧାରୀ ଶୁଣ ତୁମ୍ଭେ ଦ୍ଵିଜ

ନିତିପ୍ରତି ମୁହିଂ ଯେ ସେବଇ ଦେବରାଜ ।୫୫।

ଆଜୁଂ ଆସି ମୋହର ପୂଜା ସେ ଭାଞ୍ଜିଲା

କି ନିମନ୍ତେ ଆସି ମୋ ଲିଙ୍ଗ ପୂଜା କଲା ।୫୬।

ବୋଲନ୍ତି ତ୍ରିଜଟୀ ଦେବ ଯେ ସୁଢଳ

ୟେବେ ତୁମ୍ଭେ ମାୟେଗୋ ମୋହର ବୋଲେ ଚଳ ।୫୭।

କାଲି ପ୍ରଭାତେ ଯେହୁ ସହସ୍ରେ ଚମ୍ପା ଘେନି

ପୂଜା କରିବଟି ପ୍ରଭାତ ରୟଣୀ ।୫୮।

ତାହାର ଲିଙ୍ଗଟି ସେ ହୋଇବ ଯୁଗତେ

ଆଜ ଯାଅ ତୁମ୍ଭେ ଦୁହେଂ ନୋହ ବିମୁଖ ଚିତ୍ତେ ।୫୯।

ଗାନ୍ଧାରୀ ୟେତେକେ ହେଲୁ ତୋଷ

କାଲି ଆମ୍ଭେ ପରିଜା ବୁଝିବା ସମ୍ଭାଷ ।୬୦।

ସହସ୍ରେ ସୁବର୍ଣ୍ଣ ଚମ୍ପା ଘେନି ଯେ ଆଗେ ପୂଜା କରି

ଯଥାଅର୍ଥେ ଲିଙ୍ଗ ସେ ଯେ ହୋଇବ ତାହାରି ।୬୧।

ୟେଥକୁ ଭାର୍ଜନ ଲୋ ହୋଇବୁ କେମନ୍ତେ

ୟେତେ ବୋଲି କୋପ କଲେ ଗାନ୍ଧାରୀ ରାଜମାତେ ।୬୨।

ଗାନ୍ଧାରୀ ବଚନେ କୋଇନ୍ତାୟେ ବାହୁଡ଼ିଲେ

ନିଜ ମନ୍ଦିରେ ଦେବୀ ଉପବାସେ ଶୁତିଲେ ।୬୩।

ପାଞ୍ଚ ପାଣ୍ଡବେ ସେବନ୍ତି ମାତାଂକ ଚରଣେ

ପ୍ରଣପତ୍ୟ କରନ୍ତି ସେ ନତ୍ୟକର୍ମ ସାରିଣ ।୬୪।

ଯୁଝେଷ୍ଠି ପଚାରନ୍ତି ମାୟେ ଗୋ କିମ୍ପାଇଂ ବିକୃତ ମତି

କାହିଂର କାରଣେ ମାୟେ ବିସ୍ମୟେ ଯୁଗତି ।୬୫।

ତୁମ୍ଭର ମନରେ ଗୋ ବିସ୍ମୟେ କିମର୍ଥେ

କିସ ସେ ଅସମ୍ଭବ କହିବାନା ମୋତେ ।୬୬।

କୋୟେନ୍ତାୟେ ବୋଇଲେ ଶୁଣ ହୋ ପଞ୍ଚୁଜଣେ

ଈଶ୍ଵର ପୂଜାୟେ ମୁଂ ପାଇଲି ଅଭିମାନେ ।୬୭।

ମୋହର ପୂଜାପୁଷ୍ୟ ଗାନ୍ଧାରୀ କାଢି ପକାଇଲେ

ସୁବର୍ଣ୍ଣ ଶତେଚମ୍ପା ଘେନିଣ ପୂଜା କଲେ ।୬୮।

ମୋତେ କି ସଖ୍ୟ ଯେ ଅଟଇ ସେହୁ କଥା

ତେଣୁ କରି ପାଇଲି ଲଜ୍ଜା ଅପ୍ରମିତା ।୬୯।

ଗାନ୍ଧାରୀ ପରିଜା କଲେ କଥା କୁତୂହୋଳେ

ସୁବର୍ଣ୍ଣ ସହସ୍ରେକ ଚମ୍ପା ଘେନି ଯେ ପୂଜିବ ପ୍ରାତକାଳେ ।୭୦।

ତାହାର ସେ ସୁଫଳ ହୋଇବ ପୂଜାର ବିଧାନେ

ୟେସନେକ ପ୍ରତଗ୍ୟାଂ ବାବୁ ଗାନ୍ଧାରୀ କଲେ ମନେ ।୭୧।

ମାତାଂକର ବଚନ ଶୁଣିଣ ବୋଲନ୍ତି ଅର୍ଜୁନ

ୟେ ଛାର କଥାକୁ କିମ୍ପେ ବିସ୍ମେୟେ ତୁମ୍ଭର ଯେ ମନ ।୭୨।

କୋଇନ୍ତାୟେ ବୋଇଲେ ବାବୁ ଗାନ୍ଧାରୀ କୋପକଲେ

ସୁବର୍ଣ୍ଣର ଶତେ ଚମ୍ପା ପୁତ୍ରକୁ ମାଗିଲେ ।୭୩।

ବାବୁ ସୁବର୍ଣ୍ଣର ଚମ୍ପା ଘେନି କରିବେ ଲିଙ୍ଗ ପୂଜା

ଯୁଗତେ ତାହାର ଯେ ହୋଇବେ ଲିଙ୍ଗରାଜା ।୭୪।

ବାବୁ ଯୁଗତେ ଶତେପୁତ୍ର ଅଟଇ ଗାନ୍ଧାରୀ

ଦଶ ଦଶ ଦିଲେ ସୁବର୍ଣ୍ଣ ଚମ୍ପା ସହସ୍ରେକ ସରି ।୭୫।

ଆମ୍ଭେ ଦୁଇଜଣ ଗାଢ ପ୍ରତଗ୍ୟାଂ ଯେ କଲୁ

ଉଚ୍ଚବାଚ ହେଉ ହେଉ କଳି ଆରମ୍ଭିଲୁ ।୭୬।

ସହସ୍ରେକ ଚମ୍ପା ଦେଇ ଆଗେ ଯେ କରିବ ପୂଜା

ତେବେ ତାହର ନିଚୟେ ହେବେ ଦେବରାଜା ।୭୭।

ରୟଣୀ ପ୍ରଭାତୁଂ ପୂଜା କରିବେ ସେଲାଗେ

ମୁଂ କିସ କରିବି ବୋଲି ବୋଇଲେ ପୁତ୍ରଂକର ଆଗେ ।୭୮।

ତୁମ୍ଭେ ପୁତ୍ର ଶୂରବନ୍ତ କରିବି ମୁଂ କିସ

ଅବଶ୍ୟ କାଲି ଗାନ୍ଧାରୀ ଘେନିମ ମୋର ପାଶ ।୭୯।

ଶତେ ପୁତ୍ର ଜାତ କଲା ସର୍ବେ ମହାଵଳୀ

ସର୍ବେ ପାଞ୍ଚଗୋଟି ପୁତ୍ର ମୁଂ ପାଞ୍ଚୋଟି ଚମ୍ପା ପାଇବି କାଲି ।୮୦।

କାହୁଂ ୟେତେ ଚମ୍ପା ୟେହୁ ଦେବେ ମୁଂ ଭାଳଇ

ୟେତେ କହିଣ ଦେବି ଯେ କ୍ରନ୍ଦନ କରଇ ।୮୧।

ମାତାଂକ ବିକଳ ଦେଖି ପାର୍ଥ ମନେ ଭାଳି

ଜନନୀଂକ ବିଳ ତ ନୁହଇଂ ସମ୍ଭାଳି ।୮୨।

ଅର୍ଜୁନ ବୋଇଲେ ମୁଣୋହି କର ତୁଗୋ ମାୟେ

ଯେମନ୍ତ ମନବାଞ୍ଛା କାଲି ପୁରିବ କରିବି ସଞ୍ଚୟେ ।୮୩।

କାଲି ପ୍ରଭାତୁଂ ପୂଜାକୁ ଯାଅ ଆଗୋ ଆଈ

ସୁବର୍ଣ୍ଣ ପୁଷ୍ୟେ ଦେଉଳ ଘୋଡ଼ାଇବି ମୁହିଂ ।୮୪।

ଅର୍ଜୁନ ବଚନ ଶୁଣି ଦେବୀ କୋନ୍ତୀ

ସ୍ରାହାନ ଷଟକର୍ମ ସାରି ମୁଣୋହି କରନ୍ତି ।୮୫।

ରବି ଅସ୍ତକାଳେ ଯେ ପଲ୍ୟାଂକରେ ଶୁତେ

ମନ ଉଦବେଗେ ଯେ ନିଦ୍ରା ନ ମାଡ଼ଇ ବେନି ନେତ୍ରେ ।୮୬।

ପ୍ରହରକେ ରାତ୍ର ଥାଉ ନିତ୍ୟକର୍ମ ସାରି

ଈଶ୍ଵରଂକ ପୂଜା ନିମନ୍ତେ ଗଲେ ପାଣ୍ଡବ ଗର୍ଭଧାରୀ ।୮୭।

ବିବାନୁଂ ଉତୁରିଣ ସେ ପାଣ୍ଡବଂକର ମାତ
ଭଗତମତ୍ସଳ ପୂଜା କରନ୍ତି ବିଶ୍ଵନାଥ ।୮୮।

ଲୟେ କରି ଅର୍ଜୁନ ପୂଜାର ବେଳ ଜାଣି

ବାମକରେ ବୀର ଅର୍ଜୁନ ଗାଣ୍ଡିମ ଧନୁ ଧରି ଟାଣି ।୮୯।

ମନଭେଦୀ ନାରାଜ ବସାଇଣ ଗୁଣେ ପାଥ

ଅସ୍ରକୁ ତିଅରି ବୋଲଇ ଚଳ ତୁ ତୁରିତ ।୯୦୧।

ଇନ୍ଦ୍ର ଦେବତାଂକର ଭଣ୍ଡାର ଯେ କୁବେର ଦେବତା ତହିଂ

ସୁବର୍ଣ୍ଣର ଚମ୍ପା ଯେ ଅଛଇ ପୂରୋଇ ।୯୧।

କତୁରୀ ଶର ଆବର ବିନ୍ଧିଲାକ ପୁଣି

ଦେଉଳ ଆୟେଂଳା ଶିରୀ ପୂରୋଇବୁ ଆଣି ।୯୨।

ପବନ ଶରକୁ ଆଡ଼କରି ଦିଲା ଥୋଇ

ମନଭେଦୀ ପଡ଼ିଲା ଯେ ଇନ୍ଦ୍ର ଆଗେ ଯାଇ ।୯୩।

ଅର୍ଜୁନର ସଂକେତ କୁ ଜାଣି ସୁରନାଥ

କୁବେରକୁ ଡାକି ଆଗ୍ୟାଂରେ ଦିଲେ ଯେ ତୁରିତ ।୯୪।

ଆହୋ କୁବେର ଆମ୍ଭର ବୋଲ ତୁମ୍ଭେ କର

ସୁବର୍ଣ୍ଣ ଚମ୍ପା ବୃଷ୍ଟିକର ଶିବଂକ ମନ୍ଦିର ।୯୫।

ଇନ୍ଦ୍ରଂକ ଆଗ୍ୟାଂରେ ଦିଗପାଳ ୟେ କୁବେର

ତକ୍ଷଣେ ବିଜେକଲେ ଗଗନ ମଣ୍ଡଳ ।୯୬।

କୁନ୍ତୀ ଦେବୀ ଶିବ ପୂଜା କଲେ କରିବାର ବେଳେ

ସୁବର୍ଣ୍ଣ ଚମ୍ପା ବୁଷ୍ଟି କଲେ ସେହି ଦିଗପାଳେ ।୯୭।

ପାଚେରୀ ଦେଉଳ ଯେ ଗମ୍ଭୀରି ପୂରୋଇଲା

କୋୟେନ୍ତାଂକ ମନବାଞ୍ଛା ସାର୍ଥକୁ ହୋଇଲା ।୯୮।

ସନ୍ତୋଷେଣ ବରଦିଲେ ଅନ୍ଧେକ ଅଇରି

ପଞ୍ଚୁ କଟକେ ତୋହର ପୁତ୍ର ହୁଅନ୍ତୁ ଦଣ୍ଢଧାରୀ ।୯୯।

ବାଞ୍ଛା ପୂରୋଇ କୋଇନ୍ତା ପ୍ରବେଶ ଯାଇଂ ପୁରେ

ପଛେ ଗାନ୍ଧାରୀ ଦେବୀ ପ୍ରବେଶ ମନ୍ଦିରେ ।୧୦୦।

ସୁବର୍ଣ୍ଣ ଚମ୍ପା ରେ ଯେ ଦେଉଳ ଅଟାଳି ଦିଶୁନାହିଂ

ଲେଉଟିଲେ ଗାନ୍ଧାରୀ ବହୁତ ଲଜ୍ଜା ପାଇ ।୧୦୧।

ତ୍ରଇଲୋକ୍ୟ ପାଣ୍ଡବଂକର ମହିମା ୟେସନ

ଜଗତେ ଉଦିତ ହୋଇଲେ କୋଇନ୍ତାଂକର ନନ୍ଦନ ।୧୦୨।

ସୁପୁତ୍ର ଉପୁଜାଇ କୋଇନ୍ତା ସାଧୁ ଅରଜିଲା

ଅସଜନ ଗାନ୍ଧାରୀ ପୋୟେ କିଛିହିଂ ନୋହିଲା ।୧୦୩

ପଞ୍ଚପୁତ୍ର ଉପୁଜାଇ ପିତୃଲୋକ ଉଦ୍ଧାରି

ଶତେପୁତ୍ର ଉପୁଜାଇ ଶୋକ ସମ୍ଭବ ଗାନ୍ଧାରୀ ।୧୦୪।

ଅସର୍ଜନ ଶତେକ ପୁତ୍ର ୟେକେ ୟେକେ ଦୁଷ୍ଟ

ସନ୍ଥଆତ୍ମା ପାଣ୍ଡବେ ୟେକୁଂ ୟେକ ଗରିଷ୍ଠ ।୧୦୫।

ତୁ ଯେ ପୁଚ୍ଛାକଲୁ ହୋ ମନୁ ମହାରାଜା

ସନ୍ଥଆତ୍ମା ଜନନ୍ତ ସମସ୍ତେ କରନ୍ତି ଯେ ପୂଜା ।୧୦୬।

ୟେସନେକ ପରିଜା କଲେ ବେନିନାରୀ

ଜଇନ୍ତାୟେ କୋଇନ୍ତା ହସ୍ତିନାୟେ ଗାନ୍ଧାରୀ ।୧୦୭।

ବଦନ୍ତି ଅଗସ୍ତି ମୁନି ଆଦି ବ୍ରହ୍ମବେତ୍ତା

ଚିତ୍ତ ଲୟେ କରି ଶୁଣ ବୋଇବସୁତ ମନୁଶ୍ରୋତା ।୧୦୮।

ଶ୍ରୀମହାଭାରଥ ୟେହୁ ଅତୀୟ ପୁଣ୍ୟମାନ

ଶୁଣନ୍ତେ ପାପକ୍ଷୟେ ବର୍ଧୁତ ସନ୍ତାନ ।୧୦୯।

ଏକ ଚିତ୍ତେ ଶୁଣନ୍ତେ ପାଇବ ସଦଗତି

ଭାରଥ ଶୋତ୍ରା ହେଲେ ଅନେକ ଫଳ ଶ୍ରୁତି ।୧୧୦।

ଆହେ ପ୍ରାଣୀ ମାନେ ତୁମ୍ଭେ ଶୁଣ ୟେକ ମନେ

ଭାରଥ ଶୁଣି ଦକ୍ଷିଣା ଦେବଟିକେ ଦିବ୍ୟମାନ ।୧୧୧।

ଯେମନ୍ତ ଦାନଦେଇ ତେମନ୍ତ ଫଳ ପାଇ

ଦକ୍ଷିଣା ନ ଦିଲେ ଫଳ କେବେହେଂ ନୁହଇ ।୧୧୨।

ଶ୍ରୀଚଣ୍ଡୀ ସାରୋଳାଙ୍କ ଚରଣେ ଦଇନି

ସାରୋଳା ଦାସ କବି ବୋଇଲେ ଫଳ ଶ୍ରୁତି ଘେନି ।୧୧୩।

ନିଚିନ୍ତେଣ ଶୁଣିଲେ ପାଇବ ସଦଗତି

ଭାରଥ ସଙ୍ଗୀତା ହେଲେ ଅନେକ ଫଳଶ୍ରୁତି ।୧୧୪।